ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

 ତୃତୀୟ ସ୍କନ୍ଧ ॥

ଷଷ୍ଠ ଅଧ୍ୟାୟ

ବିରାଟ ଶରୀରର ଉତ୍ପତ୍ତି

 

ଋଷିରୁବାଚ

ଇତି ତାସାଂ ସ୍ୱଶକ୍ତୀନାଂ ସତୀନାମସମେତ୍ୟ ସଃ ।

ପ୍ରସୁପ୍ତଲୋକତନ୍ତ୍ରାଣାଂ ନିଶାମ୍ୟ ଗତିମୀଶ୍ୱରଃ ॥ ୧॥

କାଲସଞ୍ଜ୍ଞାଂ ତଦା ଦେବୀଂ ବିଭ୍ରଚ୍ଛକ୍ତିମୁରୁକ୍ରମଃ ।

ତ୍ରୟୋବିଂଶତି ତତ୍ତ୍ୱାନାଂ ଗଣଂ ଯୁଗପଦାବିଶତ୍ ॥ ୨॥

ମୈତ୍ରେୟ ଋଷି କହିଲେ – ସର୍ବଶକ୍ତିମାନ ଭଗବାନ ଯେତେବେଳେ ଦେଖିଲେ ଯେ ପରସ୍ପର ସଂଗଠିତ ହୋଇ ନ ଥିବା କାରଣରୁ ତାଙ୍କର ମହତ୍ତତ୍ତ୍ବାଦି ଶକ୍ତିମାନେ ବିଶ୍ବ-ରଚନା କାର୍ଯ୍ୟରେ ଅସମର୍ଥ ହେଉଛନ୍ତି, ସେତେବେଳେ ସେ କାଳଶକ୍ତିକୁ ସ୍ବୀକାର କରି ଏକ ସଙ୍ଗେ ମହତ୍ତତ୍ତ୍ବ, ଅହଂକାର, ପଞ୍ଚଭୂତ, ପଞ୍ଚତନ୍ମାତ୍ରା, ଏବଂ ମନ ସହିତ ଏକାଦଶ ଇନ୍ଦ୍ରିୟ – ଏହି ତେଇଶ ତତ୍ତ୍ବ ସମୁଦାୟରେ ପ୍ରବିଷ୍ଟ ହେଲେ |

ସୋଽନୁପ୍ରବିଷ୍ଟୋ ଭଗବାଂଶ୍ଚେଷ୍ଟାରୂପେଣ ତଂ ଗଣମ୍ ।

ଭିନ୍ନଂ ସଂୟୋଜୟାମାସ ସୁପ୍ତଂ କର୍ମ ପ୍ରବୋଧୟନ୍ ॥ ୩॥

ତନ୍ମଧ୍ୟରେ ପ୍ରବିଷ୍ଟ ହୋଇ ସେ ଜୀବର ସୁପ୍ତ ଅଦୃଷ୍ଟକୁ ଜାଗ୍ରତ କଲେ ଏବଂ ପରସ୍ପର ଠାରୁ ପୃଥକ ରହିଥିବା ତତ୍ତ୍ବସମୂହକୁ ନିଜ କ୍ରିୟାଶକ୍ତି ଦ୍ବାରା ପରସ୍ପର ସହିତ ମିଳିତ କରିଦେଲେ |

ପ୍ରବୁଦ୍ଧକର୍ମା ଦୈବେନ ତ୍ରୟୋବିଂଶତିକୋ ଗଣଃ ।

ପ୍ରେରିତୋଽଜନୟତ୍ସ୍ୱାଭିର୍ମାତ୍ରାଭିରଧିପୂରୁଷମ୍ ॥ ୪॥

ଏହିପରି ଭାବରେ ଭଗବାନ ଯେତେବେଳେ ଅଦୃଷ୍ଟକୁ କାର୍ଯ୍ୟୋନ୍ମୁଖ କଲେ, ସେତେବେଳେ ସେହି ତେଇଶ ତତ୍ତ୍ବସମୂହ ଭଗବାନଙ୍କ ପ୍ରେରଣାରେ ନିଜ ଅଂଶମାନଙ୍କ ଦ୍ବାରା ଅଧିପୁରୁଷ – ବିରାଟଙ୍କୁ ଉତ୍ପନ୍ନ କଲେ |

ପରେଣ ବିଶତା ସ୍ୱସ୍ମିନ୍ମାତ୍ରୟା ବିଶ୍ୱସୃଗ୍ଗଣଃ ।

ଚୁକ୍ଷୋଭାନ୍ୟୋନ୍ୟମାସାଦ୍ୟ ଯସ୍ମିନ୍ ଲୋକାଶ୍ଚରାଚରାଃ ॥ ୫॥

ଅର୍ଥାତ୍ ଭଗବାନ ଯେତେବେଳେ ଅଂଶରୂପରେ ନିଜର ସେହି ଶରୀରରେ ପ୍ରବେଶ କଲେ, ସେତେବେଳେ ବିଶ୍ବରଚନା କାର୍ଯ୍ୟରେ ନ୍ୟସ୍ତ ମହତ୍ତତ୍ତ୍ବାଦି ସମୁଦାୟ ପରସ୍ପର ମିଳିତ ହୋଇ ପରିଣାମକୁ ପ୍ରାପ୍ତ ହେଲେ | ତତ୍ତ୍ବମାନଙ୍କର ଏହି ପରିଣାମ ହିଁ ବିରାଟ ପୁରୁଷ ଅଟନ୍ତି, ଯାହା ମଧ୍ୟରେ ଏହି ଚରାଚର ଜଗତ ବିଦ୍ୟମାନ |

ହିରଣ୍ମୟଃ ସ ପୁରୁଷଃ ସହସ୍ରପରିବତ୍ସରାନ୍ ।

ଆଣ୍ଡକୋଶ ଉବାସାପ୍ସୁ ସର୍ୱସତ୍ତ୍ୱୋପବୃଂହିତଃ ॥ ୬॥

ଜଳ ଗର୍ଭରେ ଯେଉଁ ଅଣ୍ଡରୂପ ନିବାସ ସ୍ଥାନ ଥିଲା, ତନ୍ମଧ୍ୟରେ ସେହି ହିରଣ୍ମୟ ବିରାଟ ପୁରୁଷ ନିଜ ସହିତ ସମ୍ପୂର୍ଣ୍ଣ ଜୀବ ସମୁଦାୟକୁ ନେଇ ଏକ ହଜାର ଦିବ୍ୟ ବର୍ଷ ଅବସ୍ଥାନ କଲେ |

ସ ବୈ ବିଶ୍ୱସୃଜାଂ ଗର୍ଭୋ ଦେବକର୍ମାତ୍ମଶକ୍ତିମାନ୍ ।

ବିବଭାଜାତ୍ମନାଽଽତ୍ମାନମେକଧା ଦଶଧା ତ୍ରିଧା ॥ ୭॥

ସେ ବିଶ୍ବରଚନାକାରୀ ତତ୍ତ୍ବମାନଙ୍କର ଗର୍ଭ ଥିଲେ ତଥା ଜ୍ଞାନ, କ୍ରିୟା ଏବଂ ଆତ୍ମଶକ୍ତିରେ ସମ୍ପନ୍ନ ଥିଲେ | ଏହି ଶକ୍ତିମାନଙ୍କ ଦ୍ବାରା ସେ ସ୍ବୟଂ କ୍ରମଶଃ ନିଜକୁ ଏକ (ହୃଦୟରୂପ), ଦଶ (ପ୍ରାଣରୂପ) ଏବଂ ତିନ (ଆଧ୍ୟାତ୍ମିକ, ଆଧିଦୈବିକ ଏବଂ ଆଧିଭୌତିକ) ବିଭାଗରେ ବିଭାଜିତ କଲେ |

ଏଷ ହ୍ୟଶେଷସତ୍ତ୍ୱାନାମାତ୍ମାଂଶଃ ପରମାତ୍ମନଃ ।

ଆଦ୍ୟୋଽବତାରୋ ଯତ୍ରାସୌ ଭୂତଗ୍ରାମୋ ବିଭାବ୍ୟତେ ॥ ୮॥

ଏହି ବିରାଟ ପୁରୁଷ ହିଁ ପ୍ରଥମ ଜୀବ ହୋଇଥିବା କାରଣରୁ ସମସ୍ତ ଜୀବଙ୍କର ଆତ୍ମା, ଜୀବରୂପ ହୋଇଥିବା କାରଣରୁ ପରମାତ୍ମାଙ୍କର ଅଂଶ ଏବଂ ପ୍ରଥମ ଅଭିବ୍ୟକ୍ତି ହୋଇଥିବା କାରଣରୁ ଭଗବାନଙ୍କର ଆଦି-ଅବତାର ଅଟନ୍ତି |

ସାଧ୍ୟାତ୍ମଃ ସାଧିଦୈବଶ୍ଚ ସାଧିଭୂତ ଇତି ତ୍ରିଧା ।

ବିରାଟ୍ ପ୍ରାଣୋ ଦଶବିଧ ଏକଧା ହୃଦୟେନ ଚ ॥ ୯॥

ଏହା ଅଧ୍ୟାତ୍ମ, ଅଧିଭୂତ ଏବଂ ଅଧିଦୈବରୂପରେ ତିନି ପ୍ରକାରର, ପ୍ରାଣରୂପରେ ଦଶ ପ୍ରକାରର ଏବଂ ହୃଦୟରୂପରେ ଏକ ପ୍ରକାରର ଅଟେ |

ସ୍ମରନ୍ୱିଶ୍ୱସୃଜାମୀଶୋ ବିଜ୍ଞାପିତମଧୋକ୍ଷଜଃ ।

ବିରାଜମତପତ୍ସ୍ୱେନ ତେଜସୈଷାଂ ବିବୃତ୍ତୟେ ॥ ୧୦॥

ତତ୍ ପଶ୍ଚାତ୍ ବିଶ୍ବରଚନାକାରୀ ମହତ୍ତତ୍ତ୍ବାଦିଙ୍କର ଅଧିପତି ଶ୍ରୀଭଗବାନ ସେମାନଙ୍କର ପ୍ରାର୍ଥନା ସ୍ମରଣ କରି ସେମାନଙ୍କର ବୃତ୍ତିକୁ ଜାଗ୍ରତ କରିବା ନିମନ୍ତେ ନିଜ ଚେତନରୂପ ତେଜ ଦ୍ବାରା ସେହି ବିରାଟ ପୁରୁଷଙ୍କୁ ପ୍ରକାଶିତ କଲେ, ତାଙ୍କୁ ଜଗାଇଲେ |

ଅଥ ତସ୍ୟାଭିତପ୍ତସ୍ୟ କତି ଚାୟତନାନି ହ ।

ନିରଭିଦ୍ୟନ୍ତ ଦେବାନାଂ ତାନି ମେ ଗଦତଃ ଶୃଣୁ ॥ ୧୧॥

ସେ ଜାଗ୍ରତ ହେବା ମାତ୍ରେ ଦେବତାମାନଙ୍କ ପାଇଁ ଯେଉଁ ସବୁ ସ୍ଥାନ ପ୍ରକଟ ହେଲା, ତାହା ବିଷୟରେ ମୁଁ କହୁଛି – ଶୁଣ |

ତସ୍ୟାଗ୍ନିରାସ୍ୟଂ ନିର୍ଭିନ୍ନଂ ଲୋକପାଲୋଽବିଶତ୍ପଦମ୍ ।

ବାଚା ସ୍ୱାଂଶେନ ବକ୍ତବ୍ୟଂ ଯୟାସୌ ପ୍ରତିପଦ୍ୟତେ ॥ ୧୨॥

ପ୍ରଥମେ ବିରାଟ ପୁରୁଷଙ୍କର ମୁଖ ପ୍ରକଟ ହେଲା; ସେଥିରେ ଲୋକପାଳ ଅଗ୍ନି ନିଜ ଅଂଶ ବାଗେନ୍ଦ୍ରିୟ ସମେତ ପ୍ରବିଷ୍ଟ ହେଲେ, ଯଦ୍ବାରା ଜୀବ କଥା କହିଥାଏ |

ନିର୍ଭିନ୍ନଂ ତାଲୁ ବରୁଣୋ ଲୋକପାଲୋଽବିଶଦ୍ଧରେଃ ।

ଜିହ୍ୱୟାଂଶେନ ଚ ରସଂ ଯୟାସୌ ପ୍ରତିପଦ୍ୟତେ ॥ ୧୩॥

ତାପରେ ବିରାଟ ପୁରୁଷଙ୍କର ତାଳୁ ଉତ୍ପନ୍ନ ହେଲା; ଯହିଁରେ ଲୋକପାଳ ବରୁଣ ନିଜ ଅଂଶ ରସନେନ୍ଦ୍ରିୟ ସହିତ ସ୍ଥିତ ହେଲେ, ଯାହା ଦ୍ବାରା ଜୀବ ରସ ଗ୍ରହଣ କରିଥାଏ |

ନିର୍ଭିନ୍ନେ ଅଶ୍ୱିନୌ ନାସେ ବିଷ୍ଣୋରାବିଶତାଂ ପଦମ୍ ।

ଘ୍ରାଣେନାଂଶେନ ଗନ୍ଧସ୍ୟ ପ୍ରତିପତ୍ତିର୍ୟତୋ ଭବେତ୍ ॥ ୧୪॥

ତତ୍ ପଶ୍ଚାତ୍ ସେହି ବିରାଟ ପୁରୁଷଙ୍କର ନାସିକା-ରନ୍ଧ୍ର ପ୍ରକଟ ହେଲା; ତହିଁରେ ଅଶ୍ବିନୀକୁମାର ଦ୍ବୟ ନିଜ ଅଂଶ ଘ୍ରାଣେନ୍ଦ୍ରିୟ ସହିତ ପ୍ରବିଷ୍ଟ ହେଲେ, ତଦ୍ବାରା ଜୀବ ଗନ୍ଧ ଗ୍ରହଣ କରିଥାଏ |

ନିର୍ଭିନ୍ନେ ଅକ୍ଷିଣୀ ତ୍ୱଷ୍ଟା ଲୋକପାଲୋଽବିଶଦ୍ୱିଭୋଃ ।

ଚକ୍ଷୁଷାଂଶେନ ରୂପାଣାଂ ପ୍ରତିପତ୍ତିର୍ୟତୋ ଭବେତ୍ ॥ ୧୫॥

ଏହିପରି ଭାବରେ ଯେତେବେଳେ ସେହି ବିରାଟ ପୁରୁଷଙ୍କର ଶରୀରରେ ଆଖି ପ୍ରକଟ ହେଲା, ସେଥିରେ ନିଜ ଅଂଶ ନେତ୍ରେନ୍ଦ୍ରିୟ ସହିତ ଲୋକପତି ସୂର୍ଯ୍ୟ ପ୍ରବେଶ କଲେ, ଯେଉଁ ନେତ୍ରେନ୍ଦ୍ରିୟ ଦ୍ବାରା ପୁରୁଷର ବିବିଧ ରୂପ ସମ୍ବନ୍ଧୀୟ ଜ୍ଞାନ ହୋଇଥାଏ |

ନିର୍ଭିନ୍ନାନ୍ୟସ୍ୟ ଚର୍ମାଣି ଲୋକପାଲୋଽନିଲୋଽବିଶତ୍ ।

ପ୍ରାଣେନାଂଶେନ ସଂସ୍ପର୍ଶଂ ଯେନାସୌ ପ୍ରତିପଦ୍ୟତେ ॥ ୧୬॥

ତାପରେ ସେହି ବିରାଟ ବିଗ୍ରହରେ ତ୍ବଚା ଉତ୍ପନ୍ନ ହେଲା ଏବଂ ନିଜ ଅଂଶ ତ୍ବଗିନ୍ଦ୍ରିୟ ସହିତ ସେଥିଲେ ଲୋକପାଳ ବାୟୁ ସ୍ଥିତ ହେଲେ, ଯଦ୍ବାରା ଜୀବ ସ୍ପର୍ଶର ଅନୁଭବ କରିଥାଏ |

କର୍ଣାବସ୍ୟ ବିନିର୍ଭିନ୍ନୌ ଧିଷ୍ଣ୍ୟଂ ସ୍ୱଂ ବିବିଶୁର୍ଦିଶଃ ।

ଶ୍ରୋତ୍ରେଣାଂଶେନ ଶବ୍ଦସ୍ୟ ସିଦ୍ଧିଂ ଯେନ ପ୍ରପଦ୍ୟତେ ॥ ୧୭॥

ପୁନଶ୍ଚ ଯେତେବେଳେ ତାଙ୍କର କର୍ଣ୍ଣରନ୍ଧ୍ର ପ୍ରକଟ ହେଲା, ସେଥିରେ ନିଜ ଅଂଶ ଶ୍ରବଣେନ୍ଦ୍ରିୟ ସହିତ ଦିଶାମାନେ ପ୍ରବେଶ କଲେ, ଯଦ୍ବାରା ଜୀବକୁ ଶବ୍ଦର ଜ୍ଞାନ ହୋଇଥାଏ |

ତ୍ୱଚମସ୍ୟ ବିନିର୍ଭିନ୍ନାଂ ବିବିଶୁର୍ଧିଷ୍ଣ୍ୟମୋଷଧୀଃ ।

ଅଂଶେନ ରୋମଭିଃ କଣ୍ଡୂଂ ଯୈରସୌ ପ୍ରତିପଦ୍ୟତେ ॥ ୧୮॥

ତାପରେ ବିରାଟ ଶରୀରରେ ଚର୍ମ ଉତ୍ପନ୍ନ ହେଲା ଏବଂ ସେଥିରେ ଲୋମ ସହିତ ବୃକ୍ଷରାଜି ସ୍ଥିତ ହେଲେ, ଯାହା ଦ୍ବାରା ଜୀବ କୁଣ୍ଡିଆ ଆଦି ସ୍ପର୍ଶ ଅନୁଭବ କରିଥାଏ |

ମେଢ୍ରଂ ତସ୍ୟ ବିନିର୍ଭିନ୍ନଂ ସ୍ୱଧିଷ୍ଣ୍ୟଂ କ ଉପାବିଶତ୍ ।

ରେତସାଂଶେନ ଯେନାସାବାନନ୍ଦଂ ପ୍ରତିପଦ୍ୟତେ ॥ ୧୯॥

ତଦନନ୍ତର ତାଙ୍କର ଲିଙ୍ଗ ଉତ୍ପନ୍ନ ହେଲା | ଏହାକୁ ଆଶ୍ରୟ କରି ପ୍ରଜାପତି ନିଜ ଅଂଶ ବୀର୍ଯ୍ୟ ସହ ପ୍ରବେଶ କଲେ, ଯଦ୍ବାରା ଜୀବ ବିଷୟସୁଖର ଅନୁଭବ କରିଥାଏ |

ଗୁଦଂ ପୁଂସୋ ବିନିର୍ଭିନ୍ନଂ ମିତ୍ରୋ ଲୋକେଶ ଆବିଶତ୍ ।

ପାୟୁନାଂଶେନ ଯେନାସୌ ବିସର୍ଗଂ ପ୍ରତିପଦ୍ୟତେ ॥ ୨୦॥

ତାପରେ ବିରାଟ ଶରୀରରେ ମଳଦ୍ବାର ଉତ୍ପନ୍ନ ହେଲା; ଏଥିରେ ଲୋକପାଳ ମିତ୍ର ନିଜ ଅଂଶ ପାୟୁ-ଇନ୍ଦ୍ରିୟ ସହିତ ପ୍ରବେଶ କଲେ, ଯାହା ଦ୍ବାରା ଜୀବ ମଳତ୍ୟାଗ କରିଥାଏ |

ହସ୍ତାବସ୍ୟ ବିନିର୍ଭିନ୍ନାବିନ୍ଦ୍ରଃ ସ୍ୱର୍ପତିରାବିଶତ୍ ।

ବାର୍ତୟାଂଶେନ ପୁରୁଷୋ ଯୟା ବୃତ୍ତିଂ ପ୍ରପଦ୍ୟତେ ॥ ୨୧॥

ଏହା ପରେ ତାଙ୍କର ହସ୍ତ ପ୍ରକଟ ହେଲା; ସେଥିରେ ନିଜର ଗ୍ରହଣ-ତ୍ୟାଗରୂପ ଶକ୍ତି ସହିତ ଦେବରାଜ ଇନ୍ଦ୍ର ପ୍ରବେଶ କଲେ | ଏହି ଶକ୍ତି ବଳରେ ଜୀବ ନିଜର ଜୀବିକା ପ୍ରାପ୍ତ କରିଥାଏ |

ପାଦାବସ୍ୟ ବିନିର୍ଭିନ୍ନୌ ଲୋକେଶୋ ବିଷ୍ଣୁରାବିଶତ୍ ।

ଗତ୍ୟା ସ୍ୱାଂଶେନ ପୁରୁଷୋ ଯୟା ପ୍ରାପ୍ୟଂ ପ୍ରପଦ୍ୟତେ ॥ ୨୨॥

ତାପରେ ଯେତେବେଳେ ତାଙ୍କର ଚରଣ ଉତ୍ପନ୍ନ ହେଲା, ସେଥିରେ ନିଜ ଗତିଶକ୍ତି ସହିତ ଲୋକେଶ୍ବର ବିଷ୍ଣୁ ପ୍ରବେଶ କଲେ | ଏହି ଗତି-ଶକ୍ତି ବଳରେ ଜୀବ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥାଏ |

ବୁଦ୍ଧିଂ ଚାସ୍ୟ ବିନିର୍ଭିନ୍ନାଂ ବାଗୀଶୋ ଧିଷ୍ଣ୍ୟମାବିଶତ୍ ।

ବୋଧେନାଂଶେନ ବୋଦ୍ଧବ୍ୟପ୍ରତିପତ୍ତିର୍ୟତୋ ଭବେତ୍ ॥ ୨୩॥

ତାପରେ ତାଙ୍କର ବୁଦ୍ଧି ଉତ୍ପନ୍ନ ହେଲା; ଏହି ସ୍ଥାନରେ ନିଜ ଅଂଶ ବୁଦ୍ଧିଶକ୍ତି ସହିତ ବାଚଷ୍ପତି ବ୍ରହ୍ମା ପ୍ରବେଶ କଲେ | ଏହି ବୁଦ୍ଧିଶକ୍ତି ଦ୍ବାରା ଜୀବ ଜ୍ଞାତବ୍ୟ ବିଷୟକୁ ଜାଣି ପାରିଥାଏ |

ହୃଦୟଂ ଚାସ୍ୟ ନିର୍ଭିନ୍ନଂ ଚନ୍ଦ୍ରମା ଧିଷ୍ଣ୍ୟମାବିଶତ୍ ।

ମନସାଂଶେନ ଯେନାସୌ ବିକ୍ରିୟାଂ ପ୍ରତିପଦ୍ୟତେ ॥ ୨୪॥

ତତ୍ ପଶ୍ଚାତ୍ ସେଥିରେ ହୃଦୟ ପ୍ରକଟ ହେଲା, ଯହିଁରେ ନିଜ ଅଂଶ ମନ ସହିତ ଚନ୍ଦ୍ରମା ସ୍ଥିତ ହେଲେ | ଏହି ମନ-ଶକ୍ତି ଦ୍ବାରା ଜୀବ ସଂକଳ୍ପ-ବିକଳ୍ପ ଆଦି ବିକାରକୁ ପ୍ରାପ୍ତ ହୋଇଥାଏ |

ଆତ୍ମାନଂ ଚାସ୍ୟ ନିର୍ଭିନ୍ନମଭିମାନୋଽବିଶତ୍ପଦମ୍ ।

କର୍ମଣାଂଶେନ ଯେନାସୌ କର୍ତବ୍ୟଂ ପ୍ରତିପଦ୍ୟତେ ॥ ୨୫॥

ତଦନନ୍ତର ବିରାଟ ପୁରୁଷଙ୍କଠାରେ ଅହଂକାର ଉତ୍ପନ୍ନ ହେଲା; ଏଥିରେ କ୍ରିୟାଶକ୍ତି ସହିତ ଅଭିମାନ (ରୁଦ୍ର) ପ୍ରବେଶ କଲେ, ଯଦ୍ବାରା ଜୀବ ନିଜର କର୍ତ୍ତବ୍ୟ ସ୍ବୀକାର କରିଥାଏ |

ସତ୍ତ୍ୱଂ ଚାସ୍ୟ ବିନିର୍ଭିନ୍ନଂ ମହାନ୍ ଧିଷ୍ଣ୍ୟମୁପାବିଶତ୍ ।

ଚିତ୍ତେନାଂଶେନ ଯେନାସୌ ବିଜ୍ଞାନଂ ପ୍ରତିପଦ୍ୟତେ ॥ ୨୬॥

ଏବେ ସେଥିରେ ଚିତ୍ତ ପ୍ରକଟ ହେଲା | ତହିଁରେ ଚିତ୍ତଶକ୍ତି ସହିତ ମହତ୍ତତ୍ତ୍ବ ସ୍ଥିତ ହେଲା, ଯାହା ଜୀବକୁ ବିଜ୍ଞାନ (ଚେତନା) ର ଅନୁଭବ କରାଇ ଥାଏ |

ଶୀର୍ଷ୍ଣୋଽସ୍ୟ ଦ୍ୟୌର୍ଧରା ପଦ୍ଭ୍ୟାଂ ଖଂ ନାଭେରୁଦପଦ୍ୟତ ।

ଗୁଣାନାଂ ବୃତ୍ତୟୋ ଯେଷୁ ପ୍ରତୀୟନ୍ତେ ସୁରାଦୟଃ ॥ ୨୭॥

ଏହି ବିରାଟ ପୁରୁଷଙ୍କ ମସ୍ତକରୁ ସ୍ବର୍ଗଲୋକ, ପାଦରୁ ପୃଥିବୀ ଏବଂ ନାଭିରୁ ଅନ୍ତରୀକ୍ଷ (ଆକାଶ) ଉତ୍ପନ୍ନ ହେଲା | ଏଥିରେ କ୍ରମଶଃ ସତ୍ତ୍ବ, ରଜ, ତମ – ଏହି ତିନି ଗୁଣର ପରିଣାମସ୍ବରୂପ ଦେବତା, ମନୁଷ୍ୟ ଓ ପ୍ରେତ ଆଦି ଦୃଷ୍ଟିଗୋଚର ହେବାରେ ଲାଗିଲେ |

ଆତ୍ୟନ୍ତିକେନ ସତ୍ତ୍ୱେନ ଦିବଂ ଦେବାଃ ପ୍ରପେଦିରେ ।

ଧରାଂ ରଜଃ ସ୍ୱଭାବେନ ପଣୟୋ ଯେ ଚ ତାନନୁ ॥ ୨୮॥

ତାର୍ତୀୟେନ ସ୍ୱଭାବେନ ଭଗବନ୍ନାଭିମାଶ୍ରିତାଃ ।

ଉଭୟୋରନ୍ତରଂ ବ୍ୟୋମ ଯେ ରୁଦ୍ରପାର୍ଷଦାଂ ଗଣାଃ ॥ ୨୯॥

ଏମାନଙ୍କ ମଧ୍ୟରୁ ଦେବତାମାନେ ସତ୍ତ୍ବଗୁଣର ଆଧିକ୍ୟ ଯୋଗୁଁ ସ୍ବର୍ଗଲୋକରେ, ମନୁଷ୍ୟ ତଥା ସେମାନଙ୍କର ଉପଯୋଗୀ ଗୌ ଆଦି ଜୀବ ରଜୋଗୁଣର ପ୍ରଧାନତା କାରଣରୁ ପୃଥିବୀରେ ଏବଂ ତମୋଗୁଣୀ ସ୍ବଭାବଯୁକ୍ତ ହୋଇଥିବା କାରଣରୁ ରୁଦ୍ରଙ୍କର ପାର୍ଷଦଗଣ ଭୂତ-ପ୍ରେତାଦି ଉଭୟର ମଧ୍ୟବର୍ତ୍ତୀ ଭଗବାନଙ୍କର ନାଭିସ୍ଥାନୀୟ ଅନ୍ତରୀକ୍ଷଲୋକରେ ରହନ୍ତି |

ମୁଖତୋଽବର୍ତତ ବ୍ରହ୍ମ ପୁରୁଷସ୍ୟ କୁରୂଦ୍ୱହ ।

ଯସ୍ତୂନ୍ମୁଖତ୍ୱାଦ୍ୱର୍ଣାନାଂ ମୁଖ୍ୟୋଽଭୂଦ୍ବ୍ରାହ୍ମଣୋ ଗୁରୁଃ ॥ ୩୦॥

ହେ ବିଦୁର ! ବେଦ ଓ ବ୍ରାହ୍ମଣ ଭଗବାନଙ୍କ ମୁଖରୁ ପ୍ରକଟ ହେଲେ | ମୁଖରୁ ପ୍ରକଟ ହୋଇଥିବା କାରଣରୁ ସବୁ ବର୍ଣ୍ଣ ମଧ୍ୟରେ ବ୍ରାହ୍ମଣ ଶ୍ରେଷ୍ଠ ଅଟନ୍ତି ଏବଂ ସମସ୍ତଙ୍କର ଗୁରୁ ଅଟନ୍ତି |

ବାହୁଭ୍ୟୋଽବର୍ତତ କ୍ଷତ୍ରଂ କ୍ଷତ୍ରିୟସ୍ତଦନୁବ୍ରତଃ ।

ଯୋ ଜାତସ୍ତ୍ରାୟତେ ବର୍ଣାନ୍ ପୌରୁଷଃ କଣ୍ଟକକ୍ଷତାତ୍ ॥ ୩୧॥

ତାଙ୍କର ଦୁଇ ଭୁଜରୁ କ୍ଷତ୍ରିୟ ବୃତ୍ତି ଏବଂ ସେହି ବୃତ୍ତି ଅବଲମ୍ବନ କରୁଥିବା କ୍ଷତ୍ରିୟ ବର୍ଣ୍ଣ ଉତ୍ପନ୍ନ ହେଲା, ଯିଏ ବିରାଟ ଭଗବାନଙ୍କର ଅଂଶ ଭାବରେ ଅନ୍ୟ ସମସ୍ତ ବର୍ଣ୍ଣଙ୍କୁ ଚୋର ଆଦିର ଉପଦ୍ରବରୁ ରକ୍ଷା କରିଥାଆନ୍ତି |

ବିଶୋଽବର୍ତନ୍ତ ତସ୍ୟୋର୍ୱୋର୍ଲୋକବୃତ୍ତିକରୀର୍ୱିଭୋଃ ।

ବୈଶ୍ୟସ୍ତଦୁଦ୍ଭବୋ ବାର୍ତାଂ ନୃଣାଂ ଯଃ ସମବର୍ତୟତ୍ ॥ ୩୨॥

ଭଗବାନଙ୍କର ଉଭୟ ଜାନୁରୁ ସମସ୍ତଙ୍କର ନିର୍ବାହକାରୀ ବୈଶ୍ୟବୃତ୍ତି ଉତ୍ପନ୍ନ ହେଲା ଏବଂ ତହିଁରୁ ବୈଶ୍ୟ ବର୍ଣ୍ଣର ପ୍ରାଦୁର୍ଭାବ ହେଲା | ଏହି ବର୍ଣ୍ଣ ନିଜ ବୃତ୍ତି ଦ୍ବାରା ସବୁ ଜୀବଙ୍କର ଜୀବିକା ନିର୍ବାହ କରିଥାଏ |

ପଦ୍ଭ୍ୟାଂ ଭଗବତୋ ଜଜ୍ଞେ ଶୁଶ୍ରୂଷା ଧର୍ମସିଦ୍ଧୟେ ।

ତସ୍ୟାଂ ଜାତଃ ପୁରା ଶୂଦ୍ରୋ ଯଦ୍ୱୃତ୍ତ୍ୟା ତୁଷ୍ୟତେ ହରିଃ ॥ ୩୩॥

ପୁନଶ୍ଚ, ସବୁ ଧର୍ମର ସିଦ୍ଧି ଉପଲକ୍ଷେ ଭଗବାନଙ୍କ ଚରଣରୁ ସେବା ବୃତ୍ତି ଉତ୍ପନ୍ନ ହେଲା ଏବଂ ସେଥିରୁ ପ୍ରଥମେ ସେହି ବୃତ୍ତିର ଅଧିକାରୀ ଶୂଦ୍ରବର୍ଣ୍ଣ ମଧ୍ୟ ପ୍ରକଟ ହେଲା | ଏହି ବୃତ୍ତି ଦ୍ବାରା ହିଁ ଶ୍ରୀହରି ପ୍ରସନ୍ନ ହୋଇଥାଆନ୍ତି |

ଏତେ ବର୍ଣାଃ ସ୍ୱଧର୍ମେଣ ଯଜନ୍ତି ସ୍ୱଗୁରୁଂ ହରିମ୍ ।

ଶ୍ରଦ୍ଧୟାଽଽତ୍ମବିଶୁଦ୍ଧ୍ୟର୍ଥଂ ଯଜ୍ଜାତାଃ ସହ ବୃତ୍ତିଭିଃ ॥ ୩୪॥

ଏହି ଚାରି ବର୍ଣ୍ଣ ନିଜ ନିଜର ବୃତ୍ତି ସହିତ ଚିତ୍ତଶୁଦ୍ଧି ନିମନ୍ତେ, ଯାହାଠାରୁ ସେମାନେ ଉତ୍ପନ୍ନ, ନିଜର ସେହି ଗୁରୁ ଶ୍ରୀହରିଙ୍କର ଶ୍ରଦ୍ଧାପୂର୍ବକ ପୂଜନ କରନ୍ତି |

ଏତତ୍କ୍ଷତ୍ତର୍ଭଗବତୋ ଦୈବକର୍ମାତ୍ମରୂପିଣଃ ।

କଃ ଶ୍ରଦ୍ଦଧ୍ୟାଦୁପାକର୍ତୁଂ ଯୋଗମାୟାବଲୋଦୟମ୍ ॥ ୩୫॥

ହେ ବିଦୁର ! ଏହି ବିରାଟ ପୁରୁଷ କାଳ, କର୍ମ, ସ୍ବଭାବଶକ୍ତିଯୁକ୍ତ ଭଗବାନଙ୍କର ଯୋଗମାୟାର ପ୍ରଭାବକୁ ପ୍ରକଟ କରିଥାଆନ୍ତି | ସମ୍ପୂର୍ଣ୍ଣରୂପେ ଏହାର ସ୍ବରୂପର ବର୍ଣ୍ଣନା କରିବାକୁ କିଏ ଅବା ସାହସ କରିପାରିବ ? 

ଅଥାପି କୀର୍ତୟାମ୍ୟଙ୍ଗ ଯଥାମତି ଯଥାଶ୍ରୁତମ୍ ।

କୀର୍ତିଂ ହରେଃ ସ୍ୱାଂ ସତ୍କର୍ତୁଂ ଗିରମନ୍ୟାଭିଧାସତୀମ୍ ॥ ୩୬॥

ତଥାପି ଅନ୍ୟ ବ୍ୟବହାରିକ ଚର୍ଚ୍ଚା ଦ୍ବାରା ଅପବିତ୍ର ନିଜର ବାଣୀକୁ ପବିତ୍ର କରିବା ପାଇଁ, ଗୁରୁ ମୁଖରୁ ମୁଁ ଯାହା ଶୁଣିଛି, ସେହି ଶ୍ରୀହରିଙ୍କର ସୁଯଶ ମୁଁ ନିଜ ବୁଦ୍ଧି ଅନୁସାରେ ବର୍ଣ୍ଣନ କରିବି |

ଏକାନ୍ତଲାଭଂ ବଚସୋ ନୁ ପୁଂସାଂ

ସୁଶ୍ଲୋକମୌଲେର୍ଗୁଣବାଦମାହୁଃ ।

ଶ୍ରୁତେଶ୍ଚ ବିଦ୍ୱଦ୍ଭିରୁପାକୃତାୟାଂ

କଥା ସୁଧାୟାମୁପସମ୍ପ୍ରୟୋଗମ୍ ॥ ୩୭॥

ମହାପୁରୁଷମାନଙ୍କ ମତରେ ପୁଣ୍ୟଶ୍ଲୋକଶିରୋମଣି ଶ୍ରୀହରିଙ୍କର ଗୁଣଗାନ କରିବା ହିଁ ମନୁଷ୍ୟର ବାଣୀର ତଥା ବିଦ୍ବାନମାନଙ୍କ ମୁଖରୁ ଭଗବତ୍-କଥାମୃତ ପାନ କରିବା ହିଁ ମନୁଷ୍ୟର କର୍ଣ୍ଣର ସବୁଠାରୁ ବଡ ଲାଭ ଅଟେ |

ଆତ୍ମନୋଽବସିତୋ ବତ୍ସ ମହିମା କବିନାଽଽଦିନା ।

ସମ୍ବତ୍ସରସହସ୍ରାନ୍ତେ ଧିୟା ଯୋଗବିପକ୍ୱୟା ॥ ୩୮॥

ହେ ବତ୍ସ ! କେବଳ ଆମେ ହିଁ ନୁହେଁ, ଆଦିକବି ଶ୍ରୀବ୍ରହ୍ମାଜୀ ମଧ୍ୟ ଏକ ହଜାର ଦିବ୍ୟ ବର୍ଷ ନିଜ ଯୋଗପରିପକ୍ବ ବୁଦ୍ଧିରେ ବିଚାର କରି ଭଗବାନଙ୍କର ଅମିତ ମହିମାକୁ ଜାଣି ପାରି ନ ଥିଲେ |

ଅତୋ ଭଗବତୋ ମାୟା ମାୟିନାମପି ମୋହିନୀ ।

ଯତ୍ସ୍ୱୟଂ ଚାତ୍ମବର୍ତ୍ମାତ୍ମା ନ ବେଦ କିମୁତାପରେ ॥ ୩୯॥

ତେଣୁ ଭଗବାନଙ୍କର ମାୟା ବଡ ବଡ ମାୟାବୀମାନଙ୍କୁ ମଧ୍ୟ ମୋହିତ କରି ଦେଇଥାଏ | ତାର ଦ୍ବନ୍ଦ୍ବଉତ୍ପନ୍ନକାରୀ ଶକ୍ତି ଅନନ୍ତ ଅଟେ | ଅତଏବ ସ୍ବୟଂ ଭଗବାନ ବି ତାର ଥଳକୂଳ ପାଆନ୍ତି ନାହିଁ; ସେଠାରେ ଅନ୍ୟମାନଙ୍କ କଥା କଣ କହିବା |

ଯତୋଽପ୍ରାପ୍ୟ ନ୍ୟବର୍ତନ୍ତ ବାଚଶ୍ଚ ମନସା ସହ ।

ଅହଂ ଚାନ୍ୟ ଇମେ ଦେବାସ୍ତସ୍ମୈ ଭଗବତେ ନମଃ ॥ ୪୦॥

ଯେଉଁଠାରେ ପହଞ୍ଚି ନ ପାରି ମନ ସହିତ ବାଣୀ ନିରାଶ ହୋଇ ଫେରିଆସନ୍ତି ତଥା ଯାହାକୁ ଜାଣିବାକୁ ଅହଂକାର-ଅଭିମାନୀ ରୁଦ୍ର ତଥା ଅନ୍ୟ ଇନ୍ଦ୍ରିୟାଧିଷ୍ଠାତା ଦେବତା ବି ସମର୍ଥ ନୁହନ୍ତି, ସେହି ଭଗବାନଙ୍କୁ ମୁଁ ନମସ୍କାର କରୁଛି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ତୃତୀୟସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ॥ ୬॥


Comments

Popular posts from this blog