ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ॥
ସପ୍ତମ ଅଧ୍ୟାୟ
ବିଦୁରଙ୍କର ପ୍ରଶ୍ନ
ଶ୍ରୀଶୁକ ଉବାଚ
ଏବଂ ବ୍ରୁବାଣଂ ମୈତ୍ରେୟଂ ଦ୍ୱୈପାୟନସୁତୋ ବୁଧଃ ।
ପ୍ରୀଣୟନ୍ନିବ ଭାରତ୍ୟା ବିଦୁରଃ ପ୍ରତ୍ୟଭାଷତ ॥ ୧॥
ଶ୍ରୀ ଶୁକଦେବ କହୁଛନ୍ତି - ମୈତ୍ରେୟ ଋଷିଙ୍କର ବ୍ୟାଖ୍ୟାନ ଶୁଣି
ବୁଦ୍ଧିମାନ ବ୍ୟାସନନ୍ଦନ ବିଦୁର ତାଙ୍କୁ ନିଜ ବାଣୀରେ ପ୍ରସନ୍ନ କରି କହିଲେ -
ବିଦୁର ଉବାଚ
ବ୍ରହ୍ମନ୍ କଥଂ ଭଗବତଶ୍ଚିନ୍ମାତ୍ରସ୍ୟାବିକାରିଣଃ ।
ଲୀଲୟା ଚାପି ଯୁଜ୍ୟେରନ୍ନିର୍ଗୁଣସ୍ୟ ଗୁଣାଃ କ୍ରିୟାଃ ॥ ୨॥
ବିଦୁର କହିଲେ – ହେ ବ୍ରହ୍ମନ୍ ! ଭଗବାନ ତ ଶୁଦ୍ଧ ବୋଧସ୍ଵରୂପ,
ନିର୍ବିକାର ଏବଂ ନିର୍ଗୁଣ ଅଟନ୍ତି; ସେପରି ସ୍ଥଳେ ଲୀଳାରେ
ମଧ୍ୟ ତାଙ୍କ ସହିତ ଗୁଣ ଏବଂ କ୍ରିୟାର ସମ୍ବନ୍ଧ କିପରି ସମ୍ଭବ ହୁଏ ?
କ୍ରୀଡାୟାମୁଦ୍ୟମୋଽର୍ଭସ୍ୟ କାମଶ୍ଚିକ୍ରୀଡିଷାନ୍ୟତଃ ।
ସ୍ୱତସ୍ତୃପ୍ତସ୍ୟ ଚ କଥଂ ନିବୃତ୍ତସ୍ୟ ସଦାନ୍ୟତଃ ॥ ୩॥
ବାଳକମାନଙ୍କଠାରେ ତ କାମନା ଏବଂ ଅନ୍ୟମାନଙ୍କ ସହିତ ଖେଳିବାର ଇଚ୍ଛା
ରହିଥାଏ, ସେଥିପାଇଁ ସେମାନେ
ଖେଳିବାକୁ ପ୍ରଯତ୍ନ କରିଥାଆନ୍ତି; କିନ୍ତୁ ଭଗବାନ ତ
ନିତ୍ୟତୃପ୍ତ-ପୂର୍ଣ୍ଣକାମ ଏବଂ ସର୍ବଦା ଅସଙ୍ଗ ଅଟନ୍ତି,
ସେ କ୍ରୀଡା କରିବା ନିମନ୍ତେ ବି କାହିଁକି ସଂକଳ୍ପ କରିବେ ?
ଅସ୍ରାକ୍ଷୀଦ୍ଭଗବାନ୍ୱିଶ୍ୱଂ ଗୁଣମୟ୍ୟାଽଽତ୍ମମାୟଯା ।
ତୟା ସଂସ୍ଥାପୟତ୍ୟେତଦ୍ଭୂୟଃ ପ୍ରତ୍ୟପିଧାସ୍ୟତି ॥ ୪॥
ଭଗବାନ ନିଜ ଗୁଣମୟୀ ମାୟା ବଳରେ ଜଗତର ରଚନା କରିଛନ୍ତି, ତଦ୍ବାରା ସେ ଏହାର ପାଳନ କରୁଛନ୍ତି ଏବଂ ପୁନଶ୍ଚ ତଦ୍ବାରା ସେ ଏହାର
ସଂହାର ମଧ୍ୟ କରିବେ |
ଦେଶତଃ କାଲତୋ ଯୋଽସାବବସ୍ଥାତଃ ସ୍ୱତୋଽନ୍ୟତଃ ।
ଅବିଲୁପ୍ତାବବୋଧାତ୍ମା ସ ଯୁଜ୍ୟେତାଜୟା କଥମ୍ ॥ ୫॥
ଯେଉଁମାନଙ୍କର ଜ୍ଞାନ ଦେଶ,
କାଳ, ଅଥବା ଅବସ୍ଥା
ଭିତ୍ତିରେ ସ୍ବତଃ ବା କୌଣସି ଅନ୍ୟ ନିମିତ୍ତ ଦ୍ବାରା କେବେ ବି ଲୋପ ହୋଇ ନ ଥାଏ, ତାଙ୍କର ମାୟା ସହିତ ସଂଯୋଗ କିପରି ହେବ ?
ଭଗବାନେକ ଏବୈଷ ସର୍ୱକ୍ଷେତ୍ରେଷ୍ୱବସ୍ଥିତଃ ।
ଅମୁଷ୍ୟ ଦୁର୍ଭଗତ୍ୱଂ ବା କ୍ଲେଶୋ ବା କର୍ମଭିଃ କୁତଃ ॥ ୬॥
ଏକମାତ୍ର ଏହି ଭଗବାନ ହିଁ ସମସ୍ତ କ୍ଷେତ୍ରରେ ତାଙ୍କର ସାକ୍ଷୀରୂପରେ
ସ୍ଥିତ ଅଟନ୍ତି, ତେଣୁ ତାଙ୍କୁ
ଦୁର୍ଭାଗ୍ୟ ବା କର୍ମଜନିତ କୌଣସି ପ୍ରକାରର କ୍ଲେଶ ପ୍ରାପ୍ତ ହେବ କିପରି ?
ଏତସ୍ମିନ୍ ମେ ମନୋ ବିଦ୍ୱନ୍ଖିଦ୍ୟତେଽଜ୍ଞାନସଙ୍କଟେ ।
ତନ୍ନଃ ପରାଣୁଦ ବିଭୋ କଶ୍ମଲଂ ମାନସଂ ମହତ୍ ॥ ୭॥
ହେ ଭଗବନ୍ ! ଏହି ଅଜ୍ଞାନସଙ୍କଟରେ ପଡି ମୋର ମନ ଅତ୍ୟନ୍ତ କ୍ଷୁର୍ଣ୍ଣ
ହେଉଛି, ଆପଣ କୃପା କରି ମୋ
ମନର ଏହି ମୋହକୁ ଦୂର କରନ୍ତୁ |
ଶ୍ରୀଶୁକ ଉବାଚ
ସ ଇତ୍ଥଂ ଚୋଦିତଃ କ୍ଷତ୍ତ୍ରା ତତ୍ତ୍ୱଜିଜ୍ଞାସୁନା ମୁନିଃ ।
ପ୍ରତ୍ୟାହ ଭଗବଚ୍ଚିତ୍ତଃ ସ୍ମୟନ୍ନିବ ଗତସ୍ମୟଃ ॥ ୮॥
ଶ୍ରୀ ଶୁକଦେବ କହୁଛନ୍ତି – ତତ୍ତ୍ବଜିଜ୍ଞାସୁ ବିଦୁରଙ୍କଠାରୁ
ପ୍ରେରଣା ପ୍ରାପ୍ତ କରି ଅହଂକାରହୀନ ମୈତ୍ରେୟ ଭଗବାନଙ୍କର ସ୍ମରଣ କରି ହସି ହସି କହିଲେ -
ମୈତ୍ରେୟ ଉବାଚ
ସେୟଂ ଭଗବତୋ ମାୟା ଯନ୍ନୟେନ ବିରୁଧ୍ୟତେ ।
ଈଶ୍ୱରସ୍ୟ ବିମୁକ୍ତସ୍ୟ କାର୍ପଣ୍ୟମୁତ ବନ୍ଧନମ୍ ॥ ୯॥
ମୈତ୍ରେୟ କହିଲେ – ଯେଉଁ ଆତ୍ମା ସମସ୍ତଙ୍କର ସ୍ବାମୀ ଏବଂ ସର୍ବତୋ
ଭାବରେ ମୁକ୍ତସ୍ଵରୂପ ଅଟେ, ସେ ହିଁ ଦୀନତା ଏବଂ ବନ୍ଧନକୁ
ପ୍ରାପ୍ତ ହେଉଥିବ – ଏହା ଅବଶ୍ୟ ଯୁକ୍ତିବିରୁଦ୍ଧ ଅଟେ;
କିନ୍ତୁ ବସ୍ତୁତଃ ଏହା ହିଁ ତ ଭଗବାନଙ୍କର ମାୟା ଅଟେ |
ଯଦର୍ଥେନ ବିନାମୁଷ୍ୟ ପୁଂସ ଆତ୍ମବିପର୍ୟଯଃ ।
ପ୍ରତୀୟତ ଉପଦ୍ରଷ୍ଟୁଃ ସ୍ୱଶିରଶ୍ଛେଦନାଦିକଃ ॥ ୧୦॥
ସ୍ବପ୍ନ ଦେଖୁଥିବା ବ୍ୟକ୍ତିକୁ ଯେପରି ନିଜର ସିରଛେଦନ ଆଦି ଘଟଣା
ବାସ୍ତବରେ ହେଉ ନ ଥିଲେ ମଧ୍ୟ ସତ୍ୟବତ୍ ପ୍ରତୀତ ହୋଇଥାଏ,
ସେହିପରି ଜୀବ ବନ୍ଧନରେ ନ ଥାଇ ମଧ୍ୟ ଅଜ୍ଞାନବଶତଃ ବନ୍ଧନକୁ ପ୍ରାପ୍ତ ହୋଇଥିବା ପରି ମନେ
ହୋଇଥାଏ |
ଯଥା ଜଲେ ଚନ୍ଦ୍ରମସଃ କମ୍ପାଦିସ୍ତତ୍କୃତୋ ଗୁଣଃ ।
ଦୃଶ୍ୟତେଽସନ୍ନପି ଦ୍ରଷ୍ଟୁରାତ୍ମନୋଽନାତ୍ମନୋ ଗୁଣଃ ॥ ୧୧॥
ଯଦି ଏହା ପଚରା ଯିବ ଯେ ଈଶ୍ବରଙ୍କଠାରେ ଏହାର ପ୍ରତୀତି କାହିଁକି ହୋଇ
ନ ଥାଏ, ତେବେ ଉତ୍ତରରେ ଏହା
କୁହାଯିବ ଯେ ଜଳରେ ହେଉଥିବା କମ୍ପ ଆଦି କ୍ରିୟା ଯେପରି ଜଳରେ ପ୍ରତିବିମ୍ବିତ ଚନ୍ଦ୍ରମାର
ପ୍ରତିଛବିରେ ପରିଦୃଶ୍ୟ ହୋଇଥାଏ, କିନ୍ତୁ ଆକାଶରେ
ସ୍ଥିତ ଚନ୍ଦ୍ରମାରେ ହୋଇ ନ ଥାଏ, ସେହିପରି
ଦେହାଭିମାନୀ ଜୀବଠାରେ ହିଁ ଦେହର ମିଥ୍ୟା ଧର୍ମ ପ୍ରତୀତ ହୋଇଥାଏ, ପରମାତ୍ମାଙ୍କଠାରେ ନୁହେଁ |
ସ ବୈ ନିବୃତ୍ତିଧର୍ମେଣ ବାସୁଦେବାନୁକମ୍ପୟା ।
ଭଗବଦ୍ଭକ୍ତିୟୋଗେନ ତିରୋଧତ୍ତେ ଶନୈରିହ ॥ ୧୨॥
ନିଷ୍କାମଭାବରେ ଧର୍ମର ଆଚରଣ କରି ଭଗବତ୍-କୃପାରୁ ପ୍ରାପ୍ତ ଭକ୍ତିଯୋଗ
ଦ୍ବାରା ଏହି ପ୍ରତୀତି ଧୀରେ ଧୀରେ ନିବୃତ୍ତ ହୋଇଯାଏ |
ଯଦେନ୍ଦ୍ରିୟୋପରାମୋଽଥ ଦ୍ରଷ୍ଟ୍ରାତ୍ମନି ପରେ ହରୌ ।
ବିଲୀୟନ୍ତେ ତଦା କ୍ଲେଶାଃ ସଂସୁପ୍ତସ୍ୟେବ କୃତ୍ସ୍ନଶଃ ॥ ୧୩॥
ସମସ୍ତ ଇନ୍ଦ୍ରିୟ ଯେତେବେଳେ ବିଷୟରୁ ନିବୃତ୍ତ ହୋଇ ସାକ୍ଷୀ
ପରମାତ୍ମା ଶ୍ରୀହରିଙ୍କଠାରେ ନିଶ୍ଚଳ ଭାବରେ ସ୍ଥିତ ହୋଇଯାଆନ୍ତି, ସେତେବେଳେ ଗାଢ଼ ନିଦ୍ରାରେ ଶୋଇଥିବା ମନୁଷ୍ୟ ପରି ଜୀବର
ରାଗ-ଦ୍ବେଷାଦି ସମସ୍ତ କ୍ଲେଶ ନଷ୍ଟ ହୋଇଯାଏ |
ଅଶେଷସଙ୍କ୍ଲେଶଶମଂ ବିଧତ୍ତେ
ଗୁଣାନୁବାଦଶ୍ରବଣଂ ମୁରାରେଃ ।
କୁତଃ ପୁନସ୍ତଚ୍ଚରଣାରବିନ୍ଦ-
ପରାଗସେବା ରତିରାତ୍ମଲବ୍ଧା ॥ ୧୪॥
ଶ୍ରୀକୃଷ୍ଣଙ୍କ ଗୁଣର ବର୍ଣ୍ଣନ ଏବଂ ଶ୍ରବଣ ଅଶେଷ ଦୁଃଖରାଶିକୁ ଶାନ୍ତ
କରି ଦେଇଥାଏ | ତଦୁପରି ଆମ ହୃଦୟରେ ଯଦି ତାଙ୍କ ଚରଣରଜ ସେବନ କରିବାରେ ପ୍ରେମ ଜାତ ହୋଇଯାଏ, ତେବେ ସେହି ସୌଭାଗ୍ୟ କଥା ଆଉ କ’ଣ
କହିବା |
ବିଦୁର ଉବାଚ
ସଞ୍ଛିନ୍ନଃ ସଂଶୟୋ ମହ୍ୟଂ ତବ ସୂକ୍ତାସିନା ବିଭୋ ।
ଉଭୟତ୍ରାପି ଭଗବନ୍ ମନୋ ମେ ସମ୍ପ୍ରଧାବତି ॥ ୧୫॥
ବିଦୁର କହିଲେ – ହେ ଭଗବନ୍ ! ଆପଣଙ୍କର ଯୁକ୍ତିଯୁକ୍ତ ବଚନରୂପୀ ଖଡଗ
ଦ୍ବାରା ମୋର ସମସ୍ତ ସଂଶୟ ଛିନ୍ନ-ଭିନ୍ନ ହୋଇଗଲା | ଏବେ ମୋର ଚିତ୍ତ ଭଗବାନଙ୍କର ସ୍ବତନ୍ତ୍ରତା
ଏବଂ ଜୀବର ପରତନ୍ତ୍ରତା – ଉଭୟ ବିଷୟରେ ଆରାମରେ ପ୍ରବେଶ କରିପାରୁଛି |
ସାଧ୍ୱେତଦ୍ୱ୍ୟାହୃତଂ ବିଦ୍ୱନ୍ନାତ୍ମମାୟାୟନଂ ହରେଃ ।
ଆଭାତ୍ୟପାର୍ଥଂ ନିର୍ମୂଲଂ ବିଶ୍ୱମୂଲଂ ନ ଯଦ୍ବହିଃ ॥ ୧୬॥
ହେ ବିଦ୍ବାନ୍ ! ଆପଣ ଏହା ଉଚିତରେ କହିଲେ ଯେ ଜୀବକୁ ଯେଉଁ କ୍ଲେଶ
ଆଦିର ପ୍ରତୀତି ହୋଇଥାଏ, ତାହାର ଆଧାର
ଭଗବାନଙ୍କର ମାୟା ହିଁ ଅଟେ | ସେହିସବୁ କ୍ଲେଶ ମିଥ୍ୟା ଏବଂ ନିର୍ମୂଳ ଅଟେ, କାରଣ ଏହି ବିଶ୍ବର ମୂଳ କାରଣ ହିଁ ମାୟା ଅତିରିକ୍ତ ଅନ୍ୟ କିଛି
ନୁହେଁ |
ଯଶ୍ଚ ମୂଢତମୋ ଲୋକେ ଯଶ୍ଚ ବୁଦ୍ଧେଃ ପରଂ ଗତଃ ।
ତାବୁଭୌ ସୁଖମେଧେତେ କ୍ଲିଶ୍ୟତ୍ୟନ୍ତରିତୋ ଜନଃ ॥ ୧୭॥
ଏହି ସଂସାରରେ ଦୁଇ ପ୍ରକାରର ଲୋକ ସୁଖୀ ଅଟନ୍ତି – ଯେଉଁମାନେ
ଅତ୍ୟନ୍ତ ମୂଢ଼ (ଅଜ୍ଞାନଗ୍ରସ୍ତ) ଏବଂ ଯେଉଁମାନେ ବୁଦ୍ଧି ଆଦିର ଅତୀତ ଭଗବାନଙ୍କୁ ପ୍ରାପ୍ତ
କରିନେଇ ଥାଆନ୍ତି | ମଧ୍ୟବର୍ତ୍ତୀ ଶ୍ରେଣୀର ସଂଶୟାପନ୍ନ ବ୍ୟକ୍ତି ତ ଦୁଃଖ ହିଁ ଭୋଗ କରିବାରେ
ଲାଗିଥାଆନ୍ତି |
ଅର୍ଥାଭାବଂ ବିନିଶ୍ଚିତ୍ୟ ପ୍ରତୀତସ୍ୟାପି ନାତ୍ମନଃ ।
ତାଂ ଚାପି ଯୁଷ୍ମଚ୍ଚରଣସେବୟାହଂ ପରାଣୁଦେ ॥ ୧୮॥
ହେ ଭଗବନ୍ ! ଆପଣଙ୍କ କୃପାରୁ ମୋର ଏହି ନିଶ୍ଚୟ ଦୃଢ ହୋଇଗଲା ଯେ
ଏହିସବୁ ଅନାତ୍ମ ପଦାର୍ଥର ବାସ୍ତବରେ ଅସ୍ତିତ୍ବ ହିଁ ନାହିଁ,
ଏହାର କେବଳ ପ୍ରତୀତି ହୋଇଥାଏ | ଏବେ ଆପଣଙ୍କ ଚରଣ-ସେବାର ପ୍ରଭାବରେ ମୁଁ ସେହି ପ୍ରତୀତିକୁ
ମଧ୍ୟ ସମାପ୍ତ କରିଦେବି |
ଯତ୍ସେବୟା ଭଗବତଃ କୂଟସ୍ଥସ୍ୟ ମଧୁଦ୍ୱିଷଃ ।
ରତିରାସୋ ଭବେତ୍ତୀବ୍ରଃ ପାଦୟୋର୍ୱ୍ୟସନାର୍ଦନଃ ॥ ୧୯॥
ଏହି ଶ୍ରୀଚରଣର ସେବା ଦ୍ବାରା ନିତ୍ୟସିଦ୍ଧ ଭଗବାନ ଶ୍ରୀମଧୁସୂଦନଙ୍କର
ଚରଣକମଳରେ ଉତ୍କଟ ପ୍ରେମ ଏବଂ ଆନନ୍ଦର ବୃଦ୍ଧି ହୋଇଥାଏ,
ଯାହା ଆବାହଗମନର ଯନ୍ତ୍ରଣାକୁ ନାଶ କରି ଦେଇଥାଏ |
ଦୁରାପା ହ୍ୟଲ୍ପତପସଃ ସେବା ବୈକୁଣ୍ଠବର୍ତ୍ମସୁ ।
ଯତ୍ରୋପଗୀୟତେ ନିତ୍ୟଂ ଦେବଦେବୋ ଜନାର୍ଦନଃ ॥ ୨୦॥
ମହାତ୍ମାମାନେ ଭଗବତ୍-ପ୍ରାପ୍ତିର ସାକ୍ଷାତ୍ ମାର୍ଗ ହିଁ ଅଟନ୍ତି, ସେମାନଙ୍କ ସନ୍ନିଧିରେ ସର୍ବଦା ଦେବଦେବ ଶ୍ରୀହରିଙ୍କର ଗୁଣଗାନ
ହେଉଥାଏ; କ୍ଷୀଣପୁଣ୍ୟ
ପୁରୁଷକୁ ସେମାନଙ୍କ ସେବାର ଅବସର ମିଳିବା ଅତ୍ୟନ୍ତ କଠିନ ଅଟେ |
ସୃଷ୍ଟ୍ୱାଗ୍ରେ ମହଦାଦୀନି ସବିକାରାଣ୍ୟନୁକ୍ରମାତ୍ ।
ତେଭ୍ୟୋ ବିରାଜମୁଦ୍ଧୃତ୍ୟ ତମନୁ ପ୍ରାବିଶଦ୍ୱିଭୁଃ ॥ ୨୧॥
ଭଗବନ୍ ! ଆପଣ କହିଲେ ଯେ ସୃଷ୍ଟିର ପ୍ରାରମ୍ଭରେ ଭଗବାନ କ୍ରମଶଃ
ମହଦାଦି ତତ୍ତ୍ବ ଏବଂ ସେମାନଙ୍କ ବିକାରମାନଙ୍କର ରଚନା କରି ସେମାନଙ୍କ ଅଂଶରୁ ବିରାଟର ଉତ୍ପନ୍ନ
କଲେ ଏବଂ ତତ୍ ପଶ୍ଚାତ୍ ସ୍ବୟଂ ସେଥିରେ ପ୍ରବିଷ୍ଟ ହୋଇଗଲେ |
ଯମାହୁରାଦ୍ୟଂ ପୁରୁଷଂ ସହସ୍ରାଙ୍ଘ୍ର୍ୟୂରୁବାହୁକମ୍ ।
ଯତ୍ର ବିଶ୍ୱ ଇମେ ଲୋକାଃ ସବିକାସଂ ସମାସତେ ॥ ୨୨॥
ସେହି ବିରାଟ ପୁରୁଷଙ୍କର ସହସ୍ର ପାଦ, ଜାନୁ ଏବଂ ଭୁଜ ରହିଛି; ବେଦ
ତାଙ୍କୁ ହିଁ ଆଦିପୁରୁଷ କହିଥାଆନ୍ତି; ସମସ୍ତ ଲୋକ ତାଙ୍କ ମଧ୍ୟରେ ବିସ୍ତୃତରୂପେ ସ୍ଥିତ ଅଟନ୍ତି
|
ଯସ୍ମିନ୍ ଦଶବିଧଃ ପ୍ରାଣଃ ସେନ୍ଦ୍ରିୟାର୍ଥେନ୍ଦ୍ରିୟସ୍ତ୍ରିବୃତ୍ ।
ତ୍ୱୟେରିତୋ ଯତୋ ବର୍ଣାସ୍ତଦ୍ୱିଭୂତୀର୍ୱଦସ୍ୱ ନଃ ॥ ୨୩॥
ଯତ୍ର ପୁତ୍ରୈଶ୍ଚ ପୌତ୍ରୈଶ୍ଚ ନପ୍ତୃଭିଃ ସହ ଗୋତ୍ରଜୈଃ ।
ପ୍ରଜା ବିଚିତ୍ରାକୃତୟ ଆସନ୍ ଯାଭିରିଦଂ ତତମ୍ ॥ ୨୪॥
ଆପଣ ଏହା ବର୍ଣ୍ଣନା କଲେ ତାଙ୍କଠାରେ ଇନ୍ଦ୍ରିୟ, ସେମାନଙ୍କର ବିଷୟ ଏବଂ ଇନ୍ଦ୍ରିୟାଭିମାନୀ ଦେବତାଙ୍କ ସହିତ ଦଶ
ପ୍ରକାରର ପ୍ରାଣ – ଯାହା ଇନ୍ଦ୍ରିୟବଳ, ମନୋବଳ ଏବଂ ଶାରୀରିକ
ବଳ ରୂପରେ ତିନି ପ୍ରକାରର ଅଟେ – ରହିଛନ୍ତି ଏବଂ ବ୍ରାହ୍ମଣାଦି ବର୍ଣ୍ଣ ମଧ୍ୟ ତାଙ୍କଠାରୁ
ଉତ୍ପନ୍ନ ହୋଇଛନ୍ତି | ଏବେ ଆପଣ ମୋତେ ତାଙ୍କର ବ୍ରହ୍ମାଦି ବିଭୂତିମାନଙ୍କ ବିଷୟରେ କହନ୍ତୁ,
ଯେଉଁମାନଙ୍କଠାରୁ ପୁତ୍ର, ପୌତ୍ର, ନାତି ଓ କୁଟୁମ୍ବଙ୍କ ସହିତ ଅନେକ ପ୍ରକାରର ପ୍ରଜା ଉତ୍ପନ୍ନ ହୋଇ
ସାରା ବ୍ରହ୍ମାଣ୍ଡ ଭରିଗଲା |
ପ୍ରଜାପତୀନାଂ ସ ପତିଶ୍ଚକ୍ଲୃପେ କାନ୍ ପ୍ରଜାପତୀନ୍ ।
ସର୍ଗାଂଶ୍ଚୈବାନୁସର୍ଗାଂଶ୍ଚ ମନୂନ୍ମନ୍ୱନ୍ତରାଧିପାନ୍ ॥ ୨୫॥
ସେହି ବିରାଟ ବ୍ରହ୍ମାଦି ପ୍ରଜାପତିମାନଙ୍କର ମଧ୍ୟ ପ୍ରଭୁ ଅଟନ୍ତି |
ସେ କେଉଁ କେଉଁ ପ୍ରଜାପତିଙ୍କୁ ଉତ୍ପନ୍ନ କଲେ ଏବଂ ସର୍ଗ,
ଅନୁସର୍ଗ ଓ ମନ୍ବନ୍ତର ଅଧିପତି ମନୁମାନଙ୍କୁ ମଧ୍ୟ କେଉଁ କ୍ରମରେ ରଚନା କଲେ ?
ଏତେଷାମପି ବଂଶାଂଶ୍ଚ ବଂଶାନୁଚରିତାନି ଚ ।
ଉପର୍ୟଧଶ୍ଚ ଯେ ଲୋକା ଭୂମେର୍ମିତ୍ରାତ୍ମଜାସତେ ॥ ୨୬॥
ତେଷାଂ ସଂସ୍ଥାଂ ପ୍ରମାଣଂ ଚ ଭୂର୍ଲୋକସ୍ୟ ଚ ବର୍ଣୟ ।
ତିର୍ୟଙ୍ମାନୁଷଦେବାନାଂ ସରୀସୃପପତତ୍ତ୍ରିଣାମ୍ ।
ବଦ ନଃ ସର୍ଗସମ୍ବ୍ୟୂହଂ ଗାର୍ଭସ୍ୱେଦଦ୍ୱିଜୋଦ୍ଭିଦାମ୍ ॥ ୨୭॥
ମୈତ୍ରେୟଜୀ ! ସେହି ମନୁମାନଙ୍କର ବଂଶ ଏବଂ ବଂଶଧର ରାଜାମାନଙ୍କର
ଚରିତ୍ର; ପୃଥିବୀର ଉର୍ଦ୍ଧ୍ବ
ଏବଂ ନିମ୍ନରେ ଥିବା ଲୋକ ତଥା ଭୂଲୋକର ବିସ୍ତାର ଏବଂ ସ୍ଥିତିର ମଧ୍ୟ ବର୍ଣ୍ଣନା କରନ୍ତୁ ତଥା
ଏହା ମଧ୍ୟ କହନ୍ତୁ ଯେ ତୀର୍ଯ୍ୟକ୍, ମନୁଷ୍ୟ, ଦେବତା, ସରୀସୃପ ଏବଂ ପକ୍ଷୀ ତଥା ଜରାୟୁଜ, ସ୍ବେଦଜ, ଅଣ୍ଡଜ ଏବଂ
ଉଦ୍ଭିଦ୍ଜ – ଏହି ଚାରି ପ୍ରକାରର ପ୍ରାଣୀ କିପରି ଉତ୍ପନ୍ନ ହେଲେ |
ଗୁଣାବତାରୈର୍ୱିଶ୍ୱସ୍ୟ ସର୍ଗସ୍ଥିତ୍ୟପ୍ୟଯାଶ୍ରୟମ୍ ।
ସୃଜତଃ ଶ୍ରୀନିବାସସ୍ୟ ବ୍ୟାଚକ୍ଷ୍ୱୋଦାରବିକ୍ରମମ୍ ॥ ୨୮॥
ସୃଷ୍ଟି କରିବା ସମୟରେ ଭଗବାନ ଶ୍ରୀହରି ଜଗତର ଉତ୍ପତ୍ତି, ସ୍ଥିତି ଏବଂ ସଂହାର ନିମନ୍ତେ ନିଜ ଗୁଣାବତାର ବ୍ରହ୍ମା, ବିଷ୍ଣୁ ଏବଂ ମହାଦେବ ରୂପରେ ଯେଉଁ କଲ୍ୟାଣକାରୀ ଲୀଳା କରିଥିଲେ, ତାହାର ମଧ୍ୟ ବର୍ଣ୍ଣନା କରନ୍ତୁ |
ବର୍ଣାଶ୍ରମବିଭାଗାଂଶ୍ଚ ରୂପଶୀଲସ୍ୱଭାବତଃ ।
ଋଷୀଣାଂ ଜନ୍ମକର୍ମାଦି ବେଦସ୍ୟ ଚ ବିକର୍ଷଣମ୍ ॥ ୨୯॥
ଯଜ୍ଞସ୍ୟ ଚ ବିତାନାନି ଯୋଗସ୍ୟ ଚ ପଥଃ ପ୍ରଭୋ ।
ନୈଷ୍କର୍ମ୍ୟସ୍ୟ ଚ ସାଙ୍ଖ୍ୟସ୍ୟ ତନ୍ତ୍ରଂ ବା ଭଗବତ୍ସ୍ମୃତମ୍ ॥ ୩୦॥
ପାଖଣ୍ଡପଥବୈଷମ୍ୟଂ ପ୍ରତିଲୋମନିବେଶନମ୍ ।
ଜୀବସ୍ୟ ଗତୟୋ ଯାଶ୍ଚ ଯାବତୀର୍ଗୁଣକର୍ମଜାଃ ॥ ୩୧॥
ବେଶ, ଆଚରଣ ଏବଂ ସ୍ବଭାବ
ଅନୁସାରେ ବର୍ଣ୍ଣାଶ୍ରମର ବିଭାଗ, ଋଷିମାନଙ୍କର
ଜନ୍ମ-କର୍ମ ଆଦି, ବେଦର ବିଭାଗ, ଯଜ୍ଞର ବିସ୍ତାର, ଯୋଗମାର୍ଗ, ଜ୍ଞାନମାର୍ଗ ଏବଂ ତାହାର ସାଧନ, ସାଂଖ୍ୟମାର୍ଗ ତଥା ଭଗବାନଙ୍କ
ଦ୍ବାରା କୁହାଯାଇ ଥିବା ନାରଦପାଞ୍ଚରାତ୍ର ଆଦି ତନ୍ତ୍ରଶାସ୍ତ୍ର, ବିଭିନ୍ନ ପାଖଣ୍ଡମାର୍ଗର ପ୍ରଚାର ଯୋଗୁଁ ଦେଖା ଯାଉଥିବା ବିଷମତା,
ନୀଚବର୍ଣ୍ଣର ପୁରୁଷମାନଙ୍କ ଦ୍ବାରା ଉଚ୍ଚବର୍ଣ୍ଣର ସ୍ତ୍ରୀମାନଙ୍କ ଠାରୁ ଉତ୍ପନ୍ନ ହେଉଥିବା
ସନ୍ତାନମାନଙ୍କର ପ୍ରକାର ତଥା ଭିନ୍ନ ଭିନ୍ନ ଗୁଣ ଓ କର୍ମ କାରଣରୁ ଜୀବର ଯେପରି ଏବଂ ଯେଉଁସବୁ
ଗତି ହୋଇଥାଏ – ତାହା ସବୁ ଆପଣ ମୋତେ ଶୁଣାନ୍ତୁ |
ଧର୍ମାର୍ଥକାମମୋକ୍ଷାଣାଂ ନିମିତ୍ତାନ୍ୟବିରୋଧତଃ ।
ବାର୍ତାୟା ଦଣ୍ଡନୀତେଶ୍ଚ ଶ୍ରୁତସ୍ୟ ଚ ବିଧିଂ ପୃଥକ୍ ॥ ୩୨॥
ଶ୍ରାଦ୍ଧସ୍ୟ ଚ ବିଧିଂ ବ୍ରହ୍ମନ୍ ପିତୄଣାଂ ସର୍ଗମେବ ଚ ।
ଗ୍ରହନକ୍ଷତ୍ରତାରାଣାଂ କାଲାବୟବସଂସ୍ଥିତିମ୍ ॥ ୩୩॥
ହେ ବ୍ରହ୍ମନ୍ ! ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ପ୍ରାପ୍ତିର ପରସ୍ପର
ଅବିରୋଧୀ ସାଧନ; ବାଣିଜ୍ୟ, ଦଣ୍ଡନୀତି ଏବଂ ଶାସ୍ତ୍ରଶ୍ରବଣର ବିଧି; ଶ୍ରାଦ୍ଧବିଧି, ପିତୃଗଣଙ୍କର ସୃଷ୍ଟି, ତଥା କାଳଚକ୍ରରେ ଗ୍ରହ, ନକ୍ଷତ୍ର ଏବଂ ତାରାଗଣଙ୍କର ସ୍ଥିତି ବିଷୟର
ମଧ୍ୟ ପୃଥକ୍ ପୃଥକ୍ ବର୍ଣ୍ଣନା କରନ୍ତୁ |
ଦାନସ୍ୟ ତପସୋ ବାପି ଯଚ୍ଚେଷ୍ଟାପୂର୍ତୟୋଃ ଫଲମ୍ ।
ପ୍ରବାସସ୍ଥସ୍ୟ ଯୋ ଧର୍ମୋ ଯଶ୍ଚ ପୁଂସ ଉତାପଦି ॥ ୩୪॥
ଦାନ, ତପ ତଥା ଇଷ୍ଟ ଏବଂ
ପୂର୍ତ୍ତ କର୍ମର ଫଳ କ’ଣ ? ପ୍ରବାସ ଏବଂ
ଆପତ୍ତି କାଳରେ ମନୁଷ୍ୟର ଧର୍ମ କ’ଣ ହେବା ଉଚିତ୍ ?
ଯେନ ବା ଭଗବାଂସ୍ତୁଷ୍ୟେଦ୍ଧର୍ମୟୋନିର୍ଜନାର୍ଦନଃ ।
ସମ୍ପ୍ରସୀଦତି ବା ଯେଷାମେତଦାଖ୍ୟାହି ଚାନଘ ॥ ୩୫॥
ହେ ନିଷ୍ପାପ ମୈତ୍ରେୟ ! ଧର୍ମର ମୂଳ କାରଣ ଶ୍ରୀ ଜନାର୍ଦ୍ଦନ ଭଗବାନ
କେଉଁ ଆଚରଣରେ ସନ୍ତୁଷ୍ଟ ହୁଅନ୍ତି ଏବଂ କାହା ପ୍ରତି ଅନୁଗ୍ରହ କରନ୍ତି, ତାହା ବର୍ଣ୍ଣନା କରନ୍ତୁ |
ଅନୁବ୍ରତାନାଂ ଶିଷ୍ୟାଣାଂ ପୁତ୍ରାଣାଂ ଚ ଦ୍ୱିଜୋତ୍ତମ ।
ଅନାପୃଷ୍ଟମପି ବ୍ରୂୟୁର୍ଗୁରବୋ ଦୀନବତ୍ସଲାଃ ॥ ୩୬॥
ହେ ଦ୍ବିଜବର ! ଦୀନବତ୍ସଳ ଗୁରୁଜନ ନିଜର ଅନୁଗତ ଶିଷ୍ୟ ଏବଂ
ପୁତ୍ରମାନଙ୍କୁ, ସେମାନେ ନ ପଚାରିଲେ ମଧ୍ୟ, ସେମାନଙ୍କର ହିତ
ଉଦ୍ଦେଶ୍ୟରେ ଉପଦେଶ ଦେଇଥାଆନ୍ତି |
ତତ୍ତ୍ୱାନାଂ ଭଗବଂସ୍ତେଷାଂ କତିଧା ପ୍ରତିସଙ୍କ୍ରମଃ ।
ତତ୍ରେମଂ କ ଉପାସୀରନ୍ କ ଉ ସ୍ୱିଦନୁଶେରତେ ॥ ୩୭॥
ହେ ଭଗବନ୍ ! ସେହି ମହଦାଦି ତତ୍ତ୍ବମାନଙ୍କର ପ୍ରଳୟ କେତେ ପ୍ରକାରର
ଅଟେ ? ଭଗବାନ ଯେତେବେଳେ ଯୋଗନିଦ୍ରାରେ ଶୟନ କରନ୍ତି,
ସେତେବେଳେ କେଉଁ କେଉଁ ତତ୍ତ୍ବ ତାଙ୍କର ସେବା କରୁଥାଆନ୍ତି ଏବଂ କିଏ ତାଙ୍କ ମଧ୍ୟରେ ଲୀନ
ରହନ୍ତି ?
ପୁରୁଷସ୍ୟ ଚ ସଂସ୍ଥାନଂ ସ୍ୱରୂପଂ ବା ପରସ୍ୟ ଚ ।
ଜ୍ଞାନଂ ଚ ନୈଗମଂ ଯତ୍ତଦ୍ଗୁରୁଶିଷ୍ୟପ୍ରୟୋଜନମ୍ ॥ ୩୮॥
ଜୀବ ତତ୍ତ୍ବ, ପରମେଶ୍ବରଙ୍କର
ସ୍ବରୂପ, ଉପନିଷଦ-ପ୍ରତିପାଦିତ
ଜ୍ଞାନ ତଥା ଗୁରୁ-ଶିଷ୍ୟଙ୍କର ପାରସ୍ପରିକ ପ୍ରୟୋଜନ କ’ଣ
?
ନିମିତ୍ତାନି ଚ ତସ୍ୟେହ ପ୍ରୋକ୍ତାନ୍ୟନଘ ସୂରିଭିଃ ।
ସ୍ୱତୋ ଜ୍ଞାନଂ କୁତଃ ପୁଂସାଂ ଭକ୍ତିର୍ୱୈରାଗ୍ୟମେବ ବା ॥ ୩୯॥
ପବିତ୍ରାତ୍ମା ବିଦ୍ବାନମାନେ ସେହି ଜ୍ଞାନ ପ୍ରାପ୍ତିର କେଉଁ କେଉଁ
ଉପାୟ ନିର୍ଦ୍ଦେଶ କରିଥାଆନ୍ତି ? କାରଣ ଜ୍ଞାନ,
ଭକ୍ତି ଅଥବା ବୈରାଗ୍ୟର ପ୍ରାପ୍ତି ତ ମନୁଷ୍ୟକୁ ଆପଣାଛାଏଁ ହୋଇ ନ ଥାଏ |
ଏତାନ୍ମେ ପୃଚ୍ଛତଃ ପ୍ରଶ୍ନାନ୍ ହରେଃ କର୍ମବିବିତ୍ସୟା ।
ବ୍ରୂହି ମେଽଜ୍ଞସ୍ୟ ମିତ୍ରତ୍ୱାଦଜୟା ନଷ୍ଟଚକ୍ଷୁଷଃ ॥ ୪୦॥
ହେ ବ୍ରହ୍ମନ୍ ! ମାୟା-ମୋହ କାରଣରୁ ମୋର ବିଚାର-ଦୃଷ୍ଟି ନଷ୍ଟ
ହୋଇଯାଇଛି | ମୁଁ ଅଜ୍ଞ ଅଟେ, ଆପଣ ମୋର ପରମ
ସୁହୃଦ୍ ଅଟନ୍ତି; ତେଣୁ ଶ୍ରୀହରିଲୀଳାର
ଜ୍ଞାନ ପ୍ରାପ୍ତ କରିବା ଇଚ୍ଛାରେ ମୁଁ ଆପଣଙ୍କୁ ଯେଉଁସବୁ ପ୍ରଶ୍ନ କଲି, ଆପଣ ମୋତେ ତାହାର ଉତ୍ତର ପ୍ରଦାନ କରନ୍ତୁ |
ସର୍ୱେ ବେଦାଶ୍ଚ ଯଜ୍ଞାଶ୍ଚ ତପୋ ଦାନାନି ଚାନଘ ।
ଜୀବାଭୟପ୍ରଦାନସ୍ୟ ନ କୁର୍ୱୀରନ୍ କଲାମପି ॥ ୪୧॥
ହେ ପୁଣ୍ୟମୟ ମୈତ୍ରେୟ ! ଭଗବତ୍-ତତ୍ତ୍ବ ସମ୍ବନ୍ଧୀୟ ଉପଦେଶ ପ୍ରଦାନ
କରି ଜୀବକୁ ଜନ୍ମ-ମୃତ୍ୟୁ ଚକ୍ରରୁ ଉଦ୍ଧାର କରି ତାକୁ ଅଭୟ ପ୍ରଦାନ କରିବାରେ ଯେତିକି ପୁଣ୍ୟ
ମିଳିଥାଏ, ସମସ୍ତ
ବେଦ-ଶାସ୍ତ୍ରର ଅଧ୍ୟୟନ, ଯଜ୍ଞ, ତପସ୍ୟା, ଓ ଦାନ ଆଦି ଦ୍ବାରା
ହେଉଥିବା ପୁଣ୍ୟ ତାହାର ଷୋଡଶ ଅଂଶ ମଧ୍ୟ ନୁହେଁ |
ଶ୍ରୀଶୁକ ଉବାଚ
ସ ଇତ୍ଥମାପୃଷ୍ଟପୁରାଣକଲ୍ପଃ
କୁରୁପ୍ରଧାନେନ ମୁନିପ୍ରଧାନଃ ।
ପ୍ରବୃଦ୍ଧହର୍ଷୋ ଭଗବତ୍କଥାୟାଂ
ସଞ୍ଚୋଦିତସ୍ତଂ ପ୍ରହସନ୍ନିବାହ ॥ ୪୨॥
ଶ୍ରୀ ଶୁକଦେବ କହୁଛନ୍ତି – ହେ ରାଜନ୍ ! କୁରୁଶ୍ରେଷ୍ଠ ବିଦୁର
ଯେତେବେଳେ ମୁନିବର ମୈତ୍ରେୟଙ୍କୁ ଏହିପରି ପୁରାଣବିଷୟକ ପ୍ରଶ୍ନ ପଚାରିଲେ, ସେତେବେଳେ ଭଗବତ୍-ଚର୍ଚ୍ଚା ନିମନ୍ତେ ପ୍ରେରିତ ହୋଇଥିବା କାରଣରୁ ସେ
ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କୁ ହସି ହସି କହିବାରେ ଲାଗିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ତୃତୀୟସ୍କନ୍ଧେ ସପ୍ତମୋଽଧ୍ୟାୟଃ ॥ ୭॥

Comments
Post a Comment