ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ନବମ ଅଧ୍ୟାୟ

ବ୍ରହ୍ମାଙ୍କ ଦ୍ବାରା ଭଗବାନଙ୍କର ସ୍ତୁତି

 

ବ୍ରହ୍ମୋବାଚ

ଜ୍ଞାତୋଽସି ମେଽଦ୍ୟ ସୁଚିରାନ୍ନନୁ ଦେହଭାଜାଂ

ନ ଜ୍ଞାୟତେ ଭଗବତୋ ଗତିରିତ୍ୟବଦ୍ୟମ୍ ।

ନାନ୍ୟତ୍ତ୍ୱଦସ୍ତି ଭଗବନ୍ନପି ତନ୍ନ ଶୁଦ୍ଧଂ

ମାୟାଗୁଣବ୍ୟତିକରାଦ୍ୟଦୁରୁର୍ୱିଭାସି ॥ ୧॥

ବ୍ରହ୍ମାଜୀ କହୁଛନ୍ତି – ପ୍ରଭୁ ! ଆଜି ବହୁତ ଦିନ ପରେ ମୁଁ ଆପଣଙ୍କୁ ଜାଣିପାରିଛି | ଆହା ! ଏହା କିପରି ଦୁର୍ଭାଗ୍ୟର ବିଷୟ ଯେ ଦେହଧାରୀ ଜୀବ ଆପଣଙ୍କର ସ୍ବରୂପକୁ ଜାଣିପାରନ୍ତି ନାହିଁ | ଭଗବନ୍ ! ଆପଣଙ୍କ ଅତିରିକ୍ତ ଅନ୍ୟ କୌଣସି ବସ୍ତୁ ନାହିଁ | ଯାହା ଥିବା ପରି ପ୍ରତୀତ ହୋଇଥାଏ, ତାହା ମଧ୍ୟ ସ୍ବରୂପତଃ ସତ୍ୟ ନୁହେଁ; କାରଣ ମାୟାର ଗୁଣ କ୍ଷଭିତ ହେବା କାରଣରୁ କେବଳ ଆପଣ ହିଁ ଅନେକ ରୂପରେ ପ୍ରତୀତ ହୋଇଥାଆନ୍ତି |

ରୂପଂ ଯଦେତଦବବୋଧରସୋଦୟେନ

ଶଶ୍ୱନ୍ନିବୃତ୍ତତମସଃ ସଦନୁଗ୍ରହାୟ ।

ଆଦୌ ଗୃହୀତମବତାରଶତୈକବୀଜଂ

ଯନ୍ନାଭିପଦ୍ମଭବନାଦହମାବିରାସମ୍ ॥ ୨॥

ହେ ଦେବ ! ଆପଣଙ୍କର ଚିତ୍-ଶକ୍ତି ପ୍ରକାଶିତ ରହିଥିବା କାରଣରୁ ଅଜ୍ଞାନ ଆପଣଙ୍କଠାରୁ ସର୍ବଦା ଦୂରରେ ରହିଥାଏ | ଆପଣଙ୍କର ଏହି ରୂପ, ଯାହାର ନାଭିକମଳରୁ ମୁଁ ପ୍ରକଟ ହୋଇଛି, ଶହ ଶହ ଅବତାରଙ୍କର ମୂଳ କାରଣ ଅଟେ | ସତ୍-ପୁରୁଷଙ୍କ ଉପରେ କୃପା କରିବାକୁ ଯାଇ ଆପଣ ସର୍ବପ୍ରଥମେ ଏହା ପ୍ରକଟ କରିଛନ୍ତି |

ନାତଃପରଂ ପରମ ଯଦ୍ଭବତଃ ସ୍ୱରୂପ-

ମାନନ୍ଦମାତ୍ରମବିକଲ୍ପମବିଦ୍ଧବର୍ଚଃ ।

ପଶ୍ୟାମି ବିଶ୍ୱସୃଜମେକମବିଶ୍ୱମାତ୍ମନ୍

ଭୂତେନ୍ଦ୍ରିୟାତ୍ମକମଦସ୍ତ ଉପାଶ୍ରିତୋଽସ୍ମି ॥ ୩॥

ହେ ପରମାତ୍ମନ୍ ! ଆପଣଙ୍କର ଯେଉଁ ଆନନ୍ଦମାତ୍ର, ଭେଦରହିତ, ଅଖଣ୍ଡ ତେଜୋମୟ ସ୍ବରୂପ ରହିଛି, ତାହାକୁ ମୁଁ ଏହାଠାରୁ ଭିନ୍ନ ମନେ କରୁନାହିଁ | ସେଥିପାଇଁ ମୁଁ ବିଶ୍ବରଚନା କରିବାକୁ ଯାଉଥିଲେ ବି ବିଶ୍ବାତୀତ ଆପଣଙ୍କର ସେହି ଅଦ୍ବିତୀୟ ରୂପର ହିଁ ଶରଣ ଗ୍ରହଣ କରୁଛି | ଏହା ସମ୍ପୂର୍ଣ୍ଣ ଭୂତ ଏବଂ ଇନ୍ଦ୍ରିୟମାନଙ୍କର ମଧ୍ୟ ଅଧିଷ୍ଠାନ ଅଟେ |

ତଦ୍ୱା ଇଦଂ ଭୁବନମଙ୍ଗଲ ମଙ୍ଗଲାୟ

ଧ୍ୟାନେ ସ୍ମ ନୋ ଦର୍ଶିତଂ ତ ଉପାସକାନାମ୍ ।

ତସ୍ମୈ ନମୋ ଭଗବତେଽନୁବିଧେମ ତୁଭ୍ୟଂ

ଯୋଽନାଦୃତୋ ନରକଭାଗ୍ଭିରସତ୍ପ୍ରସଙ୍ଗୈଃ ॥ ୪॥

ହେ ବିଶ୍ବକଲ୍ୟାଣମୟ ! ମୁଁ ଆପଣଙ୍କର ଉପାସକ ଅଟେ, ମୋର ହିତ ଉଦ୍ଦେଶ୍ୟରେ ହିଁ ଆପଣ ମୋତେ ଧ୍ୟାନରେ ନିଜର ଏହି ରୂପର ଦର୍ଶନ କରାଇଛନ୍ତି | କେବଳ ପାପାତ୍ମା ବିଷୟାସକ୍ତ ଜୀବ ହିଁ ଏହାର ଅନାଦର କରିଥାଆନ୍ତି | ମୁଁ ଆପଣଙ୍କର ଏହି ରୂପକୁ ବାରମ୍ବାର ନମସ୍କାର କରୁଛି |

ଯେ ତୁ ତ୍ୱଦୀୟଚରଣାମ୍ବୁଜକୋଶଗନ୍ଧଂ

ଜିଘ୍ରନ୍ତି କର୍ଣବିବରୈଃ ଶ୍ରୁତିବାତନୀତମ୍ ।

ଭକ୍ତ୍ୟା ଗୃହୀତଚରଣଃ ପରୟା ଚ ତେଷାଂ

ନାପୈଷି ନାଥ ହୃଦୟାମ୍ବୁରୁହାତ୍ସ୍ୱପୁଂସାମ୍ ॥ ୫॥

ହେ ସ୍ବାମୀ ! ଯେଉଁମାନେ ବେଦରୂପ ବାୟୁ ଦ୍ବାରା ଆଗତ ଆପଣଙ୍କ ଚରଣରୂପ କମଳକୋଶର ସୁଗନ୍ଧକୁ ନିଜ କର୍ଣ୍ଣପୁଟରେ ଗ୍ରହଣ କରିଥାଆନ୍ତି, ଆପଣଙ୍କର ସେହି ଭକ୍ତଜନଙ୍କର ହୃଦୟ-କମଳରୁ ଆପଣ କେବେ ବି ଦୂରକୁ ଯାଆନ୍ତି ନାହିଁ; କାରଣ ସେମାନେ ପରାଭକ୍ତିରୂପ ଡୋରୀରେ ଆପଣଙ୍କ ପାଦପଦ୍ମକୁ ବାନ୍ଧି ରଖିଥାଆନ୍ତି |

ତାବଦ୍ଭୟଂ ଦ୍ରବିଣଦେହସୁହୃନ୍ନିମିତ୍ତଂ

ଶୋକଃ ସ୍ପୃହା ପରିଭବୋ ବିପୁଲଶ୍ଚ ଲୋଭଃ ।

ତାବନ୍ମମେତ୍ୟସଦବଗ୍ରହ ଆର୍ତିମୂଲଂ

ଯାବନ୍ନ ତେଽଙ୍ଘ୍ରିମଭୟଂ ପ୍ରବୃଣୀତ ଲୋକଃ ॥ ୬॥

ଯେତେବେଳଯାଏଁ ପୁରୁଷ ଆପଣଙ୍କ ଅଭୟପ୍ରଦ ଚରଣାରବିନ୍ଦର ଆଶ୍ରୟ ଗ୍ରହଣ କରି ନ ଥାଏ, ସେତେଦିନ ଧନ, ଗୃହ, ବନ୍ଧୁଜନଙ୍କ ଦ୍ବାରା ପ୍ରାପ୍ତ ହେଉଥିବା ଭୟ, ଶୋକ, ଲାଳସା, ଦୀନତା ଏବଂ ଲୋଭ ଆଦି ତାକୁ ସନ୍ତପ୍ତ କରୁଥାଆନ୍ତି ଏବଂ ସେତେଦିନଯାଏଁ ତାଠାରେ ମୁଁ-ମୋପଣର ଦୁରାଗ୍ରହ ରହିଥାଏ, ଯାହା ଦୁଃଖର ଏକମାତ୍ର କାରଣ ଅଟେ |

ଦୈବେନ ତେ ହତଧିୟୋ ଭବତଃ ପ୍ରସଙ୍ଗାତ୍

ସର୍ୱାଶୁଭୋପଶମନାଦ୍ୱିମୁଖେନ୍ଦ୍ରିୟା ଯେ ।

କୁର୍ୱନ୍ତି କାମସୁଖଲେଶଲବାୟ ଦୀନାଃ

ଲୋଭାଭିଭୂତମନସୋଽକୁଶଲାନି ଶଶ୍ୱତ୍ ॥ ୭॥

ଯେଉଁମାନେ ସବୁ ପ୍ରକାରର ଅମଙ୍ଗଳକୁ ନଷ୍ଟ କରି ଦେଉଥିବା ଆପଣଙ୍କ ଶ୍ରବଣ-କୀର୍ତ୍ତନ ଆଦି ପ୍ରସଙ୍ଗରୁ ଇନ୍ଦ୍ରିୟମାନଙ୍କୁ ହଟାଇ ଲେଶମାତ୍ର ବିଷୟ-ସୁଖ ନିମନ୍ତେ ଦୀନ ଏବଂ ମନେ-ମନେ ଲାଳାୟିତ ରହି ନିରନ୍ତର ଦୁଷ୍କର୍ମରେ ରତ ରହିଥାଆନ୍ତି, ସେହି ବିଚରାମାନଙ୍କର ବୁଦ୍ଧିକୁ ତ ବିଧାତା ହରଣ କରି ନେଇଥାଆନ୍ତି |

କ୍ଷୁତ୍ତୃଟ୍ ତ୍ରିଧାତୁଭିରିମା ମୁହୁରର୍ଦ୍ୟମାନାଃ

ଶୀତୋଷ୍ଣବାତବରଷୈରିତରେତରାଚ୍ଚ ।

କାମାଗ୍ନିନାଚ୍ୟୁତ ରୁଷା ଚ ସୁଦୁର୍ଭରେଣ

ସମ୍ପଶ୍ୟତୋ ମନ ଉରୁକ୍ରମ ସୀଦତେ ମେ ॥ ୮॥

ହେ ଅଚ୍ୟୁତ ! ହେ ଉରୁକ୍ରମ ! ଏହି ପ୍ରଜାମାନଙ୍କୁ କ୍ଷୁଧା-ତୃଷା, ବାତ-ପିତ୍ତ-କଫ, ଶୀତ-ଗ୍ରୀଷ୍ମ, ପବନ-ବର୍ଷା ତଥା କାମାଗ୍ନି ଏବଂ ଦୁଃସହ କ୍ରୋଧରେ ବାରମ୍ବାର କଷ୍ଟ ଭୋଗ କରୁଥିବା ଦେଖି ମୋର ମନ ଅତିଶୟ ଖିନ୍ନ ହୋଇ ଉଠୁଛି |

ଯାବତ୍ପୃଥକ୍ତ୍ୱମିଦମାତ୍ମନ ଇନ୍ଦ୍ରିୟାର୍ଥ-

ମାୟାବଲଂ ଭଗବତୋ ଜନ ଈଶ ପଶ୍ୟେତ୍ ।

ତାବନ୍ନ ସଂସୃତିରସୌ ପ୍ରତିସଙ୍କ୍ରମେତ

ବ୍ୟର୍ଥାପି ଦୁଃଖନିବହଂ ବହତୀ କ୍ରିୟାର୍ଥା ॥ ୯॥

ସ୍ବାମିନ୍ ! ଇନ୍ଦ୍ରିୟ ଏବଂ ବିଷୟରୂପୀ ମାୟାର ପ୍ରଭାବରେ ମନୁଷ୍ୟ ଯେତେଦିନଯାଏଁ ଆପଣଙ୍କଠାରୁ ନିଜକୁ ଭିନ୍ନ ମନେ କରିଥାଏ, ସେତେଦିନଯାଏଁ ତାର ଏହି ସଂସାରଚକ୍ରରୁ ନିବୃତ୍ତି ହୋଇ ନ ଥାଏ | ଯଦିଓ ଏହା ମିଥ୍ୟା ଅଟେ, ତଥାପି କର୍ମଫଳ ଭୋଗର କ୍ଷେତ୍ର ହୋଇଥିବା କାରଣରୁ ଏହା ମନୁଷ୍ୟକୁ ନାନା ପ୍ରକାରର ଦୁଃଖର ଶୀକାର କରିଥାଏ |

ଅହ୍ନ୍ୟାପୃତାର୍ତକରଣା ନିଶି ନିଃଶୟାନା

ନାନାମନୋରଥଧିୟା କ୍ଷଣଭଗ୍ନନିଦ୍ରାଃ ।

ଦୈବାହତାର୍ଥରଚନା ଋଷୟୋଽପି ଦେବ

ଯୁଷ୍ମତ୍ପ୍ରସଙ୍ଗବିମୁଖା ଇହ ସଂସରନ୍ତି ॥ ୧୦॥

ହେ ଦେବ ! ଅନ୍ୟ କାହା କଥା କଣ କହିବା – ସାକ୍ଷାତ ମୁନି-ଋଷିମାନେ ମଧ୍ୟ ଆପଣଙ୍କ କଥାପ୍ରସଙ୍ଗ ପ୍ରତି ବିମୁଖ ରହିବା ଯୋଗୁଁ ସଂସାରରେ ଲିପ୍ତ ହୋଇଯାଆନ୍ତି | ଦିନରେ ଅନେକ ପ୍ରକାରର ବ୍ୟାପାରରେ ଜଡିତ ହୋଇ ସେମାନେ ବିକ୍ଷିପ୍ତଚିତ୍ତ ରହିଥାଆନ୍ତି ଏବଂ ରାତ୍ରୀରେ ସେମାନେ ନିଦ୍ରାରେ ଅଚେତ ରହିଥାଆନ୍ତି | ସେହି ସମୟରେ ମଧ୍ୟ ନାନା ପ୍ରକାରର ମନୋରଥ ଯୋଗୁଁ ସେମାନଙ୍କର ନିଦ୍ରା କ୍ଷଣ-କ୍ଷଣ ବ୍ୟାହତ ହୋଇଥାଏ ତଥା ଦୈବବଶ ସେମାନଙ୍କର ଅର୍ଥସିଦ୍ଧିର ସମସ୍ତ ଉଦ୍ୟୋଗ ମଧ୍ୟ ବିଫଳ ହୋଇଥାଏ |

ତ୍ୱଂ ଭାବୟୋଗପରିଭାବିତହୃତ୍ସରୋଜ

ଆସ୍ସେ ଶ୍ରୁତେକ୍ଷିତପଥୋ ନନୁ ନାଥ ପୁଂସାମ୍ ।

ଯଦ୍ୟଦ୍ଧିୟା ତ ଉରୁଗାୟ ବିଭାବୟନ୍ତି

ତତ୍ତଦ୍ୱପୁଃ ପ୍ରଣୟସେ ସଦନୁଗ୍ରହାୟ ॥ ୧୧॥

ହେ ନାଥ ! ଆପଣଙ୍କର ମାର୍ଗ କେବଳ ଗୁଣ-ଶ୍ରବଣ ଦ୍ବାରା ହିଁ ଜାଣି ହୁଏ | ମନୁଷ୍ୟର ଭକ୍ତିଯୋଗ ଦ୍ବାରା ପରିଶୁଦ୍ଧ ହୃଦୟକମଳରେ ଆପଣ ନିତ୍ୟ ନିବାସ କରନ୍ତି | ପୁଣ୍ୟଶ୍ଲୋକ ପ୍ରଭୋ ! ଆପଣଙ୍କର ଭକ୍ତଜନ ଯେଉଁ-ଯେଉଁ ଭାବନାରେ ଆପଣଙ୍କର ଚିନ୍ତନ କରନ୍ତି, ସେହି ସାଧୁପୁରୁଷଙ୍କ ଉପରେ ଅନୁଗ୍ରହ କରିବାକୁ ଯାଇ ଆପଣ ସେହି-ସେହି ରୂପ ଧାରଣ କରିନିଅନ୍ତି |

ନାତିପ୍ରସୀଦତି ତଥୋପଚିତୋପଚାରୈ-

ରାରାଧିତଃ ସୁରଗଣୈର୍ହୃଦି ବଦ୍ଧକାମୈଃ ।

ଯତ୍ସର୍ୱଭୂତଦୟଯାସଦଲଭ୍ୟଯୈକୋ

ନାନାଜନେଷ୍ୱବହିତଃ ସୁହୃଦନ୍ତରାତ୍ମା ॥ ୧୨॥

ଭଗବନ୍ ! ଆପଣ ଏକ ଅଟନ୍ତି ତଥା ସମ୍ପୂର୍ଣ୍ଣ ପ୍ରାଣୀସମୁଦାୟର ଅନ୍ତଃକରଣରେ ସ୍ଥିତ ସେମାନଙ୍କର ପରମ ହିତକାରୀ ଅନ୍ତରାତ୍ମା ଅଟନ୍ତି | ସେଥିପାଇଁ ହୃଦୟରେ ନାନା ପ୍ରକାରର କାମନା ରଖି ଦେବତାମାନେ ଅନେକାନେକ ବିପୁଳ ସାମଗ୍ରୀ ଦ୍ବାରା ଆପଣଙ୍କର ଯେଉଁ ପୂଜା-ଅର୍ଚ୍ଚନା କରନ୍ତି, ଆପଣ ତଦ୍ବାରା ସେତେ ପ୍ରସନ୍ନ ହୁଅନ୍ତି ନାହିଁ ଯେତିକି ପ୍ରସନ୍ନ ଆପଣ ପ୍ରାଣୀମାନଙ୍କ ପ୍ରତି ଦୟା କରିବା ଦ୍ବାରା ହୋଇଥାଆନ୍ତି | କିନ୍ତୁ ସେହି ସର୍ବଭୂତଦୟା ଅସତ୍ ପୁରୁଷଙ୍କ ପାଇଁ ଅତ୍ୟନ୍ତ ଦୁର୍ଲଭ ଅଟେ |

ପୁଂସାମତୋ ବିବିଧକର୍ମଭିରଧ୍ୱରାଦ୍ୟୈଃ

ଦାନେନ ଚୋଗ୍ରତପସା ବ୍ରତଚର୍ୟଯା ଚ ।

ଆରାଧନଂ ଭଗବତସ୍ତବ ସତ୍କ୍ରିୟାର୍ଥୋ

ଧର୍ମୋଽର୍ପିତଃ କର୍ହିଚିଦ୍ଧ୍ରିୟତେ ନ ଯତ୍ର ॥ ୧୩॥

ଆପଣଙ୍କୁ ଅର୍ପଣ କରାଯାଇ ଥିବା କର୍ମର କେବେ ନାଶ ହୋଇ ନ ଥାଏ – ତାହା ଅକ୍ଷୟ ହୋଇଯାଏ | ଅତଏବ ନାନା ପ୍ରକାରର କର୍ମ – ଯଜ୍ଞ, ଦାନ, କଠିନ ତପସ୍ୟା ଏବଂ ବ୍ରତାଦି ଦ୍ବାରା ଆପଣଙ୍କର ପ୍ରସନ୍ନତା ପ୍ରାପ୍ତ କରିବା ହିଁ ମନୁଷ୍ୟର ସର୍ବଶ୍ରେଷ୍ଠ କର୍ମଫଳ ଅଟେ; କାରଣ ଆପଣ ପ୍ରସନ୍ନ ହେଲେ ଏପରି କେଉଁ ଫଳ ଅଛି ଯାହା ମନୁଷ୍ୟ ପାଇଁ ସୁଲଭ ନ ହେବ ?

ଶଶ୍ୱତ୍ସ୍ୱରୂପମହସୈବ ନିପୀତଭେଦ-

ମୋହାୟ ବୋଧଧିଷଣାୟ ନମଃ ପରସ୍ମୈ ।

ବିଶ୍ୱୋଦ୍ଭବସ୍ଥିତିଲୟେଷୁ ନିମିତ୍ତଲୀଲା-

ରାସାୟ ତେ ନମ ଇଦଂ ଚକୃମେଶ୍ୱରାୟ ॥ ୧୪॥

ନିଜ ସ୍ବରୂପର ପ୍ରକାଶରେ ହିଁ ଆପଣ ସର୍ବଦା ପ୍ରାଣୀସମୁଦାୟର ଭେଦ-ଭ୍ରମ ରୂପ ଅନ୍ଧକାରକୁ ନାଶ କରିଥାଆନ୍ତି; ଆପଣ ଜ୍ଞାନର ଅଧିଷ୍ଠାନ ସାକ୍ଷାତ ପରମପୁରୁଷ ଅଟନ୍ତି; ମୁଁ ଆପଣଙ୍କୁ ନମସ୍କାର କରୁଛି | ସଂସାରର ଉତ୍ପତ୍ତି, ସ୍ଥିତି ଓ ସଂହାର ନିମନ୍ତେ ମାୟାର ଯେଉଁ ଲୀଳା ରଚନା କରାଯାଇ ଥାଏ, ତାହା ଆପଣଙ୍କର ହିଁ ଖେଳ ଅଟେ; ଆପଣଙ୍କ ପରି ପରମେଶ୍ବରଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି |

ଯସ୍ୟାବତାରଗୁଣକର୍ମବିଡମ୍ବନାନି

ନାମାନି ଯେଽସୁବିଗମେ ବିବଶା ଗୃଣନ୍ତି ।

ତେ ନୈକଜନ୍ମଶମଲଂ ସହସୈବ ହିତ୍ୱା

ସଂୟାନ୍ତ୍ୟପାବୃତମୃତଂ ତମଜଂ ପ୍ରପଦ୍ୟେ ॥ ୧୫॥

ଯେଉଁମାନେ ପ୍ରାଣତ୍ୟାଗ କରୁଥିବା ସମୟରେ, ବିବଶତାରେ ହେଉ ପଛେ, ଆପଣଙ୍କର ଅବତାର, ଗୁଣ ଓ କର୍ମକୁ ସୂଚିତ କରୁଥିବା ଦେବକୀନନ୍ଦନ, ଜନାର୍ଦ୍ଦନ, କଂସନିକନ୍ଦନ ଆଦି ନାମ ଉଚ୍ଚାରଣ କରିଥାଆନ୍ତି, ସେମାନେ ଅନେକ ଜନ୍ମର ପାପରୁ ତତ୍କାଳ ମୁକ୍ତ ହୋଇ ମାୟାଦି ଆବରଣରହିତ ବ୍ରହ୍ମପଦ ପ୍ରାପ୍ତ କରିଥାଆନ୍ତି | ଆପଣ ନିତ୍ୟ ଅଜନ୍ମା ଅଟନ୍ତି; ମୁଁ ଆପଣଙ୍କର ଶରଣ ଗ୍ରହଣ କରୁଛି |

ଯୋ ବା ଅହଂ ଚ ଗିରିଶଶ୍ଚ ବିଭୁଃ ସ୍ୱୟଂ ଚ

ସ୍ଥିତ୍ୟୁଦ୍ଭବପ୍ରଲୟହେତବ ଆତ୍ମମୂଲମ୍ ।

ଭିତ୍ତ୍ୱା ତ୍ରିପାଦ୍ୱବୃଧ ଏକ ଉରୁପ୍ରରୋହ-

ସ୍ତସ୍ମୈ ନମୋ ଭଗବତେ ଭୁବନଦ୍ରୁମାୟ ॥ ୧୬॥

ଭଗବନ୍ ! ଏହି ବିଶ୍ବବୃକ୍ଷ ରୂପରେ ଆପଣ ହିଁ ବିରାଜମାନ ଅଟନ୍ତି | ଆପଣ ହିଁ ନିଜର ମୂଳପ୍ରକୃତିକୁ ସ୍ବୀକାର କରି ଜଗତର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ ନିମନ୍ତେ ମୁଁ, ଆପଣ ଏବଂ ମହାଦେବ ରୂପରେ ତିନୋଟି ପ୍ରଧାନ ଶାଖାରେ ବିଭକ୍ତ ହୋଇଛନ୍ତି ଏବଂ ତାପରେ ପ୍ରଜାପତି, ମନୁ ଆଦି ଅନେକ ଶାଖା-ପ୍ରଶାଖା ରୂପରେ ବ୍ୟାପ୍ତ ହୋଇ ବହୁତ ବିସ୍ତୃତ ହୋଇ ଯାଇଛନ୍ତି | ମୁଁ ଆପଣଙ୍କୁ ନମସ୍କାର କରୁଛି |

ଲୋକୋ ବିକର୍ମନିରତଃ କୁଶଲେ ପ୍ରମତ୍ତଃ

କର୍ମଣ୍ୟଯଂ ତ୍ୱଦୁଦିତେ ଭବଦର୍ଚନେ ସ୍ୱେ ।

ଯସ୍ତାବଦସ୍ୟ ବଲବାନିହ ଜୀବିତାଶାଂ

ସଦ୍ୟଶ୍ଛିନତ୍ତ୍ୟନିମିଷାୟ ନମୋଽସ୍ତୁ ତସ୍ମୈ ॥ ୧୭॥

ଭଗବନ୍ ! ଆପଣଙ୍କର ଆରାଧନାକୁ ହିଁ ଆପଣ ସର୍ବଶ୍ରେଷ୍ଠ କଲ୍ୟାଣକାରୀ ସ୍ବଧର୍ମ ରୂପେ ନିତୂପିତ କରିଛନ୍ତି | କିନ୍ତୁ ମନୁଷ୍ୟ ତାହା ପ୍ରତି ଉଦାସୀନ ରହି ସର୍ବଦା ବିପରୀତ (ନିଷିଦ୍ଧ) କର୍ମ କରିବାରେ ଲାଗିଥାଏ | ପ୍ରମାଦର ଏପରି ଅବସ୍ଥାରେ ପଡି ରହିଥିବା ଜୀବର ଜୀବନ-ଆଶାକୁ ଯିଏ ଅତ୍ୟନ୍ତ ସାବଧାନ ସହକାରେ ଶୀଘ୍ର ଶୀଘ୍ର କାଟି ଚାଲିଥାଏ, ସେହି ବଳବାନ୍ କାଳ ମଧ୍ୟ ଆପଣଙ୍କର ହିଁ ରୂପ ଅଟେ; ମୁଁ ତାହାକୁ ନମସ୍କାର କରୁଛି |

ଯସ୍ମାଦ୍ବିଭେମ୍ୟହମପି ଦ୍ୱିପରାର୍ଧଧିଷ୍ଣ୍ୟ-

ମଧ୍ୟାସିତଃ ସକଲଲୋକନମସ୍କୃତଂ ଯତ୍ ।

ତେପେ ତପୋ ବହୁସବୋଽବରୁରୁତ୍ସମାନ-

ସ୍ତସ୍ମୈ ନମୋ ଭଗବତେଽଧିମଖାୟ ତୁଭ୍ୟମ୍ ॥ ୧୮॥

ଯଦିଓ ମୁଁ ସତ୍ୟଲୋକର ଅଧିଷ୍ଠାତା ଅଟେ, ଯାହାର ଆୟୁ ଦୁଇ ପରାର୍ଦ୍ଧ ଅଟେ ଏବଂ ଯାହା ଅନ୍ୟ ସମସ୍ତ ଲୋକର ବନ୍ଦନୀୟ ଅଟେ, ତଥାପି ମୁଁ ଆପଣଙ୍କର କାଳରୂପକୁ ଭୟ କରିଥାଏ | ତା କବଳରୁ ରକ୍ଷା ପାଇବାକୁ ଏବଂ ଆପଣଙ୍କୁ ପ୍ରାପ୍ତ କରିବାକୁ ମୁଁ ବହୁତ ସମୟଯାଏଁ ତପସ୍ୟା କଲି | ଅଧିଯଜ୍ଞ ରୂପରେ ଆପଣ ମୋର ସେହି ତପସ୍ୟାର ସାକ୍ଷୀ ଅଟନ୍ତି; ମୁଁ ଆପଣଙ୍କୁ ନମସ୍କାର କରୁଛି |

ତିର୍ୟଙ୍ମନୁଷ୍ୟବିବୁଧାଦିଷୁ ଜୀବୟୋନି-

ଷ୍ୱାତ୍ମେଚ୍ଛୟାଽଽତ୍ମକୃତସେତୁପରୀପ୍ସୟା ଯଃ ।

ରେମେ ନିରସ୍ତରତିରପ୍ୟବରୁଦ୍ଧଦେହ-

ସ୍ତସ୍ମୈ ନମୋ ଭଗବତେ ପୁରୁଷୋତ୍ତମାୟ ॥ ୧୯॥

ଆପଣ ପୂର୍ଣ୍ଣକାମ ଅଟନ୍ତି; କୌଣସି ବିଷୟ-ସୁଖର ଇଚ୍ଛା ଆପଣଙ୍କର ନାହିଁ | ତଥାପି ନିଜ ଦ୍ବାରା ସ୍ଥାପିତ ଧର୍ମମର୍ଯ୍ୟାଦାର ରକ୍ଷା ନିମନ୍ତେ ଆପଣ ପଶୁ-ପକ୍ଷୀ, ମନୁଷ୍ୟ ଏବଂ ଦେବତା ଆଦି ଜୀବଯୋନିରେ ସ୍ବେଚ୍ଛାରେ ଶରୀର ଧାରଣ କରି ଅନେକ ଲୀଳା କରିଥାଆନ୍ତି | ଏପରି ପୁରୁଷୋତ୍ତମ ଭଗବାନ ଆପଣଙ୍କୁ ମୋର ବାରମ୍ବାର ନମସ୍କାର |

ଯୋଽବିଦ୍ୟଯାନୁପହତୋଽପି ଦଶାର୍ଧବୃତ୍ତ୍ୟା

ନିଦ୍ରାମୁବାହ ଜଠରୀକୃତଲୋକୟାତ୍ରଃ ।

ଅନ୍ତର୍ଜଲେଽହିକଶିପୁସ୍ପର୍ଶାନୁକୂଲାଂ

ଭୀମୋର୍ମିମାଲିନି ଜନସ୍ୟ ସୁଖଂ ବିବୃଣ୍ୱନ୍ ॥ ୨୦॥

ହେ ପ୍ରଭୋ ! ଆପଣ ଅବିଦ୍ୟା, ଅସ୍ମିତା, ରାଗ, ଦ୍ବେଷ ଓ ଅଭିନିବେଶ – ଏହି ପଂଚକ୍ଲେଶ ମଧ୍ୟରୁ କାହାର ବି ଅଧୀନସ୍ତ ନୁହଁନ୍ତି; ତଥାପି ଏହି ସମୟରେ ସମ୍ପୂର୍ଣ୍ଣ ସଂସାରକୁ ନିଜ ଉଦରରେ ଲୀନ କରି ଭୟଙ୍କର ତରଙ୍ଗମାଳାରେ ବିକ୍ଷୁବ୍ଧ ପ୍ରଳୟକାଳୀନ ଜଳରେ ଆପଣ ଯେପରି ଅନନ୍ତବିଗ୍ରହର କୋମଳ ଶଯ୍ୟାରେ ଶୟନ କରିଛନ୍ତି, ତାହା ପୂର୍ବକଳ୍ପର କର୍ମପରମ୍ପରାରେ ଶ୍ରମିତ ଜୀବକୁ ବିଶ୍ରାମ ଦେବା ଉପଲକ୍ଷେ ହିଁ ଅଟେ |

ଯନ୍ନାଭିପଦ୍ମଭବନାଦହମାସମୀଡ୍ୟ

ଲୋକତ୍ରୟୋପକରଣୋ ଯଦନୁଗ୍ରହେଣ ।

ତସ୍ମୈ ନମସ୍ତ ଉଦରସ୍ଥଭବାୟ ଯୋଗ-

ନିଦ୍ରାବସାନବିକସନ୍ନଲିନେକ୍ଷଣାୟ ॥ ୨୧॥

ଆପଣଙ୍କ ନାଭିକମଳରୂପ ଭବନରୁ ମୋର ଜନ୍ମ ହୋଇଛି | ସମ୍ପୂର୍ଣ୍ଣ ବିଶ୍ବ ଆପଣଙ୍କ ଉଦରରେ ସମାହିତ | ଆପଣଙ୍କ କୃପାରୁ ହିଁ ମୁଁ ଏହି ତ୍ରିଲୋକ ରଚନାରୂପ ଉପକାରରେ ପ୍ରବୃତ୍ତ ହୋଇଛି | ଏବେ ଆପଣଙ୍କର ଯୋଗନିଦ୍ରାର ଅନ୍ତ ଘଟିବା ଯୋଗୁଁ ଆପଣଙ୍କର ନେତ୍ର-କମଳ ଉନ୍ମୀଳିତ ହେଉଛି; ଆପଣଙ୍କୁ ମୋର ନମସ୍କାର |

ସୋଽୟଂ ସମସ୍ତଜଗତାଂ ସୁହୃଦେକ ଆତ୍ମା

ସତ୍ତ୍ୱେନ ଯନ୍ମୃଡୟତେ ଭଗବାନ୍ ଭଗେନ ।

ତେନୈବ ମେ ଦୃଶମନୁସ୍ପୃଶତାଦ୍ୟଥାହଂ

ସ୍ରକ୍ଷ୍ୟାମି ପୂର୍ୱବଦିଦଂ ପ୍ରଣତପ୍ରିୟୋଽସୌ ॥ ୨୨॥

ଆପଣ ସମ୍ପୂର୍ଣ୍ଣ ଜଗତର ଏକମାତ୍ର ସୁହୃଦ ଏବଂ ଆତ୍ମା ଅଟନ୍ତି ତଥା ଆପଣ ଶରଣାଗତ ଉପରେ କୃପା କରିଥାଆନ୍ତି | ତେଣୁ ଆପଣ ଯେଉଁ ଜ୍ଞାନ ଏବଂ ଐଶ୍ବର୍ଯ୍ୟ ବଳରେ ବିଶ୍ବକୁ ଆନନ୍ଦିତ କରନ୍ତି, ସେଥିରେ ମୋର ବୁଦ୍ଧିକୁ ଯୁକ୍ତ କରନ୍ତୁ, ଯଦ୍ବାରା ମୁଁ ପୂର୍ବକଳ୍ପ ସଦୃଶ ଏହି ସମୟରେ ଜଗତର ରଚନା କରିପାରିବି |

ଏଷ ପ୍ରପନ୍ନବରଦୋ ରମୟାଽଽତ୍ମଶକ୍ତ୍ୟା

ଯଦ୍ୟତ୍କରିଷ୍ୟତି ଗୃହୀତଗୁଣାବତାରଃ ।

ତସ୍ମିନ୍ ସ୍ୱବିକ୍ରମମିଦଂ ସୃଜତୋଽପି ଚେତୋ

ଯୁଞ୍ଜୀତ କର୍ମଶମଲଂ ଚ ଯଥା ବିଜହ୍ୟାମ୍ ॥ ୨୩॥

ଆପଣ ଭକ୍ତବାଞ୍ଛାକଳ୍ପତରୁ ଅଟନ୍ତି | ନିଜ ଶକ୍ତି ଲକ୍ଷ୍ମୀଦେବୀଙ୍କ ସହିତ ଅନେକ ଗୁଣାବତାର ଧାରଣ କରି ଆପଣ ଯେଉଁ ଯେଉଁ ଅଦ୍ଭୁତ କର୍ମ କରିବେ, ତନ୍ମଧ୍ୟରୁ ମୋର ଏହି ଜଗତ ରଚନା କରିବାର ଉଦ୍ୟମ ମଧ୍ୟ ଏକ ଅଟେ | ତେଣୁ ଏହାକୁ ରଚନା କରୁଥିବା ସମୟରେ ଆପଣ ମୋର ଚିତ୍ତକୁ ପ୍ରେରିତ କରନ୍ତୁ, ମୋତେ ଶକ୍ତି ପ୍ରଦାନ କରନ୍ତୁ, ଯାହା ଫଳରେ ସୃଷ୍ଟିରଚନାବିଷୟକ ଅଭିମାନରୂପ ମଳରୁ ମୁଁ ଦୂରରେ ରହିପାରିବି |

ନାଭିହ୍ରଦାଦିହ ସତୋଽମ୍ଭସି ଯସ୍ୟ ପୁଂସୋ

ବିଜ୍ଞାନଶକ୍ତିରହମାସମନନ୍ତଶକ୍ତେଃ ।

ରୂପଂ ବିଚିତ୍ରମିଦମସ୍ୟ ବିବୃଣ୍ୱତୋ ମେ

ମା ରୀରିଷୀଷ୍ଟ ନିଗମସ୍ୟ ଗିରାଂ ବିସର୍ଗଃ ॥ ୨୪॥

ହେ ପ୍ରଭୁ ! ଏହି ପ୍ରଳୟକାଳୀନ ଜଳରେ ଶୟନ କରିଥିବା ସମୟରେ ଅନନ୍ତଶକ୍ତି ପରମପୁରୁଷ ଆପଣଙ୍କ ନାଭିକମଳରୁ ମୋର ପ୍ରାଦୁର୍ଭାବ ହେଲା ଏବଂ ମୁଁ ମଧ୍ୟ ଆପଣଙ୍କର ବିଜ୍ଞାନଶକ୍ତି ହିଁ ଅଟେ | ତେଣୁ ଏହି ଜଗତର ବିଚିତ୍ର ରୂପରେ ବିସ୍ତାର କରୁଥିବା ସମୟରେ ଆପଣଙ୍କ କୃପାରୁ ମୋର ବେଦରୂପ ବାଣୀର ଉଚ୍ଚାରଣ ଲୁପ୍ତ ନ ହେଉ |

ସୋଽସାବଦଭ୍ରକରୁଣୋ ଭଗବାନ୍ ବିବୃଦ୍ଧ-

ପ୍ରେମସ୍ମିତେନ ନୟନାମ୍ବୁରୁହଂ ବିଜୃମ୍ଭନ୍ ।

ଉତ୍ଥାୟ ବିଶ୍ୱବିଜୟାୟ ଚ ନୋ ବିଷାଦଂ

ମାଧ୍ୱ୍ୟା ଗିରାପନୟତାତ୍ପୁରୁଷଃ ପୁରାଣଃ ॥ ୨୫॥

ଆପଣ ଅପାର କରୁଣାମୟ ପୁରାଣପୁରୁଷ ଅଟନ୍ତି | ଆପଣ ପରମ ପ୍ରେମମୟୀ ସ୍ମିତହାସ୍ୟ ସହିତ ନିଜର ନେତ୍ର-କମଳକୁ ଉନ୍ମୀଳନ କରନ୍ତୁ ଏବଂ ଶେଷ-ଶଯ୍ୟାରୁ ଉଠି ବିଶ୍ବର ଉଦ୍ଭବ ନିମନ୍ତେ ନିଜ ସୁମଧୁର ବାଣୀରେ ମୋର ବିଷାଦ ଦୂର କରନ୍ତୁ |

ମୈତ୍ରେୟ ଉବାଚ

ସ୍ୱସମ୍ଭବଂ ନିଶାମ୍ୟୈବଂ ତପୋବିଦ୍ୟାସମାଧିଭିଃ ।

ଯାବନ୍ମନୋ ବଚଃ ସ୍ତୁତ୍ୱା ବିରରାମ ସ ଖିନ୍ନବତ୍ ॥ ୨୬॥

ମୈତ୍ରେୟ କହିଲେ – ହେ ବିଦୁର ! ଏହିପରି ଭାବରେ ତପ, ବିଦ୍ୟା ଏବଂ ସମାଧି ଦ୍ବାରା ନିଜ ଉତ୍ପତ୍ତିସ୍ଥାନ ଶ୍ରୀଭଗବାନଙ୍କୁ ଦେଖି ତଥା ନିଜ ମନ ଏବଂ ବାଣୀର ଶକ୍ତି ଅନୁସାରେ ତାଙ୍କର ସ୍ତୁତି କରି ବ୍ରହ୍ମାଜୀ କ୍ଲାନ୍ତ ହୋଇଯିବା ପରି ମୌନ ରହିଲେ |

ଅଥାଭିପ୍ରେତମନ୍ୱୀକ୍ଷ୍ୟ ବ୍ରହ୍ମଣୋ ମଧୁସୂଦନଃ ।

ବିଷଣ୍ଣଚେତସଂ ତେନ କଲ୍ପବ୍ୟତିକରାମ୍ଭସା ॥ ୨୭॥

ଲୋକସଂସ୍ଥାନବିଜ୍ଞାନ ଆତ୍ମନଃ ପରିଖିଦ୍ୟତଃ ।

ତମାହାଗାଧୟା ବାଚା କଶ୍ମଲଂ ଶମୟନ୍ନିବ ॥ ୨୮॥

ଶ୍ରୀମଧୁସୂଦନ ଭଗବାନ ଦେଖିଲେ ଯେ ପ୍ରଳୟ ଜଳରାଶିକୁ ଦେଖି ବ୍ରହ୍ମାଜୀ ବହୁତ ବିଚଳିତ ହୋଇ ଯାଇଛନ୍ତି ଏବଂ ଲୋକରଚନା ବିଷୟରେ କୌଣସି ନିଶ୍ଚିତ ବିଚାର କରି ନ ପାରିବା କାରଣରୁ ତାଙ୍କର ଚିତ୍ତ ବିଷାଦଗ୍ରସ୍ତ ହୋଇଯାଇଛି | ବ୍ରହ୍ମାଙ୍କର ଅଭିପ୍ରାୟକୁ ଜାଣି ତାଙ୍କର ଅବସନ୍ନତା ଶାନ୍ତ କରିବା ଉଦ୍ଦେଶ୍ୟରେ ଭଗବାନ ନିଜର ଗମ୍ଭୀର ବାଣୀରେ ଏହିପରି କହିବାରେ ଲାଗିଲେ -

ଶ୍ରୀଭଗବାନୁବାଚ

ମା ବେଦଗର୍ଭ ଗାସ୍ତନ୍ଦ୍ରୀଂ ସର୍ଗ ଉଦ୍ୟମମାବହ ।

ତନ୍ମୟାଽଽପାଦିତଂ ହ୍ୟଗ୍ରେ ଯନ୍ମାଂ ପ୍ରାର୍ଥୟତେ ଭବାନ୍ ॥ ୨୯॥

ଶ୍ରୀ ଭଗବାନ କହିଲେ - ହେ ବେଦଗର୍ଭ ! ତୁମେ ବିଷାଦରେ ବଶୀଭୂତ ହୋଇ ଆଳସ୍ୟ କରନାହିଁ, ସୃଷ୍ଟିରଚନା ଉଦ୍ୟମରେ ତତ୍ପର ହୁଅ | ତୁମେ ମୋଠାରୁ ଯାହା ଇଚ୍ଛା କରୁଛ, ତାହା ତ ମୁଁ ପୂର୍ବରୁ କରିସାରିଛି |

ଭୂୟସ୍ତ୍ୱଂ ତପ ଆତିଷ୍ଠ ବିଦ୍ୟାଂ ଚୈବ ମଦାଶ୍ରୟାମ୍ ।

ତାଭ୍ୟାମନ୍ତର୍ହୃଦି ବ୍ରହ୍ମନ୍ ଲୋକାନ୍ ଦ୍ରକ୍ଷ୍ୟସ୍ୟପାବୃତାନ୍ ॥ ୩୦॥

ତୁମେ ପୁନଃ ଏକ ବାର ତପସ୍ୟା କର ଏବଂ ଭାଗବତ-ଜ୍ଞାନର ଅନୁଷ୍ଠାନ କର | ତଦ୍ବାରା ତୁମେ ସମସ୍ତ ଲୋକକୁ ସ୍ପଷ୍ଟତୟା ନିଜ ଅନ୍ତଃକରଣରେ ଦେଖିପାରିବ |

ତତ ଆତ୍ମନି ଲୋକେ ଚ ଭକ୍ତିୟୁକ୍ତଃ ସମାହିତଃ ।

ଦ୍ରଷ୍ଟାସି ମାଂ ତତଂ ବ୍ରହ୍ମନ୍ ମୟି ଲୋକାଂସ୍ତ୍ୱମାତ୍ମନଃ ॥ ୩୧॥

ପୁନଶ୍ଚ ଭକ୍ତିଯୁକ୍ତ ଏବଂ ସମାହିତଚିତ୍ତ ହୋଇ ତୁମେ ମୋତେ ସମ୍ପୂର୍ଣ୍ଣ ଲୋକରେ ଏବଂ ନିଜଠାରେ ବ୍ୟାପ୍ତ ଦେଖିପାରିବ ତଥା ମୋଠାରେ ସମ୍ପୂର୍ଣ୍ଣ ଲୋକକୁ ଏବଂ ନିଜକୁ ଦେଖିପାରିବ |

ଯଦା ତୁ ସର୍ୱଭୂତେଷୁ ଦାରୁଷ୍ୱଗ୍ନିମିବ ସ୍ଥିତମ୍ ।

ପ୍ରତିଚକ୍ଷୀତ ମାଂ ଲୋକୋ ଜହ୍ୟାତ୍ତର୍ହ୍ୟେବ କଶ୍ମଲମ୍ ॥ ୩୨॥

ଜୀବ ଯେତେବେଳେ କାଷ୍ଠରେ ବ୍ୟାପ୍ତ ଅଗ୍ନି ପରି ସମସ୍ତ ଭୂତରେ ମୋତେ ହିଁ ସ୍ଥିତ ଦେଖିଥାଏ, ସେତେବେଳେ ସେ ନିଜ ଅଜ୍ଞାନରୂପ ମଳରୁ ମୁକ୍ତ ହୋଇଯାଏ |

ଯଦା ରହିତମାତ୍ମାନଂ ଭୂତେନ୍ଦ୍ରିୟଗୁଣାଶୟୈଃ ।

ସ୍ୱରୂପେଣ ମୟୋପେତଂ ପଶ୍ୟନ୍ ସ୍ୱାରାଜ୍ୟମୃଚ୍ଛତି ॥ ୩୩॥

ନିଜକୁ ଯେତେବେଳେ ସେ ଭୂତ, ଇନ୍ଦ୍ରିୟ, ଗୁଣ ଏବଂ ଅନ୍ତଃକରଣ ରହିତ ତଥା ସ୍ବରୂପତଃ ମୋ ଠାରୁ ଅଭିନ୍ନ ଭାବରେ ଦେଖିଥାଏ, ସେତେବେଳେ ସେ ମୋକ୍ଷପଦ ପ୍ରାପ୍ତ କରିନିଏ |

ନାନାକର୍ମବିତାନେନ ପ୍ରଜା ବହ୍ୱୀଃ ସିସୃକ୍ଷତଃ ।

ନାତ୍ମାବସୀଦତ୍ୟସ୍ମିଂସ୍ତେ ବର୍ଷୀୟାନ୍ମଦନୁଗ୍ରହଃ ॥ ୩୪॥

ହେ ବ୍ରହ୍ମାଜୀ ! ନାନାବିଧ କର୍ମସଂସ୍କାର ଅନୁସାରେ ଅନେକ ପ୍ରକାରର ଜୀବସୃଷ୍ଟି  କରିବାର ଇଚ୍ଛା କରି ମଧ୍ୟ ଆପଣଙ୍କର ଚିତ୍ତ ତହିଁରେ ମୋହିତ ହୁଏ ନାହିଁ, ଏହା ମୋର ଅତିଶୟ କୃପାର ହିଁ ଫଳ ଅଟେ |

ଋଷିମାଦ୍ୟଂ ନ ବଧ୍ନାତି ପାପୀୟାଂସ୍ତ୍ୱାଂ ରଜୋ ଗୁଣଃ ।

ଯନ୍ମନୋ ମୟି ନିର୍ବଦ୍ଧଂ ପ୍ରଜାଃ ସଂସୃଜତୋଽପି ତେ ॥ ୩୫॥

ତୁମେ ସର୍ବପ୍ରଥମ ମନ୍ତ୍ରଦ୍ରଷ୍ଟା ଅଟ | ପ୍ରଜା ଉତ୍ପନ୍ନ କରିବା ସମୟରେ ମଧ୍ୟ ତୁମର ମନ ମୋ ଠାରେ ହିଁ ସଂଲଗ୍ନ ରହିଥାଏ, ଯଦ୍ବାରା ପାପମୟ ରଜୋଗୁଣ ତୁମକୁ ବାନ୍ଧି ପାରେ ନାହିଁ |

ଜ୍ଞାତୋଽହଂ ଭବତା ତ୍ୱଦ୍ୟ ଦୁର୍ୱିଜ୍ଞେୟୋଽପି ଦେହିନାମ୍ ।

ଯନ୍ମାଂ ତ୍ୱଂ ମନ୍ୟସେଽୟୁକ୍ତଂ ଭୂତେନ୍ଦ୍ରିୟଗୁଣାତ୍ମଭିଃ ॥ ୩୬॥

ମୋତେ ତୁମେ ଭୂତ, ଇନ୍ଦ୍ରିୟ, ଗୁଣ ଏବଂ ଅନ୍ତଃକରଣ ରହିତ ମନେ କରିଥାଅ; ଏଥିରୁ ଜଣାପଡୁଛି ଯଦିଓ ଦେହଧାରୀ ଜୀବ ନିମନ୍ତେ ମୋର ଜ୍ଞାନ ପ୍ରାପ୍ତ କରିବା ଅତ୍ୟନ୍ତ କଠିନ ଅଟେ, ତଥାପି ତୁମେ ମୋତେ ଜାଣିପାରିଛ |

ତୁଭ୍ୟଂ ମଦ୍ୱିଚିକିତ୍ସାୟାମାତ୍ମା ମେ ଦର୍ଶିତୋଽବହିଃ ।

ନାଲେନ ସଲିଲେ ମୂଲଂ ପୁଷ୍କରସ୍ୟ ବିଚିନ୍ୱତଃ ॥ ୩୭॥

‘ମୋର କୌଣସି ଆଶ୍ରୟ ଅଛି କି ନାହିଁ, ଏହି ସନ୍ଦେହକୁ ନେଇ ତୁମେ କମଳନାଳ ମଧ୍ୟ ଦେଇ ଜଳରେ ପ୍ରବେଶ କରି ତାହାର ମୂଳ ଅନ୍ବେଷଣ କରିବାରେ ଲାଗିଲ | ସେହି ସମୟରେ ତୁମ ଅନ୍ତଃକରଣରେ ମୁଁ ତୁମକୁ ମୋର ସ୍ବରୂପ ଦର୍ଶନ କରାଇ ଥିଲି |

ଯଚ୍ଚକର୍ଥାଙ୍ଗ ମତ୍ସ୍ତୋତ୍ରଂ ମତ୍କଥାଭ୍ୟୁଦୟାଙ୍କିତମ୍ ।

ଯଦ୍ୱା ତପସି ତେ ନିଷ୍ଠା ସ ଏଷ ମଦନୁଗ୍ରହଃ ॥ ୩୮॥

ପ୍ରିୟ ବ୍ରହ୍ମାଜୀ ! ତୁମେ କଥା-ବୈଭବରେ ଯୁକ୍ତ ମୋର ଯେଉଁ ସ୍ତୁତି କଲ ଏବଂ ତପସ୍ୟାରେ ତୁମର ଯେପରି ନିଷ୍ଠା ରହିଛି, ତାହା ମଧ୍ୟ ମୋ କୃପାର ହିଁ ଫଳ ଅଟେ |

ପ୍ରୀତୋଽହମସ୍ତୁ ଭଦ୍ରଂ ତେ ଲୋକାନାଂ ବିଜୟେଚ୍ଛୟା ।

ଯଦସ୍ତୌଷୀର୍ଗୁଣମୟଂ ନିର୍ଗୁଣଂ ମାନୁବର୍ଣୟନ୍ ॥ ୩୯॥

ଲୋକରଚନା ଇଚ୍ଛାରେ ତୁମେ ସଗୁଣ ପ୍ରତୀତ ହେଉଥିଲେ ମଧ୍ୟ ନିର୍ଗୁଣ ରୂପରେ ମୋର ବର୍ଣ୍ଣନା କରି ଯେଉଁ ସ୍ତୁତି କଲ, ତଦ୍ବାରା ମୁଁ ବହୁତ ପ୍ରସନ୍ନ ହୋଇଛି; ତୁମର କଲ୍ୟାଣ ହେଉ |

ଯ ଏତେନ ପୁମାନ୍ନିତ୍ୟଂ ସ୍ତୁତ୍ୱା ସ୍ତୋତ୍ରେଣ ମାଂ ଭଜେତ୍ ।

ତସ୍ୟାଶୁ ସମ୍ପ୍ରସୀଦେୟଂ ସର୍ୱକାମବରେଶ୍ୱରଃ ॥ ୪୦॥

ମୁଁ ସମସ୍ତ କାମନା ଓ ମନୋରଥକୁ ପୂର୍ଣ୍ଣ କରିବାରେ ସମର୍ଥ ଅଟେ | ଯେଉଁ ପୁରୁଷ ନିତ୍ୟପ୍ରତି ଏହି ସ୍ତୋତ୍ର ଦ୍ବାରା ସ୍ତୁତି କରି ମୋର ଭଜନ କରିବେ, ମୁଁ ତାଙ୍କ ଉପରେ ଅତିଶୀଘ୍ର ପ୍ରସନ୍ନ ହୋଇଯିବି |

ପୂର୍ତେନ ତପସା ଯଜ୍ଞୈର୍ଦାନୈର୍ୟୋଗସମାଧିନା ।

ରାଦ୍ଧଂ ନିଃଶ୍ରେୟସଂ ପୁଂସାଂ ମତ୍ପ୍ରୀତିସ୍ତତ୍ତ୍ୱବିନ୍ମତମ୍ ॥ ୪୧॥

ତତ୍ତ୍ବବେତ୍ତାମାନଙ୍କ ମତରେ ପୂର୍ତ, ତପ, ଯଜ୍ଞ, ଦାନ, ଯୋଗ ଏବଂ ସମାଧି ଆଦି ସାଧନ ଦ୍ବାରା ଯେଉଁ ପରମ କଲ୍ୟାଣମୟ ଫଳ ପ୍ରାପ୍ତ ହୋଇଥାଏ, ତାହା ମୋର ପ୍ରସନ୍ନତା ହିଁ ଅଟେ |

ଅହମାତ୍ମାଽଽତ୍ମନାଂ ଧାତଃ ପ୍ରେଷ୍ଠଃ ସନ୍ ପ୍ରେୟସାମପି ।

ଅତୋ ମୟି ରତିଂ କୁର୍ୟାଦ୍ଦେହାଦିର୍ୟତ୍କୃତେ ପ୍ରିୟଃ ॥ ୪୨॥

ହେ ବିଧାତା ! ମୁଁ ଆତ୍ମାମାନଙ୍କର ମଧ୍ୟ ଆତ୍ମା ଏବଂ ସ୍ତ୍ରୀ-ପୁତ୍ର ଆଦି ପ୍ରିୟମାନଙ୍କର ମଧ୍ୟ ପ୍ରିୟ ଅଟେ | ଦେହ ଆଦି ମଧ୍ୟ ମୋ ନିମିତ୍ତ ପ୍ରିୟ ଅଟେ | ତେଣୁ ମୋତେ ହିଁ ପ୍ରେମ କରିବା ଉଚିତ୍ |

ସର୍ୱବେଦମୟେନେଦମାତ୍ମନାଽଽତ୍ମାଽଽତ୍ମୟୋନିନା ।

ପ୍ରଜାଃ ସୃଜ ଯଥା ପୂର୍ୱଂ ଯାଶ୍ଚ ମୟ୍ୟନୁଶେରତେ ॥ ୪୩॥

ହେ ବ୍ରହ୍ମା ! ତ୍ରିଲୋକୀ ତଥା ଯେଉଁ ପ୍ରଜାମାନେ ଏହି ସମୟରେ ମୋଠାରେ ଲୀନ ଅଛନ୍ତି, ତୁମେ ମୋଠାରୁ ଉତ୍ପନ୍ନ ହୋଇଥିବା ନିଜର ସର୍ବବେଦମୟ ସ୍ବରୂପ ଦ୍ବାରା ଅବିକଳ ପୂର୍ବକଳ୍ପ ପରି ସେମାନଙ୍କୁ ସ୍ବୟଂ ହିଁ ରଚନା କର |

ମୈତ୍ରେୟ ଉବାଚ

ତସ୍ମା ଏବଂ ଜଗତ୍ସ୍ରଷ୍ଟ୍ରେ ପ୍ରଧାନପୁରୁଷେଶ୍ୱରଃ ।

ବ୍ୟଜ୍ୟେଦଂ ସ୍ୱେନ ରୂପେଣ କଞ୍ଜନାଭସ୍ତିରୋଦଧେ ॥ ୪୪॥

ମୈତ୍ରେୟ କହୁଛନ୍ତି – ପ୍ରକୃତି ଏବଂ ପୁରୁଷର ସ୍ବାମୀ କମଳନାଭ ଭଗବାନ ଏହିପରି ଭାବରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଗତର ଅଭିବ୍ୟକ୍ତି କରାଇ ନିଜର ସେହି ନାରାୟଣରୂପରେ ସେଠାରୁ ଅଦୃଶ୍ୟ ହୋଇଗଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ତୃତୀୟସ୍କନ୍ଧେ ନବମୋଽଧ୍ୟାୟଃ ॥ ୯॥

    

Comments

Popular posts from this blog