ଶ୍ରୀମଦ୍ ଭାଗବତ ମହାପୁରାଣ
॥ ଓଁ ନମୋ ଭଗବତେ ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ଦଶମ ଅଧ୍ୟାୟ
ଦଶ ପ୍ରକାର ସୃଷ୍ଟିର ବର୍ଣ୍ଣନ
ବିଦୁର ଉବାଚ
ଅନ୍ତର୍ହିତେ ଭଗବତି ବ୍ରହ୍ମା ଲୋକପିତାମହଃ ।
ପ୍ରଜାଃ ସସର୍ଜ କତିଧା ଦୈହିକୀର୍ମାନସୀର୍ୱିଭୁଃ ॥ ୧॥
ବିଦୁର କହିଲେ – ହେ ମୁନିବର | ଭଗବାନ ନାରାୟଣ ଅନ୍ତର୍ଧ୍ୟାନ
ହୋଇଯିବା ପରେ ସମ୍ପୂର୍ଣ୍ଣ ଲୋକର ପିତାମହ ବ୍ରହ୍ମାଜୀ ନିଜ ଦେହ ଓ ମନରୁ କେତେ ପ୍ରକାରର ସୃଷ୍ଟି
ଉତ୍ପନ୍ନ କଲେ ?
ଯେ ଚ ମେ ଭଗବନ୍ ପୃଷ୍ଟାସ୍ତ୍ୱୟ୍ୟର୍ଥା ବହୁବିତ୍ତମ ।
ତାନ୍ ବଦସ୍ୱାନୁପୂର୍ୱ୍ୟେଣ ଛିନ୍ଧି ନଃ ସର୍ୱସଂଶୟାନ୍ ॥ ୨॥
ଭଗବନ୍ ! ଏହା ବ୍ୟତିତ ମୁଁ ଆପଣଙ୍କୁ ଅନ୍ୟ ଯେଉଁ ଯେଉଁ କଥା ପଚାରିଛି, ସେହି ସବୁର ମଧ୍ୟ କ୍ରମଶଃ ବର୍ଣ୍ଣନା କରି ମୋର ସମସ୍ତ ସଂଶୟ ଦୂର
କରନ୍ତୁ; କାରଣ ଆପଣ ସବୁ ବହୁଜ୍ଞମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି |
ସୂତ ଉବାଚ
ଏବଂ ସଞ୍ଚୋଦିତସ୍ତେନ କ୍ଷତ୍ତ୍ରା କୌଷାରବୋ ମୁନିଃ ।
ପ୍ରୀତଃ ପ୍ରତ୍ୟାହ ତାନ୍ ପ୍ରଶ୍ନାନ୍ ହୃଦିସ୍ଥାନଥ ଭାର୍ଗବ ॥ ୩॥
ସୂତ ମୁନି କହୁଛନ୍ତି – ହେ ଶୌନକ ! ବିଦୁରଙ୍କର ଏପରି ପ୍ରଶ୍ନ ଶୁଣି
ମୁନିବର ମୈତ୍ରେୟ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ନିଜ ହୃଦୟରେ ସ୍ଥିତ ସେହି ପ୍ରଶ୍ନର ଏପରି
ଉତ୍ତର ଦେବାରେ ଲାଗିଲେ |
ମୈତ୍ରେୟ ଉବାଚ
ବିରିଞ୍ଚୋଽପି ତଥା ଚକ୍ରେ ଦିବ୍ୟଂ ବର୍ଷଶତଂ ତପଃ ।
ଆତ୍ମନ୍ୟାତ୍ମାନମାବେଶ୍ୟ ଯଦାହ ଭଗବାନଜଃ ॥ ୪॥
ମୈତ୍ରେୟ କହିଲେ – ଅଜନ୍ମା ଭଗବାନ ଶ୍ରୀହରି ଯେପରି କହିଥିଲେ, ବ୍ରହ୍ମାଜୀ ସେହିପରି ଭାବରେ ଚିତ୍ତକୁ ନିଜ ଆତ୍ମା
ଶ୍ରୀନାରାୟଣଙ୍କଠାରେ ସଂଲଗ୍ନ କରି ଶହେ ଦିବ୍ୟ ବର୍ଷଯାଏଁ ତପସ୍ୟା କଲେ |
ତଦ୍ୱିଲୋକ୍ୟାବ୍ଜସମ୍ଭୂତୋ ବାୟୁନା ଯଦଧିଷ୍ଠିତଃ ।
ପଦ୍ମମମ୍ଭଶ୍ଚ ତତ୍କାଲକୃତବୀର୍ୟେଣ କମ୍ପିତମ୍ ॥ ୫॥
ବ୍ରହ୍ମାଜୀ ଦେଖିଲେ ଯେ ପ୍ରଳୟକାଳୀନ ପ୍ରବଳ ଝଡଝଞ୍ଜାରେ ସେ
ଯାହାଠାରୁ ଉତ୍ପନ୍ନ ହୋଇଥିଲେ ଏବଂ ଯାହା ଉପରେ ବସିଥିଲେ ସେହି କମଳ ଏବଂ ଜଳ କମ୍ପିତ ହେବାରେ
ଲାଗିଛି |
ତପସା ହ୍ୟେଧମାନେନ ବିଦ୍ୟଯା ଚାତ୍ମସଂସ୍ଥୟା ।
ବିବୃଦ୍ଧବିଜ୍ଞାନବଲୋ ନ୍ୟପାଦ୍ୱାୟୁଂ ସହାମ୍ଭସା ॥ ୬॥
କଠିନ ତପସ୍ୟା ଏବଂ ହୃଦୟରେ ସ୍ଥିତ ଆତ୍ମଜ୍ଞାନ ଯୋଗୁଁ ତାଙ୍କର ବିଜ୍ଞାନବଳ
ବୃଦ୍ଧି ଲାଭ କରିଥିଲା ଏବଂ ସେ ଜଳ ସହିତ ବାୟୁକୁ ମଧ୍ୟ ଶୋଷଣ କରିନେଲେ |
ତଦ୍ୱିଲୋକ୍ୟ ବିୟଦ୍ୱ୍ୟାପି ପୁଷ୍କରଂ ଯଦଧିଷ୍ଠିତମ୍ ।
ଅନେନ ଲୋକାନ୍ ପ୍ରାଗ୍ଲୀନାନ୍ କଲ୍ପିତାସ୍ମୀତ୍ୟଚିନ୍ତୟତ୍ ॥ ୭॥
ତାପରେ ସେ ସ୍ବୟଂ ଯାହା ଉପରେ ବସିଥିଲେ, ସେହି ଆକାଶବ୍ୟାପୀ କମଳକୁ
ଦେଖି ସେ ବିଚାର କଲେ, ‘ପୂର୍ବକଳ୍ପରେ ଲୀନ
ହୋଇଥିବା ଲୋକକୁ ମୁଁ ଏହା ସାହାଯ୍ୟରେ ରଚନା କରିବି’
|
ପଦ୍ମକୋଶଂ ତଦାଽଽବିଶ୍ୟ ଭଗବତ୍କର୍ମଚୋଦିତଃ ।
ଏକଂ ବ୍ୟଭାଙ୍କ୍ଷୀଦୁରୁଧା ତ୍ରିଧା ଭାବ୍ୟଂ ଦ୍ୱିସପ୍ତଧା ॥ ୮॥
ତଦନନ୍ତର ଭଗବାନଙ୍କ ଦ୍ବାରା ସୃଷ୍ଟିକାର୍ଯ୍ୟରେ ନିଯୁକ୍ତ ବ୍ରହ୍ମାଜୀ
ସେହି କମଳକୋଶରେ ପ୍ରବେଶ କଲେ ଏବଂ ସେହି ଗୋଟିଏ କମଳକୁ ଭୂଃ,
ଭୁବଃ, ସ୍ବଃ – ଏହି ତିନି
ଭାଗରେ ବିଭକ୍ତ କଲେ, ଯଦିଓ ସେହି କମଳର
ଆକାର ଏତେ ବଡ ଥିଲା ଯେ ତାହାକୁ ଚଉଦ ଭୁବନ ବା ତା’ଠାରୁ
ଅଧିକ ଲୋକ ରୂପରେ ବିଭକ୍ତ କରାଯାଇ ପାରିଥାଆନ୍ତା |
ଏତାବାଞ୍ଜୀବଲୋକସ୍ୟ ସଂସ୍ଥାଭେଦଃ ସମାହୃତଃ ।
ଧର୍ମସ୍ୟ ହ୍ୟନିମିତ୍ତସ୍ୟ ବିପାକଃ ପରମେଷ୍ଠ୍ୟସୌ ॥ ୯॥
ଜୀବର ଭୋଗସ୍ଥାନ ଭାବରେ ଶାସ୍ତ୍ରମାନଙ୍କରେ ଏହି ତିନୋଟି ଲୋକର
ବର୍ଣ୍ଣନା କରାଯାଇ ଥାଏ | ଯେଉଁମାନେ ନିଷ୍କାମ କର୍ମ କରନ୍ତି, ସେମାନଙ୍କୁ ମହ, ତପ, ଜନ ଏବଂ ସତ୍ୟଲୋକରୂପ ବ୍ରହ୍ମଲୋକର ପ୍ରାପ୍ତି ହୋଇଥାଏ |
ବିଦୁର ଉବାଚ
ଯଦାତ୍ଥ ବହୁରୂପସ୍ୟ ହରେରଦ୍ଭୁତକର୍ମଣଃ ।
କାଲାଖ୍ୟଂ ଲକ୍ଷଣଂ ବ୍ରହ୍ମନ୍ ଯଥା ବର୍ଣୟ ନଃ ପ୍ରଭୋ ॥ ୧୦॥
ବିଦୁର ପଚାରିଲେ – ବ୍ରହ୍ମନ୍ ! ଆପଣ ଅଦ୍ଭୁତକର୍ମା ବିଶ୍ବରୂପ
ଶ୍ରୀହରିଙ୍କର ଯେଉଁ କାଳ ନାମକ ଶକ୍ତି ବିଷୟରେ କହୁଥିଲେ,
କୃପାକରି ବିସ୍ତାରପୂର୍ବକ ତାହାର ବର୍ଣ୍ଣନା କରନ୍ତୁ |
ମୈତ୍ରେୟ ଉବାଚ
ଗୁଣବ୍ୟତିକରାକାରୋ ନିର୍ୱିଶେଷୋଽପ୍ରତିଷ୍ଠିତଃ ।
ପୁରୁଷସ୍ତଦୁପାଦାନମାତ୍ମାନଂ ଲୀଲୟାସୃଜତ୍ ॥ ୧୧॥
ମୈତ୍ରେୟ କହିଲେ – ବିଷୟର ରୂପାନ୍ତର ହିଁ କାଳର ଆକାର ଅଟେ | ଏହା
ସ୍ବୟଂ ତ ନିର୍ବିଶେଷ, ଅନାଦି ଏବଂ ଅନନ୍ତ
ଅଟେ | ଏହାକୁ ନିମିତ୍ତ କରି ଭଗବାନ ଖେଳରେ-ଖେଳରେ ହିଁ ନିଜେ ନିଜକୁ ସୃଷ୍ଟି ରୂପରେ ପ୍ରକଟ
କରିଦିଅନ୍ତି |
ବିଶ୍ୱଂ ବୈ ବ୍ରହ୍ମ ତନ୍ମାତ୍ରଂ ସଂସ୍ଥିତଂ ବିଷ୍ଣୁମାୟଯା ।
ଈଶ୍ୱରେଣ ପରିଚ୍ଛିନ୍ନଂ କାଲେନାବ୍ୟକ୍ତମୂର୍ତିନା ॥ ୧୨॥
ପ୍ରଥମେ ଏହି ସମ୍ପୂର୍ଣ୍ଣ ବିଶ୍ବ ଭଗବାନଙ୍କ ମାୟାରେ ଲୀନ ହୋଇ
ବ୍ରହ୍ମରୂପରେ ସ୍ଥିତ ଥିଲା | ତାହାକୁ ହିଁ ଅବ୍ୟକ୍ତମୂର୍ତ୍ତି କାଳ ଦ୍ବାରା ଭଗବାନ ପୁନଃ ପୃଥକ
ରୂପରେ ପ୍ରକଟ କଲେ |
ଯଥେଦାନୀଂ ତଥାଗ୍ରେ ଚ ପଶ୍ଚାଦପ୍ୟେତଦୀଦୃଶମ୍ ।
ସର୍ଗୋ ନବବିଧସ୍ତସ୍ୟ ପ୍ରାକୃତୋ ବୈକୃତସ୍ତୁ ଯଃ ॥ ୧୩॥
ଏହି ଜଗତ ଏବେ ଯେପରି ଅଛି, ପୂର୍ବେ
ସେପରି ହିଁ ଥିଲା ଏବଂ ଭବିଷ୍ୟତରେ ମଧ୍ୟ ସେହିପରି ରହିବ | ଏହାର ସୃଷ୍ଟି ନଅ ପ୍ରକାରରେ ହୋଇଥାଏ
ତଥା ପ୍ରାକୃତ-ବୈକୃତ-ଭେଦରେ ଏକ ଦଶମ ସୃଷ୍ଟି ମଧ୍ୟ ହୋଇଥାଏ |
କାଲଦ୍ରବ୍ୟଗୁଣୈରସ୍ୟ ତ୍ରିବିଧଃ ପ୍ରତିସଙ୍କ୍ରମଃ ।
ଆଦ୍ୟସ୍ତୁ ମହତଃ ସର୍ଗୋ ଗୁଣବୈଷମ୍ୟମାତ୍ମନଃ ॥ ୧୪॥
କାଳ, ଦ୍ରବ୍ୟ, ଗୁଣ ଦ୍ବାରା ଏହାର ପ୍ରଳୟ ତିନି ପ୍ରକାରରେ ହୋଇଥାଏ | ତେବେ ପ୍ରଥମେ
ମୁଁ ଦଶ ପ୍ରକାର ସୃଷ୍ଟିର ବର୍ଣ୍ଣନା କରୁଛି | ପ୍ରଥମ ସୃଷ୍ଟି ମହତ୍ତତ୍ତ୍ବର ଅଟେ | ଭଗବାନଙ୍କ
ପ୍ରେରଣାରେ ସତ୍ତ୍ବ ଆଦି ଗୁଣରେ ବିଷମତା ସୃଷ୍ଟି ହେବା ହିଁ ଏହାର ସ୍ବରୂପ ଅଟେ |
ଦ୍ୱିତୀୟସ୍ତ୍ୱହମୋ ଯତ୍ର ଦ୍ରବ୍ୟଜ୍ଞାନକ୍ରିୟୋଦୟଃ ।
ଭୂତସର୍ଗସ୍ତୃତୀୟସ୍ତୁ ତନ୍ମାତ୍ରୋ ଦ୍ରବ୍ୟଶକ୍ତିମାନ୍ ॥ ୧୫॥
ଦ୍ବିତୀୟ ସୃଷ୍ଟି ଅହଂକାରର ହୋଇଥାଏ, ଯାହା ଅନ୍ତର୍ଗତ ପୃଥ୍ବୀ ଆଦି ପଂଚଭୂତ ଏବଂ ଜ୍ଞାନେନ୍ଦ୍ରିୟ ଓ
କର୍ମେନ୍ଦ୍ରିୟ ରହିଥାଆନ୍ତି | ତୃତୀୟ ସୃଷ୍ଟି ଭୂତସର୍ଗର ହୋଇଥାଏ, ଯାହା ଅନ୍ତର୍ଗତ ପଂଚ ମହାଭୂତଙ୍କର ଉତ୍ପନ୍ନକାରୀ ପଂଚତନ୍ମାତ୍ରା
ରହିଥାଆନ୍ତି |
ଚତୁର୍ଥ ଐନ୍ଦ୍ରିୟଃ ସର୍ଗୋ ଯସ୍ତୁ ଜ୍ଞାନକ୍ରିୟାତ୍ମକଃ ।
ବୈକାରିକୋ ଦେବସର୍ଗଃ ପଞ୍ଚମୋ ଯନ୍ମୟଂ ମନଃ ॥ ୧୬॥
ଚତୁର୍ଥ ସୃଷ୍ଟି ଇନ୍ଦ୍ରିୟମାନଙ୍କର ହୋଇଥାଏ, ଯିଏ ଜ୍ଞାନ ଏବଂ କ୍ରିୟାଶକ୍ତିରେ ସମ୍ପନ୍ନ ଅଟନ୍ତି; ପଂଚମ ସୃଷ୍ଟି ସାତ୍ତ୍ବିକ ଅହଂକାରରୁ ଉତ୍ପନ୍ନ ହେଉଥିବା
ଇନ୍ଦ୍ରିୟଅଧିଷ୍ଠାତା ଦେବତାମାନଙ୍କର ଅଟେ | ମନ ମଧ୍ୟ ଏହି ସୃଷ୍ଟିର ଅନ୍ତର୍ଗତ ଅଟେ |
ଷଷ୍ଠସ୍ତୁ ତମସଃ ସର୍ଗୋ ଯସ୍ତ୍ୱବୁଦ୍ଧିକୃତଃ ପ୍ରଭୋ ।
ଷଡିମେ ପ୍ରାକୃତାଃ ସର୍ଗା ବୈକୃତାନପି ମେ ଶୃଣୁ ॥ ୧୭॥
ଷଷ୍ଠ ସୃଷ୍ଟି ଅବିଦ୍ୟାର ଅଟେ | ଏଥିରେ ତାମିସ୍ର, ଅନ୍ଧତାମିସ୍ର, ତମ, ମୋହ, ମହାମୋହ – ଏହିପରି
ପାଂଚଟି ଗ୍ରନ୍ଥି ରହିଛି, ଯାହା ଜୀବର
ବୁଦ୍ଧିକୁ ଆବରଣଯୁକ୍ତ ଏବଂ ବିକ୍ଷିପ୍ତ କରିଥାଏ | ଏହିରୂପେ ପ୍ରାକୃତ ସୃଷ୍ଟି ଛଅ ପ୍ରକାରର
ହୋଇଥାଏ | ଏବେ ବୈକୃତ ସୃଷ୍ଟିର ବିବରଣ ଶୁଣ |
ରଜୋଭାଜୋ ଭଗବତୋ ଲୀଲେୟଂ ହରିମେଧସଃ ।
ସପ୍ତମୋ ମୁଖ୍ୟସର୍ଗସ୍ତୁ ଷଡ୍ୱିଧସ୍ତସ୍ଥୁଷାଂ ଚ ଯଃ ॥ ୧୮॥
ଯେଉଁ ଭଗବାନ ତାଙ୍କର ନିରନ୍ତର ଚିନ୍ତନ କରୁଥିବା ବ୍ୟକ୍ତିର ସବୁ
ଦୁଃଖ ହରଣ କରିନିଅନ୍ତି, ଏହି ସବୁ ଲୀଳା ସେହି
ଶ୍ରୀହରିଙ୍କର ଅଟେ | ସେ ହିଁ ବ୍ରହ୍ମା ରୂପରେ ରଜୋଗୁଣକୁ ସ୍ବୀକାର କରି ଜଗତର ରଚନା
କରିଥାଆନ୍ତି | ଛଅ ପ୍ରକାରର ପ୍ରାକୃତ ସୃଷ୍ଟି ପରେ ସପ୍ତମ ପ୍ରଧାନ ବୈକୃତ ସୃଷ୍ଟି ଛଅ ପ୍ରକାରର
ସ୍ଥାବର ବୃକ୍ଷଙ୍କର ହୋଇଥାଏ |
ବନସ୍ପତ୍ୟୋଷଧିଲତା ତ୍ୱକ୍ସାରା ବୀରୁଧୋ ଦ୍ରୁମାଃ ।
ଉତ୍ସ୍ରୋତସସ୍ତମଃପ୍ରାୟା ଅନ୍ତଃସ୍ପର୍ଶା ବିଶେଷିଣଃ ॥ ୧୯॥
ବନଷ୍ପତି (ଡିମ୍ବିରି, ବର ଏବଂ ଅଶ୍ବତ୍ଥ ଆଦି ବୃକ୍ଷ ଯେଉଁଥିରେ ଫୁଲ
ବିନା ଫଳ ଆସିଥାଏ), ଔଷଧି (ଧାନ, ଗହମ, ଚଣା ଆଦି ଶସ୍ୟ, ଯିଏ ଫଳ ପକ୍ବ
ହୋଇଯିବା ପରେ ନଷ୍ଟ ହୋଇଯାଆନ୍ତି), ଲତା (ଯିଏ ଅନ୍ୟର ଆଶ୍ରୟ ଗ୍ରହଣ କରି ଜୀବିତ ରହନ୍ତି),
ତ୍ବକ୍ସାର (ବାଉଁଶ ଆଦି ବୃକ୍ଷ ଯାହାର ତ୍ବଚା ଅତ୍ୟନ୍ତ କଠିନ), ଵୀରୁଧ୍ (ଯେଉଁ ଲତା ଭୂଇଁରେ
ଲଟାଇ ଥାଆନ୍ତି), ଦ୍ରୁମ (ଯେଉଁ ବୃକ୍ଷରେ ଫୁଲ ସ୍ଥାନରେ ଫଳ ଆସିଥାଏ, ଯେପରି କି ଆମ୍ବ, ପିଜୁଳି ଇତ୍ୟାଦି) |
ଏମାନଙ୍କର ସଂଚାର ଜଡରୁ ଉର୍ଦ୍ଧ୍ବ ଅଭିମୁଖୀ ହୋଇଥାଏ | ଏମାନଙ୍କଠାରେ ପ୍ରାୟତଃ ଜ୍ଞାନଶକ୍ତିର
ପ୍ରାକଟ୍ୟ ହୋଇ ନ ଥାଏ; ଭିତରେ ଭିତରେ ଏମାନେ
କେବଳ ସ୍ପର୍ଶର ଅନୁଭବ କରିଥାଆନ୍ତି ଏବଂ ଏମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କଠାରେ କିଛି ବିଶେଷ ଗୁଣ
ପରିଲକ୍ଷିତ ହୋଇଥାଏ |
ତିରଶ୍ଚାମଷ୍ଟମଃ ସର୍ଗଃ ସୋଽଷ୍ଟାବିଂଶଦ୍ୱିଧୋ ମତଃ ।
ଅବିଦୋ ଭୂରିତମସଃ ଘ୍ରାଣଜ୍ଞା ହୃଦ୍ୟବେଦିନଃ ॥ ୨୦॥
ଅଷ୍ଟମ ସୃଷ୍ଟି ପଶୁ-ପକ୍ଷୀ ଆଦି ତୀର୍ଯ୍ୟକ୍ ଯୋନିମାନଙ୍କର ଅଟେ |
ଏମାନେ ଅଠାଇଶ ପ୍ରକାରର ଅଟନ୍ତି | ଏମାନଙ୍କର କାଳର ଜ୍ଞାନ ନ ଥାଏ; ତମୋଗୁଣର ଅଧିକତା ଯୋଗୁଁ
ଏମାନେ କେବଳ ଖାଇବା-ପିଇବା, ମୈଥୁନ କରିବା, ଶୋଇବା ହିଁ ଜାଣନ୍ତି;
ବସ୍ତୁର ଜ୍ଞାନ ଏମାନଙ୍କୁ ଘ୍ରାଣ ଦ୍ବାରା ହୋଇଥାଏ | ଏମାନଙ୍କଠାରେ ବିଚାରଶକ୍ତି ଏବଂ
ଦୂରଦର୍ଶିତା ନ ଥାଏ |
ଗୌରଜୋ ମହିଷଃ କୃଷ୍ଣଃ ସୂକରୋ ଗବୟୋ ରୁରୁଃ ।
ଦ୍ୱିଶଫାଃ ପଶବଶ୍ଚେମେ ଅବିରୁଷ୍ଟ୍ରଶ୍ଚ ସତ୍ତମ ॥ ୨୧॥
ହେ ସାଧୁଶ୍ରେଷ୍ଠ ! ଏହି ତୀର୍ଯ୍ୟକ୍ ଯୋନିରେ ଗାଈ, ଛେଳି, ମଇଁଷି, କୃଷ୍ଣ-ମୃଗ, ଘୁଷୁରି, ନୀଳ-ଗାଈ, ରୁରୁ ନାମକ ମୃଗ, ମେଣ୍ଢା ଏବଂ ଉଷ୍ଟ୍ର
– ଏମାନେ ଦ୍ବିଶଫ, ଅର୍ଥାତ୍ ଦୁଇ ଖୁରବିଶିଷ୍ଟ ପଶୁ ଅଟନ୍ତି |
ଖରୋଽଶ୍ୱୋଽଶ୍ୱତରୋ ଗୌରଃ ଶରଭଶ୍ଚମରୀ ତଥା ।
ଏତେ ଚୈକଶଫାଃ କ୍ଷତ୍ତଃ ଶୃଣୁ ପଞ୍ଚନଖାନ୍ ପଶୂନ୍ ॥ ୨୨॥
ଗଧ, ଘୋଡା, ଖଚ୍ଚର, ଗୌରମୃଗ, ଶରଫ ଏବଂ ଚମରୀ –
ଏମାନେ ଏକଶଫ ବା ଏକ ଖୁରବିଶିଷ୍ଟ ପଶୁ ଅଟନ୍ତି | ଏବେ ପାଂଚ ନଖବିଶିଷ୍ଟ ପଶୁ-ପକ୍ଷୀଙ୍କର ନାମ
ଶୁଣ |
ଶ୍ୱା ସୃଗାଲୋ ବୃକୋ ବ୍ୟାଘ୍ରୋ ମାର୍ଜାରଃ ଶଶଶଲ୍ଲକୌ ।
ସିଂହଃ କପିର୍ଗଜଃ କୂର୍ମୋ ଗୋଧା ଚ ମକରାଦୟଃ ॥ ୨୩॥
କୁକୁର, ଶୃଗାଳ, ଗଧିଆ, ବାଘ, ବିରାଡି, ଠେକୁଆ, ସାହୀ, ସିଂହ, ମାଙ୍କଡ, ହାତୀ, କଇଁଚ, ଗୋଧି, କୁମ୍ଭୀର ଆଦି ପଶୁ |
କଙ୍କଗୃଧ୍ରବକଶ୍ୟେନଭାସଭଲ୍ଲୂକବର୍ହିଣଃ ।
ହଂସସାରସଚକ୍ରାହ୍ୱକାକୋଲୂକାଦୟଃ ଖଗାଃ ॥ ୨୪॥
ବଗ, ବତକ, ଶାଗୁଣା, ଚିଲ, ମୟୂର, ହଂସ, ରାଜହଂସ, ଚକୋର, କାକ ଏବଂ ପେଚା ଆଦି
ପକ୍ଷୀ |
ଅର୍ୱାକ୍ସ୍ରୋତସ୍ତୁ ନବମଃ କ୍ଷତ୍ତରେକବିଧୋ ନୃଣାମ୍ ।
ରଜୋଽଧିକାଃ କର୍ମପରା ଦୁଃଖେ ଚ ସୁଖମାନିନଃ ॥ ୨୫॥
ହେ ବିଦୁର ! ନବମ ସୃଷ୍ଟି ମନୁଷ୍ୟର ଅଟେ | ଏହା ଏକ ପ୍ରକାରର ଅଟେ |
ଏହାର ଆହାରର ପ୍ରବାହ ଉପରୁ (ମୁହଁରୁ) ତଳକୁ ହୋଇଥାଏ | ମନୁଷ୍ୟ ରଜୋଗୁଣପ୍ରଧାନ, କର୍ମପରାୟଣ ଏବଂ ଦୁଃଖରୂପ ବିଷୟକୁ ହିଁ ସୁଖ ମାନିଥାଏ |
ବୈକୃତାସ୍ତ୍ରୟ ଏବୈତେ ଦେବସର୍ଗଶ୍ଚ ସତ୍ତମ ।
ବୈକାରିକସ୍ତୁ ଯଃ ପ୍ରୋକ୍ତଃ କୌମାରସ୍ତୂଭୟାତ୍ମକଃ ॥ ୨୬॥
ସ୍ଥାବର, ପଶୁ-ପକ୍ଷୀ ଏବଂ
ମନୁଷ୍ୟ – ଏହି ତିନି ପ୍ରକାରର ସୃଷ୍ଟି ତଥା ଆଗକୁ କହିବାକୁ ଥିବା ଦେବସର୍ଗ ବୈକୃତ ସୃଷ୍ଟି
ଅଟନ୍ତି | ଏତଦ୍ ବ୍ୟତିତ ମହତ୍ତତ୍ତ୍ବାଦିରୂପ ଯେଉଁ ବୈକାରିକ ଦେବସର୍ଗ, ତାହାର ଗଣନା ପୂର୍ବରୁ ପ୍ରାକୃତ ସୃଷ୍ଟି ଅନ୍ତର୍ଗତ କରାଯାଇଛି |
ପୁନଶ୍ଚ ସନତ୍ କୁମାର ଆଦି ଋଷିମାନଙ୍କର ଯେଉଁ କୌମାରସର୍ଗ,
ତାହା ପ୍ରାକୃତ-ବୈକୃତ ଉଭୟ ପ୍ରକାରର ଅଟେ |
ଦେବସର୍ଗଶ୍ଚାଷ୍ଟବିଧୋ ବିବୁଧାଃ ପିତରୋଽସୁରାଃ ।
ଗନ୍ଧର୍ୱାପ୍ସରସଃ ସିଦ୍ଧା ଯକ୍ଷରକ୍ଷାଂସି ଚାରଣାଃ ॥ ୨୭॥
ଭୂତପ୍ରେତପିଶାଚାଶ୍ଚ ବିଦ୍ୟାଧ୍ରାଃ କିନ୍ନରାଦୟଃ ।
ଦଶୈତେ ବିଦୁରାଖ୍ୟାତାଃ ସର୍ଗାସ୍ତେ ବିଶ୍ୱସୃକ୍କୃତାଃ ॥ ୨୮॥
ଦେବତା, ପିତୃପୁରୁଷ, ଅସୁର, ଗନ୍ଧର୍ବ-ଅପ୍ସରା,
ଯକ୍ଷ-ରାକ୍ଷସ,
ସିଦ୍ଧ-ଚାରଣ-ବିଦ୍ୟାଧର, ଭୂତ-ପ୍ରେତ-ପିଶାଚ
ଏବଂ କିନ୍ନର-କିମ୍ପୁରୁଷ-ଅଶ୍ବମୁଖ ଆଦି ଭେଦରେ ଦେବସୃଷ୍ଟି ଆଠ ପ୍ରକାରର ଅଟେ | ହେ ବିଦୁର !
ଏହିପରି ଭାବରେ ଜଗତକର୍ତ୍ତା ଶ୍ରୀବ୍ରହ୍ମାଜୀଙ୍କ ଦ୍ବାରା ରଚିତ ଦଶ ପ୍ରକାରର ସୃଷ୍ଟି ବିଷୟରେ
ମୁଁ ତୁମକୁ କହିଲି |
ଅତଃ ପରଂ ପ୍ରବକ୍ଷ୍ୟାମି ବଂଶାନ୍ ମନ୍ୱନ୍ତରାଣି ଚ ।
ଏବଂ ରଜଃପ୍ଲୁତଃ ସ୍ରଷ୍ଟା କଲ୍ପାଦିଷ୍ୱାତ୍ମଭୂର୍ହରିଃ ।
ସୃଜତ୍ୟମୋଘସଙ୍କଲ୍ପ ଆତ୍ମୈବାତ୍ମାନମାତ୍ମନା ॥ ୨୯॥
ଆଗକୁ ମୁଁ ବଂଶ ଏବଂ ମନ୍ବନ୍ତର ଆଦିର ବର୍ଣ୍ଣନା କରିବି | ଏହିପରି
ଭାବରେ ସୃଷ୍ଟିକର୍ତ୍ତା ସତ୍ୟସଂକଳ୍ପ ଭଗବାନ ହରି ହିଁ ବ୍ରହ୍ମାଙ୍କ ରୂପରେ ପ୍ରତ୍ୟେକ କଳ୍ପର
ଆରମ୍ଭରେ ରଜୋଗୁଣରେ ବ୍ୟାପ୍ତ ହୋଇ ସ୍ବୟଂ ହିଁ ଜଗତ ରୂପରେ ନିଜର ରଚନା କରିଥାଆନ୍ତି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ତୃତୀୟସ୍କନ୍ଧେ ଦଶମୋଽଧ୍ୟାୟଃ ॥ ୧୦॥

Comments
Post a Comment