ଶ୍ରୀମଦ୍ ଭାଗବତ ମହାପୁରାଣ

     ॥ ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ଏକାଦଶ ଅଧ୍ୟାୟ

ମନ୍ବନ୍ତରାଦି କାଳବିଭାଗର ବର୍ଣ୍ଣନ

 

ମୈତ୍ରେୟ ଉବାଚ

ଚରମଃ ସଦ୍ୱିଶେଷାଣାମନେକୋଽସଂୟୁତଃ ସଦା ।

ପରମାଣୁଃ ସ ବିଜ୍ଞେୟୋ ନୃଣାମୈକ୍ୟଭ୍ରମୋ ଯତଃ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ପୃଥ୍ବୀ ଆଦି କାର୍ଯ୍ୟବର୍ଗର ଯାହା ସୂକ୍ଷ୍ମତମ ଅଂଶ ଅଟେ – ଯାହାର ପୁନଃ ବିଭାଜନ ହୋଇପାରେ ନାହିଁ ତଥା ଯିଏ କାର୍ଯ୍ୟରୂପକୁ ପ୍ରାପ୍ତ ହୋଇ ନ ଥାଏ ଏବଂ ଯାହାର ଅନ୍ୟ ପରମାଣୁ ସହିତ ସଂଯୋଗ ମଧ୍ୟ ହୋଇ ନ ଥାଏ, ତାହାକୁ ପରମାଣୁ କହନ୍ତି | ଏହିପରି ଅନେକ ପରମାଣୁମାନଙ୍କର ପରସ୍ପର ମିଳନ ଯୋଗୁଁ ହିଁ ମନୁଷ୍ୟକୁ ଭ୍ରମବଶତଃ ସେମାନଙ୍କର ସମୁଦାୟରୂପ ଏକ ଅବୟବୀର ପ୍ରତୀତି ହୋଇଥାଏ |

ସତ ଏବ ପଦାର୍ଥସ୍ୟ ସ୍ୱରୂପାବସ୍ଥିତସ୍ୟ ଯତ୍ ।

କୈବଲ୍ୟଂ ପରମମହାନବିଶେଷୋ ନିରନ୍ତରଃ ॥ ୨॥

ଏହି ପରମାଣୁ ଯାହାର ସୂକ୍ଷ୍ମତମ ଅଂଶ, ନିଜ ସାମାନ୍ୟ ସ୍ବରୂପରେ ସ୍ଥିତ ସେହି ପୃଥ୍ବୀ ଆଦି କାର୍ଯ୍ୟମାନଙ୍କର ଏକତା (ସମୁଦାୟ ଅଥବା ସମଗ୍ରରୂପ) ର ନାମ ପରମ ମହାନ୍ ଅଟେ | ଏହି ସମୟରେ ଏଥିରେ ପ୍ରଳୟ ଆଦି ଅବସ୍ଥାଭେଦର ସ୍ଫୁର୍ତ୍ତି ହୋଇ ନ ଥାଏ କି ନବୀନ-ପ୍ରାଚୀନ ଆଦି କାଳଭେଦର ଆଭାସ ନ ଥାଏ, ନା ଏଥିରେ ଘଟ-ପଟ ଆଦି ବସ୍ତୁଭେଦର କଳ୍ପନା ହୋଇଥାଏ |

ଏବଂ କାଲୋଽପ୍ୟନୁମିତଃ ସୌକ୍ଷ୍ମ୍ୟେ ସ୍ଥୌଲ୍ୟେ ଚ ସତ୍ତମ ।

ସଂସ୍ଥାନଭୁକ୍ତ୍ୟା ଭଗବାନବ୍ୟକ୍ତୋ ବ୍ୟକ୍ତଭୁଗ୍ୱିଭୁଃ ॥ ୩॥

ହେ ସାଧୁଶ୍ରେଷ୍ଠ ! ଏହିରୂପେ ବସ୍ତୁର ସୂକ୍ଷ୍ମତମ ଏବଂ ମହତ୍ତମ ସ୍ବରୂପର ବିଚାର କରାଗଲା | ଏହାର ସାଦୃଶ୍ୟରୁ ପରମାଣୁ ଆଦି ଅବସ୍ଥାମାନଙ୍କରେ ବ୍ୟାପ୍ତ ହୋଇ ବ୍ୟକ୍ତ ପଦାର୍ଥକୁ ଭୋଗ କରୁଥିବା ସୃଷ୍ଟି ଆଦିରେ ସମର୍ଥ, ଅବ୍ୟକ୍ତ ସ୍ବରୂପ ଭଗବାନ କାଳଙ୍କର ସୂକ୍ଷ୍ମତା ଓ ସ୍ଥୁଳତାର ଅନୁମାନ କରାଯାଇ ପାରିବ |

ସ କାଲଃ ପରମାଣୁର୍ୱୈ ଯୋ ଭୁଙ୍କ୍ତେ ପରମାଣୁତାମ୍ ।

ସତୋଽବିଶେଷଭୁଗ୍ୟସ୍ତୁ ସ କାଲଃ ପରମୋ ମହାନ୍ ॥ ୪॥

ଯିଏ କାଳ ପ୍ରପଞ୍ଚର ପରମାଣୁ ପରି ସୂକ୍ଷ୍ମ ଅବସ୍ଥାରେ ବ୍ୟାପ୍ତ ରହିଥାଏ, ତାହା ଅତ୍ୟନ୍ତ ସୂକ୍ଷ୍ମ ଅଟେ ଏବଂ ଯିଏ ସୃଷ୍ଟି ଠାରୁ ଆରମ୍ଭ କରି ପ୍ରଳୟ ପର୍ଯ୍ୟନ୍ତ ସବୁ ଅବସ୍ଥାର ଭୋଗ କରିଥାଏ, ସେ ପରମ ମହାନ୍ ଅଟେ |

ଅଣୁର୍ଦ୍ୱୌ ପରମାଣୂ ସ୍ୟାତ୍ତ୍ରସରେଣୁସ୍ତ୍ରୟଃ ସ୍ମୃତଃ ।

ଜାଲାର୍କରଶ୍ମ୍ୟବଗତଃ ଖମେବାନୁପତନ୍ନଗାତ୍ ॥ ୫॥

ଦୁଇଟି ‘ପରମାଣୁ’ ମିଶି ଗୋଟିଏ ‘ଅଣୁ’ ହୋଇଥାଏ ଏବଂ ତିନୋଟି ଅଣୁର ସମାହାର ଗୋଟିଏ ‘ତ୍ରସରେଣୁ’ ଅଟେ, ଯାହା ଝରକା ବାଟ ଦେଇ ଆସୁଥିବା ସୂର୍ଯ୍ୟକିରଣର ପ୍ରକାଶରେ ଆକାଶରେ ଉଡୁଥିବା ପରି ଦେଖା ଯାଉଥାଏ |

ତ୍ରସରେଣୁତ୍ରିକଂ ଭୁଙ୍କ୍ତେ ଯଃ କାଲଃ ସ ତ୍ରୁଟିଃ ସ୍ମୃତଃ ।

ଶତଭାଗସ୍ତୁ ବେଧଃ ସ୍ୟାତ୍ତୈସ୍ତ୍ରିଭିସ୍ତୁ ଲବଃ ସ୍ମୃତଃ ॥ ୬॥

ଏପରି ତିନୋଟି ତ୍ରସରେଣୁକୁ ଅତିକ୍ରମ କରିବାକୁ ସୂର୍ଯ୍ୟକୁ ଯେତିକି ସମୟ ଲାଗିଥାଏ, ତାହାକୁ ‘ତ୍ରୁଟି’ କୁହାଯାଏ | ଏହାର ଶହେ ଗୁଣ କାଳକୁ ‘ବେଧ’ କୁହାଯାଏ ଏବଂ ତିନି ବେଧରେ ଏକ ‘ଲବ’ ହୋଇଥାଏ |

ନିମେଷସ୍ତ୍ରିଲବୋ ଜ୍ଞେୟ ଆମ୍ନାତସ୍ତେ ତ୍ରୟଃ କ୍ଷଣଃ ।

କ୍ଷଣାନ୍ ପଞ୍ଚ ବିଦୁଃ କାଷ୍ଠାଂ ଲଘୁ ତା ଦଶ ପଞ୍ଚ ଚ ॥ ୭॥

ତିନି ଲବକୁ ଏକ ‘ନିମେଷ’, ତିନି ନିମେଷକୁ ଏକ ‘କ୍ଷଣ’, ପାଞ୍ଚ କ୍ଷଣକୁ ଏକ ‘କାଷ୍ଠା’ ଏବଂ ପନ୍ଦର କାଷ୍ଠାକୁ ଏକ ‘ଲଘୁ’ କୁହାଯାଏ |

ଲଘୂନି ବୈ ସମାମ୍ନାତା ଦଶ ପଞ୍ଚ ଚ ନାଡିକା ।

ତେ ଦ୍ୱେ ମୁହୂର୍ତଃ ପ୍ରହରଃ ଷଡ୍ୟାମଃ ସପ୍ତ ବା ନୃଣାମ୍ ॥ ୮॥

ପନ୍ଦର ଲଘୁର ଏକ ‘ନାଡିକା’ (ଦଣ୍ଡ) ହୋଇଥାଏ ଏବଂ ଦୁଇ ନାଡିକାର ଏକ ‘ମୁହୂର୍ତ୍ତ’ ହୋଇଥାଏ | ଦିବାକାଳର ବୃଦ୍ଧି-ହ୍ରାସ ଅନୁସାରେ (ଦିବା-ରାତ୍ରୀର ଉଭୟ ସନ୍ଧିର ଦୁଇଟି ମୁହୂର୍ତ୍ତ ଛଡା) ଛଅ ବା ସାତ ନାଡିକାର ଏକ ‘ପ୍ରହର’ ହୋଇଥାଏ | ଏହାକୁ ‘ଯାମ’ କୁହାଯାଏ, ଯାହା ଦିନ ବା ରାତିର ଏକ ଚତୁର୍ଥାଂଶ ଅଟେ |

ଦ୍ୱାଦଶାର୍ଧପଲୋନ୍ମାନଂ ଚତୁର୍ଭିଶ୍ଚତୁରଙ୍ଗୁଲୈଃ ।

ସ୍ୱର୍ଣମାଷୈଃ କୃତଚ୍ଛିଦ୍ରଂ ଯାବତ୍ପ୍ରସ୍ଥଜଲପ୍ଲୁତମ୍ ॥ ୯॥

ଛଅ ପଳ ତମ୍ବାରେ ଗୋଟିଏ ପାତ୍ର ପ୍ରସ୍ତୁତ କରନ୍ତୁ, ଯହିଁରେ ଏକ ପ୍ରସ୍ଥ ଜଳ ରହିପାରିବ ଏବଂ ଚାରି ମାଶ ସୁନାର ଚାରି ଅଙ୍ଗୁଳି ଲମ୍ବ ଗୋଟିଏ ସୂଚିକା ଗଢି ତଦ୍ବାରା ସେହି ପାତ୍ରର ଆଧାରରେ ଛିଦ୍ରଟିଏ କରି ପାତ୍ରଟିକୁ ଜଳରେ ଭସାଇ ଦିଅନ୍ତୁ | ଯେତିକି ସମୟରେ ପାତ୍ରଟିରେ ଏକ ପ୍ରସ୍ଥ ଜଳ ଭରିଯାଇ ପାତ୍ରଟି ବୁଡିଯିବ, ତାହାକୁ ଏକ ‘ନାଡିକା’ କହନ୍ତି |

ଯାମାଶ୍ଚତ୍ୱାରଶ୍ଚତ୍ୱାରୋ ମର୍ତ୍ୟାନାମହନୀ ଉଭେ ।

ପକ୍ଷଃ ପଞ୍ଚଦଶାହାନି ଶୁକ୍ଲଃ କୃଷ୍ଣଶ୍ଚ ମାନଦ ॥ ୧୦॥

ହେ ବିଦୁର ! ଚାରି-ଚାରି ପ୍ରହରର ମନୁଷ୍ୟର ଦିନ ଏବଂ ରାତି ହୋଇଥାଏ ଏବଂ ଦିନ-ରାତି ପନ୍ଦର ଦିନରେ ଏକ ‘ପକ୍ଷ’ ହୋଇଥାଏ, ଯାହା ଶୁକ୍ଲ ଏବଂ କୃଷ୍ଣ ଭେଦରେ ଦୁଇ ପ୍ରକାରର ଅଟେ |

ତୟୋଃ ସମୁଚ୍ଚୟୋ ମାସଃ ପିତୄଣାଂ ତଦହର୍ନିଶମ୍ ।

ଦ୍ୱୌ ତାବୃତୁଃ ଷଡୟନଂ ଦକ୍ଷିଣଂ ଚୋତ୍ତରଂ ଦିବି ॥ ୧୧॥

ଏହି ଦୁଇ ପକ୍ଷକୁ ମିଳାଇ ଏକ ‘ମାସ’ ହୋଇଥାଏ, ଯାହା ପିତୃପୁରୁଷଙ୍କର ଏକ ଦିନ-ରାତି ଅଟେ | ଦୁଇ ମାସରେ ଏକ ‘ଋତୁ’ ଏବଂ ଛଅ ମାସରେ ଏକ ‘ଅୟନ’ ହୋଇଥାଏ | ଦକ୍ଷିଣାୟନ ଏବଂ ଉତ୍ତରାୟଣ ଭେଦରେ ଅୟନ ଦୁଇ ପ୍ରକାରର ଅଟେ |

ଅୟନେ ଚାହନୀ ପ୍ରାହୁର୍ୱତ୍ସରୋ ଦ୍ୱାଦଶ ସ୍ମୃତଃ ।

ସମ୍ବତ୍ସରଶତଂ ନୄଣାଂ ପରମାୟୁର୍ନିରୂପିତମ୍ ॥ ୧୨॥

ଏହି ଦୁଇ ଅୟନ ମିଶି ଦେବତାମାନଙ୍କର ଏକ ଦିନ-ରାତି ହୋଇଥାଏ ଏବଂ ମନୁଷ୍ୟଲୋକରେ ଏହା ଏକ ବର୍ଷ ଅଟେ | ଏହିପରି ଶହେ ବର୍ଷକୁ ମନୁଷ୍ୟର ପରମ ଆୟୁ କୁହାଯାଏ |

ଗ୍ରହର୍କ୍ଷତାରା ଚକ୍ରସ୍ଥଃ ପରମାଣ୍ୱାଦିନା ଜଗତ୍ ।

ସମ୍ବତ୍ସରାବସାନେନ ପର୍ୟେତ୍ୟନିମିଷୋ ବିଭୁଃ ॥ ୧୩॥

ଚନ୍ଦ୍ରମା ଆଦି ଗ୍ରହ, ଅଶ୍ବିନୀ ଆଦି ନକ୍ଷତ୍ର ଏବଂ ସମସ୍ତ ତାରାମଣ୍ଡଳର ଅଧିଷ୍ଠାତା କାଳସ୍ବରୂପ ଭଗବାନ ସୂର୍ଯ୍ୟ ପରମାଣୁଠାରୁ ଆରମ୍ଭ କରି ସମ୍ବତ୍ସର ପର୍ଯ୍ୟନ୍ତ କାଳରେ ଦ୍ବାଦଶ ରାଶିରୂପ ସମ୍ପୂର୍ଣ୍ଣ ଭୁବନକୋଶର ନିରନ୍ତର ପରିକ୍ରମା କରିଥାଆନ୍ତି |

ସମ୍ବତ୍ସରଃ ପରିବତ୍ସର ଇଡାବତ୍ସର ଏବ ଚ ।

ଅନୁବତ୍ସରୋ ବତ୍ସରଶ୍ଚ ବିଦୁରୈବଂ ପ୍ରଭାଷ୍ୟତେ ॥ ୧୪॥

ସୂର୍ଯ୍ୟ, ବୃହଷ୍ପତି, ସବନ, ଚନ୍ଦ୍ରମା ଓ ନକ୍ଷତ୍ରସମ୍ବନ୍ଧୀ ମାସ ଭେଦରେ ଏହି ବର୍ଷକୁ ହିଁ ସମ୍ବତ୍ସର, ପରିବତ୍ସର, ଇଡାବତ୍ସର, ଅନୁବତ୍ସର ଏବଂ ବତ୍ସର କୁହାଯାଇ ଥାଏ |

ଯଃ ସୃଜ୍ୟଶକ୍ତିମୁରୁଧୋଚ୍ଛ୍ୱସୟନ୍ ସ୍ୱଶକ୍ତ୍ୟା

ପୁଂସୋଽଭ୍ରମାୟ ଦିବି ଧାବତି ଭୂତଭେଦଃ ।

କାଲାଖ୍ୟଯା ଗୁଣମୟଂ କ୍ରତୁଭିର୍ୱିତନ୍ୱନ୍

ତସ୍ମୈ ବଲିଂ ହରତ ବତ୍ସରପଞ୍ଚକାୟ ॥ ୧୫॥

ହେ ବିଦୁର ! ଏହି ପାଞ୍ଚ ପ୍ରକାର ବର୍ଷର ପ୍ରବୃତ୍ତି କରାଉଥିବା ଭଗବାନ ସୂର୍ଯ୍ୟଙ୍କର ତୁମେ ଉପହାରାଦି ସମର୍ପିତ କରି ପୂଜା କର | ଏହି ସୂର୍ଯ୍ୟଦେବ ପଞ୍ଚଭୂତ ମଧ୍ୟରୁ ତେଜ-ସ୍ବରୂପ ଅଟନ୍ତି ଏବଂ ନିଜ କାଳଶକ୍ତି ଦ୍ବାରା ବୀଜାଦି ପଦାର୍ଥର ଅଙ୍କୁର ଉତ୍ପନ୍ନକାରୀ ଶକ୍ତିକୁ ଅନେକ ପ୍ରକାରରେ କାର୍ଯ୍ୟୋନ୍ମୁଖ କରିଥାଆନ୍ତି | ସେ ପୁରୁଷର ମୋହନିବୃତ୍ତି ନିମନ୍ତେ ତାର ଆୟୁକୁ କ୍ଷୟ କରି ଆକାଶରେ ବିଚରଣ କରୁଥାଆନ୍ତି ଏବଂ ସେ ହିଁ ସକାମ-ପୁରୁଷଙ୍କୁ ଯଜ୍ଞାଦି କର୍ମ ଦ୍ବାରା ପ୍ରାପ୍ତ ହେଉଥିବା ସ୍ବର୍ଗାଦି ମଙ୍ଗଳମୟ ଫଳର ବିସ୍ତାର କରିଥାଆନ୍ତି |

ବିଦୁର ଉବାଚ

ପିତୃଦେବମନୁଷ୍ୟାଣାମାୟୁଃ ପରମିଦଂ ସ୍ମୃତମ୍ ।

ପରେଷାଂ ଗତିମାଚକ୍ଷ୍ୱ ଯେ ସ୍ୟୁଃ କଲ୍ପାଦ୍ବହିର୍ୱିଦଃ ॥ ୧୬॥

ବିଦୁର କହିଲେ – ହେ ମୁନିବର ! ଆପଣ ଦେବତା, ପିତୃପୁରୁଷ ଏବଂ ମନୁଷ୍ୟର ପରମାୟୁ ବିଷୟରେ ତ କହିଲେ | ଏବେ ସନକାଦି ଯେଉଁ ଜ୍ଞାନୀ-ମୁନିଜନ ତ୍ରିଲୋକର ବାହାରେ ବିଚରଣ କରୁଥାଆନ୍ତି, ଯେଉଁମାନେ କଳ୍ପଠାରୁ ମଧ୍ୟ ଦୀର୍ଘକାଳ ରହନ୍ତି, ସେମାନଙ୍କର ଆୟୁ ବିଷୟରେ ମଧ୍ୟ କହନ୍ତୁ |

ଭଗବାନ୍ ବେଦ କାଲସ୍ୟ ଗତିଂ ଭଗବତୋ ନନୁ ।

ବିଶ୍ୱଂ ବିଚକ୍ଷତେ ଧୀରା ଯୋଗରାଦ୍ଧେନ ଚକ୍ଷୁଷା ॥ ୧୭॥

ଭଗବାନ କାଳଙ୍କର ଗତିକୁ ଆପଣ ଭଲ ଭାବରେ ଜାଣନ୍ତି; କାରଣ ଜ୍ଞାନୀ ପୁରୁଷ ନିଜ ଯୋଗସିଦ୍ଧ ଦିବ୍ୟ ଦୃଷ୍ଟିରେ ସମ୍ପୂର୍ଣ୍ଣ ସଂସାରକୁ ଦେଖିପାରନ୍ତି |

ମୈତ୍ରେୟ ଉବାଚ

କୃତଂ ତ୍ରେତା ଦ୍ୱାପରଂ ଚ କଲିଶ୍ଚେତି ଚତୁର୍ୟୁଗମ୍ ।

ଦିବ୍ୟୈର୍ଦ୍ୱାଦଶଭିର୍ୱର୍ଷୈଃ ସାବଧାନଂ ନିରୂପିତମ୍ ॥ ୧୮॥

ମୈତ୍ରେୟ କହିଲେ – ହେ ବିଦୁର ! ଏପରି କୁହାଯାଇ ଥାଏ ଯେ ସତ୍ୟଯୁଗ, ତ୍ରେତା, ଦ୍ବାପର ଏବଂ କଳି – ଏହି ଚାରି ଯୁଗ ସେମାନଙ୍କର ସନ୍ଧ୍ୟା ଏବଂ ସନ୍ଧ୍ୟାଂଶ ସହିତ ଦେବତାମାନଙ୍କର ବାର ସହସ୍ର ବର୍ଷଯାଏଁ ରହନ୍ତି |

ଚତ୍ୱାରି ତ୍ରୀଣି ଦ୍ୱେ ଚୈକଂ କୃତାଦିଷୁ ଯଥାକ୍ରମମ୍ ।

ସଙ୍ଖ୍ୟାତାନି ସହସ୍ରାଣି ଦ୍ୱିଗୁଣାନି ଶତାନି ଚ ॥ ୧୯॥

ଏହି ସତ୍ୟାଦି ଚାରି ଯୁଗରେ କ୍ରମଶଃ ଚାରି, ତିନ, ଦୁଇ ଏବଂ ଏକ ସହସ୍ର ଦିବ୍ୟ ବର୍ଷ ହୋଇଥାଏ ଏବଂ ପ୍ରତ୍ୟେକରେ ଯେତିକି ସହସ୍ର ଦିବ୍ୟ ବର୍ଷ ହୋଇଥାଏ, ତାହାର ଦୁଇଗୁଣ ଶହେ ବର୍ଷ ସେମାନଙ୍କର ସନ୍ଧ୍ୟା ଓ ସନ୍ଧ୍ୟାଂଶ ହୋଇଥାଏ | (ଉଦାହରଣ ସ୍ବରୂପ, ସତ୍ୟଯୁଗ ୪୦୦୦ ଦିବ୍ୟ ବର୍ଷ ଏବଂ ୮୦୦ ସନ୍ଧ୍ୟା-ସନ୍ଧ୍ୟାଂଶ, ଏହିପରି ଭାବରେ ୪୮୦୦ ଦିବ୍ୟ ବର୍ଷ ଅଟେ | ସେହିପରି ତ୍ରେତା ୩୬୦୦, ଦ୍ବାପର ୨୪୦୦ ଏବଂ କଳିଯୁଗର ଅବଧି ୧୨୦୦ ଦିବ୍ୟ ବର୍ଷ ଅଟେ | ମନୁଷ୍ୟର ଏକ ବର୍ଷ ଦେବତାମାନଙ୍କର ଏକ ଦିନ ଅଟେ; ତେଣୁ ଦେବତାମାନଙ୍କର ଏକ ବର୍ଷ ମନୁଷ୍ୟର ପ୍ରାୟ ୩୬୦ ବର୍ଷ ଅଟେ | ଏହିପରି ଭାବରେ ମାନବୀୟ ମାନରେ କଳିଯୁଗର ଅବଧି ୪୩୨୦୦୦ ଅଟେ, ତାହାର ଦୁଇଗୁଣ ଦ୍ବାପର, ତିନିଗୁଣ ତ୍ରେତା ଏବଂ ଚାରିଗୁଣ ସତ୍ୟଯୁଗ ଅଟେ |)

ସନ୍ଧ୍ୟାଂଶୟୋରନ୍ତରେଣ ଯଃ କାଲଃ ଶତସଙ୍ଖ୍ୟଯୋଃ ।

ତମେବାହୁର୍ୟୁଗଂ ତଜ୍ଜ୍ଞା ଯତ୍ର ଧର୍ମୋ ବିଧୀୟତେ ॥ ୨୦॥

ଯୁଗର ଆଦିରେ ସନ୍ଧ୍ୟା ଏବଂ ଅନ୍ତରେ ସନ୍ଧ୍ୟାଂଶ ହୋଇଥାଏ | ଏମାନଙ୍କର ବର୍ଷ-ଗଣନା ଶହ-ଶହ ସଂଖ୍ୟାର ଅଟେ | ଏହାର ମଧ୍ୟବର୍ତ୍ତୀ କାଳକୁ କାଳବେତ୍ତାମାନେ ଯୁଗ କହନ୍ତି | ପ୍ରତ୍ୟେକ ଯୁଗରେ ଗୋଟିଏ-ଗୋଟିଏ ବିଶେଷ ଧର୍ମର ବିଧାନ ରହିଛି |

ଧର୍ମଶ୍ଚତୁଷ୍ପାନ୍ମନୁଜାନ୍ କୃତେ ସମନୁବର୍ତତେ ।

ସ ଏବାନ୍ୟେଷ୍ୱଧର୍ମେଣ ବ୍ୟେତି ପାଦେନ ବର୍ଧତା ॥ ୨୧॥

ସତ୍ୟଯୁଗୀୟ ମନୁଷ୍ୟମାନଙ୍କଠାରେ ଧର୍ମ ନିଜର ଚାରି ଚରଣରେ ରହିଥାଏ ; ଅନ୍ୟ ଯୁଗମାନଙ୍କରେ ଅଧର୍ମର ବୃଦ୍ଧି ଘଟିବା ଯୋଗୁଁ ଏକ-ଏକ ଚରଣ କ୍ରମଶଃ କ୍ଷୀଣ ହେବାରେ ଲାଗେ |

ତ୍ରିଲୋକ୍ୟା ଯୁଗସାହସ୍ରଂ ବହିରାବ୍ରହ୍ମଣୋ ଦିନମ୍ ।

ତାବତ୍ୟେବ ନିଶା ତାତ ଯନ୍ନିମୀଲତି ବିଶ୍ୱସୃକ୍ ॥ ୨୨॥

ପ୍ରିୟ ବିଦୁର ! ତ୍ରିଲୋକ ବାହାରେ ମହଲୋକଠାରୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ଏକ ଦିନର ଅବଧି ଏକ ସହସ୍ର ଚତୁର୍ଯୁଗୀ ଅଟେ ଏବଂ ରାତ୍ରୀର ଅବଧି ମଧ୍ୟ ସେତିକି ଅଟେ, ଯେଉଁ ସମୟରେ ଜଗତକର୍ତ୍ତା ବ୍ରହ୍ମା ଶୟନ କରନ୍ତି |

ନିଶାବସାନ ଆରବ୍ଧୋ ଲୋକକଲ୍ପୋଽନୁବର୍ତତେ ।

ଯାବଦ୍ଦିନଂ ଭଗବତୋ ମନୂନ୍ ଭୁଞ୍ଜଂଶ୍ଚତୁର୍ଦଶ ॥ ୨୩॥

ସେହି ରାତ୍ରୀର ଅନ୍ତ ହେବା ମାତ୍ରେ ଏହି ଲୋକର କଳ୍ପ ଆରମ୍ଭ ହୋଇଥାଏ, ଯାହାର କ୍ରମ ବ୍ରହ୍ମାଜୀଙ୍କର ଦିନ ରହିଥିବାଯାଏଁ ଚାଲିଥାଏ | ସେହି ଏକ କଳ୍ପରେ ଚଉଦ ମନୁ ସୃଷ୍ଟି ହୋଇଥାଆନ୍ତି |

ସ୍ୱଂ ସ୍ୱଂ କାଲଂ ମନୁର୍ଭୁଙ୍କ୍ତେ ସାଧିକାଂ ହ୍ୟେକସପ୍ତତିମ୍ ।

ମନ୍ୱନ୍ତରେଷୁ ମନବସ୍ତଦ୍ୱଂଶ୍ୟା ଋଷୟଃ ସୁରାଃ ।

ଭବନ୍ତି ଚୈବ ଯୁଗପତ୍ସୁରେଶାଶ୍ଚାନୁ ଯେ ଚ ତାନ୍ ॥ ୨୪॥

ପ୍ରତ୍ୟେକ ମନୁ ଏକସ୍ତରୀ ଚତୁର୍ଯୁଗରୁ କିଛି ଅଧିକ କାଳ ନିଜର ଅଧିକାର ଭୋଗ କରିଥାଆନ୍ତି | ପ୍ରତ୍ୟେକ ମନ୍ବନ୍ତରରେ ଭିନ୍ନ-ଭିନ୍ନ ମନୁ-ବଂଶୀ ରାଜା, ସପ୍ତର୍ଷି, ଦେବଗଣ, ଇନ୍ଦ୍ର ଏବଂ ତାଙ୍କର ଅନୁଯାୟୀ ଗନ୍ଧର୍ବ ଆଦି ମଧ୍ୟ ନିଜ-ନିଜର ଅଧିକାର ଭୋଗ କରନ୍ତି |

ଏଷ ଦୈନନ୍ଦିନଃ ସର୍ଗୋ ବ୍ରାହ୍ମସ୍ତ୍ରୈଲୋକ୍ୟବର୍ତନଃ ।

ତିର୍ୟଙ୍ନୃପିତୃଦେବାନାଂ ସମ୍ଭବୋ ଯତ୍ର କର୍ମଭିଃ ॥ ୨୫॥

ଏହା ବ୍ରହ୍ମାଜୀଙ୍କର ପ୍ରତିଦିନର ସୃଷ୍ଟି ଅଟେ, ଯେଉଁଥିରେ ତିନି ଲୋକର ରଚନା ହୋଇଥାଏ | ସେଥିରେ ନିଜ ନିଜ କର୍ମାନୁସାରେ ପଶୁ-ପକ୍ଷୀ, ମନୁଷ୍ୟ, ପିତୃପୁରୁଷ ଏବଂ ଦେବତାମାନଙ୍କର ଉତ୍ପତ୍ତି ହୋଇଥାଏ |

ମନ୍ୱନ୍ତରେଷୁ ଭଗବାନ୍ ବିଭ୍ରତ୍ସତ୍ତ୍ୱଂ ସ୍ୱମୂର୍ତିଭିଃ ।

ମନ୍ୱାଦିଭିରିଦଂ ବିଶ୍ୱମବତ୍ୟୁଦିତପୌରୁଷଃ ॥ ୨୬॥

ଏହିସବୁ ମନ୍ବନ୍ତରମାନଙ୍କରେ ଭଗବାନ ସତ୍ତ୍ବଗୁଣର ଆଶ୍ରୟ ଗ୍ରହଣ କରି, ନିଜର ମନୁ ଆଦି ସ୍ବରୂପ ଦ୍ବାରା ପୌରୁଷ ପ୍ରକଟ କରି ଏହି ବିଶ୍ବର ପାଳନ କରନ୍ତି |

ତମୋମାତ୍ରାମୁପାଦାୟ ପ୍ରତିସଂରୁଦ୍ଧବିକ୍ରମଃ ।

କାଲେନାନୁଗତାଶେଷ ଆସ୍ତେ ତୂଷ୍ଣୀଂ ଦିନାତ୍ୟଯେ ॥ ୨୭॥

କାଳକ୍ରମରେ ଯେତେବେଳେ ବ୍ରହ୍ମାଙ୍କର ଦିନ ବିତିଯାଏ, ସେତେବେଳେ ସେ ତମୋଗୁଣର ସମ୍ପର୍କକୁ ସ୍ବୀକାର କରି, ନିଜର ସୃଷ୍ଟିରଚନାରୂପ ପୌରୁଷକୁ ସ୍ଥଗିତ ରଖି ନିଶ୍ଚେଷ୍ଟଭାବରେ ସ୍ଥିତ ହୋଇଯାଆନ୍ତି |

ତମେବାନ୍ୱପିଧୀୟନ୍ତେ ଲୋକା ଭୂରାଦୟସ୍ତ୍ରୟଃ ।

ନିଶାୟାମନୁବୃତ୍ତାୟାଂ ନିର୍ମୁକ୍ତଶଶିଭାସ୍କରମ୍ ॥ ୨୮॥

ସେହି ସମୟରେ ସାରା ବିଶ୍ବ ତାଙ୍କ ମଧ୍ୟରେ ଲୀନ ହୋଇଯାଏ | ଯେତେବେଳେ ସେହି ସୂର୍ଯ୍ୟ-ଚନ୍ଦ୍ର-ରହିତ ପ୍ରଳୟରାତ୍ରୀ ଆସିଥାଏ, ସେତେବେଳେ ଭୂଃ, ଭୁବଃ, ସ୍ବଃ – ଏହି ତିନି ଲୋକ ବ୍ରହ୍ମାଜୀଙ୍କ ଶରୀର ମଧ୍ୟରେ ଛପି ଯାଆନ୍ତି |

ତ୍ରିଲୋକ୍ୟାଂ ଦହ୍ୟମାନାୟାଂ ଶକ୍ତ୍ୟା ସଙ୍କର୍ଷଣାଗ୍ନିନା ।

ଯାନ୍ତ୍ୟୂଷ୍ମଣା ମହର୍ଲୋକାଜ୍ଜନଂ ଭୃଗ୍ୱାଦୟୋଽର୍ଦିତାଃ ॥ ୨୯॥

ସେହି ଅବସରରେ ତିନି ଲୋକ ଶେଷଦେବଙ୍କ ମୁଖରୁ ନିର୍ଗତ ଅଗ୍ନିରୂପ ଭଗବାନଙ୍କ ଶକ୍ତିର ଜ୍ବାଳାରେ ଦଗ୍ଧ ହେବାରେ ଲାଗନ୍ତି | ସେହି ତାପରେ ବ୍ୟାକୁଳ ହୋଇ ଭୃଗୁ ଆଦି ମୁନୀଶ୍ବରଗଣ ମହଲୋକ ତ୍ୟାଗ କରି ଜନଲୋକକୁ ଚାଲିଯାଆନ୍ତି |

ତାବତ୍ତ୍ରିଭୁବନଂ ସଦ୍ୟଃ କଲ୍ପାନ୍ତୈଧିତସିନ୍ଧବଃ ।

ପ୍ଲାବୟନ୍ତ୍ୟୁତ୍କଟାଟୋପଚଣ୍ଡବାତେରିତୋର୍ମୟଃ ॥ ୩୦॥

ଇତ୍ୟବସରେ ସାତ ସମୁଦ୍ର ପ୍ରଳୟକାଳର ପ୍ରଚଣ୍ଡ ବାୟୁପ୍ରବାହରେ ଉଦବେଳିତ ହୋଇ ଉତ୍ତାଳ ତରଙ୍ଗରେ ତ୍ରିଲୋକୀକୁ ଡୁଵାଇ ଦେଇଥାଏ |

ଅନ୍ତଃ ସ ତସ୍ମିନ୍ ସଲିଲ ଆସ୍ତେଽନନ୍ତାସନୋ ହରିଃ ।

ଯୋଗନିଦ୍ରାନିମୀଲାକ୍ଷଃ ସ୍ତୂୟମାନୋ ଜନାଲୟୈଃ ॥ ୩୧॥

ସେହି ଜଳରେ ଶେଷଶାୟୀ ଭଗବାନ ଯୋଗନିଦ୍ରାରେ ନେତ୍ର ମୁଁଦି ଶୟନ କରନ୍ତି | ସେହି ସମୟରେ ଜନଲୋକନିବାସୀ ମୁନିଗଣ ତାଙ୍କର ସ୍ତୁତି କରନ୍ତି |

ଏବଂ ବିଧୈରହୋରାତ୍ରୈଃ କାଲଗତ୍ୟୋପଲକ୍ଷିତୈଃ ।

ଅପକ୍ଷିତମିବାସ୍ୟାପି ପରମାୟୁର୍ୱୟଃ ଶତମ୍ ॥ ୩୨॥

ଏହିରୂପେ କାଳର ଗତିରେ ଏକ-ଏକ ସହସ୍ର ଚତୁର୍ଯୁଗ ରୂପରେ ପ୍ରତୀତ ହେଉଥିବା ଦିନ-ରାତିର ଅଦଳ-ବଦଳରେ ବ୍ରହ୍ମାଜୀଙ୍କର ଶହେ ବର୍ଷର ପରମାୟୁ ମଧ୍ୟ କ୍ଷୟ ହୋଇ ଯାଉଥିବା ଦେଖା ଯାଇଥାଏ |

ଯଦର୍ଧମାୟୁଷସ୍ତସ୍ୟ ପରାର୍ଧମଭିଧୀୟତେ ।

ପୂର୍ୱଃ ପରାର୍ଧୋଽପକ୍ରାନ୍ତୋ ହ୍ୟପରୋଽଦ୍ୟ ପ୍ରବର୍ତତେ ॥ ୩୩॥

ବ୍ରହ୍ମାଜୀଙ୍କ ଆୟୁର ଅର୍ଦ୍ଧ ଭାଗକୁ ପରାର୍ଧ କହନ୍ତି | ଏ ପର୍ଯ୍ୟନ୍ତ ପ୍ରଥମ ପରାର୍ଧ ତ ଅତିବାହିତ ହୋଇଯାଇଛି, ଦ୍ବିତୀୟ ପରାର୍ଧ ଚାଲିଛି |

ପୂର୍ୱସ୍ୟାଦୌ ପରାର୍ଧସ୍ୟ ବ୍ରାହ୍ମୋ ନାମ ମହାନଭୂତ୍ ।

କଲ୍ପୋ ଯତ୍ରାଭବଦ୍ବ୍ରହ୍ମା ଶବ୍ଦବ୍ରହ୍ମେତି ଯଂ ବିଦୁଃ ॥ ୩୪॥

ପୂର୍ବ ପରାର୍ଧର ଆରମ୍ଭରେ ବ୍ରାହ୍ମ ନାମକ ମହାନ୍ କଳ୍ପରେ ବ୍ରହ୍ମାଜୀଙ୍କର ଉତ୍ପତ୍ତି ହୋଇଥିଲା | ପଣ୍ଡିତଜନ ତାଙ୍କୁ ଶବ୍ଦବ୍ରହ୍ମ କହନ୍ତି |

ତସ୍ୟୈବ ଚାନ୍ତେ କଲ୍ପୋଽଭୂଦ୍ୟଂ ପାଦ୍ମମଭିଚକ୍ଷତେ ।

ଯଦ୍ଧରେର୍ନାଭିସରସ ଆସୀଲ୍ଲୋକସରୋରୁହମ୍ ॥ ୩୫॥

ସେହି ପରାର୍ଧର ଅନ୍ତରେ ଯେଉଁ କଳ୍ପ ହୋଇଥିଲା, ତାହାକୁ ପାଦ୍ମକଳ୍ପ କହନ୍ତି | ସେଥିରେ ଭଗବାନଙ୍କ ନାଭିସରୋବରରୁ ସର୍ବଲୋକମୟ କମଳ ପ୍ରକଟ ହୋଇଥିଲା |

ଅୟଂ ତୁ କଥିତଃ କଲ୍ପୋ ଦ୍ୱିତୀୟସ୍ୟାପି ଭାରତ ।

ବାରାହ ଇତି ବିଖ୍ୟାତୋ ଯତ୍ରାସୀତ୍ସୂକରୋ ହରିଃ ॥ ୩୬॥

ହେ ବିଦୁର ! ଏହି ସମୟରେ ଯେଉଁ କଳ୍ପ ଚାଲିଛି, ତାହା ଦ୍ବିତୀୟ ପରାର୍ଧର ପ୍ରାରମ୍ଭିକ କଳ୍ପ ଅଟେ | ଏହା ବରାହ କଳ୍ପ ନାମରେ ବିଖ୍ୟାତ, ଏଥିରେ ଭଗବାନ ଶୂକରରୂପ ଧାରଣ କରିଥିଲେ |

କାଲୋଽୟଂ ଦ୍ୱିପରାର୍ଧାଖ୍ୟୋ ନିମେଷ ଉପଚର୍ୟତେ ।

ଅବ୍ୟାକୃତସ୍ୟାନନ୍ତସ୍ୟ ହ୍ୟନାଦେର୍ଜଗଦାତ୍ମନଃ ॥ ୩୭॥

ଏହି ଦୁଇ ପରାର୍ଧ-ବିଶିଷ୍ଟ କାଳ ଅବ୍ୟକ୍ତ, ଅନନ୍ତ, ଅନାଦି ବିଶ୍ବାତ୍ମା ଶ୍ରୀହରିଙ୍କର ଏକ ନିମେଷ ଅଟେ |

କାଲୋଽୟଂ ପରମାଣ୍ୱାଦିର୍ଦ୍ୱିପରାର୍ଧାନ୍ତ ଈଶ୍ୱରଃ ।

ନୈବେଶିତୁଂ ପ୍ରଭୁର୍ଭୂମ୍ନ ଈଶ୍ୱରୋ ଧାମମାନିନାମ୍ ॥ ୩୮॥

ପରମାଣୁଠାରୁ ଆରମ୍ଭ କରି ଦ୍ବିପରାର୍ଧ ପର୍ଯ୍ୟନ୍ତ ବ୍ୟାପ୍ତ ଏହି କାଳ ସର୍ବସମର୍ଥ ହୋଇଥିଲେ ବି ସର୍ବାତ୍ମା ଶ୍ରୀହରିଙ୍କ ଉପରେ ଏହାର କୌଣସି ପ୍ରଭୁତ୍ବ ନ ଥାଏ | ଏହା ତ ଦେହାଭିମାନୀ ଜୀବକୁ ହିଁ ଶାସନ କରିବାକୁ ସମର୍ଥ |

ବିକାରୈଃ ସହିତୋ ଯୁକ୍ତୈର୍ୱିଶେଷାଦିଭିରାବୃତଃ ।

ଆଣ୍ଡକୋଶୋ ବହିରୟଂ ପଞ୍ଚାଶତ୍କୋଟି ବିସ୍ତୃତଃ ॥ ୩୯॥

ଦଶୋତ୍ତରାଧିକୈର୍ୟତ୍ର ପ୍ରବିଷ୍ଟଃ ପରମାଣୁବତ୍ ।

ଲକ୍ଷ୍ୟତେଽନ୍ତର୍ଗତାଶ୍ଚାନ୍ୟେ କୋଟିଶୋ ହ୍ୟଣ୍ଡରାଶୟଃ ॥ ୪୦॥

ତଦାହୁରକ୍ଷରଂ ବ୍ରହ୍ମ ସର୍ୱକାରଣକାରଣମ୍ ।

ବିଷ୍ଣୋର୍ଧାମ ପରଂ ସାକ୍ଷାତ୍ପୁରୁଷସ୍ୟ ମହାତ୍ମନଃ ॥ ୪୧॥

ପ୍ରକୃତି, ମହତ୍ତତ୍ତ୍ବ, ଅହଂକାର ଓ ପଞ୍ଚତନ୍ମାତ୍ରା – ଏହି ଅଷ୍ଟ ପ୍ରକୃତି ସହିତ ଦଶ ଇନ୍ଦ୍ରିୟ, ମନ ଏବଂ ପଞ୍ଚଭୂତ – ଏହି ଷୋଳ ବିକାର ଦ୍ବାରା ନିର୍ମିତ ଏହି ବ୍ରହ୍ମାଣ୍ଡକୋଶ ଭିତରେ ପଚାଶ କୋଟି ଯୋଜନ ବିସ୍ତୃତ ତଥା ଏହାର ବାହାରେ ଚତୁର୍ଦ୍ଦିଗରେ ଉତ୍ତରୋତ୍ତର ଦଶ-ଦଶ ଗୁଣ ସାତ ଆବରଣ ରହିଛି | ଏସବୁ ସହିତ ଏହା ଯାହା ମଧ୍ୟରେ ପରମାଣୁ ସଦୃଶ ପଡି ରହିଥାଏ ଏବଂ ଯେଉଁଥିରେ ଏହିପରି କୋଟି କୋଟି ବ୍ରହ୍ମାଣ୍ଡରାଶି ରହିଛନ୍ତି, ସେହି ପ୍ରଧାନାଦି ସମସ୍ତ କାରଣର କାରଣ ହିଁ ଅକ୍ଷର ବ୍ରହ୍ମ ଅଟନ୍ତି ଏବଂ ତାହା ହିଁ ପୁରାଣପୁରୁଷ ପରମାତ୍ମା ଶ୍ରୀବିଷ୍ଣୁଭଗବାନଙ୍କର ଶ୍ରେଷ୍ଠ ଧାମ (ସ୍ବରୂପ) ଅଟେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ତୃତୀୟସ୍କନ୍ଧୀକାଦଶୋଽଧ୍ୟାୟଃ ॥ ୧୧॥

Comments

Popular posts from this blog