ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ଦ୍ବାଦଶ ଅଧ୍ୟାୟ
ସୃଷ୍ଟିର ବିସ୍ତାର
ମୈତ୍ରେୟ ଉବାଚ
ଇତି ତେ ବର୍ଣିତଃ କ୍ଷତ୍ତଃ କାଲାଖ୍ୟଃ ପରମାତ୍ମନଃ ।
ମହିମା ବେଦଗର୍ଭୋଽଥ ଯଥାସ୍ରାକ୍ଷୀନ୍ନିବୋଧ ମେ ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଏପର୍ଯ୍ୟନ୍ତ ମୁଁ ତୁମକୁ
ଶ୍ରୀଭଗବାନଙ୍କର କାଳରୂପ ମହିମା ବିଷୟରେ ଶୁଣାଇଲି | ଏବେ ବ୍ରହ୍ମାଜୀ ଯେପରି ଭାବରେ ଜଗତର ରଚନା
କଲେ, ତାହା ଶୁଣ |
ସସର୍ଜାଗ୍ରେଽନ୍ଧତାମିସ୍ରମଥ ତାମିସ୍ରମାଦିକୃତ୍ ।
ମହାମୋହଂ ଚ ମୋହଂ ଚ ତମଶ୍ଚାଜ୍ଞାନବୃତ୍ତୟଃ ॥ ୨॥
ସର୍ବପ୍ରଥମେ ସେ ଅଜ୍ଞାନର ପଞ୍ଚବୃତ୍ତି – ତମ (ଅଜ୍ଞାନ), ମୋହ
(ଅସ୍ମିତା), ମହାମୋହ (ରାଗ), ତାମିସ୍ର (ଦ୍ବେଷ), ଏବଂ ଅନ୍ଧତାମିସ୍ର (ଅଭିନିବେଶ) ରଚନା କଲେ |
ଦୃଷ୍ଟ୍ୱା ପାପୀୟସୀଂ ସୃଷ୍ଟିଂ ନାତ୍ମାନଂ ବହ୍ୱମନ୍ୟତ ।
ଭଗବଦ୍ଧ୍ୟାନପୂତେନ ମନସାନ୍ୟାଂ ତତୋଽସୃଜତ୍ ॥ ୩॥
କିନ୍ତୁ ଏହି ଅତ୍ୟନ୍ତ ପାପମୟୀ ସୃଷ୍ଟିକୁ ଦେଖି ସେ ପ୍ରସନ୍ନ ହେଲେ
ନାହିଁ | ତେଣୁ ସେ ନିଜ ମନକୁ ଭଗବାନଙ୍କ ଧ୍ୟାନରେ ପବିତ୍ର କରି ଅନ୍ୟ ଏକ ସୃଷ୍ଟିର ରଚନା କଲେ |
ସନକଂ ଚ ସନନ୍ଦଂ ଚ ସନାତନମଥାତ୍ମଭୂଃ ।
ସନତ୍କୁମାରଂ ଚ ମୁନୀନ୍ନିଷ୍କ୍ରିୟାନୂର୍ଧ୍ୱରେତସଃ ॥ ୪॥
ଏଥର ବ୍ରହ୍ମାଜୀ ସନକ,
ସନନ୍ଦନ, ସନାତନ ଏବଂ ସନତ୍
କୁମାର – ଏହି ଚାରିଜଣ ନିବୃତ୍ତିପରାୟଣ ଉର୍ଧ୍ବରେତା ମୁନିଙ୍କୁ ଉତ୍ପନ୍ନ କଲେ |
ତାନ୍ ବଭାଷେ ସ୍ୱଭୂଃ ପୁତ୍ରାନ୍ ପ୍ରଜାଃ ସୃଜତ ପୁତ୍ରକାଃ ।
ତନ୍ନୈଚ୍ଛନ୍ମୋକ୍ଷଧର୍ମାଣୋ ବାସୁଦେବପରାୟଣାଃ ॥ ୫॥
ନିଜର ସେହି ପୁତ୍ରମାନଙ୍କୁ ବ୍ରହ୍ମାଜୀ ଆଦେଶ ଦେଲେ – ପୁତ୍ର !
ତୁମ୍ଭେମାନେ ସୃଷ୍ଟିର ବିସ୍ତାର କର | କିନ୍ତୁ ସେମାନେ ଜନ୍ମରୁ ହିଁ ମୋକ୍ଷମାର୍ଗ
(ନିବୃତ୍ତିମାର୍ଗ) ର ଅନୁସରଣକାରୀ ଥିଲେ ଏବଂ ଭଗବାନଙ୍କ ଧ୍ୟାନରେ ତତ୍ପର ଥିଲେ; ସେଥିପାଇଁ ସେମାନେ ତାହା କରିବାକୁ ଇଚ୍ଛା କଲେ ନାହିଁ |
ସୋଽବଧ୍ୟାତଃ ସୁତୈରେବଂ ପ୍ରତ୍ୟାଖ୍ୟାତାନୁଶାସନୈଃ ।
କ୍ରୋଧଂ ଦୁର୍ୱିଷହଂ ଜାତଂ ନିୟନ୍ତୁମୁପଚକ୍ରମେ ॥ ୬॥
ବ୍ରହ୍ମାଜୀ ଯେତେବେଳେ ଦେଖିଲେ ମୋର ପୁତ୍ରମାନେ ଆଜ୍ଞା ପାଳନ ନ କରି
ମୋର ତିରସ୍କାର କରିଛନ୍ତି, ସେତେବେଳେ
ତାଙ୍କଠାରେ ଅସହ୍ୟ କ୍ରୋଧ ଉତ୍ପନ୍ନ ହେଲା | ସେ ତାହାକୁ ଦମନ କରିବାକୁ ଚେଷ୍ଟା କଲେ |
ଧିୟା ନିଗୃହ୍ୟମାଣୋଽପି ଭ୍ରୁବୋର୍ମଧ୍ୟାତ୍ପ୍ରଜାପତେଃ ।
ସଦ୍ୟୋଽଜାୟତ ତନ୍ମନ୍ୟୁଃ କୁମାରୋ ନୀଲଲୋହିତଃ ॥ ୭॥
କିନ୍ତୁ ବୁଦ୍ଧି ଦ୍ବାରା ତାହାକୁ ରୋକିବାକୁ ଯେତେ ଚେଷ୍ଟା କଲେ ବି
ସେହି କ୍ରୋଧ ପ୍ରଜାପତିଙ୍କର ଭୃକୁଟି ମଧ୍ୟ ଦେଇ ଏକ ନୀଳଲୋହିତ ବାଳକ ରୂପରେ ପ୍ରକଟ ହେଲା |
ସ ବୈ ରୁରୋଦ ଦେବାନାଂ ପୂର୍ୱଜୋ ଭଗବାନ୍ ଭବଃ ।
ନାମାନି କୁରୁ ମେ ଧାତଃ ସ୍ଥାନାନି ଚ ଜଗଦ୍ଗୁରୋ ॥ ୮॥
ସେ ଦେବତାମାନଙ୍କର ପୂର୍ବଜ ଭଗବାନ ଭବ (ରୁଦ୍ର) କାନ୍ଦି କାନ୍ଦି
କହିବାରେ ଲାଗିଲେ – ହେ ଜଗତପିତା ! ହେ ବିଧାତା ! ମୋର ନାମ ଏବଂ ରହିବା ପାଇଁ ସ୍ଥାନ
ନିର୍ଦ୍ଦେଶ କରନ୍ତୁ |
ଇତି ତସ୍ୟ ବଚଃ ପାଦ୍ମୋ ଭଗବାନ୍ ପରିପାଲୟନ୍ ।
ଅଭ୍ୟଧାଦ୍ଭଦ୍ରୟା ବାଚା ମା ରୋଦୀସ୍ତତ୍କରୋମି ତେ ॥ ୯॥
କମଳଯୋନି ଭଗବାନ ବ୍ରହ୍ମା ସେହି ବାଳକର ପ୍ରାର୍ଥନା ପୂର୍ଣ୍ଣ
କରିବାକୁ ଯାଇ ମଧୁର ବାଣୀରେ କହିଲେ – ‘କାନ୍ଦନାହିଁ,
ମୁଁ ଏବେ ତୁମର ଇଚ୍ଛା ପୂର୍ଣ୍ଣ କରୁଛି |’
ଯଦରୋଦୀଃ ସୁରଶ୍ରେଷ୍ଠ ସୋଦ୍ୱେଗ ଇବ ବାଲକଃ ।
ତତସ୍ତ୍ୱାମଭିଧାସ୍ୟନ୍ତି ନାମ୍ନା ରୁଦ୍ର ଇତି ପ୍ରଜାଃ ॥ ୧୦॥
ହେ ଦେବଶ୍ରେଷ୍ଠ ! ତୁମେ ଜନ୍ମ ଗ୍ରହଣ କରିବା ମାତ୍ରେ ଛୋଟ ବାଳକ ପରି
ରୋଦନ କରିବାରେ ଲାଗିଲ, ସେଥିପାଇଁ
ପ୍ରଜାମାନେ ତୁମକୁ ରୁଦ୍ର ନାମରେ ଡାକିବେ |
ହୃଦିନ୍ଦ୍ରିୟାଣ୍ୟସୁର୍ୱ୍ୟୋମ ବାୟୁରଗ୍ନିର୍ଜଲଂ ମହୀ ।
ସୂର୍ୟଶ୍ଚନ୍ଦ୍ରସ୍ତପଶ୍ଚୈବ ସ୍ଥାନାନ୍ୟଗ୍ରେ କୃତାନି ମେ ॥ ୧୧॥
ତୁମେ ରହିବା ପାଇଁ ମୁଁ ପୂର୍ବରୁ ହିଁ ହୃଦୟ, ଇନ୍ଦ୍ରିୟ, ପ୍ରାଣ, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ରମା
ଏବଂ ତପ ଆଦି ସ୍ଥାନ ରଚନା କରିଛି |
ମନ୍ୟୁର୍ମନୁର୍ମହିନସୋ ମହାଞ୍ଛିବ ଋତଧ୍ୱଜଃ ।
ଉଗ୍ରରେତା ଭବଃ କାଲୋ ବାମଦେବୋ ଧୃତବ୍ରତଃ ॥ ୧୨॥
ତୁମର ନାମ ମନ୍ୟୁ, ମନୁ, ମହିନସ, ମହାନ୍, ଶିବ, ଋତଧ୍ବଜ, ଉଗ୍ରରେତା, ଭବ, କାଳ, ବାମଦେବ, ଏବଂ ଧୃତବ୍ରତ ହେବ |
ଧୀର୍ୱୃତ୍ତିରୁଶନୋମା ଚ ନିୟୁତ୍ସର୍ପିରିଲାମ୍ବିକା ।
ଇରାବତୀ ସୁଧା ଦୀକ୍ଷା ରୁଦ୍ରାଣ୍ୟୋ ରୁଦ୍ର ତେ ସ୍ତ୍ରିୟଃ ॥ ୧୩॥
ତଥା ଧୀ, ବୃତ୍ତି, ଉଶନା, ଉମା, ନିୟୁତ୍, ସର୍ପି, ଇଲା, ଅମ୍ବିକା, ଇରାବତୀ, ସୁଧା ଏବଂ ଦୀକ୍ଷା – ଏହି ଏକାଦଶ ରୁଦ୍ରାଣୀ ତୁମର ପତ୍ନୀ ହେବେ |
ଗୃହାଣୈତାନି ନାମାନି ସ୍ଥାନାନି ଚ ସୟୋଷଣଃ ।
ଏଭିଃ ସୃଜ ପ୍ରଜା ବହ୍ୱୀଃ ପ୍ରଜାନାମସି ଯତ୍ପତିଃ ॥ ୧୪॥
ଉପରୋକ୍ତ ନାମ, ସ୍ଥାନ ଏବଂ
ପତ୍ନୀମାନଙ୍କୁ ତୁମେ ସ୍ବୀକାର କର ଏବଂ ଏମାନଙ୍କ ଦ୍ବାରା ବହୁତ ପ୍ରଜା ଉତ୍ପନ୍ନ କର; କାରଣ ତୁମେ ପ୍ରଜାପତି ଅଟ |
ଇତ୍ୟାଦିଷ୍ଟଃ ସ୍ୱଗୁରୁଣା ଭଗବାନ୍ନୀଲଲୋହିତଃ ।
ସତ୍ତ୍ୱାକୃତିସ୍ୱଭାବେନ ସସର୍ଜାତ୍ମସମାଃ ପ୍ରଜାଃ ॥ ୧୫॥
ଲୋକପିତା ବ୍ରହ୍ମାଜୀଙ୍କଠାରୁ ଏପରି ଆଜ୍ଞା ପାଇ ଭଗବାନ ନୀଳଲୋହିତ ବଳ, ଆକାର ଏବଂ ସ୍ବଭାବରେ ନିଜ ସଦୃଶ ପ୍ରଜା ଉତ୍ପନ୍ନ କରିବାରେ ଲାଗିଲେ
|
ରୁଦ୍ରାଣାଂ ରୁଦ୍ରସୃଷ୍ଟାନାଂ ସମନ୍ତାଦ୍ଗ୍ରସତାଂ ଜଗତ୍ ।
ନିଶାମ୍ୟାସଙ୍ଖ୍ୟଶୋ ଯୂଥାନ୍ ପ୍ରଜାପତିରଶଙ୍କତ ॥ ୧୬॥
ଭଗବାନ ରୁଦ୍ରଙ୍କ ଦ୍ବାରା ଉତ୍ପନ୍ନ ହୋଇଥିବା ରୁଦ୍ରମାନଙ୍କର ଅସଂଖ୍ୟ
ଦଳ ସମ୍ପୂର୍ଣ୍ଣ ସଂସାରକୁ ଭକ୍ଷଣ କରୁଥିବା ଦେଖି ବ୍ରହ୍ମାଜୀଙ୍କ ମନରେ ଅତ୍ୟଧିକ ଶଂକା ଜାତ
ହେଲା |
ଅଲଂ ପ୍ରଜାଭିଃ ସୃଷ୍ଟାଭିରୀଦୃଶୀଭିଃ ସୁରୋତ୍ତମ ।
ମୟା ସହ ଦହନ୍ତୀଭିର୍ଦିଶଶ୍ଚକ୍ଷୁର୍ଭିରୁଲ୍ବଣୈଃ ॥ ୧୭॥
ସେ ରୁଦ୍ରଙ୍କ ଉଦ୍ଦେଶ୍ୟରେ କହିଲେ – “ହେ ସୁରଶ୍ରେଷ୍ଠ ! ତୁମ
ପ୍ରଜାମାନେ ତ ନିଜ ଭୟଙ୍କର ଦୃଷ୍ଟିରେ ମୋତେ ଏବଂ ସବୁ ଦିଶାକୁ ଭସ୍ମୀଭୂତ କରିବାରେ ଲାଗିଛନ୍ତି; ଅତଏବ ଆଉ ଏପରି ସୃଷ୍ଟି କରନାହିଁ |
ତପ ଆତିଷ୍ଠ ଭଦ୍ରଂ ତେ ସର୍ୱଭୂତସୁଖାବହମ୍ ।
ତପସୈବ ଯଥା ପୂର୍ୱଂ ସ୍ରଷ୍ଟା ବିଶ୍ୱମିଦଂ ଭବାନ୍ ॥ ୧୮॥
ତୁମର କଲ୍ୟାଣ ହେଉ,
ଏବେ ତୁମେ ସମସ୍ତ ପ୍ରାଣୀବର୍ଗଙ୍କୁ ସୁଖ ଦେବା ନିମନ୍ତେ ତପସ୍ୟା କର | ତାପରେ ସେହି ତପ
ପ୍ରଭାବରେ ତୁମେ ପୂର୍ବବତ୍ ସଂସାର ରଚନା କରିବ |
ତପସୈବ ପରଂ ଜ୍ୟୋତିର୍ଭଗବନ୍ତମଧୋକ୍ଷଜମ୍ ।
ସର୍ୱଭୂତଗୁହାବାସମଞ୍ଜସା ବିନ୍ଦତେ ପୁମାନ୍ ॥ ୧୯॥
ତପସ୍ୟା ଦ୍ବାରା ହିଁ ପୁରୁଷ ସୁଗମତା ପୂର୍ବକ ସେହି ଇନ୍ଦ୍ରିୟାତୀତ, ସର୍ବାନ୍ତର୍ଯ୍ୟାମୀ, ଜ୍ୟୋତିସ୍ବରୂପ ଶ୍ରୀହରିଙ୍କୁ ପ୍ରାପ୍ତ
କରିପାରି ଥାଏ |”
ମୈତ୍ରେୟ ଉବାଚ
ଏବମାତ୍ମଭୁବାଽଽଦିଷ୍ଟଃ ପରିକ୍ରମ୍ୟ ଗିରାଂ ପତିମ୍ ।
ବାଢମିତ୍ୟମୁମାମନ୍ତ୍ର୍ୟ ବିବେଶ ତପସେ ବନମ୍ ॥ ୨୦॥
ମୈତ୍ରେୟ କହୁଛନ୍ତି – ବ୍ରହ୍ମାଜୀଙ୍କର ଏପରି ଆଜ୍ଞା ଶୁଣି ରୁଦ୍ର
‘ଅତି ଉତ୍ତମ’ କହି ତାହାକୁ
ଶିରୋଧାର୍ଯ୍ୟ କଲେ ଏବଂ ତାପରେ ତାଙ୍କର ଅନୁମତି ନେଇ ତଥା ତାଙ୍କର ପରିକ୍ରମା କରି ସେ ତପସ୍ୟା
କରିବା ନିମନ୍ତେ ବନକୁ ଚାଲିଗଲେ |
ଅଥାଭିଧ୍ୟାୟତଃ ସର୍ଗଂ ଦଶପୁତ୍ରାଃ ପ୍ରଜଜ୍ଞିରେ ।
ଭଗବଚ୍ଛକ୍ତିୟୁକ୍ତସ୍ୟ ଲୋକସନ୍ତାନହେତବଃ ॥ ୨୧॥
ଏହାପରେ ଯେତେବେଳେ ଭଗବାନଙ୍କ ଶକ୍ତିରେ ସମ୍ପନ୍ନ ବ୍ରହ୍ମାଜୀ ସୃଷ୍ଟିର
ବିସ୍ତାର କରିବା ନିମନ୍ତେ ସଂକଳ୍ପ କଲେ, ତାଙ୍କଠାରୁ ଆହୁରି
ଦଶଟି ପୁତ୍ର ଉତ୍ପନ୍ନ ହେଲେ | ସେମାନଙ୍କ ଦ୍ବାରା ଲୋକର ବହୁତ ବିସ୍ତୃତି ହେଲା |
ମରୀଚିରତ୍ର୍ୟଙ୍ଗିରସୌ ପୁଲସ୍ତ୍ୟଃ ପୁଲହଃ କ୍ରତୁଃ ।
ଭୃଗୁର୍ୱସିଷ୍ଠୋ ଦକ୍ଷଶ୍ଚ ଦଶମସ୍ତତ୍ର ନାରଦଃ ॥ ୨୨॥
ସେମାନଙ୍କର ନାମ ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ଭୃଗୁ, ବସିଷ୍ଠ, ଦକ୍ଷ ଏବଂ ଦଶମରେ ନାରଦ ଥିଲା |
ଉତ୍ସଙ୍ଗାନ୍ନାରଦୋ ଜଜ୍ଞେ ଦକ୍ଷୋଽଙ୍ଗୁଷ୍ଠାତ୍ସ୍ୱୟମ୍ଭୁବଃ ।
ପ୍ରାଣାଦ୍ୱସିଷ୍ଠଃ ସଞ୍ଜାତୋ ଭୃଗୁସ୍ତ୍ୱଚି କରାତ୍କ୍ରତୁଃ ॥ ୨୩॥
ପୁଲହୋ ନାଭିତୋ ଜଜ୍ଞେ ପୁଲସ୍ତ୍ୟଃ କର୍ଣୟୋଃ ଋଷିଃ ।
ଅଙ୍ଗିରା ମୁଖତୋଽକ୍ଷ୍ଣୋଽତ୍ରିର୍ମରୀଚିର୍ମନସୋଽଭବତ୍ ॥ ୨୪॥
ଏମାନଙ୍କ ମଧ୍ୟରୁ ନାରଦ ପ୍ରଜାପତି ବ୍ରହ୍ମାଙ୍କ କୋଳରୁ, ଦକ୍ଷ ଅଙ୍ଗୁଳିରୁ,
ବସିଷ୍ଠ ପ୍ରାଣରୁ, ଭୃଗୁ ତ୍ବଚାରୁ, କ୍ରତୁ ହସ୍ତରୁ, ପୁଲହ ନାଭିରୁ, ପୁଲସ୍ତ୍ୟଋଷି କାନରୁ,
ଅଙ୍ଗିରା ମୁଖରୁ, ଅତ୍ରି ନେତ୍ରରୁ ଏବଂ
ମରୀଚି ମନରୁ ଉତ୍ପନ୍ନ ହେଲେ |
ଧର୍ମଃ ସ୍ତନାଦ୍ଦକ୍ଷିଣତୋ ଯତ୍ର ନାରାୟଣଃ ସ୍ୱୟମ୍ ।
ଅଧର୍ମଃ ପୃଷ୍ଠତୋ ଯସ୍ମାନ୍ମୃତ୍ୟୁର୍ଲୋକଭୟଙ୍କରଃ ॥ ୨୫॥
ତାପରେ ତାଙ୍କର ଦକ୍ଷିଣ ସ୍ତନରୁ ଧର୍ମ ଉତ୍ପନ୍ନ ହେଲେ, ଯାହାର ପତ୍ନୀ ମୂର୍ତ୍ତିଙ୍କଠାରୁ ସ୍ବୟଂ ନାରାୟଣ ଅବତୀର୍ଣ୍ଣ ହେଲେ ତଥା
ତାଙ୍କ ପିଠିରୁ ଅଧର୍ମର ଜନ୍ମ ହେଲା ଏବଂ ତହିଁରୁ ସଂସାରକୁ ଭୟଭୀତ କରୁଥିବା ମୃତ୍ୟୁ ଉତ୍ପନ୍ନ
ହେଲା |
ହୃଦି କାମୋ ଭ୍ରୁବଃ କ୍ରୋଧୋ ଲୋଭଶ୍ଚାଧରଦଚ୍ଛଦାତ୍ ।
ଆସ୍ୟାଦ୍ୱାକ୍ସିନ୍ଧବୋ ମେଢ୍ରାନ୍ନିରୃତିଃ ପାୟୋରଘାଶ୍ରୟଃ ॥ ୨୬॥
ଏହିରୂପେ ବ୍ରହ୍ମାଜୀଙ୍କ ହୃଦୟରୁ କାମ, ଭୃକୁଟିରୁ କ୍ରୋଧ,
ନିମ୍ନ ଅଧରରୁ ଲୋଭ, ମୁଖରୁ ବାଣୀର
ଅଧିଷ୍ଠାତ୍ରୀ ଦେବୀ ସରସ୍ବତୀ, ଲିଙ୍ଗରୁ ସମୁଦ୍ର, ମଳଦ୍ବାରରୁ ପାପର ନିବାସସ୍ଥାନ (ରାକ୍ଷସମାନଙ୍କର ଅଧିପତି) ନିଋତି ତଥା
ଛାୟାୟାଃ କର୍ଦମୋ ଜଜ୍ଞେ ଦେବହୂତ୍ୟାଃ ପତିଃ ପ୍ରଭୁଃ ।
ମନସୋ ଦେହତଶ୍ଚେଦଂ ଜଜ୍ଞେ ବିଶ୍ୱକୃତୋ ଜଗତ୍ ॥ ୨୭॥
ଛାୟାରୁ ଦେବହୂତିଙ୍କ ପତି ଭଗବାନ କର୍ଦମଜୀ ଉତ୍ପନ୍ନ ହେଲେ | ଏହିପରି
ଭାବରେ ଏହି ସାରା ଜଗତ ଜଗତକର୍ତ୍ତା ବ୍ରହ୍ମାଜୀଙ୍କ ଶରୀର ଓ ମନରୁ ଉତ୍ପନ୍ନ ହେଲା |
ବାଚଂ ଦୁହିତରଂ ତନ୍ୱୀଂ ସ୍ୱୟମ୍ଭୂର୍ହରତୀଂ ମନଃ ।
ଅକାମାଂ ଚକମେ କ୍ଷତ୍ତଃ ସକାମ ଇତି ନଃ ଶ୍ରୁତମ୍ ॥ ୨୮॥
ହେ ବିଦୁର ! ଭଗବାନ ବ୍ରହ୍ମାଙ୍କର କନ୍ୟା ସରସ୍ବତୀ ଅତ୍ୟନ୍ତ
ସୁକୁମାରୀ ଏବଂ ମନୋହର ଥିଲେ | ମୁଁ ଶୁଣିଛି, ଥରେ ତାଙ୍କୁ ଦେଖି
ବ୍ରହ୍ମାଜୀ କାମମୋହିତ ହୋଇ ଯାଇଥିଲେ, ଯଦିଓ ସରସ୍ବତୀ
ସ୍ବୟଂ ବାସନାହୀନ ଥିଲେ |
ତମଧର୍ମେ କୃତମତିଂ ବିଲୋକ୍ୟ ପିତରଂ ସୁତାଃ ।
ମରୀଚିମୁଖ୍ୟା ମୁନୟୋ ବିଶ୍ରମ୍ଭାତ୍ପ୍ରତ୍ୟବୋଧୟନ୍ ॥ ୨୯॥
ତାଙ୍କର ଏପରି ଅଧର୍ମମୟ ସଂକଳ୍ପ ଦେଖି ତାଙ୍କ ପୁତ୍ର ମରୀଚି ଆଦି
ଋଷିମାନେ ବିଶ୍ବାସପୂର୍ବକ ତାଙ୍କୁ ବୁଝାଇ କହିଥିଲେ –
ନୈତତ୍ପୂର୍ୱୈଃ କୃତଂ ତ୍ୱଦ୍ୟ ନ କରିଷ୍ୟନ୍ତି ଚାପରେ ।
ଯତ୍ତ୍ୱଂ ଦୁହିତରଂ ଗଚ୍ଛେରନିଗୃହ୍ୟାଙ୍ଗଜଂ ପ୍ରଭୁଃ ॥ ୩୦॥
‘ପିତାଜୀ ! ଆପଣ ସମର୍ଥ ଅଟନ୍ତି,
ତଥାପି ଆପଣ ନିଜ ମନରେ ଉତ୍ପନ୍ନ ହୋଇଥିବା କାମ-ବେଗର ପ୍ରତିରୋଧ ନ କରି ପୁତ୍ରୀଗମନ ପରି ଦୁସ୍ତର
ପାପ କରିବାକୁ ସଂକଳ୍ପ କରୁଛନ୍ତି ! ଏପରି ତ ଆପଣଙ୍କ ପୂର୍ବବର୍ତ୍ତୀ କୌଣସି ବ୍ରହ୍ମା କରି ନ
ଥିଲେ ଏବଂ ଆଗକୁ ମଧ୍ୟ କେହି କରିବେ ନାହିଁ |
ତେଜୀୟସାମପି ହ୍ୟେତନ୍ନ ସୁଶ୍ଲୋକ୍ୟଂ ଜଗଦ୍ଗୁରୋ ।
ଯଦ୍ୱୃତ୍ତମନୁତିଷ୍ଠନ୍ ବୈ ଲୋକଃ କ୍ଷେମାୟ କଲ୍ପତେ ॥ ୩୧॥
ହେ ଜଗଦଗୁରୁ ! ଏପରି କାମବାସନା ଆପଣଙ୍କ ପରି ତେଜସ୍ବୀ ପୁରୁଷଙ୍କୁ
ଶୋଭା ଦିଏ ନାହିଁ; କାରଣ ଆପଣମାନଙ୍କର ଆଚରଣର ଅନୁସରଣ କରିବା ଦ୍ବାରା ହିଁ ତ ସଂସାରର କଲ୍ୟାଣ
ହୋଇଥାଏ |
ତସ୍ମୈ ନମୋ ଭଗବତେ ଯ ଇଦଂ ସ୍ୱେନ ରୋଚିଷା ।
ଆତ୍ମସ୍ଥଂ ବ୍ୟଞ୍ଜୟାମାସ ସ ଧର୍ମଂ ପାତୁମର୍ହତି ॥ ୩୨॥
ଯେଉଁ ଭଗବାନ ନିଜ ସ୍ବରୂପରେ ସ୍ଥିତ ଏହି ଜଗତକୁ ନିଜର ତେଜରେ ହିଁ
ପ୍ରକଟ କରିଛନ୍ତି, ତାଙ୍କୁ ଆମେ
ନମସ୍କାର କରୁଛୁ | ଏହି ସମୟରେ ଧର୍ମର ରକ୍ଷା ଏକମାତ୍ର ସେ ହିଁ କରିପାରିବେ |’
ସ ଇତ୍ଥଂ ଗୃଣତଃ ପୁତ୍ରାନ୍ ପୁରୋ ଦୃଷ୍ଟ୍ୱା ପ୍ରଜାପତୀନ୍ ।
ପ୍ରଜାପତିପତିସ୍ତନ୍ୱଂ ତତ୍ୟାଜ ବ୍ରୀଡିତସ୍ତଦା ।
ତାଂ ଦିଶୋ ଜଗୃହୁର୍ଘୋରାଂ ନୀହାରଂ ଯଦ୍ୱିଦୁସ୍ତମଃ ॥ ୩୩॥
ନିଜ ପୁତ୍ର ମରୀଚି ଆଦି ପ୍ରଜାପତିମାନେ ତାଙ୍କ ସମ୍ମୁଖରେ ଏପରି
ଆକ୍ଷେପ କରୁଥିବା ଦେଖି ପ୍ରଜାପତିମାନଙ୍କର ପତି ବ୍ରହ୍ମାଜୀ ଅତ୍ୟନ୍ତ ଲଜ୍ଜିତ ହେଲେ ଏବଂ ସେହି
ମୁହୂର୍ତ୍ତରେ ସେ ତାଙ୍କର ସେହି ଶରୀରକୁ ତ୍ୟାଗ କରିଦେଲେ | ସେତେବେଳେ ସେହି ଘୋର ଶରୀରକୁ
ଦିଶାମାନେ ନିଜ ମଧ୍ୟରେ ନିଃଶେଷ କରିଦେଲେ | ତାହା ହିଁ କୁହୁଡି ଅଟେ, ଯାହାକୁ ଅନ୍ଧକାର ମଧ୍ୟ କହନ୍ତି |
କଦାଚିଦ୍ଧ୍ୟାୟତଃ ସ୍ରଷ୍ଟୁର୍ୱେଦା ଆସଂଶ୍ଚତୁର୍ମୁଖାତ୍ ।
କଥଂ ସ୍ରକ୍ଷ୍ୟାମ୍ୟହଂ ଲୋକାନ୍ ସମବେତାନ୍ୟଥା ପୁରା ॥ ୩୪॥
ଥରେ ବ୍ରହ୍ମାଜୀ ଏପରି ଚିନ୍ତା କରୁଥିଲେ, ‘ମୁଁ ପୂର୍ବ ପରି ସୁବ୍ୟବସ୍ଥିତ ରୂପରେ ସମସ୍ତ ଲୋକର ରଚନା କିପରି
କରିବି ?’, ଏହି ସମୟରେ ତାଙ୍କର ଚାରି ମୁଖରୁ ଚାରି ବେଦ ପ୍ରକଟ ହେଲେ |
ଚାତୁର୍ହୋତ୍ରଂ କର୍ମତନ୍ତ୍ରମୁପବେଦନୟୈଃ ସହ ।
ଧର୍ମସ୍ୟ ପାଦାଶ୍ଚତ୍ୱାରସ୍ତଥୈବାଶ୍ରମବୃତ୍ତୟଃ ॥ ୩୫॥
ଏତଦ୍ ବ୍ୟତିତ ଉପବେଦ,
ନ୍ୟାୟଶାସ୍ତ୍ର,
ହୋତା-ଉଦଗାତା-ଅଧ୍ବର୍ୟୁ-ବ୍ରହ୍ମା – ଏହି ଚାରି ଋତ୍ବିଜଙ୍କର କର୍ମ, ଯଜ୍ଞର ବିସ୍ତାର, ଧର୍ମର ଚାରି ଚରଣ
ଏବଂ ଚାରି ଆଶ୍ରମ ତଥା ସେମାନଙ୍କର ବୃତ୍ତି – ଏସବୁ ମଧ୍ୟ ବ୍ରହ୍ମାଙ୍କ ମୁଖରୁ ଉତ୍ପନ୍ନ ହେଲେ |
ବିଦୁର ଉବାଚ
ସ ବୈ ବିଶ୍ୱସୃଜାମୀଶୋ ବେଦାଦୀନ୍ ମୁଖତୋଽସୃଜତ୍ ।
ଯଦ୍ୟଦ୍ୟେନାସୃଜଦ୍ଦେବସ୍ତନ୍ମେ ବ୍ରୂହି ତପୋଧନ ॥ ୩୬॥
ବିଦୁର ପଚାରିଲେ – ହେ ତପୋଧନ ! ବିଶ୍ବରଚୟିତାଙ୍କର ସ୍ବାମୀ ବ୍ରହ୍ମାଜୀ ଯେତେବେଳେ ନିଜ ମୁଖରୁ ଏହିସବୁ ବେଦାଦି ପ୍ରକଟ କଲେ, ସେତେବେଳେ ସେ ନିଜର କେଉଁ ମୁଖରୁ କେଉଁ ବସ୍ତୁ ଉତ୍ପନ୍ନ କଲେ – ଆପଣ କୃପା କରି ମୋତେ
କହନ୍ତୁ |
ମୈତ୍ରେୟ ଉବାଚ
ଋଗ୍ୟଜୁଃସାମାଥର୍ୱାଖ୍ୟାନ୍ ବେଦାନ୍ ପୂର୍ୱାଦିଭିର୍ମୁଖୈଃ ।
ଶାସ୍ତ୍ରମିଜ୍ୟାଂ ସ୍ତୁତିସ୍ତୋମଂ ପ୍ରାୟଶ୍ଚିତ୍ତଂ ବ୍ୟଧାତ୍କ୍ରମାତ୍
॥ ୩୭॥
ମୈତ୍ରେୟ କହିଲେ – ହେ ବିଦୁର ! ବ୍ରହ୍ମା ନିଜର ପୂର୍ବ, ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର
ମୁଖରୁ ଯଥାକ୍ରମେ ଋକ୍, ଯଜୁଃ, ସାମ ଏବଂ ଅଥର୍ବବେଦର
ରଚନା ତଥା ଏହି କ୍ରମରେ ଶସ୍ତ୍ର (ହୋତାର କର୍ମ), ଇଜ୍ୟା (ଅଧ୍ବର୍ୟୁଙ୍କ କର୍ମ), ସ୍ତୁତିସ୍ତୋମ
(ଉଦଗାତାଙ୍କ କର୍ମ) ଏବଂ ପ୍ରାୟଶ୍ଚିତ (ବ୍ରହ୍ମାଙ୍କର କର୍ମ) – ଏହି ଚାରୋଟିର ରଚନା କଲେ |
ଆୟୁର୍ୱେଦଂ ଧନୁର୍ୱେଦଂ ଗାନ୍ଧର୍ୱଂ ବେଦମାତ୍ମନଃ ।
ସ୍ଥାପତ୍ୟଂ ଚାସୃଜଦ୍ୱେଦଂ କ୍ରମାତ୍ପୂର୍ୱାଦିଭିର୍ମୁଖୈଃ ॥ ୩୮॥
ସେହିପରି ଆୟୁର୍ବେଦ (ଚିକିତ୍ସାଶାସ୍ତ୍ର), ଧନୁର୍ବେଦ
(ଶସ୍ତ୍ରବିଦ୍ୟା), ଗନ୍ଧର୍ବବେଦ (ସଂଗୀତଶାସ୍ତ୍ର) ଏବଂ ସ୍ଥାପତ୍ୟବେଦ (ଶିଳ୍ପବିଦ୍ୟା) – ଏହି
ଚାରି ଉପବେଦକୁ ମଧ୍ୟ କ୍ରମଶଃ ସେହି ପୂର୍ବାଦି ମୁଖମାନଙ୍କରୁ ହିଁ ଉତ୍ପନ୍ନ କଲେ |
ଇତିହାସପୁରାଣାନି ପଞ୍ଚମଂ ବେଦମୀଶ୍ୱରଃ ।
ସର୍ୱେଭ୍ୟ ଏବ ବକ୍ତ୍ରେଭ୍ୟଃ ସସୃଜେ ସର୍ୱଦର୍ଶନଃ ॥ ୩୯॥
ପୁନଶ୍ଚ ସର୍ବଦର୍ଶୀ ଭଗବାନ ବ୍ରହ୍ମା ନିଜ ଚାରି ମୁଖରୁ
ଇତିହାସ-ପୁରାଣରୂପ ପଞ୍ଚମ ବେଦ ରଚନା କଲେ |
ଷୋଡଶ୍ୟୁକ୍ଥୌ ପୂର୍ୱବକ୍ତ୍ରାତ୍ପୁରୀଷ୍ୟଗ୍ନିଷ୍ଟୁତାବଥ ।
ଆପ୍ତୋର୍ୟାମାତିରାତ୍ରୌ ଚ ବାଜପେୟଂ ସଗୋସବମ୍ ॥ ୪୦॥
ଏହି କ୍ରମରେ ଷୋଡଶୀ ଏବଂ ଉକ୍ଥ, ଚୟନ ଏବଂ ଅଗ୍ନିଷ୍ଟୋମ, ଆପ୍ତୋର୍ୟାମ ଏବଂ ଅତିରାତ୍ର ତଥା ବାଜପେୟ ଏବଂ ଗୋସବ – ଏହି
ଦୁଇ-ଦୁଇ ଯାଗ ମଧ୍ୟ ତାଙ୍କର ପୂର୍ବାଦି ମୁଖରୁ ହିଁ ଉତ୍ପନ୍ନ ହେଲେ |
ବିଦ୍ୟା ଦାନଂ ତପଃ ସତ୍ୟଂ ଧର୍ମସ୍ୟେତି ପଦାନି ଚ ।
ଆଶ୍ରମାଂଶ୍ଚ ଯଥାସଙ୍ଖ୍ୟମସୃଜତ୍ସହ ବୃତ୍ତିଭିଃ ॥ ୪୧॥
ବିଦ୍ୟା, ଦାନ, ତପ ଏବଂ ସତ୍ୟ – ଧର୍ମର ଏହି ଚାରି ପାଦ ଏବଂ ବୃତ୍ତିମାନଙ୍କ ସହିତ
ଚାରି ଆଶ୍ରମ ମଧ୍ୟ ଏହି କ୍ରମରେ ପ୍ରକଟ ହେଲେ |
ସାବିତ୍ରଂ ପ୍ରାଜାପତ୍ୟଂ ଚ ବ୍ରାହ୍ମଂ ଚାଥ ବୃହତ୍ତଥା ।
ବାର୍ତାସଞ୍ଚୟଶାଲୀନଶିଲୋଞ୍ଛ ଇତି ବୈ ଗୃହେ ॥ ୪୨॥
ସାବିତ୍ର, ପ୍ରାଜାପତ୍ୟ,
ବ୍ରାହ୍ମ ଏବଂ ବୃହତ୍ – ଏହି ଚାରୋଟି ବୃତ୍ତି ବ୍ରହ୍ମଚାରୀଙ୍କର ତଥା ବାର୍ତା, ସଞ୍ଚୟ, ଶାଳୀନ ଏବଂ ଶିଳୋଞ୍ଛ – ଏହି ଚାରି ବୃତ୍ତି ଗୃହସ୍ଥମାନଙ୍କର ଅଟେ |
ବୈଖାନସା ବାଲଖିଲ୍ୟୌଦୁମ୍ବରାଃ ଫେନପା ବନେ ।
ନ୍ୟାସେ କୁଟୀଚକଃ ପୂର୍ୱଂ ବହ୍ୱୋଦୋ ହଂସନିଷ୍କ୍ରିୟୌ ॥ ୪୩॥
ଏହିପରି ବୃତ୍ତିଭେଦରେ ବୈଖାନସ,
ବାଲଖିଲ୍ୟ, ଔଦୁମ୍ବର ଏବଂ ଫେନପ – ଏହି ଚାରି ଭେଦ ବାନପ୍ରସ୍ଥର ତଥା କୁଟୀଚକ, ବହୂଦକ, ହଂସ ଏବଂ ନିଷ୍କ୍ରିୟ (ପରମହଂସ) – ଏହି ଚାରି ଭେଦ ସନ୍ୟାସୀମାନଙ୍କର
ଅଟେ |
ଆନ୍ୱୀକ୍ଷିକୀ ତ୍ରୟୀ ବାର୍ତା ଦଣ୍ଡନୀତିସ୍ତଥୈବ ଚ ।
ଏବଂ ବ୍ୟାହୃତୟଶ୍ଚାସନ୍ ପ୍ରଣବୋ ହ୍ୟସ୍ୟ ଦହ୍ରତଃ ॥ ୪୪॥
ଏହି କ୍ରମରେ ଆନ୍ବୀକ୍ଷିକୀ, ତ୍ରୟୀ, ବାର୍ତା ଏବଂ ଦଣ୍ଡନୀତି – ଏହି
ଚାରି ବିଦ୍ୟା ତଥା ଚାରି ବ୍ୟାହୁତି ମଧ୍ୟ ବ୍ରହ୍ମାଙ୍କର ଚାରି ମୁଖରୁ ଉତ୍ପନ୍ନ ହେଲା ତଥା
ତାଙ୍କ ହୃଦୟାକାଶରୁ ଔଁକାର ପ୍ରକଟ ହେଲା |
ତସ୍ୟୋଷ୍ଣିଗାସୀଲ୍ଲୋମଭ୍ୟୋ ଗାୟତ୍ରୀ ଚ ତ୍ୱଚୋ ବିଭୋଃ ।
ତ୍ରିଷ୍ଟୁମ୍ମାଂସାତ୍ସ୍ନୁତୋଽନୁଷ୍ଟୁବ୍ଜଗତ୍ୟସ୍ଥ୍ନଃ ପ୍ରଜାପତେଃ ॥
୪୫॥
ମଜ୍ଜାୟାଃ ପଙ୍କ୍ତିରୁତ୍ପନ୍ନା ବୃହତୀ ପ୍ରାଣତୋଽଭବତ୍ ।
ସ୍ପର୍ଶସ୍ତସ୍ୟାଭବଜ୍ଜୀବଃ ସ୍ୱରୋ ଦେହ ଉଦାହୃତଃ ॥ ୪୬॥
ତାଙ୍କର ରୋମରୁ ଉଷ୍ଣିକ୍, ତ୍ବଚାରୁ ଗାୟତ୍ରୀ, ମାଂସରୁ ତ୍ରିଷ୍ଟୁପ୍, ସ୍ନାୟୁରୁ ଅନୁଷ୍ଟୁପ୍, ଅସ୍ଥିରୁ ଜଗତୀ,
ମଜ୍ଜାରୁ ପଂକ୍ତି ଏବଂ ପ୍ରାଣରୁ ବୃହତୀ ଛନ୍ଦ ଉତ୍ପନ୍ନ ହେଲା | ଏହିପରି ହିଁ ତାଙ୍କର ଜୀବ
ସ୍ପର୍ଶବର୍ଣ୍ଣ (କବର୍ଗାଦି ପଞ୍ଚବର୍ଗ) ଏବଂ ଦେହ ସ୍ବରବର୍ଣ୍ଣ (ଅକାରାଦି) ବୋଲାଇଲା |
ଊଷ୍ମାଣମିନ୍ଦ୍ରିୟାଣ୍ୟାହୁରନ୍ତଃସ୍ଥା ବଲମାତ୍ମନଃ ।
ସ୍ୱରାଃ ସପ୍ତବିହାରେଣ ଭବନ୍ତି ସ୍ମ ପ୍ରଜାପତେଃ ॥ ୪୭॥
ତାଙ୍କର ଇନ୍ଦ୍ରିୟମାନଙ୍କୁ ଊଷ୍ମବର୍ଣ୍ଣ (ଶ ଷ ସ ହ) ଏବଂ ବଳକୁ ଅନ୍ତଃସ୍ଥ
(ଯ ର ଳ ବ) କହନ୍ତି | ତାଙ୍କ କ୍ରୀଡାରୁ ନିଷାଦ, ଋଷଭ, ଗାନ୍ଧାର, ଷଡଜ, ମଧ୍ୟମ, ଧୈବତ ଏବଂ ପଞ୍ଚମ –
ଏହି ସାତ ସ୍ବର ଉତ୍ପନ୍ନ ହେଲେ |
ଶବ୍ଦବ୍ରହ୍ମାତ୍ମନସ୍ତସ୍ୟ ବ୍ୟକ୍ତାବ୍ୟକ୍ତାତ୍ମନଃ ପରଃ ।
ବ୍ରହ୍ମାବଭାତି ବିତତୋ ନାନାଶକ୍ତ୍ୟୁପବୃଂହିତଃ ॥ ୪୮॥
ହେ ନମସ୍ୟ ! ବ୍ରହ୍ମାଜୀ ଶବ୍ଦବ୍ରହ୍ମସ୍ବରୂପ ଅଟନ୍ତି | ସେ
ବୈଖାରୀରୂପରେ ବ୍ୟକ୍ତ ଏବଂ ଔଁକାରାଦି ରୂପରେ ଅବ୍ୟକ୍ତ ଅଟନ୍ତି | ତଥା ତାଙ୍କଠାରୁ ଉର୍ଦ୍ଧ୍ବରେ
ଯିଏ ସର୍ବତ୍ର ପରିପୂର୍ଣ୍ଣ ପରବ୍ରହ୍ମ ଅଟନ୍ତି,
ସେ ହିଁ ଅନେକ ପ୍ରକାର ଶକ୍ତିରେ ବିକଶିତ ହୋଇ ଇନ୍ଦ୍ରାଦି ରୂପରେ ପ୍ରତୀତ ହେଉଛନ୍ତି |
ତତୋଽପରାମୁପାଦାୟ ସ ସର୍ଗାୟ ମନୋ ଦଧେ ।
ଋଷୀଣାଂ ଭୂରିବୀର୍ୟାଣାମପି ସର୍ଗମବିସ୍ତୃତମ୍ ॥ ୪୯॥
ଜ୍ଞାତ୍ୱା ତଦ୍ଧୃଦୟେ ଭୂୟଶ୍ଚିନ୍ତୟାମାସ କୌରବ ।
ଅହୋ ଅଦ୍ଭୁତମେତନ୍ମେ ବ୍ୟାପୃତସ୍ୟାପି ନିତ୍ୟଦା ॥ ୫୦॥
ନ ହ୍ୟେଧନ୍ତେ ପ୍ରଜା ନୂନଂ ଦୈବମତ୍ର ବିଘାତକମ୍ ।
ଏବଂ ଯୁକ୍ତକୃତସ୍ତସ୍ୟ ଦୈବଂ ଚାବେକ୍ଷତସ୍ତଦା ॥ ୫୧॥
କସ୍ୟ ରୂପମଭୂଦ୍ଦ୍ୱେଧା ଯତ୍କାୟମଭିଚକ୍ଷତେ ।
ତାଭ୍ୟାଂ ରୂପବିଭାଗାଭ୍ୟାଂ ମିଥୁନଂ ସମପଦ୍ୟତ ॥ ୫୨॥
ହେ ବିଦୁର ! ବ୍ରହ୍ମାଜୀ ତାଙ୍କର ପୂର୍ବର କାମାସକ୍ତ ଶରୀର ଯାହା
କୁହୁଡି ହୋଇ ଯାଇଥିଲା, ତାହାକୁ ତ୍ୟାଗ କରିବା ପରେ ଅନ୍ୟ ଏକ ଶରୀର ଧାରଣ କରି ବିଶ୍ବବିସ୍ତାରର
ବିଚାର କଲେ; ସେ ଦେଖିଥିଲେ ଯେ ମରୀଚି ଆଦି ମହାନ୍ ଶକ୍ତିଶାଳୀ ଋଷିମାନଙ୍କ ଦ୍ବାରା ମଧ୍ୟ
ସୃଷ୍ଟିର ବିସ୍ତାର ଅଧିକ ହୋଇନାହିଁ, ତେଣୁ ସେ ମନେ-ମନେ ପୁନର୍ବାର
ଚିନ୍ତା କରିବାରେ ଲାଗିଲେ – ‘ହାୟ ! ବଡ ଆଶ୍ଚର୍ଯ୍ୟର କଥା,
ମୋର ନିରନ୍ତର ପ୍ରୟାସ ସତ୍ତ୍ବେ ବି ପ୍ରଜାମାନଙ୍କର ବୃଦ୍ଧି ହେଉନାହିଁ | ଯାହା ଜଣାପଡୁଛି, ନିୟତି ହିଁ ଏଥିରେ କିଛି ବିଘ୍ନ ଉତ୍ପନ୍ନ କରୁଛି |’ ଯେଉଁ ସମୟରେ
ଯଥୋଚିତ କ୍ରିୟା କରୁଥିବା ବ୍ରହ୍ମାଜୀ ନିୟତିକୁ ଏହିପରି ଦୋଷ ଦେଉଥିଲେ, ସେହି ସମୟରେ ଅକସ୍ମାତ୍ ତାଙ୍କର ଶରୀର ଦୁଇ ଭାଗ ହୋଇଗଲା | ‘କ’ ବ୍ରହ୍ମାଙ୍କର ନାମ ଅଟେ ଏବଂ ତାଙ୍କଠାରୁ ବିଭକ୍ତ ହୋଇଥିବା କାରଣରୁ
ଶରୀରର ଅନ୍ୟ ନାମ ‘କାୟ’ ଅଟେ | ସେହି ଦୁଇ
ବିଭାଗରୁ ଏକ ସ୍ତ୍ରୀ-ପୁରୁଷ ଯୁଗଳ ପ୍ରକଟ ହେଲେ |
ଯସ୍ତୁ ତତ୍ର ପୁମାନ୍ ସୋଽଭୂନ୍ମନୁଃ ସ୍ୱାୟମ୍ଭୁବଃ ସ୍ୱରାଟ୍ ।
ସ୍ତ୍ରୀ ଯାଽଽସୀଚ୍ଛତରୂପାଽଽଖ୍ୟା ମହିଷ୍ୟସ୍ୟ ମହାତ୍ମନଃ ॥ ୫୩॥
ତନ୍ମଧ୍ୟରୁ ଯିଏ ପୁରୁଷ ଥିଲେ,
ସେ ସାର୍ବଭୌମ ସମ୍ରାଟ୍ ସ୍ବାୟମ୍ଭୂବ ମନୁ ହେଲେ ଏବଂ ଯିଏ ସ୍ତ୍ରୀ ଥିଲେ, ସେ ତାଙ୍କର ମହାରାଣୀ ଶତରୂପା ହେଲେ |
ତଦା ମିଥୁନଧର୍ମେଣ ପ୍ରଜା ହ୍ୟେଧାମ୍ବଭୂବିରେ ।
ସ ଚାପି ଶତରୂପାୟାଂ ପଞ୍ଚାପତ୍ୟାନ୍ୟଜୀଜନତ୍ ॥ ୫୪॥
ସେହିଦିନ ଠାରୁ ମୈଥୁନଧର୍ମ (ସ୍ତ୍ରୀ-ପୁରୁଷ ସମ୍ଭୋଗ) ବଳରେ ପ୍ରଜା
ବୃଦ୍ଧି ହେବାରେ ଲାଗିଲା | ଶତରୂପାଙ୍କଠାରୁ ମହାରାଜ ସ୍ବାୟମ୍ଭୂବ ମନୁ ପାଞ୍ଚଟି ସନ୍ତାନ
ଉତ୍ପନ୍ନ କଲେ |
ପ୍ରିୟବ୍ରତୋତ୍ତାନପାଦୌ ତିସ୍ରଃ କନ୍ୟାଶ୍ଚ ଭାରତ ।
ଆକୂତିର୍ଦେବହୂତିଶ୍ଚ ପ୍ରସୂତିରିତି ସତ୍ତମ ॥ ୫୫॥
ହେ ସାଧୁଶିରୋମଣି ବିଦୁର ! ତନ୍ମଧ୍ୟରୁ ପ୍ରିୟବ୍ରତ ଏବଂ ଉତ୍ତାନପାଦ ତାଙ୍କର
ଦୁଇ ପୁତ୍ର ଥିଲେ ତଥା ଆକୂତି, ଦେବହୂତି ଏବଂ
ପ୍ରସୂତି ତିନି କନ୍ୟା ଥିଲେ |
ଆକୂତିଂ ରୁଚୟେ ପ୍ରାଦାତ୍କର୍ଦମାୟ ତୁ ମଧ୍ୟମାମ୍ ।
ଦକ୍ଷାୟାଦାତ୍ପ୍ରସୂତିଂ ଚ ଯତ ଆପୂରିତଂ ଜଗତ୍ ॥ ୫୬॥
ମନୁ ମହାରାଜ ଆକୂତିଙ୍କର ବିବାହ ରୁଚି ପ୍ରଜାପତିଙ୍କ ସହିତ କଲେ,
ମଧ୍ୟମା କନ୍ୟା ଦେବହୂତିଙ୍କୁ କର୍ଦମ ମୁନିଙ୍କୁ ଏବଂ କନିଷ୍ଠା ପ୍ରସୂତିଙ୍କୁ ଦକ୍ଷ
ପ୍ରଜାପତିଙ୍କୁ ଦେଲେ | ଏହି ତିନି କନ୍ୟାଙ୍କର ସନ୍ତତିମାନଙ୍କ ଦ୍ବାରା ସାରା ସଂସାର ଭରିଗଲା |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାନ୍ତୃତୀୟସ୍କନ୍ଧେ ଦ୍ୱାଦଶୋଽଧ୍ୟାୟଃ ॥ ୧୨॥

Comments
Post a Comment