ଶ୍ରୀମଦ୍ ଭାଗବତ ମହାପୁରାଣ
॥ ଓଁ ନମୋ ଭଗବତେ ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ତ୍ରୟୋଦଶ ଅଧ୍ୟାୟ
ବରାହ ଅବତାର କଥା
ଶ୍ରୀଶୁକ ଉବାଚ
ନିଶମ୍ୟ ବାଚଂ ବଦତୋ ମୁନେଃ ପୁଣ୍ୟତମାଂ ନୃପ ।
ଭୂୟଃ ପପ୍ରଚ୍ଛ କୌରବ୍ୟୋ ବାସୁଦେବକଥାଦୃତଃ ॥ ୧॥
ଶ୍ରୀ ଶୁକଦେବ କହୁଛନ୍ତି – ହେ ରାଜନ୍ ! ମୁନିବର ମୈତ୍ରେୟଙ୍କ ମୁଖରୁ
ଏହି ପରମ ପୁଣ୍ୟମୟୀ କଥା ଶୁଣି ବିଦୁର ପୁଣି ପ୍ରଶ୍ନ କରିବାରେ ଲାଗିଲେ; କାରଣ ଭଗବାନଙ୍କ ଲୀଳାକଥାରେ ତାଙ୍କର ଅତ୍ୟନ୍ତ ଅନୁରାଗ ହୋଇ
ଯାଇଥିଲା |
ବିଦୁର ଉବାଚ
ସ ବୈ ସ୍ୱାୟମ୍ଭୁବଃ ସମ୍ରାଟ୍ ପ୍ରିୟଃ ପୁତ୍ରଃ ସ୍ୱୟମ୍ଭୁବଃ ।
ପ୍ରତିଲଭ୍ୟ ପ୍ରିୟାଂ ପତ୍ନୀଂ କିଂ ଚକାର ତତୋ ମୁନେ ॥ ୨॥
ବିଦୁର ପଚାରିଲେ – ହେ ମୁନିବର ! ସ୍ବୟମ୍ଭୂ ବ୍ରହ୍ମାଙ୍କର ପ୍ରିୟ
ପୁତ୍ର ମହାରାଜ ସ୍ବାୟମ୍ଭୂବ ମନୁ ନିଜ ପ୍ରିୟ ପତ୍ନୀ ଶତରୂପାଙ୍କୁ ପାଇବା ପରେ କ’ଣ କଲେ ?
ଚରିତଂ ତସ୍ୟ ରାଜର୍ଷେରାଦିରାଜସ୍ୟ ସତ୍ତମ ।
ବ୍ରୂହି ମେ ଶ୍ରଦ୍ଦଧାନାୟ ବିଷ୍ୱକ୍ସେନାଶ୍ରୟୋ ହ୍ୟସୌ ॥ ୩॥
ଆପଣ ସାଧୁଶିରୋମଣି ଅଟନ୍ତି | ଆପଣ ମୋତେ ଆଦିରାଜ ରାଜର୍ଷି
ସ୍ବାୟମ୍ଭୂବ ମନୁଙ୍କର ପବିତ୍ର ଚରିତ୍ର ଶୁଣାନ୍ତୁ | ସେ ଶ୍ରୀବିଷ୍ଣୁଭଗବାନଙ୍କର ଶରଣାପନ୍ନ
ଥିଲେ, ତେଣୁ ତାଙ୍କର
ଚରିତ୍ର ଶୁଣିବାରେ ମୋର ଶ୍ରଦ୍ଧା ଜାତ ହୋଇଛି |
ଶ୍ରୁତସ୍ୟ ପୁଂସାଂ ସୁଚିରଶ୍ରମସ୍ୟ
ନନ୍ୱଞ୍ଜସା ସୂରିଭିରୀଡିତୋଽର୍ଥଃ ।
ଯତ୍ତଦ୍ଗୁଣାନୁଶ୍ରବଣଂ ମୁକୁନ୍ଦ-
ପାଦାରବିନ୍ଦଂ ହୃଦୟେଷୁ ଯେଷାମ୍ ॥ ୪॥
ଯାହାର ହୃଦୟରେ ଶ୍ରୀମୁକୁନ୍ଦଙ୍କର ଚରଣାରବିନ୍ଦ ବିରାଜମାନ କରିଥାଏ, ସେହି ଭକ୍ତଜନଙ୍କର ଗୁଣ ଶ୍ରବଣ କରିବା ହିଁ ମନୁଷ୍ୟର ବହୁତ ଦିନଯାଏଁ
କରାଯାଇ ଥିବା ଶାସ୍ତ୍ରାଭ୍ୟାସ ଶ୍ରମର ମୁଖ୍ୟ ଫଳ ଅଟେ; ଏହା ବିଦ୍ବାନମାନଙ୍କର ଶ୍ରେଷ୍ଠ ମତ ଅଟେ
|
ଶ୍ରୀଶୁକ ଉବାଚ
ଇତି ବ୍ରୁବାଣଂ ବିଦୁରଂ ବିନୀତଂ
ସହସ୍ରଶୀର୍ଷ୍ଣଶ୍ଚରଣୋପଧାନମ୍ ।
ପ୍ରହୃଷ୍ଟରୋମା ଭଗବତ୍କଥାୟାଂ
ପ୍ରଣୀୟମାନୋ ମୁନିରଭ୍ୟଚଷ୍ଟ ॥ ୫॥
ଶ୍ରୀ ଶୁକଦେବ କହୁଛନ୍ତି – ହେ ରାଜନ୍ ! ବିଦୁରଜୀ ସହସ୍ରଶୀର୍ଷ
ଭଗବାନ ଶ୍ରୀହରିଙ୍କର ଚରଣାଶ୍ରିତ ଭକ୍ତ ଥିଲେ | ସେ ଯେତେବେଳେ ବିନୟପୂର୍ବକ ଭଗବାନଙ୍କର କଥା
ନିମନ୍ତେ ପ୍ରେରିତ କଲେ, ସେତେବେଳେ ମୁନିବର
ମୈତ୍ରେୟଙ୍କର ଲୋମମୂଳ ପୁଲକିତ ହୋଇ ଉଠିଲା | ସେ କହିଲେ -
ମୈତ୍ରେୟ ଉବାଚ
ଯଦା ସ୍ୱଭାର୍ୟଯା ସାକଂ ଜାତଃ ସ୍ୱାୟମ୍ଭୁବୋ ମନୁଃ ।
ପ୍ରାଞ୍ଜଲିଃ ପ୍ରଣତଶ୍ଚେଦଂ ବେଦଗର୍ଭମଭାଷତ ॥ ୬॥
ମୈତ୍ରେୟ କହିବାରେ ଲାଗିଲେ – ଯେତେବେଳେ ନିଜ ପତ୍ନୀ ଶତରୂପାଙ୍କ
ସହିତ ସ୍ବାୟମ୍ଭୂବ ମନୁଙ୍କର ଜନ୍ମ ହେଲା, ସେ ଅତ୍ୟନ୍ତ
ନମ୍ରତାର ସହିତ ହାତ ଯୋଡି ବ୍ରହ୍ମାଜୀଙ୍କୁ କହିଲେ -
ତ୍ୱମେକଃ ସର୍ୱଭୂତାନାଂ ଜନ୍ମକୃଦ୍ୱୃତ୍ତିଦଃ ପିତା ।
ଅଥାପି ନଃ ପ୍ରଜାନାଂ ତେ ଶୁଶ୍ରୂଷା କେନ ବା ଭବେତ୍ ॥ ୭॥
ଭଗବନ୍ ! ଏକମାତ୍ର ଆପଣ ହିଁ ସମସ୍ତ ଜୀବଙ୍କର ଜନ୍ମଦାତା ଏବଂ ଜୀବିକା
ପ୍ରଦାନକାରୀ ପିତା ଅଟନ୍ତି | ଆପଣଙ୍କର ସନ୍ତାନ ଭାବରେ ଆମେ ଏପରି କେଉଁ କର୍ମ କରିବା ଉଚିତ୍, ଯଦ୍ବାରା ଆମେ ଆପଣଙ୍କର ସେବା କରିପାରିବୁ ?
ତଦ୍ୱିଧେହି ନମସ୍ତୁଭ୍ୟଂ କର୍ମସ୍ୱୀଡ୍ୟାତ୍ମଶକ୍ତିଷୁ ।
ଯତ୍କୃତ୍ୱେହ ଯଶୋ ବିଷ୍ୱଗମୁତ୍ର ଚ ଭବେଦ୍ଗତିଃ ॥ ୮॥
ହେ ପୂଜ୍ୟପାଦ ! ଆମେ ଆପଣଙ୍କୁ ନମସ୍କାର କରୁଛୁ | ଆପଣ ଆମ୍ଭେମାନେ
କରିପାରିବା ଯୋଗ୍ୟ ଯେ କୌଣସି କାର୍ଯ୍ୟ କରିବା ନିମନ୍ତେ ଆମକୁ ଆଜ୍ଞା ଦିଅନ୍ତୁ, ଯଦ୍ବାରା ଇହଲୋକରେ ସର୍ବତ୍ର ଆମର କୀର୍ତ୍ତି ହେବ ଏବଂ ପରଲୋକରେ
ଆମକୁ ସଦଗତି ମିଳିବ |
ବ୍ରହ୍ମୋବାଚ
ପ୍ରୀତସ୍ତୁଭ୍ୟମହଂ ତାତ ସ୍ୱସ୍ତି ସ୍ତାଦ୍ୱାଂ କ୍ଷିତୀଶ୍ୱର ।
ଯନ୍ନିର୍ୱ୍ୟଲୀକେନ ହୃଦା ଶାଧି ମେଽତ୍ୟାତ୍ମନାର୍ପିତମ୍ ॥ ୯॥
ବ୍ରହ୍ମା କହିଲେ – ହେ ପୃଥିବୀପତି ! ତୁମ ଦୁହିଁଙ୍କର କଲ୍ୟାଣ ହେଉ |
ମୁଁ ତୁମ ପ୍ରତି ଅତ୍ୟନ୍ତ ପ୍ରସନ୍ନ ଅଟେ, କାରଣ ତୁମେ ନିଷ୍କପଟ
ଭାବରେ “ମୋତେ ଆଜ୍ଞା ଦିଅନ୍ତୁ” ଏପରି କହି ମୋଠାରେ ଆତ୍ମସମର୍ପଣ କରିଛ |
ଏତାବତ୍ୟାତ୍ମଜୈର୍ୱୀର କାର୍ୟା ହ୍ୟପଚିତିର୍ଗୁରୌ ।
ଶକ୍ତ୍ୟାପ୍ରମତ୍ତୈର୍ଗୃହ୍ୟେତ ସାଦରଂ ଗତମତ୍ସରୈଃ ॥ ୧୦॥
ହେ ବୀର ! ପୁତ୍ର ନିଜ ପିତାଙ୍କର ଏହିପରି ଭାବରେ ପୂଜା କରିବା ଉଚିତ୍
| ଅନ୍ୟ କାହା ପ୍ରତି ଈର୍ଷ୍ୟା ଭାବ ନ ରଖି ଯେତେଦୂର ସମ୍ଭବ ସେ ପିତାଙ୍କର ଆଜ୍ଞାକୁ ଆଦରପୂର୍ବକ
ସାବଧାନ ସହକାରେ ପାଳନ କରିବା ଉଚିତ୍ |
ସ ତ୍ୱମସ୍ୟାମପତ୍ୟାନି ସଦୃଶାନ୍ୟାତ୍ମନୋ ଗୁଣୈଃ ।
ଉତ୍ପାଦ୍ୟ ଶାସ ଧର୍ମେଣ ଗାଂ ଯଜ୍ଞୈଃ ପୁରୁଷଂ ଯଜ ॥ ୧୧॥
ତୁମେ ନିଜର ଏହି ପତ୍ନୀଙ୍କଠାରୁ ନିଜ ପରି ଗୁଣବତୀ ସନ୍ତତି ଉତ୍ପନ୍ନ
କରି ଧର୍ମପୂର୍ବକ ପୃଥିବୀର ପାଳନ କର ଏବଂ ଯଜ୍ଞ ଦ୍ବାରା ଶ୍ରୀହରିଙ୍କର ଆରାଧନା କର |
ପରଂ ଶୁଶ୍ରୂଷଣଂ ମହ୍ୟଂ ସ୍ୟାତ୍ପ୍ରଜାରକ୍ଷୟା ନୃପ ।
ଭଗବାଂସ୍ତେ ପ୍ରଜାଭର୍ତୁର୍ହୃଷୀକେଶୋଽନୁତୁଷ୍ୟତି ॥ ୧୨॥
ଯେଷାଂ ନ ତୁଷ୍ଟୋ ଭଗବାନ୍ ଯଜ୍ଞଲିଙ୍ଗୋ ଜନାର୍ଦନଃ ।
ତେଷାଂ ଶ୍ରମୋ ହ୍ୟପାର୍ଥାୟ ଯଦାତ୍ମା ନାଦୃତଃ ସ୍ୱୟମ୍ ॥ ୧୩॥
ରାଜନ୍ ! ପ୍ରଜାପାଳନ ଦ୍ବାରା ମୋର ବହୁତ ବଡ ସେବା ହେବ ଏବଂ ତୁମକୁ
ପ୍ରଜାପାଳନ କରୁଥିବା ଦେଖି ଭଗବାନ ଶ୍ରୀହରି ମଧ୍ୟ ତୁମ ପ୍ରତି ପ୍ରସନ୍ନ ହେବେ | ଯାହା ପ୍ରତି
ଯଜ୍ଞମୂର୍ତ୍ତି ଜନାର୍ଦନ ଭଗବାନ ପ୍ରସନ୍ନ ହୁଅନ୍ତି ନାହିଁ,
ତାଙ୍କର ସବୁ ଶ୍ରମ ବ୍ୟର୍ଥ ହିଁ ହୋଇଥାଏ; କାରଣ ଏକ ପ୍ରକାରେ ସେ ତ ନିଜ ଆତ୍ମାର ହିଁ ଅନାଦର
କରିଥାଆନ୍ତି |
ମନୁରୁବାଚ
ଆଦେଶେଽହଂ ଭଗବତୋ ବର୍ତେୟାମୀବସୂଦନ ।
ସ୍ଥାନଂ ତ୍ୱିହାନୁଜାନୀହି ପ୍ରଜାନାଂ ମମ ଚ ପ୍ରଭୋ ॥ ୧୪॥
ମନୁ କହିଲେ – ହେ ପାପନାଶକାରୀ ପିତାଜୀ ! ମୁଁ ନିଶ୍ଚିତ ଭାବରେ
ଆପଣଙ୍କ ଆଜ୍ଞା ପାଳନ କରିବି; କିନ୍ତୁ ଏହି ଜଗତରେ
ଆପଣ ମୋର ଏବଂ ମୋ ପ୍ରଜାମାନଙ୍କର ବାସ କରିବା ନିମନ୍ତେ ଉପଯୁକ୍ତ ସ୍ଥାନ ନିର୍ଦ୍ଦେଶ କରନ୍ତୁ |
ଯଦୋକଃ ସର୍ୱସତ୍ତ୍ୱାନାଂ ମହୀ ମଗ୍ନା ମହାମ୍ଭସି ।
ଅସ୍ୟା ଉଦ୍ଧରଣେ ଯତ୍ନୋ ଦେବ ଦେବ୍ୟା ବିଧୀୟତାମ୍ ॥ ୧୫॥
ହେ ଦେବ ! ଜୀବର ନିବାସସ୍ଥାନ ପୃଥିବୀ ବର୍ତ୍ତମାନ ପ୍ରଳୟ ଜଳରେ ପ୍ଲାବିତ
ରହିଛି | ଆପଣ ସେହି ଦେବୀଙ୍କର ଉଦ୍ଧାର ନିମନ୍ତେ ପ୍ରଯତ୍ନ କରନ୍ତୁ |
ମୈତ୍ରେୟ ଉବାଚ
ପରମେଷ୍ଠୀ ତ୍ୱପାଂ ମଧ୍ୟେ ତଥା ସନ୍ନାମବେକ୍ଷ୍ୟ ଗାମ୍ ।
କଥମେନାଂ ସମୁନ୍ନେଷ୍ୟ ଇତି ଦଧ୍ୟୌ ଧିୟା ଚିରମ୍ ॥ ୧୬॥
ମୈତ୍ରେୟ କହିଲେ – ପୃଥିବୀକୁ ଏହିପରି ଭାବରେ ଅଥାହ ଜଳରେ ଡୁବି
ରହିଥିବା ଦେଖି ବ୍ରହ୍ମାଜୀ ବହୁତ ସମୟ ମନେ-ମନେ ଚିନ୍ତା କଲେ, ‘ଏହାକୁ କିପରି ବାହାର କରିବି’
|
ସୃଜତୋ ମେ କ୍ଷିତିର୍ୱାର୍ଭିଃ ପ୍ଲାବ୍ୟମାନା ରସାଂ ଗତା ।
ଅଥାତ୍ର କିମନୁଷ୍ଠେୟମସ୍ମାଭିଃ ସର୍ଗୟୋଜିତୈଃ ।
ଯସ୍ୟାହଂ ହୃଦୟାଦାସଂ ସ ଈଶୋ ବିଦଧାତୁ ମେ ॥ ୧୭॥
ମୁଁ ଲୋକରଚନାରେ ବ୍ୟସ୍ତ ରହିଥିବା ବେଳେ ପୃଥିବୀ ଜଳ ପ୍ଲାବିତ ହୋଇ
ରସାତଳକୁ ଚାଲିଗଲା | କିନ୍ତୁ ଆମ୍ଭେମାନେ ତ ସୃଷ୍ଟିକାର୍ଯ୍ୟରେ ନିଯୁକ୍ତ, ଏହି ଦିଗରେ ଆମେ କ’ଣ
କରିପାରିବୁ ? ଏବେ ତ ଯାହାର ସଂକଳ୍ପରୁ ମୋର ଜନ୍ମ ହୋଇଛି,
ସେହି ସର୍ବଶକ୍ତିମାନ ଶ୍ରୀହରି ହିଁ ମୋର ଏହି କାମ ପୂରା କରନ୍ତୁ |
ଇତ୍ୟଭିଧ୍ୟାୟତୋ ନାସାବିବରାତ୍ସହସାନଘ ।
ବରାହତୋକୋ ନିରଗାଦଙ୍ଗୁଷ୍ଠପରିମାଣକଃ ॥ ୧୮॥
ହେ ନିଷ୍ପାପ ବିଦୁର ! ବ୍ରହ୍ମାଜୀ ଏହିପରି ବିଚାର କରୁଥିବା ବେଳେ
ତାଙ୍କ ନାସାରନ୍ଧ୍ରରୁ ଅକସ୍ମାତ୍ ଅଙ୍ଗୁଳି ଆକାରର ଏକ ବରାହ-ଶିଶୁ ନିର୍ଗତ ହେଲା |
ତସ୍ୟାଭିପଶ୍ୟତଃ ଖସ୍ଥଃ କ୍ଷଣେନ କିଲ ଭାରତ ।
ଗଜମାତ୍ରଃ ପ୍ରବବୃଧେ ତଦଦ୍ଭୁତମଭୂନ୍ମହତ୍ ॥ ୧୯॥
ହେ ଭାରତ ! ବଡ ଆଶ୍ଚର୍ଯ୍ୟର କଥା ଏହା ଯେ ଆକାଶରେ ସ୍ଥିତ ସେହି
ବରାହ-ଶିଶୁ ବ୍ରହ୍ମାଜୀଙ୍କ ଚକ୍ଷୁ ସମ୍ମୁଖରେ ହିଁ ବିଶାଳ ରୂପ ଧାରଣ କରି କ୍ଷଣକରେ ହାତୀ ପରି
ହୋଇଗଲା |
ମରୀଚିପ୍ରମୁଖୈର୍ୱିପ୍ରୈଃ କୁମାରୈର୍ମନୁନା ସହ ।
ଦୃଷ୍ଟ୍ୱା ତତ୍ସୌକରଂ ରୂପଂ ତର୍କୟାମାସ ଚିତ୍ରଧା ॥ ୨୦॥
ସେହି ବିଶାଳ ବରାହ-ମୂର୍ତ୍ତିକୁ ଦେଖି ମରୀଚି ଆଦି ମୁନିଜନ, ସନକାଦି ଏବଂ ସ୍ବାୟମ୍ଭୂବ ମନୁଙ୍କ ସହିତ ବ୍ରହ୍ମାଜୀ ଅନେକ ପ୍ରକାରର
ବିଚାର କରିବାରେ ଲାଗିଲେ -
କିମେତତ୍ସୌକରବ୍ୟାଜଂ ସତ୍ତ୍ୱଂ ଦିବ୍ୟମବସ୍ଥିତମ୍ ।
ଅହୋ ବତାଶ୍ଚର୍ୟମିଦଂ ନାସାୟା ମେ ବିନିଃସୃତମ୍ ॥ ୨୧॥
ଆହା ! ଶୂକର ରୂପରେ ଆଜି ଏହା କେଉଁ ଦିବ୍ୟ ପ୍ରାଣୀ ଏଠାରେ ପ୍ରକଟ
ହୋଇଛି ? କିପରି ଆଶ୍ଚର୍ଯ୍ୟର କଥା, ଏବେ ଅଳ୍ପ ସମୟ
ପୂର୍ବରୁ ତ ଇଏ ମୋର ନାକରୁ ବାହାରିଲା |
ଦୃଷ୍ଟୋଽଙ୍ଗୁଷ୍ଠଶିରୋମାତ୍ରଃ କ୍ଷଣାଦ୍ଗଣ୍ଡଶିଲାସମଃ ।
ଅପି ସ୍ୱିଦ୍ଭଗବାନେଷ ଯଜ୍ଞୋ ମେ ଖେଦୟନ୍ମନଃ ॥ ୨୨॥
ପ୍ରଥମେ ଏହା ଅଙ୍ଗୁଳି ଆକାରର ଦେଖା ଯାଉଥିଲା, କିନ୍ତୁ କ୍ଷଣକରେ ହିଁ ଏହା ଶିଳା ସଦୃଶ ଭାରି ହୋଇଗଲା | ନିଶ୍ଚିତ
ଭାବରେ ଯଜ୍ଞମୂର୍ତ୍ତି ଭଗବାନ ହିଁ ଆମ୍ଭମାନଙ୍କର ମନକୁ ମୋହିତ କରୁଛନ୍ତି |
ଇତି ମୀମାଂସତସ୍ତସ୍ୟ ବ୍ରହ୍ମଣଃ ସହ ସୂନୁଭିଃ ।
ଭଗବାନ୍ ଯଜ୍ଞପୁରୁଷୋ ଜଗର୍ଜାଗେନ୍ଦ୍ରସନ୍ନିଭଃ ॥ ୨୩॥
ବ୍ରହ୍ମାଜୀ ଏବଂ ତାଙ୍କର ପୁତ୍ରମାନେ ଏହିପରି ଚିନ୍ତା କରୁଥିବା ବେଳେ
ଭଗବାନ ଯଜ୍ଞପୁରୁଷ ପର୍ବତାକାର ହୋଇ ଗର୍ଜନ କରିବାରେ ଲାଗିଲେ |
ବ୍ରହ୍ମାଣଂ ହର୍ଷୟାମାସ ହରିସ୍ତାଂଶ୍ଚ ଦ୍ୱିଜୋତ୍ତମାନ୍ ।
ସ୍ୱଗର୍ଜିତେନ କକୁଭଃ ପ୍ରତିସ୍ୱନୟତା ବିଭୁଃ ॥ ୨୪॥
ସର୍ବଶକ୍ତିମାନ ଶ୍ରୀହରି ନିଜ ଗର୍ଜନରେ ଦିଶାକୁ ପ୍ରତିଧ୍ବନିତ କରି
ବ୍ରହ୍ମା ଏବଂ ବ୍ରାହ୍ମଣମାନଙ୍କର ମନକୁ ହର୍ଷରେ ଭରିଦେଲେ |
ନିଶମ୍ୟ ତେ ଘର୍ଘରିତଂ ସ୍ୱଖେଦ-
କ୍ଷୟିଷ୍ଣୁ ମାୟାମୟସୂକରସ୍ୟ ।
ଜନସ୍ତପଃସତ୍ୟନିବାସିନସ୍ତେ
ତ୍ରିଭିଃ ପବିତ୍ରୈର୍ମୁନୟୋଽଗୃଣନ୍ ସ୍ମ ॥ ୨୫॥
ନିଜ ଚିନ୍ତା ଦୂର କରୁଥିବା ମାୟାମୟ ବରାହଭଗବାନଙ୍କର କ୍ରୋଧପୂର୍ଣ୍ଣ
ଧ୍ବନି ଶୁଣି ଜନଲୋକ, ତପଲୋକ ଏବଂ
ସତ୍ୟଲୋକନିବାସୀ ମୁନିଗଣ ବେଦତ୍ରୟର ପରମ ପବିତ୍ର ମନ୍ତ୍ର ଦ୍ବାରା ତାଙ୍କର ସ୍ତୁତି କରିବାରେ
ଲାଗିଲେ |
ତେଷାଂ ସତାଂ ବେଦବିତାନମୂର୍ତିଃ
ବ୍ରହ୍ମାବଧାର୍ୟାତ୍ମଗୁଣାନୁବାଦମ୍ ।
ବିନଦ୍ୟ ଭୂୟୋ ବିବୁଧୋଦୟାୟ
ଗଜେନ୍ଦ୍ରଲୀଲୋ ଜଲମାବିବେଶ ॥ ୨୬॥
ବେଦରେ ଭଗବାନଙ୍କ ସ୍ବରୂପର ବର୍ଣ୍ଣନା ବିସ୍ତାରପୂର୍ବକ କରାଯାଇଛି; ତେଣୁ ସେହି ମୁନୀଶ୍ବରମାନେ ଯେଉଁ ସ୍ତୁତି କଲେ, ତାହାକୁ ବେଦରୂପ ମାନି ଭଗବାନ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ
ପୁନର୍ବାର ଉଚ୍ଚ ସ୍ବରରେ ଗର୍ଜନ କରି ଦେବତାମାନଙ୍କର ହିତସାଧନ ପାଇଁ ଗଜରାଜ ସଦୃଶ ଜଳ ମଧ୍ୟରେ
ପ୍ରବେଶ କଲେ |
ଉତ୍କ୍ଷିପ୍ତବାଲଃ ଖଚରଃ କଠୋରଃ
ସଟା ବିଧୁନ୍ୱନ୍ ଖରରୋମଶତ୍ୱକ୍ ।
ଖୁରାହତାଭ୍ରଃ ସିତଦଂଷ୍ଟ୍ର ଈକ୍ଷା-
ଜ୍ୟୋତିର୍ବଭାସେ ଭଗବାନ୍ ମହୀଧ୍ରଃ ॥ ୨୭॥
ପ୍ରଥମେ ସେହି ଶୂକର ଭଗବାନ ନିଜର ପୁଚ୍ଛ ଟେକି ତୀବ୍ର ବେଗରେ ଆକାଶ
ଅଭିମୁଖରେ ଲମ୍ପ ଦେଲେ ଏବଂ ନିଜ କାନ୍ଧର ବାଳକୁ ଟାଙ୍କୁରାଇ ଖୁର ଆଘାତରେ ବାଦଲକୁ ଛିନ୍ନଭିନ୍ନ
କରିବାରେ ଲାଗିଲେ | ତାଙ୍କର ଶରୀର ଅତ୍ୟନ୍ତ କଠୋର ଥିଲା,
ତ୍ବଚାର ବାଳ ଟାଆଁସା ଥିଲା, ଦାନ୍ତ ଶ୍ବେତ
ବର୍ଣ୍ଣର ଥିଲା ଏବଂ ନେତ୍ରରୁ ତେଜ ବିକିରଣ ହେଉଥିଲା | ସେହି ସମୟରେ ତାଙ୍କର ଶୋଭା ଅନିର୍ବଚନୀୟ
ଥିଲା |
ଘ୍ରାଣେନ ପୃଥ୍ୱ୍ୟାଃ ପଦବୀଂ ବିଜିଘ୍ରନ୍
କ୍ରୋଡାପଦେଶଃ ସ୍ୱୟମଧ୍ୱରାଙ୍ଗଃ ।
କରାଲଦଂଷ୍ଟ୍ରୋଽପ୍ୟକରାଲଦୃଗ୍ଭ୍ୟା-
ମୁଦ୍ୱୀକ୍ଷ୍ୟ ବିପ୍ରାନ୍ ଗୃଣତୋଽବିଶତ୍କମ୍ ॥ ୨୮॥
ଭଗବାନ ସ୍ବୟଂ ଯଜ୍ଞପୁରୁଷ ଅଟନ୍ତି, ତଥାପି ଶୂକର ରୂପ ଧାରଣ କରିଥିବା କାରଣରୁ ସେ ନାସିକାରେ
ଶୁଂଘି-ଶୁଂଘି ପୃଥିବୀକୁ ଠାବ କରିବାରେ ଲାଗିଥିଲେ | ତାଙ୍କର ଦନ୍ତ ଅତ୍ୟନ୍ତ କଠୋର ଥିଲା |
ଏହିରୂପେ ଯଦିଓ ସେ ଅତ୍ୟଧିକ କ୍ରୂର ପ୍ରତୀତ ହେଉଥିଲେ,
ତଥାପି ନିଜର ସ୍ତୁତି କରୁଥିବା ମରୀଚି ଆଦି ମୁନିଙ୍କ ପ୍ରତି ଅତ୍ୟନ୍ତ ସୌମ୍ୟ ଦୃଷ୍ଟିରେ ଚାହିଁ
ସେ ଜଳରେ ପ୍ରବେଶ କଲେ |
ସ ବଜ୍ରକୂଟାଙ୍ଗନିପାତବେଗ-
ବିଶୀର୍ଣକୁକ୍ଷିଃ ସ୍ତନୟନ୍ନୁଦନ୍ୱାନ୍ ।
ଉତ୍ସୃଷ୍ଟଦୀର୍ଘୋର୍ମିଭୁଜୈରିବାର୍ତ-
ଶ୍ଚୁକ୍ରୋଶ ଯଜ୍ଞେଶ୍ୱର ପାହି ମେତି ॥ ୨୯॥
ପର୍ବତ ସଦୃଶ ତାଙ୍କର ବଜ୍ରମୟ କଠୋର କଳେବର ଯେତେବେଳେ ଜଳରେ ପଡିଲା, ସେତେବେଳେ ତା’ର ପ୍ରଚଣ୍ଡ ଆଘାତରେ
ମନେ ହେଲା ସତେ ଯେପରି ସମୁଦ୍ରର ପେଟ ଫାଟିଗଲା ଏବଂ ସେଥିରୁ ବାଦଲର ଘଡଘଡି ପରି ଭୀଷଣ ଶବ୍ଦ
ସୃଷ୍ଟି ହେଲା | ସେହି ସମୟରେ ଏପରି ମନେ ହେଉଥିଲା ସତେ ଯେପରି ନିଜର ଉତ୍ତାଳ ତରଙ୍ଗମାଳା ରୂପୀ
ଭୁଜ ଉଠାଇ ସେ ଅତ୍ୟନ୍ତ ଆର୍ତ୍ତସ୍ବରରେ ‘ହେ ଯଜ୍ଞେଶ୍ବର ! ମୋତେ ରକ୍ଷାକର’, ଏହିପରି ଚିତ୍କାର କରୁଛି |
ଖୁରୈଃ କ୍ଷୁରପ୍ରୈର୍ଦରୟଂସ୍ତଦାପ
ଉତ୍ପାରପାରଂ ତ୍ରିପରୂ ରସାୟାମ୍ ।
ଦଦର୍ଶ ଗାଂ ତତ୍ର ସୁଷୁପ୍ସୁରଗ୍ରେ
ଯାଂ ଜୀବଧାନୀଂ ସ୍ୱୟମଭ୍ୟଧତ୍ତ ॥ ୩୦॥
ତାପରେ ଭଗବାନ ଯଜ୍ଞମୂର୍ତ୍ତି ନିଜର ତୀର ସଦୃଶ ତୀକ୍ଷ୍ଣ ଖୁରରେ ଜଳକୁ
ଚିରି ସେହି ଅପାର ଜଳରାଶିର ନିମ୍ନଦେଶରେ ପହଞ୍ଚିଲେ | ସେଠାରେ ରସାତଳରେ ସେ ସମସ୍ତ ଜୀବଙ୍କର
ଆଶ୍ରୟଭୂତା ପୃଥିବୀକୁ ଦେଖିଲେ, ଯାହାକୁ କଳ୍ପାନ୍ତରେ
ଶୟନ ନିମନ୍ତେ ଉଦ୍ୟତ ସ୍ବୟଂ ଶ୍ରୀହରି ନିଜ ଉଦରରେ ଲୀନ କରିଦେଇ ଥିଲେ |
(ପାତାଲମୂଲେଶ୍ୱରଭୋଗସଂହତୌ
ବିନ୍ୟସ୍ୟ ପାଦୌ ପୃଥିବୀଂ ଚ ବିଭ୍ରତଃ ।
ଯସ୍ୟୋପମାନୋ ନ ବଭୂବ ସୋଽଚ୍ୟୁତୋ
ମମାସ୍ତୁ ମାଙ୍ଗଲ୍ୟବିବୃଦ୍ଧୟେ ହରିଃ ॥)
ସ୍ୱଦଂଷ୍ଟ୍ରୟୋଦ୍ଧୃତ୍ୟ ମହୀଂ ନିମଗ୍ନାଂ
ସ ଉତ୍ଥିତଃ ସଂରୁରୁଚେ ରସାୟାଃ ।
ତତ୍ରାପି ଦୈତ୍ୟଂ ଗଦୟାଽଽପତନ୍ତଂ
ସୁନାଭସନ୍ଦୀପିତତୀବ୍ରମନ୍ୟୁଃ ॥ ୩୧॥
ଜଘାନ ରୁନ୍ଧାନମସହ୍ୟବିକ୍ରମଂ
ସ ଲୀଲୟେଭଂ ମୃଗରାଡିବାମ୍ଭସି ।
ତଦ୍ରକ୍ତପଙ୍କାଙ୍କିତଗଣ୍ଡତୁଣ୍ଡୋ
ଯଥା ଗଜେନ୍ଦ୍ରୋ ଜଗତୀଂ ବିଭିନ୍ଦନ୍ ॥ ୩୨॥
ତଦନନ୍ତର ସେ ଜଳରେ ବୁଡି ରହିଥିବା ପୃଥିବୀକୁ ନିଜ ଦନ୍ତରେ ଧାରଣ କରି
ରସାତଳରୁ ଉପରକୁ ଆସିଲେ | ସେହି ସମୟରେ ତାଙ୍କର ଶୋଭା ଅନୁପମ ଥିଲା | ଜଳରୁ ବାହାରକୁ
ଆସିବା ସମୟରେ ମାର୍ଗରେ ବିଘ୍ନ ଉତ୍ପନ୍ନ କରିବା ଉଦ୍ଦେଶ୍ୟରେ ମହାପରାକ୍ରମୀ ହିରଣାକ୍ଷ ଜଳ
ଭିତରେ ହିଁ ଗଦାରେ ତାଙ୍କ ଉପରେ ଆକ୍ରମଣ କରିଥିଲା | ଏତଦ୍ବାରା ତାଙ୍କର କ୍ରୋଧ ଚକ୍ର ସଦୃଶ
ତୀକ୍ଷ୍ଣ ରୂପ ଧାରଣ କଲା ଏବଂ ସିଂହ ହାତୀକୁ ମାରିବା ପରି ସେ ଲୀଳାରେ ହିଁ ତାକୁ ବଧ କଲେ |
ସେହି ସମୟରେ ତାଙ୍କର ଥୋମଣି ତଥା କର୍ଣ୍ଣପଟଳ ତା’ର
ରକ୍ତରେ ରଂଜିତ ହୋଇ ଏପରି ପ୍ରତୀତ ହେଉଥିଲା ସତେ ଯେପରି କୌଣସି ଗଜରାଜର ଶରୀର ଲାଲ ମାଟିର
ପାହାଡରେ ଧକ୍କା ଖାଇ ରକ୍ତବର୍ଣ୍ଣ ଧାରଣ କରିଛି |
ତମାଲନୀଲଂ ସିତଦନ୍ତକୋଟ୍ୟା
କ୍ଷ୍ମାମୁତ୍କ୍ଷିପନ୍ତଂ ଗଜଲୀଲୟାଙ୍ଗ ।
ପ୍ରଜ୍ଞାୟ ବଦ୍ଧାଞ୍ଜଲୟୋଽନୁବାକୈଃ
ବିରିଞ୍ଚିମୁଖ୍ୟା ଉପତସ୍ଥୁରୀଶମ୍ ॥ ୩୩॥
ହେ ବିଦୁର ! ଗଜରାଜ ନିଜ ଦନ୍ତାଗ୍ରରେ କମଳ-ପୁଷ୍ପ ଧାରଣ କରିବା ପରି
ଶ୍ବେତବର୍ଣ୍ଣର ଦନ୍ତାଗ୍ରରେ ପୃଥିବୀକୁ ଧାରଣ କରି ଜଳରୁ ବାହାରି ଆସୁଥିବା ତମାଳ ପରି
ନୀଳବର୍ଣ୍ଣର ବରାହ ଭଗବାନଙ୍କୁ ଦେଖି ବ୍ରହ୍ମା,
ମରୀଚି ଆଦିଙ୍କର ବିଶ୍ବାସ ହୋଇଗଲା ଯେ ଇଏ ଭଗବାନ ହିଁ ଅଟନ୍ତି | ତେଣୁ ସେମାନେ ଯୋଡହସ୍ତପୂର୍ବକ
ବେଦବାକ୍ୟରେ ତାଙ୍କର ସ୍ତୁତି କରିବାରେ ଲାଗିଲେ |
ଋଷୟ ଊଚୁଃ
ଜିତଂ ଜିତଂ ତେଽଜିତୟଜ୍ଞଭାବନ
ତ୍ରୟୀଂ ତନୁଂ ସ୍ୱାଂ ପରିଧୁନ୍ୱତେ ନମଃ ।
ଯଦ୍ରୋମଗର୍ତେଷୁ ନିଲିଲ୍ୟୁରଧ୍ୱରା-
ସ୍ତସ୍ମୈ ନମଃ କାରଣସୂକରାୟ ତେ ॥ ୩୪॥
ଋଷିମାନେ କହିଲେ – ଭଗବାନ ଅଜିତ୍ ! ଆପଣଙ୍କର ଜୟ ହେଉ, ଜୟ ହେଉ | ହେ ଯଜ୍ଞପତି ! ଆପଣ ନିଜର ବେଦତ୍ରୟୀରୂପ ବିଗ୍ରହକୁ ତିରସ୍କୃତ
କରୁଛନ୍ତି, ଆପଣଙ୍କୁ ନମସ୍କାର |
ଆପଣଙ୍କ ଲୋମ-କୂପରେ ସମ୍ପୂର୍ଣ୍ଣ ଯଜ୍ଞ ଲୀନ ରହିଛି | ପୃଥିବୀକୁ ଉଦ୍ଧାର କରିବା ନିମନ୍ତେ ହିଁ
ଆପଣ ଏହି ଶୂକରରୂପ ଧାରଣ କରିଛନ୍ତି, ଆପଣଙ୍କୁ ନମସ୍କାର |
ରୂପଂ ତବୈତନ୍ନନୁ ଦୁଷ୍କୃତାତ୍ମନାଂ
ଦୁର୍ଦର୍ଶନଂ ଦେବ ଯଦଧ୍ୱରାତ୍ମକମ୍ ।
ଛନ୍ଦାଂସି ଯସ୍ୟ ତ୍ୱଚି ବର୍ହିରୋମ-
ସ୍ୱାଜ୍ୟଂ ଦୃଶି ତ୍ୱଙ୍ଘ୍ରିଷୁ ଚାତୁର୍ହୋତ୍ରମ୍ ॥ ୩୫॥
ହେ ଦେବ ! ଦୁରାଚାରୀମାନଙ୍କ ପକ୍ଷରେ ଆପଣଙ୍କର ଏହି ଶରୀର ଦର୍ଶନ
କରିବା ଅତ୍ୟନ୍ତ କଠିନ ଅଟେ; କାରଣ ଏହା ଯଜ୍ଞରୂପ
ଅଟେ | ଏହାର ତ୍ବଚାରୁ ଗାୟତ୍ରୀ ଆଦି ଛନ୍ଦ, ରୋମାବଳୀରୁ କୁଶ, ନେତ୍ରରୁ ଘୃତ ତଥା ଚାରି ଚରଣରେ ହୋତା, ଅଧ୍ବର୍ୟୁ, ଉଦଗାତା ଏବଂ
ବ୍ରହ୍ମା – ଏହି ଚାରି ଋତ୍ବିଜଙ୍କର କର୍ମ ରହିଛି |
ସ୍ରକ୍ତୁଣ୍ଡ ଆସୀତ୍ସ୍ରୁବ ଈଶ ନାସୟୋ-
ରିଡୋଦରେଚମସାଃ କର୍ଣରନ୍ଧ୍ରେ ।
ପ୍ରାଶିତ୍ରମାସ୍ୟେ ଗ୍ରସନେ ଗ୍ରହାସ୍ତୁ ତେ
ଯଚ୍ଚର୍ୱଣଂ ତେ ଭଗବନ୍ନଗ୍ନିହୋତ୍ରମ୍ ॥ ୩୬॥
ହେ ଈଶ ! ଆପଣଙ୍କର ଥୋମଣିରେ ଋକ୍,
ନାସିକା-ଛିଦ୍ରରେ ସ୍ରୁବା, ଉଦରରେ ଇଡା (ଯଜ୍ଞୀୟ ଭକ୍ଷଣପାତ୍ର), କାନରେ ଚମସ, ମୁଖରେ ପ୍ରାଶିତ୍ର (ବ୍ରହ୍ମଭାଗପାତ୍ର) ଏବଂ କଣ୍ଠଛିଦ୍ରରେ ଗ୍ରହ
(ସୋମପାତ୍ର) ରହିଛି | ଭଗବନ୍ ! ଆପଣଙ୍କର ଚର୍ବଣ ହିଁ ଅଗ୍ନିହୋତ୍ର ଅଟେ |
ଦୀକ୍ଷାନୁଜନ୍ମୋପସଦଃ ଶିରୋଧରଂ
ତ୍ୱଂ ପ୍ରାୟଣୀୟୋଦୟନୀୟଦଂଷ୍ଟ୍ରଃ ।
ଜିହ୍ୱା ପ୍ରବର୍ଗ୍ୟସ୍ତବ ଶୀର୍ଷକଂ କ୍ରତୋଃ
ସଭ୍ୟାବସଥ୍ୟଂ ଚିତୟୋଽସବୋ ହି ତେ ॥ ୩୭॥
ହେ ଯଜ୍ଞସ୍ବରୂପ ! ବାରମ୍ବାର ଜନ୍ମଗ୍ରହଣ କରିବା ଆପଣଙ୍କର ଦୀକ୍ଷଣୀୟ
ଇଷ୍ଟି ଅଟେ, କାନ୍ଧ ଉପସଦ (ଇଷ୍ଟି
ତ୍ରୟ) ଅଟେ; ଉଭୟ ଦନ୍ତ ପ୍ରାୟଣୀୟ
(ଦୀକ୍ଷା ପରବର୍ତ୍ତୀ ଇଷ୍ଟି) ଏବଂ ଉଦୟନୀୟ (ଯଜ୍ଞସମାପ୍ତିର ଇଷ୍ଟି) ଅଟେ; ଜିହ୍ବା ପ୍ରବର୍ଗ୍ୟ (ପ୍ରତ୍ୟେକ ଉପସଦ ପୂର୍ବରୁ କରାଯାଉଥିବା
ମହାବୀର ନାମକ କର୍ମ) ଅଟେ, ସିର ସଭ୍ୟ (ହୋମରହିତ
ଅଗ୍ନି), ଏବଂ ଆବସଥ୍ୟ (ଔପାସନାଦି ଅଗ୍ନି) ତଥା ପ୍ରାଣ ଚିତି (ଇଷ୍ଟକାଚୟନ) ଅଟେ |
ସୋମସ୍ତୁ ରେତଃ ସବନାନ୍ୟବସ୍ଥିତିଃ
ସଂସ୍ଥା ବିଭେଦାସ୍ତବ ଦେବ ଧାତବଃ ।
ସତ୍ରାଣି ସର୍ୱାଣି ଶରୀରସନ୍ଧି-
ସ୍ତ୍ୱଂ ସର୍ୱୟଜ୍ଞକ୍ରତୁରିଷ୍ଟିବନ୍ଧନଃ ॥ ୩୮॥
ହେ ଦେବ ! ଆପଣଙ୍କର ବୀର୍ଯ୍ୟ ସୋମ ଅଟେ, ଆସନ ପ୍ରାତଃସବନାଦି ତିନି ସବନ ଅଟେ; ସପ୍ତଧାତୁ ଅଗ୍ନିଷ୍ଟୋମ,
ଅତ୍ୟଗ୍ନିଷ୍ଟୋମ, ଉକ୍ଥ, ଷୋଡଶୀ, ବାଜପେୟ, ଅତିରାତ୍ର ଏବଂ
ଆପ୍ତୋର୍ୟାମ ନାମକ ସାତ ସଂସ୍ଥା ଅଟନ୍ତି ତଥା ଶରୀରର ସନ୍ଧି ସମ୍ପୂର୍ଣ୍ଣ ସତ୍ର ଅଟେ | ଏହିପରି
ଭାବରେ ଆପଣ ସମ୍ପୂର୍ଣ୍ଣ ଯଜ୍ଞ (ସୋମରହିତ ଯାଗ) ଏବଂ କ୍ରତୁ (ସୋମସହିତ ଯାଗ) ରୂପ ଅଟନ୍ତି |
ଯଜ୍ଞାନୁଷ୍ଠାନରୂପ ଇଷ୍ଟ ଆପଣଙ୍କ ଅଙ୍ଗକୁ ପରସ୍ପର ସହିତ ମିଳିତ କରି ରଖିଥିବା ମାଂସପେଶୀ
ଅଟନ୍ତି |
ନମୋ ନମସ୍ତେଽଖିଲମନ୍ତ୍ରଦେବତା-
ଦ୍ରବ୍ୟାୟ ସର୍ୱକ୍ରତବେ କ୍ରିୟାତ୍ମନେ ।
ବୈରାଗ୍ୟଭକ୍ତ୍ୟାଽଽତ୍ମଜୟାନୁଭାବିତ-
ଜ୍ଞାନାୟ ବିଦ୍ୟାଗୁରବେ ନମୋ ନମଃ ॥ ୩୯॥
ସମସ୍ତ ମନ୍ତ୍ର, ଦେବତା, ଦ୍ରବ୍ୟ, ଯଜ୍ଞ ଏବଂ କର୍ମ ଆପଣଙ୍କର ହିଁ ସ୍ବରୂପ ଅଟନ୍ତି; ଆପଣଙ୍କୁ
ନମସ୍କାର | ବୈରାଗ୍ୟ, ଭକ୍ତି ଏବଂ ମନର
ଏକାଗ୍ରତା ଦ୍ବାରା ଯେଉଁ ଜ୍ଞାନର ଅନୁଭବ ହୋଇଥାଏ,
ତାହା ଆପଣଙ୍କର ସ୍ବରୂପ ହିଁ ଅଟେ ତଥା ଆପଣ ହିଁ ସମସ୍ତଙ୍କର ବିଦ୍ୟାଗୁରୁ ଅଟନ୍ତି; ଆପଣଙ୍କୁ ପୁନଃ ପୁନଃ ପ୍ରଣାମ |
ଦଂଷ୍ଟ୍ରାଗ୍ରକୋଟ୍ୟା ଭଗବଂସ୍ତ୍ୱୟା ଧୃତା
ବିରାଜତେ ଭୂଧର ଭୂଃ ସଭୂଧରା ।
ଯଥା ବନାନ୍ନିଃସରତୋ ଦତା ଧୃତା
ମତଙ୍ଗଜେନ୍ଦ୍ରସ୍ୟ ସପତ୍ରପଦ୍ମିନୀ ॥ ୪୦॥
ହେ ପୃଥ୍ବୀଧାରକ ଭଗବନ୍ ! ଆପଣଙ୍କ ଦନ୍ତାଗ୍ରରେ ରଖା ଯାଇଥିବା ଏହି
ପର୍ବତାଦି-ମଣ୍ଡିତ ପୃଥିବୀ ଏପରି ସୁଶୋଭିତ ହେଉଛି,
ଯେପରି କି ବଣରୁ ବାହାରି ଆସୁଥିବା କୌଣସି ଗଜରାଜର ଦନ୍ତ ଉପରେ ପତ୍ରଯୁକ୍ତ କମଳିନୀ ରହିଛି |
ତ୍ରୟୀମୟଂ ରୂପମିଦଂ ଚ ସୌକରଂ
ଭୂମଣ୍ଡଲେନାଥ ଦତା ଧୃତେନ ତେ ।
ଚକାସ୍ତି ଶୃଙ୍ଗୋଢଘନେନ ଭୂୟସା
କୁଲାଚଲେନ୍ଦ୍ରସ୍ୟ ଯଥୈବ ବିଭ୍ରମଃ ॥ ୪୧॥
ଆପଣଙ୍କର ଦନ୍ତାଗ୍ରରେ ରହିଥିବା ଭୂମଣ୍ଡଳ ସହିତ ଆପଣଙ୍କର ଏହି ବେଦମୟ
ବରାହବିଗ୍ରହ ଏପରି ସୁଶୋଭିତ ହେଉଛି ଯେପରି ଶିଖରଦେଶରେ ଆଚ୍ଛାଦିତ ମେଘମାଳା ଦ୍ବାରା କୁଳପର୍ବତ
ଶୋଭା ପାଉଥାଏ |
ସଂସ୍ଥାପୟୈନାଂ ଜଗତାଂ ସତସ୍ଥୁଷାଂ
ଲୋକାୟ ପତ୍ନୀମସି ମାତରଂ ପିତା ।
ବିଧେମ ଚାସ୍ୟୈ ନମସା ସହ ତ୍ୱୟା
ଯସ୍ୟାଂ ସ୍ୱତେଜୋଽଗ୍ନିମିବାରଣାବଧାଃ ॥ ୪୨॥
ହେ ନାଥ ! ଚରାଚର ଜୀବକୁ ସୁଖପୂର୍ବକ ରଖିବା ନିମନ୍ତେ ଆପଣ ନିଜ
ପତ୍ନୀ ଏହି ଜଗନ୍ମାତା ପୃଥିବୀଙ୍କୁ ଜଳପୃଷ୍ଠରେ ସ୍ଥାପିତ କରନ୍ତୁ | ଆପଣ ଜଗତର ପିତା ଅଟନ୍ତି
ଏବଂ ଅରଣିରେ ଅଗ୍ନିସ୍ଥାପନ ହେବା ପରି ଆପଣ ଏଥିରେ ଧାରଣ ଶକ୍ତିରୂପ ନିଜର ତେଜ ସ୍ଥାପିତ
କରିଛନ୍ତି | ଆମେ ଆପଣଙ୍କୁ ଏବଂ ପୃଥିବୀମାତାଙ୍କୁ ପ୍ରଣାମ କରୁଛୁ |
କଃ ଶ୍ରଦ୍ଦଧୀତାନ୍ୟତମସ୍ତବ ପ୍ରଭୋ
ରସାଂ ଗତାୟା ଭୁବ ଉଦ୍ୱିବର୍ହଣମ୍ ।
ନ ବିସ୍ମୟୋଽସୌ ତ୍ୱୟି ବିଶ୍ୱବିସ୍ମୟେ
ଯୋ ମାୟଯେଦଂ ସସୃଜେଽତିବିସ୍ମୟମ୍ ॥ ୪୩॥
ହେ ପ୍ରଭୁ ! ରସାତଳରେ ବୁଡି ରହିଥିବା ପୃଥିବୀକୁ ଉଦ୍ଧାର କରିବାର
ସାହସ ଆପଣଙ୍କ ବ୍ୟତିତ ଆଉ କିଏ ଅବା କରିପାରନ୍ତା | କିନ୍ତୁ ଆପଣ ତ ସମ୍ପୂର୍ଣ୍ଣ ଆଶ୍ରୟର ଆଶ୍ରୟ
ଅଟନ୍ତି, ତେଣୁ ଆପଣଙ୍କ
ନିମନ୍ତେ ଏହା କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ | ଆପଣ ହିଁ ତ ନିଜ ମାୟାରେ ଏହି
ଅତ୍ୟାଶ୍ଚର୍ଯ୍ୟମୟ ବିଶ୍ବର ରଚନା କରିଛନ୍ତି |
ବିଧୁନ୍ୱତା ବେଦମୟଂ ନିଜଂ ବପୁଃ
ଜନସ୍ତପଃସତ୍ୟନିବାସିନୋ ବୟମ୍ ।
ସଟାଶିଖୋଦ୍ଧୂତଶିବାମ୍ବୁବିନ୍ଦୁଭିଃ
ବିମୃଜ୍ୟମାନା ଭୃଶମୀଶ ପାବିତାଃ ॥ ୪୪॥
ଆପଣ ଯେତେବେଳେ ନିଜ ବେଦମୟ ବିଗ୍ରହକୁ ଆନ୍ଦୋଳିତ କରନ୍ତି, ସେତେବେଳେ ଆପଣଙ୍କ କାନ୍ଧ ବାଳରୁ ଝରୁଥିବା ଶୀତଳ ଜଳବିନ୍ଦୁ ଆମ
ଉପରେ ପଡିଥାଏ | ହେ ଈଶ୍ବର ! ସେଥିରେ ସିକ୍ତ ହୋଇ ଆମ୍ଭମାନଙ୍କ ପରି ଜନଲୋକ, ତପଲୋକ, ସତ୍ୟଲୋକନିବାସୀ
ମୁନିଜନ ଅତ୍ୟନ୍ତ ପବିତ୍ର ହୋଇଥାଉ |
ସ ବୈ ବତ ଭ୍ରଷ୍ଟମତିସ୍ତବୈଷ ତେ
ଯଃ କର୍ମଣାଂ ପାରମପାରକର୍ମଣଃ ।
ଯଦ୍ୟୋଗମାୟାଗୁଣୟୋଗମୋହିତଂ
ବିଶ୍ୱଂ ସମସ୍ତଂ ଭଗବନ୍ ବିଧେହି ଶମ୍ ॥ ୪୫॥
ଯେଉଁ ପୁରୁଷ ଆପଣଙ୍କ କର୍ମର ରହସ୍ୟକୁ ଭେଦ କରିବାକୁ ଚେଷ୍ଟା କରନ୍ତି, ତାଙ୍କର ବୁଦ୍ଧି ନିଶ୍ଚିତ ଭାବରେ ନଷ୍ଟ ହୋଇଯାଇଛି; କାରଣ କେହି
ମଧ୍ୟ ଆପଣଙ୍କ କର୍ମର ରହସ୍ୟକୁ ଜାଣିପାରନ୍ତି ନାହିଁ | ଆପଣଙ୍କ ଯୋଗମାୟାର ସତ୍ତ୍ଵାଦି ଗୁଣରେ
ଏହି ସାରା ଜଗତ ମୋହିତ ହେଉଛି | ଭଗବନ୍ ! ଆପଣ ଏହାର କଲ୍ୟାଣ କରନ୍ତୁ |
ମୈତ୍ରେୟ ଉବାଚ
ଇତ୍ୟୁପସ୍ଥୀୟମାନସ୍ତୈଃ ମୁନିଭିର୍ବ୍ରହ୍ମବାଦିଭିଃ ।
ସଲିଲେ ସ୍ୱଖୁରାକ୍ରାନ୍ତ ଉପାଧତ୍ତାବିତାବନିମ୍ ॥ ୪୬॥
ମୈତ୍ରେୟ କହିଲେ – ହେ ବିଦୁର ! ସେହି ବ୍ରହ୍ମବାଦୀ ମୁନିମାନେ ଏପରି
ସ୍ତୁତି କରିବାରୁ ସମସ୍ତଙ୍କର ରକ୍ଷାକର୍ତ୍ତା ବରାହଭଗବାନ ନିଜ ଖୁରରେ ଜଳକୁ ସ୍ତମ୍ଭିତ କରି ତା’ ଉପରେ ପୃଥିବୀକୁ ସ୍ଥାପିତ କଲେ |
ସ ଇତ୍ଥଂ ଭଗବାନୁର୍ୱୀଂ ବିଷ୍ୱକ୍ସେନଃ ପ୍ରଜାପତିଃ ।
ରସାୟା ଲୀଲୟୋନ୍ନୀତାମପ୍ସୁ ନ୍ୟସ୍ୟ ଯୟୌ ହରିଃ ॥ ୪୭॥
ଏହିପ୍ରକାରେ ରସାତଳରୁ ଲୀଳାପୂର୍ବକ ଉଦ୍ଧାର କରିଥିବା ପୃଥିବୀକୁ
ଜଳପୃଷ୍ଠରେ ସ୍ଥାପନ କରି ସେହି ବିଷ୍ବକ୍ସେନ ପ୍ରଜାପତି ଭଗବାନ ଶ୍ରୀହରି ଅନ୍ତର୍ଧ୍ୟାନ ହୋଇଗଲେ
|
ଯ ଏବମେତାଂ ହରିମେଧସୋ ହରେଃ
କଥାଂ ସୁଭଦ୍ରାଂ କଥନୀୟମାୟିନଃ ।
ଶୃଣ୍ୱୀତ ଭକ୍ତ୍ୟା ଶ୍ରବୟେତ ବୋଶତୀଂ
ଜନାର୍ଦନୋଽସ୍ୟାଶୁ ହୃଦି ପ୍ରସୀଦତି ॥ ୪୮॥
ହେ ବିଦୁର ! ଭଗବାନଙ୍କର ଲୀଳାମୟ ଚରିତ୍ର ଅତ୍ୟନ୍ତ କୀର୍ତ୍ତନୀୟ ଅଟେ
ଏବଂ ବୁଦ୍ଧି ତା’ ସହିତ ସଂଲଗ୍ନ ରହି
ସମସ୍ତ ପାପ-ତାପରୁ ଦୂରରେ ରହିଥାଏ | ଯେଉଁ ପୁରୁଷ ତାଙ୍କର ସେହି ମଙ୍ଗଳମୟୀ ମଞ୍ଜୁଳ କଥାକୁ
ଭକ୍ତିଭାବରେ ଶୁଣନ୍ତି ଏବଂ ଶୁଣାନ୍ତି, ସେମାନଙ୍କ ପ୍ରତି ଭକ୍ତବତ୍ସଳ ଭଗବାନ ଅତି ଶୀଘ୍ର
ପ୍ରସନ୍ନ ହୋଇଯାଆନ୍ତି |
ତସ୍ମିନ୍ ପ୍ରସନ୍ନେ ସକଲାଶିଷାଂ ପ୍ରଭୌ
କିଂ ଦୁର୍ଲଭଂ ତାଭିରଲଂ ଲବାତ୍ମଭିଃ ।
ଅନନ୍ୟଦୃଷ୍ଟ୍ୟା ଭଜତାଂ ଗୁହାଶୟଃ
ସ୍ୱୟଂ ବିଧତ୍ତେ ସ୍ୱଗତିଂ ପରଃ ପରାମ୍ ॥ ୪୯॥
ଭଗବାନ ତ ସମସ୍ତ କାମନା ପୂର୍ଣ୍ଣ କରିବାକୁ ସମର୍ଥ ଅଟନ୍ତି, ସେ ପ୍ରସନ୍ନ ହେଲେ କେଉଁ ବସ୍ତୁ ଅବା ଦୁର୍ଲଭ ହେବ ? କିନ୍ତୁ ସେପରି
ତୁଚ୍ଛ କାମନାର ଅବା ଆବଶ୍ୟକତା କ’ଣ ? ଯେଉଁମାନେ
ଅନନ୍ୟଭାବରେ ତାଙ୍କର ଭଜନ କରନ୍ତି, ସେମାନଙ୍କୁ ତ ସେହି
ଅନ୍ତର୍ଯ୍ୟାମୀ ପରମାତ୍ମା ସ୍ବୟଂ ହିଁ ନିଜର ପରମ ପଦ ପ୍ରଦାନ କରିଥାଆନ୍ତି |
କୋ ନାମ ଲୋକେ ପୁରୁଷାର୍ଥସାରବିତ୍
ପୁରା କଥାନାଂ ଭଗବତ୍କଥାସୁଧାମ୍ ।
ଆପୀୟ କର୍ଣାଞ୍ଜଲିଭିର୍ଭବାପହା-
ମହୋ ବିରଜ୍ୟେତ ବିନା ନରେତରମ୍ ॥ ୫୦॥
ସଂସାରରେ ପଶୁମାନଙ୍କ ବ୍ୟତିତ ନିଜ ପରମ ପୁରୁଷାର୍ଥ ଜାଣୁଥିଵା ଏପରି
କେଉଁ ପୁରୁଷ ଥିବ, ଯିଏ ଆବାହଗମନରୁ
ମୁକ୍ତ କରିବାକୁ ସମର୍ଥ ଭଗବାନଙ୍କର ପ୍ରାଚୀନ କଥା ମଧ୍ୟରୁ କୌଣସି ଏକ ଅମୃତମୟୀ କଥା ନିଜ
କର୍ଣ୍ଣପୁଟରେ ଥରେ ପାନ କରିବା ପରେ ସେଥିରୁ ମନକୁ ହଟାଇ ନେବାକୁ ଇଚ୍ଛା କରିବ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବରାହପ୍ରାଦୁର୍ଭାବାନୁବର୍ଣନେ ତ୍ରୟୋଦଶୋଽଧ୍ୟାୟଃ ॥
୧୩॥

Comments
Post a Comment