ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ଚତୁର୍ଦ୍ଦଶ ଅଧ୍ୟାୟ
ଦିତିଙ୍କ ଗର୍ଭଧାରଣ
ଶ୍ରୀଶୁକ ଉବାଚ
ନିଶମ୍ୟ କୌଷାରବିଣୋପବର୍ଣିତାଂ
ହରେଃ କଥାଂ କାରଣସୂକରାତ୍ମନଃ ।
ପୁନଃ ସ ପପ୍ରଚ୍ଛ ତମୁଦ୍ୟତାଞ୍ଜଲି-
ର୍ନଚାତିତୃପ୍ତୋ ବିଦୁରୋ ଧୃତବ୍ରତଃ ॥ ୧॥
ଶ୍ରୀ ଶୁକଦେବ କହୁଛନ୍ତି – ହେ ରାଜନ୍ ! ମୈତ୍ରେୟଙ୍କ ମୁଖରୁ
ପ୍ରୟୋଜନବଶ ଶୂକର ରୂପ ଧାରଣ କରିଥିବା ଶ୍ରୀହରିଙ୍କର କଥା ଶୁଣିବା ପରେ ମଧ୍ୟ ଭକ୍ତିବ୍ରତଧାରୀ
ବିଦୁରଙ୍କର ପୂର୍ଣ୍ଣ ତୃପ୍ତି ହୋଇ ନ ଥିଲା; ତେଣୁ ସେ ହାତ ଯୋଡି ପୁନଃ ପ୍ରଶ୍ନ କଲେ -
ବିଦୁର ଉବାଚ
ତେନୈବ ତୁ ମୁନିଶ୍ରେଷ୍ଠ ହରିଣା ଯଜ୍ଞମୂର୍ତିନା ।
ଆଦିଦୈତ୍ୟୋ ହିରଣ୍ୟାକ୍ଷୋ ହତ ଇତ୍ୟନୁଶୁଶ୍ରୁମ ॥ ୨॥
ବିଦୁର ପଚାରିଲେ – ହେ ମୁନିବର ! ଏବେ ମୁଁ ଆପଣଙ୍କ ମୁଖରୁ ଶୁଣିବାକୁ
ପାଇଲି ଯେ ଆଦିଦୈତ୍ୟ ହିରଣାକ୍ଷକୁ ଭଗବାନ ଯଜ୍ଞମୂର୍ତ୍ତି ହିଁ ମାରିଥିଲେ |
ତସ୍ୟ ଚୋଦ୍ଧରତଃ କ୍ଷୋଣୀଂ ସ୍ୱଦଂଷ୍ଟ୍ରାଗ୍ରେଣ ଲୀଲୟା ।
ଦୈତ୍ୟରାଜସ୍ୟ ଚ ବ୍ରହ୍ମନ୍ କସ୍ମାଦ୍ଧେତୋରଭୂନ୍ମୃଧଃ ॥ ୩॥
ବ୍ରହ୍ମନ୍ ! ଲୀଳାରେ ହିଁ ଭଗବାନ ଯେତେବେଳେ ପୃଥିବୀକୁ ନିଜ
ଦନ୍ତାଗ୍ରରେ ଧାରଣ କରି ଜଳରୁ ବାହାରକୁ ଆଣୁଥିଲେ,
ସେତେବେଳେ କେଉଁ କାରଣରୁ ଦୈତ୍ୟରାଜ ହିରଣାକ୍ଷ ସହିତ ତାଙ୍କର ଯୁଦ୍ଧ ହୋଇଥିଲା ?
(ଶ୍ରଦ୍ଦଧାନାୟ ଭକ୍ତାୟ ବ୍ରୂହି ତଜ୍ଜନ୍ମ ବିସ୍ତରମ୍ ।
ଋଷେ ନ ତୃପ୍ୟତି ମନଃ ପରଂ କୌତୂହଲଂ ହି ମେ ॥)
ମୈତ୍ରେୟ ଉବାଚ
ସାଧୁ ବୀର ତ୍ୱୟା ପୃଷ୍ଟମବତାରକଥାଂ ହରେଃ ।
ଯତ୍ତ୍ୱଂ ପୃଚ୍ଛସି ମର୍ତ୍ୟାନାଂ ମୃତ୍ୟୁପାଶବିଶାତନୀମ୍ ॥ ୪॥
ମୈତ୍ରେୟ କହିଲେ – ହେ ବିଦୁର ! ତୁମର ପ୍ରଶ୍ନ ଅତ୍ୟନ୍ତ ସୁନ୍ଦର ଅଟେ; କାରଣ ତୁମେ ଶ୍ରୀହରିଙ୍କର ଅବତାରକଥା ବିଷୟରେ ହିଁ ପ୍ରଶ୍ନ କରିଛ,
ଯାହା ମନୁଷ୍ୟର ମୃତ୍ୟୁପାଶ ଛେଦନ କରିଥାଏ |
ଯୟୋତ୍ତାନପଦଃ ପୁତ୍ରୋ ମୁନିନା ଗୀତୟାର୍ଭକଃ ।
ମୃତ୍ୟୋଃ କୃତ୍ୱୈବ ମୂର୍ଧ୍ନ୍ୟଙ୍ଘ୍ରିମାରୁରୋହ ହରେଃ ପଦମ୍ ॥ ୫॥
ଦେଖ, ଉତ୍ତାନପାଦଙ୍କର
ପୁତ୍ର ଧ୍ରୁବ ବାଲ୍ୟାବସ୍ଥାରେ ହିଁ ନାରଦ ମୁନିଙ୍କଠାରୁ ଶୁଣିଥିବା ହରିକଥା ପ୍ରଭାବରେ ମୃତ୍ୟୁର
ମସ୍ତକରେ ପାଦ ରଖି ଭଗବାନଙ୍କର ପରମପଦରେ ଆରୂଢ ହୋଇ ଯାଇଥିଲେ |
ଅଥାତ୍ରାପୀତିହାସୋଽୟଂ ଶ୍ରୁତୋ ମେ ବର୍ଣିତଃ ପୁରା ।
ବ୍ରହ୍ମଣା ଦେବଦେବେନ ଦେବାନାମନୁପୃଚ୍ଛତାମ୍ ॥ ୬॥
ପୂର୍ବକାଳରେ ଦେବତାମାନଙ୍କର ଏହି ବରାହଭଗବାନ ଏବଂ ହିରଣାକ୍ଷ ମଧ୍ୟରେ
ହୋଇଥିବା ଯୁଦ୍ଧ ବିଷୟକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦେବଦେବ ବ୍ରହ୍ମାଜୀ ସେମାନଙ୍କୁ ଏହି
ଇତିହାସ ଶୁଣାଇ ଥିଲେ ଏବଂ ସେହି ପରମ୍ପରାରେ ମୁଁ ମଧ୍ୟ ତାହା ଶୁଣିଥିଲି |
ଦିତିର୍ଦାକ୍ଷାୟଣୀ କ୍ଷତ୍ତର୍ମାରୀଚଂ କଶ୍ୟପଂ ପତିମ୍ ।
ଅପତ୍ୟକାମା ଚକମେ ସନ୍ଧ୍ୟାୟାଂ ହୃଚ୍ଛୟାର୍ଦିତା ॥ ୭॥
ହେ ବିଦୁର ! ଏକଦା ଦକ୍ଷ-ପୁତ୍ରୀ ଦିତି ପୁତ୍ରପ୍ରାପ୍ତି ଇଚ୍ଛାରେ
କାମାତୁର ହୋଇ ସାୟଂକାଳରେ ହିଁ ନିଜ ପତି ମରୀଚିନନ୍ଦନ କଶ୍ୟପ ମୁନିଙ୍କୁ ପ୍ରାର୍ଥନା କଲେ |
ଇଷ୍ଟ୍ୱାଗ୍ନିଜିହ୍ୱଂ ପୟସା ପୁରୁଷଂ ଯଜୁଷାଂ ପତିମ୍ ।
ନିମ୍ଲୋଚତ୍ୟର୍କ ଆସୀନମଗ୍ନ୍ୟଗାରେ ସମାହିତମ୍ ॥ ୮॥
ସେହି ସମୟରେ, ସୂର୍ଯ୍ୟାସ୍ତ ସମୟ ଜାଣି, କଶ୍ୟପ ମୁନି ଖୀର ଆହୁତି ଦ୍ବାରା ଅଗ୍ନିଜିହ୍ବ ଭଗବାନ ଯଜ୍ଞପତିଙ୍କର
ଆରାଧନା କରି ଅଗ୍ନିଶାଳାରେ ଧ୍ୟାନସ୍ଥ ହୋଇ ବସିଥିଲେ |
ଦିତିରୁବାଚ
ଏଷ ମାଂ ତ୍ୱତ୍କୃତେ ବିଦ୍ୱନ୍ କାମ ଆତ୍ତଶରାସନଃ ।
ଦୁନୋତି ଦୀନାଂ ବିକ୍ରମ୍ୟ ରମ୍ଭାମିବ ମତଙ୍ଗଜଃ ॥ ୯॥
ଦିତି କହିଲେ – ହେ ବିଦ୍ବାନ୍ ! ମତ୍ତହସ୍ତୀ କଦଳୀ ବୃକ୍ଷକୁ ଦଳନ
କରିବା ପରି ଏହି ପ୍ରସିଦ୍ଧ ଧନୁର୍ଧର କାମଦେବ ମୋ ପରି ଅବଳାକୁ ବଶୀଭୂତ କରି ଆପଣଙ୍କ ପ୍ରତି ମୋତେ ଆତୁର କରିଦେଉଛି |
ତଦ୍ଭବାନ୍ ଦହ୍ୟମାନାୟାଂ ସପତ୍ନୀନାଂ ସମୃଦ୍ଧିଭିଃ ।
ପ୍ରଜାବତୀନାଂ ଭଦ୍ରଂ ତେ ମୟ୍ୟାୟୁଙ୍କ୍ତାମନୁଗ୍ରହମ୍ ॥ ୧୦॥
ନିଜ ପୁତ୍ରବତୀ ସପତ୍ନୀମାନଙ୍କର ସୁଖ-ସମୃଦ୍ଧିକୁ ଦେଖି ମୁଁ
ଈର୍ଷ୍ୟାର ଅଗ୍ନିରେ ଜଳିବାରେ ଲାଗିଛି | ଆପଣ ମୋ ପ୍ରତି କୃପା କରନ୍ତୁ |
ଭର୍ତର୍ୟାପ୍ତୋରୁମାନାନାଂ ଲୋକାନାବିଶତେ ଯଶଃ ।
ପତିର୍ଭବଦ୍ୱିଧୋ ଯାସାଂ ପ୍ରଜୟା ନନୁ ଜାୟତେ ॥ ୧୧॥
ଯାହା ଗର୍ଭରୁ ଆପଣଙ୍କ ପରି ପତି ପୁତ୍ରରୂପରେ ଉତ୍ପନ୍ନ ହୁଅନ୍ତି, ସେହି ସ୍ତ୍ରୀମାନେ ହିଁ ନିଜ ପତିଙ୍କ ଦ୍ବାରା ସମ୍ମାନିତା ଅଟନ୍ତି |
ସେମାନଙ୍କର ସୁଯଶର ବ୍ୟାପ୍ତି ସଂସାରରେ ସର୍ବତ୍ର ହୋଇଥାଏ |
ପୁରା ପିତା ନୋ ଭଗବାନ୍ ଦକ୍ଷୋ ଦୁହିତୃବତ୍ସଲଃ ।
କଂ ବୃଣୀତ ବରଂ ବତ୍ସା ଇତ୍ୟପୃଚ୍ଛତ ନଃ ପୃଥକ୍ ॥ ୧୨॥
ଆମ୍ଭମାନଙ୍କର ପିତା ଦକ୍ଷ ପ୍ରଜାପତିଙ୍କର ନିଜ ପୁତ୍ରୀମାନଙ୍କ ପ୍ରତି
ଅତ୍ୟଧିକ ସ୍ନେହ ଥିଲା | ଥରେ ସେ ଆମ ସମସ୍ତଙ୍କୁ ପୃଥକ୍-ପୃଥକ୍ ଭାବରେ ଡାକି ପଚାରି ଥିଲେ, ‘ତୁମ୍ଭେମାନେ କାହାକୁ ନିଜ ପତି ରୂପରେ ପାଇବାକୁ ଇଚ୍ଛା କରୁଛ ?’
ସ ବିଦିତ୍ୱାଽଽତ୍ମଜାନାଂ ନୋ ଭାବଂ ସନ୍ତାନଭାବନଃ ।
ତ୍ରୟୋଦଶାଦଦାତ୍ତାସାଂ ଯାସ୍ତେ ଶୀଲମନୁବ୍ରତାଃ ॥ ୧୩॥
ସେ ନିଜ ସନ୍ତାନମାନଙ୍କର ସବୁ ପ୍ରକାରରେ ଚିନ୍ତା କରୁଥିଲେ | ତେଣୁ
ସେ ଆମ୍ଭମାନଙ୍କର ଭାବକୁ ଜାଣି ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନଙ୍କର ସ୍ବଭାବ ଆପଣଙ୍କର
ଗୁଣ-ସ୍ବଭାବ ଅନୁରୂପ ଥିଲା, ସେହି ତେରଜଣ
କନ୍ୟାଙ୍କର ବିବାହ ଆପଣଙ୍କ ସହିତ କରିଦେଲେ |
ଅଥ ମେ କୁରୁ କଲ୍ୟାଣ କାମଂ କଞ୍ଜବିଲୋଚନ ।
ଆର୍ତୋପସର୍ପଣଂ ଭୂମନ୍ନମୋଘଂ ହି ମହୀୟସି ॥ ୧୪॥
ତେଣୁ ହେ ମଙ୍ଗଳମୂର୍ତ୍ତି ! କମଳନୟନ ! ଆପଣ ମୋର ଇଚ୍ଛା ପୂର୍ଣ୍ଣ
କରନ୍ତୁ; କାରଣ ହେ ମହତ୍ତମ ! ଆପଣଙ୍କ ପରି ମହାପୁରୁଷମାନଙ୍କ ପାଖକୁ ଦୀନଜନଙ୍କର ଆଗମନ କଦାପି
ନିଷ୍ଫଳ ହୋଇ ନ ଥାଏ |
ଇତି ତାଂ ବୀର ମାରୀଚଃ କୃପଣାଂ ବହୁଭାଷିଣୀମ୍ ।
ପ୍ରତ୍ୟାହାନୁନୟନ୍ ବାଚା ପ୍ରବୃଦ୍ଧାନଙ୍ଗକଶ୍ମଲାମ୍ ॥ ୧୫॥
ହେ ବିଦୁର ! କାମଦେବଙ୍କ ଦ୍ବାରା ବଶୀଭୂତ ହୋଇ ଦିତି ଅତ୍ୟନ୍ତ ଆତୁର
ଏବଂ ବିବଶ ହୋଇ ଯାଇଥିଲେ | ଅନେକ ପ୍ରକାରର ବାହାନା କରି ଦୀନ ଭାବରେ ସେ ଯେତେବେଳେ କଶ୍ୟପ
ମୁନିଙ୍କୁ ଏହିପରି ପ୍ରାର୍ଥନା କଲେ, ସେ ସୁମଧୁର ବାଣୀରେ
ତାଙ୍କୁ ବୁଝାଇ କହିଲେ -
ଏଷ ତେଽହଂ ବିଧାସ୍ୟାମି ପ୍ରିୟଂ ଭୀରୁ ଯଦିଚ୍ଛସି ।
ତସ୍ୟାଃ କାମଂ ନ କଃ କୁର୍ୟାତ୍ସିଦ୍ଧିସ୍ତ୍ରୈବର୍ଗିକୀ ଯତଃ ॥ ୧୬॥
ହେ ଭୀରୁ ! ତୁମର ଇଚ୍ଛା ଅନୁସାରେ ମୁଁ ଏହି କ୍ଷଣି ତୁମର ପ୍ରିୟ
କାର୍ଯ୍ୟ ନିଶ୍ଚୟ କରିବି | ଭଲା, ଯାହା ଦ୍ବାରା ଧର୍ମ, ଅର୍ଥ, କାମ – ଏହି ତିନି
ପୁରୁଷାର୍ଥର ସିଦ୍ଧି ହୋଇଥାଏ, ନିଜର ସେହି
ପତ୍ନୀଙ୍କର କାମନା କିଏ ପୂର୍ଣ୍ଣ ନ କରିବ ?
ସର୍ୱାଶ୍ରମାନୁପାଦାୟ ସ୍ୱାଶ୍ରମେଣ କଲତ୍ରବାନ୍ ।
ବ୍ୟସନାର୍ଣବମତ୍ୟେତି ଜଲୟାନୈର୍ୟଥାର୍ଣବମ୍ ॥ ୧୭॥
ଜାହାଜ ଚଢି ମନୁଷ୍ୟ ମହାସାଗରକୁ ଅତିକ୍ରମ କରିଯିବା ପରି ଜଣେ
ଗୃହସ୍ଥାଶ୍ରମୀ ଅନ୍ୟ ଆଶ୍ରମୀଙ୍କୁ ଆଶ୍ରୟ ପ୍ରଦାନ କରିବା ସହିତ ନିଜ ଆଶ୍ରମ ଦ୍ବାରା ସ୍ବୟଂ ବି
ଦୁଃଖସମୁଦ୍ରକୁ ପାର କରିଯାଏ |
ଯାମାହୁରାତ୍ମନୋ ହ୍ୟର୍ଧଂ ଶ୍ରେୟସ୍କାମସ୍ୟ ମାନିନି ।
ଯସ୍ୟାଂ ସ୍ୱଧୁରମଧ୍ୟସ୍ୟ ପୁମାଂଶ୍ଚରତି ବିଜ୍ୱରଃ ॥ ୧୮॥
ହେ ମାନିନୀ ! ସ୍ତ୍ରୀକୁ ତ ତ୍ରିବିଧ ପୁରୁଷାର୍ଥର କାମନା ରଖିଥିବା
ପୁରୁଷର ଅର୍ଦ୍ଧାଙ୍ଗିନୀ କୁହାଯାଇ ଥାଏ | ନିଜ ଗୃହସ୍ଥୀର ସବୁ ଭାର ତା’ ଉପରେ ନ୍ୟସ୍ତ କରି
ପୁରୁଷ ନିଶ୍ଚିନ୍ତ ହୋଇ ବିଚରଣ କରୁଥାଏ |
ଯାମାଶ୍ରିତ୍ୟେନ୍ଦ୍ରିୟାରାତୀନ୍ ଦୁର୍ଜୟାନିତରାଶ୍ରମୈଃ ।
ବୟଂ ଜୟେମ ହେଲାଭିର୍ଦସ୍ୟୂନ୍ ଦୁର୍ଗପତିର୍ୟଥା ॥ ୧୯॥
ଇନ୍ଦ୍ରିୟରୂପ ଶତ୍ରୁ ଅନ୍ୟ ଆଶ୍ରମର ବ୍ୟକ୍ତିମାନଙ୍କ ନିମନ୍ତେ
ଅତ୍ୟନ୍ତ ଦୁର୍ଜୟ ଅଟେ; କିନ୍ତୁ ଯେପରି ଦୁର୍ଗର ସ୍ବାମୀ ସୁଗମତାପୂର୍ବକ ଲୁଣ୍ଠନକାରୀ
ଶତ୍ରୁମାନଙ୍କୁ ନିଜର ଅଧୀନସ୍ତ କରିନେଇ ଥାଆନ୍ତି,
ସେହିପରି ଆମ୍ଭେମାନେ ନିଜର ବିବାହିତା ପତ୍ନୀଙ୍କର ଆଶ୍ରୟ ଗ୍ରହଣ କରି ଏହି ଇନ୍ଦ୍ରିୟରୂପ
ଶତ୍ରୁମାନଙ୍କୁ ସହଜରେ ଜୟ କରିନେଇ ଥାଉ |
ନ ବୟଂ ପ୍ରଭବସ୍ତାଂ ତ୍ୱାମନୁକର୍ତୁଂ ଗୃହେଶ୍ୱରି ।
ଅପ୍ୟାୟୁଷା ବା କାର୍ତ୍ସ୍ନ୍ୟେନ ଯେ ଚାନ୍ୟେ ଗୁଣଗୃଧ୍ନବଃ ॥ ୨୦॥
ହେ ଗୃହେଶ୍ବରୀ ! ତୁମ ପରି ସ୍ତ୍ରୀଙ୍କର ଉପକାରର ପ୍ରତିଦାନ ତ ମୁଁ
କିମ୍ବା ଅନ୍ୟ କୌଣସି ଗୁଣଗ୍ରାହୀ ପୁରୁଷ ନିଜର ସମଗ୍ର ଜୀବନକାଳ ଅଥବା ଜନ୍ମାନ୍ତରରେ ମଧ୍ୟ
ପୂର୍ଣ୍ଣରୂପରେ ପରିଶୋଧ କରିପାରିବେ ନାହିଁ |
ଅଥାପି କାମମେତଂ ତେ ପ୍ରଜାତ୍ୟୈ କରବାଣ୍ୟଲମ୍ ।
ଯଥା ମାଂ ନାତିରୋଚନ୍ତି ମୁହୂର୍ତଂ ପ୍ରତିପାଲୟ ॥ ୨୧॥
ତଥାପି ତୁମର ଏହି ସନ୍ତାନ-ପ୍ରାପ୍ତିର ଇଚ୍ଛାକୁ ମୁଁ ଯଥାଶକ୍ତି
ନିଶ୍ଚିତ ଭାବରେ ପୂର୍ଣ୍ଣ କରିବି | କିନ୍ତୁ ବର୍ତ୍ତମାନ ତୁମେ ଗୋଟିଏ ମୁହୂର୍ତ୍ତ ଅପେକ୍ଷା କର, ଯଦ୍ବାରା ଲୋକେ ମୋର ନିନ୍ଦା ନ କରିବେ |
ଏଷା ଘୋରତମା ବେଲା ଘୋରାଣାଂ ଘୋରଦର୍ଶନା ।
ଚରନ୍ତି ଯସ୍ୟାଂ ଭୂତାନି ଭୂତେଶାନୁଚରାଣି ହ ॥ ୨୨॥
ଏହି ଅତ୍ୟନ୍ତ ଘୋର ସମୟ ରାକ୍ଷସାଦି ଘୋର ଜୀବମାନଙ୍କର ଅଟେ ଏବଂ
ଦେଖିବାକୁ ମଧ୍ୟ ଏହା ଭୟାନକ ଅଟେ | ଏହି ସମୟରେ ଭଗବାନ ଭୂତନାଥଙ୍କର ଅନୁଚରଗଣ ଭୂତ-ପ୍ରେତାଦି
ଘୂରି ବୁଲୁଥାଆନ୍ତି |
ଏତସ୍ୟାଂ ସାଧ୍ୱି ସନ୍ଧ୍ୟାୟାଂ ଭଗବାନ୍ ଭୂତଭାବନଃ ।
ପରୀତୋ ଭୂତପର୍ଷଦ୍ଭିର୍ୱୃଷେଣାଟତି ଭୂତରାଟ୍ ॥ ୨୩॥
ହେ ସାଧ୍ବୀ ! ଏହି ସାୟଂକାଳରେ ଭୂତଭାବନ ଭୂତପତି ଭଗବାନ ଶଂକର ନିଜ
ଅନୁଚରଗଣ ଭୂତ-ପ୍ରେତାଦିଙ୍କ ସହିତ ନନ୍ଦୀ ଉପରେ ବସି ବିଚରଣ କରନ୍ତି |
ଶ୍ମଶାନଚକ୍ରାନିଲଧୂଲିଧୂମ୍ର-
ବିକୀର୍ଣବିଦ୍ୟୋତଜଟାକଲାପଃ ।
ଭସ୍ମାବଗୁଣ୍ଠାମଲରୁକ୍ମଦେହୋ
ଦେବସ୍ତ୍ରିଭିଃ ପଶ୍ୟତି ଦେବରସ୍ତେ ॥ ୨୪॥
ତାଙ୍କର ଜଟାଜୂଟ ଶ୍ମଶାନଭୂମିରୁ ଉଠୁଥିବା ଘୂର୍ଣ୍ଣଝଡର ଧୂଳିରେ
ଧୁସରିତ ହୋଇ ଦେଦୀପ୍ୟମାନ ହେଉଅଛି ତଥା ତାଙ୍କର ସୁବର୍ଣ୍ଣକାନ୍ତିମୟ ଗୌର ଶରୀର ଭସ୍ମ ବିଭୂଷିତ ହୋଇଛି
| ତୁମର ସମ୍ବନ୍ଧୀ ସେହି ମହାଦେବ ନିଜର ସୂର୍ଯ୍ୟ, ଚନ୍ଦ୍ରମା ଏବଂ ଅଗ୍ନିରୂପ ତ୍ରିନେତ୍ରରେ
ସମସ୍ତଙ୍କୁ ଦେଖିବାରେ ଲାଗିଛନ୍ତି |
ନ ଯସ୍ୟ ଲୋକେ ସ୍ୱଜନଃ ପରୋ ବା
ନାତ୍ୟାଦୃତୋ ନୋତ କଶ୍ଚିଦ୍ୱିଗର୍ହ୍ୟଃ ।
ବୟଂ ବ୍ରତୈର୍ୟଚ୍ଚରଣାପବିଦ୍ଧା-
ମାଶାସ୍ମହେଽଜାଂ ବତ ଭୁକ୍ତଭୋଗାମ୍ ॥ ୨୫॥
ସଂସାରରେ କେହି ତାଙ୍କର ନିଜର ନୁହଁନ୍ତି କି କେହି ପର ନୁହଁନ୍ତି; କେହି ଅଧିକ ଆଦରଣୀୟ ନୁହଁନ୍ତି କି କେହି ନିନ୍ଦନୀୟ ମଧ୍ୟ ନୁହଁନ୍ତି
| ଆମ୍ଭେମାନେ ତ ଅନେକ ପ୍ରକାର ବ୍ରତ ପାଳନ କରି ତାଙ୍କର ମାୟାକୁ ହିଁ ଗ୍ରହଣ କରିବାକୁ ଇଚ୍ଛା
କରିଥାଉ, ଯାହାକୁ ସେ ଭୋଗକରି
ପଦାଘାତ କରିଦେଇ ଥାଆନ୍ତି |
ଯସ୍ୟାନବଦ୍ୟାଚରିତଂ ମନୀଷିଣୋ
ଗୃଣନ୍ତ୍ୟବିଦ୍ୟାପଟଲଂ ବିଭିତ୍ସବଃ ।
ନିରସ୍ତସାମ୍ୟାତିଶୟୋଽପି ଯତ୍ସ୍ୱୟଂ
ପିଶାଚଚର୍ୟାମଚରଦ୍ଗତିଃ ସତାମ୍ ॥ ୨୬॥
ବିବେକୀ ପୁରୁଷ ଅବିଦ୍ୟା ଆବରଣକୁ ହଟାଇବା ଇଚ୍ଛାରେ ତାଙ୍କ ନିର୍ମଳ
ଚରିତ୍ରର ଗାନ କରିଥାଆନ୍ତି | ତାଙ୍କଠାରୁ ଅଧିକ କ’ଣ, ତାଙ୍କ ସମତୁଲ୍ୟ ମଧ୍ୟ କେହି ନୁହଁନ୍ତି; ତାଙ୍କ ସମୀପକୁ କେବଳ ସତ୍-ପୁରୁଷଙ୍କର ହିଁ ଗତି ରହିଥାଏ | ଏତେ ସବୁ
ସତ୍ତ୍ବେ ବି ସେ ପିଶାଚ-ବତ୍ ଆଚରଣ କରିଥାଆନ୍ତି |
ହସନ୍ତି ଯସ୍ୟାଚରିତଂ ହି ଦୁର୍ଭଗାଃ
ସ୍ୱାତ୍ମନ୍ ରତସ୍ୟାବିଦୁଷଃ ସମୀହିତମ୍ ।
ଯୈର୍ୱସ୍ତ୍ରମାଲ୍ୟାଭରଣାନୁଲେପନୈଃ
ଶ୍ୱଭୋଜନଂ ସ୍ୱାତ୍ମତୟୋପଲାଲିତମ୍ ॥ ୨୭॥
ଏହି ନର-ଶରୀର ଶ୍ବାନର ଭୋଜନ ଅଟେ | ଯେଉଁ ଅବିବେକୀ ପୁରୁଷ ଏହାକୁ
ଆତ୍ମା ମନେକରି ବସ୍ତ୍ର, ଆଭୂଷଣ, ମାଳା ଏବଂ ଚନ୍ଦନାଦି ଦ୍ବାରା ଏହାର ସାଜ-ଶୃଙ୍ଗାର କରିଥାଆନ୍ତି, ସେହି ଅଭାଗାମାନେ ହିଁ ଭଗବାନ ଶଂକରଙ୍କର ଆଚରଣକୁ ଦେଖି ହସିଥାଆନ୍ତି
|
ବ୍ରହ୍ମାଦୟୋ ଯତ୍କୃତସେତୁପାଲା
ଯତ୍କାରଣଂ ବିଶ୍ୱମିଦଂ ଚ ମାୟା ।
ଆଜ୍ଞାକରୀ ତସ୍ୟ ପିଶାଚଚର୍ୟା
ଅହୋ ବିଭୂମ୍ନଶ୍ଚରିତଂ ବିଡମ୍ବନମ୍ ॥ ୨୮॥
ଆମ୍ଭମାନଙ୍କ କଥା କ’ଣ
କହିବା, ବ୍ରହ୍ମାଦି ଲୋକପାଳ
ମଧ୍ୟ ତାଙ୍କ ଦ୍ବାରା ରଚିତ ଧର୍ମ-ମର୍ଯ୍ୟାଦାର ପାଳନ କରନ୍ତି; ସେ ହିଁ ଏହି ବିଶ୍ବର ଅଧିଷ୍ଠାନ
ଅଟନ୍ତି ତଥା ଏହି ମାୟା ମଧ୍ୟ ତାଙ୍କ ଆଜ୍ଞାର ଅନୁସରଣ କରିଥାଏ | ଏପରି ହୋଇ ମଧ୍ୟ ସେ ପ୍ରେତଙ୍କ
ପରି ଆଚରଣ କରନ୍ତି | ହାୟ ! ସେହି ଜଗତବ୍ୟାପକ ପ୍ରଭୁଙ୍କର ଏପରି ଅଦ୍ଭୁତ ଲୀଳା କେହି ବୁଝିପାରନ୍ତି
ନାହିଁ |
ମୈତ୍ରେୟ ଉବାଚ
ସୈବଂ ସମ୍ବିଦିତେ ଭର୍ତ୍ରା ମନ୍ମଥୋନ୍ମଥିତେନ୍ଦ୍ରିୟା ।
ଜଗ୍ରାହ ବାସୋ ବ୍ରହ୍ମର୍ଷେର୍ୱୃଷଲୀବ ଗତତ୍ରପା ॥ ୨୯॥
ମୈତ୍ରେୟ କହୁଛନ୍ତି – ନିଜ ପତିଦେବ ଏହିପରି ବୁଝାଇ କହିବା ପରେ ମଧ୍ୟ
କାମାତୁରା ଦିତି ବେଶ୍ୟା ପରି ଅତି ନିର୍ଲଜ ଭାବରେ କଶ୍ୟପଙ୍କର ବସ୍ତ୍ରକୁ ଭିଡି ଧରିଲେ |
ସ ବିଦିତ୍ୱାଥ ଭାର୍ୟାୟାସ୍ତଂ ନିର୍ବନ୍ଧଂ ବିକର୍ମଣି ।
ନତ୍ୱା ଦିଷ୍ଟାୟ ରହସି ତୟାଥୋପବିବେଶ ହ ॥ ୩୦॥
ନିଜ ପତ୍ନୀଙ୍କର ଏପରି ନିନ୍ଦିତ କର୍ମ ପ୍ରତି ଏତେ ବେଶୀ ଆଗ୍ରହ ଦେଖି
ଅନନ୍ୟୋପାୟ ହୋଇ କଶ୍ୟପ ମୁନି ନିୟତିକୁ ନମସ୍କାର କଲେ ଏବଂ ଏକାନ୍ତରେ ତାଙ୍କ ସହିତ ସହବାସ କଲେ
|
ଅଥୋପସ୍ପୃଶ୍ୟ ସଲିଲଂ ପ୍ରାଣାନାୟମ୍ୟ ବାଗ୍ୟତଃ ।
ଧ୍ୟାୟଞ୍ଜଜାପ ବିରଜଂ ବ୍ରହ୍ମଜ୍ୟୋତିଃ ସନାତନମ୍ ॥ ୩୧॥
ତତ୍ ପଶ୍ଚାତ୍ ଜଳରେ ସ୍ନାନ କରି ପ୍ରାଣ ଓ ବାଣୀକୁ ସଂଯମ କରି
ବିଶୁଦ୍ଧ ଜ୍ୟୋତିର୍ମୟ ସନାତନ ବ୍ରହ୍ମଙ୍କର ଧ୍ୟାନ କରି ତାଙ୍କର ଜପ କରିବାରେ ଲାଗିଲେ |
ଦିତିସ୍ତୁ ବ୍ରୀଡିତା ତେନ କର୍ମାବଦ୍ୟେନ ଭାରତ ।
ଉପସଙ୍ଗମ୍ୟ ବିପ୍ରର୍ଷିମଧୋମୁଖ୍ୟଭ୍ୟଭାଷତ ॥ ୩୨॥
ହେ ବିଦୁର ! ସେହି ନିନ୍ଦିତ କର୍ମ କରିଥିବା କାରଣରୁ ଦିତି ମଧ୍ୟ
ଲଜ୍ଜିତ ହେଲେ ଏବଂ ବ୍ରହ୍ମର୍ଷିଙ୍କ ପାଖକୁ ଯାଇ ସେ ମସ୍ତକ ଅବନତ କରି ଏହିପରି କହିଲେ -
ଦିତିରୁବାଚ
ମା ମେ ଗର୍ଭମିମଂ ବ୍ରହ୍ମନ୍ ଭୂତାନାମୃଷଭୋଽବଧୀତ୍ ।
ରୁଦ୍ରଃ ପତିର୍ହି ଭୂତାନାଂ ଯସ୍ୟାକରବମଂହସମ୍ ॥ ୩୩॥
ଦିତି କହିଲେ – ବ୍ରହ୍ମନ୍ ! ଭଗବାନ ରୁଦ୍ର ଭୂତମାନଙ୍କର ସ୍ବାମୀ
ଅଟନ୍ତି, ମୁଁ ତାଙ୍କ ପ୍ରତି ଅପରାଧ କରିଛି; କିନ୍ତୁ ସେହି ଭୂତଶ୍ରେଷ୍ଠ ମୋର ଏହି ଗର୍ଭକୁ ନଷ୍ଟ
ନ କରନ୍ତୁ |
ନମୋ ରୁଦ୍ରାୟ ମହତେ ଦେବାୟୋଗ୍ରାୟ ମୀଢୁଷେ ।
ଶିବାୟ ନ୍ୟସ୍ତଦଣ୍ଡାୟ ଧୃତଦଣ୍ଡାୟ ମନ୍ୟବେ ॥ ୩୪॥
ମୁଁ ଭକ୍ତବାଞ୍ଛାକଳ୍ପତରୁ,
ଉଗ୍ର ଏବଂ ରୁଦ୍ରରୂପ ସେହି ମହାଦେବଙ୍କୁ ନମସ୍କାର କରୁଛି | ସତ୍-ପୁରୁଷମାନଙ୍କ ପାଇଁ ସେ
କଲ୍ୟାଣକାରୀ ଏବଂ ଦଣ୍ଡ ଦେବା ଭାବରହିତ ଅଟନ୍ତି,
କିନ୍ତୁ ଦୁଷ୍ଟମାନଙ୍କ ପାଇଁ ସେ କ୍ରୋଧମୂର୍ତ୍ତି ଦଣ୍ଡପାଣି ଅଟନ୍ତି |
ସ ନଃ ପ୍ରସୀଦତାଂ ଭାମୋ ଭଗବାନୁର୍ୱନୁଗ୍ରହଃ ।
ବ୍ୟାଧସ୍ୟାପ୍ୟନୁକମ୍ପ୍ୟାନାଂ ସ୍ତ୍ରୀଣାଂ ଦେବଃ ସତୀପତିଃ ॥ ୩୫॥
ଆମ୍ଭମାନଙ୍କ ପରି ସ୍ତ୍ରୀମାନଙ୍କ ପ୍ରତି ତ ବ୍ୟାଧମାନେ ମଧ୍ୟ ଦୟା
କରିଥାଆନ୍ତି | ପୁଣି ସେହି ସତୀପତି ତ ମୋର ଭଗିନୀ-ଜାମାତା ଏବଂ ପରମ କୃପାଳୁ ଅଟନ୍ତି; ତେଣୁ ସେ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ |
ମୈତ୍ରେୟ ଉବାଚ
ସ୍ୱସର୍ଗସ୍ୟାଶିଷଂ ଲୋକ୍ୟାମାଶାସାନାଂ ପ୍ରବେପତୀମ୍ ।
ନିବୃତ୍ତସନ୍ଧ୍ୟାନିୟମୋ ଭାର୍ୟାମାହ ପ୍ରଜାପତିଃ ॥ ୩୬॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ସାୟଂକାଳୀନ ସନ୍ଧ୍ୟା-ବନ୍ଦନାଦି
କର୍ମରୁ ନିବୃତ୍ତ ହୋଇ ପ୍ରଜାପତି କଶ୍ୟପ ଯେତେବେଳେ ଦେଖିଲେ ଯେ ଦିତି ଭୟରେ ଥରହର ହୋଇ ନିଜ
ସନ୍ତାନର ଲୌକିକ ତଥା ପାରଲୌକିକ ଉନ୍ନତି ନିମନ୍ତେ ପ୍ରାର୍ଥନା କରୁଛନ୍ତି, ସେତେବେଳେ ସେ ତାଙ୍କୁ କହିଲେ -
କଶ୍ୟପ ଉବାଚ
ଅପ୍ରାୟତ୍ୟାଦାତ୍ମନସ୍ତେ ଦୋଷାନ୍ ମୌହୂର୍ତିକାଦୁତ ।
ମନ୍ନିଦେଶାତିଚାରେଣ ଦେବାନାଂ ଚାତିହେଲନାତ୍ ॥ ୩୭॥
କଶ୍ୟପ କହିଲେ – ତୁମର ଚିତ୍ତ କାମବାସନାରେ ମଳୀନ ଥିଲା, ସେହି ସମୟ ମଧ୍ୟ ଉଚିତ୍ ନ ଥିଲା ଏବଂ ତୁମେ ମୋ କଥା ମାନିଲ ନାହିଁ
ତଥା ଦେବତାମାନଙ୍କର ଅବହେଳନା କଲ |
ଭବିଷ୍ୟତସ୍ତବାଭଦ୍ରାବଭଦ୍ରେ ଜାଠରାଧମୌ ।
ଲୋକାନ୍ ସପାଲାଂସ୍ତ୍ରୀଂଶ୍ଚଣ୍ଡି ମୁହୁରାକ୍ରନ୍ଦୟିଷ୍ୟତଃ ॥ ୩୮॥
ହେ ଅମଙ୍ଗଳମୟୀ ଚଣ୍ଡି ! ତୁମ ଗର୍ଭରୁ ଦୁଇଟି ଅତ୍ୟନ୍ତ ଅମଙ୍ଗଳମୟ
ଏବଂ ଅଧମ ପୁତ୍ର ଉତ୍ପନ୍ନ ହେବେ | ସେମାନେ ନିଜ ଅତ୍ୟାଚାରରେ ବାରମ୍ବାର ସମ୍ପୂର୍ଣ୍ଣ ଲୋକ ଏବଂ
ଲୋକପାଳଙ୍କୁ କନ୍ଦାଇବେ |
ପ୍ରାଣିନାଂ ହନ୍ୟମାନାନାଂ ଦୀନାନାମକୃତାଗସାମ୍ ।
ସ୍ତ୍ରୀଣାଂ ନିଗୃହ୍ୟମାଣାନାଂ କୋପିତେଷୁ ମହାତ୍ମସୁ ॥ ୩୯॥
ତଦା ବିଶ୍ୱେଶ୍ୱରଃ କ୍ରୁଦ୍ଧୋ ଭଗବାନ୍ ଲୋକଭାବନଃ ।
ହନିଷ୍ୟତ୍ୟବତୀର୍ୟାସୌ ଯଥାଦ୍ରୀନ୍ ଶତପର୍ୱଧୃକ୍ ॥ ୪୦॥
ସେମାନଙ୍କ ହାତରେ ଯେତେବେଳେ ଅନେକାନେକ ନିରପରାଧ ଏବଂ ଦୀନ ପ୍ରାଣୀ
ଜୀବନ ହରାଇବେ, ସ୍ତ୍ରୀମାନେ
ଅତ୍ୟାଚାରିତ ହେବେ, ମହାତ୍ମାମାନଙ୍କୁ
କ୍ଷୁବ୍ଧ କରାଯିବ, ସେତେବେଳେ
ସମ୍ପୂର୍ଣ୍ଣ ଲୋକର ରକ୍ଷକ ଶ୍ରୀଜଗଦୀଶ୍ବର କୁପିତ ହୋଇ ଅବତାର ଗ୍ରହଣ କରିବେ ଏବଂ ଇନ୍ଦ୍ର
ପର୍ବତମାନଙ୍କୁ ଦମନ କରିବା ପରି ସେ ସେମାନଙ୍କୁ
ବଧ କରିବେ |
ଦିତିରୁବାଚ
ବଧଂ ଭଗବତା ସାକ୍ଷାତ୍ସୁନାଭୋଦାରବାହୁନା ।
ଆଶାସେ ପୁତ୍ରୟୋର୍ମହ୍ୟଂ ମା କ୍ରୁଦ୍ଧାଦ୍ବ୍ରାହ୍ମଣାଦ୍ୱିଭୋ ॥ ୪୧॥
ଦିତି କହିଲେ – ହେ ପ୍ରଭୁ ! ଏହା ମୁଁ ମଧ୍ୟ ଇଚ୍ଛା କରୁଛି ଯେ ଯଦି
ମୋର ପୁତ୍ରମାନଙ୍କୁ ବଧ କରାଯିବ, ତେବେ ତାହା
ସାକ୍ଷାତ୍ ଭଗବାନ ଚକ୍ରପାଣିଙ୍କ ହସ୍ତରେ ହିଁ ହେଉ, କୁପିତ
ବ୍ରାହ୍ମଣମାନଙ୍କର ଶାପ ଆଦିରୁ ନୁହେଁ |
ନ ବ୍ରହ୍ମଦଣ୍ଡଦଗ୍ଦ୍ଧସ୍ୟ ନ ଭୂତଭୟଦସ୍ୟ ଚ ।
ନାରକାଶ୍ଚାନୁଗୃହ୍ଣନ୍ତି ଯାଂ ଯାଂ ଯୋନିମସୌ ଗତଃ ॥ ୪୨॥
ଯେଉଁ ଜୀବ ବ୍ରାହ୍ମଣମାନଙ୍କର ଶାପରେ ଦଗ୍ଧ ଅଥବା ପ୍ରାଣୀମାନଙ୍କର ଭୟ
ଉତ୍ପନ୍ନକାରୀ ଅଟେ, ସେ ଯେ କୌଣସି
ଯୋନିରେ ଜନ୍ମ ଗ୍ରହଣ କରୁ ନାରକୀୟ ଜୀବମାନେ ମଧ୍ୟ ତା’ ପ୍ରତି ଦୟା କରନ୍ତି ନାହିଁ |
କଶ୍ୟପ ଉବାଚ
କୃତଶୋକାନୁତାପେନ ସଦ୍ୟଃ ପ୍ରତ୍ୟବମର୍ଶନାତ୍ ।
ଭଗବତ୍ୟୁରୁମାନାଚ୍ଚ ଭବେ ମୟ୍ୟପି ଚାଦରାତ୍ ॥ ୪୩॥
ପୁତ୍ରସ୍ୟୈବ ତୁ ପୁତ୍ରାଣାଂ ଭବିତୈକଃ ସତାଂ ମତଃ ।
ଗାସ୍ୟନ୍ତି ଯଦ୍ୟଶଃ ଶୁଦ୍ଧଂ ଭଗବଦ୍ୟଶସା ସମମ୍ ॥ ୪୪॥
ହେ ଦେବି ! ତୁମେ ନିଜର କର୍ମକୁ ନେଇ ଶୋକ ଏବଂ ପଶ୍ଚାତାପ ପ୍ରକଟ
କରିଛ, ଅତି ଶୀଘ୍ର ତୁମ ମନରେ ଉଚିତ୍-ଅନୁଚିତର ଧାରଣା ହୋଇଯାଇଛି ତଥା ଯାହା ଜଣାପଡୁଛି ଭଗବାନ
ବିଷ୍ଣୁ, ଶିବ ଏବଂ ମୋ ପ୍ରତି
ମଧ୍ୟ ତୁମ ମନରେ ଆଦର ରହିଛି, ତେଣୁ ତୁମର ଗୋଟିଏ
ପୁତ୍ରର ଚାରି ପୁତ୍ରଙ୍କ ମଧ୍ୟରୁ ଜଣେ ଏପରି ହେବ ଯାହାର ସମ୍ମାନ ସତ୍-ପୁରୁଷମାନେ ମଧ୍ୟ କରିବେ
ଏବଂ ଯାହାର ପବିତ୍ର ଯଶର ଗାନ ଭକ୍ତଜନ ଭଗବାନଙ୍କର ଗୁଣ ଗାନ କରିବା ସହିତ କରିବେ |
ଯୋଗୈର୍ହେମେବ ଦୁର୍ୱର୍ଣଂ ଭାବୟିଷ୍ୟନ୍ତି ସାଧବଃ ।
ନିର୍ୱୈରାଦିଭିରାତ୍ମାନଂ ଯଚ୍ଛୀଲମନୁବର୍ତିତୁମ୍ ॥ ୪୫॥
ଖାଦମିଶ୍ରିତ ସୁନାକୁ ଶୁଦ୍ଧ କରିବା ପାଇଁ ତାହାକୁ ଯେପରି ବାରମ୍ବାର
ଅଗ୍ନିରେ ନିକ୍ଷେପ କରାଯାଇ ଥାଏ, ସେହିପରି ତାଙ୍କ
ସ୍ବଭାବର ଅନୁକରଣ କରିବା ନିମନ୍ତେ ସାଧୁଜନ ନିର୍ବୈରତା ଆଦି ଉପାୟରେ ନିଜ ଅନ୍ତଃକରଣକୁ ଶୁଦ୍ଧ
କରିବେ |
ଯତ୍ପ୍ରସାଦାଦିଦଂ ବିଶ୍ୱଂ ପ୍ରସୀଦତି ଯଦାତ୍ମକମ୍ ।
ସ ସ୍ୱଦୃଗ୍ଭଗବାନ୍ ଯସ୍ୟ ତୋଷ୍ୟତେଽନନ୍ୟଯା ଦୃଶା ॥ ୪୬॥
ଯାହାର କୃପାରୁ ତାଙ୍କର ହିଁ ସ୍ବରୂପଭୂତ ଏହି ଜଗତ ଆନନ୍ଦିତ ହୋଇଥାଏ, ସେହି ସ୍ବୟଂପ୍ରକାଶ ଭଗବାନ ମଧ୍ୟ ତାଙ୍କର ଅନନ୍ୟ ଭକ୍ତିରେ
ସନ୍ତୁଷ୍ଟ ହୋଇଯିବେ |
ସ ବୈ ମହାଭାଗବତୋ ମହାତ୍ମା
ମହାନୁଭାବୋ ମହତାଂ ମହିଷ୍ଠଃ ।
ପ୍ରବୃଦ୍ଧଭକ୍ତ୍ୟା ହ୍ୟନୁଭାବିତାଶୟେ
ନିବେଶ୍ୟ ବୈକୁଣ୍ଠମିମଂ ବିହାସ୍ୟତି ॥ ୪୭॥
ହେ ଦିତି ! ସେହି ବାଳକ ବହୁତ ବଡ ଭଗବଦ୍-ଭକ୍ତ, ଅତ୍ୟନ୍ତ ଉଦାରହୃଦୟ,
ପ୍ରଭାବଶାଳୀ ଏବଂ ମହାନ୍ ପୁରୁଷମାନଙ୍କର ମଧ୍ୟ ପୂଜ୍ୟ ହେବ ତଥା ପ୍ରୌଢ଼ ଭକ୍ତିଭାବରେ ବିଶୁଦ୍ଧ
ଏବଂ ଭାବାନ୍ବିତ ହୋଇ ଅନ୍ତଃକରଣରେ ଶ୍ରୀଭଗବାନଙ୍କୁ ସ୍ଥାପିତ କରି ଦେହାଭିମାନ ତ୍ୟାଗ କରିବ |
ଅଲମ୍ପଟଃ ଶୀଲଧରୋ ଗୁଣାକରୋ
ହୃଷ୍ଟଃ ପରର୍ଦ୍ଧ୍ୟା ବ୍ୟଥିତୋ ଦୁଃଖିତେଷୁ ।
ଅଭୂତଶତ୍ରୁର୍ଜଗତଃ ଶୋକହର୍ତା
ନୈଦାଘିକଂ ତାପମିବୋଡୁରାଜଃ ॥ ୪୮॥
ସେ ବିଷୟରେ ଅନାସକ୍ତ,
ଶୀଳବାନ, ଗୁଣର ଭଣ୍ଡାର
ହୋଇଥିବ ତଥା ଅନ୍ୟର ସମୃଦ୍ଧିରେ ସୁଖ ଏବଂ ଦୁଃଖରେ ଦୁଃଖ ଅନୁଭବ କରୁଥିବ | ତାହାର କେହି ଶତ୍ରୁ
ରହିବେ ନାହିଁ ତଥା ଚନ୍ଦ୍ରମା ଗ୍ରୀଷ୍ମର ତାପକୁ ହରଣ କରିବା ପରି ସେ ସଂସାରର ଶୋକକୁ ଶାନ୍ତ
କରିବ |
ଅନ୍ତର୍ବହିଶ୍ଚାମଲମବ୍ଜନେତ୍ରଂ
ସ୍ୱପୂରୁଷେଚ୍ଛାନୁଗୃହୀତରୂପମ୍ ।
ପୌତ୍ରସ୍ତବ ଶ୍ରୀଲଲନାଲଲାମଂ
ଦ୍ରଷ୍ଟା ସ୍ଫୁରତ୍କୁଣ୍ଡଲମଣ୍ଡିତାନନମ୍ ॥ ୪୯॥
ଯିଏ ସଂସାରର ଭିତରେ-ବାହାରେ ସର୍ବତ୍ର ବିରାଜମାନ ଅଟନ୍ତି, ନିଜ ଭକ୍ତମାନଙ୍କର ଇଚ୍ଛାନୁସାରେ ଯିଏ ସମୟ-ସମୟରେ ମଙ୍ଗଳବିଗ୍ରହ
ପ୍ରକଟ କରିଥାଆନ୍ତି ଏବଂ ଲକ୍ଷ୍ମୀରୂପ ଲାବଣ୍ୟମୟୀ ଲଳନାମାନଙ୍କର ମଧ୍ୟ ଯିଏ ଶୋଭା ବୃଦ୍ଧି
କରିଥାଆନ୍ତି ତଥା ଯାହାର ମୁଖମଣ୍ଡଳ ଝଲମଲ ହେଉଥିବା କୁଣ୍ଡଳରେ ସୁଶୋଭିତ – ତୁମର ପୌତ୍ର ସେହି
ପରମ ପବିତ୍ର କମଳନୟନ ଶ୍ରୀହରିଙ୍କର ପ୍ରତ୍ୟକ୍ଷ ଦର୍ଶନ କରିବେ |
ମୈତ୍ରେୟ ଉବାଚ
ଶ୍ରୁତ୍ୱା ଭାଗବତଂ ପୌତ୍ରମମୋଦତ ଦିତିର୍ଭୃଶମ୍ ।
ପୁତ୍ରୟୋଶ୍ଚ ବଧଂ କୃଷ୍ଣାଦ୍ୱିଦିତ୍ୱାଽଽସୀନ୍ମହାମନାଃ ॥ ୫୦॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଦିତି ଯେତେବେଳେ ଶୁଣିବାକୁ
ପାଇଲେ ଯେ ତାଙ୍କର ପୌତ୍ର ଭଗବାନଙ୍କର ଭକ୍ତ ହେବ,
ସେ ଖୁବ୍ ବେଶୀ ଆନନ୍ଦିତ ହେଲେ ତଥା ଏହା ଜାଣି ଯେ ତାଙ୍କର ପୁତ୍ର ସ୍ବୟଂ ଶ୍ରୀହରିଙ୍କ ହସ୍ତରେ
ମୃତ୍ୟୁକୁ ପ୍ରାପ୍ତ ହେବ, ସେ ଆହୁରି ଅଧିକ
ଉତ୍ସାହିତ ହେଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଦିତିକଶ୍ୟପସମ୍ବାଦେ ଚତୁର୍ଦଶୋଽଧ୍ୟାୟଃ ॥ ୧୪॥

Comments
Post a Comment