ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ଚତୁର୍ଥ ଅଧ୍ୟାୟ
ଉଦ୍ଧବଙ୍କଠାରୁ ବିଦାୟ ନେଇ ବିଦୁରଙ୍କର ମୈତ୍ରେୟ ଋଷିଙ୍କ ପାଖକୁ ଯିବା
ଉଦ୍ଧବ ଉବାଚ
ଅଥ ତେ ତଦନୁଜ୍ଞାତା ଭୁକ୍ତ୍ୱା ପୀତ୍ୱା ଚ ବାରୁଣୀମ୍ ।
ତୟା ବିଭ୍ରଂଶିତଜ୍ଞାନା ଦୁରୁକ୍ତୈର୍ମର୍ମ ପସ୍ପୃଶୁଃ ॥ ୧॥
ଉଦ୍ଧବ କହୁଛନ୍ତି – ତାପରେ ବ୍ରାହ୍ମଣମାନଙ୍କର ଆଜ୍ଞାରେ ଯାଦବମାନେ
ଭୋଜନ କଲେ ଏବଂ ବାରୁଣୀ ମଦିରା ପାନ କଲେ | ତଦ୍ବାରା ସେମାନଙ୍କର ଜ୍ଞାନ ନଷ୍ଟ ହୋଇଗଲା ଏବଂ
ସେମାନେ ଦୁର୍ବଚନ ଦ୍ବାରା ପରସ୍ପରର ହୃଦୟକୁ ଆଘାତ କରିବାରେ ଲାଗିଲେ |
ତେଷାଂ ମୈରେୟଦୋଷେଣ ବିଷମୀକୃତଚେତସାମ୍ ।
ନିମ୍ଲୋଚତି ରବାବାସୀଦ୍ୱେଣୂନାମିବ ମର୍ଦନମ୍ ॥ ୨॥
ମଦିରା ନିଶାରେ ସେମାନଙ୍କର ବୁଦ୍ଧି ବିକୃତ ହୋଇଗଲା ଏବଂ ପରସ୍ପର
ଘର୍ଷଣରେ ବାଉଁଶରେ ଅଗ୍ନି ସଂଯୋଗ ହେବା ପରି ସୂର୍ଯ୍ୟାସ୍ତ ହେବା ବେଳକୁ ସେମାନେ ପରସ୍ପରକୁ
ମାରିବା-କାଟିବାରେ ଲାଗିଗଲେ |
ଭଗବାନ୍ ସ୍ୱାତ୍ମମାୟାୟା ଗତିଂ ତାମବଲୋକ୍ୟ ସଃ ।
ସରସ୍ୱତୀମୁପସ୍ପୃଶ୍ୟ ବୃକ୍ଷମୂଲମୁପାବିଶତ୍ ॥ ୩॥
ନିଜ ମାୟାର ଏହି ବିଚିତ୍ର ଗତିକୁ ଦେଖି ଭଗବାନ ସରସ୍ବତୀ ଜଳରେ ଆଚମନ
କରି ଏକ ବୃକ୍ଷର ନିମ୍ନଦେଶରେ ଉପବେଶନ କଲେ |
ଅହଂ ଚୋକ୍ତୋ ଭଗବତା ପ୍ରପନ୍ନାର୍ତିହରେଣ ହ ।
ବଦରୀଂ ତ୍ୱଂ ପ୍ରୟାହୀତି ସ୍ୱକୁଲଂ ସଞ୍ଜିହୀର୍ଷୁଣା ॥ ୪॥
ତା’ ପୂର୍ବରୁ ହିଁ
ଶରଣାଗତ ଦୁଃଖହାରୀ ଭଗବାନ ଶ୍ରୀକୃଷ୍ଣ, ନିଜ କୁଳ ସଂହାର
କରିବାର ଇଚ୍ଛା ଜାତ ହେବାରୁ, ମୋତେ ବଦରିକାଶ୍ରମ
ଚାଲିଯିବାକୁ କହି ଦେଇଥିଲେ |
ଅଥାପି ତଦଭିପ୍ରେତଂ ଜାନନ୍ନହମରିନ୍ଦମ ।
ପୃଷ୍ଠତୋଽନ୍ୱଗମଂ ଭର୍ତୁଃ ପାଦବିଶ୍ଲେଷଣାକ୍ଷମଃ ॥ ୫॥
ହେ ବିଦୁର ! ଏଥିରୁ ଯଦିଓ ମୁଁ ତାଙ୍କର ଉଦ୍ଦେଶ୍ୟ ବିଷୟରେ ଅନୁମାନ
କରି ପାରିଥିଲି, ତଥାପି ନିଜ
ସ୍ବାମୀଙ୍କର ବିୟୋଗ ସହ୍ୟ କରି ନ ପାରି ମୁଁ ତାଙ୍କ ପଛେ ପଛେ ପ୍ରଭାସକ୍ଷେତ୍ରରେ ପହଞ୍ଚି ଗଲି |
ଅଦ୍ରାକ୍ଷମେକମାସୀନଂ ବିଚିନ୍ୱନ୍ ଦୟିତଂ ପତିମ୍ ।
ଶ୍ରୀନିକେତଂ ସରସ୍ୱତ୍ୟାଂ କୃତକେତମକେତନମ୍ ॥ ୬॥
ସେଠାରେ ମୁଁ ଦେଖିବାକୁ ପାଇଲି ଯେ ଯିଏ ସମସ୍ତଙ୍କର ଆଶ୍ରୟ ଅଟନ୍ତି
ଏବଂ ଯାହାର କୌଣସି ଆଶ୍ରୟ ନାହିଁ, ସେହି ପ୍ରିୟତମ
ପ୍ରଭୁ ଶୋଭାଧାମ ଶ୍ୟାମସୁନ୍ଦର ସରସ୍ବତୀ ନଦୀର ତଟଦେଶରେ ଏକାକୀ ବସିଛନ୍ତି |
ଶ୍ୟାମାବଦାତଂ ବିରଜଂ ପ୍ରଶାନ୍ତାରୁଣଲୋଚନମ୍ ।
ଦୋର୍ଭିଶ୍ଚତୁର୍ଭିର୍ୱିଦିତଂ ପୀତକୌଶାମ୍ବରେଣ ଚ ॥ ୭॥
ଦିବ୍ୟ ବିଶୁଦ୍ଧ-ସତ୍ତ୍ବମୟ ଶ୍ୟାମଳ ଶରୀର, ପ୍ରଶାନ୍ତ ରକ୍ତିମ ନେତ୍ର,
ଚତୁର୍ଭୁଜ ଏବଂ ରେଶମୀ ପୀତାମ୍ବରକୁ ଦେଖି ଦୂରରୁ ହିଁ ମୁଁ ତାଙ୍କୁ ଚିହ୍ନିନେଲି |
ବାମ ଊରାବଧିଶ୍ରିତ୍ୟ ଦକ୍ଷିଣାଙ୍ଘ୍ରିସରୋରୁହମ୍ ।
ଅପାଶ୍ରିତାର୍ଭକାଶ୍ୱତ୍ଥମକୃଶଂ ତ୍ୟକ୍ତପିପ୍ପଲମ୍ ॥ ୮॥
ସେ ଏକ ଛୋଟ ପିପ୍ପଳ ବୃକ୍ଷର ସାହାରା ନେଇ ନିଜ ବାମ ଜାନୁ ଉପରେ
ଦକ୍ଷିଣ ଚରଣକମଳକୁ ରଖି ସେଠାରେ ବସିଥିଲେ | ଭୋଜନ-ପାନ ଇତ୍ୟାଦି ତ୍ୟାଗ କରି ଦେଇଥିଲେ ବି
ଆନନ୍ଦରେ ସେ ପ୍ରଫୁଲ୍ଲିତ ଦେଖା ଯାଉଥିଲେ |
ତସ୍ମିନ୍ମହାଭାଗବତୋ ଦ୍ୱୈପାୟନସୁହୃତ୍ସଖା ।
ଲୋକାନନୁଚରନ୍ ସିଦ୍ଧ ଆସସାଦ ଯଦୃଚ୍ଛୟା ॥ ୯॥
ଏହି ସମୟରେ ବ୍ୟାସଦେବଙ୍କର ପ୍ରିୟ ମିତ୍ର ପରମ ଭାଗବତ ସିଦ୍ଧମୁନି
ମୈତ୍ରେୟ ଧରାପୃଷ୍ଠରେ ସ୍ବଚ୍ଛନ୍ଦ ବିଚରଣ କରି କରି ସେଠାରେ ଆସି ପହଞ୍ଚିଲେ |
ତସ୍ୟାନୁରକ୍ତସ୍ୟ ମୁନେର୍ମୁକୁନ୍ଦଃ
ପ୍ରମୋଦଭାବାନତକନ୍ଧରସ୍ୟ ।
ଆଶୃଣ୍ୱତୋ ମାମନୁରାଗହାସ-
ସମୀକ୍ଷୟା ବିଶ୍ରମୟନ୍ନୁବାଚ ॥ ୧୦॥
ମୈତ୍ରେୟ ମୁନି ଭଗବାନଙ୍କର ଅନୁରାଗୀ ଭକ୍ତ ଅଟନ୍ତି | ଆନନ୍ଦ ଏବଂ
ଭକ୍ତିଭାବରେ ତାଙ୍କର ଗ୍ରୀବା ଅବନତ ରହିଥିଲା | ତାଙ୍କ ଉପସ୍ଥିତିରେ ହିଁ ଭଗବାନ ଶ୍ରୀହରି
ପ୍ରେମ ଏବଂ ସ୍ମିତହାସ୍ୟଯୁକ୍ତ ଚାହାଣୀରେ ମୋତେ ଆନନ୍ଦିତ କରି କହିବାରେ ଲାଗିଲେ -
ଶ୍ରୀଭଗବାନୁବାଚ
ବେଦାହମନ୍ତର୍ମନସୀପ୍ସିତଂ ତେ
ଦଦାମି ଯତ୍ତଦ୍ଦୁରବାପମନ୍ୟୈଃ ।
ସତ୍ରେ ପୁରା ବିଶ୍ୱସୃଜାଂ ବସୂନାଂ
ମତ୍ସିଦ୍ଧିକାମେନ ବସୋ ତ୍ୱୟେଷ୍ଟଃ ॥ ୧୧॥
ଶ୍ରୀ ଭଗବାନ କହିଲେ – ହେ ଉଦ୍ଧବ ! ମୁଁ ତୁମର ଆନ୍ତରିକ ଅଭିଳାଷକୁ
ଜାଣିଛି, ସେଥିପାଇଁ ମୁଁ
ତୁମକୁ ସେହି ସାଧନ ଦେଉଛି, ଯାହା ଅନ୍ୟମାନଙ୍କ
ପାଇଁ ଅତ୍ୟନ୍ତ ଦୁର୍ଲଭ ଅଟେ | ପୂର୍ବ ଜନ୍ମରେ ତୁମେ ବସୁ ଥିଲ | ବିଶ୍ବ-ରଚନା କରୁଥିବା
ପ୍ରଜାପତି ଏବଂ ବସୁମାନଙ୍କର ଯଜ୍ଞରେ ତୁମେ ମୋତେ ପ୍ରାପ୍ତ କରିବା ଇଚ୍ଛାରେ ମୋର ଆରାଧନା
କରିଥିଲ |
ସ ଏଷ ସାଧୋ ଚରମୋ ଭବାନା-
ମାସାଦିତସ୍ତେ ମଦନୁଗ୍ରହୋ ଯତ୍ ।
ଯନ୍ମାଂ ନୃଲୋକାନ୍ ରହ ଉତ୍ସୃଜନ୍ତଂ
ଦିଷ୍ଟ୍ୟା ଦଦୃଶ୍ୱାନ୍ ବିଶଦାନୁବୃତ୍ତ୍ୟା ॥ ୧୨॥
ହେ ସାଧୁସ୍ବଭାବ ଉଦ୍ଧବ ! ସଂସାରରେ ଏହା ତୁମର ଅନ୍ତିମ ଜନ୍ମ ଅଟେ;
କାରଣ ଏହି ଜନ୍ମରେ ତୁମେ ମୋର ଅନୁଗ୍ରହ ପ୍ରାପ୍ତ କରିନେଇଛ | ଏବେ ମୁଁ ମର୍ତ୍ତ୍ୟଲୋକ ତ୍ୟାଗ
କରି ମୋର ପରମ ଧାମକୁ ଯିବାକୁ ଇଚ୍ଛା କରୁଛି | ନିଜର ଅନନ୍ୟ ଭକ୍ତି ଯୋଗୁଁ ତୁମେ ଏକାନ୍ତରେ
ଏଠାରେ ମୋର ଦର୍ଶନ ପ୍ରାପ୍ତ କରିଛ, ଏହା ଅତ୍ୟନ୍ତ ସୌଭାଗ୍ୟର ବିଷୟ ଅଟେ |
ପୁରା ମୟା ପ୍ରୋକ୍ତମଜାୟ ନାଭ୍ୟେ
ପଦ୍ମେ ନିଷଣ୍ଣାୟ ମମାଦିସର୍ଗେ ।
ଜ୍ଞାନଂ ପରଂ ମନ୍ମହିମାବଭାସଂ
ଯତ୍ସୂରୟୋ ଭାଗବତଂ ବଦନ୍ତି ॥ ୧୩॥
ପୂର୍ବକାଳ (ପାଦ୍ମକଳ୍ପ) ପ୍ରାରମ୍ଭରେ ମୁଁ ନିଜ ନାଭି-କମଳରେ
ବସିଥିବା ବ୍ରହ୍ମାଙ୍କୁ ମୋର ମହିମା ପ୍ରକଟ କରୁଥିବା ଯେଉଁ ଶ୍ରେଷ୍ଠ ଜ୍ଞାନ ଉପଦେଶ ପ୍ରଦାନ
କରିଥିଲି ଏବଂ ଯାହାକୁ ବିବେକୀ ପୁରୁଷ ‘ଭାଗବତ’
କହନ୍ତି, ଆଜି ମୁଁ ତାହା
ତୁମକୁ ପ୍ରଦାନ କରୁଛି |
ଇତ୍ୟାଦୃତୋକ୍ତଃ ପରମସ୍ୟ ପୁଂସଃ
ପ୍ରତିକ୍ଷଣାନୁଗ୍ରହଭାଜନୋଽହମ୍ ।
ସ୍ନେହୋତ୍ଥରୋମା ସ୍ଖଲିତାକ୍ଷରସ୍ତଂ
ମୁଞ୍ଚଞ୍ଛୁଚଃ ପ୍ରାଞ୍ଜଲିରାବଭାଷେ ॥ ୧୪॥
ହେ ବିଦୁର ! ସେହି ପରମ ପୁରୁଷଙ୍କର କୃପା-ବୃଷ୍ଟି ତ ମୋ ଉପରେ
ପ୍ରତିକ୍ଷଣ ବର୍ଷଣ ହେଉଥାଏ | ଏବେ ସେ ଆଦରପୂର୍ବକ ଏପରି କହିବାରୁ ସ୍ନେହବଶତଃ ମୋର ଶରୀର ରୋମାଞ୍ଚିତ
ହୋଇ ଉଠିଲା, ବାଣୀ ଗଦଗଦ ହୋଇଗଲା
ଏବଂ ନେତ୍ରରୁ ଅଶ୍ରୁଧାରା ପ୍ରବାହିତ ହେବାରେ ଲାଗିଲା | ମୁଁ ହାତ ଯୋଡି ତାଙ୍କୁ ନିବେଦନ କଲି -
କୋ ନ୍ୱୀଶ ତେ ପାଦସରୋଜଭାଜାଂ
ସୁଦୁର୍ଲଭୋଽର୍ଥେଷୁ ଚତୁର୍ଷ୍ୱପୀହ ।
ତଥାପି ନାହଂ ପ୍ରବୃଣୋମି ଭୂମନ୍
ଭବତ୍ପଦାମ୍ଭୋଜନିଷେବଣୋତ୍ସୁକଃ ॥ ୧୫॥
ସ୍ବାମୀନ୍ ! ଆପଣଙ୍କ ଚରଣ-କମଳ-ସେବା-ରତ
ପୁରୁଷଙ୍କୁ ଏହି ସଂସାରରେ ଅର୍ଥ, ଧର୍ମ, କାମ, ମୋକ୍ଷ – ଏହି ଚାରି
ପୁରୁଷାର୍ଥ ମଧ୍ୟରୁ କୌଣସି ଗୋଟିଏ ବି ଦୁର୍ଲଭ ନୁହେଁ; ତଥାପି ମୁଁ ଏମାନଙ୍କ ମଧ୍ୟରୁ କିଛି ବି
ଇଚ୍ଛା କରେନାହିଁ | ମୁଁ ତ କେବଳ ଆପଣଙ୍କ ଚରଣ-କମଳର ସେବା ନିମନ୍ତେ ଲାଳାୟିତ ରହିଥାଏ |
କର୍ମାଣ୍ୟନୀହସ୍ୟ ଭବୋଽଭବସ୍ୟ ତେ
ଦୁର୍ଗାଶ୍ରୟୋଽଥାରିଭୟାତ୍ପଲାୟନମ୍ ।
କାଲାତ୍ମନୋ ଯତ୍ପ୍ରମଦାୟୁତାଶ୍ରମଃ
ସ୍ୱାତ୍ମନ୍ ରତେଃ ଖିଦ୍ୟତି ଧୀର୍ୱିଦାମିହ ॥ ୧୬॥
ହେ ପ୍ରଭୁ ! ଆପଣ ନିଃସ୍ପୃହ ହୋଇ ମଧ୍ୟ କର୍ମ କରନ୍ତି, ଅଜନ୍ମା ହୋଇ ମଧ୍ୟ ଜନ୍ମ ଗ୍ରହଣ କରନ୍ତି, କାଳରୂପ ହୋଇ ମଧ୍ୟ ଶତ୍ରୁ ଭୟରେ ପଳାୟନ କରି ଦ୍ବାରିକାର ଦୁର୍ଗ
ଭିତରେ ଲୁଚି ରହନ୍ତି ତଥା ଆତ୍ମାରାମ ହୋଇ ମଧ୍ୟ ଷୋଳ ହଜାର ସ୍ତ୍ରୀଙ୍କ ସହିତ ରମଣ କରୁଥାଆନ୍ତି –
ଆପଣଙ୍କର ଏହି ବିଚିତ୍ର ଚରିତ୍ରକୁ ଦେଖି ବିଦ୍ବାନମାନଙ୍କର ବୁଦ୍ଧି ମଧ୍ୟ ଭ୍ରମିତ ହୋଇଯାଏ |
ମନ୍ତ୍ରେଷୁ ମାଂ ବା ଉପହୂୟ ଯତ୍ତ୍ୱ-
ମକୁଣ୍ଠିତାଖଣ୍ଡସଦାତ୍ମବୋଧଃ ।
ପୃଚ୍ଛେଃ ପ୍ରଭୋ ମୁଗ୍ଦ୍ଧ ଇବାପ୍ରମତ୍ତଃ
ତନ୍ନୋ ମନୋ ମୋହୟତୀବ ଦେବ ॥ ୧୭॥
ହେ ଦେବ ! ଆପଣଙ୍କର ସ୍ବରୂପଜ୍ଞାନ ସର୍ବତୋ ଭାବରେ ଅବାଧ ଏବଂ ଅଖଣ୍ଡ
ଅଟେ | ତଥାପି ପରାମର୍ଶ କରିବା ପାଇଁ ଆପଣ ମୋତେ ଡକାଇ ଯେପରି ନିର୍ବୋଧ ମନୁଷ୍ୟ ପରି ସାବଧାନ
ପୂର୍ବକ ମୋର ସମ୍ମତି ଲୋଡିଥାଆନ୍ତି, ଆପଣଙ୍କର ସେହି ଲୀଳା
ମୋର ମନକୁ ମୋହିତ କରିଦିଏ |
ଜ୍ଞାନଂ ପରଂ ସ୍ୱାତ୍ମରହଃପ୍ରକାଶଂ
ପ୍ରୋବାଚ କସ୍ମୈ ଭଗବାନ୍ ସମଗ୍ରମ୍ ।
ଅପି କ୍ଷମଂ ନୋ ଗ୍ରହଣାୟ ଭର୍ତଃ
ବଦାଞ୍ଜସା ଯଦ୍ୱୃଜିନଂ ତରେମ ॥ ୧୮॥
ସ୍ବାମିନ୍ ! ଆପଣଙ୍କ ସ୍ବରୂପର ଗୂଢ଼ ରହସ୍ୟକୁ ପ୍ରକଟ କରୁଥିବା ଯେଉଁ
ଶ୍ରେଷ୍ଠ ଏବଂ ପରିପୂର୍ଣ୍ଣ ଜ୍ଞାନ ଆପଣ ବ୍ରହ୍ମାଜୀଙ୍କୁ ପ୍ରଦାନ କରିଥିଲେ, ତାହାକୁ ବୁଝିବାର ଯୋଗ୍ୟତା ଯଦି ମୋର ରହିଛି, ତେବେ ତାହା ମୋତେ ମଧ୍ୟ ଶୁଣାନ୍ତୁ, ଯାହା ଦ୍ବାରା ମୁଁ ମଧ୍ୟ ସଂସାରର ଦୁଃଖରୂପ ସାଗରକୁ ସୁଗମତା ପୂର୍ବକ
ଅତିକ୍ରମ କରିପାରିବି |
ଇତ୍ୟାବେଦିତହାର୍ଦାୟ ମହ୍ୟଂ ସ ଭଗବାନ୍ ପରଃ ।
ଆଦିଦେଶାରବିନ୍ଦାକ୍ଷ ଆତ୍ମନଃ ପରମାଂ ସ୍ଥିତିମ୍ ॥ ୧୯॥
ଏହିପରି ଭାବରେ ମୁଁ ଯେତେବେଳେ ନିଜ ହୃଦୟର ଭାବକୁ ତାଙ୍କ ନିକଟରେ
ନିବେଦିତ କଲି, ସେତେବେଳେ ପରମପୁରୁଷ
କମଳନୟନ ଭଗବାନ ଶ୍ରୀକୃଷ୍ଣ ମୋତେ ନିଜ ସ୍ବରୂପର ପରମ ସ୍ଥିତିର ଉପଦେଶ ପ୍ରଦାନ କଲେ |
ସ ଏବମାରାଧିତପାଦତୀର୍ଥା-
ଦଧୀତତତ୍ତ୍ୱାତ୍ମବିବୋଧମାର୍ଗଃ ।
ପ୍ରଣମ୍ୟ ପାଦୌ ପରିବୃତ୍ୟ ଦେବ-
ମିହାଗତୋଽହଂ ବିରହାତୁରାତ୍ମା ॥ ୨୦॥
ପୂଜ୍ୟପାଦ ଗୁରୁ ଶ୍ରୀକୃଷ୍ଣଙ୍କଠାରୁ ଆତ୍ମତତ୍ତ୍ବ ଉପଲବଧିର ସାଧନ
ଶ୍ରବଣ କରିବା ପରେ ତାଙ୍କର ଚରଣ ବନ୍ଦନା ଏବଂ ପରିକ୍ରମା କରି ମୁଁ ଏଠାକୁ ଚାଲି ଆସିଛି | ଏହି
ସମୟରେ ସେହି ପ୍ରଭୁଙ୍କ ବିରହରେ ମୋର ଚିତ୍ତ ଅତ୍ୟନ୍ତ ବ୍ୟାକୁଳ ହେବାରେ ଲାଗିଛି |
ସୋଽହଂ ତଦ୍ଦର୍ଶନାହ୍ଲାଦବିୟୋଗାର୍ତିୟୁତଃ ପ୍ରଭୋ ।
ଗମିଷ୍ୟେ ଦୟିତଂ ତସ୍ୟ ବଦର୍ୟାଶ୍ରମମଣ୍ଡଲମ୍ ॥ ୨୧॥
ଯତ୍ର ନାରାୟଣୋ ଦେବୋ ନରଶ୍ଚ ଭଗବାନ୍ ଋଷିଃ ।
ମୃଦୁ ତୀବ୍ରଂ ତପୋ ଦୀର୍ଘଂ ତେପାତେ ଲୋକଭାବନୌ ॥ ୨୨॥
ହେ ବିଦୁର ! ପୂର୍ବରୁ ତ ତାଙ୍କର ଦର୍ଶନ ପ୍ରାପ୍ତ କରି ମୁଁ ଆନନ୍ଦିତ
ହେଉଥିଲି, କିନ୍ତୁ ଏବେ ତାଙ୍କର ବିରହବ୍ୟଥା ମୋ ହୃଦୟକୁ ଅତ୍ୟନ୍ତ ପୀଡିତ କରୁଛି | ଏବେ ମୁଁ
ତାଙ୍କର ପ୍ରିୟ କ୍ଷେତ୍ର ବଦରିକାଶ୍ରମକୁ ଯାଉଛି,
ଯେଉଁଠାରେ ଭଗବାନ ନାରାୟଣଦେବ ଏବଂ ନର – ଏହି ଦୁଇ ଋଷି ଲୋକଙ୍କ ପ୍ରତି ଅନୁଗ୍ରହ କରି
ଦୀର୍ଘକାଳୀନ ସୌମ୍ୟ, ଅନ୍ୟମାନଙ୍କ ପାଇଁ
ସୁଖ-ପ୍ରଦାୟକ, କଠିନ ତପସ୍ୟା
କରୁଛନ୍ତି |
ଶ୍ରୀଶୁକ ଉବାଚ
ଇତ୍ୟୁଦ୍ଧବାଦୁପାକର୍ଣ୍ୟ ସୁହୃଦାଂ ଦୁଃସହଂ ବଧମ୍ ।
ଜ୍ଞାନେନାଶମୟତ୍କ୍ଷତ୍ତା ଶୋକମୁତ୍ପତିତଂ ବୁଧଃ ॥ ୨୩॥
ଉଦ୍ଧବଙ୍କ ମୁଖରୁ ନିଜ ବନ୍ଧୁ-ପରିଜନଙ୍କ ବିନାଶର ଅସହ୍ୟ ସମାଚାର
ଶୁଣି ପରମ ଜ୍ଞାନୀ ବିଦୁରଙ୍କ ହୃଦୟରେ ଯେଉଁ ଶୋକ ଉତ୍ପନ୍ନ ହୋଇଥିଲା, ତାହାକୁ ସେ ଜ୍ଞାନ ଦ୍ବାରା ଶାନ୍ତ କରିଥିଲେ |
ସ ତଂ ମହାଭାଗବତଂ ବ୍ରଜନ୍ତଂ କୌରବର୍ଷଭଃ ।
ବିଶ୍ରମ୍ଭାଦଭ୍ୟଧତ୍ତେଦଂ ମୁଖ୍ୟଂ କୃଷ୍ଣପରିଗ୍ରହେ ॥ ୨୪॥
ଭଗବାନ ଶ୍ରୀକୃଷ୍ଣଙ୍କର ପରିକରମାନଙ୍କ ମଧ୍ୟରେ ପ୍ରଧାନ ମହାଭାଗବତ
ଉଦ୍ଧବଜୀ ଯେତେବେଳେ ବଦରିକାଶ୍ରମ ଅଭିମୁଖେ ପ୍ରସ୍ଥାନ କରିବାକୁ ଉଦ୍ୟତ ହେଉଥିଲେ, ସେତେବେଳେ କୁରୁଶ୍ରେଷ୍ଠ ବିଦୁରଜୀ ଶ୍ରଦ୍ଧାପୂର୍ବକ ତାଙ୍କୁ
ପଚାରିଲେ -
ବିଦୁର ଉବାଚ
ଜ୍ଞାନଂ ପରଂ ସ୍ୱାତ୍ମରହଃପ୍ରକାଶଂ
ଯଦାହ ଯୋଗେଶ୍ୱର ଈଶ୍ୱରସ୍ତେ ।
ବକ୍ତୁଂ ଭବାନ୍ନୋଽର୍ହତି ଯଦ୍ଧି ବିଷ୍ଣୋ-
ର୍ଭୃତ୍ୟାଃ ସ୍ୱଭୃତ୍ୟାର୍ଥକୃତଶ୍ଚରନ୍ତି ॥ ୨୫॥
ବିଦୁର କହିଲେ – ହେ ଉଦ୍ଧବଜୀ ! ଯୋଗେଶ୍ବର ଭଗବାନ ଶ୍ରୀକୃଷ୍ଣ ନିଜ
ସ୍ବରୂପର ଗୂଢ଼ ରହସ୍ୟକୁ ପ୍ରକଟ କରୁଥିବା ଯେଉଁ ପରମ ଜ୍ଞାନ ଆପଣଙ୍କୁ କହିଥିଲେ, ତାହା ଆପଣ ଆମ୍ଭମାନଙ୍କୁ ମଧ୍ୟ ଶୁଣାନ୍ତୁ; କାରଣ ଭଗବାନଙ୍କର ସେବକମାନେ ତ ନିଜ ସେବକମାନଙ୍କର କାର୍ଯ୍ୟ ସିଦ୍ଧ
କରିବା ନିମନ୍ତେ ହିଁ ବିଚରଣ କରୁଥାଆନ୍ତି |
ଉଦ୍ଧବ ଉବାଚ
ନନୁ ତେ ତତ୍ତ୍ୱସଂରାଧ୍ୟ ଋଷିଃ କୌଷାରବୋଽନ୍ତି ମେ ।
ସାକ୍ଷାଦ୍ଭଗବତାଽଽଦିଷ୍ଟୋ ମର୍ତ୍ୟଲୋକଂ ଜିହାସତା ॥ ୨୬॥
ଉଦ୍ଧବ କହିଲେ – ସେହି ତତ୍ତ୍ବଜ୍ଞାନ ପ୍ରାପ୍ତ କରିବା ନିମନ୍ତେ ଆପଣ
ମୁନିବର ମୈତ୍ରେୟଙ୍କର ସେବା କରିବା ଆବଶ୍ୟକ | ଏହି ମର୍ତ୍ତ୍ୟଲୋକକୁ ତ୍ୟାଗ କରିବା ସମୟରେ
ସ୍ବୟଂ ଭଗବାନ ମୋ ସମ୍ମୁଖରେ ହିଁ ଆପଣଙ୍କୁ ଏହି ଉପଦେଶ ଦେବାକୁ ତାଙ୍କୁ କହିଥିଲେ |
ଶ୍ରୀଶୁକ ଉବାଚ
ଇତି ସହ ବିଦୁରେଣ ବିଶ୍ୱମୂର୍ତେ-
ର୍ଗୁଣକଥୟା ସୁଧୟା ପ୍ଲାବିତୋରୁତାପଃ ।
କ୍ଷଣମିବ ପୁଲିନେ ଯମସ୍ୱସୁସ୍ତାଂ
ସମୁଷିତ ଔପଗବିର୍ନିଶାଂ ତତୋଽଗାତ୍ ॥ ୨୭॥
ଶ୍ରୀ ଶୁକଦେବ କହୁଛନ୍ତି – ଏହିପରି ଭାବରେ ବିଦୁରଙ୍କ ସହିତ
ବିଶ୍ବମୂର୍ତ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ଗୁଣର ଚର୍ଚ୍ଚା କରିବା ଫଳରେ ସେହି କଥାମୃତ ଦ୍ବାରା
ଉଦ୍ଧବଙ୍କର ବିୟୋଗଜନିତ ମହାନ୍ ତାପ ଶାନ୍ତ ହୋଇଗଲା | ଯମୁନା ତୀରରେ ତାଙ୍କର ସେହି ରାତ୍ରୀଟି
ଗୋଟିଏ କ୍ଷଣ ସଦୃଶ ବ୍ୟତୀତ ହୋଇଗଲା | ତାପରେ ପ୍ରାତଃକାଳ ଉପଗତ ହେବା ମାତ୍ରେ ସେ ସେଠାରୁ
ଯିବାକୁ ଲାଗିଲେ |
ରାଜୋବାଚ
ନିଧନମୁପଗତେଷୁ ବୃଷ୍ଣିଭୋଜେ-
ଷ୍ୱଧିରଥୟୂଥପୟୂଥପେଷୁ ମୁଖ୍ୟଃ ।
ସ ତୁ କଥମବଶିଷ୍ଟ ଉଦ୍ଧବୋ ଯ-
ଦ୍ଧରିରପି ତତ୍ୟଜ ଆକୃତିଂ ତ୍ର୍ୟଧୀଶଃ ॥ ୨୮॥
ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ବୃଷ୍ନିକୁଳ ଏବଂ ଭୋଜବଂଶର ସବୁ
ରଥୀ ଓ ଯୁଥପତିମାନଙ୍କର ମଧ୍ୟ ଯୁଥପତି ନଷ୍ଟ ହୋଇ ଯାଇଥିଲେ | ଏପରି କି ତ୍ରିଲୋକୀନାଥ ସ୍ବୟଂ
ଶ୍ରୀହରିଙ୍କୁ ମଧ୍ୟ ନିଜ ଶରୀର ତ୍ୟାଗ କରିବାକୁ ପଡିଥିଲା | ସେ କ୍ଷେତ୍ରରେ ସମସ୍ତଙ୍କର ମୁଖିଆ
ଉଦ୍ଧବଜୀ ଜୀବିତ ରହିଲେ କିପରି ?
ଶ୍ରୀଶୁକ ଉବାଚ
ବ୍ରହ୍ମଶାପାପଦେଶେନ କାଲେନାମୋଘବାଞ୍ଛିତଃ ।
ସଂହୃତ୍ୟ ସ୍ୱକୁଲଂ ନୂନଂ ତ୍ୟକ୍ଷ୍ୟନ୍ ଦେହମଚିନ୍ତୟତ୍ ॥ ୨୯॥
ଶ୍ରୀ ଶୁକଦେବ କହିଲେ – ଯାହାର ଇଚ୍ଛା କେବେ ବ୍ୟର୍ଥ ହୁଏନାହିଁ, ସେହି ଶ୍ରୀହରି ବ୍ରାହ୍ମଣମାନଙ୍କର ଶାପରୂପୀ କାଳ ବାହାନାରେ ନିଜ
କୁଳର ସଂହାର କରି ନିଜ ଶ୍ରୀବିଗ୍ରହ ତ୍ୟାଗ କରୁଥିବା ସମୟରେ ବିଚାର କଲେ -
ଅସ୍ମାଲ୍ଲୋକାଦୁପରତେ ମୟି ଜ୍ଞାନଂ ମଦାଶ୍ରୟମ୍ ।
ଅର୍ହତ୍ୟୁଦ୍ଧବ ଏବାଦ୍ଧା ସମ୍ପ୍ରତ୍ୟାତ୍ମବତାଂ ବରଃ ॥ ୩୦॥
ଏବେ ମୁଁ ଏହି ଲୋକରୁ ପ୍ରସ୍ଥାନ କରିବା ପରେ ସଂଯମଶିରୋମଣି ଉଦ୍ଧବ
ହିଁ ମୋ ଜ୍ଞାନ ଗ୍ରହଣ କରିବାର ପ୍ରକୃତ ଅଧିକାରୀ ଅଟନ୍ତି |
ନୋଦ୍ଧବୋଽଣ୍ୱପି ମନ୍ନ୍ୟୂନୋ ଯଦ୍ଗୁଣୈର୍ନାର୍ଦିତଃ ପ୍ରଭୁଃ ।
ଅତୋ ମଦ୍ୱୟୁନଂ ଲୋକଂ ଗ୍ରାହୟନ୍ନିହ ତିଷ୍ଠତୁ ॥ ୩୧॥
ଉଦ୍ଧବ ମୋ ଠାରୁ ଅଣୁମାତ୍ର ବି କମ୍ ନୁହନ୍ତି; କାରଣ ସେ ଆତ୍ମଜୟୀ
ଅଟନ୍ତି ଏବଂ ବିଷୟ ଦ୍ବାରା କେବେ ବିଚଳିତ ହୁଅନ୍ତି ନାହିଁ | ତେଣୁ ଲୋକଙ୍କୁ ମୋ ଜ୍ଞାନର
ଶିକ୍ଷା ଦେବା ପାଇଁ ସେ ଏଠାରେ ରହନ୍ତୁ |
ଏବଂ ତ୍ରିଲୋକଗୁରୁଣା ସନ୍ଦିଷ୍ଟଃ ଶବ୍ଦୟୋନିନା ।
ବଦର୍ୟାଶ୍ରମମାସାଦ୍ୟ ହରିମୀଜେ ସମାଧିନା ॥ ୩୨॥
ବେଦର ମୂଳ କାରଣ ଜଗଦଗୁରୁ ଶ୍ରୀକୃଷ୍ଣଙ୍କର ଏପରି ଆଜ୍ଞା ପାଇ
ଉଦ୍ଧବଜୀ ବଦରିକାଶ୍ରମକୁ ଯାଇ ସମାଧିଯୋଗ ଦ୍ବାରା ଶ୍ରୀହରିଙ୍କର ଆରାଧନା କରିବାରେ ଲାଗିଲେ |
ବିଦୁରୋଽପ୍ୟୁଦ୍ଧବାଚ୍ଛ୍ରୁତ୍ୱା କୃଷ୍ଣସ୍ୟ ପରମାତ୍ମନଃ ।
କ୍ରୀଡୟୋପାତ୍ତଦେହସ୍ୟ କର୍ମାଣି ଶ୍ଲାଘିତାନି ଚ ॥ ୩୩॥
ଦେହନ୍ୟାସଂ ଚ ତସ୍ୟୈବଂ ଧୀରାଣାଂ ଧୈର୍ୟବର୍ଧନମ୍ ।
ଅନ୍ୟେଷାଂ ଦୁଷ୍କରତରଂ ପଶୂନାଂ ବିକ୍ଲବାତ୍ମନାମ୍ ॥ ୩୪॥
ଆତ୍ମାନଂ ଚ କୁରୁଶ୍ରେଷ୍ଠ କୃଷ୍ଣେନ ମନସେକ୍ଷିତମ୍ ।
ଧ୍ୟାୟନ୍ ଗତେ ଭାଗବତେ ରୁରୋଦ ପ୍ରେମବିହ୍ୱଲଃ ॥ ୩୫॥
ହେ କୁରୁଶ୍ରେଷ୍ଠ ପରୀକ୍ଷିତ ! ପରମାତ୍ମା ଶ୍ରୀକୃଷ୍ଣ ଲୀଳାରେ ହିଁ
ନିଜର ଶ୍ରୀବିଗ୍ରହ ପ୍ରକଟ କରିଥିଲେ ଏବଂ ଲୀଳାରେ ହିଁ ତାହାର ଅନ୍ତର୍ଧ୍ୟାନ କରିଦେଲେ | ତାଙ୍କର
ସେହି ଅନ୍ତର୍ଧ୍ୟାନ ହୋଇଯିବା ମଧ୍ୟ ଧୀର ପୁରୁଷଙ୍କ ପାଇଁ ଉତ୍ସାହ ବର୍ଦ୍ଧକ ହୋଇଥାଏ ତଥା ଅନ୍ୟ
ପଶୁତୁଲ୍ୟ ଅଧୀର ପୁରୁଷଙ୍କ ପାଇଁ ଅତ୍ୟନ୍ତ ଦୁଷ୍କର ଅଟେ | ପରମ ଭାଗବତ ଉଦ୍ଧବଜୀଙ୍କ ମୁଖରୁ
ତାଙ୍କର ପ୍ରଶଂସନୀୟ କର୍ମ ଏବଂ ତାଙ୍କର ଅନ୍ତର୍ଧ୍ୟାନ ହୋଇଯିବା ସମାଚାର ଶୁଣି ତଥା ଏହା ଜାଣି
ଯେ ପରମଧାମକୁ ଗମନ କରିବା ସମୟରେ ଭଗବାନ ତାଙ୍କର ମଧ୍ୟ ସ୍ମରଣ କରିଥିଲେ, ଉଦ୍ଧବ ସେଠାରୁ ଚାଲିଯିବା ପରେ ବିଦୁରଜୀ ପ୍ରେମବିହ୍ବଳ ହୋଇ ରୋଦନ
କରିବାରେ ଲାଗିଲେ |
କାଲିନ୍ଦ୍ୟାଃ କତିଭିଃ ସିଦ୍ଧ ଅହୋଭିର୍ଭରତର୍ଷଭ ।
ପ୍ରାପଦ୍ୟତ ସ୍ୱଃସରିତଂ ଯତ୍ର ମିତ୍ରାସୁତୋ ମୁନିଃ ॥ ୩୬॥
ତତ୍ ପଶ୍ଚାତ୍ ସିଦ୍ଧଶିରୋମଣି ବିଦୁର ଯମୁନାତଟରୁ ପ୍ରସ୍ଥାନ କରି
କିଛି ଦିନରେ ଗଙ୍ଗାତୀରରେ ପହଞ୍ଚିଲେ, ଯେଉଁଠାରେ ମୈତ୍ରେୟ ଋଷି ନିବାସ କରୁଥିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁରୋଦ୍ଧବସମ୍ବାଦେ ଚତୁର୍ଥୋଽଧ୍ୟାୟଃ ॥ ୪॥

Comments
Post a Comment