ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ପଞ୍ଚଦଶ ଅଧ୍ୟାୟ
ଜୟ-ବିଜୟଙ୍କୁ ସନକାଦିଙ୍କର ଶାପ
ମୈତ୍ରେୟ ଉବାଚ
ପ୍ରାଜାପତ୍ୟଂ ତୁ ତତ୍ତେଜଃ ପରତେଜୋହନଂ ଦିତିଃ ।
ଦଧାର ବର୍ଷାଣି ଶତଂ ଶଙ୍କମାନା ସୁରାର୍ଦନାତ୍ ॥ ୧॥
ଶ୍ରୀମୈତ୍ରେୟ କହୁଛନ୍ତି – ହେ ବିଦୁର ! ଦିତିଙ୍କ ମନରେ ନିଜ
ପୁତ୍ରମାନଙ୍କ ଦ୍ବାରା ଦେବତାମାନଙ୍କୁ କଷଣ ଦେବାର ଆଶଙ୍କା ରହିଥିଲା, ସେଥିପାଇଁ ସେ ଅନ୍ୟମାନଙ୍କର ତେଜକୁ ନାଶ କରି ପାରୁଥିବା କଶ୍ୟପଙ୍କର
ତେଜ (ବୀର୍ଯ୍ୟ) କୁ ଶହେ ବର୍ଷ ପର୍ଯ୍ୟନ୍ତ ନିଜ ଉଦରରେ ହିଁ ରଖିଲେ |
ଲୋକେ ତେନ ହତାଲୋକେ ଲୋକପାଲା ହତୌଜସଃ ।
ନ୍ୟବେଦୟନ୍ ବିଶ୍ୱସୃଜେ ଧ୍ୱାନ୍ତବ୍ୟତିକରଂ ଦିଶାମ୍ ॥ ୨॥
ସେହି ଗର୍ଭର ତେଜରେ ହିଁ ଲୋକରେ ସୂର୍ଯ୍ୟାଦିଙ୍କର ପ୍ରକାଶ କ୍ଷୀଣ
ହେବାରେ ଲାଗିଲା ତଥା ଇନ୍ଦ୍ରାଦି ଲୋକପାଳ ମଧ୍ୟ ତେଜହୀନ ହୋଇଗଲେ | ସେମାନେ ବ୍ରହ୍ମାଜୀଙ୍କ
ପାଖକୁ ଯାଇ କହିଲେ ଯେ ଦିଶାମାନଙ୍କରେ ଅନ୍ଧକାର କାରଣରୁ ବହୁତ ଅବ୍ୟବସ୍ଥା ସୃଷ୍ଟି ହୋଇଛି |
ଦେବା ଊଚୁଃ
ତମ ଏତଦ୍ୱିଭୋ ବେତ୍ଥ ସମ୍ବିଗ୍ନା ଯଦ୍ୱୟଂ ଭୃଶମ୍ ।
ନ ହ୍ୟବ୍ୟକ୍ତଂ ଭଗବତଃ କାଲେନାସ୍ପୃଷ୍ଟବର୍ତ୍ମନଃ ॥ ୩॥
ଦେବତାମାନେ କହିଲେ – ଭଗବନ୍ ! କାଳ ଆପଣଙ୍କ ଜ୍ଞାନଶକ୍ତିକୁ କୁଣ୍ଠିତ
କରିପାରେ ନାହିଁ, ସେଥିପାଇଁ କୌଣସି
ବିଷୟ ଆପଣଙ୍କୁ ଅଗୋଚର ନୁହେଁ | ଆପଣ ଏହି ଅନ୍ଧକାର ବିଷୟରେ ନିଶ୍ଚିତ ଭାବରେ ଜାଣନ୍ତି; ଆମ୍ଭେମାନେ ତ ଏହାକୁ ନେଇ ଅତ୍ୟନ୍ତ ଭୟଭୀତ ହୋଇ ଉଠିଛୁ |
ଦେବଦେବ ଜଗଦ୍ଧାତର୍ଲୋକନାଥଶିଖାମଣେ ।
ପରେଷାମପରେଷାଂ ତ୍ୱଂ ଭୂତାନାମସି ଭାବବିତ୍ ॥ ୪॥
ହେ ଦେବାଧିଦେବ ! ଆପଣ ଜଗତର ରଚୟିତା ଏବଂ ସମସ୍ତ ଲୋକପାଳଙ୍କର
ମୁକୁଟମଣି ଅଟନ୍ତି | ଛୋଟ-ବଡ ସବୁ ଜୀବଙ୍କର ଭାବନାକୁ ଆପଣ ଜାଣନ୍ତି |
ନମୋ ବିଜ୍ଞାନବୀର୍ୟାୟ ମାୟଯେଦମୁପେୟୁଷେ ।
ଗୃହୀତଗୁଣଭେଦାୟ ନମସ୍ତେଽବ୍ୟକ୍ତୟୋନୟେ ॥ ୫॥
ହେ ଦେବ | ଆପଣ ବିଜ୍ଞାନବଳସମ୍ପନ୍ନ ଅଟନ୍ତି; ଆପଣ ମାୟାରେ ହିଁ ଏହି ଚତୁର୍ଭୁଜ ରୂପ ଏବଂ ରଜୋଗୁଣକୁ ସ୍ବୀକାର
କରିଛନ୍ତି | ଆପଣଙ୍କର ଉତ୍ପତ୍ତିର ବାସ୍ତବିକ କାରଣକୁ କେହି ମଧ୍ୟ ଜାଣିପାରନ୍ତି ନାହିଁ | ଆମେ
ଆପଣଙ୍କୁ ନମସ୍କାର କରୁଛୁ |
ଯେ ତ୍ୱାନନ୍ୟେନ ଭାବେନ ଭାବୟନ୍ତ୍ୟାତ୍ମଭାବନମ୍ ।
ଆତ୍ମନି ପ୍ରୋତଭୁବନଂ ପରଂ ସଦସଦାତ୍ମକମ୍ ॥ ୬॥
ତେଷାଂ ସୁପକ୍ୱୟୋଗାନାଂ ଜିତଶ୍ୱାସେନ୍ଦ୍ରିୟାତ୍ମନାମ୍ ।
ଲବ୍ଧୟୁଷ୍ମତ୍ପ୍ରସାଦାନାଂ ନ କୁତଶ୍ଚିତ୍ପରାଭବଃ ॥ ୭॥
ସମ୍ପୂର୍ଣ୍ଣ ଭୁବନ ଆପଣଙ୍କଠାରେ ସ୍ଥିତ ଅଟେ, କାର୍ଯ୍ୟ-କାରଣ ରୂପ ସାରା ପ୍ରପଞ୍ଚ ଆପଣଙ୍କର ଶରୀର ଅଟେ; କିନ୍ତୁ
ବାସ୍ତବରେ ଆପଣ ସେହି ସବୁର ଅତୀତ ଅଟନ୍ତି | ଯିଏ ସମସ୍ତ ଜୀବଙ୍କର ଉତ୍ପତ୍ତିସ୍ଥାନ ଆପଣଙ୍କର
ଧ୍ୟାନ ଅନନ୍ୟ ଭାବରେ କରନ୍ତି, ସେହି ସିଦ୍ଧ
ଯୋଗୀମାନଙ୍କର କୌଣସି ପ୍ରକାରେ ଅବନତି ହୋଇ ନ ଥାଏ;
କାରଣ ଆପଣଙ୍କର କୃପାକଟାକ୍ଷ ପ୍ରାପ୍ତ କରି ସେମାନେ କୃତକୃତ୍ୟ ହୋଇଯାଇ ଥାଆନ୍ତି ତଥା ପ୍ରାଣ, ଇନ୍ଦ୍ରିୟ ଏବଂ ମନକୁ ଜୟ କରିନେଇଥିବା କାରଣରୁ ସେମାନଙ୍କର ଯୋଗ
ପରିପକ୍ବ ହୋଇଯାଇ ଥାଏ |
ଯସ୍ୟ ବାଚା ପ୍ରଜାଃ ସର୍ୱା ଗାବସ୍ତନ୍ତ୍ୟେବ ଯନ୍ତ୍ରିତାଃ ।
ହରନ୍ତି ବଲିମାୟତ୍ତାସ୍ତସ୍ମୈ ମୁଖ୍ୟାୟ ତେ ନମଃ ॥ ୮॥
ପଘା ବନ୍ଧା ହୋଇଥିବା ବଳଦ ପରି ଆପଣଙ୍କ ବେଦବାଣୀରେ ବାନ୍ଧି ହୋଇ ସବୁ
ପ୍ରଜା ଆପଣଙ୍କ ଅଧୀନତାରେ ନିୟମପୂର୍ବକ କର୍ମାନୁଷ୍ଠାନ କରି ଆପଣଙ୍କୁ ବଳି ସମର୍ପିତ
କରିଥାଆନ୍ତି | ଆପଣ ସମସ୍ତଙ୍କର ନିୟନ୍ତା ମୁଖ୍ୟ ପ୍ରାଣ ଅଟନ୍ତି; ଆମେ ଆପଣଙ୍କୁ ନମସ୍କାର କରୁଛୁ |
ସ ତ୍ୱଂ ବିଧତ୍ସ୍ୱ ଶଂ ଭୂମଂସ୍ତମସା ଲୁପ୍ତକର୍ମଣାମ୍ ।
ଅଦଭ୍ରଦୟଯା ଦୃଷ୍ଟ୍ୟା ଆପନ୍ନାନର୍ହସୀକ୍ଷିତୁମ୍ ॥ ୯॥
ହେ ଭୂଧୀଶ ! ଏହି ଅନ୍ଧକାର କାରଣରୁ ଦିନ-ରାତିର ବିଭାଗ ଅସ୍ପଷ୍ଟ ହୋଇ
ଯାଇଥିବାରୁ ଲୋକମାନଙ୍କର ସମସ୍ତ କର୍ମ ଲୁପ୍ତ ହେବାକୁ ବସିଛି, ଯାହା ଫଳରେ ସେମାନେ ଦୁଃଖ ଭୋଗ
କରୁଛନ୍ତି; ସେମାନଙ୍କର କଲ୍ୟାଣ
କରନ୍ତୁ ଏବଂ ଆମ୍ଭମାନଙ୍କ ପରି ଶରଣାଗତମାନଙ୍କୁ ଦୟାଦୃଷ୍ଟିରେ ଦେଖନ୍ତୁ |
ଏଷ ଦେବ ଦିତେର୍ଗର୍ଭ ଓଜଃ କାଶ୍ୟପମର୍ପିତମ୍ ।
ଦିଶସ୍ତିମିରୟନ୍ ସର୍ୱା ବର୍ଧତେଽଗ୍ନିରିବୈଧସି ॥ ୧୦॥
ହେ ଦେବ ! ଅଗ୍ନିରେ ଇନ୍ଧନ ଯୋଗ ହେଲେ ତାହା ଯେପରି ବୃଦ୍ଧି ଲାଭ
କରିବାରେ ଲାଗିଥାଏ, ସେହିପରି କଶ୍ୟପ
ମୁନିଙ୍କର ବୀର୍ଯ୍ୟରେ ସ୍ଥାପିତ ଦିତିଙ୍କର ଏହି ଗର୍ଭ ସମଗ୍ର ଦିଶାକୁ ଅନ୍ଧକାରମୟ କରି କ୍ରମଶଃ
ବୃଦ୍ଧି ପାଇବାରେ ଲାଗିଛି |
ମୈତ୍ରେୟ ଉବାଚ
ସ ପ୍ରହସ୍ୟ ମହାବାହୋ ଭଗବାନ୍ ଶବ୍ଦଗୋଚରଃ ।
ପ୍ରତ୍ୟାଚଷ୍ଟାତ୍ମଭୂର୍ଦେବାନ୍ ପ୍ରୀଣନ୍ ରୁଚିରୟା ଗିରା ॥ ୧୧॥
ମୈତ୍ରେୟ କହୁଛନ୍ତି – ଦେବତାମାନଙ୍କର ପ୍ରାର୍ଥନା ଶୁଣି ବ୍ରହ୍ମାଜୀ
ହସିଲେ ଏବଂ ନିଜ ମଧୁର ବାଣୀରେ ସେମାନଙ୍କୁ ଆନନ୍ଦିତ କରି କହିବାରେ ଲାଗିଲେ -
ବ୍ରହ୍ମୋବାଚ
ମାନସା ମେ ସୁତା ଯୁଷ୍ମତ୍ପୂର୍ୱଜାଃ ସନକାଦୟଃ ।
ଚେରୁର୍ୱିହାୟସା ଲୋକାଲ୍ଲୋକେଷୁ ବିଗତସ୍ପୃହାଃ ॥ ୧୨॥
ବ୍ରହ୍ମା କହିଲେ – ହେ ଦେବଗଣ ! ତୁମ୍ଭମାନଙ୍କର ପୂର୍ବଜ, ମୋର
ମାନସ-ପୁତ୍ର ସନକାଦି ସାଂସାରିକ ଆସକ୍ତି ତ୍ୟାଗ କରି ଆକାଶମାର୍ଗରେ ସମସ୍ତ ଲୋକରେ ବିଚରଣ
କରୁଥାଆନ୍ତି |
ତ ଏକଦା ଭଗବତୋ ବୈକୁଣ୍ଠସ୍ୟାମଲାତ୍ମନଃ ।
ଯୟୁର୍ୱୈକୁଣ୍ଠନିଲୟଂ ସର୍ୱଲୋକନମସ୍କୃତମ୍ ॥ ୧୩॥
ଏକଦା ସେମାନେ ସମସ୍ତ ଲୋକର ଶିରୋଭାଗରେ ସ୍ଥିତ ଭଗବାନ ବିଷ୍ଣୁଙ୍କର
ଶୁଦ୍ଧ-ସତ୍ତ୍ବମୟ ବୈକୁଣ୍ଠଧାମରେ ଯାଇ ପହଞ୍ଚିଲେ |
ବସନ୍ତି ଯତ୍ର ପୁରୁଷାଃ ସର୍ୱେ ବୈକୁଣ୍ଠମୂର୍ତୟଃ ।
ଯେଽନିମିତ୍ତନିମିତ୍ତେନ ଧର୍ମେଣାରାଧୟନ୍ ହରିମ୍ ॥ ୧୪॥
ସେଠାରେ ସମସ୍ତ ନିବାସୀ ବିଷ୍ଣୁରୂପ ଅଟନ୍ତି ଏବଂ ତାହା କେବଳ
ସେମାନଙ୍କୁ ପ୍ରାପ୍ତ ହୋଇଥାଏ, ଯେଉଁମାନେ ଅନ୍ୟ ସବୁ
ପ୍ରକାରର କାମନା ତ୍ୟାଗ କରି କେବଳ ଭଗବଦ୍-ଚରଣର ଶରଣ ପ୍ରାପ୍ତି ନିମନ୍ତେ ନିଜ ଧର୍ମ ଦ୍ବାରା
ତାଙ୍କର ଆରାଧନା କରିଥାଆନ୍ତି |
ଯତ୍ର ଚାଦ୍ୟଃ ପୁମାନାସ୍ତେ ଭଗବାନ୍ ଶବ୍ଦଗୋଚରଃ ।
ସତ୍ତ୍ୱଂ ବିଷ୍ଟଭ୍ୟ ବିରଜଂ ସ୍ୱାନାଂ ନୋ ମୃଡୟନ୍ ବୃଷଃ ॥ ୧୫॥
ସେଠାରେ ବେଦାନ୍ତପ୍ରତିପାଦ୍ୟ ଧର୍ମମୂର୍ତ୍ତି ଶ୍ରୀଆଦିନାରାୟଣ
ଆମ୍ଭମାନଙ୍କ ପରି ଭକ୍ତମାନଙ୍କୁ ସୁଖ ଦେବା ନିମନ୍ତେ ଶୁଦ୍ଧସତ୍ତ୍ବମୟ ସ୍ବରୂପ ଧାରଣ କରି ସବୁ
ସମୟରେ ବିରାଜମାନ କରିଥାଆନ୍ତି |
ଯତ୍ର ନୈଃଶ୍ରେୟସଂ ନାମ ବନଂ କାମଦୁଘୈର୍ଦ୍ରୁମୈଃ ।
ସର୍ୱର୍ତୁଶ୍ରୀଭିର୍ୱିଭ୍ରାଜତ୍କୈବଲ୍ୟମିବ ମୂର୍ତିମତ୍ ॥ ୧୬॥
ସେହି ଲୋକରେ ନିଃଶ୍ରେୟସ ନାମକ ଏକ ବନ ରହିଛି | ତାହା ସମସ୍ତ
ପ୍ରକାରର କାମନାକୁ ପୂର୍ଣ୍ଣ କରୁଥିବା ବୃକ୍ଷରେ ସୁଶୋଭିତ,
ଯେଉଁମାନେ ସ୍ବୟଂ ସର୍ବଦା ଷଡ ଋତୁର ଶୋଭାରେ ସମ୍ପନ୍ନ ରହିଥାଆନ୍ତି |
ବୈମାନିକାଃ ସଲଲନାଶ୍ଚରିତାନି ଯତ୍ର
ଗାୟନ୍ତି ଯତ୍ର ଶମଲକ୍ଷପଣାନି ଭର୍ତୁଃ ।
ଅନ୍ତର୍ଜଲେଽନୁବିକସନ୍ମଧୁମାଧବୀନାଂ
ଗନ୍ଧେନ ଖଣ୍ଡିତଧିୟୋଽପ୍ୟନିଲଂ କ୍ଷିପନ୍ତଃ ॥ ୧୭॥
ସେଠାରେ ବିମାନଚାରୀ ଗନ୍ଧର୍ବଗଣ ନିଜ ପ୍ରିୟାମାନଙ୍କ ସହିତ ନିଜ
ପ୍ରଭୁଙ୍କର ପବିତ୍ର ଲୀଳା ଗାନ କରୁଥାଆନ୍ତି, ଯାହା ମନୁଷ୍ୟର
ସମ୍ପୂର୍ଣ୍ଣ ପାପରାଶିକୁ ଭସ୍ମ କରିବାକୁ ସମର୍ଥ ଅଟେ | ସେହି ସମୟରେ ସରୋବରରେ ପ୍ରଫୁଲ୍ଲିତ
ମକରନ୍ଦପୂର୍ଣ୍ଣ ବାସନ୍ତିକ ମାଧବୀ ଲତାର ସୁମଧୁର ଗନ୍ଧ ସେମାନଙ୍କର ଚିତ୍ତକୁ ନିଜ ପ୍ରତି
ଆକର୍ଷିତ କରିବାକୁ ଚେଷ୍ଟା କରିଥାଏ, କିନ୍ତୁ ସେମାନେ
ତାହା ପ୍ରତି ଧ୍ୟାନ ନ ଦେଇ ସେହି ଗନ୍ଧକୁ ବହନ କରି ଆଣୁଥିବା ବାୟୁକୁ ହିଁ ନିନ୍ଦା କରିଥାଆନ୍ତି
|
ପାରାବତାନ୍ୟଭୃତସାରସଚକ୍ରବାକ-
ଦାତ୍ୟୂହହଂସଶୁକତିତ୍ତିରିବର୍ହିଣାଂ ଯଃ ।
କୋଲାହଲୋ ବିରମତେଽଚିରମାତ୍ରମୁଚ୍ଚୈଃ
ଭୃଙ୍ଗାଧିପେ ହରିକଥାମିବ ଗାୟମାନେ ॥ ୧୮॥
ଭ୍ରମରରାଜ ଯେତେବେଳେ ଉଚ୍ଚ ସ୍ବରରେ ଗୁଞ୍ଜରଣ କରି ସତେ ଅବା ହରିକଥା
ଗାନ କରୁଥାଆନ୍ତି, ସେତେବେଳେ କିଛି ସମୟ
ପାଇଁ କପୋତ, କୋକିଳ, ସାରସ, ଚାତକ, ଗୁଞ୍ଜନ ପକ୍ଷୀ, ହଂସ, ଶୁକ, ସାରୀ ଏବଂ ମୟୂରଙ୍କର କୋଳାହଳ ବନ୍ଦ ହୋଇ ଯାଇଥାଏ – ସତେ ଯେପରି
ସେମାନେ ମଧ୍ୟ କୀର୍ତ୍ତନାନନ୍ଦରେ ବେସୁଧ ହୋଇ ଯାଇଛନ୍ତି |
ମନ୍ଦାରକୁନ୍ଦକୁରବୋତ୍ପଲଚମ୍ପକାର୍ଣ-
ପୁନ୍ନାଗନାଗବକୁଲାମ୍ବୁଜପାରିଜାତାଃ ।
ଗନ୍ଧେଽର୍ଚିତେ ତୁଲସିକାଭରଣେନ ତସ୍ୟା
ଯସ୍ମିଂସ୍ତପଃ ସୁମନସୋ ବହୁ ମାନୟନ୍ତି ॥ ୧୯॥
ତୁଳସୀରେ ଶ୍ରୀହରି ନିଜ ଶ୍ରୀବିଗ୍ରହକୁ ସଜ୍ଜିତ କରିଥାଆନ୍ତି ଏବଂ
ତୁଳସୀ ଗନ୍ଧକୁ ହିଁ ସେ ଅଧିକ ଆଦର କରିଥାଆନ୍ତି | ଏହା ଦେଖି ମନ୍ଦାର, କୁନ୍ଦ, କମଳ, ଚମ୍ପା, ଅର୍ଣ, ପୁନ୍ନାଗ, ନାଗକେସର, ବକୁଳ ଏବଂ ପାରିଜାତ ଆଦି ପୁଷ୍ପ ସୁଗନ୍ଧଯୁକ୍ତ
ହୋଇଥିଲେ ବି ତୁଳସୀର ତପସ୍ୟାକୁ ନିଜଠାରୁ ଅଧିକ ମନେ କରିଥାଆନ୍ତି |
ଯତ୍ସଙ୍କୁଲଂ ହରିପଦାନତିମାତ୍ରଦୃଷ୍ଟୈ-
ର୍ୱୈଦୂର୍ୟମାରକତହେମମୟୈର୍ୱିମାନୈଃ ।
ଯେଷାଂ ବୃହତ୍କଟିତଟାଃ ସ୍ମିତଶୋଭିମୁଖ୍ୟଃ
କୃଷ୍ଣାତ୍ମନାଂ ନ ରଜ ଆଦଧୁରୁତ୍ସ୍ମୟାଦ୍ୟୈଃ ॥ ୨୦॥
ସେହି ଲୋକ ବୈଦୂର୍ଯ୍ୟ, ମର୍କତ-ମଣି ଏବଂ ସୁବର୍ଣ୍ଣ ବିମାନରେ ଭରି
ରହିଛି | ଏସବୁ କୌଣସି କର୍ମଫଳରୁ ନୁହେଁ, ବରଂ ଏକମାତ୍ର
ଶ୍ରୀହରିଙ୍କ ପାଦପଦ୍ମର ବନ୍ଦନା କରିବା ଦ୍ବାରା ପ୍ରାପ୍ତ ହୋଇଥାଏ | ସେହି ସବୁ ବିମାନରେ ଆରୋହଣ
କରିଥିବା ପୃଥୁ ନିତମ୍ବିନୀ ସୁମୁଖୀ ସୁନ୍ଦରୀମାନେ ମଧ୍ୟ ନିଜର ମନ୍ଦ-ମଧୁର ହାସ-ପରିହାସ ଦ୍ବାରା
କୃଷ୍ଣପ୍ରାଣ ଭଗବଦ୍-ଭକ୍ତମାନଙ୍କର ଚିତ୍ତରେ କାମବିକାର ଉତ୍ପନ୍ନ କରିପାରନ୍ତି ନାହିଁ |
ଶ୍ରୀ ରୂପିଣୀ କ୍ୱଣୟତୀ ଚରଣାରବିନ୍ଦଂ
ଲୀଲାମ୍ବୁଜେନ ହରିସଦ୍ମନି ମୁକ୍ତଦୋଷା ।
ସଂଲକ୍ଷ୍ୟତେ ସ୍ଫଟିକକୁଡ୍ୟ ଉପେତହେମ୍ନି
ସମ୍ମାର୍ଜତୀବ ଯଦନୁଗ୍ରହଣେଽନ୍ୟଯତ୍ନଃ ॥ ୨୧॥
ଯାହାର କୃପା ପ୍ରାପ୍ତ କରିବା ନିମନ୍ତେ ଦେବତାମାନେ ମଧ୍ୟ ଯତ୍ନଶୀଳ
ରହିଥାଆନ୍ତି, ସେହି ପରମ
ସୌନ୍ଦର୍ଯ୍ୟଶାଳିନୀ ଲକ୍ଷ୍ମୀଦେବୀ ନିଜର ଚଞ୍ଚଳତାରୂପ ଦୋଷ ତ୍ୟାଗ କରି ଶ୍ରୀହରିଙ୍କ ଭବନରେ
ନିବାସ କରନ୍ତି | ସେ ଯେତେବେଳେ ନିଜ ଚରଣ-କମଳର ନୂପୁର ଝଂକୃତ କରି ହାତରେ ଲୀଳାକମଳ ଧରି ଘୂରାଉ
ଥାଆନ୍ତି, ସେତେବେଳେ ସେହି
କନକଭବନର ସ୍ପଟିକମୟ ପ୍ରାଚୀରରେ ତାଙ୍କର ପ୍ରତିବିମ୍ବକୁ ଦେଖି ମନେ ହୋଇଥାଏ ସତେ ଯେପରି ସେ
ସେହି ପ୍ରାଚୀରର ପ୍ରକ୍ଷାଳନ କରୁଛନ୍ତି |
ବାପୀଷୁ ବିଦ୍ରୁମତଟାସ୍ୱମଲାମୃତାପ୍ସୁ
ପ୍ରେଷ୍ୟାନ୍ୱିତା ନିଜବନେ ତୁଲସୀଭିରୀଶମ୍ ।
ଅଭ୍ୟର୍ଚତୀ ସ୍ୱଲକମୁନ୍ନସମୀକ୍ଷ୍ୟ ବକ୍ତ୍ର-
ମୁଚ୍ଛେଷିତଂ ଭଗବତେତ୍ୟମତାଙ୍ଗ ଯଚ୍ଛ୍ରୀଃ ॥ ୨୨॥
ପ୍ରିୟ ଦେବଗଣ ! ସେ ଯେତେବେଳେ ଦାସୀମାନଙ୍କ ଗହଣରେ ତୁଳସୀମଞ୍ଜରୀ
ଦ୍ବାରା ଭଗବାନଙ୍କର ପୂଜନ କରିବା ପାଇଁ ନିଜ କ୍ରୀଡାବନକୁ ଯାଇଥାଆନ୍ତି, ସେତେବେଳେ ସେଠାରେ ଥିବା ମଣିଯୁକ୍ତ ଘାଟରେ ଶୋଭିତ ସରୋବରର ନିର୍ମଳ
ଜଳରେ ନିଜର ସୁନ୍ଦର ଅଳକାବଳୀ ଏବଂ ଉନ୍ନତ ନାସିକାରେ ସୁଶୋଭିତ ମୁଖାରବିନ୍ଦକୁ ଦେଖି ‘ଏହା ଭଗବାନଙ୍କର
ଚୁମ୍ବନ ପ୍ରାପ୍ତ ହୋଇଛି’ – ଏହା ଜାଣି ତାହାକୁ
ଅତ୍ୟନ୍ତ ସୌଭାଗ୍ୟଶାଳୀ ମନେ କରିଥାଆନ୍ତି |
ଯନ୍ନ ବ୍ରଜନ୍ତ୍ୟଘଭିଦୋ ରଚନାନୁବାଦାତ୍
ଶୃଣ୍ୱନ୍ତି ଯେଽନ୍ୟବିଷୟାଃ କୁକଥା ମତିଘ୍ନୀଃ ।
ଯାସ୍ତୁ ଶ୍ରୁତା ହତଭଗୈର୍ନୃଭିରାତ୍ତସାରା-
ସ୍ତାଂସ୍ତାନ୍ କ୍ଷିପନ୍ତ୍ୟଶରଣେଷୁ ତମଃସୁ ହନ୍ତ ॥ ୨୩॥
ଯେଉଁମାନେ ଭଗବାନଙ୍କର ପାପହାରିଣୀ ଲୀଳାକଥାକୁ ବର୍ଜନ କରି
ବୁଦ୍ଧିନାଶକାରୀ ଅର୍ଥ-କାମସମ୍ବନ୍ଧୀ ଅନ୍ୟ ନିନ୍ଦିତ କଥା ଶୁଣନ୍ତି, ସେମାନେ ସେହି ବୈକୁଣ୍ଠଲୋକକୁ ଯାଇପାରନ୍ତି ନାହିଁ | ହାୟ ! ସେହି
ଅଭାଗାମାନେ ଯେଉଁ ସାରହୀନ କଥା ଶୁଣନ୍ତି, ତଦ୍ବାରା ସେମାନଙ୍କର
ସମସ୍ତ ପୁଣ୍ୟ ନଷ୍ଟ ହୋଇଯାଏ ଏବଂ ସେମାନେ ଆଶ୍ରୟହୀନ ନର୍କଲୋକ ପ୍ରାପ୍ତ ହୋଇଥାଆନ୍ତି |
ଯେଽଭ୍ୟର୍ଥିତାମପି ଚ ନୋ ନୃଗତିଂ ପ୍ରପନ୍ନାଃ
ଜ୍ଞାନଂ ଚ ତତ୍ତ୍ୱବିଷୟଂ ସହ ଧର୍ମ ଯତ୍ର ।
ନାରାଧନଂ ଭଗବତୋ ବିତରନ୍ତ୍ୟମୁଷ୍ୟ
ସମ୍ମୋହିତା ବିତତୟା ବତ ମାୟଯା ତେ ॥ ୨୪॥
ଏହି ମନୁଷ୍ୟଯୋନିର ମହିମା ଏତେ ବେଶୀ ଯେ ଆମେସବୁ ଦେବତାମାନେ ମଧ୍ୟ
ତାହାର କାମନା କରିଥାଏ | ଏଥିରେ ତତ୍ତ୍ବଜ୍ଞାନ ସହିତ ଧର୍ମର ପ୍ରାପ୍ତି ମଧ୍ୟ ହୋଇଥାଏ | ଏହାକୁ
ପ୍ରାପ୍ତ କରି ଯେଉଁମାନେ ଭଗବାନଙ୍କର ଆରାଧନା କରନ୍ତି ନାହିଁ, ସେମାନେ ବାସ୍ତବରେ ଭଗବାନଙ୍କର
ସେହି ସର୍ବଗ୍ରାସୀ ମାୟାରେ ମୋହିତ ଅଟନ୍ତି |
ଯଚ୍ଚ ବ୍ରଜନ୍ତ୍ୟନିମିଷାମୃଷଭାନୁବୃତ୍ତ୍ୟା
ଦୂରେ ଯମା ହ୍ୟୁପରି ନଃ ସ୍ପୃହଣୀୟଶୀଲାଃ ।
ଭର୍ତୁର୍ମିଥଃ ସୁୟଶସଃ କଥନାନୁରାଗ-
ବୈକ୍ଲବ୍ୟବାଷ୍ପକଲୟା ପୁଲକୀକୃତାଙ୍ଗାଃ ॥ ୨୫॥
ଦେବାଧିଦେବ ଶ୍ରୀହରିଙ୍କର ନିରନ୍ତର ଚିନ୍ତନ କରୁଥିବା କାରଣରୁ ଯମରାଜ
ଯେଉଁମାନଙ୍କଠାରୁ ଦୂରରେ ରହିଥାଆନ୍ତି, ପରସ୍ପର ମଧ୍ୟରେ ସେହି ପ୍ରଭୁଙ୍କର ସୁଯଶ ଚର୍ଚ୍ଚା
ଚାଲିଥିବା କାରଣରୁ ଅନୁରାଗଜନ୍ୟ ଭାବବିହ୍ବଳତାରେ ଯାହାର ନେତ୍ରରୁ ଅବିରଳ ଅଶ୍ରୁଧାରା ପ୍ରବାହିତ
ହେବାରେ ଲାଗିଥାଏ ତଥା ଶରୀରରେ ରୋମାଞ୍ଚ ଜାତ ହୋଇଥାଏ ଏବଂ ଯେଉଁମାନଙ୍କ ପରି ଶୀଳ ସ୍ବଭାବ
ଆମ୍ଭମାନଙ୍କର ମଧ୍ୟ କାମ୍ୟ ଅଟେ – ସେହି ପରମ ଭାଗବତମାନେ ହିଁ ଆମ ଲୋକର ଉର୍ଦ୍ଧ୍ବରେ ସ୍ଥିତ
ସେହି ବୈକୁଣ୍ଠଲୋକକୁ ଯାଇଥାଆନ୍ତି |
ତଦ୍ୱିଶ୍ୱଗୁର୍ୱଧିକୃତଂ ଭୁବନୈକବନ୍ଦ୍ୟଂ
ଦିବ୍ୟଂ ବିଚିତ୍ରବିବୁଧାଗ୍ର୍ୟବିମାନଶୋଚିଃ ।
ଆପୁଃ ପରାଂ ମୁଦମପୂର୍ୱମୁପେତ୍ୟ ଯୋଗ-
ମାୟାବଲେନ ମୁନୟସ୍ତଦଥୋ ବିକୁଣ୍ଠମ୍ ॥ ୨୬॥
ନିଜ ଯୋଗବଳରେ ବିଶ୍ବଗୁରୁ ଶ୍ରୀହରିଙ୍କର ନିବାସସ୍ଥାନ, ସମ୍ପୂର୍ଣ୍ଣ
ଲୋକରେ ବନ୍ଦନୀୟ ଏବଂ ଶ୍ରେଷ୍ଠ ଦେବତାମାନଙ୍କର ବିଚିତ୍ର ବିମାନରେ ବିଭୂଷିତ ସେହି ପରମ ଦିବ୍ୟ
ଏବଂ ଅଦ୍ଭୁତ ବୈକୁଣ୍ଠଧାମରେ ପହଞ୍ଚି ସନକାଦି ମୁନି ଅତି ଆନନ୍ଦିତ ହେଲେ |
ତସ୍ମିନ୍ନତୀତ୍ୟ ମୁନୟଃ ଷଡସଜ୍ଜମାନାଃ
କକ୍ଷାଃ ସମାନବୟସାବଥ ସପ୍ତମାୟାମ୍ ।
ଦେବାବଚକ୍ଷତ ଗୃହୀତଗଦୌ ପରାର୍ଧ୍ୟ-
କେୟୂରକୁଣ୍ଡଲକିରୀଟବିଟଙ୍କବେଷୌ ॥ ୨୭॥
ଭଗବଦ୍-ଦର୍ଶନ ଲାଳସାରେ ଅନ୍ୟ ସବୁ ଦର୍ଶନୀୟ ସାମଗ୍ରୀକୁ ଉପେକ୍ଷା
କରି ବୈକୁଣ୍ଠଧାମର ଛଅଟି ସିଢି ଅତିକ୍ରମ କରିବା ପରେ ସେମାନେ ଯେତେବେଳେ ସପ୍ତମ ସୋପାନରେ ପହଞ୍ଦିଲେ, ସେତେବେଳେ ସେମାନେ ସେଠାରେ ସମଆୟୁବିଶିଷ୍ଟ ଦୁଇଜଣ ଗଦାଧାରୀ
ଦେବଶ୍ରେଷ୍ଠଙ୍କୁ ଦେଖିବାକୁ ପାଇଲେ, ଯେଉଁମାନେ
ବାଜୂବନ୍ଦ, କୁଣ୍ଡଳ, କିରିଟୀ ଆଦି ଅନେକ ଅମୂଲ୍ୟ ଆଭୂଷଣରେ ଅଳଂକୃତ ଥିଲେ |
ମତ୍ତଦ୍ୱିରେଫବନମାଲିକୟା ନିବୀତୌ
ବିନ୍ୟସ୍ତୟାସିତଚତୁଷ୍ଟୟବାହୁମଧ୍ୟେ ।
ବକ୍ତ୍ରଂ ଭ୍ରୁବା କୁଟିଲୟା ସ୍ଫୁଟନିର୍ଗମାଭ୍ୟାଂ
ରକ୍ତେକ୍ଷଣେନ ଚ ମନାଗ୍ରଭସଂ ଦଧାନୌ ॥ ୨୮॥
ସେମାନଙ୍କର ଚାରୋଟି ଶ୍ୟାମଳ ଭୁଜର ମଧ୍ୟସ୍ଥଳରେ ମତୁଆଲା
ଭ୍ରମରମାନଙ୍କ ଦ୍ବାରା ଗୁଞ୍ଜାୟମାନ ବନମାଳ ସୁଶୋଭିତ ଥିଲା ତଥା ବକ୍ର ଭୃକୁଟି, ସ୍ଫୁରିତ
ନାସାରନ୍ଧ୍ର ଓ ଅରୁଣ ନେତ୍ର ଯୋଗୁଁ ସେମାନଙ୍କର ମୁଖମଣ୍ଡଳରେ କ୍ଷୋଭର ଚିହ୍ନ ପରିଦୃଶ୍ୟ
ହେଉଥିଲା |
ଦ୍ୱାର୍ୟେତୟୋର୍ନିବିବିଶୁର୍ମିଷତୋରପୃଷ୍ଟ୍ୱା
ପୂର୍ୱା ଯଥା ପୁରଟବଜ୍ରକପାଟିକା ଯାଃ ।
ସର୍ୱତ୍ର ତେଽବିଷମୟା ମୁନୟଃ ସ୍ୱଦୃଷ୍ଟ୍ୟା
ଯେ ସଞ୍ଚରନ୍ତ୍ୟବିହତା ବିଗତାଭିଶଙ୍କାଃ ॥ ୨୯॥
ସେମାନେ ଏହିପରି ସତର୍କ ଦୃଷ୍ଟି ରଖିଥିଲେ ମଧ୍ୟ ସନକାଦି ମୁନିଗଣ
ସେମାନଙ୍କୁ ନ ପଚାରି, ଯେପରି ଭାବରେ ସୁବର୍ଣ୍ଣ ଏବଂ ବଜ୍ରମୟ କବାଟଯୁକ୍ତ ଛଅ ସିଢି ଅତିକ୍ରମ
କରିଥିଲେ, ସେହିପରି ସପ୍ତମ
ସୋପାନର ଦ୍ବାର ମଧ୍ୟ ଦେଇ ପ୍ରବେଶ କରିଗଲେ | ସେମାନଙ୍କର ଦୃଷ୍ଟି ତ ସର୍ବତ୍ର ସମଭାବ ଥିଲା; ସେମାନେ ନିଃଶଙ୍କ ଚିତ୍ତରେ ସର୍ବତ୍ର ଅବାଧରେ ବିଚରଣ କରନ୍ତି |
ତାନ୍ ବୀକ୍ଷ୍ୟ ବାତରଶନାଂଶ୍ଚତୁରଃ କୁମାରାନ୍
ବୃଦ୍ଧାନ୍ ଦଶାର୍ଧବୟସୋ ବିଦିତାତ୍ମତତ୍ତ୍ୱାନ୍ ।
ବେତ୍ରେଣ ଚାସ୍ଖଲୟତାମତଦର୍ହଣାଂସ୍ତୌ
ତେଜୋ ବିହସ୍ୟ ଭଗବତ୍ପ୍ରତିକୂଲଶୀଲୌ ॥ ୩୦॥
ସେହି ଚାରି କୁମାର ପୂର୍ଣ୍ଣ ତତ୍ତ୍ବଜ୍ଞ ଥିଲେ ତଥା ବ୍ରହ୍ମାଙ୍କ
ସୃଷ୍ଟିରେ ଆୟୁରେ ସମସ୍ତଙ୍କଠାରୁ ବଡ ଥିଲେ | ତା ସତ୍ତ୍ବେ ବି ଦେଖିବାକୁ ସେମାନେ ପାଞ୍ଚ ବର୍ଷର
ବାଳକ ସଦୃଶ ଥିଲେ ଏବଂ ସେମାନେ ଦିଗମ୍ବର ବୃତ୍ତି ଧାରଣ କରିଥିଲେ | ଏହିପରି ଭାବରେ
ନିଃସଙ୍କୋଚରେ ସେମାନେ ଭିତରକୁ ପ୍ରବେଶ କରୁଥିବା ଦେଖି ଦ୍ବାରପାଳ ଦ୍ବୟ ନିଜ ଶୀଳ-ସ୍ବଭାବ
ବିପରୀତ ସନକାଦିଙ୍କର ତେଜକୁ ଉପହସିତ କରି ବେତ ଦେଖାଇ ସେମାନଙ୍କର ପଥ ଅବରୋଧ କଲେ, ଯଦିଓ ସେହି ମୁନିମାନେ ସେପରି ଦୁର୍ବ୍ୟବହାରର ଯୋଗ୍ୟ ନ ଥିଲେ |
ତାଭ୍ୟାଂ ମିଷତ୍ସ୍ୱନିମିଷେଷୁ ନିଷିଧ୍ୟମାନାଃ
ସ୍ୱର୍ହତ୍ତମା ହ୍ୟପି ହରେଃ ପ୍ରତିହାରପାଭ୍ୟାମ୍ ।
ଊଚୁସ୍ସୁହୃତ୍ତମଦିଦୃକ୍ଷିତଭଙ୍ଗ ଈଷତ୍
କାମାନୁଜେନ ସହସା ତ ଉପପ୍ଲୁତାକ୍ଷାଃ ॥ ୩୧॥
ସେହି ଦ୍ବାରପାଳ ଦ୍ବୟ ଯେତେବେଳେ ବୈକୁଣ୍ଠବାସୀ ଦେବତାମାନଙ୍କଠାରୁ
ମଧ୍ୟ ପୂଜାର ସର୍ବଶ୍ରେଷ୍ଠ ପାତ୍ର ସେହି କୁମାରମାନଙ୍କର ଏପରି ଭାବରେ ପଥରୋଧ କଲେ, ସେତେବେଳେ ନିଜ ପ୍ରିୟତମ ପ୍ରଭୁଙ୍କ ଦର୍ଶନରେ ବିଘ୍ନ ଉତ୍ପନ୍ନ
ହେଉଥିବା ଲକ୍ଷ୍ୟ କରି କିଂଚିତ୍ କ୍ରୋଧରେ ମୁନିମାନଙ୍କର ନେତ୍ର ରକ୍ତ ବର୍ଣ୍ଣ ଧାରଣ କଲା ଏବଂ
ସେମାନେ ଏହିପରି କହିବାରେ ଲାଗିଲେ –
ମୁନୟ ଊଚୁଃ
କୋ ବାମିହୈତ୍ୟ ଭଗବତ୍ପରିଚର୍ୟଯୋଚ୍ଚୈଃ
ତଦ୍ଧର୍ମିଣାଂ ନିବସତାଂ ବିଷମଃ ସ୍ୱଭାବଃ ।
ତସ୍ମିନ୍ ପ୍ରଶାନ୍ତପୁରୁଷେ ଗତବିଗ୍ରହେ ବାଂ
କୋ ବାଽଽତ୍ମବତ୍କୁହକୟୋଃ ପରିଶଙ୍କନୀୟଃ ॥ ୩୨॥
ମୁନିମାନେ କହିଲେ – ରେ ଦ୍ବାରପାଳ ! ଯେଉଁମାନେ ଭଗବାନଙ୍କର ମହତୀ
ସେବାର ପ୍ରଭାବରେ ଏହି ଲୋକ ପ୍ରାପ୍ତ କରି ଏଠାରେ ନିବାସ କରୁଥାଆନ୍ତି, ସେମାନେ ତ ଭଗବାନଙ୍କ ତୁଲ୍ୟ ସମଦର୍ଶୀ ହୋଇଥାଆନ୍ତି | ତୁମେ ଦୁହେଁ
ମଧ୍ୟ ସେମାନଙ୍କର ଅନ୍ତର୍ଭୁକ୍ତ ଅଟ, କିନ୍ତୁ ତୁମର ସ୍ବଭାବରେ ଏହି ବିଷମତା ପରିଲକ୍ଷିତ ହେଉଛି
କାହିଁକି ? ଭଗବାନ ତ ପରମ ଶାନ୍ତ ସ୍ବଭାବର ଅଟନ୍ତି, କାହା ପ୍ରତି ତାଙ୍କର ବିରୋଧ ଭାବ ନାହିଁ;
ତେଣୁ ଏଠାରେ ଏପରି କିଏ ଅଛି, ଯାହା ଉପରେ ଶଙ୍କା
କରାଯାଇ ପାରିବ ? ତୁମ୍ଭେମାନେ ସ୍ବୟଂ କପଟୀ ଅଟ,
ସେଥିପାଇଁ ତୁମେ ଅନ୍ୟମାନଙ୍କ ପ୍ରତି ଶଙ୍କା କରୁଅଛ |
ନ ହ୍ୟନ୍ତରଂ ଭଗବତୀହ ସମସ୍ତକୁକ୍ଷା-
ବାତ୍ମାନମାତ୍ମନି ନଭୋ ନଭସୀବ ଧୀରାଃ ।
ପଶ୍ୟନ୍ତି ଯତ୍ର ଯୁବୟୋଃ ସୁରଲିଙ୍ଗିନୋଃ କିଂ
ବ୍ୟୁତ୍ପାଦିତଂ ହ୍ୟୁଦରଭେଦି ଭୟଂ ଯତୋଽସ୍ୟ ॥ ୩୩॥
ଏହି ସାରା ବ୍ରହ୍ମାଣ୍ଡ ଭଗବାନଙ୍କ ଉଦରରେ ସ୍ଥିତ ଅଟେ; ସେଥିପାଇଁ ଜ୍ଞାନୀଜନ ସର୍ବାତ୍ମା ଶ୍ରୀହରିଙ୍କଠାରୁ ନିଜକୁ ଭିନ୍ନ
ମନେକରନ୍ତି ନାହିଁ, ବରଂ ମହାକାଶରେ ଘଟାକାଶ ପରି ତାଙ୍କଠାରେ ନିଜର ଅନ୍ତର୍ଭାବ ଦେଖିଥାଆନ୍ତି |
ତୁମ୍ଭେମାନେ ତ ଦେବ-ରୂପଧାରୀ ଅଟ; ତଥାପି ତୁମେ ଏପରି କ’ଣ ଦେଖିଲ ଯେ ଭଗବାନଙ୍କ ସହିତ ଭେଦଭାବ କାରଣରୁ ଉତ୍ପନ୍ନ ହେବାକୁ
ଥିବା ଭୟର କଳ୍ପନା କରି ବସିଲ ?
ତଦ୍ୱାମମୁଷ୍ୟ ପରମସ୍ୟ ବିକୁଣ୍ଠ ଭର୍ତୁଃ
କର୍ତୁଂ ପ୍ରକୃଷ୍ଟମିହ ଧୀମହି ମନ୍ଦଧୀଭ୍ୟାମ୍ ।
ଲୋକାନିତୋ ବ୍ରଜତମନ୍ତରଭାବଦୃଷ୍ଟ୍ୟା
ପାପୀୟସସ୍ତ୍ରୟ ଇମେ ରିପବୋଽସ୍ୟ ଯତ୍ର ॥ ୩୪॥
ତୁମ୍ଭେମାନେ ଭଗବାନ ବୈକୁଣ୍ଠନାଥଙ୍କର ପାର୍ଷଦ ଅଟ ସତ, କିନ୍ତୁ ତୁମ୍ଭମାନଙ୍କର ବୁଦ୍ଧି ବହୁତ ମନ୍ଦ ଅଟେ | ଅତଏବ ତୁମର
କଲ୍ୟାଣ କରିବା ଉଦ୍ଦେଶ୍ୟରେ ଆମେ ତୁମ ପାଇଁ ଅପରାଧ-ଯୋଗ୍ୟ ଦଣ୍ଡ ବିଧାନ କରୁଛୁ | ନିଜର ମନ୍ଦ
ଭେଦବୁଦ୍ଧି ଦୋଷରୁ ତୁମେ ବୈକୁଣ୍ଠଲୋକରୁ ସେହି ପାପମୟ ଯୋନିକୁ ଯାଅ, ଯେଉଁଠାରେ କାମ, କ୍ରୋଧ, ଲୋଭ – ପ୍ରାଣୀମାନଙ୍କର ଏହି ତିନି ଶତ୍ରୁ ନିବାସ କରନ୍ତି |
ତେଷାମିତୀରିତମୁଭାବବଧାର୍ୟ ଘୋରଂ
ତଂ ବ୍ରହ୍ମଦଣ୍ଡମନିବାରଣମସ୍ତ୍ରପୂଗୈଃ ।
ସଦ୍ୟୋ ହରେରନୁଚରାବୁରୁବିଭ୍ୟତସ୍ତତ୍
ପାଦଗ୍ରହାବପତତାମତିକାତରେଣ ॥ ୩୫॥
ସନକାଦିଙ୍କର ଏହି କଠୋର ବଚନ ଶୁଣି ଏବଂ ଶାସ୍ତ୍ରସମୂହରୁ
ବ୍ରାହ୍ମଣମାନଙ୍କ ଅଭିଶାପର ନିବାରଣ କୌଣସି ଉପାୟରେ ହୋଇପାରିବ ନାହିଁ ଜାଣି, ଶ୍ରୀହରିଙ୍କର ସେହି ଦୁଇ ପାର୍ଷଦ ଅତ୍ୟନ୍ତ ଦୀନଭାବଯୁକ୍ତ ହୋଇ
ସେମାନଙ୍କର ଚରଣ ଧରି ଭୂଇଁରେ ଲୋଟିବାରେ ଲାଗିଲେ | ସେମାନେ ଜାଣିଥିଲେ ଯେ ସେମାନଙ୍କର ସ୍ବାମୀ
ଶ୍ରୀହରି ମଧ୍ୟ ବ୍ରାହ୍ମଣମାନଙ୍କୁ ବହୁତ ଭୟ କରନ୍ତି |
ଭୂୟାଦଘୋନି ଭଗବଦ୍ଭିରକାରି ଦଣ୍ଡୋ
ଯୋ ନୌ ହରେତ ସୁରହେଲନମପ୍ୟଶେଷମ୍ ।
ମା ବୋଽନୁତାପକଲୟା ଭଗବତ୍ସ୍ମୃତିଘ୍ନୋ
ମୋହୋ ଭବେଦିହ ତୁ ନୌ ବ୍ରଜତୋରଧୋଽଧଃ ॥ ୩୬॥
ଅତ୍ୟନ୍ତ ଆତୁର ହୋଇ ସେମାନେ କହିଲେ – ଭଗବନ୍ ! ଆମ୍ଭେମାନେ ଅପରାଧୀ
ଅଟୁ; ସେଥିପାଇଁ ଆପଣମାନେ
ଆମକୁ ଯେଉଁ ଦଣ୍ଡ ଦେଇଛନ୍ତି, ତାହା ଉଚିତ୍ ଅଟେ
ଏବଂ ଆମ୍ଭମାନଙ୍କୁ ତାହା ମିଳିବା ଉଚିତ୍ | ଭଗବାନଙ୍କର ଅଭିପ୍ରାୟକୁ ନ ଜାଣି ଆମେ ତାଙ୍କ
ଆଜ୍ଞାର ଉଲ୍ଲଂଘନ କରିଛୁ | ତଦ୍ବାରା ଯେଉଁ ପାପ ଆମକୁ ଲାଗିଛି, ତାହା ଆପଣମାନଙ୍କ ଦ୍ବାରା ନିର୍ଦ୍ଧାରିତ ଦଣ୍ଡ ଦ୍ବାରା ନିଶ୍ଚିତ
ଭାବରେ ଧୌତ ହୋଇଯିବ | କିନ୍ତୁ ଆମର ଏହି ଦୁର୍ଦ୍ଦଶାକୁ ଦେଖି କରୁଣାବଶତଃ ଆପଣଙ୍କର ଯଦି
କିଂଚିତ୍ ଅନୁତାପ ହେଉଥାଏ, ତେବେ ଏହି କୃପା
କରନ୍ତୁ ଯେପରି କି ସେହି ଅଧମାଧମ ଯୋନିକୁ ପ୍ରାପ୍ତ କରି ମଧ୍ୟ ଭଗବତ୍-ସ୍ମୃତି ନାଶକାରୀ ମୋହ
ଆମ୍ଭମାନଙ୍କୁ ପ୍ରାପ୍ତ ନ ହେବ |
ଏବଂ ତଦୈବ ଭଗବାନରବିନ୍ଦନାଭଃ
ସ୍ୱାନାଂ ବିବୁଧ୍ୟ ସଦତିକ୍ରମମାର୍ୟହୃଦ୍ୟଃ ।
ତସ୍ମିନ୍ୟଯୌ ପରମହଂସମହାମୁନୀନାଂ
ଅନ୍ୱେଷଣୀୟଚରଣୌ ଚଲୟନ୍ ସହ ଶ୍ରୀଃ ॥ ୩୭॥
ଏଣେ ଯେତେବେଳେ ସାଧୁଜନଙ୍କର ହୃଦୟଧନ ଭଗବାନ କମଳନାଭ ଏହା ଜାଣିବାକୁ
ପାଇଲେ ଯେ ତାଙ୍କର ଦ୍ବାରପାଳମାନେ ସନକାଦି ସାଧୁମାନଙ୍କର ଅନାଦର କରିଛନ୍ତି, ସେ ଲକ୍ଷ୍ମୀଦେବୀଙ୍କ ସହିତ ନିଜ ଖୋଲା ଚରଣରେ ଚାଲି ସେଠାରେ
ପହଞ୍ଚିଲେ, ସେହି ଚରଣ ଯାହାର
ଅନ୍ବେଷଣ ପରମହଂସ ମୁନିଜନ କରୁଥିଲେ ବି ସହଜରେ ପ୍ରାପ୍ତ କରିପାରନ୍ତି ନାହିଁ |
ତଂ ତ୍ୱାଗତଂ ପ୍ରତିହୃତୌପୟିକଂ ସ୍ୱପୁମ୍ଭିଃ
ତେଽଚକ୍ଷତାକ୍ଷବିଷୟଂ ସ୍ୱସମାଧିଭାଗ୍ୟମ୍ ।
ହଂସଶ୍ରିୟୋର୍ୱ୍ୟଜନୟୋଃ ଶିବବାୟୁଲୋଲ-
ଚ୍ଛୁଭ୍ରାତପତ୍ରଶଶିକେସରଶୀକରାମ୍ବୁମ୍ ॥ ୩୮॥
ସନକାଦି ଦେଖିଲେ ସେମାନଙ୍କ ସମାଧିର ବିଷୟ ସ୍ବୟଂ ଶ୍ରୀବୈକୁଣ୍ଠନାଥ ସେମାନଙ୍କର
ନେତ୍ରଗୋଚର ହୋଇ ଆଗମନ କରୁଛନ୍ତି, ତାଙ୍କ ସହିତ
ପାର୍ଷଦଗଣ ଛତ୍ର-ଚାମର ଆଦି ଧରି ଆସୁଛନ୍ତି ତଥା ପ୍ରଭୁଙ୍କର ଦୁଇ ପାର୍ଶ୍ବରେ ରାଜହଂସର ପକ୍ଷ
ସଦୃଶ ଶ୍ବେତବର୍ଣ୍ଣର ଦୁଇଟି ଚାମରରେ ଆଲଟ କରାଯାଉଛି | ସେମାନଙ୍କର ଶୀତଳ ପ୍ରବାହରେ
ଶ୍ବେତଛତ୍ରରେ ଲାଗିଥିବା ମୋତିଝରା ଆନ୍ଦୋଳିତ ହୋଇ ଏପରି ଶୋଭା ପାଉଛି ସତେ ଯେପରି ଚନ୍ଦ୍ରକିରଣରୁ
ଅମୃତର ବାରି ବର୍ଷଣ ହେଉଛି |
କୃତ୍ସ୍ନପ୍ରସାଦସୁମୁଖଂ ସ୍ପୃହଣୀୟଧାମ-
ସ୍ନେହାବଲୋକକଲୟା ହୃଦି ସଂସ୍ପୃଶନ୍ତମ୍ ।
ଶ୍ୟାମେ ପୃଥାବୁରସି ଶୋଭିତୟା ଶ୍ରିୟାସ୍ୱ-
ଶ୍ଚୂଡାମଣିଂ ସୁଭଗୟନ୍ତମିବାତ୍ମଧିଷ୍ଣ୍ୟମ୍ ॥ ୩୯॥
ପ୍ରଭୁ ସମସ୍ତ ସଦଗୁଣର ଆଶ୍ରୟ ଅଟନ୍ତି, ତାଙ୍କର ସୌମ୍ୟ ମୁଖମୁଦ୍ରାକୁ
ଦେଖି ଏପରି ମନେ ହେଉଥିଲା ସତେ ଯେପରି ସେ ସମସ୍ତଙ୍କ ଉପରେ ଅନବରତ କୃପାସୁଧା ବର୍ଷଣ କରୁଛନ୍ତି
| ନିଜ ସ୍ନେହମୟୀ ଚାହାଣୀରେ ସେ ଭକ୍ତମାନଙ୍କର ହୃଦୟକୁ ସ୍ପର୍ଶ କରୁଥିଲେ ତଥା ତାଙ୍କର ସୁବିଶାଳ
ଶ୍ୟାମ ବକ୍ଷସ୍ଥଳରେ ସୁବର୍ଣ୍ଣରେଖା ରୂପରେ ଯେଉଁ ସାକ୍ଷାତ୍ ଲକ୍ଷ୍ମୀ ବିରାଜମାନ କରୁଥିଲେ, ତଦ୍ବାରା ସତେ ଯେପରି ସେ ସମସ୍ତ ଦିବ୍ୟଲୋକର ଚୂଡାମଣି
ବୈକୁଣ୍ଠଧାମକୁ ସୁଶୋଭିତ କରୁଥିଲେ |
ପୀତାଂଶୁକେ ପୃଥୁ ନିତମ୍ବିନି ବିସ୍ଫୁରନ୍ତ୍ୟା
କାଞ୍ଚ୍ୟାଲିଭିର୍ୱିରୁତୟା ବନମାଲୟା ଚ ।
ବଲ୍ଗୁପ୍ରକୋଷ୍ଠବଲୟଂ ବିନତାସୁତାଂସେ
ବିନ୍ୟସ୍ତହସ୍ତମିତରେଣ ଧୁନାନମବ୍ଜମ୍ ॥ ୪୦॥
ତାଙ୍କର ପୀତାମ୍ବରମଣ୍ଡିତ ବିଶାଳ ନିତମ୍ବ ଉପରେ କଂଚୁକୀ ଝଲମଲ
କରୁଥିଲା, ଗଳାରେ ଭ୍ରମର
ମୁଖରିତ ବନମାଳ ବିରାଜିତ ଥିଲା ତଥା ସୁନ୍ଦର କଂକଣ ଶୋଭିତ ତାଙ୍କର ଗୋଟିଏ ହସ୍ତ ସେ ଗରୁଡ଼ଙ୍କର
କାନ୍ଧ ଉପରେ ରଖିଥିଲେ ଏବଂ ଅନ୍ୟ ହସ୍ତରେ କମଳ ପୁଷ୍ପ ଧାରଣ କରି ଘୂରାଇବାରେ ଲାଗିଥିଲେ |
ବିଦ୍ୟୁତ୍କ୍ଷିପନ୍ ମକରକୁଣ୍ଡଲମଣ୍ଡନାର୍ହ-
ଗଣ୍ଡସ୍ଥଲୋନ୍ନସମୁଖଂ ମଣିମତ୍କିରୀଟମ୍ ।
ଦୋର୍ଦଣ୍ଡଷଣ୍ଡବିବରେ ହରତା ପରାର୍ଧ୍ୟ-
ହାରେଣ କନ୍ଧରଗତେନ ଚ କୌସ୍ତୁଭେନ ॥ ୪୧॥
ତାଙ୍କର ଅନୁପମ କପୋଳ ବିଦ୍ୟୁତର ପ୍ରଭାକୁ ମଧ୍ୟ ଲଜ୍ଜିତ କରୁଥିବା
ମକରାକୃତି କୁଣ୍ଡଳର ଶୋଭା ବର୍ଦ୍ଧନ କରୁଥିଲା, ତାଙ୍କର ନାସିକା ଉଚ୍ଚ ଏବଂ ତୀକ୍ଷ୍ଣ ଥିଲା, ମୁଖମଣ୍ଡଳ ଅତି ସୁନ୍ଦର ଥିଲା,
ମସ୍ତକରେ ମଣିମୟ ମୁକୁଟ ବିରାଜମାନ କରିଥିଲା ତଥା ଚତୁର୍ଭୁଜ ମଝିରେ ମହାମୂଲ୍ୟବାନ ମନୋହର ହାର
ଏବଂ ଗଳାରେ କୌସ୍ତୁଭମଣିର ଅପୂର୍ବ ଶୋଭା ଥିଲା |
ଅତ୍ରୋପସୃଷ୍ଟମିତି ଚୋତ୍ସ୍ମିତମିନ୍ଦିରାୟାଃ
ସ୍ୱାନାଂ ଧିୟା ବିରଚିତଂ ବହୁ ସୌଷ୍ଠବାଢ୍ୟମ୍ ।
ମହ୍ୟଂ ଭବସ୍ୟ ଭବତାଂ ଚ ଭଜନ୍ତମଙ୍ଗଂ
ନେମୁର୍ନିରୀକ୍ଷ୍ୟ ନ ବିତୃପ୍ତଦୃଶୋ ମୁଦା କୈଃ ॥ ୪୨॥
ଭଗବାନଙ୍କର ଶ୍ରୀବିଗ୍ରହ ଅତ୍ୟନ୍ତ ସୌନ୍ଦର୍ଯ୍ୟଶାଳୀ ଥିଲା | ତାହାର
ଦର୍ଶନ କରି ଭକ୍ତମାନଙ୍କ ମନରେ ଏପରି ବିତର୍କ ଉତ୍ପନ୍ନ ହେଉଥିଲା ଯେ ଏହା ସମ୍ମୁଖରେ
ଲକ୍ଷ୍ମୀଦେବୀଙ୍କର ସୌନ୍ଦର୍ଯ୍ୟାଭିମାନ ମଧ୍ୟ ହ୍ରାସ ପାଇ ଯାଉଛି | ବ୍ରହ୍ମାଜୀ କହୁଛନ୍ତି –
ମହାଦେବ ଏବଂ ତୁମ୍ଭମାନଙ୍କ ପାଇଁ ପରମ ସୁନ୍ଦର ବିଗ୍ରହ ଧାରଣ କରିଥିବା ଶ୍ରୀହରିଙ୍କୁ ଦେଖି
ସନକାଦି ମୁନୀଶ୍ବରମାନେ ମସ୍ତକ ଅବନତ କରି ତାଙ୍କୁ ପ୍ରଣାମ କଲେ | ତାଙ୍କର ସେହି ଅଦ୍ଭୁତ ଛବିକୁ
ଅବଲୋକନ କରି ସେମାନଙ୍କର ନେତ୍ର ତୃପ୍ତ ହେଉ ନ ଥାଏ |
ତସ୍ୟାରବିନ୍ଦନୟନସ୍ୟ ପଦାରବିନ୍ଦ-
କିଞ୍ଜଲ୍କମିଶ୍ରତୁଲସୀମକରନ୍ଦବାୟୁଃ ।
ଅନ୍ତର୍ଗତଃ ସ୍ୱବିବରେଣ ଚକାର ତେଷାଂ
ସଙ୍କ୍ଷୋଭମକ୍ଷରଜୁଷାମପି ଚିତ୍ତତନ୍ୱୋଃ ॥ ୪୩॥
ସନକାଦି ମୁନୀଶ୍ବର ନିରନ୍ତର ବ୍ରହ୍ମାନନ୍ଦରେ ନିମଗ୍ନ ରହିଥାଆନ୍ତି |
କିନ୍ତୁ ଯେତେବେଳେ କମଳନୟନ ଭଗବାନଙ୍କର ଚରଣାରବିନ୍ଦମକରନ୍ଦ ମିଶ୍ରିତ ତୁଳସୀମଞ୍ଜରୀର ଗନ୍ଧରେ
ସୁବାସିତ ବାୟୁ ନାସାରନ୍ଧ୍ର ମଧ୍ୟ ଦେଇ ସେମାନଙ୍କର ଅନ୍ତଃକରଣରେ ପ୍ରବେଶ କଲା, ସେମାନେ ନିଜ ଶରୀରକୁ ସମ୍ଭାଳି ପାରିଲେ ନାହିଁ ଏବଂ ସେହି ଦିବ୍ୟ
ଗନ୍ଧ ସେମାନଙ୍କ ମନରେ ହଲଚଲ ଉତ୍ପନ୍ନ କଲା |
ତେ ବା ଅମୁଷ୍ୟ ବଦନାସିତପଦ୍ମକୋଶ-
ମୁଦ୍ୱୀକ୍ଷ୍ୟ ସୁନ୍ଦରତରାଧରକୁନ୍ଦହାସମ୍ ।
ଲବ୍ଧାଶିଷଃ ପୁନରବେକ୍ଷ୍ୟ ତଦୀୟମଙ୍ଘ୍ରି-
ଦ୍ୱନ୍ଦ୍ୱଂ ନଖାରୁଣମଣିଶ୍ରୟଣଂ ନିଦଧ୍ୟୁଃ ॥ ୪୪॥
ଭଗବାନଙ୍କର ମୁଖ ନୀଳ-କମଳ ସଦୃଶ ଥିଲା; ସୁନ୍ଦର ଅଧର ଏବଂ କୁନ୍ଦକଳି ସଦୃଶ ତାଙ୍କର ମନୋହର ହାସ୍ୟ ତାହାର
ଶୋଭାକୁ ଆହୁରି ବୃଦ୍ଧି କରୁଥିଲା | ସେହି ଦୃଶ୍ୟର ଦର୍ଶନ କରି ସନକାଦି କୃତକୃତ୍ୟ ହୋଇଗଲେ |
ପଦ୍ମରାଗ ପରି ଲାଲ-ଲାଲ ନଖରେ ଶୋଭିତ ତାଙ୍କର ଚରଣକମଳକୁ ଦେଖି ସେମାନେ ତାହାର ଧ୍ୟାନ କରିବାରେ
ଲାଗିଲେ |
ପୁଂସାଂ ଗତିଂ ମୃଗୟତାମିହ ଯୋଗମାର୍ଗୈଃ
ଧ୍ୟାନାସ୍ପଦଂ ବହୁ ମତଂ ନୟନାଭିରାମମ୍ ।
ପୌଂସ୍ନଂ ବପୁର୍ଦର୍ଶୟାନମନନ୍ୟସିଦ୍ଧୈ-
ରୌତ୍ପତ୍ତିକୈଃ ସମଗୃଣନ୍ ଯୁତମଷ୍ଟଭୋଗୈଃ ॥ ୪୫॥
ତତ୍ ପଶ୍ଚାତ୍ ସେହି ମୁନିଗଣ ଅନ୍ୟ ସାଧନ ଦ୍ବାରା ସିଦ୍ଧ ହେଉ ନ
ଥିବା, ସ୍ବାଭାବିକ ଅଷ୍ଟସିଦ୍ଧିସମ୍ପନ୍ନ ଶ୍ରୀହରିଙ୍କର ସ୍ତୁତି କରିବାରେ ଲାଗିଲେ – ଯିଏ
ଯୋଗମାର୍ଗରେ ମୋକ୍ଷପଦ ଇଚ୍ଛା କରୁଥିବା ପୁରୁଷଙ୍କ ନିମନ୍ତେ ସେମାନଙ୍କ ଧ୍ୟାନର ବିଷୟ, ଅତ୍ୟନ୍ତ ଆଦରଣୀୟ ଏବଂ ନୟନାନନ୍ଦ ବୃଦ୍ଧିକାରୀ ପୁରୁଷରୂପ ପ୍ରକଟ
କରିଥାଆନ୍ତି |
କୁମାରା ଊଚୁଃ
ଯୋଽନ୍ତର୍ହିତୋ ହୃଦି ଗତୋଽପି ଦୁରାତ୍ମନାଂ ତ୍ୱଂ
ସୋଽଦ୍ୟୈବ ନୋ ନୟନମୂଲମନନ୍ତ ରାଦ୍ଧଃ ।
ଯର୍ହ୍ୟେବ କର୍ଣବିବରେଣ ଗୁହାଂ ଗତୋ ନଃ
ପିତ୍ରାନୁବର୍ଣିତରହା ଭବଦୁଦ୍ଭବେନ ॥ ୪୬॥
ସନକାଦି ମୁନିଗଣ କହିଲେ – ହେ ଅନନ୍ତ ! ଯଦିଓ ଆପଣ ଅନ୍ତର୍ଯ୍ୟାମୀ
ରୂପରେ ଦୁଷ୍ଟଚିତ୍ତ ବ୍ୟକ୍ତିମାନଙ୍କର ହୃଦୟରେ ମଧ୍ୟ ସ୍ଥିତ ରହିଥାଆନ୍ତି, ତଥାପି ସେମାନଙ୍କ ଦୃଷ୍ଟିରୁ ଆପଣ ଅଦୃଶ୍ୟ ହିଁ ରହନ୍ତି | କିନ୍ତୁ
ଆଜି ଆପଣ ଆମ୍ଭମାନଙ୍କର ନେତ୍ର ସମ୍ମୁଖରେ ସାକ୍ଷାତ ବିରାଜମାନ କରିଛନ୍ତି | ଆପଣଙ୍କଠାରୁ
ଉତ୍ପନ୍ନ ଆମ୍ଭମାନଙ୍କର ପିତା ବ୍ରହ୍ମାଜୀ ଯେତେବେଳେ ଆମକୁ ଆପଣଙ୍କର ରହସ୍ୟ ଶୁଣାଇ ଥିଲେ, ସେହି ସମୟରୁ ଶ୍ରବଣରନ୍ଧ୍ର ଦେଇ ଆମ ବୁଦ୍ଧିରେ ଆପଣ ବିରାଜମାନ ଥିଲେ
| କିନ୍ତୁ ଆପଣଙ୍କ ପ୍ରତ୍ୟକ୍ଷ ଦର୍ଶନର ମହାନ୍ ସୌଭାଗ୍ୟ ତ ଆମ୍ଭମାନଙ୍କୁ ଆଜି ହିଁ ପ୍ରାପ୍ତ
ହେଲା |
ତଂ ତ୍ୱାଂ ବିଦାମ ଭଗବନ୍ ପରମାତ୍ମତତ୍ତ୍ୱଂ
ସତ୍ତ୍ୱେନ ସମ୍ପ୍ରତି ରତିଂ ରଚୟନ୍ତମେଷାମ୍ ।
ତତ୍ତେଽନୁତାପବିଦିତୈର୍ଦୃଢଭକ୍ତିୟୋଗୈ-
ରୁଦ୍ଗ୍ରନ୍ଥୟୋ ହୃଦି ବିଦୁର୍ମୁନୟୋ ବିରାଗାଃ ॥ ୪୭॥
ଭଗବନ୍ ! ଆମେ ଆପଣଙ୍କୁ ସାକ୍ଷାତ ପରମାତ୍ମତତ୍ତ୍ବ ଭାବରେ ହିଁ ଜାଣୁ
| ଏହି ସମୟରେ ଆପଣ ନିଜର ବିଶୁଦ୍ଧ ସତ୍ତ୍ବମୟ ବିଗ୍ରହ ଦ୍ବାରା ନିଜର ଭକ୍ତମାନଙ୍କୁ ଆନନ୍ଦିତ
କରୁଛନ୍ତି | ରାଗ ଓ ଅହଂକାରରୁ ମୁକ୍ତ ମୁନିଜନ ଆପଣଙ୍କ କୃପାଦୃଷ୍ଟିରୁ ପ୍ରାପ୍ତ ହୋଇଥିବା
ସୁଦୃଢ ଭକ୍ତିଯୋଗ ଦ୍ବାରା ଆପଣଙ୍କର ଏହି ସଗୁଣ-ସାକାର ମୂର୍ତ୍ତିର ଉପଲବଧି ନିଜ ହୃଦୟରେ କରନ୍ତି
|
ନାତ୍ୟନ୍ତିକଂ ବିଗଣୟନ୍ତ୍ୟପି ତେ ପ୍ରସାଦଂ
କିନ୍ତ୍ୱନ୍ୟଦର୍ପିତଭୟଂ ଭ୍ରୁବ ଉନ୍ନୟୈସ୍ତେ ।
ଯେଽଙ୍ଗ ତ୍ୱଦଙ୍ଘ୍ରିଶରଣା ଭବତଃ କଥାୟାଃ
କୀର୍ତନ୍ୟତୀର୍ଥୟଶସଃ କୁଶଲା ରସଜ୍ଞାଃ ॥ ୪୮॥
ପ୍ରଭୁ ! ଆପଣଙ୍କର ପରମ କୀର୍ତ୍ତନୀୟ ସୁଯଶ ସାଂସାରିକ ଦୁଃଖନିବୃତ୍ତି
କରିଥାଏ | ଆପଣଙ୍କ କଥା-ରସିକ ଯେଉଁ ମହାଭାଗ ଆପଣଙ୍କ ଚରଣର ଶରଣରେ ରହିଥାଆନ୍ତି, ସେମାନେ ଆପଣଙ୍କର ଆତ୍ୟନ୍ତିକ ପ୍ରସାଦ ମୋକ୍ଷପଦକୁ ମଧ୍ୟ ଶ୍ରେଷ୍ଠ
ମନେକରନ୍ତି ନାହିଁ; ସେ କ୍ଷେତ୍ରରେ
ଯେଉଁମାନଙ୍କୁ ଆପଣଙ୍କର କିଂଚିତ୍ ବକ୍ର ଭୃକୁଟି ମଧ୍ୟ ଭୟଭୀତ କରିଥାଏ, ସେହି ଇନ୍ଦ୍ର ଆଦିଙ୍କର ପଦ ଅଥବା ଅନ୍ୟ ଭୋଗ ବିଷୟରେ କ’ଣ କୁହାଯିବ ?
କାମଂ ଭବଃ ସ୍ୱବୃଜିନୈର୍ନିରୟେଷୁ ନଃ ସ୍ତା-
ଚ୍ଚେତୋଽଲିବଦ୍ୟଦି ନୁ ତେ ପଦୟୋ ରମେତ ।
ବାଚଶ୍ଚ ନସ୍ତୁଲସିବଦ୍ୟଦି ତେଽଙ୍ଘ୍ରିଶୋଭାଃ
ପୂର୍ୟେତ ତେ ଗୁଣଗଣୈର୍ୟଦି କର୍ଣରନ୍ଧ୍ରଃ ॥ ୪୯॥
ହେ ଭଗବନ୍ ! ଆମ୍ଭମାନଙ୍କର ଚିତ୍ତ ଯଦି ଭ୍ରମର ସଦୃଶ ଆପଣଙ୍କ
ଚରଣ-କମଳରେ ରମଣ କରୁଥିବ, ବାଣୀ ତୁଳସୀ ପରି
ଆପଣଙ୍କ ଚରଣ ସହିତ ସମ୍ବନ୍ଧିତ ରହି ସୁଶୋଭିତ ହେଉଥିବ ଏବଂ କର୍ଣ୍ଣ ଆପଣଙ୍କ ସୁଯଶ-ସୁଧାରେ
ପରିପୂର୍ଣ୍ଣ ରହୁଥିବ, ତେବେ ନିଜର ପାପକର୍ମ ଯୋଗୁଁ ନର୍କାଦି ଯୋନିରେ ଜନ୍ମ ଗ୍ରହଣ କରିବାକୁ
ପଡିଲେ ବି ଆମେ ଚିନ୍ତା କରିବୁ ନାହିଁ |
ପ୍ରାଦୁଶ୍ଚକର୍ଥ ଯଦିଦଂ ପୁରୁହୂତ ରୂପଂ
ତେନେଶ ନିର୍ୱୃତିମବାପୁରଲଂ ଦୃଶୋ ନଃ ।
ତସ୍ମା ଇଦଂ ଭଗବତେ ନମ ଇଦ୍ୱିଧେମ
ଯୋଽନାତ୍ମନାଂ ଦୁରୁଦୟୋ ଭଗବାନ୍ ପ୍ରତୀତଃ ॥ ୫୦॥
ହେ ବିପୁଳକୀର୍ତ୍ତି ପ୍ରଭୁ ! ଆପଣ ଆମ୍ଭମାନଙ୍କ ସମ୍ମୁଖରେ ଏହି ଯେଉଁ
ମନୋହର ରୂପ ପ୍ରକଟ କରିଛନ୍ତି, ତାହା ଆମ୍ଭମାନଙ୍କର
ନେତ୍ରକୁ ପରମ ସୁଖ ପ୍ରଦାନ କରୁଛି | ବିଷୟାସକ୍ତ ଅଜିତେନ୍ଦ୍ରିୟ ପୁରୁଷମାନଙ୍କୁ ଏହା
ଦୃଷ୍ଟିଗୋଚର ହୋଇ ନ ଥାଏ | ଆପଣ ସାକ୍ଷାତ ଭଗବାନ ଅଟନ୍ତି,
ଯିଏ ପ୍ରତ୍ୟକ୍ଷତଃ ଆମ ନେତ୍ର ସମ୍ମୁଖରେ ପ୍ରକଟ ହୋଇଛନ୍ତି | ଆମ୍ଭେମାନେ ଆପଣଙ୍କୁ ପ୍ରଣାମ
କରୁଛୁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଜୟବିଜୟଯୋଃ ସନକାଦିଶାପୋ ନାମ
ପଞ୍ଚଦଶୋଽଧ୍ୟାୟଃ ॥ ୧୫॥

Comments
Post a Comment