ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ଷୋଡଶ ଅଧ୍ୟାୟ

ଜୟ-ବିଜୟଙ୍କର ବୈକୁଣ୍ଠରୁ ପତନ

 

ବ୍ରହ୍ମୋବାଚ

ଇତି ତଦ୍ଗୃଣତାଂ ତେଷାଂ ମୁନୀନାଂ ଯୋଗଧର୍ମିଣାମ୍ ।

ପ୍ରତିନନ୍ଦ୍ୟ ଜଗାଦେଦଂ ବିକୁଣ୍ଠନିଲୟୋ ବିଭୁଃ ॥ ୧॥

ଶ୍ରୀବ୍ରହ୍ମାଜୀ କହୁଛନ୍ତି – ହେ ଦେବଗଣ ! ଯୋଗନିଷ୍ଠ ସନକାଦି ମୁନି ଯେତେବେଳେ ବୈକୁଣ୍ଠନାଥ ଶ୍ରୀହରିଙ୍କର ଏହିପରି ଭାବରେ ସ୍ତୁତି କଲେ, ସେମାନଙ୍କର ପ୍ରଶଂସା କରି ଭଗବାନ କହିଲେ -

ଶ୍ରୀଭଗବାନୁବାଚ

ଏତୌ ତୌ ପାର୍ଷଦୌ ମହ୍ୟଂ ଜୟୋ ବିଜୟ ଏବ ଚ ।

କଦର୍ଥୀକୃତ୍ୟ ମାଂ ଯଦ୍ୱୋ ବହ୍ୱକ୍ରାତାମତିକ୍ରମମ୍ ॥ ୨॥

ଶ୍ରୀଭଗବାନ କହିଲେ – ହେ ମୁନିଗଣ ! ଏହି ଜୟ-ବିଜୟ ମୋର ପାର୍ଷଦ ଅଟନ୍ତି | ଏମାନେ ମୋର କିଂଚିତ ଖାତିର ନ କରି ଆପଣମାନଙ୍କ ପ୍ରତି ବହୁତ ବଡ ଅପରାଧ କରିଛନ୍ତି |

ଯସ୍ତ୍ୱେତୟୋର୍ଧୃତୋ ଦଣ୍ଡୋ ଭବଦ୍ଭିର୍ମାମନୁବ୍ରତୈଃ ।

ସ ଏବାନୁମତୋଽସ୍ମାଭିର୍ମୁନୟୋ ଦେବହେଲନାତ୍ ॥ ୩॥

ଆପଣମାନେ ମଧ୍ୟ ମୋର ଅନୁଗତ ଭକ୍ତ ଅଟନ୍ତି; ତେଣୁ ଏହିପରି ଭାବରେ ମୋର ହିଁ ଅବଜ୍ଞା କରିଥିବା କାରଣରୁ ଆପଣମାନେ ସେମାନଙ୍କ ପ୍ରତି ଯେଉଁ ଦଣ୍ଡବିଧାନ କରିଛନ୍ତି, ତାହା ମୋର ମଧ୍ୟ ସ୍ବୀକାର୍ଯ୍ୟ ଅଟେ |

ତଦ୍ୱଃ ପ୍ରସାଦୟାମ୍ୟଦ୍ୟ ବ୍ରହ୍ମ ଦୈବଂ ପରଂ ହି ମେ ।

ତଦ୍ଧୀତ୍ୟାତ୍ମକୃତଂ ମନ୍ୟେ ଯତ୍ସ୍ୱପୁମ୍ଭିରସତ୍କୃତାଃ ॥ ୪॥

ବ୍ରାହ୍ମଣମାନେ ମୋର ପରମ ଆରାଧ୍ୟ ଅଟନ୍ତି; ମୋର ଅନୁଚରମାନଙ୍କ ଦ୍ବାରା ଆପଣମାନଙ୍କର ଯେଉଁ ତିରସ୍କାର କରାଗଲା, ତାହାକୁ ମୁଁ ନିଜର ଅପକର୍ମ ମନେକରୁଛି | ସେଥିପାଇଁ ମୁଁ ଆପଣମାନଙ୍କର ପ୍ରସନ୍ନତା ଭିକ୍ଷା କରୁଛି |

ଯନ୍ନାମାନି ଚ ଗୃହ୍ଣାତି ଲୋକୋ ଭୃତ୍ୟେ କୃତାଗସି ।

ସୋଽସାଧୁବାଦସ୍ତତ୍କୀର୍ତିଂ ହନ୍ତି ତ୍ୱଚମିବାମୟଃ ॥ ୫॥

ସେବକମାନେ ଅପରାଧ କଲେ ସଂସାର ସେମାନଙ୍କର ସ୍ବାମୀକୁ ଦୋଷ ଦେଇଥାଏ | ଚର୍ମରୋଗ ତ୍ବଚାକୁ କୁତ୍ସିତ କରିଦେବା ପରି ସେହି ଅପଯଶ ତାଙ୍କର କୀର୍ତ୍ତିକୁ ଦୂଷିତ କରିଦେଇ ଥାଏ |

ଯସ୍ୟାମୃତାମଲୟଶଃ ଶ୍ରବଣାବଗାହଃ

ସଦ୍ୟଃ ପୁନାତି ଜଗଦାଶ୍ୱପଚାଦ୍ୱିକୁଣ୍ଠଃ ।

ସୋଽହଂ ଭବଦ୍ଭ୍ୟ ଉପଲବ୍ଧସୁତୀର୍ଥକୀର୍ତି-

ଶ୍ଛିନ୍ଦ୍ୟାଂ ସ୍ୱବାହୁମପି ବଃ ପ୍ରତିକୂଲବୃତ୍ତିମ୍ ॥ ୬॥

ମୋର ନିର୍ମଳ ସୁଯଶ-ସୁଧାରେ ଅବଗାହନ କରି ଚଣ୍ଡାଳ ପର୍ଯ୍ୟନ୍ତ ସମଗ୍ର ଜଗତ ତତ୍କାଳ ପବିତ୍ର ହୋଇ ଯାଇଥାଏ, ସେଥିପାଇଁ ମୋତେ ‘ବୈକୁଣ୍ଠ କୁହାଯାଏ | ଏହି ପବିତ୍ର କୀର୍ତ୍ତି ମୋତେ ଆପଣମାନଙ୍କ ପରି ଭକ୍ତମାନଙ୍କଠାରୁ ପ୍ରାପ୍ତ ହୋଇଛି | ତେଣୁ ଯିଏ ବି ଆପଣମାନଙ୍କର ବିରୁଦ୍ଧାଚରଣ କରିବ, ତାହା ମୋ ନିଜର ଭୁଜ ହୋଇଥାଉ ନା କାହିଁକି, ମୁଁ ତାହାକୁ ତୁରନ୍ତ କାଟି ଫିଙ୍ଗିଦେବି |

ଯତ୍ସେବୟା ଚରଣପଦ୍ମପବିତ୍ରରେଣୁଂ

ସଦ୍ୟଃ କ୍ଷତାଖିଲମଲଂ ପ୍ରତିଲବ୍ଧଶୀଲମ୍ ।

ନ ଶ୍ରୀର୍ୱିରକ୍ତମପି ମାଂ ବିଜହାତି ଯସ୍ୟାଃ

ପ୍ରେକ୍ଷାଲବାର୍ଥ ଇତରେ ନିୟମାନ୍ ବହନ୍ତି ॥ ୭॥

ଆପଣମାନଙ୍କର ସେବା କରିବା ଦ୍ବାରା ହିଁ ମୋର ଚରଣ-ରଜକୁ ଏପରି ପବିତ୍ରତା ହୋଇଛି ଯେ ତାହା ସମସ୍ତ ପାପକୁ ତତ୍କାଳ ନଷ୍ଟ କରି ଦେଇଥାଏ ଏବଂ ମୋତେ ଏପରି ସୁନ୍ଦର ସ୍ବଭାବ ପ୍ରାପ୍ତ ହୋଇଛି ଯେ ମୋର ଉଦାସୀନତା ସତ୍ତ୍ବେ ଲକ୍ଷ୍ମୀ କ୍ଷଣକ ପାଇଁ ମଧ୍ୟ ମୋତେ ଛାଡି ଯାଆନ୍ତି ନାହିଁ – ଯଦିଓ ତାଙ୍କର ଲେଶମାତ୍ର କୃପାକଟାକ୍ଷ ପ୍ରାପ୍ତ କରିବା ନିମନ୍ତେ ବ୍ରହ୍ମାଦି ଅନ୍ୟ ଦେବତାମାନେ ନାନା ପ୍ରକାରର ନିୟମ ଏବଂ ବ୍ରତ ପାଳନ କରୁଥାଆନ୍ତି |

ନାହଂ ତଥାଦ୍ମି ଯଜମାନହବିର୍ୱିତାନେ

ଶ୍ଚ୍ୟୋତଦ୍ଘୃତପ୍ଲୁତମଦନ୍ ହୁତଭୁଙ୍ମୁଖେନ ।

ଯଦ୍ବ୍ରାହ୍ମଣସ୍ୟ ମୁଖତଶ୍ଚରତୋଽନୁଘାସଂ

ତୁଷ୍ଟସ୍ୟ ମୟ୍ୟବହିତୈର୍ନିଜକର୍ମପାକୈଃ ॥ ୮॥

ଯେଉଁମାନେ ନିଜର ସମ୍ପୂର୍ଣ୍ଣ କର୍ମଫଳ ମୋତେ ଅର୍ପଣ କରି ସଦା ସନ୍ତୁଷ୍ଟ ରହିଥାଆନ୍ତି, ସେହି ନିଷ୍କାମ ବ୍ରାହ୍ମଣମାନେ ପ୍ରତି ଗ୍ରାସରେ ତୃପ୍ତ ହୋଇ ଯେତେବେଳେ ଘୃତମିଶ୍ରିତ ନାନା ପ୍ରକାରର ଭୋଜନ ଗ୍ରହଣ କରୁଥାଆନ୍ତି, ସେତେବେଳେ ସେମାନଙ୍କର ମୁଖରେ ରହି ମୁଁ ଯେପରି ତୃପ୍ତ ହୋଇଥାଏ, ଯଜ୍ଞରେ ଅଗ୍ନିରୂପ ମୁଖରେ ଯଜମାନଙ୍କ ଦ୍ବାରା ପ୍ରଦତ୍ତ ଆହୂତି ଗ୍ରହଣ କରି ମୁଁ ସେପରି ତୃପ୍ତ ହୋଇ ନ ଥାଏ |

ଯେଷାଂ ବିଭର୍ମ୍ୟହମଖଣ୍ଡବିକୁଣ୍ଠୟୋଗ-

ମାୟାବିଭୂତିରମଲାଙ୍ଘ୍ରିରଜଃକିରୀଟୈଃ ।

ବିପ୍ରାଂସ୍ତୁ କୋ ନ ବିଷହେତ ଯଦର୍ହଣାମ୍ଭଃ

ସଦ୍ୟଃ ପୁନାତି ସହ ଚନ୍ଦ୍ରଲଲାମ ଲୋକାନ୍ ॥ ୯॥

ଯୋଗମାୟାର ଅଖଣ୍ଡ ଏବଂ ଅସୀମ ଐଶ୍ବର୍ଯ୍ୟ ମୋର ଅଧୀନସ୍ତ ଅଟେ ତଥା ମୋର ଚରଣୋଦକରୂପିଣୀ ଗଙ୍ଗା ମସ୍ତକରେ ଚନ୍ଦ୍ରମାକୁ ଧାରଣ କରିଥିବା ଭଗବାନ ଶଂକରଙ୍କ ସମେତ ସମସ୍ତ ଲୋକକୁ ପବିତ୍ର କରିଥାଏ | ଏପରି ପରମ ପବିତ୍ର ପରମେଶ୍ବର ହୋଇ ମଧ୍ୟ ଯେଉଁମାନଙ୍କର ପବିତ୍ର ଚରଣ-ରଜକୁ ମୁଁ ନିଜ ମସ୍ତକରେ ଧାରଣ କରିଥାଏ, ସେହି ବ୍ରାହ୍ମଣମାନଙ୍କ ଆଚରଣର କିଏ ଅବା ବିରୋଧ କରିବ |

ଯେ ମେ ତନୂର୍ଦ୍ୱିଜବରାନ୍ ଦୁହତୀର୍ମଦୀୟା

ଭୂତାନ୍ୟଲବ୍ଧଶରଣାନି ଚ ଭେଦବୁଦ୍ଧ୍ୟା ।

ଦ୍ରକ୍ଷ୍ୟନ୍ତ୍ୟଘକ୍ଷତଦୃଶୋ ହ୍ୟହିମନ୍ୟବସ୍ତାନ୍

ଗୃଧ୍ରା ରୁଷା ମମ କୁଷନ୍ତ୍ୟଧିଦଣ୍ଡନେତୁଃ ॥ ୧୦॥

ବ୍ରାହ୍ମଣ, ଦୁହାଁଳି ଗାଈ, ଅନାଥ ପ୍ରାଣୀ – ଏମାନେ ମୋର ହିଁ ଶରୀର ଅଟନ୍ତି | ପାପ ଦ୍ବାରା ବିବେକଦୃଷ୍ଟି ନଷ୍ଟ ହୋଇ ଯାଇଥିବା କାରଣରୁ ଯେଉଁମାନେ ଏମାନଙ୍କୁ ମୋ ଠାରୁ ଭିନ୍ନ ମନେ କରିଥାଆନ୍ତି, ସେମାନଙ୍କୁ ମୋ ଦ୍ବାରା ନିଯୁକ୍ତ ଯମରାଜଙ୍କର ଶାଗୁଣା-ରୂପୀ ଭୃତ୍ୟ – ଯିଏ ସର୍ପ ସଦୃଶ କ୍ରୋଧୀ ଅଟନ୍ତି – ଅତ୍ୟନ୍ତ କ୍ରୋଧିତ ହୋଇ ନିଜ ଚଞ୍ଚୁରେ ଭିଣିବାରେ ଲାଗନ୍ତି |

ଯେ ବ୍ରାହ୍ମଣାନ୍ ମୟି ଧିୟା କ୍ଷିପତୋଽର୍ଚୟନ୍ତଃ

ତୁଷ୍ୟଦ୍ଧୃଦଃ ସ୍ମିତସୁଧୋକ୍ଷିତପଦ୍ମବକ୍ତ୍ରାଃ ।

ବାଣ୍ୟାନୁରାଗକଲୟାଽଽତ୍ମଜବଦ୍ଗୃଣନ୍ତଃ

ସମ୍ବୋଧୟନ୍ତ୍ୟହମିବାହମୁପାହୃତସ୍ତୈଃ ॥ ୧୧॥

ବ୍ରାହ୍ମଣମାନେ ତିରସ୍କାରପୂର୍ବକ କଟୁଭାଷଣ କଲେ ବି, ଯିଏ ତାଙ୍କଠାରେ ମୋର ଭାବନା ରଖି ପ୍ରସନ୍ନଚିତ୍ତରେ ତଥା ଅମୃତମୟ ହାସ୍ୟଯୁକ୍ତ ମୁଖକମଳରେ ତାଙ୍କର ଆଦର କରିଥାଆନ୍ତି ତଥା କ୍ରୋଧିତ ପିତାଙ୍କୁ ପୁତ୍ର ମନାଇବା ପରି ବା ମୁଁ ଆପଣମାନଙ୍କୁ ମନାଇବା ପରି, ପ୍ରେମପୂର୍ଣ୍ଣ ବଚନରେ ପ୍ରାର୍ଥନା କରି ତାଙ୍କୁ ଶାନ୍ତ କରାଇ ଥାଆନ୍ତି, ସେମାନେ ମୋତେ ନିଜର ଅଧୀନସ୍ତ କରିନିଅନ୍ତି |

ତନ୍ମେ ସ୍ୱଭର୍ତୁରବସାୟମଲକ୍ଷମାଣୌ

ଯୁଷ୍ମଦ୍ୱ୍ୟତିକ୍ରମଗତିଂ ପ୍ରତିପଦ୍ୟ ସଦ୍ୟଃ ।

ଭୂୟୋ ମମାନ୍ତିକମିତାଂ ତଦନୁଗ୍ରହୋ ମେ

ଯତ୍କଲ୍ପତାମଚିରତୋ ଭୃତୟୋର୍ୱିବାସଃ ॥ ୧୨॥

ମୋର ଏହି ସେବକମାନେ, ମୋ ଅଭିପ୍ରାୟ ନ ଜାଣି, ଆପଣମାନଙ୍କର ଅପମାନ କରିଛନ୍ତି | ସେଥିପାଇଁ ମୋର ଅନୁରୋଧ ରକ୍ଷା କରି ଆପଣମାନେ ସେମାନଙ୍କ ପ୍ରତି କେବଳ ଏତିକି କୃପା କରନ୍ତୁ ଯେ ସେମାନଙ୍କର ଏହି ନିର୍ବାସନକାଳ ଶୀଘ୍ର ସମାପ୍ତ ହୋଇଯାଉ ଏବଂ ନିଜ ଅପରାଧ ଅନୁରୂପ ଅଧମ ଗତିକୁ ଭୋଗକରି ଅତି ଶୀଘ୍ର ଏମାନେ ମୋ ପାଖକୁ ଫେରି ଆସନ୍ତୁ |

ବ୍ରହ୍ମୋବାଚ

ଅଥ ତସ୍ୟୋଶତୀଂ ଦେବୀମୃଷିକୁଲ୍ୟାଂ ସରସ୍ୱତୀମ୍ ।

ନାସ୍ୱାଦ୍ୟ ମନ୍ୟୁଦଷ୍ଟାନାଂ ତେଷାମାତ୍ମାପ୍ୟତୃପ୍ୟତ ॥ ୧୩॥

ବ୍ରହ୍ମା କହୁଛନ୍ତି – ହେ ଦେବଗଣ ! ସନକାଦି ମୁନିଗଣ କ୍ରୋଧରୂପୀ ସର୍ପ ଦ୍ବାରା ଦଂଶିତ ହୋଇଥିଲେ, ତଥାପି ସେମାନଙ୍କର ଚିତ୍ତ ଅନ୍ତଃକରଣକୁ ପ୍ରକାଶିତ କରୁଥିବା ଭଗବାନଙ୍କର ମନ୍ତ୍ରମୟୀ ସୁମଧୁର ବାଣୀ ଶ୍ରବଣରେ ତୃପ୍ତ ହେଉ ନ ଥିଲା |

ସତୀଂ ବ୍ୟାଦାୟ ଶୃଣ୍ୱନ୍ତୋ ଲଘ୍ୱୀଂ ଗୁର୍ୱର୍ଥଗହ୍ୱରାମ୍ ।

ବିଗାହ୍ୟାଗାଧଗମ୍ଭୀରାଂ ନ ବିଦୁସ୍ତଚ୍ଚିକୀର୍ଷିତମ୍ ॥ ୧୪॥

ଭଗବାନଙ୍କର ଉକ୍ତି ଅତ୍ୟନ୍ତ ମନୋହର ଏବଂ ସଂକ୍ଷିପ୍ତ ଥିଲା; କିନ୍ତୁ ତାହା ଏପରି ଅର୍ଥପୂର୍ଣ୍ଣ, ସାରଯୁକ୍ତ, ଦୁର୍ବିଜ୍ଞେୟ ଏବଂ ଗମ୍ଭୀର ଥିଲା ଯେ ବହୁତ ଧ୍ୟାନ ଦେଇ ଶୁଣିବା ଏବଂ ବିଚାର କରିବା ପରେ ମଧ୍ୟ ସେମାନେ ଜାଣି ପାରିଲେ ନାହିଁ ବାସ୍ତବରେ ଭଗବାନ କଣ କରିବାକୁ ଇଚ୍ଛା କରୁଛନ୍ତି |

ତେ ଯୋଗମାୟଯାଽଽରବ୍ଧପାରମେଷ୍ଠ୍ୟମହୋଦୟମ୍ ।

ପ୍ରୋଚୁଃ ପ୍ରାଞ୍ଜଲୟୋ ବିପ୍ରାଃ ପ୍ରହୃଷ୍ଟାଃ କ୍ଷୁଭିତତ୍ୱଚଃ ॥ ୧୫॥

ଭଗବାନଙ୍କର ଏହି ଅଦ୍ଭୁତ ଉଦାରତାକୁ ଦେଖି ସେମାନେ ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ସେମାନଙ୍କର ଅଙ୍ଗ-ଅଙ୍ଗ ପୁଲକିତ ହୋଇ ଉଠିଲା | ତାପରେ ଯୋଗମାୟା ପ୍ରଭାବରେ ନିଜର ପରମ ଐଶ୍ବର୍ଯ୍ୟ ପ୍ରକଟ କରିଥିବା ପ୍ରଭୁଙ୍କୁ ସେମାନେ ହାତ ଯୋଡି କହିବାରେ ଲାଗିଲେ -

ଋଷୟ ଊଚୁଃ

ନ ବୟଂ ଭଗବନ୍ ବିଦ୍ମସ୍ତବ ଦେବ ଚିକୀର୍ଷିତମ୍ ।

କୃତୋ ମେଽନୁଗ୍ରହଶ୍ଚେତି ଯଦଧ୍ୟକ୍ଷଃ ପ୍ରଭାଷସେ ॥ ୧୬॥

ମୁନିମାନେ କହିଲେ – ହେ ସ୍ବପ୍ରକାଶ ଭଗବନ୍ ! ଆପଣ ସର୍ବେଶ୍ବର ହୋଇ ମଧ୍ୟ ଆମ୍ଭମାନଙ୍କ ଉଦ୍ଦେଶ୍ୟରେ ଏହି ଯେଉଁ କଥା କହିଲେ, ‘ଆପଣମାନେ ମୋ ପ୍ରତି ବହୁତ ବଡ ଅନୁଗ୍ରହ କରିଛନ୍ତି, ତାହାର ଅଭିପ୍ରାୟ ଆମେ ବୁଝିପାରିଲୁ ନାହିଁ |

ବ୍ରହ୍ମଣ୍ୟସ୍ୟ ପରଂ ଦୈବଂ ବ୍ରାହ୍ମଣାଃ କିଲ ତେ ପ୍ରଭୋ ।

ବିପ୍ରାଣାଂ ଦେବଦେବାନାଂ ଭଗବାନାତ୍ମଦୈବତମ୍ ॥ ୧୭॥

ହେ ପ୍ରଭୁ ! ଆପଣ ବ୍ରାହ୍ମଣମାନଙ୍କର ପରମ ହିତକାରୀ ଅଟନ୍ତି; ସେଥିପାଇଁ ଲୋକ-ଶିକ୍ଷା ନିମନ୍ତେ ଆପଣ ବ୍ରାହ୍ମଣମାନଙ୍କୁ ନିଜର ଆରାଧ୍ୟଦେବ କହୁଥିଲେ ବି ବସ୍ତୁତଃ ଆପଣ ବ୍ରାହ୍ମଣ ତଥା ଦେବତାମାନଙ୍କର ଦେବ ବ୍ରହ୍ମାଦିଙ୍କର ମଧ୍ୟ ଆତ୍ମା ଏବଂ ପରମ ଆରାଧ୍ୟଦେବ ଅଟନ୍ତି |

ତ୍ୱତ୍ତଃ ସନାତନୋ ଧର୍ମୋ ରକ୍ଷ୍ୟତେ ତନୁଭିସ୍ତବ ।

ଧର୍ମସ୍ୟ ପରମୋ ଗୁହ୍ୟୋ ନିର୍ୱିକାରୋ ଭବାନ୍ମତଃ ॥ ୧୮॥

ସନାତନ ଧର୍ମ ଆପଣଙ୍କଠାରୁ ହିଁ ଉତ୍ପନ୍ନ ହୋଇଛି; ସମୟ-ସମୟରେ ଆପଣଙ୍କର ଅବତାରମାନଙ୍କ ଦ୍ବାରା ହିଁ ଏହାର ରକ୍ଷା ହୋଇଥାଏ ତଥା ଶାସ୍ତ୍ର ମତରେ ନିର୍ବିକାରସ୍ବରୂପ ଆପଣ ହିଁ ଧର୍ମର ପରମ ଗୁହ୍ୟ ରହସ୍ୟ ଅଟନ୍ତି |

ତରନ୍ତି ହ୍ୟଞ୍ଜସା ମୃତ୍ୟୁଂ ନିବୃତ୍ତା ଯଦନୁଗ୍ରହାତ୍ ।

ଯୋଗିନଃ ସ ଭବାନ୍ କିଂ ସ୍ୱିଦନୁଗୃହ୍ୟେତ ଯତ୍ପରୈଃ ॥ ୧୯॥

ଆପଣଙ୍କ କୃପାରୁ ନିବୃତ୍ତିପରାୟଣ ଯୋଗୀଜନ ସହଜରେ ହିଁ ଏହି ମୃତ୍ୟୁରୂପ ସଂସାର-ସାଗରକୁ ଅତିକ୍ରମ କରିଯାଆନ୍ତି; ସେପରି କ୍ଷେତ୍ରରେ ଅନ୍ୟ କିଏ ଆପଣଙ୍କ ଉପରେ କୃପା କରିବେ କିପରି ?

ଯଂ ବୈ ବିଭୂତିରୁପୟାତ୍ୟନୁବେଲମନ୍ୟୈ-

ରର୍ଥାର୍ଥିଭିଃ ସ୍ୱଶିରସା ଧୃତପାଦରେଣୁଃ ।

ଧନ୍ୟାର୍ପିତାଙ୍ଘ୍ରିତୁଲସୀ ନବଦାମଧାମ୍ନୋ

ଲୋକଂ ମଧୁବ୍ରତପତେରିବ କାମୟାନା ॥ ୨୦॥

ଭଗବନ୍ ! ଅନ୍ୟ ଅର୍ଥାର୍ଥୀ ଜନ, ଯାହାର ଚରଣ-ରଜକୁ ସର୍ବଦା ନିଜ ମସ୍ତକରେ ଧାରଣ କରିଥାଆନ୍ତି, ସେହି ଲକ୍ଷ୍ମୀଦେବୀ ନିରନ୍ତର ଆପଣଙ୍କ ସେବାରେ ନିୟୋଜିତ ରହିଥାଆନ୍ତି; ସେଥିରୁ ମନେ ହୋଇଥାଏ ଯେଉଁ ଭାଗ୍ୟବାନ ଭକ୍ତଜନ ଆପଣଙ୍କ ଚରଣରେ ନୂତନ ତୁଳସୀ ମାଳ ଅର୍ପଣ କରନ୍ତି, ସେମାନେ ମଧ୍ୟ ଗୁଞ୍ଜରଣରତ ଭ୍ରମର ପରି ଆପଣଙ୍କ ପାଦପଦ୍ମକୁ ନିଜର ନିବାସସ୍ଥାନ କରିବାକୁ ଇଚ୍ଛା କରନ୍ତି |

ଯସ୍ତାଂ ବିବିକ୍ତଚରିତୈରନୁବର୍ତମାନାଂ

ନାତ୍ୟାଦ୍ରିୟତ୍ପରମଭାଗବତପ୍ରସଙ୍ଗଃ ।

ସ ତ୍ୱଂ ଦ୍ୱିଜାନୁପଥପୁଣ୍ୟରଜଃପୁନୀତଃ

ଶ୍ରୀବତ୍ସଲକ୍ଷ୍ମ କିମଗା ଭଗଭାଜନସ୍ତ୍ୱମ୍ ॥ ୨୧॥

କିନ୍ତୁ ନିଜ ପବିତ୍ର ଚରିତ୍ରରେ ନିରନ୍ତର ଆପଣଙ୍କ ସେବାରେ ତତ୍ପର ସେହି ଲକ୍ଷ୍ମୀଦେବୀଙ୍କୁ ମଧ୍ୟ ଆପଣ ଏତେ ଆଦର କରନ୍ତି ନାହିଁ; ଯେତିକି ଆଦର ଆପଣ ନିଜର ଭକ୍ତମାନଙ୍କୁ କରନ୍ତି | ଆପଣ ସ୍ବୟଂ ହିଁ ସମ୍ପୂର୍ଣ୍ଣ ଭଜନୀୟ ଗୁଣମାନଙ୍କର ଆଶ୍ରୟ ଅଟନ୍ତି; ଏଣେତେଣେ ବିଚରଣ କରୁଥିବା ସମୟରେ ବ୍ରାହ୍ମଣମାନଙ୍କର ଚରଣ-ସ୍ପର୍ଶରେ ପବିତ୍ର ହୋଇଥିବା ମାର୍ଗର ଧୂଳି ବା ଶ୍ରୀବତ୍ସ ଚିହ୍ନ ଆପଣଙ୍କୁ ପବିତ୍ର କରିପାରିବ କି ? ତଦ୍ବାର ଆପଣଙ୍କର ଶୋଭା ବୃଦ୍ଧି ହୋଇପାରିବ କି ?

ଧର୍ମସ୍ୟ ତେ ଭଗବତସ୍ତ୍ରିୟୁଗ ତ୍ରିଭିଃ ସ୍ୱୈଃ

ପଦ୍ଭିଶ୍ଚରାଚରମିଦଂ ଦ୍ୱିଜଦେବତାର୍ଥମ୍ ।

ନୂନଂ ଭୃତଂ ତଦଭିଘାତି ରଜସ୍ତମଶ୍ଚ

ସତ୍ତ୍ୱେନ ନୋ ବରଦୟା ତନୁବା ନିରସ୍ୟ ॥ ୨୨॥

ଭଗବନ୍ ! ଆପଣ ସାକ୍ଷାତ୍ ଧର୍ମସ୍ବରୂପ ଅଟନ୍ତି | ସତ୍ୟ ଆଦି ତିନି ଯୁଗରେ ଆପଣ ପ୍ରତ୍ୟକ୍ଷ ବିଦ୍ୟମାନ ରହନ୍ତି ତଥା ବ୍ରାହ୍ମଣ ଓ ଦେବତାଙ୍କ ନିମନ୍ତେ ତପ, ଶୌଚ ଏବଂ ଦୟା – ନିଜର ଏହି ତିନି ଚରଣ ଦ୍ବାରା ଏହି ଚରାଚର ସୃଷ୍ଟିର ରକ୍ଷା କରନ୍ତି | ଏବେ ଆପଣ ନିଜର ଶୁଦ୍ଧସତ୍ତ୍ବମୟୀ ବରଦାୟିନୀ ମୂର୍ତ୍ତିରେ ଆମର ଧର୍ମବିରୋଧୀ ରଜୋଗୁଣ-ତମୋଗୁଣକୁ ଦୂର କରିଦିଅନ୍ତୁ |

ନ ତ୍ୱଂ ଦ୍ୱିଜୋତ୍ତମକୁଲଂ ଯଦି ହାତ୍ମଗୋପଂ

ଗୋପ୍ତା ବୃଷଃ ସ୍ୱର୍ହଣେନ ସ ସୂନୃତେନ ।

ତର୍ହ୍ୟେବ ନଙ୍କ୍ଷ୍ୟତି ଶିବସ୍ତବ ଦେବ ପନ୍ଥା

ଲୋକୋଽଗ୍ରହୀଷ୍ୟଦୃଷଭସ୍ୟ ହି ତତ୍ପ୍ରମାଣମ୍ ॥ ୨୩॥

ହେ ଦେବ ! ଏହି ବ୍ରାହ୍ମଣକୁଳ ଆପଣଙ୍କ ଦ୍ବାରା ଅବଶ୍ୟ ରକ୍ଷଣୀୟ ଅଟନ୍ତି | ସାକ୍ଷାତ୍ ଧର୍ମରୂପ ହୋଇ ମଧ୍ୟ ଆପଣ ଯଦି ସୁମଧୁର ବାଣୀ ଏବଂ ପୂଜନାଦି ଦ୍ବାରା ଏହି ଉତ୍ତମ କୁଳର ରକ୍ଷା ନ କରିବେ, ତେବେ ଆପଣଙ୍କ ଦ୍ବାରା ନିର୍ଦ୍ଧାରିତ କଲ୍ୟାଣମାର୍ଗ ହିଁ ନଷ୍ଟ ହୋଇଯିବ; କାରଣ ସଂସାର ତ ଶ୍ରେଷ୍ଠ ପୁରୁଷଙ୍କର ଆଚରଣକୁ ହିଁ ପ୍ରମାଣରୂପେ ଗ୍ରହଣ କରିଥାଏ |

ତତ୍ତେଽନଭୀଷ୍ଟମିବ ସତ୍ତ୍ୱନିଧେର୍ୱିଧିତ୍ସୋଃ

କ୍ଷେମଂ ଜନାୟ ନିଜଶକ୍ତିଭିରୁଦ୍ଧୃତାରେଃ ।

ନୈତାବତା ତ୍ର୍ୟଧିପତେର୍ବତ ବିଶ୍ୱଭର୍ତୁଃ

ତେଜଃ କ୍ଷତଂ ତ୍ୱବନତସ୍ୟ ସ ତେ ବିନୋଦଃ ॥ ୨୪॥

ପ୍ରଭୁ ! ଆପଣ ସତ୍ତ୍ବଗୁଣର ଭଣ୍ଡାର ଅଟନ୍ତି ଏବଂ ସବୁ ଜୀବଙ୍କର କଲ୍ୟାଣ କରିବା ପାଇଁ ଆପଣ ଉତ୍ସୁକ ରହିଥାଆନ୍ତି | ସେହି ଉଦ୍ଦେଶ୍ୟରେ ଆପଣ ନିଜର ଶକ୍ତିରୂପ ରାଜା ଆଦିଙ୍କ ଦ୍ବାରା ଧର୍ମର ଶତ୍ରୁମାନଙ୍କର ସଂହାର କରିଥାଆନ୍ତି; କାରଣ ବେଦମାର୍ଗର ଉଚ୍ଛେଦ ଆପଣଙ୍କର ଅଭୀଷ୍ଟ ନୁହେଁ | ଆପଣ ତ୍ରିଲୋକୀନାଥ ଏବଂ ଜଗତ-ପ୍ରତିପାଳକ ହୋଇ ମଧ୍ୟ ବ୍ରାହ୍ମଣମାନଙ୍କ ପ୍ରତି ଏତେ ନମ୍ର ରହନ୍ତି, ଏହାଦ୍ବାରା ଆପଣଙ୍କ ତେଜର ହାନୀ ହୋଇ ନ ଥାଏ; ଏହା ତ ଆପଣଙ୍କର ଲୀଳାମାତ୍ର ଅଟେ |

ଯଂ ବାନୟୋର୍ଦମମଧୀଶ ଭବାନ୍ ବିଧତ୍ତେ

ବୃତ୍ତିଂ ନୁ ବା ତଦନୁମନ୍ମହି ନିର୍ୱ୍ୟଲୀକମ୍ ।

ଅସ୍ମାସୁ ବା ଯ ଉଚିତୋ ଧ୍ରିୟତାଂ ସ ଦଣ୍ଡୋ

ଯେନାଗସୌ ବୟମୟୁଙ୍କ୍ଷ୍ମହି କିଲ୍ବିଷେଣ ॥ ୨୫॥

ହେ ସର୍ବେଶ୍ବର ! ଏହି ଦ୍ବାରପାଳମାନଙ୍କ ପାଇଁ ଆପଣ ଯେପରି ଇଚ୍ଛା କରୁଛନ୍ତି, ସେପରି ଦଣ୍ଡର ବିଧାନ କରନ୍ତୁ ଅଥବା ପୁରଷ୍କାର ରୂପେ ସେମାନଙ୍କର ବୃତ୍ତି ବର୍ଦ୍ଧିତ କରନ୍ତୁ – ଆମ୍ଭେମାନେ ନିଷ୍କପଟ ଭାବରେ ସବୁ ପ୍ରକାରେ ଆପଣଙ୍କ ସହିତ ସହମତ | ଅଥବା ଆପଣଙ୍କର ଏହି ନିରପରାଧ ଅନୁଚରମାନଙ୍କୁ ଶାପ ଦେଇଥିବା କାରଣରୁ ଆପଣ ଯଦି ଆମ୍ଭମାନଙ୍କୁ ଦଣ୍ଡିତ କରିବେ, ତେବେ ତାହା ମଧ୍ୟ ଆମକୁ ସ୍ବୀକାର୍ଯ୍ୟ |

ଶ୍ରୀଭଗବାନୁବାଚ

ଏତୌ ସୁରେତରଗତିଂ ପ୍ରତିପଦ୍ୟ ସଦ୍ୟଃ

ସଂରମ୍ଭସମ୍ଭୃତସମାଧ୍ୟନୁବଦ୍ଧୟୋଗୌ ।

ଭୂୟଃ ସକାଶମୁପୟାସ୍ୟତ ଆଶୁ ଯୋ ବଃ

ଶାପୋ ମୟୈବ ନିମିତସ୍ତଦବୈତ ବିପ୍ରାଃ ॥ ୨୬॥

ଶ୍ରୀଭଗବାନ କହିଲେ – ହେ ମୁନିଗଣ ! ଆପଣମାନେ ଏମାନଙ୍କୁ ଯେଉଁ ଶାପ ଦେଇଛନ୍ତି – ସତ କହୁଛି, ତାହା ମୋ ପ୍ରେରଣାରେ ହିଁ ଦେଇଛନ୍ତି | ଏବେ ଏମାନେ ଅତି ଶୀଘ୍ର ଦୈତ୍ୟଯୋନି ପ୍ରାପ୍ତ କରିବେ ଏବଂ ସେହି ଯୋନିରେ କ୍ରୋଧାବେଶ ଫଳରେ ବୃଦ୍ଧି ଲାଭ କରିଥିବା ଏକାଗ୍ରତା କାରଣରୁ ଯୋଗସମ୍ପନ୍ନ ହୋଇ ଶୀଘ୍ର ହିଁ ମୋ ପାଖକୁ ଫେରି ଆସିବେ |

ବ୍ରହ୍ମୋବାଚ

ଅଥ ତେ ମୁନୟୋ ଦୃଷ୍ଟ୍ୱା ନୟନାନନ୍ଦଭାଜନମ୍ ।

ବୈକୁଣ୍ଠଂ ତଦଧିଷ୍ଠାନଂ ବିକୁଣ୍ଠଂ ଚ ସ୍ୱୟମ୍ପ୍ରଭମ୍ ॥ ୨୭॥

ଭଗବନ୍ତଂ ପରିକ୍ରମ୍ୟ ପ୍ରଣିପତ୍ୟାନୁମାନ୍ୟ ଚ ।

ପ୍ରତିଜଗ୍ମୁଃ ପ୍ରମୁଦିତାଃ ଶଂସନ୍ତୋ ବୈଷ୍ଣବୀଂ ଶ୍ରିୟମ୍ ॥ ୨୮॥

ବ୍ରହ୍ମା କହୁଛନ୍ତି – ତଦନନ୍ତର ସେହି ମୁନୀଶ୍ବରମାନେ ଭଗବାନ ବିଷ୍ଣୁ ଏବଂ ତାଙ୍କର ସ୍ବୟଂପ୍ରକାଶ ବୈକୁଣ୍ଠଧାମର ଦର୍ଶନ କରି ପ୍ରଭୁଙ୍କର ପରିକ୍ରମା କଲେ ଏବଂ ତାଙ୍କୁ ପ୍ରଣାମ କରି ତଥା ତାଙ୍କର ଆଜ୍ଞା ନେଇ ଭଗବାନଙ୍କ ଐଶ୍ବର୍ଯ୍ୟ ବର୍ଣ୍ଣନରେ ଆମୋଦିତ ହୋଇ ସେଠାରୁ ପ୍ରତ୍ୟାବର୍ତ୍ତନ କଲେ |

ଭଗବାନନୁଗାବାହ ଯାତଂ ମା ଭୈଷ୍ଟମସ୍ତୁ ଶମ୍ ।

ବ୍ରହ୍ମତେଜଃ ସମର୍ଥୋଽପି ହନ୍ତୁଂ ନେଚ୍ଛେ ମତଂ ତୁ ମେ ॥ ୨୯॥

ତାପରେ ଭଗବାନ ନିଜ ଅନୁଚରମାନଙ୍କ ଉଦ୍ଦେଶ୍ୟରେ କହିଲେ – ଯାଅ, ମନରେ କୌଣସି ପ୍ରକାରର ଭୟ ରଖନାହିଁ, ତୁମର କଲ୍ୟାଣ ହେବ | ମୁଁ ସବୁକିଛି କରିବାକୁ ସମର୍ଥ ହୋଇଥିଲେ ବି ବ୍ରହ୍ମତେଜକୁ ସମାପ୍ତ କରିବାକୁ ଇଚ୍ଛା କରେନାହିଁ; କାରଣ ଏହା ହିଁ ମୋର ଅଭିମତ ଅଟେ |

ଏତତ୍ପୁରୈବ ନିର୍ଦିଷ୍ଟଂ ରମୟା କ୍ରୁଦ୍ଧୟା ଯଦା ।

ପୁରାପବାରିତା ଦ୍ୱାରି ବିଶନ୍ତୀ ମୟ୍ୟୁପାରତେ ॥ ୩୦॥

ଏହା ପୂର୍ବରୁ ଏକଦା ମୁଁ ଯୋଗନିଦ୍ରାରେ ସ୍ଥିତ ରହିଥିବା ବେଳେ ତୁମ୍ଭେମାନେ ଦ୍ବାର ମଧ୍ୟ ଦେଇ ପ୍ରବେଶ କରୁଥିବା ଲକ୍ଷ୍ମୀଦେବୀଙ୍କର ପଥରୋଧ କରିଥିଲ | ସେହି ସମୟରେ ସେ କୃଦ୍ଧ ହୋଇ ତୁମକୁ ଏହି ଅଭିଶାପ ଦେଇଥିଲେ |

ମୟି ସଂରମ୍ଭୟୋଗେନ ନିସ୍ତୀର୍ୟ ବ୍ରହ୍ମହେଲନମ୍ ।

ପ୍ରତ୍ୟେଷ୍ୟତଂ ନିକାଶଂ ମେ କାଲେନାଲ୍ପୀୟସା ପୁନଃ ॥ ୩୧॥

ଏବେ ଦୈତ୍ୟଯୋନିରେ ମୋ ପ୍ରତି କ୍ରୋଧାତ୍ମକ ବୃତ୍ତି ରହିବା କାରଣରୁ ତୁମ୍ଭମାନଙ୍କୁ ଯେଉଁ ଏକାଗ୍ରତା ପ୍ରାପ୍ତ ହେବ, ତଦ୍ବାରା ତୁମେ ଏହି ବିପ୍ର-ତିରସ୍କାରଜନିତ ପାପରୁ ମୁକ୍ତ ହୋଇଯିବ ଏବଂ ଅଳ୍ପ କିଛି ଦିନରେ ହିଁ ମୋ ପାଖକୁ ଫେରି ଆସିବ |

ଦ୍ୱାଃସ୍ଥାବାଦିଶ୍ୟ ଭଗବାନ୍ ବିମାନଶ୍ରେଣିଭୂଷଣମ୍ ।

ସର୍ୱାତିଶୟଯା ଲକ୍ଷ୍ମ୍ୟା ଜୁଷ୍ଟଂ ସ୍ୱଂ ଧିଷ୍ଣ୍ୟମାବିଶତ୍ ॥ ୩୨॥

ଦ୍ବାରପାଳଙ୍କୁ ଏହିପରି ଆଜ୍ଞା ଦେଇ ଭଗବାନ ବିମାନଶ୍ରେଣୀରେ ସୁସଜ୍ଜିତ ନିଜର ସର୍ବାଧିକ ଶ୍ରୀସମ୍ପନ୍ନ ଧାମରେ ପ୍ରବେଶ କଲେ |

ତୌ ତୁ ଗୀର୍ୱାଣଋଷଭୌ ଦୁସ୍ତରାଦ୍ଧରିଲୋକତଃ ।

ହତଶ୍ରିୟୌ ବ୍ରହ୍ମଶାପାଦଭୂତାଂ ବିଗତସ୍ମୟୌ ॥ ୩୩॥

ଏଣେ ଦେବଶ୍ରେଷ୍ଠ ଜୟ-ବିଜୟ ବ୍ରହ୍ମଶାପ କାରଣରୁ ସେହି ଅଲଂଘନୀୟ ଭଗବଦ୍-ଧାମରେ ହିଁ ଶ୍ରୀହୀନ ହୋଇଗଲେ ତଥା ସେମାନଙ୍କର ସବୁ ଗର୍ବ ସମାପ୍ତ ହୋଇଗଲା |

ତଦା ବିକୁଣ୍ଠଧିଷଣାତ୍ତୟୋର୍ନିପତମାନୟୋଃ ।

ହାହାକାରୋ ମହାନାସୀଦ୍ୱିମାନାଗ୍ର୍ୟେଷୁ ପୁତ୍ରକାଃ ॥ ୩୪॥

ହେ ପୁତ୍ରଗଣ ! ଏହାପରେ ଯେତେବେଳେ ସେମାନେ ବୈକୁଣ୍ଠଲୋକରୁ ତଳକୁ ଖସିବାରେ ଲାଗିଲେ, ସେତେବେଳେ ଶ୍ରେଷ୍ଠ ବିମାନମାନଙ୍କରେ ବସିଥିବା ବୈକୁଣ୍ଠବାସୀଙ୍କ ମଧ୍ୟରେ ହାହାକାର ଖେଳିଗଲା |

ତାବେବ ହ୍ୟଧୁନା ପ୍ରାପ୍ତୌ ପାର୍ଷଦପ୍ରବରୌ ହରେଃ ।

ଦିତେର୍ଜଠରନିର୍ୱିଷ୍ଟଂ କାଶ୍ୟପଂ ତେଜ ଉଲ୍ବଣମ୍ ॥ ୩୫॥

ସେହି ସମୟରେ ଦିତିଙ୍କ ଗର୍ଭରେ କଶ୍ୟପ ମୁନିଙ୍କର ଯେଉଁ ଉଗ୍ର ତେଜ ଥିଲା, ପାର୍ଷଦପ୍ରବର ଦୁହେଁ ତନ୍ମଧ୍ୟରେ ପ୍ରବେଶ କଲେ |

ତୟୋରସୁରୟୋରଦ୍ୟ ତେଜସା ଯମୟୋର୍ହି ବଃ ।

ଆକ୍ଷିପ୍ତଂ ତେଜ ଏତର୍ହି ଭଗବାଂସ୍ତଦ୍ୱିଧିତ୍ସତି ॥ ୩୬॥

ସେହି ଦୁଇ ଅସୁରଙ୍କ ତେଜରେ ତୁମ୍ଭମାନଙ୍କର ତେଜ ଫିକା ପଡିଗଲା | ଭଗବାନ ହିଁ ସେପରି କରିବାକୁ ଇଚ୍ଛା କରୁଥିଲେ |

ବିଶ୍ୱସ୍ୟ ଯଃ ସ୍ଥିତିଲୟୋଦ୍ଭବହେତୁରାଦ୍ୟୋ

ଯୋଗେଶ୍ୱରୈରପି ଦୁରତ୍ୟଯୟୋଗମାୟଃ ।

କ୍ଷେମଂ ବିଧାସ୍ୟତି ସ ନୋ ଭଗବାଂସ୍ତ୍ର୍ୟଧୀଶଃ

ତତ୍ରାସ୍ମଦୀୟବିମୃଶେନ କିୟାନିହାର୍ଥଃ ॥ ୩୭॥

ଯେଉଁ ଆଦିପୁରୁଷ ସଂସାରର ଉତ୍ପତ୍ତି, ସ୍ଥିତି ଏବଂ ଲୟର କାରଣ ଅଟନ୍ତି, ଯାହାର ଯୋଗମାୟାକୁ ବଡ ବଡ ଯୋଗୀଜନ ମଧ୍ୟ ବହୁତ କଷ୍ଟରେ ପାର କରିଥାଆନ୍ତି, ସେହି ସତ୍ତ୍ଵାଦି ତ୍ରିଗୁଣର ନିୟନ୍ତା ଶ୍ରୀହରି ହିଁ ଆମ୍ଭମାନଙ୍କର କଲ୍ୟାଣ କରିବେ | ଏବେ ଏହି ବିଷୟରେ ବିଶେଷ ବିଚାର କଲେ ଆମର କି ଲାଭ ହେବ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ତୃତୀୟସ୍କନ୍ଧେ ଷୋଡଶୋଽଧ୍ୟାୟଃ ॥ ୧୬॥

 

Comments

Popular posts from this blog