ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ଉନବିଂଶ ଅଧ୍ୟାୟ

ହିରଣାକ୍ଷ ବଧ

 

ମୈତ୍ରେୟ ଉବାଚ

ଅବଧାର୍ୟ ବିରିଞ୍ଚସ୍ୟ ନିର୍ୱ୍ୟଲୀକାମୃତଂ ବଚଃ ।

ପ୍ରହସ୍ୟ ପ୍ରେମଗର୍ଭେଣ ତଦପାଙ୍ଗେନ ସୋଽଗ୍ରହୀତ୍ ॥ ୧॥

ହେ ବିଦୁର ! ବ୍ରହ୍ମାଜୀଙ୍କର ନିଷ୍କପଟ ଅମୃତମୟ ବଚନ ଶୁଣି, ତାଙ୍କର ସରଳତାକୁ ଦେଖି ଭଗବାନ ହସି ହସି ନିଜ ପ୍ରେମପୂର୍ଣ୍ଣ କଟାକ୍ଷରେ ତାଙ୍କର ପ୍ରାର୍ଥନା ସ୍ବୀକାର କରିନେଲେ |

ତତଃ ସପତ୍ନଂ ମୁଖତଶ୍ଚରନ୍ତମକୁତୋଭୟମ୍ ।

ଜଘାନୋତ୍ପତ୍ୟ ଗଦୟା ହନାବସୁରମକ୍ଷଜଃ ॥ ୨॥

ସା ହତା ତେନ ଗଦୟା ବିହତା ଭଗବତ୍କରାତ୍ ।

ବିଘୂର୍ଣିତାପତଦ୍ରେଜେ ତଦଦ୍ଭୁତମିବାଭବତ୍ ॥ ୩॥

ତାପରେ ସେ ଆକ୍ରମକ ଢଙ୍ଗରେ ଲମ୍ପ ପ୍ରଦାନ କରି ନିଜ ସମ୍ମୁଖରେ ବିଚରଣ କରୁଥିବା ଶତ୍ରୁର ଥୋଡିକୁ ନିଜ ଗଦାରେ ପ୍ରହାର କଲେ | କିନ୍ତୁ ହିରଣାକ୍ଷର ଗଦା ପ୍ରହାରରେ ପ୍ରତିହତ ହୋଇ ତାଙ୍କ ହାତରୁ ଗଦା ଖସିଗଲା ଏବଂ ଘୂରି ଘୂରି ଭୂଇଁରେ ପଡି ସୁଶୋଭିତ ହେବାରେ ଲାଗିଲା | କିନ୍ତୁ ଏହି ସମୟରେ ଏକ ଅତି ଅଦ୍ଭୁତ ଘଟଣା ଘଟିଲା |

ସ ତଦା ଲବ୍ଧତୀର୍ଥୋଽପି ନ ବବାଧେ ନିରାୟୁଧମ୍ ।

ମାନୟନ୍ ସ ମୃଧେ ଧର୍ମଂ ବିଷ୍ୱକ୍ସେନଂ ପ୍ରକୋପୟନ୍ ॥ ୪॥

ଶତ୍ରୁ ଉପରେ ଆକ୍ରମଣ କରିବାର ଉତ୍ତମ ଅବସର ପ୍ରାପ୍ତ କରି ମଧ୍ୟ ତାଙ୍କୁ ନିରସ୍ତ୍ର ଦେଖି ଯୁଦ୍ଧଧର୍ମ ପାଳନ କରି ହିରଣାକ୍ଷ ତାଙ୍କ ଉପରେ ଆକ୍ରମଣ କଲାନାହିଁ | ଭଗବାନଙ୍କର କ୍ରୋଧ ବୃଦ୍ଧି କରିବା ପାଇଁ ହିଁ ସେ ଏପରି କରିଥିଲା |

ଗଦାୟାମପବିଦ୍ଧାୟାଂ ହାହାକାରେ ବିନିର୍ଗତେ ।

ମାନୟାମାସ ତଦ୍ଧର୍ମଂ ସୁନାଭଂ ଚାସ୍ମରଦ୍ୱିଭୁଃ ॥ ୫॥

ଗଦା ହାତରୁ ଖସିଯିବାରୁ ଲୋକଙ୍କ ମଧ୍ୟରେ ହାହାକାର ଖେଳିଗଲା | ତତ୍ପଶ୍ଚାତ୍ ଭଗବାନ ଅସୁରର ଧର୍ମବୁଦ୍ଧିର ପ୍ରଶଂସା କଲେ ଏବଂ ନିଜ ସୁଦର୍ଶନ ଚକ୍ରର ସ୍ମରଣ କଲେ |

ତଂ ବ୍ୟଗ୍ରଚକ୍ରଂ ଦିତିପୁତ୍ରାଧମେନ

ସ୍ୱପାର୍ଷଦମୁଖ୍ୟେନ ବିଷଜ୍ଜମାନମ୍ ।

ଚିତ୍ରା ବାଚୋଽତଦ୍ୱିଦାଂ ଖେଚରାଣାଂ

ତତ୍ର ସ୍ମାସନ୍ ସ୍ୱସ୍ତି ତେଽମୁଂ ଜହୀତି ॥ ୬॥

ଚକ୍ର ଅତି ଶୀଘ୍ର ସେଠାରେ ଉପସ୍ଥିତ ହୋଇ ଭଗବାନଙ୍କ ହାତରେ ଘୂରିବାରେ ଲାଗିଲା | କିନ୍ତୁ ପ୍ରଭୁ ନିଜ ପ୍ରମୁଖ ପାର୍ଷଦ ଦୈତ୍ୟାଧମ ହିରଣାକ୍ଷ ସହିତ ବିଶେଷରୂପରେ କ୍ରୀଡା କରିବାରେ ଲାଗିଲେ | ସେହି ସମୟରେ ତାଙ୍କର ପ୍ରଭାବକୁ ଜାଣି ନ ଥିବା ଦେବତାମାନଙ୍କର ଏହି ବିଚିତ୍ର ବଚନ ଶୁଣିବାକୁ ମିଳିଲା – ହେ ପ୍ରଭୁ ! ଆପଣଙ୍କର ଜୟ ହେଉ; ଏହାକୁ ଆଉ ଅଧିକ ଖେଳାନ୍ତୁ ନାହିଁ, ଅତି ଶୀଘ୍ର ଏହାକୁ ବଧ କରନ୍ତୁ |

ସ ତଂ ନିଶାମ୍ୟାତ୍ତରଥାଙ୍ଗମଗ୍ରତୋ

ବ୍ୟବସ୍ଥିତଂ ପଦ୍ମପଲାଶଲୋଚନମ୍ ।

ବିଲୋକ୍ୟ ଚାମର୍ଷପରିପ୍ଲୁତେନ୍ଦ୍ରିୟୋ

ରୁଷା ସ୍ୱଦନ୍ତଚ୍ଛଦମାଦଶଚ୍ଛ୍ୱସନ୍ ॥ ୭॥

କମଳ-ଦଳ-ଲୋଚନ ଶ୍ରୀହରି ହସ୍ତରେ ଚକ୍ର ଧାରଣ କରି ନିଜ ସମ୍ମୁଖରେ ଠିଆ ହୋଇଥିବା ଦେଖି, ହିରଣାକ୍ଷର ସମସ୍ତ ଇନ୍ଦ୍ରିୟ କ୍ରୋଧ ଜର୍ଜରିତ ହୋଇ ଉଠିଲା ଏବଂ ଦୀର୍ଘଶ୍ବାସ ନେଇ ସେ ଦାନ୍ତରେ ନିଜ ଓଠକୁ ଚର୍ବଣ କରିବାରେ ଲାଗିଲା |

କରାଲଦଂଷ୍ଟ୍ରଶ୍ଚକ୍ଷୁର୍ଭ୍ୟାଂ ସଞ୍ଚକ୍ଷାଣୋ ଦହନ୍ନିବ ।

ଅଭିପ୍ଲୁତ୍ୟ ସ୍ୱଗଦୟା ହତୋଽସୀତ୍ୟାହନଦ୍ଧରିମ୍ ॥ ୮॥

ସେହି ସମୟରେ ସେହି ତୀକ୍ଷ୍ଣ ଦନ୍ତଯୁକ୍ତ ଦୈତ୍ୟ ନିଜ ନେତ୍ରରେ ତାଙ୍କୁ ଏପରି ଚାହିଁବାରେ ଲାଗିଥିଲା ସତେ ଯେପରି ଏହି ମୁହୂର୍ତ୍ତରେ ସେ ଭଗବାନଙ୍କୁ ଭସ୍ମ କରିଦେବ | ସେ ଡେଇଁକରି ‘ଏବେ ତୁ ବଞ୍ଚିବୁ ନାହିଁ ଏପରି କହି ଗଦାରେ ଶ୍ରୀହରିଙ୍କୁ ପ୍ରହାର କଲା |

ପଦା ସବ୍ୟେନ ତାଂ ସାଧୋ ଭଗବାନ୍ ଯଜ୍ଞସୂକରଃ ।

ଲୀଲୟା ମିଷତଃ ଶତ୍ରୋଃ ପ୍ରାହରଦ୍ୱାତରଂହସମ୍ ॥ ୯॥

ଆହ ଚାୟୁଧମାଧତ୍ସ୍ୱ ଘଟସ୍ୱ ତ୍ୱଂ ଜିଗୀଷସି ।

ଇତ୍ୟୁକ୍ତଃ ସ ତଦା ଭୂୟସ୍ତାଡୟନ୍ ବ୍ୟନଦଦ୍ଭୃଶମ୍ ॥ ୧୦॥

ହେ ସାଧୁସ୍ବଭାବ ବିଦୁର ! ଯଜ୍ଞମୂର୍ତ୍ତି ବରାହଭଗବାନ ଲୀଳାରେ ହିଁ ଆଖିପିଛୁଳାକେ ଶତ୍ରୁର ବାୟୁବେଗଯୁକ୍ତ ଗଦାକୁ ନିଜ ବାମ ପାଦରେ ଭୂପତିତ କରିଦେଲେ ଏବଂ ତାକୁ କହିଲେ, ‘ରେ ମୂର୍ଖ ! ତୁ ଯଦି ମୋତେ ଜିତିବାକୁ ଇଚ୍ଛା କରୁଛୁ, ତେବେ ଶସ୍ତ୍ରକୁ ତଳୁ ଉଠାଇ ପୁନର୍ବାର ପ୍ରହାର କର | ଭଗବାନ ଏପରି କହନ୍ତେ ସେ ଗଦା ଚଳାଇ ଭୀଷଣ ଗର୍ଜନ କରିବାରେ ଲାଗିଲା |

ତାଂ ସ ଆପତତୀଂ ବୀକ୍ଷ୍ୟ ଭଗବାନ୍ ସମବସ୍ଥିତଃ ।

ଜଗ୍ରାହ ଲୀଲୟା ପ୍ରାପ୍ତାଂ ଗରୁତ୍ମାନିବ ପନ୍ନଗୀମ୍ ॥ ୧୧॥

ଗଦାକୁ ନିଜ ଅଭିମୁଖରେ ଆସୁଥିବା ଦେଖି ଭଗବାନ ଯେଉଁଠାରେ ଠିଆ ହୋଇଥିଲେ ସେହିଠାରେ ହିଁ ଗରୁଡ଼ ସର୍ପିଣୀକୁ ଧରି ନେବା ପରି ତାକୁ ଅନାୟାସ ନିଜ ହସ୍ତରେ ଧରିନେଲେ |

ସ୍ୱପୌରୁଷେ ପ୍ରତିହତେ ହତମାନୋ ମହାସୁରଃ ।

ନୈଚ୍ଛଦ୍ଗଦାଂ ଦୀୟମାନାଂ ହରିଣା ବିଗତପ୍ରଭଃ ॥ ୧୨॥

ନିଜର ଉଦ୍ୟମ ଏହିପରି ଭାବରେ ବ୍ୟର୍ଥ ହୋଇଥିବା ଦେଖି ସେହି ମହାଦୈତ୍ୟର ଅହଂକାର ଚୂର୍ଣ୍ଣ ହୋଇଗଲା ଏବଂ ତାର ତେଜ ନଷ୍ଟ ହୋଇଗଲା | ଏଥର ଭଗବାନ ତାକୁ ଦେଉଥିଲେ ମଧ୍ୟ ସେ ତାଙ୍କ ହାତରୁ ନିଜ ଗଦା ନେବାକୁ ଇଚ୍ଛା କଲାନାହିଁ |

ଜଗ୍ରାହ ତ୍ରିଶିଖଂ ଶୂଲଂ ଜ୍ୱଲଜ୍ଜ୍ୱଲନଲୋଲୁପମ୍ ।

ଯଜ୍ଞାୟ ଧୃତରୂପାୟ ବିପ୍ରାୟାଭିଚରନ୍ ଯଥା ॥ ୧୩॥

କିନ୍ତୁ କିଏ ବ୍ରାହ୍ମଣଙ୍କ ପ୍ରତି ନିଷ୍ଫଳ ମାରକ ପ୍ରୟୋଗ କରିବାକୁ ଯାଇ ତାଙ୍କୁ ମୁଷ୍ଠିରେ ଆଘାତ କରିବାକୁ ଚେଷ୍ଟା କରିବା ପରି ସେ ଶ୍ରୀଯଜ୍ଞପୁରୁଷଙ୍କୁ ପ୍ରହାର କରିବା ପାଇଁ ସେ ପ୍ରଜ୍ବଳିତ ଅଗ୍ନି ସଦୃଶ ଏକ ତ୍ରିଶୂଳ ଧାରଣ କଲା |

ତଦୋଜସା ଦୈତ୍ୟମହାଭଟାର୍ପିତଂ

ଚକାସଦନ୍ତଃଖ ଉଦୀର୍ଣଦୀଧିତି ।

-ଚକ୍ରେଣ ଚିଚ୍ଛେଦ ନିଶାତନେମିନା

ହରିର୍ୟଥା ତାର୍କ୍ଷ୍ୟପତତ୍ରମୁଜ୍ଝିତମ୍ ॥ ୧୪॥

ମହାବଳୀ ହିରଣାକ୍ଷ ଦ୍ବାରା ପ୍ରୟୋଗ କରାଯାଇ ଥିବା ସେହି ଅତ୍ୟନ୍ତ ବେଗଯୁକ୍ତ ତେଜସ୍ବୀ ତ୍ରିଶୂଳ ଆକାଶରେ ପ୍ରବଳ ତେଜରେ ଚମକିବାରେ ଲାଗିଲା | ସେତେବେଳେ ଭଗବାନ ନିଜର ତୀକ୍ଷ୍ଣ ଧାରଯୁକ୍ତ ଚକ୍ର ଦ୍ବାରା ତାହାକୁ ଏପରି ଛେଦନ କଲେ, ଯେପରି ଇନ୍ଦ୍ର ଗରୁଡ଼ଙ୍କର ତେଜସ୍ବୀ ପକ୍ଷକୁ ଛେଦନ କରିଥିଲେ | (ଥରେ ଗରୁଡ଼ ନିଜ ମାତା ବିନତାଙ୍କୁ ସର୍ପମାନଙ୍କର ମାତା କଦ୍ରୁଙ୍କ ଦାସତ୍ବରୁ ମୁକ୍ତ କରିବା ଇଚ୍ଛାରେ ଦେବତାମାନଙ୍କ ପାଖରେ ଥିବା ଅମୃତ ଚୋରାଇ ଆଣିଥିଲେ | ତାହା ଦେଖି ଇନ୍ଦ୍ର ତାଙ୍କ ଉପରକୁ ବଜ୍ର ପ୍ରୟୋଗ କଲେ | ଇନ୍ଦ୍ରଙ୍କର ବଜ୍ର ବ୍ୟର୍ଥ ଯାଏନାହିଁ; ତେଣୁ ତାହାର ମାନ ରକ୍ଷା କରିବା ପାଇଁ ଗରୁଡ଼ ନିଜର ଗୋଟିଏ ପକ୍ଷ ଛାଡିଦେଲେ ଏବଂ ବଜ୍ର ସେହି ପକ୍ଷକୁ କାଟିଦେଲା |)

ବୃକ୍ଣେ ସ୍ୱଶୂଲେ ବହୁଧାରିଣା ହରେଃ

ପ୍ରତ୍ୟେତ୍ୟ ବିସ୍ତୀର୍ଣମୁରୋ ବିଭୂତିମତ୍ ।

ପ୍ରବୃଦ୍ଧରୋଷଃ ସ କଠୋରମୁଷ୍ଟିନା

ନଦନ୍ ପ୍ରହୃତ୍ୟାନ୍ତରଧୀୟତାସୁରଃ ॥ ୧୫॥

ଭଗବାନଙ୍କ ଚକ୍ର ଦ୍ବାରା ନିଜ ତ୍ରିଶୂଳକୁ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ଦେଖି ତା ମନରେ ପ୍ରବଳ କ୍ରୋଧ ଜାତ ହେଲା | ସେ ତାଙ୍କର ବକ୍ଷସ୍ଥଳ, ଯାହା ଶ୍ରୀବତ୍ସ ଚିହ୍ନରେ ସୁଶୋଭିତ ଅଟେ, ତାହାକୁ ମୁଷ୍ଠିରେ ଆଘାତ କଲା ଏବଂ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲା |

ତେନେତ୍ଥମାହତଃ କ୍ଷତ୍ତର୍ଭଗବାନାଦିସୂକରଃ ।

ନାକମ୍ପତ ମନାକ୍ କ୍ୱାପି ସ୍ରଜା ହତ ଇବ ଦ୍ୱିପଃ ॥ ୧୬॥

ପୁଷ୍ପମାଲ୍ୟର ଆଘାତ ଯେପରି ହାତୀକୁ କୌଣସି ପ୍ରକାରେ ପ୍ରଭାବିତ କରି ନ ଥାଏ, ସେହିପରି ତାର ମୁଷ୍ଠି ଆଘାତ ଭଗବାନ ଆଦିବରାହଙ୍କୁ କିଂଚିତ୍ ବି ଆନ୍ଦୋଳିତ କରି ପାରିଲା ନାହିଁ |

ଅଥୋରୁଧାଽସୃଜନ୍ମାୟାଂ ଯୋଗମାୟେଶ୍ୱରେ ହରୌ ।

ଯାଂ ବିଲୋକ୍ୟ ପ୍ରଜାସ୍ତ୍ରସ୍ତା ମେନିରେଽସ୍ୟୋପସଂୟମମ୍ ॥ ୧୭॥

ତାପରେ ସେହି ମହାମାୟାବୀ ଦୈତ୍ୟ ମାୟାପତି ଶ୍ରୀହରିଙ୍କ ଉପରେ ଅନେକ ପ୍ରକାରର ମାୟା ପ୍ରୟୋଗ କରିବାରେ ଲାଗିଲା, ଯାହା ଦେଖି ସବୁ ପ୍ରଜା ବହୁତ ଡରି ଗଲେ ଏବଂ ଏପରି ମନେକଲେ ଯେ ଏବେ ପ୍ରଳୟ ହେବାକୁ ଯାଉଛି |

ପ୍ରବବୁର୍ୱାୟବଶ୍ଚଣ୍ଡାସ୍ତମଃ ପାଂସବମୈରୟନ୍ ।

ଦିଗ୍ଭ୍ୟୋ ନିପେତୁର୍ଗ୍ରାବାଣଃ କ୍ଷେପଣୈଃ ପ୍ରହିତା ଇବ ॥ ୧୮॥

ପ୍ରଚଣ୍ଡ ଘୂର୍ଣ୍ଣଝଡ ଉଠିବାରେ ଲାଗିଲା, ଯେଉଁ କାରଣରୁ ଧୂଳିରେ ସବୁ ଦିଗ ଅନ୍ଧକାରମୟ ହୋଇଗଲା | ସବୁ ଦିଗରୁ ପଥର ବର୍ଷା ହେବାରେ ଲାଗିଲା, ମନେ ହେଉଥିଲା ସତେ ଯେପରି ତାହା କୌଣସି କ୍ଷେପଣାସ୍ତ୍ର ଦ୍ବାରା ଫିଙ୍ଗା ଯାଉଛି |

ଦ୍ୟୌର୍ନଷ୍ଟଭଗଣାଭ୍ରୌଘୈଃ ସବିଦ୍ୟୁତ୍ସ୍ତନୟିତ୍ନୁଭିଃ ।

ବର୍ଷଦ୍ଭିଃ ପୂୟକେଶାସୃଗ୍ୱିଣ୍ମୂତ୍ରାସ୍ଥୀନି ଚାସକୃତ୍ ॥ ୧୯॥

ବିଦ୍ୟୁତର ଚମକ ଏବଂ ଘଡଘଡି ଶବ୍ଦ ସହିତ ଆକାଶ ବାଦଲରେ ଆଚ୍ଛାଦିତ ହୋଇଯିବା କାରଣରୁ ସୂର୍ଯ୍ୟ, ଚନ୍ଦ୍ର ଆଦି ଛପି ଗଲେ ତଥା ଆକାଶରୁ ନିରନ୍ତର ପୂଯ, ରକ୍ତ, ମଳ, ମୂତ୍ର ଏବଂ ହାଡ ଆଦି ବର୍ଷା ହେବାରେ ଲାଗିଲା |

ଗିରୟଃ ପ୍ରତ୍ୟଦୃଶ୍ୟନ୍ତ ନାନାୟୁଧମୁଚୋଽନଘ ।

ଦିଗ୍ୱାସସୋ ଯାତୁଧାନ୍ୟଃ ଶୂଲିନ୍ୟୋ ମୁକ୍ତମୂର୍ଧଜାଃ ॥ ୨୦॥

ହେ ବିଦୁର ! ପାହାଡ ପରି ଏପରି ସବୁ ରାକ୍ଷସ ଦେଖିବାକୁ ମିଳିଲେ, ଯେଉଁମାନେ ଭିନ୍ନ ଭିନ୍ନ ପ୍ରକାରର ଅସ୍ତ୍ର-ଶସ୍ତ୍ର ବର୍ଷଣ କରୁଥିଲେ | ହାତରେ ତ୍ରିଶୂଳ ଧରି ଉନ୍ମୁକ୍ତକେଶା ନଗ୍ନ ରାକ୍ଷସୀମାନେ ଦେଖିବାକୁ ମିଳୁଥିଲେ |

ବହୁଭିର୍ୟକ୍ଷରକ୍ଷୋଭିଃ ପତ୍ତ୍ୟଶ୍ୱରଥକୁଞ୍ଜରୈଃ ।

ଆତତାୟିଭିରୁତ୍ସୃଷ୍ଟା ହିଂସ୍ରା ବାଚୋଽତିବୈଶସାଃ ॥ ୨୧॥

ଅନେକ ପଦାତିକ, ଅଶ୍ବାରୋହୀ, ରଥୀ ଏବଂ ଗଜାରୋହୀ ସୈନିକଙ୍କ ସହିତ ଆତତାୟୀ ଯକ୍ଷ-ରାକ୍ଷସଙ୍କର ‘ମାର-ମାର, କାଟ-କାଟ ଏହିପରି ଅତ୍ୟନ୍ତ କ୍ରୂର ଏବଂ ହିଂସାମୟ କୋଳାହଳ ଶୁଣାଯିବାରେ ଲାଗିଲା |

ପ୍ରାଦୁଷ୍କୃତାନାଂ ମାୟାନାମାସୁରୀଣାଂ ବିନାଶୟତ୍ ।

ସୁଦର୍ଶନାସ୍ତ୍ରଂ ଭଗବାନ୍ ପ୍ରାୟୁଙ୍କ୍ତ ଦୟିତଂ ତ୍ରିପାତ୍ ॥ ୨୨॥

ଏହିପରି ଭାବରେ ପ୍ରକଟ ହୋଇଥିବା ସେହି ଆସୁରୀ ମାୟା-ଜାଲକୁ ନଷ୍ଟ କରିବା ନିମନ୍ତେ ଯଜ୍ଞମୂର୍ତ୍ତି ଭଗବାନ ବରାହ ନିଜ ପ୍ରିୟ ସୁଦର୍ଶନ ଚକ୍ରକୁ ପ୍ରେରଣ କଲେ |

ତଦା ଦିତେଃ ସମଭବତ୍ସହସା ହୃଦି ବେପଥୁଃ ।

ସ୍ମରନ୍ତ୍ୟା ଭର୍ତୁରାଦେଶଂ ସ୍ତନାଚ୍ଚାସୃକ୍ ପ୍ରସୁସ୍ରୁବେ ॥ ୨୩॥

ସେହି ସମୟରେ ନିଜ ପତିଙ୍କର କଥନ ସ୍ମରଣ କରି ଦିତିଙ୍କର ହୃଦୟ ସହସା ଥରି ଉଠିଲା ଏବଂ ତାଙ୍କ ସ୍ତନରୁ ରକ୍ତସ୍ରାବ ହେବାରେ ଲାଗିଲା |

ବିନଷ୍ଟାସୁ ସ୍ୱମାୟାସୁ ଭୂୟଶ୍ଚାବ୍ରଜ୍ୟ କେଶବମ୍ ।

ରୁଷୋପଗୂହମାନୋଽମୁଂ ଦଦୃଶେଽବସ୍ଥିତଂ ବହିଃ ॥ ୨୪॥

ନିଜର ମାୟା-ଜାଲ ନଷ୍ଟ ହୋଇଯିବାରୁ ସେହି ଦୈତ୍ୟ ପୁନର୍ବାର ଭଗବାନଙ୍କ ପାଖକୁ ଆସିଲା | ତାଙ୍କୁ ଚାପି ଧରି ଚୂର୍ଣ୍ଣ-ବିଚୂର୍ଣ୍ଣ କରିଦେବା ଅଭିପ୍ରାୟରେ ସେ ତାଙ୍କୁ ନିଜ ଭୁଜ ମଧ୍ୟରେ ଭରିନେଲା, କିନ୍ତୁ ଦେଖିଲା ସେ ତ ବାହାରେ ଠିଆ ହୋଇଛନ୍ତି |

ତଂ ମୁଷ୍ଟିଭିର୍ୱିନିଘ୍ନନ୍ତଂ ବଜ୍ରସାରୈରଧୋକ୍ଷଜଃ ।

କରେଣ କର୍ଣମୂଲେଽହନ୍ ଯଥା ତ୍ୱାଷ୍ଟ୍ରଂ ମରୁତ୍ପତିଃ ॥ ୨୫॥

ଏବେ ସେ ଭଗବାନଙ୍କୁ ନିଜର ବଜ୍ର ସଦୃଶ କଠୋର ମୁଷ୍ଠିରେ ଆଘାତ କରିବାରେ ଲାଗିଲା | ସେତେବେଳେ ବୃତ୍ରାସୁରକୁ ଇନ୍ଦ୍ର ପ୍ରହାର କରିବା ପରି ଭଗବାନ ତାର କାନମୂଳରେ ଚପଟାଘାତ କଲେ |

ସ ଆହତୋ ବିଶ୍ୱଜିତା ହ୍ୟବଜ୍ଞୟା

ପରିଭ୍ରମଦ୍ଗାତ୍ର ଉଦସ୍ତଲୋଚନଃ ।

ବିଶୀର୍ଣବାହ୍ୱଙ୍ଘ୍ରିଶିରୋରୁହୋଽପତ-

ଦ୍ୟଥା ନଗେନ୍ଦ୍ରୋ ଲୁଲିତୋ ନଭସ୍ୱତା ॥ ୨୬॥

ବିଶ୍ବବିଜୟୀ ଭଗବାନ ଯଦିଓ ଅତ୍ୟନ୍ତ ଉପେକ୍ଷାର ସହିତ ତାକୁ ଚପଟାଘାତ କରିଥିଲେ, ତଥାପି ସେହି ଆଘାତରେ ହିରଣାକ୍ଷର ଶରୀର ଘୂରିବାରେ ଲାଗିଲା, ତାର ନେତ୍ର ବାହାରକୁ ବାହାରି ଆସିଲା, ହାତ-ପାଦ ଏବଂ କେଶ ଅସ୍ତବ୍ୟସ୍ତ ହୋଇଗଲା ଏବଂ ସେ ନିଷ୍ପ୍ରାଣ ହୋଇ ବାତ୍ୟାରେ ଉତ୍ପାଟିତ ବୃକ୍ଷ ପରି ଭୂଇଁରେ ଟଳି ପଡିଲା |

କ୍ଷିତୌ ଶୟାନଂ ତମକୁଣ୍ଠବର୍ଚସଂ

କରାଲଦଂଷ୍ଟ୍ରଂ ପରିଦଷ୍ଟଦଚ୍ଛଦମ୍ ।

ଅଜାଦୟୋ ବୀକ୍ଷ୍ୟ ଶଶଂସୁରାଗତା

ଅହୋ ଇମଂ କୋ ନୁ ଲଭେତ ସଂସ୍ଥିତିମ୍ ॥ ୨୭॥

ହିରଣାକ୍ଷର ତେଜ ଏବେ ମଧ୍ୟ ମଳିନ ହୋଇ ନ ଥିଲା | ସେହି କରାଳ ଦନ୍ତଯୁକ୍ତ ଦୈତ୍ୟ ଦାନ୍ତରେ ଓଠ ଚୋବାଇ ପୃଥିବୀରେ ପଡିଥିବା ଦେଖି ସେଠାକୁ ଯୁଦ୍ଧ ଦେଖିବାକୁ ଆସିଥିବା ବ୍ରହ୍ମା ଆଦି ଦେବତାମାନେ ତାର ପ୍ରଶଂସା କରି କହିବାରେ ଲାଗିଲେ – ଅହୋ ! ଏପରି ଅଲଭ୍ୟ ମୃତ୍ୟୁ କାହାକୁ ମିଳିପାରିବ !!

ଯଂ ଯୋଗିନୋ ଯୋଗସମାଧିନା ରହୋ

ଧ୍ୟାୟନ୍ତି ଲିଙ୍ଗାଦସତୋ ମୁମୁକ୍ଷୟା ।

ତସ୍ୟୈଷ ଦୈତ୍ୟଋଷଭଃ ପଦାହତୋ

ମୁଖଂ ପ୍ରପଶ୍ୟଂସ୍ତନୁମୁତ୍ସସର୍ଜ ହ ॥ ୨୮॥

ନିଜ ମିଥ୍ୟା ଉପାଧିରୁ ମୁକ୍ତ ହେବା ପାଇଁ ଯୋଗୀଜନ ସମାଧିଯୋଗ ଦ୍ବାରା ଏକାନ୍ତରେ ଯାହାର ଧ୍ୟାନ କରନ୍ତି, ତାଙ୍କର ଚରଣ-ପ୍ରହାର ପ୍ରାପ୍ତ କରି, ତାଙ୍କର ମୁଖ ଅବଲୋକନ କରୁ-କରୁ ଏହି ଦୈତ୍ୟରାଜ ନିଜର ଶରୀର ତ୍ୟାଗ କରୁଛି |

ଏତୌ ତୌ ପାର୍ଷଦାବସ୍ୟ ଶାପାଦ୍ୟାତାବସଦ୍ଗତିମ୍ ।

ପୁନଃ କତିପୟୈଃ ସ୍ଥାନଂ ପ୍ରପତ୍ସ୍ୟେତେ ହ ଜନ୍ମଭିଃ ॥ ୨୯॥

ଏହି ହିରଣାକ୍ଷ ଏବଂ ହିରଣ୍ୟକଶିପୁ ଭଗବାନଙ୍କର ହିଁ ପାର୍ଷଦ ଅଟନ୍ତି | ଶାପଗ୍ରସ୍ତ ହୋଇ ଏମାନଙ୍କୁ ଏହି ଅଧୋଗତି ପ୍ରାପ୍ତ ହୋଇଛି | କିଛି ଜନ୍ମ ପରେ ଏମାନେ ପୁନଶ୍ଚ ନିଜର ସ୍ଥାନ ପ୍ରାପ୍ତ କରିନେବେ |

ଦେବା ଊଚୁଃ

ନମୋ ନମସ୍ତେଽଖିଲୟଜ୍ଞତନ୍ତବେ

ସ୍ଥିତୌ ଗୃହୀତାମଲସତ୍ତ୍ୱମୂର୍ତୟେ ।

ଦିଷ୍ଟ୍ୟା ହତୋଽୟଂ ଜଗତାମରୁନ୍ତୁଦଃ

ତ୍ୱତ୍ପାଦଭକ୍ତ୍ୟା ବୟମୀଶ ନିର୍ୱୃତାଃ ॥ ୩୦॥

ଦେବତାମାନେ କହିବାରେ ଲାଗିଲେ – ହେ ପ୍ରଭୁ ! ଆପଣଙ୍କୁ ନମସ୍କାର | ଆପଣ ସମ୍ପୂର୍ଣ୍ଣ ଯଜ୍ଞର ବିସ୍ତାରକ ଅଟନ୍ତି ତଥା ସଂସାରର ସ୍ଥିତି ନିମନ୍ତେ ଆପଣ ଶୁଦ୍ଧସତ୍ତ୍ବମୟ ମଙ୍ଗଳବିଗ୍ରହ ପ୍ରକଟ କରିଥାଆନ୍ତି | ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ସଂସାରକୁ କଷ୍ଟ ଦେଉଥିବା ଏହି ଦୁଷ୍ଟ ଦୈତ୍ୟର ନିଧନ ହୋଇଛି | ଏବେ ଆପଣଙ୍କ ଚରଣର ଭକ୍ତି ପ୍ରଭାବରେ ଆମ୍ଭମାନଙ୍କୁ ମଧ୍ୟ ସୁଖ-ଶାନ୍ତି ମିଳିଗଲା |

ମୈତ୍ରେୟ ଉବାଚ

ଏବଂ ହିରଣ୍ୟାକ୍ଷମସହ୍ୟବିକ୍ରମଂ

ସ ସାଦୟିତ୍ୱା ହରିରାଦିସୂକରଃ ।

ଜଗାମ ଲୋକଂ ସ୍ୱମଖଣ୍ଡିତୋତ୍ସବଂ

ସମୀଡିତଃ ପୁଷ୍କରବିଷ୍ଟରାଦିଭିଃ ॥ ୩୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଏହିପରି ଭାବରେ ମହାପରାକ୍ରମୀ ହିରଣାକ୍ଷର ବଧ କରି ଭଗବାନ ଆଦିବରାହ ନିଜର ଅଖଣ୍ଡ ଆନନ୍ଦମୟ ଧାମକୁ ପ୍ରସ୍ଥାନ କଲେ | ସେହି ସମୟରେ ବ୍ରହ୍ମାଦି ଦେବତା ତାଙ୍କର ସ୍ତୁତି କରୁଥିଲେ |

ମୟା ଯଥାନୂକ୍ତମବାଦି ତେ ହରେଃ

କୃତାବତାରସ୍ୟ ସୁମିତ୍ରଚେଷ୍ଟିତମ୍ ।

ଯଥା ହିରଣ୍ୟାକ୍ଷ ଉଦାରବିକ୍ରମୋ

ମହାମୃଧେ କ୍ରୀଡନବନ୍ନିରାକୃତଃ ॥ ୩୨॥

ଭଗବାନ ଅବତାର ଗ୍ରହଣ କରି ଯେଉଁ ଲୀଳା କରନ୍ତି ଏବଂ ଏବେ ଯେପରି ଭାବରେ ସେ ଭୀଷଣ ସଂଗ୍ରାମରେ ମହାପରାକ୍ରମୀ ହିରଣାକ୍ଷକୁ ଖେଳଣା ପରି ବଧ କଲେ, ହେ ମିତ୍ର ବିଦୁର ! ଗୁରୁମୁଖରୁ ମୁଁ ଯେପରି ଭାବରେ ସେହି ସବୁ ଲୀଳାକଥା ଶ୍ରବଣ କରିଥିଲି, ତାହା ତୁମକୁ ଶୁଣାଇଲି |

ସୂତ ଉବାଚ

ଇତି କୌଷାରବାଖ୍ୟାତାମାଶ୍ରୁତ୍ୟ ଭଗବତ୍କଥାମ୍ ।

କ୍ଷତ୍ତାଽଽନନ୍ଦଂ ପରଂ ଲେଭେ ମହାଭାଗବତୋ ଦ୍ୱିଜ ॥ ୩୩॥

ସୂତ କହୁଛନ୍ତି – ମୈତ୍ରେୟଙ୍କ ମୁଖରୁ ଭଗବାନଙ୍କର ଏହି ଲୀଳାକଥା ଶୁଣି ପରମ ଭାଗବତ ବିଦୁର ଅତ୍ୟଧିକ ଆନନ୍ଦିତ ହେଲେ |

ଅନ୍ୟେଷାଂ ପୁଣ୍ୟଶ୍ଲୋକାନାମୁଦ୍ଦାମୟଶସାଂ ସତାମ୍ ।

ଉପଶ୍ରୁତ୍ୟ ଭବେନ୍ମୋଦଃ ଶ୍ରୀବତ୍ସାଙ୍କସ୍ୟ କିଂ ପୁନଃ ॥ ୩୪॥

ଅନ୍ୟ ପବିତ୍ରକୀର୍ତ୍ତି ଏବଂ ପରମ ଯଶସ୍ବୀ ମହାପୁରୁଷମାନଙ୍କର ଚରିତ ଶୁଣି ଯେଉଁଠି ଏତେ ବେଶୀ ଆନନ୍ଦ ମିଳିଥାଏ, ସେଠାରେ ଶ୍ରୀବତ୍ସଧାରୀ ଭଗବାନଙ୍କର ଲଳିତ-ମନୋହର ଲୀଳା ଶ୍ରବଣର ଆନନ୍ଦ ବିଷୟରେ ଅବା କଣ କହିବା |

ଯୋ ଗଜେନ୍ଦ୍ରଂ ଝଷଗ୍ରସ୍ତଂ ଧ୍ୟାୟନ୍ତଂ ଚରଣାମ୍ବୁଜମ୍ ।

କ୍ରୋଶନ୍ତୀନାଂ କରେଣୂନାଂ କୃଚ୍ଛ୍ରତୋଽମୋଚୟଦ୍ଦ୍ରୁତମ୍ ॥ ୩୫॥

ତଂ ସୁଖାରାଧ୍ୟମୃଜୁଭିରନନ୍ୟଶରଣୈର୍ନୃଭିଃ ।

କୃତଜ୍ଞଃ କୋ ନ ସେବେତ ଦୁରାରାଧ୍ୟମସାଧୁଭିଃ ॥ ୩୬॥

ଗ୍ରାହ କବଳିତ ହୋଇ ଗଜରାଜ ଯେତେବେଳେ ପ୍ରଭୁ-ଚରଣର ଧ୍ୟାନ କରିବାରେ ଲାଗିଥିଲେ ଏବଂ ତାଙ୍କର ପତ୍ନୀ ହସ୍ତିନୀମାନେ ଦୁଃଖରେ ଚିତ୍କାର କରିବାରେ ଲାଗିଥିଲେ, ସେହି ସମୟରେ ଯିଏ ତାଙ୍କୁ ତତ୍କାଳ ଦୁଃଖରୁ ମୁକ୍ତ କରିଥିଲେ ଏବଂ ଯିଏ ସବୁ ଦିଗରୁ ନିରାଶ ହୋଇ ତାଙ୍କ ଶରଣ ଗ୍ରହଣ କରିଥିବା ସରଳହୃଦୟ ଭକ୍ତମାନଙ୍କ ପ୍ରତି ସହଜରେ ପ୍ରସନ୍ନ ହୋଇଯାଆନ୍ତି, ଅଥଚ ଦୁଷ୍ଟ ପୁରୁଷଙ୍କ ନିମନ୍ତେ ଅତ୍ୟନ୍ତ ଦୁରାରାଧ୍ୟ ଅଟନ୍ତି, ଅର୍ଥାତ୍ ସହଜରେ ପ୍ରସନ୍ନ ହୋଇ ନ ଥାନ୍ତି, ସେହି ପ୍ରଭୁଙ୍କର ଉପକାର ବିଷୟରେ ଜାଣିଥିବା ଏପରି କେଉଁ ପୁରୁଷ ଥିବ, ଯିଏ କି ତାଙ୍କର ଭଜନ ନ କରିବ ?

ଯୋ ବୈ ହିରଣ୍ୟାକ୍ଷବଧଂ ମହାଦ୍ଭୁତଂ

ବିକ୍ରୀଡିତଂ କାରଣସୂକରାତ୍ମନଃ ।

ଶୃଣୋତି ଗାୟତ୍ୟନୁମୋଦତେଽଞ୍ଜସା

ବିମୁଚ୍ୟତେ ବ୍ରହ୍ମବଧାଦପି ଦ୍ୱିଜାଃ ॥ ୩୭॥

ହେ ଶୌନକାଦି ଋଷିଗଣ ! ପୃଥିବୀକୁ ଉଦ୍ଧାର କରିବା ନିମନ୍ତେ ବରାହ ରୂପ ଧାରଣ କରିଥିବା ଶ୍ରୀହରିଙ୍କର ଏହି ହିରଣାକ୍ଷ-ବଧ ନାମକ ପରମ ଅଦ୍ଭୁତ ଲୀଳାର ଯେଉଁ ପୁରୁଷ ଶ୍ରବଣ, ଗାନ ଅଥବା ଅନୁମୋଦନ କରିଥାଆନ୍ତି, ସେ ବ୍ରହ୍ମହତ୍ୟା ପରି ଘୋର ପାପରୁ ମଧ୍ୟ ସହଜରେ ମୁକ୍ତ ହୋଇଯାଆନ୍ତି |

ଏତନ୍ମହାପୁଣ୍ୟମଲଂ ପବିତ୍ରଂ

ଧନ୍ୟଂ ଯଶସ୍ୟଂ ପଦମାୟୁରାଶିଷାମ୍ ।

ପ୍ରାଣେନ୍ଦ୍ରିୟାଣାଂ ଯୁଧି ଶୌର୍ୟବର୍ଧନଂ

ନାରାୟଣୋଽନ୍ତେ ଗତିରଙ୍ଗ ଶୃଣ୍ୱତାମ୍ ॥ ୩୮॥

ଏହି ଚରିତ୍ର ଅତ୍ୟନ୍ତ ପୁଣ୍ୟପ୍ରଦ, ପରମ ପବିତ୍ର, ଧନ ଏବଂ ଯଶ ପ୍ରଦାୟକ, ଆୟୁବର୍ଦ୍ଧକ ଏବଂ କାମନାପୂର୍ତ୍ତିକାରୀ ତଥା ଯୁଦ୍ଧରେ ପ୍ରାଣ ଏବଂ ଇନ୍ଦ୍ରିୟର ଶକ୍ତି ବୃଦ୍ଧିକାରୀ ଅଟେ | ଯେଉଁମାନେ ଏହାର ଶ୍ରବଣ କରନ୍ତି, ସେମାନେ ଅନ୍ତତଃ ଶ୍ରୀଭଗବାନଙ୍କର ଆଶ୍ରୟ ପ୍ରାପ୍ତ କରିଥାଆନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ହିରଣ୍ୟାକ୍ଷବଧୋ ନାମୈକୋନବିଂଶୋଽଧ୍ୟାୟଃ ॥ ୧୯॥

 

Comments

Popular posts from this blog