ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ବିଂଶ ଅଧ୍ୟାୟ
ବ୍ରହ୍ମାଙ୍କ ରଚିତ ଅନେକ ପ୍ରକାର ସୃଷ୍ଟିର ବର୍ଣ୍ଣନ
ଶୌନକ ଉବାଚ
ମହୀଂ ପ୍ରତିଷ୍ଠାମଧ୍ୟସ୍ୟ ସୌତେ ସ୍ୱାୟମ୍ଭୁବୋ ମନୁଃ ।
କାନ୍ୟନ୍ୱତିଷ୍ଠଦ୍ଦ୍ୱାରାଣି ମାର୍ଗାୟାବରଜନ୍ମନାମ୍ ॥ ୧॥
ଶୌନକ ପଚାରିଲେ – ହେ ସୂତ ମହାଶୟ ! ପୃଥିବୀ ରୂପ ଆଧାର ପ୍ରାପ୍ତ କରି
ସ୍ବାୟମ୍ଭୂବ ମନୁ ଆଗକୁ ସନ୍ତତି ଉତ୍ପନ୍ନ ନିମନ୍ତେ କେଉଁ-କେଉଁ ଉପାୟ ଅବଲମ୍ବନ କରିଥିଲେ ?
କ୍ଷତ୍ତା ମହାଭାଗବତଃ କୃଷ୍ଣସ୍ୟୈକାନ୍ତିକଃ ସୁହୃତ୍ ।
ଯସ୍ତତ୍ୟାଜାଗ୍ରଜଂ କୃଷ୍ଣେ ସାପତ୍ୟମଘବାନିତି ॥ ୨॥
ବିଦୁରଜୀ ବହୁତ ବଡ ଭଗବଦ୍-ଭକ୍ତ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ଅନନ୍ୟ
ସୁହୃଦ ଥିଲେ | ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ଅନାଦର କରୁଥିବା କାରଣରୁ ଅପରାଧୀ ମନେ କରି
ସେ ନିଜ ଜ୍ୟେଷ୍ଠ ଭ୍ରାତା ଧୃତରାଷ୍ଟ୍ରଙ୍କ ସହିତ ତାଙ୍କ ପୁତ୍ର ଦୁର୍ଯ୍ୟୋଧନଙ୍କୁ ତ୍ୟାଗ
କରିଦେଇ ଥିଲେ |
ଦ୍ୱୈପାୟନାଦନବରୋ ମହିତ୍ୱେ ତସ୍ୟ ଦେହଜଃ ।
ସର୍ୱାତ୍ମନା ଶ୍ରିତଃ କୃଷ୍ଣଂ ତତ୍ପରାଂଶ୍ଚାପ୍ୟନୁବ୍ରତଃ ॥ ୩॥
ସେ ମହର୍ଷି ଦ୍ବୈପାୟନଙ୍କର ପୁତ୍ର ଥିଲେ ଏବଂ ମହିମାରେ ତାଙ୍କଠାରୁ
କିଛି ଉଣା ନ ଥିଲେ ତଥା ସବୁ ପ୍ରକାରରେ ସେ ଭଗବାନ ଶ୍ରୀକୃଷ୍ଣଙ୍କର ଆଶ୍ରିତ ଏବଂ
କୃଷ୍ଣଭକ୍ତମାନଙ୍କର ଅନୁଗାମୀ ଥିଲେ |
କିମନ୍ୱପୃଚ୍ଛନ୍ମୈତ୍ରେୟଂ ବିରଜାସ୍ତୀର୍ଥସେବୟା ।
ଉପଗମ୍ୟ କୁଶାବର୍ତ ଆସୀନଂ ତତ୍ତ୍ୱବିତ୍ତମମ୍ ॥ ୪॥
ତୀର୍ଥସେବନ ଦ୍ବାରା ତାଙ୍କର ଅନ୍ତଃକରଣ ଆହୁରି ବି ଶୁଦ୍ଧ ହୋଇ
ଯାଇଥିଲା | କୁଶାବର୍ତ୍ତକ୍ଷେତ୍ର (ହରିଦ୍ବାର)ରେ ତତ୍ତ୍ବଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ
ମୈତ୍ରେୟ ମୁନିଙ୍କ ପାଖକୁ ଯାଇ ସେ ଆଉ କ’ଣ ସବୁ ପଚାରିଲେ ?
ତୟୋଃ ସମ୍ବଦତୋଃ ସୂତ ପ୍ରବୃତ୍ତା ହ୍ୟମଲାଃ କଥାଃ ।
ଆପୋ ଗାଙ୍ଗା ଇବାଘଘ୍ନୀର୍ହରେଃ ପାଦାମ୍ବୁଜାଶ୍ରୟାଃ ॥ ୫॥
ହେ ସୂତ ମହାଶୟ ! ସେ ଦୁହିଁଙ୍କର ବାର୍ତ୍ତାଳାପରେ ଶ୍ରୀହରିଙ୍କ
ଚରଣ-ସମ୍ବନ୍ଧିତ ଅତ୍ୟନ୍ତ ପବିତ୍ର କଥା ଆସିଥିବ ଯାହା ସେହି ଚରଣରୁ ନିର୍ଗତ ଗଙ୍ଗାଜଳ ସଦୃଶ
ସମସ୍ତ ପାପର ନାଶକାରୀ ହୋଇଥିବ |
ତା ନଃ କୀର୍ତୟ ଭଦ୍ରଂ ତେ କୀର୍ତନ୍ୟୋଦାରକର୍ମଣଃ ।
ରସଜ୍ଞଃ କୋ ନୁ ତୃପ୍ୟେତ ହରିଲୀଲାମୃତଂ ପିବନ୍ ॥ ୬॥
ହେ ସୂତ ମହାଶୟ ! ଆପଣଙ୍କର ମଙ୍ଗଳ ହେଉ; ଆପଣ ଆମ୍ଭମାନଙ୍କୁ ଭଗବାନଙ୍କର ସେହି ସବୁ ପବିତ୍ର କଥା ଶୁଣାନ୍ତୁ |
ପ୍ରଭୁଙ୍କର ଉଦାର ଚରିତ୍ର ତ କୀର୍ତ୍ତନ କରିବା ଯୋଗ୍ୟ ଅଟେ | ସଂସାରରେ ଏପରି କେଉଁ ରସିକ ଥିବ
ଯିଏ ଶ୍ରୀହରିଙ୍କ ଲୀଳାମୃତ ପାନ କରି ତୃପ୍ତ ହୋଇ ଯାଉଥିବ |
ଏବମୁଗ୍ରଶ୍ରବାଃ ପୃଷ୍ଟଃ ଋଷିଭିର୍ନୈମିଷାୟନୈଃ ।
ଭଗବତ୍ୟର୍ପିତାଧ୍ୟାତ୍ମସ୍ତାନାହ ଶ୍ରୂୟତାମିତି ॥ ୭॥
ନୈମିଷାରଣ୍ୟବାସୀ ମୁନିମାନେ ଏହିପରି ପ୍ରଶ୍ନ କରିବାରୁ ଉଗ୍ରଶ୍ରଵା
ସୂତ ମହାଶୟ ଭଗବାନଙ୍କ ଠାରେ ଚିତ୍ତନିବେଶ କରି ସେମାନଙ୍କୁ କହିଲେ – ଶୁଣନ୍ତୁ |
ସୂତ ଉବାଚ
ହରେର୍ଧୃତକ୍ରୋଡତନୋଃ ସ୍ୱମାୟଯା
ନିଶମ୍ୟ ଗୋରୁଦ୍ଧରଣଂ ରସାତଲାତ୍ ।
ଲୀଲାଂ ହିରଣ୍ୟାକ୍ଷମବଜ୍ଞୟା ହତଂ
ସଞ୍ଜାତହର୍ଷୋ ମୁନିମାହ ଭାରତଃ ॥ ୮॥
ସୂତ କହୁଛନ୍ତି – ହେ ମୁନିଗଣ ! ନିଜ ମାୟାରେ ବରାହରୂପ ଧାରଣ
କରିଥିବା ଶ୍ରୀହରିଙ୍କର ରସାତଳରୁ ପୃଥିବୀକୁ ଉଦ୍ଧାର କରିବା ଏବଂ ଖେଳ-ଖେଳରେ ହିଁ
ତିରସ୍କାରପୂର୍ବକ ହିରଣାକ୍ଷକୁ ବଧ କରିବାର ଲୀଳା ଶୁଣି ବିଦୁରଜୀ ଅତି ଆନନ୍ଦିତ ହେଲେ ଏବଂ ସେ
ମୁନିବର ମୈତ୍ରେୟଙ୍କୁ କହିଲେ -
ବିଦୁର ଉବାଚ
ପ୍ରଜାପତିପତିଃ ସୃଷ୍ଟ୍ୱା ପ୍ରଜାସର୍ଗେ ପ୍ରଜାପତୀନ୍ ।
କିମାରଭତ ମେ ବ୍ରହ୍ମନ୍ ପ୍ରବ୍ରୂହ୍ୟବ୍ୟକ୍ତମାର୍ଗବିତ୍ ॥ ୯॥
ବିଦୁର ପଚାରିଲେ – ବ୍ରହ୍ମନ୍ ! ଆପଣ ପରୋକ୍ଷ ବିଷୟମାନଙ୍କର ମଧ୍ୟ
ଜ୍ଞାତା ଅଟନ୍ତି | ଅତଏବ ଏହା ବୁଝାଇ କହନ୍ତୁ, ପ୍ରଜାପତିମାନଙ୍କର ପତି ବ୍ରହ୍ମାଜୀ ମରୀଚି ଆଦି
ପ୍ରଜାପତିଙ୍କୁ ଉତ୍ପନ୍ନ କରି ସୃଷ୍ଟିର ବୃଦ୍ଧି ନିମନ୍ତେ ଆଉ କ’ଣ କଲେ |
ଯେ ମରୀଚ୍ୟାଦୟୋ ବିପ୍ରା ଯସ୍ତୁ ସ୍ୱାୟମ୍ଭୁବୋ ମନୁଃ ।
ତେ ବୈ ବ୍ରହ୍ମଣ ଆଦେଶାତ୍କଥମେତଦଭାବୟନ୍ ॥ ୧୦॥
ବ୍ରହ୍ମାଙ୍କ ଆଜ୍ଞାରେ ମରୀଚି ଆଦି ମୁନୀଶ୍ବର ଏବଂ ସ୍ବାୟମ୍ଭୂବ ମନୁ
କିପରି ଭାବରେ ପ୍ରଜାମାନଙ୍କର ବୃଦ୍ଧି କଲେ ?
ସଦ୍ୱିତୀୟାଃ କିମସୃଜନ୍ ସ୍ୱତନ୍ତ୍ରା ଉତ କର୍ମସୁ ।
ଆହୋସ୍ୱିତ୍ସଂହତାଃ ସର୍ୱ ଇଦଂ ସ୍ମ ସମକଲ୍ପୟନ୍ ॥ ୧୧॥
ଏହି ଜଗତକୁ ସେମାନେ କ’ଣ
ନିଜ ପତ୍ନୀମାନଙ୍କ ସହଯୋଗରେ ଉତ୍ପନ୍ନ କଲେ ବା ନିଜ-ନିଜ କାର୍ଯ୍ୟରେ ସ୍ବତନ୍ତ୍ର ରହି ଅଥବା
ସମସ୍ତେ ଏକସଙ୍ଗେ ମିଶି ଏହାର ରଚନା କଲେ ?
ମୈତ୍ରେୟ ଉବାଚ
ଦୈବେନ ଦୁର୍ୱିତର୍କ୍ୟେଣ ପରେଣାନିମିଷେଣ ଚ ।
ଜାତକ୍ଷୋଭାଦ୍ଭଗବତୋ ମହାନାସୀଦ୍ଗୁଣତ୍ରୟାତ୍ ॥ ୧୨॥
ମୈତ୍ରେୟ କହିଲେ – ହେ ବିଦୁର ! ଯାହାର ଗତିକୁ ଜାଣିବା ଅତ୍ୟନ୍ତ
କଠିନ ଅଟେ – ସେହି ଜୀବର ପ୍ରାରବ୍ଧ, ପ୍ରକୃତିର ନିୟନ୍ତା
ପୁରୁଷ ଏବଂ କାଳ – ଏହି ତିନୋଟି ହେତୁ ତଥା ଭଗବାନଙ୍କ ସନ୍ନିଧିରେ ତ୍ରିଗୁଣମୟ ପ୍ରକୃତିରେ
କ୍ଷୋଭ ଉତ୍ପନ୍ନ ହେବା ଦ୍ବାରା ସେଥିରୁ ମହତ୍ତତ୍ତ୍ବର ସୃଷ୍ଟି ହେଲା |
ରଜଃପ୍ରଧାନାନ୍ ମହତସ୍ତ୍ରିଲିଙ୍ଗୋ ଦୈବଚୋଦିତାତ୍ ।
ଜାତଃ ସସର୍ଜ ଭୂତାଦିର୍ୱିୟଦାଦୀନି ପଞ୍ଚଶଃ ॥ ୧୩॥
ଦୈବ ପ୍ରେରଣାରେ ରଜ-ପ୍ରଧାନ ମହତ୍ତତ୍ତ୍ବରୁ ବୈକାରିକ (ସାତ୍ତ୍ବିକ),
ରାଜସିକ ଏବଂ ତାମସିକ – ଏହି ତିନି ପ୍ରକାରର ଅହଂକାର ଉତ୍ପନ୍ନ ହେଲା | ତାହା ଆକାଶାଦି
ପଞ୍ଚତତ୍ତ୍ବର ଅନେକ ବର୍ଗ ପ୍ରକଟ କଲା |
ତାନି ଚୈକୈକଶଃ ସ୍ରଷ୍ଟୁମସମର୍ଥାନି ଭୌତିକମ୍ ।
ସଂହତ୍ୟ ଦୈବୟୋଗେନ ହୈମମଣ୍ଡମବାସୃଜନ୍ ॥ ୧୪॥
ସେମାନେ ପରସ୍ପରଠାରୁ ପୃଥକ ରହି ଭୂତମାନଙ୍କର କାର୍ଯ୍ୟରୂପ
ବ୍ରହ୍ମାଣ୍ଡର ରଚନା କରିପାରିଲେ ନାହିଁ; ସେଥିପାଇଁ ସେମାନେ ଭଗବାନଙ୍କ ଶକ୍ତିରେ ସଂଗଠିତ ହୋଇ
ଏକ ସୁବର୍ଣ୍ଣମୟ ଅଣ୍ଡର ରଚନା କଲେ |
ସୋଽଶୟିଷ୍ଟାବ୍ଧିସଲିଲେ ଆଣ୍ଡକୋଶୋ ନିରାତ୍ମକଃ ।
ସାଗ୍ରଂ ବୈ ବର୍ଷସାହସ୍ରମନ୍ୱବାତ୍ସୀତ୍ତମୀଶ୍ୱରଃ ॥ ୧୫॥
ସେହି ଅଣ୍ଡ ଚେତନାଶୂନ୍ୟ ଅବସ୍ଥାରେ ଏକ ହଜାରରୁ ମଧ୍ୟ ଉର୍ଦ୍ଧ୍ବ
ବର୍ଷ ଯାଏଁ କାରଣାବ୍ଧି ଜଳରେ ପଡି ରହିଲା | ତାପରେ ସେଥିରେ ଭଗବାନ ପ୍ରବେଶ କଲେ |
ତସ୍ୟ ନାଭେରଭୂତ୍ପଦ୍ମଂ ସହସ୍ରାର୍କୋରୁଦୀଧିତି ।
ସର୍ୱଜୀବନିକାୟୌକୋ ଯତ୍ର ସ୍ୱୟମଭୂତ୍ସ୍ୱରାଟ୍ ॥ ୧୬॥
ଭଗବାନ ସେଥିରେ ଅଧିଷ୍ଠିତ ହେବା ପରେ ତାଙ୍କ ନାଭିରୁ ସହସ୍ର ସୂର୍ଯ୍ୟ
ସଦୃଶ ଅତ୍ୟନ୍ତ ଦେଦୀପ୍ୟମାନ ଏକ କମଳ ପ୍ରକଟ ହେଲା,
ଯାହା ସମ୍ପୂର୍ଣ୍ଣ ଜୀବ-ସମୁଦାୟର ଆଶ୍ରୟ ଥିଲା | ତହିଁରୁ ସ୍ବୟଂ ବ୍ରହ୍ମାଜୀଙ୍କର ଆବିର୍ଭାବ
ଘଟିଲା |
ସୋଽନୁବିଷ୍ଟୋ ଭଗବତା ଯଃ ଶେତେ ସଲିଲାଶୟେ ।
ଲୋକସଂସ୍ଥାଂ ଯଥାପୂର୍ୱଂ ନିର୍ମମେ ସଂସ୍ଥୟା ସ୍ୱୟା ॥ ୧୭॥
ବ୍ରହ୍ମାଜୀଙ୍କର ଅନ୍ତଃକରଣରେ ଯେତେବେଳେ ବ୍ରହ୍ମାଣ୍ଡର ଗର୍ଭରୂପ
ଜଳରେ ଶୟନ କରିଥିବା ଶ୍ରୀନାରାୟଣଦେବ ପ୍ରବେଶ କଲେ,
ସେତେବେଳେ ସେ ପୂର୍ବକଳ୍ପମାନଙ୍କରେ ନିଜ ଦ୍ବାରା ହିଁ ନିଶ୍ଚିତ କରାଯାଇ ଥିବା ନାମ-ରୂପମୟୀ
ବ୍ୟବସ୍ଥା ଅନୁସାରେ ସଂସାରର ରଚନା କରିବାରେ ଲାଗିଲେ |
ସସର୍ଜଚ୍ଛାୟଯା ବିଦ୍ୟାଂ ପଞ୍ଚ ପର୍ୱାଣମଗ୍ରତଃ ।
ତାମିସ୍ରମନ୍ଧତାମିସ୍ରଂ ତମୋ ମୋହୋ ମହାତମଃ ॥ ୧୮॥
ସର୍ବପ୍ରଥମେ ସେ ନିଜ ଛାୟାରୁ ତମିସ୍ର, ଅନ୍ଧତମିସ୍ର, ତମ, ମୋହ ଏବଂ ମହାମୋହ – ଏହି ପାଞ୍ଚ ପ୍ରକାରର ଅବିଦ୍ୟା ଉତ୍ପନ୍ନ କଲେ |
ବିସସର୍ଜାତ୍ମନଃ କାୟଂ ନାଭିନନ୍ଦଂସ୍ତମୋମୟମ୍ ।
ଜଗୃହୁର୍ୟକ୍ଷରକ୍ଷାଂସି ରାତ୍ରିଂ କ୍ଷୁତ୍ତୃଟ୍ସମୁଦ୍ଭବାମ୍ ॥ ୧୯॥
ବ୍ରହ୍ମାଜୀଙ୍କୁ ନିଜର ସେହି ତମୋମୟ ଶରୀର ଭଲ ଲାଗିଲା ନାହିଁ; ତେଣୁ ସେ ତାହାକୁ ତ୍ୟାଗ କରିଦେଲେ | ସେତେବେଳେ, ଯହିଁରୁ ଭୋକ-ଶୋଷର ଉତ୍ପତ୍ତି ହୋଇଥାଏ, ରାତ୍ରିରୂପ ସେହି ଶରୀରକୁ ସେଥିରୁ ହିଁ ଉତ୍ପନ୍ନ ହୋଇଥିବା ଯକ୍ଷ
ଏବଂ ରାକ୍ଷସମାନେ ଗ୍ରହଣ କରିନେଲେ |
କ୍ଷୁତ୍ତୃଡ୍ଭ୍ୟାମୁପସୃଷ୍ଟାସ୍ତେ ତଂ ଜଗ୍ଧୁମଭିଦୁଦ୍ରୁବୁଃ ।
ମା ରକ୍ଷତୈନଂ ଜକ୍ଷଧ୍ୱମିତ୍ୟୂଚୁଃ କ୍ଷୁତ୍ତୃଡର୍ଦିତାଃ ॥ ୨୦॥
ଏହାପରେ ଭୋକ-ଶୋଷରେ ଅଭିଭୂତ ହୋଇ ସେହି ଯକ୍ଷ ଏବଂ ରାକ୍ଷସମାନେ
ବ୍ରହ୍ମାଙ୍କୁ ହିଁ ଭକ୍ଷଣ କରିବାକୁ ଉଦ୍ୟତ ହେଲେ ଏବଂ ‘ଏହାକୁ ଭକ୍ଷଣ କର, ଏହାକୁ ରକ୍ଷା କରନାହିଁ’
ଏହିପରି କହି ବ୍ରହ୍ମାଙ୍କ ଅଭିମୁଖରେ ସେମାନେ ଧାଇଁ ଗଲେ;
କାରଣ ସେମାନେ ଭୋକ-ଶୋଷରେ ଅତ୍ୟଧିକ ବ୍ୟାକୁଳ ଥିଲେ |
ଦେବସ୍ତାନାହ ସମ୍ବିଗ୍ନୋ ମା ମାଂ ଜକ୍ଷତ ରକ୍ଷତ ।
ଅହୋ ମେ ଯକ୍ଷରକ୍ଷାଂସି ପ୍ରଜା ଯୂୟଂ ବଭୂବିଥ ॥ ୨୧॥
ବ୍ରହ୍ମାଜୀ ଭୟବିହ୍ବଳ ହୋଇ ସେମାନଙ୍କୁ କହିଲେ – ରେ ଯକ୍ଷ-ରାକ୍ଷସ !
ତୁମ୍ଭେମାନେ ମୋର ସନ୍ତାନ ଅଟ; ସେଥିପାଇଁ ମୋତେ
ଭକ୍ଷଣ ନ କରି ମୋର ରକ୍ଷା କର | (ସେମାନଙ୍କ ମଧ୍ୟରୁ ଯିଏ ‘ଭକ୍ଷଣ କର’ କହୁଥିଲେ, ସେମାନେ ଯକ୍ଷ ଥିଲେ
ଏବଂ ଯିଏ ‘ରକ୍ଷା କରନାହିଁ’ କହୁଥିଲେ, ସେମାନେ ରାକ୍ଷସ ଥିଲେ |)
ଦେବତାଃ ପ୍ରଭୟା ଯା ଯା ଦୀବ୍ୟନ୍ ପ୍ରମୁଖତୋଽସୃଜତ୍ ।
ତେ ଅହାର୍ଷୁର୍ଦେବୟନ୍ତୋ ବିସୃଷ୍ଟାଂ ତାଂ ପ୍ରଭାମହଃ ॥ ୨୨॥
ପୁନଶ୍ଚ ବ୍ରହ୍ମାଜୀ ସାତ୍ତ୍ବିକ ପ୍ରଭାରେ ଦେଦୀପ୍ୟମାନ ହୋଇ
ମୁଖ୍ୟ-ମୁଖ୍ୟ ଦେବତାମାନଙ୍କର ରଚନା କଲେ | ସେମାନେ ବ୍ରହ୍ମାଜୀଙ୍କ ଦ୍ବାରା ତ୍ୟାଗ କରାଯାଇ
ଥିବା ତାଙ୍କର ଦିନରୂପ ପ୍ରକାଶମୟ ଶରୀର ଗ୍ରହଣ କରିନେଲେ |
ଦେବୋଽଦେବାଞ୍ଜଘନତଃ ସୃଜତି ସ୍ମାତିଲୋଲୁପାନ୍ ।
ତ ଏନଂ ଲୋଲୁପତୟା ମୈଥୁନାୟାଭିପେଦିରେ ॥ ୨୩॥
ଏହାପରେ ବ୍ରହ୍ମାଜୀ ନିଜ ଜଘନଦେଶରୁ କାମାସକ୍ତ ଅସୁରମାନଙ୍କୁ
ଉତ୍ପନ୍ନ କଲେ | ସେମାନେ ଅତ୍ୟନ୍ତ କାମଲୋଲୁପ ହୋଇଥିବା କାରଣରୁ ଉତ୍ପନ୍ନ ହେବା ମାତ୍ରେ ମୈଥୁନ
ଅଭିଳାଷରେ ବ୍ରହ୍ମାଙ୍କର ସମୀପସ୍ଥ ହେଲେ |
ତତୋ ହସନ୍ ସ ଭଗବାନସୁରୈର୍ନିରପତ୍ରପୈଃ ।
ଅନ୍ୱୀୟମାନସ୍ତରସା କ୍ରୁଦ୍ଧୋ ଭୀତଃ ପରାପତତ୍ ॥ ୨୪॥
ଏହା ଦେଖି ପ୍ରଥମେ ତ ବ୍ରହ୍ମା ହସିଲେ; କିନ୍ତୁ ତାପରେ ସେହି
ନିର୍ଲଜ୍ଜ ଅସୁରମାନଙ୍କୁ ନିଜ ପଛରେ ଲାଗି ରହିଥିବା ଦେଖି ସେ ଭୟଭୀତ ଏବଂ କ୍ରୋଧିତ ହୋଇ ଅତି
ବେଗରେ ସେଠାରୁ ପଳାୟନ କଲେ |
ସ ଉପବ୍ରଜ୍ୟ ବରଦଂ ପ୍ରପନ୍ନାର୍ତିହରଂ ହରିମ୍ ।
ଅନୁଗ୍ରହାୟ ଭକ୍ତାନାମନୁରୂପାତ୍ମଦର୍ଶନମ୍ ॥ ୨୫॥
ସେ ଭକ୍ତମାନଙ୍କ ଉପରେ କୃପା କରିବାକୁ ଯାଇ ସେମାନଙ୍କ ଭାବନା
ଅନୁସାରେ ଦର୍ଶନ ଦେଉଥିବା ଶରଣାଗତବତ୍ସଳ ବରଦାୟକ ଶ୍ରୀହରିଙ୍କ ପାଖକୁ ଯାଇ ତାଙ୍କୁ କହିଲେ -
ପାହି ମାଂ ପରମାତ୍ମଂସ୍ତେ ପ୍ରେଷଣେନାସୃଜଂ ପ୍ରଜାଃ ।
ତା ଇମା ଯଭିତୁଂ ପାପା ଉପାକ୍ରାମନ୍ତି ମାଂ ପ୍ରଭୋ ॥ ୨୬॥
ହେ ପରମାତ୍ମନ୍ ! ମୋତେ ରକ୍ଷା କରନ୍ତୁ; ମୁଁ ତ ଆପଣଙ୍କ ଆଜ୍ଞାରେ ହିଁ ପ୍ରଜା ସୃଷ୍ଟି କଲି, କିନ୍ତୁ ସେମାନେ ପାପରେ ପ୍ରବୃତ୍ତ ହୋଇ ମୋତେ ହିଁ ହଇରାଣ କରୁଛନ୍ତି
|
ତ୍ୱମେକଃ କିଲ ଲୋକାନାଂ କ୍ଲିଷ୍ଟାନାଂ କ୍ଲେଶନାଶନଃ ।
ତ୍ୱମେକଃ କ୍ଲେଶଦସ୍ତେଷାମନାସନ୍ନପଦାଂ ତବ ॥ ୨୭॥
ହେ ନାଥ ! ଏକମାତ୍ର ଆପଣ ହିଁ ଦୁଃଖୀ ଜୀବର ଦୁଃଖ ଦୂର କରିଥାଆନ୍ତି
ଏବଂ ଯେଉଁମାନେ ଆପଣଙ୍କ ଚରଣର ଶରଣରେ ଆସନ୍ତି ନାହିଁ,
ସେମାନଙ୍କୁ ମଧ୍ୟ ଏକମାତ୍ର ଆପଣ ହିଁ ଦୁଃଖ ଦେଇଥାଆନ୍ତି |
ସୋଽବଧାର୍ୟାସ୍ୟ କାର୍ପଣ୍ୟଂ ବିବିକ୍ତାଧ୍ୟାତ୍ମଦର୍ଶନଃ ।
ବିମୁଞ୍ଚାତ୍ମତନୁଂ ଘୋରାମିତ୍ୟୁକ୍ତୋ ବିମୁମୋଚ ହ ॥ ୨୮॥
ପ୍ରଭୁ ତ ପ୍ରତ୍ୟକ୍ଷବତ୍ ସମସ୍ତଙ୍କର ହୃଦୟର କଥାକୁ ଜାଣନ୍ତି |
ବ୍ରହ୍ମାଙ୍କର ଆତୁରତା ଦେଖି ସେ କହିଲେ – ତୁମେ ନିଜର ଏହି କାମକଳୁଷିତ ଶରୀରକୁ ତ୍ୟାଗ କରିଦିଅ
| ଭଗବାନ ଏପରି କହିବା ମାତ୍ରେ ବ୍ରହ୍ମା ନିଜର ସେହି ଶରୀର ମଧ୍ୟ ତ୍ୟାଗ କରିଦେଲେ |
ତାଂ କ୍ୱଣଚ୍ଚରଣାମ୍ଭୋଜାଂ ମଦବିହ୍ୱଲଲୋଚନାମ୍ ।
କାଞ୍ଚୀକଲାପବିଲସଦ୍ଦୁକୂଲଚ୍ଛନ୍ନରୋଧସମ୍ ॥ ୨୯॥
(ବ୍ରହ୍ମାଜୀ ତ୍ୟାଗ କରିଥିବା ସେହି ଶରୀର ଏକ ସୁନ୍ଦରୀ ସ୍ତ୍ରୀ, ସନ୍ଧ୍ୟାଦେବୀଙ୍କ ରୂପ ଧାରଣ କଲା |) ତାଙ୍କର ଚରଣ-କମଳରେ ପାଉଁଜି
ଝଙ୍କୃତ ହେଉଥିଲା, ନେତ୍ର ମଦାଳସ ଥିଲା, କଟିଦେଶରେ ଅଣ୍ଟାସୂତା ଝରାମାନଙ୍କ ଦ୍ବାରା ସୁଶୋଭିତ ହୋଇ ସୁନ୍ଦର
ଶାଢିରେ ଆବୃତ ରହିଥିଲା |
ଅନ୍ୟୋନ୍ୟଶ୍ଲେଷୟୋତ୍ତୁଙ୍ଗନିରନ୍ତରପୟୋଧରାମ୍ ।
ସୁନାସାଂ ସୁଦ୍ୱିଜାଂ ସ୍ନିଗ୍ଦ୍ଧହାସଲୀଲାବଲୋକନାମ୍ ॥ ୩୦॥
ତାଙ୍କର ଉନ୍ନତ ସ୍ତନଯୁଗଳ ପରସ୍ପର ଏପରି ଭାବରେ ଯୁକ୍ତ ରହିଥିଲା ଯେ
ସେମାନଙ୍କ ମଧ୍ୟରେ କିଂଚିତ୍ ବି ଅନ୍ତର ନ ଥିଲା | ତାଙ୍କର ନାସିକା ଏବଂ ଦନ୍ତାବଳୀ ଅତ୍ୟନ୍ତ
ସୁନ୍ଦର ଥିଲା ଏବଂ ମଧୁର ହାସ୍ୟଯୁକ୍ତ ହୋଇ ସେ ଅସୁରମାନଙ୍କ ପ୍ରତି ହାବ-ଭାବ ପୂର୍ଣ୍ଣ
ଦୃଷ୍ଟିରେ ଦେଖୁଥିଲେ |
ଗୂହନ୍ତୀଂ ବ୍ରୀଡୟାଽଽତ୍ମାନଂ ନୀଲାଲକବରୂଥିନୀମ୍ ।
ଉପଲଭ୍ୟାସୁରା ଧର୍ମ ସର୍ୱେ ସମ୍ମୁମୁହୁଃ ସ୍ତ୍ରିୟମ୍ ॥ ୩୧॥
ନୀଳ ଅଳକାବଳୀ ସୁଶୋଭିତ ସେହି ସୁକୁମାରୀ ସତେ ଯେପରି ଲଜ୍ଜାବଶତଃ
ପଣତରେ ନିଜକୁ ଆବୃତ କରି ରଖିଥିଲା | ହେ ବିଦୁର ! ସେହି ସୁନ୍ଦରୀକୁ ଦେଖି ସବୁ ଅସୁର ମୋହିତ
ହୋଇଗଲେ |
ଅହୋ ରୂପମହୋ ଧୈର୍ୟମହୋ ଅସ୍ୟା ନବଂ ବୟଃ ।
ମଧ୍ୟେ କାମୟମାନାନାମକାମେବ ବିସର୍ପତି ॥ ୩୨॥
ଆହା ! ଏହାର କି ବିଚିତ୍ର ରୂପ,
କିପରି ଅଲୌକିକ ଧୃତି ଏବଂ କିପରି ନବୀନ ଅବସ୍ଥା ! ଦେଖ,
ଆମ୍ଭମାନଙ୍କ ପରି କାମପୀଡିତଙ୍କ ଗହଣରେ ଇଏ କିପରି ବିନା ଦ୍ବିଧାରେ ବିଚରଣ କରୁଛି !!
ବିତର୍କୟନ୍ତୋ ବହୁଧା ତାଂ ସନ୍ଧ୍ୟାଂ ପ୍ରମଦାକୃତିମ୍ ।
ଅଭିସମ୍ଭାବ୍ୟ ବିଶ୍ରମ୍ଭାତ୍ପର୍ୟପୃଚ୍ଛନ୍ କୁମେଧସଃ ॥ ୩୩॥
ଏହିରୂପେ ସେହି କୁବୁଦ୍ଧି ଦୈତ୍ୟମାନେ ସ୍ତ୍ରୀରୂପିଣୀ ସନ୍ଧ୍ୟା
ବିଷୟରେ ଅନେକ ପ୍ରକାରର ତର୍କ-ବିତର୍କ କରି ଅତ୍ୟନ୍ତ ଆଦରରେ ପ୍ରେମପୂର୍ବକ ତାଙ୍କୁ ପଚାରିଲେ -
କାସି କସ୍ୟାସି ରମ୍ଭୋରୁ କୋ ବାର୍ଥସ୍ତେଽତ୍ର ଭାମିନି ।
ରୂପଦ୍ରବିଣପଣ୍ୟେନ ଦୁର୍ଭଗାନ୍ନୋ ବିବାଧସେ ॥ ୩୪॥
ସୁନ୍ଦରୀ ! ତୁମେ କିଏ ଏବଂ କାହାର ପୁତ୍ରୀ ଅଟ ? ହେ ଭାମିନି ! ତୁମର
ଏଠାକୁ ଆସିବାର ପ୍ରୟୋଜନ କ’ଣ ? ତୁମେ ନିଜ ଅନୁପମ
ରୂପର ଏହି ଅମୂଲ୍ୟ ପସରା ଦେଖାଇ ଆମ୍ଭମାନଙ୍କ ପରି ଅଭାଗାମାନଙ୍କୁ କାହିଁକି ଆକୁଳ କରୁଛ ?
ଯା ବା କାଚିତ୍ତ୍ୱମବଲେ ଦିଷ୍ଟ୍ୟା ସନ୍ଦର୍ଶନଂ ତବ ।
ଉତ୍ସୁନୋଷୀକ୍ଷମାଣାନାଂ କନ୍ଦୁକକ୍ରୀଡୟା ମନଃ ॥ ୩୫॥
ହେ ଅବଳେ ! ତୁମେ ଯିଏ ବି ହୋଇଥାଅ ନା କାହିଁକି, ଆମ୍ଭମାନଙ୍କୁ ତୁମର ଦର୍ଶନ ମିଳିଲା – ଏହା ଆମର ପରମ ସୌଭାଗ୍ୟ ଅଟେ
| ତୁମେ ନିଜର ପେଣ୍ଡୁକୁ ଉପର-ତଳ କରି ଆମ ପରି ଦର୍ଶକମାନଙ୍କର ମନକୁ ମନ୍ଥନ କରିବାରେ ଲାଗିଛ |
ନୈକତ୍ର ତେ ଜୟତି ଶାଲିନି ପାଦପଦ୍ମଂ
ଘ୍ନନ୍ତ୍ୟା ମୁହୁଃ କରତଲେନ ପତତ୍ପତଙ୍ଗମ୍ ।
ମଧ୍ୟଂ ବିଷୀଦତି ବୃହତ୍ସ୍ତନଭାରଭୀତଂ
ଶାନ୍ତେବ ଦୃଷ୍ଟିରମଲା ସୁଶିଖାସମୂହଃ ॥ ୩୬॥
ସୁନ୍ଦରୀ ! ପେଣ୍ଡୁକୁ ଉପର-ତଳ କରିବାକୁ ଯାଇ ତୁମେ ଯେତେବେଳେ
ହାତପାପୁଲିରେ ସେଥିରେ ଥାପ ଦେଉଥାଅ, ସେତେବେଳେ ତୁମର
ଚରଣ-କମଳ ଇତସ୍ତତଃ ହେବାରେ ଲାଗିଥାଏ; ତୁମ ସ୍ଥୁଳ ସ୍ତନର
ଭାରରେ କଟିଦେଶ କ୍ଲାନ୍ତ ହୋଇଯାଏ ଏବଂ ସେହି କ୍ଲାନ୍ତି ତୁମ ନିର୍ମଳ ଦୃଷ୍ଟିରେ ମଧ୍ୟ ପରିସ୍ଫୁଟ
ହୋଇଥାଏ | ଆହା ! ତୁମର କେଶପାଶ କେତେ ସୁନ୍ଦର !
ଇତି ସାୟନ୍ତନୀଂ ସନ୍ଧ୍ୟାମସୁରାଃ ପ୍ରମଦାୟତୀମ୍ ।
ପ୍ରଲୋଭୟନ୍ତୀଂ ଜଗୃହୁର୍ମତ୍ୱା ମୂଢଧିୟଃ ସ୍ତ୍ରିୟମ୍ ॥ ୩୭॥
ଏହିପରି ଭାବରେ ସ୍ତ୍ରୀରୂପରେ ପ୍ରକଟ ହୋଇଥିବା ସେହି ସାୟଂକାଳ
ସେମାନଙ୍କୁ ଅତ୍ୟନ୍ତ କାମାସକ୍ତ କରିଦେଲା ଏବଂ ସେହି ମୂର୍ଖମାନେ ତାଙ୍କୁ ରମଣୀରତ୍ନ ମନେକରି ଗ୍ରହଣ
କରିନେଲେ |
ପ୍ରହସ୍ୟ ଭାବଗମ୍ଭୀରଂ ଜିଘ୍ରନ୍ତ୍ୟାତ୍ମାନମାତ୍ମନା ।
କାନ୍ତ୍ୟା ସସର୍ଜ ଭଗବାନ୍ ଗନ୍ଧର୍ୱାପ୍ସରସାଂ ଗଣାନ୍ ॥ ୩୮॥
ତଦନନ୍ତର ବ୍ରହ୍ମାଜୀ ଗମ୍ଭୀର ଭାବରେ ହସିକରି ନିଜ କାନ୍ତିମୟୀ
ମୂର୍ତ୍ତିରୁ, ଯିଏ ନିଜର
ସୌନ୍ଦର୍ଯ୍ୟକୁ ନିଜେ ଆସ୍ବାଦନ କରୁଥିଲେ, ସେହି ଗନ୍ଧର୍ବ ଏବଂ
ଅପସରାମାନଙ୍କୁ ଉତ୍ପନ୍ନ କଲେ |
ବିସସର୍ଜ ତନୁଂ ତାଂ ବୈ ଜ୍ୟୋତ୍ସ୍ନାଂ କାନ୍ତିମତୀଂ ପ୍ରିୟାମ୍ ।
ତ ଏବ ଚାଦଦୁଃ ପ୍ରୀତ୍ୟା ବିଶ୍ୱାବସୁପୁରୋଗମାଃ ॥ ୩୯॥
ସେ ଜ୍ୟୋତ୍ସ୍ନାରୂପ ନିଜର ସେହି କାନ୍ତିମୟ ପ୍ରିୟ ଶରୀରକୁ ତ୍ୟାଗ
କରିଦେଲେ | ତାହାକୁ ବିଶ୍ବାବସୁ ଆଦି ଗନ୍ଧର୍ବମାନେ ପ୍ରସନ୍ନତାପୂର୍ବକ ଗ୍ରହଣ କଲେ |
ସୃଷ୍ଟ୍ୱା ଭୂତପିଶାଚାଂଶ୍ଚ ଭଗବାନାତ୍ମତନ୍ଦ୍ରିଣା ।
ଦିଗ୍ୱାସସୋ ମୁକ୍ତକେଶାନ୍ ବୀକ୍ଷ୍ୟ ଚାମୀଲୟଦ୍ଦୃଶୌ ॥ ୪୦॥
ଏହାପରେ ବ୍ରହ୍ମାଜୀ ନିଜ ତନ୍ଦ୍ରାରୁ ଭୂତ-ପିଶାଚ ଉତ୍ପନ୍ନ କଲେ |
ସେମାନଙ୍କୁ ଦିଗମ୍ବର ଏବଂ ଅସ୍ତବ୍ୟସ୍ତ କେଶଯୁକ୍ତ ଦେଖି ସେ ନିଜର ଆଖି ବନ୍ଦ କରିନେଲେ |
ଜଗୃହୁସ୍ତଦ୍ୱିସୃଷ୍ଟାଂ ତାଂ ଜୃମ୍ଭଣାଖ୍ୟାଂ ତନୁଂ ପ୍ରଭୋଃ ।
ନିଦ୍ରାମିନ୍ଦ୍ରିୟବିକ୍ଲେଦୋ ଯୟା ଭୂତେଷୁ ଦୃଶ୍ୟତେ ।
ଯେନୋଚ୍ଛିଷ୍ଟାନ୍ ଧର୍ଷୟନ୍ତି ତମୁନ୍ମାଦଂ ପ୍ରଚକ୍ଷତେ ॥ ୪୧॥
ବ୍ରହ୍ମାଜୀଙ୍କର ତ୍ୟାଜ୍ୟ ଜମ୍ଭୁଆଇରୂପ ଶରୀରକୁ ଭୂତ-ପିଶାଚ ଗ୍ରହଣ
କରିନେଲେ | ଏହାକୁ ନିଦ୍ରା ମଧ୍ୟ କହନ୍ତି, ଯଦ୍ବାରା ଜୀବର
ଇନ୍ଦ୍ରିୟମାନଙ୍କରେ ଶିଥିଳତା ପରିଲକ୍ଷିତ ହୋଇଥାଏ | ମନୁଷ୍ୟ ଯେତେବେଳେ ଅଇଁଠା ମୁହଁରେ ଶୟନ
କରେ, ସେତେବେଳେ
ଭୂତ-ପ୍ରେତ ତା’ ଉପରେ ଆକ୍ରମଣ
କରିଥାଆନ୍ତି, ଯାହାକୁ ଉନ୍ମାଦ
କୁହାଯାଏ |
ଊର୍ଜସ୍ୱନ୍ତଂ ମନ୍ୟମାନ ଆତ୍ମାନଂ ଭଗବାନଜଃ ।
ସାଧ୍ୟାନ୍ ଗଣାନ୍ ପିତୃଗଣାନ୍ ପରୋକ୍ଷେଣାସୃଜତ୍ପ୍ରଭୁଃ ॥ ୪୨॥
ତାପରେ ଭଗବାନ ବ୍ରହ୍ମା ନିଜକୁ ତେଜୋମୟ ମନେକରି ନିଜ ଅଦୃଶ୍ୟ ରୂପରୁ
ସାଧ୍ୟଗଣ ଏବଂ ପିତୃଗଣଙ୍କୁ ଉତ୍ପନ୍ନ କଲେ |
ତ ଆତ୍ମସର୍ଗଂ ତଂ କାୟଂ ପିତରଃ ପ୍ରତିପେଦିରେ ।
ସାଧ୍ୟେଭ୍ୟଶ୍ଚ ପିତୃଭ୍ୟଶ୍ଚ କବୟୋ ଯଦ୍ୱିତନ୍ୱତେ ॥ ୪୩॥
ପିତୃଗଣ ନିଜର ଉତ୍ପତ୍ତି ସ୍ଥାନ ସେହି ଅଦୃଶ୍ୟ ଶରୀରକୁ ଗ୍ରହଣ
କରିନେଲେ | ଏହାକୁ ଲକ୍ଷ୍ୟରେ ରଖି ପଣ୍ଡିତଜନ ଶ୍ରାଦ୍ଧ ଆଦି ଦ୍ବାରା ପିତୃଗଣ ଏବଂ ସାଧ୍ୟଗଣଙ୍କୁ
ଯଥାକ୍ରମେ ପିଣ୍ଡ ଏବଂ ହବ୍ୟ ଅର୍ପଣ କରନ୍ତି |
ସିଦ୍ଧାନ୍ ବିଦ୍ୟାଧରାଂଶ୍ଚୈବ ତିରୋଧାନେନ ସୋଽସୃଜତ୍ ।
ତେଭ୍ୟୋଽଦଦାତ୍ତମାତ୍ମାନମନ୍ତର୍ଧାନାଖ୍ୟମଦ୍ଭୁତମ୍ ॥ ୪୪॥
ନିଜ ତିରୋଧାନଶକ୍ତିରୁ ବ୍ରହ୍ମାଜୀ ସିଦ୍ଧ ଏବଂ ବିଦ୍ୟାଧରମାନଙ୍କର
ସୃଷ୍ଟି କଲେ ଏବଂ ସେମାନଙ୍କୁ ନିଜର ଅନ୍ତର୍ଧ୍ୟାନ ନାମକ ଅଦ୍ଭୁତ ଶରୀର ପ୍ରଦାନ କଲେ |
ସ କିନ୍ନରାନ୍ କିମ୍ପୁରୁଷାନ୍ ପ୍ରତ୍ୟାତ୍ମ୍ୟେନାସୃଜତ୍ପ୍ରଭୁଃ ।
ମାନୟନ୍ନାତ୍ମନାଽଽତ୍ମାନମାତ୍ମାଭାସଂ ବିଲୋକୟନ୍ ॥ ୪୫॥
ଥରେ ବ୍ରହ୍ମାଜୀ ନିଜର ପ୍ରତିବିମ୍ବ ଦେଖିଲେ | ସେତେବେଳେ ସେ ନିଜକୁ
ବହୁତ ସୁନ୍ଦର ମନେକରି ସେହି ପ୍ରତିବିମ୍ବରୁ କିନ୍ନର ଏବଂ କିମ୍ପୁରୁଷ ଉତ୍ପନ୍ନ କଲେ |
ତେ ତୁ ତଜ୍ଜଗୃହୂ ରୂପଂ ତ୍ୟକ୍ତଂ ଯତ୍ପରମେଷ୍ଠିନା ।
ମିଥୁନୀଭୂୟ ଗାୟନ୍ତସ୍ତମେବୋଷସି କର୍ମଭିଃ ॥ ୪୬॥
ବ୍ରହ୍ମାଜୀ ନିଜର ଶରୀର ତ୍ୟାଗ କରିଦେବା ପରେ ମଧ୍ୟ ସେମାନେ ତାଙ୍କର
ସେହି ପ୍ରତିବିମ୍ବ ଶରୀରକୁ ଗ୍ରହଣ କରିଥିଲେ | ସେଥିପାଇଁ ଉଷା କାଳରେ ସେମାନେ ନିଜ
ପତ୍ନୀମାନଙ୍କ ସହିତ ମିଶି ବ୍ରହ୍ମାଙ୍କର ଗୁଣ-କର୍ମାଦି ଗାନ କରିଥାଆନ୍ତି |
ଦେହେନ ବୈ ଭୋଗବତା ଶୟାନୋ ବହୁଚିନ୍ତୟା ।
ସର୍ଗେଽନୁପଚିତେ କ୍ରୋଧାଦୁତ୍ସସର୍ଜ ହ ତଦ୍ୱପୁଃ ॥ ୪୭॥
ଥରେ ବ୍ରହ୍ମାଜୀ ସୃଷ୍ଟି ବୃଦ୍ଧି ହେଉ ନ ଥିବା କାରଣରୁ ବହୁତ ବେଶୀ
ଚିନ୍ତିତ ହୋଇ ହାତ-ପାଦ ଆଦି ଅବୟବକୁ ବିସ୍ତାର କରି ଶୟନ ମୁଦ୍ରାରେ ପଡି ରହିଥିଲେ ଏବଂ ତାପରେ
କ୍ରୋଧବଶତଃ ସେହି ଭୋଗମୟ ଶରୀରକୁ ତ୍ୟାଗ କରି ଦେଇଥିଲେ |
ଯେଽହୀୟନ୍ତାମୁତଃ କେଶା ଅହୟସ୍ତେଽଙ୍ଗ ଜଜ୍ଞିରେ ।
ସର୍ପାଃ ପ୍ରସର୍ପତଃ କ୍ରୂରା ନାଗା ଭୋଗୋରୁକନ୍ଧରାଃ ॥ ୪୮॥
ସେଥିରୁ ଯେଉଁ କେଶ ଉଡି ଏଣେତେଣେ ପଡିଲା, ସେମାନେ ଅହି ହେଲେ ତଥା ହାତ-ପାଦ ସଂକୁଚିତ କରି ଚାଲୁଥିବା
କ୍ରୂରସ୍ବଭାବ ସର୍ପ ଏବଂ ନାଗ ହେଲେ ଯେଉଁମାନଙ୍କର ଶରୀର କାନ୍ଧଠାରୁ ଉପରକୁ ଫଣରୂପରେ ବ୍ୟାପ୍ତ
ଥିଲା |
ସ ଆତ୍ମାନଂ ମନ୍ୟମାନଃ କୃତକୃତ୍ୟମିବାତ୍ମଭୂଃ ।
ତଦା ମନୂନ୍ ସସର୍ଜାନ୍ତେ ମନସା ଲୋକଭାବନାନ୍ ॥ ୪୯॥
ଏକଦା ବ୍ରହ୍ମାଜୀ ନିଜକୁ କୃତକୃତ୍ୟ ଅନୁଭବ କରିଥିଲେ | ସେହି ସମୟରେ
ସେ ନିଜ ମନରୁ ମନୁମାନଙ୍କୁ ସୃଷ୍ଟି କଲେ, ଯେଉଁମାନେ ପ୍ରଜା ବୃଦ୍ଧିର କାରଣ ହେଲେ |
ତେଭ୍ୟଃ ସୋଽସୃଜତ୍ସ୍ୱୀୟଂ ପୁରଂ ପୁରୁଷମାତ୍ମବାନ୍ ।
ତାନ୍ ଦୃଷ୍ଟ୍ୱା ଯେ ପୁରା ସୃଷ୍ଟାଃ ପ୍ରଶଶଂସୁଃ ପ୍ରଜାପତିମ୍ ॥ ୫୦॥
ମନସ୍ବୀ ବ୍ରହ୍ମାଜୀ ସେମାନଙ୍କ ପାଇଁ ନିଜର ପୁରୁଷାକାର ଶରୀର ତ୍ୟାଗ
କରିଦେଲେ | ମନୁମାନଙ୍କୁ ଦେଖି ସେମାନଙ୍କ ପୂର୍ବରୁ ଉତ୍ପନ୍ନ ହୋଇଥିବା ଦେବତା-ଗନ୍ଧର୍ବାଦି ବ୍ରହ୍ମାଜୀଙ୍କର
ସ୍ତୁତି କରିବାରେ ଲାଗିଲେ |
ଅହୋ ଏତଜ୍ଜଗତ୍ସ୍ରଷ୍ଟଃ ସୁକୃତଂ ବତ ତେ କୃତମ୍ ।
ପ୍ରତିଷ୍ଠିତାଃ କ୍ରିୟା ଯସ୍ମିନ୍ ସାକମନ୍ନମଦାମହେ ॥ ୫୧॥
ସେମାନେ କହିଲେ – ‘ବିଶ୍ବକର୍ତ୍ତା ବ୍ରହ୍ମାଜୀ ! ଆପଣଙ୍କର ଏହି
ମନୁମାନଙ୍କର ସୃଷ୍ଟି ଅତ୍ୟନ୍ତ ସୁନ୍ଦର ଅଟେ | ଏଥିରେ ଅଗ୍ନିହୋତ୍ର ଆଦି ସମସ୍ତ କର୍ମ
ପ୍ରତିଷ୍ଠିତ | ଏମାନଙ୍କ ସହାୟତାରେ ଆମ୍ଭେମାନେ ମଧ୍ୟ ନିଜର ହବିର୍ଭାଗ ଗ୍ରହଣ କରିପାରିବୁ |
ତପସା ବିଦ୍ୟଯା ଯୁକ୍ତୋ ଯୋଗେନ ସୁସମାଧିନା ।
ଋଷୀନ୍ ଋଷିର୍ହୃଷୀକେଶଃ ସସର୍ଜାଭିମତାଃ ପ୍ରଜାଃ ॥ ୫୨॥
ତେଭ୍ୟଶ୍ଚୈକୈକଶଃ ସ୍ୱସ୍ୟ ଦେହସ୍ୟାଂଶମଦାଦଜଃ ।
ଯତ୍ତତ୍ସମାଧିୟୋଗର୍ଦ୍ଧିତପୋବିଦ୍ୟାବିରକ୍ତିମତ୍ ॥ ୫୩॥
ତାପରେ ଆଦିଋଷି ବ୍ରହ୍ମାଜୀ ଇନ୍ଦ୍ରିୟସଂଯମପୂର୍ବକ ତପ, ବିଦ୍ୟା, ଯୋଗ ଏବଂ ସମାଧି
ସମ୍ପନ୍ନ ହୋଇ ନିଜ ପ୍ରିୟ ସନ୍ତାନ ଋଷିଗଣଙ୍କର ରଚନା କଲେ ଏବଂ ସେମାନଙ୍କ ମଧ୍ୟରୁ
ପ୍ରତ୍ୟେକଙ୍କୁ ନିଜର ସମାଧି, ଯୋଗ, ଐଶ୍ବର୍ଯ୍ୟ, ତପ, ବିଦ୍ୟା ଏବଂ
ବୈରାଗ୍ୟମୟ ଶରୀରର ଅଂଶ ପ୍ରଦାନ କଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ତୃତୀୟସ୍କନ୍ଧେ ବିଂଶୋଽଧ୍ୟାୟଃ ॥ ୨୦॥

Comments
Post a Comment