ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ଏକବିଂଶ ଅଧ୍ୟାୟ

କର୍ଦମ ଋଷିଙ୍କର ତପସ୍ୟା ଏବଂ ଭଗବାନଙ୍କର ବରଦାନ

 

ବିଦୁର ଉବାଚ

ସ୍ୱାୟମ୍ଭୁବସ୍ୟ ଚ ମନୋର୍ୱଂଶଃ ପରମସମ୍ମତଃ ।

କଥ୍ୟତାଂ ଭଗବନ୍ ଯତ୍ର ମୈଥୁନେନୈଧିରେ ପ୍ରଜାଃ ॥ ୧॥

ବିଦୁର କହିଲେ – ଭଗବନ୍ ! ସ୍ବାୟମ୍ଭୂବ ମନୁଙ୍କର ବଂଶକୁ ଅତ୍ୟନ୍ତ ଆଦରଣୀୟ ମନେ କରାଯାଏ | ସେଥିରେ ମୈଥୁନଧର୍ମ ଦ୍ବାରା ପ୍ରଜାମାନଙ୍କର ବୃଦ୍ଧି ହୋଇଥିଲା | ଏବେ ଆପଣ ମୋତେ ସେମାନଙ୍କର କଥା ଶୁଣାନ୍ତୁ |

ପ୍ରିୟବ୍ରତୋତ୍ତାନପାଦୌ ସୁତୌ ସ୍ୱାୟମ୍ଭୁବସ୍ୟ ବୈ ।

ଯଥାଧର୍ମଂ ଜୁଗୁପତୁଃ ସପ୍ତଦ୍ୱୀପବତୀଂ ମହୀମ୍ ॥ ୨॥

ତସ୍ୟ ବୈ ଦୁହିତା ବ୍ରହ୍ମନ୍ ଦେବହୂତୀତି ବିଶ୍ରୁତା ।

ପତ୍ନୀ ପ୍ରଜାପତେରୁକ୍ତା କର୍ଦମସ୍ୟ ତ୍ୱୟାନଘ ॥ ୩॥

ବ୍ରହ୍ମନ୍ ! ଆପଣ କହିଥିଲେ ଯେ ସ୍ବାୟମ୍ଭୂବ ମନୁଙ୍କର ପୁତ୍ର ପ୍ରିୟବ୍ରତ ଏବଂ ଉତ୍ତାନପାଦ ଧର୍ମପୂର୍ବକ ସପ୍ତଦ୍ବୀପବିଶିଷ୍ଟ ପୃଥିବୀର ପାଳନ କରିଥିଲେ ତଥା ତାଙ୍କର କନ୍ୟା, ଯିଏ ଦେବହୂତି ନାମରେ ବିଖ୍ୟାତ ଥିଲେ, କର୍ଦମ ପ୍ରଜାପତିଙ୍କୁ ବିବାହ କରିଥିଲେ |

ତସ୍ୟାଂ ସ ବୈ ମହାୟୋଗୀ ଯୁକ୍ତାୟାଂ ଯୋଗଲକ୍ଷଣୈଃ ।

ସସର୍ଜ କତିଧା ବୀର୍ୟଂ ତନ୍ମେ ଶୁଶ୍ରୂଷବେ ବଦ ॥ ୪॥

ଦେବହୂତି ଯୋଗ ଲକ୍ଷଣ ଯମାଦିରେ ସମ୍ପନ୍ନ ଥିଲେ; ତାଙ୍କଠାରୁ ମହାଯୋଗୀ କର୍ଦମ କେତୋଟି ସନ୍ତାନ ଉତ୍ପନ୍ନ କରିଥିଲେ ? ସେହି ସବୁ ପ୍ରସଙ୍ଗ ଆପଣ ମୋତେ ଶୁଣାନ୍ତୁ; ତାହା ଶୁଣିବାକୁ ମୋର ପ୍ରବଳ ଇଚ୍ଛା ଜାତ ହୋଇଛି |

ରୁଚିର୍ୟୋ ଭଗବାନ୍ ବ୍ରହ୍ମନ୍ ଦକ୍ଷୋ ବା ବ୍ରହ୍ମଣଃ ସୁତଃ ।

ଯଥା ସସର୍ଜ ଭୂତାନି ଲବ୍ଧ୍ୱା ଭାର୍ୟାଂ ଚ ମାନବୀମ୍ ॥ ୫॥

ସେହିପରି ଭଗବାନ୍ ରୁଚି ଏବଂ ବ୍ରହ୍ମାଙ୍କର ପୁତ୍ର ଦକ୍ଷ ପ୍ରଜାପତି ମଧ୍ୟ ମନୁପୁତ୍ରୀମାନଙ୍କର ପାଣିଗ୍ରହଣ ଗ୍ରହଣ କରି ସନ୍ତାନ ଭାବରେ କାହାକୁ-କାହାକୁ ଉତ୍ପନ୍ନ କରିଥିଲେ, ସେହି ସବୁ ଚରିତ ମଧ୍ୟ ମୋତେ ଶୁଣାନ୍ତୁ |

ମୈତ୍ରେୟ ଉବାଚ

ପ୍ରଜାଃ ସୃଜେତି ଭଗବାନ୍ କର୍ଦମୋ ବ୍ରହ୍ମଣୋଦିତଃ ।

ସରସ୍ୱତ୍ୟାଂ ତପସ୍ତେପେ ସହସ୍ରାଣାଂ ସମା ଦଶ ॥ ୬॥

ମୈତ୍ରେୟ କହିଲେ – ହେ ବିଦୁର ! ବ୍ରହ୍ମାଜୀ ଯେତେବେଳେ ଭଗବାନ୍ କର୍ଦମଙ୍କୁ ସନ୍ତାନ ଉତ୍ପତ୍ତି କରିବାକୁ ଆଜ୍ଞା ଦେଲେ, ସେତେବେଳେ ସେ ଦଶ ବର୍ଷ କାଳ ସରସ୍ବତୀ ନଦୀର ତଟଦେଶରେ ତପସ୍ୟା କରିଥିଲେ |

ତତଃ ସମାଧିୟୁକ୍ତେନ କ୍ରିୟାୟୋଗେନ କର୍ଦମଃ ।

ସମ୍ପ୍ରପେଦେ ହରିଂ ଭକ୍ତ୍ୟା ପ୍ରପନ୍ନବରଦାଶୁଷମ୍ ॥ ୭॥

ଏକାଗ୍ର ଚିତ୍ତରେ ପ୍ରେମପୂର୍ବକ ସେ ପୂଜନ-ଉପଚାର ଦ୍ବାରା ଶରଣାଗତ-ବରଦାୟକ ଶ୍ରୀହରିଙ୍କର ଆରାଧନା କରିବାରେ ଲାଗିଲେ |

ତାବତ୍ପ୍ରସନ୍ନୋ ଭଗବାନ୍ ପୁଷ୍କରାକ୍ଷଃ କୃତେ ଯୁଗେ ।

ଦର୍ଶୟାମାସ ତଂ କ୍ଷତ୍ତଃ ଶାବ୍ଦଂ ବ୍ରହ୍ମ ଦଧଦ୍ୱପୁଃ ॥ ୮॥

ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ସତ୍ୟଯୁଗର ଆରମ୍ଭରେ କମଳନୟନ ଭଗବାନ ଶ୍ରୀହରି ତାଙ୍କୁ ନିଜ ଶବ୍ଦବ୍ରହ୍ମମୟ ସ୍ବରୂପରେ ମୂର୍ତ୍ତିମାନ ହୋଇ ଦର୍ଶନ ଦେଲେ |

ସ ତଂ ବିରଜମର୍କାଭଂ ସିତପଦ୍ମୋତ୍ପଲସ୍ରଜମ୍ ।

ସ୍ନିଗ୍ଦ୍ଧନୀଲାଲକବ୍ରାତବକ୍ତ୍ରାବ୍ଜଂ ବିରଜୋଽମ୍ବରମ୍ ॥ ୯॥

ଭଗବାନଙ୍କର ସେହି ଭବ୍ୟ ମୂର୍ତ୍ତି ସୂର୍ଯ୍ୟ ସଦୃଶ ତେଜୋମୟ ଥିଲା | ସେ ଗଳାରେ ଶ୍ବେତ କମଳ ଓ କୁମୁଦ ପୁଷ୍ପର ମାଳ ଧାରଣ କରିଥିଲେ, ତାଙ୍କର ମୁଖକମଳ ନୀଳ-କୁଞ୍ଚିତ ଅଳକାବଳୀରେ ସୁଶୋଭିତ ଥିଲା ଏବଂ ସେ ନିର୍ମଳ ବସ୍ତ୍ର ଧାରଣ କରିଥିଲେ |

କିରୀଟିନଂ କୁଣ୍ଡଲିନଂ ଶଙ୍ଖଚକ୍ରଗଦାଧରମ୍ ।

ଶ୍ୱେତୋତ୍ପଲକ୍ରୀଡନକଂ ମନଃସ୍ପର୍ଶସ୍ମିତେକ୍ଷଣମ୍ ॥ ୧୦॥

ମସ୍ତକରେ ଝଲମଲ ହେଉଥିବା ସୁବର୍ଣ୍ଣ ମୁକୁଟ, କାନରେ ଚକମକ କରୁଥିବା କୁଣ୍ଡଳ ଏବଂ କର-କମଳରେ ଶଂଖ, ଚକ୍ର, ଗଦା ଆଦି ଆୟୁଧ ବିରାଜମାନ କରୁଥିଲା | ତାଙ୍କର ଗୋଟିଏ ହାତରେ କ୍ରୀଡା ଉପଲକ୍ଷେ ଶ୍ବେତ କମଳ ସୁଶୋଭିତ ଥିଲା | ପ୍ରଭୁଙ୍କର ମଧୁର-ସ୍ମିତହାସ୍ୟଯୁକ୍ତ ଚାହାଣୀ ଚିତ୍ତକୁ ହରଣ କରୁଥିଲା |

ବିନ୍ୟସ୍ତଚରଣାମ୍ଭୋଜମଂସଦେଶେ ଗରୁତ୍ମତଃ ।

ଦୃଷ୍ଟ୍ୱା ଖେଽବସ୍ଥିତଂ ବକ୍ଷଃଶ୍ରିୟଂ କୌସ୍ତୁଭକନ୍ଧରମ୍ ॥ ୧୧॥

ଜାତହର୍ଷୋଽପତନ୍ମୂର୍ଧ୍ନା କ୍ଷିତୌ ଲବ୍ଧମନୋରଥଃ ।

ଗୀର୍ଭିସ୍ତ୍ୱଭ୍ୟଗୃଣାତ୍ପ୍ରୀତିସ୍ୱଭାବାତ୍ମା କୃତାଞ୍ଜଲିଃ ॥ ୧୨॥

ତାଙ୍କର ଚରଣକମଳ ଗରୁଡ଼ଙ୍କ କାନ୍ଧରେ ବିରାଜମାନ କରୁଥିଲା | ତାଙ୍କର ବକ୍ଷସ୍ଥଳ ଶ୍ରୀଲକ୍ଷ୍ମୀ ଏବଂ କଣ୍ଠଦେଶ କୌସ୍ତୁଭମଣିରେ ସୁଶୋଭିତ ଥିଲା | ପ୍ରଭୁଙ୍କର ଏହି ଆକାଶସ୍ଥିତ ମନୋହର ମୂର୍ତ୍ତିର ଦର୍ଶନ କରି କର୍ଦମଙ୍କ ମନରେ ଅତ୍ୟଧିକ ହର୍ଷ ଜାତ ହେଲା; ସେ ଭାବିଲେ ତାଙ୍କର ସବୁ କାମନା ପୂର୍ଣ୍ଣ ହୋଇଗଲା | ସାନନ୍ଦ ହୃଦୟରେ ଭୂଇଁରେ ମସ୍ତକ ଧାରଣ କରି ସେ ପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ଏବଂ ପ୍ରେମପ୍ରବଣ ଚିତ୍ତରେ ହାତ ଯୋଡି ସୁମଧୁର ବାଣୀରେ ସେ ତାଙ୍କର ସ୍ତୁତି କରିବାରେ ଲାଗିଲେ |

ଋଷିରୁବାଚ

ଜୁଷ୍ଟଂ ବତାଦ୍ୟାଖିଲସତ୍ତ୍ୱରାଶେଃ

ସାଂସିଦ୍ଧ୍ୟମକ୍ଷ୍ଣୋସ୍ତବ ଦର୍ଶନାନ୍ନଃ ।

ଯଦ୍ଦର୍ଶନଂ ଜନ୍ମଭିରୀଡ୍ୟ ସଦ୍ଭି-

ରାଶାସତେ ଯୋଗିନୋ ରୂଢୟୋଗାଃ ॥ ୧୩॥

କର୍ଦମ କହିଲେ – ହେ ସ୍ତୁତିଯୋଗ୍ୟ ପରମେଶ୍ବର ! ଆପଣ ସମ୍ପୂର୍ଣ୍ଣ ସତ୍ତ୍ବଗୁଣର ଆଧାର ଅଟନ୍ତି | ଯୋଗୀଜନ ଉତ୍ତରୋତ୍ତର ଶୁଭ ଯୋନିମାନଙ୍କରେ ଜନ୍ମ ଗ୍ରହଣ କରି ଅନ୍ତତଃ ଯୋଗସ୍ଥ ହେବା ପରେ ଆପଣଙ୍କ ଦର୍ଶନର ଇଚ୍ଛା କରନ୍ତି; ଆଜି ଆପଣଙ୍କର ସେହି ଦର୍ଶନ ପ୍ରାପ୍ତ କରି ମୋତେ ନେତ୍ରର ଫଳ ମିଳିଗଲା |

ଯେ ମାୟଯା ତେ ହତମେଧସସ୍ତ୍ୱ-

ତ୍ପାଦାରବିନ୍ଦଂ ଭବସିନ୍ଧୁପୋତମ୍ ।

ଉପାସତେ କାମଲବାୟ ତେଷାଂ

ରାସୀଶ କାମାନ୍ନିରୟେଽପି ଯେ ସ୍ୟୁଃ ॥ ୧୪॥

ଭବସାଗରକୁ ପାର କରିବା ପାଇଁ ଆପଣଙ୍କର ଚରଣକମଳ ନୌକା ଅଟେ | ଯେଉଁମାନଙ୍କର ବୁଦ୍ଧି ଆପଣଙ୍କ ମାୟାର ପ୍ରଭାବରେ ନଷ୍ଟ ହୋଇଯାଇ ଥାଏ, ସେମାନେ ସେହି ସବୁ ତୁଚ୍ଛ କ୍ଷଣିକ ବିଷୟ-ସୁଖ ନିମନ୍ତେ, ଯାହା ନର୍କରେ ମଧ୍ୟ ମିଳିଥାଏ, ଆପଣଙ୍କର ସେହି ଚରଣର ଆଶ୍ରୟ ଗ୍ରହଣ କରନ୍ତି; କିନ୍ତୁ ସ୍ବାମିନ୍ ! ଆପଣ ତ ସେମାନଙ୍କୁ ମଧ୍ୟ ସେହି ବିଷୟ-ଭୋଗ ପ୍ରଦାନ କରିଥାଆନ୍ତି |

ତଥା ସ ଚାହଂ ପରିବୋଢୁକାମଃ

ସମାନଶୀଲାଂ ଗୃହମେଧଧେନୁମ୍ ।

ଉପେୟିବାନ୍ ମୂଲମଶେଷମୂଲଂ

ଦୁରାଶୟଃ କାମଦୁଘାଙ୍ଘ୍ରିପସ୍ୟ ॥ ୧୫॥

ପ୍ରଭୁ ! ଆପଣ କଳ୍ପବୃକ୍ଷ ଅଟନ୍ତି | ଆପଣଙ୍କ ଚରଣ ସମସ୍ତ ମନୋରଥ ପୂର୍ଣ୍ଣ କରିବାକୁ ସମର୍ଥ | ମୋର ହୃଦୟ କାମ-କଳୁଷିତ ଅଟେ | ମୁଁ ନିଜ ସ୍ବଭାବ ଅନୁରୂପ ଏବଂ ଗୃହସ୍ଥଧର୍ମ ପାଳନ କରିବାରେ ସହାୟକ ଗୋଟିଏ ଶୀଳବତୀ କନ୍ୟା ସହିତ ବିବାହ କରିବା ନିମନ୍ତେ ଆପଣଙ୍କ ଚରଣକମଳର ଶରଣରେ ଆସିଛି |

ପ୍ରଜାପତେସ୍ତେ ବଚସାଧୀଶ ତନ୍ତ୍ୟା

ଲୋକଃ କିଲାୟଂ କାମହତୋଽନୁବଦ୍ଧଃ ।

ଅହଂ ଚ ଲୋକାନୁଗତୋ ବହାମି

ବଲିଂ ଚ ଶୁକ୍ଲାନିମିଷାୟ ତୁଭ୍ୟମ୍ ॥ ୧୬॥

ସର୍ବେଶ୍ବର ! ଆପଣ ସମ୍ପୂର୍ଣ୍ଣ ଲୋକର ଅଧିପତି ଅଟନ୍ତି | ନାନା ପ୍ରକାରର କାମନାରେ ଛନ୍ଦି ହୋଇଯାଇ ଥିବା ଏହି ସଂସାର ଆପଣଙ୍କର ବେଦବାଣୀ-ରୂପ ଡୋରିରେ ବନ୍ଧା ହୋଇଛି | ହେ ଧର୍ମମୂର୍ତ୍ତି ! ତାହାର ଅନୁଗମନ କରିବାକୁ ଯାଇ ମୁଁ ମଧ୍ୟ କାଳରୂପ ଆପଣଙ୍କୁ ଆଜ୍ଞାପାଳନରୂପ ପୂଜା-ଉପହାର ଆଦି ସମର୍ପିତ କରୁଛି |

ଲୋକାଂଶ୍ଚ ଲୋକାନୁଗତାନ୍ ପଶୂଂଶ୍ଚ

ହିତ୍ୱା ଶ୍ରିତାସ୍ତେ ଚରଣାତପତ୍ରମ୍ ।

ପରସ୍ପରଂ ତ୍ୱଦ୍ଗୁଣବାଦସୀଧୁ-

ପୀୟୂଷନିର୍ୟାପିତଦେହଧର୍ମାଃ ॥ ୧୭॥

ହେ ପ୍ରଭୁ ! ଆପଣଙ୍କର ଭକ୍ତଜନ ବିଷୟାସକ୍ତ ପୁରୁଷ ଏବଂ ସେମାନଙ୍କ ମାର୍ଗର ଅନୁସରଣ କରୁଥିବା ମୋ ପରି କର୍ମଜଡ ପଶୁମାନଙ୍କୁ କୌଣସି ମହତ୍ତ୍ବ ନ ଦେଇ ଆପଣଙ୍କ ଚରଣ ଛତ୍ରଛାୟାର ହିଁ ଆଶ୍ରୟ ଗ୍ରହଣ କରିଥାଆନ୍ତି ତଥା ପରସ୍ପର ଆପଣଙ୍କ ଗୁଣଗାନରୂପ ମାଦକ ସୁଧା ହିଁ ପାନ କରି ନିଜ କ୍ଷୁଧା-ପିପାସାଦି ଦେହଧର୍ମକୁ ଶାନ୍ତ କରିଥାଆନ୍ତି |

ନ ତେଽଜରାକ୍ଷଭ୍ରମିରାୟୁରେଷାଂ

ତ୍ରୟୋଦଶାରଂ ତ୍ରିଶତଂ ଷଷ୍ଟିପର୍ୱ ।

ଷଣ୍ନେମ୍ୟନନ୍ତଚ୍ଛଦି ଯତ୍ତ୍ରିଣାଭି-

କରାଲସ୍ରୋତୋ ଜଗଦାଚ୍ଛିଦ୍ୟ ଧାବତ୍ ॥ ୧୮॥

ହେ ପ୍ରଭୁ ! ଏହି କାଳଚକ୍ର ଅତ୍ୟନ୍ତ ବଳବାନ ଅଟେ | ସାକ୍ଷାତ ବ୍ରହ୍ମ ଏହାର ଘୂର୍ଣ୍ଣନ କେନ୍ଦ୍ର (ଅଖ) ଅଟନ୍ତି, ଅଧିକ ମାସ ସହିତ ତେର ମାସ ଏହାର ଅର ଅଟନ୍ତି, ତିନି ଶହ ଷାଠିଏ ଦିନ ଜୋଡ ଅଟନ୍ତି, ଛଅ ଋତୁ ଏହାର ବାହ୍ୟଧାର ଅଟନ୍ତି, ଅନନ୍ତ କ୍ଷଣ-ପଳ ଆଦି ଏଥିରେ ପତ୍ରକାର ଧାର ସଦୃଶ ତଥା ତିନି ଚାତୁର୍ମାସ ଏହାର ଆଧାରଭୂତ ନାଭି ଅଟନ୍ତି |

ଏକଃ ସ୍ୱୟଂ ସନ୍ ଜଗତଃ ସିସୃକ୍ଷୟା

ଦ୍ୱିତୀୟଯାଽଽତ୍ମନ୍ନଧିୟୋଗମାୟଯା ।

ସୃଜସ୍ୟଦଃ ପାସି ପୁନର୍ଗ୍ରସିଷ୍ୟସେ

ଯଥୋର୍ଣନାଭିର୍ଭଗବନ୍ ସ୍ୱଶକ୍ତିଭିଃ ॥ ୧୯॥

ଭଗବନ୍ ! ବୁଢିଆଣି ଯେପରି ସ୍ବୟଂ ଜାଲ ବିସ୍ତାର କରି ନିଜର ରକ୍ଷା କରିଥାଏ ଏବଂ ଶେଷରେ ତାହାକୁ ନିଜର ଉଦରସ୍ଥ କରି ନେଇଥାଏ, ସେହିପରି ଆପଣ ଏକାକୀ ହିଁ ଜଗତର ରଚନା କରିବା ନିମନ୍ତେ ନିଜଠାରୁ ଅଭିନ୍ନ ନିଜ ଯୋଗମାୟାକୁ ସ୍ବୀକାର କରି ତଦ୍ବାରା ଅଭିବ୍ୟକ୍ତ ହୋଇ ନିଜ ସତ୍ତ୍ଵାଦି ଶକ୍ତିମାନଙ୍କ ଦ୍ବାରା ସ୍ବୟଂ ହିଁ ଜଗତର ରଚନା, ପାଳନ ଏବଂ ସଂହାର କରିଥାଆନ୍ତି |

ନୈତଦ୍ବତାଧୀଶ ପଦଂ ତବେପ୍ସିତଂ

ଯନ୍ମାୟଯା ନସ୍ତନୁଷେ ଭୂତସୂକ୍ଷ୍ମମ୍ ।

ଅନୁଗ୍ରହାୟାସ୍ତ୍ୱପି ଯର୍ହି ମାୟଯା

ଲସତ୍ତୁଲସ୍ୟା ତନୁବା ବିଲକ୍ଷିତଃ ॥ ୨୦॥

ହେ ପ୍ରଭୁ ! ଏହି ସମୟରେ ଆପଣ ମୋତେ ନିଜର ତୁଳସୀମାଳମଣ୍ଡିତ, ଅମାୟିକ ପରିଦୃଶ୍ୟ ସଗୁଣମୂର୍ତ୍ତିରେ ଦର୍ଶନ ଦେଇଛନ୍ତି | ଆମ୍ଭମାନଙ୍କ ପରି ଭକ୍ତମାନଙ୍କୁ ଆପଣ ଯେଉଁ ଶବ୍ଦାଦି ବିଷୟ-ସୁଖ ପ୍ରଦାନ କରନ୍ତି, ତାହା ମାୟିକ ହୋଇଥିବା କାରଣରୁ ଯଦିଓ ଆପଣଙ୍କର ପସନ୍ଦ ନୁହେଁ, ତଥାପି ପରିଣାମରେ ଆମର ଶୁଭ କରିବା ନିମନ୍ତେ ତାହା ଆମକୁ ପ୍ରାପ୍ତ ହେଉ |

ତଂ ତ୍ୱାନୁଭୂତ୍ୟୋପରତକ୍ରିୟାର୍ଥଂ

ସ୍ୱମାୟଯା ବର୍ତିତଲୋକତନ୍ତ୍ରମ୍ ।

ନମାମ୍ୟଭୀକ୍ଷ୍ଣଂ ନମନୀୟପାଦ-

ସରୋଜମଲ୍ପୀୟସି କାମବର୍ଷମ୍ ॥ ୨୧॥

ହେ ନାଥ ! ସ୍ବରୂପତଃ ନିଷ୍କ୍ରିୟ ହୋଇ ମଧ୍ୟ ଆପଣ ମାୟା ଦ୍ବାରା ସଂସାରର ବ୍ୟବହାର ଚଳାଉଥିବା ତଥା ସାମାନ୍ୟ ଉପାସନା କରୁଥିବା ବ୍ୟକ୍ତି ଉପରେ ତାଙ୍କର ସମସ୍ତ ଅଭିଳଷିତ ବସ୍ତୁ ବର୍ଷା କରିଥାଆନ୍ତି | ଆପଣଙ୍କର ଚରଣକମଳ ପରମ ବନ୍ଦନୀୟ ଅଟେ; ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି |

ଋଷିରୁବାଚ

ଇତ୍ୟବ୍ୟଲୀକଂ ପ୍ରଣୁତୋଽବ୍ଜନାଭ-

ସ୍ତମାବଭାଷେ ବଚସାମୃତେନ ।

ସୁପର୍ଣପକ୍ଷୋପରି ରୋଚମାନଃ

ପ୍ରେମସ୍ମିତୋଦ୍ୱୀକ୍ଷଣବିଭ୍ରମଦ୍ଭ୍ରୂଃ ॥ ୨୨॥

ମୈତ୍ରେୟ କହୁଛନ୍ତି – ପ୍ରଣୟହାସ୍ୟଯୁକ୍ତ ଚାହାଣୀରେ ଭଗବାନଙ୍କର ଭୃକୁଟି ଚଞ୍ଚଳ ହେଉଥିଲା; ସେ ଗରୁଡ଼ଙ୍କ କାନ୍ଧରେ ବିରାଜମାନ କରିଥିଲେ | କର୍ଦମ ମୁନି ଯେତେବେଳେ ନିଷ୍କପଟ ଭାବରେ ତାଙ୍କର ଏହିପରି ସ୍ତୁତି କଲେ, ସେତେବେଳେ ସେ ନିଜର ଅମୃତମୟ ବାଣୀରେ ତାଙ୍କୁ କହିଲେ -

ଶ୍ରୀଭଗବାନୁବାଚ

ବିଦିତ୍ୱା ତବ ଚୈତ୍ୟଂ ମେ ପୁରୈବ ସମୟୋଜି ତତ୍ ।

ଯଦର୍ଥମାତ୍ମନିୟମୈସ୍ତ୍ୱୟୈବାହଂ ସମର୍ଚିତଃ ॥ ୨୩॥

ଶ୍ରୀଭଗବାନ କହିଲେ – ଯାହା ପାଇଁ ତୁମେ ଆତ୍ମସଂଯମ ଆଦି ଦ୍ବାରା ମୋର ଆରାଧନା କରୁଅଛ, ତୁମ ହୃଦୟର ଭାବକୁ ଜାଣି ମୁଁ ପୂର୍ବରୁ ହିଁ ତାର ବ୍ୟବସ୍ଥା କରିଦେଇଛି |

ନ ବୈ ଜାତୁ ମୃଷୈବ ସ୍ୟାତ୍ପ୍ରଜାଧ୍ୟକ୍ଷ ମଦର୍ହଣମ୍ ।

ଭବଦ୍ୱିଧେଷ୍ୱତିତରାଂ ମୟି ସଙ୍ଗୃଭିତାତ୍ମନାମ୍ ॥ ୨୪॥

ହେ ପ୍ରଜାପତି ! ମୋ ଆରାଧନା ତ କେବେ ବି ନିଷ୍ଫଳ ହୁଏନାହିଁ; ପୁଣି ଯେଉଁମାନଙ୍କର ଚିତ୍ତ ନିରନ୍ତର ଏକାନ୍ତରୂପେ ମୋଠାରେ ହିଁ ସଂଲଗ୍ନ ରହିଥାଏ, ତୁମ୍ଭମାନଙ୍କ ପରି ସେହି ମହାତ୍ମାମାନଙ୍କ ଦ୍ବାରା କରାଯାଉଥିବା ଉପାସନାର ତ ଆହୁରି ଅଧିକ ଫଳ ମିଳିଥାଏ |

ପ୍ରଜାପତିସୁତଃ ସମ୍ରାଣ୍ମନୁର୍ୱିଖ୍ୟାତମଙ୍ଗଲଃ ।

ବ୍ରହ୍ମାବର୍ତଂ ଯୋଽଧିବସନ୍ ଶାସ୍ତି ସପ୍ତାର୍ଣବାଂ ମହୀମ୍ ॥ ୨୫॥

ପ୍ରସିଦ୍ଧ ଯଶସ୍ବୀ ସମ୍ରାଟ ସ୍ବାୟମ୍ଭୂବ ମନୁ ବ୍ରହ୍ମାବର୍ତ୍ତରେ ରହି ସପ୍ତସମୁଦ୍ରବିଶିଷ୍ଟ ପୃଥିବୀର ଶାସନ କରୁଛନ୍ତି |

ସ ଚେହ ବିପ୍ର ରାଜର୍ଷିର୍ମହିଷ୍ୟା ଶତରୂପୟା ।

ଆୟାସ୍ୟତି ଦିଦୃକ୍ଷୁସ୍ତ୍ୱାଂ ପରଶ୍ୱୋ ଧର୍ମକୋବିଦଃ ॥ ୨୬॥

ହେ ବିପ୍ରବର ! ସେହି ଧର୍ମଜ୍ଞ ମହାରାଜ ମହାରାଣୀ ଶତରୂପାଙ୍କ ସହିତ ତୁମକୁ ସାକ୍ଷାତ କରିବା ପାଇଁ ପରଦିନ ଏଠାକୁ ଆସିବେ |

ଆତ୍ମଜାମସିତାପାଙ୍ଗୀଂ ବୟଃଶୀଲଗୁଣାନ୍ୱିତାମ୍ ।

ମୃଗୟନ୍ତୀଂ ପତିଂ ଦାସ୍ୟତ୍ୟନୁରୂପାୟ ତେ ପ୍ରଭୋ ॥ ୨୭॥

ତାଙ୍କର ଏକ ରୂପ-ଯୌବନ, ଶୀଳ ଏବଂ ଗୁଣ ସମ୍ପନ୍ନ ଶ୍ୟାମଲୋଚନା କନ୍ୟା ଅଛି, ଯିଏ ଏବେ ବିବାହଯୋଗ୍ୟ ଅଟେ | ହେ ପ୍ରଜାପତି ! ତୁମେ ପୂର୍ଣ୍ଣତଃ ତାଙ୍କର ଯୋଗ୍ୟ ଅଟ; ସେଥିପାଇଁ ସେମାନେ ତୁମକୁ ହିଁ ସେହି କନ୍ୟା ଅର୍ପଣ କରିବେ |

ସମାହିତଂ ତେ ହୃଦୟଂ ଯତ୍ରେମାନ୍ ପରିବତ୍ସରାନ୍ ।

ସା ତ୍ୱାଂ ବ୍ରହ୍ମନ୍ ନୃପବଧୂଃ କାମମାଶୁ ଭଜିଷ୍ୟତି ॥ ୨୮॥

ବ୍ରହ୍ମନ୍ ! ଗତ ଅନେକ ବର୍ଷ ଧରି ତୁମର ଚିତ୍ତ ଯେପରି ପତ୍ନୀ ପାଇଁ ସମାହିତ ରହିଥିଲା, ଏବେ ଅତି ଶୀଘ୍ର ସେହି ରାଜକନ୍ୟା ସେପରି ପତ୍ନୀ ଭାବରେ ତୁମର ଯଥେଷ୍ଟ ସେବା କରିବେ |

ଯା ତ ଆତ୍ମଭୃତଂ ବୀର୍ୟଂ ନବଧା ପ୍ରସବିଷ୍ୟତି ।

ବୀର୍ୟେ ତ୍ୱଦୀୟେ ଋଷୟ ଆଧାସ୍ୟନ୍ତ୍ୟଞ୍ଜସାଽଽତ୍ମନଃ ॥ ୨୯॥

ସେ ତୁମର ବୀର୍ଯ୍ୟ ଗର୍ଭରେ ଧାରଣ କରି ନଅଟି କନ୍ୟା ସନ୍ତାନ ଉତ୍ପନ୍ନ କରିବେ ଏବଂ ପରେ ତୁମର ସେହି କନ୍ୟାମାନଙ୍କଠାରୁ ଲୋକରୀତି ଅନୁସାରେ ମରୀଚି ଆଦି ଋଷିଗଣ ପୁତ୍ର ଉତ୍ପନ୍ନ କରିବେ |

ତ୍ୱଂ ଚ ସମ୍ୟଗନୁଷ୍ଠାୟ ନିଦେଶଂ ମ ଉଶତ୍ତମଃ ।

ମୟି ତୀର୍ଥୀକୃତାଶେଷକ୍ରିୟାର୍ଥୋ ମାଂ ପ୍ରପତ୍ସ୍ୟସେ ॥ ୩୦॥

ତୁମେ ମଧ୍ୟ ମୋର ଆଜ୍ଞା ସମୁଚିତ ପାଳନ କରି ଶୁଦ୍ଧଚିତ୍ତ ହୋଇଯିବ ଏବଂ ତାପରେ ନିଜର ସବୁ କର୍ମଫଳ ମୋତେ ଅର୍ପଣ କରି ମୋତେ ହିଁ ପ୍ରାପ୍ତ ହେବ |

କୃତ୍ୱା ଦୟାଂ ଚ ଜୀବେଷୁ ଦତ୍ତ୍ୱା ଚାଭୟମାତ୍ମବାନ୍ ।

ମୟ୍ୟାତ୍ମାନଂ ସହ ଜଗଦ୍ଦ୍ରକ୍ଷ୍ୟସ୍ୟାତ୍ମନି ଚାପି ମାମ୍ ॥ ୩୧॥

ଜୀବ ପ୍ରତି ଦୟା କରି ତୁମେ ଆତ୍ମଜ୍ଞାନ ଲାଭ କରିବ ଏବଂ ତାପରେ ସମସ୍ତଙ୍କୁ ଅଭୟଦାନ ଦେଇ ନିଜ ସହିତ ସମ୍ପୂର୍ଣ୍ଣ ଜଗତକୁ ମୋଠାରେ ଏବଂ ମୋତେ ନିଜଠାରେ ସ୍ଥିତ ଦେଖିବ |

ସହାହଂ ସ୍ୱାଂଶକଲୟା ତ୍ୱଦ୍ୱୀର୍ୟେଣ ମହାମୁନେ ।

ତବ କ୍ଷେତ୍ରେ ଦେବହୂତ୍ୟାଂ ପ୍ରଣେଷ୍ୟେ ତତ୍ତ୍ୱସଂହିତାମ୍ ॥ ୩୨॥

ହେ ମହାମୁନି ! ମୁଁ ମଧ୍ୟ ତୁମ ବୀର୍ଯ୍ୟ ଦ୍ବାରା ତୁମ ପତ୍ନୀ ଦେବହୂତିଙ୍କ ଗର୍ଭରୁ ନିଜ ଅଂଶ-କଳା ରୂପରେ ଅବତୀର୍ଣ୍ଣ ହୋଇ ସାଂଖ୍ୟଶାସ୍ତ୍ରର ରଚନା କରିବି |

ମୈତ୍ରେୟ ଉବାଚ

ଏବଂ ତମନୁଭାଷ୍ୟାଥ ଭଗବାନ୍ ପ୍ରତ୍ୟଗକ୍ଷଜଃ ।

ଜଗାମ ବିନ୍ଦୁସରସଃ ସରସ୍ୱତ୍ୟା ପରିଶ୍ରିତାତ୍ ॥ ୩୩॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! କର୍ଦମଋଷିଙ୍କୁ ଏପରି ସମ୍ଭାଷଣ କରି, ଇନ୍ଦ୍ରିୟମାନେ ଅନ୍ତର୍ମୁଖୀ ହେଲେ ଯିଏ ପ୍ରକଟ ହୋଇଥାଆନ୍ତି ସେହି ଶ୍ରୀହରି ସରସ୍ବତୀ ନଦୀ-ପରିବେଷ୍ଟିତ ବିନ୍ଦୁସର ତୀର୍ଥରୁ (ଯେଉଁଠାରେ କର୍ଦମ ଋଷି ତପସ୍ୟା କରୁଥିଲେ) ନିଜ ଲୋକକୁ ଚାଲିଗଲେ |

ନିରୀକ୍ଷତସ୍ତସ୍ୟ ଯୟାବଶେଷ-

ସିଦ୍ଧେଶ୍ୱରାଭିଷ୍ଟୁତସିଦ୍ଧମାର୍ଗଃ ।

ଆକର୍ଣୟନ୍ ପତ୍ରରଥେନ୍ଦ୍ରପକ୍ଷୈ-

ରୁଚ୍ଚାରିତଂ ସ୍ତୋମମୁଦୀର୍ଣସାମ ॥ ୩୪॥

ସବୁ ସିଦ୍ଧେଶ୍ବର ଭଗବାନଙ୍କ ସିଦ୍ଧମାର୍ଗ (ବୈକୁଣ୍ଠମାର୍ଗ) ର ପ୍ରଶଂସା କରିଥାଆନ୍ତି | ଦେଖୁ ଦେଖୁ ସେ କର୍ଦମଙ୍କ ଆଖି ଆଗରୁ ନିଜ ଲୋକକୁ ପ୍ରସ୍ଥାନ କଲେ | ସେହି ସମୟରେ ସେ ଗରୁଡ଼ଙ୍କ ପକ୍ଷରୁ ସାମବେଦର ଆଧାରଭୂତା ଯେଉଁ ଋଚାମାନେ ନିର୍ଗତ ହେଉଥିଲେ, ତାହା ଶୁଣି ଶୁଣି ଯାଉଥିଲେ |

ଅଥ ସମ୍ପ୍ରସ୍ଥିତେ ଶୁକ୍ଲେ କର୍ଦମୋ ଭଗବାନ୍ ଋଷିଃ ।

ଆସ୍ତେ ସ୍ମ ବିନ୍ଦୁସରସି ତଂ କାଲଂ ପ୍ରତିପାଲୟନ୍ ॥ ୩୫॥

ହେ ବିଦୁର ! ଶ୍ରୀହରି ସେଠାରୁ ଚାଲିଯିବା ପରେ ସେ କହିଥିବା ସମୟର ପ୍ରତୀକ୍ଷାରେ କର୍ଦମ ମୁନି ବିନ୍ଦୁ ସରୋବର ନିକଟରେ ଅଟକି ରହିଲେ |

ମନୁଃ ସ୍ୟନ୍ଦନମାସ୍ଥାୟ ଶାତକୌମ୍ଭପରିଚ୍ଛଦମ୍ ।

ଆରୋପ୍ୟ ସ୍ୱାଂ ଦୁହିତରଂ ସଭାର୍ୟଃ ପର୍ୟଟନ୍ ମହୀମ୍ ॥ ୩୬॥

ତସ୍ମିନ୍ ସୁଧନ୍ୱନ୍ନହନି ଭଗବାନ୍ ଯତ୍ସମାଦିଶତ୍ ।

ଉପାୟାଦାଶ୍ରମପଦଂ ମୁନେଃ ଶାନ୍ତବ୍ରତସ୍ୟ ତତ୍ ॥ ୩୭॥

ଏଣେ ମନୁ ମଧ୍ୟ ମହାରାଣୀ ଶତରୂପାଙ୍କ ସହିତ ସୁବର୍ଣ୍ଣଜଟିତ ରଥ ଆରୋହଣ କରି ତଥା ନିଜ କନ୍ୟାକୁ ସେଥିରେ ବସାଇ ପୃଥିବୀପୃଷ୍ଠରେ ବିଚରଣ କରି କରି, ଯେଉଁ ଦିନ ଭଗବାନ କହିଥିଲେ, ସେହି ଦିନ ଶାନ୍ତିପରାୟଣ ମହର୍ଷି କର୍ଦମଙ୍କ ଆଶ୍ରମରେ ପହଞ୍ଚିଲେ |

ଯସ୍ମିନ୍ ଭଗବତୋ ନେତ୍ରାନ୍ନ୍ୟପତନ୍ନଶ୍ରୁବିନ୍ଦବଃ ।

କୃପୟା ସମ୍ପରୀତସ୍ୟ ପ୍ରପନ୍ନେଽର୍ପିତୟା ଭୃଶମ୍ ॥ ୩୮॥

ତଦ୍ୱୈ ବିନ୍ଦୁସରୋ ନାମ ସରସ୍ୱତ୍ୟା ପରିପ୍ଲୁତମ୍ ।

ପୁଣ୍ୟଂ ଶିବାମୃତଜଲଂ ମହର୍ଷିଗଣସେବିତମ୍ ॥ ୩୯॥

ସରସ୍ବତୀ ଜଳରେ ପରିପୂର୍ଣ୍ଣ ବିନ୍ଦୁସରୋବର ସେହି ସ୍ଥାନ ଅଟେ, ଯେଉଁଠାରେ ନିଜ ଶରଣାଗତ ଭକ୍ତ କର୍ଦମଙ୍କ ପ୍ରତି ଉତ୍ପନ୍ନ ହୋଇଥିବା କରୁଣାରେ ବଶୀଭୂତ ହୋଇ ଭଗବାନଙ୍କ ନେତ୍ରରୁ ଅଶ୍ରୁବିନ୍ଦୁ ଝରିଥିଲା | ଏହି ତୀର୍ଥ ଅତ୍ୟନ୍ତ ପବିତ୍ର ଅଟେ, ଏହାର ଜଳ କଲ୍ୟାଣମୟ ଏବଂ ଅମୃତ ତୁଲ୍ୟ ମଧୁର ଅଟେ ତଥା ମହର୍ଷିଗଣ ସଦା-ସର୍ବଦା ଏହାର ସେବନ କରିଥାଆନ୍ତି |

ପୁଣ୍ୟଦ୍ରୁମଲତାଜାଲୈଃ କୂଜତ୍ପୁଣ୍ୟମୃଗଦ୍ୱିଜୈଃ ।

ସର୍ୱର୍ତୁଫଲପୁଷ୍ପାଢ୍ୟଂ ବନରାଜିଶ୍ରିୟାନ୍ୱିତମ୍ ॥ ୪୦॥

ସେହି ସମୟରେ ବିନ୍ଦୁସରୋବର ପବିତ୍ର ବୃକ୍ଷ-ଲତାରେ ପରିବେଷ୍ଟିତ ରହିଥିଲା; ଯେଉଁଠି ଭିନ୍ନ ଭିନ୍ନ ଶବ୍ଦ କରୁଥିବା ମୃଗ ଏବଂ ପକ୍ଷୀ ରହୁଥିଲେ | ସେହି ସ୍ଥାନ ସବୁ ଋତୁର ଫଳ-ଫୁଲରେ ସମ୍ପନ୍ନ ଥିଲା ଏବଂ ସୁନ୍ଦର ବନଶ୍ରେଣୀ ତାହାର ଶୋଭା ବୃଦ୍ଧି କରୁଥିଲା |

ମତ୍ତଦ୍ୱିଜଗଣୈର୍ଘୁଷ୍ଟଂ ମତ୍ତଭ୍ରମରବିଭ୍ରମମ୍ ।

ମତ୍ତବର୍ହିନଟାଟୋପମାହ୍ୱୟନ୍ ମତ୍ତକୋକିଲମ୍ ॥ ୪୧॥

ସେଠାରେ ଦଳ-ଦଳ ପକ୍ଷୀ ମଧୁର କଳରବ କରୁଥିଲେ, ମତୁଆଲା ଭ୍ରମରମାନେ ଏଣେତେଣେ ଘୂରି ବୁଲୁଥିଲେ, ଉନ୍ମତ୍ତ ମୟୂରମାନେ ପକ୍ଷ ବିସ୍ତାର କରି ନଟମାନଙ୍କ ପରି ନୃତ୍ୟ କରୁଥିଲେ ଏବଂ କୋକିଳମାନେ କୁହୂ-କୁହୂ ରାବ କରି ସତେ ଯେପରି ପରସ୍ପରକୁ ଡାକୁଥିଲେ |

କଦମ୍ବଚମ୍ପକାଶୋକକରଞ୍ଜବକୁଲାସନୈଃ ।

କୁନ୍ଦମନ୍ଦାରକୁଟଜୈଶ୍ଚୂତପୋତୈରଲଙ୍କୃତମ୍ ॥ ୪୨॥

ସେହି ଆଶ୍ରମ କଦମ୍ବ, ଚମ୍ପକ, ଅଶୋକ, କରଞ୍ଜ, ବକୁଳ, କୁନ୍ଦ, ମନ୍ଦାର ଏବଂ ନବୀନ ଆମ୍ର ବୃକ୍ଷ  ଆଦିରେ ଅଳଂକୃତ ଥିଲା |

କାରଣ୍ଡବୈଃ ପ୍ଲବୈର୍ହଂସୈଃ କୁରରୈର୍ଜଲକୁକ୍କୁଟୈଃ ।

ସାରସୈଶ୍ଚକ୍ରବାକୈଶ୍ଚ ଚକୋରୈର୍ୱଲ୍ଗୁ କୂଜିତମ୍ ॥ ୪୩॥

ସେଠାରେ ଜଳକାଗ, ବତକ ଆଦି ପାଣିରେ ପହଁରୁ ଥିବା ପକ୍ଷୀ ତଥା ହଂସ, କୁରେଇ, ଜଳମୃଗ, ସାରସ, ଚକୋର ଆଦି ପକ୍ଷୀ ମଧୁର ସ୍ବରରେ କଳରବ କରୁଥିଲେ |

ତଥୈବ ହରିଣୈଃ କ୍ରୋଡୈଃ ଶ୍ୱାବିଦ୍ଗବୟକୁଞ୍ଜରୈଃ ।

ଗୋପୁଚ୍ଛୈର୍ହରିଭିର୍ମର୍କୈର୍ନକୁଲୈର୍ନାଭିଭିର୍ୱୃତମ୍ ॥ ୪୪॥

ହରିଣ, ଶୂକର, ଶିଆଳ, ନୀଳଗାଈ, ହାଥୀ, ସିଂହ, ବାନର, ନେଉଳ ଏବଂ କସ୍ତୁରୀମୃଗ ଆଦି ପଶୁମାନଙ୍କ ଦ୍ବାରା ସେହି ଆଶ୍ରମ ପରିବେଷ୍ଟିତ ରହୁଥିଲା |

ପ୍ରବିଶ୍ୟ ତତ୍ତୀର୍ଥବରମାଦିରାଜଃ ସହାତ୍ମଜଃ ।

ଦଦର୍ଶ ମୁନିମାସୀନଂ ତସ୍ମିନ୍ ହୁତହୁତାଶନମ୍ ॥ ୪୫॥

ଆଦିରାଜ ମହାରାଜ ମନୁ ସେହି ଉତ୍ତମ ତୀର୍ଥରେ କନ୍ୟା ସହିତ ପହଞ୍ଚି ଦେଖିଲେ ଯେ ମୁନିବର କର୍ଦମ ଅଗ୍ନିହୋତ୍ର ଆଦି କର୍ମରୁ ନିବୃତ୍ତ ହୋଇ ଉପବେଶନ କରିଛନ୍ତି |

ବିଦ୍ୟୋତମାନଂ ବପୁଷା ତପସ୍ୟୁଗ୍ରୟୁଜା ଚିରମ୍ ।

ନାତିକ୍ଷାମଂ ଭଗବତଃ ସ୍ନିଗ୍ଧାପାଙ୍ଗାବଲୋକନାତ୍ ।

ତଦ୍ୱ୍ୟାହୃତାମୃତକଲାପୀୟୂଷଶ୍ରବଣେନ ଚ ॥ ୪୬॥

ବହୁ ଦିନ ଧରି ଉଗ୍ର ତପସ୍ୟାରତ ରହିଥିବା କାରଣରୁ ତାଙ୍କର ଶରୀର ଅତ୍ୟନ୍ତ ତେଜସ୍ବୀ ଦେଖା ଯାଉଥିଲା ତଥା ଭଗବାନଙ୍କର ସ୍ନେହପୂର୍ଣ୍ଣ ଦୃଷ୍ଟି ଏବଂ ତାଙ୍କ ଦ୍ବାରା ଉଚ୍ଚାରିତ କର୍ଣାମୃତରୂପ ସୁମଧୁର ବଚନ ଶ୍ରବଣ କରି, ଏତେ ଦିନ ଧରି ତପସ୍ୟା କରୁଥିଲେ ବି ସେ ବିଶେଷ ଦୁର୍ବଳ ଦେଖାଯାଉ ନ ଥିଲେ |

ପ୍ରାଂଶୁଂ ପଦ୍ମପଲାଶାକ୍ଷଂ ଜଟିଲଂ ଚୀରବାସସମ୍ ।

ଉପସଂଶ୍ରିତ୍ୟ ମଲିନଂ ଯଥାର୍ହଣମସଂସ୍କୃତମ୍ ॥ ୪୭॥

ତାଙ୍କର ଶରୀର ଦୀର୍ଘ ଥିଲା, ନେତ୍ର କମଳଦଳ ପରି ବିଶାଳ ଏବଂ ମନୋହର ଥିଲା, ମସ୍ତକରେ ଜଟା ସୁଶୋଭିତ ଥିଲା ଏବଂ କଟିଦେଶରେ ସୂତା-ବସ୍ତ୍ର ଥିଲା | ନିକଟରୁ ଦେଖିଲେ ସେ ଶାଣିତ ହୋଇ ନ ଥିବା ମହାମୂଲ୍ୟ ମଣି ପରି ମଳୀନ ଦେଖାଯାଉ ଥିଲେ |

ଅଥୋଟଜମୁପାୟାତଂ ନୃଦେବଂ ପ୍ରଣତଂ ପୁରଃ ।

ସପର୍ୟଯା ପର୍ୟଗୃହ୍ଣାତ୍ପ୍ରତିନନ୍ଦ୍ୟାନୁରୂପୟା ॥ ୪୮॥

ମହାରାଜ ସ୍ବାୟମ୍ଭୂବ ମନୁଙ୍କୁ ନିଜ କୁଟୀରରେ ପ୍ରବେଶ କରି ପ୍ରଣାମ କରୁଥିବା ଦେଖି ସେ ତାଙ୍କୁ ଆଶୀର୍ବାଦ ପ୍ରଦାନ କରି ପ୍ରସନ୍ନ କଲେ ଏବଂ ଯଥୋଚିତ ଆତିଥ୍ୟ ରୀତିରେ ତାଙ୍କର ସ୍ବାଗତ-ସତ୍କାର କଲେ |

ଗୃହୀତାର୍ହଣମାସୀନଂ ସଂୟତଂ ପ୍ରୀଣୟନ୍ ମୁନିଃ ।

ସ୍ମରନ୍ ଭଗବଦାଦେଶମିତ୍ୟାହ ଶ୍ଲକ୍ଷ୍ଣୟା ଗିରା ॥ ୪୯॥

ମନୁ ମହାରାଜ ତାଙ୍କର ପୂଜା ଗ୍ରହଣ କରି ସ୍ବସ୍ଥ ଚିତ୍ତରେ ଉପବେଶନ କରିବା ପରେ ଭଗବାନଙ୍କ ଆଜ୍ଞାର ସ୍ମରଣ କରି ମୁନିବର କର୍ଦମ ତାଙ୍କୁ ମଧୁର ବାଣୀରେ ପ୍ରସନ୍ନ କରି ଏପରି କହିଲେ -

ନୂନଂ ଚଙ୍କ୍ରମଣଂ ଦେବ ସତାଂ ସଂରକ୍ଷଣାୟ ତେ ।

ବଧାୟ ଚାସତାଂ ଯସ୍ତ୍ୱଂ ହରେଃ ଶକ୍ତିର୍ହି ପାଲିନୀ ॥ ୫୦॥

ହେ ଦେବ ! ଆପଣ ଭଗବାନ ବିଷ୍ଣୁଙ୍କର ପାଳନଶକ୍ତିରୂପ ଅଟନ୍ତି, ତେଣୁ ଆପଣଙ୍କର ଭ୍ରମଣ-ବିଚରଣ ନିଃସନ୍ଦେହ ଭାବରେ ସଜ୍ଜନମାନଙ୍କର ରକ୍ଷା ଏବଂ ଦୁଷ୍ଟମାନଙ୍କର ସଂହାର ନିମନ୍ତେ ଉଦ୍ଦିଷ୍ଟ ଅଟେ |

ଯୋଽର୍କେନ୍ଦ୍ୱଗ୍ନୀନ୍ଦ୍ରବାୟୂନାଂ ଯମଧର୍ମପ୍ରଚେତସାମ୍ ।

ରୂପାଣି ସ୍ଥାନ ଆଧତ୍ସେ ତସ୍ମୈ ଶୁକ୍ଲାୟ ତେ ନମଃ ॥ ୫୧॥

ଆପଣ ସାକ୍ଷାତ ବିଶୁଦ୍ଧ ବିଷ୍ଣୁସ୍ବରୂପ ଅଟନ୍ତି ତଥା ଭିନ୍ନ ଭିନ୍ନ କାର୍ଯ୍ୟ ନିମନ୍ତେ ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ଇନ୍ଦ୍ର, ବାୟୁ, ଯମ, ଧର୍ମ ଏବଂ ବରୁଣ ଆଦି ରୂପ ଧାରଣ କରନ୍ତି; ଆପଣଙ୍କୁ ନମସ୍କାର |

ନ ଯଦା ରଥମାସ୍ଥାୟ ଜୈତ୍ରଂ ମଣିଗଣାର୍ପିତମ୍ ।

ବିସ୍ଫୂର୍ଜଚ୍ଚଣ୍ଡକୋଦଣ୍ଡୋ ରଥେନ ତ୍ରାସୟନ୍ନଘାନ୍ ॥ ୫୨॥

ସ୍ୱସୈନ୍ୟଚରଣକ୍ଷୁଣ୍ଣଂ ବେପୟନ୍ ମଣ୍ଡଲଂ ଭୁବଃ ।

ବିକର୍ଷନ୍ ବୃହତୀଂ ସେନାଂ ପର୍ୟଟସ୍ୟଂଶୁମାନିବ ॥ ୫୩॥

ତଦୈବ ସେତବଃ ସର୍ୱେ ବର୍ଣାଶ୍ରମନିବନ୍ଧନାଃ ।

ଭଗବଦ୍ରଚିତା ରାଜନ୍ ଭିଦ୍ୟେରନ୍ ବତ ଦସ୍ୟୁଭିଃ ॥ ୫୪॥

ଅଧର୍ମଶ୍ଚ ସମେଧେତ ଲୋଲୁପୈର୍ୱ୍ୟଙ୍କୁଶୈର୍ନୃଭିଃ ।

ଶୟାନେ ତ୍ୱୟି ଲୋକୋଽୟଂ ଦସ୍ୟୁଗ୍ରସ୍ତୋ ବିନଙ୍କ୍ଷ୍ୟତି ॥ ୫୫॥

ଆପଣ ମଣିଜଟିତ ଜୟଦାୟକ ରଥରେ ବିରାଜମାନ କରିଛନ୍ତି, ନିଜ ପ୍ରଚଣ୍ଡ ଧନୁଷର ଟଙ୍କାର କରି ରଥର ଘର୍ଘର ଶବ୍ଦରେ ଆପଣ ପାପୀମାନଙ୍କୁ ଭୟଭୀତ କରୁଛନ୍ତି ଏବଂ ପଦପାତରେ ଭୂମଣ୍ଡଳରେ କମ୍ପନ ସୃଷ୍ଟି କରୁଥିବା ନିଜ ବିଶାଳ ସେନା ସହିତ ଆପଣ ସୂର୍ଯ୍ୟ ପରି ପୃଥିବୀରେ ବିଚରଣ କରୁଛନ୍ତି | ଯଦି ଆପଣ ଏହା ନ କରିବେ, ତେବେ ଚୋର-ଡାକୁ ଭଗବାନଙ୍କ ଦ୍ବାରା ନିର୍ଦ୍ଧାରିତ ବର୍ଣ୍ଣାଶ୍ରମଧର୍ମ ମର୍ଯ୍ୟାଦାକୁ ତତ୍କାଳ ନଷ୍ଟ କରିଦେବେ ତଥା ବିଷୟଲୋଲୁପ ନିରଙ୍କୁଶ ମାନବଙ୍କ ଦ୍ବାରା ସର୍ବତ୍ର ଅଧର୍ମ ବ୍ୟାପି ଯିବ | ସଂସାର ପ୍ରତି ଆପଣ ଯଦି ଉଦାସୀନ-ନିଶ୍ଚିନ୍ତ ହୋଇଯିବେ, ତେବେ ତାହା ଦୁରାଚାରୀମାନଙ୍କ ଦ୍ବାରା ଅଧିକୃତ ହୋଇ ନଷ୍ଟ ହୋଇଯିବ |

ଅଥାପି ପୃଚ୍ଛେ ତ୍ୱାଂ ବୀର ଯଦର୍ଥଂ ତ୍ୱମିହାଗତଃ ।

ତଦ୍ୱୟଂ ନିର୍ୱ୍ୟଲୀକେନ ପ୍ରତିପଦ୍ୟାମହେ ହୃଦା ॥ ୫୬॥

କିନ୍ତୁ ହେ ବୀରବର ! ବର୍ତ୍ତମାନ ଏଠାକୁ ଆପଣ କେଉଁ ଉଦ୍ଦେଶ୍ୟରେ ଆଗମନ କରିଛନ୍ତି, ତାହା ମୁଁ ଜାଣିବାକୁ ଇଚ୍ଛା କରୁଛି | ମୋ ନିମନ୍ତେ ଯଦି କିଛି ଆଜ୍ଞା ରହିଛି, ତେବେ ତାହାକୁ ମୁଁ ସହର୍ଷ ସ୍ବୀକାର କରିବି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ତୃତୀୟସ୍କନ୍ଧେ ଏକବିଂଶୋଽଧ୍ୟାୟଃ ॥ ୨୧॥


Comments

Popular posts from this blog