ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ॥

ଦ୍ବାବିଂଶ ଅଧ୍ୟାୟ

ଦେବହୂତିଙ୍କ ସହିତ କର୍ଦମ ପ୍ରଜାପତିଙ୍କର ବିବାହ

 

ମୈତ୍ରେୟ ଉବାଚ

ଏବମାବିଷ୍କୃତାଶେଷଗୁଣକର୍ମୋଦୟୋ ମୁନିମ୍ ।

ସବ୍ରୀଡ ଇବ ତଂ ସମ୍ରାଡୁପାରତମୁବାଚ ହ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! କର୍ଦମ ମୁନି ଯେତେବେଳେ ଏହିପରି ଭାବରେ ମନୁ ମହାରାଜଙ୍କର ସମ୍ପୂର୍ଣ୍ଣ ଗୁଣ ଓ କର୍ମର ଶ୍ରେଷ୍ଠତା ବର୍ଣ୍ଣନା କଲେ, ସେତେବେଳେ ସେ ସେହି ନିବୃତ୍ତିପରାୟଣ ମୁନିଙ୍କୁ ସଙ୍କୋଚବଶତଃ ଏପରି କହିଲେ -

ମନୁରୁବାଚ

ବ୍ରହ୍ମାସୃଜତ୍ସ୍ୱମୁଖତୋ ଯୁଷ୍ମାନାତ୍ମପରୀପ୍ସୟା ।

ଛନ୍ଦୋମୟସ୍ତପୋବିଦ୍ୟାୟୋଗୟୁକ୍ତାନଲମ୍ପଟାନ୍ ॥ ୨॥

ତତ୍ତ୍ରାଣାୟାସୃଜଚ୍ଚାସ୍ମାନ୍ ଦୋଃସହସ୍ରାତ୍ସହସ୍ରପାତ୍ ।

ହୃଦୟଂ ତସ୍ୟ ହି ବ୍ରହ୍ମ କ୍ଷତ୍ରମଙ୍ଗଂ ପ୍ରଚକ୍ଷତେ ॥ ୩॥

ମନୁ ମହାରାଜ କହିଲେ – ହେ ମୁନିବର ! ବେଦମୂର୍ତ୍ତି ଭଗବାନ ବ୍ରହ୍ମା ନିଜ ବେଦମୟ ବିଗ୍ରହର ରକ୍ଷା ନିମନ୍ତେ ତପ, ବିଦ୍ୟା ଏବଂ ଯୋଗ-ସମ୍ପନ୍ନ ତଥା ବିଷୟରେ ଅନାସକ୍ତ ଆପଣମାନଙ୍କ ପରି ବ୍ରାହ୍ମଣମାନଙ୍କୁ ନିଜ ମୁଖରୁ ପ୍ରକଟ କଲେ ଏବଂ ତାପରେ ସେହି ସହସ୍ର ଚରଣବିଶିଷ୍ଟ ବିରାଟ ପୁରୁଷ ଆପଣମାନଙ୍କର ରକ୍ଷା ନିମନ୍ତେ ନିଜ ସହସ୍ର ଭୁଜରୁ ଆମ୍ଭମାନଙ୍କ ପରି କ୍ଷତ୍ରିୟମାନଙ୍କୁ ଉତ୍ପନ୍ନ କଲେ | ସେଥିପାଇଁ ବ୍ରାହ୍ମଣମାନଙ୍କୁ ତାଙ୍କର ହୃଦୟ ଏବଂ କ୍ଷତ୍ରିୟମାନଙ୍କୁ ତାଙ୍କର ଶରୀର କୁହାଯାଏ |

ଅତୋ ହ୍ୟନ୍ୟୋନ୍ୟମାତ୍ମାନଂ ବ୍ରହ୍ମ କ୍ଷତ୍ରଂ ଚ ରକ୍ଷତଃ ।

ରକ୍ଷତି ସ୍ମାବ୍ୟଯୋ ଦେବଃ ସ ଯଃ ସଦସଦାତ୍ମକଃ ॥ ୪॥

ଅତଏବ ଏକ ହିଁ ଶରୀର ସହିତ ସମ୍ବନ୍ଧିତ ହୋଇଥିବା କାରଣରୁ ନିଜ-ନିଜର ଏବଂ ପରସ୍ପରର ରକ୍ଷା କରୁଥିବା ସେହି ବ୍ରାହ୍ମଣ ଏବଂ କ୍ଷତ୍ରିୟମାନଙ୍କର ରକ୍ଷା ଭଗବାନ ଶ୍ରୀହରି କରନ୍ତି, ଯିଏ ସମସ୍ତ କାର୍ଯ୍ୟକାରଣରୂପ ହୋଇଥିଲେ ବି ବାସ୍ତବରେ ନିର୍ବିକାର ଅଟନ୍ତି |

ତବ ସନ୍ଦର୍ଶନାଦେବ ଚ୍ଛିନ୍ନା ମେ ସର୍ୱସଂଶୟାଃ ।

ଯତ୍ସ୍ୱୟଂ ଭଗବାନ୍ ପ୍ରୀତ୍ୟା ଧର୍ମମାହ ରିରକ୍ଷିଷୋଃ ॥ ୫॥

ଆପଣଙ୍କର ଦର୍ଶନ କରି ମୋର ସବୁ ସନ୍ଦେହ ଦୂର ହୋଇଗଲା, କାରଣ ଆପଣ ମୋର ପ୍ରଶଂସା ଆଳରେ ସ୍ବୟଂ ହିଁ ପ୍ରଜାପାଳନ ଇଚ୍ଛା ରଖୁଥିବା ରାଜାର ଧର୍ମ ନିରୂପଣ ଅତ୍ୟନ୍ତ ପ୍ରେମରେ କରିଛନ୍ତି |

ଦିଷ୍ଟ୍ୟା ମେ ଭଗବାନ୍ ଦୃଷ୍ଟୋ ଦୁର୍ଦର୍ଶୋ ଯୋଽକୃତାତ୍ମନାମ୍ ।

ଦିଷ୍ଟ୍ୟା ପାଦରଜଃ ସ୍ପୃଷ୍ଟଂ ଶୀର୍ଷ୍ଣା ମେ ଭବତଃ ଶିବମ୍ ॥ ୬॥

ଆପଣଙ୍କର ଦର୍ଶନ ଅଜିତେନ୍ଦ୍ରିୟ ପୁରୁଷଙ୍କ ପାଇଁ ଅତ୍ୟନ୍ତ ଦୁର୍ଲଭ ଅଟେ | ଆପଣଙ୍କର ଦର୍ଶନ ଲାଭ କରି ମୁଁ ଆପଣଙ୍କର ମଙ୍ଗଳମୟୀ ଚରଣ-ରଜକୁ ମସ୍ତକରେ ଧାରଣ କରିପାରିଲି, ଏହା ମୋର ବହୁତ ବଡ ସୌଭାଗ୍ୟ ଅଟେ |

ଦିଷ୍ଟ୍ୟା ତ୍ୱୟାନୁଶିଷ୍ଟୋଽହଂ କୃତଶ୍ଚାନୁଗ୍ରହୋ ମହାନ୍ ।

ଅପାବୃତୈଃ କର୍ଣରନ୍ଧ୍ରୈର୍ଜୁଷ୍ଟା ଦିଷ୍ଟ୍ୟୋଶତୀର୍ଗିରଃ ॥ ୭॥

ମୋର ଭାଗ୍ୟୋଦୟ ହେବାରୁ ହିଁ ଆପଣ ମୋତେ ଏହି ରାଜଧର୍ମର ଶିକ୍ଷା ପ୍ରଦାନ କରି ମୋ ପ୍ରତି ମହାନ୍ ଅନୁଗ୍ରହ କରିଛନ୍ତି ଏବଂ ମୁଁ ମଧ୍ୟ ଶୁଭ ପ୍ରାରବ୍ଧ ଉଦୟ ହେବା କାରଣରୁ କାନ ଖୋଲି ଆପଣଙ୍କ ପବିତ୍ର ବାଣୀ ଶ୍ରବଣ କରିପାରିଛି |

ସ ଭବାନ୍ ଦୁହିତୃସ୍ନେହପରିକ୍ଲିଷ୍ଟାତ୍ମନୋ ମମ ।

ଶ୍ରୋତୁମର୍ହସି ଦୀନସ୍ୟ ଶ୍ରାବିତଂ କୃପୟା ମୁନେ ॥ ୮॥

ହେ ମୁନିବର ! ଏହି କନ୍ୟା ପ୍ରତି ସ୍ନେହବଶତଃ ମୋର ଚିତ୍ତ ବହୁତ ଚିନ୍ତାଗ୍ରସ୍ତ ରହିଛି; ଆପଣ କୃପାପୂର୍ବକ ମୋ ପରି ଦୀନର ପ୍ରାର୍ଥନା ଘେନା କରନ୍ତୁ |

ପ୍ରିୟବ୍ରତୋତ୍ତାନପଦୋଃ ସ୍ୱସେୟଂ ଦୁହିତା ମମ ।

ଅନ୍ୱିଚ୍ଛତି ପତିଂ ଯୁକ୍ତଂ ବୟଃଶୀଲଗୁଣାଦିଭିଃ ॥ ୯॥

ମୋର ଏହି କନ୍ୟା – ଯିଏ ପ୍ରିୟବ୍ରତ ଏବଂ ଉତ୍ତାନପାଦଙ୍କର ଭଗିନୀ ଅଟେ – ଅବସ୍ଥା, ଶୀଳ ଏବଂ ଗୁଣ ଆଦିରେ ନିଜ ଯୋଗ୍ୟ ପତି ପ୍ରାପ୍ତ କରିବାର ଇଚ୍ଛା ରଖିଛି |

ଯଦା ତୁ ଭବତଃ ଶୀଲଶ୍ରୁତରୂପବୟୋଗୁଣାନ୍ ।

ଅଶୃଣୋନ୍ନାରଦାଦେଷା ତ୍ୱୟ୍ୟାସୀତ୍କୃତନିଶ୍ଚୟା ॥ ୧୦॥

ଯେଉଁ ଦିନ ଇଏ ନାରଦଙ୍କ ମୁଖରୁ ଆପଣଙ୍କର ଶୀଳ, ବିଦ୍ୟା, ରୂପ, ଆୟୁ ଏବଂ ଗୁଣର ବର୍ଣ୍ଣନା ଶୁଣିଲା, ସେହି ଦିନଠାରୁ ଇଏ ଆପଣଙ୍କୁ ନିଜ ପତି ରୂପେ ବରଣ କରିବାକୁ ନିର୍ଣ୍ଣୟ କରିନେଇଛି |

 ତତ୍ପ୍ରତୀଚ୍ଛ ଦ୍ୱିଜାଗ୍ର୍ୟେମାଂ ଶ୍ରଦ୍ଧୟୋପହୃତାଂ ମୟା ।

ସର୍ୱାତ୍ମନାନୁରୂପାଂ ତେ ଗୃହମେଧିଷୁ କର୍ମସୁ ॥ ୧୧॥

ହେ ଦ୍ବିଜବର ! ମୁଁ ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ ଆପଣଙ୍କୁ ଏହି କନ୍ୟା ସମର୍ପିତ କରୁଛି, ଆପଣ ଏହାକୁ ସ୍ବୀକାର କରନ୍ତୁ | ଗୃହସ୍ଥୋଚିତ କାର୍ଯ୍ୟ ନିମନ୍ତେ ଇଏ ସବୁ ଦୃଷ୍ଟିରୁ ଆପଣଙ୍କର ଯୋଗ୍ୟ ଅଟେ |

ଉଦ୍ୟତସ୍ୟ ହି କାମସ୍ୟ ପ୍ରତିବାଦୋ ନ ଶସ୍ୟତେ ।

ଅପି ନିର୍ମୁକ୍ତସଙ୍ଗସ୍ୟ କାମରକ୍ତସ୍ୟ କିଂ ପୁନଃ ॥ ୧୨॥

ବିଷୟାସକ୍ତ ପୁରୁଷମାନଙ୍କ କଥା କଣ କହିବା, ଯେଉଁ ଭୋଗ ସ୍ବତଃ ପ୍ରାପ୍ତ ହୋଇଥାଏ, ତାହାର ଅନାଦର ବିରକ୍ତ ପୁରୁଷମାନେ ମଧ୍ୟ କରିବା ଉଚିତ୍ ନୁହେଁ |

ଯ ଉଦ୍ୟତମନାଦୃତ୍ୟ କୀନାଶମଭିୟାଚତେ ।

କ୍ଷୀୟତେ ତଦ୍ୟଶଃ ସ୍ଫୀତଂ ମାନଶ୍ଚାବଜ୍ଞୟା ହତଃ ॥ ୧୩॥

ସ୍ବୟଂ ପ୍ରାପ୍ତ ହେଉଥିବା ଭୋଗର ନିରାଦର କରି ଯେଉଁମାନେ କୃପଣ ପୁରୁଷଠାରେ ହସ୍ତ ପ୍ରସାରଣ କରନ୍ତି, ସେମାନଙ୍କର ଯଶ ନଷ୍ଟ ହେବା ସହିତ ଅନ୍ୟମାନଙ୍କର ତିରସ୍କାର ଯୋଗୁଁ ମାନଭଙ୍ଗ ମଧ୍ୟ ହୋଇଥାଏ |

ଅହଂ ତ୍ୱାଶୃଣବଂ ବିଦ୍ୱନ୍ ବିବାହାର୍ଥଂ ସମୁଦ୍ୟତମ୍ ।

ଅତସ୍ତ୍ୱମୁପକୁର୍ୱାଣଃ ପ୍ରତ୍ତାଂ ପ୍ରତିଗୃହାଣ ମେ ॥ ୧୪॥

ହେ ବିଦ୍ବାନ୍ ! ମୁଁ ଶୁଣିଛି, ଆପଣ ବିବାହ କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି | ଆପଣ ନୈଷ୍ଠିକ ବ୍ରହ୍ମଚାରୀ ନୁହଁନ୍ତି, ଆପଣଙ୍କର ବ୍ରହ୍ମଚର୍ଯ୍ୟ ଏକ ସୀମା ମଧ୍ୟରେ ଆବଦ୍ଧ ଅଟେ | ତେଣୁ ଏବେ ଆପଣ ଏହି କନ୍ୟାକୁ ସ୍ବୀକାର କରନ୍ତୁ, ମୁଁ ଏହାକୁ ଆପଣଙ୍କଠାରେ ଅର୍ପିତ କରୁଛି |

ଋଷିରୁବାଚ

ବାଢମୁଦ୍ୱୋଢୁକାମୋଽହମପ୍ରତ୍ତା ଚ ତବାତ୍ମଜା ।

ଆବୟୋରନୁରୂପୋଽସାବାଦ୍ୟୋ ବୈବାହିକୋ ବିଧିଃ ॥ ୧୫॥

କର୍ଦମ ମୁନି କହିଲେ – ଠିକ ଅଛି, ମୁଁ ବିବାହ କରିବାକୁ ଇଚ୍ଛୁକ ଏବଂ ଆପଣଙ୍କ କନ୍ୟାର ଯେହେତୁ କାହା ସହିତ ପାଣିଗ୍ରହଣ ହୋଇନାହିଁ, ସର୍ବଶ୍ରେଷ୍ଠ ବ୍ରାହ୍ମ ବିଧିରେ ଆମ ଦୁହିଁଙ୍କର ବିବାହ ହେବା ଉଚିତ୍ |

କାମଃ ସ ଭୂୟାନ୍ନରଦେବ ତେଽସ୍ୟାଃ

ପୁତ୍ର୍ୟାଃ ସମାମ୍ନାୟବିଧୌ ପ୍ରତୀତଃ ।

କ ଏବ ତେ ତନୟାଂ ନାଦ୍ରିୟେତ

ସ୍ୱୟୈବ କାନ୍ତ୍ୟା କ୍ଷିପତୀମିବ ଶ୍ରିୟମ୍ ॥ ୧୬॥

ହେ ରାଜନ୍ ! ବେଦୋକ୍ତ ବିବାହ-ବିଧିରେ ପ୍ରସିଦ୍ଧ ଯେଉଁ ‘ଗୃଭ୍ଣାମି ତେ ଇତ୍ୟାଦି ମନ୍ତ୍ରରେ କାମ (ସନ୍ତାନ ଉତ୍ପାଦନ ରୂପୀ ମନୋରଥ) ସମ୍ବନ୍ଧରେ ଯାହା କୁହାଯାଇଛି, ତାହା ଆପଣଙ୍କର ଏହି କନ୍ୟା ସହିତ ମୋର ସମ୍ବନ୍ଧ ହେବା ଦ୍ବାରା ସଫଳ ହେବ | ଭଲା, ଯିଏ ନିଜର ଅଙ୍ଗକାନ୍ତିରେ ଆଭୂଷଣମାନଙ୍କର ଶୋଭାକୁ ମଧ୍ୟ ତିରସ୍କୃତ କରୁଛି, ଆପଣଙ୍କର ସେହି କନ୍ୟାର ଆଦର କିଏ ଅବା ନ କରିବ ?

ଯାଂ ହର୍ମ୍ୟପୃଷ୍ଠେ କ୍ୱଣଦଙ୍ଘ୍ରିଶୋଭାଂ

ବିକ୍ରୀଡତୀଂ କନ୍ଦୁକବିହ୍ୱଲାକ୍ଷୀମ୍ ।

ବିଶ୍ୱାବସୁର୍ନ୍ୟପତତ୍ସ୍ୱାଦ୍ୱିମାନା-

ଦ୍ୱିଲୋକ୍ୟ ସମ୍ମୋହବିମୂଢଚେତାଃ ॥ ୧୭॥

ଥରେ ଇଏ ନିଜ ମହଲର ଛାତ ଉପରେ ପେଣ୍ଡୁ ସହିତ ଖେଳୁଥିଲା | ପେଣ୍ଡୁ ପଛରେ ଏଣେତେଣେ ଧାଇଁ ଏହାର ନେତ୍ର ଚଞ୍ଚଳ ହୋଇ ଉଠିଲା ତଥା ପାଦର ପାଉଁଜି ମଧୁର ଝଙ୍କାର କରିବାରେ ଲାଗିଥିଲା | ସେହି ସମୟରେ ଏହାକୁ ଦେଖି ବିଶ୍ବାବସୁ ଗନ୍ଧର୍ବ ମୋହବଶ ଅଚେତ ହୋଇ ନିଜ ବିମାନରୁ ଖସି ପଡିଥିଲା !

ତାଂ ପ୍ରାର୍ଥୟନ୍ତୀଂ ଲଲନାଲଲାମ-

ମସେବିତଶ୍ରୀଚରଣୈରଦୃଷ୍ଟାମ୍ ।

ବତ୍ସାଂ ମନୋରୁଚ୍ଚପଦଃ ସ୍ୱସାରଂ

କୋ ନାନୁମନ୍ୟେତ ବୁଧୋଽଭିୟାତାମ୍ ॥ ୧୮॥

ଏବେ ସେହି ରମଣୀ ସ୍ବୟଂ ଏଠାକୁ ଆସି ପ୍ରାର୍ଥନା କରୁଛି; ତେଣୁ କେଉଁ ବୁଦ୍ଧିମାନ ପୁରୁଷ ଭଲା ଏହାକୁ ସ୍ବୀକାର ନ କରିବ ? ଇଏ ତ ସାକ୍ଷାତ ଶ୍ରୀସ୍ବାୟମ୍ଭୂବ ମନୁ ମହାରାଜଙ୍କର ସ୍ନେହମୟୀ କନ୍ୟା ଏବଂ ଉତ୍ତାନପାଦଙ୍କର ପ୍ରିୟ ଭଗିନୀ ତଥା ରମଣୀମାନଙ୍କ ମଧ୍ୟରେ ରତ୍ନ ସଦୃଶ ଅଟନ୍ତି | ଯେଉଁମାନେ କେବେ ବି ଶ୍ରୀଲକ୍ଷ୍ମୀଙ୍କ ଚରଣର ଉପାସନା କରନ୍ତି ନାହିଁ, ସେମାନଙ୍କୁ ତ ଏହି ରମଣୀଙ୍କର ଦର୍ଶନ ମଧ୍ୟ ମିଳି ନ ଥାଏ |

ଅତୋ ଭଜିଷ୍ୟେ ସମୟେନ ସାଧ୍ୱୀଂ

ଯାବତ୍ତେଜୋ ବିଭୃୟାଦାତ୍ମନୋ ମେ ।

ଅତୋ ଧର୍ମାନ୍ ପାରମହଂସ୍ୟମୁଖ୍ୟାନ୍

ଶୁକ୍ଲପ୍ରୋକ୍ତାନ୍ ବହୁ ମନ୍ୟେଽବିହିଂସ୍ରାନ୍ ॥ ୧୯॥

ତେଣୁ ଆପଣଙ୍କର ଏହି ସାଧ୍ବୀ କନ୍ୟାକୁ ମୁଁ ନିଶ୍ଚୟ ସ୍ବୀକାର କରିବି, କିନ୍ତୁ ମୋର ଏକ ଶର୍ତ୍ତ ରହିଛି | ଏହାର ସନ୍ତାନ ଉତ୍ପତ୍ତି ହେବା ଯାଏଁ ମୁଁ ଗୃହସ୍ଥ ଧର୍ମ ଅନୁସାରେ ଏହା ସହିତ ରହିବି | ତାପରେ ଭଗବାନଙ୍କ ଦ୍ବାରା ନିର୍ଦ୍ଦେଶିତ ସନ୍ୟାସପ୍ରଧାନ ହିଂସାରହିତ ଶମ-ଦମାଦି ଧର୍ମକୁ ହିଁ ମୁଁ ଅଧିକ ମହତ୍ତ୍ବ ଦେବି |

ଯତୋଽଭବଦ୍ୱିଶ୍ୱମିଦଂ ବିଚିତ୍ରଂ

ସଂସ୍ଥାସ୍ୟତେ ଯତ୍ର ଚ ବାବତିଷ୍ଠତେ ।

ପ୍ରଜାପତୀନାଂ ପତିରେଷ ମହ୍ୟଂ

ପରଂ ପ୍ରମାଣଂ ଭଗବାନନନ୍ତଃ ॥ ୨୦॥

ଯାହାଠାରୁ ଏହି ବିଚିତ୍ର ଜଗତର ଉତ୍ପତ୍ତି ହୋଇଛି, ଯାହାଠାରେ ଏହା ଲୀନ ହୋଇଯାଏ ଏବଂ ଯାହାର ଆଶ୍ରୟରେ ଏହା ସ୍ଥିତ ଅଟେ – ମୋ ପାଇଁ ତ ସେହି ପ୍ରଜାପତିମାନଙ୍କର ପତି ଭଗବାନ ଶ୍ରୀଅନନ୍ତ ହିଁ ସର୍ବାଧିକ ମାନ୍ୟ ଅଟନ୍ତି |

ମୈତ୍ରେୟ ଉବାଚ

ସ ଉଗ୍ରଧନ୍ୱନ୍ନିୟଦେବାବଭାଷେ

ଆସୀଚ୍ଚ ତୂଷ୍ଣୀମରବିନ୍ଦନାଭମ୍ ।

ଧିୟୋପଗୃହ୍ଣନ୍ ସ୍ମିତଶୋଭିତେନ

ମୁଖେନ ଚେତୋ ଲୁଲୁଭେ ଦେବହୂତ୍ୟାଃ ॥ ୨୧॥

ମୈତ୍ରେୟ କହୁଛନ୍ତି – ହେ ପ୍ରଚଣ୍ଡ ଧନୁର୍ଧର ବିଦୁର ! କର୍ଦମ ମୁନି କେବଳ ଏତିକି ହିଁ କହିପାରିଲେ, ତାପରେ ସେ ହୃଦୟରେ ଭଗବାନ କମଳନାଭଙ୍କର ଧ୍ୟାନ କରି ମୌନ ହୋଇଗଲେ | ସେହି ସମୟରେ ତାଙ୍କର ମନ୍ଦହାସ୍ୟଯୁକ୍ତ ମୁଖକମଳକୁ ଦେଖି ଦେବହୂତିଙ୍କର ଚିତ୍ତ ପ୍ରଲୋଭିତ ହୋଇ ଉଠିଲା |

ସୋଽନୁଜ୍ଞାତ୍ୱା ବ୍ୟବସିତଂ ମହିଷ୍ୟା ଦୁହିତୁଃ ସ୍ଫୁଟମ୍ ।

ତସ୍ମୈ ଗୁଣଗଣାଢ୍ୟାୟ ଦଦୌ ତୁଲ୍ୟାଂ ପ୍ରହର୍ଷିତଃ ॥ ୨୨॥

ମନୁ ମହାରାଜ ଦେଖିଲେ, ଏହି ସମ୍ବନ୍ଧରେ ମହାରାଣୀ ଶତରୂପା ଏବଂ ରାଜକୁମାରୀଙ୍କର ସ୍ପଷ୍ଟ ଅନୁମତି ରହିଛି; ତେଣୁ ସେ ବହୁଗୁଣସମ୍ପନ୍ନ କର୍ଦମ ମୁନିଙ୍କୁ ତାଙ୍କ ଅନୁରୂପ ଗୁଣବତୀ କନ୍ୟା ପ୍ରସନ୍ନତାପୂର୍ବକ ଦାନ କଲେ |

ଶତରୂପା ମହାରାଜ୍ଞୀ ପାରିବର୍ହାନ୍ ମହାଧନାନ୍ ।

ଦମ୍ପତ୍ୟୋଃ ପର୍ୟଦାତ୍ପ୍ରୀତ୍ୟା ଭୂଷାବାସଃ ପରିଚ୍ଛଦାନ୍ ॥ ୨୩॥

ମହାରାଣୀ ଶତରୂପା ମଧ୍ୟ ଝିଅ ଏବଂ ଜ୍ବାଇଁଙ୍କୁ ପ୍ରେମପୂର୍ବକ ଅନେକ ବହୁମୂଲ୍ୟ ବସ୍ତ୍ର, ଆଭୂଷଣ ଓ ଗୃହସ୍ଥୋଚିତ ଉପକରଣ ଯୌତୁକ ସ୍ବରୂପ ଦେଲେ |

ପ୍ରତ୍ତାଂ ଦୁହିତରଂ ସମ୍ରାଟ୍ ସଦୃକ୍ଷାୟ ଗତବ୍ୟଥଃ ।

ଉପଗୁହ୍ୟ ଚ ବାହୁଭ୍ୟାମୌତ୍କଣ୍ଠ୍ୟୋନ୍ମଥିତାଶୟଃ ॥ ୨୪॥

ଅଶକ୍ନୁବଂସ୍ତଦ୍ୱିରହଂ ମୁଞ୍ଚନ୍ ବାଷ୍ପକଲାଂ ମୁହୁଃ ।

ଆସିଞ୍ଚଦମ୍ବ ବତ୍ସେତି ନେତ୍ରୋଦୈର୍ଦୁହିତୁଃ ଶିଖାଃ ॥ ୨୫॥

ଏହିପରି ଭାବରେ ନିଜ କନ୍ୟାକୁ ସୁଯୋଗ୍ୟ ବର ହାତରେ ଅର୍ପଣ କରି ମନୁ ମହାରାଜ ନିଶ୍ଚିନ୍ତ ହୋଇଗଲେ | ଫେରିବା ସମୟରେ କନ୍ୟାର ବିୟୋଗ ସହ୍ୟ କରି ନ ପାରି ସେ ଉତ୍କଣ୍ଠାବଶତଃ ବିହ୍ବଳଚିତ୍ତ ହୋଇ ତାକୁ ନିଜ ଛାତିରେ ଚାପି ଧରି ପୁତ୍ରୀ ! ପୁତ୍ରୀ ! କହି କ୍ରନ୍ଦନ କରିବାରେ ଲାଗିଲେ | ତାଙ୍କ ଆଖିରୁ ଝରୁଥିବା ଅଶ୍ରୁ ପ୍ରବାହରେ ଦେବହୂତିଙ୍କର କେଶରାଶି ସିକ୍ତ ହେବାରେ ଲାଗିଲା |

ଆମନ୍ତ୍ର୍ୟ ତଂ ମୁନିବରମନୁଜ୍ଞାତଃ ସହାନୁଗଃ ।

ପ୍ରତସ୍ଥେ ରଥମାରୁହ୍ୟ ସଭାର୍ୟଃ ସ୍ୱପୁରଂ ନୃପଃ ॥ ୨୬॥

ଉଭୟୋଃ ଋଷିକୁଲ୍ୟାୟାଃ ସରସ୍ୱତ୍ୟାଃ ସୁରୋଧସୋଃ ।

ଋଷୀଣାମୁପଶାନ୍ତାନାଂ ପଶ୍ୟନ୍ନାଶ୍ରମସମ୍ପଦଃ ॥ ୨୭॥

ତାପରେ ମୁନିବର କର୍ଦମଙ୍କଠାରୁ ଅନୁମତି ଭିକ୍ଷା କରି ସେ ରାଣୀଙ୍କ ସହିତ ରଥ ଆରୋହଣ କଲେ ଏବଂ ନିଜ ସେବକମାନଙ୍କ ଗହଣରେ ଋଷିକୁଳସେବିତ ସରସ୍ବତୀ ନଦୀର ଉଭୟ ପାର୍ଶ୍ବରେ ଅବସ୍ଥିତ ମୁନିମାନଙ୍କ ଆଶ୍ରମର ଶୋଭା ଦର୍ଶନ କରି-କରି ନିଜ ରାଜଧାନୀକୁ ଫେରିଲେ |

ତମାୟାନ୍ତମଭିପ୍ରେତ୍ୟ ବ୍ରହ୍ମାବର୍ତାତ୍ପ୍ରଜାଃ ପତିମ୍ ।

ଗୀତସଂସ୍ତୁତିବାଦିତ୍ରୈଃ ପ୍ରତ୍ୟୁଦୀୟୁଃ ପ୍ରହର୍ଷିତାଃ ॥ ୨୮॥

ବ୍ରହ୍ମାବର୍ତ୍ତର ପ୍ରଜାଗଣଙ୍କୁ ଯେତେବେଳେ ସେହି ସମାଚାର ମିଳିଲା, ସେମାନେ ଅତ୍ୟନ୍ତ ଆନନ୍ଦିତ ହୋଇ ସ୍ତୁତି, ଗୀତ ଏବଂ ବାଜା-ବାଜଣା ସହିତ ନିଜ ସ୍ବାମୀଙ୍କର ଅଭ୍ୟର୍ଥନାର୍ଥେ ବ୍ରହ୍ମାବର୍ତ୍ତର ରାଜଧାନୀ ବାହାରେ ଉପସ୍ଥିତ ରହିଲେ |

ବର୍ହିଷ୍ମତୀ ନାମ ପୁରୀ ସର୍ୱସମ୍ପତ୍ସମନ୍ୱିତା ।

ନ୍ୟପତନ୍ ଯତ୍ର ରୋମାଣି ଯଜ୍ଞସ୍ୟାଙ୍ଗଂ ବିଧୁନ୍ୱତଃ ॥ ୨୯॥

ସବୁ ପ୍ରକାରର ସମ୍ପଦରେ ପରିପୂର୍ଣ୍ଣ ବର୍ହିଷ୍ମତୀ ନଗରୀ ମନୁ ମହାରାଜଙ୍କର ରାଜଧାନୀ ଥିଲା, ଯେଉଁଠାରେ ପୃଥିବୀକୁ ରସାତଳରୁ ଉଦ୍ଧାର କରି ବାହାରକୁ ଆଣିବା ପରେ ବରାହଭଗବାନଙ୍କ ଶରୀରରେ କମ୍ପ ଜାତ ହୋଇ ସେଥିରୁ କିଛି ଲୋମ ଝଡି ପଡିଥିଲା |

କୁଶାଃ କାଶାସ୍ତ ଏବାସନ୍ ଶଶ୍ୱଦ୍ଧରିତବର୍ଚସଃ ।

ଋଷୟୋ ଯୈଃ ପରାଭାବ୍ୟ ଯଜ୍ଞଘ୍ନାନ୍ୟଜ୍ଞମୀଜିରେ ॥ ୩୦॥

ସେହି ଲୋମ ହିଁ ଚିରସବୁଜ କୁଶ ଏବଂ କାସରେ ପରିଣତ ହେଲେ, ଯାହା ଦ୍ବାରା ମୁନିମାନେ ବିଘ୍ନଉତ୍ପନ୍ନକାରୀ ଦୈତ୍ୟମାନଙ୍କର ତିରସ୍କାର କରି ଯଜ୍ଞ ଦ୍ବାରା ଯଜ୍ଞପୁରୁଷ ଭଗବାନଙ୍କର ଆରାଧନା କରିଥାଆନ୍ତି |

କୁଶକାଶମୟଂ ବର୍ହିରାସ୍ତୀର୍ୟ ଭଗବାନ୍ ମନୁଃ ।

ଅୟଜଦ୍ୟଜ୍ଞପୁରୁଷଂ ଲବ୍ଧା ସ୍ଥାନଂ ଯତୋ ଭୁବମ୍ ॥ ୩୧॥

ମନୁ ମହାରାଜ ମଧ୍ୟ ବରାହଭଗବାନଙ୍କଠାରୁ ଭୂମିରୂପ ନିବାସସ୍ଥାନ ପ୍ରାପ୍ତ କରିବା ପରେ ଏହି ସ୍ଥାନରେ କୁଶ ଏବଂ କାସର ଚଟାଈରେ ବସି ଯଜ୍ଞଭଗବାନଙ୍କର ପୂଜା କରିଥିଲେ |

ବର୍ହିଷ୍ମତୀଂ ନାମ ବିଭୁର୍ୟାଂ ନିର୍ୱିଶ୍ୟ ସମାବସତ୍ ।

ତସ୍ୟାଂ ପ୍ରବିଷ୍ଟୋ ଭବନଂ ତାପତ୍ରୟବିନାଶନମ୍ ॥ ୩୨॥

ବର୍ହିଷ୍ମତୀ ନଗରୀରେ ପହଞ୍ଚି ମନୁ ମହାରାଜ ନିଜ ତ୍ରିତାପନାଶକ ଭବନରେ ପ୍ରବେଶ କଲେ |

ସଭାର୍ୟଃ ସପ୍ରଜଃ କାମାନ୍ ବୁଭୁଜେଽନ୍ୟାବିରୋଧତଃ ।

ସଙ୍ଗୀୟମାନସତ୍କୀର୍ତିଃ ସସ୍ତ୍ରୀଭିଃ ସୁରଗାୟକୈଃ ।

ପ୍ରତ୍ୟୂଷେଷ୍ୱନୁବଦ୍ଧେନ ହୃଦା ଶୃଣ୍ୱନ୍ ହରେଃ କଥାଃ ॥ ୩୩॥

ସେଠାରେ ସେ ନିଜର ପତ୍ନୀ ଏବଂ ସନ୍ତତିଙ୍କ ସହିତ ଧର୍ମ, ଅର୍ଥ, ମୋକ୍ଷ ଅନୁକୂଳ ଭୋଗ୍ୟବସ୍ତୁ ଭୋଗ କରିବାରେ ଲାଗିଲେ | ପ୍ରାତଃକାଳରେ ଗନ୍ଧର୍ବଗଣ ନିଜ ପତ୍ନୀମାନଙ୍କ ସହିତ ତାଙ୍କର ଗୁଣଗାନ କରୁଥିଲେ; କିନ୍ତୁ ମନୁ ମହାରାଜ ସେଥିରେ ଆସକ୍ତ ନ ହୋଇ ପ୍ରେମପୂର୍ଣ୍ଣ ହୃଦୟରେ ଶ୍ରୀହରିଙ୍କର କଥା ହିଁ ଶୁଣୁଥିଲେ |

ନିଷ୍ଣାତଂ ଯୋଗମାୟାସୁ ମୁନିଂ ସ୍ୱାୟମ୍ଭୁବଂ ମନୁମ୍ ।

ଯଦା ଭ୍ରଂଶୟିତୁଂ ଭୋଗା ନ ଶେକୁର୍ଭଗବତ୍ପରମ୍ ॥ ୩୪॥

ସେ ଇଚ୍ଛାନୁସାରେ ଭୋଗ୍ୟବସ୍ତୁ ଉତ୍ପନ୍ନ କରିବାରେ କୁଶଳ ଥିଲେ; କିନ୍ତୁ ମନନଶୀଳ ଏବଂ ଭଗବତ୍-ପରାୟଣ ହୋଇଥିବା କାରଣରୁ ସେହି ସବୁ ଭୋଗ ତାଙ୍କୁ କିଂଚିତ୍ ବି ବିଚଳିତ କରିପାରୁ ନ ଥିଲା |

ଅୟାତୟାମାସ୍ତସ୍ୟାସନ୍ ଯାମାଃ ସ୍ୱାନ୍ତରୟାପନାଃ ।

ଶୃଣ୍ୱତୋ ଧ୍ୟାୟତୋ ବିଷ୍ଣୋଃ କୁର୍ୱତୋ ବ୍ରୁବତଃ କଥାଃ ॥ ୩୫॥

ଭଗବାନ ବିଷ୍ଣୁଙ୍କ କଥାର ଶ୍ରବଣ, ଧ୍ୟାନ, ରଚନା ଏବଂ ନିରୂପଣ କରିବାରେ ନିଜକୁ ନିୟୋଜିତ ରଖୁଥିବାରୁ ତାଙ୍କ ମନ୍ବନ୍ତରର କୌଣସି କ୍ଷଣ ବ୍ୟର୍ଥରେ ବ୍ୟତୀତ ହୋଇ ନ ଥିଲା |

ସ ଏବଂ ସ୍ୱାନ୍ତରଂ ନିନ୍ୟେ ଯୁଗାନାମେକସପ୍ତତିମ୍ ।

ବାସୁଦେବପ୍ରସଙ୍ଗେନ ପରିଭୂତଗତିତ୍ରୟଃ ॥ ୩୬॥

ଏହିପରି ଭାବରେ ଜାଗ୍ରତ ଆଦି ତିନି ଅବସ୍ଥାରେ ଅଥବା ତ୍ରିଗୁଣକୁ ଅଭିଭୂତ କରି ସେ ଭଗବାନ ବାସୁଦେବଙ୍କ କଥାପ୍ରସଙ୍ଗରେ ନିଜ ମନ୍ବନ୍ତରର ଏକସ୍ତରୀ ଚତୁର୍ଯୁଗ ପୂରା କଲେ |

ଶାରୀରା ମାନସା ଦିବ୍ୟା ବୈୟାସେ ଯେ ଚ ମାନୁଷାଃ ।

ଭୌତିକାଶ୍ଚ କଥଂ କ୍ଲେଶା ବାଧନ୍ତେ ହରିସଂଶ୍ରୟମ୍ ॥ ୩୭॥

ହେ ବ୍ୟାସନନ୍ଦନ ବିଦୁର ! ଯେଉଁ ପୁରୁଷ ଶ୍ରୀହରିଙ୍କର ଆଶ୍ରିତ ରହିଥାଆନ୍ତି, ତାଙ୍କୁ ଶାରୀରିକ, ମାନସିକ, ଦୈବିକ, ମାନୁଷିକ ଅଥବା ଭୌତିକ ଦୁଃଖ କିପରି ଅବା କଷ୍ଟ ଦେଇପାରିବ |

ଯଃ ପୃଷ୍ଟୋ ମୁନିଭିଃ ପ୍ରାହ ଧର୍ମାନ୍ନାନାବିଧାନ୍ ଶୁଭାନ୍ ।

ନୃଣାଂ ବର୍ଣାଶ୍ରମାଣାଂ ଚ ସର୍ୱଭୂତହିତଃ ସଦା ॥ ୩୮॥

ମନୁ ମହାରାଜ ନିରନ୍ତର ସମସ୍ତ ପ୍ରାଣୀଙ୍କର ହିତରେ ହିଁ ରତ ରହୁଥିଲେ | ମୁନିମାନଙ୍କର ପ୍ରଶ୍ନର ଉତ୍ତରରେ ସେ ମନୁଷ୍ୟର ତଥା ସମସ୍ତ ବର୍ଣ୍ଣ ଏବଂ ଆଶ୍ରମର ଅନେକ ପ୍ରକାରର ମଙ୍ଗଳମୟ ଧର୍ମର ମଧ୍ୟ ବର୍ଣ୍ଣନା କରିଥିଲେ | (ଯାହା ମନୁସଂହିତା ରୂପରେ ଆଜି ମଧ୍ୟ ଉପଲବ୍ଧ ଅଟେ)

ଏତତ୍ତ ଆଦିରାଜସ୍ୟ ମନୋଶ୍ଚରିତମଦ୍ଭୁତମ୍ ।

ବର୍ଣିତଂ ବର୍ଣନୀୟସ୍ୟ ତଦପତ୍ୟୋଦୟଂ ଶୃଣୁ ॥ ୩୯॥

ଜଗତର ପ୍ରଥମ ସମ୍ରାଟ ମନୁ ମହାରାଜ ବାସ୍ତବରେ କୀର୍ତ୍ତନର ଯୋଗ୍ୟ ଥିଲେ | ଏଠାରେ ମୁଁ ତାଙ୍କ ଅଦ୍ଭୁତ ଚରିତ୍ରର ବର୍ଣ୍ଣନା କଲି, ଏବେ ତାଙ୍କ କନ୍ୟା ଦେବହୂତିଙ୍କର ପ୍ରଭାବ ବିଷୟରେ ଶୁଣ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ତୃତୀୟସ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ ॥ ୨୨॥

Comments

Popular posts from this blog