ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ॥
ତ୍ରୟବିଂଶ ଅଧ୍ୟାୟ
କର୍ଦମ ଏବଂ ଦେବହୂତିଙ୍କ ବିହାର
ମୈତ୍ରେୟ ଉବାଚ
ପିତୃଭ୍ୟାଂ ପ୍ରସ୍ଥିତେ ସାଧ୍ୱୀ ପତିମିଙ୍ଗିତକୋବିଦା ।
ନିତ୍ୟଂ ପର୍ୟଚରତ୍ପ୍ରୀତ୍ୟା ଭବାନୀବ ଭବଂ ପ୍ରଭୁମ୍ ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ମାତା-ପିତା ପ୍ରସ୍ଥାନ କରିବା
ପରେ ପତିଙ୍କ ଅଭିପ୍ରାୟକୁ ବୁଝିବାରେ କୁଶଳ ସାଧ୍ବୀ ଦେବହୂତି ପ୍ରତିଦିନ ପ୍ରେମପୂର୍ବକ କର୍ଦମ
ମୁନିଙ୍କର ସେବା କରିବାରେ ଲାଗିଲେ, ଠିକ ସେହିପରି, ଯେପରି ଦେବୀ ପାର୍ବତୀ ଭଗବାନ ଶଂକରଙ୍କର ସେବା କରନ୍ତି |
ବିଶ୍ରମ୍ଭେଣାତ୍ମଶୌଚେନ ଗୌରବେଣ ଦମେନ ଚ ।
ଶୁଶ୍ରୂଷୟା ସୌହୃଦେନ ବାଚା ମଧୁରୟା ଚ ଭୋଃ ॥ ୨॥
ବିସୃଜ୍ୟ କାମଂ ଦମ୍ଭଂ ଚ ଦ୍ୱେଷଂ ଲୋଭମଘଂ ମଦମ୍ ।
ଅପ୍ରମତ୍ତୋଦ୍ୟତା ନିତ୍ୟଂ ତେଜୀୟାଂସମତୋଷୟତ୍ ॥ ୩॥
ସେ କାମ-ବାସନା, ଦମ୍ଭ, ଦ୍ବେଷ, ଲୋଭ, ପାପ ଏବଂ ମଦ ତ୍ୟାଗ କରି ଅତ୍ୟନ୍ତ ସାବଧାନ ସହକାରେ ନିଷ୍ଠାର ସହିତ
ସେବାରେ ତତ୍ପର ରହି ବିଶ୍ବାସ, ପବିତ୍ରତା, ଗୌରବ, ସଂଯମ, ଶୁଶ୍ରୁଷା,
ପ୍ରେମ ଓ ମଧୁର ଭାଷଣ ଆଦି ଗୁଣ ଦ୍ବାରା ନିଜ ପରମ ତେଜସ୍ବୀ ପତିଦେବଙ୍କୁ ସନ୍ତୁଷ୍ଟ କଲେ |
ସ ବୈ ଦେବର୍ଷିବର୍ୟସ୍ତାଂ ମାନବୀଂ ସମନୁବ୍ରତାମ୍ ।
ଦୈବାଦ୍ଗରୀୟସଃ ପତ୍ୟୁରାଶାସାନାଂ ମହାଶିଷଃ ॥ ୪॥
କାଲେନ ଭୂୟସା କ୍ଷାମାଂ କର୍ଶିତାଂ ବ୍ରତଚର୍ୟଯା ।
ପ୍ରେମଗଦ୍ଗଦୟା ବାଚା ପୀଡିତଃ କୃପୟାବ୍ରବୀତ୍ ॥ ୫॥
ଦେବହୂତି ଭାବୁଥିଲେ,
ମୋର ପତିଦେବ ଦୈବଠାରୁ ମଧ୍ୟ ବଡ ଅଟନ୍ତି, ସେଥିପାଇଁ ସେ ତାଙ୍କଠାରୁ ବଡ-ବଡ ଆଶା ରଖି ତାଙ୍କ
ସେବାରେ ଲାଗି ରହିଥିଲେ | ଏହିପରି ବହୁତ ଦିନ ଧରି ନିଜର ଅନୁବର୍ତନ କରୁଥିବା ସେହି
ମନୁପୁତ୍ରୀଙ୍କୁ ବ୍ରତାଦି ପାଳନରେ ଦୁର୍ବଳ ହୋଇ ଯାଇଥିବା ଦେଖି ଦେବର୍ଷି-ଶ୍ରେଷ୍ଠ କର୍ଦମଙ୍କ
ମନରେ ଦୟାବଶତଃ ଖେଦ ଜାତ ହେଲା ଏବଂ ପ୍ରେମ ଗଦଗଦ ବାଣୀରେ ସେ ତାଙ୍କୁ କହିଲେ -
କର୍ଦମ ଉବାଚ
ତୁଷ୍ଟୋଽହମଦ୍ୟ ତବ ମାନବି ମାନଦାୟାଃ
ଶୁଶ୍ରୂଷୟା ପରମୟା ପରୟା ଚ ଭକ୍ତ୍ୟା ।
ଯୋ ଦେହିନାମୟମତୀବ ସୁହୃତ୍ସ୍ୱଦେହୋ
ନାବେକ୍ଷିତଃ ସମୁଚିତଃ କ୍ଷପିତୁଂ ମଦର୍ଥେ ॥ ୬॥
କର୍ଦମ କହିଲେ – ହେ ମନୁନନ୍ଦିନୀ ! ତୁମେ ମୋର ବହୁତ ବେଶୀ
ଆଦର-ସତ୍କାର କରିଛ ! ତୁମର ଉତ୍ତମ ସେବା ଏବଂ ପରମ ଭକ୍ତିରେ ମୁଁ ବହୁତ ସନ୍ତୁଷ୍ଟ | ସବୁ
ଦେହଧାରୀଙ୍କୁ ନିଜର ଶରୀର ଅତ୍ୟନ୍ତ ପ୍ରିୟ ଏବଂ ଆଦରଣୀୟ ଅଟେ, କିନ୍ତୁ ତୁମେ ତ ମୋ ସେବା ଆଗରେ
ନିଜର କ୍ଷୀଣ ଶରୀରକୁ ମଧ୍ୟ ମହତ୍ତ୍ବ ଦେଲନାହିଁ |
ଯେ ମେ ସ୍ୱଧର୍ମନିରତସ୍ୟ ତପଃ ସମାଧି-
ବିଦ୍ୟାଽଽତ୍ମୟୋଗବିଜିତା ଭଗବତ୍ପ୍ରସାଦାଃ ।
ତାନେବ ତେ ମଦନୁସେବନୟାବରୁଦ୍ଧାନ୍
ଦୃଷ୍ଟିଂ ପ୍ରପଶ୍ୟ ବିତରାମ୍ୟଭୟାନଶୋକାନ୍ ॥ ୭॥
ତେଣୁ ନିଜ ଧର୍ମ ପାଳନ କରି ମୋତେ ତପ, ସମାଧି, ଉପାସନା ଏବଂ ଯୋଗ
ଦ୍ବାରା ଯେଉଁ ଭୟ ଏବଂ ଶୋକରହିତ ଭଗବତ୍-ପ୍ରସାଦ ସ୍ବରୂପ ବିଭୂତି ପ୍ରାପ୍ତ ହୋଇଛି, ସେଥିରେ ମୋ ସେବା ପ୍ରଭାବରେ ତୁମକୁ ମଧ୍ୟ ଅଧିକାର ପ୍ରାପ୍ତ ହୋଇଛି
| ମୁଁ ତୁମକୁ ଦିବ୍ୟ-ଦୃଷ୍ଟି ପ୍ରଦାନ କରୁଛି,
ତଦ୍ବାରା ତୁମେ ସେମାନଙ୍କର ଦର୍ଶନ କର |
ଅନ୍ୟେ ପୁନର୍ଭଗବତୋ ଭ୍ରୁବ ଉଦ୍ୱିଜୃମ୍ଭ-
ବିଭ୍ରଂଶିତାର୍ଥରଚନାଃ କିମୁରୁକ୍ରମସ୍ୟ ।
ସିଦ୍ଧାସି ଭୁଙ୍କ୍ଷ୍ୱ ବିଭବାନ୍ ନିଜଧର୍ମଦୋହାନ୍
ଦିବ୍ୟାନ୍ନରୈର୍ଦୁରଧିଗାନ୍ନୃପବିକ୍ରିୟାଭିଃ ॥ ୮॥
ଅନ୍ୟ ଯେତେସବୁ ଭୋଗ ରହିଛି,
ସେସବୁ ତ ଭଗବାନ ଶ୍ରୀହରିଙ୍କର ଭୃକୁଟିବିଳାସ ମାତ୍ରେ ନଷ୍ଟ ହୋଇଯାଏ; ତାଙ୍କ ସମ୍ମୁଖରେ ସେସବୁ କିଛି ନୁହେଁ | ମୋ ସେବାରେ ତୁମେ ମଧ୍ୟ
କୃତାର୍ଥ ହୋଇଯାଇଛ; ନିଜ ପତିବ୍ରତ-ଧର୍ମ ପାଳନ କରି ତୁମେ ଏହି ଦିବ୍ୟ ଭୋଗ ପ୍ରାପ୍ତ କରିଛ, ଏହା
ତୁମେ ଭୋଗ କରିପାର | ମୁଁ ରାଜା ଅଟେ, ତେଣୁ ସବୁକିଛି ମୋ
ପାଇଁ ସୁଲଭ – ଏହିପରି ଅଭିମାନ ଆଦି ବିକାର ରହିଥିଲେ,
ମନୁଷ୍ୟକୁ ଏହି ଦିବ୍ୟ ଭୋଗ ପ୍ରାପ୍ତ ହେବା କଠିନ ହୋଇଥାଏ |
ଏବଂ ବ୍ରୁବାଣମବଲାଖିଲୟୋଗମାୟା-
ବିଦ୍ୟାବିଚକ୍ଷଣମବେକ୍ଷ୍ୟ ଗତାଧିରାସୀତ୍ ।
ସମ୍ପ୍ରଶ୍ରୟପ୍ରଣୟବିହ୍ୱଲୟା ଗିରେଷଦ୍-
ବ୍ରୀଡାବଲୋକବିଲସଦ୍ଧସିତାନନାଽଽହ ॥ ୯॥
କର୍ଦମ ମୁନି ଏପରି କହନ୍ତେ ନିଜ ପତିଦେବଙ୍କୁ ସମ୍ପୂର୍ଣ୍ଣ ଯୋଗମାୟା
ଏବଂ ବିଦ୍ୟାରେ କୁଶଳ ଜାଣି ଅବଳା ଦେବହୂତିଙ୍କର ସବୁ ଚିନ୍ତା ଦୂର ହୋଇଗଲା | କିଂଚିତ୍
ସଂକୋଚଭରା ଚାହାଣୀ ଏବଂ ମଧୁର ସ୍ମିତହାସ୍ୟରେ ତାଙ୍କର ମୁଖ ପ୍ରଫୁଲ୍ଲିତ ହୋଇଉଠିଲା ଏବଂ ବିନୟ ଓ
ପ୍ରେମ ଗଦଗଦ ବାଣୀରେ ସେ ଏପରି କହିବାରେ ଲାଗିଲେ |
ଦେବହୂତିରୁବାଚ
ରାଦ୍ଧଂ ବତ ଦ୍ୱିଜବୃଷୈତଦମୋଘୟୋଗ-
ମାୟାଧିପେ ତ୍ୱୟି ବିଭୋ ତଦବୈମି ଭର୍ତଃ ।
ଯସ୍ତେଽଭ୍ୟଧାୟି ସମୟଃ ସକୃଦଙ୍ଗସଙ୍ଗୋ
ଭୂୟାଦ୍ଗରୀୟସି ଗୁଣଃ ପ୍ରସବଃ ସତୀନାମ୍ ॥ ୧୦॥
ଦେବହୂତି କହିଲେ – ହେ ଦ୍ବିଜଶ୍ରେଷ୍ଠ ! ହେ ସ୍ବାମୀ ! ମୁଁ ଏହା
ଜାଣିଛି ଯେ କେବେ ନିଷ୍ଫଳ ହେଉ ନ ଥିବା ଯୋଗଶକ୍ତି ଏବଂ ତ୍ରିଗୁଣାତ୍ମକ ମାୟା ଉପରେ ଅଧିକାର
ପ୍ରାପ୍ତ କରିଥିବା ଆପଣଙ୍କୁ ସବୁ ଐଶ୍ବର୍ଯ୍ୟ ପ୍ରାପ୍ତ ଅଟେ | କିନ୍ତୁ ପ୍ରଭୁ ! ବିବାହ ସମୟରେ
ଆପଣ ଯାହା ପ୍ରତିଜ୍ଞା କରିଥିଲେ ଯେ ଗର୍ଭାଧାନ ପର୍ଯ୍ୟନ୍ତ ଆପଣ ମୋ ସହିତ ଗୃହସ୍ଥ-ସୁଖର ଉପଭୋଗ କରିବେ, ତାହାର ପୂର୍ତ୍ତି ଏବେ ହେବା ଆବଶ୍ୟକ | କାରଣ ଶ୍ରେଷ୍ଠ ପତିଙ୍କ
ଦ୍ବାରା ସନ୍ତାନ ପ୍ରାପ୍ତ ହେବା ପତିବ୍ରତା ସ୍ତ୍ରୀ ନିମନ୍ତେ ମହାନ୍ ଲାଭକାରୀ ଅଟେ |
ତତ୍ରେତିକୃତ୍ୟମୁପଶିକ୍ଷ ଯଥୋପଦେଶଂ
ଯେନୈଷ ମେ କର୍ଶିତୋଽତିରିରଂସୟାଽଽତ୍ମା ।
ସିଦ୍ଧ୍ୟେତ ତେ କୃତମନୋଭବଧର୍ଷିତାୟା
ଦୀନସ୍ତଦୀଶ ଭବନଂ ସଦୃଶଂ ବିଚକ୍ଷ୍ୱ ॥ ୧୧॥
ଆମ ଦୁହିଁଙ୍କର ସମାଗମ ନିମନ୍ତେ ଶାସ୍ତ୍ର ଅନୁସାରେ ଯାହା ସବୁ
କର୍ତ୍ତବ୍ୟ-କର୍ମ ରହିଛି, ଆପଣ ମୋତେ ତାହାର
ଉପଦେଶ ଦିଅନ୍ତୁ ତଥା ହଳଦି, ଚନ୍ଦନ, ଭୋଜନ ଆଦି ଉପଯୋଗୀ ସାମଗ୍ରୀର ବ୍ୟବସ୍ଥା ମଧ୍ୟ
କରିଦିଅନ୍ତୁ, ଯଦ୍ବାରା ମିଳନ
ଇଚ୍ଛାରେ ଅତ୍ୟନ୍ତ ଦୀନ-ଦୁର୍ବଳ ହୋଇ ଯାଇଥିବା ମୋର ଏହି ଶରୀର ଆପଣଙ୍କ ଅଙ୍ଗ-ସଙ୍ଗର ଯୋଗ୍ୟ
ହୋଇପାରିବ; କାରଣ ଆପଣଙ୍କ ଦ୍ବାରା ବର୍ଦ୍ଧିତ ହୋଇଥିବା କାମବାସନାରେ ମୁଁ ପୀଡିତ ରହିଛି | ହେ
ସ୍ବାମୀ ! ଏଥିପାଇଁ ଏକ ଉପଯୁକ୍ତ ଭବନ ପ୍ରସ୍ତୁତ କରିବା ବିଷୟରେ ମଧ୍ୟ ବିଚାର କରନ୍ତୁ |
ମୈତ୍ରେୟ ଉବାଚ
ପ୍ରିୟାୟାଃ ପ୍ରିୟମନ୍ୱିଚ୍ଛନ୍ କର୍ଦମୋ ଯୋଗମାସ୍ଥିତଃ ।
ବିମାନଂ କାମଗଂ କ୍ଷତ୍ତସ୍ତର୍ହ୍ୟେବାବିରଚୀକରତ୍ ॥ ୧୨॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ନିଜ ପ୍ରିୟାଙ୍କର ଇଚ୍ଛା
ପୂର୍ତ୍ତି ନିମନ୍ତେ କର୍ଦମ ମୁନି ତତକ୍ଷଣାତ୍ ଯୋଗରେ ସ୍ଥିତ ହୋଇ ଏକ ବିମାନ ରଚନା କଲେ, ଯିଏ ଇଚ୍ଛାନୁସାରେ ସର୍ବତ୍ର ଆତଯାତ କରିପାରିବ |
ସର୍ୱକାମଦୁଘଂ ଦିବ୍ୟଂ ସର୍ୱରତ୍ନସମନ୍ୱିତମ୍ ।
ସର୍ୱର୍ଦ୍ଧ୍ୟୁପଚୟୋଦର୍କଂ ମଣିସ୍ତମ୍ଭୈରୁପସ୍କୃତମ୍ ॥ ୧୩॥
ସେହି ବିମାନ ସବୁ ପ୍ରକାରର ଇପ୍ସିତ ଭୋଗ-ସୁଖ ପ୍ରଦାୟକ, ଅତ୍ୟନ୍ତ ସୁନ୍ଦର,
ସବୁ ପ୍ରକାରର ରତ୍ନରେ ଯୁକ୍ତ, ସମ୍ପତ୍ତିର ଉତ୍ତରୋତ୍ତର ବୃଦ୍ଧିରେ ସମ୍ପନ୍ନ ତଥା ମଣିମୟ
ସ୍ତମ୍ଭରେ ସୁଶୋଭିତ ଥିଲା |
ଦିବ୍ୟୋପକରଣୋପେତଂ ସର୍ୱକାଲସୁଖାବହମ୍ ।
ପଟ୍ଟିକାଭିଃ ପତାକାଭିର୍ୱିଚିତ୍ରାଭିରଲଙ୍କୃତମ୍ ॥ ୧୪॥
ତାହା ସବୁ ଋତୁ ନିମନ୍ତେ ସୁଖଦାୟକ ଥିଲା ଏବଂ ସେଥିରେ ସର୍ବତ୍ର
ଦିବ୍ୟ ସାମଗ୍ରୀ ସବୁ ରଖାଯାଇ ଥିଲା ତଥା ତାହାକୁ ଚିତ୍ର-ବିଚିତ୍ର ଝାଲର ଏବଂ ପତାକାରେ ସଜ୍ଜିତ
କରାଯାଇ ଥିଲା |
ସ୍ରଗ୍ଭିର୍ୱିଚିତ୍ରମାଲ୍ୟାଭିର୍ମଞ୍ଜୁଶିଞ୍ଜତ୍ଷଡଙ୍ଘ୍ରିଭିଃ ।
ଦୁକୂଲକ୍ଷୌମକୌଶେୟୈର୍ନାନାବସ୍ତ୍ରୈର୍ୱିରାଜିତମ୍ ॥ ୧୫॥
ଭ୍ରମରଗଣ ମଧୁର ଗୁଞ୍ଜରଣ କରୁଥିବା ରଙ୍ଗ-ବେରଙ୍ଗ ପୁଷ୍ପମାଲ୍ୟ ତଥା
ଅନେକ ପ୍ରକାରର ସୂତାଏବଂ ରେଶମୀ ବସ୍ତ୍ରରେ ତାହା ଅତ୍ୟନ୍ତ ଶୋଭାୟମାନ ହେଉଥିଲା |
ଉପର୍ୟୁପରି ବିନ୍ୟସ୍ତନିଲୟେଷୁ ପୃଥକ୍ପୃଥକ୍ ।
କ୍ଷିପ୍ତୈଃ କଶିପୁଭିଃ କାନ୍ତଂ ପର୍ୟଙ୍କବ୍ୟଜନାସନୈଃ ॥ ୧୬॥
ଉପରକୁ ଉପର ରହିଥିବା କକ୍ଷଗୁଡିକ ଶଯ୍ୟା, ପଲଙ୍କ, ପଂଖା ଓ ଆସନ ଆଦିରେ ସଜ୍ଜିତ ହୋଇ ଅତ୍ୟନ୍ତ ସୁନ୍ଦର ଦେଖା
ଯାଉଥିଲା
ତତ୍ର ତତ୍ର ବିନିକ୍ଷିପ୍ତନାନାଶିଲ୍ପୋପଶୋଭିତମ୍ ।
ମହାମରକତସ୍ଥାଲ୍ୟା ଜୁଷ୍ଟଂ ବିଦ୍ରୁମବେଦିଭିଃ ॥ ୧୭॥
କାରୁକାର୍ଯ୍ୟ ମଣ୍ଡିତ ହୋଇ ପ୍ରାଚୀରଗୁଡିକ ଅପୂର୍ବ ଭାବରେ ଶୋଭା
ପାଉଥିଲା | ବିମାନର ଚଟାଣ ପନ୍ନା ପଥରର ଥିଲା ଏବଂ ସେଥିରେ ସ୍ଥାନେ ସ୍ଥାନେ ପ୍ରବାଳ-ନିର୍ମିତ
ବେଦି ରହିଥିଲା |
ଦ୍ୱାଃସୁ ବିଦ୍ରୁମଦେହଲ୍ୟା ଭାତଂ ବଜ୍ରକପାଟବତ୍ ।
ଶିଖରେଷ୍ୱିନ୍ଦ୍ରନୀଲେଷୁ ହେମକୁମ୍ଭୈରଧିଶ୍ରିତମ୍ ॥ ୧୮॥
ଦ୍ବାରବନ୍ଧ ମଧ୍ୟ ପ୍ରବାଳରେ ନିର୍ମିତ ଥିଲା | ଦ୍ବାରଦେଶରେ ହୀରାର
କବାଟ ଲାଗିଥିଲା | ବିମାନର ଶିଖରଦେଶରେ ଇନ୍ଦ୍ରନୀଳ ମଣି ଉପରେ ସୁବର୍ଣ୍ଣ କଳସ ରଖାଯାଇ ଥିଲା |
ଚକ୍ଷୁଷ୍ମତ୍ପଦ୍ମରାଗାଗ୍ର୍ୟୈର୍ୱଜ୍ରଭିତ୍ତିଷୁ ନିର୍ମିତୈଃ ।
ଜୁଷ୍ଟଂ ବିଚିତ୍ରବୈତାନୈର୍ମହାର୍ହୈର୍ହେମତୋରଣୈଃ ॥ ୧୯॥
ହୀରା କବାଟରେ ପଦ୍ମରାଗ ମଣି ଜଟିତ ହୋଇ ତାହା ବିମାନର ଚକ୍ଷୁ ସଦୃଶ
ପ୍ରତୀତ ହେଉଥିଲା | ବିମାନକୁ ବହୁମୂଲ୍ୟ ସୁନେଲୀ ତୋରଣରେ ସଜ୍ଜିତ କରାଯାଇ ଥିଲା |
ହଂସପାରାବତବ୍ରାତୈସ୍ତତ୍ର ତତ୍ର ନିକୂଜିତମ୍ ।
କୃତ୍ରିମାନ୍ ମନ୍ୟମାନୈଃ ସ୍ୱାନଧିରୁହ୍ୟାଧିରୁହ୍ୟ ଚ ॥ ୨୦॥
ସେହି ବିମାନରେ ସ୍ଥାନେ ସ୍ଥାନେ କୃତ୍ରିମ ହଂସ ଏବଂ କପୋତ ଆଦି ପକ୍ଷୀ
ରହିଥିଲେ, ଯେଉଁମାନେ ଏତେ ବେଶୀ ସଜୀବ ପ୍ରତୀତ ହେଉଥିଲେ ଯେ ସେମାନଙ୍କୁ ସଜାତୀୟ ମନେକରି ଅନେକ
ହଂସ ଏବଂ କପୋତ ସେମାନଙ୍କ ନିକଟରେ ବସି ରାବ କରୁଥିଲେ |
ବିହାରସ୍ଥାନବିଶ୍ରାମସମ୍ବେଶପ୍ରାଙ୍ଗଣାଜିରୈଃ ।
ଯଥୋପଜୋଷଂ ରଚିତୈର୍ୱିସ୍ମାପନମିବାତ୍ମନଃ ॥ ୨୧॥
ବିମାନଟିରେ ସୁବିଧା ଅନୁସାରେ କ୍ରୀଡାସ୍ଥଳୀ, ଶୟନଗୃହ, ବୈଠକ, ଅଗଣା ଏବଂ ଚଉତରା ଆଦି ରହିଥିଲା – ଯଦ୍ବାରା ସେହି ବିମାନ ସ୍ବୟଂ
କର୍ଦମ ମୁନିଙ୍କୁ ମଧ୍ୟ ବିସ୍ମିତ କରୁଥିଲା |
ଈଦୃଗ୍ଗୃହଂ ତତ୍ପଶ୍ୟନ୍ତୀଂ ନାତିପ୍ରୀତେନ ଚେତସା ।
ସର୍ୱଭୂତାଶୟାଭିଜ୍ଞଃ ପ୍ରାବୋଚତ୍କର୍ଦମଃ ସ୍ୱୟମ୍ ॥ ୨୨॥
ଏପରି ସୁନ୍ଦର ଗୃହକୁ ଯେତେବେଳେ ଦେବହୂତି ପ୍ରସନ୍ନ ଚିତ୍ତରେ ନ
ଦେଖିଲେ, ସେତେବେଳେ
ସମସ୍ତଙ୍କର ଆନ୍ତରିକ ଭାବକୁ ଅନୁମାନ କରିପାରୁ ଥିବା କର୍ଦମ ମୁନି ନିଜ ତରଫରୁ କହିଲେ -
ନିମଜ୍ଜ୍ୟାସ୍ମିନ୍ ହ୍ରଦେ ଭୀରୁ ବିମାନମିଦମାରୁହ ।
ଇଦଂ ଶୁକ୍ଲକୃତଂ ତୀର୍ଥମାଶିଷାଂ ଯାପକଂ ନୃଣାମ୍ ॥ ୨୩॥
ହେ ଭୀରୁ ! ତୁମେ ବିନ୍ଦୁସରୋବରରେ ସ୍ନାନ କରି ଏହି ବିମାନ ଆରୋହଣ କର
| ବିଷ୍ଣୁଭଗବାନଙ୍କ ଦ୍ବାରା ରଚିତ ଏହି ତୀର୍ଥ ସମସ୍ତ କାମନା ପୂର୍ତ୍ତିକାରୀ ଅଟେ |
ସା ତଦ୍ଭର୍ତୁଃ ସମାଦାୟ ବଚଃ କୁବଲୟେକ୍ଷଣା ।
ସରଜଂ ବିଭ୍ରତୀ ବାସୋ ବେଣୀଭୂତାଂଶ୍ଚ ମୂର୍ଧଜାନ୍ ॥ ୨୪॥
ଅଙ୍ଗଂ ଚ ମଲପଙ୍କେନ ସଞ୍ଛନ୍ନଂ ଶବଲସ୍ତନମ୍ ।
ଆବିବେଶ ସରସ୍ୱତ୍ୟାଃ ସରଃ ଶିବଜଲାଶୟମ୍ ॥ ୨୫॥
ପତିଦେବଙ୍କର କଥା ମାନି କମଳଲୋଚନା ଦେବହୂତି ସରସ୍ବତୀ ନଦୀଜଳରେ ଭରା
ସେହି ସରୋବରରେ ପ୍ରବେଶ କଲେ | ସେହି ସମୟରେ ସେ ଅତ୍ୟନ୍ତ ଛିଣ୍ଡା-କୋତରା ଶାଢୀ ପିନ୍ଧିଥିଲେ, ତାଙ୍କର କେଶ ଚାପି ହୋଇ ସେଥିରେ ଜଟ ପଡି ଯାଇଥିଲା, ଶରୀର ମଳୀନ ଏବଂ ସ୍ତନ କାନ୍ତିହୀନ ହୋଇ ଯାଇଥିଲା |
ସାନ୍ତଃସରସି ବେଶ୍ମସ୍ଥାଃ ଶତାନି ଦଶ କନ୍ୟକାଃ ।
ସର୍ୱାଃ କିଶୋରବୟସୋ ଦଦର୍ଶୋତ୍ପଲଗନ୍ଧୟଃ ॥ ୨୬॥
ସରୋବରରେ ବୁଡ ପକାଇ ସେ ତା’
ଭିତରେ ଏକ ମହଲରେ ଏକ ହଜାର କନ୍ୟାଙ୍କୁ ଦେଖିଲେ | ସେମାନେ ସମସ୍ତେ କିଶୋର-ଅବସ୍ଥାର ଥିଲେ ଏବଂ
ସେମାନଙ୍କ ଶରୀରରୁ କମଳର ସୁଗନ୍ଧ ନିର୍ଗତ ହେଉଥିଲା |
ତାଂ ଦୃଷ୍ଟ୍ୱା ସହସୋତ୍ଥାୟ ପ୍ରୋଚୁଃ ପ୍ରାଞ୍ଜଲୟଃ ସ୍ତ୍ରିୟଃ ।
ବୟଂ କର୍ମକରୀସ୍ତୁଭ୍ୟଂ ଶାଧି ନଃ କରବାମ କିମ୍ ॥ ୨୭॥
ଦେବହୂତିଙ୍କୁ ଦେଖିବା ମାତ୍ରେ ସେମାନେ ସମସ୍ତେ ଠିଆ ହୋଇ ହାତ ଯୋଡି
କହିବାରେ ଲାଗିଲେ, ‘ଆମେ ଆପଣଙ୍କର ଦାସୀ ଅଟୁ;
ଆମେ ଆପଣଙ୍କର କି ସେବା କରିବୁ, ଆମକୁ ଆଜ୍ଞା
ଦିଅନ୍ତୁ |’
ସ୍ନାନେନ ତାଂ ମହାର୍ହେଣ ସ୍ନାପୟିତ୍ୱା ମନସ୍ୱିନୀମ୍ ।
ଦୁକୂଲେ ନିର୍ମଲେ ନୂତ୍ନେ ଦଦୁରସ୍ୟୈ ଚ ମାନଦାଃ ॥ ୨୮॥
ହେ ବିଦୁର ! ତାପରେ ନିଜ ସ୍ବାମିନୀଙ୍କର ସମ୍ମାନାର୍ଥେ ସେହି
ରମଣୀମାନେ ବହୁମୂଲ୍ୟ ସୁଗନ୍ଧିତ ଦ୍ରବ୍ୟ ମିଶ୍ରିତ ଜଳରେ ଦେବହୂତିଙ୍କୁ ସ୍ନାନ କରାଇଲେ ତଥା
ପରିଧାନ କରିବା ପାଇଁ ତାଙ୍କୁ ଦୁଇଟି ନୂତନ ଏବଂ ନିର୍ମଳ ବସ୍ତ୍ର ଦେଲେ |
ଭୂଷଣାନି ପରାର୍ଧ୍ୟାନି ବରୀୟାଂସି ଦ୍ୟୁମନ୍ତି ଚ ।
ଅନ୍ନଂ ସର୍ୱଗୁଣୋପେତଂ ପାନଂ ଚୈବାମୃତାସବମ୍ ॥ ୨୯॥
ପୁନଶ୍ଚ, ସେମାନେ ତାଙ୍କୁ
ବହୁମୂଲ୍ୟ ସୁନ୍ଦର-ସୁନ୍ଦର ଆଭୂଷଣ ଦେଲେ ଏବଂ ତାଙ୍କ ପାଇଁ ଉଚ୍ଚ ମାନର ସ୍ବାଦିଷ୍ଟ ଭୋଜନ ତଥା
ଅମୃତ-ତୁଲ୍ୟ ପାନୀୟ ପ୍ରସ୍ତୁତ କଲେ |
ଅଥାଦର୍ଶେ ସ୍ୱମାତ୍ମାନଂ ସ୍ରଗ୍ୱିଣଂ ବିରଜାମ୍ବରମ୍ ।
ବିରଜଂ କୃତସ୍ୱସ୍ତ୍ୟଯନଂ କନ୍ୟାଭିର୍ବହୁମାନିତମ୍ ॥ ୩୦॥
ଦେବହୂତି ଦର୍ପଣରେ ନିଜ ପ୍ରତିବିମ୍ବରେ ଦେଖିଲେ ଯେ ଭିନ୍ନ-ଭିନ୍ନ
ପ୍ରକାରର ସୁଗନ୍ଧିତ ଫୁଲହାରରେ ତାଙ୍କୁ ବିଭୂଷିତ କରାଯାଇଛି, ସେ ସ୍ବଚ୍ଛ ବସ୍ତ୍ର ପରିଧାନ
କରିଛନ୍ତି, ତାଙ୍କର ଶରୀର
ନିର୍ମଳ ଓ କାନ୍ତିମାନ୍ ହୋଇଯାଇଛି ଏବଂ ସେହି କନ୍ୟାମାନେ ଅତି ଆଦରପୂର୍ବକ ତାଙ୍କର ମାଙ୍ଗଳିକ
ଶୃଙ୍ଗାର ମଧ୍ୟ କରିଛନ୍ତି |
ସ୍ନାତଂ କୃତଶିରଃସ୍ନାନଂ ସର୍ୱାଭରଣଭୂଷିତମ୍ ।
ନିଷ୍କଗ୍ରୀବଂ ବଲୟିନଂ କୂଜତ୍କାଞ୍ଚନନୂପୁରମ୍ ॥ ୩୧॥
ତାଙ୍କୁ କେଶ ଧୌତ କରି ସ୍ନାନ କରାଇବା ପରେ ତାଙ୍କର ପ୍ରତ୍ୟେକ
ଅଙ୍ଗକୁ ଆଭୂଷଣ ଦ୍ବାରା ସଜ୍ଜିତ କରାଯାଇଛି – ଗଳାରେ ହାର-ମାଳ, ହାତରେ କଙ୍କଣ ଏବଂ ପାଦରେ ଛମଛମ କରି ପାଉଁଜି ସୁଶୋଭିତ ହେଉଛି |
ଶ୍ରୋଣ୍ୟୋରଧ୍ୟସ୍ତୟା କାଞ୍ଚ୍ୟା କାଞ୍ଚନ୍ୟା ବହୁରତ୍ନୟା ।
ହାରେଣ ଚ ମହାର୍ହେଣ ରୁଚକେନ ଚ ଭୂଷିତମ୍ ॥ ୩୨॥
କଟିଦେଶର ରତ୍ନଜଟିତ ସୁବର୍ଣ୍ଣ ଅଣ୍ଟାସୂତା, ବହୁମୂଲ୍ୟ ମଣିଯୁକ୍ତ ହାର ଏବଂ ଅଙ୍ଗଲେପିତ କୁଙ୍କୁମାଦି ମଙ୍ଗଳମୟ
ଦ୍ରବ୍ୟରେ ସେ ଅପୂର୍ବ ଭାବରେ ଶୋଭା ପାଉଥିଲେ |
ସୁଦତା ସୁଭ୍ରୁବା ଶ୍ଲକ୍ଷ୍ଣସ୍ନିଗ୍ଧାପାଙ୍ଗେନ ଚକ୍ଷୁଷା ।
ପଦ୍ମକୋଶସ୍ପୃଧା ନୀଲୈରଲକୈଶ୍ଚ ଲସନ୍ମୁଖମ୍ ॥ ୩୩॥
ତାଙ୍କର ମୁଖ ସୁନ୍ଦର ଦନ୍ତାବଳୀ,
ମନୋହର ଭୃକୁଟି, କମଳ କଳି ସହିତ
ପ୍ରତିଦ୍ବନ୍ଦିତା କରୁଥିବା ପ୍ରେମକଟାକ୍ଷମୟ ସୁନ୍ଦର ନେତ୍ର ଏବଂ ନୀଳ ଅଳକାବଳୀରେ ଅତ୍ୟନ୍ତ
ସୁନ୍ଦର ଦେଖା ଯାଉଥିଲା |
ଯଦା ସସ୍ମାର ଋଷଭମୃଷୀଣାଂ ଦୟିତଂ ପତିମ୍ ।
ତତ୍ର ଚାସ୍ତେ ସହ ସ୍ତ୍ରୀଭିର୍ୟତ୍ରାସ୍ତେ ସ ପ୍ରଜାପତିଃ ॥ ୩୪॥
ହେ ବିଦୁର ! ଦେବହୂତି ଯେତେବେଳେ ନିଜର ପ୍ରିୟ ପତିଦେବଙ୍କର ସ୍ମରଣ
କଲେ, ସେତେବେଳେ ସେ
ସଖୀମାନଙ୍କ ସହିତ ନିଜକୁ ସେହି ସ୍ଥାନରେ ପାଇଲେ,
ଯେଉଁଠାରେ କର୍ଦମ ମୁନି ବିରାଜମାନ କରିଥିଲେ |
ଭର୍ତୁଃ ପୁରସ୍ତାଦାତ୍ମାନଂ ସ୍ତ୍ରୀସହସ୍ରବୃତଂ ତଦା ।
ନିଶାମ୍ୟ ତଦ୍ୟୋଗଗତିଂ ସଂଶୟଂ ପ୍ରତ୍ୟପଦ୍ୟତ ॥ ୩୫॥
ନିଜକୁ ସହସ୍ର ସ୍ତ୍ରୀଙ୍କ ସହିତ ନିଜ ପ୍ରାଣନାଥଙ୍କ ସମ୍ମୁଖରେ ପାଇ
ଏବଂ ତାହାକୁ ତାଙ୍କ ଯୋଗର ପ୍ରଭାବ ଜାଣି ଦେବହୂତି ଅତିଶୟ ବିସ୍ମିତ ହେଲେ |
ସ ତାଂ କୃତମଲସ୍ନାନାଂ ବିଭ୍ରାଜନ୍ତୀମପୂର୍ୱବତ୍ ।
ଆତ୍ମନୋ ବିଭ୍ରତୀଂ ରୂପଂ ସମ୍ବୀତରୁଚିରସ୍ତନୀମ୍ ॥ ୩୬॥
ବିଦ୍ୟାଧରୀସହସ୍ରେଣ ସେବ୍ୟମାନାଂ ସୁବାସସମ୍ ।
ଜାତଭାବୋ ବିମାନଂ ତଦାରୋହୟଦମିତ୍ରହନ୍ ॥ ୩୭॥
ହେ ଶତ୍ରୁବିଜୟୀ ବିଦୁର ! କର୍ଦମ ମୁନି ଯେତେବେଳେ ଦେଖିଲେ ଯେ ସ୍ନାନ
କରିବା ଦ୍ବାରା ଦେବହୂତିଙ୍କର ଶରୀର ନିର୍ମଳ ହୋଇଯାଇଛି ଏବଂ ବିବାହକାଳ ପୂର୍ବରୁ ତାଙ୍କର ରୂପ
ଯେପରି ଥିଲା, ତାହା ସେହି ରୂପକୁ
ପ୍ରାପ୍ତ କରି ଅପୂର୍ବ ଶୋଭାସମ୍ପନ୍ନ ହୋଇଯାଇଛି, ତାଙ୍କର
ସୁନ୍ଦର ବକ୍ଷସ୍ଥଳ କଂଚୁକିରେ ଆବୃତ ରହିଛି, ହଜାର ହଜାର
ବିଦ୍ୟାଧରଙ୍କ ପତ୍ନୀମାନେ ତାଙ୍କର ସେବାରେ ଲାଗି ରହିଛନ୍ତି ତଥା ତାଙ୍କର ଶରୀର ସୁନ୍ଦର-ସୁନ୍ଦର
ବସ୍ତ୍ରରେ ଶୋଭା ପାଉଛି, ସେତେବେଳେ ସେ
ତାଙ୍କୁ ଅତି ପ୍ରେମରେ ବିମାନରେ ବସାଇଲେ |
ତସ୍ମିନ୍ନଲୁପ୍ତମହିମା ପ୍ରିୟଯାନୁରକ୍ତୋ
ବିଦ୍ୟାଧରୀଭିରୁପଚୀର୍ଣବପୁର୍ୱିମାନେ ।
ବଭ୍ରାଜ ଉତ୍କଚକୁମୁଦ୍ଗଣବାନପୀଚ୍ୟଃ
ତାରାଭିରାବୃତ ଇବୋଡୁପତିର୍ନଭଃସ୍ଥଃ ॥ ୩୮॥
ସେହି ସମୟରେ ନିଜ ପ୍ରିୟାଙ୍କ ପ୍ରତି ଅନୁରକ୍ତ ରହିଥିଲେ ବି କର୍ଦମ
ମୁନିଙ୍କର ମହିମା (ମନ ଏବଂ ଇନ୍ଦ୍ରିୟ ଉପରେ ଶାସନ) କମ୍ ହୋଇ ନ ଥିଲା | ବିଦ୍ୟାଧରମାନଙ୍କ
ଦ୍ବାରା ସେବିତ ହୋଇ, ପ୍ରସ୍ଫୁଟିତ କୁମୁଦିନୀରେ ସଜ୍ଜିତ ହୋଇ ସେ ବିମାନରେ ଏପରି ଶୋଭା ପାଉଥିଲେ, ଯେପରି ଆକାଶରେ ତାରାଗହଣରେ ଚନ୍ଦ୍ରମା ଶୋଭା ପାଉଥାଏ |
ତେନାଷ୍ଟଲୋକପବିହାରକୁଲାଚଲେନ୍ଦ୍ର-
ଦ୍ରୋଣୀଷ୍ୱନଙ୍ଗସଖମାରୁତସୌଭଗାସୁ ।
ସିଦ୍ଧୈର୍ନୁତୋ ଦ୍ୟୁଧୁନିପାତଶିବସ୍ୱନାସୁ
ରେମେ ଚିରଂ ଧନଦବଲ୍ଲଲନା ବରୂଥୀ ॥ ୩୯॥
ସେହି ବିମାନରେ ନିବାସ କରି ସେ ଦୀର୍ଘକାଳ କୁବେରଙ୍କ ପରି
ମେରୁପର୍ବତର ଘାଟିମାନଙ୍କରେ ବିହାର କଲେ | ସେହି ସବୁ ଘାଟି ଅଷ୍ଟ ଲୋକପାଳଙ୍କର ବିହାରଭୂମି ଅଟେ; ସେଠାରେ କାମଦେବଙ୍କର ଶକ୍ତି ବୃଦ୍ଧିକାରୀ ଶୀତଳ, ମନ୍ଦ, ସୁଗନ୍ଧିତ ବାୟୁ
ପ୍ରବାହିତ ହୋଇ କମନୀୟ ଶୋଭା ବିସ୍ତାର କରୁଥାଏ ତଥା ଶ୍ରୀଗଙ୍ଗାଙ୍କର ସ୍ବର୍ଗଲୋକରୁ ଝରିବାର
ମଙ୍ଗଳମୟ ଧ୍ବନି ନିରନ୍ତର ଗୁଞ୍ଜରିତ ହେଉଥାଏ | ସେହି ସମୟରେ ମଧ୍ୟ ଦିବ୍ୟ ବିଦ୍ୟାଧର ସମୁଦାୟ
ତାଙ୍କ ସେବାରେ ଉପସ୍ଥିତ ଥିଲେ ଏବଂ ସିଦ୍ଧଗଣ ତାଙ୍କର ବନ୍ଦନା କରୁଥିଲେ |
ବୈଶ୍ରମ୍ଭକେ ସୁରସନେ ନନ୍ଦନେ ପୁଷ୍ପଭଦ୍ରକେ ।
ମାନସେ ଚୈତ୍ରରଥ୍ୟେ ଚ ସ ରେମେ ରାମୟା ରତଃ ॥ ୪୦॥
ଏହିପରି ଭାବରେ ପ୍ରାଣପ୍ରିୟା ଦେବହୂତିଙ୍କ ସହିତ ସେ ବୈଶ୍ରମ୍ଭକ,
ସୁରସନ, ନନ୍ଦନ, ପୁଷ୍ପଭଦ୍ର ଏବଂ ଚୈତ୍ରରଥ ଆଦି ଅନେକ ଦେବ-ଉଦ୍ୟାନ ତଥା
ମାନସ-ସରୋବରରେ ଅନୁରାଗପୂର୍ବକ ବିହାର କଲେ |
ଭ୍ରାଜିଷ୍ଣୁନା ବିମାନେନ କାମଗେନ ମହୀୟସା ।
ବୈମାନିକାନତ୍ୟଶେତ ଚରଂଲ୍ଲୋକାନ୍ ଯଥାନିଲଃ ॥ ୪୧॥
ସେହି କାନ୍ତିମାନ ଏବଂ ଇଚ୍ଛାନୁସାରେ ଗତି କରୁଥିବା ଶ୍ରେଷ୍ଠ
ବିମାନରେ ବସି ବାୟୁ ପରି ସମସ୍ତ ଲୋକରେ ବିଚରଣ କରି କର୍ଦମ ମୁନି ବିମାନବିହାରୀ
ଦେବତାମାନଙ୍କଠାରୁ ମଧ୍ୟ ଆଗକୁ ଚାଲିଗଲେ |
କିଂ ଦୁରାପାଦନଂ ତେଷାଂ ପୁଂସାମୁଦ୍ଦାମଚେତସାମ୍ ।
ଯୈରାଶ୍ରିତସ୍ତୀର୍ଥପଦଶ୍ଚରଣୋ ବ୍ୟସନାତ୍ୟଯଃ ॥ ୪୨॥
ହେ ବିଦୁର ! ଯିଏ ଭଗବାନଙ୍କର ଭବଭୟହାରୀ ପବିତ୍ର ପାଦପଦ୍ମର ଆଶ୍ରୟ
ଗ୍ରହଣ କରିଛନ୍ତି, ସେପରି ଧୀର
ପୁରୁଷଙ୍କ ନିମନ୍ତେ କେଉଁ ବସ୍ତୁ ବା ଶକ୍ତି ଦୁର୍ଲଭ ଅଟେ |
ପ୍ରେକ୍ଷୟିତ୍ୱା ଭୁବୋ ଗୋଲଂ ପତ୍ନ୍ୟୈ ଯାବାନ୍ ସ୍ୱସଂସ୍ଥୟା ।
ବହ୍ୱାଶ୍ଚର୍ୟଂ ମହାୟୋଗୀ ସ୍ୱାଶ୍ରମାୟ ନ୍ୟବର୍ତତ ॥ ୪୩॥
ଏହିପରି ଭାବରେ ମହାଯୋଗୀ କର୍ଦମ ମୁନି ସାରା ଭୂମଣ୍ଡଳ, ଯାହା ଦ୍ବୀପ-ବର୍ଷ ଆଦି ବିଚିତ୍ର ରଚନା ଯୋଗୁଁ ଅତ୍ୟନ୍ତ
ଆଶ୍ଚର୍ଯ୍ୟଜନକ ପ୍ରତୀତ ହୋଇଥାଏ, ନିଜ ପ୍ରିୟାଙ୍କୁ
ଦର୍ଶନ କରାଇ ଆଶ୍ରମକୁ ଫେରି ଆସିଲେ |
ବିଭଜ୍ୟ ନବଧାଽଽତ୍ମାନଂ ମାନବୀଂ ସୁରତୋତ୍ସୁକାମ୍ ।
ରାମାଂ ନିରମୟନ୍ ରେମେ ବର୍ଷପୂଗାନ୍ ମୁହୂର୍ତବତ୍ ॥ ୪୪॥
ତାପରେ ସେ ନିଜକୁ ନଅଟି ରୂପରେ ବିଭକ୍ତ କରିଥିଲେ ଏବଂ ରତିସୁଖ
ନିମନ୍ତେ ଅତ୍ୟନ୍ତ ଉତ୍ସୁକ ମନୁକୁମାରୀ ଦେବହୂତିଙ୍କୁ ଆନନ୍ଦିତ କରି ତାଙ୍କ ସହିତ ବହୁବର୍ଷ
ବିହାର କଲେ, କିନ୍ତୁ ସେମାନଙ୍କ
ବିହାରର ସେହି ଦୀର୍ଘକାଳ ଏକ ମୁହୂର୍ତ୍ତ ପରି ବ୍ୟତୀତ ହୋଇଗଲା |
ତସ୍ମିନ୍ ବିମାନ ଉତ୍କୃଷ୍ଟାଂ ଶୟ୍ୟାଂ ରତିକରୀଂ ଶ୍ରିତା ।
ନ ଚାବୁଧ୍ୟତ ତଂ କାଲଂ ପତ୍ୟାପୀଚ୍ୟେନ ସଙ୍ଗତା ॥ ୪୫॥
ସେହି ବିମାନରେ ରତିସୁଖକୁ ବୃଦ୍ଧି କରୁଥିବା ସୁନ୍ଦର ଶଯ୍ୟାର
ଆଶ୍ରୟରେ ନିଜ ପରମ ରୂପବାନ ପ୍ରିୟତମଙ୍କ ସହିତ ରହି ଦେବହୂତି ଏତେ ବର୍ଷଯାଏଁ କିଛି ବି
ଜାଣିପାରିଲେ ନାହିଁ |
ଏବଂ ଯୋଗାନୁଭାବେନ ଦମ୍ପତ୍ୟୋ ରମମାଣୟୋଃ ।
ଶତଂ ବ୍ୟତୀୟୁଃ ଶରଦଃ କାମଲାଲସୟୋର୍ମନାକ୍ ॥ ୪୬॥
ଏହିରୂପେ ନିଜ ଯୋଗବଳରେ ଶହ-ଶହ ବର୍ଷ ବିହାର କରି ମଧ୍ୟ ସେହି
କାମାସକ୍ତ ଦମ୍ପତିଙ୍କ ପାଇଁ କାଳ ଖୁବ୍ କମ୍ ସମୟ ପରି ଅତିବାହିତ ହୋଇଗଲା |
ତସ୍ୟାମାଧତ୍ତ ରେତସ୍ତାଂ ଭାବୟନ୍ନାତ୍ମନାଽଽତ୍ମବିତ୍ ।
ନୋଧା ବିଧାୟ ରୂପଂ ସ୍ୱଂ ସର୍ୱସଙ୍କଲ୍ପବିଦ୍ୱିଭୁଃ ॥ ୪୭॥
ଆତ୍ମଜ୍ଞାନୀ କର୍ଦମ ମୁନି ସବୁ ପ୍ରକାରର ସଂକଳ୍ପକୁ ଜାଣୁଥିଲେ; ତେଣୁ ଦେବହୂତିଙ୍କୁ ସନ୍ତାନପ୍ରାପ୍ତି ନିମନ୍ତେ ଉତ୍ସୁକ ଦେଖି ତଥା
ଭଗବାନଙ୍କ ଆଦେଶର ସ୍ମରଣ କରି ସେ ନିଜର ସ୍ଵରୂପକୁ ନଅ ଭାଗ କଲେ ତଥା କନ୍ୟାମାନଙ୍କର ଉତ୍ପତ୍ତି
ନିମନ୍ତେ ଏକାଗ୍ରଚିତ୍ତରେ ଅର୍ଧାଙ୍ଗରୂପରେ ନିଜ ପତ୍ନୀଙ୍କର ଭାବନା କରି ତାଙ୍କ ଗର୍ଭରେ
ବୀର୍ଯ୍ୟ ସ୍ଥାପିତ କଲେ |
ଅତଃ ସା ସୁଷୁବେ ସଦ୍ୟୋ ଦେବହୂତିଃ ସ୍ତ୍ରିୟଃ ପ୍ରଜାଃ ।
ସର୍ୱାସ୍ତାଶ୍ଚାରୁସର୍ୱାଙ୍ଗ୍ୟୋ ଲୋହିତୋତ୍ପଲଗନ୍ଧୟଃ ॥ ୪୮॥
ତଦ୍ବାରା ଦେବହୂତିଙ୍କଠାରୁ ଏକ ସମୟରେ ନଅଟି କନ୍ୟା ଉତ୍ପନ୍ନ ହେଲେ |
ସେମାନେ ସମସ୍ତେ ସର୍ବାଙ୍ଗସୁନ୍ଦରୀ ଥିଲେ ଏବଂ ସେମାନଙ୍କ ଶରୀରରୁ ରକ୍ତ କମଳର ସୁଗନ୍ଧ ନିର୍ଗତ
ହେଉଥିଲା |
ପତିଂ ସା ପ୍ରବ୍ରଜିଷ୍ୟନ୍ତଂ ତଦାଽଽଲକ୍ଷ୍ୟୋଶତୀ ସତୀ ।
ସ୍ମୟମାନା ବିକ୍ଲବେନ ହୃଦୟେନ ବିଦୂୟତା ॥ ୪୯॥
ଲିଖନ୍ତ୍ୟଧୋମୁଖୀ ଭୂମିଂ ପଦା ନଖମଣିଶ୍ରିୟା ।
ଉବାଚ ଲଲିତାଂ ବାଚଂ ନିରୁଧ୍ୟାଶ୍ରୁକଲାଂ ଶନୈଃ ॥ ୫୦॥
ଏହି ସମୟରେ ଶୁଦ୍ଧ ସ୍ବଭାବଧାରୀ ସତୀ ଦେବହୂତି ଦେଖିଲେ ଯେ ପୂର୍ବ
ପ୍ରତିଜ୍ଞା ଅନୁସାରେ ତାଙ୍କର ପତିଦେବ ସନ୍ୟାସାଶ୍ରମ ଗ୍ରହଣ କରି ବଣକୁ ଯିବାକୁ ଇଚ୍ଛା
କରୁଛନ୍ତି | ସେ ନିଜର ଅଶ୍ରୁକୁ ଅବଦମିତ କରି ଉପରକୁ ହାସ୍ୟଯୁକ୍ତ ହୋଇ ବ୍ୟାକୁଳ ଏବଂ ସଂତପ୍ତ
ହୃଦୟରେ ମନ୍ଦ-ମଧୁର ବାଣୀରେ କହିବାକୁ ଆରମ୍ଭ କଲେ | ସେତେବେଳେ ସେ ମସ୍ତକ ଅବନତ କରି ନିଜ
ଚରଣକମଳର ନଖମଣିରେ ଭୂଇଁକୁ ଖନନ କରୁଥାଆନ୍ତି |
ଦେବହୂତିରୁବାଚ
ସର୍ୱଂ ତଦ୍ଭଗବାନ୍ ମହ୍ୟମୁପୋବାହ ପ୍ରତିଶ୍ରୁତମ୍ ।
ଅଥାପି ମେ ପ୍ରପନ୍ନାୟା ଅଭୟଂ ଦାତୁମର୍ହସି ॥ ୫୧॥
ଦେବହୂତି କହିଲେ – ଭଗବନ୍ ! ଆପଣ ଯାହା ପ୍ରତିଜ୍ଞା କରିଥିଲେ, ତାହା ଆପଣ ପୂର୍ଣ୍ଣତଃ ପାଳନ କରିଛନ୍ତି | ତଥାପି ମୁଁ ଆପଣଙ୍କର
ଶରଣାଗତ ଅଟେ; ସେଥିପାଇଁ ଆପଣ ମୋତେ
ଅନ୍ୟ ଏକ ଅଭୟଦାନ କରନ୍ତୁ |
ବ୍ରହ୍ମନ୍ ଦୁହିତୃଭିସ୍ତୁଭ୍ୟଂ ବିମୃଗ୍ୟାଃ ପତୟଃ ସମାଃ ।
କଶ୍ଚିତ୍ସ୍ୟାନ୍ମେ ବିଶୋକାୟ ତ୍ୱୟି ପ୍ରବ୍ରଜିତେ ବନମ୍ ॥ ୫୨॥
ବ୍ରହ୍ମନ୍ ! ଏହି କନ୍ୟାମାନଙ୍କ ନିମନ୍ତେ ଯୋଗ୍ୟ ବର ଅନ୍ବେଷଣ
କରିବାକୁ ପଡିବ | ଆପଣ ବଣକୁ ଚାଲିଯିବା ପରେ ମୋର ଜନ୍ମ-ମରଣରୂପ ଶୋକକୁ ଦୂର କରିବା ନିମନ୍ତେ ମୋ
ପାଖରେ ବି କେହି ଜଣେ ରହିବା ଆବଶ୍ୟକ |
ଏତାବତାଲଂ କାଲେନ ବ୍ୟତିକ୍ରାନ୍ତେନ ମେ ପ୍ରଭୋ ।
ଇନ୍ଦ୍ରିୟାର୍ଥପ୍ରସଙ୍ଗେନ ପରିତ୍ୟକ୍ତପରାତ୍ମନଃ ॥ ୫୩॥
ହେ ପ୍ରଭୁ ! ଏପର୍ଯ୍ୟନ୍ତ ପରମାତ୍ମାଙ୍କ ପ୍ରତି ବିମୁଖ ରହି ମୋର
ଯେଉଁ ସମୟ ଇନ୍ଦ୍ରିୟ-ସୁଖ ଭୋଗରେ ବ୍ୟତୀତ ହୋଇଛି,
ତାହା ତ ନିରର୍ଥକ ହୋଇଗଲା |
ଇନ୍ଦ୍ରିୟାର୍ଥେଷୁ ସଜ୍ଜନ୍ତ୍ୟା ପ୍ରସଙ୍ଗସ୍ତ୍ୱୟି ମେ କୃତଃ ।
ଅଜାନନ୍ତ୍ୟା ପରଂ ଭାବଂ ତଥାପ୍ୟସ୍ତ୍ୱଭୟାୟ ମେ ॥ ୫୪॥
ଆପଣଙ୍କର ପରମ ପ୍ରଭାବକୁ ଜାଣି ନ ଥିବା କାରଣରୁ ମୁଁ
ଇନ୍ଦ୍ରିୟ-ବିଷୟରେ ଆସକ୍ତ ରହି ଆପଣଙ୍କଠାରେ ଅନୁରାଗ କଲି, ତଥାପି
ତାହା ମୋର ସଂସାର-ଭୟକୁ ଦୂର କରିବା ଉଚିତ୍ |
ସଙ୍ଗୋ ଯଃ ସଂସୃତେର୍ହେତୁରସତ୍ସୁ ବିହିତୋଽଧିୟା ।
ସ ଏବ ସାଧୁଷୁ କୃତୋ ନିଃସଙ୍ଗତ୍ୱାୟ କଲ୍ପତେ ॥ ୫୫॥
ଅଜ୍ଞାନବଶତଃ ଅସତ୍-ପୁରୁଷଙ୍କ ସହିତ କରାଯାଇ ଥିବା ସଙ୍ଗ ଯେପରି
ସଂସାର-ବନ୍ଧନର କାରଣ ହୋଇଥାଏ, ସେହିପରି
ସତ୍-ପୁରୁଷଙ୍କ ସହିତ କରାଯାଇ ଥିବା ସଙ୍ଗ ଅସଙ୍ଗତା ପ୍ରଦାନ କରିଥାଏ |
ନେହ ଯତ୍କର୍ମ ଧର୍ମାୟ ନ ବିରାଗାୟ କଲ୍ପତେ ।
ନ ତୀର୍ଥପଦସେବାୟୈ ଜୀବନ୍ନପି ମୃତୋ ହି ସଃ ॥ ୫୬॥
ସଂସାରରେ ଯେଉଁ ପୁରୁଷଙ୍କର କର୍ମ ଦ୍ବାରା ଧର୍ମ ସମ୍ପାଦନ ହୋଇ ନ ଥାଏ
କି ବୈରାଗ୍ୟ ଉତ୍ପନ୍ନ ହୋଇ ନ ଥାଏ ଅଥବା ଭଗବାନଙ୍କର ସେବା ହିଁ ସମ୍ପନ୍ନ ହୋଇ ନ ଥାଏ, ସେହି ପୁରୁଷ ବଞ୍ଚିଥାଇ ମଧ୍ୟ ଶବ ସଦୃଶ ଅଟନ୍ତି |
ସାହଂ ଭଗବତୋ ନୂନଂ ବଞ୍ଚିତା ମାୟଯା ଦୃଢମ୍ ।
ଯତ୍ତ୍ୱାଂ ବିମୁକ୍ତିଦଂ ପ୍ରାପ୍ୟ ନ ମୁମୁକ୍ଷେୟ ବନ୍ଧନାତ୍ ॥ ୫୭॥
ମୁଁ ନିଶ୍ଚିତଭାବରେ ମାୟା ଦ୍ବାରା ବହୁତ ଠକି ଯାଇଛି, ଯେଉଁଥିପାଇଁ ଆପଣଙ୍କ ପରି ମୁକ୍ତିଦାତାଙ୍କୁ ପତି ରୂପରେ ପ୍ରାପ୍ତ
କରି ମଧ୍ୟ ମୁଁ ସଂସାର-ବନ୍ଧନରୁ ମୁକ୍ତ ହେବାର ଇଚ୍ଛା କରିନାହିଁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଲେୟୋପାଖ୍ୟାନେ ତ୍ରୟୋବିଂଶୋଽଧ୍ୟାୟଃ ॥ ୨୩॥

Comments
Post a Comment