ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ॥

ଚତୁର୍ବିଂଶ ଅଧ୍ୟାୟ

ଶ୍ରୀକପିଳଦେବଙ୍କ ଜନ୍ମ

 

ମୈତ୍ରେୟ ଉବାଚ

ନିର୍ୱେଦବାଦିନୀମେବଂ ମନୋର୍ଦୁହିତରଂ ମୁନିଃ ।

ଦୟାଲୁଃ ଶାଲିନୀମାହ ଶୁକ୍ଲାଭିବ୍ୟାହୃତଂ ସ୍ମରନ୍ ॥ ୧॥

ମୈତ୍ରେୟ କହୁଛନ୍ତି – ଉତ୍ତମ ଗୁଣରେ ସୁଶୋଭିତ ମନୁକୁମାରୀ ଦେବହୂତି ଯେତେବେଳେ ଏହିପରି ବୈରାଗ୍ୟଯୁକ୍ତ ବଚନ କହିଲେ, ସେତେବେଳେ କୃପାଳୁ କର୍ଦମ ମୁନି ଭଗବାନ ବିଷ୍ଣୁଙ୍କର କଥନ ସ୍ମରଣ କରି ତାଙ୍କୁ କହିଲେ -

ଋଷିରୁବାଚ

ମା ଖିଦୋ ରାଜପୁତ୍ରୀତ୍ଥମାତ୍ମାନଂ ପ୍ରତ୍ୟନିନ୍ଦିତେ ।

ଭଗବାଂସ୍ତେଽକ୍ଷରୋ ଗର୍ଭମଦୂରାତ୍ସମ୍ପ୍ରପତ୍ସ୍ୟତେ ॥ ୨॥

କର୍ଦମ ମୁନି କହିଲେ – ହେ ଦୋଷରହିତ ରାଜକୁମାରୀ ! ନିଜ ବିଷୟରେ ତୁମେ ଏତେ ବେଶୀ ଚିନ୍ତିତ ହୁଅନାହିଁ; ଅତି ଶୀଘ୍ର ଅବିନାଶୀ ଭଗବାନ ବିଷ୍ଣୁ ତୁମ ଗର୍ଭକୁ ଆସୁଛନ୍ତି |

ଧୃତବ୍ରତାସି ଭଦ୍ରଂ ତେ ଦମେନ ନିୟମେନ ଚ ।

ତପୋଦ୍ରବିଣଦାନୈଶ୍ଚ ଶ୍ରଦ୍ଧୟା ଚେଶ୍ୱରଂ ଭଜ ॥ ୩॥

ପ୍ରିୟେ ! ତୁମେ ଅନେକ ପ୍ରକାରର ବ୍ରତ ପାଳନ କରିଛ, ତେଣୁ ତୁମର କଲ୍ୟାଣ ହେବ | ଏବେ ତୁମେ ସଂଯମ, ନିୟମ, ତପ ଏବଂ ଦାନ ଆଦି କରି ଶ୍ରଦ୍ଧାପୂର୍ବକ ଭଗବାନଙ୍କର ଭଜନ କର |

ସ ତ୍ୱୟାଽଽରାଧିତଃ ଶୁକ୍ଲୋ ବିତନ୍ୱନ୍ ମାମକଂ ଯଶଃ ।

ଛେତ୍ତା ତେ ହୃଦୟଗ୍ରନ୍ଥିମୌଦର୍ୟୋ ବ୍ରହ୍ମଭାବନଃ ॥ ୪॥

ଏହିପରି ଆରାଧନା କଲେ ଶ୍ରୀହରି ତୁମ ଗର୍ଭରେ ଅବତୀର୍ଣ୍ଣ ହୋଇ ମୋର ଯଶ ବୃଦ୍ଧି କରିବେ ଏବଂ ବ୍ରହ୍ମଜ୍ଞାନର ଉପଦେଶ ପ୍ରଦାନ କରି ତୁମ ହୃଦୟର ଅହଂକାରମୟୀ ଗ୍ରନ୍ଥି ଛେଦନ କରିବେ |

ମୈତ୍ରେୟ ଉବାଚ

ଦେବହୂତ୍ୟପି ସନ୍ଦେଶଂ ଗୌରବେଣ ପ୍ରଜାପତେଃ ।

ସମ୍ୟକ୍ ଶ୍ରଦ୍ଧାୟ ପୁରୁଷଂ କୂଟସ୍ଥମଭଜଦ୍ଗୁରୁମ୍ ॥ ୫॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! କର୍ଦମ ପ୍ରଜାପତିଙ୍କ ଆଦେଶରେ ଗୌରବ ବୃଦ୍ଧି ହେବା ଆଶାରେ ଦେବହୂତି ତାଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ କଲେ ଏବଂ ସେହି ନିର୍ବିକାର ଜଗଦଗୁରୁ ଭଗବାନ ଶ୍ରୀପୁରୁଷୋତ୍ତମଙ୍କର ଆରାଧନା କରିବାରେ ଲାଗିଲେ |

ତସ୍ୟାଂ ବହୁତିଥେ କାଲେ ଭଗବାନ୍ ମଧୁସୂଦନଃ ।

କାର୍ଦମଂ ବୀର୍ୟମାପନ୍ନୋ ଜଜ୍ଞେଽଗ୍ନିରିବ ଦାରୁଣି ॥ ୬॥

ଏହିରୂପେ ବହୁତ ସମୟ ବିତି ଯିବା ପରେ ଭଗବାନ ମଧୁସୂଦନ କର୍ଦମ ମୁନିଙ୍କ ବୀର୍ଯ୍ୟର ଆଶ୍ରୟ ଗ୍ରହଣ କରି କାଷ୍ଠରୁ ଅଗ୍ନି ପ୍ରକଟ ହେବା ପରି ତାଙ୍କ ଗର୍ଭରେ ପ୍ରକଟ ହେଲେ |

ଅବାଦୟଂସ୍ତଦା ବ୍ୟୋମ୍ନି ବାଦିତ୍ରାଣି ଘନାଘନାଃ ।

ଗାୟନ୍ତି ତଂ ସ୍ମ ଗନ୍ଧର୍ୱା ନୃତ୍ୟନ୍ତ୍ୟପ୍ସରସୋ ମୁଦା ॥ ୭॥

ସେହି ସମୟରେ ଆକାଶରେ ମେଘ ଜଳ ବର୍ଷା କରିବା ସହିତ ଗର୍ଜନ କରି ବାଜା ବଜାଇବାରେ ଲାଗିଲେ, ଗନ୍ଧର୍ବଗଣ ଗାନ କରିବାରେ ଲାଗିଲେ ଏବଂ ଅପସରାମାନେ ଆନନ୍ଦିତ ହୋଇ ନୃତ୍ୟ କରିବାରେ ଲାଗିଲେ |

ପେତୁଃ ସୁମନସୋ ଦିବ୍ୟାଃ ଖେଚରୈରପବର୍ଜିତାଃ ।

ପ୍ରସେଦୁଶ୍ଚ ଦିଶଃ ସର୍ୱା ଅମ୍ଭାଂସି ଚ ମନାଂସି ଚ ॥ ୮॥

ଆକାଶରୁ ଦେବତାମାନଙ୍କ ଦ୍ବାରା ଦିବ୍ୟ ପୁଷ୍ପର ବର୍ଷା ହେବାରେ ଲାଗିଲା, ଚତୁର୍ଦିଗରେ ଆନନ୍ଦ ବ୍ୟାପିଗଲା, ଜଳାଶୟର ଜଳ ନିର୍ମଳ ହୋଇଗଲା ଏବଂ ସବୁ ଜୀବଙ୍କର ମନ ପ୍ରସନ୍ନ ହୋଇଗଲା |

ତତ୍କର୍ଦମାଶ୍ରମପଦଂ ସରସ୍ୱତ୍ୟା ପରିଶ୍ରିତମ୍ ।

ସ୍ୱୟମ୍ଭୂଃ ସାକମୃଷିଭିର୍ମରୀଚ୍ୟାଦିଭିରଭ୍ୟଯାତ୍ ॥ ୯॥

ଠିକ୍ ସେହି ସମୟରେ ମରୀଚି ଆଦି ମୁନିମାନଙ୍କ ସହିତ ଶ୍ରୀବ୍ରହ୍ମାଜୀ ଆସି ସରସ୍ବତୀ ନଦୀ ଦ୍ବାରା ପରିବେଷ୍ଟିତ କର୍ଦମ ମୁନିଙ୍କର ସେହି ଆଶ୍ରମରେ ପହଞ୍ଚିଲେ |

ଭଗବନ୍ତଂ ପରଂ ବ୍ରହ୍ମ ସତ୍ତ୍ୱେନାଂଶେନ ଶତ୍ରୁହନ୍ ।

ତତ୍ତ୍ୱସଙ୍ଖ୍ୟାନବିଜ୍ଞପ୍ତ୍ୟୈ ଜାତଂ ବିଦ୍ୱାନଜଃ ସ୍ୱରାଟ୍ ॥ ୧୦॥

ହେ ଶତ୍ରୁଦମନ ବିଦୁର ! ସ୍ବତଃସିଦ୍ଧ ଜ୍ଞାନରେ ସମ୍ପନ୍ନ ଅଜନ୍ମା ବ୍ରହ୍ମାଜୀ ଏହା ଜାଣିପାରିଲେ ଯେ ସାକ୍ଷାତ୍ ପରବ୍ରହ୍ମ ଭଗବାନ ବିଷ୍ଣୁ ସାଂଖ୍ୟଶାସ୍ତ୍ରର ଉପଦେଶ ପ୍ରଦାନ କରିବା ନିମନ୍ତେ ନିଜ ବିଶୁଦ୍ଧ ସତ୍ତ୍ବମୟ ଅଂଶରେ ଅବତୀର୍ଣ୍ଣ ହୋଇଛନ୍ତି |

ସଭାଜୟନ୍ ବିଶୁଦ୍ଧେନ ଚେତସା ତଚ୍ଚିକୀର୍ଷିତମ୍ ।

ପ୍ରହୃଷ୍ୟମାଣୈରସୁଭିଃ କର୍ଦମଂ ଚେଦମଭ୍ୟଧାତ୍ ॥ ୧୧॥

ତେଣୁ ଭଗବାନ ଯେଉଁ କାର୍ଯ୍ୟ କରିବାକୁ ଇଚ୍ଛା କରୁଥିଲେ, ବିଶୁଦ୍ଧ ଚିତ୍ତରେ ସେ ତାହାର ଅନୁମୋଦନ ଏବଂ ଆଦର କଲେ ଏବଂ ନିଜର ସମ୍ପୂର୍ଣ୍ଣ ଇନ୍ଦ୍ରିୟରେ ପ୍ରସନ୍ନତାର ଭାବ ପ୍ରକଟ କରି କର୍ଦମଙ୍କୁ ଏହିପରି କହିଲେ -

ବ୍ରହ୍ମୋବାଚ

ତ୍ୱୟା ମେଽପଚିତିସ୍ତାତ କଲ୍ପିତା ନିର୍ୱ୍ୟଲୀକତଃ ।

ଯନ୍ମେ ସଞ୍ଜଗୃହେ ବାକ୍ୟଂ ଭବାନ୍ ମାନଦ ମାନୟନ୍ ॥ ୧୨॥

ବ୍ରହ୍ମା କହିଲେ – ପ୍ରିୟ କର୍ଦମ ! ତୁମେ ଅନ୍ୟମାନଙ୍କର ସମ୍ମାନ କରିଥାଅ | ମୋର ସମ୍ମାନ କରିବାକୁ ଯାଇ ତୁମେ ଯେପରି ମୋର ଆଜ୍ଞା ପାଳନ କଲ, ତଦ୍ବାରା ନିଷ୍କପଟ ଭାବରେ ତୁମ ଦ୍ବାରା ମୋର ପୂଜା ସମ୍ପନ୍ନ ହୋଇଛି |

ଏତାବତ୍ୟେବ ଶୁଶ୍ରୂଷା କାର୍ୟା ପିତରି ପୁତ୍ରକୈଃ ।

ବାଢମିତ୍ୟନୁମନ୍ୟେତ ଗୌରବେଣ ଗୁରୋର୍ୱଚଃ ॥ ୧୩॥

ପିତାଙ୍କ ପ୍ରତି ପୁତ୍ରର ସର୍ବଶ୍ରେଷ୍ଠ ସେବା ହେଉଛି ‘ଯେପରି ଆଜ୍ଞା କହି ଆଦରପୂର୍ବକ ତାଙ୍କର ଆଦେଶ ସ୍ବୀକାର କରିବା |

ଇମା ଦୁହିତରଃ ସଭ୍ୟ ତବ ବତ୍ସ ସୁମଧ୍ୟମାଃ ।

ସର୍ଗମେତଂ ପ୍ରଭାବୈଃ ସ୍ୱୈର୍ବୃହୟିଷ୍ୟନ୍ତ୍ୟନେକଧା ॥ ୧୪॥

ପୁତ୍ର ! ତୁମେ ସଭ୍ୟ ଅଟ; ତୁମର ଏହି ସୁନ୍ଦରୀ କନ୍ୟାମାନେ ନିଜ ବଂଶ ଦ୍ବାରା ଅନେକ ପ୍ରକାରରେ ସୃଷ୍ଟିର ବୃଦ୍ଧି କରିବେ |

ଅତସ୍ତ୍ୱମୃଷିମୁଖ୍ୟେଭ୍ୟୋ ଯଥାଶୀଲଂ ଯଥାରୁଚି ।

ଆତ୍ମଜାଃ ପରିଦେହ୍ୟଦ୍ୟ ବିସ୍ତୃଣୀହି ଯଶୋ ଭୁବି ॥ ୧୫॥

ଏବେ ତୁମେ ଏହି ମରୀଚି ଆଦି ମୁନିବରଙ୍କୁ ଏମାନଙ୍କର ସ୍ବଭାବ ଏବଂ ରୁଚି ଅନୁସାରେ ନିଜ କନ୍ୟାମାନଙ୍କୁ ସମର୍ପିତ କର ଏବଂ ସଂସାରରେ ନିଜ ସୁଯଶ ପରିବ୍ୟାପ୍ତ କର |

ବେଦାହମାଦ୍ୟଂ ପୁରୁଷମବତୀର୍ଣଂ ସ୍ୱମାୟଯା ।

ଭୂତାନାଂ ଶେବଧିଂ ଦେହଂ ବିଭ୍ରାଣଂ କପିଲଂ ମୁନେ ॥ ୧୬॥

ହେ ମୁନି ! ମୁଁ ଜାଣିଛି ଯେ ଯିଏ ସମ୍ପୂର୍ଣ୍ଣ ପ୍ରାଣୀସମୁଦାୟର ନିଧି ଅଟନ୍ତି, ସେମାନଙ୍କର ଅଭୀଷ୍ଟ ମନୋରଥ ପୂର୍ଣ୍ଣ କରିଥାଆନ୍ତି, ସେହି ଆଦିପୁରୁଷ ଶ୍ରୀନାରାୟଣ ହିଁ ନିଜ ଯୋଗମାୟା ବଳରେ କପିଳଙ୍କ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି |

ଜ୍ଞାନବିଜ୍ଞାନୟୋଗେନ କର୍ମଣାମୁଦ୍ଧରନ୍ ଜଟାଃ ।

ହିରଣ୍ୟକେଶଃ ପଦ୍ମାକ୍ଷଃ ପଦ୍ମମୁଦ୍ରାପଦାମ୍ବୁଜଃ ॥ ୧୭॥

ଏଷ ମାନବି ତେ ଗର୍ଭଂ ପ୍ରବିଷ୍ଟଃ କୈଟଭାର୍ଦନଃ ।

ଅବିଦ୍ୟାସଂଶୟଗ୍ରନ୍ଥିଂ ଛିତ୍ତ୍ୱା ଗାଂ ବିଚରିଷ୍ୟତି ॥ ୧୮॥

ତାପରେ ଦେବହୂତିଙ୍କ ଉଦ୍ଦେଶ୍ୟରେ ସେ କହିଲେ – ହେ ରାଜକୁମାରୀ ! ସୁନେଲି କେଶ, କମଳ ପୁଷ୍ପ ପରି ବିଶାଳ ନେତ୍ର, କମଳାଙ୍କିତ ଚରଣକମଳଯୁକ୍ତ ଶିଶୁ ରୂପରେ କୈଟଭାସୁରର ହନ୍ତା ସାକ୍ଷାତ୍ ଶ୍ରୀହରି ହିଁ ଜ୍ଞାନ-ବିଜ୍ଞାନ ଦ୍ବାରା କର୍ମବାସନାର ମୂଳଚ୍ଛେଦନ କରିବା ପାଇଁ ତୁମ ଗର୍ଭରେ ପ୍ରବେଶ କରିଛନ୍ତି | ସେ ଅବିଦ୍ୟାଜନିତ ମୋହଗ୍ରନ୍ଥିକୁ ଛେଦନ କରି ପୃଥିବୀରେ ସ୍ବଚ୍ଛନ୍ଦ ବିଚରଣ କରିବେ |

ଅୟଂ ସିଦ୍ଧଗଣାଧୀଶଃ ସାଙ୍ଖ୍ୟାଚାର୍ୟୈଃ ସୁସମ୍ମତଃ ।

ଲୋକେ କପିଲ ଇତ୍ୟାଖ୍ୟାଂ ଗନ୍ତା ତେ କୀର୍ତିବର୍ଧନଃ ॥ ୧୯॥

ସେ ସିଦ୍ଧଗଣଙ୍କର ସ୍ବାମୀ ଏବଂ ସାଂଖ୍ୟାଚାର୍ଯ୍ୟମାନଙ୍କର ମଧ୍ୟ ମାନନୀୟ ହେବେ | ସଂସାରରେ ତୁମ କୀର୍ତ୍ତିର ବିସ୍ତାର କରି ସେ ‘କପିଳ ନାମରେ ଖ୍ୟାତ ହେବେ |

ମୈତ୍ରେୟ ଉବାଚ

ତାବାଶ୍ୱାସ୍ୟ ଜଗତ୍ସ୍ରଷ୍ଟା କୁମାରୈଃ ସହ ନାରଦଃ ।

ହଂସୋ ହଂସେନ ଯାନେନ ତ୍ରିଧାମ ପରମଂ ଯୟୌ ॥ ୨୦॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଜଗତର ସୃଷ୍ଟିକର୍ତ୍ତା ବ୍ରହ୍ମାଜୀ ସେ ଦୁହିଁଙ୍କୁ ଏହିପରି ଆଶ୍ବାସନା ଦେଇ ନାରଦ ଏବଂ ସନକାଦିଙ୍କୁ ସଙ୍ଗରେ ନେଇ ହଂସ ପୃଷ୍ଠରେ ଚଢି ବ୍ରହ୍ମଲୋକକୁ ଚାଲିଗଲେ |

ଗତେ ଶତଧୃତୌ କ୍ଷତ୍ତଃ କର୍ଦମସ୍ତେନ ଚୋଦିତଃ ।

ଯଥୋଦିତଂ ସ୍ୱଦୁହିତୄଃ ପ୍ରାଦାଦ୍ୱିଶ୍ୱସୃଜାଂ ତତଃ ॥ ୨୧॥

ବ୍ରହ୍ମାଜୀ ପ୍ରସ୍ଥାନ କରିବା ପରେ କର୍ଦମ ମୁନି ତାଙ୍କର ଆଜ୍ଞା ଅନୁସାରେ ମରୀଚି ଆଦି ପ୍ରଜାପତିଙ୍କ ସହିତ ବିଧିପୂର୍ବକ ନିଜ କନ୍ୟାମାନଙ୍କର ବିବାହ କରିଦେଲେ |

ମରୀଚୟେ କଲାଂ ପ୍ରାଦାଦନସୂୟାମଥାତ୍ରୟେ ।

ଶ୍ରଦ୍ଧାମଙ୍ଗିରସେଽୟଚ୍ଛତ୍ପୁଲସ୍ତ୍ୟାୟ ହବିର୍ଭୁବମ୍ ॥ ୨୨॥

ସେ ନିଜର କଳା ନାମ୍ନୀ କନ୍ୟା ମରୀଚିଙ୍କୁ, ଅନସୂୟା ଅତ୍ରିଙ୍କୁ, ଶ୍ରଦ୍ଧା ଅଙ୍ଗିରାଙ୍କୁ ଏବଂ ହବିର୍ଭୂ ପୁଲସ୍ତ୍ୟଙ୍କୁ ସମର୍ପିତ କଲେ |

ପୁଲହାୟ ଗତିଂ ଯୁକ୍ତାଂ କ୍ରତବେ ଚ କ୍ରିୟାଂ ସତୀମ୍ ।

ଖ୍ୟାତିଂ ଚ ଭୃଗବେଽୟଚ୍ଛଦ୍ୱସିଷ୍ଠାୟାପ୍ୟରୁନ୍ଧତୀମ୍ ॥ ୨୩॥

ପୁଲହଙ୍କୁ ତାଙ୍କ ଅନୁରୂପ କନ୍ୟା ଗତିଙ୍କୁ ଦେଲେ, କ୍ରତୁଙ୍କ ସହିତ ପରମ ସାଧ୍ବୀ କ୍ରିୟାଙ୍କର ବିବାହ କରାଇଲେ, ଭୃଗୁଜୀଙ୍କୁ ଖ୍ୟାତି ଏବଂ ବସିଷ୍ଠଜୀଙ୍କୁ ଅରୁନ୍ଧତିଙ୍କୁ ସମର୍ପିତ କଲେ |

ଅଥର୍ୱଣେଽଦଦାଚ୍ଛାନ୍ତିଂ ଯୟା ଯଜ୍ଞୋ ବିତନ୍ୟତେ ।

ବିପ୍ରର୍ଷଭାନ୍ କୃତୋଦ୍ୱାହାନ୍ ସଦାରାନ୍ ସମଲାଲୟତ୍ ॥ ୨୪॥

ଅଥର୍ବା ଋଷିଙ୍କୁ ଶାନ୍ତି ନାମକ କନ୍ୟା ପ୍ରଦାନ କଲେ, ଯାହା ଦ୍ବାରା ଯଜ୍ଞକର୍ମର ବିସ୍ତାର ହୋଇଥାଏ | କର୍ଦମ ମୁନି ସେହି ବିବାହିତ ଋଷିମାନଙ୍କର, ସେମାନଙ୍କର ପତ୍ନୀଙ୍କ ସହିତ ବହୁତ ସତ୍କାର କଲେ |

ତତସ୍ତ ଋଷୟଃ କ୍ଷତ୍ତଃ କୃତଦାରା ନିମନ୍ତ୍ର୍ୟ ତମ୍ ।

ପ୍ରାତିଷ୍ଠନ୍ ନନ୍ଦିମାପନ୍ନାଃ ସ୍ୱଂ ସ୍ୱମାଶ୍ରମମଣ୍ଡଲମ୍ ॥ ୨୫॥

ହେ ବିଦୁର ! ଏହିପରି ଭାବରେ ବିବାହ ସମ୍ପନ୍ନ ହେବା ପରେ ସବୁ ଋଷି କର୍ଦମଙ୍କର ଆଜ୍ଞା ନେଇ ଅତି ଆନନ୍ଦପୂର୍ବକ ନିଜ ନିଜ ଆଶ୍ରମକୁ ପ୍ରସ୍ଥାନ କଲେ |

ସ ଚାବତୀର୍ଣଂ ତ୍ରିୟୁଗମାଜ୍ଞାୟ ବିବୁଧର୍ଷଭମ୍ ।

ବିବିକ୍ତ ଉପସଙ୍ଗମ୍ୟ ପ୍ରଣମ୍ୟ ସମଭାଷତ ॥ ୨୬॥

କର୍ଦମ ମୁନି ଯେତେବେଳେ ଦେଖିଲେ ଯେ ତାଙ୍କ ଗୃହରେ ସାକ୍ଷାତ୍ ଦେବାଧିଦେବ ଶ୍ରୀହରି ଅବତାର ଗ୍ରହଣ କରିଛନ୍ତି, ସେ ଏକାନ୍ତରେ ତାଙ୍କ ପାଖକୁ ଗଲେ ଏବଂ ତାଙ୍କୁ ପ୍ରଣାମ କରି ଏହିପରି କହିଲେ -

ଅହୋ ପାପଚ୍ୟମାନାନାଂ ନିରୟେ ସ୍ୱୈରମଙ୍ଗଲୈଃ ।

କାଲେନ ଭୂୟସା ନୂନଂ ପ୍ରସୀଦନ୍ତୀହ ଦେବତାଃ ॥ ୨୭॥

ଆହା ! ନିଜ ପାପକର୍ମ ଯୋଗୁଁ ଏହି ଦୁଃଖମୟ ସଂସାରରେ ନାନା ପ୍ରକାରରେ ପୀଡିତ ହେଉଥିବା ପୁରୁଷ ପ୍ରତି ଦେବତାମାନେ ମଧ୍ୟ ବହୁ କାଳ ବିତିଯିବା ପରେ ପ୍ରସନ୍ନ ହୋଇଥାଆନ୍ତି |

ବହୁଜନ୍ମବିପକ୍ୱେନ ସମ୍ୟଗ୍ୟୋଗସମାଧିନା ।

ଦ୍ରଷ୍ଟୁଂ ଯତନ୍ତେ ଯତୟଃ ଶୂନ୍ୟାଗାରେଷୁ ଯତ୍ପଦମ୍ ॥ ୨୮॥

ସ ଏବ ଭଗବାନଦ୍ୟ ହେଲନଂ ନଗଣୟ୍ୟ ନଃ ।

ଗୃହେଷୁ ଜାତୋ ଗ୍ରାମ୍ୟାଣାଂ ଯଃ ସ୍ୱାନାଂ ପକ୍ଷପୋଷଣଃ ॥ ୨୯॥

କିନ୍ତୁ ଯାହାର ସ୍ଵରୂପକୁ ଯୋଗୀଜନ ଅନେକ ଜନ୍ମର ସାଧନା ବଳରେ ସିଦ୍ଧ ହୋଇଥିବା ସମାଧି ଦ୍ବାରା ଏକାନ୍ତରେ ଦର୍ଶନ କରିବାର ପ୍ରଯତ୍ନ କରିଥାଆନ୍ତି, ନିଜ ଭକ୍ତମାନଙ୍କୁ ରକ୍ଷା କରୁଥିବା ସେହି ଶ୍ରୀହରି, ଆମ୍ଭମାନଙ୍କ ପରି ବିଷୟଲୋଲୁପ ପ୍ରାଣୀମାନଙ୍କର ଅବଜ୍ଞାକୁ ବିଚାର ନ କରି, ଆଜି ମୋ ଘରେ ଅବତୀର୍ଣ୍ଣ ହୋଇଛନ୍ତି |

ସ୍ୱୀୟଂ ବାକ୍ୟଂ ଋତଂ କର୍ତୁମବତୀର୍ଣୋଽସି ମେ ଗୃହେ ।

ଚିକୀର୍ଷୁର୍ଭଗବାନ୍ ଜ୍ଞାନଂ ଭକ୍ତାନାଂ ମାନବର୍ଧନଃ ॥ ୩୦॥

ଆପଣ ବାସ୍ତବରେ ନିଜ ଭକ୍ତମାନଙ୍କର ମାନବୃଦ୍ଧିକାରୀ ଅଟନ୍ତି | ନିଜ ବଚନକୁ ସତ୍ୟ ପ୍ରମାଣିତ କରିବା ପାଇଁ ଏବଂ ସାଂଖ୍ୟଯୋଗର ଉପଦେଶ ଦେବା ପାଇଁ ଆପଣ ମୋ ଗୃହରେ ଅବତାର ନେଇଛନ୍ତି |

ତାନ୍ୟେବ ତେଽଭିରୂପାଣି ରୂପାଣି ଭଗବଂସ୍ତବ ।

ଯାନି ଯାନି ଚ ରୋଚନ୍ତେ ସ୍ୱଜନାନାମରୂପିଣଃ ॥ ୩୧॥

ଭଗବନ୍ ! ଆପଣ ପ୍ରାକୃତରୂପ ରହିତ ଅଟନ୍ତି; ଆପଣଙ୍କର ଯେଉଁ ଚତୁର୍ଭୁଜ ଆଦି ଅଲୌକିକ ରୂପ ରହିଛି, ତାହା ହିଁ ଆପଣଙ୍କର ଯୋଗ୍ୟ ଅଟେ ତଥା ଯେଉଁ ମନୁଷ୍ୟ-ସଦୃଶ ରୂପ ଆପଣଙ୍କର ଭକ୍ତମାନଙ୍କୁ ପ୍ରିୟ ବୋଧ ହୋଇଥାଏ, ତାହା ମଧ୍ୟ ଆପଣଙ୍କୁ ରୁଚିକର ପ୍ରତୀତ ହୋଇଥାଏ |

ତ୍ୱାଂ ସୂରିଭିସ୍ତତ୍ତ୍ୱବୁଭୁତ୍ସୟାଦ୍ଧା

ସଦାଭିବାଦାର୍ହଣପାଦପୀଠମ୍ ।

ଐଶ୍ୱର୍ୟବୈରାଗ୍ୟଯଶୋଽବବୋଧ-

ବୀର୍ୟଶ୍ରିୟା ପୂର୍ତମହଂ ପ୍ରପଦ୍ୟେ ॥ ୩୨॥

ଆପଣଙ୍କ ପାଦ-ପୀଠ ତତ୍ତ୍ବଜ୍ଞାନ ଇଚ୍ଛା କରୁଥିବା ବିଦ୍ବାନମାନଙ୍କ ଦ୍ବାରା ସଦୈବ ବନ୍ଦନୀୟ ଅଟେ ତଥା ଆପଣ ଐଶ୍ବର୍ଯ୍ୟ, ବୈରାଗ୍ୟ, ଯଶ, ଜ୍ଞାନ, ବୀର୍ଯ୍ୟ ଏବଂ ଶ୍ରୀ – ଏହି ଷଡ ଐଶ୍ବର୍ଯ୍ୟରେ ପୂର୍ଣ୍ଣ ଅଟନ୍ତି | ମୁଁ ଆପଣଙ୍କର ଶରଣାଗତ ଅଟେ |

ପରଂ ପ୍ରଧାନଂ ପୁରୁଷଂ ମହାନ୍ତଂ

କାଲଂ କବିଂ ତ୍ରିବୃତଂ ଲୋକପାଲମ୍ ।

ଆତ୍ମାନୁଭୂତ୍ୟାନୁଗତପ୍ରପଞ୍ଚଂ

ସ୍ୱଚ୍ଛନ୍ଦଶକ୍ତିଂ କପିଲଂ ପ୍ରପଦ୍ୟେ ॥ ୩୩॥

ଭଗବନ୍ ! ଆପଣ ପରବ୍ରହ୍ମ ଅଟନ୍ତି; ସମସ୍ତ ଶକ୍ତି ଆପଣଙ୍କର ଅଧୀନସ୍ତ ଅଟନ୍ତି; ପ୍ରକୃତି, ପୁରୁଷ, ମହତ୍ତତ୍ତ୍ବ, କାଳ, ତ୍ରିବିଧ ଅହଂକାର, ସମସ୍ତ ଲୋକ ଏବଂ ଲୋକପାଳଙ୍କ ରୂପରେ ଆପଣ ହିଁ ପ୍ରକଟିତ; ତଥା ଆପଣ ସର୍ବଜ୍ଞ ପରମାତ୍ମା ହିଁ ଏହି ସବୁ ପ୍ରପଞ୍ଚକୁ ଚୈତନ୍ୟଶକ୍ତି ଦ୍ବାରା ନିଜ ମଧ୍ୟରେ ଲୀନ କରିନିଅନ୍ତି |

ଆ ସ୍ମାଭିପୃଚ୍ଛେଽଦ୍ୟ ପତିଂ ପ୍ରଜାନାଂ

ତ୍ୱୟାବତୀର୍ଣାର୍ଣ ଉତାପ୍ତକାମଃ ।

ପରିବ୍ରଜତ୍ପଦବୀମାସ୍ଥିତୋଽହଂ

ଚରିଷ୍ୟେ ତ୍ୱାଂ ହୃଦି ଯୁଞ୍ଜନ୍ ବିଶୋକଃ ॥ ୩୪॥

ହେ ପ୍ରଭୁ ! ଆପଣଙ୍କ କୃପାରୁ ମୁଁ ତିନି ଋଣରୁ ମୁକ୍ତ ହୋଇଯାଇଛି ଏବଂ ମୋର ସବୁ ମନୋରଥ ପୂର୍ଣ୍ଣ ହୋଇଯାଇଛି | ଏବେ ମୁଁ ସନ୍ୟାସ-ମାର୍ଗ ଗ୍ରହଣ କରି ଆପଣଙ୍କ ଚିନ୍ତନ ଦ୍ବାରା ଶୋକରହିତ ହୋଇ ବିଚରଣ କରିବି | ଆପଣ ସମସ୍ତ ପ୍ରଜାଙ୍କର ସ୍ବାମୀ ଅଟନ୍ତି; ଅତଏବ ଏଥିପାଇଁ ମୁଁ ଆପଣଙ୍କର ଆଜ୍ଞା ଭିକ୍ଷା କରୁଛି |

ଶ୍ରୀଭଗବାନୁବାଚ

ମୟା ପ୍ରୋକ୍ତଂ ହି ଲୋକସ୍ୟ ପ୍ରମାଣଂ ସତ୍ୟଲୌକିକେ ।

ଅଥାଜନି ମୟା ତୁଭ୍ୟଂ ଯଦବୋଚମୃତଂ ମୁନେ ॥ ୩୫॥

ଶ୍ରୀଭଗବାନ କହିଲେ – ହେ ମୁନୀଶ୍ବର ! ବୈଦିକ ଏବଂ ଲୌକିକ ଆଦି ସବୁ କର୍ମରେ ସଂସାର ପାଇଁ ମୋର କଥନ ହିଁ ପ୍ରମାଣ ଅଟେ | ତେଣୁ ମୁଁ ତୁମକୁ ଯାହା କହିଥିଲି, ‘ମୁଁ ତୁମ ଘରେ ଜନ୍ମ ନେବି, ତାହାକୁ ସତ୍ୟ କରିବା ପାଇଁ ହିଁ ମୁଁ ଏହି ଅବତାର ଗ୍ରହଣ କରିଛି |

ଏତନ୍ମେ ଜନ୍ମ ଲୋକେଽସ୍ମିନ୍ ମୁମୁକ୍ଷୂଣାଂ ଦୁରାଶୟାତ୍ ।

ପ୍ରସଙ୍ଖ୍ୟାନାୟ ତତ୍ତ୍ୱାନାଂ ସମ୍ମତାୟାତ୍ମଦର୍ଶନେ ॥ ୩୬॥

ମୋର ଏହି ଜନ୍ମ ଲିଙ୍ଗଶରୀରରୁ ମୁକ୍ତ ହେବାକୁ ଇଚ୍ଛା କରୁଥିବା ମୁନିମାନଙ୍କ ପାଇଁ ଆତ୍ମଦର୍ଶନ ଉପଯୋଗୀ ପ୍ରକୃତି ଆଦି ତତ୍ତ୍ବର ବିବେଚନ କରିବା ନିମନ୍ତେ ହୋଇଛି |

ଏଷ ଆତ୍ମପଥୋଽବ୍ୟକ୍ତୋ ନଷ୍ଟଃ କାଲେନ ଭୂୟସା ।

ତଂ ପ୍ରବର୍ତୟିତୁଂ ଦେହମିମଂ ବିଦ୍ଧି ମୟା ଭୃତମ୍ ॥ ୩୭॥

ଆତ୍ମଜ୍ଞାନର ଏହି ସୂକ୍ଷ୍ମ ମାର୍ଗ ବହୁ ଦିନରୁ ଲୁପ୍ତ ହୋଇଯାଇଛି | ଏହାକୁ ପୁନର୍ବାର ପ୍ରବର୍ତ୍ତିତ କରିବା ନିମନ୍ତେ ମୁଁ ଏହି ଶରୀର ଗ୍ରହଣ କରିଛି – ଏହିପରି ଜାଣ |

ଗଚ୍ଛ କାମଂ ମୟା ପୃଷ୍ଟୋ ମୟି ସନ୍ନ୍ୟସ୍ତକର୍ମଣା ।

ଜିତ୍ୱା ସୁଦୁର୍ଜୟଂ ମୃତ୍ୟୁମମୃତତ୍ୱାୟ ମାଂ ଭଜ ॥ ୩୮॥

ହେ ମୁନିବର ! ମୁଁ ଆଜ୍ଞା ଦେଉଛି, ତୁମେ ନିଜ ଇଚ୍ଛାନୁସାରେ ଯାଅ ଏବଂ ନିଜର ସମ୍ପୂର୍ଣ୍ଣ କର୍ମକୁ ମୋ ଠାରେ ଅର୍ପଣ କରି, ଦୁର୍ଜୟ ମୃତ୍ୟୁକୁ ଜୟ କରି ମୋକ୍ଷପଦ ପ୍ରାପ୍ତି ନିମନ୍ତେ ମୋର ଭଜନ କର |

ମାମାତ୍ମାନଂ ସ୍ୱୟଞ୍ଜ୍ୟୋତିଃ ସର୍ୱଭୂତଗୁହାଶୟମ୍ ।

ଆତ୍ମନ୍ୟେବାତ୍ମନା ବୀକ୍ଷ୍ୟ ବିଶୋକୋଽଭୟମୃଚ୍ଛସି ॥ ୩୯॥

ମୁଁ ସ୍ବୟଂପ୍ରକାଶ ଏବଂ ଜୀବର ଅନ୍ତଃକରଣରେ ରହୁଥିବା ପରମାତ୍ମା ହିଁ ଅଟେ | ତେଣୁ ତୁମେ ଯେତେବେଳେ ବିଶୁଦ୍ଧ ବୁଦ୍ଧି ଦ୍ବାରା ନିଜ ଅନ୍ତଃକରଣରେ ମୋର ସାକ୍ଷାତକାର କରିନେବ, ସେତେବେଳେ ତୁମେ ସବୁ ପ୍ରକାରର ଶୋକରୁ ମୁକ୍ତ ହୋଇ ନିର୍ଭୟ ପଦ (ମୋକ୍ଷ) ପ୍ରାପ୍ତ କରିନେବ |

ମାତ୍ର ଆଧ୍ୟାତ୍ମିକୀଂ ବିଦ୍ୟାଂ ଶମନୀଂ ସର୍ୱକର୍ମଣାମ୍ ।

ବିତରିଷ୍ୟେ ଯୟା ଚାସୌ ଭୟଂ ଚାତିତରିଷ୍ୟତି ॥ ୪୦॥

ମାତା ଦେବହୂତିଙ୍କୁ ମଧ୍ୟ ମୁଁ ସମ୍ପୂର୍ଣ୍ଣ କର୍ମରୁ ମୁକ୍ତ କରାଉଥିବା ଆତ୍ମଜ୍ଞାନ ପ୍ରଦାନ କରିବି, ଯଦ୍ବାର ସେ ଏହି ସଂସାରରୂପ ଭୟରୁ ମୁକ୍ତ ହୋଇଯିବେ |

ମୈତ୍ରେୟ ଉବାଚ

ଏବଂ ସମୁଦିତସ୍ତେନ କପିଲେନ ପ୍ରଜାପତିଃ ।

ଦକ୍ଷିଣୀକୃତ୍ୟ ତଂ ପ୍ରୀତୋ ବନମେବ ଜଗାମ ହ ॥ ୪୧॥

ମୈତ୍ରେୟ କହୁଛନ୍ତି – ଭଗବାନ କପିଳ ଏପରି କହିବା ପରେ କର୍ଦମ ପ୍ରଜାପତି ତାଙ୍କର ପରିକ୍ରମା କରି ପ୍ରସନ୍ନତାପୂର୍ବକ ବଣକୁ ଚାଲିଗଲେ |

ବ୍ରତଂ ସ ଆସ୍ଥିତୋ ମୌନମାତ୍ମୈକଶରଣୋ ମୁନିଃ ।

ନିଃସଙ୍ଗୋ ବ୍ୟଚରତ୍କ୍ଷୋଣୀମନଗ୍ନିରନିକେତନଃ ॥ ୪୨॥

ସେଠାରେ ସେ ଅହିଂସାମୟ ସନ୍ୟାସ-ଧର୍ମ ପାଳନ କରି ଏକମାତ୍ର ଶ୍ରୀଭଗବାନଙ୍କର ଶରଣାଗତ ହୋଇଗଲେ ତଥା ଅଗ୍ନି ଏବଂ ଆଶ୍ରମକୁ ତ୍ୟାଗ କରି ନିଃସଙ୍ଗ ଭାବରେ ପୃଥିବୀ ପୃଷ୍ଠରେ ବିଚରଣ କରିବାରେ ଲାଗିଲେ |

ମନୋ ବ୍ରହ୍ମଣି ଯୁଞ୍ଜାନୋ ଯତ୍ତତ୍ସଦସତଃ ପରମ୍ ।

ଗୁଣାବଭାସେ ବିଗୁଣ ଏକଭକ୍ତ୍ୟାନୁଭାବିତେ ॥ ୪୩॥

ଯିଏ କାର୍ଯ୍ୟକାରଣର ଅତୀତ ଅଟନ୍ତି, ସତ୍ତ୍ଵାଦି ଗୁଣର ପ୍ରକାଶକ ନିର୍ଗୁଣ ଅଟନ୍ତି ଏବଂ ଯିଏ କେବଳ ଅନନ୍ୟ ଭକ୍ତି ଦ୍ବାରା ହିଁ ପ୍ରତ୍ୟକ୍ଷ ହୋଇଥାଆନ୍ତି, ନିଜ ମନକୁ ସେ ସେହି ପରବ୍ରହ୍ମଙ୍କଠାରେ ସଂଲଗ୍ନ କରିଦେଲେ |

ନିରହଙ୍କୃତିର୍ନିର୍ମମଶ୍ଚ ନିର୍ଦ୍ୱନ୍ଦ୍ୱଃ ସମଦୃକ୍ ସ୍ୱଦୃକ୍ ।

ପ୍ରତ୍ୟକ୍ପ୍ରଶାନ୍ତଧୀର୍ଧୀରଃ ପ୍ରଶାନ୍ତୋର୍ମିରିବୋଦଧିଃ ॥ ୪୪॥

ସେ ଅହଂକାର, ମମତା ଏବଂ ସୁଖ-ଦୁଃଖାଦି ଦ୍ବନ୍ଦ୍ବରହିତ ସମଦର୍ଶୀ ହୋଇ ସମସ୍ତଙ୍କଠାରେ ନିଜ ଆତ୍ମାକୁ ଦେଖିବାରେ ଲାଗିଲେ | ତାଙ୍କର ବୁଦ୍ଧି ଅନ୍ତର୍ମୁଖୀ ଏବଂ ଶାନ୍ତ ହୋଇଗଲା | ସେତେବେଳେ ଧୀର କର୍ଦମ ମୁନି ଶାନ୍ତ ଲହରଯୁକ୍ତ ସମୁଦ୍ର ପରି ଦେଖା ଯାଉଥିଲେ |

ବାସୁଦେବେ ଭଗବତି ସର୍ୱଜ୍ଞେ ପ୍ରତ୍ୟଗାତ୍ମନି ।

ପରେଣ ଭକ୍ତିଭାବେନ ଲବ୍ଧାତ୍ମା ମୁକ୍ତବନ୍ଧନଃ ॥ ୪୫॥

ପରମ ଭକ୍ତିଭାବ ଦ୍ବାରା ସର୍ବାନ୍ତର୍ଯ୍ୟାମୀ ସର୍ବଜ୍ଞ ଶ୍ରୀବାସୁଦେବଙ୍କଠାରେ ଚିତ୍ତ ସ୍ଥିର ହୋଇଯିବା କାରଣରୁ ସେ ସବୁ ବନ୍ଧନରୁ ମୁକ୍ତ ହୋଇଗଲେ |

ଆତ୍ମାନଂ ସର୍ୱଭୂତେଷୁ ଭଗବନ୍ତମବସ୍ଥିତମ୍ ।

ଅପଶ୍ୟତ୍ସର୍ୱଭୂତାନି ଭଗବତ୍ୟପି ଚାତ୍ମନି ॥ ୪୬॥

ସେ ସମ୍ପୂର୍ଣ୍ଣ ଭୂତରେ ନିଜ ଆତ୍ମା ଶ୍ରୀଭଗବାନଙ୍କୁ ଏବଂ ସମ୍ପୂର୍ଣ୍ଣ ଭୂତଙ୍କୁ ଆତ୍ମସ୍ବରୂପ ଶ୍ରୀହରିଙ୍କଠାରେ ସ୍ଥିତ ଦେଖିବାରେ ଲାଗିଲେ |

ଇଚ୍ଛାଦ୍ୱେଷବିହୀନେନ ସର୍ୱତ୍ର ସମଚେତସା ।

ଭଗବଦ୍ଭକ୍ତିୟୁକ୍ତେନ ପ୍ରାପ୍ତା ଭାଗବତୀ ଗତିଃ ॥ ୪୭॥

ଏହିପରି ଇଚ୍ଛା ଏବଂ ଦ୍ବେଷ ରହିତ, ସର୍ବତ୍ର ସମବୁଦ୍ଧି ଏବଂ ଭଗବଦ୍-ଭକ୍ତିରେ ସମ୍ପନ୍ନ ହୋଇ ଶ୍ରୀକର୍ଦମ ମୁନି ଭଗବାନଙ୍କର ପରମ ପଦକୁ ପ୍ରାପ୍ତ କରି ନେଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଲେୟେ ଚତୁର୍ୱିଂଶୋଽଧ୍ୟାୟଃ ॥ ୨୪॥

 

Comments

Popular posts from this blog