ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ପଞ୍ଚବିଂଶ ଅଧ୍ୟାୟ

ଦେବହୂତିଙ୍କ ପ୍ରଶ୍ନ ଏବଂ ଭଗବାନ କପିଳଙ୍କ ଦ୍ବାରା ଭକ୍ତିଯୋଗର ମହିମା ବର୍ଣ୍ଣନ

 

ଶୌନକ ଉବାଚ

କପିଲସ୍ତତ୍ତ୍ୱସଙ୍ଖ୍ୟାତା ଭଗବାନାତ୍ମମାୟଯା ।

ଜାତଃ ସ୍ୱୟମଜଃ ସାକ୍ଷାଦାତ୍ମପ୍ରଜ୍ଞପ୍ତୟେ ନୃଣାମ୍ ॥ ୧॥

ଶୌନକ ପଚାରୁଛନ୍ତି – ହେ ସୂତ ମହାଶୟ ! ତତ୍ତ୍ବମାନଙ୍କର ସଂଖ୍ୟା ନିରୂପଣ କରିଥିବା ଭଗବାନ କପିଳ ସାକ୍ଷାତ୍ ଅଜନ୍ମା ନାରାୟଣ ହୋଇ ମଧ୍ୟ ଲୋକଙ୍କୁ ଆତ୍ମଜ୍ଞାନର ଉପଦେଶ ପ୍ରଦାନ କରିବା ପାଇଁ ନିଜ ମାୟାରେ ଉତ୍ପନ୍ନ ହୋଇଥିଲେ |

ନ ହ୍ୟସ୍ୟ ବର୍ଷ୍ମଣଃ ପୁଂସାଂ ବରିମ୍ଣଃ ସର୍ୱୟୋଗିନାମ୍ ।

ବିଶ୍ରୁତୌ ଶ୍ରୁତଦେବସ୍ୟ ଭୂରି ତୃପ୍ୟନ୍ତି ମେଽସବଃ ॥ ୨॥

ମୁଁ ଭଗବାନଙ୍କର ଅନେକ ଚରିତ୍ର ବିଷୟରେ ଶୁଣିଛି, ତଥାପି ଏହି ଯୋଗୀପ୍ରବର ପୁରୁଷଶ୍ରେଷ୍ଠ କପିଳ ଭଗବାନଙ୍କର କୀର୍ତ୍ତି ଯେତେ ଶୁଣିଲେ ବି ମୋର ଇନ୍ଦ୍ରିୟମାନେ ତୃପ୍ତ ହେଉନାହାଁନ୍ତି |

ଯଦ୍ୟଦ୍ୱିଧତ୍ତେ ଭଗବାନ୍ ସ୍ୱଚ୍ଛନ୍ଦାତ୍ମାଽଽତ୍ମମାୟଯା ।

ତାନି ମେ ଶ୍ରଦ୍ଦଧାନସ୍ୟ କୀର୍ତନ୍ୟାନ୍ୟନୁକୀର୍ତୟ ॥ ୩॥

ପୂର୍ଣ୍ଣ ସ୍ବତନ୍ତ୍ର ଶ୍ରୀହରି ନିଜ ଯୋଗମାୟା ଦ୍ବାରା ଭକ୍ତମାନଙ୍କର ଇଚ୍ଛାନୁସାରେ ଶରୀର ଧାରଣ କରି ଯେଉଁ ସବୁ ଲୀଳା କରନ୍ତି, ତାହା ସବୁ କୀର୍ତ୍ତନଯୋଗ୍ୟ ଅଟେ; ତେଣୁ ଆପଣ ମୋତେ ତାହା ଶୁଣାନ୍ତୁ, ସେସବୁ ଶୁଣିବାରେ ମୋର ଶ୍ରଦ୍ଧା ଜାତ ହୋଇଛି |

ସୂତ ଉବାଚ

ଦ୍ୱୈପାୟନସଖସ୍ତ୍ୱେବଂ ମୈତ୍ରେୟୋ ଭଗବାଂସ୍ତଥା ।

ପ୍ରାହେଦଂ ବିଦୁରଂ ପ୍ରୀତ ଆନ୍ୱୀକ୍ଷିକ୍ୟାଂ ପ୍ରଚୋଦିତଃ ॥ ୪॥

ସୂତ କହିଲେ – ହେ ମୁନି ! ଆପଣଙ୍କ ପରି ଯେତେବେଳେ ବିଦୁର ଏହି ଆତ୍ମଜ୍ଞାନବିଷୟକ ପ୍ରଶ୍ନ ପଚାରି ଥିଲେ, ସେତେବେଳେ ଶ୍ରୀବ୍ୟାସଦେବଙ୍କର ସଖା ମୈତ୍ରେୟ ମୁନି ପ୍ରସନ୍ନ ହୋଇ ଏହିପରି କହିବାରେ ଲାଗିଲେ -

ମୈତ୍ରେୟ ଉବାଚ

ପିତରି ପ୍ରସ୍ଥିତେଽରଣ୍ୟଂ ମାତୁଃ ପ୍ରିୟଚିକୀର୍ଷୟା ।

ତସ୍ମିନ୍ ବିନ୍ଦୁସରେଽବାତ୍ସୀଦ୍ଭଗବାନ୍ କପିଲଃ କିଲ ॥ ୫॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ପିତା ବଣକୁ ଚାଲିଯିବା ପରେ ଭଗବାନ କପିଳ ନିଜ ମାତାଙ୍କୁ ଖୁସୀ କରିବା ଇଚ୍ଛାରେ ସେହି ବିନ୍ଦୁସର ତୀର୍ଥରେ ଅବସ୍ଥାନ କଲେ |

ତମାସୀନମକର୍ମାଣଂ ତତ୍ତ୍ୱମାର୍ଗାଗ୍ରଦର୍ଶନମ୍ ।

ସ୍ୱସୁତଂ ଦେବହୂତ୍ୟାହ ଧାତୁଃ ସଂସ୍ମରତୀ ବଚଃ ॥ ୬॥

ଦିନେ ତତ୍ତ୍ବସମୂହରେ ପାରଦର୍ଶୀ ଭଗବାନ କପିଳ ନିତ୍ୟକର୍ମରୁ ବିରତ ହୋଇ ଆସନରେ ବିରାଜମାନ କରିଥିବା ସମୟରେ ବ୍ରହ୍ମାଜୀଙ୍କର ବଚନ ସ୍ମରଣ କରି ଦେବହୂତି ତାଙ୍କୁ କହିଲେ -

ଦେବହୂତିରୁବାଚ

ନିର୍ୱିଣ୍ଣା ନିତରାଂ ଭୂମନ୍ନସଦିନ୍ଦ୍ରିୟତର୍ଷଣାତ୍ ।

ଯେନ ସମ୍ଭାବ୍ୟମାନେନ ପ୍ରପନ୍ନାନ୍ଧଂ ତମଃ ପ୍ରଭୋ ॥ ୭॥

ଦେବହୂତି କହୁଛନ୍ତି – ହେ ପ୍ରଭୁ ! ଏହି ଦୁଷ୍ଟ ଇନ୍ଦ୍ରିୟମାନଙ୍କର ବିଷୟ-ଲାଳସାକୁ ନେଇ ମୁଁ ବ୍ୟତିବ୍ୟସ୍ତ ହୋଇଗଲିଣି | ଏମାନଙ୍କର ଇଚ୍ଛାପୂର୍ତ୍ତି କରି ମୁଁ ଘୋର ଅଜ୍ଞାନ ଅନ୍ଧକାରରେ ପଡି ରହିଛି |

ତସ୍ୟ ତ୍ୱଂ ତମସୋଽନ୍ଧସ୍ୟ ଦୁଷ୍ପାରସ୍ୟାଦ୍ୟ ପାରଗମ୍ ।

ସଚ୍ଚକ୍ଷୁର୍ଜନ୍ମନାମନ୍ତେ ଲବ୍ଧଂ ମେ ତ୍ୱଦନୁଗ୍ରହାତ୍ ॥ ୮॥

ଏବେ ଆପଣଙ୍କ କୃପାରୁ ମୋର ଜନ୍ମପରମ୍ପରା ସମାପ୍ତ ହୋଇଯାଇଛି ଏବଂ ଏହି ଦୁସ୍ତର ଅଜ୍ଞାନ-ଅନ୍ଧକାରରୁ ପାର ପାଇବା ପାଇଁ ସୁନ୍ଦର ନେତ୍ର ରୂପରେ ଆପଣ ମୋତେ ପ୍ରାପ୍ତ ହୋଇଛନ୍ତି |

ଯ ଆଦ୍ୟୋ ଭଗବାନ୍ ପୁଂସାମୀଶ୍ୱରୋ ବୈ ଭବାନ୍ କିଲ ।

ଲୋକସ୍ୟ ତମସାନ୍ଧସ୍ୟ ଚକ୍ଷୁଃ ସୂର୍ୟ ଇବୋଦିତଃ ॥ ୯॥

ଆପଣ ସମ୍ପୂର୍ଣ୍ଣ ଜୀବଚରାଚରର ସ୍ବାମୀ ଭଗବାନ ଆଦିପୁରୁଷ ଅଟନ୍ତି ଏବଂ ଅଜ୍ଞାନ-ଅନ୍ଧକାରରେ ଗ୍ରସ୍ତ ଅନ୍ଧ ପୁରୁଷଙ୍କ ନିମନ୍ତେ ନେତ୍ରସ୍ବରୂପ ସୂର୍ଯ୍ୟ ସଦୃଶ ଉଦିତ ହୋଇଛନ୍ତି |

ଅଥ ମେ ଦେବ ସମ୍ମୋହମପାକ୍ରଷ୍ଟୁଂ ତ୍ୱମର୍ହସି ।

ଯୋଽବଗ୍ରହୋଽହମ୍ମମେତୀତ୍ୟେତସ୍ମିନ୍ ଯୋଜିତସ୍ତ୍ୱୟା ॥ ୧୦॥

ହେ ଦେବ ! ଦେହ-ଗେହ ଆଦିରେ ଯେଉଁ ମୁଁ-ମୋରର ଦୁରାଗ୍ରହ ହୋଇଥାଏ, ତାହା ମଧ୍ୟ ଆପଣଙ୍କର ହିଁ କରାମତି ଅଟେ; ତେଣୁ ଏବେ ଆପଣ ମୋର ଏହି ମହାମୋହକୁ ଦୂର କରନ୍ତୁ |

ତଂ ତ୍ୱା ଗତାହଂ ଶରଣଂ ଶରଣ୍ୟଂ

ସ୍ୱଭୃତ୍ୟସଂସାରତରୋଃ କୁଠାରମ୍ ।

ଜିଜ୍ଞାସୟାହଂ ପ୍ରକୃତେଃ ପୂରୁଷସ୍ୟ

ନମାମି ସଦ୍ଧର୍ମବିଦାଂ ବରିଷ୍ଠମ୍ ॥ ୧୧॥

ଆପଣଙ୍କ ଭକ୍ତମାନଙ୍କର ସଂସାରରୂପ ବୃକ୍ଷ ନିମନ୍ତେ ଆପଣ କୁଠାର ସଦୃଶ ଅଟନ୍ତି; ମୁଁ ପ୍ରକୃତି ଏବଂ ପୁରୁଷର ଜ୍ଞାନ ପ୍ରାପ୍ତ କରିବା ଇଚ୍ଛାରେ ଆପଣଙ୍କ ପରି ଶରଣାଗତବତ୍ସଳ ପ୍ରଭୁଙ୍କର ଶରଣରେ ଆସିଛି | ଭାଗବତଧର୍ମର ଜ୍ଞାତାମାନଙ୍କ ମଧ୍ୟରେ ଆପଣ ସର୍ବଶ୍ରେଷ୍ଠ ଅଟନ୍ତି, ମୁଁ ଆପଣଙ୍କୁ ପ୍ରଣାମ କରୁଛି |

ମୈତ୍ରେୟ ଉବାଚ

ଇତି ସ୍ୱମାତୁର୍ନିରବଦ୍ୟମୀପ୍ସିତଂ

ନିଶମ୍ୟ ପୁଂସାମପବର୍ଗବର୍ଧନମ୍ ।

ଧିୟାଭିନନ୍ଦ୍ୟାତ୍ମବତାଂ ସତାଂ ଗତି-

ର୍ବଭାଷ ଈଷତ୍ସ୍ମିତଶୋଭିତାନନଃ ॥ ୧୨॥

ମୈତ୍ରେୟ କହୁଛନ୍ତି – ଏହିପରି ଭାବରେ ମାତା ଦେବହୂତି ନିଜର ଯେଉଁ ଅଭିଳାଷ ବ୍ୟକ୍ତ କଲେ, ତାହା ପରମ ପବିତ୍ର ଥିଲା ଏବଂ ମୋକ୍ଷମାର୍ଗ ପ୍ରତି ଲୋକଙ୍କ ମନରେ ଅନୁରାଗ ଉତ୍ପନ୍ନକାରୀ ଥିଲା | ତାହା ଶୁଣି ଆତ୍ମଜ୍ଞ ସତ୍-ପୁରୁଷଙ୍କର ଗତି ଶ୍ରୀକପିଳ ଭଗବାନ ମନେ-ମନେ ତାଙ୍କର ପ୍ରଶଂସା କଲେ ଏବଂ ମୃଦୁ-ମନ୍ଦ ହାସ୍ୟଯୁକ୍ତ ମୁଖାରବିନ୍ଦରେ ଏହିପରି କହିବାରେ ଲାଗିଲେ |

ଶ୍ରୀଭଗବାନୁବାଚ

ଯୋଗ ଆଧ୍ୟାତ୍ମିକଃ ପୁଂସାଂ ମତୋ ନିଃଶ୍ରେୟସାୟ ମେ ।

ଅତ୍ୟନ୍ତୋପରତିର୍ୟତ୍ର ଦୁଃଖସ୍ୟ ଚ ସୁଖସ୍ୟ ଚ ॥ ୧୩॥

ଶ୍ରୀଭଗବାନ କହିଲେ – ହେ ମାତା ! ଅଧ୍ୟାତ୍ମଯୋଗ ହିଁ ମନୁଷ୍ୟର ଆତ୍ୟନ୍ତିକ କଲ୍ୟାଣର ମୁଖ୍ୟ ସାଧନ ଅଟେ, ଏହା ମୋର ନିଶ୍ଚୟ ଅଟେ; କାରଣ ତଦ୍ବାରା ଦୁଃଖ-ସୁଖର ପୂର୍ଣ୍ଣ ନିବୃତ୍ତି ହୋଇଯାଏ |

ତମିମଂ ତେ ପ୍ରବକ୍ଷ୍ୟାମି ଯମବୋଚଂ ପୁରାନଘେ ।

ଋଷୀଣାଂ ଶ୍ରୋତୁକାମାନାଂ ଯୋଗଂ ସର୍ୱାଙ୍ଗନୈପୁଣମ୍ ॥ ୧୪॥

ହେ ସାଧ୍ବୀ ! ପୂର୍ବେ ନାରଦାଦି ଋଷିମାନେ ଏହା ଶୁଣିବାକୁ ଇଚ୍ଛା କରିଥିଲେ, ସେଥିପାଇଁ ସମସ୍ତ ଅଙ୍ଗରେ ସମ୍ପନ୍ନ ଏହି ଯୋଗର ବର୍ଣ୍ଣନା ମୁଁ ସେମାନଙ୍କ ସମ୍ମୁଖରେ କରିଥିଲି | ତାହା ମୁଁ ଆପଣଙ୍କୁ ଶୁଣାଉଛି |

ଚେତଃ ଖଲ୍ୱସ୍ୟ ବନ୍ଧାୟ ମୁକ୍ତୟେ ଚାତ୍ମନୋ ମତମ୍ ।

ଗୁଣେଷୁ ସକ୍ତଂ ବନ୍ଧାୟ ରତଂ ବା ପୁଂସି ମୁକ୍ତୟେ ॥ ୧୫॥

ଜୀବର ବନ୍ଧନ ଏବଂ ମୋକ୍ଷର କାରଣ ଭାବରେ ମନକୁ ହିଁ ମାନ୍ୟତା ପ୍ରଦାନ କରାଯାଏ | ବିଷୟରେ ଆସକ୍ତ ହୋଇ ଏହା ବନ୍ଧନ ପ୍ରଦାନ କରିଥାଏ ଏବଂ ପରମାତ୍ମାଙ୍କ ପ୍ରତି ଅନୁରକ୍ତ ହେବା ଦ୍ବାରା ସେହି ମନ ହିଁ ମୋକ୍ଷର କାରଣ ହୋଇଥାଏ |

ଅହମ୍ମମାଭିମାନୋତ୍ଥୈଃ କାମଲୋଭାଦିଭିର୍ମଲୈଃ ।

ବୀତଂ ଯଦା ମନଃ ଶୁଦ୍ଧମଦୁଃଖମସୁଖଂ ସମମ୍ ॥ ୧୬॥

ଯେତେବେଳେ ଏହି ମନ ‘ମୁଁ’ଏବଂ ‘ମୋ’ପଣରୁ ଉତ୍ପନ୍ନ ହେଉଥିବା କାମ-ଲୋଭ ଆଦି ବିକାରରୁ ମୁକ୍ତ ହୋଇ ଶୁଦ୍ଧ ହୋଇଯାଏ, ସେତେବେଳେ ସେ ସୁଖ-ଦୁଃଖରହିତ ହୋଇ ସାମ୍ୟାବସ୍ଥାକୁ ପ୍ରାପ୍ତ ହୋଇଥାଏ |

ତଦା ପୁରୁଷ ଆତ୍ମାନଂ କେବଲଂ ପ୍ରକୃତେଃ ପରମ୍ ।

ନିରନ୍ତରଂ ସ୍ୱୟଞ୍ଜ୍ୟୋତିରଣିମାନମଖଣ୍ଡିତମ୍ ॥ ୧୭॥

ଜ୍ଞାନବୈରାଗ୍ୟଯୁକ୍ତେନ ଭକ୍ତିୟୁକ୍ତେନ ଚାତ୍ମନା ।

ପରିପଶ୍ୟତ୍ୟୁଦାସୀନଂ ପ୍ରକୃତିଂ ଚ ହତୌଜସମ୍ ॥ ୧୮॥

ତାପରେ ଜୀବ ନିଜ ଜ୍ଞାନ-ବୈରାଗ୍ୟ ଏବଂ ଭକ୍ତିଯୁକ୍ତ ହୃଦୟରେ ଆତ୍ମାକୁ ପ୍ରକୃତିର ଉର୍ଦ୍ଧ୍ବରେ ଅଦ୍ବିତୀୟ, ଭେଦରହିତ, ସ୍ବୟଂପ୍ରକାଶ, ସୂକ୍ଷ୍ମ, ଅଖଣ୍ଡ ଏବଂ ଉଦାସୀନ ଭାବରେ ଦେଖିଥାଏ ତଥା ପ୍ରକୃତିକୁ ଶକ୍ତିହୀନ ମନେ କରିଥାଏ |

ନ ଯୁଜ୍ୟମାନୟା ଭକ୍ତ୍ୟା ଭଗବତ୍ୟଖିଲାତ୍ମନି ।

ସଦୃଶୋଽସ୍ତି ଶିବଃ ପନ୍ଥା ଯୋଗିନାଂ ବ୍ରହ୍ମସିଦ୍ଧୟେ ॥ ୧୯॥

ଯୋଗୀମାନଙ୍କ ପାଇଁ ଭଗବତ୍-ପ୍ରାପ୍ତି ନିମିତ୍ତ ସର୍ବାତ୍ମା ଶ୍ରୀହରିଙ୍କ ପ୍ରତି ଉଦ୍ଦିଷ୍ଟ ଭକ୍ତି ସଦୃଶ ଅନ୍ୟ କୌଣସି ମଙ୍ଗଳମୟ ମାର୍ଗ ନାହିଁ |

ପ୍ରସଙ୍ଗମଜରଂ ପାଶମାତ୍ମନଃ କବୟୋ ବିଦୁଃ ।

ସ ଏବ ସାଧୁଷୁ କୃତୋ ମୋକ୍ଷଦ୍ୱାରମପାବୃତମ୍ ॥ ୨୦॥

ବିବେକୀଜନ ସଙ୍ଗ ବା ଆସକ୍ତିକୁ ହିଁ ଆତ୍ମାର ଅଚ୍ଛେଦ୍ୟ ବନ୍ଧନ ମନେକରନ୍ତି | କିନ୍ତୁ ସେହି ସଙ୍ଗ ବା ଆସକ୍ତି ଯେତେବେଳେ ସନ୍ଥମହାପୁରୁଷଙ୍କ ପ୍ରତି ହୋଇଯାଏ, ତାହା ମୋକ୍ଷର ଉନ୍ମୁକ୍ତ ଦ୍ବାର ହୋଇଯାଏ |

ତିତିକ୍ଷବଃ କାରୁଣିକାଃ ସୁହୃଦଃ ସର୍ୱଦେହିନାମ୍ ।

ଅଜାତଶତ୍ରବଃ ଶାନ୍ତାଃ ସାଧବଃ ସାଧୁଭୂଷଣାଃ ॥ ୨୧॥

ମୟ୍ୟନନ୍ୟେନ ଭାବେନ ଭକ୍ତିଂ କୁର୍ୱନ୍ତି ଯେ ଦୃଢାମ୍ ।

ମତ୍କୃତେ ତ୍ୟକ୍ତକର୍ମାଣସ୍ତ୍ୟକ୍ତସ୍ୱଜନବାନ୍ଧବାଃ ॥ ୨୨॥

ମଦାଶ୍ରୟାଃ କଥାମୃଷ୍ଟାଃ ଶୃଣ୍ୱନ୍ତି କଥୟନ୍ତି ଚ ।

ତପନ୍ତି ବିବିଧାସ୍ତାପା ନୈତାନ୍ମଦ୍ଗତଚେତସଃ ॥ ୨୩॥

ଯେଉଁମାନେ ସହନଶୀଳ, ଦୟାଳୁ, ସମସ୍ତ ଦେହଧାରୀଙ୍କର ଅକାରଣ ହିତକାରୀ, କାହା ପ୍ରତି ଶତ୍ରୁଭାବ ରଖି ନ ଥିବା, ଶାନ୍ତ, ସରଳ ସ୍ବଭାବବିଶିଷ୍ଟ ଏବଂ ସତ୍-ପୁରୁଷଙ୍କ ପ୍ରତି ସମ୍ମାନ ଭାବ ରଖୁଥିବା ସ୍ବଭାବର ଅଟନ୍ତି; ଯେଉଁମାନେ ଅନନ୍ୟଭାବରେ ମୋତେ ସୁଦୃଢ ପ୍ରେମ କରନ୍ତି, ସମସ୍ତ କର୍ମ ମୋ ନିମିତ୍ତ କରନ୍ତି ତଥା ନିଜର ବନ୍ଧୁ-ପରିଜନଙ୍କୁ ତ୍ୟାଗ କରି ମୋ ପରାୟଣ ହୋଇ ପବିତ୍ର କଥାମାନଙ୍କର ଶ୍ରବଣ-କୀର୍ତ୍ତନ କରନ୍ତି ତଥା ମୋଠାରେ ନିଜ ଚିତ୍ତକୁ ସଂଲଗ୍ନ ରଖିଥାଆନ୍ତି – ମୋର ସେହି ଭକ୍ତମାନଙ୍କୁ ସଂସାରର ଅନେକ ପ୍ରକାରର ତାପ କୌଣସି କଷ୍ଟ ଦେଇ ନ ଥାଏ |

ତ ଏତେ ସାଧବଃ ସାଧ୍ୱି ସର୍ୱସଙ୍ଗବିବର୍ଜିତାଃ ।

ସଙ୍ଗସ୍ତେଷ୍ୱଥ ତେ ପ୍ରାର୍ଥ୍ୟଃ ସଙ୍ଗଦୋଷହରା ହି ତେ ॥ ୨୪॥

ହେ ସାଧ୍ବୀ ! ଏପରି ସର୍ବସଙ୍ଗତ୍ୟାଗୀ ମହାପୁରୁଷମାନେ ହିଁ ସାଧୁ ଅଟନ୍ତି, ତୁମେ ସେମାନଙ୍କ ସଙ୍ଗର ଇଚ୍ଛା କରିବା ଉଚିତ୍; କାରଣ ଆସକ୍ତିରୁ ଉତ୍ପନ୍ନ ସବୁ ଦୋଷକୁ ସେମାନେ ହରଣ କରିନିଅନ୍ତି |

ସତାଂ ପ୍ରସଙ୍ଗାନ୍ମମ ବୀର୍ୟସମ୍ବିଦୋ

ଭବନ୍ତି ହୃତ୍କର୍ଣରସାୟନାଃ କଥାଃ ।

ତଜ୍ଜୋଷଣାଦାଶ୍ୱପବର୍ଗବର୍ତ୍ମନି

ଶ୍ରଦ୍ଧା ରତିର୍ଭକ୍ତିରନୁକ୍ରମିଷ୍ୟତି ॥ ୨୫॥

ସତ୍-ପୁରୁଷଙ୍କ ସମାଗମରେ ମୋ ପରାକ୍ରମର ଯଥାର୍ଥ ଜ୍ଞାନ କରାଉଥିବା ତଥା ହୃଦୟ ଓ କର୍ଣ୍ଣକୁ ପ୍ରିୟ ମନେ ହେଉଥିବା କଥା ଚର୍ଚ୍ଚା ହୋଇଥାଏ | ତାହାର ସେବନ କରିବା ଦ୍ବାରା ଅତି ଶୀଘ୍ର ମୋକ୍ଷମାର୍ଗ ପ୍ରତି ଶ୍ରଦ୍ଧା, ପ୍ରେମ ଓ ଭକ୍ତିର କ୍ରମବିକାଶ ହୋଇଥାଏ |

ଭକ୍ତ୍ୟା ପୁମାନ୍ ଜାତବିରାଗ ଐନ୍ଦ୍ରିୟା-

ଦ୍ଦୃଷ୍ଟଶ୍ରୁତାନ୍ ମଦ୍ରଚନାନୁଚିନ୍ତୟା ।

ଚିତ୍ତସ୍ୟ ଯତ୍ତୋ ଗ୍ରହଣେ ଯୋଗୟୁକ୍ତୋ

ଯତିଷ୍ୟତେ ଋଜୁଭିର୍ୟୋଗମାର୍ଗୈଃ ॥ ୨୬॥

ଏତଦ୍ ବ୍ୟତିତ ମୋର ସୃଷ୍ଟି ଆଦି ଲୀଳାର ଚିନ୍ତନରେ ପ୍ରାପ୍ତ ହେଉଥିବା ଭକ୍ତି ଦ୍ବାରା ଲୌକିକ ଏବଂ ପାରଲୌକିକ ସୁଖ ପ୍ରତି ବୈରାଗ୍ୟ ଜାତ ହେଉଥିବା କାରଣରୁ ମନୁଷ୍ୟ ସାବଧାନପୂର୍ବକ ଯୋଗର ଭକ୍ତିପ୍ରଧାନ ସରଳ ଉପାୟରେ ସମାହିତ ରହି ମନୋନିଗ୍ରହ ନିମନ୍ତେ ପ୍ରଯତ୍ନ କରିଥାଏ |

ଅସେବୟାୟଂ ପ୍ରକୃତେର୍ଗୁଣାନାଂ

ଜ୍ଞାନେନ ବୈରାଗ୍ୟବିଜୃମ୍ଭିତେନ ।

ଯୋଗେନ ମୟ୍ୟର୍ପିତୟା ଚ ଭକ୍ତ୍ୟା

ମାଂ ପ୍ରତ୍ୟଗାତ୍ମାନମିହାବରୁନ୍ଧେ ॥ ୨୭॥

ଏହିପରି ଭାବରେ ପ୍ରକୃତିର ଗୁଣ ଦ୍ବାରା ଉତ୍ପନ୍ନ ହେଉଥିବା ଶବ୍ଦାଦି ବିଷୟକୁ ତ୍ୟାଗ କରି, ବୈରାଗ୍ୟଯୁକ୍ତ ଜ୍ଞାନ, ଯୋଗ ଏବଂ ମୋ ପ୍ରତି କରାଯାଉ ଥିବା ଭକ୍ତି ଦ୍ବାରା ମନୁଷ୍ୟ ନିଜର ଅନ୍ତରାତ୍ମା ରୂପରେ ଏହି ଦେହରେ ହିଁ ମୋତେ ପ୍ରାପ୍ତ କରିନିଏ |

ଦେବହୂତିରୁବାଚ

କାଚିତ୍ତ୍ୱୟ୍ୟୁଚିତା ଭକ୍ତିଃ କୀଦୃଶୀ ମମ ଗୋଚରା ।

ଯୟା ପଦଂ ତେ ନିର୍ୱାଣମଞ୍ଜସାନ୍ୱାଶ୍ନବା ଅହମ୍ ॥ ୨୮॥

ଦେବହୂତି କହିଲେ – ଭଗବନ୍ ! ଆପଣଙ୍କ ସମୁଚିତ ଭକ୍ତିର ସ୍ବରୂପ କଣ ? ମୋ ପରି ଅବଳାମାନଙ୍କ ନିମନ୍ତେ କେଉଁ ଭକ୍ତି ଉଚିତ୍ ଅଟେ, ଯଦ୍ବାର ଆମେ ସହଜରେ ଆପଣଙ୍କ ନିର୍ବାଣପଦକୁ ପ୍ରାପ୍ତ କରିପାରିବୁ ?

ଯୋ ଯୋଗୋ ଭଗବଦ୍ବାଣୋ ନିର୍ୱାଣାତ୍ମଂସ୍ତ୍ୱୟୋଦିତଃ ।

କୀଦୃଶଃ କତି ଚାଙ୍ଗାନି ଯତସ୍ତତ୍ତ୍ୱାବବୋଧନମ୍ ॥ ୨୯॥

ହେ ନିର୍ବାଣସ୍ବରୂପ ପ୍ରଭୁ ! ଯାହା ଦ୍ବାରା ତତ୍ତ୍ବଜ୍ଞାନ ହୋଇଥାଏ ଏବଂ ଲକ୍ଷ୍ୟ-ଭେଦୀ ବାଣ ସଦୃଶ ଯାହା ଭଗବାନଙ୍କର ପ୍ରାପ୍ତି କରାଇଥାଏ, ଆପଣଙ୍କ ଦ୍ବାରା ବର୍ଣ୍ଣିତ ସେହି ଯୋଗ କିପରି ଅଟେ ଏବଂ ତାହାର କେତୋଟି ଅଙ୍ଗ ରହିଛି ?

ତଦେତନ୍ମେ ବିଜାନୀହି ଯଥାହଂ ମନ୍ଦଧୀର୍ହରେ ।

ସୁଖଂ ବୁଦ୍ଧ୍ୟେୟ ଦୁର୍ବୋଧଂ ଯୋଷା ଭବଦନୁଗ୍ରହାତ୍ ॥ ୩୦॥

ହେ ହରି ! ଏହି ସବୁ ବିଷୟ ଆପଣ ମୋତେ ଏପରି ଭାବରେ ବୁଝାଇ କହନ୍ତୁ, ଯଦ୍ବାରା ମୋ ପରି ମନ୍ଦମତି ସ୍ତ୍ରୀ ମଧ୍ୟ ଆପଣଙ୍କ କୃପାରୁ ଏହି ଦୁର୍ବୋଧ ବିଷୟକୁ ସୁଗମତାରେ ବୁଝିପାରିବ |

ମୈତ୍ରେୟ ଉବାଚ

ବିଦିତ୍ୱାର୍ଥଂ କପିଲୋ ମାତୁରିତ୍ଥଂ

ଜାତସ୍ନେହୋ ଯତ୍ର ତନ୍ୱାଭିଜାତଃ ।

ତତ୍ତ୍ୱାମ୍ନାୟଂ ଯତ୍ପ୍ରବଦନ୍ତି ସାଙ୍ଖ୍ୟଂ

ପ୍ରୋବାଚ ବୈ ଭକ୍ତିବିତାନୟୋଗମ୍ ॥ ୩୧॥

ମୈତ୍ରେୟ କହୁଛନ୍ତି – ଯାହାର ଶରୀରରୁ ସେ ସ୍ବୟଂ ଜନ୍ମ ଗ୍ରହଣ କରିଥିଲେ, ନିଜର ସେହି ଜନନୀଙ୍କର ଅଭିପ୍ରାୟ ଜାଣି କପିଳ ଭଗବାନଙ୍କ ହୃଦୟରେ ସ୍ନେହ ଉଦ୍ରେକ ହେଲା ଏବଂ ସେ ପ୍ରକୃତି ଆଦି ତତ୍ତ୍ବର ନିରୂପଣ କରୁଥିବା ଶାସ୍ତ୍ର, ଯାହାକୁ ସାଂଖ୍ୟ କହନ୍ତି, ତାର ଉପଦେଶ ଦେଲେ | ତା ସହିତ ଭକ୍ତି-ତତ୍ତ୍ବ ଏବଂ ଯୋଗର ମଧ୍ୟ ବର୍ଣ୍ଣନା କଲେ |

ଶ୍ରୀଭଗବାନୁବାଚ

ଦେବାନାଂ ଗୁଣଲିଙ୍ଗାନାମାନୁଶ୍ରବିକକର୍ମଣାମ୍ ।

ସତ୍ତ୍ୱ ଏବୈକମନସୋ ବୃତ୍ତିଃ ସ୍ୱାଭାବିକୀ ତୁ ଯା ॥ ୩୨॥

ଅନିମିତ୍ତା ଭାଗବତୀ ଭକ୍ତିଃ ସିଦ୍ଧେର୍ଗରୀୟସୀ ।

ଜରୟତ୍ୟାଶୁ ଯା କୋଶଂ ନିଗୀର୍ଣମନଲୋ ଯଥା ॥ ୩୩॥

ଶ୍ରୀଭଗବାନ କହିଲେ – ହେ ମାତା ! ଯେଉଁମାନଙ୍କର ଚିତ୍ତ ଏକମାତ୍ର ଶ୍ରୀହରିଙ୍କଠାରେ ହିଁ ସଂଯୁକ୍ତ ରହିଥାଏ, ସେପରି ମନୁଷ୍ୟର ବେଦବିହିତ କର୍ମରେ ନିୟୋଜିତ ତଥା ବିଷୟମାନଙ୍କର ଜ୍ଞାନ କରାଉଥିବା ଇନ୍ଦ୍ରିୟମାନଙ୍କର ସତ୍ତ୍ବମୂର୍ତ୍ତି ଶ୍ରୀହରିଙ୍କ ପ୍ରତି ଯେଉଁ ସ୍ବାଭାବିକୀ ପ୍ରବୃତ୍ତି ରହିଥାଏ, ତାହା ହିଁ ଭଗବାନଙ୍କର ଅହୈତୁକୀ ଭକ୍ତି ଅଟେ | ଏହା ମୁକ୍ତିଠାରୁ ମଧ୍ୟ ଶ୍ରେଷ୍ଠ ଅଟେ; କାରଣ ଜଠରାନଳ ଭୋଜନ କରିଥିବା ଅନ୍ନକୁ ଜୀର୍ଣ୍ଣ କରାଇବା ପରି ଏହା କର୍ମସଂସ୍କାର ଭଣ୍ଡାରରୂପ ଲିଙ୍ଗଶରୀରକୁ ତତ୍କାଳ ଭସ୍ମ କରିଦିଏ |

ନୈକାତ୍ମତାଂ ମେ ସ୍ପୃହୟନ୍ତି କେଚି-

ନ୍ମତ୍ପାଦସେବାଭିରତା ମଦୀହାଃ ।

ଯେଽନ୍ୟୋନ୍ୟତୋ ଭାଗବତାଃ ପ୍ରସଜ୍ୟ

ସଭାଜୟନ୍ତେ ମମ ପୌରୁଷାଣି ॥ ୩୪॥

ମୋର ଚରଣସେବାରେ ପ୍ରୀତି ରଖିଥିବା ଏବଂ ସମସ୍ତ କର୍ମ ମୋର ପ୍ରସନ୍ନତା ଉଦ୍ଦେଶ୍ୟରେ କରୁଥିବା ଏପରି କିଏ ବଡଭାଗୀ ଭକ୍ତ ଥିବେ, ଯିଏ ପରସ୍ପର ମିଶି ପ୍ରେମପୂର୍ବକ ମୋ ପରାକ୍ରମର ଚର୍ଚ୍ଚା କରୁ ନ ଥିବେ ଏବଂ ମୋ ସହିତ ଏକତ୍ବ (ସାୟୁଜ୍ୟମୋକ୍ଷ) ର ଇଚ୍ଛା ରଖୁ ନ ଥିବେ |

ପଶ୍ୟନ୍ତି ତେ ମେ ରୁଚିରାଣ୍ୟମ୍ବ ସନ୍ତଃ

ପ୍ରସନ୍ନବକ୍ତ୍ରାରୁଣଲୋଚନାନି ।

ରୂପାଣି ଦିବ୍ୟାନି ବରପ୍ରଦାନି

ସାକଂ ବାଚଂ ସ୍ପୃହଣୀୟାଂ ବଦନ୍ତି ॥ ୩୫॥

ମା ! ସେହି ସାଧୁଜନ ଅରୁଣ-ନୟନ ଏବଂ ମନୋହର ମୁଖାରବିନ୍ଦରେ ଯୁକ୍ତ ମୋର ପରମ ସୁନ୍ଦର ଏବଂ ବରଦାୟକ ଦିବ୍ୟ ରୂପର ଲୀଳା ପ୍ରସ୍ତୁତ କରନ୍ତି ଏବଂ ତା ସହିତ ସପ୍ରେମ ସମ୍ଭାଷଣ ମଧ୍ୟ କରନ୍ତି, ଯାହା ନିମନ୍ତେ ବଡ ବଡ ତପସ୍ବୀଜନ ମଧ୍ୟ ଲାଳାୟିତ ରହିଥାଆନ୍ତି |

ତୈର୍ଦର୍ଶନୀୟାବୟବୈରୁଦାର-

ବିଲାସହାସେକ୍ଷିତବାମସୂକ୍ତୈଃ ।

ହୃତାତ୍ମନୋ ହୃତପ୍ରାଣାଂଶ୍ଚ ଭକ୍ତି-

ରନିଚ୍ଛତୋ ମେ ଗତିମଣ୍ୱୀଂ ପ୍ରୟୁଙ୍କ୍ତେ ॥ ୩୬॥

ଦର୍ଶନୀୟ ଅଙ୍ଗ-ପ୍ରତ୍ୟଙ୍ଗ, ଉଦାର ହାସ୍ୟ-ବିଳାସ, ମନୋହର ଚାହାଣୀ ଏବଂ ସୁମଧୁର ବାଣୀରେ ଯୁକ୍ତ ମୋର ସେହି ରୂପମାଧୁରୀରେ ସେମାନଙ୍କର ମନ ଏବଂ ଇନ୍ଦ୍ରିୟ ଛନ୍ଦିହୋଇ ଯାଇ ଥାଆନ୍ତି | ଏପରି ମୋର ଭକ୍ତି, ସେମାନେ ଇଚ୍ଛା କରୁ ନ ଥିଲେ ବି, ସେମାନଙ୍କୁ ପରମପଦ ପ୍ରାପ୍ତ କରାଇ ଥାଏ |

ଅଥୋ ବିଭୂତିଂ ମମ ମାୟାବିନସ୍ତା-

ମୈଶ୍ୱର୍ୟମଷ୍ଟାଙ୍ଗମନୁପ୍ରବୃତ୍ତମ୍ ।

ଶ୍ରିୟଂ ଭାଗବତୀଂ ବା ସ୍ପୃହୟନ୍ତି ଭଦ୍ରାଂ

ପରସ୍ୟ ମେ ତେଽଶ୍ନୁବତେ ତୁ ଲୋକେ ॥ ୩୭॥

ଅବିଦ୍ୟା-ନିବୃତ୍ତି ହୋଇ ଯାଇଥିବା ଯୋଗୁଁ ଯଦିଓ ସେମାନେ ମୋ ପରି ମାୟାପତିଙ୍କର ସତ୍ୟାଦି ଲୋକର ଭୋଗସମ୍ପତ୍ତି, ଭକ୍ତି ପ୍ରବୃତ୍ତି ବଶତଃ ସ୍ବତଃ ପ୍ରାପ୍ତ ହେଉଥିବା ଅଷ୍ଟସିଦ୍ଧି ଅଥବା ବୈକୁଣ୍ଠଲୋକର ଭଗବଦୀୟ ଐଶ୍ବର୍ଯ୍ୟ ଇଚ୍ଛା କରି ନ ଥା’ନ୍ତି, ତଥାପି ମୋ ଧାମରେ ପହଞ୍ଚିବା ପରେ ସେହିସବୁ ବିଭୁତି ସେମାନଙ୍କୁ ସ୍ବତଃ ପ୍ରାପ୍ତ ହୋଇଯାଏ |

ନ କର୍ହିଚିନ୍ମତ୍ପରାଃ ଶାନ୍ତରୂପେ

ନଙ୍କ୍ଷ୍ୟନ୍ତି ନୋ ମେଽନିମିଷୋ ଲେଢି ହେତିଃ ।

ଯେଷାମହଂ ପ୍ରିୟ ଆତ୍ମା ସୁତଶ୍ଚ

ସଖା ଗୁରୁଃ ସୁହୃଦୋ ଦୈବମିଷ୍ଟମ୍ ॥ ୩୮॥

ଯେଉଁମାନଙ୍କର ଏକମାତ୍ର ମୁଁ ହିଁ ପ୍ରିୟ, ଆତ୍ମା, ପୁତ୍ର, ମିତ୍ର, ଗୁରୁ, ସୁହୃଦ ଏବଂ ଇଷ୍ଟଦେବ ଅଟେ, ମୋ ଆଶ୍ରୟରେ ରହୁଥିବା ମୋର ସେହି ଭକ୍ତଜନ ଶାନ୍ତିମୟ ବୈକୁଣ୍ଠଧାମରେ ପହଞ୍ଚି କୌଣସି ପ୍ରକାରେ ସେହି ସବୁ ଦିବ୍ୟ ଭୋଗରୁ ରହିତ ହୁଅନ୍ତି ନାହିଁ; ଏପରି କି ମୋର କାଳଚକ୍ର ମଧ୍ୟ ସେମାନଙ୍କୁ ଗ୍ରାସ କରିପାରେ ନାହିଁ |

ଇମଂ ଲୋକଂ ତଥୈବାମୁମାତ୍ମାନମୁଭୟାୟିନମ୍ ।

ଆତ୍ମାନମନୁ ଯେ ଚେହ ଯେ ରାୟଃ ପଶବୋ ଗୃହାଃ ॥ ୩୯॥

ବିସୃଜ୍ୟ ସର୍ୱାନନ୍ୟାଂଶ୍ଚ ମାମେବଂ ବିଶ୍ୱତୋମୁଖମ୍ ।

ଭଜନ୍ତ୍ୟନନ୍ୟଯା ଭକ୍ତ୍ୟା ତାନ୍ ମୃତ୍ୟୋରତିପାରୟେ ॥ ୪୦॥

ହେ ମାତା ! ଯେଉଁମାନେ ଇହଲୋକ, ପରଲୋକ ଏବଂ ଏହି ଉଭୟ ଲୋକରେ ସଙ୍ଗରେ ରହୁଥିବା ବାସନାମୟ ଲିଙ୍ଗଦେହ ତଥା ଶରୀର ସହିତ ସମ୍ବନ୍ଧିତ ଧନ, ପଶୁ, ଗୃହ ଆଦି ପଦାର୍ଥ ଏବଂ ଅନ୍ୟାନ୍ୟ ସଂଗ୍ରହକୁ ତ୍ୟାଗ କରି ଅନନ୍ୟ ଭକ୍ତିରେ ସବୁ ପ୍ରକାରେ ମୋର ହିଁ ଭଜନ କରନ୍ତି, ସେମାନଙ୍କୁ ମୁଁ ମୃତ୍ୟୁରୂପ ସଂସାରସାଗରରୁ ପାର କରିଦେଇ ଥାଏ |

ନାନ୍ୟତ୍ର ମଦ୍ଭଗବତଃ ପ୍ରଧାନପୁରୁଷେଶ୍ୱରାତ୍ ।

ଆତ୍ମନଃ ସର୍ୱଭୂତାନାଂ ଭୟଂ ତୀବ୍ରଂ ନିବର୍ତତେ ॥ ୪୧॥

ମୁଁ ସାକ୍ଷାତ ଭଗବାନ ଅଟେ, ପ୍ରକୃତି ଏବଂ ପୁରୁଷର ମଧ୍ୟ ପ୍ରଭୁ ଅଟେ ତଥା ସମସ୍ତ ପ୍ରାଣୀଙ୍କର ଆତ୍ମା ଅଟେ; ମୋ ବ୍ୟତିତ ଅନ୍ୟ କାହାର ଆଶ୍ରୟ ଗ୍ରହଣ କଲେ ମୃତ୍ୟୁରୂପ ମହାଭୟରୁ ମୁକ୍ତି ମିଳି ନ ଥାଏ |

ମଦ୍ଭୟାଦ୍ୱାତି ବାତୋୟଂ ସୂର୍ୟସ୍ତପତି ମଦ୍ଭୟାତ୍ ।

ବର୍ଷତୀନ୍ଦ୍ରୋ ଦହତ୍ୟଗ୍ନିର୍ମୃତ୍ୟୁଶ୍ଚରତି ମଦ୍ଭୟାତ୍ ॥ ୪୨॥

ମୋ ଭୟରେ ଏହି ବାୟୁ ପ୍ରବାହିତ ହୋଇଥାଏ, ସୂର୍ଯ୍ୟ ଉତ୍ତାପ ପ୍ରଦାନ କରିଥାଏ, ମୋ ଭୟରେ ଇନ୍ଦ୍ର ବର୍ଷା କରାନ୍ତି ଏବଂ ଅଗ୍ନି ଦଗ୍ଧ କରନ୍ତି ତଥା ମୋର ହିଁ ଭୟରେ ମୃତ୍ୟୁ ନିଜ କାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତି |

ଜ୍ଞାନବୈରାଗ୍ୟଯୁକ୍ତେନ ଭକ୍ତିୟୋଗେନ ଯୋଗିନଃ ।

କ୍ଷେମାୟ ପାଦମୂଲଂ ମେ ପ୍ରବିଶନ୍ତ୍ୟକୁତୋଭୟମ୍ ॥ ୪୩॥

ଯୋଗୀଜନ ଜ୍ଞାନ-ବୈରାଗ୍ୟ ଯୁକ୍ତ ଭକ୍ତିଯୋଗ ଦ୍ବାରା ଶାନ୍ତି ପ୍ରାପ୍ତ କରିବା ନିମନ୍ତେ ମୋ ନିର୍ଭୟ ଚରଣକମଳର ଆଶ୍ରୟ ଗ୍ରହଣ କରନ୍ତି |

ଏତାବାନେବ ଲୋକେଽସ୍ମିନ୍ ପୁଂସାଂ ନିଃଶ୍ରେୟସୋଦୟଃ ।

ତୀବ୍ରେଣ ଭକ୍ତିୟୋଗେନ ମନୋ ମୟ୍ୟର୍ପିତଂ ସ୍ଥିରମ୍ ॥ ୪୪॥

ସଂସାରରେ ମନୁଷ୍ୟର ସବୁଠାରୁ ବଡ କଲ୍ୟାଣ ଏହା ଅଟେ ଯେ ତାର ଚିତ୍ତ ତୀବ୍ର ଭକ୍ତିଯୋଗ ଦ୍ବାରା ମୋ ଠାରେ ସଂଯୁକ୍ତ ହୋଇ ସ୍ଥିର ରହିବ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଲେୟୋପାଖ୍ୟାନେ ପଞ୍ଚବିଂଶୋଽଧ୍ୟାୟଃ ॥ ୨୫॥

 

Comments

Popular posts from this blog