ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ଷଡବିଂଶ ଅଧ୍ୟାୟ

ମହଦାଦି ଭିନ୍ନ ଭିନ୍ନ ତତ୍ତ୍ବର ଉତ୍ପତ୍ତି ବର୍ଣ୍ଣନ

 

ଶ୍ରୀଭଗବାନୁବାଚ

ଅଥ ତେ ସମ୍ପ୍ରବକ୍ଷ୍ୟାମି ତତ୍ତ୍ୱାନାଂ ଲକ୍ଷଣଂ ପୃଥକ୍ ।

ଯଦ୍ୱିଦିତ୍ୱା ବିମୁଚ୍ୟେତ ପୁରୁଷଃ ପ୍ରାକୃତୈର୍ଗୁଣୈଃ ॥ ୧॥

ଶ୍ରୀଭଗବାନ କହୁଛନ୍ତି – ହେ ମାତା ! ଏବେ ମୁଁ ତୁମକୁ ପ୍ରକୃତି ଆଦି ତତ୍ତ୍ବର ଭିନ୍ନ ଭିନ୍ନ ଲକ୍ଷଣ ବିଷୟରେ କହୁଛି; ଏହା ଜାଣି ମନୁଷ୍ୟ ପ୍ରକୃତିର ଗୁଣରୁ ମୁକ୍ତ ହୋଇଯାଏ |

ଜ୍ଞାନଂ ନିଃଶ୍ରେୟସାର୍ଥାୟ ପୁରୁଷସ୍ୟାତ୍ମଦର୍ଶନମ୍ ।

ଯଦାହୁର୍ୱର୍ଣୟେ ତତ୍ତେ ହୃଦୟଗ୍ରନ୍ଥିଭେଦନମ୍ ॥ ୨॥

ପଣ୍ଡିତଜନ କହନ୍ତି, ଆତ୍ମଦର୍ଶନରୂପ ଜ୍ଞାନ ହିଁ ପୁରୁଷର ମୋକ୍ଷର କାରଣ ଅଟେ ଏବଂ ସେହି ଜ୍ଞାନ ହିଁ ତାର ଅହଂକାରରୂପ ହୃଦୟଗ୍ରନ୍ଥିର ଛେଦନ କରିଥାଏ | ମୁଁ ତୁମ ସମ୍ମୁଖରେ ସେହି ଜ୍ଞାନର ବର୍ଣ୍ଣନା କରୁଛି |

ଅନାଦିରାତ୍ମା ପୁରୁଷୋ ନିର୍ଗୁଣଃ ପ୍ରକୃତେଃ ପରଃ ।

ପ୍ରତ୍ୟଗ୍ଧାମା ସ୍ୱୟଞ୍ଜ୍ୟୋତିର୍ୱିଶ୍ୱଂ ଯେନ ସମନ୍ୱିତମ୍ ॥ ୩॥

ଏହି ସାରା ଜଗତ ଯାହା ଦ୍ବାରା ବ୍ୟାପ୍ତ ହୋଇ ପ୍ରକାଶିତ ହୋଇଥାଏ, ସେହି ଆତ୍ମା ହିଁ ପୁରୁଷ ଅଟେ | ସେ ଅନାଦି, ନିର୍ଗୁଣ, ପ୍ରକୃତିର ଅତୀତ, ଅନ୍ତଃକରଣରେ ସ୍ଫୁରିତ ଏବଂ ସ୍ବୟଂପ୍ରକାଶ ଅଟେ |

ସ ଏଷ ପ୍ରକୃତିଂ ସୂକ୍ଷ୍ମାଂ ଦୈବୀଂ ଗୁଣମୟୀଂ ବିଭୁଃ ।

ଯଦୃଚ୍ଛୟୈବୋପଗତାମଭ୍ୟପଦ୍ୟତ ଲୀଲୟା ॥ ୪॥

ସେହି ସର୍ବବ୍ୟାପକ ପୁରୁଷ ଲୀଳା-ବିଳାସରେ ନିଜ ପାଖକୁ ଆସିଥିବା ଅବ୍ୟକ୍ତ ଏବଂ ତ୍ରିଗୁଣାତ୍ମିକା ବୈଷ୍ଣବୀ ମାୟାକୁ ସ୍ବେଚ୍ଛାରେ ସ୍ବୀକାର କରିନେଲେ |

ଗୁଣୈର୍ୱିଚିତ୍ରାଃ ସୃଜତୀଂ ସରୂପାଃ ପ୍ରକୃତିଂ ପ୍ରଜାଃ ।

ବିଲୋକ୍ୟ ମୁମୁହେ ସଦ୍ୟଃ ସ ଇହ ଜ୍ଞାନଗୂହୟା ॥ ୫॥

ଲୀଳାପରାୟଣ ପ୍ରକୃତି ନିଜ ସତ୍ତ୍ବାଦି ଗୁଣ ଦ୍ବାରା ତାଙ୍କ ଅନୁରୂପ ପ୍ରଜା ସୃଷ୍ଟି କରିବାରେ ଲାଗିଲା; ଏହା ଦେଖି ପୁରୁଷ ଜ୍ଞାନକୁ ଆଚ୍ଛାଦିତ କରୁଥିବା ମାୟାର ଆବରଣଶକ୍ତିରେ ମୋହିତ ହୋଇଗଲା, ନିଜ ସ୍ଵରୂପକୁ ଭୂଲିଗଲା |

ଏବଂ ପରାଭିଧ୍ୟାନେନ କର୍ତୃତ୍ୱଂ ପ୍ରକୃତେଃ ପୁମାନ୍ ।

କର୍ମସୁ କ୍ରିୟମାଣେଷୁ ଗୁଣୈରାତ୍ମନି ମନ୍ୟତେ ॥ ୬॥

ଏହିପରି ଭାବରେ ନିଜଠାରୁ ଭିନ୍ନ ପ୍ରକୃତିକୁ ହିଁ ନିଜର ସ୍ବରୂପ ମାନିନେବା କାରଣରୁ ପୁରୁଷ ନିଜକୁ ପ୍ରକୃତିର ଗୁଣମାନଙ୍କ ଦ୍ବାରା କରାଯାଉଥିବା କର୍ମର କର୍ତ୍ତା ମନେ କରିବାରେ ଲାଗିଲା |

ତଦସ୍ୟ ସଂସୃତିର୍ବନ୍ଧଃ ପାରତନ୍ତ୍ର୍ୟଂ ଚ ତତ୍କୃତମ୍ ।

ଭବତ୍ୟକର୍ତୁରୀଶସ୍ୟ ସାକ୍ଷିଣୋ ନିର୍ୱୃତାତ୍ମନଃ ॥ ୭॥

ଏହି କର୍ତ୍ତୃତ୍ବାଭିମାନରୁ ହିଁ ଅକର୍ତ୍ତା, ସ୍ବାଧୀନ, ସାକ୍ଷୀ ଏବଂ ଆନନ୍ଦସ୍ବରୂପ ପୁରୁଷକୁ ଜନ୍ମ-ମୃତ୍ୟୁରୂପ ବନ୍ଧନ ଏବଂ ପରତନ୍ତ୍ରତା ପ୍ରାପ୍ତ ହୋଇଥାଏ |

କାର୍ୟକାରଣକର୍ତୃତ୍ୱେ କାରଣଂ ପ୍ରକୃତିଂ ବିଦୁଃ ।

ଭୋକ୍ତୃତ୍ୱେ ସୁଖଦୁଃଖାନାଂ ପୁରୁଷଂ ପ୍ରକୃତେଃ ପରମ୍ ॥ ୮॥

କାର୍ଯ୍ୟରୂପ ଶରୀର, କାରଣରୂପ ଇନ୍ଦ୍ରିୟ ତଥା କର୍ତ୍ତାରୂପ ଇନ୍ଦ୍ରିୟଅଧିଷ୍ଠାତୃ ଦେବତାଙ୍କଠାରେ ପୁରୁଷ ଯେଉଁ ଆପଣାରଭାବ ଆରୋପ କରି ନେଇଥାଏ, ପଣ୍ଡିତଜନ ପ୍ରକୃତିକୁ ହିଁ ତାର କାରଣ ମାନନ୍ତି ତଥା ବାସ୍ତବରେ ପ୍ରକୃତିର ଉର୍ଦ୍ଧ୍ବସ୍ଥ ହୋଇ ମଧ୍ୟ ଯିଏ ପ୍ରକୃତିର ଅଧୀନସ୍ତ ହୋଇ ରହିଥାଏ, ସେହି ପୁରୁଷକୁ ହିଁ ସୁଖ-ଦୁଃଖ-ଭୋଗର କାରଣ ମନେ କରନ୍ତି |

ଦେବହୂତିରୁବାଚ

ପ୍ରକୃତେଃ ପୁରୁଷସ୍ୟାପି ଲକ୍ଷଣଂ ପୁରୁଷୋତ୍ତମ ।

ବ୍ରୂହି କାରଣୟୋରସ୍ୟ ସଦସଚ୍ଚ ଯଦାତ୍ମକମ୍ ॥ ୯॥

ଦେବହୂତି କହିଲେ – ହେ ପୁରୁଷୋତ୍ତମ ! ଏହି ବିଶ୍ବର ସ୍ଥୁଳ-ସୂକ୍ଷ୍ମ କାର୍ଯ୍ୟ ଯାହାର ସ୍ବରୂପ ଅଟେ ତଥା ଯିଏ ତାହାର କାରଣ ଅଟନ୍ତି, ସେହି ପ୍ରକୃତି ଏବଂ ପୁରୁଷର ଲକ୍ଷଣ ଆପଣ ମୋତେ ବୁଝାଇ କହନ୍ତୁ |

ଶ୍ରୀଭଗବାନୁବାଚ

ଯତ୍ତତ୍ତ୍ରିଗୁଣମବ୍ୟକ୍ତଂ ନିତ୍ୟଂ ସଦସଦାତ୍ମକମ୍ ।

ପ୍ରଧାନଂ ପ୍ରକୃତିଂ ପ୍ରାହୁରବିଶେଷଂ ବିଶେଷବତ୍ ॥ ୧୦॥

ଶ୍ରୀଭଗବାନ କହିଲେ – ଯିଏ ତ୍ରିଗୁଣାତ୍ମକ, ଅବ୍ୟକ୍ତ, ନିତ୍ୟ ଏବଂ କାର୍ଯ୍ୟ-କାରଣରୂପ ଅଟେ ତଥା ସ୍ବୟଂ ନିର୍ବିଶେଷ ହୋଇ ମଧ୍ୟ ସମ୍ପୂର୍ଣ୍ଣ ବିଶେଷ-ଧର୍ମର ଆଶ୍ରୟ ଅଟେ, ସେହି ପ୍ରଧାନ ନାମକ ତତ୍ତ୍ବକୁ ହିଁ ପ୍ରକୃତି କହନ୍ତି |

ପଞ୍ଚଭିଃ ପଞ୍ଚଭିର୍ବ୍ରହ୍ମ ଚତୁର୍ଭିର୍ଦଶଭିସ୍ତଥା ।

ଏତଚ୍ଚତୁର୍ୱିଂଶତିକଂ ଗଣଂ ପ୍ରାଧାନିକଂ ବିଦୁଃ ॥ ୧୧॥

ପଞ୍ଚ ମହାଭୂତ, ପଞ୍ଚ ତନ୍ମାତ୍ରା, ଚାରି ଅନ୍ତଃକରଣ ଏବଂ ଦଶ ଇନ୍ଦ୍ରିୟ – ଏହି ଚବିଶଟି ତତ୍ତ୍ବ ସମୂହକୁ ବିଦ୍ବାନମାନେ ପ୍ରକୃତିର କାର୍ଯ୍ୟ ମନେ କରନ୍ତି |

ମହାଭୂତାନି ପଞ୍ଚୈବ ଭୂରାପୋଽଗ୍ନିର୍ମରୁନ୍ନଭଃ ।

ତନ୍ମାତ୍ରାଣି ଚ ତାବନ୍ତି ଗନ୍ଧାଦୀନି ମତାନି ମେ ॥ ୧୨॥

ପୃଥିବୀ, ଜଳ, ତେଜ, ବାୟୁ ଏବଂ ଆକାଶ – ଏମାନେ ପଞ୍ଚ ମହାଭୂତ ଅଟନ୍ତି | ଗନ୍ଧ, ରସ, ରୂପ, ସ୍ପର୍ଶ ଏବଂ ଶବ୍ଦ – ଏମାନେ ପଞ୍ଚ ତନ୍ମାତ୍ରା ଅଟନ୍ତି |

ଇନ୍ଦ୍ରିୟାଣି ଦଶ ଶ୍ରୋତ୍ରଂ ତ୍ୱଗ୍ ଦୃଗ୍ରସନନାସିକାଃ ।

ବାକ୍କରୌ ଚରଣୌ ମେଢ୍ରଂ ପାୟୁର୍ଦଶମ ଉଚ୍ୟତେ ॥ ୧୩॥

ଶ୍ରୋତ୍ର, ତ୍ବଚା, ଚକ୍ଷୁ, ରସନା, ନାସିକା, ବାକ୍, ପାଣି, ପାଦ, ଉପସ୍ଥ ଏବଂ ପାୟୁ – ଏମାନେ ଦଶ ଇନ୍ଦ୍ରିୟ ଅଟନ୍ତି |

ମନୋ ବୁଦ୍ଧିରହଙ୍କାରଶ୍ଚିତ୍ତମିତ୍ୟନ୍ତରାତ୍ମକମ୍ ।

ଚତୁର୍ଧା ଲକ୍ଷ୍ୟତେ ଭେଦୋ ବୃତ୍ତ୍ୟା ଲକ୍ଷଣରୂପୟା ॥ ୧୪॥

ମନ, ବୁଦ୍ଧି, ଚିତ୍ତ ଏବଂ ଅହଂକାର – ଏହି ଚାରି ରୂପରେ ଗୋଟିଏ ହିଁ ଅନ୍ତଃକରଣ ନିଜର ସଂକଳ୍ପ, ନିଶ୍ଚୟ, ଚିନ୍ତା ଏବଂ ଅଭିମାନରୂପୀ ଚାରି ପ୍ରକାରର ବୃତ୍ତିରେ ଆଲକ୍ଷିତ ହୋଇଥାଏ |

ଏତାବାନେବ ସଙ୍ଖ୍ୟାତୋ ବ୍ରହ୍ମଣଃ ସଗୁଣସ୍ୟ ହ ।

ସନ୍ନିବେଶୋ ମୟା ପ୍ରୋକ୍ତୋ ଯଃ କାଲଃ ପଞ୍ଚବିଂଶକଃ ॥ ୧୫॥

ଏହିପରି ଭାବରେ ତତ୍ତ୍ବଜ୍ଞାନୀ ପୁରୁଷ ସଗୁଣ ବ୍ରହ୍ମଙ୍କର ସନ୍ନିବେଶସ୍ଥାନ ରୂପେ ଏହି ଚବିଶ ତତ୍ତ୍ବର ସଂଖ୍ୟା ଧାର୍ଯ୍ୟ କରିଥାଆନ୍ତି | ଏତଦ୍ ବ୍ୟତିତ କାଳକୁ ପଚିଶତମ ତତ୍ତ୍ବ ଧାର୍ଯ୍ୟ କରିଥାଆନ୍ତି |

ପ୍ରଭାବଂ ପୌରୁଷଂ ପ୍ରାହୁଃ କାଲମେକେ ଯତୋ ଭୟମ୍ ।

ଅହଙ୍କାରବିମୂଢସ୍ୟ କର୍ତୁଃ ପ୍ରକୃତିମୀୟୁଷଃ ॥ ୧୬॥

କେହି କେହି କାଳକୁ ପୁରୁଷଠାରୁ ଭିନ୍ନ ତତ୍ତ୍ବ ମନେ ନ କରି ପୁରୁଷର ପ୍ରଭାବ ଅର୍ଥାତ୍ ଈଶ୍ବରଙ୍କର ସଂହାରକାରିଣୀ ଶକ୍ତି କହନ୍ତି; ଯାହା ପ୍ରତି ମାୟାର କାର୍ଯ୍ୟରୂପ ଦେହାଦିରେ ଆତ୍ମତ୍ବର ଅଭିମାନ କରୁଥିବା, ଅହଂକାରରେ ମୋହିତ ଏବଂ ନିଜକୁ କର୍ତ୍ତା ମନେ କରୁଥିବା ପୁରୁଷକୁ ନିରନ୍ତର ଭୟ ଲାଗି ରହିଥାଏ |

ପ୍ରକୃତେର୍ଗୁଣସାମ୍ୟସ୍ୟ ନିର୍ୱିଶେଷସ୍ୟ ମାନବି ।

ଚେଷ୍ଟା ଯତଃ ସ ଭଗବାନ୍ କାଲ ଇତ୍ୟୁପଲକ୍ଷିତଃ ॥ ୧୭॥

ହେ ମନୁପୁତ୍ରୀ ! ଯାହାର ପ୍ରେରଣାରେ ଗୁଣମାନଙ୍କର ସାମ୍ୟାବସ୍ଥାରୂପ ନିର୍ବିଶେଷ ପ୍ରକୃତିରେ ଗତି ଉତ୍ପନ୍ନ ହୋଇଥାଏ, ବାସ୍ତବରେ ସେହି ପୁରୁଷରୂପ ଭଗବାନଙ୍କୁ ହିଁ ‘କାଳ କୁହାଯାଇ ଥାଏ |

ଅନ୍ତଃ ପୁରୁଷରୂପେଣ କାଲରୂପେଣ ଯୋ ବହିଃ ।

ସମନ୍ୱେତ୍ୟେଷ ସତ୍ତ୍ୱାନାଂ ଭଗବାନାତ୍ମମାୟଯା ॥ ୧୮॥

ଏହିରୂପେ ଯିଏ ନିଜ ମାୟାରେ ସମସ୍ତ ପ୍ରାଣୀଙ୍କ ଭିତରେ ଜୀବରୂପରେ ଏବଂ ବାହାରେ କାଳରୂପରେ ବ୍ୟାପ୍ତ ଅଟନ୍ତି, ସେହି ଭଗବାନ ହିଁ ପଚିଶତମ ତତ୍ତ୍ବ ଅଟନ୍ତି |

ଦୈବାତ୍କ୍ଷୁଭିତଧର୍ମିଣ୍ୟାଂ ସ୍ୱସ୍ୟାଂ ଯୋନୌ ପରଃ ପୁମାନ୍

ଆଧତ୍ତ ବୀର୍ୟଂ ସାସୂତ ମହତ୍ତତ୍ତ୍ୱଂ ହିରଣ୍ମୟମ୍ ॥ ୧୯॥

ପରମପୁରୁଷ ପରମାତ୍ମା ଯେତେବେଳେ ଜୀବର ଅଦୃଷ୍ଟବଶ କ୍ଷୋଭକୁ ପ୍ରାପ୍ତ ହୋଇଥିବା ସମ୍ପୂର୍ଣ୍ଣ ଜୀବସମୁଦାୟର ଉତ୍ପତ୍ତିସ୍ଥାନରୂପା ନିଜ ମାୟାରେ ଚିଚ୍ଛକ୍ତିରୂପ ବୀର୍ଯ୍ୟ ସ୍ଥାପିତ କଲେ, ସେଥିରୁ ତେଜୋମୟ ମହତ୍ତତ୍ତ୍ବ ଉତ୍ପନ୍ନ ହେଲା |

ବିଶ୍ୱମାତ୍ମଗତଂ ବ୍ୟଞ୍ଜନ୍ କୂଟସ୍ଥୋ ଜଗଦଙ୍କୁରଃ ।

ସ୍ୱତେଜସାପିବତ୍ତୀବ୍ରମାତ୍ମପ୍ରସ୍ୱାପନଂ ତମଃ ॥ ୨୦॥

ଲୟ-ବିକ୍ଷେପାଦି ରହିତ ତଥା ଜଗତର ଅଙ୍କୁରରୂପ ଏହି ମହତ୍ତତ୍ତ୍ବ ନିଜ ମଧ୍ୟରେ ସ୍ଥିତ ବିଶ୍ବକୁ ପ୍ରକଟ କରିବା ନିମନ୍ତେ ନିଜ ସ୍ଵରୂପକୁ ଆଚ୍ଛାଦିତ କରିଥିବା ପ୍ରଳୟକାଳୀନ ଅନ୍ଧକାରକୁ ନିଜ ତେଜରେ ପାନ କରିନେଲା |

ଯତ୍ତତ୍ସତ୍ତ୍ୱଗୁଣଂ ସ୍ୱଚ୍ଛଂ ଶାନ୍ତଂ ଭଗବତଃ ପଦମ୍ ।

ଯଦାହୁର୍ୱାସୁଦେବାଖ୍ୟଂ ଚିତ୍ତଂ ତନ୍ମହଦାତ୍ମକମ୍ ॥ ୨୧॥

ସତ୍ତ୍ବଗୁଣମୟ, ସ୍ବଚ୍ଛ, ଶାନ୍ତ ଏବଂ ଭଗବାନଙ୍କ ଉପଲବଧିର ସ୍ଥାନରୂପ ଚିତ୍ତ ହିଁ ସେହି ମହତ୍ତତ୍ତ୍ବ ଅଟେ ଏବଂ ତାହାକୁ ହିଁ ‘ବାସୁଦେବ କହନ୍ତି |

ସ୍ୱଚ୍ଛତ୍ୱମବିକାରିତ୍ୱଂ ଶାନ୍ତତ୍ୱମିତି ଚେତସଃ ।

ବୃତ୍ତିଭିର୍ଲକ୍ଷଣଂ ପ୍ରୋକ୍ତଂ ଯଥାପାଂ ପ୍ରକୃତିଃ ପରା ॥ ୨୨॥

ଯେପରି ପୃଥିବୀ ଆଦି ଅନ୍ୟ ପଦାର୍ଥର ସଂସର୍ଗ ପୂର୍ବରୁ ଜଳ ନିଜର ସ୍ବାଭାବିକ (ଫେଣ-ତରଙ୍ଗାଦି ରହିତ) ଅବସ୍ଥାରେ ଅତ୍ୟନ୍ତ ସ୍ବଚ୍ଛ, ବିକାରଶୂନ୍ୟ ଏବଂ ଶାନ୍ତ ରହିଥାଏ, ସେହିପରି ଚିତ୍ତ ନିଜର ସ୍ବାଭାବିକ ଅବସ୍ଥାରେ ସ୍ବଚ୍ଛତ୍ବ, ଅବିକାରିତ୍ବ ଏବଂ ଶାନ୍ତତ୍ବ ଆଦି ବୃତ୍ତି ଲକ୍ଷଣଯୁକ୍ତ ରହିଥାଏ |

ମହତ୍ତତ୍ତ୍ୱାଦ୍ୱିକୁର୍ୱାଣାଦ୍ଭଗବଦ୍ୱୀର୍ୟସମ୍ଭବାତ୍ ।

କ୍ରିୟାଶକ୍ତିରହଙ୍କାରସ୍ତ୍ରିବିଧଃ ସମପଦ୍ୟତ ॥ ୨୩॥

ବୈକାରିକସ୍ତୈଜସଶ୍ଚ ତାମସଶ୍ଚ ଯତୋ ଭବଃ ।

ମନସଶ୍ଚେନ୍ଦ୍ରିୟାଣାଂ ଚ ଭୂତାନାଂ ମହତାମପି ॥ ୨୪॥

ତଦନନ୍ତର ଭଗବାନଙ୍କର ବୀର୍ଯ୍ୟରୂପ ଚିଚ୍ଛକ୍ତିରୁ ଉତ୍ପନ୍ନ ହୋଇଥିବା ମହତ୍ତତ୍ତ୍ବ ବିକୃତ ହୋଇ ସେଥିରୁ କ୍ରିୟା-ଶକ୍ତିପ୍ରଧାନ ଅହଂକାର ଉତ୍ପନ୍ନ ହେଲା | ତାହା ବୈକାରିକ, ତୈଜସ୍ ଏବଂ ତାମସ ଭେଦରେ ତିନି ପ୍ରକାରର ଅଟେ | ସେଥିରୁ କ୍ରମଶଃ ମନ, ଇନ୍ଦ୍ରିୟ ଏବଂ ପଞ୍ଚ ମହାଭୂତର ଉତ୍ପତ୍ତି ହେଲା |

ସହସ୍ରଶିରସଂ ସାକ୍ଷାଦ୍ୟମନନ୍ତଂ ପ୍ରଚକ୍ଷତେ ।

ସଙ୍କର୍ଷଣାଖ୍ୟଂ ପୁରୁଷଂ ଭୂତେନ୍ଦ୍ରିୟମନୋମୟମ୍ ॥ ୨୫॥

ଏହି ଭୂତ, ଇନ୍ଦ୍ରିୟ ଏବଂ ମନରୂପ ଅହଂକାରକୁ ହିଁ ପଣ୍ଡିତଜନ ସାକ୍ଷାତ୍ ‘ସଙ୍କର୍ଷଣ ନାମରେ ସହସ୍ରସିରବିଶିଷ୍ଟ ଅନନ୍ତଦେବ କହନ୍ତି |

କର୍ତୃତ୍ୱଂ କରଣତ୍ୱଂ ଚ କାର୍ୟତ୍ୱଂ ଚେତି ଲକ୍ଷଣମ୍ ।

ଶାନ୍ତଘୋରବିମୂଢତ୍ୱମିତି ବା ସ୍ୟାଦହଙ୍କୃତେଃ ॥ ୨୬॥

ଏହି ଅହଂକାରର ଦେବତାରୂପରେ କର୍ତ୍ତୃତ୍ବ, ଇନ୍ଦ୍ରିୟରୂପରେ କରଣତ୍ବ ଏବଂ ପଞ୍ଚଭୂତରୂପରେ କାର୍ଯ୍ୟତ୍ବ ଲକ୍ଷଣ ରହିଛି ତଥା ସତ୍ତ୍ବାଦି ଗୁଣ ସମ୍ବନ୍ଧରେ ଶାନ୍ତତ୍ବ, ଧୀରତ୍ବ ଏବଂ ମୂଢ଼ତ୍ବ ମଧ୍ୟ ଏହାର ଲକ୍ଷଣ ଅଟେ |

ବୈକାରିକାଦ୍ୱିକୁର୍ୱାଣାନ୍ମନସ୍ତତ୍ତ୍ୱମଜାୟତ ।

ଯତ୍ସଙ୍କଲ୍ପବିକଲ୍ପାଭ୍ୟାଂ ବର୍ତତେ କାମସମ୍ଭବଃ ॥ ୨୭॥

ଉପରୋକ୍ତ ତିନି ପ୍ରକାରର ଅହଂକାର ମଧ୍ୟରୁ ବୈକାରିକ ଅହଂକାର ବିକୃତ ହେବା ଫଳରେ ମନ ଉତ୍ପନ୍ନ ହୋଇଥାଏ, ଯାହାର ସଂକଳ୍ପ-ବିକଳ୍ପରୁ କାମନାର ଉତ୍ପତ୍ତି ହୋଇଥାଏ |

ଯଦ୍ୱିଦୁର୍ହ୍ୟନିରୁଦ୍ଧାଖ୍ୟଂ ହୃଷୀକାଣାମଧୀଶ୍ୱରମ୍ ।

ଶାରଦେନ୍ଦୀବରଶ୍ୟାମଂ ସଂରାଧ୍ୟଂ ଯୋଗିଭିଃ ଶନୈଃ ॥ ୨୮॥

ଏହି ମନସ୍ତତ୍ତ୍ବ ହିଁ ଇନ୍ଦ୍ରିୟମାନଙ୍କର ଅଧିଷ୍ଠାତା ‘ଅନିରୁଦ୍ଧ ନାମରେ ପ୍ରସିଦ୍ଧ ଅଟନ୍ତି | ଯୋଗୀଜନ ଧୀରେ ଧୀରେ ମନକୁ ବଶୀଭୂତ କରି ଶରତ୍-କାଳୀନ ନୀଳକମଳ ପରି ଶ୍ୟାମ ବର୍ଣ୍ଣ ଏହି ଅନିରୁଦ୍ଧଙ୍କର ଆରାଧନା କରନ୍ତି |

ତୈଜସାତ୍ତୁ ବିକୁର୍ୱାଣାଦ୍ବୁଦ୍ଧିତତ୍ତ୍ୱମଭୂତ୍ସତି ।

ଦ୍ରବ୍ୟସ୍ଫୁରଣବିଜ୍ଞାନମିନ୍ଦ୍ରିୟାଣାମନୁଗ୍ରହଃ ॥ ୨୯॥

ହେ ସାଧ୍ବୀ ! ତୈଜସ୍ ଅହଂକାରରେ ବିକାର ଜାତ ହୋଇ ସେଥିରୁ ବୁଦ୍ଧି ତତ୍ତ୍ବ ଉତ୍ପନ୍ନ ହେଲା | ବସ୍ତୁର ସ୍ଫୁରଣରୂପ ବିଜ୍ଞାନ ଏବଂ ଇନ୍ଦ୍ରିୟମାନଙ୍କର ବୃତ୍ତିରେ ସହାୟକ ହୋଇ ପଦାର୍ଥର ବିଶେଷ ଜ୍ଞାନ କରାଇବା – ଏହା ବୁଦ୍ଧିର କାର୍ଯ୍ୟ ଅଟେ |

ସଂଶୟୋଽଥ ବିପର୍ୟାସୋ ନିଶ୍ଚୟଃ ସ୍ମୃତିରେବ ଚ ।

ସ୍ୱାପ ଇତ୍ୟୁଚ୍ୟତେ ବୁଦ୍ଧେର୍ଲକ୍ଷଣଂ ବୃତ୍ତିତଃ ପୃଥକ୍ ॥ ୩୦॥

ବୃତ୍ତି ଭେଦରେ ସଂଶୟ, ବିପର୍ଯ୍ୟୟ (ବିପରୀତ ଜ୍ଞାନ), ନିଶ୍ଚୟ, ସ୍ମୃତି ଏବଂ ନିଦ୍ରା ମଧ୍ୟ ବୁଦ୍ଧିର ହିଁ ଲକ୍ଷଣ ଅଟେ | ଏହି ବୁଦ୍ଧିତତ୍ତ୍ବ ହିଁ ‘ପ୍ରଦ୍ୟୁମ୍ନ ଅଟନ୍ତି |

ତୈଜସାନୀନ୍ଦ୍ରିୟାଣ୍ୟେବ କ୍ରିୟାଜ୍ଞାନବିଭାଗଶଃ ।

ପ୍ରାଣସ୍ୟ ହି କ୍ରିୟାଶକ୍ତିର୍ବୁଦ୍ଧେର୍ୱିଜ୍ଞାନଶକ୍ତିତା ॥ ୩୧॥

ଇନ୍ଦ୍ରିୟମାନେ ମଧ୍ୟ ତୈଜସ୍ ଅହଂକାରର କାର୍ଯ୍ୟ ଅଟନ୍ତି | କର୍ମ ଏବଂ ଜ୍ଞାନ ବିଭାଗତଃ ଏମାନଙ୍କ ମଧ୍ୟରେ କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟର ଭେଦ ରହିଛି | କର୍ମ ପ୍ରାଣର ଶକ୍ତି ଏବଂ ଜ୍ଞାନ ବୁଦ୍ଧିର ଶକ୍ତି ଅଟେ |

ତାମସାଚ୍ଚ ବିକୁର୍ୱାଣାଦ୍ଭଗବଦ୍ୱୀର୍ୟଚୋଦିତାତ୍ ।

ଶବ୍ଦମାତ୍ରମଭୂତ୍ତସ୍ମାନ୍ନଭଃ ଶ୍ରୋତ୍ରଂ ତୁ ଶବ୍ଦଗମ୍ ॥ ୩୨॥

ଭଗବାନଙ୍କ ଚୈତନ୍ୟଶକ୍ତି ପ୍ରେରଣାରେ ତାମସ ଅହଂକାର ବିକୃତ ହୋଇ ସେଥିରୁ ଶବ୍ଦତନ୍ମାତ୍ରାର ପ୍ରାଦୁର୍ଭାବ ହେଲା | ଶବ୍ଦତନ୍ମାତ୍ରାରୁ ଆକାଶ ତଥା ଶବ୍ଦର ଜ୍ଞାନ କରାଉଥିବା ଶ୍ରୋତ୍ରେନ୍ଦ୍ରିୟ ଉତ୍ପନ୍ନ ହେଲା |

ଅର୍ଥାଶ୍ରୟତ୍ୱଂ ଶବ୍ଦସ୍ୟ ଦ୍ରଷ୍ଟୁର୍ଲିଙ୍ଗତ୍ୱମେବ ଚ ।

ତନ୍ମାତ୍ରତ୍ୱଂ ଚ ନଭସୋ ଲକ୍ଷଣଂ କବୟୋ ବିଦୁଃ ॥ ୩୩॥

ଅର୍ଥର ପ୍ରକାଶକ ହେବା, ଆଢୁଆଳରେ ଠିଆ ହୋଇଥିବା ବକ୍ତାର ଜ୍ଞାନ କରାଇବା, ଆକାଶକୁ ସୂକ୍ଷ୍ମ ରୂପ ଦେବା – ବିଦ୍ବାନମାନଙ୍କ ମତରେ ଏହା ଶବ୍ଦର ଲକ୍ଷଣ ଅଟେ |

ଭୂତାନାଂ ଛିଦ୍ରଦାତୃତ୍ୱଂ ବହିରନ୍ତରମେବ ଚ ।

ପ୍ରାଣେନ୍ଦ୍ରିୟାତ୍ମଧିଷ୍ଣ୍ୟତ୍ୱଂ ନଭସୋ ବୃତ୍ତିଲକ୍ଷଣମ୍ ॥ ୩୪॥

ଭୂତମାନଙ୍କୁ ଅବକାଶ ଦେବା, ସମସ୍ତଙ୍କର ଭିତରେ-ବାହାରେ ଉପସ୍ଥିତ ରହିବା ଏବଂ ମନ ଓ ଇନ୍ଦ୍ରିୟମାନଙ୍କର ଆଶ୍ରୟ ହେବା – ଏସବୁ ଆକାଶର ବୃତ୍ତିରୂପ ଲକ୍ଷଣ ଅଟେ |

ନଭସଃ ଶବ୍ଦତନ୍ମାତ୍ରାତ୍କାଲଗତ୍ୟା ବିକୁର୍ୱତଃ ।

ସ୍ପର୍ଶୋଽଭବତ୍ତତୋ ବାୟୁସ୍ତ୍ୱକ୍ସ୍ପର୍ଶସ୍ୟ ଚ ସଙ୍ଗ୍ରହଃ ॥ ୩୫॥

ପୁନଶ୍ଚ, ଶବ୍ଦତନ୍ମାତ୍ରାର କାର୍ଯ୍ୟ ଆକାଶରେ କାଳଗତି କ୍ରମେ ବିକାର ଜାତ ହୋଇ ସ୍ପର୍ଶତନ୍ମାତ୍ରା ହେଲା ଏବଂ ସେଥିରୁ ବାୟୁ ତଥା ସ୍ପର୍ଶ ଗ୍ରହଣକାରୀ ତ୍ବଗିନ୍ଦ୍ରିୟ (ତ୍ବଚା) ଉତ୍ପନ୍ନ ହେଲା |

ମୃଦୁତ୍ୱଂ କଠିନତ୍ୱଂ ଚ ଶୈତ୍ୟମୁଷ୍ଣତ୍ୱମେବ ଚ ।

ଏତତ୍ସ୍ପର୍ଶସ୍ୟ ସ୍ପର୍ଶତ୍ୱଂ ତନ୍ମାତ୍ରତ୍ୱଂ ନଭସ୍ୱତଃ ॥ ୩୬॥

କୋମଳତା, କଠୋରତା, ଶୀତଳତା ଏବଂ ଉଷ୍ମତା ତଥା ବାୟୁର ସୂକ୍ଷ୍ମ ରୂପ ହେବା – ଏସବୁ ସ୍ପର୍ଶର ଲକ୍ଷଣ ଅଟେ |

ଚାଲନଂ ବ୍ୟୂହନଂ ପ୍ରାପ୍ତିର୍ନେତୃତ୍ୱଂ ଦ୍ରବ୍ୟଶବ୍ଦୟୋଃ ।

ସର୍ୱେନ୍ଦ୍ରିୟାଣାମାତ୍ମତ୍ୱଂ ବାୟୋଃ କର୍ମାଭିଲକ୍ଷଣମ୍ ॥ ୩୭॥

ବୃକ୍ଷର ଶାଖାମାନଙ୍କୁ ଦୋଳାୟିତ କରିବା, ତୃଣାଦିଙ୍କୁ ଏକତ୍ରିତ କରିବା, ସର୍ବତ୍ର ଆତଯାତ କରିବା, ଗନ୍ଧାଦିଯୁକ୍ତ ଦ୍ରବ୍ୟକୁ ଘ୍ରାଣାଦି ଇନ୍ଦ୍ରିୟ ପାଖକୁ ତଥା ଶବ୍ଦକୁ ଶ୍ରୋତ୍ରେନ୍ଦ୍ରିୟ ସମୀପକୁ ନେଇଯିବା ଏବଂ ସମସ୍ତ ଇନ୍ଦ୍ରିୟଙ୍କୁ କାର୍ଯ୍ୟଶକ୍ତି ପ୍ରଦାନ କରିବା – ଏହା ବାୟୁର ବୃତ୍ତିରୂପ ଲକ୍ଷଣ ଅଟେ |

ବାୟୋଶ୍ଚ ସ୍ପର୍ଶତନ୍ମାତ୍ରାଦ୍ରୂପଂ ଦୈବେରିତାଦଭୂତ୍ ।

ସମୁତ୍ଥିତଂ ତତସ୍ତେଜଶ୍ଚକ୍ଷୂ ରୂପୋପଲମ୍ଭନମ୍ ॥ ୩୮॥

ତଦନନ୍ତର ଦୈବ ପ୍ରେରଣାରେ ସ୍ପର୍ଶତନ୍ମାତ୍ରବିଶିଷ୍ଟ ବାୟୁ ବିକୃତ ହୋଇ ସେଥିରୁ ରୂପତନ୍ମାତ୍ରା ସୃଷ୍ଟି ହେଲା ତଥା ସେଥିରୁ ତେଜ ଏବଂ ରୂପକୁ ଉପଲବ୍ଧ କରାଉଥିବା ନେତ୍ରେନ୍ଦ୍ରିୟର ପ୍ରାଦୁର୍ଭାବ ହେଲା |

ଦ୍ରବ୍ୟାକୃତିତ୍ୱଂ ଗୁଣତା ବ୍ୟକ୍ତିସଂସ୍ଥାତ୍ୱମେବ ଚ ।

ତେଜସ୍ତ୍ୱଂ ତେଜସଃ ସାଧ୍ୱି ରୂପମାତ୍ରସ୍ୟ ବୃତ୍ତୟଃ ॥ ୩୯॥

ହେ ସାଧ୍ବୀ ! ବସ୍ତୁର ଆକାର ବୋଧ କରାଇବା, ଗୌଣ ହୋଇ – ଦ୍ରବ୍ୟର ଅଙ୍ଗରୂପରେ ପ୍ରତୀତ ହେବା, ଦ୍ରବ୍ୟର ଆକାର-ପ୍ରକାର ଏବଂ ପରିମାଣ ଆଦି ଯେପରି ଅଟେ, ସେହି ରୂପରେ ଉପଲକ୍ଷିତ ହେବା ତଥା ତେଜର ସ୍ବରୂପଭୂତ ହେବା – ଏସବୁ ରୂପତନ୍ମାତ୍ରାର ବୃତ୍ତି ଅଟନ୍ତି |

ଦ୍ୟୋତନଂ ପଚନଂ ପାନମଦନଂ ହିମମର୍ଦନମ୍ ।

ତେଜସୋ ବୃତ୍ତୟସ୍ତ୍ୱେତାଃ ଶୋଷଣଂ କ୍ଷୁତ୍ତୃଡେବ ଚ ॥ ୪୦॥

ଚମକିବା, ସିଝାଇବା, ଶୀତ ଦୂର କରିବା, ଶୁଖାଇବା, ଭୋକ-ଶୋଷ ସୃଷ୍ଟି କରିବା ଏବଂ ତାହାର ନିବୃତ୍ତି ନିମନ୍ତେ ଭୋଜନ ଓ ଜଳପାନ କରାଇବା – ଏସବୁ ତେଜର ବୃତ୍ତି ଅଟେ |

ରୂପମାତ୍ରାଦ୍ୱିକୁର୍ୱାଣାତ୍ତେଜସୋ ଦୈବଚୋଦିତାତ୍ ।

ରସମାତ୍ରମଭୂତ୍ତସ୍ମାଦମ୍ଭୋ ଜିହ୍ୱା ରସଗ୍ରହଃ ॥ ୪୧॥

ପୁନଶ୍ଚ ଦୈବ ପ୍ରେରଣାରେ ରୂପତନ୍ମାତ୍ରମୟ ତେଜ ବିକୃତ ହୋଇ ସେଥିରୁ ରସତନ୍ମାତ୍ରା ସୃଷ୍ଟି ହେଲା ଏବଂ ସେଥିରୁ ଜଳ ତଥା ରସଗ୍ରହଣକାରୀ ରସନେନ୍ଦ୍ରିୟ (ଜିହ୍ବା) ଉତ୍ପନ୍ନ ହେଲା |

କଷାୟୋ ମଧୁରସ୍ତିକ୍ତଃ କଟ୍ୱମ୍ଲ ଇତି ନୈକଧା ।

ଭୌତିକାନାଂ ବିକାରେଣ ରସ ଏକୋ ବିଭିଦ୍ୟତେ ॥ ୪୨॥

ରସ ନିଜର ଶୁଦ୍ଧ ସ୍ବରୂପରେ ଏକ ପ୍ରକାରର ହିଁ ଅଟେ; କିନ୍ତୁ ଅନ୍ୟ ଭୌତିକ ପଦାର୍ଥର ସଂଯୋଗରେ ଏହା କସା, ମିଠା, ରାଗ, ତିକ୍ତ, ଖଟା ଏବଂ ଲୁଣି ଆଦି ଅନେକ ପ୍ରକାରର ହୋଇଯାଏ |

କ୍ଲେଦନଂ ପିଣ୍ଡନଂ ତୃପ୍ତିଃ ପ୍ରାଣନାପ୍ୟାୟନୋନ୍ଦନମ୍ ।

ତାପାପନୋଦୋ ଭୂୟସ୍ତ୍ୱମମ୍ଭସୋ ବୃତ୍ତୟସ୍ତ୍ୱିମାଃ ॥ ୪୩॥

ଆର୍ଦ୍ର କରି ମାଟି ଆଦିକୁ ପିଣ୍ଡାକାର କରିବା, ତୃପ୍ତ କରିବା, ଜୀବିତ ରଖିବା, ତୃଷା ନିବୃତ୍ତି କରିବା, ତାପ ନିବୃତ୍ତି କରିବା, ପଦାର୍ଥକୁ ମୃଦୁ କରିଦେବା ଏବଂ କୂପାଦିରୁ ନିଷ୍କାସିତ ହେବା ପରେ ମଧ୍ୟ ବାରମ୍ବାର ସେଠାରେ ପୁନଃ ପ୍ରକଟ ହୋଇଯିବା – ଏହା ଜଳର ବୃତ୍ତି ଅଟେ |

ରସମାତ୍ରାଦ୍ୱିକୁର୍ୱାଣାଦମ୍ଭସୋ ଦୈବଚୋଦିତାତ୍ ।

ଗନ୍ଧମାତ୍ରମଭୂତ୍ତସ୍ମାତ୍ପୃଥ୍ୱୀ ଘ୍ରାଣସ୍ତୁ ଗନ୍ଧଗଃ ॥ ୪୪॥

ତତ୍ ପଶ୍ଚାତ୍ ଦୈବପ୍ରେରିତ ରସସ୍ବରୂପ ଜଳ ବିକୃତ ହୋଇ ସେଥିରୁ ଗନ୍ଧତନ୍ମାତ୍ରା ସୃଷ୍ଟି ହେଲା ଏବଂ ସେଥିରୁ ପୃଥିବୀ ତଥା ଗନ୍ଧ ଗ୍ରହଣକାରୀ ଘ୍ରାଣେନ୍ଦ୍ରିୟ ପ୍ରକଟ ହେଲା |

କରମ୍ଭପୂତିସୌରଭ୍ୟଶାନ୍ତୋଗ୍ରାମ୍ଲାଦିଭିଃ ପୃଥକ୍ ।

ଦ୍ରବ୍ୟାବୟବବୈଷମ୍ୟାଦ୍ଗନ୍ଧ ଏକୋ ବିଭିଦ୍ୟତେ ॥ ୪୫॥

ଗନ୍ଧ ଏକ ପ୍ରକାରର ହିଁ ଅଟେ; ତଥାପି ପରସ୍ପର ମିଳିତ ଦ୍ରବ୍ୟଭାଗର ନ୍ୟୁନାଧିକତା ଯୋଗୁଁ ତାହା ମିଶ୍ରିତଗନ୍ଧ, ଦୁର୍ଗନ୍ଧ, ସୁଗନ୍ଧ, ମୃଦୁ, ତୀବ୍ର ଏବଂ ଅମ୍ଳ ଆଦି ଅନେକ ପ୍ରକାରର ହୋଇଯାଏ |

ଭାବନଂ ବ୍ରହ୍ମଣଃ ସ୍ଥାନଂ ଧାରଣଂ ସଦ୍ୱିଶେଷଣମ୍ ।

ସର୍ୱସତ୍ତ୍ୱଗୁଣୋଦ୍ଭେଦଃ ପୃଥିବୀବୃତ୍ତିଲକ୍ଷଣମ୍ ॥ ୪୬॥

ପ୍ରତିମାଦିରୂପରେ ବ୍ରହ୍ମଙ୍କର ସାକାର-ଭାବନାର ଆଶ୍ରୟ ହେବା, ଜଳ ଆଦି କାରଣ ତତ୍ତ୍ବଠାରୁ ଭିନ୍ନ ଅନ୍ୟ କୌଣସି ଆଶ୍ରୟର ଅପେକ୍ଷା ବିନା ସ୍ଥିତ ରହିବା, ଜଳ ଆଦି ଅନ୍ୟ ପଦାର୍ଥକୁ ଧାରଣ କରିବା, ଆକାଶାଦିର ଅବଚ୍ଛେଦକ ହେବା (ଘଟାକାଶ, ମହାକାଶ ଆଦି ଭେଦ ସିଦ୍ଧ କରିବା) ତଥା ପରିଣାମବିଶେଷରେ ସମ୍ପୂର୍ଣ୍ଣ ପ୍ରାଣୀସମୁଦାୟର ଗୁଣକୁ ପ୍ରକଟ କରିବା – ଏହା ପୃଥିବୀର କାର୍ଯ୍ୟରୂପ ଲକ୍ଷଣ ଅଟେ |

ନଭୋଗୁଣବିଶେଷୋଽର୍ଥୋ ଯସ୍ୟ ତଚ୍ଛ୍ରୋତ୍ରମୁଚ୍ୟତେ ।

ବାୟୋର୍ଗୁଣବିଶେଷୋଽର୍ଥୋ ଯସ୍ୟ ତତ୍ସ୍ପର୍ଶନଂ ବିଦୁଃ ॥ ୪୭॥

ଆକାଶର ବିଶେଷ ଗୁଣ ଶବ୍ଦ ଶ୍ରୋତ୍ରେନ୍ଦ୍ରିୟର ବିଷୟ ଅଟେ; ବାୟୁର ବିଶେଷ ଗୁଣ ସ୍ପର୍ଶ ତ୍ବଗିନ୍ଦ୍ରିୟର ବିଷୟ ଅଟେ |

ତେଜୋଗୁଣବିଶେଷୋଽର୍ଥୋ ଯସ୍ୟ ତଚ୍ଚକ୍ଷୁରୁଚ୍ୟତେ ।

ଅମ୍ଭୋଗୁଣବିଶେଷୋଽର୍ଥୋ ଯସ୍ୟ ତଦ୍ରସନଂ ବିଦୁଃ ।

ଭୂମେର୍ଗୁଣବିଶେଷୋଽର୍ଥୋ ଯସ୍ୟ ସ ଘ୍ରାଣ ଉଚ୍ୟତେ ॥ ୪୮॥

ତେଜର ବିଶେଷ ଗୁଣ ରୂପ ନେତ୍ରେନ୍ଦ୍ରିୟର ବିଷୟ ଅଟେ; ଜଳର ବିଶେଷ ଗୁଣ ରସ ରସନେନ୍ଦ୍ରିୟର ବିଷୟ ଏବଂ ପୃଥିବୀର ବିଶେଷ ଗୁଣ ଗନ୍ଧ ଘ୍ରାଣେନ୍ଦ୍ରିୟର ବିଷୟ ଅଟେ |

ପରସ୍ୟ ଦୃଶ୍ୟତେ ଧର୍ମୋ ହ୍ୟପରସ୍ମିନ୍ ସମନ୍ୱୟାତ୍ ।

ଅତୋ ବିଶେଷୋ ଭାବାନାଂ ଭୂମାବେବୋପଲକ୍ଷ୍ୟତେ ॥ ୪୯॥

ବାୟୁ ଆଦି କାର୍ଯ୍ୟ-ତତ୍ତ୍ବରେ ଆକାଶାଦି କାରଣ-ତତ୍ତ୍ବ ରହିଥିବା ଦୃଷ୍ଟିରୁ ଆକାଶର ଗୁଣ ମଧ୍ୟ ତାହାର ଅନୁଗତ ରହିଥାଏ | ସେହି ଦୃଷ୍ଟିରୁ ସମସ୍ତ ମହାଭୂତମାନଙ୍କର ଗୁଣ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ କେବଳ ପୃଥିବୀରେ ହିଁ ରହିଥାଏ |

ଏତାନ୍ୟସଂହତ୍ୟ ଯଦା ମହଦାଦୀନି ସପ୍ତ ବୈ ।

କାଲକର୍ମଗୁଣୋପେତୋ ଜଗଦାଦିରୁପାବିଶତ୍ ॥ ୫୦॥

ମହତ୍ତତ୍ତ୍ବ, ଅହଂକାର ଏବଂ ପଞ୍ଚଭୂତ – ଏହି ସାତଟି ତତ୍ତ୍ବ ଯେତେବେଳେ ପରସ୍ପର ସହିତ ମିଳିତ ହୋଇ ନ ପାରି ପୃଥକ୍ ରହିଲେ, ସେତେବେଳେ କାଳ, ଅଦୃଷ୍ଟ ଏବଂ ସତ୍ତ୍ବାଦି ଗୁଣ ସହିତ ଜଗତର ଆଦିକାରଣ ଶ୍ରୀନାରାୟଣ ସେମାନଙ୍କ ମଧ୍ୟରେ ପ୍ରବେଶ କଲେ |

ତତସ୍ତେନାନୁବିଦ୍ଧେଭ୍ୟୋ ଯୁକ୍ତେଭ୍ୟୋଽଣ୍ଡମଚେତନମ୍ ।

ଉତ୍ଥିତଂ ପୁରୁଷୋ ଯସ୍ମାଦୁଦତିଷ୍ଠଦସୌ ବିରାଟ୍ ॥ ୫୧॥

ତାପରେ ପରମାତ୍ମାଙ୍କ ପ୍ରବେଶରେ କ୍ଷୁବ୍ଧ ଏବଂ ପରସ୍ପର ମିଳିତ ସେହି ତତ୍ତ୍ବରୁ ଏକ ଜଡ ଅଣ୍ଡ ଉତ୍ପନ୍ନ ହେଲା | ସେହି ଅଣ୍ଡରୁ ବିରାଟ ପୁରୁଷଙ୍କର ଅଭିବ୍ୟକ୍ତି ହେଲା |

ଏତଦଣ୍ଡଂ ବିଶେଷାଖ୍ୟଂ କ୍ରମବୃଦ୍ଧୈର୍ଦଶୋତ୍ତରୈଃ ।

ତୋୟାଦିଭିଃ ପରିବୃତଂ ପ୍ରଧାନେନାବୃତୈର୍ବହିଃ ।

ଯତ୍ର ଲୋକବିତାନୋଽୟଂ ରୂପଂ ଭଗବତୋ ହରେଃ ॥ ୫୨॥

ଏହି ଅଣ୍ଡର ନାମ ବିଶେଷ ଅଟେ | ଏହା ଅନ୍ତର୍ଗତ ଶ୍ରୀହରିଙ୍କର ସ୍ବରୂପଭୂତ ଚଉଦ ଭୁବନର ବିସ୍ତାର ରହିଛି | ଚତୁର୍ଦିଗରୁ କ୍ରମଶଃ ଏହା ପରସ୍ପରଠାରୁ ଦଶଗୁଣ ଜଳ, ଅଗ୍ନି, ବାୟୁ, ଆକାଶ, ଅହଂକାର ଏବଂ ମହତ୍ତତ୍ତ୍ବ – ଏହି ଛଅଟି ଆବରଣରେ ପରିବେଷ୍ଟିତ | ସମସ୍ତଙ୍କ ବାହାରେ ସପ୍ତମ ଆବରଣ ପ୍ରକୃତି ଅଟେ |

ହିରଣ୍ମୟାଦଣ୍ଡକୋଶାଦୁତ୍ଥାୟ ସଲିଲେଶୟାତ୍ ।

ତମାବିଶ୍ୟ ମହାଦେବୋ ବହୁଧା ନିର୍ବିଭେଦ ଖମ୍ ॥ ୫୩॥

କାରଣମୟ ଜଳରେ ସ୍ଥିତ ସେହି ତେଜୋମୟ ଅଣ୍ଡରୁ ଉଠି ବିରାଟ ପୁରୁଷ ପୁନର୍ବାର ସେଥିରେ ପ୍ରବେଶ କଲେ ଏବଂ ତାପରେ ସେଥିରେ ଅନେକ ପ୍ରକାରର ଛିଦ୍ର କଲେ |

ନିରଭିଦ୍ୟତାସ୍ୟ ପ୍ରଥମଂ ମୁଖଂ ବାଣୀ ତତୋଽଭବତ୍ ।

ବାଣ୍ୟା ବହ୍ନିରଥୋ ନାସେ ପ୍ରାଣୋଽତୋ ଘ୍ରାଣ ଏତୟୋଃ ॥ ୫୪॥

ସର୍ବପ୍ରଥମେ ସେଥିରୁ ମୁଖ ପ୍ରକଟ ହେଲା, ସେଥିରୁ ବାକ୍-ଇନ୍ଦ୍ରିୟ ଏବଂ ତଦନନ୍ତର ବାକ୍-ଅଧିଷ୍ଠାତା ଅଗ୍ନି ଉତ୍ପନ୍ନ ହେଲେ | ତାପରେ ନାସାରନ୍ଧ୍ର ପ୍ରକଟ ହେଲେ, ତହିଁରୁ ପ୍ରାଣ ସହିତ ଘ୍ରାଣେନ୍ଦ୍ରିୟ ଉତ୍ପନ୍ନ ହେଲେ |

ଘ୍ରାଣାଦ୍ୱାୟୁରଭିଦ୍ୟେତାମକ୍ଷିଣୀ ଚକ୍ଷୁରେତୟୋଃ ।

ତସ୍ମାତ୍ସୂର୍ୟୋ ବ୍ୟଭିଦ୍ୟେତାଂ କର୍ଣୌ ଶ୍ରୋତ୍ରଂ ତତୋ ଦିଶଃ ॥ ୫୫॥

ତତ୍ ପଶ୍ଚାତ୍ ଘ୍ରାଣର ଅଧିଷ୍ଠାତା ବାୟୁ ଉତ୍ପନ୍ନ ହେଲା | ତାପରେ ନେତ୍ରଗୋଲକ ପ୍ରକଟ ହେଲା, ସେଥିରୁ ଚକ୍ଷୁ-ଇନ୍ଦ୍ରିୟ ପ୍ରକଟ ହେଲା ଏବଂ ତଦନନ୍ତର ତାର ଅଧିଷ୍ଠାତା ସୂର୍ଯ୍ୟ ଉତ୍ପନ୍ନ ହେଲେ | ପୁଣି କର୍ଣ୍ଣରନ୍ଧ୍ର ପ୍ରକଟ ହେଲା, ସେଥିରୁ ଶ୍ରୋତ୍ରେନ୍ଦ୍ରିୟ ଏବଂ ତାର ଅଭିମାନୀ ଦିଗଦେବତା ପ୍ରକଟ ହେଲେ |

ନିର୍ବିଭେଦ ବିରାଜସ୍ତ୍ୱଗ୍ରୋମଶ୍ମଶ୍ର୍ୱାଦୟସ୍ତତଃ ।

ତତ ଓଷଧୟଶ୍ଚାସନ୍ ଶିଶ୍ନଂ ନିର୍ବିଭିଦେ ତତଃ ॥ ୫୬॥

ଏହା ପରେ ସେହି ବିରାଟ ପୁରୁଷଙ୍କର ତ୍ବଚା ଉତ୍ପନ୍ନ ହେଲା | ସେଥିରୁ ଲୋମ, ନିଶ-ଦାଢ଼ି ତଥା କେଶ ପ୍ରକଟ ହେଲା ଏବଂ ତାପରେ ତ୍ବଚାର ଅଭିମାନୀ ଶସ୍ୟଜାତୀୟ ବୃକ୍ଷ ଉତ୍ପନ୍ନ ହେଲେ | ଏହାପରେ ଲିଙ୍ଗ ପ୍ରକଟ ହେଲା |

ରେତସ୍ତସ୍ମାଦାପ ଆସନ୍ ନିରଭିଦ୍ୟତ ବୈ ଗୁଦମ୍ ।

ଗୁଦାଦପାନୋଽପାନାଚ୍ଚ ମୃତ୍ୟୁର୍ଲୋକଭୟଙ୍କରଃ ॥ ୫୭॥

ସେଥିରୁ ବୀର୍ଯ୍ୟ ଏବଂ ତାପରେ ଲିଙ୍ଗର ଅଭିମାନୀ ଆପୋଦେବ (ଜଳ) ଉତ୍ପନ୍ନ ହେଲେ | ତାପରେ ମଳଦ୍ବାର ପ୍ରକଟ ହେଲା, ସେଥିରୁ ଅପାନବାୟୁ ଏବଂ ତଦନନ୍ତର ତାର ଅଭିମାନୀ ସଂସାରକୁ ଭୟଭୀତ କରୁଥିବା ମୃତ୍ୟୁଦେବତା ଉତ୍ପନ୍ନ ହେଲେ |

ହସ୍ତୌ ଚ ନିରଭିଦ୍ୟେତାଂ ବଲଂ ତାଭ୍ୟାଂ ତତଃ ସ୍ୱରାଟ୍ ।

ପାଦୌ ଚ ନିରଭିଦ୍ୟେତାଂ ଗତିସ୍ତାଭ୍ୟାଂ ତତୋ ହରିଃ ॥ ୫୮॥

ତାପରେ ହାତ ପ୍ରକଟ ହେଲା, ସେଥିରୁ ବଳ ଏବଂ ହସ୍ତେନ୍ଦ୍ରିୟର ଅଭିମାନୀ ଇନ୍ଦ୍ର ଉତ୍ପନ୍ନ ହେଲେ | ପୁଣି ଚରଣ ପ୍ରକଟ ହେଲା, ସେଥିରୁ ଗତି ଏବଂ ପାଦେନ୍ଦ୍ରିୟର ଅଭିମାନୀ ବିଷ୍ଣୁ ଉତ୍ପନ୍ନ ହେଲେ |

ନାଡ୍ୟୋଽସ୍ୟ ନିରଭିଦ୍ୟନ୍ତ ତାଭ୍ୟୋ ଲୋହିତମାଭୃତମ୍ ।

ନଦ୍ୟସ୍ତତଃ ସମଭବନ୍ନୁଦରଂ ନିରଭିଦ୍ୟତ ॥ ୫୯॥

ଏହିପରି ଭାବରେ ଯେତେବେଳେ ବିରାଟ ପୁରୁଷଙ୍କର ଶିରା-ପ୍ରଶିରା ପ୍ରକଟ ହେଲେ, ସେଥିରୁ ରୁଧିର ଉତ୍ପନ୍ନ ହେଲା ଏବଂ ନଦୀମାନେ ଉତ୍ପନ୍ନ ହେଲେ | ତାପରେ ତାଙ୍କର ଉଦର ପ୍ରକଟ ହେଲା |

କ୍ଷୁତ୍ପିପାସେ ତତଃ ସ୍ୟାତାଂ ସମୁଦ୍ରସ୍ତ୍ୱେତୟୋରଭୂତ୍ ।

ଅଥାସ୍ୟ ହୃଦୟଂ ଭିନ୍ନଂ ହୃଦୟାନ୍ମନ ଉତ୍ଥିତମ୍ ॥ ୬୦॥

ସେଥିରୁ ଭୋକ-ଶୋଷର ଅଭିବ୍ୟକ୍ତି ହେଲା ଏବଂ ଉଦରର ଅଭିମାନୀ ସମୁଦ୍ରଦେବତା ଉତ୍ପନ୍ନ ହେଲେ | ତତ୍ ପଶ୍ଚାତ୍ ତାଙ୍କର ହୃଦୟ ପ୍ରକଟ ହେଲା, ହୃଦୟରୁ ମନର ପ୍ରାକଟ୍ୟ ହେଲା |

ମନସଶ୍ଚନ୍ଦ୍ରମା ଜାତୋ ବୁଦ୍ଧିର୍ବୁଦ୍ଧେର୍ଗିରାଂ ପତିଃ ।

ଅହଙ୍କାରସ୍ତତୋ ରୁଦ୍ରଶ୍ଚିତ୍ତଂ ଚୈତ୍ୟସ୍ତତୋଽଭବତ୍ ॥ ୬୧॥

ମନ ପ୍ରକଟ ହେବା ପରେ ତାର ଅଭିମାନୀ ଦେବତା ଚନ୍ଦ୍ରମା ପ୍ରକଟ ହେଲେ | ପୁନଶ୍ଚ ହୃଦୟରୁ ହିଁ ବୁଦ୍ଧି ଏବଂ ତାର ଅଭିମାନୀ ବ୍ରହ୍ମା ପ୍ରକଟ ହେଲେ | ତତ୍ ପଶ୍ଚାତ୍ ଅହଂକାର ଏବଂ ତାର ଅଭିମାନୀ ରୁଦ୍ରଦେବତା ଉତ୍ପନ୍ନ ହେଲେ | ଏହାପରେ ଚିତ୍ତ ଏବଂ ତାର ଅଭିମାନୀ କ୍ଷେତ୍ରଜ୍ଞ ପ୍ରକଟ ହେଲେ |

ଏତେ ହ୍ୟଭ୍ୟୁତ୍ଥିତା ଦେବା ନୈବାସ୍ୟୋତ୍ଥାପନେଽଶକନ୍ ।

ପୁନରାବିବିଶୁଃ ଖାନି ତମୁତ୍ଥାପୟିତୁଂ କ୍ରମାତ୍ ॥ ୬୨॥

କ୍ଷେତ୍ରଜ୍ଞଙ୍କ ଅତିରିକ୍ତ ଅନ୍ୟ ସମସ୍ତ ଦେବତା ଉତ୍ପନ୍ନ ହୋଇ ଯେତେବେଳେ ସେହି ବିରାଟ ପୁରୁଷଙ୍କୁ ଉଠାଇବାକୁ ଅସମର୍ଥ ହେଲେ, ତାଙ୍କୁ ଉଠାଇବା ପାଇଁ ସେମାନେ କ୍ରମଶଃ ନିଜ-ନିଜ ଉତ୍ପତ୍ତିସ୍ଥାନରେ ପ୍ରବିଷ୍ଟ ହେବାରେ ଲାଗିଲେ |

ବହ୍ନିର୍ୱାଚା ମୁଖଂ ଭେଜେ ନୋଦତିଷ୍ଠତ୍ତଦା ବିରାଟ୍ ।

ଘ୍ରାଣେନ ନାସିକେ ବାୟୁର୍ନୋଦତିଷ୍ଠତ୍ତଦା ବିରାଟ୍ ॥ ୬୩॥

ଅଗ୍ନି ବାଣୀ ସହିତ ମୁଖରେ ପ୍ରବେଶ କଲେ, କିନ୍ତୁ ତଦ୍ବାରା ବିରାଟ ପୁରୁଷ ଉଠିଲେ ନାହିଁ | ଘ୍ରାଣେନ୍ଦ୍ରିୟ ସହିତ ବାୟୁ ନାସାରନ୍ଧ୍ରରେ ପ୍ରବେଶ କଲେ, ତଥାପି ବିରାଟ ପୁରୁଷ ଉଠିଲେ ନାହିଁ |

ଅକ୍ଷିଣୀ ଚକ୍ଷୁଷାଽଽଦିତ୍ୟୋ ନୋଦତିଷ୍ଠତ୍ତଦା ବିରାଟ୍ ।

ଶ୍ରୋତ୍ରେଣ କର୍ଣୌ ଚ ଦିଶୋ ନୋଦତିଷ୍ଠତ୍ତଦା ବିରାଟ୍ ॥ ୬୪॥

ସୂର୍ଯ୍ୟ ଚକ୍ଷୁ ସହିତ ନେତ୍ରରେ ପ୍ରବେଶ କଲେ, ବିରାଟ ପୁରୁଷ ଉଠିଲେ ନାହିଁ | ଶ୍ରୋତ୍ରେନ୍ଦ୍ରିୟ ସହିତ ଦିଶାମାନେ କର୍ଣ୍ଣରେ ପ୍ରବେଶ କଲେ, ସେତେବେଳେ ବି ବିରାଟ ପୁରୁଷ ଉଠିଲେ ନାହିଁ |

ତ୍ୱଚଂ ରୋମଭିରୋଷଧ୍ୟୋ ନୋଦତିଷ୍ଠତ୍ତଦା ବିରାଟ୍ ।

ରେତସା ଶିଶ୍ନମାପସ୍ତୁ ନୋଦତିଷ୍ଠତ୍ତଦା ବିରାଟ୍ ॥ ୬୫॥

ଶସ୍ୟଜାତୀୟ ବୃକ୍ଷମାନେ ଲୋମ ସହିତ ତ୍ବଚାରେ ପ୍ରବେଶ କଲେ, ତଥାପି ବିରାଟ ପୁରୁଷ ଉଠିଲେ ନାହିଁ | ବୀର୍ଯ୍ୟ ସହିତ ଜଳ ଲିଙ୍ଗରେ ପ୍ରବେଶ କଲା, ତା ସତ୍ତ୍ବେ ବି ବିରାଟ ପୁରୁଷ ଉଠିଲେ ନାହିଁ |

ଗୁଦଂ ମୃତ୍ୟୁରପାନେନ ନୋଦତିଷ୍ଠତ୍ତଦା ବିରାଟ୍ ।

ହସ୍ତାବିନ୍ଦ୍ରୋ ବଲେନୈବ ନୋଦତିଷ୍ଠତ୍ତଦା ବିରାଟ୍ ॥ ୬୬॥

ମୃତ୍ୟୁଦେବତା ଅପାନ ସହିତ ମଳଦ୍ବାରରେ ପ୍ରବେଶ କଲେ, ବିରାଟ ପୁରୁଷ ଉଠିଲେ ନାହିଁ | ଇନ୍ଦ୍ର ବଳ ସହିତ ହାତରେ ପ୍ରବେଶ କଲେ, ସେତେବେଳେ ବି ବିରାଟ ପୁରୁଷ ଉଠିଲେ ନାହିଁ |

ବିଷ୍ଣୁର୍ଗତ୍ୟୈବ ଚରଣୌ ନୋଦତିଷ୍ଠତ୍ତଦା ବିରାଟ୍ ।

ନାଡୀର୍ନଦ୍ୟୋ ଲୋହିତେନ ନୋଦତିଷ୍ଠତ୍ତଦା ବିରାଟ୍ ॥ ୬୭॥

ବିଷ୍ଣୁ ଗତି ସହିତ ଚରଣରେ ପ୍ରବେଶ କଲେ, ତଥାପି ବିରାଟ ପୁରୁଷ ଉଠିଲେ ନାହିଁ | ନଦୀମାନେ ରୁଧିର ସହିତ ନାଡିରେ ପ୍ରବେଶ କଲେ, ତା ସତ୍ତ୍ବେ ବି ବିରାଟ ପୁରୁଷ ଉଠିଲେ ନାହିଁ |

କ୍ଷୁତ୍ତୃଡ୍ଭ୍ୟାମୁଦରଂ ସିନ୍ଧୁର୍ନୋଦତିଷ୍ଠତ୍ତଦା ବିରାଟ୍ ।

ହୃଦୟଂ ମନସା ଚନ୍ଦ୍ରୋ ନୋଦତିଷ୍ଠତ୍ତଦା ବିରାଟ୍ ॥ ୬୮॥

ଭୋକ-ଶୋଷ ସହିତ ସମୁଦ୍ର ଉଦରରେ ପ୍ରବେଶ କଲେ, ତଥାପି ବିରାଟ ପୁରୁଷ ଉଠିଲେ ନାହିଁ | ଚନ୍ଦ୍ରମା ମନ ସହିତ ହୃଦୟରେ ପ୍ରବେଶ କଲେ, ବିରାଟ ପୁରୁଷ ଉଠିଲେ ନାହିଁ |

ବୁଦ୍ଧ୍ୟା ବ୍ରହ୍ମାପି ହୃଦୟଂ ନୋଦତିଷ୍ଠତ୍ତଦା ବିରାଟ୍ ।

ରୁଦ୍ରୋଽଭିମତ୍ୟା ହୃଦୟଂ ନୋଦତିଷ୍ଠତ୍ତଦା ବିରାଟ୍ ॥ ୬୯॥

ବ୍ରହ୍ମା ବୁଦ୍ଧି ସହିତ ହୃଦୟରେ ପ୍ରବେଶ କଲେ, ତଥାପି ମଧ୍ୟ ବିରାଟ ପୁରୁଷ ଉଠିଲେ ନାହିଁ | ସେହି ହୃଦୟରେ ରୁଦ୍ର ଅହଂକାର ସହିତ ପ୍ରବେଶ କଲେ, କିନ୍ତୁ ବିରାଟ ପୁରୁଷ ଉଠିଲେ ନାହିଁ |

ଚିତ୍ତେନ ହୃଦୟଂ ଚୈତ୍ୟଃ କ୍ଷେତ୍ରଜ୍ଞଃ ପ୍ରାବିଶଦ୍ୟଦା ।

ବିରାଟ୍ ତଦୈବ ପୁରୁଷଃ ସଲିଲାଦୁଦତିଷ୍ଠତ ॥ ୭୦॥

ପରିଶେଷରେ ଯେତେବେଳେ ଚିତ୍ତର ଅଧିଷ୍ଠାତା କ୍ଷେତ୍ରଜ୍ଞ ଚିତ୍ତ ସହିତ ହୃଦୟରେ ପ୍ରବେଶ କଲେ, ସେତେବେଳେ ବିରାଟ ପୁରୁଷ ଜଳରୁ ଉଠି ଠିଆ ହୋଇଗଲେ |

ଯଥା ପ୍ରସୁପ୍ତଂ ପୁରୁଷଂ ପ୍ରାଣେନ୍ଦ୍ରିୟମନୋଧିୟଃ ।

ପ୍ରଭବନ୍ତି ବିନା ଯେନ ନୋତ୍ଥାପୟିତୁମୋଜସା ॥ ୭୧॥

ସଂସାରରେ ଯେପରି ଚିତ୍ତର ଅଧିଷ୍ଠାତା କ୍ଷେତ୍ରଜ୍ଞଙ୍କର ସହାୟତା ବିନା ପ୍ରାଣ, ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ନିଜ ବଳରେ ସୁପ୍ତ ପ୍ରାଣୀକୁ ଜାଗ୍ରତ କରିପାରନ୍ତି ନାହିଁ, ସେହିପରି ବିରାଟ ପୁରୁଷଙ୍କୁ ମଧ୍ୟ କ୍ଷେତ୍ରଜ୍ଞ ପରମାତ୍ମାଙ୍କ ବିନା କେହି ଉଠାଇ ପାରିଲେ ନାହିଁ |

ତମସ୍ମିନ୍ ପ୍ରତ୍ୟଗାତ୍ମାନଂ ଧିୟା ଯୋଗପ୍ରବୃତ୍ତୟା ।

ଭକ୍ତ୍ୟା ବିରକ୍ତ୍ୟା ଜ୍ଞାନେନ ବିବିଚ୍ୟାତ୍ମନି ଚିନ୍ତୟେତ୍ ॥ ୭୨॥

ତେଣୁ ଭକ୍ତି, ବୈରାଗ୍ୟ ଏବଂ ଚିତ୍ତର ଏକାଗ୍ରତାରୁ ପ୍ରକଟ ହେଉଥିବା ଜ୍ଞାନ ଦ୍ବାରା ସେହି ଅନ୍ତରାତ୍ମସ୍ବରୂପ କ୍ଷେତ୍ରଜ୍ଞଙ୍କୁ ଏହି ଶରୀରରେ ସ୍ଥିତ ଜାଣି ତାଙ୍କର ଚିନ୍ତନ କରିବା ଉଚିତ୍ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଲେୟେ ତତ୍ତ୍ୱସମାମ୍ନାୟେ ଷଡ୍ୱିଂଶୋଽଧ୍ୟାୟଃ ॥ ୨୬॥

Comments

Popular posts from this blog