ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ସପ୍ତଦଶ ଅଧ୍ୟାୟ
ହିରଣ୍ୟକଶିପୁ ଏବଂ ହିରଣାକ୍ଷ ଜନ୍ମ ତଥା ହିରଣାକ୍ଷର ଦିଗବିଜୟ
ମୈତ୍ରେୟ ଉବାଚ
ନିଶମ୍ୟାତ୍ମଭୁବା ଗୀତଂ କାରଣଂ ଶଙ୍କୟୋଜ୍ଝିତାଃ ।
ତତଃ ସର୍ୱେ ନ୍ୟବର୍ତନ୍ତ ତ୍ରିଦିବାୟ ଦିବୌକସଃ ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ବ୍ରହ୍ମାଜୀଙ୍କ କଥନରୁ ଅନ୍ଧକାରର
କାରଣ ଜାଣି ଦେବତାମାନଙ୍କର ଶଙ୍କା ନିବୃତ୍ତି ହୋଇଗଲା ଏବଂ ସେମାନେ ସମସ୍ତେ ସ୍ବର୍ଗଲୋକକୁ ଫେରି
ଗଲେ |
ଦିତିସ୍ତୁ ଭର୍ତୁରାଦେଶାଦପତ୍ୟପରିଶଙ୍କିନୀ ।
ପୂର୍ଣେ ବର୍ଷଶତେ ସାଧ୍ୱୀ ପୁତ୍ରୌ ପ୍ରସୁଷୁବେ ଯମୌ ॥ ୨॥
ଏଣେ ନିଜ ପତିଦେବଙ୍କର କଥନାନୁସାରେ ଦିତିଙ୍କ ମନରେ ନିଜ
ପୁତ୍ରମାନଙ୍କ ଦ୍ବାରା ଉତ୍ପନ୍ନ ହେବାକୁ ଥିବା ଉପଦ୍ରବର ଆଶଙ୍କା ଅତୁଟ ରହିଥିଲା | ସେଥିପାଇଁ
ପୂରା ଶହେ ବର୍ଷ ବିତିଯିବା ପରେ ସେ ଦୁଇ ଯମଜ ପୁତ୍ରଙ୍କୁ ଜନ୍ମ ଦେଲେ |
ଉତ୍ପାତା ବହବସ୍ତତ୍ର ନିପେତୁର୍ଜାୟମାନୟୋଃ ।
ଦିବି ଭୁବ୍ୟନ୍ତରିକ୍ଷେ ଚ ଲୋକସ୍ୟୋରୁଭୟାବହାଃ ॥ ୩॥
ସେମାନଙ୍କର ଜନ୍ମ ସମୟରେ ସ୍ବର୍ଗ,
ପୃଥିବୀ ଏବଂ ଅନ୍ତରୀକ୍ଷରେ ଅନେକ ଉତ୍ପାତ ହେବାରେ ଲାଗିଲା,
ଯାହା ଫଳରେ ଲୋକେ ଅତ୍ୟନ୍ତ ଭୟଭୀତ ହୋଇଗଲେ |
ସହାଚଲା ଭୁବଶ୍ଚେଲୁର୍ଦିଶଃ ସର୍ୱାଃ ପ୍ରଜଜ୍ୱଲୁଃ ।
ସୋଲ୍କାଶ୍ଚାଶନୟଃ ପେତୁଃ କେତବଶ୍ଚାର୍ତିହେତବଃ ॥ ୪॥
ଯେଉଁଠି-ସେଇଠି ପୃଥିବୀ ଏବଂ ପର୍ବତ ଦୋହଲିବାରେ ଲାଗିଲେ, ସମସ୍ତ ଦିଶାରେ ଦହନ ହେବାରେ ଲାଗିଲା | ସ୍ଥାନେ-ସ୍ଥାନେ ଉଲକାପାତ ହେଲା, ବଜ୍ରପାତ ହେଲା ଏବଂ ଆକାଶରେ ଅନିଷ୍ଟସୂଚକ ଧୂମକେତୁ ଦେଖାଯିବାରେ
ଲାଗିଲେ |
ବବୌ ବାୟୁଃ ସୁଦୁଃସ୍ପର୍ଶଃ ଫୂତ୍କାରାନୀରୟନ୍ ମୁହୁଃ ।
ଉନ୍ମୂଲୟନ୍ନଗପତୀନ୍ ବାତ୍ୟାନୀକୋ ରଜୋଧ୍ୱଜଃ ॥ ୫॥
ବାରମ୍ବାର ସାଇଁ-ସାଇଁ ଶବ୍ଦ କରି ଏବଂ ବଡ ବଡ ବୃକ୍ଷମାନଙ୍କୁ ଭୂପତିତ
କରି ଅତ୍ୟନ୍ତ ବିକଟ ଏବଂ ଅସହ୍ୟ ବାୟୁ ପ୍ରବାହିତ ହେବାରେ ଲାଗିଲା | ମନେ ହେଉଥିଲା ସତେ ଯେପରି
ବାତ୍ୟା ତାହାର ସେନା ଏବଂ ଧୂଳି ତାହାର ଧ୍ବଜା ଅଟନ୍ତି |
ଉଦ୍ଧସତ୍ତଡିଦମ୍ଭୋଦଘଟୟା ନଷ୍ଟଭାଗଣେ ।
ବ୍ୟୋମ୍ନି ପ୍ରବିଷ୍ଟତମସା ନ ସ୍ମ ବ୍ୟାଦୃଶ୍ୟତେ ପଦମ୍ ॥ ୬॥
ଖୁବ୍ ଜୋରରେ ବିଜୁଳି ଚମକିବାରେ ଲାଗିଲା | ବାଦଲ ଏପରି ସଘନ ରୂପ
ଧାରଣ କଲା ଯେ ସୂର୍ଯ୍ୟ, ଚନ୍ଦ୍ର ଆଦି ଗ୍ରହମାନେ ଲୁପ୍ତ ହୋଇଯିବା କାରଣରୁ ଆକାଶ ଗଭୀର
ଅନ୍ଧକାରରେ ଆଚ୍ଛନ୍ନ ରହିଲା; କେଉଁଠାରେ କିଛି ଦେଖାଗଲା ନାହିଁ |
ଚୁକ୍ରୋଶ ବିମନା ବାର୍ଧିରୁଦୂର୍ମିଃ କ୍ଷୁଭିତୋଦରଃ ।
ସୋଦପାନାଶ୍ଚ ସରିତଶ୍ଚୁକ୍ଷୁଭୁଃ ଶୁଷ୍କପଙ୍କଜାଃ ॥ ୭॥
ଦୁଃଖୀ ମଣିଷ ପରି ସମୁଦ୍ର କୋଳାହଳ କରିବାରେ ଲାଗିଲା, ସେଥିରେ ବଡ-ବଡ ତରଙ୍ଗ ଉତ୍ପନ୍ନ ହେବାରେ ଲାଗିଲା ଏବଂ ତା’ ଭିତରେ ଥିବା ଜୀବମାନେ ଅସ୍ତବ୍ୟସ୍ତ ହୋଇ ଉଠିଲେ | ସେହି ଅସ୍ଥିରତା
ନଦୀ ତଥା ଅନ୍ୟ ଜଳାଶୟମାନଙ୍କରେ ମଧ୍ୟ ପରିଲକ୍ଷିତ ହେଲା;
କମଳ ସବୁ ଶୁଖିଗଲେ |
ମୁହୁଃ ପରିଧୟୋଽଭୂବନ୍ ସରାହ୍ୱୋଃ ଶଶିସୂର୍ୟଯୋଃ ।
ନିର୍ଘାତା ରଥନିର୍ହ୍ରାଦା ବିବରେଭ୍ୟଃ ପ୍ରଜଜ୍ଞିରେ ॥ ୮॥
ସୂର୍ଯ୍ୟ ଏବଂ ଚନ୍ଦ୍ର ବାରମ୍ବାର ଗ୍ରହଣରେ ଗ୍ରସିତ ହେଲେ ତଥା
ସେମାନଙ୍କର ଚତୁର୍ପାର୍ଶ୍ବରେ ଅମଙ୍ଗଳସୂଚକ ମଣ୍ଡଳ ସୃଷ୍ଟି ହେଲା | ବିନା ମେଘରେ ଘଡଘଡି ଶବ୍ଦ
ଉତ୍ପନ୍ନ ହେବାରେ ଲାଗିଲା ତଥା ଗୁମ୍ଫାମାନଙ୍କରୁ ମଧ୍ୟ ରଥ ଚାଲିବା ପରି ଘଡଘଡ ଶବ୍ଦ ଶୁଣାଗଲା |
ଅନ୍ତର୍ଗ୍ରାମେଷୁ ମୁଖତୋ ବମନ୍ତ୍ୟୋ ବହ୍ନିମୁଲ୍ବଣମ୍ ।
ସୃଗାଲୋଲୂକଟଙ୍କାରୈଃ ପ୍ରଣେଦୁରଶିବଂ ଶିବାଃ ॥ ୯॥
ଗାଁମାନଙ୍କରେ ଶୃଗାଳ ଏବଂ ପେଚାମାନଙ୍କର ଭୟାନକ ରାବ ସହିତ ଶୃଗାଳ
ମୁଖରୁ ଅତ୍ୟନ୍ତ ଅମଙ୍ଗଳସୂଚକ ଜ୍ବଳନ୍ତ ଅଗ୍ନି ଉଦଗୀରଣ ହେବାରେ ଲାଗିଲା |
ସଙ୍ଗୀତବଦ୍ରୋଦନବଦୁନ୍ନମୟ୍ୟ ଶିରୋଧରାମ୍ ।
ବ୍ୟମୁଞ୍ଚନ୍ ବିବିଧା ବାଚୋ ଗ୍ରାମସିଂହାସ୍ତତସ୍ତତଃ ॥ ୧୦॥
କୁକୁରମାନେ ମୁହଁ ଉପରକୁ ଉଠାଇ କେତେବେଳେ ଗୀତ ଗାଇବା ପରି ତ
କେତେବେଳେ କାନ୍ଦିବା ପରି ଶବ୍ଦ କରିବାରେ ଲାଗିଲେ |
ଖରାଶ୍ଚ କର୍କଶୈଃ କ୍ଷତ୍ତଃ ଖୁରୈର୍ଘ୍ନନ୍ତୋ ଧରାତଲମ୍ ।
ଖାର୍କାରରଭସା ମତ୍ତାଃ ପର୍ୟଧାବନ୍ ବରୂଥଶଃ ॥ ୧୧॥
ହେ ବିଦୁର ! ଦଳ-ଦଳ ହୋଇ ଗଧମାନେ ନିଜ ଖୁରରେ ମାଟିକୁ ତାଡିବା ଏବଂ
ଖୋଳିବା ସହିତ ମତୁଆଲା ହୋଇ ଏଣେତେଣେ ଧାଇଁବାରେ ଲାଗିଲେ |
ରୁଦନ୍ତୋ ରାସଭତ୍ରସ୍ତା ନୀଡାଦୁଦପତନ୍ ଖଗାଃ ।
ଘୋଷେଽରଣ୍ୟେ ଚ ପଶବଃ ଶକୃନ୍ମୂତ୍ରମକୁର୍ୱତ ॥ ୧୨॥
ଗଧମାନଙ୍କର ରଡିରେ ଭୟଭୀତ ହୋଇ ପକ୍ଷୀମାନେ ଚିତ୍କାର କରି ନିଜ-ନିଜ
ବସା ଛାଡି ଧାଇଁ ପଳାଇଲେ | ଖୁଣ୍ଟରେ ବନ୍ଧା ହୋଇଥିବା ତଥା ବଣରେ ଚରୁଥିବା ଗାଈ-ବଳଦ ଆଦି
ପଶୁମାନେ ଭୟରେ ମଳ-ମୂତ୍ର ତ୍ୟାଗ କରିବାରେ ଲାଗିଲେ |
ଗାବୋଽତ୍ରସନ୍ନସୃଗ୍ଦୋହାସ୍ତୋୟଦାଃ ପୂୟବର୍ଷିଣଃ ।
ବ୍ୟରୁଦନ୍ ଦେବଲିଙ୍ଗାନି ଦ୍ରୁମାଃ ପେତୁର୍ୱିନାନିଲମ୍ ॥ ୧୩॥
ଗାଈମାନେ ତ ଏପରି ଡରି ଯାଇଥିଲେ ଯେ ଦୋହନ ସମୟରେ ସେମାନଙ୍କ ସ୍ତନରୁ
କ୍ଷୀର ପରିବର୍ତ୍ତେ ରକ୍ତ ସ୍ରାବ ହେବାରେ ଲାଗିଲା,
ବାଦଲରୁ ପୂଯ ବର୍ଷା ହେଲା ଏବଂ ବିନା ବାତ୍ୟାରେ ବୃକ୍ଷମାନେ ଉପୁଡି ତଳେ ପଡିବାରେ ଲାଗିଲେ |
ଗ୍ରହାନ୍ ପୁଣ୍ୟତମାନନ୍ୟେ ଭଗଣାଂଶ୍ଚାପି ଦୀପିତାଃ ।
ଅତିଚେରୁର୍ୱକ୍ରଗତ୍ୟା ଯୁୟୁଧୁଶ୍ଚ ପରସ୍ପରମ୍ ॥ ୧୪॥
ଶନି, ରାହୁ ଆଦି କ୍ରୂର
ଗ୍ରହ ବଳବାନ ହୋଇ ଚନ୍ଦ୍ର, ବୃହଷ୍ପତି ଆଦି
ସୌମ୍ୟ ଗ୍ରହ ତଥା ବହୁ ନକ୍ଷତ୍ରଙ୍କୁ ଲଂଘନ କରି ବକ୍ରଗତିରେ ଚାଲିବାରେ ଲାଗିଲେ ତଥା ପରସ୍ପର
ମଧ୍ୟରେ ଯୁଦ୍ଧ କରିବାରେ ଲାଗିଲେ |
ଦୃଷ୍ଟ୍ୱାନ୍ୟାଂଶ୍ଚ ମହୋତ୍ପାତାନତତ୍ତତ୍ତ୍ୱବିଦଃ ପ୍ରଜାଃ ।
ବ୍ରହ୍ମପୁତ୍ରାନ୍ ଋତେ ଭୀତା ମେନିରେ ବିଶ୍ୱସମ୍ପ୍ଲବମ୍ ॥ ୧୫॥
ଏହିପରି ଅନେକ ଭୟଙ୍କର ଉତ୍ପାତ ଦେଖି ସନକାଦିଙ୍କ ବ୍ୟତିତ ଅନ୍ୟ ସବୁ
ଜୀବ ଭୟଭୀତ ହୋଇଗଲେ ତଥା ସେହି ଉତ୍ପାତର ମର୍ମକୁ ଜାଣି ନ ଥିବା କାରଣରୁ ସେମାନେ ଏପରି ମନେକଲେ
ଯେ ଏବେ ସଂସାରର ପ୍ରଳୟ ହେବାକୁ ଯାଉଛି |
ତାବାଦିଦୈତ୍ୟୌ ସହସା ବ୍ୟଜ୍ୟମାନାତ୍ମପୌରୁଷୌ ।
ବବୃଧାତେଽଶ୍ମସାରେଣ କାୟେନାଦ୍ରିପତୀ ଇବ ॥ ୧୬॥
ଜନ୍ମ ହେବା ପରେ ଅତି ଶୀଘ୍ର ସେହି ଦୁଇ ଆଦିଦୈତ୍ୟ ନିଜର ଇସ୍ପାତ ପରି
କଠୋର ଶରୀରକୁ ବୃଦ୍ଧି କରି ପର୍ବତ ସଦୃଶ ହୋଇଗଲେ ତଥା ସେମାନଙ୍କର ପୂର୍ବ ପରାକ୍ରମ ମଧ୍ୟ ପ୍ରକଟ
ହେବାରେ ଲାଗିଲା |
ଦିବିସ୍ପୃଶୌ ହେମକିରୀଟକୋଟିଭିଃ
ନିରୁଦ୍ଧକାଷ୍ଠୌ ସ୍ଫୁରଦଙ୍ଗଦା ଭୁଜୌ ।
ଗାଂ କମ୍ପୟନ୍ତୌ ଚରଣୈଃ ପଦେ ପଦେ
କଟ୍ୟା ସୁକାଞ୍ଚ୍ୟାର୍କମତୀତ୍ୟ ତସ୍ଥତୁଃ ॥ ୧୭॥
ସେମାନେ ଏତେ ଉଚ୍ଚକାୟ ଥିଲେ ଯେ ସେମାନଙ୍କର ସୁବର୍ଣ୍ଣମୟ ମୁକୁଟର
ଅଗ୍ରଭାଗ ସ୍ବର୍ଗକୁ ସ୍ପର୍ଶ କରୁଥିଲା ଏବଂ ସେମାନଙ୍କର ବିଶାଳ ଶରୀରରେ ଦିଗ-ବିଦିଗ ଆଚ୍ଛାଦିତ
ହୋଇ ଯାଉଥିଲା | ସେମାନଙ୍କ ଭୁଜରେ ସୁବର୍ଣ୍ଣ ବାଜୁବନ୍ଦ ଚକମକ ହେଉଥିଲା | ପୃଥିବୀରେ
ସେମାନଙ୍କର ପଦଚାଳନ ଯୋଗୁଁ ଭୂକମ୍ପ ସୃଷ୍ଟି ହେଉଥିଲା ଏବଂ ସେମାନେ ଯେତେବେଳେ ଛିଡା ହେଉଥିଲେ, ସେମାନଙ୍କର ଜଗମଗ କରୁଥିବା ଅଣ୍ଟାବିଛାରେ ସୁଶୋଭିତ କଟି ନିଜ
ପ୍ରକାଶରେ ସୂର୍ଯ୍ୟକୁ ମଧ୍ୟ ପରାସ୍ତ କରୁଥିଲା |
ପ୍ରଜାପତିର୍ନାମ ତୟୋରକାର୍ଷୀଦ୍-
ଯଃ ପ୍ରାକ୍ ସ୍ୱଦେହାଦ୍ୟମୟୋରଜାୟତ ।
ତଂ ବୈ ହିରଣ୍ୟକଶିପୁଂ ବିଦୁଃ ପ୍ରଜା
ଯଂ ତଂ ହିରଣ୍ୟାକ୍ଷମସୂତ ସାଗ୍ରତଃ ॥ ୧୮॥
ସେ ଦୁହେଁ ଯମଜ ଥିଲେ | ପ୍ରଜାପତି କଶ୍ୟପ ସେମାନଙ୍କର ନାମକରଣ କଲେ |
ସେମାନଙ୍କ ମଧ୍ୟରୁ ଯିଏ ତାଙ୍କ ବୀର୍ଯ୍ୟରୁ ଦିତିଙ୍କ ଗର୍ଭରେ ପ୍ରଥମେ ସ୍ଥାପିତ ହୋଇଥିଲା, ତାହାର ନାମ ସେ ହିରଣ୍ୟକଶିପୁ ରଖିଲେ ଏବଂ ଯିଏ ଦିତିଙ୍କ ଉଦରରୁ
ପ୍ରଥମେ ବାହାରିଲା, ତାହାର ନାମ
ହିରଣାକ୍ଷ ରଖିଲେ |
ଚକ୍ରେ ହିରଣ୍ୟକଶିପୁର୍ଦୋର୍ଭ୍ୟାଂ ବ୍ରହ୍ମବରେଣ ଚ ।
ବଶେ ସପାଲାନ୍ ଲୋକାଂସ୍ତ୍ରୀନକୁତୋମୃତ୍ୟୁରୁଦ୍ଧତଃ ॥ ୧୯॥
ହିରଣ୍ୟକଶିପୁ ବ୍ରହ୍ମାଜୀଙ୍କର ବରଦାନ ପ୍ରାପ୍ତ କରି ମୃତ୍ୟୁଭୟରୁ
ମୁକ୍ତ ହୋଇ ଯାଇଥିବା କାରଣରୁ ଅତ୍ୟନ୍ତ ଉଦ୍ଧତ ହୋଇ ଯାଇଥିଲା | ନିଜ ଭୁଜ ବଳରେ ସେ
ଲୋକପାଳମାନଙ୍କ ସହିତ ତ୍ରିଲୋକକୁ ନିଜର କବଳିତ କରି ରଖିଥିଲା |
ହିରଣ୍ୟାକ୍ଷୋଽନୁଜସ୍ତସ୍ୟ ପ୍ରିୟଃ ପ୍ରୀତିକୃଦନ୍ୱହମ୍ ।
ଗଦାପାଣିର୍ଦିବଂ ଯାତୋ ଯୁୟୁତ୍ସୁର୍ମୃଗୟନ୍ ରଣମ୍ ॥ ୨୦॥
ସେ ନିଜର ସାନ ଭାଇ ହିରଣାକ୍ଷକୁ ବହୁତ ଭଲ ପାଉଥିଲା ଏବଂ ସାନ ଭାଇ
ମଧ୍ୟ ସର୍ବଦା ନିଜ ବଡ ଭାଇର ପ୍ରିୟ କାର୍ଯ୍ୟ କରୁଥିଲା | ଦିନେ ହିରଣାକ୍ଷ ହାତରେ ଗଦା ଧରି
ଯୁଦ୍ଧର ଅବସର ଖୋଜି ଖୋଜି ଯାଇ ସ୍ବର୍ଗଲୋକରେ ପହଞ୍ଚିଲା |
ତଂ ବୀକ୍ଷ୍ୟ ଦୁଃସହଜବଂ ରଣତ୍କାଞ୍ଚନନୂପୁରମ୍ ।
ବୈଜୟନ୍ତ୍ୟା ସ୍ରଜା ଜୁଷ୍ଟମଂସନ୍ୟସ୍ତମହାଗଦମ୍ ॥ ୨୧॥
ତା’ର ବେଗ ଅତ୍ୟନ୍ତ
ପ୍ରଖର ଥିଲା | ତା’ର ପାଦରେ ସୁବର୍ଣ୍ଣ
ନୂପୁର ଝଙ୍କୃତ ହେଉଥିଲା, ଗଳାରେ ସେ ବିଜୟସୂଚକ
ମାଳା ଧାରଣ କରିଥିଲା ଏବଂ କାନ୍ଧରେ ବିଶାଳ ଗଦା ରହିଥିଲା |
ମନୋବୀର୍ୟବରୋତ୍ସିକ୍ତମସୃଣ୍ୟମକୁତୋଭୟମ୍ ।
ଭୀତା ନିଲିଲ୍ୟିରେ ଦେବାସ୍ତାର୍କ୍ଷ୍ୟତ୍ରସ୍ତା ଇବାହୟଃ ॥ ୨୨॥
ତା’ର ମନୋବଳ, ଶାରୀରିକ ବଳ ତଥା ବ୍ରହ୍ମାଜୀଙ୍କଠାରୁ ପ୍ରାପ୍ତ ବର ତାକୁ ଉନ୍ମତ୍ତ
କରି ଦେଇଥିଲା; ସେଥିପାଇଁ ସେ ସର୍ବତୋ ଭାବରେ ନିରଙ୍କୁଶ ଏବଂ ନିର୍ଭୟ ରହୁଥିଲା | ଗରୁଡ଼ ଭୟରେ
ସର୍ପ ଛୁପିଯିବା ପରି ତାକୁ ଦେଖି ଦେବତାମାନେ ଭୟରେ ଏଣେତେଣେ ଲୁଚି ରହିଲେ |
ସ ବୈ ତିରୋହିତାନ୍ ଦୃଷ୍ଟ୍ୱା ମହସା ସ୍ୱେନ ଦୈତ୍ୟରାଟ୍ ।
ସେନ୍ଦ୍ରାନ୍ ଦେବଗଣାନ୍ କ୍ଷୀବାନପଶ୍ୟନ୍ ବ୍ୟନଦଦ୍ଭୃଶମ୍ ॥ ୨୩॥
ଦୈତ୍ୟରାଜ ହିରଣାକ୍ଷ ଯେତେବେଳେ ଦେଖିଲା ଯେ ତା’ର ତେଜର ସମ୍ମୁଖୀନ ହୋଇ ନ ପାରି ଇନ୍ଦ୍ରାଦି ବଡ ବଡ ଅଭିମାନୀ ଦେବତା
ମଧ୍ୟ ଲୁଚି ରହିଛନ୍ତି, ସେତେବେଳେ ସେ
ବାରମ୍ବାର ଭୟଙ୍କର ଗର୍ଜନ କରି ସେମାନଙ୍କୁ ଆହ୍ବାନ କରିବାରେ ଲାଗିଲା |
ତତୋ ନିବୃତ୍ତଃ କ୍ରୀଡିଷ୍ୟନ୍ ଗମ୍ଭୀରଂ ଭୀମନିଃସ୍ୱନମ୍ ।
ବିଜଗାହେ ମହାସତ୍ତ୍ୱୋ ବାର୍ଧିଂ ମତ୍ତ ଇବ ଦ୍ୱିପଃ ॥ ୨୪॥
ତାପରେ ସେହି ମହାବଳୀ ଦୈତ୍ୟ ସେଠାରୁ ଫେରି ଜଳକ୍ରୀଡା କରିବା
ନିମନ୍ତେ ମତୁଆଲା ହାତୀ ପରି ଲହରୀର ଭୟଙ୍କର ଗର୍ଜନରେ ମୁଖରିତ ଗଭୀର ସମୁଦ୍ରରେ ପ୍ରବେଶ କଲା |
ତସ୍ମିନ୍ ପ୍ରବିଷ୍ଟେ ବରୁଣସ୍ୟ ସୈନିକା
ଯାଦୋଗଣାଃ ସନ୍ନଧିୟଃ ସସାଧ୍ୱସାଃ ।
ଅହନ୍ୟମାନା ଅପି ତସ୍ୟ ବର୍ଚସା
ପ୍ରଧର୍ଷିତା ଦୂରତରଂ ପ୍ରଦୁଦ୍ରୁବୁଃ ॥ ୨୫॥
ସେ ସମୁଦ୍ରରେ ପାଦ ରଖିବା ମାତ୍ରେ ଭୟରେ ବରୁଣଙ୍କର ସୈନିକ ଜଳଚର
ଜୀବମାନେ ହକାବକା ହୋଇଗଲେ ଏବଂ କୌଣସି ପ୍ରକାରେ ସେମାନଙ୍କୁ କେହି ବିଚଳିତ କରୁ ନ ଥିଲେ ମଧ୍ୟ ସେମାନେ
ତା’ର ପଦାଘାତ ଡରରେ ବହୁତ ଦୂରକୁ ଧାଇଁ ପଳାଇଲେ |
ସ ବର୍ଷପୂଗାନୁଦଧୌ ମହାବଲ-
ଶ୍ଚରନ୍ମହୋର୍ମୀଞ୍ଛ୍ୱସନେରିତାନ୍ ମୁହୁଃ ।
ମୌର୍ୱ୍ୟାଭିଜଘ୍ନେ ଗଦୟା ବିଭାବରୀ-
ମାସେଦିବାଂସ୍ତାତ ପୁରୀଂ ପ୍ରଚେତସଃ ॥ ୨୬॥
ମହାବଳୀ ହିରଣାକ୍ଷ ବହୁତ ବର୍ଷ ଧରି ସମୁଦ୍ରରେ ଘୂରି ବୁଲିଲା ଏବଂ
ନିଜ ସମ୍ମୁଖରେ କୌଣସି ପ୍ରତିପକ୍ଷୀକୁ ନ ପାଇ ବାରମ୍ବାର ସମୁଦ୍ରରୁ ବାୟୁବେଗରେ ଉଠୁଥିବା
ପ୍ରଚଣ୍ଡ ତରଙ୍ଗକୁ ହିଁ ନିଜ ଲୌହମୟୀ ଗଦାରେ ପ୍ରହାର କରିବାରେ ଲାଗିଲା | ଏହି ପ୍ରକାରରେ
ଘୂରି-ବୁଲି ସେ ବରୁଣଙ୍କର ରାଜଧାନୀ ବିଭାବରୀପୁରୀରେ ପହଞ୍ଚିଲା |
ତତ୍ରୋପଲଭ୍ୟାସୁରଲୋକପାଲକଂ
ଯାଦୋଗଣାନାମୃଷଭଂ ପ୍ରଚେତସମ୍ ।
ସ୍ମୟନ୍ ପ୍ରଲବ୍ଧୁଂ ପ୍ରଣିପତ୍ୟ ନୀଚବ-
ଜ୍ଜଗାଦମେ ଦେହ୍ୟଧିରାଜ ସଂୟୁଗମ୍ ॥ ୨୭॥
ସେଠାରେ ସେ ପାତାଳଲୋକର ସ୍ବାମୀ,
ଜଳଚର ଜୀବଙ୍କର ଅଧିପତି ବରୁଣଙ୍କୁ ଦେଖି ତାଙ୍କର ଉପହାସ କଲା ଏବଂ ନୀଚ ମନୁଷ୍ୟ ପରି ତାଙ୍କୁ
ପ୍ରଣାମ କଲା ଏବଂ ହସିକରି ବ୍ୟଙ୍ଗରେ କହିଲା – ମହାରାଜ ! ମୋତେ ଯୁଦ୍ଧର ଭିକ୍ଷା ଦିଅନ୍ତୁ |
ତ୍ୱଂ ଲୋକପାଲୋଽଧିପତିର୍ବୃହଚ୍ଛ୍ରବା
ବୀର୍ୟାପହୋ ଦୁର୍ମଦବୀରମାନିନାମ୍ ।
ବିଜିତ୍ୟ ଲୋକେଽଖିଲଦୈତ୍ୟଦାନବାନ୍
ଯଦ୍ରାଜସୂୟେନ ପୁରାୟଜତ୍ପ୍ରଭୋ ॥ ୨୮॥
“ପ୍ରଭୁ ! ଆପଣ ତ ଲୋକପାଳ,
ରାଜା ଏବଂ ମହାନ୍ କୀର୍ତ୍ତିଶାଳୀ ଅଟନ୍ତି | ଯେଉଁମାନେ ନିଜକୁ ଅତୁଳନୀୟ ବୀର ମନେ କରୁଥିଲେ, ସେମାନଙ୍କର ବୀର୍ଯ୍ୟମଦକୁ ଆପଣ ଚୂର୍ଣ୍ଣ କରିଛନ୍ତି ଏବଂ ପୂର୍ବରୁ
ଥରେ ଆପଣ ସଂସାରର ସମସ୍ତ ଦୈତ୍ୟ-ଦାନବଙ୍କୁ ପରାଜିତ କରି ରାଜସୂୟ ଯଜ୍ଞ ମଧ୍ୟ କରିଛନ୍ତି |”
ସ ଏବମୁତ୍ସିକ୍ତମଦେନ ବିଦ୍ୱିଷା
ଦୃଢଂ ପ୍ରଲବ୍ଧୋ ଭଗବାନପାମ୍ପତିଃ ।
ରୋଷଂ ସମୁତ୍ଥଂ ଶମୟନ୍ ସ୍ୱୟା ଧିୟା
ବ୍ୟବୋଚଦଙ୍ଗୋପଶମଂ ଗତା ବୟମ୍ ॥ ୨୯॥
ସେହି ମଦୋନ୍ମତ୍ତ ଶତ୍ରୁ ଏହିପରି ଭାବରେ ତାଙ୍କର ଉପହାସ କରିବାରୁ
ଭଗବାନ ବରୁଣଙ୍କର କ୍ରୋଧ ଜାତ ହେଲା ସତ, କିନ୍ତୁ ନିଜ
ବୁଦ୍ଧିବଳରେ ସେ ତାହାକୁ ପାନ କରିନେଲେ ଏବଂ ତା ପରିବର୍ତ୍ତେ ତାକୁ କହିଲେ – ଭାଇ ! ଏବେ ତ ମୋର
ଆଉ ଯୁଦ୍ଧ କରିବାର ଇଚ୍ଛା ନାହିଁ |
ପଶ୍ୟାମି ନାନ୍ୟଂ ପୁରୁଷାତ୍ପୁରାତନାତ୍
ଯଃ ସଂୟୁଗେ ତ୍ୱାଂ ରଣମାର୍ଗକୋବିଦମ୍ ।
ଆରାଧୟିଷ୍ୟତ୍ୟସୁରର୍ଷଭେହି ତଂ
ମନସ୍ୱିନୋ ଯଂ ଗୃଣତେ ଭବାଦୃଶାଃ ॥ ୩୦॥
ଭଗବାନ ପୁରାଣପୁରୁଷଙ୍କ ବ୍ୟତିତ ମୋତେ ଅନ୍ୟ କେହି ଦେଖାଯାଉ
ନାହାଁନ୍ତି, ଯିଏ କି ତୁମ ପରି
ରଣକୁଶଳ ବୀରଙ୍କୁ ଯୁଦ୍ଧରେ ସନ୍ତୁଷ୍ଟ କରିପାରିବ | ହେ ଦୈତ୍ୟରାଜ ! ତୁମେ ତାଙ୍କ ପାଖକୁ ଯାଅ, ସେ ହିଁ ତୁମର କାମନା ପୂର୍ଣ୍ଣ କରିବେ | ତୁମ ପରି ବୀରମାନେ ତାଙ୍କର
ଗୁଣଗାନ କରନ୍ତି |
ତଂ ବୀରମାରାଦଭିପଦ୍ୟ ବିସ୍ମୟଃ
ଶୟିଷ୍ୟସେ ବୀରଶୟେ ଶ୍ୱଭିର୍ୱୃତଃ ।
ଯସ୍ତ୍ୱଦ୍ୱିଧାନାମସତାଂ ପ୍ରଶାନ୍ତୟେ
ରୂପାଣି ଧତ୍ତେ ସଦନୁଗ୍ରହେଚ୍ଛୟା ॥ ୩୧॥
ସେ ମହାନ୍ ବୀର ଅଟନ୍ତି | ତାଙ୍କ ପାଖରେ ପହଞ୍ଚିବା ମାତ୍ରେ ତୁମର
ସବୁ ସୌକ ପୂରା ହୋଇଯିବ ଏବଂ ତୁମେ ଶ୍ବାନମାନଙ୍କ ଦ୍ବାରା ପରିବେଷ୍ଟିତ ହୋଇ ବୀରଶଯ୍ୟାରେ ଶୟନ
କରିବ | ତୁମ ପରି ଦୁଷ୍ଟମାନଙ୍କୁ ମାରିବା ଏବଂ ସତ୍-ପୁରୁଷଙ୍କ ଉପରେ କୃପା କରିବା ନିମନ୍ତେ ସେ
ଅନେକ ରୂପ ଧାରଣ କରନ୍ତି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷଦିଗ୍ୱିଜୟେ ସପ୍ତଦଶୋଽଧ୍ୟାୟଃ ॥ ୧୭॥

Comments
Post a Comment