ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ଅଷ୍ଟାଦଶ ଅଧ୍ୟାୟ
ହିରଣାକ୍ଷ ସହିତ ବରାହ ଭଗବାନଙ୍କର ଯୁଦ୍ଧ
ମୈତ୍ରେୟ ଉବାଚ
ତଦେବମାକର୍ଣ୍ୟ ଜଲେଶଭାଷିତଂ
ମହାମନାସ୍ତଦ୍ୱିଗଣୟ୍ୟ ଦୁର୍ମଦଃ ।
ହରେର୍ୱିଦିତ୍ୱା ଗତିମଙ୍ଗ ନାରଦା-
ଦ୍ରସାତଲଂ ନିର୍ୱିବିଶେ ତ୍ୱରାନ୍ୱିତଃ ॥ ୧॥
ମୈତ୍ରେୟ କହୁଛନ୍ତି – ବରୁଣଙ୍କଠାରୁ ଏହା ଶୁଣି ସେହି ମଦୋନ୍ମତ୍ତ
ଦୈତ୍ୟ ଅତି ପ୍ରସନ୍ନ ହେଲା | ସେ ତାଙ୍କର କଥନ – ‘ତୁ ତାଙ୍କ ହାତରେ ମରିବୁ’ – ଏହା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ଦେବର୍ଷି ନାରଦଙ୍କଠାରୁ
ଶ୍ରୀହରିଙ୍କର ଠିକଣା ପ୍ରାପ୍ତ କରି ରସାତଳରେ ପହଞ୍ଚି ଗଲା |
ଦଦର୍ଶ ତତ୍ରାଭିଜିତଂ ଧରାଧରଂ
ପ୍ରୋନ୍ନୀୟମାନାବନିମଗ୍ରଦଂଷ୍ଟ୍ରୟା ।
ମୁଷ୍ଣନ୍ତମକ୍ଷ୍ଣା ସ୍ୱରୁଚୋଽରୁଣଶ୍ରିୟା
ଜହାସ ଚାହୋ ବନଗୋଚରୋ ମୃଗଃ ॥ ୨॥
ସେଠାରେ ସେ ଦେଖିବାକୁ ପାଇଲା ବିଶ୍ବବିଜୟୀ ବରାହଭଗବାନ ନିଜ
ଦନ୍ତାଗ୍ରରେ ପୃଥିବୀକୁ ଧାରଣ କରି ଜଳ ଗର୍ଭରୁ ଉଠି ଆସୁଛନ୍ତି | ଭଗବାନ ନିଜର ଲାଲ-ଲାଲ
ଉଜ୍ଜ୍ବଳ ନେତ୍ରରେ ତା’ର ତେଜକୁ ହରଣ କରି
ନେଉଥିଲେ | ତାଙ୍କୁ ଦେଖି ସେହି ଦୈତ୍ୟ ଅଟ୍ଟହାସ କରି କହିବାରେ ଲାଗିଲା – ଆରେ ! ଜଳ ଭିତରେ
ଏହି ଜଙ୍ଗଲୀ ପଶୁ କେଉଁଠାରୁ ଆସିଲା |
ଆହୈନମେହ୍ୟଜ୍ଞ ମହୀଂ ବିମୁଞ୍ଚ ନୋ
ରସୌକସାଂ ବିଶ୍ୱସୃଜେୟମର୍ପିତା ।
ନ ସ୍ୱସ୍ତି ଯାସ୍ୟସ୍ୟନୟା ମମେକ୍ଷତଃ
ସୁରାଧମାସାଦିତସୂକରାକୃତେ ॥ ୩॥
ତାପରେ ସେ ବରାହଭଗବାନଙ୍କ ଉଦ୍ଦେଶ୍ୟରେ କହିଲା – ରେ ମୂର୍ଖ !
ପୃଥିବୀକୁ ଛାଡି ଦେଇ ଏଠାକୁ ଆ’; ବିଶ୍ବବିଧାତା
ବ୍ରହ୍ମାଜୀ ଏହାକୁ ଆମ୍ଭମାନଙ୍କ ପରି ରସାତଳବାସୀଙ୍କୁ ହସ୍ତାନ୍ତର କରିଛନ୍ତି | ରେ
ଶୂକରରୂପଧାରୀ ସୁରାଧମ ! ମୋ ଆଖି ଆଗରେ ତୁ ଏହାକୁ ସହଜରେ ନେଇ ଯାଇପାରିବୁ ନାହିଁ |
ତ୍ୱଂ ନଃ ସପତ୍ନୈରଭବାୟ କିଂ ଭୃତୋ
ଯୋ ମାୟଯା ହନ୍ତ୍ୟସୁରାନ୍ ପରୋକ୍ଷଜିତ୍ ।
ତ୍ୱାଂ ଯୋଗମାୟାବଲମଲ୍ପପୌରୁଷଂ
ସଂସ୍ଥାପ୍ୟ ମୂଢ ପ୍ରମୃଜେ ସୁହୃଚ୍ଛୁଚଃ ॥ ୪॥
ମାୟାରେ ଲୁଚି-ଛପି ହିଁ ତୁ ଦୈତ୍ୟମାନଙ୍କୁ ପରାଜିତ କରିଥାଉ ଏବଂ
ସେମାନଙ୍କର ବିନାଶ କରିଥାଉ | ଏହି କାରଣରୁ ଆମ୍ଭମାନଙ୍କର ଶତ୍ରୁ ଦେବତାମାନେ ତୋତେ ପାଳିଛନ୍ତି
କି ? ରେ ମୂଢ଼ ! ଯୋଗମାୟାର ବଳ ବ୍ୟତିତ ଅନ୍ୟ କୌଣସି ବି ପୁରୁଷାର୍ଥ ତୋର ନାହିଁ | ଆଜି ତୋତେ
ସମାପ୍ତ କରି ମୁଁ ନିଜ ଭାଇ-ବନ୍ଧୁଙ୍କର ଶୋକ ଦୂର କରିବି |
ତ୍ୱୟି ସଂସ୍ଥିତେ ଗଦୟା ଶୀର୍ଣଶୀର୍ଷ-
ଣ୍ୟସ୍ମଦ୍ଭୁଜଚ୍ୟୁତୟା ଯେ ଚ ତୁଭ୍ୟମ୍ ।
ବଲିଂ ହରନ୍ତ୍ୟୃଷୟୋ ଯେ ଚ ଦେବାଃ
ସ୍ୱୟଂ ସର୍ୱେ ନ ଭବିଷ୍ୟନ୍ତ୍ୟମୂଲାଃ ॥ ୫॥
ମୋ ଗଦାର ପ୍ରହାରରେ ଯେତେବେଳେ ମସ୍ତକ ଚୂର୍ଣ୍ଣ ହୋଇଯିବା କାରଣରୁ ତୋର
ମୃତ୍ୟୁ ହେବ, ସେତେବେଳେ ତୋର
ଆରାଧନା କରୁଥିବା ଦେବତା ଓ ଋଷିଗଣ, ମୂଳୋତ୍ପାଟନ
ହୋଇଥିବା ବୃକ୍ଷ ସଦୃଶ ସ୍ବୟଂ ହିଁ ନଷ୍ଟ ହୋଇଯିବେ |
ସ ତୁଦ୍ୟମାନୋଽରିଦୁରୁକ୍ତତୋମରୈ-
ର୍ଦଂଷ୍ଟ୍ରାଗ୍ରଗାଂ ଗାମୁପଲକ୍ଷ୍ୟ ଭୀତାମ୍ ।
ତୋଦଂ ମୃଷନ୍ ନିରଗାଦମ୍ବୁମଧ୍ୟା-
ଦ୍ଗ୍ରାହାହତଃ ସ କରେଣୁର୍ୟଥେଭଃ ॥ ୬॥
ଏହିପରି ଭାବରେ ହିରଣାକ୍ଷ ନିଜ ଦୁର୍ବଚନ-ବାଣରେ ଭଗବାନଙ୍କୁ ବିଦ୍ଧ
କରି ଚାଲିଥିଲେ ମଧ୍ୟ ତାଙ୍କ ଦନ୍ତାଗ୍ରରେ ସ୍ଥିତ ପୃଥିବୀକୁ ଭୟଭୀତ ଦେଖି ଭଗବାନ ତାହା ସହ୍ୟ
କରିନେଲେ ଏବଂ କୁମ୍ଭୀର ଦ୍ବାରା କ୍ଷତାକ୍ତ ହସ୍ତିନୀଶୋଭିତ ଗଜରାଜ ପରି ଜଳରୁ ବାହାରକୁ ଉଠି
ଆସିଲେ |
ତଂ ନିଃସରନ୍ତଂ ସଲିଲାଦନୁଦ୍ରୁତୋ
ହିରଣ୍ୟକେଶୋ ଦ୍ୱିରଦଂ ଯଥା ଝଷଃ ।
କରାଲଦଂଷ୍ଟ୍ରୋଽଶନିନିସ୍ୱନୋଽବ୍ରବୀ-
ଦ୍ଗତହ୍ରିୟାଂ କିଂ ତ୍ୱସତାଂ ବିଗର୍ହିତମ୍ ॥ ୭॥
ତା’ର ସ୍ପର୍ଦ୍ଧାଯୁକ୍ତ
ଆହ୍ବାନର କୌଣସି ଉତ୍ତର ନ ଦେଇ ଭଗବାନ ବାହାରକୁ ଆସୁଥିବା ଦେଖି କୁମ୍ଭୀର ଗଜରାଜର ଅନୁଧାବନ
କରିବା ପରି, ସେହି ଧୂସର କେଶ ଏବଂ ତୀକ୍ଷ୍ଣ ଦନ୍ତଯୁକ୍ତ ଦୈତ୍ୟ ତାଙ୍କର ପଶ୍ଚାତଧାବନ କଲା ଏବଂ
ବଜ୍ର ପରି ଗର୍ଜନ କରି କହିବାରେ ଲାଗିଲା – ‘ଧାଇଁ ପଳାଇବାକୁ ତୋତେ ଲଜ୍ଜା ଲାଗୁନାହିଁ ?’ ସତରେ, ଅସତ୍ ପୁରୁଷଙ୍କ ପାଇଁ ଏପରି କେଉଁ କର୍ମ ଅଛି ଯାହା କରଣୀୟ ନୁହେଁ ?
ସ ଗାମୁଦସ୍ତାତ୍ସଲିଲସ୍ୟ ଗୋଚରେ
ବିନ୍ୟସ୍ୟ ତସ୍ୟାମଦଧାତ୍ସ୍ୱସତ୍ତ୍ୱମ୍ ।
ଅଭିଷ୍ଟୁତୋ ବିଶ୍ୱସୃଜା ପ୍ରସୂନୈ-
ରାପୂର୍ୟମାଣୋ ବିବୁଧୈଃ ପଶ୍ୟତୋଽରେଃ ॥ ୮॥
ଜଳ ଉପରକୁ ପୃଥିବୀକୁ ନେଇ ଯାଇ ଭଗବାନ ତାହାକୁ ବ୍ୟବହାର-ଯୋଗ୍ୟ
ସ୍ଥାନରେ ସ୍ଥାପିତ କଲେ ଏବଂ ସେଥିରେ ନିଜର ଆଧାରଶକ୍ତି ସଞ୍ଚାର କଲେ | ସେତେବେଳେ ହିରଣାକ୍ଷ
ସମ୍ମୁଖରେ ହିଁ ବ୍ରହ୍ମାଜୀ ଭଗବାନଙ୍କର ସ୍ତୁତି କଲେ ଏବଂ ଦେବତାମାନେ ତାଙ୍କ ଉପରେ ପୁଷ୍ପବର୍ଷଣ
କରିବାରେ ଲାଗିଲେ |
ପରାନୁଷକ୍ତଂ ତପନୀୟୋପକଲ୍ପଂ
ମହାଗଦଂ କାଞ୍ଚନଚିତ୍ରଦଂଶମ୍ ।
ମର୍ମାଣ୍ୟଭୀକ୍ଷ୍ଣଂ ପ୍ରତୁଦନ୍ତଂ ଦୁରୁକ୍ତୈଃ
ପ୍ରଚଣ୍ଡମନ୍ୟୁଃ ପ୍ରହସଂସ୍ତଂ ବଭାଷେ ॥ ୯॥
ତାପରେ ନିଜର ପଶ୍ଚାତଧାବନ କରୁଥିବା ହିରଣାକ୍ଷ, ଯିଏ ସୁବର୍ଣ୍ଣ ଆଭୂଷଣ ଏବଂ ଅଦ୍ଭୁତ କବଚ ପରିଧାନ କରିଥିଲା ତଥା
ଅତ୍ୟନ୍ତ କଟୁବାକ୍ୟରେ ତାଙ୍କୁ ମର୍ମାହତ କରୁଥିଲା,
ଶ୍ରୀହରି ନିଜ ହସ୍ତରେ ବହୁତ ଭାରି ଗଦା ଧାରଣ କରି କ୍ରୋଧପୂର୍ବକ ହସି ହସି ତାକୁ କହିଲେ -
ଶ୍ରୀଭଗବାନୁବାଚ
ସତ୍ୟଂ ବୟଂ ଭୋ ବନଗୋଚରା ମୃଗା
ଯୁଷ୍ମଦ୍ୱିଧାନ୍ ମୃଗୟେ ଗ୍ରାମସିଂହାନ୍ ।
ନ ମୃତ୍ୟୁପାଶୈଃ ପ୍ରତିମୁକ୍ତସ୍ୟ ବୀରା
ବିକତ୍ଥନଂ ତବ ଗୃହ୍ଣନ୍ତ୍ୟଭଦ୍ର ॥ ୧୦॥
ଶ୍ରୀଭଗବାନ କହିଲେ – ଆରେ ! ବାସ୍ତବରେ ଆମେ ଜଙ୍ଗଲୀ ଜୀବ ହିଁ ଅଟୁ,
ଯିଏ ତୋ ପରି ଗ୍ରାମ୍ୟ-ସିଂହ (କୁକୁର)ର ଅନ୍ବେଷଣ କରୁଥାଆନ୍ତି | ରେ ଦୁଷ୍ଟ ! ବୀର ପୁରୁଷମାନେ
ତୋ ପରି ମୃତ୍ୟୁ-ପାଶରେ ବନ୍ଧା ହୋଇଥିବା ଅଭାଗା ଜୀବର ଆତ୍ମଶ୍ଲାଘ ପ୍ରତି ଧ୍ୟାନ ଦିଅନ୍ତି
ନାହିଁ |
ଏତେ ବୟଂ ନ୍ୟାସହରା ରସୌକସାଂ
ଗତହ୍ରିୟୋ ଗଦୟା ଦ୍ରାବିତାସ୍ତେ ।
ତିଷ୍ଠାମହେଽଥାପି କଥଞ୍ଚିଦାଜୌ
ସ୍ଥେୟଂ କ୍ୱ ଯାମୋ ବଲିନୋତ୍ପାଦ୍ୟ ବୈରମ୍ ॥ ୧୧॥
ହଁ, ମୁଁ ରସାତଳବାସୀଙ୍କର
ସମ୍ପଦ ଚୋରାଇ ଏବଂ ଲଜ୍ଜା ତ୍ୟାଗ କରି ତୋ ଗଦା ଭୟରେ ଏଠାକୁ ଧାଇଁ ଆସିଛି | ତୋ ପରି ଅଦ୍ବିତୀୟ
ବୀର ସମ୍ମୁଖରେ ଯୁଦ୍ଧରେ ଠିଆ ହେବାର ସାମର୍ଥ୍ୟ ମୋର କେଉଁଠାରୁ ଆସିବ ? ତଥାପି କିପରି ହେଉ ମୁଁ
ତୋ ସମ୍ମୁଖରେ ଠିଆ ହୋଇଛି; ତୋ ପରି ବଳବାନ
ପୁରୁଷଙ୍କ ସହିତ ଶତ୍ରୁତା କରି ମୁଁ କେଉଁଠିକୁ ଅବା ଯିବି?
ତ୍ୱଂ ପଦ୍ରଥାନାଂ କିଲ ଯୂଥପାଧିପୋ
ଘଟସ୍ୱ ନୋଽସ୍ୱସ୍ତୟ ଆଶ୍ୱନୂହଃ ।
ସଂସ୍ଥାପ୍ୟ ଚାସ୍ମାନ୍ ପ୍ରମୃଜାଶ୍ରୁ ସ୍ୱକାନାଂ
ଯଃ ସ୍ୱାଂ ପ୍ରତିଜ୍ଞାଂ ନାତିପିପର୍ତ୍ୟସଭ୍ୟଃ ॥ ୧୨॥
ତୁ ପଦାତିକ ବୀରମାନଙ୍କର ସର୍ଦ୍ଦାର ଅଟୁ; ତେଣୁ ଏବେ ନିଃଶଙ୍କ ହୋଇ
ମୋର ଅନିଷ୍ଟ କରିବା ନିମନ୍ତେ ପ୍ରଯତ୍ନ କର ଏବଂ ମୋତେ ମାରି ନିଜ ଭାଇ-ବନ୍ଧୁମାନଙ୍କର ଶୋକ ଦୂର
କର | ଏବେ ଆଉ ବିଳମ୍ବ କର ନାହିଁ | ଯିଏ ନିଜର ପ୍ରତିଜ୍ଞା ପାଳନ କରନ୍ତି ନାହିଁ, ସେ ଅସଭ୍ୟ ଅଟନ୍ତି;
ଭଲ ଲୋକଙ୍କ ସହିତ ବସିବାର ଯୋଗ୍ୟ ନୁହଁନ୍ତି |
ମୈତ୍ରେୟ ଉବାଚ
ସୋଽଧିକ୍ଷିପ୍ତୋ ଭଗବତା ପ୍ରଲବ୍ଧଶ୍ଚ ରୁଷା ଭୃଶମ୍ ।
ଆଜହାରୋଲ୍ବଣଂ କ୍ରୋଧଂ କ୍ରୀଡ୍ୟମାନୋଽହିରାଡିବ ॥ ୧୩॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଭଗବାନ ଯେତେବେଳେ ରୋଷରେ ସେହି
ଦୈତ୍ୟର ଏପରି ଭାବରେ ଉପହାସ ଏବଂ ତିରସ୍କାର କଲେ,
ସେତେବେଳେ ସେ ଧରାହୋଇ ଖେଳାଇ ଯାଉଥିବା ସର୍ପ ପରି କ୍ରୋଧରେ ଛଟପଟ ହେବାରେ ଲାଗିଲା |
ସୃଜନ୍ନମର୍ଷିତଃ ଶ୍ୱାସାନ୍ ମନ୍ୟୁପ୍ରଚଲିତେନ୍ଦ୍ରିୟଃ ।
ଆସାଦ୍ୟ ତରସା ଦୈତ୍ୟୋ ଗଦୟାଭ୍ୟହନଦ୍ଧରିମ୍ ॥ ୧୪॥
ସେ କୃଦ୍ଧ ହୋଇ ଦୀର୍ଘଶ୍ବାସ ନେବାରେ ଲାଗିଲା, କ୍ରୋଧରେ ତା’ର ଇନ୍ଦ୍ରିୟମାନେ କ୍ଷୁବ୍ଧ ହୋଇ ଉଠିଲେ ଏବଂ ତୀବ୍ର ବେଗରେ ଲମ୍ପ
ପ୍ରଦାନ କରି ସେହି ଦୁଷ୍ଟ ଦୈତ୍ୟ ଭଗବାନଙ୍କୁ ଗଦାରେ ପ୍ରହାର କଲା |
ଭଗବାଂସ୍ତୁ ଗଦାବେଗଂ ବିସୃଷ୍ଟଂ ରିପୁଣୋରସି ।
ଅବଞ୍ଚୟତ୍ତିରଶ୍ଚୀନୋ ଯୋଗାରୂଢ ଇବାନ୍ତକମ୍ ॥ ୧୫॥
କିନ୍ତୁ ଯୋଗସିଦ୍ଧ ପୁରୁଷ ମୃତ୍ୟୁର ଆକ୍ରମଣରୁ ନିଜକୁ ରକ୍ଷା
କରିନେବା ପରି, ଭଗବାନ ନିଜର ଶରୀରକୁ
ଇଷତ୍ ତୀର୍ଯ୍ୟକ କରି ତାଙ୍କର ବକ୍ଷ ପ୍ରତି ଉଦ୍ଦିଷ୍ଟ ଶତ୍ରୁର ଗଦା ପ୍ରହାରରୁ ନିଜକୁ ସୁରକ୍ଷିତ
କରିନେଲେ |
ପୁନର୍ଗଦାଂ ସ୍ୱାମାଦାୟ ଭ୍ରାମୟନ୍ତମଭୀକ୍ଷ୍ଣଶଃ ।
ଅଭ୍ୟଧାବଦ୍ଧରିଃ କ୍ରୁଦ୍ଧଃ ସଂରମ୍ଭାଦ୍ଦଷ୍ଟଦଚ୍ଛଦମ୍ ॥ ୧୬॥
ତାପରେ ଯେତେବେଳେ ସେ କ୍ରୋଧରେ ଓଠକୁ ଦବାଇ ନିଜ ଗଦାକୁ ବାରମ୍ବାର
ଘୂରାଇବାରେ ଲାଗିଲା, ଶ୍ରୀହରି କୁପିତ ହୋଇ
ଅତିଶୟ ବେଗରେ ତା’ ଅଭିମୁଖରେ ଧାଇଁଗଲେ |
ତତଶ୍ଚ ଗଦୟାରାତିଂ ଦକ୍ଷିଣସ୍ୟାଂ ଭ୍ରୁବି ପ୍ରଭୁଃ ।
ଆଜଘ୍ନେ ସ ତୁ ତାଂ ସୌମ୍ୟ ଗଦୟା କୋବିଦୋଽହନତ୍ ॥ ୧୭॥
ହେ ସୌମ୍ୟସ୍ବଭାବ ବିଦୁର ! ପ୍ରଭୁ ଶତ୍ରୁର ଦକ୍ଷିଣ ଭୃକୁଟି ଉପରେ
ଗଦା ପ୍ରହାର କରିବାକୁ ଚେଷ୍ଟା କଲେ, କିନ୍ତୁ ଗଦାଯୁଦ୍ଧରେ
କୁଶଳ ହିରଣାକ୍ଷ ନିଜ ଗଦାରେ ତାହାକୁ ମଝିରେ ହିଁ ପ୍ରତିହତ କରିଦେଲା |
ଏବଂ ଗଦାଭ୍ୟାଂ ଗୁର୍ୱୀଭ୍ୟାଂ ହର୍ୟକ୍ଷୋ ହରିରେବ ଚ ।
ଜିଗୀଷୟା ସୁସଂରବ୍ଧାବନ୍ୟୋନ୍ୟମଭିଜଘ୍ନତୁଃ ॥ ୧୮॥
ଏହିପରି ଭାବରେ ପରସ୍ପରକୁ ଜିତିବା ଇଚ୍ଛାରେ ଶ୍ରୀହରି ଏବଂ ହିରଣାକ୍ଷ
ନିଜ ନିଜ ଗଦାରେ ପରସ୍ପରକୁ ପ୍ରହାର କରିବାରେ ଲାଗିଲେ |
ତୟୋଃ ସ୍ପୃଧୋସ୍ତିଗ୍ମଗଦାହତାଙ୍ଗୟୋଃ
କ୍ଷତାସ୍ରବଘ୍ରାଣବିବୃଦ୍ଧମନ୍ୟ୍ୱୋଃ ।
ବିଚିତ୍ରମାର୍ଗାଂଶ୍ଚରତୋର୍ଜିଗୀଷୟା
ବ୍ୟଭାଦିଲାୟାମିବ ଶୁଷ୍ମିଣୋର୍ମୃଧଃ ॥ ୧୯॥
ସେହି ସମୟରେ ସେମାନଙ୍କ ମଧ୍ୟରେ ଜିତିବାର ପ୍ରତିଯୋଗିତା ଲାଗିଥିଲା,
ଗଦାର ଚୋଟରେ ଦୁହିଁଙ୍କର ଅଙ୍ଗ କ୍ଷତାକ୍ତ ହେଉଥିଲା, ନିଜ
ଅଙ୍ଗର କ୍ଷତରୁ ସ୍ରାବ ହେଉଥିବା ରୁଧିରର ଗନ୍ଧରେ ଦୁହିଁଙ୍କର କ୍ରୋଧ ବୃଦ୍ଧି ପାଉଥିଲା ଏବଂ ସେ
ଦୁହେଁ ନିଜ ନିଜର ରଣକୌଶଳ ପରିବର୍ତ୍ତିତ କରୁଥିଲେ | ଏହିପରି ଭାବରେ ଗୋଟିଏ ଗାଈ ପାଇଁ ଲଢେଇ
କରୁଥିବା ଦୁଇଟି ଷଣ୍ଢ ପରି ସେ ଦୁହିଁଙ୍କ ମଧ୍ୟରେ ପରସ୍ପରକୁ ଜିତିବା ଇଚ୍ଛାରେ ଭୟଙ୍କର ଯୁଦ୍ଧ
ହେଲା |
ଦୈତ୍ୟସ୍ୟ ଯଜ୍ଞାବୟବସ୍ୟ ମାୟା-
ଗୃହୀତବାରାହତନୋର୍ମହାତ୍ମନଃ ।
କୌରବ୍ୟ ମହ୍ୟାଂ ଦ୍ୱିଷତୋର୍ୱିମର୍ଦନଂ
ଦିଦୃକ୍ଷୁରାଗାଦୃଷିଭିର୍ୱୃତଃ ସ୍ୱରାଟ୍ ॥ ୨୦॥
ହେ ବିଦୁର ! ପୃଥିବୀ ଉପରେ ଅଧିକାର ପ୍ରାପ୍ତ କରିବା ପାଇଁ ହିରଣାକ୍ଷ
ଏବଂ ମାୟାରେ ବରାହରୂପ ଧାରଣ କରିଥିବା ଭଗବାନ ଯଜ୍ଞମୂର୍ତ୍ତି ଯେତେବେଳେ ଏହିପରି ଦ୍ବେଷଯୁକ୍ତ
ହୋଇ ଯୁଦ୍ଧ କରିବାରେ ଲାଗିଲେ, ସେତେବେଳେ ତାହା
ଦେଖିବା ପାଇଁ ଋଷିମାନଙ୍କ ସହିତ ବ୍ରହ୍ମାଜୀ ମଧ୍ୟ ସେଠାକୁ ଆସିଲେ |
ଆସନ୍ନଶୌଣ୍ଡୀରମପେତସାଧ୍ୱସଂ
କୃତପ୍ରତୀକାରମହାର୍ୟବିକ୍ରମମ୍ ।
ବିଲକ୍ଷ୍ୟ ଦୈତ୍ୟଂ ଭଗବାନ୍ ସହସ୍ରଣୀ-
ର୍ଜଗାଦ ନାରାୟଣମାଦିସୂକରମ୍ ॥ ୨୧॥
ବ୍ରହ୍ମାଜୀ ହଜାର ହଜାର ସଂଖ୍ୟାରେ ଋଷିମାନଙ୍କ ଦ୍ବାରା ପରିବେଷ୍ଟିତ
ହୋଇଥିଲେ | ସେ ଯେତେବେଳେ ଦେଖିଲେ ଯେ ଏହି ଦୈତ୍ୟ ବହୁତ ବଡ ଶୂରବୀର ଅଟେ, ଏହାଠାରେ ଭୟର ନାମ-ଗନ୍ଧ ସୁଦ୍ଧା ନାହିଁ, ଇଏ ପ୍ରତିଦ୍ବନ୍ଦିତା କରିବାରେ ସମର୍ଥ ଅଟେ ଏବଂ ଏହାର ପରାକ୍ରମ
ଚୂର୍ଣ୍ଣ କରିବା ଅତ୍ୟନ୍ତ କଠିନ ଅଟେ, ସେତେବେଳେ ସେ ଭଗବାନ
ଆଦିସୂକରରୂପ ନାରାୟଣଙ୍କୁ ଏହିପରି କହିଲେ -
ବ୍ରହ୍ମୋବାଚ
ଏଷ ତେ ଦେବ ଦେବାନାମଙ୍ଘ୍ରିମୂଲମୁପେୟୁଷାମ୍ ।
ବିପ୍ରାଣାଂ ସୌରଭେୟୀଣାଂ ଭୂତାନାମପ୍ୟନାଗସାମ୍ ॥ ୨୨॥
ଆଗସ୍କୃଦ୍ଭୟକୃଦ୍ଦୁଷ୍କୃଦସ୍ମଦ୍ରାଦ୍ଧବରୋଽସୁରଃ ।
ଅନ୍ୱେଷନ୍ନପ୍ରତିରଥୋ ଲୋକାନଟତି କଣ୍ଟକଃ ॥ ୨୩॥
ବ୍ରହ୍ମା କହିଲେ – ହେ ଦେବ ! ମୋ ଠାରୁ ବର ପ୍ରାପ୍ତ କରି ଏହି ଦୈତ୍ୟ
ଅତ୍ୟନ୍ତ ପ୍ରବଳ ହୋଇ ଉଠିଛି | ଏହି ସମୟରେ ଇଏ ଆପଣଙ୍କର ଚରଣାଶ୍ରିତ ଦେବତା, ବ୍ରାହ୍ମଣ, ଗାଭୀ ତଥା ଅନ୍ୟ
ନିରପରାଧ ଜୀବଙ୍କ ପାଇଁ ବହୁତ ହାନିକାରକ, ଦୁଃଖଦାୟୀ ଏବଂ ଭୟପ୍ରଦ ହୋଇଯାଇଛି | ଏହାର ସମତୁଲ୍ୟ
ଅନ୍ୟ କୌଣସି ଯୋଦ୍ଧା ନାହାଁନ୍ତି; ସେଥିପାଇଁ ଏହି
ମହାକଣ୍ଟକ ନିଜ ସହିତ ମୁକାବିଲା କରିବାକୁ ସକ୍ଷମ ବୀରର ଅନ୍ବେଷଣରେ ସମସ୍ତ ଲୋକରେ ଘୂରି ବୁଲୁଛି
|
ମୈନଂ ମାୟାବିନଂ ଦୃପ୍ତଂ ନିରଙ୍କୁଶମସତ୍ତମମ୍ ।
ଆକ୍ରୀଡ ବାଲବଦ୍ଦେବ ଯଥାଶୀବିଷମୁତ୍ଥିତମ୍ ॥ ୨୪॥
ଏହି ଦୁଷ୍ଟ ଅତ୍ୟନ୍ତ ମାୟାବୀ,
ଘମଣ୍ଡି ଏବଂ ନିରଙ୍କୁଶ ଅଟେ | ସେଥିପାଇଁ ଅବୋଧ ଶିଶୁ କ୍ରୋଧଜର୍ଜର ସର୍ପ ସହିତ ଖେଳିବା ପରି
ଆପଣ ଏହା ସହିତ ଖେଳନ୍ତୁ ନାହିଁ |
ନ ଯାବଦେଷ ବର୍ଧେତ ସ୍ୱାଂ ବେଲାଂ ପ୍ରାପ୍ୟ ଦାରୁଣଃ ।
ସ୍ୱାଂ ଦେବ ମାୟାମାସ୍ଥାୟ ତାବଜ୍ଜହ୍ୟଘମଚ୍ୟୁତ ॥ ୨୫॥
ହେ ଦେବ ! ହେ ଅଚ୍ୟୁତ ! ଏହି ଦାରୁଣ ଦୈତ୍ୟ ନିଜ ବଳବୁଦ୍ଧିର ବେଳାକୁ
ପ୍ରାପ୍ତ କରି ପ୍ରବଳ ହେବା ପୂର୍ବରୁ ଆପଣ ନିଜ ଯୋଗମାୟାକୁ ସ୍ବୀକାର କରି ଏହାର ନିଧନ କରନ୍ତୁ |
ଏଷା ଘୋରତମା ସନ୍ଧ୍ୟା ଲୋକଚ୍ଛମ୍ବଟ୍କରୀ ପ୍ରଭୋ ।
ଉପସର୍ପତି ସର୍ୱାତ୍ମନ୍ ସୁରାଣାଂ ଜୟମାବହ ॥ ୨୬॥
ହେ ପ୍ରଭୁ ! ଦେଖନ୍ତୁ, ଲୋକସଂହାର କରୁଥିବା ସନ୍ଧ୍ୟାର ଭୟଙ୍କର ବେଳା
ଆଗତପ୍ରାୟ | ତା’ ପୂର୍ବରୁ ହିଁ ଆପଣ
ଏହି ଅସୁରକୁ ମାରି ଦେବତାମାନଙ୍କୁ ବିଜୟ ପ୍ରଦାନ କରନ୍ତୁ |
ଅଧୁନୈଷୋଽଭିଜିନ୍ନାମ ଯୋଗୋ ମୌହୂର୍ତିକୋ ହ୍ୟଗାତ୍ ।
ଶିବାୟ ନସ୍ତ୍ୱଂ ସୁହୃଦାମାଶୁ ନିସ୍ତର ଦୁସ୍ତରମ୍ ॥ ୨୭॥
ଏବେ ଅଭିଜିତ୍ ନାମକ ମଙ୍ଗଳମୟ ମୁହୂର୍ତ୍ତର ଯୋଗ ମଧ୍ୟ ଉପସ୍ଥିତ
ହୋଇଛି | ଅତଏବ ଆପଣ ନିଜର ସୁହୃଦ ଆମ୍ଭମାନଙ୍କ ନିମନ୍ତେ ଅତି ଶୀଘ୍ର ଏହି ଦୁର୍ଜେୟ ଦୈତ୍ୟର
ମୁକାବିଲା କରନ୍ତୁ |
ଦିଷ୍ଟ୍ୟା ତ୍ୱାଂ ବିହିତଂ ମୃତ୍ୟୁମୟମାସାଦିତଃ ସ୍ୱୟମ୍ ।
ବିକ୍ରମ୍ୟୈନଂ ମୃଧେ ହତ୍ୱା ଲୋକାନାଧେହି ଶର୍ମଣି ॥ ୨୮॥
ହେ ପ୍ରଭୁ ! ଏହାର ମୃତ୍ୟୁ ଆପଣଙ୍କ ହାତରେ ଲେଖାହୋଇଛି |
ଆମ୍ଭମାନଙ୍କର ବହୁତ ବଡ ଭାଗ୍ୟ ଯେ ଇଏ ସ୍ବୟଂ ହିଁ ନିଜର କାଳରୂପ ଆପଣଙ୍କ ପାଖକୁ ଆସିଯାଇଛି |
ଏବେ ଆପଣ ବଳପୂର୍ବକ ଏହାକୁ ଯୁଦ୍ଧରେ ମାରି ସଂସାରକୁ ଶାନ୍ତି ପ୍ରଦାନ କରନ୍ତୁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷବଧେ ଅଷ୍ଟାଦଶୋଽଧ୍ୟାୟଃ ॥ ୧୮॥

Comments
Post a Comment