ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ଅଷ୍ଟାବିଂଶ ଅଧ୍ୟାୟ
ଅଷ୍ଟାଙ୍ଗଯୋଗ ବିଧି
ଶ୍ରୀଭଗବାନୁବାଚ
ଯୋଗସ୍ୟ ଲକ୍ଷଣଂ ବକ୍ଷ୍ୟେ ସବୀଜସ୍ୟ ନୃପାତ୍ମଜେ ।
ମନୋ ଯେନୈବ ବିଧିନା ପ୍ରସନ୍ନଂ ଯାତି ସତ୍ପଥମ୍ ॥ ୧॥
କପିଳ ଭଗବାନ କହୁଛନ୍ତି – ହେ ମାତା ! ଏବେ ମୁଁ ତୁମକୁ ସବୀଜ
(ଧ୍ୟେୟସ୍ବରୂପ ଆଲମ୍ବନ-ଯୁକ୍ତ) ଯୋଗର ଲକ୍ଷଣ କହିବି,
ଯାହା ଦ୍ବାରା ଚିତ୍ତ ଶୁଦ୍ଧ ଏବଂ ପ୍ରସନ୍ନ ହୋଇ ପରମାତ୍ମାଙ୍କ ମାର୍ଗରେ ପ୍ରବୃତ୍ତ ହୋଇଥାଏ |
ସ୍ୱଧର୍ମାଚରଣଂ ଶକ୍ତ୍ୟା ବିଧର୍ମାଚ୍ଚ ନିବର୍ତନମ୍ ।
ଦୈବାଲ୍ଲବ୍ଧେନ ସନ୍ତୋଷ ଆତ୍ମବିଚ୍ଚରଣାର୍ଚନମ୍ ॥ ୨॥
ଯଥାଶକ୍ତି ଶାସ୍ତ୍ରବିହିତ ସ୍ବଧର୍ମର ପାଳନ କରିବା ତଥା
ଶାସ୍ତ୍ରବିରୁଦ୍ଧ ଆଚରଣ ପରିତ୍ୟାଗ କରିବା, ପ୍ରାରବ୍ଧ ଅନୁସାରେ
ଯାହାକିଛି ମିଳିଥାଏ ସେଥିରେ ସନ୍ତୁଷ୍ଟ ରହିବା, ଆତ୍ମଜ୍ଞାନୀମାନଙ୍କର
ଚରଣ ପୂଜନ କରିବା,
ଗ୍ରାମ୍ୟଧର୍ମନିବୃତ୍ତିଶ୍ଚ ମୋକ୍ଷଧର୍ମରତିସ୍ତଥା ।
ମିତମେଧ୍ୟାଦନଂ ଶଶ୍ୱଦ୍ୱିବିକ୍ତକ୍ଷେମସେବନମ୍ ॥ ୩॥
ବିଷୟବାସନା ବୃଦ୍ଧିକାରୀ କର୍ମଠାରୁ ଦୂରେଇ ରହିବା, ସଂସାରବନ୍ଧନରୁ ମୁକ୍ତ କରୁଥିବା ଧର୍ମକୁ ପ୍ରେମ କରିବା, ପବିତ୍ର ଓ ପରିମିତ ଭୋଜନ କରିବା,
ନିରନ୍ତର ଏକାନ୍ତ ଏବଂ ନିର୍ଭୟ ସ୍ଥାନରେ ରହିବା,
ଅହିଂସା ସତ୍ୟମସ୍ତେୟଂ ଯାବଦର୍ଥପରିଗ୍ରହଃ ।
ବ୍ରହ୍ମଚର୍ୟଂ ତପଃ ଶୌଚଂ ସ୍ୱାଧ୍ୟାୟଃ ପୁରୁଷାର୍ଚନମ୍ ॥ ୪॥
ମନ, ବାଣୀ ଓ ଶରୀରରେ
କୌଣସି ଜୀବକୁ କଷ୍ଟ ନ ଦେବା, ସତ୍ୟ କହିବା, ଚୋରୀ ନ କରିବା, ଆବଶ୍ୟକତାଠାରୁ ଅଧିକ
ବସ୍ତୁ ସଂଗ୍ରହ ନ କରିବା, ବ୍ରହ୍ମଚର୍ଯ୍ୟ ପାଳନ
କରିବା, ତପସ୍ୟା କରିବା
(ଧର୍ମପାଳନ ନିମନ୍ତେ କଷ୍ଟ ସହ୍ୟ କରିବା), ଉଭୟ ବାହାରେ-ଭିତରେ ପବିତ୍ର ରହିବା, ଶାସ୍ତ୍ର ଅଧ୍ୟୟନ କରିବା,
ଭଗବାନଙ୍କର ପୂଜା କରିବା,
ମୌନଂ ସଦାସନଜୟଃ ସ୍ଥୈର୍ୟଂ ପ୍ରାଣଜୟଃ ଶନୈଃ ।
ପ୍ରତ୍ୟାହାରଶ୍ଚେନ୍ଦ୍ରିୟାଣାଂ ବିଷୟାନ୍ମନସା ହୃଦି ॥ ୫॥
ବାଣୀକୁ ସଂଯମିତ କରିବା,
ଉତ୍ତମ ଆସନର ଅଭ୍ୟାସ କରି ସ୍ଥିରତାପୂର୍ବକ ବସିବା,
ଧୀରେ ଧୀରେ ପ୍ରାଣାୟାମ ଦ୍ବାରା ଶ୍ବାସକୁ ଜୟ କରିବା,
ମନ ଦ୍ବାରା ଇନ୍ଦ୍ରିୟମାନଙ୍କୁ ବିଷୟରୁ ହଟାଇ ନିଜ ହୃଦୟ ମଧ୍ୟକୁ ନେଇଯିବା,
ସ୍ୱଧିଷ୍ଣ୍ୟାନାମେକଦେଶେ ମନସା ପ୍ରାଣଧାରଣମ୍ ।
ବୈକୁଣ୍ଠଲୀଲାଭିଧ୍ୟାନଂ ସମାଧାନଂ ତଥାଽଽତ୍ମନଃ ॥ ୬॥
ମୂଳାଧାର ଆଦି କୌଣସି ଏକ କେନ୍ଦ୍ରରେ ମନ ସହିତ ପ୍ରାଣକୁ ସ୍ଥିର
କରିବା, ନିରନ୍ତର ଭଗବାନଙ୍କ
ଲୀଳାର ଚିନ୍ତନ କରିବା ଏବଂ ଚିତ୍ତକୁ ସମାହିତ କରିବା,
ଏତୈରନ୍ୟୈଶ୍ଚ ପଥିଭିର୍ମନୋ ଦୁଷ୍ଟମସତ୍ପଥମ୍ ।
ବୁଦ୍ଧ୍ୟା ଯୁଞ୍ଜୀତ ଶନକୈର୍ଜିତପ୍ରାଣୋ ହ୍ୟତନ୍ଦ୍ରିତଃ ॥ ୭॥
ଏସବୁ ଦ୍ବାରା ତଥା ବ୍ରତ-ଦାନାଦି ଅନ୍ୟ ସାଧନ ଦ୍ବାରା ମଧ୍ୟ ସାବଧାନ
ପୂର୍ବକ ପ୍ରାଣକୁ ଜୟ କରି ବୁଦ୍ଧି ଦ୍ବାରା ନିଜ କୁମାର୍ଗଗାମୀ ଦୁଷ୍ଟ ଚିତ୍ତକୁ ଧୀରେ ଧୀରେ
ଏକାଗ୍ର କରି ପରମାତ୍ମାଙ୍କ ଧ୍ୟାନରେ ଲଗାଇବା |
ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ବିଜିତାସନ ଆସନମ୍ ।
ତସ୍ମିନ୍ ସ୍ୱସ୍ତି ସମାସୀନ ଋଜୁକାୟଃ ସମଭ୍ୟସେତ୍ ॥ ୮॥
ପ୍ରଥମେ ଆସନକୁ ଆୟତ୍ତ କର,
ପରେ ପ୍ରାଣାୟାମ ଅଭ୍ୟାସ ନିମନ୍ତେ ପବିତ୍ର ସ୍ଥାନରେ କୁଶ-ମୃଗଚର୍ମାଦିର ଆସନ ବିଛାଅ | ତାହା
ଉପରେ ଶରୀରକୁ ସିଧା ଏବଂ ସ୍ଥିର ରଖି ସୁଖପୂର୍ବକ ଉପବେଶନ କରି ଅଭ୍ୟାସ କର |
ପ୍ରାଣସ୍ୟ ଶୋଧୟେନ୍ମାର୍ଗଂ ପୂରକୁମ୍ଭକରେଚକୈଃ ।
ପ୍ରତିକୂଲେନ ବା ଚିତ୍ତଂ ଯଥା ସ୍ଥିରମଚଞ୍ଚଲମ୍ ॥ ୯॥
ପ୍ରାରମ୍ଭରେ ପୂରକ,
କୁମ୍ଭକ ଏବଂ ରେଚକ କ୍ରମରେ ଅଥବା ଏହାର ବିପରୀତ ରେଚକ,
କୁମ୍ଭକ ଓ ପୂରକ କ୍ରମରେ ପ୍ରାଣ ମାର୍ଗର ଶୋଧନ କର,
ଯଦ୍ବାରା ଚିତ୍ତ ସ୍ଥିର ଏବଂ ନିଶ୍ଚଳ ହୋଇଯିବ |
ମନୋଽଚିରାତ୍ସ୍ୟାଦ୍ୱିରଜଂ ଜିତଶ୍ୱାସସ୍ୟ ଯୋଗିନଃ ।
ବାୟ୍ୱଗ୍ନିଭ୍ୟାଂ ଯଥା ଲୋହଂ ଧ୍ମାତଂ ତ୍ୟଜତି ବୈ ମଲମ୍ ॥ ୧୦॥
ବାୟୁ ଏବଂ ଅଗ୍ନିରେ ତପ୍ତ ହୋଇ ସୁନା ନିଜର ମଳ ତ୍ୟାଗ କରିଦେବା ପରି ଯେଉଁ
ଯୋଗୀ ପ୍ରାଣବାୟୁକୁ ଜୟ କରିନେଇ ଥାଆନ୍ତି, ତାଙ୍କର ମନ ଅତି
ଶୀଘ୍ର ଶୁଦ୍ଧ ହୋଇଯାଏ |
ପ୍ରାଣାୟାମୈର୍ଦହେଦ୍ଦୋଷାନ୍ ଧାରଣାଭିଶ୍ଚ କିଲ୍ବିଷାନ୍ ।
ପ୍ରତ୍ୟାହାରେଣ ସଂସର୍ଗାନ୍ ଧ୍ୟାନେନାନୀଶ୍ୱରାନ୍ ଗୁଣାନ୍ ॥ ୧୧॥
ଅତଏବ, ଜଣେ ଯୋଗୀ
ପ୍ରାଣାୟାମ ଦ୍ବାରା ବାତ-ପିତ୍ତାଦିଜନିତ ଦୋଷକୁ,
ଧାରଣା ଦ୍ବାରା ପାପକୁ, ପ୍ରତ୍ୟାହାର ଦ୍ବାରା
ବିଷୟ ସହିତ ସମ୍ବନ୍ଧକୁ ଏବଂ ଧ୍ୟାନ ଦ୍ବାରା ଭଗବଦ୍-ବିମୁଖ କରାଉଥିବା ରାଗ-ଦ୍ବେଷାଦି
ଦୁର୍ଗୁଣକୁ ଦୂର କରିବା ଉଚିତ୍ |
ଯଦା ମନଃ ସ୍ୱଂ ବିରଜଂ ଯୋଗେନ ସୁସମାହିତମ୍ ।
କାଷ୍ଠାଂ ଭଗବତୋ ଧ୍ୟାୟେତ୍ସ୍ୱନାସାଗ୍ରାବଲୋକନଃ ॥ ୧୨॥
ଯୋଗ ଅଭ୍ୟାସ କରି କରି ଚିତ୍ତ ଯେତେବେଳେ ନିର୍ମଳ ଏବଂ ଏକାଗ୍ର
ହୋଇଯିବ, ସେତେବେଳେ ନାସିକାର
ଅଗ୍ରଭାଗରେ ଦୃଷ୍ଟି ନିବଦ୍ଧ କରି ଏହିପରି ଭାବରେ ଭଗବାନଙ୍କ ମୂର୍ତ୍ତିର ଧ୍ୟାନ କରିବା ଉଚିତ୍ |
ପ୍ରସନ୍ନବଦନାମ୍ଭୋଜଂ ପଦ୍ମଗର୍ଭାରୁଣେକ୍ଷଣମ୍ ।
ନୀଲୋତ୍ପଲଦଲଶ୍ୟାମଂ ଶଙ୍ଖଚକ୍ରଗଦାଧରମ୍ ॥ ୧୩॥
ଭଗବାନଙ୍କର ମୁଖକମଳ ଆନନ୍ଦରେ ପ୍ରଫୁଲ୍ଲିତ ଦେଖାଯାଉଛି, ନେତ୍ର
କମଳକୋଶ ସଦୃଶ ରକ୍ତିମ ଏବଂ ଶରୀର ନୀଳକମଳଦଳ ସଦୃଶ ଶ୍ୟାମଳ ଅଟେ; ହସ୍ତରେ ସେ ଶଂଖ, ଚକ୍ର ଓ ଗଦା ଧାରଣ କରିଛନ୍ତି |
ଲସତ୍ପଙ୍କଜକିଞ୍ଜଲ୍କପୀତକୌଶେୟବାସସମ୍ ।
ଶ୍ରୀବତ୍ସବକ୍ଷସଂ ଭ୍ରାଜତ୍କୌସ୍ତୁଭାମୁକ୍ତକନ୍ଧରମ୍ ॥ ୧୪॥
କମଳ-କେଶର ସଦୃଶ ତାଙ୍କର ରେଶମୀ ପୀତାମ୍ବର ଲହରୀ ଖେଳିବାରେ ଲାଗିଛି, ବକ୍ଷ-ସ୍ଥଳରେ ଶ୍ରୀବତ୍ସଚିହ୍ନ ଏବଂ ଗଳାରେ କୌସ୍ତୁଭମଣି ଝଲମଲ
ହେଉଛି |
ମତ୍ତଦ୍ୱିରେଫକଲୟା ପରୀତଂ ବନମାଲୟା ।
ପରାର୍ଧ୍ୟହାରବଲୟକିରୀଟାଙ୍ଗଦନୂପୁରମ୍ ॥ ୧୫॥
ଗଳାରୁ ବନମାଳ ପାଦପର୍ଯ୍ୟନ୍ତ ଝୁଲି ରହିଛି, ଯାହାର ଚତୁର୍ଦ୍ଦିଗରେ ଭ୍ରମରମାନେ ସୁଗନ୍ଧରେ ଉନ୍ମତ୍ତ ହୋଇ ମଧୁର
ଗୁଞ୍ଜରଣ କରିବାରେ ଲାଗିଛନ୍ତି; ତାଙ୍କର ଅଙ୍ଗ-ପ୍ରତ୍ୟଙ୍ଗରେ ମହାମୂଲ୍ୟ ହାର, କଂକଣ, କିରୀଟ, ଭୁଜବନ୍ଧ
ଏବଂ ନୂପୁର ଆଦି ଆଭୂଷଣ ବିରାଜମାନ କରିଛି |
କାଞ୍ଚୀଗୁଣୋଲ୍ଲସଚ୍ଛ୍ରୋଣିଂ ହୃଦୟାମ୍ଭୋଜବିଷ୍ଟରମ୍ ।
ଦର୍ଶନୀୟତମଂ ଶାନ୍ତଂ ମନୋନୟନବର୍ଧନମ୍ ॥ ୧୬॥
କଟିଦେଶରେ କମରବନ୍ଧର ଝରାସବୁ ତା’ର
ଶୋଭା ବର୍ଦ୍ଧନ କରୁଛନ୍ତି; ଭକ୍ତମାନଙ୍କର ହୃଦୟକମଳ ହିଁ ତାଙ୍କର ଆସନ ଅଟେ, ତାଙ୍କର ଦର୍ଶନୀୟ ଶ୍ୟାମସୁନ୍ଦର ସ୍ବରୂପ ଅତ୍ୟନ୍ତ ଶାନ୍ତ ଏବଂ ମନ ଓ
ନୟନକୁ ଆନନ୍ଦ ପ୍ରଦାୟକ ଅଟେ |
ଅପୀଚ୍ୟଦର୍ଶନଂ ଶଶ୍ୱତ୍ସର୍ୱଲୋକନମସ୍କୃତମ୍ ।
ସନ୍ତଂ ବୟସି କୈଶୋରେ ଭୃତ୍ୟାନୁଗ୍ରହକାତରମ୍ ॥ ୧୭॥
ତାଙ୍କର ଅତି ସୁନ୍ଦର କିଶୋର ଅବସ୍ଥା, ଭକ୍ତ ପ୍ରତି କୃପା କରିବା ପାଇଁ ସେ ଆତୁର ରହିଛନ୍ତି | ଅତ୍ୟନ୍ତ
ମନୋହର ଦୃଶ୍ୟପଟ | ଭଗବାନ ସର୍ବଦା ସମ୍ପୂର୍ଣ୍ଣ ଲୋକରେ ବନ୍ଦିତ ଅଟନ୍ତି |
କୀର୍ତନ୍ୟତୀର୍ଥୟଶସଂ ପୁଣ୍ୟଶ୍ଲୋକୟଶସ୍କରମ୍ ।
ଧ୍ୟାୟେଦ୍ଦେବଂ ସମଗ୍ରାଙ୍ଗଂ ଯାବନ୍ନ ଚ୍ୟବତେ ମନଃ ॥ ୧୮॥
ତାଙ୍କର ପବିତ୍ର ଯଶ ପରମ କୀର୍ତ୍ତନୀୟ ଅଟେ ଏବଂ ସେ ରାଜା ବଳି ଆଦି
ପରମ ଯଶସ୍ବୀମାନଙ୍କର ମଧ୍ୟ ଯଶ ବୃଦ୍ଧି କରିଥାଆନ୍ତି | ଏହିପରି ଭାବରେ ସମ୍ପୂର୍ଣ୍ଣ ଅଙ୍ଗ ସହିତ
ଶ୍ରୀନାରାୟଣଦେବଙ୍କର ସେତେବେଳଯାଏଁ ଧ୍ୟାନ କରିବା ଆବଶ୍ୟକ ଯେତେବେଳଯାଏଁ ଚିତ୍ତର
ପୂର୍ଣ୍ଣନିବେଶ ତାଙ୍କଠାରେ ହୋଇ ନ ଯାଇଛି |
ସ୍ଥିତଂ ବ୍ରଜନ୍ତମାସୀନଂ ଶୟାନଂ ବା ଗୁହାଶୟମ୍ ।
ପ୍ରେକ୍ଷଣୀୟେହିତଂ ଧ୍ୟାୟେଚ୍ଛୁଦ୍ଧଭାବେନ ଚେତସା ॥ ୧୯॥
ଭଗବାନଙ୍କର ଲୀଳା ଅତ୍ୟନ୍ତ ରୋଚକ ଅଟେ; ତେଣୁ ନିଜ ରୁଚି ଅନୁସାରେ ଠିଆ ହୋଇଥିବା, ଚାଲୁଥିବା, ବସିଥିବା, ଗୁରୁଣ୍ଡି ଚାଲୁଥିବା ଅଥବା ଅନ୍ତର୍ଯ୍ୟାମୀ ରୂପରେ ସ୍ଥିତ ରହିଥିବା
ତାଙ୍କ ସ୍ବରୂପର ଚିନ୍ତନ ବିଶୁଦ୍ଧ ଭାବଯୁକ୍ତ ଚିତ୍ତରେ କରିବା ଆବଶ୍ୟକ |
ତସ୍ମିନ୍ ଲବ୍ଧପଦଂ ଚିତ୍ତଂ ସର୍ୱାବୟବସଂସ୍ଥିତମ୍ ।
ବିଲକ୍ଷ୍ୟୈକତ୍ର ସଂୟୁଜ୍ୟାଦଙ୍ଗେ ଭଗବତୋ ମୁନିଃ ॥ ୨୦॥
ଏହିପରି ଭାବରେ ଯୋଗୀ ଯେତେବେଳେ ଦେଖିବାକୁ ପାଆନ୍ତି ଯେ
ଭଗବଦ୍-ବିଗ୍ରହରେ ତାଙ୍କ ଚିତ୍ତର ପୂର୍ଣ୍ଣନିବେଶ ହୋଇଯାଇଛି,
ସେତେବେଳେ ସେ ତାଙ୍କର ସମଗ୍ର ଅଙ୍ଗରେ ସଂଲଗ୍ନ ରହିଥିବା ଚିତ୍ତକୁ ବିଶେଷ ରୂପରେ ଏକ-ଏକ କରି
ପ୍ରତ୍ୟେକ ଅଙ୍ଗରେ ସଂଲଗ୍ନ କରିବାକୁ ଚେଷ୍ଟା କରିବା ଆବଶ୍ୟକ |
ସଞ୍ଚିନ୍ତୟେଦ୍ଭଗବତଶ୍ଚରଣାରବିନ୍ଦଂ
ବଜ୍ରାଙ୍କୁଶଧ୍ୱଜସରୋରୁହଲାଞ୍ଛନାଢ୍ୟମ୍ ।
ଉତ୍ତୁଙ୍ଗରକ୍ତବିଲସନ୍ନଖଚକ୍ରବାଲ-
ଜ୍ୟୋତ୍ସ୍ନାଭିରାହତମହଦ୍ଧୃଦୟାନ୍ଧକାରମ୍ ॥ ୨୧॥
ଭଗବାନଙ୍କ ଚରଣକମଳର ଧ୍ୟାନ କରାଯିବା ଆବଶ୍ୟକ | ତାହା ବଜ୍ର,
ଅଙ୍କୁଶ, ଧ୍ବଜା ଏବଂ କମଳ ଆଦି ମଙ୍ଗଳମୟ ଚିହ୍ନଯୁକ୍ତ ଅଟେ | ତାହାର ଧ୍ୟାନ କରୁଥିବା ଯୋଗୀଙ୍କ
ହୃଦୟର ଅଜ୍ଞାନରୂପ ଘୋର ଅନ୍ଧକାରକୁ ସେ ନିଜ ଲାଲ-ଲାଲ ଶୋଭାମୟ ନଖମଣ୍ଡଳର ଚନ୍ଦ୍ରିକାରେ ଦୂର
କରିଦିଅନ୍ତି |
ଯଚ୍ଛୌଚନିଃସୃତସରିତ୍ପ୍ରବରୋଦକେନ
ତୀର୍ଥେନ ମୂର୍ଧ୍ନ୍ୟଧିକୃତେନ ଶିବଃ ଶିବୋଽଭୂତ୍ ।
ଧ୍ୟାତୁର୍ମନଃଶମଲଶୈଲନିସୃଷ୍ଟବଜ୍ରଂ
ଧ୍ୟାୟେଚ୍ଚିରଂ ଭଗବତଶ୍ଚରଣାରବିନ୍ଦମ୍ ॥ ୨୨॥
ତାଙ୍କ ଚରଣୋଦକରୁ ହିଁ ନଦୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଶ୍ରୀ ଗଙ୍ଗାଜୀ
ପ୍ରକଟ ହୋଇଛନ୍ତି, ଯାହାର ପବିତ୍ର ଜଳକୁ
ମସ୍ତକରେ ଧାରଣ କରି ମଙ୍ଗଳରୂପ ସ୍ବୟଂ ଶ୍ରୀମହାଦେବ ଆହୁରି ବି ଅଧିକ ମଙ୍ଗଳମୟ ହୋଇ ଯାଇଛନ୍ତି |
ଏହା ଧ୍ୟାନ କରୁଥିବା ବ୍ୟକ୍ତିଙ୍କର ପାପମୟ ପର୍ବତରେ ପ୍ରହାର କରାଯାଉଥିବା ଇନ୍ଦ୍ରଙ୍କର ବଜ୍ର
ସଦୃଶ ଅଟେ | ଭଗବାନଙ୍କର ଏହି ଚରଣକମଳର ଚିନ୍ତନ ଚିରକାଳ କରିବା ଆବଶ୍ୟକ |
ଜାନୁଦ୍ୱୟଂ ଜଲଜଲୋଚନୟା ଜନନ୍ୟା
ଲକ୍ଷ୍ମ୍ୟାଖିଲସ୍ୟ ସୁରବନ୍ଦିତୟା ବିଧାତୁଃ ।
ଊର୍ୱୋର୍ନିଧାୟ କରପଲ୍ଲବରୋଚିଷା ଯତ୍
ସଂଲାଲିତଂ ହୃଦି ବିଭୋରଭବସ୍ୟ କୁର୍ୟାତ୍ ॥ ୨୩॥
ଭବଭୟହାରୀ ଅଜନ୍ମା ଶ୍ରୀହରିଙ୍କର ଉଭୟ ପିଣ୍ଡଳି ଏବଂ ଆଣ୍ଠୁର ଧ୍ୟାନ
କରନ୍ତୁ, ଯାହାକୁ
ବିଶ୍ବବିଧାତା ବ୍ରହ୍ମାଙ୍କର ମାତା ସୁରବନ୍ଦିତା କମଳଲୋଚନା ଲକ୍ଷ୍ମୀ ଦେବୀ ନିଜ ଜଘନ ଉପରେ ଧାରଣ
କରି ନିଜର କାନ୍ତିମାନ କରଅଙ୍ଗୁଳିରେ ସ୍ନେହ-ଆଦର କରୁଥାଆନ୍ତି |
ଊରୂ ସୁପର୍ଣଭୁଜୟୋରଧିଶୋଭମାନା-
ବୋଜୋନିଧୀ ଅତସିକାକୁସୁମାବଭାସୌ ।
ବ୍ୟାଲମ୍ବି ପୀତବରବାସସି ବର୍ତମାନ-
କାଞ୍ଚୀକଲାପପରିରମ୍ଭିନିତମ୍ବବିମ୍ବମ୍ ॥ ୨୪॥
ଭଗବାନଙ୍କ ଜଘନର ଧ୍ୟାନ କରନ୍ତୁ,
ଯାହା ଅଳସୀ ଫୁଲ ପରି ନୀଳବର୍ଣ୍ଣ ଏବଂ ବଳର ନିଧି ଅଟେ ତଥା ଗରୁଡ଼ଙ୍କ ପୃଷ୍ଠରେ ଶୋଭାୟମାନ ହେଉଥାଏ
| ଭଗବାନଙ୍କ ନିତମ୍ବବିମ୍ବର ଧ୍ୟାନ କରନ୍ତୁ, ଯାହା ଗୋଇଠି
ପର୍ଯ୍ୟନ୍ତ ଲମ୍ବିଥିବା ପୀତାମ୍ବରରେ ଆବୃତ ରହିଛି ଏବଂ ସେହି ପୀତାମ୍ବର ଉପରେ ପରିଧାନ କରିଥିବା
ସୁବର୍ଣ୍ଣମୟୀ କମରବନ୍ଧ ଝରାମାନଙ୍କର ତାହା ଆଲିଙ୍ଗନ ପ୍ରାପ୍ତ କରୁଛି |
ନାଭିହ୍ରଦଂ ଭୁବନକୋଶଗୁହୋଦରସ୍ଥଂ
ଯତ୍ରାତ୍ମୟୋନିଧିଷଣାଖିଲଲୋକପଦ୍ମମ୍ ।
ବ୍ୟୂଢଂ ହରିଣ୍ମଣିବୃଷସ୍ତନୟୋରମୁଷ୍ୟ
ଧ୍ୟାୟେଦ୍ଦ୍ୱୟଂ ବିଶଦହାରମୟୂଖଗୌରମ୍ ॥ ୨୫॥
ସମ୍ପୂର୍ଣ୍ଣ ଲୋକର ଆଶ୍ରୟସ୍ଥାନ ଭଗବାନଙ୍କ ଉଦରଦେଶରେ ସ୍ଥିତ
ନାଭିସରୋବରର ଧ୍ୟାନ କରନ୍ତୁ; ଏଥିରୁ ବ୍ରହ୍ମାଙ୍କର
ଆଧାରଭୂତ ସର୍ବଲୋକମୟ କମଳ ପ୍ରକଟ ହୋଇଥିଲା | ପୁନଶ୍ଚ ପ୍ରଭୁଙ୍କର ଶ୍ରେଷ୍ଠ ମର୍କତମଣି ସଦୃଶ
ସ୍ତନଦ୍ବୟର ଧ୍ୟାନ କରନ୍ତୁ, ଯାହା ବକ୍ଷସ୍ଥଳରେ
ଶୋଭିତ ଶୁଭ୍ର ହାରମାନଙ୍କର କିରଣରେ ଗୌରବର୍ଣ୍ଣ ପ୍ରତୀତ ହେଉଛି |
ବକ୍ଷୋଽଧିବାସମୃଷଭସ୍ୟ ମହାବିଭୂତେଃ
ପୁଂସାଂ ମନୋନୟନନିର୍ୱୃତିମାଦଧାନମ୍ ।
କଣ୍ଠଂ ଚ କୌସ୍ତୁଭମଣେରଧିଭୂଷଣାର୍ଥଂ
କୁର୍ୟାନ୍ମନସ୍ୟଖିଲଲୋକନମସ୍କୃତସ୍ୟ ॥ ୨୬॥
ଏହା ପରେ ପୁରୁଷୋତ୍ତମ ଭଗବାନଙ୍କର ବକ୍ଷସ୍ଥଳର ଧ୍ୟାନ କରନ୍ତୁ, ଯାହା ମହାଲକ୍ଷ୍ମୀଙ୍କର ନିବାସସ୍ଥାନ ଅଟେ ଏବଂ ଲୋକଙ୍କର ମନ ଓ
ନେତ୍ରକୁ ଆନନ୍ଦ ପ୍ରଦାନ କରିଥାଏ | ପଶ୍ଚାତ୍ ସମ୍ପୂର୍ଣ୍ଣ ଲୋକର ବନ୍ଦନୀୟ ଭଗବାନଙ୍କ ଗ୍ରୀବାର
ଚିନ୍ତନ କରନ୍ତୁ, ଯିଏ ସତେ ଯେପରି
କୌସ୍ତୁଭମଣିକୁ ସୁଶୋଭିତ କରିବା ଉଦ୍ଦେଶ୍ୟରେ ତାହାକୁ ଧାରଣ କରିଥାଏ |
ବାହୂଂଶ୍ଚ ମନ୍ଦରଗିରେଃ ପରିବର୍ତନେନ
ନିର୍ଣିକ୍ତବାହୁବଲୟାନଧିଲୋକପାଲାନ୍ ।
ସଞ୍ଚିନ୍ତୟେଦ୍ଦଶଶତାରମସହ୍ୟତେଜଃ
ଶଙ୍ଖଂ ଚ ତତ୍କରସରୋରୁହରାଜହଂସମ୍ ॥ ୨୭॥
ସମସ୍ତ ଲୋକପାଳଙ୍କର ଆଶ୍ରୟଭୂତ ଭଗବାନଙ୍କ ଚତୁର୍ଭୁଜର ଧ୍ୟାନ କରନ୍ତୁ, ଯହିଁରେ ଧାରଣ କରାଯାଇ ଥିବା କଙ୍କଣାଦି ଆଭୂଷଣ ସମୁଦ୍ରମନ୍ଥନ ସମୟରେ
ମନ୍ଦରାଚଳର ଘର୍ଷଣରେ ଆହୁରି ଉଜ୍ଜ୍ବଳ ହୋଇଯାଇଛି | ସେହିପରି ଯାହାର ତେଜକୁ ସହ୍ୟ କରି
ହୁଏନାହିଁ, ସେହି ସହସ୍ର
ଧାରଯୁକ୍ତ ସୁଦର୍ଶନଚକ୍ରର ତଥା ତାଙ୍କ କର-କମଳରେ ରାଜହଂସ ପରି ବିରାଜମାନ କରିଥିବା ଶଂଖର
ଚିନ୍ତନ କରନ୍ତୁ |
କୌମୋଦକୀଂ ଭଗବତୋ ଦୟିତାଂ ସ୍ମରେତ
ଦିଗ୍ଧାମରାତିଭଟଶୋଣିତକର୍ଦମେନ ।
ମାଲାଂ ମଧୁବ୍ରତବରୂଥଗିରୋପଘୁଷ୍ଟାଂ
ଚୈତ୍ୟସ୍ୟ ତତ୍ତ୍ୱମମଲଂ ମଣିମସ୍ୟ କଣ୍ଠେ ॥ ୨୮॥
ପୁନଶ୍ଚ ବିପକ୍ଷୀ ବୀରମାନଙ୍କର ରୁଧିର ଜର୍ଜରିତ ପ୍ରଭୁଙ୍କ ପ୍ରିୟ
କୌମୋଦକି ଗଦାର, ଭ୍ରମରମାନଙ୍କର
ଗୁଞ୍ଜରଣରେ ଶୋଭିତ ବନମାଳର ଏବଂ ତାଙ୍କ କଣ୍ଠରେ ସୁଶୋଭିତ ସମ୍ପୂର୍ଣ୍ଣ ଜୀବସମୁଦାୟର
ନିର୍ମଳତତ୍ତ୍ବରୂପ କୌସ୍ତୁଭମଣିର ଧ୍ୟାନ କରନ୍ତୁ |
ଭୃତ୍ୟାନୁକମ୍ପିତଧିୟେହ ଗୃହୀତମୂର୍ତେଃ
ସଞ୍ଚିନ୍ତୟେଦ୍ଭଗବତୋ ବଦନାରବିନ୍ଦମ୍ ।
ଯଦ୍ୱିସ୍ଫୁରନ୍ମକରକୁଣ୍ଡଲବଲ୍ଗିତେନ
ବିଦ୍ୟୋତିତାମଲକପୋଲମୁଦାରନାସମ୍ ॥ ୨୯॥
ଭକ୍ତମାନଙ୍କ ଉପରେ କୃପା କରିବା ନିମନ୍ତେ ହିଁ ସାକାରରୂପ ଧାରଣ
କରିଥିବା ଶ୍ରୀହରିଙ୍କ ମୁଖକମଳର ଧ୍ୟାନ କରନ୍ତୁ,
ଯାହା ସୁନ୍ଦର ନାସିକାରେ ସୁଶୋଭିତ ଅଟେ ଏବଂ ଝଲମଲ କରୁଥିବା ମକରାକୃତି କୁଣ୍ଡଳର ଦୋଳନରେ ଅତିଶୟ
ପ୍ରକାଶମାନ ସ୍ବଚ୍ଛ କପୋଳ ଦ୍ବାରା ଅତ୍ୟନ୍ତ ମନୋହର ଦେଖାଯାଉଛି |
ଯଚ୍ଛ୍ରୀନିକେତମଲିଭିଃ ପରିସେବ୍ୟମାନଂ
ଭୂତ୍ୟା ସ୍ୱୟା କୁଟିଲକୁନ୍ତଲବୃନ୍ଦଜୁଷ୍ଟମ୍ ।
ମୀନଦ୍ୱୟାଶ୍ରୟମଧିକ୍ଷିପଦବ୍ଜନେତ୍ରଂ
ଧ୍ୟାୟେନ୍ମନୋମୟମତନ୍ଦ୍ରିତ ଉଲ୍ଲସଦ୍ଭ୍ରୁ ॥ ୩୦॥
କୃଷ୍ଣ କୁଞ୍ଚିତ ଅଳକାବଳୀ ମଣ୍ଡିତ ଭଗବାନଙ୍କର ମୁଖମଣ୍ଡଳ ନିଜ ଛବିରେ
ଭ୍ରମରମାନଙ୍କ ଦ୍ବାରା ସେବିତ କମଳକୋଶର ମଧ୍ୟ ତିରସ୍କାର କରୁଛି ଏବଂ ତାଙ୍କର କମଳସଦୃଶ ବିଶାଳ
ଏବଂ ଚଞ୍ଚଳ ନେତ୍ର କମଳକୋଶ ଉପରକୁ ଡ଼େଉଁଥିବା ମତ୍ସ୍ୟଯୁଗଳର ଶୋଭାକୁ ମଧ୍ୟ ପରାସ୍ତ କରୁଛି |
ଉନ୍ନତ ଭ୍ରୁଯୁଗଳରେ ଶୋଭିତ ଭଗବାନଙ୍କର ଏହି ମନୋହର ମୁଖାରବିନ୍ଦକୁ ମନରେ ଧାରଣ କରି,
ଆଳସ୍ୟରହିତ ହୋଇ ତାହାର ଧ୍ୟାନ କରିବା ଆବଶ୍ୟକ |
ତସ୍ୟାବଲୋକମଧିକଂ କୃପୟାତିଘୋର-
ତାପତ୍ରୟୋପଶମନାୟ ନିସୃଷ୍ଟମକ୍ଷ୍ଣୋଃ ।
ସ୍ନିଗ୍ଦ୍ଧସ୍ମିତାନୁଗୁଣିତଂ ବିପୁଲପ୍ରସାଦଂ
ଧ୍ୟାୟେଚ୍ଚିରଂ ବିପୁଲଭାବନୟା ଗୁହାୟାମ୍ ॥ ୩୧॥
ହୃଦୟକନ୍ଦରରେ ଭକ୍ତିଭାବଯୁକ୍ତ ହୋଇ ଚିରକାଳ ଭଗବାନଙ୍କର
ନେତ୍ରକଟାକ୍ଷର ଧ୍ୟାନ କରିବା ଉଚିତ୍, ଯାହା କୃପା ଏବଂ
ପ୍ରେମଭରା ସ୍ମିତହାସ୍ୟଯୁକ୍ତ ହୋଇ କ୍ଷଣ-କ୍ଷଣ ଅଧିକାଧିକ ବୃଦ୍ଧି ଲାଭ କରିବାରେ ଲାଗିଥାଏ, ବିପୁଳ ପ୍ରସାଦ ବର୍ଷା କରୁଥାଏ ଏବଂ ଭକ୍ତଜନଙ୍କର ଘୋର ତ୍ରିତାପକୁ
ଶାନ୍ତ କରିବା ନିମନ୍ତେ ହିଁ ପ୍ରକଟ ହୋଇଥାଏ |
ହାସଂ ହରେରବନତାଖିଲଲୋକତୀବ୍ର-
ଶୋକାଶ୍ରୁସାଗରବିଶୋଷଣମତ୍ୟୁଦାରମ୍ ।
ସମ୍ମୋହନାୟ ରଚିତଂ ନିଜମାୟଯାସ୍ୟ
ଭ୍ରୂମଣ୍ଡଲଂ ମୁନିକୃତେ ମକରଧ୍ୱଜସ୍ୟ ॥ ୩୨॥
ଶ୍ରୀହରିଙ୍କର ହାସ୍ୟ ପ୍ରଣତଜନଙ୍କର ତୀବ୍ର-ଠାରୁ-ତୀବ୍ର ଶୋକର
ଅଶ୍ରୁସାଗରକୁ ଶୁଷ୍କ କରିଦେଇ ଥାଏ ଏବଂ ଏହା ଅତ୍ୟନ୍ତ ଉଦାର ଅଟେ | ମୁନିମାନଙ୍କର ହିତାର୍ଥେ
କାମଦେବଙ୍କୁ ମୋହିତ କରିବା ନିମନ୍ତେ ହିଁ ନିଜ ମାୟାରେ ଶ୍ରୀହରି ନିଜ ଭ୍ରୁମଣ୍ଡଳକୁ ଗଢିଛନ୍ତି –
ତାହାର ଧ୍ୟାନ କରିବା ଆବଶ୍ୟକ |
ଧ୍ୟାନାୟନଂ ପ୍ରହସିତଂ ବହୁଲାଧରୋଷ୍ଠ-
ଭାସାରୁଣାୟିତତନୁଦ୍ୱିଜକୁନ୍ଦପଙ୍କ୍ତି ।
ଧ୍ୟାୟେତ୍ସ୍ୱଦେହକୁହରେଽବସିତସ୍ୟ ବିଷ୍ଣୋଃ
ଭକ୍ତ୍ୟାଽଽର୍ଦ୍ରୟାର୍ପିତମନା ନ ପୃଥଗ୍ଦିଦୃକ୍ଷେତ୍ ॥ ୩୩॥
ଅତ୍ୟନ୍ତ ପ୍ରେମାର୍ଦ୍ରଭାବରେ ନିଜ ହୃଦୟରେ ବିରାଜମାନ ଶ୍ରୀହରିଙ୍କ
ଖିଲିଖିଲି ହସର ଧ୍ୟାନ କରନ୍ତୁ, ଯାହା ବସ୍ତୁତଃ
ଧ୍ୟାନର ଯୋଗ୍ୟ ଅଟେ ତଥା ଯଦ୍ବାରା ତାଙ୍କର ଉପର-ତଳ ଉଭୟ ଓଷ୍ଠର ଅରୁଣ କାନ୍ତି ଯୋଗୁଁ ତାଙ୍କର
କୁନ୍ଦକଳି ସଦୃଶ ଛୋଟ-ଛୋଟ ଶୁଭ୍ର ଦନ୍ତ ଉପରେ ମଧ୍ୟ ଲାଲିମା ବ୍ୟାପିଯିବା ପରି ମନେହେଉଥାଏ |
ଏହିପରି ଭାବରେ ଧ୍ୟାନରେ ତନ୍ମୟ ହୋଇ ତାଙ୍କ ବ୍ୟତିତ ଅନ୍ୟ କୌଣସି ପଦାର୍ଥକୁ ଦେଖିବାକୁ ଇଚ୍ଛା
କରନ୍ତୁ ନାହିଁ |
ଏବଂ ହରୌ ଭଗବତି ପ୍ରତିଲବ୍ଧଭାବୋ
ଭକ୍ତ୍ୟା ଦ୍ରବଦ୍ଧୃଦୟ ଉତ୍ପୁଲକଃ ପ୍ରମୋଦାତ୍ ।
ଔତ୍କଣ୍ଠ୍ୟବାଷ୍ପକଲୟା ମୁହୁରର୍ଦ୍ୟମାନ-
ସ୍ତଚ୍ଚାପି ଚିତ୍ତବଡିଶଂ ଶନକୈର୍ୱିୟୁଙ୍କ୍ତେ ॥ ୩୪॥
ଏହିପରି ଧ୍ୟାନର ଅଭ୍ୟାସ କରିବା ଦ୍ବାରା ଶ୍ରୀହରିଙ୍କଠାରେ ସାଧକର
ପ୍ରେମ ହୋଇଯାଏ, ତା’ର ହୃଦୟ ଭକ୍ତିରେ
ଦ୍ରବିତ ହୋଇଯାଏ, ଆନନ୍ଦାତିଶୟରେ ଶରୀର
ପୁଲକିତ ହୋଇ ଉଠେ, ଉତ୍କଣ୍ଠାଜନିତ
ପ୍ରେମାଶ୍ରୁର ଧାରାରେ ସେ ବାରମ୍ବାର ନିଜ ଶରୀରକୁ ଧୌତ କରିଥାଏ ଏବଂ ବନିଶି କଣ୍ଟା ପରି
ଶ୍ରୀହରିଙ୍କୁ ନିଜ ପ୍ରତି ଆକର୍ଷିତ କରି ପାରୁ ଥିବା ସାଧନରୂପ ନିଜ ଚିତ୍ତକୁ ମଧ୍ୟ ଧୀରେ ଧୀରେ
ଧ୍ୟେୟ ବସ୍ତୁରୁ ହଟାଇ ନିଏ |
ମୁକ୍ତାଶ୍ରୟଂ ଯର୍ହି ନିର୍ୱିଷୟଂ ବିରକ୍ତଂ
ନିର୍ୱାଣମୃଚ୍ଛତି ମନଃ ସହସା ଯଥାର୍ଚିଃ ।
ଆତ୍ମାନମତ୍ର ପୁରୁଷୋଽବ୍ୟବଧାନମେକ-
ମନ୍ୱୀକ୍ଷତେ ପ୍ରତିନିବୃତ୍ତଗୁଣପ୍ରବାହଃ ॥ ୩୫॥
ତୈଳ ସମାପ୍ତ ହୋଇଯିବା ପରେ ଦୀପଶିଖା ଯେପରି ନିଜ କାରଣରୂପ
ତେଜସ୍-ତତ୍ତ୍ବରେ ଲୀନ ହୋଇଯାଏ, ଠିକ୍ ସେହିପରି
ଆଶ୍ରୟ, ବିଷୟ ଏବଂ ରାଗ ରହିତ
ହୋଇ ମନ ଶାନ୍ତ-ବ୍ରହ୍ମାକାର ହୋଇଯାଏ | ଏହି ଅବସ୍ଥା ପ୍ରାପ୍ତ ହେବା ପରେ ଜୀବ ଗୁଣପ୍ରବାହରୂପ ଦେହାଦି
ଉପାଧି ନିବୃତ୍ତ ହୋଇଯିବା କାରଣରୁ ଧ୍ୟାତା, ଧ୍ୟେୟ ଆଦି ବିଭାଗ ରହିତ ଏକ ଅଖଣ୍ଡ ପରମାତ୍ମାଙ୍କୁ
ହିଁ ସର୍ବତ୍ର ଅନୁଗତ ଦେଖିଥାଏ |
ସୋଽପ୍ୟେତୟା ଚରମୟା ମନସୋ ନିବୃତ୍ତ୍ୟା
ତସ୍ମିନ୍ମହିମ୍ନ୍ୟବସିତଃ ସୁଖଦୁଃଖବାହ୍ୟେ ।
ହେତୁତ୍ୱମପ୍ୟସତି କର୍ତରି ଦୁଃଖୟୋର୍ୟତ୍
ସ୍ୱାତ୍ମନ୍ ବିଧତ୍ତ ଉପଲବ୍ଧପରାତ୍ମକାଷ୍ଠଃ ॥ ୩୬॥
ଯୋଗାଭ୍ୟାସ ଦ୍ବାରା ପ୍ରାପ୍ତ ଚିତ୍ତର ଏହି ଅବିଦ୍ୟାରହିତ ଲୟରୂପ
ନିବୃତ୍ତି ଯୋଗୁଁ ନିଜ ସୁଖ-ଦୁଃଖରହିତ ବ୍ରହ୍ମରୂପ ମହିମାରେ ସ୍ଥିତ ହୋଇ ପରମାତ୍ମତତ୍ତ୍ବର
ସାକ୍ଷାତକାର କରିନେବା ପରେ ପୂର୍ବରୁ ଅଜ୍ଞାନବଶତଃ ଯେଉଁ ସୁଖ-ଦୁଃଖର ଭୋକ୍ତୃତ୍ବକୁ ସେହି ଯୋଗୀ
ନିଜ ସ୍ବରୂପରେ ଦେଖୁଥିଲା, ତାହାକୁ ସେ ଏବେ ଅବିଦ୍ୟାକୃତ ଅହଂକାରରେ ହିଁ ଦେଖିଲା |
ଦେହଂ ଚ ତଂ ନ ଚରମଃ ସ୍ଥିତମୁତ୍ଥିତଂ ବା
ସିଦ୍ଧୋ ବିପଶ୍ୟତି ଯତୋଽଧ୍ୟଗମତ୍ସ୍ୱରୂପମ୍ ।
ଦୈବାଦୁପେତମଥ ଦୈବବଶାଦପେତଂ
ବାସୋ ଯଥା ପରିକୃତଂ ମଦିରାମଦାନ୍ଧଃ ॥ ୩୭॥
ମଦନିଶାରେ ଉନ୍ମତ୍ତ ପୁରୁଷର ଯେପରି ସେ ପରିଧାନ କରିଥିବା ବସ୍ତ୍ର
ତାହାର କଟିଦେଶରେ ଅଛି କି ତଳକୁ ଖସି ପଡିଛି, ତାହାର କୌଣସି ଜ୍ଞାନ
ନ ଥାଏ, ସେହିପରି
ଚରମାବସ୍ଥାରେ ଉପନୀତ ହୋଇଥିବା ସିଦ୍ଧ ପୁରୁଷଙ୍କୁ ମଧ୍ୟ ନିଜ ଶରୀରର ବସିବା-ଉଠିବା, ଦୈବବଶ କେଉଁଠିକୁ ଯିବା-ଆସିବା ଆଦି ଅବସ୍ଥାର କୌଣସି ଜ୍ଞାନ
ରହେନାହିଁ; କାରଣ ସେ ନିଜର ପରମାନନ୍ଦମୟ ସ୍ବରୂପରେ ସ୍ଥିତ ଅଟନ୍ତି |
ଦେହୋଽପି ଦୈବବଶଗଃ ଖଲୁ କର୍ମ ଯାବତ୍
ସ୍ୱାରମ୍ଭକଂ ପ୍ରତିସମୀକ୍ଷତ ଏବ ସାସୁଃ ।
ତଂ ସ ପ୍ରପଞ୍ଚମଧିରୂଢସମାଧିୟୋଗଃ
ସ୍ୱାପ୍ନଂ ପୁନର୍ନ ଭଜତେ ପ୍ରତିବୁଦ୍ଧବସ୍ତୁଃ ॥ ୩୮॥
ତାଙ୍କର ଶରୀର ତ ପୂର୍ବଜନ୍ମର ସଂସ୍କାର ଅଧୀନସ୍ତ ଅଟେ; ତେଣୁ ଯେପର୍ଯ୍ୟନ୍ତ ତାଙ୍କର ଆରମ୍ଭକ ପ୍ରାରବ୍ଧ ବାକି ରହିଥାଏ, ସେ ଇନ୍ଦ୍ରିୟମାନଙ୍କ ସହିତ ଜୀବିତ ରହନ୍ତି; କିନ୍ତୁ ଯାହାକୁ ସମାଧିପର୍ଯ୍ୟନ୍ତ ଯୋଗସ୍ଥିତି ପ୍ରାପ୍ତ ହୋଇ
ଯାଇଥାଏ ଏବଂ ଯିଏ ପରମାତ୍ମତତ୍ତ୍ବକୁ ମଧ୍ୟ ଭଲ ଭାବରେ ଜାଣି ନେଇଥାଆନ୍ତି, ସେହି ସିଦ୍ଧପୁରୁଷ ପୁତ୍ର-କଳତ୍ର ସହ ଏହି ଶରୀରକୁ ସ୍ବପ୍ନରେ ପ୍ରତୀତ
ହେଉଥିବା ଶରୀର ତୁଲ୍ୟ ମନେକରି ତାହାକୁ ସ୍ବୀକାର କରନ୍ତି ନାହିଁ କି ତହିଁରେ ଅହଂତା-ମମତା
କରନ୍ତି ନାହିଁ |
ଯଥା ପୁତ୍ରାଚ୍ଚ ବିତ୍ତାଚ୍ଚ ପୃଥଙ୍ମର୍ତ୍ୟଃ ପ୍ରତୀୟତେ ।
ଅପ୍ୟାତ୍ମତ୍ୱେନାଭିମତାଦ୍ଦେହାଦେଃ ପୁରୁଷସ୍ତଥା ॥ ୩୯॥
ଯେପରି ଅତ୍ୟଧିକ ସ୍ନେହବଶତଃ ସାଧାରଣ ଜୀବର ପୁତ୍ର-ଧନ ଆଦିରେ
ଆତ୍ମବୁଦ୍ଧି ରହିଥାଏ, କିନ୍ତୁ ସାମାନ୍ୟ
ବିଚାର କଲେ ସେସବୁ ନିଜଠାରୁ ସ୍ପଷ୍ଟତୟା ପୃଥକ୍ ଦେଖାଯାଇ ଥାଆନ୍ତି, ସେହିପରି ଯାହାକୁ ସେ ନିଜର ଆତ୍ମା ମାନି ବସିଥାଏ, ସେହି ଦେହାଦିଠାରୁ ମଧ୍ୟ ସେମାନଙ୍କର ସାକ୍ଷୀ ପୁରୁଷ ପୃଥକ୍ ହିଁ
ଅଟନ୍ତି |
ଯଥୋଲ୍ମୁକାଦ୍ୱିସ୍ଫୁଲିଙ୍ଗାଦ୍ଧୂମାଦ୍ୱାପି ସ୍ୱସମ୍ଭବାତ୍ ।
ଅପ୍ୟାତ୍ମତ୍ୱେନାଭିମତାଦ୍ୟଥାଗ୍ନିଃ ପୃଥଗୁଲ୍ମୁକାତ୍ ॥ ୪୦॥
ଭୂତେନ୍ଦ୍ରିୟାନ୍ତଃକରଣାତ୍ପ୍ରଧାନାଜ୍ଜୀବସଞ୍ଜ୍ଞିତାତ୍ ।
ଆତ୍ମା ତଥା ପୃଥଗ୍ ଦ୍ରଷ୍ଟା ଭଗବାନ୍ ବ୍ରହ୍ମସଞ୍ଜ୍ଞିତଃ ॥ ୪୧॥
ଜ୍ବଳନ୍ତ କାଷ୍ଠ, ଅଗ୍ନିସ୍ପୁଲିଙ୍ଗ,,ଅଗ୍ନିରୁ ପ୍ରକଟ
ହେଉଥିବା ଧୂମ ଇତ୍ୟାଦିଠାରୁ ଯେପରି ଅଗ୍ନି ପୃଥକ୍ ଅଟେ, ସେହିପରି ଭୂତ, ଇନ୍ଦ୍ରିୟ ଏବଂ ଅନ୍ତଃକରଣରେ ସେମାନଙ୍କର ସାକ୍ଷୀରୂପ ଆତ୍ମା ପରସ୍ପର
ଭିନ୍ନ ଅଟନ୍ତି; ଜୀବ ବୋଲାଉଥିବା
ସେହି ଆତ୍ମାଠାରୁ ବ୍ରହ୍ମ ଭିନ୍ନ ଅଟନ୍ତି ଏବଂ ପ୍ରକୃତିଠାରୁ ତାହାର ସଂଚାଳକ ପୁରୁଷୋତ୍ତମ
ଭିନ୍ନ ଅଟନ୍ତି |
ସର୍ୱଭୂତେଷୁ ଚାତ୍ମାନଂ ସର୍ୱଭୂତାନି ଚାତ୍ମନି ।
ଈକ୍ଷେତାନନ୍ୟଭାବେନ ଭୂତେଷ୍ୱିବ ତଦାତ୍ମତାମ୍ ॥ ୪୨॥
ଦେହଦୃଷ୍ଟିରେ ଯେପରି ଜରାୟୁଜ,
ଅଣ୍ଡଜ, ସ୍ବେଦଜ ଏବଂ
ଉଦ୍ଭିଜ୍ଜ – ଏହିପରି ଭାବରେ ପ୍ରାଣୀ ଚାରି ପ୍ରକାରର ହୋଇ ମଧ୍ୟ ସେମାନେ ସମସ୍ତେ ପଞ୍ଚଭୂତମାତ୍ର
ଅଟନ୍ତି, ସେହିପରି ସମ୍ପୂର୍ଣ୍ଣ ଜୀବରେ ଆତ୍ମାକୁ ଏବଂ ଆତ୍ମାରେ ସମ୍ପୂର୍ଣ୍ଣ ଜୀବଙ୍କୁ
ଅନନ୍ୟଭାବରେ ଅନୁଗତ ଦେଖ |
ସ୍ୱୟୋନିଷୁ ଯଥା ଜ୍ୟୋତିରେକଂ ନାନା ପ୍ରତୀୟତେ ।
ଯୋନୀନାଂ ଗୁଣବୈଷମ୍ୟାତ୍ତଥାଽଽତ୍ମା ପ୍ରକୃତୌ ସ୍ଥିତଃ ॥ ୪୩॥
ଏକ ହିଁ ଅଗ୍ନିତତ୍ତ୍ବ ନିଜ ଆଶ୍ରୟର ବିଭିନ୍ନତା କାରଣରୁ ଯେପରି
ଭିନ୍ନ ଭିନ୍ନ ଆକାରର ଦେଖା ଯାଇଥାଏ, ସେହିପରି
ଦେବ-ମନୁଷ୍ୟ ଆଦି ଶରୀରରେ ରହୁଥିବା ଏକ ହିଁ ଆତ୍ମା ନିଜ ଆଶ୍ରୟର ଗୁଣଭେଦ କାରଣରୁ ଭିନ୍ନ ଭିନ୍ନ
ପ୍ରକାରର ଦେଖାଯାଏ |
ତସ୍ମାଦିମାଂ ସ୍ୱାଂ ପ୍ରକୃତିଂ ଦୈବୀଂ ସଦସଦାତ୍ମିକାମ୍ ।
ଦୁର୍ୱିଭାବ୍ୟାଂ ପରାଭାବ୍ୟ ସ୍ୱରୂପେଣାବତିଷ୍ଠତେ ॥ ୪୪॥
ଜୀବର ସ୍ଵରୂପକୁ ଆବୃତ କରି ରଖିଥିବା, କାର୍ଯ୍ୟକାରଣରୂପ ପରିଣାମକୁ
ପ୍ରାପ୍ତ ହୋଇଥିବା ଭଗବାନଙ୍କର ଏହି ଅଚିନ୍ତ୍ୟ ଶକ୍ତିମୟୀ ମାୟାକୁ ଭଗବାନଙ୍କ କୃପାରୁ ହିଁ ଜୟ
କରି ଭକ୍ତ ନିଜର ବାସ୍ତବିକ ସ୍ବରୂପ – ବ୍ରହ୍ମରୂପରେ ସ୍ଥିତ ହୋଇଯାଏ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଲେୟେ ସାଧନାନୁଷ୍ଠାନଂ ନାମାଷ୍ଟାବିଂଶୋଽଧ୍ୟାୟଃ
॥ ୨୮॥

Comments
Post a Comment