ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

   ତୃତୀୟ ସ୍କନ୍ଧ  

ଦ୍ବିତ୍ରିଂଶ ଅଧ୍ୟାୟ

ଧୂମମାର୍ଗ ଅର୍ଚିରାଦି ମାର୍ଗରେ ଯାଉଥିବା ବ୍ୟକ୍ତିର ଗତି

ଏବଂ ଭକ୍ତିଯୋଗର ଉତ୍କୃଷ୍ଟତା ବର୍ଣ୍ଣନ

 

କପିଲ ଉବାଚ

ଅଥ ଯୋ ଗୃହମେଧୀୟାନ୍ ଧର୍ମାନେବାବସନ୍ ଗୃହେ ।

କାମମର୍ଥଂ ଚ ଧର୍ମାନ୍ ସ୍ୱାନ୍ ଦୋଗ୍ଧି ଭୂୟଃ ପିପର୍ତି ତାନ୍ ॥ ୧॥

ସ ଚାପି ଭଗବଦ୍ଧର୍ମାତ୍କାମମୂଢଃ ପରାଙ୍ମୁଖଃ ।

ଯଜତେ କ୍ରତୁଭିର୍ଦେବାନ୍ ପିତୄଂଶ୍ଚ ଶ୍ରଦ୍ଧୟାନ୍ୱିତଃ ॥ ୨॥

କପିଳ ଭଗବାନ କହୁଛନ୍ତି – ହେ ମାତା ! ଯେଉଁ ପୁରୁଷ ଘରେ ରହି ସକାମଭାବରେ ଗୃହସ୍ଥ ଧର୍ମ ପାଳନ କରେ ଏବଂ ତାର ଫଳସ୍ବରୂପ ଅର୍ଥ ଓ କାମର ଉପଭୋଗ କରି ପୁଣି ତାର ଅନୁଷ୍ଠାନ କରୁଥାଏ, ସେ ଅନେକ ପ୍ରକାରର କାମନାରେ ମୋହିତ ରହୁଥିବା କାରଣରୁ ଭଗବଦ୍-ଧର୍ମ ପ୍ରତି ବିମୁଖ ହୋଇଯାଏ ଏବଂ ଯଜ୍ଞ ଦ୍ବାରା ଶ୍ରଦ୍ଧାପୂର୍ବକ ଦେବତା ତଥା ପିତୃପୁରୁଷଙ୍କର ହିଁ ଆରାଧନା କରୁଥାଏ |

ତଚ୍ଛ୍ରଦ୍ଧୟାଽଽକ୍ରାନ୍ତମତିଃ ପିତୃଦେବବ୍ରତଃ ପୁମାନ୍ ।

ଗତ୍ୱା ଚାନ୍ଦ୍ରମସଂ ଲୋକଂ ସୋମପାଃ ପୁନରେଷ୍ୟତି ॥ ୩॥

ତାର ବୁଦ୍ଧି ସେହି ପ୍ରକାରର ଶ୍ରଦ୍ଧାରେ ଯୁକ୍ତ ରହିଥାଏ, ଦେବତା ଏବଂ ପିତୃପୁରୁଷ ତାହାର ଉପାସ୍ୟ ରହନ୍ତି; ଏହିପରି ଭାବରେ ସେ ଚନ୍ଦ୍ରଲୋକକୁ ଯାଇ ସେମାନଙ୍କ ସହିତ ସୋମପାନ କରିଥାଏ ଏବଂ ପୁଣ୍ୟ କ୍ଷୀଣ ହେବା ପରେ ଏହି ଲୋକକୁ ଫେରି ଆସେ |

ଯଦା ଚାହୀନ୍ଦ୍ରଶୟ୍ୟାୟାଂ ଶେତେଽନନ୍ତାସନୋ ହରିଃ ।

ତଦା ଲୋକା ଲୟଂ ଯାନ୍ତି ତ ଏତେ ଗୃହମେଧିନାମ୍ ॥ ୪॥

ପ୍ରଳୟକାଳରେ ଶେଷଶାୟୀ ଭଗବାନ ଯେତେବେଳେ ଶେଷ-ଶଯ୍ୟାରେ ଶୟନ କରନ୍ତି, ସେହି ସମୟରେ ସକାମ ଗୃହସ୍ଥୀମାନଙ୍କୁ ପ୍ରାପ୍ତ ହେଉଥିବା ସବୁ ଲୋକ ମଧ୍ୟ ଲୀନ ହୋଇଯାଆନ୍ତି |

ଯେ ସ୍ୱଧର୍ମାନ୍ ନ ଦୁହ୍ୟନ୍ତି ଧୀରାଃ କାମାର୍ଥହେତବେ ।

ନିଃସଙ୍ଗା ନ୍ୟସ୍ତକର୍ମାଣଃ ପ୍ରଶାନ୍ତାଃ ଶୁଦ୍ଧଚେତସଃ ॥ ୫॥

ନିବୃତ୍ତିଧର୍ମନିରତା ନିର୍ମମା ନିରହଙ୍କୃତାଃ ।

ସ୍ୱଧର୍ମାଖ୍ୟେନ ସତ୍ତ୍ୱେନ ପରିଶୁଦ୍ଧେନ ଚେତସା ॥ ୬॥

ଯେଉଁ ବିବେକୀ ପୁରୁଷ ଅର୍ଥ ଏବଂ ଭୋଗବିଳାସରେ ଧର୍ମର ଉପଯୋଗ ନ କରି ଭଗବାନଙ୍କର ପ୍ରସନ୍ନତା ନିମନ୍ତେ ହିଁ ତାହା ପାଳନ କରନ୍ତି – ସେହି ଅନାସକ୍ତ, ପ୍ରଶାନ୍ତ, ଶୁଦ୍ଧଚିତ୍ତ, ନିବୃତ୍ତିଧର୍ମପରାୟଣ, ମମତାରହିତ ଏବଂ ଅହଂକାରଶୂନ୍ୟ ପୁରୁଷ ସ୍ବଧର୍ମପାଳନ ସତ୍ତ୍ବଗୁଣ ଦ୍ବାରା ପୂର୍ଣ୍ଣତଃ ଶୁଦ୍ଧଚିତ୍ତ ହୋଇଯାଆନ୍ତି |

ସୂର୍ୟଦ୍ୱାରେଣ ତେ ଯାନ୍ତି ପୁରୁଷଂ ବିଶ୍ୱତୋମୁଖମ୍ ।

ପରାବରେଶଂ ପ୍ରକୃତିମସ୍ୟୋତ୍ପତ୍ତ୍ୟନ୍ତଭାବନମ୍ ॥ ୭॥

ଅନ୍ତତଃ ସେ ସୂର୍ଯ୍ୟମାର୍ଗ (ଅର୍ଚିମାର୍ଗ ବା ଦେବଯାନ) ଦ୍ବାରା ସର୍ବବ୍ୟାପୀ ପୂର୍ଣ୍ଣପୁରୁଷ ଶ୍ରୀହରିଙ୍କୁ ହିଁ ପ୍ରାପ୍ତ ହୁଅନ୍ତି – ଯିଏ କାର୍ଯ୍ୟ-କାରଣରୂପ ଜଗତର ନିୟନ୍ତା, ସଂସାରର ଉପାଦାନ-କାରଣ ଏବଂ ତାହାର ଉତ୍ପତ୍ତି, ପାଳନ ଓ ସଂହାର କର୍ତ୍ତା ଅଟନ୍ତି |

ଦ୍ୱିପରାର୍ଧାବସାନେ ଯଃ ପ୍ରଲୟୋ ବ୍ରହ୍ମଣସ୍ତୁ ତେ ।

ତାବଦଧ୍ୟାସତେ ଲୋକଂ ପରସ୍ୟ ପରଚିନ୍ତକାଃ ॥ ୮॥

ଯେଉଁମାନେ ପରମାତ୍ମଦୃଷ୍ଟିରେ ହିରଣ୍ୟଗର୍ଭର ଉପାସନା କରନ୍ତି, ସେମାନେ ଦୁଇ ପରାର୍ଦ୍ଧରେ ହେଉଥିବା ପ୍ରଳୟ ପର୍ଯ୍ୟନ୍ତ ବ୍ରହ୍ମାଜୀଙ୍କର ସତ୍ୟଲୋକରେ ହିଁ ନିବାସ କରନ୍ତି |

କ୍ଷ୍ମାମ୍ଭୋଽନଲାଽନିଲବିୟନ୍ମନ ଇନ୍ଦ୍ରିୟାର୍ଥ-

ଭୂତାଦିଭିଃ ପରିବୃତଂ ପ୍ରତିସଞ୍ଜିହୀର୍ଷୁଃ ।

ଅବ୍ୟାକୃତଂ ବିଶତି ଯର୍ହି ଗୁଣତ୍ରୟାତ୍ମା

କାଲଂ ପରାଖ୍ୟମନୁଭୂୟ ପରଃ ସ୍ୱୟମ୍ଭୂଃ ॥ ୯॥

ଏବଂ ପରେତ୍ୟ ଭଗବନ୍ତମନୁପ୍ରବିଷ୍ଟା

ଯେ ଯୋଗିନୋ ଜିତମରୁନ୍ମନସୋ ବିରାଗାଃ ।

ତେନୈବ ସାକମମୃତଂ ପୁରୁଷଂ ପୁରାଣଂ

ବ୍ରହ୍ମ ପ୍ରଧାନମୁପୟାନ୍ତ୍ୟଗତାଭିମାନାଃ ॥ ୧୦॥

ଯେଉଁ ସମୟରେ ଦେବତାମାନଙ୍କଠାରୁ ଶ୍ରେଷ୍ଠ ବ୍ରହ୍ମାଜୀ ନିଜର ଦ୍ବିପରାର୍ଦ୍ଧକାଳୀନ ଅଧିକାର ଭୋଗ କରି ପୃଥିବୀ, ଜଳ, ତେଜ, ବାୟୁ, ଆକାଶ, ମନ, ଇନ୍ଦ୍ରିୟ, ସେମାନଙ୍କର ବିଷୟ (ଶବ୍ଦାଦି) ଏବଂ ଅହଂକାରାଦି ସହିତ ସମ୍ପୂର୍ଣ୍ଣ ବିଶ୍ବର ସଂହାର କରିବା ଇଚ୍ଛାରେ ତ୍ରିଗୁଣାତ୍ମିକା ପ୍ରକୃତି ସହିତ ଏକରୂପ ହୋଇ ନିର୍ବିଶେଷ ପରମାତ୍ମାଙ୍କ ଠାରେ ଲୀନ ହୋଇଯାଆନ୍ତି, ସେହି ସମୟରେ ପ୍ରାଣ ଓ ମନକୁ ଜୟ କରିଥିବା ସେହି ଯୋଗୀଗଣ ମଧ୍ୟ ଦେହ ତ୍ୟାଗ କରି ବ୍ରହ୍ମାଜୀଙ୍କ ମଧ୍ୟରେ ପ୍ରବେଶ କରନ୍ତି ଏବଂ ତାଙ୍କ ସହିତ ହିଁ ପରମାନନ୍ଦସ୍ବରୂପ ପୁରାଣପୁରୁଷ ପରବ୍ରହ୍ମଙ୍କ ଠାରେ ଲୀନ ହୋଇଥାଆନ୍ତି | ତା ପୂର୍ବରୁ ସେମାନେ ଭଗବାନଙ୍କ ସହିତ ଲୀନ ହୋଇ ନ ଥା’ନ୍ତି; କାରଣ ସେପର୍ଯ୍ୟନ୍ତ ସେମାନଙ୍କଠାରେ ଅହଂକାର ରହିଥାଏ |

ଅଥ ତଂ ସର୍ୱଭୂତାନାଂ ହୃତ୍ପଦ୍ମେଷୁ କୃତାଲୟମ୍ ।

ଶ୍ରୁତାନୁଭାବଂ ଶରଣଂ ବ୍ରଜ ଭାବେନ ଭାମିନି ॥ ୧୧॥

ତେଣୁ ହେ ମାତା ! ତୁମେ ମଧ୍ୟ ଅତ୍ୟନ୍ତ ଭକ୍ତିଭାବରେ ସେହି ଶ୍ରୀହରିଙ୍କ ଚରଣର ଶରଣରେ ଯାଅ; ସମସ୍ତ ପ୍ରାଣୀଙ୍କର ହୃଦୟ-କମଳ ହିଁ ତାଙ୍କର ମନ୍ଦିର ଅଟେ ଏବଂ ତାଙ୍କର ପ୍ରଭାବ ବିଷୟରେ ତୁମେ ମୋଠାରୁ ଆଗରୁ ଶୁଣିଛ |

ଆଦ୍ୟଃ ସ୍ଥିରଚରାଣାଂ ଯୋ ବେଦଗର୍ଭଃ ସହର୍ଷିଭିଃ ।

ଯୋଗେଶ୍ୱରୈଃ କୁମାରାଦ୍ୟୈଃ ସିଦ୍ଧୈର୍ୟୋଗପ୍ରବର୍ତକୈଃ ॥ ୧୨॥

ଭେଦଦୃଷ୍ଟ୍ୟାଭିମାନେନ ନିଃସଙ୍ଗେନାପି କର୍ମଣା ।

କର୍ତୃତ୍ୱାତ୍ସଗୁଣଂ ବ୍ରହ୍ମ ପୁରୁଷଂ ପୁରୁଷର୍ଷଭମ୍ ॥ ୧୩॥

ସ ସଂସୃତ୍ୟ ପୁନଃ କାଲେ କାଲେନେଶ୍ୱରମୂର୍ତିନା ।

ଜାତେ ଗୁଣବ୍ୟତିକରେ ଯଥାପୂର୍ୱଂ ପ୍ରଜାୟତେ ॥ ୧୪॥

ବେଦଗର୍ଭ ବ୍ରହ୍ମାଜୀ – ଯିଏ ସମସ୍ତ ସ୍ଥାବର-ଜଙ୍ଗମ ପ୍ରାଣୀମାନଙ୍କର ଆଦିକାରଣ ଅଟନ୍ତି – ମରୀଚି ଆଦି ଋଷିଗଣ, ସିଦ୍ଧେଶ୍ବର, ସନକାଦିକ ତଥା ଯୋଗପ୍ରବର୍ତକ ସିଦ୍ଧମାନଙ୍କ ସହିତ ନିଷ୍କାମ କର୍ମ ଦ୍ବାରା ଆଦିପୁରୁଷ ପୁରୁଷଶ୍ରେଷ୍ଠ ସଗୁଣ ବ୍ରହ୍ମଙ୍କୁ ପ୍ରାପ୍ତ ହୋଇ ମଧ୍ୟ ଭେଦଦୃଷ୍ଟି ଏବଂ କର୍ତ୍ତୃତ୍ତ୍ବାଭିମାନ କାରଣରୁ, ଭଗବଦ୍-ଇଚ୍ଛାରେ ଯେତେବେଳେ ସର୍ଗକାଳ ଉପସ୍ଥିତ ହୋଇଥାଏ, ସେତେବେଳେ କାଳରୂପ ଈଶ୍ବରଙ୍କ ପ୍ରେରଣାରେ ଗୁଣମାନଙ୍କରେ କ୍ଷୋଭିତ ହୋଇ ପୂର୍ବବତ୍ ପୁନର୍ବାର ପ୍ରକଟ ହୋଇଥାଆନ୍ତି |

ଐଶ୍ୱର୍ୟଂ ପାରମେଷ୍ଠ୍ୟଂ ଚ ତେଽପି ଧର୍ମବିନିର୍ମିତମ୍ ।

ନିଷେବ୍ୟ ପୁନରାୟାନ୍ତି ଗୁଣବ୍ୟତିକରେ ସତି ॥ ୧୫॥

ସେହିପରି ପୂର୍ବୋକ୍ତ ଋଷିଗଣ ମଧ୍ୟ ନିଜ-ନିଜ କର୍ମାନୁସାରେ ବ୍ରହ୍ମଲୋକର ଐଶ୍ବର୍ଯ୍ୟ ଭୋଗକରି ଭଗବଦ୍-ଇଚ୍ଛାରେ ଗୁଣରେ କ୍ଷୋଭିତ ହୋଇ ପୁନର୍ବାର ଏହି ଲୋକକୁ ଆସିଥାଆନ୍ତି |

ଯେ ତ୍ୱିହାସକ୍ତମନସଃ କର୍ମସୁ ଶ୍ରଦ୍ଧୟାନ୍ୱିତାଃ ।

କୁର୍ୱନ୍ତ୍ୟପ୍ରତିଷିଦ୍ଧାନି ନିତ୍ୟାନ୍ୟପି ଚ କୃତ୍ସ୍ନଶଃ ॥ ୧୬॥

ଯେଉଁମାନଙ୍କର ଚିତ୍ତ ଏହି ସଂସାରରେ ଆସକ୍ତ ଏବଂ ଯେଉଁମାନେ କର୍ମରେ ଶ୍ରଦ୍ଧା ରଖନ୍ତି, ସେମାନେ ବେଦ ନିର୍ଦ୍ଦେଶିତ କାମ୍ୟ ଏବଂ ନିତ୍ୟ କର୍ମର ବିଧିବତ୍ ଅନୁଷ୍ଠାନରେ ଲାଗି ରହନ୍ତି |

ରଜସା କୁଣ୍ଠମନସଃ କାମାତ୍ମାନୋଽଜିତେନ୍ଦ୍ରିୟାଃ ।

ପିତୄନ୍ ଯଜନ୍ତ୍ୟନୁଦିନଂ ଗୃହେଷ୍ୱଭିରତାଶୟାଃ ॥ ୧୭॥

ସେମାନଙ୍କର ବୁଦ୍ଧି ରଜୋଗୁଣର ଆଧିକ୍ୟ ଯୋଗୁଁ କୁଣ୍ଠିତ ରହିଥାଏ, ହୃଦୟ କାମନାର ଜାଲରେ ଆଚ୍ଛାଦିତ ରହିଥାଏ ଏବଂ ଇନ୍ଦ୍ରିୟମାନେ ନିଜ ନିୟନ୍ତ୍ରଣରେ ନ ଥା’ନ୍ତି; ଗୃହ-ପରିବାରରେ ଆସକ୍ତ ରହି ସେମାନେ ନିତ୍ୟପ୍ରତି ପିତୃପୁରୁଷଙ୍କର ପୂଜାରେ ଲାଗିରହନ୍ତି |

ତ୍ରୈବର୍ଗିକାସ୍ତେ ପୁରୁଷା ବିମୁଖା ହରିମେଧସଃ ।

କଥାୟାଂ କଥନୀୟୋରୁବିକ୍ରମସ୍ୟ ମଧୁଦ୍ୱିଷଃ ॥ ୧୮॥

ଏମାନେ ଅର୍ଥ, ଧର୍ମ ଓ କାମ ପରାୟଣ ହିଁ ଅଟନ୍ତି; ସେଥିପାଇଁ ଯାହାର ମହାନ୍ ପରାକ୍ରମ ସଦା କୀର୍ତ୍ତନୀୟ ଅଟେ, ସେହି ଭବଭୟହାରୀ ଶ୍ରୀମଧୁସୂଦନ ଭଗବାନଙ୍କର କଥା ପ୍ରତି ଏମାନେ ବିମୁଖ ହିଁ ରହନ୍ତି |

ନୂନଂ ଦୈବେନ ବିହତା ଯେ ଚାଚ୍ୟୁତକଥାସୁଧାମ୍ ।

ହିତ୍ୱା ଶୃଣ୍ୱନ୍ତ୍ୟସଦ୍ଗାଥାଃ ପୁରୀଷମିବ ବିଡ୍ଭୁଜଃ ॥ ୧୯॥

ହାୟ ! ବିଷ୍ଠା-ଭୋଜୀ କୁକୁର-ଶୂକର ଆଦି ଜୀବ ବିଷ୍ଠାର କାମନା କରିବା ପରି ଯେଉଁ ମନୁଷ୍ୟ ଭଗବତ୍-କଥାମୃତକୁ ଛାଡି ନିନ୍ଦିତ ବିଷୟବାର୍ତ୍ତା ଶ୍ରବଣ କରୁଥାଏ – ବିଧାତାର କୋପଦୃଷ୍ଟି ତ ନିଶ୍ଚିତଭାବରେ ତାଙ୍କ ଉପରେ ଥାଏ, ତାଙ୍କର ଭାଗ୍ୟ ହିଁ ଅତିଶୟ ମନ୍ଦ ଅଟେ |

ଦକ୍ଷିଣେନ ପଥାର୍ୟମ୍ଣଃ ପିତୃଲୋକଂ ବ୍ରଜନ୍ତି ତେ ।

ପ୍ରଜାମନୁ ପ୍ରଜାୟନ୍ତେ ଶ୍ମଶାନାନ୍ତକ୍ରିୟାକୃତଃ ॥ ୨୦॥

ଗର୍ଭାଧାନ ଠାରୁ ଆରମ୍ଭ କରି ଅନ୍ତ୍ୟେଷ୍ଟି ପର୍ଯ୍ୟନ୍ତ ସବୁ ସଂସ୍କାରକୁ ବିଧିପୂର୍ବକ କରୁଥିବା ଏହି ସକାମକର୍ମୀମାନେ ସୂର୍ଯ୍ୟଙ୍କର ଦକ୍ଷିଣାୟାନରେ ପିତୃଯାନ ବା ଧୂମମାର୍ଗରେ ପିତୃଶ୍ବର ଅର୍ଯମା-ଲୋକକୁ ଯାଆନ୍ତି ଏବଂ ତାପରେ ନିଜ ସନ୍ତତିଙ୍କ ବଂଶରେ ହିଁ ଉତ୍ପନ୍ନ ହୁଅନ୍ତି |

ତତସ୍ତେ କ୍ଷୀଣସୁକୃତାଃ ପୁନର୍ଲୋକମିମଂ ସତି ।

ପତନ୍ତି ବିବଶା ଦେବୈଃ ସଦ୍ୟୋ ବିଭ୍ରଂଶିତୋଦୟାଃ ॥ ୨୧॥

ହେ ମାତା ! ପିତୃଲୋକର ଭୋଗ ଭୋଗକରି ଯେତେବେଳେ ସେମାନଙ୍କର ପୁଣ୍ୟ କ୍ଷୀଣ ହୋଇଯାଏ, ଦେବତାମାନେ ସେମାନଙ୍କୁ ସେଠିକାର ଐଶ୍ବର୍ଯ୍ୟରୁ ଚ୍ୟୁତ କରିଦିଅନ୍ତି ଏବଂ ବିବଶ ହୋଇ ସେମାନଙ୍କୁ ଅତିଶୀଘ୍ର ଏହି ଲୋକକୁ ଖସିବାକୁ ପଡିଥାଏ |

ତସ୍ମାତ୍ତ୍ୱଂ ସର୍ୱଭାବେନ ଭଜସ୍ୱ ପରମେଷ୍ଠିନମ୍ ।

ତଦ୍ଗୁଣାଶ୍ରୟଯା ଭକ୍ତ୍ୟା ଭଜନୀୟପଦାବୁଜମ୍ ॥ ୨୨॥

ତେଣୁ ହେ ମାତା ! ଯାହାର ଚରଣ-କମଳ ସଦା ଭଜନୀୟ, ତୁମେ ସେହି ଭଗବାନଙ୍କର ତାଙ୍କର ହିଁ ଗୁଣାଶ୍ରିତ ଭକ୍ତି ଦ୍ବାରା ସର୍ବତୋ ଭାବରେ (ମନ, ବାଣୀ ଏବଂ ଶରୀରରେ) ଭଜନ କର |

ବାସୁଦେବେ ଭଗବତି ଭକ୍ତିୟୋଗଃ ପ୍ରୟୋଜିତଃ ।

ଜନୟତ୍ୟାଶୁ ବୈରାଗ୍ୟଂ ଜ୍ଞାନଂ ଯଦ୍ବ୍ରହ୍ମଦର୍ଶନମ୍ ॥ ୨୩॥

ଭଗବାନ ବାସୁଦେବଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଭକ୍ତିଯୋଗ ତତ୍କାଳ ସଂସାର-ବୈରାଗ୍ୟ ଏବଂ ବ୍ରହ୍ମସାକ୍ଷାତକାରରୂପ ଜ୍ଞାନର ପ୍ରାପ୍ତି କରାଇ ଥାଏ |

ଯଦାସ୍ୟ ଚିତ୍ତମର୍ଥେଷୁ ସମେଷ୍ୱିନ୍ଦ୍ରିୟବୃତ୍ତିଭିଃ ।

ନ ବିଗୃହ୍ଣାତି ବୈଷମ୍ୟଂ ପ୍ରିୟମପ୍ରିୟମିତ୍ୟୁତ ॥ ୨୪॥

ସ ତଦୈବାତ୍ମନାଽଽତ୍ମାନଂ ନିଃସଙ୍ଗଂ ସମଦର୍ଶନମ୍ ।

ହେୟୋପାଦେୟରହିତମାରୂଢଂ ପଦମୀକ୍ଷତେ ॥ ୨୫॥

ବସ୍ତୁତଃ ସବୁକିଛି ଭଗବତ୍-ରୁପ ହୋଇଥିବା କାରଣରୁ ସମାନ ଅଟେ | ତେଣୁ ଯେତେବେଳେ ଇନ୍ଦ୍ରିୟମାନଙ୍କର ବୃତ୍ତି ଦ୍ବାରା ମଧ୍ୟ ଭଗବଦ୍-ଭକ୍ତର ଚିତ୍ତ ସେଥିରେ ପ୍ରିୟ-ଅପ୍ରିୟରୂପ ବିଷମତା ଅନୁଭବ କରି ନ ଥାଏ - ସର୍ବତ୍ର ଭଗବାନଙ୍କର ଦର୍ଶନ କରିଥାଏ – ସେତେବେଳେ ସେ ସଙ୍ଗରହିତ, ସମସ୍ତଙ୍କ ମଧ୍ୟରେ ସମାନ ରୂପରେ ସ୍ଥିତ, ତ୍ୟାଗ ଏବଂ ଗ୍ରହଣଯୋଗ୍ୟ, ଦୋଷ ଏବଂ ଗୁଣ ରହିତ, ନିଜ ମହିମାରେ ଆରୂଢ ନିଜ ଆତ୍ମାର ବ୍ରହ୍ମରୂପରେ ସାକ୍ଷାତକାର କରିଥାଏ |

ଜ୍ଞାନମାତ୍ରଂ ପରଂ ବ୍ରହ୍ମ ପରମାତ୍ମେଶ୍ୱରଃ ପୁମାନ୍ ।

ଦୃଶ୍ୟାଦିଭିଃ ପୃଥଗ୍ଭାବୈର୍ଭଗବାନେକ ଈୟତେ ॥ ୨୬॥

ସେ ହିଁ ଜ୍ଞାନସ୍ବରୂପ  ଅଟନ୍ତି, ପରବ୍ରହ୍ମ ଅଟନ୍ତି, ପରମାତ୍ମା ଅଟନ୍ତି, ଈଶ୍ବର ଅଟନ୍ତି, ପୁରୁଷ ଅଟନ୍ତି; ସେହି ଏକ ଭଗବାନ ସ୍ବୟଂ ଜୀବ, ଶରୀର, ବିଷୟ, ଇନ୍ଦ୍ରିୟ ଆଦି ଅନେକ ରୂପରେ ପ୍ରତୀତ ହୁଅନ୍ତି |

ଏତାବାନେବ ଯୋଗେନ ସମଗ୍ରେଣେହ ଯୋଗିନଃ ।

ଯୁଜ୍ୟତେଽଭିମତୋ ହ୍ୟର୍ଥୋ ଯଦସଙ୍ଗସ୍ତୁ କୃତ୍ସ୍ନଶଃ ॥ ୨୭॥

ସମ୍ପୂର୍ଣ୍ଣ ସଂସାର ପ୍ରତି ଆସକ୍ତିରହିତ ହୋଇଯିବା – ବାସ୍, ଏହା ହିଁ ଯୋଗୀମାନଙ୍କର ସବୁ ପ୍ରକାର ଯୋଗ-ସାଧନର ଅଭୀଷ୍ଟ ଫଳ ଅଟେ |

ଜ୍ଞାନମେକଂ ପରାଚୀନୈରିନ୍ଦ୍ରିୟୈର୍ବ୍ରହ୍ମ ନିର୍ଗୁଣମ୍ ।

ଅବଭାତ୍ୟର୍ଥରୂପେଣ ଭ୍ରାନ୍ତ୍ୟା ଶବ୍ଦାଦିଧର୍ମିଣା ॥ ୨୮॥

ବ୍ରହ୍ମ ଏକ ଅଟନ୍ତି, ଜ୍ଞାନସ୍ବରୂପ ଏବଂ ନିର୍ଗୁଣ ଅଟନ୍ତି, ତଥାପି ସେ ବାହ୍ୟ ବୃତ୍ତିଧାରୀ ଇନ୍ଦ୍ରିୟମାନଙ୍କ ଦ୍ବାରା ଭ୍ରାନ୍ତିବଶ ଶବ୍ଦାଦି ଧର୍ମବିଶିଷ୍ଟ ବିଭିନ୍ନ ପଦାର୍ଥ-ରୂପରେ ପ୍ରତୀତ ହୁଅନ୍ତି |

ଯଥା ମହାନହଂ ରୂପସ୍ତ୍ରିବୃତ୍ପଞ୍ଚବିଧଃ ସ୍ୱରାଟ୍ ।

ଏକାଦଶବିଧସ୍ତସ୍ୟ ବପୁରଣ୍ଡଂ ଜଗଦ୍ୟତଃ ॥ ୨୯॥

ଏକ ହିଁ ପରବ୍ରହ୍ମ ଯେପରି ମହତ୍ତତ୍ତ୍ବ, ବୈକାରିକ, ରାଜସ, ତାମସ – ତିନି ପ୍ରକାରର ଅହଂକାର, ପଞ୍ଚମହାଭୂତ ଏବଂ ଏକାଦଶ ଇନ୍ଦ୍ରିୟରୂପ ହୋଇଯାଆନ୍ତି ଏବଂ ସେହି ସ୍ବୟଂପ୍ରକାଶ ଏସବୁର ସଂଯୋଗରେ ଜୀବ ବୋଲାଇ ଥାଆନ୍ତି, ସେହିପରି ଜୀବର ଶରୀର-ରୂପ ଏହି ବ୍ରହ୍ମାଣ୍ଡ ମଧ୍ୟ ବସ୍ତୁତଃ ବ୍ରହ୍ମ ହିଁ ଅଟେ, କାରଣ ବ୍ରହ୍ମଙ୍କଠାରୁ ହିଁ ଏହାର ଉତ୍ପତ୍ତି ହୋଇଛି |

ଏତଦ୍ୱୈ ଶ୍ରଦ୍ଧୟା ଭକ୍ତ୍ୟା ଯୋଗାଭ୍ୟାସେନ ନିତ୍ୟଶଃ ।

ସମାହିତାତ୍ମା ନିଃସଙ୍ଗୋ ବିରକ୍ତ୍ୟା ପରିପଶ୍ୟତି ॥ ୩୦॥

କିନ୍ତୁ ଏହାକୁ ବ୍ରହ୍ମରୂପରେ ସେ ହିଁ ଦେଖିପାରନ୍ତି, ଯିଏ ଶ୍ରଦ୍ଧା, ଭକ୍ତି ଏବଂ ବୈରାଗ୍ୟ ତଥା ନିରନ୍ତର ଯୋଗାଭ୍ୟାସ ଦ୍ବାରା ଏକାଗ୍ରଚିତ୍ତ ଏବଂ ଅସଙ୍ଗବୁଦ୍ଧି ହୋଇ ଯାଇଥାଆନ୍ତି |

ଇତ୍ୟେତତ୍କଥିତଂ ଗୁର୍ୱି ଜ୍ଞାନଂ ତଦ୍ବ୍ରହ୍ମଦର୍ଶନମ୍ ।

ଯେନାବବୁଦ୍ଧ୍ୟତେ ତତ୍ତ୍ୱଂ ପ୍ରକୃତେଃ ପୁରୁଷସ୍ୟ ଚ ॥ ୩୧॥

ପୂଜନୀୟ ମାତାଜୀ ! ବ୍ରହ୍ମସାକ୍ଷାତକାରର ଏହି ସାଧନରୂପ ଜ୍ଞାନ ମୁଁ ତୁମକୁ ଶୁଣାଇଲି, ଏହା ଦ୍ବାରା ପ୍ରକୃତି ଏବଂ ପୁରୁଷର ଯଥାର୍ଥ ସ୍ବରୂପର ବୋଧ ହୋଇଯାଏ |

ଜ୍ଞାନୟୋଗଶ୍ଚ ମନ୍ନିଷ୍ଠୋ ନୈର୍ଗୁଣ୍ୟୋ ଭକ୍ତିଲକ୍ଷଣଃ ।

ଦ୍ୱୟୋରପ୍ୟେକ ଏବାର୍ଥୋ ଭଗବଚ୍ଛବ୍ଦଲକ୍ଷଣଃ ॥ ୩୨॥

ହେ ଦେବୀ ! ନିର୍ଗୁଣ ବ୍ରହ୍ମ-ବିଷୟକ ଜ୍ଞାନଯୋଗ ଏବଂ ମୋ ପ୍ରତି କରାଯାଉଥିବା ଭକ୍ତିଯୋଗ – ଉଭୟର ଫଳ ଏକ ହିଁ ଅଟେ | ତାଙ୍କୁ ହିଁ ଭଗବାନ କହନ୍ତି |

ଯଥେନ୍ଦ୍ରିୟୈଃ ପୃଥଗ୍ଦ୍ୱାରୈରର୍ଥୋ ବହୁଗୁଣାଶ୍ରୟଃ ।

ଏକୋ ନାନେୟତେ ତଦ୍ୱଦ୍ଭଗବାନ୍ ଶାସ୍ତ୍ରବର୍ତ୍ମଭିଃ ॥ ୩୩॥

ରୂପ, ରସ ଏବଂ ଗନ୍ଧ ଆଦି ଅନେକ ଗୁଣର ଆଶ୍ରୟଭୂତ ଗୋଟିଏ ହିଁ ପଦାର୍ଥ ଯେପରି ଭିନ୍ନ ଭିନ୍ନ ଇନ୍ଦ୍ରିୟଙ୍କ ଦ୍ବାରା ବିଭନ୍ନ ରୂପରେ ଅନୁଭୂତ ହୋଇଥାଏ, ସେହିପରି ଶାସ୍ତ୍ରମାନଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ମାର୍ଗ ଦ୍ବାରା ଏକ ହିଁ ଭଗବାନଙ୍କର ଅନେକ ପ୍ରକାରରେ ଅନୁଭୂତି ହୋଇଥାଏ |

କ୍ରିୟଯା କ୍ରତୁଭିର୍ଦାନୈସ୍ତପଃସ୍ୱାଧ୍ୟାୟମର୍ଶନୈଃ ।

ଆତ୍ମେନ୍ଦ୍ରିୟଜୟେନାପି ସନ୍ନ୍ୟାସେନ ଚ କର୍ମଣାମ୍ ॥ ୩୪॥

ଯୋଗେନ ବିବିଧାଙ୍ଗେନ ଭକ୍ତିୟୋଗେନ ଚୈବ ହି ।

ଧର୍ମେଣୋଭୟଚିହ୍ନେନ ଯଃ ପ୍ରବୃତ୍ତିନିବୃତ୍ତିମାନ୍ ॥ ୩୫॥

ଆତ୍ମତତ୍ତ୍ୱାବବୋଧେନ ବୈରାଗ୍ୟେଣ ଦୃଢେନ ଚ ।

ଈୟତେ ଭଗବାନେଭିଃ ସଗୁଣୋ ନିର୍ଗୁଣଃ ସ୍ୱଦୃକ୍ ॥ ୩୬॥

ନାନା ପ୍ରକାରର କର୍ମକଳାପ, ଯଜ୍ଞ, ଦାନ, ତପ, ବେଦାଧ୍ୟୟନ, ବେଦବିଚାର (ମୀମାଂସା), ମନ ଓ ଇନ୍ଦ୍ରିୟ ସଂଯମ, କର୍ମତ୍ୟାଗ, ବିବିଧ ଅଙ୍ଗଯୁକ୍ତ ଯୋଗ, ଭକ୍ତିଯୋଗ, ନିବୃତ୍ତି ଓ ପ୍ରବୃତ୍ତିରୂପ ସକାମ ଏବଂ ନିଷ୍କାମ ଉଭୟ ପ୍ରକାରର ଧର୍ମ, ଆତ୍ମତତ୍ତ୍ବର ଜ୍ଞାନ ଏବଂ ଦୃଢ ବୈରାଗ୍ୟ – ଏହି ସବୁ ସାଧନ ଦ୍ବାରା ସଗୁଣ-ନିର୍ଗୁଣରୂପ ସ୍ବୟଂପ୍ରକାଶ ଭଗବାନଙ୍କୁ ହିଁ ପ୍ରାପ୍ତ କରାଯାଇ ଥାଏ |

ପ୍ରାବୋଚଂ ଭକ୍ତିୟୋଗସ୍ୟ ସ୍ୱରୂପଂ ତେ ଚତୁର୍ୱିଧମ୍ ।

କାଲସ୍ୟ ଚାବ୍ୟକ୍ତଗତେର୍ୟୋଽନ୍ତର୍ଧାବତି ଜନ୍ତୁଷୁ ॥ ୩୭॥

ହେ ମାତା ! ସାତ୍ତ୍ବିକ, ରାଜସ, ତାମସ ଏବଂ ନିର୍ଗୁଣ ଭେଦରେ ଚାରି ପ୍ରକାରର ଭକ୍ତିଯୋଗ ଏବଂ ଯିଏ ପ୍ରାଣୀମାନଙ୍କର ଜନ୍ମାଦି ବିକାରମାନଙ୍କର ହେତୁ ତଥା ଯାହାର ଗତିକୁ ଜାଣିହୁଏ ନାହିଁ, ସେହି କାଳର ସ୍ବରୂପ ଇତ୍ୟାଦି ବିଷୟରେ ମୁଁ ତୁମକୁ କହିସାରିଛି |

ଜୀବସ୍ୟ ସଂସୃତୀର୍ବହ୍ୱୀରବିଦ୍ୟାକର୍ମନିର୍ମିତାଃ ।

ଯାସ୍ୱଙ୍ଗ ପ୍ରବିଶନ୍ନାତ୍ମା ନ ବେଦ ଗତିମାତ୍ମନଃ ॥ ୩୮॥

ହେ ଦେବି ! ଅବିଦ୍ୟାଜନିତ କର୍ମବଶତଃ ଜୀବର ଅନେକ ଗତି ହୋଇଥାଏ; ସେହିସବୁ ଗତି ସ୍ବୀକାର କରି ଜୀବ ନିଜର ସ୍ଵରୂପକୁ ଚିହ୍ନିପାରେ ନାହିଁ |

ନୈତତ୍ଖଲାୟୋପଦିଶେନ୍ନାବିନୀତାୟ କର୍ହିଚିତ୍ ।

ନ ସ୍ତବ୍ଧାୟ ନ ଭିନ୍ନାୟ ନୈବ ଧର୍ମଧ୍ୱଜାୟ ଚ ॥ ୩୯॥

ମୁଁ ତୁମକୁ ଯେଉଁ ଜ୍ଞାନୋପଦେଶ ଦେଲି – ତାହା ଦୁଷ୍ଟ, ଦୁର୍ବିନୀତ, ଘମଣ୍ଡି, ଦୁରାଚାରୀ ଏବଂ ଧର୍ମଧ୍ବଜୀ (ଦମ୍ଭୀ) ପୁରୁଷଙ୍କୁ ଶୁଣାଇବା ଉଚିତ୍ ନୁହେଁ |

ନ ଲୋଲୁପାୟୋପଦିଶେନ୍ନ ଗୃହାରୂଢଚେତସେ ।

ନାଭକ୍ତାୟ ଚ ମେ ଜାତୁ ନ ମଦ୍ଭକ୍ତଦ୍ୱିଷାମପି ॥ ୪୦॥

ଯିଏ ବିଷୟଲୋଲୁପ ହୋଇଥିବେ, ଗୃହାସକ୍ତ ହୋଇଥିବେ, ମୋର ଭକ୍ତ ହୋଇ ନ ଥିବେ ଅଥବା ମୋ ଭକ୍ତମାନଙ୍କ ପ୍ରତି ଦ୍ବେଷ କରୁଥିବେ, ସେମାନଙ୍କୁ ମଧ୍ୟ ଏହି ଉପଦେଶ ଦେବା ଉଚିତ୍ ନୁହେଁ |

ଶ୍ରଦ୍ଦଧାନାୟ ଭକ୍ତାୟ ବିନୀତାୟାନସୂୟବେ ।

ଭୂତେଷୁ କୃତମୈତ୍ରାୟ ଶୁଶ୍ରୂଷାଭିରତାୟ ଚ ॥ ୪୧॥

ବହିର୍ଜାତବିରାଗାୟ ଶାନ୍ତଚିତ୍ତାୟ ଦୀୟତାମ୍ ।

ନିର୍ମତ୍ସରାୟ ଶୁଚୟେ ଯସ୍ୟାହଂ ପ୍ରେୟସାଂ ପ୍ରିୟଃ ॥ ୪୨॥

ଯେଉଁମାନେ ଅତ୍ୟନ୍ତ ଶ୍ରଦ୍ଧାଳୁ, ଭକ୍ତ, ବିନୟୀ, ଅନ୍ୟମାନଙ୍କ ପ୍ରତି ଦୋଷଦୃଷ୍ଟିରହିତ, ସମସ୍ତ ପ୍ରାଣୀଙ୍କ ସହ ମିତ୍ରତା ଭାବ, ଗୁରୁସେବାରେ ତତ୍ପର, ବାହ୍ୟ ବିଷୟ ପ୍ରତି ଅନାସକ୍ତ, ଶାନ୍ତଚିତ୍ତ, ମତ୍ସରଶୂନ୍ୟ ଏବଂ ପବିତ୍ରଚିତ୍ତ ଅଟନ୍ତି ତଥା ମୋତେ ନିଜର ପରମ ପ୍ରିୟତମ ମନେକରନ୍ତି, ସେମାନଙ୍କୁ ଏହି ଉପଦେଶ ଶୁଣାଇବା ଆବଶ୍ୟକ |

ଯ ଇଦଂ ଶୃଣୁୟାଦମ୍ବ ଶ୍ରଦ୍ଧୟା ପୁରୁଷଃ ସକୃତ୍ ।

ଯୋ ବାଭିଧତ୍ତେ ମଚ୍ଚିତ୍ତଃ ସ ହ୍ୟେତି ପଦବୀଂ ଚ ମେ ॥ ୪୩॥

ହେ ମା ! ଯେଉଁ ପୁରୁଷ ମୋ ଠାରେ ଚିତ୍ତ ସଂଲଗ୍ନ କରି ଶ୍ରଦ୍ଧାପୂର୍ବକ ଥରେ ବି ଏହାର ଶ୍ରବଣ ବା କଥନ କରନ୍ତି, ସେ ମୋର ପରମପଦକୁ ପ୍ରାପ୍ତ ହୁଅନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂସଂହିତାୟାଂ

ତୃତୀୟସ୍କନ୍ଧେ କାପିଲେୟେ ଦ୍ୱାତ୍ରିଂଶୋଽଧ୍ୟାୟଃ ॥ ୩୨॥

 

Comments

Popular posts from this blog