ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

॥  ତୃତୀୟ ସ୍କନ୍ଧ ॥

ତ୍ରୟତ୍ରିଂଶ ଅଧ୍ୟାୟ

ଦେବହୂତିଙ୍କର ତତ୍ତ୍ବଜ୍ଞାନ ଏବଂ ମୋକ୍ଷପଦ ପ୍ରାପ୍ତି

 

ମୈତ୍ରେୟ ଉବାଚ

ଏବଂ ନିଶମ୍ୟ କପିଲସ୍ୟ ବଚୋ ଜନିତ୍ରୀ

ସା କର୍ଦମସ୍ୟ ଦୟିତା କିଲ ଦେବହୂତିଃ ।

ବିସ୍ରସ୍ତମୋହପଟଲା ତମଭିପ୍ରଣମ୍ୟ

ତୁଷ୍ଟାବ ତତ୍ତ୍ୱବିଷୟାଙ୍କିତସିଦ୍ଧିଭୂମିମ୍ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଶ୍ରୀକପିଳ ଭଗବାନଙ୍କର ଏପରି ବଚନ ଶୁଣି କର୍ଦମ ମୁନିଙ୍କର ପ୍ରିୟ ପତ୍ନୀ ଦେବହୂତିଙ୍କର ମୋହରୂପୀ ପର୍ଦା ଅପସାରିତ ହୋଇଗଲା ଏବଂ ସେ ତତ୍ତ୍ବପ୍ରତିପାଦକ ସାଂଖ୍ୟଶାସ୍ତ୍ରର ଜ୍ଞାନର ଆଧାରଭୂମି ଶ୍ରୀକପିଳ ଭଗବାନଙ୍କୁ ପ୍ରଣାମ କରି ତାଙ୍କର ସ୍ତୁତି କରିବାରେ ଲାଗିଲେ |

ଦେବହୂତିରୁବାଚ

ଅଥାପ୍ୟଜୋଽନ୍ତଃସଲିଲେ ଶୟାନଂ

ଭୂତେନ୍ଦ୍ରିୟାର୍ଥାତ୍ମମୟଂ ବପୁସ୍ତେ ।

ଗୁଣପ୍ରବାହଂ ସଦଶେଷବୀଜଂ

ଦଧ୍ୟୌ ସ୍ୱୟଂ ଯଜ୍ଜଠରାବ୍ଜଜାତଃ ॥ ୨॥

ଦେବହୂତି କହିଲେ – ହେ କପିଳ ଭଗବାନ ! ବ୍ରହ୍ମାଜୀ ଆପଣଙ୍କ ନାଭିକମଳରୁ ହିଁ ପ୍ରକଟ ହୋଇଥିଲେ | ସେ ପ୍ରଳୟକାଳୀନ ଜଳରେ ଶୟନ କରିଥିବା ଆପଣଙ୍କର ପଞ୍ଚଭୂତ, ଇନ୍ଦ୍ରିୟ, ଶବ୍ଦାଦି ବିଷୟ ଏବଂ ମନୋମୟ ବିଗ୍ରହ, ଯାହା ସତ୍ତ୍ଵାଦି ଗୁଣପ୍ରବାହଯୁକ୍ତ, ସତ୍-ସ୍ବରୂପ ଏବଂ କାର୍ଯ୍ୟ-କାରଣ ଉଭୟର ବୀଜ ଅଟେ, ତାହାର ହିଁ ଧ୍ୟାନ କରିଥିଲେ |

ସ ଏବ ବିଶ୍ୱସ୍ୟ ଭବାନ୍ ବିଧତ୍ତେ

ଗୁଣପ୍ରବାହେଣ ବିଭକ୍ତବୀର୍ୟଃ ।

ସର୍ଗାଦ୍ୟନୀହୋଽବିତଥାଭିସନ୍ଧି-

ରାତ୍ମେଶ୍ୱରୋଽତର୍କ୍ୟସହସ୍ରଶକ୍ତିଃ ॥ ୩॥

ଆପଣ ନିଷ୍କ୍ରିୟ, ସତ୍ୟସଂକଳ୍ପ, ସମ୍ପୂର୍ଣ୍ଣ ଜୀବସମୁଦାୟର ପ୍ରଭୁ ତଥା ସହସ୍ର ଅଚିନ୍ତ୍ୟ ଶକ୍ତିରେ ସମ୍ପନ୍ନ ଅଟନ୍ତି | ନିଜ ଶକ୍ତିକୁ ଗୁଣପ୍ରବାହରୂପରେ ବ୍ରହ୍ମାଦି ଅନନ୍ତ ମୂର୍ତ୍ତିମାନଙ୍କରେ ବିଭକ୍ତ କରି ସେମାନଙ୍କ ଦ୍ବାରା ଆପଣ ସ୍ବୟଂ ହିଁ ବିଶ୍ବର ରଚନା ଆଦି କରନ୍ତି |

ସ ତ୍ୱଂ ଭୃତୋ ମେ ଜଠରେଣ ନାଥ

କଥଂ ନୁ ଯସ୍ୟୋଦର ଏତଦାସୀତ୍ ।

ବିଶ୍ୱଂ ଯୁଗାନ୍ତେ ବଟପତ୍ର ଏକଃ

ଶେତେ ସ୍ମ ମାୟାଶିଶୁରଙ୍ଘ୍ରିପାନଃ ॥ ୪॥

ହେ ନାଥ ! ଏହା କିପରି ବିଚିତ୍ର କଥା ଯେ ପ୍ରଳୟକାଳରେ ଯାହାର ଉଦରରେ ଏହି ସମଗ୍ର ବିଶ୍ବ-ପ୍ରପଞ୍ଚ ଲୀନ ହୋଇଯାଏ ଏବଂ କଳ୍ପାନ୍ତରେ ଯିଏ ମାୟାମୟ ବାଳକ ରୂପ ଧାରଣ କରି ନିଜ ଚରଣର ଅଙ୍ଗୁଳିକୁ ମୁଖରେ ଚାପି ଏକାକୀ ବଟପତ୍ରରେ ଶୟନ କରନ୍ତି, ସେହି ଭଗବାନଙ୍କୁ ମୁଁ ନିଜ ଗର୍ଭରେ ଧାରଣ କଲି |

ତ୍ୱଂ ଦେହତନ୍ତ୍ରଃ ପ୍ରଶମାୟ ପାପ୍ମନାଂ

ନିଦେଶଭାଜାଂ ଚ ବିଭୋ ବିଭୂତୟେ ।

ଯଥାବତାରାସ୍ତବ ସୂକରାଦୟ-

ସ୍ତଥାୟମପ୍ୟାତ୍ମପଥୋପଲବ୍ଧୟେ ॥ ୫॥

ହେ ବିଭୁ ! ଆପଣ ପାପୀମାନଙ୍କର ଦମନ ଏବଂ ନିଜ ଆଜ୍ଞାକାରୀ ଭକ୍ତମାନଙ୍କର ଅଭ୍ୟୁଦୟ ଓ କଲ୍ୟାଣ କରିବା ପାଇଁ ସ୍ବେଚ୍ଛାରେ ଦେହ ଧାରଣ କରନ୍ତି | ତେଣୁ ଯେପରି ଭାବରେ ଆପଣଙ୍କର ବରାହ ଆଦି ଅବତାର ହୋଇଥିଲା, ସେହିପରି ଏହି କପିଳ ଅବତାର ମଧ୍ୟ ମୁମୁକ୍ଷୁଜନଙ୍କୁ ଜ୍ଞାନମାର୍ଗ ଦେଖାଇବା ପାଇଁ ହୋଇଛି |

ଯନ୍ନାମଧେୟଶ୍ରବଣାନୁକୀର୍ତନା-

ଦ୍ୟତ୍ପ୍ରହ୍ୱଣାଦ୍ୟତ୍ସ୍ମରଣାଦପି କ୍ୱଚିତ୍ ।

ଶ୍ୱାଦୋଽପି ସଦ୍ୟଃ ସବନାୟ କଲ୍ପତେ

କୁତଃ ପୁନସ୍ତେ ଭଗବନ୍ ନୁ ଦର୍ଶନାତ୍ ॥ ୬॥

ହେ ଭଗବାନ ! ଆପଣଙ୍କ ନାମର ଶ୍ରବଣ ବା କୀର୍ତ୍ତନ କରିବା ଦ୍ବାରା ତଥା କେବେ କେମିତି ଆପଣଙ୍କର ବନ୍ଦନ ବା ସ୍ମରଣ କରିବା ଦ୍ବାରା କୁକୁର ମାଂସ-ଭକ୍ଷଣକାରୀ ଚଣ୍ଡାଳ ମଧ୍ୟ ଶାସ୍ତ୍ରଧାରୀ ବ୍ରାହ୍ମଣ ସଦୃଶ ପୂଜନୀୟ ହୋଇଯାଏ; ତେଣୁ ଆପଣଙ୍କର ଦର୍ଶନ କରି ମନୁଷ୍ୟ କୃତକୃତ୍ୟ ହୋଇଯାଏ – ଏଥିରେ ସନ୍ଦେହର ପ୍ରଶ୍ନ ଉଠୁଛି କେଉଁଠି |

ଅହୋ ବତ ଶ୍ୱପଚୋଽତୋ ଗରୀୟାନ୍

ଯଜ୍ଜିହ୍ୱାଗ୍ରେ ବର୍ତତେ ନାମ ତୁଭ୍ୟମ୍ ।

ତେପୁସ୍ତପସ୍ତେ ଜୁହୁବୁଃ ସସ୍ନୁରାର୍ୟା

ବ୍ରହ୍ମାନୂଚୁର୍ନାମ ଗୃଣନ୍ତି ଯେ ତେ ॥ ୭॥

ଆହା ! ସେହି ଚଣ୍ଡାଳ ମଧ୍ୟ ସର୍ବଶ୍ରେଷ୍ଠ ହୋଇପାରେ, ଯାହାର ଜିହ୍ବାର ଅଗ୍ରଭାଗରେ ଆପଣଙ୍କର ନାମ ବିରାଜମାନ କରିଥାଏ | ଯେଉଁ ଶ୍ରେଷ୍ଠ ପୁରୁଷ ଆପଣଙ୍କର ନାମ ଉଚ୍ଚାରଣ କରନ୍ତି, ସେ ତପ, ଯାଗଯଜ୍ଞ, ତୀର୍ଥସ୍ଥାନ ଭ୍ରମଣ, ସଦାଚାର ପାଳନ ଏବଂ ବେଦାଧ୍ୟୟନ ଆଦି ସବୁକିଛି କରିନିଅନ୍ତି |

ତଂ ତ୍ୱାମହଂ ବ୍ରହ୍ମ ପରଂ ପୁମାଂସଂ

ପ୍ରତ୍ୟକ୍ସ୍ରୋତସ୍ୟାତ୍ମନି ସମ୍ବିଭାବ୍ୟମ୍ ।

ସ୍ୱତେଜସା ଧ୍ୱସ୍ତଗୁଣପ୍ରବାହଂ

ବନ୍ଦେ ବିଷ୍ଣୁଂ କପିଲଂ ବେଦଗର୍ଭମ୍ ॥ ୮॥

ହେ କପିଳଦେବ ! ଆପଣ ସାକ୍ଷାତ୍ ପରବ୍ରହ୍ମ ଅଟନ୍ତି, ଆପଣ ହିଁ ପରମ ପୁରୁଷ | ବୃତ୍ତିର ପ୍ରବାହକୁ ଅନ୍ତର୍ମୁଖୀ କରି ଅନ୍ତଃକରଣରେ ଆପଣଙ୍କର ହିଁ ଚିନ୍ତନ କରାଯାଏ  | ଆପଣ ନିଜ ତେଜରେ ମାୟାର କାର୍ଯ୍ୟ ଗୁଣ-ପ୍ରବାହକୁ ଶାନ୍ତ କରିଦିଅନ୍ତି ତଥା ଆପଣଙ୍କ ଉଦରରେ ହିଁ ସମ୍ପୂର୍ଣ ବେଦତତ୍ତ୍ବ ନିହିତ | ଏପରି ସାକ୍ଷାତ୍ ବିଷ୍ଣୁସ୍ବରୂପ ଆପଣଙ୍କୁ ମୁଁ ପ୍ରଣାମ କରୁଛି |

ମୈତ୍ରେୟ ଉବାଚ

ଈଡିତୋ ଭଗବାନେବଂ କପିଲାଖ୍ୟଃ ପରଃ ପୁମାନ୍ ।

ବାଚା ବିକ୍ଲବୟେତ୍ୟାହ ମାତରଂ ମାତୃବତ୍ସଲଃ ॥ ୯॥

ମୈତ୍ରେୟ କହୁଛନ୍ତି – ମାଙ୍କର ଏପରି ସ୍ତୁତି ଶୁଣି ମାତୃବତ୍ସଳ ପରମପୁରୁଷ ଭଗବାନ କପିଳଦେବ ଗମ୍ଭୀର ବାଣୀରେ ତାଙ୍କୁ କହିଲେ |

କପିଲ ଉବାଚ

ମାର୍ଗେଣାନେନ ମାତସ୍ତେ ସୁସେବ୍ୟେନୋଦିତେନ ମେ ।

ଆସ୍ଥିତେନ ପରାଂ କାଷ୍ଠାମଚିରାଦବରୋତ୍ସ୍ୟସି ॥ ୧୦॥

କପିଳଦେବ କହିଲେ – ହେ ମାତା ! ମୁଁ ତୁମକୁ ଏହି ଯେଉଁ ସୁଗମ ମାର୍ଗ ନିର୍ଦ୍ଦେଶ କଲି, ଏହାର ଅବଲମ୍ବନ ଗ୍ରହଣ କରି ତୁମେ ଅତି ଶୀଘ୍ର ପରମପଦ ପ୍ରାପ୍ତ କରି ପାରିବ |

ଶ୍ରଦ୍ଧତ୍ସ୍ୱୈତନ୍ମତଂ ମହ୍ୟଂ ଜୁଷ୍ଟଂ ଯଦ୍ବ୍ରହ୍ମବାଦିଭିଃ ।

ଯେନ ମାମଭବଂ ଯାୟା ମୃତ୍ୟୁମୃଚ୍ଛନ୍ତ୍ୟତଦ୍ୱିଦଃ ॥ ୧୧॥

ମୋର ଏହି ମତକୁ ତୁମେ ବିଶ୍ବାସ କର, ବ୍ରହ୍ମବାଦୀମାନେ ଏହାର ସେବନ କରନ୍ତି; ଏହା ଦ୍ବାରା ତୁମେ ମୋର ଜନ୍ମ-ମରଣରହିତ ସ୍ଵରୂପକୁ ପ୍ରାପ୍ତ କରିନେବ | ଯେଉଁମାନେ ମୋର ଏହି ମତକୁ ଜାଣନ୍ତି ନାହିଁ, ସେମାନେ ଜନ୍ମ-ମୃତ୍ୟୁର ଚକ୍ରରେ ପଡନ୍ତି |

ମୈତ୍ରେୟ ଉବାଚ

ଇତି ପ୍ରଦର୍ଶ୍ୟ ଭଗବାନ୍ ସତୀଂ ତାମାତ୍ମନୋ ଗତିମ୍ ।

ସ୍ୱମାତ୍ରା ବ୍ରହ୍ମବାଦିନ୍ୟା କପିଲୋଽନୁମତୋ ଯୟୌ ॥ ୧୨॥

ମୈତ୍ରେୟ କହୁଛନ୍ତି – ଏହିପରି ଭାବରେ ନିଜର ଶ୍ରେଷ୍ଠ ଆତ୍ମଜ୍ଞାନ ଉପଦେଶ ପ୍ରଦାନ କରି ଶ୍ରୀକପିଳଦେବ ନିଜ ବ୍ରହ୍ମବାଦିନୀ ଜନନୀଙ୍କଠାରୁ ଅନୁମତି ନେଇ ସେଠାରୁ ପ୍ରସ୍ଥାନ କଲେ |

ସା ଚାପି ତନୟୋକ୍ତେନ ଯୋଗାଦେଶେନ ଯୋଗୟୁକ୍ ।

ତସ୍ମିନ୍ନାଶ୍ରମ ଆପୀଡେ ସରସ୍ୱତ୍ୟାଃ ସମାହିତା ॥ ୧୩॥

ତାପରେ ମାତା ଦେବହୂତି ସରସ୍ବତୀର ମୁକୁଟସଦୃଶ ନିଜ ଆଶ୍ରମରେ, ନିଜ ପୁତ୍ର ଦ୍ବାରା ଉପଦେଶିତ ଯୋଗସାଧନ ଦ୍ବାରା ଯୋଗାଭ୍ୟାସ କରି ସମାଧିରେ ସ୍ଥିତ ହୋଇଗଲେ |

ଅଭୀକ୍ଷ୍ଣାବଗାହକପିଶାନ୍ ଜଟିଲାନ୍ କୁଟିଲାଲକାନ୍ ।

ଆତ୍ମାନଂ ଚୋଗ୍ରତପସା ବିଭ୍ରତୀ ଚୀରିଣଂ କୃଶମ୍ ॥ ୧୪॥

ତ୍ରିକାଳ ସ୍ନାନ କରି ତାଙ୍କର କୁଞ୍ଚିତ ଅଳକାବଳୀ ମୋଟା-ମୋଟା ଜଟାରେ ପରିଣତ ହୋଇଗଲା ତଥା ଉଗ୍ର ତପସ୍ୟା ଯୋଗୁଁ ସୂତା-ବସ୍ତ୍ରରେ ଆବୃତ ତାଙ୍କର ଶରୀର ଦୁର୍ବଳ ହୋଇଗଲା |

ପ୍ରଜାପତେଃ କର୍ଦମସ୍ୟ ତପୋୟୋଗବିଜୃମ୍ଭିତମ୍ ।

ସ୍ୱଗାର୍ହସ୍ଥ୍ୟମନୌପମ୍ୟଂ ପ୍ରାର୍ଥ୍ୟଂ ବୈମାନିକୈରପି ॥ ୧୫॥

ସେ କର୍ଦମ ପ୍ରଜାପତିଙ୍କର ତପ ଏବଂ ଯୋଗବଳ ଦ୍ବାରା ପ୍ରାପ୍ତ ଅନୁପମ ଗାର୍ହସ୍ଥ୍ୟସୁଖ, ଯାହା ନିମନ୍ତେ ଦେବତାମାନେ ମଧ୍ୟ ଲାଳାୟିତ ରହନ୍ତି, ତ୍ୟାଗ କରିଦେଲେ |

 ପୟଃଫେନନିଭାଃ ଶୟ୍ୟା ଦାନ୍ତା ରୁକ୍ମପରିଚ୍ଛଦାଃ ।

ଆସନାନି ଚ ହୈମାନି ସୁସ୍ପର୍ଶାସ୍ତରଣାନି ଚ ॥ ୧୬॥

ସ୍ୱଚ୍ଛସ୍ଫଟିକକୁଡ୍ୟେଷୁ ମହାମାରକତେଷୁ ଚ ।

ରତ୍ନପ୍ରଦୀପା ଆଭାନ୍ତି ଲଲନାରତ୍ନସଂୟୁତାଃ ॥ ୧୭॥

ଗୃହୋଦ୍ୟାନଂ କୁସୁମିତୈ ରମ୍ୟଂ ବହ୍ୱମରଦ୍ରୁମୈଃ ।

କୂଜଦ୍ୱିହଙ୍ଗମିଥୁନଂ ଗାୟନ୍ ମତ୍ତମଧୁବ୍ରତମ୍ ॥ ୧୮॥

ଯତ୍ର ପ୍ରବିଷ୍ଟମାତ୍ମାନଂ ବିବୁଧାନୁଚରା ଜଗୁଃ ।

ବାପ୍ୟାମୁତ୍ପଲଗନ୍ଧିନ୍ୟାଂ କର୍ଦମେନୋପଲାଲିତମ୍ ॥ ୧୯॥

ହିତ୍ୱା ତଦୀପ୍ସିତତମମପ୍ୟାଖଣ୍ଡଲୟୋଷିତାମ୍ ।

କିଞ୍ଚିଚ୍ଚକାର ବଦନଂ ପୁତ୍ରବିଶ୍ଲେଷଣାତୁରା ॥ ୨୦॥

ଦୁଗ୍ଧଫେଣ ପରି ସ୍ବଚ୍ଛ-ସୁକୋମଳ ଶଯ୍ୟାଯୁକ୍ତ ହାତୀଦାନ୍ତର ପଲଙ୍କ, ସୁବର୍ଣ୍ଣ ପାତ୍ର, ସୁବର୍ଣ୍ଣ ସିଂହାସନ ଏବଂ ତା ଉପରେ କୋମଳ-କୋମଳ ଗଦ୍ଦି ବିଛା ହୋଇଥିଲା | ସ୍ବଚ୍ଛ ସ୍ଫଟିକମଣି ଓ ମର୍କତମଣିର କାନ୍ଥମାନଙ୍କରେ ରତ୍ନନିର୍ମିତ ରମଣୀ-ମୂର୍ତ୍ତି ସହିତ ମଣିମୟ ଦୀପ ଝଲସିଵାରେ ଲାଗିଥିଲା | ତାହା ପୁଷ୍ପମଣ୍ଡିତ ଅନେକ ଦିବ୍ୟ ବୃକ୍ଷରେ ସୁଶୋଭିତ ଥିଲା, ଯାହା ଭିନ୍ନ ଭିନ୍ନ ପକ୍ଷୀମାନଙ୍କର କଳରବ ଏବଂ ଉନ୍ମତ୍ତ ଭ୍ରମରମାନଙ୍କର ଗୁଞ୍ଜରଣରେ ମୁଖରିତ ହେଉଥିଲା | ସେଠାରେ କମଳଗନ୍ଧରେ ସୁବାସିତ ଜଳାଶୟରେ କର୍ଦମ ମୁନିଙ୍କ ସହିତ ତାଙ୍କର ସ୍ନେହ-ଆଦର ପ୍ରାପ୍ତ କରି କ୍ରୀଡା ନିମନ୍ତେ ପ୍ରବେଶ କରୁଥିବା ଦେବହୂତିଙ୍କର ଗନ୍ଧର୍ବମାନେ ଗୁଣଗାନ କରୁଥିଲେ ଏବଂ ସେହି ସୁଖ ପ୍ରାପ୍ତ କରିବା ପାଇଁ ଇନ୍ଦ୍ରାଣୀ ଆଦି ମଧ୍ୟ ଲାଳାୟିତ ରହୁଥିଲେ – ଏହିପରି ଯେଉଁ ଗୃହଉଦ୍ୟାନ ଥିଲା, ତାହାର ମମତାକୁ ମଧ୍ୟ ସେ ତ୍ୟାଗ କରିଦେଲେ | କିନ୍ତୁ ପୁତ୍ରବିୟୋଗଜନିତ ବ୍ୟାକୁଳତାରେ ତାଙ୍କର ମୁଖ ଉଦାସ ରହିଥିଲା |

ବନଂ ପ୍ରବ୍ରଜିତେ ପତ୍ୟାବପତ୍ୟବିରହାତୁରା ।

ଜ୍ଞାତତତ୍ତ୍ୱାପ୍ୟଭୂନ୍ନଷ୍ଟେ ବତ୍ସେ ଗୌରିବ ବତ୍ସଲା ॥ ୨୧॥

ପତିଦେବଙ୍କର ବନଗମନ ପରେ ପୁତ୍ରର ମଧ୍ୟ ବିୟୋଗ ଘଟିବାରୁ ଆତ୍ମଜ୍ଞାନସମ୍ପନ୍ନ ହୋଇଥିଲେ ବି ବାଛୁରୀର ବିୟୋଗରେ ସ୍ନେହମୟୀ ଗୌମାତା ପରି ସେ ବ୍ୟାକୁଳ ହୋଇ ଉଠିଲେ |

ତମେବ ଧ୍ୟାୟତୀ ଦେବମପତ୍ୟଂ କପିଲଂ ହରିମ୍ ।

ବଭୂବାଚିରତୋ ବତ୍ସ ନିଃସ୍ପୃହା ତାଦୃଶେ ଗୃହେ ॥ ୨୨॥

ହେ ବିଦୁର ! ନିଜ ପୁତ୍ର କପିଳଦେବରୂପ ଭଗବାନ ଶ୍ରୀହରିଙ୍କର ହିଁ ଚିନ୍ତନ କରି କରି ସେ ଅଳ୍ପ କିଛି ଦିନରେ ଏପରି ଐଶ୍ବର୍ଯ୍ୟସମ୍ପନ୍ନ ଗୃହରୁ ମଧ୍ୟ ଉପରତ ହୋଇଗଲେ |

ଧ୍ୟାୟତୀ ଭଗବଦ୍ରୂପଂ ଯଦାହ ଧ୍ୟାନଗୋଚରମ୍ ।

ସୁତଃ ପ୍ରସନ୍ନବଦନଂ ସମସ୍ତବ୍ୟସ୍ତଚିନ୍ତୟା ॥ ୨୩॥

ତାପରେ କପିଳଦେବ ଭଗବାନଙ୍କର ଧ୍ୟାନ କରିବା ଯୋଗ୍ୟ ଯେଉଁ ପ୍ରସନ୍ନବଦନାରବିନ୍ଦଯୁକ୍ତ ସ୍ବରୂପର ବର୍ଣ୍ଣନ କରିଥିଲେ, ସେ ତାହାର ପ୍ରତ୍ୟେକ ଅବୟବ ତଥା ତାଙ୍କର ସମଗ୍ର ରୂପର ଚିନ୍ତନ କରି ଧ୍ୟାନମଗ୍ନ ହୋଇଗଲେ |

ଭକ୍ତିପ୍ରବାହୟୋଗେନ ବୈରାଗ୍ୟେଣ ବଲୀୟସା ।

ଯୁକ୍ତାନୁଷ୍ଠାନଜାତେନ ଜ୍ଞାନେନ ବ୍ରହ୍ମହେତୁନା ॥ ୨୪॥

ବିଶୁଦ୍ଧେନ ତଦାଽଽତ୍ମାନମାତ୍ମନା ବିଶ୍ୱତୋମୁଖମ୍ ।

ସ୍ୱାନୁଭୂତ୍ୟା ତିରୋଭୂତମାୟାଗୁଣବିଶେଷଣମ୍ ॥ ୨୫॥

ଭଗବଦ୍-ଭକ୍ତିର ପ୍ରବାହ, ପ୍ରବଳ ବୈରାଗ୍ୟ ଏବଂ ଯଥୋଚିତ କର୍ମାନୁଷ୍ଠାନ ଦ୍ବାରା ଉତ୍ପନ୍ନ ହୋଇଥିବା ବ୍ରହ୍ମ ସାକ୍ଷାତକାର କରାଉଥିବା ଜ୍ଞାନ ଦ୍ବାରା ଚିତ୍ତ ଶୁଦ୍ଧ ହୋଇଯିବା ପରେ ସେ ସେହି ସର୍ବବ୍ୟାପକ ଆତ୍ମାର ଧ୍ୟାନରେ ମଗ୍ନ ହୋଇଗଲେ, ଯିଏ ନିଜ ସ୍ବରୂପର ପ୍ରକାଶରେ ମାୟାଜନିତ ଆବରଣକୁ ଦୂର କରିଦିଅନ୍ତି |

ବ୍ରହ୍ମଣ୍ୟବସ୍ଥିତମତିର୍ଭଗବତ୍ୟାତ୍ମସଂଶ୍ରୟେ ।

ନିବୃତ୍ତଜୀବାପତ୍ତିତ୍ୱାତ୍କ୍ଷୀଣକ୍ଲେଶାପ୍ତନିର୍ୱୃତିଃ ॥ ୨୬॥

ଏହିପରି ଭାବରେ ଜୀବର ଅଧିଷ୍ଠାନଭୂତ ପରବ୍ରହ୍ମ ଶ୍ରୀଭଗବାନଙ୍କଠାରେ ବୁଦ୍ଧିର ସ୍ଥିତି ହୋଇଯିବାରୁ ତାଙ୍କର ଜୀବଭାବ ନିବୃତ୍ତ ହୋଇଗଲା ଏବଂ ସେ ସମସ୍ତ କ୍ଲେଶରୁ ମୁକ୍ତ ହୋଇ ପରମାନନ୍ଦରେ ନିମଗ୍ନ ହୋଇଗଲେ |

ନିତ୍ୟାରୂଢସମାଧିତ୍ୱାତ୍ପରାବୃତ୍ତଗୁଣଭ୍ରମା ।

ନ ସସ୍ମାର ତଦାଽଽତ୍ମାନଂ ସ୍ୱପ୍ନେ ଦୃଷ୍ଟମିବୋତ୍ଥିତଃ ॥ ୨୭॥

ନିରନ୍ତର ସମାଧିସ୍ଥ ରହିବା କାରଣରୁ ବିଷୟର ସତ୍ୟତାଜନିତ ତାଙ୍କର ଭ୍ରାନ୍ତି ସମାପ୍ତ ହୋଇଗଲା ଏବଂ ନିଜ ଶରୀରର ସୁଧି ମଧ୍ୟ ତାଙ୍କର ରହିଲା ନାହିଁ – ଠିକ୍ ଯେପରି ଜାଗ୍ରତ ହେବା ପରେ ପୁରୁଷର ସ୍ବପ୍ନରେ ଦେଖିଥିବା ଶରୀରର କୌଣସି ଜ୍ଞାନ ରହେ ନାହିଁ |

ତଦ୍ଦେହଃ ପରତଃ ପୋଷୋଽପ୍ୟକୃଶଶ୍ଚାଧ୍ୟସମ୍ଭବାତ୍ ।

ବଭୌ ମଲୈରବଚ୍ଛନ୍ନଃ ସଧୂମ ଇବ ପାବକଃ ॥ ୨୮॥

ସ୍ୱାଙ୍ଗଂ ତପୋୟୋଗମୟଂ ମୁକ୍ତକେଶଂ ଗତାମ୍ବରମ୍ ।

ଦୈବଗୁପ୍ତଂ ନ ବୁବୁଧେ ବାସୁଦେବପ୍ରବିଷ୍ଟଧୀଃ ॥ ୨୯॥

ତାଙ୍କ ଶରୀରର ପୋଷଣ ମଧ୍ୟ ଅନ୍ୟମାନଙ୍କ ଦ୍ବାରା ହେଉଥାଏ | କିନ୍ତୁ କୌଣସି ପ୍ରକାରର ମାନସିକ କ୍ଲେଶ ନ ଥିବା କାରଣରୁ ତାହା ଦୁର୍ବଳ ହେଉ ନ ଥାଏ | ତାହାର ତେଜ ଅଧିକ ବୃଦ୍ଧି ଲାଭ କଲା ଏବଂ ଅସନା ହୋଇଥିବା କାରଣରୁ ତାହା ଧୂମଯୁକ୍ତ ଅଗ୍ନି ସଦୃଶ ସୁଶୋଭିତ ହେବାରେ ଲାଗିଲା | ତାଙ୍କର କେଶ ବିଚ୍ଛୁରିତ ହୋଇ ଯାଇଥିଲା ଏବଂ ବସ୍ତ୍ର ମଧ୍ୟ ତଳକୁ ଖସି ପଡିଥିଲା; ତଥାପି ଚିତ୍ତ ନିରନ୍ତର ଶ୍ରୀଭଗବାନଙ୍କଠାରେ ସଂଲଗ୍ନ ରହିଥିବା କାରଣରୁ ନିଜ ତପୋଯୋଗମୟ ଶରୀରର କୌଣସି ସୁଧି ତାଙ୍କର ନ ଥିଲା, କେବଳ ପ୍ରାରବ୍ଧ ହିଁ ତାର ରକ୍ଷା କରୁଥିଲା |

ଏବଂ ସା କପିଲୋକ୍ତେନ ମାର୍ଗେଣାଚିରତଃ ପରମ୍ ।

ଆତ୍ମାନଂ ବ୍ରହ୍ମନିର୍ୱାଣଂ ଭଗବନ୍ତମବାପ ହ ॥ ୩୦॥

ହେ ବିଦୁର ! ଏହିପରି ଭାବରେ କପିଳଦେବଙ୍କ ଦ୍ବାରା ନିର୍ଦ୍ଦେଶିତ ମାର୍ଗରେ ଦେବହୂତି ସ୍ବଳ୍ପ ସମୟରେ ହିଁ ନିତ୍ୟମୁକ୍ତ ପରମାତ୍ମସ୍ବରୂପ ଶ୍ରୀଭଗବାନଙ୍କୁ ପ୍ରାପ୍ତ କରିନେଲେ |

ତଦ୍ୱୀରାସୀତ୍ପୁଣ୍ୟତମଂ କ୍ଷେତ୍ରଂ ତ୍ରୈଲୋକ୍ୟବିଶ୍ରୁତମ୍ ।

ନାମ୍ନା ସିଦ୍ଧପଦଂ ଯତ୍ର ସା ସଂସିଦ୍ଧିମୁପେୟୁଷୀ ॥ ୩୧॥

ଯେଉଁ ସ୍ଥାନରେ ତାଙ୍କୁ ସିଦ୍ଧି ପ୍ରାପ୍ତ ହୋଇଥିଲା, ସେହି ପରମ ପବିତ୍ର କ୍ଷେତ୍ର ତ୍ରିଲୋକୀରେ ‘ସିଦ୍ଧପଦ ନାମରେ ବିଖ୍ୟାତ ହେଲା |

ତସ୍ୟାସ୍ତଦ୍ୟୋଗବିଧୁତମାର୍ତ୍ୟଂ ମର୍ତ୍ୟମଭୂତ୍ସରିତ୍ ।

ସ୍ରୋତସାଂ ପ୍ରବରା ସୌମ୍ୟ ସିଦ୍ଧିଦା ସିଦ୍ଧସେବିତା ॥ ୩୨॥

ହେ ସାଧୁସ୍ବଭାବ ବିଦୁର ! ଯୋଗସାଧନା ଦ୍ବାରା ତାଙ୍କ ଶରୀରର ସମସ୍ତ ଦୈହିକ ମଳ ଦୂର ହୋଇ ଯାଇଥିଲା | ତାହା ଏକ ନଦୀ ରୂପରେ ପରିଣତ ହୋଇଗଲା, ଯାହା ସିଦ୍ଧଗଣଙ୍କ ଦ୍ବାରା ସେବିତ ଏବଂ ସବୁ ପ୍ରକାରର ସିଦ୍ଧି ପ୍ରଦାୟକ ଅଟେ |

କପିଲୋଽପି ମହାୟୋଗୀ ଭଗବାନ୍ ପିତୁରାଶ୍ରମାତ୍ ।

ମାତରଂ ସମନୁଜ୍ଞାପ୍ୟ ପ୍ରାଗୁଦୀଚୀଂ ଦିଶଂ ଯୟୌ ॥ ୩୩॥

ମହାଯୋଗୀ ଭଗବାନ କପିଳ ମାତାଙ୍କଠାରୁ ଅନୁମତି ନେଇ ପିତାଙ୍କ ଆଶ୍ରମଠାରୁ ଈଶାନକୋଣ ଅଭିମୁଖରେ ଚାଲିଗଲେ |

ସିଦ୍ଧଚାରଣଗନ୍ଧର୍ୱୈର୍ମୁନିଭିଶ୍ଚାପ୍ସରୋଗଣୈଃ ।

ସ୍ତୂୟମାନଃ ସମୁଦ୍ରେଣ ଦତ୍ତାର୍ହଣନିକେତନଃ ॥ ୩୪॥

ଆସ୍ତେ ଯୋଗଂ ସମାସ୍ଥାୟ ସାଙ୍ଖ୍ୟାଚାର୍ୟୈରଭିଷ୍ଟୁତଃ ।

ତ୍ରୟାଣାମପି ଲୋକାନାମୁପଶାନ୍ତ୍ୟୈ ସମାହିତଃ ॥ ୩୫॥

ସେଠାରେ ସ୍ବୟଂ ସମୁଦ୍ର ତାଙ୍କର ପୂଜନ କରି ତାଙ୍କୁ ସ୍ଥାନ ପ୍ରଦାନ କଲା | ସେ ତ୍ରିଲୋକକୁ ଶାନ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଯୋଗମାର୍ଗର ଅବଲମ୍ବନ ଗ୍ରହଣ କରି ସମାଧିସ୍ଥ ହୋଇଗଲେ | ସିଦ୍ଧ, ଚାରଣ, ଗନ୍ଧର୍ବ, ମୁନି ଏବଂ ଅପ୍ସରାଗଣ ତାଙ୍କର ସ୍ତୁତି କରନ୍ତି ତଥା ସାଂଖ୍ୟାଚାର୍ଯ୍ୟଗଣ ମଧ୍ୟ ସବୁ ପ୍ରକାରରେ ତାଙ୍କର ସ୍ତବନ କରୁଥାଆନ୍ତି |

ଏତନ୍ନିଗଦିତଂ ତାତ ଯତ୍ପୃଷ୍ଟୋଽହଂ ତବାନଘ ।

କପିଲସ୍ୟ ଚ ସମ୍ବାଦୋ ଦେବହୂତ୍ୟାଶ୍ଚ ପାବନଃ ॥ ୩୬॥

ହେ ନିଷ୍ପାପ ବିଦୁର ! ତୁମର ପ୍ରଶ୍ନ କ୍ରମେ ମୁଁ ତୁମକୁ ଭଗବାନ କପିଳ ଏବଂ ଦେବହୂତିଙ୍କର ଏହି ପରମ ପବିତ୍ର ସମ୍ବାଦ ଶୁଣାଇଲି |

ଯ ଇଦମନୁଶୃଣୋତି ଯୋଽଭିଧତ୍ତେ

କପିଲମୁନେର୍ମତମାତ୍ମୟୋଗଗୁହ୍ୟମ୍ ।

ଭଗବତି କୃତଧୀଃ ସୁପର୍ଣକେତା-

ବୁପଲଭତେ ଭଗବତ୍ପଦାରବିନ୍ଦମ୍ ॥ ୩୭॥

କପିଳଦେବଙ୍କର ଏହି ଦର୍ଶନ ଅଧ୍ୟାତ୍ମଯୋଗର ଗୂଢ଼ ରହସ୍ୟ ଅଟେ | ଯେଉଁ ପୁରୁଷ ଏହାର ଶ୍ରବଣ ଅଥବା ବର୍ଣ୍ଣନ କରନ୍ତି, ସେ ଭଗବାନ ଗରୁଡ଼ଧ୍ବଜଙ୍କ ଭକ୍ତିରେ ଯୁକ୍ତ ହୋଇ ଶୀଘ୍ର ହିଁ ଶ୍ରୀହରିଙ୍କ ଚରଣାରବିନ୍ଦକୁ ପ୍ରାପ୍ତ କରିଥାଆନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସକ୍ୟାମଷ୍ଟାଦଶସାହସ୍ର୍ୟାଂ

ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ କାପିଲେୟୋପାଖ୍ୟାନେ

ତ୍ରୟସ୍ତ୍ରିଂଶତ୍ତମୋଽଧ୍ୟାୟଃ ॥ ୩୩॥

ଇତି ତୃତୀୟସ୍କନ୍ଧଃ ସମାପ୍ତଃ ॥

ଓଁ ତତ୍ସତ୍

Comments

Popular posts from this blog