ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ପ୍ରଥମ ଅଧ୍ୟାୟ
ସ୍ବାୟମ୍ଭୂବ ମନୁଙ୍କ କନ୍ୟାମାନଙ୍କର ବଂଶ ଚରିତ
ମୈତ୍ରେୟ ଉବାଚ
ମନୋସ୍ତୁ ଶତରୂପାୟାଂ ତିସ୍ରଃ କନ୍ୟାଶ୍ଚ ଜଜ୍ଞିରେ ।
ଆକୂତିର୍ଦେବହୂତିଶ୍ଚ ପ୍ରସୂତିରିତି ବିଶ୍ରୁତାଃ ॥ ୧॥
ମୈତ୍ରେୟ ମୁନି କହୁଛନ୍ତି – ହେ ବିଦୁର ! ସ୍ବାୟମ୍ଭୂବ ମନୁଙ୍କର
ମହାରାଣୀ ଶତରୂପାଙ୍କଠାରୁ ପ୍ରିୟବ୍ରତ ଏବଂ ଉତ୍ତାନପାଦ – ଏହି ଦୁଇ ପୁତ୍ର ଅତିରିକ୍ତ ତିନୋଟି
କନ୍ୟା ସନ୍ତାନ ମଧ୍ୟ ଉତ୍ପନ୍ନ ହୋଇଥିଲେ; ସେମାନେ ଆକୂତି, ଦେବହୂତି ଏବଂ ପ୍ରସୂତି ନାମରେ ବିଖ୍ୟାତ ଥିଲେ |
ଆକୂତିଂ ରୁଚୟେ ପ୍ରାଦାଦପି ଭ୍ରାତୃମତୀଂ ନୃପଃ ।
ପୁତ୍ରିକାଧର୍ମମାଶ୍ରିତ୍ୟ ଶତରୂପାନୁମୋଦିତଃ ॥ ୨॥
ଯଦିଓ ସେ ତାଙ୍କର ଭାଇ ଥିଲେ,
ତଥାପି ମହାରାଣୀ ଶତରୂପାଙ୍କର ଅନୁମତି ନେଇ ମନୁ ମହାରାଜ ଆକୂତିଙ୍କର ବିବାହ ‘ପୁତ୍ରିକାଧର୍ମ’ ଅନୁସାରେ ରୁଚି ପ୍ରଜାପତିଙ୍କ ସହିତ କରାଇ ଥିଲେ | (ପୁତ୍ରିକାଧର୍ମ
ଅନୁସାରେ କରାଯାଉ ଥିବା ବିବାହରେ ଏହି ଶର୍ତ୍ତ ରହିଥାଏ ଯେ କନ୍ୟାର ପ୍ରଥମ ପୁତ୍ରକୁ କନ୍ୟାର
ପିତା ନେଇଯିବେ |)
ପ୍ରଜାପତିଃ ସ ଭଗବାନ୍ ରୁଚିସ୍ତସ୍ୟାମଜୀଜନତ୍ ।
ମିଥୁନଂ ବ୍ରହ୍ମବର୍ଚସ୍ୱୀ ପରମେଣ ସମାଧିନା ॥ ୩॥
ପ୍ରଜାପତି ରୁଚି ଭଗବାନଙ୍କର ଅନନ୍ୟ ଚିନ୍ତନ କାରଣରୁ ବ୍ରହ୍ମତେଜରେ
ସମ୍ପନ୍ନ ଥିଲେ | ସେ ଆକୂତିଙ୍କ ଗର୍ଭରୁ ସ୍ତ୍ରୀ-ପୁରୁଷର ଏକ ଯୋଡା ଉତ୍ପନ୍ନ କଲେ |
ଯସ୍ତୟୋଃ ପୁରୁଷଃ ସାକ୍ଷାଦ୍ୱିଷ୍ଣୁର୍ୟଜ୍ଞସ୍ୱରୂପଧୃକ୍ ।
ଯା ସ୍ତ୍ରୀ ସା ଦକ୍ଷିଣା ଭୂତେରଂଶଭୂତାନପାୟିନୀ ॥ ୪॥
ତନ୍ମଧ୍ୟରୁ ପୁରୁଷ ସନ୍ତାନ ସାକ୍ଷାତ୍ ଯଜ୍ଞସ୍ବରୂପଧାରୀ ଭଗବାନ
ବିଷ୍ଣୁ ଥିଲେ ଏବଂ ସ୍ତ୍ରୀ ସନ୍ତାନଟି ଭଗବାନଙ୍କଠାରୁ କେବେ ପୃଥକ୍ ରହୁ ନ ଥିବା ଲକ୍ଷ୍ମୀଙ୍କର ଅଂଶସ୍ବରୂପା
‘ଦକ୍ଷିଣା’ ଥିଲେ |
ଆନିନ୍ୟେ ସ୍ୱଗୃହଂ ପୁତ୍ର୍ୟାଃ ପୁତ୍ରଂ ବିତତରୋଚିଷମ୍ ।
ସ୍ୱାୟମ୍ଭୁବୋ ମୁଦା ଯୁକ୍ତୋ ରୁଚିର୍ଜଗ୍ରାହ ଦକ୍ଷିଣାମ୍ ॥ ୫॥
ନିଜ ପୁତ୍ରୀ ଆକୂତିଙ୍କର ସେହି ପରମ ତେଜସ୍ବୀ ପୁତ୍ରକୁ ମନୁ ମହାରାଜ
ଅତି ପ୍ରସନ୍ନ ହୋଇ ନିଜ ଘରକୁ ନେଇ ଆସିଲେ ଏବଂ ଦକ୍ଷିଣାଙ୍କୁ ରୁଚି ପ୍ରଜାପତି ନିଜ ପାଖରେ
ରଖିଲେ |
ତାଂ କାମୟାନାଂ ଭଗବାନୁବାହ ଯଜୁଷାଂ ପତିଃ ।
ତୁଷ୍ଟାୟାଂ ତୋଷମାପନ୍ନୋଽଜନୟଦ୍ଦ୍ୱାଦଶାତ୍ମଜାନ୍ ॥ ୬॥
ଦକ୍ଷିଣା ଯେତେବେଳେ ବିବାହଯୋଗ୍ୟା ହେଲେ ସେ ଯଜ୍ଞ ଭଗବାନଙ୍କୁ ହିଁ
ପତିରୂପରେ ପ୍ରାପ୍ତ କରିବାକୁ ଇଚ୍ଛା କଲେ ଏବଂ ଭଗବାନ ଯଜ୍ଞପୁରୁଷ ତାଙ୍କୁ ବିବାହ କଲେ |
ତଦ୍ବାରା ଦକ୍ଷିଣା ଅତିଶୟ ସନ୍ତୋଷ ଲାଭ କଲେ ଏବଂ ଭଗବାନ ମଧ୍ୟ ପ୍ରସନ୍ନ ହୋଇ ତାଙ୍କଠାରୁ ବାରଟି
ପୁତ୍ର ଉତ୍ପନ୍ନ କଲେ |
ତୋଷଃ ପ୍ରତୋଷଃ ସନ୍ତୋଷୋ ଭଦ୍ରଃ ଶାନ୍ତିରିଡସ୍ପତିଃ ।
ଇଧ୍ମଃ କବିର୍ୱିଭୁଃ ସ୍ୱହ୍ନଃ ସୁଦେବୋ ରୋଚନୋ ଦ୍ୱିଷଟ୍ ॥ ୭॥
ସେମାନଙ୍କର ନାମ ଥିଲା – ତୋଷ,
ପ୍ରତୋଷ, ସନ୍ତୋଷ, ଭଦ୍ର, ଶାନ୍ତି, ଇଡସ୍ପତି, ଇଧ୍ମ, କବି, ବିଭୁ, ସ୍ବହ୍ବ, ସୁଦେବ ଏବଂ
ରୋଚନ |
ତୁଷିତା ନାମ ତେ ଦେବା ଆସନ୍ ସ୍ୱାୟମ୍ଭୁବାନ୍ତରେ ।
ମରୀଚିମିଶ୍ରା ଋଷୟୋ ଯଜ୍ଞଃ ସୁରଗଣେଶ୍ୱରଃ ॥ ୮॥
ପ୍ରିୟବ୍ରତୋତ୍ତାନପାଦୌ ମନୁପୁତ୍ରୌ ମହୌଜସୌ ।
ତତ୍ପୁତ୍ରପୌତ୍ରନପ୍ତୄଣାମନୁବୃତ୍ତଂ ତଦନ୍ତରମ୍ ॥ ୯॥
ସ୍ବାୟମ୍ଭୂବ ମନ୍ବନ୍ତରରେ ଏମାନେ ହିଁ ‘ତୁଷିତ’ ନାମକ ଦେବତା ହେଲେ |
ସେହି ମନ୍ବନ୍ତରରେ ମରୀଚି ଆଦି ସପ୍ତର୍ଷି ଥିଲେ,
ଭଗବାନ ଯଜ୍ଞ ହିଁ ଦେବତାମାନଙ୍କର ଅଧୀଶ୍ବର ଇନ୍ଦ୍ର ଥିଲେ ଏବଂ ମହାନ୍ ପ୍ରଭାବଶାଳୀ ପ୍ରିୟବ୍ରତ
ଏବଂ ଉତ୍ତାନପାଦ ମନୁପୁତ୍ର ଥିଲେ | ସେହି ଦୁହିଁଙ୍କର ପୁତ୍ର, ପୌତ୍ର ଏବଂ ଦୌହିତ୍ରଙ୍କ ବଂଶରେ ସେହି ମନ୍ବନ୍ତର ଭରିଯାଇ ଥିଲା |
ଦେବହୂତିମଦାତ୍ତାତ କର୍ଦମାୟାତ୍ମଜାଂ ମନୁଃ ।
ତତ୍ସମ୍ବନ୍ଧି ଶ୍ରୁତପ୍ରାୟଂ ଭବତା ଗଦତୋ ମମ ॥ ୧୦॥
ପ୍ରିୟ ବିଦୁର ! ମନୁ ମହାରାଜ ନିଜର ଦ୍ବିତୀୟ କନ୍ୟା ଦେବହୂତିଙ୍କର
ବିବାହ କର୍ଦମ ପ୍ରଜାପତିଙ୍କ ସହିତ କରାଇ ଥିଲେ | ତାଙ୍କ ସମ୍ବନ୍ଧରେ ପ୍ରାୟ ସବୁ କଥା ତୁମେ
ମୋଠାରୁ ଶୁଣି ସାରିଛ |
ଦକ୍ଷାୟ ବ୍ରହ୍ମପୁତ୍ରାୟ ପ୍ରସୂତିଂ ଭଗବାନ୍ ମନୁଃ ।
ପ୍ରାୟଚ୍ଛଦ୍ୟତ୍କୃତଃ ସର୍ଗସ୍ତ୍ରିଲୋକ୍ୟାଂ ବିତତୋ ମହାନ୍ ॥ ୧୧॥
ଭଗବାନ ମନୁ ନିଜର ତୃତୀୟ କନ୍ୟା ପ୍ରସୂତିଙ୍କର ବିବାହ ବ୍ରହ୍ମାଙ୍କର
ପୁତ୍ର ଦକ୍ଷ ପ୍ରଜାପତିଙ୍କ ସହିତ କରାଇ ଥିଲେ; ତାଙ୍କର ବିଶାଳ ବଂଶପରମ୍ପରା ତ ତ୍ରିଲୋକରେ
ସର୍ବତ୍ର ବିସ୍ତାର ଲାଭ କରିଥିଲା |
ଯାଃ କର୍ଦମସୁତାଃ ପ୍ରୋକ୍ତା ନବ ବ୍ରହ୍ମର୍ଷିପତ୍ନୟଃ ।
ତାସାଂ ପ୍ରସୂତିପ୍ରସବଂ ପ୍ରୋଚ୍ୟମାନଂ ନିବୋଧ ମେ ॥ ୧୨॥
କର୍ଦମ ମୁନିଙ୍କର ନଅଟି କନ୍ୟା,
ଯେଉଁମାନଙ୍କର ବିବାହ ସେ ନଅଜଣ ବ୍ରହ୍ମର୍ଷିଙ୍କ ସହିତ କରାଇ ଥିଲେ, ସେହି ସବୁ ବିଷୟ ପୂର୍ବରୁ ମୁଁ କହିସାରିଛି | ଏବେ ମୁଁ ସେମାନଙ୍କର
ବଂଶପରମ୍ପରା ବର୍ଣ୍ଣନା କରୁଛି, ଶୁଣ |
ପତ୍ନୀ ମରୀଚେସ୍ତୁ କଲା ସୁଷୁବେ କର୍ଦମାତ୍ମଜା ।
କଶ୍ୟପଂ ପୂର୍ଣିମାନଂ ଚ ଯୟୋରାପୂରିତଂ ଜଗତ୍ ॥ ୧୩॥
କର୍ଦମ ମୁନିଙ୍କର ପୁତ୍ରୀ କଳାଙ୍କଠାରୁ ମରୀଚି ଋଷିଙ୍କ ଦ୍ବାରା
କଶ୍ୟପ ଏବଂ ପୂର୍ଣ୍ଣିମା ନାମକ ଦୁଇ ପୁତ୍ର ଜାତ ହୋଇଥିଲେ,
ଯେଉଁମାନଙ୍କର ବଂଶରେ ଏହି ସାରା ଜଗତ ଭରିଯାଇଛି |
ପୂର୍ଣିମାସୂତ ବିରଜଂ ବିଶ୍ୱଗଂ ଚ ପରନ୍ତପ ।
ଦେବକୁଲ୍ୟାଂ ହରେଃ ପାଦଶୌଚାଦ୍ୟାଭୂତ୍ସରିଦ୍ଦିବଃ ॥ ୧୪॥
ପୂର୍ଣ୍ଣିମାଙ୍କର ବିରଜ ଏବଂ ବିଶ୍ବଗ ନାମରେ ଦୁଇ ପୁତ୍ର ତଥା
ଦେବକୁଲ୍ୟା ନାମ୍ନୀ ଗୋଟିଏ କନ୍ୟା ଥିଲା | ପରବର୍ତ୍ତୀ ଜନ୍ମରେ ସେ ହିଁ ଶ୍ରୀହରିଙ୍କ ଚରଣୋଦକରୁ
ଦେବନଦୀ ଗଙ୍ଗା ରୂପରେ ପ୍ରକଟ ହୋଇଥିଲେ |
ଅତ୍ରେଃ ପତ୍ନ୍ୟନସୂୟା ତ୍ରୀଞ୍ଜଜ୍ଞେ ସୁୟଶସଃ ସୁତାନ୍ ।
ଦତ୍ତଂ ଦୁର୍ୱାସସଂ ସୋମମାତ୍ମେଶବ୍ରହ୍ମସମ୍ଭବାନ୍ ॥ ୧୫॥
ଅତ୍ରିଙ୍କ ପତ୍ନୀ ଅନସୂୟାଙ୍କଠାରୁ ଦତ୍ତାତ୍ରେୟ, ଦୁର୍ବାସା ଏବଂ ଚନ୍ଦ୍ରମା ନାମରେ ତିନୋଟି ପରମ ଯଶସ୍ବୀ ପୁତ୍ର
ଉତ୍ପନ୍ନ ହେଲେ | ଏମାନେ ଯଥାକ୍ରମେ ଭଗବାନ ବିଷ୍ଣୁ,
ଶଂକର ଏବଂ ବ୍ରହ୍ମାଙ୍କ ଅଂଶରୁ ଉତ୍ପନ୍ନ ହୋଇଥିଲେ |
ବିଦୁର ଉବାଚ
ଅତ୍ରେର୍ଗୃହେ ସୁରଶ୍ରେଷ୍ଠାଃ ସ୍ଥିତ୍ୟୁତ୍ପତ୍ତ୍ୟନ୍ତହେତବଃ ।
କିଞ୍ଚିଚ୍ଚିକୀର୍ଷବୋ ଜାତା ଏତଦାଖ୍ୟାହି ମେ ଗୁରୋ ॥ ୧୬॥
ବିଦୁର ପଚାରିଲେ – ଗୁରୁଜୀ ! ଜଗତର ଉତ୍ପତ୍ତି, ସ୍ଥିତି ଏବଂ ଅନ୍ତ କରୁଥିବା ଏହି ସର୍ବଶ୍ରେଷ୍ଠ ଦେବମାନେ
ଅତ୍ରିମୁନିଙ୍କ ବଂଶରେ କେଉଁ ଅଭିପ୍ରାୟରେ ଅବତାର ଗ୍ରହଣ କରିଥିଲେ – କୃପା କରି ତାହାର
ବର୍ଣ୍ଣନା କରନ୍ତୁ |
ମୈତ୍ରେୟ ଉବାଚ
ବ୍ରହ୍ମଣା ନୋଦିତଃ ସୃଷ୍ଟାବତ୍ରିର୍ବ୍ରହ୍ମବିଦାଂ ବରଃ ।
ସହ ପତ୍ନ୍ୟା ଯୟାବୃକ୍ଷଂ କୁଲାଦ୍ରିଂ ତପସି ସ୍ଥିତଃ ॥ ୧୭॥
ମୈତ୍ରେୟ କହିଲେ – ବ୍ରହ୍ମଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ମହର୍ଷି ଅତ୍ରିଙ୍କୁ
ଯେତେବେଳେ ବ୍ରହ୍ମାଜୀ ସୃଷ୍ଟି ବିସ୍ତାର କରିବାକୁ ଆଜ୍ଞା ଦେଲେ, ସେତେବେଳେ ସେ ତପସ୍ୟା କରିବା ଅଭିପ୍ରାୟରେ ନିଜ ସହଧର୍ମିଣୀଙ୍କ ସହ
ଋକ୍ଷନାମକ କୁଳପର୍ବତକୁ ଚାଲିଗଲେ |
ତସ୍ମିନ୍ ପ୍ରସୂନସ୍ତବକପଲାଶାଶୋକକାନନେ ।
ବାର୍ଭିଃ ସ୍ରବଦ୍ଭିରୁଦ୍ଘୁଷ୍ଟେ ନିର୍ୱିନ୍ଧ୍ୟାୟାଃ ସମନ୍ତତଃ ॥ ୧୮॥
ସେଠାରେ ପଲାଶ ଏବଂ ଅଶୋକ ବୃକ୍ଷର ଏକ ବିଶାଳ ବନ ଥିଲା | ସେହି ବନର
ସମସ୍ତ ବୃକ୍ଷ ପୁଷ୍ପଗୁଚ୍ଛରେ ମଣ୍ଡିତ ଥିଲେ ଏବଂ ସବୁ ଦିଗରୁ ନିବନ୍ଧିତ ନଦୀଜଳର କଳକଳ ଧ୍ବନିରେ
ବନଭୂମି ମୁଖରିତ ଥିଲା |
ପ୍ରାଣାୟାମେନ ସଂୟମ୍ୟ ମନୋ ବର୍ଷଶତଂ ମୁନିଃ ।
ଅତିଷ୍ଠଦେକପାଦେନ ନିର୍ଦ୍ୱନ୍ଦ୍ୱୋଽନିଲଭୋଜନଃ ॥ ୧୯॥
ସେହି ବନରେ ସେହି ମୁନିଶ୍ରେଷ୍ଠ ପ୍ରାଣାୟାମ ଦ୍ବାରା ଚିତ୍ତକୁ ବଶ
କରି, ଶହେ ବର୍ଷଯାଏଁ କେବଳ ବାୟୁ ଭକ୍ଷଣ କରି, ଶୀତ-ଗ୍ରୀଷ୍ମ ଆଦି ଦ୍ବନ୍ଦ୍ବକୁ ଭ୍ରୁକ୍ଷେପ ନ
କରି ଏକ ପାଦରେ ଠିଆ ହୋଇ ରହିଲେ |
ଶରଣଂ ତଂ ପ୍ରପଦ୍ୟେଽହଂ ଯ ଏବ ଜଗଦୀଶ୍ୱରଃ ।
ପ୍ରଜାମାତ୍ମସମାଂ ମହ୍ୟଂ ପ୍ରୟଚ୍ଛତ୍ୱିତି ଚିନ୍ତୟନ୍ ॥ ୨୦॥
ସେହି ସମୟରେ ସେ ମନେ ମନେ ଏହା ପ୍ରାର୍ଥନା କରୁଥିଲେ, ‘ସମ୍ପୂର୍ଣ୍ଣ ଜଗତର ଯେଉଁମାନେ ଈଶ୍ବର ଅଟନ୍ତି, ମୁଁ ସେମାନଙ୍କର ଶରଣ ଗ୍ରହଣ କରୁଛି; ସେମାନେ ମୋତେ ନିଜ ସଦୃଶ
ସନ୍ତାନ ପ୍ରଦାନ କରନ୍ତୁ’ |
ତପ୍ୟମାନଂ ତ୍ରିଭୁବନଂ ପ୍ରାଣାୟାମୈଧସାଗ୍ନିନା ।
ନିର୍ଗତେନ ମୁନେର୍ମୂର୍ଧ୍ନଃ ସମୀକ୍ଷ୍ୟ ପ୍ରଭବସ୍ତ୍ରୟଃ ॥ ୨୧॥
ଅପ୍ସରୋମୁନିଗନ୍ଧର୍ୱସିଦ୍ଧବିଦ୍ୟାଧରୋରଗୈଃ ।
ବିତାୟମାନୟଶସସ୍ତଦାଶ୍ରମପଦଂ ଯୟୁଃ ॥ ୨୨॥
ପ୍ରାଣାୟାମରୂପୀ ଇନ୍ଧନରେ ପ୍ରଜ୍ବଳିତ ଅତ୍ରିମୁନିଙ୍କର ତେଜ ତାଙ୍କ
ମସ୍ତକରୁ ନିର୍ଗତ ହୋଇ ତ୍ରିଲୋକକୁ ତପ୍ତ କରୁଥିବା ଦେଖି ବ୍ରହ୍ମା, ବିଷ୍ଣୁ ଓ ଶଂକର – ଏହି ଜଗତପତିତ୍ରୟ ତାଙ୍କ ଆଶ୍ରମକୁ ଆସିଲେ |
ସେହି ସମୟରେ ଅପ୍ସରା, ମୁନି, ଗନ୍ଧର୍ବ, ସିଦ୍ଧ, ବିଦ୍ୟାଧର
ଏବଂ ନାଗ ସେମାନଙ୍କର ସୁଯଶ ଗାନ କରୁଥିଲେ |
ତତ୍ପ୍ରାଦୁର୍ଭାବସଂୟୋଗବିଦ୍ୟୋତିତମନା ମୁନିଃ ।
ଉତ୍ତିଷ୍ଠନ୍ନେକପାଦେନ ଦଦର୍ଶ ବିବୁଧର୍ଷଭାନ୍ ॥ ୨୩॥
ପ୍ରଣମ୍ୟ ଦଣ୍ଡବଦ୍ଭୂମାବୁପତସ୍ଥେଽର୍ହଣାଞ୍ଜଲିଃ ।
ବୃଷହଂସସୁପର୍ଣସ୍ଥାନ୍ ସ୍ୱୈଃ ସ୍ୱୈଶ୍ଚିହ୍ନୈଶ୍ଚ ଚିହ୍ନିତାନ୍ ॥ ୨୪॥
ସେହି ତିନିଜଣଙ୍କର ଏକସଙ୍ଗେ ପ୍ରାଦୁର୍ଭାବ ହୋଇଥିବା କାରଣରୁ
ଅତ୍ରିମୁନିଙ୍କର ଅନ୍ତଃକରଣ ପ୍ରକାଶିତ ହୋଇ ଉଠିଲା | ସେ ସେହିପରି ଗୋଟିଏ ପାଦରେ ଠିଆ ହୋଇ ହିଁ
ସେମାନଙ୍କୁ ଦେଖିଲେ ଏବଂ ତାପରେ ଭୂମିରେ ଦଣ୍ଡବତ୍ ପ୍ରଣାମ କରିବା ପରେ ଅର୍ଘ୍ୟ-ପୁଷ୍ପାଦି ପୂଜନ
ସାମଗ୍ରୀ ହାତରେ ଧରି ସେମାନଙ୍କର ପୂଜା କଲେ | ସେହି ତିନିଦେବ ନିଜ-ନିଜ ବାହନ – ହଂସ, ଗରୁଡ଼ ଏବଂ ବୃଷଭ ଉପରେ ଆରୂଢ ଥିଲେ ତଥା କମଣ୍ଡଳୁ, ଚକ୍ର ଏବଂ
ତ୍ରିଶୂଳ ଆଦି ଚିହ୍ନରେ ସୁଶୋଭିତ ଥିଲେ |
କୃପାବଲୋକେନ ହସଦ୍ୱଦନେନୋପଲମ୍ଭିତାନ୍ ।
ତଦ୍ରୋଚିଷା ପ୍ରତିହତେ ନିମୀଲ୍ୟ ମୁନିରକ୍ଷିଣୀ ॥ ୨୫॥
ସେମାନଙ୍କ ନେତ୍ରରୁ କୃପା ବର୍ଷା ହେଉଥିଲା | ସେମାନଙ୍କ ମୁଖରେ ମନ୍ଦ
ହାସ୍ୟ ରେଖା ଥିଲା, ଯହିଁରୁ ସେମାନଙ୍କର
ପ୍ରସନ୍ନତା ଝଲସି ଉଠୁଥିଲା | ସେମାନଙ୍କର ଆଖିଝଲସା ତେଜ ସହ୍ୟ କରି ନ ପାରି ମୁନିବର ନିଜର
ନେତ୍ର ମୁଁଦି ନେଲେ |
ଚେତସ୍ତତ୍ପ୍ରବଣଂ ଯୁଞ୍ଜନ୍ନସ୍ତାବୀତ୍ସଂହତାଞ୍ଜଲିଃ ।
ଶ୍ଲକ୍ଷ୍ଣୟା ସୂକ୍ତୟା ବାଚା ସର୍ୱଲୋକଗରୀୟସଃ ॥ ୨୬॥
ଚିତ୍ତକୁ ସେମାନଙ୍କ ସହିତ ସଂଲଗ୍ନ କରି ଯୋଡହସ୍ତପୂର୍ବକ ସେ ଅତି
ମଧୁର ଏବଂ ସୁନ୍ଦର ବଚନରେ ଜଗତରେ ସର୍ବଶ୍ରେଷ୍ଠ ସେହି ତିନିଦେବଙ୍କର ସ୍ତୁତି କରିବାରେ ଲାଗିଲେ
|
ଅତ୍ରିରୁବାଚ
ବିଶ୍ୱୋଦ୍ଭବସ୍ଥିତିଲୟେଷୁ ବିଭଜ୍ୟମାନୈ-
ର୍ମାୟାଗୁଣୈରନୁୟୁଗଂ ବିଗୃହୀତଦେହାଃ ।
ତେ ବ୍ରହ୍ମବିଷ୍ଣୁଗିରିଶାଃ ପ୍ରଣତୋଽସ୍ମ୍ୟହଂ ବଃ
ତେଭ୍ୟଃ କ ଏବ ଭବତାଂ ମ ଇହୋପହୂତଃ ॥ ୨୭॥
ଅତ୍ରିମୁନି କହିଲେ – ଭଗବନ୍ ! ପ୍ରତ୍ୟେକ କଳ୍ପର ଆରମ୍ଭରେ ଜଗତର
ଉତ୍ପତ୍ତି, ସ୍ଥିତି ଏବଂ ଲୟ
ନିମନ୍ତେ ଯିଏ ମାୟାର ସତ୍ତ୍ଵାଦି ଗୁଣକୁ କ୍ଷୋଭିତ କରି ଭିନ୍ନ ଭିନ୍ନ ଶରୀର ଧାରଣ କରିଥାଆନ୍ତି –
ଆପଣମାନେ ସେହି ବ୍ରହ୍ମା, ବିଷ୍ଣୁ ଏବଂ ମହାଦେବ
ଅଟନ୍ତି | କୃପା କରି କୁହନ୍ତୁ, ମୁଁ ଯାହାର ଆବାହନ
କରିଥିଲି, ଆପଣମାନଙ୍କ ମଧ୍ୟରୁ
ସେହି ମହାନୁଭବ କିଏ ?
ଏକୋ ମୟେହ ଭଗବାନ୍ ବିବିଧପ୍ରଧାନୈ-
ଶ୍ଚିତ୍ତୀକୃତଃ ପ୍ରଜନନାୟ କଥଂ ନୁ ଯୂୟମ୍ ।
ଅତ୍ରାଗତାସ୍ତନୁଭୃତାଂ ମନସୋଽପି ଦୂରାଦ୍-
ବ୍ରୂତ ପ୍ରସୀଦତ ମହାନିହ ବିସ୍ମୟୋ ମେ ॥ ୨୮॥
କାରଣ ମୁଁ ତ ସନ୍ତାନପ୍ରାପ୍ତି ଅଭିଳାଷରେ କେବଳ ଏକ ସୁରେଶ୍ବର
ଭଗବାନଙ୍କର ହିଁ ଚିନ୍ତନ କରିଥିଲି | ଆପଣ ତିନିଜଣ ଏଠାକୁ ଆଗମନ କରିବାର କୃପା କଲେ କାହିଁକି ?
ଆପଣମାନଙ୍କ ପାଖକୁ ତ ଦେହଧାରୀମାନଙ୍କର ମନର ଗତି ମଧ୍ୟ ନ ଥାଏ, ସେଥିପାଇଁ ଆପଣମାନଙ୍କର ଆଗମନରେ ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଉଛି |
ଆପଣମାନେ କୃପା କରି ଏହାର ରହସ୍ୟ ଉନ୍ମୋଚନ କରନ୍ତୁ |
ମୈତ୍ରେୟ ଉବାଚ
ଇତି ତସ୍ୟ ବଚଃ ଶ୍ରୁତ୍ୱା ତ୍ରୟସ୍ତେ ବିବୁଧର୍ଷଭାଃ ।
ପ୍ରତ୍ୟାହୁଃ ଶ୍ଲକ୍ଷ୍ଣୟା ବାଚା ପ୍ରହସ୍ୟ ତମୃଷିଂ ପ୍ରଭୋ ॥ ୨୯॥
ମୈତ୍ରେୟ କହୁଛନ୍ତି – ହେ ସମର୍ଥ ବିଦୁର ! ଅତ୍ରିମୁନିଙ୍କର ବଚନ
ଶୁଣି ସେହି ତ୍ରିଦେବ ହସିଲେ ଏବଂ ସୁମଧୁର ବାଣୀରେ ତାଙ୍କୁ ଏହିପରି କହିଲେ |
ଦେବା ଊଚୁଃ
ଯଥା କୃତସ୍ତେ ସଙ୍କଲ୍ପୋ ଭାବ୍ୟଂ ତେନୈବ ନାନ୍ୟଥା ।
ସତ୍ସଙ୍କଲ୍ପସ୍ୟ ତେ ବ୍ରହ୍ମନ୍ ଯଦ୍ୱୈ ଧ୍ୟାୟତି ତେ ବୟମ୍ ॥ ୩୦॥
ଦେବତାମାନେ କହିଲେ – ହେ ବ୍ରହ୍ମନ୍ ! ତୁମେ ସତ୍ୟସଂକଳ୍ପ ଅଟ ! ତେଣୁ
ତୁମେ ଯେପରି ସଂକଳ୍ପ କରିଥିଲ, ସେପରି ହେବା ଉଚିତ୍
| ତାହାର ବିପରୀତ କିପରି ହେବ ? ତୁମେ ଯେଉଁ ‘ଜଗଦୀଶ୍ବର’ଙ୍କର
ଧ୍ୟାନ କରୁଥିଲ, ସେ ଆମେ ତିନିହେଁ ଅଟୁ |
ଅଥାସ୍ମଦଂଶଭୂତାସ୍ତେ ଆତ୍ମଜା ଲୋକବିଶ୍ରୁତାଃ ।
ଭବିତାରୋଽଙ୍ଗ ଭଦ୍ରଂ ତେ ବିସ୍ରପ୍ସ୍ୟନ୍ତି ଚ ତେ ଯଶଃ ॥ ୩୧॥
ପ୍ରିୟ ମହର୍ଷି ! ତୁମର କଲ୍ୟାଣ ହେଉ; ଆମ୍ଭମାନଙ୍କର ଅଂଶସ୍ବରୂପ ତୁମର ଏଠାରେ ତିନୋଟି ଜଗତ୍-ବିଖ୍ୟାତ
ପୁତ୍ର ଉତ୍ପନ୍ନ ହେବେ, ଯେଉଁମାନେ ତୁମର
ସୁନ୍ଦର ଯଶ ବିସ୍ତାର କରିବେ |
ଏବଂ କାମବରଂ ଦତ୍ତ୍ୱା ପ୍ରତିଜଗ୍ମୁଃ ସୁରେଶ୍ୱରାଃ ।
ସଭାଜିତାସ୍ତୟୋଃ ସମ୍ୟଗ୍ଦମ୍ପତ୍ୟୋର୍ମିଷତୋସ୍ତତଃ ॥ ୩୨॥
ମୈତ୍ରେୟ କହୁଛନ୍ତି - ତାଙ୍କୁ ଏହିପରି ଅଭୀଷ୍ଟ ବର ପ୍ରଦାନ କରି ତଥା
ପତି-ପତ୍ନୀ ଉଭୟଙ୍କ ଦ୍ବାରା ଉତ୍ତମ ରୂପେ ପୂଜିତ ହୋଇ ଆଖି ପିଛୁଳାକେ ସେହି ତିନି ସୁରେଶ୍ବର
ନିଜ-ନିଜର ଲୋକକୁ ଚାଲିଗଲେ |
ସୋମୋଽଭୂଦ୍ବ୍ରହ୍ମଣୋଂଽଶେନ ଦତ୍ତୋ ବିଷ୍ଣୋସ୍ତୁ ଯୋଗବିତ୍ ।
ଦୁର୍ୱାସାଃ ଶଙ୍କରସ୍ୟାଂଶୋ ନିବୋଧାଙ୍ଗିରସଃ ପ୍ରଜାଃ ॥ ୩୩॥
ବ୍ରହ୍ମାଜୀଙ୍କ ଅଂଶରୁ ଚନ୍ଦ୍ରମା,
ବିଷ୍ଣୁଙ୍କ ଅଂଶରୁ ଯୋଗବେତ୍ତା ଦତ୍ତାତ୍ରେୟ ଏବଂ ମହାଦେବଙ୍କ ଅଂଶରୁ ଦୁର୍ବାସା ଋଷି ଅତ୍ରିଙ୍କ
ପୁତ୍ର ରୂପେ ପ୍ରକଟ ହେଲେ | ଏବେ ଅଙ୍ଗିରା ଋଷିଙ୍କ ସନ୍ତାନମାନଙ୍କ ବିଷୟରେ ଶୁଣନ୍ତୁ |
ଶ୍ରଦ୍ଧା ତ୍ୱଙ୍ଗିରସଃ ପତ୍ନୀ ଚତସ୍ରୋଽସୂତ କନ୍ୟକାଃ ।
ସିନୀବାଲୀ କୁହୂ ରାକା ଚତୁର୍ଥ୍ୟନୁମତିସ୍ତଥା ॥ ୩୪॥
ଅଙ୍ଗିରାଙ୍କ ପତ୍ନୀ ଶ୍ରଦ୍ଧା ସିନୀବାଲୀ, କୁହୁ, ରାକା ଏବଂ ଅନୁମତି –
ଏହି ଚାରି କନ୍ୟାଙ୍କୁ ଜନ୍ମ ଦେଲେ |
ତତ୍ପୁତ୍ରାବପରାବାସ୍ତାଂ ଖ୍ୟାତୌ ସ୍ୱାରୋଚିଷେଽନ୍ତରେ ।
ଉତଥ୍ୟୋ ଭଗବାନ୍ ସାକ୍ଷାଦ୍ବ୍ରହ୍ମିଷ୍ଠଶ୍ଚ ବୃହସ୍ପତିଃ ॥ ୩୫॥
ଏତଦ୍ ବ୍ୟତିତ ତାଙ୍କର ଦୁଇ ପୁତ୍ର ଭାବରେ ସାକ୍ଷାତ୍ ଭଗବାନ ଉତଥ୍ୟ
ଏବଂ ବ୍ରହ୍ମନିଷ୍ଠ ବୃହଷ୍ପତି ମଧ୍ୟ ଜନ୍ମ ଗ୍ରହଣ କରିଥିଲେ, ଯେଉଁମାନେ ସ୍ବାରୋଚିଷ
ମନ୍ବନ୍ତରରେ ବିଖ୍ୟାତ ହେଲେ |
ପୁଲସ୍ତ୍ୟୋଽଜନୟତ୍ପତ୍ନ୍ୟାମଗସ୍ତ୍ୟଂ ଚ ହବିର୍ଭୁବି ।
ସୋଽନ୍ୟଜନ୍ମନି ଦହ୍ରାଗ୍ନିର୍ୱିଶ୍ରବାଶ୍ଚ ମହାତପାଃ ॥ ୩୬॥
ପୁଲସ୍ତ୍ୟ ଋଷିଙ୍କର ପତ୍ନୀ ହବିର୍ଭୁଙ୍କଠାରୁ ମହର୍ଷି ଅଗସ୍ତ୍ୟ ଏବଂ
ମହାତପସ୍ବୀ ବିଶ୍ରବା – ଏହି ଦୁଇ ପୁତ୍ର ଜାତ ହେଲେ | ଏମାନଙ୍କ ମଧ୍ୟରୁ ଅଗସ୍ତ୍ୟ ପରବର୍ତ୍ତୀ
ଜନ୍ମରେ ଜଠରାଗ୍ନି ହେଲେ |
ତସ୍ୟ ଯକ୍ଷପତିର୍ଦେବଃ କୁବେରସ୍ତ୍ୱିଡବିଡା ସୁତଃ ।
ରାବଣଃ କୁମ୍ଭକର୍ଣଶ୍ଚ ତଥାନ୍ୟସ୍ୟାଂ ବିଭୀଷଣଃ ॥ ୩୭॥
ବିଶ୍ରବା ମୁନିଙ୍କ ପତ୍ନୀ ଇଡବିଡାଙ୍କ ଗର୍ଭରୁ ଯକ୍ଷରାଜ କୁବେର ଜନ୍ମ
ଗ୍ରହଣ କଲେ ଏବଂ ତାଙ୍କର ଅନ୍ୟ ପତ୍ନୀ କେଶିନୀଙ୍କଠାରୁ ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ ଉତ୍ପନ୍ନ ହେଲେ |
ପୁଲହସ୍ୟ ଗତିର୍ଭାର୍ୟା ତ୍ରୀନସୂତ ସତୀ ସୁତାନ୍ ।
କର୍ମଶ୍ରେଷ୍ଠଂ ବରୀୟାଂସଂ ସହିଷ୍ଣୁଂ ଚ ମହାମତେ ॥ ୩୮॥
ହେ ମହାମତି ! ମହର୍ଷି ପୁଲହଙ୍କ ସ୍ତ୍ରୀ ପରମ ସାଧ୍ବୀ ଗତିଙ୍କଠାରୁ
କର୍ମଶ୍ରେଷ୍ଠ, ବରୀୟାନ୍, ଏବଂ ସହିଷ୍ଣୁ – ଏହି ତିନି ପୁତ୍ର ଉତ୍ପନ୍ନ ହେଲେ |
କ୍ରତୋରପି କ୍ରିୟା ଭାର୍ୟା ବାଲଖିଲ୍ୟାନସୂୟତ ।
ଋଷୀନ୍ ଷଷ୍ଟିସହସ୍ରାଣି ଜ୍ୱଲତୋ ବ୍ରହ୍ମତେଜସା ॥ ୩୯॥
ଏହିପରି ଭାବରେ କ୍ରତୁଙ୍କ ପତ୍ନୀ କ୍ରିୟା ବ୍ରହ୍ମତେଜରେ ଦେଦୀପ୍ୟମାନ
ବାଲଖିଲ୍ୟାଦି ଷାଠିଏ ହଜାର ଋଷିଙ୍କୁ ଜନ୍ମ ଦେଲେ |
ଊର୍ଜାୟାଂ ଜଜ୍ଞିରେ ପୁତ୍ରା ବସିଷ୍ଠସ୍ୟ ପରନ୍ତପ ।
ଚିତ୍ରକେତୁପ୍ରଧାନାସ୍ତେ ସପ୍ତ ବ୍ରହ୍ମର୍ଷୟୋଽମଲାଃ ॥ ୪୦॥
ହେ ଶତ୍ରୁତାପନ ବିଦୁର ! ବସିଷ୍ଠଙ୍କର ପତ୍ନୀ ଉର୍ଜା (ଅରୁନ୍ଧତୀ)ଙ୍କଠାରୁ
ଚିତ୍ରକେତୁ ଆଦି ସାତଜଣ ବିଶୁଦ୍ଧଚିତ୍ତ ବ୍ରହ୍ମର୍ଷି ଜନ୍ମ ଗ୍ରହଣ କଲେ |
ଚିତ୍ରକେତୁଃ ସୁରୋଚିଶ୍ଚ ବିରଜା ମିତ୍ର ଏବ ଚ ।
ଉଲ୍ବଣୋ ବସୁଭୃଦ୍ୟାନୋ ଦ୍ୟୁମାନ୍ ଶକ୍ତ୍ୟାଦୟୋଽପରେ ॥ ୪୧॥
ସେମାନଙ୍କର ନାମ ଚିତ୍ରକେତୁ,
ସୁରୋଚି, ବିରଜା, ମିତ୍ର, ଉଲ୍ବଣ,
ବସୁଭୂଦ୍ୟାନ ଏବଂ ଦ୍ୟୁମାନ୍ ଥିଲା | ଏତଦ୍ ବ୍ୟତିତ ତାଙ୍କର ଅନ୍ୟ ପତ୍ନୀଙ୍କଠାରୁ ଶକ୍ତି ଆଦି
ଆହୁରି ଅନେକ ପୁତ୍ର ଜନ୍ମ ହୋଇଥିଲେ |
ଚିତ୍ତିସ୍ତ୍ୱଥର୍ୱଣଃ ପତ୍ନୀ ଲେଭେ ପୁତ୍ରଂ ଧୃତବ୍ରତମ୍ ।
ଦଧ୍ୟଞ୍ଚମଶ୍ୱଶିରସଂ ଭୃଗୋର୍ୱଂଶଂ ନିବୋଧ ମେ ॥ ୪୨॥
ଅଥର୍ବା ମୁନିଙ୍କର ପତ୍ନୀ ଚିତ୍ତି ଦଧ୍ୟଙ୍ (ଦଧୀଚି) ନାମକ ଏକ
ତପୋନିଷ୍ଠ ପୁତ୍ର ପ୍ରାପ୍ତ କରିଥିଲେ, ଯାହାର ଅନ୍ୟ ନାମ
ଅଶ୍ବଶିରା ମଧ୍ୟ ଥିଲା | ଏବେ ଭୃଗୁବଂଶର ବର୍ଣ୍ଣନ ଶୁଣ |
ଭୃଗୁଃ ଖ୍ୟାତ୍ୟାଂ ମହାଭାଗଃ ପତ୍ନ୍ୟାଂ ପୁତ୍ରାନଜୀଜନତ୍ ।
ଧାତାରଂ ଚ ବିଧାତାରଂ ଶ୍ରିୟଂ ଚ ଭଗବତ୍ପରାମ୍ ॥ ୪୩॥
ମହାଭାଗ ଭୃଗୁ ନିଜ ଭାର୍ଯ୍ୟା ଖ୍ୟାତିଙ୍କଠାରୁ ଧାତା ଏବଂ ବିଧାତା
ନାମରେ ଦୁଇ ପୁତ୍ର ତଥା ଶ୍ରୀ ନାମରେ ଏକ ଭଗବତ୍-ପରାୟଣା କନ୍ୟା ଉତ୍ପନ୍ନ କଲେ |
ଆୟତିଂ ନିୟତିଂ ଚୈବ ସୁତେ ମେରୁସ୍ତୟୋରଦାତ୍ ।
ତାଭ୍ୟାଂ ତୟୋରଭବତାଂ ମୃକଣ୍ଡଃ ପ୍ରାଣ ଏବ ଚ ॥ ୪୪॥
ମେରୁଋଷି ନିଜ କନ୍ୟା ଆୟତି ଏବଂ ନିୟତିଙ୍କର ବିବାହ ଯଥାକ୍ରମେ ଧାତା
ଏବଂ ବିଧାତାଙ୍କ ସହିତ କରାଇ ଥିଲେ; ସେମାନଙ୍କଠାରୁ ଭୂକଣ୍ଡ ଏବଂ ପ୍ରାଣ ନାମକ ପୁତ୍ର ଉତ୍ପନ୍ନ
ହେଲେ |
ମାର୍କଣ୍ଡେୟୋ ମୃକଣ୍ଡସ୍ୟ ପ୍ରାଣାଦ୍ୱେଦଶିରା ମୁନିଃ ।
କବିଶ୍ଚ ଭାର୍ଗବୋ ଯସ୍ୟ ଭଗବାନୁଶନା ସୁତଃ ॥ ୪୫॥
ସେମାନଙ୍କ ମଧ୍ୟରୁ ଭୂକଣ୍ଡଙ୍କର ମାର୍କଣ୍ଡେୟ ଏବଂ ପ୍ରାଣଙ୍କର ପୁତ୍ର
ରୂପେ ମୁନିବର ବେଦଶିରା ଜନ୍ମ ନେଲେ | ଭୃଗୁଙ୍କର କବି ନାମକ ଅନ୍ୟ ଏକ ପୁତ୍ର ମଧ୍ୟ ଥିଲେ, ଯାହାଙ୍କଠାରୁ ଭଗବାନ ଉଶନା (ଶୁକ୍ରାଚାର୍ଯ୍ୟ) ଉତ୍ପନ୍ନ ହୋଇଥିଲେ |
ତ ଏତେ ମୁନୟଃ କ୍ଷତ୍ତର୍ଲୋକାନ୍ ସର୍ଗୈରଭାବୟନ୍ ।
ଏଷ କର୍ଦମଦୌହିତ୍ରସନ୍ତାନଃ କଥିତସ୍ତବ ।
ଶୃଣ୍ୱତଃ ଶ୍ରଦ୍ଦଧାନସ୍ୟ ସଦ୍ୟଃ ପାପହରଃ ପରଃ ॥ ୪୬॥
ହେ ବିଦୁର ! ଏହିସବୁ ମୁନୀଶ୍ବରମାନେ ମଧ୍ୟ ସନ୍ତାନ ଉତ୍ପନ୍ନ କରି
ସୃଷ୍ଟିର ବିସ୍ତାର କଲେ | ଏହିପରି ଭାବରେ ତୁମ ସମ୍ମୁଖରେ ମୁଁ କର୍ଦମ ମୁନିଙ୍କର
ଦୁହିତାମାନଙ୍କର ସନ୍ତାନମାନଙ୍କ ବିଷୟରେ ବର୍ଣ୍ଣନା କଲି | ଯେଉଁ ପୁରୁଷ ଶ୍ରଦ୍ଧାପୂର୍ବକ ଏହାର
ଶ୍ରବଣ କରନ୍ତି, ତାଙ୍କର ସମସ୍ତ ପାପ
ତତ୍କାଳ ନଷ୍ଟ ହୋଇଯାଏ |
ପ୍ରସୂତିଂ ମାନବୀଂ ଦକ୍ଷ ଉପୟେମେ ହ୍ୟଜାତ୍ମଜଃ ।
ତସ୍ୟାଂ ସସର୍ଜ ଦୁହିତୄଃ ଷୋଡଶାମଲଲୋଚନାଃ ॥ ୪୭॥
ବ୍ରହ୍ମାଙ୍କର ପୁତ୍ର ଦକ୍ଷପ୍ରଜାପତି ମନୁକୁମାରୀ ପ୍ରସୂତିଙ୍କୁ
ବିବାହ କରିଥିଲେ | ତାଙ୍କଠାରୁ ସେ ସୁନ୍ଦର ନେତ୍ରବିଶିଷ୍ଟ ଷୋଳଟି କନ୍ୟା ଉତ୍ପନ୍ନ କରିଥିଲେ |
ତ୍ରୟୋଦଶାଦାଦ୍ଧର୍ମାୟ ତଥୈକାମଗ୍ନୟେ ବିଭୁଃ ।
ପିତୃଭ୍ୟ ଏକାଂ ଯୁକ୍ତେଭ୍ୟୋ ଭବାୟୈକାଂ ଭବଚ୍ଛିଦେ ॥ ୪୮॥
ଭଗବାନ ଦକ୍ଷ ସେମାନଙ୍କ ମଧ୍ୟରୁ ତେରଟି କନ୍ୟା ଧର୍ମଙ୍କୁ, ଏକ କନ୍ୟା
ଅଗ୍ନିଙ୍କୁ, ଏକ କନ୍ୟା ପିତୃଗଣଙ୍କୁ ଏବଂ ଏକ କନ୍ୟା ସଂସାରର ସଂହାରକର୍ତ୍ତା ତଥା
ଜନ୍ମ-ମୃତ୍ୟୁର ପାଶରୁ ଉଦ୍ଧାର କରୁଥିବା ଭଗବାନ ଶଂକରଙ୍କୁ ପ୍ରଦାନ କରିଥିଲେ |
ଶ୍ରଦ୍ଧା ମୈତ୍ରୀ ଦୟା ଶାନ୍ତିସ୍ତୁଷ୍ଟିଃ ପୁଷ୍ଟିଃ କ୍ରିୟୋନ୍ନତିଃ ।
ବୁଦ୍ଧିର୍ମେଧା ତିତିକ୍ଷା ହ୍ରୀର୍ମୂର୍ତିର୍ଧର୍ମସ୍ୟ ପତ୍ନୟଃ ॥ ୪୯॥
ଶ୍ରଦ୍ଧା, ମୈତ୍ରୀ, ଦୟା, ଶାନ୍ତି, ତୁଷ୍ଟି, ପୁଷ୍ଟି, କ୍ରିୟା, ଉନ୍ନତି, ବୁଦ୍ଧି, ମେଧା, ତିତିକ୍ଷା, ହ୍ରୀ
ଏବଂ ମୂର୍ତ୍ତି – ଏମାନେ ଧର୍ମଙ୍କର ପତ୍ନୀ ଅଟନ୍ତି |
ଶ୍ରଦ୍ଧାସୂତ ଶୁଭଂ ମୈତ୍ରୀ ପ୍ରସାଦମଭୟଂ ଦୟା ।
ଶାନ୍ତିଃ ସୁଖଂ ମୁଦଂ ତୁଷ୍ଟିଃ ସ୍ମୟଂ ପୁଷ୍ଟିରସୂୟତ ॥ ୫୦॥
ଏମାନଙ୍କ ମଧ୍ୟରୁ ଶ୍ରଦ୍ଧା ଶୁଭକୁ, ମୈତ୍ରୀ ପ୍ରସାଦକୁ,
ଦୟା ଅଭୟକୁ, ଶାନ୍ତି ସୁଖକୁ, ତୁଷ୍ଟି ମୋଦକୁ ଏବଂ ପୁଷ୍ଟି ଅହଂକାରକୁ ଜନ୍ମ ଦେଲେ |
ଯୋଗଂ କ୍ରିୟୋନ୍ନତିର୍ଦର୍ପମର୍ଥଂ ବୁଦ୍ଧିରସୂୟତ ।
ମେଧା ସ୍ମୃତିଂ ତିତିକ୍ଷା ତୁ କ୍ଷେମଂ ହ୍ରୀଃ ପ୍ରଶ୍ରୟଂ ସୁତମ୍ ॥
୫୧॥
କ୍ରିୟାଠାରୁ ଯୋଗ, ଉନ୍ନତିଠାରୁ ଦର୍ପ, ବୁଦ୍ଧିଠାରୁ ଅର୍ଥ,
ମେଧାଠାରୁ ସ୍ମୃତି, ତିତିକ୍ଷାଠାରୁ
କ୍ଷେମ ଏବଂ ହ୍ରୀ (ଲଜ୍ଜା) ଠାରୁ ପ୍ରଶ୍ନୟ (ବିନୟ) ନାମକ ପୁତ୍ର ଉତ୍ପନ୍ନ ହେଲେ |
ମୂର୍ତିଃ ସର୍ୱଗୁଣୋତ୍ପତ୍ତିର୍ନରନାରାୟଣାବୃଷୀ ॥ ୫୨॥
ସମସ୍ତ ଗୁଣର ଭଣ୍ଡାର ମୂର୍ତ୍ତିଦେବୀ ନର-ନାରାୟଣ ଋଷିଙ୍କୁ ଜନ୍ମ
ଦେଲେ |
ଯୟୋର୍ଜନ୍ମନ୍ୟଦୋ ବିଶ୍ୱମଭ୍ୟନନ୍ଦତ୍ସୁନିର୍ୱୃତମ୍ ।
ମନାଂସି କକୁଭୋ ବାତାଃ ପ୍ରସେଦୁଃ ସରିତୋଽଦ୍ରୟଃ ॥ ୫୩॥
ସେମାନଙ୍କର ଜନ୍ମରେ ସମ୍ପୂର୍ଣ୍ଣ ବିଶ୍ବ ଆନନ୍ଦିତ ହୋଇ ନିଜର
ପ୍ରସନ୍ନତା ବ୍ୟକ୍ତ କରିଥିଲା | ଲୋକମାନଙ୍କର ମନ ସହିତ ଦିଶା, ବାୟୁ, ନଦୀ, ପର୍ବତ ସର୍ବତ୍ର ପ୍ରସନ୍ନତା ଖେଳିଗଲା |
ଦିବ୍ୟବାଦ୍ୟନ୍ତ ତୂର୍ୟାଣି ପେତୁଃ କୁସୁମବୃଷ୍ଟୟଃ ।
ମୁନୟସ୍ତୁଷ୍ଟୁବୁସ୍ତୁଷ୍ଟା ଜଗୁର୍ଗନ୍ଧର୍ୱକିନ୍ନରାଃ ॥ ୫୪॥
ଆକାଶରେ ମାଙ୍ଗଳିକ ବାଦ୍ୟ ବାଜିବାରେ ଲାଗିଲା, ଦେବତାମାନେ ପୁଷ୍ପ ବୃଷ୍ଟି କଲେ,
ମୁନିମାନେ ପ୍ରସନ୍ନ ହୋଇ ସ୍ତୁତି କରିବାରେ ଲାଗିଲେ, ଗନ୍ଧର୍ବ ଓ କିନ୍ନରମାନେ ଗାନ କରିବାରେ
ଲାଗିଲେ |
ନୃତ୍ୟନ୍ତି ସ୍ମ ସ୍ତ୍ରିୟୋ ଦେବ୍ୟ ଆସୀତ୍ପରମମଙ୍ଗଲମ୍ ।
ଦେବା ବ୍ରହ୍ମାଦୟଃ ସର୍ୱେ ଉପତସ୍ଥୁରଭିଷ୍ଟବୈଃ ॥ ୫୫॥
ଅପ୍ସରାମାନେ ନୃତ୍ୟ କଲେ – ଏହିପରି ଭାବରେ ସର୍ବତ୍ର ଆନନ୍ଦ-ମଙ୍ଗଳ
ଉତ୍ସବ ପାଳିତ ହେବାରେ ଲାଗିଲା | ବ୍ରହ୍ମାଦି ସମସ୍ତ ଦେବତା ସ୍ତୋତ୍ରଦ୍ବାରା ଭଗବାନଙ୍କର
ସ୍ତୁତି କରିବାରେ ଲାଗିଲେ |
ଦେବା ଊଚୁଃ
ଯୋ ମାୟଯା ବିରଚିତଂ ନିଜୟାଽଽତ୍ମନୀଦଂ
ଖେ ରୂପଭେଦମିବ ତତ୍ପ୍ରତିଚକ୍ଷଣାୟ ।
ଏତେନ ଧର୍ମସଦନେ ଋଷିମୂର୍ତିନାଦ୍ୟ
ପ୍ରାଦୁଶ୍ଚକାର ପୁରୁଷାୟ ନମଃ ପରସ୍ମୈ ॥ ୫୬॥
ଦେବତାମାନେ କହିଲେ – ଆକାଶରେ ଯେପରି ଭିନ୍ନ ଭିନ୍ନ ରୂପର କଳ୍ପନା
କରାଯାଇ ପାରେ, ସେହିପରି ଯିଏ ନିଜ
ମାୟାରେ ନିଜର ହିଁ ସ୍ବରୂପ ଭିତରେ ଏହି ସଂସାରର ରଚନା କରିଛନ୍ତି ଏବଂ ନିଜର ସେହି ସ୍ଵରୂପକୁ ପ୍ରକାଶିତ
କରିବା ପାଇଁ ଏହି ଋଷି ବିଗ୍ରହରେ ଧର୍ମଙ୍କ ଗୃହରେ ନିଜକୁ ପ୍ରକଟ କରିଛନ୍ତି, ସେହି ପରମ ପୁରୁଷଙ୍କୁ ଆମେ ନମସ୍କାର କରୁଛୁ |
ସୋଽୟଂ ସ୍ଥିତିବ୍ୟତିକରୋପଶମାୟ ସୃଷ୍ଟାନ୍
ସତ୍ତ୍ୱେନ ନଃ ସୁରଗଣାନନୁମେୟତତ୍ତ୍ୱଃ ।
ଦୃଶ୍ୟାଦଦଭ୍ରକରୁଣେନ ବିଲୋକନେନ
ଯଚ୍ଛ୍ରୀନିକେତମମଲଂ କ୍ଷିପତାରବିନ୍ଦମ୍ ॥ ୫୭॥
ଯାହାର ତତ୍ତ୍ବକୁ ଶାସ୍ତ୍ର ଆଧାରରେ ଆମେ କେବଳ ଅନୁମାନ ହିଁ କରିଥାଏ, ପ୍ରତ୍ୟକ୍ଷ କରିପାରେ ନାହିଁ,
ସେହି ଭଗବାନ ଦେବତାମାନଙ୍କୁ, ସଂସାରର ମର୍ଯ୍ୟାଦା ଯେପରି କୌଣସି ପ୍ରକାରେ କ୍ଷୁର୍ଣ ନ ହେବ, ସେଥିପାଇଁ ସତ୍ତ୍ବଗୁଣରୁ ଉତ୍ପନ୍ନ କରିଛନ୍ତି | ଏବେ ସେ ନିଜର
କରୁଣାମୟ ନେତ୍ର, ଯାହା ସମସ୍ତ ଶୋଭା
ଏବଂ ସୌନ୍ଦର୍ଯ୍ୟର ନିବାସସ୍ଥାନ ନିର୍ମଳ ଦିବ୍ୟ କମଳକୁ ମଧ୍ୟ ପରାସ୍ତ କରିଦିଏ, ସେହି ନେତ୍ରରେ ଆମ ପ୍ରତି ଦୃଷ୍ଟିପାତ କରନ୍ତୁ |
ଏବଂ ସୁରଗଣୈସ୍ତାତ ଭଗବନ୍ତାବଭିଷ୍ଟୁତୌ ।
ଲବ୍ଧାବଲୋକୈର୍ୟଯତୁରର୍ଚିତୌ ଗନ୍ଧମାଦନମ୍ ॥ ୫୮॥
ମୈତ୍ରେୟ କହୁଛନ୍ତି – ପ୍ରିୟ ବିଦୁର ! ପ୍ରଭୁଙ୍କର ସାକ୍ଷାତ୍ ଦର୍ଶନ
ପ୍ରାପ୍ତ କରି ଦେବତାମାନେ ତାଙ୍କର ଏହିପରି ଭାବରେ ସ୍ତୁତି ଏବଂ ପୂଜା କଲେ | ତଦନନ୍ତର ଭଗବାନ
ନର-ନାରାୟଣ ଗନ୍ଧମାର୍ଦ୍ଦନ ପର୍ବତ ଉପରକୁ ଚାଲିଗଲେ |
ତାବିମୌ ବୈ ଭଗବତୋ ହରେରଂଶାବିହାଗତୌ ।
ଭାରବ୍ୟଯାୟ ଚ ଭୁବଃ କୃଷ୍ଣୌ ଯଦୁକୁରୂଦ୍ୱହୌ ॥ ୫୯॥
ଭଗବାନ ଶ୍ରୀହରିଙ୍କ ଅଂଶଭୂତ ସେହି ନର-ନାରାୟଣ ହିଁ ଏହି ସମୟରେ
ଭୂଭାର ହରଣ କରିବା ପାଇଁ ଯଦୁକୁଳଭୂଷଣ ଶ୍ରୀକୃଷ୍ଣ ଏବଂ ତାଙ୍କ ପରି ଶ୍ୟାମବର୍ଣ୍ଣ କୁରୁକୁଳତିଳକ
ଅର୍ଜୁନ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି |
ସ୍ୱାହାଭିମାନିନଶ୍ଚାଗ୍ନେରାତ୍ମଜାଂସ୍ତ୍ରୀନଜୀଜନତ୍ ।
ପାବକଂ ପବମାନଂ ଚ ଶୁଚିଂ ଚ ହୁତଭୋଜନମ୍ ॥ ୬୦॥
ଅଗ୍ନିଙ୍କର ପତ୍ନୀ ସ୍ବାହା ଅଗ୍ନିଙ୍କ ସମାନ ଅଭିମାନୀ ପାବକ, ପବମାନ ଓ ଶୁଚି – ଏହି ତିନି ପୁତ୍ର ଉତ୍ପନ୍ନ କଲେ | ତିନିହେଁ
ଆହୂତି ଦିଆ ଯାଉଥିବା ପଦାର୍ଥକୁ ଭକ୍ଷଣ କରନ୍ତି |
ତେଭ୍ୟୋଽଗ୍ନୟଃ ସମଭବନ୍ ଚତ୍ୱାରିଂଶଚ୍ଚ ପଞ୍ଚ ଚ ।
ତ ଏବୈକୋନପଞ୍ଚାଶତ୍ସାକଂ ପିତୃପିତାମହୈଃ ॥ ୬୧॥
ଏହି ତିନୋଟିରୁ ଆହୁରି ପଞ୍ଚାଳିଶ ପ୍ରକାରର ଅଗ୍ନି ଉତ୍ପନ୍ନ ହେଲେ |
ଏମାନେ ହିଁ ନିଜର ତିନି ପିତା ଏବଂ ଜଣେ ପିତାମହଙ୍କ ସହ ଅଣଚାଶ ଅଗ୍ନି ବୋଲାଇ ଥାଆନ୍ତି |
ବୈତାନିକେ କର୍ମଣି ଯନ୍ନାମଭିର୍ବ୍ରହ୍ମବାଦିଭିଃ ।
ଆଗ୍ନେୟ୍ୟ ଇଷ୍ଟୟୋ ଯଜ୍ଞେ ନିରୂପ୍ୟନ୍ତେଽଗ୍ନୟସ୍ତୁ ତେ ॥ ୬୨॥
ବେଦଜ୍ଞ ବ୍ରାହ୍ମଣ ବୈଦିକ ଯଜ୍ଞକର୍ମରେ ଯେଉଁ ଅଣଚାଶ ଅଗ୍ନିଙ୍କ
ନାମରେ ଆଗ୍ନେୟୀ ଇଷ୍ଟି କରନ୍ତି, ତାହା ଏମାନେ ହିଁ
ଅଟନ୍ତି |
ଅଗ୍ନିଷ୍ୱାତ୍ତା ବର୍ହିଷଦଃ ସୌମ୍ୟାଃ ପିତର ଆଜ୍ୟପାଃ ।
ସାଗ୍ନୟୋଽନଗ୍ନୟସ୍ତେଷାଂ ପତ୍ନୀ ଦାକ୍ଷାୟଣୀ ସ୍ୱଧା ॥ ୬୩॥
ଅଗ୍ନିଷ୍ବାତ୍ତ, ବର୍ହିଷଦ୍, ସୋମପ ଏବଂ ଆଜ୍ୟପ – ଏମାନେ ପିତୃପୁରୁଷ
ଅଟନ୍ତି; ଏମାନଙ୍କ ମଧ୍ୟରେ
ସାଗ୍ନିକ ଅଛନ୍ତି, ନିରଗ୍ନିକ ମଧ୍ୟ
ଅଛନ୍ତି | ଏହି ସବୁ ପିତୃପୁରୁଷଙ୍କର ପତ୍ନୀ ଦକ୍ଷକୁମାରୀ ସ୍ବଧା ଅଟନ୍ତି |
ତେଭ୍ୟୋ ଦଧାର କନ୍ୟେ ଦ୍ୱେ ବୟୁନାଂ ଧାରିଣୀଂ ସ୍ୱଧା ।
ଉଭେ ତେ ବ୍ରହ୍ମବାଦିନ୍ୟୌ ଜ୍ଞାନବିଜ୍ଞାନପାରଗେ ॥ ୬୪॥
ଏହି ପିତୃପୁରୁଷଙ୍କଠାରୁ ସ୍ବଧାଙ୍କର ଧାରିଣୀ ଏବଂ ବୟୁନା ନାମରେ
ଦୁଇଟି କନ୍ୟା ହେଲେ | ସେ ଦୁହେଁ ହିଁ ଜ୍ଞାନ-ବିଜ୍ଞାନରେ ପାରଙ୍ଗତ ଏବଂ ବ୍ରହ୍ମଜ୍ଞାନର
ଉପଦେଷ୍ଟା ଅଟନ୍ତି |
ଭବସ୍ୟ ପତ୍ନୀ ତୁ ସତୀ ଭବଂ ଦେବମନୁବ୍ରତା ।
ଆତ୍ମନଃ ସଦୃଶଂ ପୁତ୍ରଂ ନ ଲେଭେ ଗୁଣଶୀଲତଃ ॥ ୬୫॥
ମହାଦେବଙ୍କର ପତ୍ନୀ ସତୀ ଥିଲେ,
ଯିଏ ସର୍ବତୋ ଭାବରେ ନିଜ ପତିଦେବଙ୍କ ସେବାରେ ସଂଲଗ୍ନ ରହୁଥିଲେ | କିନ୍ତୁ ନିଜ ଗୁଣ ଏବଂ ଶୀଳ
ଅନୁରୂପ ତାଙ୍କର କେହି ପୁତ୍ର ନ ଥିଲେ |
ପିତର୍ୟପ୍ରତିରୂପେ ସ୍ୱେ ଭବାୟାନାଗସେ ରୁଷା ।
ଅପ୍ରୌଢୈବାତ୍ମନାଽଽତ୍ମାନମଜହାଦ୍ୟୋଗସଂୟୁତା ॥ ୬୬॥
କାରଣ ସତୀଙ୍କ ପିତା ଦକ୍ଷପ୍ରଜାପତି ବିନା କୌଣସି ଅପରାଧରେ ଭଗବାନ
ଶିବଙ୍କର ପ୍ରତିକୂଳ ଆଚରଣ କରିଥିଲେ, ସେଥିପାଇଁ
କ୍ରୋଧାବେଶରେ ସତୀ ଯୁବାବସ୍ଥାରେ ହିଁ ଯୋଗ ଦ୍ବାରା ସ୍ବୟଂ ନିଜ ଶରୀରକୁ ତ୍ୟାଗ କରିଦେଇ ଥିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ବିଦୁରମୈତ୍ରେୟସମ୍ବାଦେ ପ୍ରଥମୋଽଧ୍ୟାୟଃ ॥ ୧॥

Comments
Post a Comment