ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ ॥

ଦ୍ବିତୀୟ ଅଧ୍ୟାୟ

ଭଗବାନ ଶିବ ଏବଂ ଦକ୍ଷ ପ୍ରଜାପତିଙ୍କର ମନୋମାଳିନ୍ୟ

 

ବିଦୁର ଉବାଚ

ଭବେ ଶୀଲବତାଂ ଶ୍ରେଷ୍ଠେ ଦକ୍ଷୋ ଦୁହିତୃବତ୍ସଲଃ ।

ବିଦ୍ୱେଷମକରୋତ୍କସ୍ମାଦନାଦୃତ୍ୟାତ୍ମଜାଂ ସତୀମ୍ ॥ ୧॥

ବିଦୁର ପଚାରିଲେ – ବ୍ରହ୍ମନ୍ ! ପ୍ରଜାପତି ଦକ୍ଷ ତ ନିଜ ପୁତ୍ରୀମାନଙ୍କୁ ବହୁତ ସ୍ନେହ କରୁଥିଲେ, ତଥାପି ସେ ନିଜ କନ୍ୟା ସତୀଙ୍କର ଅନାଦର କରି ଶୀଳବାନ ପୁରୁଷମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ମହାଦେବଙ୍କ ପ୍ରତି ଦ୍ବେଷ କାହିଁକି କରିଥିଲେ ?

କସ୍ତଂ ଚରାଚରଗୁରୁଂ ନିର୍ୱୈରଂ ଶାନ୍ତବିଗ୍ରହମ୍ ।

ଆତ୍ମାରାମଂ କଥଂ ଦ୍ୱେଷ୍ଟି ଜଗତୋ ଦୈବତଂ ମହତ୍ ॥ ୨॥

ମହାଦେବ ତ ଚରାଚର ଜଗତର ଗୁରୁ, ବୈରରହିତ, ଶାନ୍ତମୂର୍ତ୍ତି, ଆତ୍ମାରାମ ଏବଂ ଜଗତର ପରମ ଆରାଧ୍ୟ ଦେବ ଅଟନ୍ତି; ତାଙ୍କ ପ୍ରତି ଭଲା କିଏ କାହିଁକି ବୈରଭାବ ରଖିବ ?

ଏତଦାଖ୍ୟାହି ମେ ବ୍ରହ୍ମନ୍ ଜାମାତୁଃ ଶ୍ୱଶୁରସ୍ୟ ଚ ।

ବିଦ୍ୱେଷସ୍ତୁ ଯତଃ ପ୍ରାଣାଂସ୍ତତ୍ୟଜେ ଦୁସ୍ତ୍ୟଜାନ୍ ସତୀ ॥ ୩॥

ଭଗବନ୍ ! ଶ୍ବଶୁର ଏବଂ ଜାମାତାଙ୍କ ମଧ୍ୟରେ ଏତେ ମାତ୍ରାରେ ଦ୍ବେଷ କିପରି ସୃଷ୍ଟି ହେଲା, ଯେଉଁ କାରଣରୁ ସତୀ ନିଜର ଦୁସ୍ତଜ୍ୟ ପ୍ରାଣ ମଧ୍ୟ ବିସର୍ଜନ କରିଦେଲେ ? ସେହି ସବୁ ବିଷୟ ଆପଣ ମୋତେ କୁହନ୍ତୁ |

ମୈତ୍ରେୟ ଉବାଚ

ପୁରା ବିଶ୍ୱସୃଜାଂ ସତ୍ରେ ସମେତାଃ ପରମର୍ଷୟଃ ।

ତଥାମରଗଣାଃ ସର୍ୱେ ସାନୁଗା ମୁନୟୋଽଗ୍ନୟଃ ॥ ୪॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ପୂର୍ବରୁ ଥରେ ପ୍ରଜାପତିମାନଙ୍କର ଯଜ୍ଞରେ ସବୁ ବଡ ବଡ ଋଷି, ମୁନି, ଅଗ୍ନି ଏବଂ ଅନ୍ୟ ଦେବତାମାନେ ନିଜ ନିଜର ଅନୁଚରମାନଙ୍କ ସହିତ ଏକତ୍ରିତ ହୋଇଥିଲେ |

ତତ୍ର ପ୍ରବିଷ୍ଟମୃଷୟୋ ଦୃଷ୍ଟ୍ୱାର୍କମିବ ରୋଚିଷା ।

ଭ୍ରାଜମାନଂ ବିତିମିରଂ କୁର୍ୱନ୍ତଂ ତନ୍ମହତ୍ସଦଃ ॥ ୫॥

ଉଦତିଷ୍ଠନ୍ସଦସ୍ୟାସ୍ତେ ସ୍ୱଧିଷ୍ଣ୍ୟେଭ୍ୟଃ ସହାଗ୍ନୟଃ ।

ଋତେ ବିରିଞ୍ଚଂ ଶର୍ୱଂ ଚ ତଦ୍ଭାସାକ୍ଷିପ୍ତଚେତସଃ ॥ ୬॥

କିଛି ସମୟ ପରେ ପ୍ରଜାପତି ଦକ୍ଷ ସେହି ସଭାରେ ପ୍ରବେଶ କଲେ | ନିଜ ତେଜରେ ସେ ସୂର୍ଯ୍ୟଙ୍କ ସଦୃଶ ପ୍ରକାଶମାନ ଥିଲେ ଏବଂ ସେହି ବିଶାଳ ସଭା-ଭବନର ଅନ୍ଧକାରକୁ ଦୂର କରି ଦେଉଥିଲେ | ସେ ଆସିବା ଦେଖି ବ୍ରହ୍ମା ଏବଂ ମହାଦେବଙ୍କ ଅତିରିକ୍ତ ଅଗ୍ନିଙ୍କ ସମେତ ସବୁ ସଭାସଦ୍ ତାଙ୍କ ତେଜରେ ପ୍ରଭାବିତ ହୋଇ ନିଜ-ନିଜ ଆସନରୁ ଉଠି ଠିଆ ହୋଇଗଲେ |

ସଦସସ୍ପତିଭିର୍ଦକ୍ଷୋ ଭଗବାନ୍ ସାଧୁ ସତ୍କୃତଃ ।

ଅଜଂ ଲୋକଗୁରୁଂ ନତ୍ୱା ନିଷସାଦ ତଦାଜ୍ଞୟା ॥ ୭॥

ଏହିପରି ଭାବରେ ସବୁ ସଭାସଦଙ୍କ ଦ୍ବାରା ସମ୍ମାନିତ ହୋଇ ତେଜସ୍ବୀ ଦକ୍ଷ ଜଗତ୍-ପିତା ବ୍ରହ୍ମାଙ୍କୁ ପ୍ରଣାମ କରିବା ପରେ ତାଙ୍କର ଆଜ୍ଞା ନେଇ ନିଜ ଆସନରେ ଉପବେଶନ କଲେ |

ପ୍ରାଙ୍ନିଷଣ୍ଣଂ ମୃଡଂ ଦୃଷ୍ଟ୍ୱା ନାମୃଷ୍ୟତ୍ତଦନାଦୃତଃ ।

ଉବାଚ ବାମଂ ଚକ୍ଷୁର୍ଭ୍ୟାମଭିବୀକ୍ଷ୍ୟ ଦହନ୍ନିବ ॥ ୮॥

କିନ୍ତୁ ମହାଦେବ ଆଗରୁ ସେଠାରେ ଉପସ୍ଥିତ ଥିଲେ ବି ତାଙ୍କ ପ୍ରତି ଅଭ୍ୟୁତ୍ଥାନାଦି ରୂପରେ କୌଣସି ପ୍ରକାରର ଆଦର ଭାବନା ପ୍ରଦର୍ଶନ କରି ନ ଥିଲେ | ତାଙ୍କର ଏପରି ବ୍ୟବହାର ଦକ୍ଷ ପ୍ରଜାପତିଙ୍କୁ ଅସହ୍ୟ ମନେହେଲା | ସେ ତାଙ୍କୁ ବକ୍ର ଦୃଷ୍ଟିରେ ଏପରି ଚାହିଁ ଦେଖିଲେ ସତେ ଯେପରି କ୍ରୋଧାଗ୍ନିରେ ତାଙ୍କୁ ଦଗ୍ଧ କରିଦେବେ | ତାପରେ ସେ କହିଲେ -

ଶ୍ରୂୟତାଂ ବ୍ରହ୍ମର୍ଷୟୋ ମେ ସହ ଦେବାଃ ସହାଗ୍ନୟଃ ।

ସାଧୂନାଂ ବ୍ରୁବତୋ ବୃତ୍ତଂ ନାଜ୍ଞାନାନ୍ନ ଚ ମତ୍ସରାତ୍ ॥ ୯॥

‘ଦେବତା ଏବଂ ଅଗ୍ନିଙ୍କ ସମେତ ସମସ୍ତ ବ୍ରହ୍ମର୍ଷିଗଣ ମୋର କଥନ ପ୍ରତି ଧ୍ୟାନ ଦିଅନ୍ତୁ | ମୁଁ ଅଜ୍ଞତା ବା ଦ୍ବେଷବଶତଃ ଏହା କହୁନାହିଁ, ବରଂ ଶିଷ୍ଟାଚାର ଦୃଷ୍ଟିରୁ କହୁଛି |

ଅୟଂ ତୁ ଲୋକପାଲାନାଂ ଯଶୋଘ୍ନୋ ନିରପତ୍ରପଃ ।

ସଦ୍ଭିରାଚରିତଃ ପନ୍ଥା ଯେନ ସ୍ତବ୍ଧେନ ଦୂଷିତଃ ॥ ୧୦॥

ଏହି ନିର୍ଲଜ୍ଜ ମହାଦେବ ସମସ୍ତ ଲୋକପାଳମାନଙ୍କର ପବିତ୍ର କୀର୍ତ୍ତିକୁ ଧୂଳିସାତ୍ କରୁଛି | ଦେଖନ୍ତୁ, ସତ୍-ପୁରୁଷମାନଙ୍କର ଆଚରଣକୁ ଏହି ଅହଂକାରୀ ଲାଞ୍ଛିତ ଏବଂ ଅପମାନିତ କରୁଛି |

ଏଷ ମେ ଶିଷ୍ୟତାଂ ପ୍ରାପ୍ତୋ ଯନ୍ମେ ଦୁହିତୁରଗ୍ରହୀତ୍ ।

ପାଣିଂ ବିପ୍ରାଗ୍ନିମୁଖତଃ ସାବିତ୍ର୍ୟା ଇବ ସାଧୁବତ୍ ॥ ୧୧॥

ଗୃହୀତ୍ୱା ମୃଗଶାବାକ୍ଷ୍ୟାଃ ପାଣିଂ ମର୍କଟଲୋଚନଃ ।

ପ୍ରତ୍ୟୁତ୍ଥାନାଭିବାଦାର୍ହେ ବାଚାପ୍ୟକୃତ ନୋଚିତମ୍ ॥ ୧୨॥

ଏହି ବାନର-ନେତ୍ରଧାରୀ ସତ୍-ପୁରୁଷମାନଙ୍କ ପରି ମୋର ସାବିତ୍ରୀ-ସଦୃଶ ମୃଗନୟନୀ ପବିତ୍ର କନ୍ୟାର ପାଣିଗ୍ରହଣ ଅଗ୍ନି ଏବଂ ବ୍ରାହ୍ମଣଙ୍କ ସମ୍ମୁଖରେ କରିଥିଲା, ସେଥିପାଇଁ ଦେଖିବାକୁ ଗଲେ ତ ଇଏ ମୋର ପୁତ୍ର ପରି ଅଟେ | ତେଣୁ ଉଚିତ୍ ବ୍ୟବହାର ଏହା ଥିଲା ଯେ ଇଏ ଉଠିକରି ମୋର ସ୍ବାଗତ କରିଥାଆନ୍ତା, ମୋତେ ପ୍ରଣାମ କରିଥାଆନ୍ତା; କିନ୍ତୁ ଇଏ ବାଣୀରେ ମଧ୍ୟ ମୋର ସତ୍କାର କଲାନାହିଁ |

ଲୁପ୍ତକ୍ରିୟାୟାଶୁଚୟେ ମାନିନେ ଭିନ୍ନସେତବେ ।

ଅନିଚ୍ଛନ୍ନପ୍ୟଦାଂ ବାଲାଂ ଶୂଦ୍ରାୟେବୋଶତୀଂ ଗିରମ୍ ॥ ୧୩॥

ହାୟ ! ଶୂଦ୍ରକୁ କିଏ ବେଦ ପଢାଇବା ପରି ମୋର ଅନିଚ୍ଛା ସତ୍ତ୍ବେ ମୁଁ ଭାବାବେଶରେ ନିଜ ସୁକୁମାରୀ କନ୍ୟା ଏହାକୁ ଦେଇ ଦେଲି | ଇଏ ସତ୍-କର୍ମକୁ ଲୋପ କରିଦେଇଛି, ସର୍ବଦା ଅପବିତ୍ର ରହୁଛି, ଇଏ ବହୁତ ବଡ ଘମଣ୍ଡି ଏବଂ ସବୁ ଧର୍ମ-ମର୍ଯ୍ୟାଦାକୁ ଉଲଂଘନ କରିଥାଏ |

ପ୍ରେତାବାସେଷୁ ଘୋରେଷୁ ପ୍ରେତୈର୍ଭୂତଗଣୈର୍ୱୃତଃ ।

ଅଟତ୍ୟୁନ୍ମତ୍ତବନ୍ନଗ୍ନୋ ବ୍ୟୁପ୍ତକେଶୋ ହସନ୍ ରୁଦନ୍ ॥ ୧୪॥

ଇଏ ପ୍ରେତମାନଙ୍କର ନିବାସସ୍ଥାନ ଭୟଙ୍କର ଶ୍ମଶାନରେ ଭୂତ-ପ୍ରେତଙ୍କୁ ସାଙ୍ଗରେ ନେଇ ଘୂରି ବୁଲୁଥାଏ | ପୂରା ପାଗଳଙ୍କ ପରି କେଶ ଅସ୍ତବ୍ୟସ୍ତ କରି ଅର୍ଦ୍ଧନଗ୍ନ ବିଚରଣ କରୁଥାଏ | କେତେବେଳେ ହସୁଥାଏ ତ କେତେବେଳେ କାନ୍ଦୁଥାଏ |

ଚିତାଭସ୍ମକୃତସ୍ନାନଃ ପ୍ରେତସ୍ରଙ୍ ନ୍ରସ୍ଥିଭୂଷଣଃ ।

ଶିବାପଦେଶୋ ହ୍ୟଶିବୋ ମତ୍ତୋ ମତ୍ତଜନପ୍ରିୟଃ ।

ପତିଃ ପ୍ରମଥଭୂତାନାଂ ତମୋମାତ୍ରାତ୍ମକାତ୍ମନାମ୍ ॥ ୧୫॥

ଏହାର ସାରା ଶରୀର ଅପବିତ୍ର ଚିତାଭସ୍ମ ଲେପିତ ହୋଇଥାଏ, ଗଳାରେ ଭୂତମାନଙ୍କର ପିନ୍ଧିବାଯୋଗ୍ୟ ନରମୁଣ୍ଡମାଳ ଏବଂ ଶରୀରରେ ହାଡର ଆଭୂଷଣ ପରିଧାନ କରିଥାଏ | ଇଏ କେବଳ ନାମମାତ୍ରରେ ହିଁ ଶିବ ଅଟେ, ବାସ୍ତବରେ ଇଏ ଅଶିବ ଅର୍ଥାତ୍ ଅମଙ୍ଗଳରୂପ ଅଟେ | ସେ ସ୍ବୟଂ ଯେପରି ଉନ୍ମତ୍ତ ଅଟେ, ସେହିପରି ଉନ୍ମତ୍ତ ଲୋକ ହିଁ ତାର ପ୍ରିୟ ଅଟନ୍ତି | ଭୂତ-ପ୍ରେତ-ପ୍ରମଥ ଆଦି ଖାଣ୍ଟି ତମୋଗୁଣୀ ବ୍ୟକ୍ତିମାନଙ୍କର ସେ ନେତା ଅଟେ |

ତସ୍ମା ଉନ୍ମାଦନାଥାୟ ନଷ୍ଟଶୌଚାୟ ଦୁର୍ହୃଦେ ।

ଦତ୍ତା ବତ ମୟା ସାଧ୍ୱୀ ଚୋଦିତେ ପରମେଷ୍ଠିନା ॥ ୧୬॥

କେବଳ ବ୍ରହ୍ମାଜୀଙ୍କର ପ୍ରରୋଚନାରେ ଏପରି ଭୂତମାନଙ୍କର ସର୍ଦ୍ଦାର, ଆଚାରହୀନ ଏବଂ ଦୁଷ୍ଟ ସ୍ବଭାବର ବ୍ୟକ୍ତି ସହିତ ମୁଁ ନିଜ ସରଳା-ସୁକୁମାରୀ କନ୍ୟାର ବିବାହ କରିଦେଲି |’

ମୈତ୍ରେୟ ଉବାଚ

ବିନିନ୍ଦ୍ୟୈବଂ ସ ଗିରିଶମପ୍ରତୀପମବସ୍ଥିତମ୍ ।

ଦକ୍ଷୋଽଥାପ ଉପସ୍ପୃଶ୍ୟ କ୍ରୁଦ୍ଧଃ ଶପ୍ତୁଂ ପ୍ରଚକ୍ରମେ ॥ ୧୭॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଦକ୍ଷ ଏହିପରି ଭାବରେ ମହାଦେବଙ୍କର ବହୁତ ନିନ୍ଦାଗାନ କଲା, କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଖାଇଲେ ନାହିଁ, ପୂର୍ବବତ୍ ନିଶ୍ଚଳ ଭାବରେ ବସି ରହିଲେ | ଏହା ଦେଖି ଦକ୍ଷଙ୍କର କ୍ରୋଧର ମାତ୍ରା ଆହୁରି ବୃଦ୍ଧି ପାଇଲା ଏବଂ ସେ ହାତରେ ଜଳ ଧରି ତାଙ୍କୁ ଅଭିଶାପ ଦେବାକୁ ବାହାରିଲେ |

ଅୟଂ ତୁ ଦେବୟଜନ ଇନ୍ଦ୍ରୋପେନ୍ଦ୍ରାଦିଭିର୍ଭବଃ ।

ସହ ଭାଗଂ ନ ଲଭତାଂ ଦେବୈର୍ଦେବଗଣାଧମଃ ॥ ୧୮॥

ଦକ୍ଷ କହିଲେ, ‘ଏହି ମହାଦେବ ଦେବତାମାନଙ୍କ ମଧ୍ୟରେ ଅତି ଅଧମ ଅଟେ | ଆଜିଠାରୁ ଏହାକୁ ଇନ୍ଦ୍ର-ଉପେନ୍ଦ୍ର ଆଦି ଦେବତାଙ୍କ ସହିତ ଯଜ୍ଞ ଭାଗ ନ ମିଳୁ |’

ନିଷିଧ୍ୟମାନଃ ସ ସଦସ୍ୟମୁଖ୍ୟୈ-

ର୍ଦକ୍ଷୋ ଗିରିତ୍ରାୟ ବିସୃଜ୍ୟ ଶାପମ୍ ।

ତସ୍ମାଦ୍ୱିନିଷ୍କ୍ରମ୍ୟ ବିବୃଦ୍ଧମନ୍ୟୁ-

ର୍ଜଗାମକୌରବ୍ୟ ନିଜଂ ନିକେତନମ୍ ॥ ୧୯॥

ସେଠାରେ ଉପସ୍ଥିତ ମୁଖ୍ୟ ମୁଖ୍ୟ ସଭାସଦ ତାଙ୍କୁ ବହୁତ ବାରଣ କଲେ, କିନ୍ତୁ ସେ କାହା କଥା ଶୁଣିଲେ ନାହିଁ; ମହାଦେବଙ୍କୁ ଅଭିଶାପ ଦେଇ ଦେଲେ | ତାପରେ ସେ ଅତ୍ୟନ୍ତ କ୍ରୋଧରେ ସଭାରୁ ବାହାରି ନିଜ ଘରକୁ ଚାଲିଗଲେ |

ବିଜ୍ଞାୟ ଶାପଂ ଗିରିଶାନୁଗାଗ୍ରଣୀଃ

ନନ୍ଦୀଶ୍ୱରୋ ରୋଷକଷାୟଦୂଷିତଃ ।

ଦକ୍ଷାୟ ଶାପଂ ବିସସର୍ଜ ଦାରୁଣଂ

ଯେ ଚାନ୍ୱମୋଦଂସ୍ତଦବାଚ୍ୟତାଂ ଦ୍ୱିଜାଃ ॥ ୨୦॥

ଭଗବାନ ଶଂକରଙ୍କର ଅନୁଯାୟୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ନନ୍ଦୀଶ୍ବର ଯେତେବେଳେ ଦକ୍ଷଙ୍କର ଏହି ଶାପ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ କ୍ରୋଧରେ ଅତିଷ୍ଠ ହୋଇ ସେ ଦକ୍ଷ ତଥା ତାଙ୍କ ଦୁର୍ବଚନର ଅନୁମୋଦନ କରିଥିବା ବ୍ରାହ୍ମଣମାନଙ୍କୁ ଅତି ଭୟଙ୍କର ଶାପ ଦେଇଥିଲେ |

ଯ ଏତନ୍ମର୍ତ୍ୟମୁଦ୍ଦିଶ୍ୟ ଭଗବତ୍ୟପ୍ରତିଦ୍ରୁହି ।

ଦ୍ରୁହ୍ୟତ୍ୟଜ୍ଞଃ ପୃଥଗ୍ଦୃଷ୍ଟିସ୍ତତ୍ତ୍ୱତୋ ବିମୁଖୋ ଭବେତ୍ ॥ ୨୧॥

ସେ କହିଲେ – ‘ଯିଏ ଏହି ମରଣ-ଧର୍ମା ଶରୀରକୁ ନେଇ ଅଭିମାନବଶତଃ କାହା ପ୍ରତି ଦ୍ରୋହ କରୁ ନ ଥିବା ଶଂକର ଭଗବାନଙ୍କଠାରେ ଦ୍ବେଷ ଭାବ ରଖେ, ସେହି ଭେଦ-ବୁଦ୍ଧିଯୁକ୍ତ ମୂର୍ଖ ଦକ୍ଷ ତତ୍ତ୍ବଜ୍ଞାନ ପ୍ରତି ବିମୁଖ ହିଁ ଅଟେ |

ଗୃହେଷୁ କୂଟଧର୍ମେଷୁ ସକ୍ତୋ ଗ୍ରାମ୍ୟସୁଖେଚ୍ଛୟା ।

କର୍ମତନ୍ତ୍ରଂ ବିତନୁତେ ବେଦବାଦବିପନ୍ନଧୀଃ ॥ ୨୨॥

ବୁଦ୍ଧ୍ୟା ପରାଭିଧ୍ୟାୟିନ୍ୟା ବିସ୍ମୃତାତ୍ମଗତିଃ ପଶୁଃ ।

ସ୍ତ୍ରୀକାମଃ ସୋଽସ୍ତ୍ୱତିତରାଂ ଦକ୍ଷୋ ବସ୍ତମୁଖୋଽଚିରାତ୍ ॥ ୨୩॥

‘ଚାତୁର୍ମାସ୍ୟ ଯଜ୍ଞ କରୁଥିବା ବ୍ୟକ୍ତିଙ୍କୁ ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ – ଆଦି ଅର୍ଥବାଦରୂପ ବେଦବାକ୍ୟରେ ମୋହିତ ଏବଂ ବିବେକଭ୍ରଷ୍ଟ ହୋଇ ବିଷୟସୁଖ ଇଚ୍ଛାରେ କପଟଧର୍ମମୟ ଗୃହସ୍ଥାଶ୍ରମରେ ଆସକ୍ତ ରହି ସେ କର୍ମକାଣ୍ଡରେ ଲାଗି ରହିଥାଏ | ଏହାର ବୁଦ୍ଧି ଦେହାଦିରେ ଆତ୍ମଭାବର ଚିନ୍ତନ କରୁଥାଏ, ଯଦ୍ବାରା ଇଏ ନିଜର ଆତ୍ମସ୍ବରୂପକୁ ଭୁଲିଯାଇଛି; ସାକ୍ଷାତ୍ ପଶୁତୁଲ୍ୟ ହୋଇଯାଇଛି | ତେଣୁ ଇଏ ଅତ୍ୟନ୍ତ ସ୍ତ୍ରୀ-ଲମ୍ପଟ ହେଉ ଏବଂ ଏହାର ମୁଖ ଅତି ଶୀଘ୍ର ଛେଳି-ମୁଖ ହୋଇଯାଉ |

ବିଦ୍ୟାବୁଦ୍ଧିରବିଦ୍ୟାୟାଂ କର୍ମମୟ୍ୟାମସୌ ଜଡଃ ।

ସଂସରନ୍ତ୍ୱିହ ଯେ ଚାମୁମନୁ ଶର୍ୱାବମାନିନମ୍ ॥ ୨୪॥

ଏହି ମୂର୍ଖ କର୍ମମୟୀ ଅବିଦ୍ୟାକୁ ହିଁ ବିଦ୍ୟା ମନେ କରିଥାଏ; ସେଥିପାଇଁ ଇଏ ଏବଂ ଅନ୍ୟ ଯେଉଁମାନେ ଭଗବାନ ଶଂକରଙ୍କର ଅପମାନ କରୁଥିବା ଏହି ଦୁଷ୍ଟର ଅନୁଗମନ କରନ୍ତି, ସେମାନେ ସମସ୍ତେ ଏହି ଜନ୍ମ-ମରଣରୂପ ସଂସାରଚକ୍ରରେ ପଡି ରହନ୍ତୁ |

ଗିରଃ ଶ୍ରୁତାୟାଃ ପୁଷ୍ପିଣ୍ୟା ମଧୁଗନ୍ଧେନ ଭୂରିଣା ।

ମଥ୍ନା ଚୋନ୍ମଥିତାତ୍ମାନଃ ସମ୍ମୁହ୍ୟନ୍ତୁ ହରଦ୍ୱିଷଃ ॥ ୨୫॥

ବେଦବାଣୀରୂପ ଲତା ଶ୍ରୁତିରୂପ ପୁଷ୍ପରେ ସୁଶୋଭିତ ଅଟେ; ଏହାର କର୍ମଫଳରୂପ ମନମୋହକ ଗନ୍ଧରେ ଏମାନଙ୍କ ଚିତ୍ତ କ୍ଷୁବ୍ଧ ହେଉଛି | ତେଣୁ ଏହି ଶଂକରଦ୍ରୋହୀମାନେ କର୍ମର ଜାଲରେ ହିଁ ଛନ୍ଦି ହୋଇ ରହିଥାଆନ୍ତୁ |

ସର୍ୱଭକ୍ଷା ଦ୍ୱିଜା ବୃତ୍ତ୍ୟୈ ଧୃତବିଦ୍ୟା ତପୋବ୍ରତାଃ ।

ବିତ୍ତଦେହେନ୍ଦ୍ରିୟାରାମା ଯାଚକା ବିଚରନ୍ତ୍ୱିହ ॥ ୨୬॥

ଏହି ବ୍ରାହ୍ମଣମାନେ ଭକ୍ଷାଭକ୍ଷ ବିଚାର ନ କରି କେବଳ ପେଟ ପାଳନ ନିମନ୍ତେ ହିଁ ବିଦ୍ୟା, ତପ ଏବଂ ବ୍ରତ ଆଦିର ଆଶ୍ରୟ ଗ୍ରହଣ କରିବେ ତଥା ଧନ, ଶରୀର ଏବଂ ଇନ୍ଦ୍ରିୟ ସୁଖକୁ ହିଁ ସୁଖ ମାନିନେଇ – ସେମାନଙ୍କର ଗୁଲାମ ହୋଇ ସଂସାରରେ ଭିକ୍ଷା ମାଗି ବୁଲିବେ |

ତସ୍ୟୈବଂ ଦଦତଃ ଶାପଂ ଶ୍ରୁତ୍ୱା ଦ୍ୱିଜକୁଲାୟ ବୈ ।

ଭୃଗୁଃ ପ୍ରତ୍ୟସୃଜଚ୍ଛାପଂ ବ୍ରହ୍ମଦଣ୍ଡଂ ଦୁରତ୍ୟଯମ୍ ॥ ୨୭॥

ନନ୍ଦୀଶ୍ବରଙ୍କ ମୁଖରୁ ବ୍ରାହ୍ମଣକୁଳ ଉଦ୍ଦେଶ୍ୟରେ ଏପରି ଶାପ ଶୁଣି ତାର ପ୍ରତିବଦଳରେ ମହର୍ଷି ଭୃଗୁ ଏହି ଦୁସ୍ତର ଶାପରୂପ ବ୍ରହ୍ମଦଣ୍ଡ ଦେଲେ |

ଭବବ୍ରତଧରା ଯେ ଚ ଯେ ଚ ତାନ୍ ସମନୁବ୍ରତାଃ

ପାଖଣ୍ଡିନସ୍ତେ ଭବନ୍ତୁ ସଚ୍ଛାସ୍ତ୍ରପରିପନ୍ଥିନଃ ॥ ୨୮॥

ଯେଉଁମାନେ ଶିବଭକ୍ତ ଅଟନ୍ତି ତଥା ଯେଉଁମାନେ ସେହି ଭକ୍ତମାନଙ୍କର ଅନୁଯାୟୀ ଅଟନ୍ତି, ସେମାନେ ସତ୍-ଶାସ୍ତ୍ର ବିରୁଦ୍ଧ ଆଚରଣକାରୀ ପାଖଣ୍ଡି ହୁଅନ୍ତୁ |

ନଷ୍ଟଶୌଚା ମୂଢଧିୟୋ ଜଟାଭସ୍ମାସ୍ଥିଧାରିଣଃ ।

ବିଶନ୍ତୁ ଶିବଦୀକ୍ଷାୟାଂ ଯତ୍ର ଦୈବଂ ସୁରାସବମ୍ ॥ ୨୯॥

ଯେଉଁମାନେ ଶୌଚାଚାରବିହୀନ, ମନ୍ଦବୁଦ୍ଧି ତଥା ଜଟା-ଭସ୍ମ-ହାଡ ଧାରଣ କରନ୍ତି, ସେମାନେ ହିଁ ଶୈବ-ସମ୍ପ୍ରଦାୟରେ ଦୀକ୍ଷିତ ଅଟନ୍ତି, ତନ୍ମଧ୍ୟରୁ ସୁରା ଏବଂ ଆସବ ହିଁ ଦେବତାମାନଙ୍କ ପାଇଁ ଆଦରଣୀୟ ଅଟେ |

ବ୍ରହ୍ମ ଚ ବ୍ରାହ୍ମଣାଂଶ୍ଚୈବ ଯଦ୍ୟୂୟଂ ପରିନିନ୍ଦଥ ।

ସେତୁଂ ବିଧାରଣଂ ପୁଂସାମତଃ ପାଖଣ୍ଡମାଶ୍ରିତାଃ ॥ ୩୦॥

ଆରେ ! ତୁମ୍ଭେମାନେ ଧର୍ମମର୍ଯ୍ୟାଦାର ସଂସ୍ଥାପକ ଏବଂ ବର୍ଣ୍ଣାଶ୍ରମର ରକ୍ଷକ ବେଦ ଓ ବ୍ରାହ୍ମଣମାନଙ୍କର ଯେପରି ନିନ୍ଦା କରୁଛ, ସେଥିରୁ ଜଣାପଡୁଛି ତୁମ୍ଭେମାନେ ପାଖଣ୍ଡର ଆଶ୍ରୟ ଗ୍ରହଣ କରିଛ |

ଏଷ ଏବ ହି ଲୋକାନାଂ ଶିବଃ ପନ୍ଥାଃ ସନାତନଃ ।

ଯଂ ପୂର୍ୱେ ଚାନୁସନ୍ତସ୍ଥୁର୍ୟତ୍ପ୍ରମାଣଂ ଜନାର୍ଦନଃ ॥ ୩୧॥

ଏହି ବେଦମାର୍ଗ ହିଁ ଲୋକମାନଙ୍କ ନିମନ୍ତେ କଲ୍ୟାଣକାରୀ ଏବଂ ସନାତନ ମାର୍ଗ ଅଟେ | ପୂର୍ବପୁରୁଷ ଏହି ମାର୍ଗରେ ଚାଲି ଆସିଛନ୍ତି ଏବଂ ଏହାର ମୂଳ ସାକ୍ଷାତ୍ ଶ୍ରୀବିଷ୍ଣୁଭଗବାନ ଅଟନ୍ତି |

ତଦ୍ବ୍ରହ୍ମ ପରମଂ ଶୁଦ୍ଧଂ ସତାଂ ବର୍ତ୍ମ ସନାତନମ୍ ।

ବିଗର୍ହ୍ୟ ଯାତ ପାଖଣ୍ଡଂ ଦୈବଂ ବୋ ଯତ୍ର ଭୂତରାଟ୍ ॥ ୩୨॥

ତୁମ୍ଭେମାନେ ସତ୍-ପୁରୁଷଙ୍କର ପରମ ପବିତ୍ର ଏବଂ ସନାତନ ମାର୍ଗସ୍ବରୂପ ବେଦର ନିନ୍ଦା କରୁଛ – ସେଥିପାଇଁ ତୁମେ ସେହି ପାଖଣ୍ଡମାର୍ଗରେ ଯାଅ, ଯେଉଁଠାରେ ଭୂତମାନଙ୍କର ସର୍ଦ୍ଦାର ତୁମର ଇଷ୍ଟଦେବ ନିବାସ କରନ୍ତି |

ମୈତ୍ରେୟ ଉବାଚ

ତସ୍ୟୈବଂ ବଦତଃ ଶାପଂ ଭୃଗୋଃ ସ ଭଗବାନ୍ ଭବଃ ।

ନିଶ୍ଚକ୍ରାମ ତତଃ କିଞ୍ଚିଦ୍ୱିମନା ଇବ ସାନୁଗଃ ॥ ୩୩॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଭୃଗୁଋଷି ଏପରି ଶାପ ଦେବାରୁ ଭଗବାନ ଶଂକର ଅତ୍ୟନ୍ତ କ୍ଷୁର୍ଣ୍ଣ ହୋଇ ନିଜ ଅନୁଯାୟୀମାନଙ୍କ ସହିତ ସେଠାରୁ ଚାଲିଗଲେ |

ତେଽପି ବିଶ୍ୱସୃଜଃ ସତ୍ରଂ ସହସ୍ରପରିବତ୍ସରାନ୍ ।

ସମ୍ବିଧାୟ ମହେଷ୍ୱାସ ଯତ୍ରେଜ୍ୟ ଋଷଭୋ ହରିଃ ॥ ୩୪॥

ଆପ୍ଲୁତ୍ୟାବଭୃଥଂ ଯତ୍ର ଗଙ୍ଗା ଯମୁନୟାନ୍ୱିତା ।

ବିରଜେନାତ୍ମନା ସର୍ୱେ ସ୍ୱଂ ସ୍ୱଂ ଧାମ ଯୟୁସ୍ତତଃ ॥ ୩୫॥

ସେଠାରେ ପ୍ରଜାପତିମାନେ ଯେଉଁ ଯଜ୍ଞ କରୁଥିଲେ, ସେଥିରେ ପୁରୁଷୋତ୍ତମ ଶ୍ରୀହରି ହିଁ ଉପାସ୍ୟଦେବ ଥିଲେ ଏବଂ ସେହି ଯଜ୍ଞର ଅବଧି ଏକ ହଜାର ବର୍ଷ ଥିଲା | ଯଜ୍ଞ ସମାପ୍ତ କରି ପ୍ରଜାପତିମାନେ ଶ୍ରୀଗଙ୍ଗା-ଯମୁନା ସଙ୍ଗମରେ ଯଜ୍ଞାନ୍ତ ସ୍ନାନ କଲେ ଏବଂ ପ୍ରସନ୍ନ ଚିତ୍ତରେ ନିଜ ନିଜ ସ୍ଥାନକୁ ଫେରିଗଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ଦକ୍ଷଶାପୋ ନାମ ଦ୍ୱିତୀୟୋଧ୍ୟାୟଃ ॥ ୨॥

Comments

Popular posts from this blog