ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ ॥

ତୃତୀୟ ଅଧ୍ୟାୟ

ପିତାଙ୍କର ଯଜ୍ଞୋତ୍ସବକୁ ଯିବାକୁ ସତୀଙ୍କର ଆଗ୍ରହ

 

ମୈତ୍ରେୟ ଉବାଚ

ସଦା ବିଦ୍ୱିଷତୋରେବଂ କାଲୋ ବୈ ଧ୍ରିୟମାଣୟୋଃ ।

ଜାମାତୁଃ ଶ୍ୱଶୁରସ୍ୟାପି ସୁମହାନତିଚକ୍ରମେ ॥ ୧॥

ହେ ବିଦୁର ! ଏହିପରି ଭାବରେ ସେହି ଶ୍ବଶୁର ଏବଂ ଜ୍ବାଇଁ ପରସ୍ପର ମଧ୍ୟରେ ବୈର-ବିରୋଧ ରଖି ବହୁତ ସମୟ ବିତିଗଲା |

ଯଦାଭିଷିକ୍ତୋ ଦକ୍ଷସ୍ତୁ ବ୍ରହ୍ମଣା ପରମେଷ୍ଠିନା ।

ପ୍ରଜାପତୀନାଂ ସର୍ୱେଷାମାଧିପତ୍ୟେ ସ୍ମୟୋଽଭବତ୍ ॥ ୨॥

ଇତିମଧ୍ୟରେ ବ୍ରହ୍ମାଜୀ ଦକ୍ଷ ପ୍ରଜାପତିଙ୍କୁ ସମସ୍ତ ପ୍ରଜାପତିଙ୍କର ଅଧିପତି ନିଯୁକ୍ତ କଲେ | ତଦ୍ବାରା ତାଙ୍କର ଗର୍ବ ଆହୁରି ଅଧିକ ବଢିଗଲା |

ଇଷ୍ଟ୍ୱା ସ ବାଜପେୟେନ ବ୍ରହ୍ମିଷ୍ଠାନଭିଭୂୟ ଚ ।

ବୃହସ୍ପତିସବଂ ନାମ ସମାରେଭେ କ୍ରତୂତ୍ତମମ୍ ॥ ୩॥

ସେ ଭଗବାନ ଶଂକର ଆଦି ବ୍ରହ୍ମନିଷ୍ଠଙ୍କୁ ଯଜ୍ଞଭାଗ ନ ଦେଇ, ତାଙ୍କର ତିରସ୍କାର କରି ପ୍ରଥମେ ବାଜପେୟ ଯଜ୍ଞ କଲେ ଏବଂ ପରେ ବୃହସ୍ପତିସବ ନାମକ ମହାଯଜ୍ଞ ଆରମ୍ଭ କଲେ |

ତସ୍ମିନ୍ ବ୍ରହ୍ମର୍ଷୟଃ ସର୍ୱେ ଦେବର୍ଷିପିତୃଦେବତାଃ ।

ଆସନ୍ କୃତସ୍ୱସ୍ତ୍ୟଯନାସ୍ତତ୍ପତ୍ନ୍ୟଶ୍ଚ ସଭର୍ତୃକାଃ ॥ ୪॥

ସେହି ଯଜ୍ଞୋତ୍ସବକୁ ସବୁ ବ୍ରହ୍ମର୍ଷି, ଦେବର୍ଷି, ପିତୃପୁରୁଷ, ଦେବତା ଆଦି ନିଜ ପତ୍ନୀଙ୍କ ସହିତ ଆଗମନ କରିଥିଲେ, ସେମାନେ ସମସ୍ତେ ମିଶି ସେଠାରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କଲେ ଏବଂ ଦକ୍ଷଙ୍କ ଦ୍ବାରା ସେମାନଙ୍କର ସ୍ବାଗତ-ସତ୍କାର କରାଗଲା | 

ତଦୁପଶ୍ରୁତ୍ୟ ନଭସି ଖେଚରାଣାଂ ପ୍ରଜଲ୍ପତାମ୍ ।

ସତୀ ଦାକ୍ଷାୟଣୀ ଦେବୀ ପିତୁର୍ୟଜ୍ଞମହୋତ୍ସବମ୍ ॥ ୫॥

ସେହି ସମୟରେ ଆକାଶମାର୍ଗରେ ଯାଉଥିବା ଦେବତାମାନେ ପରସ୍ପର ମଧ୍ୟରେ ସେହି ଯଜ୍ଞ ବିଷୟରେ ଚର୍ଚ୍ଚା କରୁଥିଲେ | ସେମାନଙ୍କ ମୁଖରୁ ଦକ୍ଷକୁମାରୀ ସତୀ ନିଜ ପିତାଙ୍କ ଗୃହରେ ଅନୁଷ୍ଠିତ ହେଉଥିବା ଯଜ୍ଞ ବିଷୟ ଶୁଣିବାକୁ ପାଇଲେ |

ବ୍ରଜନ୍ତୀଃ ସର୍ୱତୋ ଦିଗ୍ଭ୍ୟ ଉପଦେବବରସ୍ତ୍ରିୟଃ ।

ବିମାନୟାନାଃ ସପ୍ରେଷ୍ଠା ନିଷ୍କକଣ୍ଠୀଃ ସୁବାସସଃ ॥ ୬॥

ଦୃଷ୍ଟ୍ୱା ସ୍ୱନିଲୟାଭ୍ୟାଶେ ଲୋଲାକ୍ଷୀର୍ମୃଷ୍ଟକୁଣ୍ଡଲାଃ ।

ପତିଂ ଭୂତପତିଂ ଦେବମୌତ୍ସୁକ୍ୟାଦଭ୍ୟଭାଷତ ॥ ୭॥

ସେ ଦେଖିଲେ ତାଙ୍କର ନିବାସସ୍ଥାନ କୈଳାଶ ପାର୍ଶ୍ବ ଦେଇ ସବୁଦିଗରୁ ଗନ୍ଧର୍ବ ଏବଂ ଯକ୍ଷମାନଙ୍କର ଚଞ୍ଚଳ-ନେତ୍ରା ପତ୍ନୀମାନେ ଚକମକ କୁଣ୍ଡଳ ଏବଂ ହାର ପିନ୍ଧି ସଜବାଜ ହୋଇ ନିଜ ନିଜ ପତିଙ୍କ ସହିତ ବିମାନ ଚଢି ସେହି ଯଜ୍ଞୋତ୍ସବକୁ ଯାଉଥିଲେ | ତାହା ଦେଖି ସତୀଙ୍କର ଉତ୍ସୁକତା ବୃଦ୍ଧି ଲାଭ କଲା ଏବଂ ସେ ନିଜ ପତି ଭଗବାନ ଭୂତନାଥଙ୍କୁ କହିଲେ -

ସତ୍ୟୁବାଚ

ପ୍ରଜାପତେସ୍ତେ ଶ୍ୱଶୁରସ୍ୟ ସାମ୍ପ୍ରତଂ

ନିର୍ୟାପିତୋ ଯଜ୍ଞମହୋତ୍ସବଃ କିଲ ।

ବୟଂ ଚ ତତ୍ରାଭିସରାମ ବାମ ତେ

ଯଦ୍ୟର୍ଥିତାମୀ ବିବୁଧା ବ୍ରଜନ୍ତି ହି ॥ ୮॥

ସତୀ କହିଲେ – ହେ ବାମଦେବ ! ମୁଁ ଶୁଣିବାକୁ ପାଇଲି, ଆପଣଙ୍କ ଶ୍ବଶୁର ଦକ୍ଷପ୍ରଜାପତିଙ୍କ ଗୃହରେ ଏହି ସମୟରେ ବହୁତ ବଡ ଯଜ୍ଞୋତ୍ସବ ହେଉଛି | ଦେଖନ୍ତୁ, ଏହି ସବୁ ଦେବତା ସେଠାକୁ ଯାଉଛନ୍ତି; ଆପଣ ଯଦି ଇଚ୍ଛା କରନ୍ତେ, ତେବେ ଆମ୍ଭେମାନେ ମଧ୍ୟ ସେଠାକୁ ଯାଆନ୍ତେ |

ତସ୍ମିନ୍ ଭଗିନ୍ୟୋ ମମ ଭର୍ତୃଭିଃ ସ୍ୱକୈ-

ର୍ଧ୍ରୁବଂ ଗମିଷ୍ୟନ୍ତି ସୁହୃଦ୍ଦିଦୃକ୍ଷବଃ ।

ଅହଂ ଚ ତସ୍ମିନ୍ ଭବତାଭିକାମୟେ

ସହୋପନୀତଂ ପରିବର୍ହମର୍ହିତୁମ୍ ॥ ୯॥

ଏହି ସମୟରେ ନିଜ ଆତ୍ମୀୟମାନଙ୍କ ସହିତ ମିଳିତ ହେବା ପାଇଁ ମୋର ଭଉଣୀମାନେ ନିଜ-ନିଜର ପତିଙ୍କ ସହିତ ନିଶ୍ଚିତଭାବରେ ସେଠାକୁ ଆସିବେ | ମୋର ବି ଇଚ୍ଛା ହେଉଛି ମୁଁ ଆପଣଙ୍କ ସହିତ ସେଠାକୁ ଯାଇ ପିତା-ମାତାଙ୍କ ଦ୍ବାରା ଉପହାରସ୍ବରୂପ ଦିଆ ଯାଉଥିବା ବସ୍ତ୍ର-ଆଭୂଷଣ ଆଦି ସ୍ବୀକାର କରିବି |

ତତ୍ର ସ୍ୱସୄର୍ମେ ନନୁ ଭର୍ତୃସମ୍ମିତା

ମାତୃଷ୍ୱସୄଃ କ୍ଲିନ୍ନଧିୟଂ ଚ ମାତରମ୍ ।

ଦ୍ରକ୍ଷ୍ୟେ ଚିରୋତ୍କଣ୍ଠମନା ମହର୍ଷିଭି-

ରୁନ୍ନୀୟମାନଂ ଚ ମୃଡାଧ୍ୱରଧ୍ୱଜମ୍ ॥ ୧୦॥

ସେଠାରେ ନିଜ ପତିମାନଙ୍କ ଦ୍ବାରା ସମ୍ମାନିତା ଭଉଣୀ, ମାଉସୀ ଏବଂ ସ୍ନେହାର୍ଦ୍ରହୃଦୟା ଜନନୀଙ୍କୁ ଦେଖିବାକୁ ମୋର ମନ ବହୁତ ଦିନରୁ ଉତ୍ସୁକ ରହିଛି | ହେ କଲ୍ୟାଣମୟ ! ଏତଦ୍ ବ୍ୟତିତ ସେଠାରେ ମହର୍ଷିମାନଙ୍କ ଦ୍ବାରା ରଚିତ ଶ୍ରେଷ୍ଠ ଯଜ୍ଞ ମଧ୍ୟ ଦେଖିବାକୁ ମିଳିବ |

ତ୍ୱୟ୍ୟେତଦାଶ୍ଚର୍ୟମଜାତ୍ମମାୟଯା

ବିନିର୍ମିତଂ ଭାତି ଗୁଣତ୍ରୟାତ୍ମକମ୍ ।

ତଥାପ୍ୟହଂ ଯୋଷିଦତତ୍ତ୍ୱବିଚ୍ଚ ତେ

ଦୀନା ଦିଦୃକ୍ଷେ ଭବ ମେ ଭବକ୍ଷିତିମ୍ ॥ ୧୧॥

ଅଜନ୍ମା ପ୍ରଭୁ ! ଆପଣ ଜଗତ ଉତ୍ପତ୍ତିର ହେତୁ ଅଟନ୍ତି | ଆପଣଙ୍କ ମାୟା-ରଚିତ ଏହି ପରମ ଆଶ୍ଚର୍ଯ୍ୟମୟ ତ୍ରିଗୁଣାତ୍ମକ ଜଗତ ଆପଣଙ୍କଠାରେ ହିଁ ପ୍ରକାଶିତ | କିନ୍ତୁ ମୁଁ ତ ସ୍ତ୍ରୀସ୍ବଭାବ ହୋଇଥିବା କାରଣରୁ ଆପଣଙ୍କ ତତ୍ତ୍ବରେ ଅନଭିଜ୍ଞ ଏବଂ ଅତ୍ୟନ୍ତ ଦୀନ ଅଟେ | ସେଥିପାଇଁ ମୁଁ ନିଜ ଜନ୍ମଭୂମି ଦେଖିବାକୁ ବହୁତ ଉତ୍ସୁକ ହେଉଛି |

ପଶ୍ୟ ପ୍ରୟାନ୍ତୀରଭବାନ୍ୟଯୋଷିତୋ-

ଽପ୍ୟଲଙ୍କୃତାଃ କାନ୍ତସଖା ବରୂଥଶଃ ।

ଯାସାଂ ବ୍ରଜଦ୍ଭିଃ ଶିତିକଣ୍ଠମଣ୍ଡିତଂ

ନଭୋ ବିମାନୈଃ କଲହଂସପାଣ୍ଡୁଭିଃ ॥ ୧୨॥

ହେ ଜନ୍ମରହିତ ନୀଳକଣ୍ଠ ! ଦେଖନ୍ତୁ – ଏମାନଙ୍କ ମଧ୍ୟରେ ତ କେତେ ସ୍ତ୍ରୀ ଏପରି ମଧ୍ୟ ଅଛନ୍ତି ଯେଉଁମାନଙ୍କର ଦକ୍ଷଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ | ତଥାପି ସେମାନେ ନିଜ ପତିମାନଙ୍କ ସହିତ ସଜବାଜ ହୋଇ ଦଳ ଦଳ ସେଠାକୁ ଯାଉଛନ୍ତି | ଦେଖନ୍ତୁ, ସେଠାକୁ ଯାଉଥିବା ଦେବାଙ୍ଗନାମାନଙ୍କର ରାଜହଂସ ପରି ଶ୍ବେତ ବିମାନରେ ଆକାଶମଣ୍ଡଳ କିପରି ସୁଶୋଭିତ ହେଉଛି |

କଥଂ ସୁତାୟାଃ ପିତୃଗେହକୌତୁକଂ

ନିଶମ୍ୟ ଦେହଃ ସୁରବର୍ୟ ନେଙ୍ଗତେ ।

ଅନାହୁତା ଅପ୍ୟଭିୟନ୍ତି ସୌହୃଦଂ

ଭର୍ତୁର୍ଗୁରୋର୍ଦେହକୃତଶ୍ଚ କେତନମ୍ ॥ ୧୩॥

ହେ ସୁରଶ୍ରେଷ୍ଠ ! ସେପରି ସ୍ଥଳେ ନିଜ ପିତାଙ୍କ ଘରେ ଉତ୍ସବର ସମାଚାର ପାଇ ତାଙ୍କ ଝିଅର ଶରୀର ସେଥିରେ ସମ୍ମିଳିତ ହେବା ପାଇଁ ବ୍ୟାକୁଳିତ ନ ହେବ କିପରି | ପତି, ଗୁରୁ ଏବଂ ମାତା-ପିତା ଆଦି ସୁହୃଦଙ୍କ ଗୃହକୁ ତ ଅଡାକରାରେ ମଧ୍ୟ ଯାଇହୁଏ |

ତନ୍ମେ ପ୍ରସୀଦେଦମମର୍ତ୍ୟବାଞ୍ଛିତଂ

କର୍ତୁଂ ଭବାନ୍ କାରୁଣିକୋ ବତାର୍ହତି ।

ତ୍ୱୟାଽଽତ୍ମନୋଽର୍ଧେଽହମଦଭ୍ରଚକ୍ଷୁଷା

ନିରୂପିତା ମାନୁଗୃହାଣ ଯାଚିତଃ ॥ ୧୪॥

ତେଣୁ ହେ ଦେବ ! ଆପଣ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ; ମୋର ଏହି ଇଚ୍ଛା ଆପଣ ଅବଶ୍ୟ ପୂର୍ଣ୍ଣ କରିବା ଉଚିତ୍ | ଆପଣ ଅତ୍ୟନ୍ତ କରୁଣାମୟ; ସେଥିପାଇଁ ତ ଆପଣ ପରମ ଜ୍ଞାନୀ ହୋଇ ମଧ୍ୟ ମୋତେ ନିଜ ଅର୍ଦ୍ଧ ଅଙ୍ଗରେ ସ୍ଥାନ ଦେଇଛନ୍ତି | ଏବେ ଆପଣ ମୋର ଏହି ଯାଚନା ପ୍ରତି ଧ୍ୟାନ ଦେଇ ମୋତେ ଅନୁଗୃହୀତ କରନ୍ତୁ |

ଋଷିରୁବାଚ

ଏବଂ ଗିରିତ୍ରଃ ପ୍ରିୟଯାଭିଭାଷିତଃ

ପ୍ରତ୍ୟଭ୍ୟଧତ୍ତ ପ୍ରହସନ୍ ସୁହୃତ୍ପ୍ରିୟଃ ।

ସଂସ୍ମାରିତୋ ମର୍ମଭିଦଃ କୁବାଗିଷୂନ୍

ଯାନାହ କୋ ବିଶ୍ୱସୃଜାଂ ସମକ୍ଷତଃ ॥ ୧୫॥

ମୈତ୍ରେୟ କହୁଛନ୍ତି – ପ୍ରିୟା ସତୀଙ୍କର ଏପରି ପ୍ରାର୍ଥନା ଶୁଣି ନିଜ ଆତ୍ମୀୟମାନଙ୍କୁ ସୁଖୀ କରୁଥିବା ଭଗବାନ ଶଂକର ଦକ୍ଷପ୍ରଜାପତିଙ୍କର ସେହି ମର୍ମଭେଦୀ ଦୁର୍ବଚନରୂପ ବାଣୀ ସ୍ମରଣ କଲେ, ଯାହା ସେ ସବୁ ପ୍ରଜାପତିଙ୍କ ସମ୍ମୁଖରେ କହିଥିଲେ | ସେ ହସି କରି କହିଲେ -

ଶ୍ରୀଭଗବାନୁବାଚ

ତ୍ୱୟୋଦିତଂ ଶୋଭନମେବ ଶୋଭନେ

ଅନାହୁତା ଅପ୍ୟଭିୟନ୍ତି ବନ୍ଧୁଷୁ ।

ତେ ଯଦ୍ୟନୁତ୍ପାଦିତଦୋଷଦୃଷ୍ଟୟୋ

ବଲୀୟସାନାତ୍ମ୍ୟମଦେନ ମନ୍ୟୁନା ॥ ୧୬॥

ଭଗବାନ ଶଂକର କହିଲେ – ସୁନ୍ଦରୀ ! ତୁମେ ଯାହା କହିଲ ଯେ ନିଜ ବନ୍ଧୁଜନଙ୍କ ଘରକୁ ଅଡାକରାରେ ମଧ୍ୟ ଯାଇହୁଏ, ତାହା ତ ଠିକ୍ ଅଟେ; କିନ୍ତୁ ଏହା ସେତେବେଳେ ଉଚିତ୍ ଅଟେ, ଯେତେବେଳେ ସେମାନଙ୍କର ଦୃଷ୍ଟି ଅତିଶୟ ଦେହାଭିମାନରୁ ଉତ୍ପନ୍ନ ହେଉଥିବା ମଦ ଏବଂ କ୍ରୋଧ ଯୋଗୁଁ ଦ୍ବେଷ-ଦୋଷଯୁକ୍ତ ହୋଇ ନ ଥାଏ |

ବିଦ୍ୟାତପୋବିତ୍ତବପୁର୍ୱୟଃକୁଲୈଃ

ସତାଂ ଗୁଣୈଃ ଷଡ୍ଭିରସତ୍ତମେତରୈଃ ।

ସ୍ମୃତୌ ହତାୟାଂ ଭୃତମାନଦୁର୍ଦୃଶଃ

ସ୍ତବ୍ଧା ନ ପଶ୍ୟନ୍ତି ହି ଧାମ ଭୂୟସାମ୍ ॥ ୧୭॥

ବିଦ୍ୟା, ତପ, ଧନ, ସୁଦୃଢ ଶରୀର, ଯୁବାବସ୍ଥା ଏବଂ ଉଚ୍ଚକୁଳ – ଏହି ଛଅଟି ସତ୍-ପୁରୁଷଙ୍କର ତ ଗୁଣ ଅଟେ, କିନ୍ତୁ ନୀଚ ପୁରୁଷଙ୍କଠାରେ ଏସବୁ ଅବଗୁଣ ହୋଇଯାଏ; କାରଣ ଏସବୁ ଦ୍ବାରା ସେମାନଙ୍କର ଅଭିମାନ ବୃଦ୍ଧି ପାଇଥାଏ, ଦୃଷ୍ଟି ଦୋଷଯୁକ୍ତ ହୋଇଯାଏ ଏବଂ ବିବେକ-ଶକ୍ତି ନଷ୍ଟ ହୋଇଯାଏ | ସେହି କାରଣରୁ ସେମାନେ ମହାପୁରୁଷଙ୍କର ପ୍ରଭାବ ଦେଖି ପାରନ୍ତି ନାହିଁ |

ନୈତାଦୃଶାନାଂ ସ୍ୱଜନବ୍ୟପେକ୍ଷୟା

ଗୃହାନ୍ ପ୍ରତୀୟାଦନବସ୍ଥିତାତ୍ମନାମ୍ ।

ଯେଽଭ୍ୟାଗତାନ୍ ବକ୍ରଧିୟାଭିଚକ୍ଷତେ

ଆରୋପିତଭ୍ରୂଭିରମର୍ଷଣାକ୍ଷିଭିଃ ॥ ୧୮॥

ଏଥିପାଇଁ ଯିଏ ନିଜ ଘରକୁ ଆସିଥିବା ବ୍ୟକ୍ତିଙ୍କୁ କୁଟିଳ ବୁଦ୍ଧିରେ ଭ୍ରୁକୁଞ୍ଚନ କରି ରୋଷଭରା ଦୃଷ୍ଟିରେ ଦେଖନ୍ତି, ସେହି ଅବ୍ୟବସ୍ଥିତଚିତ୍ତ ଲୋକଙ୍କ ଘରକୁ ‘ଇଏ ମୋର ବାନ୍ଧବ ଅଟନ୍ତି – ଏପରି ମନେକରି କଦାପି ଯିବା ଉଚିତ୍ ନୁହେଁ |

ତଥାରିଭିର୍ନ ବ୍ୟଥତେ ଶିଲୀମୁଖୈଃ

ଶେତେଽର୍ଦିତାଙ୍ଗୋ ହୃଦୟେନ ଦୂୟତା ।

ସ୍ୱାନାଂ ଯଥା ବକ୍ରଧିୟାଂ ଦୁରୁକ୍ତିଭି-

ର୍ଦିବାନିଶଂ ତପ୍ୟତି ମର୍ମତାଡିତଃ ॥ ୧୯॥

ହେ ଦେବି ! ଶତ୍ରୁମାନଙ୍କର ବାଣରେ ବିଦ୍ଧ ହେଲେ ମଧ୍ୟ ଏତେ ବ୍ୟଥା ହୋଇ ନ ଥାଏ, ଯେତିକି ବ୍ୟଥା ନିଜ କୁଟିଳବୁଦ୍ଧି ସ୍ବଜନମାନଙ୍କର କୁଟିଳ ବଚନ ଦ୍ବାରା ହୋଇଥାଏ | କାରଣ ବାଣ ଦ୍ବାରା ଶରୀର ଖିନ୍ନ-ଭିନ୍ନ ହୋଇଗଲେ ମଧ୍ୟ କିପରି ହେଉ ନିଦ୍ରା ଆସିଯାଏ, କିନ୍ତୁ କୁବାକ୍ୟ ଦ୍ବାରା ମର୍ମସ୍ଥଳ ବିଦ୍ଧ ହେବା ଯୋଗୁଁ ମନୁଷ୍ୟ ହୃଦୟର ପୀଡାରେ ଦିନ-ରାତି ଅଶାନ୍ତ ରହିଥାଏ |

ବ୍ୟକ୍ତଂ ତ୍ୱମୁତ୍କୃଷ୍ଟଗତେଃ ପ୍ରଜାପତେଃ

ପ୍ରିୟାଽଽତ୍ମଜାନାମସି ସୁଭ୍ରୁ ସମ୍ମତା ।

ଅଥାପି ମାନଂ ନ ପିତୁଃ ପ୍ରପତ୍ସ୍ୟସେ

ମଦାଶ୍ରୟାତ୍କଃ ପରିତପ୍ୟତେ ଯତଃ ॥ ୨୦॥

ହେ ସୁନ୍ଦରୀ ! ମୁଁ ଅବଶ୍ୟ ଏହା ଜାଣିଛି ଯେ ପରମୋନ୍ନତିକୁ ପ୍ରାପ୍ତ ହୋଇଥିବା ଦକ୍ଷପ୍ରଜାପତିଙ୍କର କନ୍ୟାମାନଙ୍କ ମଧ୍ୟରୁ ତୁମେ ତାଙ୍କର ସର୍ବାଧିକ ପ୍ରିୟ ଅଟ | ତଥାପି ମୋର ଆଶ୍ରିତା ହୋଇଥିବା କାରଣରୁ ନିଜ ପିତାଙ୍କଠାରୁ ତୁମକୁ କୌଣସି ସମ୍ମାନ ମିଳିବ ନାହିଁ, କାରଣ ସେ ମୋ ପ୍ରତି ଈର୍ଷ୍ୟା ଭାବ ରଖନ୍ତି |

ପାପଚ୍ୟମାନେନ ହୃଦାଽଽତୁରେନ୍ଦ୍ରିୟଃ

ସମୃଦ୍ଧିଭିଃ ପୂରୁଷବୁଦ୍ଧିସାକ୍ଷିଣାମ୍ ।

ଅକଲ୍ପ ଏଷାମଧିରୋଢୁମଞ୍ଜସା

ପଦଂ ପରଂ ଦ୍ୱେଷ୍ଟି ଯଥାସୁରା ହରିମ୍ ॥ ୨୧॥

ଜୀବର ଚିତ୍ତବୃତ୍ତିର ସାକ୍ଷୀ ଅହଂକାରଶୂନ୍ୟ ମହାପୁରୁଷଙ୍କର ସମୃଦ୍ଧିକୁ ଦେଖି ଯେଉଁମାନଙ୍କର ହୃଦୟରେ ସନ୍ତାପ ଏବଂ ଇନ୍ଦ୍ରିୟମାନଙ୍କରେ ବ୍ୟଥା ଜାତ ହୋଇଥାଏ, ସେ ସେମାନଙ୍କର ପଦକୁ ତ ସୁଗମତାପୂର୍ବକ ପ୍ରାପ୍ତ କରିପାରନ୍ତି ନାହିଁ; ବରଂ ଦୈତ୍ୟଗଣ ଯେପରି ଶ୍ରୀହରିଙ୍କ ପ୍ରତି ଦ୍ବେଷ କରିଥାଆନ୍ତି, ସେହିପରି ସେ ସେହି ମହାପୁରୁଷଙ୍କୁ ହିଂସା କରନ୍ତି |

ପ୍ରତ୍ୟୁଦ୍ଗମପ୍ରଶ୍ରୟଣାଭିବାଦନଂ

ବିଧୀୟତେ ସାଧୁ ମିଥଃ ସୁମଧ୍ୟମେ ।

ପ୍ରାଜ୍ଞୈଃ ପରସ୍ମୈ ପୁରୁଷାୟ ଚେତସା

ଗୁହାଶୟାୟୈବ ନ ଦେହମାନିନେ ॥ ୨୨॥

ହେ ସୁଭଦା ! ତୁମେ କହିପାର ଯେ ଆପଣ ପ୍ରଜାପତିମାନଙ୍କର ସଭାରେ ତାଙ୍କର ଆଦର କାହିଁକି କରି ନ ଥିଲେ, ତେବେ ଶୁଣ, ସମ୍ମୁଖକୁ ଯିବା, ନମ୍ରତା ପ୍ରଦର୍ଶନ କରିବା, ପ୍ରଣାମ କରିବା ଆଦି କ୍ରିୟା, ଯାହା ଲୋକବ୍ୟବହାର ସ୍ବରୂପ ପରସ୍ପରରେ କରାଯାଇ ଥାଏ, ତତ୍ତ୍ବଜ୍ଞାନୀମାନଙ୍କ ଦ୍ବାରା ତାହା ଅତି ସୁନ୍ଦର ଢଙ୍ଗରେ କରାଯାଇ ଥାଏ | ସେମାନେ ଅନ୍ତର୍ଯ୍ୟାମୀରୂପରେ ସମସ୍ତଙ୍କ ଅନ୍ତଃକରଣରେ ସ୍ଥିତ ପରମପୁରୁଷ ବାସୁଦେବଙ୍କୁ ହିଁ ପ୍ରଣାମାଦି କରନ୍ତି, ଦେହାଭିମାନୀ ପୁରୁଷଙ୍କୁ କରନ୍ତି ନାହିଁ |

ସତ୍ତ୍ୱଂ ବିଶୁଦ୍ଧଂ ବସୁଦେବଶବ୍ଦିତଂ

ଯଦୀୟତେ ତତ୍ର ପୁମାନପାବୃତଃ ।

ସତ୍ତ୍ୱେ ଚ ତସ୍ମିନ୍ ଭଗବାନ୍ ବାସୁଦେବୋ

ହ୍ୟଧୋକ୍ଷଜୋ ମେ ନମସା ବିଧୀୟତେ ॥ ୨୩॥

ବିଶୁଦ୍ଧ ଅନ୍ତଃକରଣର ନାମ ହିଁ ‘ବସୁଦେବ ଅଟେ; କାରଣ ତହିଁରେ ଭଗବାନ ବାସୁଦେବଙ୍କର ଅପରୋକ୍ଷ ଅନୁଭବ ହୋଇଥାଏ | ଶୁଦ୍ଧ ଚିତ୍ତରେ ସ୍ଥିତ ସେହି ଇନ୍ଦ୍ରିୟାତୀତ ଭଗବାନ ବାସୁଦେବଙ୍କୁ ହିଁ ମୁଁ ନମସ୍କାର କରେ |

ତତ୍ତେ ନିରୀକ୍ଷ୍ୟୋ ନ ପିତାପି ଦେହକୃ-

ଦ୍ଦକ୍ଷୋ ମମ ଦ୍ୱିଟ୍ ତଦନୁବ୍ରତାଶ୍ଚ ଯେ ।

ଯୋ ବିଶ୍ୱସୃଗ୍ୟଜ୍ଞଗତଂ ବରୋରୁ ମା-

ମନାଗସଂ ଦୁର୍ୱଚସାକରୋତ୍ତିରଃ ॥ ୨୪॥

ସେଥିପାଇଁ ହେ ପ୍ରିୟେ ! ପ୍ରଜାପତିମାନଙ୍କର ଯଜ୍ଞରେ, ମୋର କୌଣସି ଅପରାଧ ନ ଥାଇ, ଯିଏ କଟୁବାକ୍ୟରେ ମୋର ତିରସ୍କାର କରିଥିଲେ, ସେହି ଦକ୍ଷ ଯଦିଓ ତୁମ ଶରୀରର ପିତା ଅଟନ୍ତି, ମୋର ଶତ୍ରୁ ହୋଇଥିବା କାରଣରୁ ତୁମେ ତାଙ୍କୁ ଅଥବା ତାଙ୍କର ଅନୁଯାୟୀମାନଙ୍କୁ ଦେଖିବାର ବିଚାର କରିବା ଅନୁଚିତ୍ |

ଯଦି ବ୍ରଜିଷ୍ୟସ୍ୟତିହାୟ ମଦ୍ୱଚୋ

ଭଦ୍ରଂ ଭବତ୍ୟା ନ ତତୋ ଭବିଷ୍ୟତି ।

ସମ୍ଭାବିତସ୍ୟ ସ୍ୱଜନାତ୍ପରାଭବୋ

ଯଦା ସ ସଦ୍ୟୋ ମରଣାୟ କଲ୍ପତେ ॥ ୨୫॥

ମୋର କଥା ନ ମାନି ତୁମେ ଯଦି ସେଠାକୁ ଯିବ, ତେବେ ତୁମ ପାଇଁ କିଛି ଭଲ ହେବନାହିଁ; କାରଣ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଯେତେବେଳେ ତାଙ୍କର ଆତ୍ମୀୟଜନଙ୍କ ଦ୍ବାରା ଅପମାନ କରାଯାଇ ଥାଏ, ସେତେବେଳେ ତାହା ତାଙ୍କ ପାଇଁ ତତ୍କାଳ ମୃତ୍ୟୁର କାରଣ ହୋଇଥାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ସତୀରୁଦ୍ରସମ୍ବାଦେ ତୃତୀୟୋଽଧ୍ୟାୟଃ ॥ ୩॥

 

Comments

Popular posts from this blog