ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ଚତୁର୍ଥ ଅଧ୍ୟାୟ
ସତୀଙ୍କର ଅଗ୍ନିରେ ପ୍ରବେଶ
ମୈତ୍ରେୟ ଉବାଚ
ଏତାବଦୁକ୍ତ୍ୱା ବିରରାମ ଶଙ୍କରଃ
ପତ୍ନ୍ୟଙ୍ଗନାଶଂ ହ୍ୟୁଭୟତ୍ର ଚିନ୍ତୟନ୍ ।
ସୁହୃଦ୍ଦିଦୃକ୍ଷୁଃ ପରିଶଙ୍କିତା ଭବା-
ନ୍ନିଷ୍କ୍ରାମତୀ ନିର୍ୱିଶତୀ ଦ୍ୱିଧାଽଽସ ସା ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଏତିକି କହି ଭଗବାନ ଶଂକର ମୌନ
ହୋଇଗଲେ | ସେ ଦେଖିଲେ ଯେ ଦକ୍ଷ ଗୃହକୁ ଯିବା ପାଇଁ ଅନୁମତି ଦେବା ଅଥବା ସେହି ଦିଗରେ ତାଙ୍କର ପ୍ରତିରୋଧ
କରିବା – ଉଭୟ ଅବସ୍ଥାରେ ସତୀଙ୍କର ପ୍ରାଣତ୍ୟାଗର ସମ୍ଭାବନା ରହିଛି | ଏଣେ ସତୀ ମଧ୍ୟ ନିଜ
ବନ୍ଧୁଜନଙ୍କୁ ଦେଖିବା ଇଚ୍ଛାରେ କେବେ ବାହାରକୁ ଯାଉଥାଆନ୍ତି ତ ପୁଣି କେବେ, କାଳେ ଭଗବାନ ଶଂକର
ରୁଷ୍ଟ ହୋଇଯିବେ, ସେହି ଆଶଙ୍କାରେ ଭିତରକୁ ଫେରି ଆସୁଥାଆନ୍ତି | ଏହିପରି ଭାବରେ ଯିବେ କି ନ
ଯିବେ କିଛି ନିଶ୍ଚିତ କରି ନ ପାରି ସେ ଅସମଞ୍ଜସରେ ପଡିଗଲେ,
ଚଞ୍ଚଳ ହୋଇ ଉଠିଲେ |
ସୁହୃଦ୍ଦିଦୃକ୍ଷାପ୍ରତିଘାତଦୁର୍ମନାଃ
ସ୍ନେହାଦ୍ରୁଦତ୍ୟଶ୍ରୁକଲାତିବିହ୍ୱଲା ।
ଭବଂ ଭବାନ୍ୟପ୍ରତିପୂରୁଷଂ ରୁଷା
ପ୍ରଧକ୍ଷ୍ୟତୀବୈକ୍ଷତ ଜାତବେପଥୁଃ ॥ ୨॥
ବନ୍ଧୁଜନଙ୍କୁ ଦେଖିବା ଇଚ୍ଛାରେ ବାଧା ଉତ୍ପନ୍ନ ହେବାରୁ ସତୀ ବିଚଳିତ
ହୋଇ ଉଠିଲେ | ସ୍ବଜନ ସ୍ନେହବଶ ତାଙ୍କର ହୃଦୟ ଭରିଗଲା ଏବଂ ସେ ଆଖିରେ ଅଶ୍ରୁ ଭରି ଅତ୍ୟନ୍ତ
ବ୍ୟାକୁଳ ଭାବରେ ରୋଦନ କରିବାରେ ଲାଗିଲେ | ତାଙ୍କର ଶରୀର ଥରଥର କମ୍ପିବାରେ ଲାଗିଲା ଏବଂ ସେ
ଅପ୍ରତିମ ପୁରୁଷ ଭଗବାନ ଶଂକରଙ୍କ ଅଭିମୁଖରେ ଏପରି ରୋଷପୂର୍ଣ୍ଣ ଦୃଷ୍ଟିରେ ଚାହିଁବାରେ ଲାଗିଲେ
ସତେ ଯେପରି ତାଙ୍କୁ ଭସ୍ମ କରିଦେବେ |
ତତୋ ବିନିଃଶ୍ୱସ୍ୟ ସତୀ ବିହାୟ ତଂ
ଶୋକେନ ରୋଷେଣ ଚ ଦୂୟତା ହୃଦା ।
ପିତ୍ରୋରଗାତ୍ସ୍ତ୍ରୈଣବିମୂଢଧୀର୍ଗୃହାନ୍
ପ୍ରେମ୍ଣାଽଽତ୍ମନୋ ଯୋଽର୍ଧମଦାତ୍ସତାଂ ପ୍ରିୟଃ ॥ ୩॥
ଶୋକ ଏବଂ କ୍ରୋଧ ତାଙ୍କର ଚିତ୍ତକୁ ପୂରାପୁରି ଅଶାନ୍ତ କରିଦେଲା ତଥା
ସ୍ତ୍ରୀସ୍ବଭାବବଶତଃ ତାଙ୍କର ବୁଦ୍ଧି ମୂଢ଼ ହୋଇଗଲା | ପ୍ରୀତିବଶ ଯିଏ ତାଙ୍କୁ ନିଜର ଅର୍ଦ୍ଧ
ଅଙ୍ଗ ପର୍ଯ୍ୟନ୍ତ ଦେଇ ଦେଇଥିଲେ, ସତ୍-ପୁରୁଷମାନଙ୍କର
ପ୍ରିୟ ସେହି ଭଗବାନ ଶଂକରଙ୍କୁ ଛାଡି ଦୀର୍ଘଶ୍ବାସ ଭରି ସେ ନିଜ ମାତା-ପିତାଙ୍କ ଗୃହ ଅଭିମୁଖରେ
ଚାଲିବାରେ ଲାଗିଲେ |
ତାମନ୍ୱଗଚ୍ଛନ୍ଦ୍ରୁତବିକ୍ରମାଂ ସତୀ-
ମେକାଂ ତ୍ରିନେତ୍ରାନୁଚରାଃ ସହସ୍ରଶଃ ।
ସପାର୍ଷଦୟକ୍ଷା ମଣିମନ୍ମଦାଦୟଃ
ପୁରୋ ବୃଷେନ୍ଦ୍ରାସ୍ତରସା ଗତବ୍ୟଥାଃ ॥ ୪॥
ସତୀଙ୍କୁ ଦ୍ରୁତ ବେଗରେ ଏକାକୀ ଯାଉଥିବା ଦେଖି ଶ୍ରୀମହାଦେବଙ୍କର
ମଣିମାନ ଏବଂ ମଦ ଆଦି ହଜାର ହଜାର ସେବକ ତାଙ୍କର ବାହନ ବୃଷଭରାଜଙ୍କୁ ଆଗରେ ରଖି ତଥା ଆହୁରି ବି
ଅନେକ ପାର୍ଷଦ ଏବଂ ଯକ୍ଷଙ୍କ ସହିତ ତୀବ୍ର ବେଗରେ ନିର୍ଭୟତାପୂର୍ବକ ତାଙ୍କ ପଛେ ପଛେ ଗଲେ |
ତାଂ ସାରିକାକନ୍ଦୁକଦର୍ପଣାମ୍ବୁଜ-
ଶ୍ୱେତାତପତ୍ରବ୍ୟଜନସ୍ରଗାଦିଭିଃ ।
ଗୀତାୟନୈର୍ଦୁନ୍ଦୁଭିଶଙ୍ଖବେଣୁଭି-
ର୍ୱୃଷେନ୍ଦ୍ରମାରୋପ୍ୟ ବିଟଙ୍କିତା ଯୟୁଃ ॥ ୫॥
ସେମାନେ ସତୀଙ୍କୁ ବୃଷଭ ପିଠିରେ ବସାଇ ଦେଲେ ତଥା ସାରୀ ପକ୍ଷୀ, ପେଣ୍ଡୁ, ଦର୍ପଣ ଏବଂ କମଳ ଆଦି
କ୍ରୀଡା ସାମଗ୍ରୀ, ଶ୍ବେତ ଛତ୍ର, ଚାମର ଏବଂ ମାଳା ଆଦି ରାଜଚିହ୍ନ ତଥା ଦୁନ୍ଦୁଭି, ଶଂଖ ଏବଂ ବଂଶୀ ଆଦି ବାଦ୍ୟଯନ୍ତ୍ରରେ ସୁସଜ୍ଜିତ ହୋଇ ସେମାନେ ତାଙ୍କ
ସହିତ ଚାଲିଲେ |
ଆବ୍ରହ୍ମଘୋଷୋର୍ଜିତୟଜ୍ଞବୈଶସଂ
ବିପ୍ରର୍ଷିଜୁଷ୍ଟଂ ବିବୁଧୈଶ୍ଚ ସର୍ୱଶଃ ।
ମୃଦ୍ଦାର୍ୱୟଃକାଞ୍ଚନଦର୍ଭଚର୍ମଭି-
ର୍ନିସୃଷ୍ଟଭାଣ୍ଡଂ ଯଜନଂ ସମାବିଶତ୍ ॥ ୬॥
ତଦନନ୍ତର ସତୀ ସମସ୍ତ ସେବକଙ୍କ ସହିତ ଦକ୍ଷଙ୍କ ଯଜ୍ଞଶାଳରେ ପ୍ରବେଶ
କଲେ | ସେଠାରେ ବେଦଧ୍ବନି କରୁଥିବା ବ୍ରାହ୍ମଣମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା ଯେ ସବୁଠାରୁ
ଉଚ୍ଚ ସ୍ବରରେ କିଏ ଆବୃତ୍ତି କରିପାରିବ | ସର୍ବତ୍ର ବ୍ରହ୍ମର୍ଷି ଏବଂ ଦେବତାମାନେ ବିରାଜମାନ
କରିଥିଲେ ତଥା ଯେଉଁଠି-ସେଇଠି ମାଟି, କାଠ, ଲୁହା, ସୁନା, ତମ୍ବା ଏବଂ ଚମଡାର ପାତ୍ର ସବୁ ରଖା ଯାଇଥିଲା |
ତାମାଗତାଂ ତତ୍ର ନ କଶ୍ଚନାଦ୍ରିୟ-
ଦ୍ୱିମାନିତାଂ ଯଜ୍ଞକୃତୋ ଭୟାଜ୍ଜନଃ ।
ଋତେ ସ୍ୱସୄର୍ୱୈ ଜନନୀଂ ଚ ସାଦରାଃ
ପ୍ରେମାଶ୍ରୁକଣ୍ଠ୍ୟଃ ପରିଷସ୍ୱଜୁର୍ମୁଦା ॥ ୭॥
ସେଠାରେ ପହଞ୍ଚିବା ପରେ ପିତାଙ୍କ ଦ୍ବାରା ସତୀଙ୍କର ଯେପରି ଅବହେଳନା
କରାଗଲା, ତାହା ଦେଖି
ଯଜ୍ଞକର୍ତ୍ତା ଦକ୍ଷଙ୍କ ଭୟରେ ସତୀଙ୍କର ମାତା ଏବଂ ଭଗିନୀଙ୍କ ବ୍ୟତିତ ଅନ୍ୟ କେହି ତାଙ୍କର
ଆଦର-ସତ୍କାର କଲେ ନାହିଁ | ଅବଶ୍ୟ ତାଙ୍କର ମାତା ଏବଂ ଭଗିନୀମାନେ ତାଙ୍କୁ ଦେଖି ବହୁତ ପ୍ରସନ୍ନ
ହେଲେ ଏବଂ ପ୍ରେମ ଗଦଗଦ ହୋଇ ସେମାନେ ସତୀଙ୍କର ଆଲିଙ୍ଗନ କଲେ |
ସୌଦର୍ୟସମ୍ପ୍ରଶ୍ନସମର୍ଥବାର୍ତୟା
ମାତ୍ରା ଚ ମାତୃଷ୍ୱସୃଭିଶ୍ଚ ସାଦରମ୍ ।
ଦତ୍ତାଂ ସପର୍ୟାଂ ବରମାସନଂ ଚ ସା
ନାଦତ୍ତ ପିତ୍ରାଽପ୍ରତିନନ୍ଦିତା ସତୀ ॥ ୮॥
କିନ୍ତୁ ପିତାଙ୍କ ଦ୍ବାରା ଅପମାନିତ ହୋଇଥିବା କାରଣରୁ ଭଗିନୀମାନଙ୍କର
କୁଶଳ ପ୍ରଶ୍ନ ସହିତ ପ୍ରେମପୂର୍ଣ୍ଣ ବାର୍ତ୍ତାଳାପ ତଥା ମା’
ଏବଂ ମାଉସୀଙ୍କ ଦ୍ବାରା ସମ୍ମାନପୂର୍ବକ ଦିଆ ଯାଇଥିବା ଉପହାର ତଥା ସୁନ୍ଦର ଆସନାଦିକୁ ସତୀ
ସ୍ବୀକାର କଲେ ନାହିଁ |
ଅରୁଦ୍ରଭାଗଂ ତମବେକ୍ଷ୍ୟ ଚାଧ୍ୱରଂ
ପିତ୍ରା ଚ ଦେବେ କୃତହେଲନଂ ବିଭୌ ।
ଅନାଦୃତା ଯଜ୍ଞସଦସ୍ୟଧୀଶ୍ୱରୀ
ଚୁକୋପ ଲୋକାନିବ ଧକ୍ଷ୍ୟତୀ ରୁଷା ॥ ୯॥
ଯଜ୍ଞମଣ୍ଡପରେ ସର୍ବଲୋକେଶ୍ବରୀ ଦେବୀ ସତୀଙ୍କର ତ ଅନାଦର ହୋଇଥିଲା, ତାଛଡା ସେ ଏହା ମଧ୍ୟ ଦେଖିବାକୁ ପାଇଲେ ଯେ ଯଜ୍ଞରେ ଭଗବାନ ଶଂକରଙ୍କ
ନିମନ୍ତେ କୌଣସି ଭାଗ ଅର୍ପଣ କରାଯାଉ ନାହିଁ ଏବଂ ପିତା ଦକ୍ଷ ତାଙ୍କର ଅପମାନ କରୁଛନ୍ତି | ଏହା
ଦେଖି ସେ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ; ମନେହେଲା ସତେ ଯେପରି ନିଜ ରୋଷରେ ସେ ସମ୍ପୂର୍ଣ୍ଣ
ସଂସାରକୁ ଭସ୍ମ କରିଦେବେ |
ଜଗର୍ହ ସାମର୍ଷବିପନ୍ନୟା ଗିରା
ଶିବଦ୍ୱିଷଂ ଧୂମପଥଶ୍ରମସ୍ମୟମ୍ ।
ସ୍ୱତେଜସା ଭୂତଗଣାନ୍ ସମୁତ୍ଥିତାନ୍
ନିଗୃହ୍ୟ ଦେବୀ ଜଗତୋଽଭିଶୃଣ୍ୱତଃ ॥ ୧୦॥
କର୍ମମାର୍ଗର ଅନୁଷ୍ଠାନରେ ଦକ୍ଷଙ୍କର ଅହଂକାର ବହୁତ ବେଶୀ ବଢି
ଯାଇଥିଲା | ସେ ଶିବଙ୍କ ପ୍ରତି ଦ୍ବେଷ କରୁଥିବା ଦେଖି ସତୀଙ୍କ ସହିତ ଆସିଥିବା ଭୂତମାନେ ତାକୁ
ମାରିବାକୁ ଉଦ୍ୟତ ହେଉଥିବା ବେଳେ ଦେବୀ ସତୀ ନିଜ ତେଜ ବଳରେ ସେମାନଙ୍କୁ ରୋକି ଦେଲେ ଏବଂ
ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଶୁଣାଇ କ୍ରୋଧ ଜର୍ଜରିତ ବାଣୀରେ ପିତାଙ୍କର ନିନ୍ଦା କରି
କହିଲେ -
ଦେବ୍ୟୁବାଚ
ନ ଯସ୍ୟ ଲୋକେଽସ୍ତ୍ୟତିଶାୟନଃ ପ୍ରିୟଃ
ତଥାପ୍ରିୟୋ ଦେହଭୃତାଂ ପ୍ରିୟାତ୍ମନଃ ।
ତସ୍ମିନ୍ ସମସ୍ତାତ୍ମନି ମୁକ୍ତବୈରକେ
ଋତେ ଭବନ୍ତଂ କତମଃ ପ୍ରତୀପୟେତ୍ ॥ ୧୧॥
ଦେବୀ ସତୀ କହିଲେ – ପିତାଜୀ ! ଭଗବାନ ଶଂକରଙ୍କଠାରୁ ଶ୍ରେଷ୍ଠ ତ
ସଂସାରରେ କେହି ମଧ୍ୟ ନୁହଁନ୍ତି | ସମସ୍ତ ଦେହଧାରୀଙ୍କର ସେ ପ୍ରିୟ ଆତ୍ମା ଅଟନ୍ତି | କିନ୍ତୁ
ତାଙ୍କର କେହି ପ୍ରିୟ ନୁହଁନ୍ତି କି ଅପ୍ରିୟ ନୁହଁନ୍ତି;
ଅତଏବ କୌଣସି ପ୍ରାଣୀଙ୍କ ପ୍ରତି ତାଙ୍କର ବୈରଭାବ ନାହିଁ | ସେ ତ ସମସ୍ତଙ୍କର କାରଣ ଏବଂ
ସର୍ବରୂପ ଅଟନ୍ତି; ଆପଣଙ୍କ ବ୍ୟତିତ ଆଉ
ଏପରି କିଏ ଥିବ ଯିଏ ତାଙ୍କର ବିରୋଧ କରୁଥିବ ?
ଦୋଷାନ୍ ପରେଷାଂ ହି ଗୁଣେଷୁ ସାଧବୋ
ଗୃହ୍ଣନ୍ତି କେଚିନ୍ନ ଭବାଦୃଶା ଦ୍ୱିଜ ।
ଗୁଣାଂଶ୍ଚ ଫଲ୍ଗୂନ୍ ବହୁଲୀକରିଷ୍ଣବୋ
ମହତ୍ତମାସ୍ତେଷ୍ୱବିଦଦ୍ଭବାନଘମ୍ ॥ ୧୨॥
ହେ ଦ୍ବିଜବର ! ଆପଣଙ୍କ ପରି ଲୋକମାନେ ଅନ୍ୟର ଗୁଣରେ ବି ଦୋଷ ହିଁ
ଦେଖନ୍ତି, କିନ୍ତୁ କୌଣସି
ସାଧୁପୁରୁଷ ସେପରି କରନ୍ତି ନାହିଁ | ଯେଉଁମାନେ ଅନ୍ୟର ଦୋଷ ଦେଖିବା କଥା ଦୂରରେ ଥାଉ, ଅନ୍ୟର ସାମାନ୍ୟ ଟିକିଏ ଗୁଣକୁ ମଧ୍ୟ ବଡ ଆକାରରେ ଦେଖିଥାଆନ୍ତି, ସେମାନେ ସର୍ବଶ୍ରେଷ୍ଠ ଅଟନ୍ତି | ଦୁଃଖର କଥା, ଆପଣ ସେପରି ମହାପୁରୁଷଙ୍କଠାରେ ମଧ୍ୟ ଦୋଷାରୋପଣ ହିଁ କରନ୍ତି |
ନାଶ୍ଚର୍ୟମେତଦ୍ୟଦସତ୍ସୁ ସର୍ୱଦା
ମହଦ୍ୱିନିନ୍ଦା କୁଣପାତ୍ମବାଦିଷୁ ।
ସେର୍ଷ୍ୟଂ ମହାପୂରୁଷପାଦପାଂସୁଭିଃ
ନିରସ୍ତତେଜଃସୁ ତଦେବ ଶୋଭନମ୍ ॥ ୧୩॥
ଯେଉଁ ଦୁଷ୍ଟ ବ୍ୟକ୍ତି ଏହି ଶବରୂପ ଜଡଶରୀରକୁ ଆତ୍ମା ମନେକରନ୍ତି, ସେ ଯଦି ଈର୍ଷ୍ୟାବଶ ସର୍ବଦା ମହାପୁରୁଷଙ୍କର ନିନ୍ଦା କରୁଥାଆନ୍ତି, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ | ମହାପୁରୁଷମାନେ ତ
ତାଙ୍କର ସେହି ଆଚରଣ ପ୍ରତି ଧ୍ୟାନ ଦିଅନ୍ତି ନାହିଁ,
କିନ୍ତୁ ସେମାନଙ୍କର ଚରଣଧୂଳି ସେହି ବ୍ୟକ୍ତିର ଅପରାଧକୁ ସହ୍ୟ କରି ନ ପାରି ତାଙ୍କର ତେଜକୁ
ନଷ୍ଟ କରି ଦେଇଥାଏ | ତେଣୁ ମହାପୁରୁଷଙ୍କର ନିନ୍ଦା କରିବା ପରି ଜଘନ୍ୟ କାର୍ଯ୍ୟ ସେହି ଦୁଷ୍ଟ
ପୁରୁଷଙ୍କୁ ହିଁ ଶୋଭା ଦେଇଥାଏ |
ଯଦ୍ ଦ୍ୱ୍ୟକ୍ଷରଂ ନାମ ଗିରେରିତଂ ନୃଣାଂ
ସକୃତ୍ପ୍ରସଙ୍ଗାଦଘମାଶୁ ହନ୍ତି ତତ୍ ।
ପବିତ୍ରକୀର୍ତିଂ ତମଲଙ୍ଘ୍ୟଶାସନଂ
ଭବାନହୋ ଦ୍ୱେଷ୍ଟି ଶିବଂ ଶିବେତରଃ ॥ ୧୪॥
ପ୍ରସଙ୍ଗବଶ ଥରେ ଯଦି କାହା ମୁଖରୁ ‘ଶିବ’ – ଏହି ଦୁଇ ଅକ୍ଷରବିଶିଷ୍ଟ ନାମ – ଉଚ୍ଚାରିତ ହୋଇଯାଏ, ତାହା ମନୁଷ୍ୟର ସମସ୍ତ ପାପକୁ ତତ୍କାଳ ନଷ୍ଟ କରିଦିଏ | ହାୟ !
ଯାହାର ଆଜ୍ଞାକୁ କେହି ମଧ୍ୟ ଉଲଂଘନ କରିପାରନ୍ତି ନାହିଁ,
ସେହି ପବିତ୍ରକୀର୍ତ୍ତି ମଙ୍ଗଳମୟ ଭଗବାନ ଶଂକରଙ୍କ ପ୍ରତି ଆପଣ ଦ୍ବେଷ କରୁଛନ୍ତି; ଆପଣ ନିଶ୍ଚିତଭାବରେ ଅମଙ୍ଗଳରୂପ ଅଟନ୍ତି |
ଯତ୍ପାଦପଦ୍ମଂ ମହତାଂ ମନୋଽଲିଭିଃ
ନିଷେବିତଂ ବ୍ରହ୍ମରସାସବାର୍ଥିଭିଃ ।
ଲୋକସ୍ୟ ଯଦ୍ୱର୍ଷତି ଚାଶିଷୋଽର୍ଥିନଃ
ତସ୍ମୈ ଭବାନ୍ ଦ୍ରୁହ୍ୟତି ବିଶ୍ୱବନ୍ଧବେ ॥ ୧୫॥
ଆରେ ! ମହାପୁରୁଷମାନଙ୍କର ମନ-ମଧୁକର ବ୍ରହ୍ମାନନ୍ଦମୟ ରସ ପାନ କରିବା
ଇଚ୍ଛାରେ ଯାହାର ଚରଣକମଳର ନିରନ୍ତର ସେବନ କରନ୍ତି ଏବଂ ସକାମ ପୁରୁଷଙ୍କୁ ମଧ୍ୟ ଯାହାର
ଚରଣାରବିନ୍ଦ ସେମାନଙ୍କର ଅଭୀଷ୍ଟ ଭୋଗ ପ୍ରଦାନ କରିଥାଏ,
ସେହି ବିଶ୍ବବନ୍ଧୁ ଭଗବାନ ଶିବଙ୍କ ସହିତ ଆପଣ ଶତ୍ରୁତା କରିଛନ୍ତି |
କିଂ ବା ଶିବାଖ୍ୟମଶିବଂ ନ ବିଦୁସ୍ତ୍ୱଦନ୍ୟେ
ବ୍ରହ୍ମାଦୟସ୍ତମବକୀର୍ୟ ଜଟାଃ ଶ୍ମଶାନେ ।
ତନ୍ମାଲ୍ୟଭସ୍ମନୃକପାଲ୍ୟବସତ୍ପିଶାଚୈ-
ର୍ୟେ ମୂର୍ଧଭିର୍ଦଧତି ତଚ୍ଚରଣାବସୃଷ୍ଟମ୍ ॥ ୧୬॥
ସେ କେବଳ ନାମକୁ ହିଁ ଶିବ ଅଟନ୍ତି, ତାଙ୍କର ବେଶ ଅଶିବରୂପ ବା ଅମଙ୍ଗଳରୂପ ଅଟେ – ଏହି କଥା ଆପଣଙ୍କ
ବ୍ୟତିତ ସମ୍ଭବତଃ ଅନ୍ୟ କୌଣସି ଦେବତା କହନ୍ତି ନାହିଁ;
କାରଣ ଯେଉଁ ଭଗବାନ ଶିବ ଶ୍ମଶାନଭୂମିସ୍ଥ ନରମୁଣ୍ଡମାଳ,
ଚିତାଭସ୍ମ ଏବଂ ହାଡର ଆଭୂଷଣ ଧାରଣ କରିଥାଆନ୍ତି,
ଜଟାଧାରୀ ଏବଂ ଭୂତ-ପିଶାଚଙ୍କ ସହିତ ନିବାସ କରିଥାଆନ୍ତି,
ତାଙ ଚରଣରେ ପଡିଥିବା ନିର୍ମାଲ୍ୟକୁ ବ୍ରହ୍ମାଦି ଦେବଗଣ ନିଜ ମସ୍ତକରେ ଧାରଣ କରନ୍ତି |
କର୍ଣୌ ପିଧାୟ ନିରୟାଦ୍ୟଦକଲ୍ପ ଈଶେ
ଧର୍ମାବିତର୍ୟସୃଣିଭିର୍ନୃଭିରସ୍ୟମାନେ ।
ଛିନ୍ଦ୍ୟାତ୍ପ୍ରସହ୍ୟ ରୁଶତୀମସତୀଂ ପ୍ରଭୁଶ୍ଚେ-
ଜ୍ଜିହ୍ୱାମସୂନପି ତତୋ ବିସୃଜେତ୍ସ ଧର୍ମଃ ॥ ୧୭॥
ନିରଙ୍କୁଶଲୋକ ଯଦି ଧର୍ମମର୍ଯ୍ୟାଦା ରକ୍ଷା କରୁଥିବା ନିଜ ପୂଜନୀୟ
ସ୍ବାମୀଙ୍କର ନିନ୍ଦା କରୁଥାଆନ୍ତି, ତେବେ ତାଙ୍କୁ ଦଣ୍ଡ
ଦେବାର ଶକ୍ତି ନ ଥିଲେ କାନ ବନ୍ଦ କରି ସେଠାରୁ ଚାଲି ଆସନ୍ତୁ ଏବଂ ଯଦି ଦଣ୍ଡ ଦେବାର ଶକ୍ତି ଥାଏ
ତେବେ ସେହି ନିନ୍ଦକଙ୍କୁ ଧରି ଅପଶବ୍ଦ କହୁଥିବା ତାଙ୍କର ସେହି ଜିହ୍ବାକୁ କାଟି ଦିଅନ୍ତୁ | ଏହି
ପାପକୁ ରୋକିବା ପାଇଁ ନିଜର ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରିଦିଅନ୍ତୁ, ଏହା ଧର୍ମ ଅଟେ |
ଅତସ୍ତବୋତ୍ପନ୍ନମିଦଂ କଲେବରଂ
ନ ଧାରୟିଷ୍ୟେ ଶିତିକଣ୍ଠଗର୍ହିଣଃ ।
ଜଗ୍ଧସ୍ୟ ମୋହାଦ୍ଧି ବିଶୁଦ୍ଧିମନ୍ଧସୋ
ଜୁଗୁପ୍ସିତସ୍ୟୋଦ୍ଧରଣଂ ପ୍ରଚକ୍ଷତେ ॥ ୧୮॥
ଆପଣ ଭଗବାନ ନୀଳକଣ୍ଠଙ୍କର ନିନ୍ଦକ ଅଟନ୍ତି, ସେଥିପାଇଁ ଆପଣଙ୍କଠାରୁ ଉତ୍ପନ୍ନ ଏହି ଶରୀରକୁ ଏବେ ମୁଁ ଧାରଣ
କରିପାରିବି ନାହିଁ | ଭୁଲବଶତଃ କେହି ଯଦି କୌଣସି ଅଭୋଜ୍ୟ ବସ୍ତୁ ଖାଇ ଦିଅନ୍ତି, ତେବେ ତାହାକୁ ବାନ୍ତି ଦ୍ବାରା ନିଷ୍କାସିତ କରିଦେବା ହିଁ ମନୁଷ୍ୟର
ଶୁଦ୍ଧି ଅଟେ |
ନ ବେଦବାଦାନନୁବର୍ତତେ ମତିଃ
ସ୍ୱ ଏବ ଲୋକେ ରମତୋ ମହାମୁନେଃ ।
ଯଥା ଗତିର୍ଦେବମନୁଷ୍ୟଯୋଃ ପୃଥକ୍
ସ୍ୱ ଏବ ଧର୍ମେ ନ ପରଂ କ୍ଷିପେତ୍ସ୍ଥିତଃ ॥ ୧୯॥
ଯେଉଁ ମହାମୁନି ନିରନ୍ତର ନିଜ ସ୍ବରୂପରେ ହିଁ ରମଣ କରନ୍ତି, ସେମାନଙ୍କର ବୁଦ୍ଧି ସର୍ବଥା ବେଦର ବିଧିନିଷେଧମୟ ବାକ୍ୟର ଅନୁସରଣ
କରି ନ ଥାଏ | ଦେବତା ଓ ମନୁଷ୍ୟମାନଙ୍କର ଗତିରେ ଯେପରି ଭେଦ ରହିଥାଏ, ସେହିପରି ଜ୍ଞାନୀ ଏବଂ ଅଜ୍ଞାନୀମାନଙ୍କର ସ୍ଥିତି ମଧ୍ୟ ଏକାପରି
ରହେନାହିଁ | ସେଥିପାଇଁ ମନୁଷ୍ୟ ମଧ୍ୟ ନିଜ ଧର୍ମମାର୍ଗରେ ସ୍ଥିତ ରହି ଅନ୍ୟମାନଙ୍କର ମାର୍ଗର
ନିନ୍ଦା କରିବା ଉଚିତ୍ ନୁହେଁ |
କର୍ମପ୍ରବୃତ୍ତଂ ଚ ନିବୃତ୍ତମପ୍ୟୃତଂ
ବେଦେ ବିବିଚ୍ୟୋଭୟଲିଙ୍ଗମାଶ୍ରିତମ୍ ।
ବିରୋଧି ତଦ୍ୟୌଗପଦୈକକର୍ତରି
ଦ୍ୱୟଂ ତଥା ବ୍ରହ୍ମଣି କର୍ମ ନର୍ଚ୍ଛତି ॥ ୨୦॥
ପ୍ରବୃତ୍ତି (ଯଜ୍ଞ-ଯାଗାଦି) ଏବଂ ନିବୃତ୍ତି (ଶମ-ଦମାଦି) -ରୂପ ଉଭୟ
ପ୍ରକାରର କର୍ମ ଠିକ୍ ଅଟେ | ବେଦରେ ସେମାନଙ୍କର ପୃଥକ୍-ପୃଥକ୍ ରାଗୀ ଏବଂ ବିରାଗୀ ଦୁଇ ପ୍ରକାରର
ଅଧିକାରୀଙ୍କ ବିଷୟରେ କୁହାଯାଇଛି | ପରସ୍ପର ବିରୋଧି ହୋଇଥିବା କାରଣରୁ ଉକ୍ତ ଦୁଇ ପ୍ରକାର
କର୍ମର ଆଚରଣ ଏକସଙ୍ଗେ ଜଣେ ହିଁ ବ୍ୟକ୍ତିଙ୍କ ଦ୍ବାରା କରାଯାଇ ପାରେ ନାହିଁ | ଭଗବାନ ଶଂକର ତ
ପରବ୍ରହ୍ମ ପରମାତ୍ମା ଅଟନ୍ତି; ତେଣୁ ତାଙ୍କ ପାଇଁ
ଏହି ଉଭୟ ପ୍ରକାରର କର୍ମ ମଧ୍ୟରୁ କୌଣସି କର୍ମ କରିବାର ଆବଶ୍ୟକତା ନାହିଁ |
ମା ବଃ ପଦବ୍ୟଃ ପିତରସ୍ମଦାସ୍ଥିତା
ଯା ଯଜ୍ଞଶାଲାସୁ ନ ଧୂମବର୍ତ୍ମଭିଃ ।
ତଦନ୍ନତୃପ୍ତୈରସୁଭୃଦ୍ଭିରୀଡିତା
ଅବ୍ୟକ୍ତଲିଙ୍ଗା ଅବଧୂତସେବିତାଃ ॥ ୨୧॥
ପିତାଜୀ ! ଆମର ଐଶ୍ବର୍ଯ୍ୟ ଅବ୍ୟକ୍ତ ଅଟେ, ଆତ୍ମଜ୍ଞାନୀ ମହାପୁରୁଷ
ହିଁ ତାହାର ସେବନ କରିପାରନ୍ତି | ଆପଣଙ୍କ ପାଖରେ ସେହି ଐଶ୍ବର୍ଯ୍ୟ ନାହିଁ ଏବଂ ଯଜ୍ଞଶାଳାର
ଯଜ୍ଞାନ୍ନରେ ତୃପ୍ତ ହୋଇ ପ୍ରାଣପୋଷଣ କରୁଥିବା କର୍ମଠ ଲୋକ ତାହାର ପ୍ରଶଂସା ମଧ୍ୟ କରନ୍ତି
ନାହିଁ |
ନୈତେନ ଦେହେନ ହରେ କୃତାଗସୋ
ଦେହୋଦ୍ଭବେନାଲମଲଂ କୁଜନ୍ମନା ।
ବ୍ରୀଡା ମମାଭୂତ୍କୁଜନପ୍ରସଙ୍ଗତଃ
ତଜ୍ଜନ୍ମ ଧିଗ୍ୟୋ ମହତାମବଦ୍ୟକୃତ୍ ॥ ୨୨॥
ଆପଣ ଭଗବାନ ଶଂକରଙ୍କର ଅପରାଧୀ ଅଟନ୍ତି | ତେଣୁ ଆପଣଙ୍କ ଶରୀରରୁ
ଉତ୍ପନ୍ନ ହୋଇଥିବା ଏହି ନିନ୍ଦନୀୟ ଦେହକୁ ରଖି ମୁଁ କ’ଣ
କରିବି | ଆପଣଙ୍କ ପରି ଦୁର୍ଜନଙ୍କ ସହିତ ସମ୍ବନ୍ଧିତ ହୋଇଥିବା କାରଣରୁ ମୁଁ ଲଜ୍ଜା ଅନୁଭବ
କରୁଛି | ଯିଏ ମହାପୁରୁଷଙ୍କ ପ୍ରତି ଅପରାଧ କରନ୍ତି,
ତାଙ୍କଠାରୁ ହୋଇଥିବା ଜନ୍ମକୁ ବି ଧିକ୍କାର |
ଗୋତ୍ରଂ ତ୍ୱଦୀୟଂ ଭଗବାନ୍ ବୃଷଧ୍ୱଜୋ
ଦାକ୍ଷାୟଣୀତ୍ୟାହ ଯଦା ସୁଦୁର୍ମନାଃ ।
ବ୍ୟପେତନର୍ମସ୍ମିତମାଶୁ ତଦ୍ଧ୍ୟହଂ
ବ୍ୟୁତ୍ସ୍ରକ୍ଷ୍ୟ ଏତତ୍କୁଣପଂ ତ୍ୱଦଙ୍ଗଜମ୍ ॥ ୨୩॥
ଯଦି କେବେ ଭଗବାନ ଶିବ ଆପଣଙ୍କ ସହିତ ମୋର ସମ୍ବନ୍ଧକୁ ଦର୍ଶାଇବାକୁ
ଯାଇ ହସି କରି ମୋତେ ‘ଦାକ୍ଷାୟଣୀ’ (ଦକ୍ଷକୁମାରୀ) ନାମରେ ଡାକିବେ, ସେତେବେଳେ ମୁଁ ଅତ୍ୟନ୍ତ ଲଜ୍ଜା ଏବଂ ଖେଦ ଅନୁଭବ କରିବି | ତେଣୁ ତା’ ପୂର୍ବରୁ ହିଁ ମୁଁ ଆପଣଙ୍କ ଅଙ୍ଗରୁ ଉତ୍ପନ୍ନ ଏହି ଶବତୁଲ୍ୟ ଶରୀରକୁ
ତ୍ୟାଗ କରିଦେବି |
ମୈତ୍ରେୟ ଉବାଚ
ଇତ୍ୟଧ୍ୱରେ ଦକ୍ଷମନୂଦ୍ୟ ଶତ୍ରୁହନ୍
କ୍ଷିତାବୁଦୀଚୀଂ ନିଷସାଦ ଶାନ୍ତବାକ୍ ।
ସ୍ପୃଷ୍ଟ୍ୱା ଜଲଂ ପୀତଦୁକୂଲସମ୍ବୃତା
ନିମୀଲ୍ୟ ଦୃଗ୍ୟୋଗପଥଂ ସମାବିଶତ୍ ॥ ୨୪॥
ମୈତ୍ରେୟ କହୁଛନ୍ତି – ହେ କାମାଦି ଶତ୍ରୁଙ୍କୁ ଜୟ କରିଥିବା ବିଦୁର !
ସେହି ଯଜ୍ଞମଣ୍ଡପରେ ଦକ୍ଷଙ୍କୁ ଏପରି କହି ଦେବୀ ସତୀ ମୌନ ହୋଇ ଉତ୍ତର ଦିଗରେ ଭୂମି ଉପରେ
ବସିଗଲେ | ସେ ଆଚମନ କରି ନିଜକୁ ପୀତ ବସ୍ତ୍ରରେ ଆବୃତ କରିନେଲେ ତଥା ଆଖି ବନ୍ଦ କରି ଶରୀର
ତ୍ୟାଗ କରିବା ଉଦ୍ଦେଶ୍ୟରେ ଯୋଗମାର୍ଗରେ ସ୍ଥିତ ହୋଇଗଲେ |
କୃତ୍ୱା ସମାନାବନିଲୌ ଜିତାସନା
ସୋଦାନମୁତ୍ଥାପ୍ୟ ଚ ନାଭିଚକ୍ରତଃ ।
ଶନୈର୍ହୃଦି ସ୍ଥାପ୍ୟ ଧିୟୋରସି ସ୍ଥିତଂ
କଣ୍ଠାଦ୍ଭ୍ରୁବୋର୍ମଧ୍ୟମନିନ୍ଦିତାନୟତ୍ ॥ ୨୫॥
ସେ ଆସନକୁ ସ୍ଥିର ରଖି ପ୍ରାଣାୟାମ ଦ୍ବାରା ପ୍ରାଣ ଏବଂ ଅପାନକୁ
ଏକରୂପ କରି ନାଭିଚକ୍ରରେ ସ୍ଥିତ କଲେ | ତାପରେ ଉଦାନବାୟୁକୁ ନାଭିଚକ୍ରରୁ ଉପରକୁ ଉଠାଇ ଧୀରେ
ଧୀରେ ବୁଦ୍ଧି ସହିତ ହୃଦୟରେ ସ୍ଥାପିତ କଲେ | ଏହା ପରେ ଅନିନ୍ଦିତା ସତୀ ସେହି ହୃଦୟସ୍ଥିତ
ବାୟୁକୁ କଣ୍ଠମାର୍ଗରେ ଭୃକୁଟିର ମଧ୍ୟସ୍ଥଳକୁ ନେଇଗଲେ |
ଏବଂ ସ୍ୱଦେହଂ ମହତାଂ ମହୀୟସା
ମୁହୁଃ ସମାରୋପିତମଙ୍କମାଦରାତ୍ ।
ଜିହାସତୀ ଦକ୍ଷରୁଷା ମନସ୍ୱିନୀ
ଦଧାର ଗାତ୍ରେଷ୍ୱନିଲାଗ୍ନିଧାରଣାମ୍ ॥ ୨୬॥
ଏହିପରି ଭାବରେ ଯେଉଁ ଶରୀରକୁ ମହାପୁରୁଷମାନଙ୍କର ମଧ୍ୟ ପୂଜନୀୟ
ଭଗବାନ ଶଂକର ଅନେକ ବାର ଅତି ଆଦରରେ ନିଜ କୋଳରେ ଧାରଣ କରିଥିଲେ, ଦକ୍ଷଙ୍କ ପ୍ରତି କୁପିତ ହୋଇ ସେହି ଶରୀରକୁ ତ୍ୟାଗ କରିବା ଇଚ୍ଛାରେ
ମହାମନସ୍ବିନୀ ସତୀ ନିଜର ସମ୍ପୂର୍ଣ୍ଣ ଅଙ୍ଗରେ ବାୟୁ ଏବଂ ଅଗ୍ନିର ଧାରଣା କଲେ |
ତତଃ ସ୍ୱଭର୍ତୁଶ୍ଚରଣାମ୍ବୁଜାସବଂ
ଜଗଦ୍ଗୁରୋଶ୍ଚିନ୍ତୟତୀ ନ ଚାପରମ୍ ।
ଦଦର୍ଶ ଦେହୋ ହତକଲ୍ମଷଃ ସତୀ
ସଦ୍ୟଃ ପ୍ରଜଜ୍ୱାଲ ସମାଧିଜାଗ୍ନିନା ॥ ୨୭॥
ନିଜ ପତି ଜଗଦଗୁରୁ ଭଗବାନ ଶଂକରଙ୍କର ଚରଣ-କମଳ-ମକରନ୍ଦର ଚିନ୍ତନ କରି
କରି ସତୀ ଅନ୍ୟ ସବୁ ବିଷୟ ଭୁଲିଗଲେ; ସେହି ଚରଣ ଅତିରିକ୍ତ ତାଙ୍କୁ ଅନ୍ୟ କିଛି ଦେଖାଗଲା ନାହିଁ
| ତଦ୍ବାରା ସେ ପୂର୍ଣ୍ଣ ନିର୍ଦୋଷ, ଅର୍ଥାତ୍ ‘ମୁଁ
ଦକ୍ଷକନ୍ୟା ଅଟେ’ ଆଦି ସବୁ ପ୍ରକାରର
ଅଭିମାନରୁ ମୁକ୍ତ ହୋଇଗଲେ ଏବଂ ଅତିଶୀଘ୍ର ହିଁ ତାଙ୍କର ଶରୀର ଯୋଗାଗ୍ନିରେ ଜଳି ଉଠିଲା |
ତତ୍ପଶ୍ୟତାଂ ଖେ ଭୁବି ଚାଦ୍ଭୁତଂ ମହତ୍
ହା ହେତି ବାଦଃ ସୁମହାନଜାୟତ ।
ହନ୍ତ ପ୍ରିୟା ଦୈବତମସ୍ୟ ଦେବୀ
ଜହାବସୂନ୍ କେନ ସତୀ ପ୍ରକୋପିତା ॥ ୨୮॥
ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଦେବତାମାନେ ଯେତେବେଳେ ସତୀଙ୍କର
ଦେହତ୍ୟାଗରୂପ ଏହି ମହାନ୍ ଆଶ୍ଚର୍ଯ୍ୟକୁ ଦେଖିଲେ,
ସେମାନଙ୍କ ମଧ୍ୟରେ ହାହାକାର ଖେଳିଗଲା ଏବଂ ସେହି ଭୟଙ୍କର କୋଳାହଳ ଆକାଶରେ ଏବଂ ଧରାତଳରେ
ସର୍ବତ୍ର ବ୍ୟାପି ଗଲା | ସବୁ ଦିଗରୁ ଏହା ଶୁଣା ଯାଉଥିଲା – ହାୟ ! ଦକ୍ଷଙ୍କ ଦୁର୍ବ୍ୟବହାରରେ
କୁପିତ ହୋଇ ଦେବାଧିଦେବ ମହାଦେବଙ୍କର ପ୍ରିୟା ସତୀ ପ୍ରାଣତ୍ୟାଗ କରିଦେଲେ |
ଅହୋ ଅନାତ୍ମ୍ୟଂ ମହଦସ୍ୟ ପଶ୍ୟତ
ପ୍ରଜାପତେର୍ୟସ୍ୟ ଚରାଚରଂ ପ୍ରଜାଃ ।
ଜହାବସୂନ୍ ଯଦ୍ୱିମତାଽଽତ୍ମଜା ସତୀ
ମନସ୍ୱିନୀ ମାନମଭୀକ୍ଷ୍ଣମର୍ହତି ॥ ୨୯॥
ଦେଖ, ସମ୍ପୂର୍ଣ୍ଣ ଚରାଚର
ଜୀବ ଏହି ଦକ୍ଷ ପ୍ରଜାପତିଙ୍କର ହିଁ ସନ୍ତାନ ଅଟନ୍ତି,
ତଥାପି ସେ କେତେ ବଡ ଦୁଷ୍ଟତା କଲେ | ତାଙ୍କର ପୁତ୍ରୀ ଶୁଦ୍ଧହୃଦୟା ସତୀ ସବୁ ଦୃଷ୍ଟିରୁ
ସମ୍ମାନର ଯୋଗ୍ୟ ଥିଲେ, କିନ୍ତୁ ସେ ତାଙ୍କର
ଏପରି ନିରାଦର କଲେ ଯେ ସତୀ ପ୍ରାଣତ୍ୟାଗ କରିଦେଲେ |
ସୋଽୟଂ ଦୁର୍ମର୍ଷହୃଦୟୋ ବ୍ରହ୍ମଧ୍ରୁକ୍ ଚ
ଲୋକେଽପକୀର୍ତିଂ ମହତୀମବାପ୍ସ୍ୟତି ।
ଯଦଙ୍ଗଜାଂ ସ୍ୱାଂ ପୁରୁଷଦ୍ୱିଡୁଦ୍ୟତାଂ
ନ ପ୍ରତ୍ୟଷେଧନ୍ମୃତୟେଽପରାଧତଃ ॥ ୩୦॥
ବାସ୍ତବରେ ଏହି ଦକ୍ଷ ଅତ୍ୟନ୍ତ ଅସହିଷ୍ଣୁ ଏବଂ ବ୍ରାହ୍ମଣଦ୍ରୋହୀ ଅଟେ
| ଏବେ ଏହାର ସଂସାରରେ ବହୁତ ଅପକୀର୍ତ୍ତି ହେବ | ଏହାର ଅପରାଧ ଯୋଗୁଁ ଏହାର ପୁତ୍ରୀ
ପ୍ରାଣତ୍ୟାଗ କରିବାକୁ ଉଦ୍ୟତ ହେଉଥିବା ବେଳେ,
ଏହି ଶଂକରଦ୍ରୋହୀ ତାଙ୍କୁ ରୋକିବାକୁ ମଧ୍ୟ ଚେଷ୍ଟା କଲାନାହିଁ |
ବଦତ୍ୟେବଂ ଜନେ ସତ୍ୟା ଦୃଷ୍ଟ୍ୱାସୁତ୍ୟାଗମଦ୍ଭୁତମ୍ ।
ଦକ୍ଷଂ ତତ୍ପାର୍ଷଦା ହନ୍ତୁମୁଦତିଷ୍ଠନ୍ନୁଦାୟୁଧାଃ ॥ ୩୧॥
ଲୋକେ ଏହିପରି କହୁଥିବା ସମୟରେ ଶିବଙ୍କର ପାର୍ଷଦମାନେ ସତୀଙ୍କ
ପ୍ରାଣତ୍ୟାଗର ଏହି ଅଦ୍ଭୁତ ଦୃଶ୍ୟ ଦେଖି ଅସ୍ତ୍ର-ଶସ୍ତ୍ର ହାତରେ ଧରି ଦକ୍ଷକୁ ମାରିବାକୁ
ବାହାରିଲେ |
ତେଷାମାପତତାଂ ବେଗଂ ନିଶାମ୍ୟ ଭଗବାନ୍ ଭୃଗୁଃ ।
ଯଜ୍ଞଘ୍ନଘ୍ନେନ ଯଜୁଷା ଦକ୍ଷିଣାଗ୍ନୌ ଜୁହାବ ହ ॥ ୩୨॥
ସେମାନଙ୍କ ଆକ୍ରମଣର ବେଗକୁ ଦେଖି ମହର୍ଷି ଭୃଗୁ, ଯଜ୍ଞରେ ବିଘ୍ନ ଉତ୍ପନ୍ନକାରୀଙ୍କୁ ନାଶ କରିବା ଉଦ୍ଦେଶ୍ୟରେ,
‘ଅପହତଂ ରକ୍ଷା.....’ ଇତ୍ୟାଦି ମନ୍ତ୍ର ଉଚ୍ଚାରଣ କରି ଦକ୍ଷିଣାଗ୍ନିରେ ଆହୂତି ଦେବାରେ ଲାଗିଲେ
|
ଅଧ୍ୱର୍ୟୁଣା ହୂୟମାନେ ଦେବା ଉତ୍ପେତୁରୋଜସା ।
ଋଭବୋ ନାମ ତପସା ସୋମଂ ପ୍ରାପ୍ତାଃ ସହସ୍ରଶଃ ॥ ୩୩॥
ଅଧ୍ବର୍ୟୁ ଭୃଗୁ ଆହୂତି ଦେବା ମାତ୍ରେ ଯଜ୍ଞକୁଣ୍ଡରୁ ‘ଋଭୁ’ ନାମକ
ହଜାର ହଜାର ତେଜସ୍ବୀ ଦେବତା ପ୍ରକଟ ହେଲେ | ଏମାନେ ନିଜ ତପସ୍ୟା ପ୍ରଭାବରେ ଚନ୍ଦ୍ରଲୋକ
ପ୍ରାପ୍ତ କରିଥିଲେ |
ତୈରଲାତାୟୁଧୈଃ ସର୍ୱେ ପ୍ରମଥାଃ ସହ ଗୁହ୍ୟକାଃ ।
ହନ୍ୟମାନା ଦିଶୋ ଭେଜୁରୁଶଦ୍ଭିର୍ବ୍ରହ୍ମତେଜସା ॥ ୩୪॥
ସେହି ବ୍ରହ୍ମତେଜସମ୍ପନ୍ନ ଦେବତାମାନେ ଜ୍ବଳନ୍ତ କାଷ୍ଠ ଦ୍ବାରା ଆକ୍ରମଣ
କଲେ, ଯାହା ଫଳରେ ସମସ୍ତ ଗୁହ୍ୟକ ଏବଂ ପ୍ରମଥଗଣ ଏଣେତେଣେ ଧାଇଁ ପଳାଇଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ସତୀଦେହୋତ୍ସର୍ଗୋ ନାମ ଚତୁର୍ଥୋଽଧ୍ୟାୟଃ ॥ ୪॥

Comments
Post a Comment