ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ଷଷ୍ଠ ଅଧ୍ୟାୟ
ବ୍ରହ୍ମାଦି ଦେବତା କୈଳାଶକୁ ଯାଇ ମହାଦେବଙ୍କୁ ମନାଇବା
ମୈତ୍ରେୟ ଉବାଚ
ଅଥ ଦେବଗଣାଃ ସର୍ୱେ ରୁଦ୍ରାନୀକୈଃ ପରାଜିତାଃ ।
ଶୂଲପଟ୍ଟିଶନିସ୍ତ୍ରିଂଶଗଦାପରିଘମୁଦ୍ଗରୈଃ ॥ ୧॥
ସଞ୍ଛିନ୍ନଭିନ୍ନସର୍ୱାଙ୍ଗାଃ ସର୍ତ୍ୱିକ୍ସଭ୍ୟା ଭୟାକୁଲାଃ ।
ସ୍ୱୟମ୍ଭୁବେ ନମସ୍କୃତ୍ୟ କାର୍ତ୍ସ୍ନ୍ୟେନୈତନ୍ନ୍ୟବେଦୟନ୍ ॥ ୨॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଏହିପରି ଭାବରେ ଯେତେବେଳେ
ରୁଦ୍ରଙ୍କର ସେବକମାନେ ସମସ୍ତ ଦେବତାଙ୍କୁ ପରାଜିତ କରିଦେଲେ ଏବଂ ତାଙ୍କର ସମ୍ପୂର୍ଣ୍ଣ
ଅଙ୍ଗ-ପ୍ରତ୍ୟଙ୍ଗ ଭୂତ-ପ୍ରେତଙ୍କର ତ୍ରିଶୂଳ, ଖର୍ପର, ଖଡଗ, ଗଦା, ଫାର୍ସା ଏବଂ ମୁଦ୍ଗର
ଆଦି ଆୟୁଧ ଦ୍ବାରା ଛିନ୍ନ-ଭିନ୍ନ ହୋଇଗଲା, ସେତେବେଳେ ସେମାନେ
ଋତ୍ବିଜ୍ ଏବଂ ସଦସ୍ୟମାନଙ୍କ ସହିତ ଅତୀବ ଭୟରେ ଡରି-ଥରି ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ ଏବଂ
ପ୍ରଣାମ କରି ତାଙ୍କୁ ସବୁ ବୃତ୍ତାନ୍ତ ଶୁଣାଇଲେ |
ଉପଲଭ୍ୟ ପୁରୈବୈତଦ୍ଭଗବାନବ୍ଜସମ୍ଭବଃ ।
ନାରାୟଣଶ୍ଚ ବିଶ୍ୱାତ୍ମା ନ କସ୍ୟାଧ୍ୱରମୀୟତୁଃ ॥ ୩॥
ଭଗବାନ ବ୍ରହ୍ମାଜୀ ଏବଂ ସର୍ବାନ୍ତର୍ଯ୍ୟାମୀ ଶ୍ରୀନାରାୟଣ ପୂର୍ବରୁ
ହିଁ ଏହି ଭାବି ଉତ୍ପାତ୍ତ ସମ୍ବନ୍ଧରେ ଜାଣିଥିଲେ,
ସେଥିପାଇଁ ସେମାନେ ଦକ୍ଷଙ୍କ ଯଜ୍ଞକୁ ଯାଇ ନ ଥିଲେ |
ତଦାକର୍ଣ୍ୟ ବିଭୁଃ ପ୍ରାହ ତେଜୀୟସି କୃତାଗସି ।
କ୍ଷେମାୟ ତତ୍ର ସା ଭୂୟାନ୍ନ ପ୍ରାୟେଣ ବୁଭୂଷତାମ୍ ॥ ୪॥
ଏବେ ଦେବତାମାନଙ୍କ ମୁହଁରୁ ସେଠାରେ ଘଟିଥିବା ସବୁ କଥା ଶୁଣି ସେ କହିଲେ, ‘ହେ ଦେବତାଗଣ ! ପରମ ସମର୍ଥ ତେଜସ୍ବୀ ପୁରୁଷଙ୍କ ଦ୍ବାରା କୌଣସି
ଦୋଷ ହୋଇଗଲେ ମଧ୍ୟ ତାହା ବଦଳରେ ତାଙ୍କ ପ୍ରତି ଅପରାଧ କରୁଥିବା ମନୁଷ୍ୟର କେବେ ବି ଭଲ ଗତି ହୋଇ
ନ ଥାଏ |
ଅଥାପି ଯୂୟଂ କୃତକିଲ୍ବିଷା ଭବଂ
ଯେ ବର୍ହିଷୋ ଭାଗଭାଜଂ ପରାଦୁଃ ।
ପ୍ରସାଦୟଧ୍ୱଂ ପରିଶୁଦ୍ଧଚେତସା
କ୍ଷିପ୍ରପ୍ରସାଦଂ ପ୍ରଗୃହୀତାଙ୍ଘ୍ରିପଦ୍ମମ୍ ॥ ୫॥
ତୁମ୍ଭେମାନେ ଯଜ୍ଞରେ ଭଗବାନ ଶଂକରଙ୍କୁ ତାଙ୍କର ପ୍ରାପ୍ୟ ଭାଗ ନ ଦେଇ
ବହୁତ ବଡ ଅପରାଧ କରିଛ | କିନ୍ତୁ ଶଂକର ଭଗବାନ ଅତି ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି, ତେଣୁ ତୁମ୍ଭେମାନେ ଶୁଦ୍ଧ ହୃଦୟରେ ତାଙ୍କ ପାଦ ଧରି ତାଙ୍କୁ
ପ୍ରସନ୍ନ କର – ତାଙ୍କୁ କ୍ଷମା ମାଗ |
ଆଶାସାନା ଜୀବିତମଧ୍ୱରସ୍ୟ
ଲୋକଃ ସପାଲଃ କୁପିତେ ନ ଯସ୍ମିନ୍ ।
ତମାଶୁ ଦେବଂ ପ୍ରିୟଯା ବିହୀନଂ
କ୍ଷମାପୟଧ୍ୱଂ ହୃଦି ବିଦ୍ଧଂ ଦୁରୁକ୍ତୈଃ ॥ ୬॥
ଦକ୍ଷଙ୍କର ଦୁର୍ବଚନରୂପୀ ବାଣରେ ତାଙ୍କର ହୃଦୟ ତ ଆଗରୁ ହିଁ
କ୍ଷତାକ୍ତ ହୋଇ ଯାଇଥିଲା, ତଦୁପରି ତାଙ୍କର ପ୍ରିୟା ଦେବୀ ସତୀଙ୍କର ବିୟୋଗ ଘଟିଲା | ସେଥିପାଇଁ
ତୁମ୍ଭେମାନେ ଯଦି ଏପରି ଇଚ୍ଛା କରୁଥାଅ ଯେ ସେହି ଯଜ୍ଞ ପୁନର୍ବାର ଆରମ୍ଭ ହୋଇ ପୂର୍ଣ୍ଣ ହେଉ, ତେବେ ଅତି ଶୀଘ୍ର ଯାଇ ନିଜ ଅପରାଧ ପାଇଁ ତାଙ୍କଠାରୁ କ୍ଷମା ଯାଚନା
କର | ନଚେତ୍, ସେ ଯଦି କୁପିତ
ରହିବେ, ତେବେ ଲୋକପାଳଙ୍କ ସହିତ ସମସ୍ତ ଲୋକର ଜୀବିତ ରହିବା ଅସମ୍ଭବ ହୋଇଯିବ |
ନାହଂ ନ ଯଜ୍ଞୋ ନ ଚ ଯୂୟମନ୍ୟେ
ଯେ ଦେହଭାଜୋ ମୁନୟଶ୍ଚ ତତ୍ତ୍ୱମ୍ ।
ବିଦୁଃ ପ୍ରମାଣଂ ବଲବୀର୍ୟଯୋର୍ୱା
ଯସ୍ୟାତ୍ମତନ୍ତ୍ରସ୍ୟ କ ଉପାୟଂ ବିଧିତ୍ସେତ୍ ॥ ୭॥
ଭଗବାନ ରୁଦ୍ର ପରମ ସ୍ବତନ୍ତ୍ର ଅଟନ୍ତି, ତାଙ୍କର ତତ୍ତ୍ବ ଏବଂ ଶକ୍ତି-ସାମର୍ଥ୍ୟକୁ କୌଣସି ଋଷି, ମୁନି, ଦେବତା ଏବଂ
ଯଜ୍ଞ-ସ୍ବରୂପ ଇନ୍ଦ୍ର ଜାଣନ୍ତି ନାହିଁ, ଏପରିକି ମୁଁ ନିଜେ
ମଧ୍ୟ ଜାଣେନାହିଁ, ସେଠାରେ
ଅନ୍ୟମାନଙ୍କର କଥା ଅବା କ’ଣ କହିବା | ଏପରି
ଅବସ୍ଥାରେ ତାଙ୍କୁ ଶାନ୍ତ କରିବାର ଉପାୟ ଭଲା କିଏ କରିପାରିବ |
ସ ଇତ୍ଥମାଦିଶ୍ୟ ସୁରାନଜସ୍ତୈଃ
ସମନ୍ୱିତଃ ପିତୃଭିଃ ସପ୍ରଜେଶୈଃ ।
ଯୟୌ ସ୍ୱଧିଷ୍ଣ୍ୟାନ୍ନିଲୟଂ ପୁରଦ୍ୱିଷଃ
କୈଲାସମଦ୍ରିପ୍ରବରଂ ପ୍ରିୟଂ ପ୍ରଭୋଃ ॥ ୮॥
ଦେବତାମାନଙ୍କୁ ଏପରି କହିବା ପରେ ବ୍ରହ୍ମାଜୀ ପ୍ରଜାପତି ଏବଂ ପିତୃଗଣଙ୍କ
ସହିତ ସେମାନଙ୍କୁ ସାଙ୍ଗରେ ନେଇ ପର୍ବତଶ୍ରେଷ୍ଠ କୈଳାଶକୁ ଗଲେ, ଯାହା ଭଗବାନ ଶଂକରଙ୍କର ପ୍ରିୟ ଧାମ ଅଟେ |
ଜନ୍ମୌଷଧିତପୋମନ୍ତ୍ରୟୋଗସିଦ୍ଧୈର୍ନରେତରୈଃ ।
ଜୁଷ୍ଟଂ କିନ୍ନରଗନ୍ଧର୍ୱୈରପ୍ସରୋଭିର୍ୱୃତଂ ସଦା ॥ ୯॥
ସେହି କୈଳାଶରେ ଔଷଧି,
ତପ, ମନ୍ତ୍ର, ଯୋଗ ଆଦି ଉପାୟରେ ସିଦ୍ଧି ପ୍ରାପ୍ତ କରିଥିବା ଏବଂ ଜନ୍ମ-ଜାତ ସିଦ୍ଧ
ଦେବତାମାନେ ନିବାସ କରନ୍ତି; କିନ୍ନର, ଗନ୍ଧର୍ବ ଏବଂ
ଅପସରାମାନେ ସଦା ନିଜ ସ୍ବରୂପରେ ରହିଥାଆନ୍ତି |
ନାନାମଣିମୟୈଃ ଶୃଙ୍ଗୈର୍ନାନାଧାତୁବିଚିତ୍ରିତୈଃ ।
ନାନାଦ୍ରୁମଲତାଗୁଲ୍ମୈର୍ନାନାମୃଗଗଣାବୃତୈଃ ॥ ୧୦॥
ତାହାର ମଣିମୟ ଶିଖର ନାନା ପ୍ରକାରର ଧାତୁରେ ପରିପୂର୍ଣ୍ଣ ହୋଇ
ରଙ୍ଗ-ବେରଙ୍ଗ ପ୍ରତୀତ ହେଉଥାଏ | ପର୍ବତଟି ଅନେକ ପ୍ରକାରର ବୃକ୍ଷ, ଲତା ଓ ଗୁଲ୍ମ ଆଦିରେ ଆଚ୍ଛାଦିତ ଅଟେ, ଯହିଁରେ ଦଳ-ଦଳ ହୋଇ ଜଙ୍ଗଲୀ ପଶୁ ବିଚରଣ କରୁଥାଆନ୍ତି |
ନାନାମଲପ୍ରସ୍ରବଣୈର୍ନାନାକନ୍ଦରସାନୁଭିଃ ।
ରମଣଂ ବିହରନ୍ତୀନାଂ ରମଣୈଃ ସିଦ୍ଧୟୋଷିତାମ୍ ॥ ୧୧॥
ସେଠାରେ ନିର୍ମଳ ଜଳର ଅନେକ ଝରଣା ପ୍ରବାହିତ ହେଉଥାଏ, ଅନେକ ଗଭୀର କନ୍ଦର ଏବଂ ସୁଉଚ୍ଚ ଶିଖର ରହିଥିବା କାରଣରୁ ସେହି
ପର୍ବତଟି ନିଜ ପ୍ରିୟତମଙ୍କ ସହିତ ବିହାର କରୁଥିବା ସିଦ୍ଧପତ୍ନୀମାନଙ୍କର କ୍ରୀଡା-ସ୍ଥଳରେ ପରିଣତ
ହୋଇଥାଏ |
ମୟୂରକେକାଭିରୁତଂ ମଦାନ୍ଧାଲିବିମୂର୍ଚ୍ଛିତମ୍ ।
ପ୍ଲାବିତୈ ରକ୍ତକଣ୍ଠାନାଂ କୂଜିତୈଶ୍ଚ ପତତ୍ତ୍ରିଣାମ୍ ॥ ୧୨॥
ତାହା ସବୁ ଦିଗରୁ ମୟୂରମାନଙ୍କର ରାବ, ମଦାନ୍ଧ ଭ୍ରମରମାନଙ୍କର ଗୁଞ୍ଜରଣ, କୋକିଳର କୁହୂ-କୁହୂ ଧ୍ବନି ତଥା ଅନ୍ୟାନ୍ୟ ପକ୍ଷୀମାନଙ୍କର କଳରବରେ
ଗୁଞ୍ଜରିତ ହେଉଥାଏ |
ଆହ୍ୱୟନ୍ତମିବୋଦ୍ଧସ୍ତୈର୍ଦ୍ୱିଜାନ୍ କାମଦୁଘୈର୍ଦ୍ରୁମୈଃ ।
ବ୍ରଜନ୍ତମିବ ମାତଙ୍ଗୈର୍ଗୃଣନ୍ତମିବ ନିର୍ଝରୈଃ ॥ ୧୩॥
ତାହାର କଳ୍ପବୃକ୍ଷ ନିଜ ଉଚ୍ଚ-ଉଚ୍ଚ ଡାଳକୁ ହଲାଇ-ଦୋହଲାଇ ସତେ ଯେପରି
ପକ୍ଷୀମାନଙ୍କୁ ଆବାହନ କରିବାରେ ଲାଗିଥାଏ | ହାତୀମାନଙ୍କର ତା’ ଉପରେ ଚାଲିବା-ବୁଲିବା ଯୋଗୁଁ ସେହି ପର୍ବତ ଚଳମାନ ପ୍ରତୀତ ହୋଇଥାଏ
ଏବଂ ଝରଣାର କଳକଳ ଧ୍ବନି ଯୋଗୁଁ ତାହା କଥା କହୁଥିବା ପରି ମନେ ହୋଇଥାଏ |
ମନ୍ଦାରୈଃ ପାରିଜାତୈଶ୍ଚ ସରଲୈଶ୍ଚୋପଶୋଭିତମ୍ ।
ତମାଲୈଃ ଶାଲତାଲୈଶ୍ଚ କୋବିଦାରାସନାର୍ଜୁନୈଃ ॥ ୧୪॥
ମନ୍ଦାର, ପାରିଜାତ, ତାଳ, ତମାଳ, ଶାଳ, କନିଅର ଏବଂ ଅର୍ଜୁନ
ଆଦି ବୃକ୍ଷରେ ସେହି ପର୍ବତ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥାଏ |
ଚୂତୈଃ କଦମ୍ବୈର୍ନୀପୈଶ୍ଚ ନାଗପୁନ୍ନାଗଚମ୍ପକୈଃ ।
ପାଟଲାଶୋକବକୁଲୈଃ କୁନ୍ଦୈଃ କୁରବକୈରପି ॥ ୧୫॥
ସ୍ୱର୍ଣାର୍ଣଶତପତ୍ରୈଶ୍ଚ ବରରେଣୁକଜାତିଭିଃ ।
କୁବ୍ଜକୈର୍ମଲ୍ଲିକାଭିଶ୍ଚ ମାଧବୀଭିଶ୍ଚ ମଣ୍ଡିତମ୍ ॥ ୧୬॥
ଆମ୍ବ, କଦମ୍ବ, ନାଗ, ପୁନ୍ନାଗ, ଚମ୍ପା, ଗୋଲାପ, ବକୁଳ, କୁନ୍ଦ, କୁରବକ, ମାଳତୀ ଆଦି ଲତା ତଥା କୁବ୍ଜକ, ମଲ୍ଲିକା ଏବଂ ମାଧବୀ ଆଦି ବୁଦା
ତାହାର ଶୋଭା ବୃଦ୍ଧି କରୁଥାଆନ୍ତି |
ପନସୋଦୁମ୍ବରାଶ୍ୱତ୍ଥପ୍ଲକ୍ଷନ୍ୟଗ୍ରୋଧହିଙ୍ଗୁଭିଃ ।
ଭୂର୍ଜୈରୋଷଧିଭିଃ ପୂଗୈ ରାଜପୂଗୈଶ୍ଚ ଜମ୍ବୁଭିଃ ॥ ୧୭॥
ଖର୍ଜୂରାମ୍ରାତକାମ୍ରାଦ୍ୟୈଃ ପ୍ରିୟାଲମଧୁକେଙ୍ଗୁଦୈଃ ।
ଦ୍ରୁମଜାତିଭିରନ୍ୟୈଶ୍ଚ ରାଜିତଂ ବେଣୁକୀଚକୈଃ ॥ ୧୮॥
ପଣସ, ଡିମ୍ବିରୀ, ବର,
ଅଶ୍ବତ୍ଠ, ଭୋଜବୃକ୍ଷ, ଔଷଧ ଜାତୀୟ କଦଳୀ ଆଦି ବୃକ୍ଷ, ଗୁଆ, ନଡିଆ, ଖଜୁରୀ, ଜାମୁ, ଆମ୍ବ, ଆମ୍ବଡା, ମହୁଆ ଏବଂ ପିୟଳ ଆଦି ବିଭିନ୍ନ ପ୍ରକାରର ବୃକ୍ଷ ତଥା
ବାଉଁଶ ଝାଡିମାନଙ୍କ ଦ୍ବାରା ସେହି ପର୍ବତ ଅତ୍ୟନ୍ତ ମନୋହର ଦେଖା ଯାଉଥାଏ |
କୁମୁଦୋତ୍ପଲକହ୍ଲାରଶତପତ୍ରବନର୍ଦ୍ଧିଭିଃ ।
ନଲିନୀଷୁ କଲଂ କୂଜତ୍ଖଗବୃନ୍ଦୋପଶୋଭିତମ୍ ॥ ୧୯॥
ତାହାର ସରୋବରରେ କୁମୁଦ,
ଉତ୍ପଳ, କହ୍ଲାର ଏବଂ ଶତପତ୍ର ଆଦି ଅନେକ ଜାତିର କମଳ ଫୁଟିଥାଏ ଏବଂ ତାହାର ଶୋଭାରେ ମୁଗ୍ଧ ହୋଇ
ଦଳ-ଦଳ କଳରବରତ ପକ୍ଷୀ ସେଠାରେ ଘୂରି ବୁଲି ତାହାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥାଆନ୍ତି |
ମୃଗୈଃ ଶାଖାମୃଗୈଃ କ୍ରୋଡୈର୍ମୃଗେନ୍ଦ୍ରୈରୃକ୍ଷଶଲ୍ୟକୈଃ
ଗବୟୈଃ ଶରଭୈର୍ୱ୍ୟାଘ୍ରୈ ରୁରୁଭିର୍ମହିଷାଦିଭିଃ ॥ ୨୦॥
କର୍ଣାନ୍ତ୍ରୈକପଦାଶ୍ୱାସ୍ୟୈର୍ନିର୍ଜୁଷ୍ଟଂ ବୃକନାଭିଭିଃ ।
କଦଲୀଖଣ୍ଡସଂରୁଦ୍ଧନଲିନୀପୁଲିନଶ୍ରିୟମ୍ ॥ ୨୧॥
ପର୍ୟସ୍ତଂ ନନ୍ଦୟା ସତ୍ୟାଃ ସ୍ନାନପୁଣ୍ୟତରୋଦୟା ।
ବିଲୋକ୍ୟ ଭୂତେଶଗିରିଂ ବିବୁଧା ବିସ୍ମୟଂ ଯୟୁଃ ॥ ୨୨॥
ସେହି ପର୍ବତରେ ଏଣେତେଣେ ହରିଣ,
ବାନର, ଶୂକର, ନୀଳଗାଈ, ମଇଁଷି, ବ୍ୟାଘ୍ର, ସିଂହ, ଶରଭ, କୃଷ୍ଣମୃଗ ଏବଂ କସ୍ତୂରୀ-ମୃଗ ଆଦି ଘୂରି ବୁଲୁଥାଆନ୍ତି | ତାହାର
ସରୋବର ତଟ କଦଳୀ ବୃକ୍ଷ ଶ୍ରେଣୀରେ ପରିବେଷ୍ଟିତ ହୋଇ ଅତ୍ୟନ୍ତ ରମଣୀୟ ପ୍ରତୀତ ହେଉଥାଏ |
ପର୍ବତର ଚତୁର୍ପାର୍ଶ୍ବରେ ନନ୍ଦା ନାମକ ନଦୀ ପ୍ରବାହିତ ହେଉଥାଏ, ଯାହାର ପବିତ୍ର ଜଳରେ ଦେବୀ
ସତୀ ସ୍ନାନ କରୁଥିବା କାରଣରୁ ସେହି ଜଳ ଆହୁରି ପବିତ୍ର ଏବଂ ସୁଗନ୍ଧିତ ହୋଇ ଯାଇଥାଏ | ଭଗବାନ
ଭୂତନାଥଙ୍କର ନିବାସସ୍ଥାନ ସେହି କୈଳାଶପର୍ବତର ଏପରି ରମଣୀୟତା ଦେଖି ଦେବତାମାନେ
ଆଶ୍ଚର୍ଯ୍ୟଚକିତ ହୋଇଗଲେ |
ଦଦୃଶୁସ୍ତତ୍ର ତେ ରମ୍ୟାମଲକାଂ ନାମ ବୈ ପୁରୀମ୍ ।
ବନଂ ସୌଗନ୍ଧିକଂ ଚାପି ଯତ୍ର ତନ୍ନାମପଙ୍କଜମ୍ ॥ ୨୩॥
ସେଠାରେ ସେମାନେ ଅଳକା ନାମକ ଏକ ସୁରମ୍ୟ ପୁରୀ ଏବଂ ସୌଗନ୍ଧିକ ବନ
ଦେଖିଲେ, ଯେଉଁଠାରେ ସର୍ବତା
ସୁଗନ୍ଧ ପରିବ୍ୟାପ୍ତ କରୁଥିବା ସୌଗନ୍ଧିକ ନାମକ କମଳ ଫୁଟିଥିଲା |
ନନ୍ଦା ଚାଲକନନ୍ଦା ଚ ସରିତୌ ବାହ୍ୟତଃ ପୁରଃ ।
ତୀର୍ଥପାଦପଦାମ୍ଭୋଜରଜସାତୀବ ପାବନେ ॥ ୨୪॥
ସେହି ନଗର ବାହାରେ ନନ୍ଦା ଏବଂ ଅଳକାନନ୍ଦା ନାମରେ ଦୁଇଟି ନଦୀ
ପ୍ରବାହିତ ହେଉଥିଲେ, ଯିଏ ତୀର୍ଥପାଦ ଶ୍ରୀହରିଙ୍କ ଚରଣ-ରଜ ସଂଯୋଗରେ ଅତ୍ୟନ୍ତ ପବିତ୍ର ହୋଇ
ଯାଇଥିଲେ |
ଯୟୋଃ ସୁରସ୍ତ୍ରିୟଃ କ୍ଷତ୍ତରବରୁହ୍ୟ ସ୍ୱଧିଷ୍ଣ୍ୟତଃ ।
କ୍ରୀଡନ୍ତି ପୁଂସଃ ସିଞ୍ଚନ୍ତ୍ୟୋ ବିଗାହ୍ୟ ରତିକର୍ଶିତାଃ ॥ ୨୫॥
ହେ ବିଦୁର ! ରତିବିଳାସରେ କ୍ଲାନ୍ତ ହୋଇ ଦେବାଙ୍ଗନାମାନେ ନିଜ ନିଜ
ନିବାସସ୍ଥାନରୁ ଆସି ସେହି ନଦୀରେ ଜଳକ୍ରୀଡା କରନ୍ତି ଏବଂ ସେଥିରେ ପ୍ରବେଶ କରି ନିଜ
ପ୍ରିୟତମଙ୍କ ଉପରକୁ ଜଳ ଫିଙ୍ଗୁଥାଆନ୍ତି |
ଯୟୋସ୍ତତ୍ସ୍ନାନବିଭ୍ରଷ୍ଟନବକୁଙ୍କୁମପିଞ୍ଜରମ୍ ।
ବିତୃଷୋଽପି ପିବନ୍ତ୍ୟମ୍ଭଃ ପାୟଯନ୍ତୋ ଗଜା ଗଜୀଃ ॥ ୨୬॥
ସ୍ନାନ କରୁଥିବା ସମୟରେ ସେମାନଙ୍କର ସଦ୍ୟ ଲେପିତ କୁଚକୁଙ୍କୁମ ଜଳରେ
ଧୌତ ହୋଇଯିବା ଫଳରେ ଜଳ ପୀତବର୍ଣ୍ଣ ଧାରଣ କରିଥାଏ | ସେହି କୁଙ୍କୁମମିଶ୍ରିତ ଜଳକୁ ହାତୀମାନେ, ତୃଷିତ ନ ହେଲେ ବି,
ତାହାର ସୁଗନ୍ଧରେ ପ୍ରଲୋଭିତ ହୋଇ ପାନ କରନ୍ତି ଏବଂ ନିଜର ହସ୍ତିନୀମାନଙ୍କୁ ମଧ୍ୟ ପାନ କରାନ୍ତି
|
ତାରହେମମହାରତ୍ନବିମାନଶତସଙ୍କୁଲାମ୍ ।
ଜୁଷ୍ଟାଂ ପୁଣ୍ୟଜନସ୍ତ୍ରୀଭିର୍ୟଥା ଖଂ ସତଡିଦ୍ଘନମ୍ ॥ ୨୭॥
ଅଳକାପୁରୀରେ ସୁନା,
ରୂପା ଓ ବହୁମୂଲ୍ୟ ମଣିଯୁକ୍ତ ବହୁତ ବିମାନ ଭରି ରହିଥିଲା, ଯହିଁରେ ଅନେକ ଯକ୍ଷପତ୍ନୀ ନିବାସ
କରୁଥିଲେ | ତଦ୍ବାରା ସେହି ବିଶାଳ ନଗରୀ ବାଦଲ ଏବଂ ବିଜୁଳିରେ ଶୋଭିତ ଆକାଶ ପରି ଦେଖା ଯାଉଥିଲା
|
ହିତ୍ୱା ଯକ୍ଷେଶ୍ୱରପୁରୀଂ ବନଂ ସୌଗନ୍ଧିକଂ ଚ ତତ୍ ।
ଦ୍ରୁମୈଃ କାମଦୁଘୈର୍ହୃଦ୍ୟଂ ଚିତ୍ରମାଲ୍ୟଫଲଚ୍ଛଦୈଃ ॥ ୨୮॥
ଯକ୍ଷରାଜ କୁବେରଙ୍କର ରାଜଧାନୀ ସେହି ଅଳକାପୁରୀକୁ ପଛରେ ଛାଡି ଦେବଗଣ
ସୌଗନ୍ଧିକ ବନକୁ ଆସିଲେ | ସେହି ବନ ରଙ୍ଗ-ବେରଙ୍ଗ ଫଳ,
ଫୁଲ ଏବଂ ପତ୍ରଯୁକ୍ତ ଅନେକ କଳ୍ପବୃକ୍ଷରେ ସୁଶୋଭିତ ଥିଲା |
ରକ୍ତକଣ୍ଠଖଗାନୀକସ୍ୱରମଣ୍ଡିତଷଟ୍ପଦମ୍ ।
କଲହଂସକୁଲପ୍ରେଷ୍ଠଂ ଖରଦଣ୍ଡଜଲାଶୟମ୍ ॥ ୨୯॥
ସେଠାରେ କୋକିଳ ଆଦି ପକ୍ଷୀମାନଙ୍କର କଳରବ ଏବଂ ଭ୍ରମରମାନଙ୍କର
ଗୁଞ୍ଜରଣ ହେଉଥିଲା ତଥା ରାଜହଂସମାନଙ୍କର ପରମପ୍ରିୟ କମଳକୁସୁମରେ ଶୋଭିତ ସେଠାରେ ଅନେକ ସରୋବର
ଥିଲା |
ବନକୁଞ୍ଜରସଙ୍ଘୃଷ୍ଟହରିଚନ୍ଦନବାୟୁନା ।
ଅଧି ପୁଣ୍ୟଜନସ୍ତ୍ରୀଣାଂ ମୁହୁରୁନ୍ମଥୟନ୍ ମନଃ ॥ ୩୦॥
ବନ୍ୟହସ୍ତୀମାନଙ୍କର ଶରୀରର ଘର୍ଷଣ ଫଳରେ ହରିଚନ୍ଦନ ବୃକ୍ଷରୁ ଯେଉଁ
ସୁଗନ୍ଧ ନିର୍ଗତ ହେଉଥିଲା, ତାହାକୁ ସ୍ପର୍ଶ କରି
ପ୍ରବାହିତ ହେଉଥିବା ବାୟୁ ଯକ୍ଷପତ୍ନୀମାନଙ୍କର ମନକୁ ବିଶେଷରୂପରେ ମନ୍ଥନ କରୁଥିଲା |
ବୈଦୂର୍ୟକୃତସୋପାନା ବାପ୍ୟ ଉତ୍ପଲମାଲିନୀଃ ।
ପ୍ରାପ୍ତଂ କିମ୍ପୁରୁଷୈର୍ଦୃଷ୍ଟ୍ୱା ତ ଆରାଦ୍ଦଦୃଶୁର୍ୱଟମ୍ ॥ ୩୧॥
ସେଠାରେ ଥିବା ପୋଖରୀମାନଙ୍କର ସିଢି ବୈଦୁର୍ଯ୍ୟମଣିର ଥିଲା | ସେଥିରେ
ବହୁତ ସଂଖ୍ୟାରେ କମଳ ପ୍ରସ୍ଫୁଟିତ ହେଉଥିଲେ | ଅନେକ କିମ୍ପୁରୁଷ ଚିତ୍ତ ବିନୋଦନ ପାଇଁ ସେଠାକୁ
ଆସିଥିଲେ | ଏହିପରି ଭାବରେ ସେହି ବନର ଶୋଭା ଦର୍ଶନ କରି କିଛି ବାଟ ଆଗକୁ ଯିବା ପରେ ଦେବଗଣ ଏକ
ବଟବୃକ୍ଷ ଦେଖିବାକୁ ପାଇଲେ |
ସ ଯୋଜନଶତୋତ୍ସେଧଃ ପାଦୋନବିଟପାୟତଃ ।
ପର୍ୟକ୍କୃତାଚଲଚ୍ଛାୟୋ ନିର୍ନୀଡସ୍ତାପବର୍ଜିତଃ ॥ ୩୨॥
ସେହି ବୃକ୍ଷର ଉଚ୍ଚତା ଶହେ ଯୋଜନ ଥିଲା ତଥା ତାହାର ଶାଖାମାନଙ୍କର
ବିସ୍ତୃତି ପଞ୍ଚସ୍ତରୀ ଯୋଜନ ଥିଲା | ତାହାର ଚତୁର୍ପାର୍ଶ୍ବରେ ସର୍ବଦା ଅବିଚଳ ଛାୟା ରହୁଥିଲା, ସେଥିପାଇଁ ସୂର୍ଯ୍ୟତାପର କଷ୍ଟ କେବେ ବି ଅନୁଭୂତ ହେଉ ନ ଥିଲା |
ତାଛଡା ସେହି ବୃକ୍ଷରେ ପକ୍ଷୀବସା ମଧ୍ୟ ନ ଥିଲା |
ତସ୍ମିନ୍ ମହାୟୋଗମୟେ ମୁମୁକ୍ଷୁଶରଣେ ସୁରାଃ ।
ଦଦୃଶୁଃ ଶିବମାସୀନଂ ତ୍ୟକ୍ତାମର୍ଷମିବାନ୍ତକମ୍ ॥ ୩୩॥
ମହାଯୋଗମୟ ଏବଂ ମୁମୁକ୍ଷୁମାନଙ୍କର ଆଶ୍ରୟଭୂତ ସେହି ବୃକ୍ଷର
ନିମ୍ନଦେଶରେ ଦେବଗଣ ଭଗବାନ ଶଂକରଙ୍କୁ ବିରାଜମାନ କରିଥିବା ଦେଖିବାକୁ ପାଇଲେ | ସେ ସାକ୍ଷାତ୍
କ୍ରୋଧହୀନ କାଳ ସଦୃଶ ଦେଖା ଯାଉଥିଲେ |
(ହର ହର
ନମଃ ପାର୍ୱତୀପତୟେ ହର ହର ମହାଦେବ)
ସନନ୍ଦନାଦ୍ୟୈର୍ମହାସିଦ୍ଧୈଃ ଶାନ୍ତୈଃ ସଂଶାନ୍ତବିଗ୍ରହମ୍ ।
ଉପାସ୍ୟମାନଂ ସଖ୍ୟା ଚ ଭର୍ତ୍ରା ଗୁହ୍ୟକରକ୍ଷସାମ୍ ॥ ୩୪॥
ଭଗବାନ ଭୂତନାଥଙ୍କର ଶ୍ରୀଅଙ୍ଗ ଅତ୍ୟନ୍ତ ଶାନ୍ତ ଥିଲା | ସନନ୍ଦନାଦି
ଶାନ୍ତ ସିଦ୍ଧଗଣ ଏବଂ ଯକ୍ଷ-ରାକ୍ଷସଙ୍କର ସ୍ବାମୀ କୁବେର ତାଙ୍କର ସେବା କରୁଥିଲେ |
ବିଦ୍ୟାତପୋୟୋଗପଥମାସ୍ଥିତଂ ତମଧୀଶ୍ୱରମ୍ ।
ଚରନ୍ତଂ ବିଶ୍ୱସୁହୃଦଂ ବାତ୍ସଲ୍ୟାଲ୍ଲୋକମଙ୍ଗଲମ୍ ॥ ୩୫॥
ଜଗତ୍-ପତି ମହାଦେବ ସାରା ସଂସାରର ସୁହୃଦ୍ ଅଟନ୍ତି, ସ୍ନେହବଶ ସେ ସମସ୍ତଙ୍କର କଲ୍ୟାଣ କରିଥାଆନ୍ତି | ଲୋକହିତ
ଉଦ୍ଦେଶ୍ୟରେ ସେ ଉପାସନା, ଚିତ୍ତ ଏକାଗ୍ରତା
ଏବଂ ସମାଧି ଆଦି ସାଧନର ଆଚରଣ କରୁଥାଆନ୍ତି |
ଲିଙ୍ଗଂ ଚ ତାପସାଭୀଷ୍ଟଂ ଭସ୍ମଦଣ୍ଡଜଟାଜିନମ୍ ।
ଅଙ୍ଗେନ ସନ୍ଧ୍ୟାଭ୍ରରୁଚା ଚନ୍ଦ୍ରଲେଖାଂ ଚ ବିଭ୍ରତମ୍ ॥ ୩୬॥
ସନ୍ଧ୍ୟାକାଳୀନ ମେଘ ସଦୃଶ କାନ୍ତିଯୁକ୍ତ ଶରୀରରେ
ସେ ତପସ୍ବୀମାନଙ୍କର ଅଭୀଷ୍ଟ ଚିହ୍ନ – ଭସ୍ମ, ଦଣ୍ଡ, ଜଟା ଏବଂ ମୃଗଚର୍ମ ତଥା ମସ୍ତକରେ ଚନ୍ଦ୍ରକଳା ଧାରଣ କରିଥିଲେ |
ଉପବିଷ୍ଟଂ ଦର୍ଭମୟ୍ୟାଂ ବୃସ୍ୟାଂ ବ୍ରହ୍ମ ସନାତନମ୍ ।
ନାରଦାୟ ପ୍ରବୋଚନ୍ତଂ ପୃଚ୍ଛତେ ଶୃଣ୍ୱତାଂ ସତାମ୍ ॥ ୩୭॥
ସେ ଏକ କୁଶାସନ ଉପରେ ବସିଥିଲେ ଏବଂ ଅନେକ ସାଧୁ ଶ୍ରୋତାଙ୍କ ଗହଣରେ
ଦେବର୍ଷି ନାରଦଙ୍କ ପ୍ରଶ୍ନର ଉତ୍ତରରେ ସନାତନ ବ୍ରହ୍ମ ସମ୍ବନ୍ଧୀୟ ଉପଦେଶ ପ୍ରଦାନ କରୁଥିଲେ |
କୃତ୍ୱୋରୌ ଦକ୍ଷିଣେ ସବ୍ୟଂ ପାଦପଦ୍ମଂ ଚ ଜାନୁନି ।
ବାହୁଂ ପ୍ରକୋଷ୍ଠେଽକ୍ଷମାଲାମାସୀନଂ ତର୍କମୁଦ୍ରୟା ॥ ୩୮॥
ତାଙ୍କର ବାମ ଚରଣ ଦକ୍ଷିଣ ଜଂଘ ଉପରେ ରହିଥିଲା | ସେ ବାମ ହସ୍ତକୁ
ବାମ ଆଣ୍ଠୁ ଉପରେ ରଖି, କଚଟିରେ ରୁଦ୍ରାକ୍ଷ ମାଳା ଧାରଣ କରି ତର୍କମୁଦ୍ରାରେ ବିରାଜମାନ
କରିଥିଲେ |
ତଂ ବ୍ରହ୍ମନିର୍ୱାଣସମାଧିମାଶ୍ରିତଂ
ବ୍ୟୁପାଶ୍ରିତଂ ଗିରିଶଂ ଯୋଗକକ୍ଷାମ୍ ।
ସଲୋକପାଲା ମୁନୟୋ ମନୂନା-
ମାଦ୍ୟମ୍ମନୁଂ ପ୍ରାଞ୍ଜଲୟଃ ପ୍ରଣେମୁଃ ॥ ୩୯॥
ଯୋଗପଟ୍ଟ ( କାଷ୍ଠ ନିର୍ମିତ ହାତ ବଇଠି) ସହାରାରେ ସେ ଏକାଗ୍ର
ଚିତ୍ତରେ ବ୍ରହ୍ମାନନ୍ଦର ଅନୁଭବ କରୁଥିଲେ | ଲୋକପାଳଙ୍କ ସହିତ ସମସ୍ତ ମୁନିଜନ ମନନଶୀଳମାନଙ୍କ
ମଧ୍ୟରେ ସର୍ବଶ୍ରେଷ୍ଠ ଭଗବାନ ଶଂକରଙ୍କୁ ହାତ ଯୋଡି ପ୍ରଣାମ କଲେ |
ସ ତୂପଲଭ୍ୟାଗତମାତ୍ମୟୋନିଂ
ସୁରାସୁରେଶୈରଭିବନ୍ଦିତାଙ୍ଘ୍ରିଃ ।
ଉତ୍ଥାୟ ଚକ୍ରେ ଶିରସାଭିବନ୍ଦନ-
ମର୍ହତ୍ତମଃ କସ୍ୟ ଯଥୈବ ବିଷ୍ଣୁଃ ॥ ୪୦॥
ଯଦିଓ ସମସ୍ତ ଦେବତା ଏବଂ ଦୈତ୍ୟମାନଙ୍କର ଅଧିପତି ମଧ୍ୟ
ଶ୍ରୀମହାଦେବଙ୍କ ଚରଣକମଳର ବନ୍ଦନା କରନ୍ତି, ତଥାପି
ଶ୍ରୀବ୍ରହ୍ମାଜୀ ତାଙ୍କ ସ୍ଥାନକୁ ଆସିଥିବା ଦେଖି ସେ ଅତିଶୀଘ୍ର ଠିଆ ହୋଇଗଲେ ଏବଂ ବାମନାବତାରରେ
ପରମପୂଜ୍ୟ ବିଷ୍ଣୁଭଗବାନ କଶ୍ୟପ ମୁନିଙ୍କର ବନ୍ଦନା କରିବା ପରି, ମସ୍ତକ ଅବନତ କରି ତାଙ୍କୁ ପ୍ରଣାମ କଲେ |
ତଥାପରେ ସିଦ୍ଧଗଣା ମହର୍ଷିଭି-
ର୍ୟେବୈ ସମନ୍ତାଦନୁ ନୀଲଲୋହିତମ୍ ।
ନମସ୍କୃତଃ ପ୍ରାହ ଶଶାଙ୍କଶେଖରଂ
କୃତପ୍ରଣାମଂ ପ୍ରହସନ୍ନିବାତ୍ମଭୂଃ ॥ ୪୧॥
ଶଂକର ଭଗବାନଙ୍କର ଚତୁର୍ପାର୍ଶ୍ବରେ ମହର୍ଷିମାନଙ୍କ ସହିତ ଉପବେଶନ
କରିଥିବା ଅନ୍ୟାନ୍ୟ ସିଦ୍ଧଗଣ ମଧ୍ୟ ଉଠି ବ୍ରହ୍ମାଜୀଙ୍କୁ ପ୍ରଣାମ କଲେ | ସମସ୍ତେ ନମସ୍କାର କରି
ସାରିବା ପରେ ଚନ୍ରମୌଳି ଭଗବାନଙ୍କୁ, ଯିଏ ଏବେ ବି ପ୍ରଣାମ ମୁଦ୍ରାରେ ଠିଆ ହୋଇଥିଲେ, ବ୍ରହ୍ମାଜୀ ହସି ହସି କହିଲେ -
ବ୍ରହ୍ମୋବାଚ
ଜାନେ ତ୍ୱାମୀଶଂ ବିଶ୍ୱସ୍ୟ ଜଗତୋ ଯୋନିବୀଜୟୋଃ ।
ଶକ୍ତେଃ ଶିବସ୍ୟ ଚ ପରଂ ଯତ୍ତଦ୍ବ୍ରହ୍ମ ନିରନ୍ତରମ୍ ॥ ୪୨॥
ବ୍ରହ୍ମାଜୀ କହିଲେ – ହେ ଦେବ ! ମୁଁ ଜାଣିଛି, ଆପଣ ସମ୍ପୂର୍ଣ୍ଣ ଜଗତର ସ୍ବାମୀ ଅଟନ୍ତି; କାରଣ ବିଶ୍ବର ଯୋନି (ପ୍ରକୃତି) ଏବଂ ତାହାର ବୀଜ ଶିବ (ପୁରୁଷ)
ଉର୍ଦ୍ଧ୍ବରେ ଯିଏ ଏକରସ ପରବ୍ରହ୍ମ ଅଟନ୍ତି, ସେ ଆପଣ ହିଁ ଅଟନ୍ତି
|
ତ୍ୱମେବ ଭଗବନ୍ନେତଚ୍ଛିବଶକ୍ତ୍ୟୋଃ ସ୍ୱରୂପୟୋଃ ।
ବିଶ୍ୱଂ ସୃଜସି ପାସ୍ୟତ୍ସି କ୍ରୀଡନ୍ନୂର୍ଣପଟୋ ଯଥା ॥ ୪୩॥
ଭଗବନ୍ ! ବୁଢିଆଣୀ ପରି ଆପଣ ହିଁ ନିଜ ସ୍ବରୂପଭୂତ ଶିବ-ଶକ୍ତି ରୂପରେ
କ୍ରୀଡା କରି ଲୀଳାରେ ହିଁ ସଂସାରର ରଚନା, ପାଳନ ଏବଂ ସଂହାର
କରୁଥାଆନ୍ତି |
ତ୍ୱମେବ ଧର୍ମାର୍ଥଦୁଘାଭିପତ୍ତୟେ
ଦକ୍ଷେଣ ସୂତ୍ରେଣ ସସର୍ଜିଥାଧ୍ୱରମ୍ ।
ତ୍ୱୟୈବ ଲୋକେଽବସିତାଶ୍ଚ ସେତବୋ
ଯାନ୍ ବ୍ରାହ୍ମଣାଃ ଶ୍ରଦ୍ଦଧତେ ଧୃତବ୍ରତାଃ ॥ ୪୪॥
ଆପଣ ହିଁ ଧର୍ମ ଏବଂ ଅର୍ଥର ପ୍ରାପ୍ତି କରାଉଥିବା ବେଦର ରକ୍ଷା
ନିମନ୍ତେ ଦକ୍ଷଙ୍କୁ ନିମିତ୍ତ କରି ଯଜ୍ଞ ପ୍ରକଟ କରିଛନ୍ତି | ଆପଣଙ୍କ ଦ୍ବାରା ନିର୍ଦ୍ଧାରିତ
ଏହି ବର୍ଣ୍ଣାଶ୍ରମଧର୍ମର ମର୍ଯ୍ୟାଦା ରହିଛି, ଯାହାର ପାଳନ
ନିୟମନିଷ୍ଠ ବ୍ରାହ୍ମଣମାନେ ଶ୍ରଦ୍ଧାପୂର୍ବକ କରିଥାଆନ୍ତି |
ତ୍ୱଂ କର୍ମଣାଂ ମଙ୍ଗଲମଙ୍ଗଲାନାଂ
କର୍ତୁଃ ସ୍ମ ଲୋକଂ ତନୁଷେ ସ୍ୱଃ ପରଂ ବା ।
ଅମଙ୍ଗଲାନାଂ ଚ ତମିସ୍ରମୁଲ୍ବଣଂ
ବିପର୍ୟଯଃ କେନ ତଦେବ କସ୍ୟଚିତ୍ ॥ ୪୫॥
ମଙ୍ଗଳମୟ ମହେଶ୍ବର ! ଆପଣ ଶୁଭ କର୍ମ କରୁଥିବା ମନୁଷ୍ୟକୁ ସ୍ବର୍ଗଲୋକ
ଅଥବା ମୋକ୍ଷପଦ ପ୍ରଦାନ କରନ୍ତି ତଥା ପାପକର୍ମ କରୁଥିବା ମନୁଷ୍ୟଙ୍କୁ ନର୍କରେ ପକାଇ ଥାଆନ୍ତି |
ତଥାପି କାହା କାହା ପାଇଁ ଏହି କର୍ମର ଫଳ ଓଲଟା କିପରି ହୋଇଯାଏ ?
ନ ବୈ ସତାଂ ତ୍ୱଚ୍ଚରଣାର୍ପିତାତ୍ମନାଂ
ଭୂତେଷୁ ସର୍ୱେଷ୍ୱଭିପଶ୍ୟତାଂ ତବ ।
ଭୂତାନି ଚାତ୍ମନ୍ୟପୃଥଗ୍ଦିଦୃକ୍ଷତାଂ
ପ୍ରାୟେଣ ରୋଷୋଽଭିଭବେଦ୍ୟଥା ପଶୁମ୍ ॥ ୪୬॥
ଯେଉଁ ମହାନୁଭବ ଆପଣଙ୍କ ଚରଣରେ ନିଜକୁ ସମର୍ପିତ କରିଦିଅନ୍ତି, ଯିଏ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଆପଣଙ୍କୁ ହିଁ ଦେଖନ୍ତି ଏବଂ ସମସ୍ତ
ଜୀବଙ୍କୁ ଅଭେଦଦୃଷ୍ଟିରେ ଆତ୍ମାରେ ହିଁ ଦେଖନ୍ତି,
ସେମାନେ ପଶୁମାନଙ୍କ ପରି ପ୍ରାୟତଃ କ୍ରୋଧର ଅଧୀନସ୍ତ ହୁଅନ୍ତି ନାହିଁ |
ପୃଥଗ୍ଧିୟଃ କର୍ମଦୃଶୋ ଦୁରାଶୟାଃ
ପରୋଦୟେନାର୍ପିତହୃଦ୍ରୁଜୋଽନିଶମ୍ ।
ପରାନ୍ ଦୁରୁକ୍ତୈର୍ୱିତୁଦନ୍ତ୍ୟରୁନ୍ତୁଦାଃ
ତାନ୍ ମାବଧୀଦ୍ଦୈବବଧାନ୍ ଭବଦ୍ୱିଧଃ ॥ ୪୭॥
ଯେଉଁମାନେ ଭେଦବୁଦ୍ଧି ହୋଇଥିବା କାରଣରୁ କର୍ମରେ ହିଁ ଆସକ୍ତ ରହନ୍ତି, ଯେଉଁମାନଙ୍କର ଉଦ୍ଦେଶ୍ୟ ମହତ୍ ନ ଥାଏ, ଅନ୍ୟମାନଙ୍କର ଉନ୍ନତି ଦେଖି ଯାହାର ଚିତ୍ତ ଦିନ-ରାତି ଦ୍ବେଷଯୁକ୍ତ
ରହୁଥାଏ, ଯେଉଁ ମର୍ମଭେଦୀ
ଅଜ୍ଞାନୀ ନିଜ ଦୁର୍ବଚନରେ ଅନ୍ୟର ଚିତ୍ତକୁ ଦୁଃଖିତ କରିଥାଏ,
ଆପଣଙ୍କ ପରି ମହାପୁରୁଷମାନେ ତାହାକୁ ମଧ୍ୟ ମାରିବା ଉଚିତ୍ ନୁହେଁ, କାରଣ ସେ ବିଚରା ତ ବିଧାତାର ମାଡରେ ବ୍ୟଥିତ ରହିଥାଏ |
ଯସ୍ମିନ୍ ଯଦା ପୁଷ୍କରନାଭମାୟଯା
ଦୁରନ୍ତୟା ସ୍ପୃଷ୍ଟଧିୟଃ ପୃଥଗ୍ଦୃଶଃ ।
କୁର୍ୱନ୍ତି ତତ୍ର ହ୍ୟନୁକମ୍ପୟା କୃପାଂ
ନ ସାଧବୋ ଦୈବବଲାତ୍କୃତେ କ୍ରମମ୍ ॥ ୪୮॥
ଦେବଦେବ ! ଭଗବାନ କମଳନାଭଙ୍କ ମାୟାରେ ମୋହିତ ହୋଇଯିବା କାରଣରୁ ଯଦି
କୌଣସି ପୁରୁଷର କେବେ କାହା ପ୍ରତି ଭେଦବୁଦ୍ଧି ହୋଇଯାଏ,
ତଥାପି ସାଧୁ ପୁରୁଷ ନିଜ ପରଦୁଃଖକାତର ସ୍ବଭାବବଶତଃ ତା’
ପ୍ରତି କୃପା ହିଁ କରନ୍ତି; ଦୈବବଶ ଯାହାକିଛି
ହୋଇଯାଏ, ତାହାକୁ ରୋକିବା
ପାଇଁ ସେମାନେ କୌଣସି ପ୍ରଯତ୍ନ କରନ୍ତି ନାହିଁ |
ଭବାଂସ୍ତୁ ପୁଂସଃ ପରମସ୍ୟ ମାୟଯା
ଦୁରନ୍ତୟାସ୍ପୃଷ୍ଟମତିଃ ସମସ୍ତଦୃକ୍ ।
ତୟା ହତାତ୍ମସ୍ୱନୁକର୍ମଚେତଃ-
ସ୍ୱନୁଗ୍ରହଂ କର୍ତୁମିହାର୍ହସି ପ୍ରଭୋ ॥ ୪୯॥
ପ୍ରଭୁ ! ଆପଣ ସର୍ବଜ୍ଞ ଅଟନ୍ତି,
ପରମପୁରୁଷ ଭଗବାନଙ୍କର ଦୁସ୍ତର ମାୟା ବି ଆପଣଙ୍କର ବୁଦ୍ଧିକୁ ସ୍ପର୍ଶ କରିନାହିଁ | ତେଣୁ ଯାହାର
ଚିତ୍ତ ତାଙ୍କ ନିଜ ବଶରେ ରହି କର୍ମମାର୍ଗରେ ଆସକ୍ତ ହୋଇଥାଏ,
ସେମାନଙ୍କ ଦ୍ବାରା କୌଣସି ଅପରାଧ ହୋଇଗଲେ ବି ଆପଣ ସେମାନଙ୍କ ଉପରେ କୃପା କରିବା ଆବଶ୍ୟକ |
କୁର୍ୱଧ୍ୱରସ୍ୟୋଦ୍ଧରଣଂ ହତସ୍ୟ ଭୋଃ
ତ୍ୱୟାସମାପ୍ତସ୍ୟ ମନୋ ପ୍ରଜାପତେଃ ।
ନ ଯତ୍ର ଭାଗଂ ତବ ଭାଗିନୋ ଦଦୁଃ
କୁୟଜ୍ୱିନୋ ଯେନ ମଖୋ ନିନୀୟତେ ॥ ୫୦॥
ଭଗବନ୍ ! ଆପଣ ସମସ୍ତଙ୍କର ମୂଳ କାରଣ ଅଟନ୍ତି
| ଆପଣ ହିଁ ସମ୍ପୂର୍ଣ୍ଣ ଯଜ୍ଞକୁ ପୂର୍ଣ୍ଣ କରିଥାଆନ୍ତି | ଯଜ୍ଞଭାଗ ପ୍ରାପ୍ତ କରିବାର ପୂର୍ଣ୍ଣ
ଅଧିକାର ଆପଣଙ୍କର ରହିଛି | ତା’ ସତ୍ତ୍ବେ ବି ଦକ୍ଷଯଜ୍ଞରେ ବୁଦ୍ଧିହୀନ
ଯାଜକମାନେ ଆପଣଙ୍କୁ ଯଜ୍ଞଭାଗ ଦେଲେ ନାହିଁ | ସେହି କାରଣରୁ ଏହି ଯଜ୍ଞ ବିଧ୍ବସ୍ତ ହେଲା | ଏବେ
ଆପଣ ଏହି ଅପୂର୍ଣ୍ଣ ଯଜ୍ଞର ପୁନରୁଦ୍ଧାର କରିବା ନିମନ୍ତେ କୃପା କରନ୍ତୁ |
ଜୀବତାଦ୍ୟଜମାନୋଽୟଂ ପ୍ରପଦ୍ୟେତାକ୍ଷିଣୀ ଭଗଃ ।
ଭୃଗୋଃ ଶ୍ମଶ୍ରୂଣି ରୋହନ୍ତୁ ପୂଷ୍ଣୋ ଦନ୍ତାଶ୍ଚ ପୂର୍ୱବତ୍ ॥ ୫୧॥
ପ୍ରଭୁ ! ଏପରି କୃପା କରନ୍ତୁ ଯେ ଯଜମାନ ଦକ୍ଷ ପୁନଃ ଜୀବିତ ହୋଇଯିବେ, ଭଗଦେବତାମାନେ ସେମାନଙ୍କର ନେତ୍ର, ଭୃଗୁ ନିଜର ଦାଢ଼ି-ନିଶ ତଥା ପୂଷା ତାଙ୍କର ଦାନ୍ତ ପୁନଃ ପ୍ରାପ୍ତ
କରିବେ |
ଦେବାନାଂ ଭଗ୍ନଗାତ୍ରାଣାଂ ଋତ୍ୱିଜାଂ ଚାୟୁଧାଶ୍ମଭିଃ ।
ଭବତାନୁଗୃହୀତାନାମାଶୁ ମନ୍ୟୋଽସ୍ତ୍ୱନାତୁରମ୍ ॥ ୫୨॥
ହେ ରୁଦ୍ରଦେବ ! ଅସ୍ତ୍ର-ଶସ୍ତ୍ର ଏବଂ ପଥର ମାଡରେ ଯେଉଁ ଦେବତା ଏବଂ
ଋତ୍ବିଜମାନଙ୍କର ଅଙ୍ଗ-ପ୍ରତ୍ୟଙ୍ଗ କ୍ଷତ-ବିକ୍ଷତ ହୋଇଯାଇଛି,
ଆପଣଙ୍କ କୃପାରୁ ସେମାନେ ସମସ୍ତେ ସ୍ବସ୍ଥ ହୁଅନ୍ତୁ |
ଏଷ ତେ ରୁଦ୍ର ଭାଗୋଽସ୍ତୁ ଯଦୁଚ୍ଛିଷ୍ଟୋଽଧ୍ୱରସ୍ୟ ବୈ ।
ଯଜ୍ଞସ୍ତେ ରୁଦ୍ରଭାଗେନ କଲ୍ପତାମଦ୍ୟ ଯଜ୍ଞହନ୍ ॥ ୫୩॥
ଯଜ୍ଞ ପୂର୍ଣ୍ଣ ହେବାପରେ ଯାହା କିଛି ଅବଶିଷ୍ଟ ରହିବ, ତାହା ଆପଣଙ୍କର ଭାଗ ହେବ | ହେ ଯଜ୍ଞବିଧ୍ବଂସକ ! ଆଜି ଏହି ଯଜ୍ଞ
ଆପଣଙ୍କ ଭାଗରେ ହିଁ ପୂର୍ଣ୍ଣ ହେଉ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ରୁଦ୍ରସାନ୍ତ୍ୱନଂ ନାମ ଷଷ୍ଠୋଽଧ୍ୟାୟଃ ॥ ୬॥

Comments
Post a Comment