ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ ॥

ସପ୍ତମ ଅଧ୍ୟାୟ

ଦକ୍ଷଯଜ୍ଞର ପୂର୍ତ୍ତି

 

ମୈତ୍ରେୟ ଉବାଚ

ଇତ୍ୟଜେନାନୁନୀତେନ ଭବେନ ପରିତୁଷ୍ୟତା ।

ଅଭ୍ୟଧାୟି ମହାବାହୋ ପ୍ରହସ୍ୟ ଶ୍ରୂୟତାମିତି ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ବ୍ରହ୍ମାଜୀ ଏହିପରି ପ୍ରାର୍ଥନା କରିବାରୁ ଭଗବାନ ଶଂକର ପ୍ରସନ୍ନତାପୂର୍ବକ ହସି ହସି କହିଲେ – ଶୁଣନ୍ତୁ |

ମହାଦେବ ଉବାଚ

ନାଘଂ ପ୍ରଜେଶ ବାଲାନାଂ ବର୍ଣୟେ ନାନୁଚିନ୍ତୟେ ।

ଦେବମାୟାଭିଭୂତାନାଂ ଦଣ୍ଡସ୍ତତ୍ର ଧୃତୋ ମୟା ॥ ୨॥

ମହାଦେବ କହିଲେ – ହେ ପ୍ରଜାପତି ! ଭଗବାନଙ୍କ ମାୟାରେ ମୋହିତ ଦକ୍ଷ ପରି ଅଜ୍ଞାନୀର ଅପରାଧ ବିଷୟରେ ମୁଁ ଚର୍ଚ୍ଚା କରୁନାହିଁ କି ସ୍ମରଣ କରୁନାହିଁ | ମୁଁ ତ କେବଳ ସମସ୍ତଙ୍କୁ ସାବଧାନ କରିବା ଉଦ୍ଦେଶ୍ୟରେ ତାକୁ ଅଳ୍ପ କିଛି ଦଣ୍ଡ ଦେଇଛି |

ପ୍ରଜାପତେର୍ଦଗ୍ଧଶୀର୍ଷ୍ଣୋ ଭବତ୍ୱଜମୁଖଂ ଶିରଃ ।

ମିତ୍ରସ୍ୟ ଚକ୍ଷୁଷେକ୍ଷେତ ଭାଗଂ ସ୍ୱଂ ବର୍ହିଷୋ ଭଗଃ ॥ ୩॥

ଦକ୍ଷପ୍ରଜାପତିଙ୍କର ମସ୍ତକ ତ ଅଗ୍ନିରେ ଜଳି ଭସ୍ମ ହୋଇଯାଇଛି, ତେଣୁ ସେହି ସ୍ଥାନରେ ଛେଳିର ମସ୍ତକ ଲଗାଇ ଦିଆଯାଉ, ଭଗଦେବ ମିତ୍ରଦେବତାଙ୍କ ନେତ୍ରରେ ନିଜ ଯଜ୍ଞଭାଗ ଦେଖନ୍ତୁ |

ପୂଷା ତୁ ଯଜମାନସ୍ୟ ଦଦ୍ଭିର୍ଜକ୍ଷତୁ ପିଷ୍ଟଭୁକ୍ ।

ଦେବାଃ ପ୍ରକୃତସର୍ୱାଙ୍ଗା ଯେ ମ ଉଚ୍ଛେଷଣଂ ଦଦୁଃ ॥ ୪॥

ପୂଷା ଅନ୍ନକୁ ପେଷି ଭକ୍ଷଣ କରନ୍ତି, ସେ ତାହାକୁ ଯଜମାନଙ୍କ ଦାନ୍ତରେ ଭକ୍ଷଣ କରନ୍ତୁ | ଅନ୍ୟ ସବୁ ଦେବତାଙ୍କର ଅଙ୍ଗ-ପ୍ରତ୍ୟଙ୍ଗ ସ୍ବସ୍ଥ ହୋଇଯାଉ, କାରଣ ସେମାନେ ଯଜ୍ଞର ବଳକା ପଦାର୍ଥକୁ ମୋର ଭାଗ ରୂପେ ନିଶ୍ଚିତ କରିଛନ୍ତି |

ବାହୁଭ୍ୟାମଶ୍ୱିନୋଃ ପୂଷ୍ଣୋ ହସ୍ତାଭ୍ୟାଂ କୃତବାହବଃ ।

ଭବନ୍ତ୍ୱଧ୍ୱର୍ୟବଶ୍ଚାନ୍ୟେ ବସ୍ତଶ୍ମଶ୍ରୁର୍ଭୃଗୁର୍ଭବେତ୍ ॥ ୫॥

ଅଧ୍ବର୍ୟୁ ଆଦି ଯାଜ୍ଞିକଙ୍କ ମଧ୍ୟରୁ ଯେଉଁମାନଙ୍କର ଭୁଜ ଭଗ୍ନ ହୋଇଯାଇଛି, ସେମାନେ ଅଶ୍ବିନୀକୁମାରଙ୍କର ଭୁଜ ଦ୍ବାରା ଏବଂ ଯେଉଁମାନଙ୍କର ହାତ ନଷ୍ଟ ହୋଇଯାଇଛି, ସେମାନେ ପୂଷାଙ୍କ ହସ୍ତରେ କର୍ମ କରନ୍ତୁ | ଭୃଗୁ ଛେଳିର ଦାଢ଼ି-ନିଶ ପ୍ରାପ୍ତ କରନ୍ତୁ |

ମୈତ୍ରେୟ ଉବାଚ

ତଦା ସର୍ୱାଣି ଭୂତାନି ଶ୍ରୁତ୍ୱା ମୀଢୁଷ୍ଟମୋଦିତମ୍ ।

ପରିତୁଷ୍ଟାତ୍ମଭିସ୍ତାତ ସାଧୁ ସାଧ୍ୱିତ୍ୟଥାବ୍ରୁବନ୍ ॥ ୬॥

ମୈତ୍ରେୟ କହୁଛନ୍ତି – ବତ୍ସ ବିଦୁର ! ଭଗବାନ ଶଂକରଙ୍କର ବଚନ ଶୁଣି ସମସ୍ତେ ପ୍ରସନ୍ନ ଚିତ୍ତରେ ‘ଧନ୍ୟ ! ଧନ୍ୟ !’ କହିବାରେ ଲାଗିଲେ |

ତତୋ ମୀଢ୍ୱାଂସମାମନ୍ତ୍ର୍ୟ ଶୁନାସୀରାଃ ସହର୍ଷିଭିଃ ।

ଭୂୟସ୍ତଦ୍ଦେବୟଜନଂ ସମୀଢ୍ୱଦ୍ୱେଧସୋ ଯୟୁଃ ॥ ୭॥

ତାପରେ ସବୁ ଦେବତା ଏବଂ ରିତ୍ବିଜମାନେ ଦକ୍ଷଙ୍କ ଯଜ୍ଞଶାଳାକୁ ଆଗମନ କରିବା ପାଇଁ ମହାଦେବଙ୍କୁ ପ୍ରାର୍ଥନା କଲେ ଏବଂ ସେ ବ୍ରହ୍ମାଜୀ ତଥା ଅନ୍ୟମାନଙ୍କୁ ସାଙ୍ଗରେ ନେଇ ସେଠାକୁ ଗଲେ |

ବିଧାୟ କାର୍ତ୍ସ୍ନ୍ୟେନ ଚ ତଦ୍ୟଦାହ ଭଗବାନ୍ ଭବଃ ।

ସନ୍ଦଧୁଃ କସ୍ୟ କାୟେନ ସବନୀୟପଶୋଃ ଶିରଃ ॥ ୮॥

ସେଠାରେ ଭଗବାନ ଶଂକର ଯେପରି କହିଥିଲେ, ସେହି ପ୍ରକାରେ ସବୁ କାର୍ଯ୍ୟ ସମାପନ କରି ସେମାନେ ଯଜ୍ଞପଶୁର ମସ୍ତକକୁ ଦକ୍ଷଙ୍କ ବେକରେ ଯୋଡି ଦେଲେ |

ସନ୍ଧୀୟମାନେ ଶିରସି ଦକ୍ଷୋ ରୁଦ୍ରାଭିବୀକ୍ଷିତଃ ।

ସଦ୍ୟଃ ସୁପ୍ତ ଇବୋତ୍ତସ୍ଥୌ ଦଦୃଶେ ଚାଗ୍ରତୋ ମୃଡମ୍ ॥ ୯॥

ମସ୍ତକ ଯୋଡି ହୋଇଯିବା ପରେ ରୁଦ୍ର-ଦେବଙ୍କ ଦୃଷ୍ଟିପାତ ମାତ୍ରେ ଦକ୍ଷ ସୁପ୍ତ ଅବସ୍ଥାରୁ ଜାଗ୍ରତ ହେବା ପରି ଜୀବିତ ହୋଇ ଉଠିଲେ ଏବଂ ନିଜ ସମ୍ମୁଖରେ ଭଗବାନ ଶିବଙ୍କୁ ଦେଖିଲେ |

ତଦା ବୃଷଧ୍ୱଜଦ୍ୱେଷକଲିଲାତ୍ମା ପ୍ରଜାପତିଃ ।

ଶିବାବଲୋକାଦଭବଚ୍ଛରଦ୍ଧ୍ରଦ ଇବାମଲଃ ॥ ୧୦॥

ଶଂକରଦ୍ରୋହ କାଳିମାରେ କଳୁଷିତ ହୋଇ ଯାଇଥିବା ଦକ୍ଷଙ୍କର ହୃଦୟ ତାଙ୍କର ଦର୍ଶନ କରି ଶରତ୍-କାଳୀନ ସରୋବର ପରି ସ୍ବଚ୍ଛ ହୋଇଗଲା |

ଭବସ୍ତବାୟ କୃତଧୀର୍ନାଶକ୍ନୋଦନୁରାଗତଃ ।

ଔତ୍କଣ୍ଠ୍ୟାଦ୍ବାଷ୍ପକଲୟା ସମ୍ପରେତାଂ ସୁତାଂ ସ୍ମରନ୍ ॥ ୧୧॥

ସେ ମହାଦେବଙ୍କର ସ୍ତୁତି କରିବାକୁ ଇଚ୍ଛା କଲେ, କିନ୍ତୁ ନିଜ ମୃତ କନ୍ୟା ସତୀଙ୍କର ସ୍ମରଣରେ ସ୍ନେହ ଏବଂ ଉତ୍କଣ୍ଠାବଶତଃ ତାଙ୍କର ନେତ୍ର ଅଶ୍ରୁପୂର୍ଣ୍ଣ ହୋଇଗଲା; ତାଙ୍କ ମୁଖରୁ ଶବ୍ଦ ବାହାରିଲା ନାହିଁ |

କୃଚ୍ଛ୍ରାତ୍ସଂସ୍ତଭ୍ୟ ଚ ମନଃ ପ୍ରେମବିହ୍ୱଲିତଃ ସୁଧୀଃ ।

ଶଶଂସ ନିର୍ୱ୍ୟଲୀକେନ ଭାବେନେଶଂ ପ୍ରଜାପତିଃ ॥ ୧୨॥

ପ୍ରେମବିହ୍ବଳ, ପରମ ବୁଦ୍ଧିମାନ ପ୍ରଜାପତି କୌଣସି ପ୍ରକାରେ ନିଜ ହୃଦୟର ଆବେଗକୁ ଅବରୁଦ୍ଧ ବିଶୁଦ୍ଧ ଭାବରେ ଭଗବାନ ଶିବଙ୍କର ସ୍ତୁତି ଆରମ୍ଭ କଲେ |

ଦକ୍ଷ ଉବାଚ

ଭୂୟାନନୁଗ୍ରହ ଅହୋ ଭବତା କୃତୋ ମେ

ଦଣ୍ଡସ୍ତ୍ୱୟା ମୟି ଭୃତୋ ଯଦପି ପ୍ରଲବ୍ଧଃ ।

ନ ବ୍ରହ୍ମବନ୍ଧୁଷୁ ଚ ବାଂ ଭଗବନ୍ନବଜ୍ଞା

ତୁଭ୍ୟଂ ହରେଶ୍ଚ କୁତ ଏବ ଧୃତବ୍ରତେଷୁ ॥ ୧୩॥

ଦକ୍ଷ କହିଲେ – ଭଗବନ୍ ! ମୁଁ ଆପଣଙ୍କ ପ୍ରତି ଅପରାଧ କଲି, କିନ୍ତୁ ତାର ପ୍ରତିବଦଳରେ ଆପଣ ଦଣ୍ଡ ଦ୍ବାରା ମୋତେ ଶିକ୍ଷା ଦେଇ ମୋ ପ୍ରତି ବିଶେଷ ଅନୁଗ୍ରହ କରିଛନ୍ତି | ଆପଣ ଏବଂ ଶ୍ରୀହରି ତ ଆଚାରହୀନ ନାମ-ମାତ୍ରରେ ବ୍ରାହ୍ମଣମାନଙ୍କର ମଧ୍ୟ ଉପେକ୍ଷା କରନ୍ତି ନାହିଁ, ତେଣୁ ଆମ୍ଭମାନଙ୍କ ପରି ଯଜ୍ଞ-ଯାଗାଦି କରୁଥିବା ବ୍ୟକ୍ତିଙ୍କୁ ଆପଣ କିପରି ଭୁଲନ୍ତେ ?

ବିଦ୍ୟାତପୋବ୍ରତଧରାନ୍ ମୁଖତଃ ସ୍ମ ବିପ୍ରାନ୍

ବ୍ରହ୍ମାତ୍ମତତ୍ତ୍ୱମବିତୁଂ ପ୍ରଥମଂ ତ୍ୱମସ୍ରାକ୍ ।

ତଦ୍ବ୍ରାହ୍ମଣାନ୍ ପରମ ସର୍ୱବିପତ୍ସୁ ପାସି

ପାଲଃ ପଶୂନିବ ବିଭୋ ପ୍ରଗୃହୀତଦଣ୍ଡଃ ॥ ୧୪॥

ହେ ବିଭୁ ! ବ୍ରହ୍ମା ରୂପରେ ଆପଣ ଆତ୍ମତତ୍ତ୍ବର ରକ୍ଷା ନିମନ୍ତେ ସର୍ବପ୍ରଥମେ ନିଜ ମୁଖରେ ବିଦ୍ୟା, ତପ ଏବଂ ବ୍ରତାଦି ଧାରଣ କରିଥିବା ବ୍ରାହ୍ମଣମାନଙ୍କୁ ଉତ୍ପନ୍ନ କରିଥିଲେ | ଗାଈଚରାଳି ହାତରେ ଲାଠି ଧରି ଗାଈମାନଙ୍କୁ ରକ୍ଷା କରୁଥିବା ପରି ଆପଣ ସେହି ବ୍ରାହ୍ମଣମାନଙ୍କୁ ସମସ୍ତ ବିପତ୍ତିରୁ ରକ୍ଷା କରିଥାଆନ୍ତି |

ଯୋଽସୌ ମୟାବିଦିତତତ୍ତ୍ୱଦୃଶା ସଭାୟାଂ

କ୍ଷିପ୍ତୋ ଦୁରୁକ୍ତିବିଶିଖୈର୍ୱିଗଣୟ୍ୟ ତନ୍ମାମ୍ ।

ଅର୍ୱାକ୍ପତନ୍ତମର୍ହତ୍ତମ ନିନ୍ଦୟାପା-

ଦ୍ଦୃଷ୍ଟ୍ୟାଽଽର୍ଦ୍ରୟା ସ ଭଗବାନ୍ ସ୍ୱକୃତେନ ତୁଷ୍ୟେତ୍ ॥ ୧୫॥

ମୁଁ ଆପଣଙ୍କ ତତ୍ତ୍ବକୁ ଜାଣି ନ ଥିଲି, ସେଥିପାଇଁ ଭରା ସଭାରେ ମୁଁ ଆପଣଙ୍କୁ ନିଜ ବାଗ୍-ବାଣରେ ବିଦ୍ଧ କରିଥିଲି | କିନ୍ତୁ ଆପଣ ମୋର ସେହି ଅପରାଧ ପ୍ରତି ବିଚାର କଲେନାହିଁ | ମୁଁ ତ ଆପଣଙ୍କ ପରି ପୂଜ୍ୟତମ ମହାନୁଭବଙ୍କ ପ୍ରତି ଅପରାଧ କରିଥିବା କାରଣରୁ ନରକାଦି ନୀଚ ଲୋକରେ ପତିତ ହେବାକୁ ଯାଉଥିଲି, କିନ୍ତୁ ଆପଣ ନିଜ କରୁଣାଭରୀ ଦୃଷ୍ଟିରେ ମୋତେ ଉଠାଇ ଧରିଲେ | ଏବେ ମଧ୍ୟ ଆପଣଙ୍କୁ ପ୍ରସନ୍ନ କରିବା ଯୋଗ୍ୟ କୌଣସି ଗୁଣ ମୋ ଠାରେ ନାହିଁ; ବାସ୍, ଆପଣ ନିଜର ହିଁ ଉଦାରତାପୂର୍ଣ୍ଣ ଆଚରଣରେ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ |

ମୈତ୍ରେୟ ଉବାଚ

କ୍ଷମାପ୍ୟୈବଂ ସ ମୀଢ୍ୱାଂସଂ ବ୍ରହ୍ମଣା ଚାନୁମନ୍ତ୍ରିତଃ ।

କର୍ମ ସନ୍ତାନୟାମାସ ସୋପାଧ୍ୟାୟର୍ତ୍ୱିଗାଦିଭିଃ ॥ ୧୬॥

ମୈତ୍ରେୟ କହୁଛନ୍ତି – ନିଜ ଅପରାଧ ପାଇଁ ଏହିପରି ଭାବରେ ଆଶୁତୋଷ ଭଗବାନ ଶଂକରଙ୍କଠାରୁ କ୍ଷମା ପ୍ରାପ୍ତ କରିବା ପରେ ବ୍ରହ୍ମାଙ୍କର ଆଦେଶ ଅନୁଯାୟୀ ଉପାଧ୍ୟାୟ, ଋତ୍ବିଜ୍ ଆଦିଙ୍କ ସହାୟତାରେ ଦକ୍ଷ ଯଜ୍ଞକାର୍ଯ୍ୟ ଆରମ୍ଭ କଲେ |

ବୈଷ୍ଣବଂ ଯଜ୍ଞସନ୍ତତ୍ୟୈ ତ୍ରିକପାଲଂ ଦ୍ୱିଜୋତ୍ତମାଃ ।

ପୁରୋଡାଶଂ ନିରବପନ୍ ବୀରସଂସର୍ଗଶୁଦ୍ଧୟେ ॥ ୧୭॥

ସେତେବେଳେ ବ୍ରାହ୍ମଣମାନେ ଯଜ୍ଞ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ରୁଦ୍ରଗଣ-ସମ୍ବନ୍ଧୀ ଭୂତ-ପିଶାଚଙ୍କ ସଂସର୍ଗଜନିତ ଦୋଷର ଶାନ୍ତି ନିମନ୍ତେ ତିନୋଟି ପାତ୍ରରେ ବିଷ୍ଣୁଭଗବାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇ ଥିବା ପୁରୋଡାଶ ନାମକ ଚରୁରେ ହୋମ କଲେ |

ଅଧ୍ୱର୍ୟୁଣାଽଽତ୍ତହବିଷା ଯଜମାନୋ ବିଶାମ୍ପତେ ।

ଧିୟା ବିଶୁଦ୍ଧୟା ଦଧ୍ୟୌ ତଥା ପ୍ରାଦୁରଭୂଦ୍ଧରିଃ ॥ ୧୮॥

ହେ ବିଦୁର ! ସେହି ଯଜ୍ଞାନ୍ନକୁ ହାତରେ ଧରି ଠିଆ ହୋଇଥିବା ଅଧ୍ବର୍ୟୁଙ୍କ ସହିତ ଯଜମାନ ଦକ୍ଷ ବିଶୁଦ୍ଧ ଚିତ୍ତରେ ଭଗବାନ ଶ୍ରୀହରିଙ୍କର ଧ୍ୟାନ କରିବା ମାତ୍ରେ ହଠାତ୍ ସେଠାରେ ଭଗବାନ ପ୍ରକଟ ହୋଇଗଲେ |

ତଦା ସ୍ୱପ୍ରଭୟା ତେଷାଂ ଦ୍ୟୋତୟନ୍ତ୍ୟା ଦିଶୋ ଦଶ ।

ମୁଷ୍ଣଂସ୍ତେଜ ଉପାନୀତସ୍ତାର୍କ୍ଷ୍ୟେଣ ସ୍ତୋତ୍ରବାଜିନା ॥ ୧୯॥

‘ବୃହତ୍ ଏବଂ ‘ରଥନ୍ତର’ ନାମକ ସାମ-ସ୍ତୋତ୍ର ଯାହାର ଦୁଇଟି ପକ୍ଷ ଅଟନ୍ତି, ସେହି ଗରୁଡ଼ଙ୍କ ଦ୍ବାରା ସମୀପକୁ ଆସିଥିବା ଭଗବାନ ଦଶ-ଦିଶାକୁ ପ୍ରକାଶିତ କରୁଥିବା ନିଜ ଅଙ୍ଗକାନ୍ତିରେ ସବୁ ଦେବତାଙ୍କର ତେଜ ହରଣ କରିନେଲେ – ତାଙ୍କ ସମ୍ମୁଖରେ ସମସ୍ତଙ୍କର କାନ୍ତି ଫିକା ପଡିଗଲା |

ଶ୍ୟାମୋ ହିରଣ୍ୟରଶନୋଽର୍କକିରୀଟଜୁଷ୍ଟୋ

ନୀଲାଲକଭ୍ରମରମଣ୍ଡିତକୁଣ୍ଡଲାସ୍ୟଃ ।

କମ୍ବ୍ୱବ୍ଜଚକ୍ରଶରଚାପଗଦାସିଚର୍ମ-

ବ୍ୟଗ୍ରୈର୍ହିରଣ୍ମୟଭୁଜୈରିବ କର୍ଣିକାରଃ ॥ ୨୦॥

ତାଙ୍କର ଅଙ୍ଗ ଶ୍ୟାମ ବର୍ଣ୍ଣ ଥିଲା, କଟିଦେଶରେ ସୁବର୍ଣ୍ଣର କରଧନୀ ତଥା ପୀତାମ୍ବର ସୁଶୋଭିତ ଥିଲା | ମସ୍ତକରେ ସୂର୍ଯ୍ୟ ସଦୃଶ ଦେଦୀପ୍ୟମାନ ମୁକୁଟ ଥିଲା, ମୁଖକମଳ ଭ୍ରମରମାନଙ୍କ ପରି ନୀଳ ଅଳକାବଳୀ ଏବଂ କାନ୍ତିମୟ କୁଣ୍ଡଳରେ ଶୋଭାୟମାନ ଥିଲା, ସୁବର୍ଣ୍ଣମୟ ଆଭୂଷଣରେ ବିଭୂଷିତ ତାଙ୍କର ଆଠଟି ଭୁଜ ଥିଲା, ଯାହା ଭକ୍ତମାନଙ୍କର ରକ୍ଷା ନିମନ୍ତେ ସଦା-ସର୍ବଦା ତତ୍ପର ରହିଥିଲା | ଅଷ୍ଟ ଭୁଜରେ ସେ ଶଂଖ, ପଦ୍ମ, ଚକ୍ର, ବାଣ, ଧନୁଷ, ଗଦା, ଖଡ୍ଗ, ଏବଂ ଢାଲ ଧାରଣ କରିଥିଲେ ତଥା ସେହିସବୁ ଆୟୁଧମାନଙ୍କ ଯୋଗୁଁ ସେ ପ୍ରସ୍ଫୁଟିତ କନିଅର ବୃକ୍ଷ ସଦୃଶ ପ୍ରତୀୟମାନ ହେଉଥିଲେ |

ବକ୍ଷସ୍ୟଧିଶ୍ରିତବଧୂର୍ୱନମାଲ୍ୟୁଦାର-

ହାସାବଲୋକକଲୟା ରମୟଂଶ୍ଚ ବିଶ୍ୱମ୍ ।

ପାର୍ଶ୍ୱଭ୍ରମଦ୍ୱ୍ୟଜନଚାମରରାଜହଂସଃ

ଶ୍ୱେତାତପତ୍ରଶଶିନୋପରି ରଜ୍ୟମାନଃ ॥ ୨୧॥

ପ୍ରଭୁଙ୍କ ହୃଦୟରେ ଶ୍ରୀବତ୍ସ ଚିହ୍ନ ସହିତ ସୁନ୍ଦର ବନମାଳା ସୁଶୋଭିତ ଥିଲା | ସେ ନିଜର ଉଦାର ହାସ୍ୟ ଏବଂ ଲୀଳାମୟ କଟାକ୍ଷ ଦ୍ବାରା ସାରା ସଂସାରକୁ ଆନନ୍ଦମଗ୍ନ କରୁଥିଲେ | ତାଙ୍କର ଉଭୟ ପାର୍ଶ୍ବରେ ପାର୍ଷଦଗଣ ରାଜହଂସ ପରି ଶୁଭ୍ର ବର୍ଣ୍ଣର ପଂଖା ଏବଂ ଚାମର ଦୋଳାୟିତ କରୁଥିଲେ | ଭଗବାନଙ୍କ ମସ୍ତକ ଉପରେ ଚନ୍ଦ୍ରମା ପରି ଶ୍ବେତଛତ୍ର ଶୋଭା ପାଉଥିଲା |

ତମୁପାଗତମାଲକ୍ଷ୍ୟ ସର୍ୱେ ସୁରଗଣାଦୟଃ ।

ପ୍ରଣେମୁଃ ସହସୋତ୍ଥାୟ ବ୍ରହ୍ମେନ୍ଦ୍ରତ୍ର୍ୟକ୍ଷନାୟକାଃ ॥ ୨୨॥

ଭଗବାନ ଆଗମନ କରିଛନ୍ତି ଦେଖି ଇନ୍ଦ୍ର, ବ୍ରହ୍ମା, ମହାଦେବ ଆଦି ଦେବେଶ୍ବରଙ୍କ ସହିତ ସମସ୍ତ ଦେବତା, ଗନ୍ଧର୍ବ ଏବଂ ଋଷି ଆଦି ତତକ୍ଷଣାତ୍ ଉଠି ତାଙ୍କୁ ପ୍ରଣାମ କଲେ |

ତତ୍ତେଜସା ହତରୁଚଃ ସନ୍ନଜିହ୍ୱାଃ ସସାଧ୍ୱସାଃ ।

ମୂର୍ଧ୍ନା ଧୃତାଞ୍ଜଲିପୁଟା ଉପତସ୍ଥୁରଧୋକ୍ଷଜମ୍ ॥ ୨୩॥

ତାଙ୍କ ତେଜରେ ସମସ୍ତଙ୍କର କାନ୍ତି ଫିକା ପଡିଗଲା, ପାଟି ଖନି ମାରିଗଲା, ସେମାନେ ସମସ୍ତେ ତଟସ୍ଥ ଭାବରେ  ମସ୍ତକରେ ଅଞ୍ଜଳି ଯୋଡି ଠିଆ ହୋଇ ରହିଲେ |

ଅପ୍ୟର୍ୱାଗ୍ୱୃତ୍ତୟୋ ଯସ୍ୟ ମହି ତ୍ୱାତ୍ମଭୁବାଦୟଃ ।

ଯଥାମତି ଗୃଣନ୍ତି ସ୍ମ କୃତାନୁଗ୍ରହବିଗ୍ରହମ୍ ॥ ୨୪॥

ଯଦିଓ ଭଗବାନଙ୍କର ମହିମା ଜାଣିବାକୁ ବ୍ରହ୍ମା ଆଦିଙ୍କର ବୁଦ୍ଧି ମଧ୍ୟ ସମର୍ଥ ନୁହେଁ, ତଥାପି ସେମାନେ ନିଜ ନିଜ ବୁଦ୍ଧି ଅନୁସାରେ ଦିବ୍ୟରୂପରେ ପ୍ରକଟ ହୋଇଥିବା ଭକ୍ତବତ୍ସଳ ଶ୍ରୀହରିଙ୍କର ସ୍ତୁତି କରିବାରେ ଲାଗିଲେ |

ଦକ୍ଷୋ ଗୃହୀତାର୍ହଣସାଦନୋତ୍ତମଂ

ଯଜ୍ଞେଶ୍ୱରଂ ବିଶ୍ୱସୃଜାଂ ପରଂ ଗୁରୁମ୍ ।

ସୁନନ୍ଦନନ୍ଦାଦ୍ୟନୁଗୈର୍ୱୃତଂ ମୁଦା

ଗୃଣନ୍ ପ୍ରପେଦେ ପ୍ରୟତଃ କୃତାଞ୍ଜଲିଃ ॥ ୨୫॥

ସର୍ବପ୍ରଥମେ ପ୍ରଜାପତି ଦକ୍ଷ ଏକ ଉତ୍ତମ ପାତ୍ରରେ ପୂଜାସାମଗ୍ରୀ ଧରି ନନ୍ଦ-ସୁନନ୍ଦ ଆଦି ପାର୍ଷଦମାନଙ୍କ ଦ୍ବାରା ସେବିତ ପ୍ରଜାପତିମାନଙ୍କର ପରମ ଗୁରୁ ଭଗବାନ ଯଜ୍ଞେଶ୍ବରଙ୍କ ପାଖକୁ ଗଲେ ଏବଂ ଅତି ଆନନ୍ଦିତ ହୋଇ ବିନୀତଭାବରେ ହାତଯୋଡି ପ୍ରାର୍ଥନା କରି ପ୍ରଭୁଙ୍କର ଶରଣାପନ୍ନ ହେଲେ |

ଦକ୍ଷ ଉବାଚ

ଶୁଦ୍ଧଂ ସ୍ୱଧାମ୍ନ୍ୟୁପରତାଖିଲବୁଦ୍ଧ୍ୟବସ୍ଥଂ

ଚିନ୍ମାତ୍ରମେକମଭୟଂ ପ୍ରତିଷିଧ୍ୟ ମାୟାମ୍ ।

ତିଷ୍ଠଂସ୍ତୟୈବ ପୁରୁଷତ୍ୱମୁପେତ୍ୟ ତସ୍ୟା-

ମାସ୍ତେଭବାନପରିଶୁଦ୍ଧ ଇବାତ୍ମତନ୍ତ୍ରଃ ॥ ୨୬॥

ଦକ୍ଷ କହିଲେ – ଭଗବନ୍ ! ନିଜ ସ୍ବରୂପରେ ଆପଣ ବୁଦ୍ଧିର ଜାଗ୍ରତାଦି ସମ୍ପୂର୍ଣ୍ଣ ଅବସ୍ଥାରୁ ରହିତ, ଶୁଦ୍ଧ, ଚିନ୍ମୟ, ଭେଦରହିତ, ଅତଏବ ନିର୍ଭୟ ଅଟନ୍ତି | ଆପଣ ମାୟାର ତିରସ୍କାର କରି ସ୍ବତନ୍ତ୍ରରୂପରେ ବିରାଜମାନ; ତଥାପି ଯେତେବେଳେ ଆପଣ ମାୟାରେ ହିଁ ଜୀବଭାବକୁ ସ୍ବୀକାର କରି ସେହି ମାୟାରେ ସ୍ଥିତ ହୋଇଯାଆନ୍ତି, ସେତେବେଳେ ଆପଣ ଅଜ୍ଞାନୀମାନଙ୍କ ପରି ପ୍ରତୀତ ହୁଅନ୍ତି |

ଋତ୍ୱିଜ ଊଚୁଃ

ତତ୍ତ୍ୱଂ ନ ତେ ବୟମନଞ୍ଜନ ରୁଦ୍ରଶାପାତ୍

କର୍ମଣ୍ୟବଗ୍ରହଧିୟୋ ଭଗବନ୍ ବିଦାମଃ ।

ଧର୍ମୋପଲକ୍ଷଣମିଦଂ ତ୍ରିବୃଦଧ୍ୱରାଖ୍ୟଂ

ଜ୍ଞାତଂ ଯଦର୍ଥମଧିଦୈବମଦୋ ବ୍ୟବସ୍ଥାଃ ॥ ୨୭॥

ଋତ୍ବିଜମାନେ କହିଲେ – ଉପାଧିରହିତ ପ୍ରଭୁ ! ଭଗବାନ ରୁଦ୍ରଙ୍କର ପ୍ରଧାନ ଅନୁଚର ନନ୍ଦୀଶ୍ବରଙ୍କ ଶାପରେ ଆମର ବୁଦ୍ଧି କେବଳ କର୍ମକାଣ୍ଡରେ ରତ ରହିଛି, ଅତଏବ ଆମେ ଆପଣଙ୍କର ତତ୍ତ୍ବକୁ ଜାଣିନାହୁଁ | ଯାହା ପାଇଁ ‘ଏହି କର୍ମର ଇଏ ଦେବତା ଅଟନ୍ତି ଏପରି ବ୍ୟବସ୍ଥା କରାଯାଇଛି – ସେହି ଧର୍ମପ୍ରବୃତ୍ତିର ପ୍ରାୟୋଜକ, ବେଦତ୍ରୟୀରେ ପ୍ରତିପାଦିତ ଯଜ୍ଞକୁ ହିଁ ଆମେ ଆପଣଙ୍କର ସ୍ବରୂପ ମନେ କରିଥାଉ |

ସଦସ୍ୟା ଊଚୁଃ

ଉତ୍ପତ୍ତ୍ୟଧ୍ୱନ୍ୟଶରଣ ଉରୁକ୍ଲେଶଦୁର୍ଗେଽନ୍ତକୋଗ୍ର-

ବ୍ୟାଲାନ୍ୱିଷ୍ଟେ ବିଷୟମୃଗତୃଷ୍ଣାଽଽତ୍ମଗେହୋରୁଭାରଃ ।

ଦ୍ୱନ୍ଦ୍ୱଶ୍ୱଭ୍ରେ ଖଲମୃଗଭୟେ ଶୋକଦାବେଽଜ୍ଞସାର୍ଥଃ

ପାଦୌକସ୍ତେ ଶରଣଦ କଦା ଯାତି କାମୋପସୃଷ୍ଟଃ ॥ ୨୮॥

ସଦସ୍ୟମାନେ କହିଲେ – ହେ ଜୀବର ଆଶ୍ରୟଦାତା ପ୍ରଭୁ ! ଯାହା ଅନେକ ପ୍ରକାର କ୍ଲେଶଯୁକ୍ତ ହୋଇଥିବା କାରଣରୁ ଅତ୍ୟନ୍ତ ଦୁର୍ଗମ ଅଟେ, ଯହିଁରେ କାଳରୂପ ଭୟଙ୍କର ସର୍ପ ପ୍ରତୀକ୍ଷାରତ ରହିଥାଏ, ଦ୍ବନ୍ଦ୍ବରୂପ ଅନେକ ଗର୍ତ୍ତ ରହିଥାଏ, ଦୁର୍ଜନରୂପ ଜଙ୍ଗଲୀ ଜୀବଙ୍କର ଭୟ ରହିବା ସହିତ ଶୋକରୂପ ଦାବାନଳ ଦହକୁଥାଏ – ଏପରି ବିଶ୍ରାମ-ସ୍ଥଳ ରହିତ ସଂସାରମାର୍ଗରେ ଯେଉଁ ଅଜ୍ଞାନୀ ଜୀବ କାମନାରେ ପୀଡିତ ହୋଇ ବିଷୟରୂପ ମୃଗତୃଷ୍ଣା-ଜଳ ନିମନ୍ତେ ହିଁ ଦେହ-ଗେହର ଭାରି ବୋଝ ମସ୍ତକରେ ବହନ କରି ଚାଲୁଥାଆନ୍ତି, ସେମାନେ ଭଲା ଆପଣଙ୍କ ଚରଣକମଳର ଶରଣକୁ କିପରି ଆସିବେ |

ରୁଦ୍ର ଉବାଚ

ତବ ବରଦ ବରାଙ୍ଘ୍ରାବାଶିଷେହାଖିଲାର୍ଥେ

ହ୍ୟପି ମୁନିଭିରସକ୍ତୈରାଦରେଣାର୍ହଣୀୟେ ।

ଯଦି ରଚିତଧିୟଂ ମାବିଦ୍ୟଲୋକୋଽପବିଦ୍ଧଂ

ଜପତି ନ ଗଣୟେ ତତ୍ତ୍ୱତ୍ପରାନୁଗ୍ରହେଣ ॥ ୨୯॥

ରୁଦ୍ର କହିଲେ – ବରଦାୟକ ପ୍ରଭୁ ! ଆପଣଙ୍କର ଉତ୍ତମ ଚରଣ ଏହି ସଂସାରରେ ସକାମ ପୁରୁଷଙ୍କୁ ସମସ୍ତ ପୁରୁଷାର୍ଥର ପ୍ରାପ୍ତି କରାଇ ଥାଏ; ତାଛଡା ଯାହାର କୌଣସି ବସ୍ତୁର କାମନା ନ ଥାଏ, ସେହି ନିଷ୍କାମ ମୁନିଜନ ମଧ୍ୟ ଆଦରପୂର୍ବକ ସେହି ଚରଣର ପୂଜନ କରନ୍ତି | ମୋର ଚିତ୍ତ ତହିଁରେ ସଂଲଗ୍ନ ରହିଥିବା କାରଣରୁ ଅଜ୍ଞାନୀ ପୁରୁଷ ଯଦି ମୋତେ ଆଚାର-ଭ୍ରଷ୍ଟ କହନ୍ତି, ତେବେ କହନ୍ତୁ, ଆପଣଙ୍କ ପରମ ଅନୁଗ୍ରହରୁ ମୁଁ ସେମାନଙ୍କ କହିବା-ଶୁଣିବାର ବିଚାର କରି ନ ଥାଏ |

ଭୃଗୁରୁବାଚ

ଯନ୍ମାୟଯା ଗହନୟାପହୃତାତ୍ମବୋଧା

ବ୍ରହ୍ମାଦୟସ୍ତନୁଭୃତସ୍ତମସି ସ୍ୱପନ୍ତଃ ।

ନାତ୍ମନ୍ ଶ୍ରିତଂ ତବ ବିଦନ୍ତ୍ୟଧୁନାପି ତତ୍ତ୍ୱଂ

ସୋଽୟଂ ପ୍ରସୀଦତୁ ଭବାନ୍ ପ୍ରଣତାତ୍ମବନ୍ଧୁଃ ॥ ୩୦॥

ଭୃଗୁ ଉବାଚ – ଆପଣଙ୍କ ଗହନ ମାୟାରେ ଆତ୍ମଜ୍ଞାନ ଲୁପ୍ତ ହୋଇ ଯାଇଥିବା କାରଣରୁ ଯେଉଁମାନେ ଅଜ୍ଞାନ-ନିଦ୍ରାରେ ଶୋଇ ରହିଛନ୍ତି, ସେହି ବ୍ରହ୍ମାଦି ଦେହଧାରୀ ମଧ୍ୟ ଆପଣଙ୍କର ଆତ୍ମଜ୍ଞାନ-ଉପଯୋଗୀ ତତ୍ତ୍ବକୁ ଆଜିଯାଏଁ ଜାଣିପାରିଲେ ନାହିଁ | ଏତେ ସବୁ ସତ୍ତ୍ବେ ବି ଆପଣ ତ ନିଜ ଶରଣାଗତ ଭକ୍ତଙ୍କର ଆତ୍ମା ଏବଂ ସୁହୃଦ ଅଟନ୍ତି; ତେଣୁ ଆପଣ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ |

ବ୍ରହ୍ମୋବାଚ

ନୈତତ୍ସ୍ୱରୂପଂ ଭବତୋଽସୌ ପଦାର୍ଥ-

ଭେଦଗ୍ରହୈଃ ପୁରୁଷୋ ଯାବଦୀକ୍ଷେତ୍ ।

ଜ୍ଞାନସ୍ୟ ଚାର୍ଥସ୍ୟ ଗୁଣସ୍ୟ ଚାଶ୍ରୟୋ

ମାୟାମୟାଦ୍ୱ୍ୟତିରିକ୍ତୋ ଯତସ୍ତ୍ୱମ୍ ॥ ୩୧॥

ବ୍ରହ୍ମା କହିଲେ – ପଦାର୍ଥକୁ ପୃଥକ ଭାବରେ ଜାଣି ପାରୁଥିବା ଇନ୍ଦ୍ରିୟମାନଙ୍କ ଦ୍ବାରା ପୁରୁଷ ଯାହା ସବୁ ଦେଖିଥାଏ, ତାହା ଆପଣଙ୍କର ସ୍ବରୂପ ନୁହେଁ; କାରଣ ଆପଣ ଜ୍ଞାନ ଶବ୍ଦାଦି ବିଷୟ ଏବଂ ଶ୍ରୋତ୍ରାଦି ଇନ୍ଦ୍ରିୟମାନଙ୍କର ଅଧିଷ୍ଠାନ ଅଟନ୍ତି – ଏମାନେ ସମସ୍ତେ ଆପଣଙ୍କଠାରେ ଅଧ୍ୟସ୍ତ ଅଟନ୍ତି | ଅତଏବ ଆପଣ ଏହି ମାୟାମୟ ପ୍ରପଞ୍ଚରୁ ପୂର୍ଣ୍ଣତଃ ଭିନ୍ନ ଅଟନ୍ତି |

ଇନ୍ଦ୍ର ଉବାଚ

ଇଦମପ୍ୟଚ୍ୟୁତ ବିଶ୍ୱଭାବନଂ ବପୁରାନନ୍ଦକରଂ ମନୋଦୃଶାମ୍ ।

ସୁରବିଦ୍ୱିଟ୍କ୍ଷପଣୈରୁଦାୟୁଧୈର୍ଭୁଜଦଣ୍ଡୈରୁପପନ୍ନମଷ୍ଟଭିଃ ॥ ୩୨॥

ଇନ୍ଦ୍ର କହିଲେ – ହେ ଅଚ୍ୟୁତ ! ଆପଣଙ୍କର ଏହି ଜଗତକୁ ପ୍ରକାଶିତ କରୁଥିବା ରୂପ ଦେବଦ୍ରୋହୀଙ୍କର ସଂହାର କରିବା ନିମନ୍ତେ ଅଷ୍ଟ ଭୁଜରେ ସୁଶୋଭିତ ଅଟେ, ଯେଉଁ ଭୁଜରେ ଆପଣ ସଦା ସର୍ବଦା ନାନା ପ୍ରକାରର ଆୟୁଧ ଧାରଣ କରିଥାଆନ୍ତି | ଏହି ରୂପ ଆମ୍ଭମାନଙ୍କର ମନ ଏବଂ ନେତ୍ରକୁ ଅତିଶୟ ଆନନ୍ଦ ପ୍ରଦାନ କରିଥାଏ |

ପତ୍ନ୍ୟ ଊଚୁଃ

ଯଜ୍ଞୋଽୟଂ ତବ ଯଜନାୟ କେନ ସୃଷ୍ଟୋ

ବିଧ୍ୱସ୍ତଃ ପଶୁପତିନାଦ୍ୟ ଦକ୍ଷକୋପାତ୍ ।

ତଂ ନସ୍ତ୍ୱଂ ଶବଶୟନାଭଶାନ୍ତମେଧଂ

ଯଜ୍ଞାତ୍ମନ୍ ନଲିନରୁଚା ଦୃଶା ପୁନୀହି ॥ ୩୩॥

ଯାଜ୍ଞିକ-ପତ୍ନୀମାନେ କହିଲେ – ଭଗବନ୍ ! ଆପଣଙ୍କର ପୂଜନ ନିମନ୍ତେ ହିଁ ବ୍ରହ୍ମାଜୀ ଏହି ଯଜ୍ଞ ରଚନା କରିଥିଲେ; କିନ୍ତୁ ଦକ୍ଷ ପ୍ରତି କୁପିତ ହୋଇ ଏହାକୁ ଭଗବାନ ପଶୁପତି ନଷ୍ଟ କରିଦେଲେ | ହେ ଯଜ୍ଞମୂର୍ତ୍ତି ! ଶ୍ମଶାନଭୂମି ପରି ଉତ୍ସବହୀନ ହୋଇ ଯାଇଥିବା ଏହି ଯଜ୍ଞକୁ ଆପଣ ନିଜର ନୀଳକମଳ ପରି କାନ୍ତିଯୁକ୍ତ ନେତ୍ରରେ ଚାହିଁ ପବିତ୍ର କରନ୍ତୁ |

ଋଷୟ ଊଚୁଃ

ଅନନ୍ୱିତଂ ତେ ଭଗବନ୍ ବିଚେଷ୍ଟିତଂ

ଯଦାତ୍ମନା ଚରସି ହି କର୍ମ ନାଜ୍ୟସେ ।

ବିଭୂତୟେ ଯତ ଉପସେଦୁରୀଶ୍ୱରୀଂ

ନ ମନ୍ୟତେ ସ୍ୱୟମନୁବର୍ତତୀଂ ଭବାନ୍ ॥ ୩୪॥

ଋଷିମାନେ କହିଲେ – ଭଗବନ୍ ! ଆପଣଙ୍କର ଲୀଳା ଅତି ବିଚିତ୍ର ଅଟେ; କାରଣ ଆପଣ କର୍ମ କରି ମଧ୍ୟ ସେଥିରେ ନିର୍ଲେପ ରହନ୍ତି | ବୈଭବ ଲାଳସାରେ ଲୋକେ ଯେଉଁ ଲକ୍ଷ୍ମୀଦେବୀଙ୍କର ଉପାସନା କରିଥାଆନ୍ତି, ସେ ସ୍ବୟଂ ଆପଣଙ୍କ ସେବାରେ ତତ୍ପର ରହିଥାଆନ୍ତି; ତଥାପି ଆପଣ ତାଙ୍କ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ତାଙ୍କ ପ୍ରତି ନିସ୍ପୃହ ରହନ୍ତି |

ସିଦ୍ଧା ଊଚୁଃ

ଅୟଂ ତ୍ୱତ୍କଥାମୃଷ୍ଟପୀୟୂଷନଦ୍ୟାଂ

ମନୋବାରଣଃ କ୍ଲେଶଦାବାଗ୍ନିଦଗ୍ଧଃ ।

ତୃଷାର୍ତୋଽବଗାଢୋ ନ ସସ୍ମାର ଦାବଂ

ନ ନିଷ୍କ୍ରାମତି ବ୍ରହ୍ମସମ୍ପନ୍ନବନ୍ନଃ ॥ ୩୫॥

ସିଦ୍ଧମାନେ କହିଲେ – ପ୍ରଭୁ ! ଆମ୍ଭମାନଙ୍କର ମନରୂପ ହାତୀ ନାନା ପ୍ରକାରର କ୍ଲେଶରୂପ ଦାବାନଳରେ ଦଗ୍ଧ ଏବଂ ଅତ୍ୟନ୍ତ ତୃଷିତ ହୋଇ ଆପଣଙ୍କର କଥାରୂପୀ ବିଶୁଦ୍ଧ ଅମୃତମୟୀ ସରିତାରେ ପ୍ରବେଶ କରିଛି | ସେଠାରେ ବ୍ରହ୍ମାନନ୍ଦରେ ଲୀନ ରହିଥିବା କାରଣରୁ ତାର ସଂସାରରୂପ ଦାବାନଳର ସ୍ମରଣ ହେଉନାହିଁ କି ସେ ସେହି ନଦୀରୁ ବାହାରକୁ ଆସୁନାହିଁ |

ଯଜମାନ୍ୟୁବାଚ

ସ୍ୱାଗତଂ ତେ ପ୍ରସୀଦେଶ ତୁଭ୍ୟଂ ନମଃ

ଶ୍ରୀନିବାସ ଶ୍ରିୟା କାନ୍ତୟା ତ୍ରାହି ନଃ ।

ତ୍ୱାମୃତେଽଧୀଶ ନାଙ୍ଗୈର୍ମଖଃ ଶୋଭତେ

ଶୀର୍ଷହୀନଃ କବନ୍ଧୋ ଯଥା ପୂରୁଷଃ ॥ ୩୬॥

ଯଜମାନ କହିଲେ – ହେ ସର୍ବସମର୍ଥ ପରମେଶ୍ବର ! ଆପଣଙ୍କୁ ସ୍ବାଗତ ! ମୁଁ ଆପଣଙ୍କୁ ନମସ୍କାର କରୁଛି, ଆପଣ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ | ହେ ଲକ୍ଷ୍ମୀପତି ! ନିଜ ପ୍ରିୟା ଲକ୍ଷ୍ମୀଙ୍କ ସହିତ ଆପଣ ଆମ୍ଭମାନଙ୍କୁ ରକ୍ଷା କରନ୍ତୁ | ହେ ଯଜ୍ଞେଶ୍ବର ! ମସ୍ତକ ବିନା ଯେପରି ଶରୀରର ଶୋଭା ନ ଥାଏ, ସେହିପରି ଅନ୍ୟ ସବୁ ଅଙ୍ଗରେ ପୂର୍ଣ୍ଣ ହୋଇ ମଧ୍ୟ ଆପଣଙ୍କ ବିନା ଯଜ୍ଞ ଶୋଭା ପାଏନାହିଁ |

ଲୋକପାଲା ଊଚୁଃ

ଦୃଷ୍ଟଃ କିଂ ନୋ ଦୃଗ୍ଭିରସଦ୍ଗ୍ରହୈସ୍ତ୍ୱଂ

ପ୍ରତ୍ୟଗ୍ଦ୍ରଷ୍ଟା ଦୃଶ୍ୟତେ ଯେନ ଦୃଶ୍ୟମ୍ ।

ମାୟା ହ୍ୟେଷା ଭବଦୀୟା ହି ଭୂମନ୍

ଯସ୍ତ୍ୱଂ ଷଷ୍ଠଃ ପଞ୍ଚଭିର୍ଭାସି ଭୂତୈଃ ॥ ୩୭॥

ଲୋକପାଳ କହିଲେ – ଅନନ୍ତ ପରମାତ୍ମନ୍ ! ଆପଣ ସମସ୍ତଙ୍କ ଅନ୍ତଃକରଣରେ ସାକ୍ଷୀ ରୂପେ ବିଦ୍ୟମାନ, ଏହି ସମ୍ପୂର୍ଣ୍ଣ ଜଗତ ଆପଣଙ୍କ ଦ୍ବାରା ହିଁ ଦୃଶ୍ୟ ଅଟେ | ମାୟିକ ପଦାର୍ଥକୁ ଗ୍ରହଣ କରୁଥିବା ଆମ୍ଭମାନଙ୍କର ନେତ୍ର ଆଦି ଇନ୍ଦ୍ରିୟ କେବେ କଣ ଆପଣଙ୍କୁ ପ୍ରତ୍ୟକ୍ଷ ରୂପେ ଗ୍ରହଣ କରିପାରିବେ ? ବସ୍ତୁତଃ, ଆପଣ ତ ପଞ୍ଚଭୂତଠାରୁ ପୃଥକ୍ ଅଟନ୍ତି; ତଥାପି ପଞ୍ଚଭୌତିକ ଶରୀର ସହିତ ଆପଣଙ୍କର ଯେଉଁ ସମ୍ବନ୍ଧ ପ୍ରତୀତ ହୋଇଥାଏ, ତାହା ଆପଣଙ୍କର ମାୟା ହିଁ ଅଟେ |

ଯୋଗେଶ୍ୱରା ଊଚୁଃ

ପ୍ରେୟାନ୍ନ ତେଽନ୍ୟୋଽସ୍ତ୍ୟମୁତସ୍ତ୍ୱୟି ପ୍ରଭୋ

ବିଶ୍ୱାତ୍ମନୀକ୍ଷେନ୍ନ ପୃଥଗ୍ୟ ଆତ୍ମନଃ ।

ଅଥାପି ଭକ୍ତ୍ୟେଶ ତୟୋପଧାବତା-

ମନନ୍ୟବୃତ୍ତ୍ୟାନୁଗୃହାଣ ବତ୍ସଲ ॥ ୩୮॥

ଯୋଗେଶ୍ବରମାନେ କହିଲେ – ହେ ପ୍ରଭୁ ! ଯେଉଁ ପୁରୁଷ ସମ୍ପୂର୍ଣ୍ଣ ବିଶ୍ବର ଆତ୍ମାକୁ ଆପଣଙ୍କଠାରେ ଏବଂ ନିଜଠାରେ ଭେଦରହିତ ଭାବରେ ଦେଖିଥାଏ, ତାଙ୍କଠାରୁ ଅଧିକ ପ୍ରିୟ ଆପଣଙ୍କ ପାଇଁ ଆଉ କେହି ନୁହଁନ୍ତି | ତଥାପି ହେ ଭକ୍ତବତ୍ସଳ ! ଯେଉଁମାନେ ଆପଣଙ୍କଠାରେ ସ୍ବାମୀଭାବ ରଖି ଅନନ୍ୟ ଭାବରେ ଆପଣଙ୍କର ସେବା କରନ୍ତି, ସେମାନଙ୍କ ପ୍ରତି ଆପଣ କୃପା କରନ୍ତୁ |

ଜଗଦୁଦ୍ଭବସ୍ଥିତିଲୟେଷୁ ଦୈବତୋ

ବହୁଭିଦ୍ୟମାନ ଗୁଣୟାଽଽତ୍ମମାୟଯା ।

ରଚିତାତ୍ମଭେଦମତୟେ ସ୍ୱସଂସ୍ଥୟା

ବିନିବର୍ତିତଭ୍ରମଗୁଣାତ୍ମନେ ନମଃ ॥ ୩୯॥

ଜୀବର ଅଦୃଷ୍ଟବଶ ଯାହାର ସତ୍ତ୍ଵାଦି ଗୁଣରେ ବହୁତ ଅଧିକ ବିଷମତା ଆସିଯାଏ, ସେହି ନିଜ ମାୟା ଦ୍ବାରା ଜଗତର ଉତ୍ପତ୍ତି, ସ୍ତିତି ଓ ପ୍ରଳୟ ନିମନ୍ତେ ବ୍ରହ୍ମାଦି ବିଭିନ୍ନ ରୂପ ଧାରଣ କରି ଆପଣ ଭେଦବୁଦ୍ଧି ଉତ୍ପନ୍ନ କରିଦିଅନ୍ତି; କିନ୍ତୁ ନିଜ ସ୍ବରୂପ-ସ୍ଥିତିରେ ଆପଣ ସେହି ଭେଦଜ୍ଞାନ ଏବଂ ତାହାର କାରଣ ସତ୍ତ୍ଵାଦି ଗୁଣଠାରୁ ସର୍ବଥା ଦୂରରେ ଥାଆନ୍ତି | ଏପରି ଆପଣଙ୍କୁ ମୋର ନମସ୍କାର |

ବ୍ରହ୍ମୋବାଚ

ନମସ୍ତେ ଶ୍ରିତସତ୍ତ୍ୱାୟ ଧର୍ମାଦୀନାଂ ଚ ସୂତୟେ ।

ନିର୍ଗୁଣାୟ ଚ ଯତ୍କାଷ୍ଠାଂ ନାହଂ ବେଦାପରେଽପି ଚ ॥ ୪୦॥

ବ୍ରହ୍ମସ୍ବରୂପ ବେଦ କହିଲେ – ଧର୍ମାଦିର ଉତ୍ପତ୍ତି ନିମନ୍ତେ ଆପଣ ହିଁ ଶୁଦ୍ଧ ସତ୍ତ୍ବକୁ ସ୍ବୀକାର କରନ୍ତି, ତା ସହିତ ଆପଣ ନିର୍ଗୁଣ ବି ଅଟନ୍ତି | ଅତଏବ ଆପଣଙ୍କର ତତ୍ତ୍ବକୁ ମୁଁ ଜାଣେନାହିଁ କି ବ୍ରହ୍ମାଦି ଅନ୍ୟ କେହି ଜାଣନ୍ତି ନାହିଁ; ଆପଣଙ୍କୁ ନମସ୍କାର |

ଅଗ୍ନିରୁବାଚ

ଯତ୍ତେଜସାହଂ ସୁସମିଦ୍ଧତେଜା

ହବ୍ୟଂ ବହେ ସ୍ୱଧ୍ୱର ଆଜ୍ୟସିକ୍ତମ୍ ।

ତଂ ଯଜ୍ଞିୟଂ ପଞ୍ଚବିଧଂ ଚ ପଞ୍ଚଭିଃ

ସ୍ୱିଷ୍ଟଂ ଯଜୁର୍ଭିଃ ପ୍ରଣତୋଽସ୍ମି ଯଜ୍ଞମ୍ ॥ ୪୧॥

ଅଗ୍ନିଦେବ କହିଲେ – ଭଗବନ୍ ! ଆପଣଙ୍କ ତେଜରେ ହିଁ ପ୍ରଜ୍ବଳିତ ହୋଇ ମୁଁ ଶ୍ରେଷ୍ଠ ଯଜ୍ଞମାନଙ୍କରେ ଦେବତାମାନଙ୍କ ପାଖରେ ଘୃତମିଶ୍ରିତ ହବି ପହଞ୍ଚାଇ ଥାଏ | ଆପଣ ସାକ୍ଷାତ୍ ଯଜ୍ଞପୁରୁଷ ଏବଂ ଯଜ୍ଞର ରକ୍ଷକ ଅଟନ୍ତି | ଅଗ୍ନିହୋତ୍ର, ଦର୍ଶ, ପୌର୍ଣମାସ, ଚାତୁର୍ମାସ୍ୟ ଏବଂ ପଶୁ-ସୋମ – ଏହି ପାଞ୍ଚ ପ୍ରକାରର ଯଜ୍ଞ ଆପଣଙ୍କର ହିଁ ସ୍ବରୂପ ଅଟନ୍ତି ତଥା ‘ଆଶ୍ରାବୟ’, ‘ଅସ୍ତୁ ଶ୍ରୌଷଟ୍’, ‘ଯଜେ’, ‘ୟେ ଯଜାମହେ’ ଏବଂ ‘ବଷଟ୍’ ଏହି ପାଞ୍ଚ ପ୍ରକାରର ଯଜୁର୍ମନ୍ତ୍ର ଦ୍ବାରା ଆପଣଙ୍କର ହିଁ ପୂଜନ ହୋଇଥାଏ | ମୁଁ ଆପଣଙ୍କୁ ପ୍ରଣାମ କରୁଛି |

ଦେବା ଊଚୁଃ

ପୁରା କଲ୍ପାପାୟେ ସ୍ୱକୃତମୁଦରୀକୃତ୍ୟ ବିକୃତଂ

ତ୍ୱମେବାଦ୍ୟସ୍ତସ୍ମିନ୍ ସଲିଲ ଉରଗେନ୍ଦ୍ରାଧିଶୟନେ ।

ପୁମାନ୍ ଶେଷେ ସିଦ୍ଧୈର୍ହୃଦି ବିମୃଶିତାଧ୍ୟାତ୍ମପଦବିଃ

ସ ଏବାଦ୍ୟାକ୍ଷ୍ଣୋର୍ୟଃ ପଥି ଚରସି ଭୃତ୍ୟାନବସି ନଃ ॥ ୪୨॥

ଦେବତାମାନେ କହିଲେ – ହେ ଦେବ ! ଆପଣ ଆଦିପୁରୁଷ ଅଟନ୍ତି | ପୂର୍ବକଳ୍ପର ଅନ୍ତ ହେବା ପରେ ନିଜ କାର୍ଯ୍ୟରୂପ ଏହି ପ୍ରପଞ୍ଚକୁ ଉଦରରେ ଲୀନ କରି ଆପଣ ହିଁ ପ୍ରଳୟକାଳୀନ ଜଳରେ ଶେଷନାଗର ଉତ୍ତମ ଶଯ୍ୟାରେ ଶୟନ କରିଥିଲେ | ଜନଲୋକବାସୀ ସିଦ୍ଧଗଣ ମଧ୍ୟ ନିଜ ହୃଦୟରେ ଆପଣଙ୍କ ଆଧ୍ୟାତ୍ମିକ ସ୍ବରୂପର ଚିନ୍ତନ କରନ୍ତି | ଆହା ! ସେହି ଆପଣ ଆଜି ଆମ୍ଭମାନଙ୍କର ନେତ୍ରର ବିଷୟ ହୋଇ ନିଜ ଭକ୍ତମାନଙ୍କର ରକ୍ଷା କରୁଛନ୍ତି |

ଗନ୍ଧର୍ୱା ଊଚୁଃ

ଅଂଶାଂଶାସ୍ତେ ଦେବ ମରୀଚ୍ୟାଦୟ ଏତେ

ବ୍ରହ୍ମେନ୍ଦ୍ରାଦ୍ୟା ଦେବଗଣା ରୁଦ୍ରପୁରୋଗାଃ ।

କ୍ରୀଡାଭାଣ୍ଡଂ ବିଶ୍ୱମିଦଂ ଯସ୍ୟ ବିଭୂମନ୍

ତସ୍ମୈ ନିତ୍ୟଂ ନାଥ ନମସ୍ତେ କରବାମ ॥ ୪୩॥

ଗନ୍ଧର୍ବମାନେ କହିଲେ – ହେ ଦେବ ! ମରୀଚି ଆଦି ଋଷିଗଣ ଏବଂ ଏହି ବ୍ରହ୍ମା, ଇନ୍ଦ୍ର ତଥା ରୁଦ୍ର ଆଦି ଦେବତାମାନେ ଆପଣଙ୍କ ଅଂଶର ଅଂଶ ଅଟନ୍ତି | ହେ ମହତ୍ତମ ! ଏହି ସମ୍ପୂର୍ଣ୍ଣ ବିଶ୍ବ ଆପଣଙ୍କର କ୍ରୀଡା-ସାମଗ୍ରୀ ଅଟେ ! ଆପଣଙ୍କ ପରି ନାଥଙ୍କୁ ଆମେ ସର୍ବଦା ପ୍ରଣାମ କରିଥାଉ |

ବିଦ୍ୟାଧରା ଊଚୁଃ

ତ୍ୱନ୍ମାୟଯାର୍ଥମଭିପଦ୍ୟ କଲେବରେଽସ୍ମିନ୍

କୃତ୍ୱା ମମାହମିତି ଦୁର୍ମତିରୁତ୍ପଥୈଃ ସ୍ୱୈଃ ।

କ୍ଷିପ୍ତୋଽପ୍ୟସଦ୍ୱିଷୟଲାଲସ ଆତ୍ମମୋହଂ

ଯୁଷ୍ମତ୍କଥାମୃତନିଷେବକ ଉଦ୍ୱ୍ୟୁଦସ୍ୟେତ୍ ॥ ୪୪॥

ବିଦ୍ୟାଧରମାନେ କହିଲେ – ପ୍ରଭୁ ! ପରମ ପୁରୁଷାର୍ଥ ପ୍ରାପ୍ତିର ସାଧନରୂପ ଏହି ମାନବଦେହକୁ ପାଇଥିଲେ ବି ଜୀବ ଆପଣଙ୍କ ମାୟାରେ ମୋହିତ ହୋଇ ଏଥିରେ ମୁଁ-ମୋପଣର ଅଭିମାନ କରି ବସିଥାଏ | ନିଜ ଆତ୍ମୀୟମାନଙ୍କ ଦ୍ବାରା ତିରସ୍କୃତ ହୋଇ ମଧ୍ୟ ଏହି ଦୁର୍ବୁଦ୍ଧି ଅସତ୍ ବିଷୟର ହିଁ ଲାଳସା କରିବାରେ ଲାଗିଥାଏ | କିନ୍ତୁ ଏପରି ସ୍ଥିତିରେ ବି ଯିଏ ଆପଣଙ୍କ କଥାମୃତର ସେବନ କରନ୍ତି, ସେ ଅନ୍ତଃକରଣର ଏହି ମୋହକୁ ପୂର୍ଣ୍ଣତଃ ତ୍ୟାଗ କରିଦିଅନ୍ତି |

ବ୍ରାହ୍ମଣା ଊଚୁଃ

ତ୍ୱଂ କ୍ରତୁସ୍ତ୍ୱଂ ହବିସ୍ତ୍ୱଂ ହୁତାଶଃ ସ୍ୱୟଂ

ତ୍ୱଂ ହି ମନ୍ତ୍ରଃ ସମିଦ୍ଦର୍ଭ ପାତ୍ରାଣି ଚ ।

ତ୍ୱଂ ସଦସ୍ୟର୍ତ୍ୱିଜୋ ଦମ୍ପତୀ ଦେବତା

ଅଗ୍ନିହୋତ୍ରଂ ସ୍ୱଧା ସୋମ ଆଜ୍ୟଂ ପଶୁଃ ॥ ୪୫॥

ବ୍ରାହ୍ମଣମାନେ କହିଲେ – ଭଗବନ୍ ! ଆପଣ ହିଁ ଯଜ୍ଞ ଅଟନ୍ତି, ଆପଣ ହିଁ ହବି, ଅଗ୍ନି ଏବଂ ସ୍ବୟଂ ଆପଣ ହିଁ ମନ୍ତ୍ର ଅଟନ୍ତି; ଆପଣ ହିଁ ସମିଧା, କୁଶ ଏବଂ ଯଜ୍ଞପାତ୍ର ଅଟନ୍ତି ତଥା ଆପଣ ହିଁ ସଦସ୍ୟ, ଋତ୍ବିଜ୍, ଯଜମାନ ଏବଂ ତାଙ୍କର ଧର୍ମପତ୍ନୀ ଅଟନ୍ତି; ଆପଣ ହିଁ ଦେବତା, ଅଗ୍ନିହୋତ୍ର, ସ୍ବଧା, ସୋମରସ, ଘୃତ ଏବଂ ପଶୁ ଅଟନ୍ତି |

ତ୍ୱଂ ପୁରା ଗାଂ ରସାୟା ମହାସୂକରୋ

ଦଂଷ୍ଟ୍ରୟା ପଦ୍ମିନୀଂ ବାରଣେନ୍ଦ୍ରୋ ଯଥା ।

ସ୍ତୂୟମାନୋ ନଦଁଲ୍ଲୀଲୟା ଯୋଗିଭି-

ର୍ୱ୍ୟୁଜ୍ଜହର୍ଥ ତ୍ରୟୀଗାତ୍ର ଯଜ୍ଞକ୍ରତୁଃ ॥ ୪୬॥

ହେ ବେଦମୂର୍ତ୍ତି ! ଯଜ୍ଞ ଏବଂ ତାହାର ସଂକଳ୍ପ ଉଭୟ ଆପଣ ହିଁ ଅଟନ୍ତି | ପୂର୍ବକାଳରେ ଆପଣ ହିଁ ଅତି ବିଶାଳ ବରାହ ରୂପ ଧାରଣ କରି ରସାତଳରେ ବୁଡି ରହିଥିବା ପୃଥିବୀକୁ ଲୀଳାରେ ହିଁ ନିଜ ଦନ୍ତାଗ୍ରରେ ଧାରଣ କରି ଏପରି ଭାବରେ ବାହାରକୁ ଆଣିଥିଲେ, ଯେପରି କୌଣସି ଗଜରାଜ ଜଳରୁ କମଳ ପୁଷ୍ପକୁ ଉଠାଇ ଥାଏ | ସେହି ସମୟରେ ଆପଣ ଧୀରେ ଧୀରେ ଘର୍ଘର ଗର୍ଜନ କରୁଥିଲେ ଏବଂ ଯୋଗୀଗଣ ଆପଣଙ୍କର ସେହି ଅଲୌକିକ ପୁରୁଷାର୍ଥକୁ ଦେଖି ଆପଣଙ୍କର ସ୍ତୁତି କରିବାରେ ଲାଗିଥିଲେ |

ସ ପ୍ରସୀଦ ତ୍ୱମସ୍ମାକମାକାଙ୍କ୍ଷତାଂ

ଦର୍ଶନଂ ତେ ପରିଭ୍ରଷ୍ଟସତ୍କର୍ମଣାମ୍ ।

କୀର୍ତ୍ୟମାନେ ନୃଭିର୍ନାମ୍ନି ଯଜ୍ଞେଶ ତେ

ଯଜ୍ଞବିଘ୍ନାଃ କ୍ଷୟଂ ଯାନ୍ତି ତସ୍ମୈ ନମଃ ॥ ୪୭ ||

ହେ ଯଜ୍ଞେଶ୍ବର ! ଲୋକେ ଯେତେବେଳେ ଆପଣଙ୍କ ନାମର କୀର୍ତ୍ତନ କରନ୍ତି, ସେତେବେଳେ ଯଜ୍ଞର ସବୁ ବିଘ୍ନ ନଷ୍ଟ ହୋଇଯାଏ | ଆମ୍ଭମାନଙ୍କର ଏହି ଯଜ୍ଞସ୍ବରୂପ ସତ୍-କର୍ମ ନଷ୍ଟ ହୋଇ ଯାଇଥିଲା, ସେଥିପାଇଁ ଆମେ ଆପଣଙ୍କର ଦର୍ଶନ ଇଚ୍ଛା କରୁଥିଲୁ | ଏବେ ଆପଣ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହୁଅନ୍ତୁ | ଆପଣଙ୍କୁ ନମସ୍କାର |

ମୈତ୍ରେୟ ଉବାଚ

ଇତି ଦକ୍ଷଃ କବିର୍ୟଜ୍ଞଂ ଭଦ୍ର ରୁଦ୍ରାଭିମର୍ଶିତମ୍ ।

କୀର୍ତ୍ୟମାନେ ହୃଷୀକେଶେ ସନ୍ନିନ୍ୟେ ଯଜ୍ଞଭାବନେ ॥ ୪୮॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଏହିପରି ଭାବରେ ସମସ୍ତେ ଯଜ୍ଞରକ୍ଷକ ଭଗବାନ ହୃଷିକେଶଙ୍କର ସ୍ତୁତି କରୁଥିବା ବେଳେ ପରମ ଚତୁର ଦକ୍ଷ, ବୀରଭଦ୍ରଙ୍କ ଦ୍ବାରା ଧ୍ବଂସ ହୋଇଯାଇଥିବା ଯଜ୍ଞକୁ ପୁନର୍ବାର ଆରମ୍ଭ କରିଦେଲେ |

ଭଗବାନ୍ ସ୍ୱେନ ଭାଗେନ ସର୍ୱାତ୍ମା ସର୍ୱଭାଗଭୁକ୍ ।

ଦକ୍ଷଂ ବଭାଷ ଆଭାଷ୍ୟ ପ୍ରୀୟମାଣ ଇବାନଘ ॥ ୪୯॥

ଏମିତି ଦେଖିବାକୁ ଗଲେ ତ ସର୍ବାନ୍ତର୍ଯ୍ୟାମୀ ଶ୍ରୀହରି ସମସ୍ତଙ୍କ ଭୋଗର ଭୋକ୍ତା ଅଟନ୍ତି; ତଥାପି ତ୍ରିକପାଳ-ପୁରୋଡାଶରୂପ ନିଜ ଭାଗ ପାଇ ସେ ଅତି ପ୍ରସନ୍ନ ହେଲେ ଏବଂ ଦକ୍ଷଙ୍କୁ ସମ୍ବୋଧନ କରି କହିଲେ -

ଶ୍ରୀଭଗବାନୁବାଚ

ଅହଂ ବ୍ରହ୍ମା ଚ ଶର୍ୱଶ୍ଚ ଜଗତଃ କାରଣଂ ପରମ୍ ।

ଆତ୍ମେଶ୍ୱର ଉପଦ୍ରଷ୍ଟା ସ୍ୱୟନ୍ଦୃଗବିଶେଷଣଃ ॥ ୫୦॥

ଶ୍ରୀଭଗବାନ କହିଲେ – ଜଗତର ପରମ କାରଣ ମୁଁ ହିଁ ବ୍ରହ୍ମା ଏବଂ ମହାଦେବ ଅଟେ; ମୁଁ ସମସ୍ତଙ୍କର ଆତ୍ମା, ସାକ୍ଷୀ ଏବଂ ଈଶ୍ବର ଅଟେ ତଥା ସ୍ବୟଂପ୍ରକାଶ ଏବଂ ଉପାଧିଶୂନ୍ୟ ଅଟେ |

ଆତ୍ମମାୟାଂ ସମାବିଶ୍ୟ ସୋଽହଂ ଗୁଣମୟୀଂ ଦ୍ୱିଜ ।

ସୃଜନ୍ ରକ୍ଷନ୍ ହରନ୍ ବିଶ୍ୱଂ ଦଧ୍ରେ ସଞ୍ଜ୍ଞାଂ କ୍ରିୟୋଚିତାମ୍ ॥ ୫୧॥

ହେ ବିପ୍ରବର ! ନିଜ ତ୍ରିଗୁଣାତ୍ମିକା ମାୟାକୁ ସ୍ବୀକାର କରି ମୁଁ ହିଁ ଜଗତର ରଚନା, ପାଳନ ଏବଂ ସଂହାର କରେ ଏବଂ ସେହି ସେହି କର୍ମ ଅନୁରୂପ ମୁଁ ବ୍ରହ୍ମା, ବିଷ୍ଣୁ ଏବଂ ଶଂକର ନାମ ଧାରଣ କରିଥାଏ |

ତସ୍ମିନ୍ ବ୍ରହ୍ମଣ୍ୟଦ୍ୱିତୀୟେ କେବଲେ ପରମାତ୍ମନି ।

ବ୍ରହ୍ମରୁଦ୍ରୌ ଚ ଭୂତାନି ଭେଦେନାଜ୍ଞୋଽନୁପଶ୍ୟତି ॥ ୫୨॥

ଭେଦରହିତ, ବିଶୁଦ୍ଧ, ପରବ୍ରହ୍ମସ୍ବରୂପ ମୋଠାରେ ଅଜ୍ଞାନୀ ପୁରୁଷ ବ୍ରହ୍ମା, ରୁଦ୍ର ତଥା ଅନ୍ୟ ସମସ୍ତ ଜୀବଙ୍କୁ ବିଭିନ ରୂପରେ ଦେଖନ୍ତି |

ଯଥା ପୁମାନ୍ ନ ସ୍ୱାଙ୍ଗେଷୁ ଶିରଃ ପାଣ୍ୟାଦିଷୁ କ୍ୱଚିତ୍ ।

ପାରକ୍ୟବୁଦ୍ଧିଂ କୁରୁତେ ଏବଂ ଭୂତେଷୁ ମତ୍ପରଃ ॥ ୫୩॥

ମନୁଷ୍ୟ ଯେପରି ନିଜର ମସ୍ତକ, ହାତ ଆଦି ଅଙ୍ଗମାନଙ୍କରେ ‘ଏହା ମୋଠାରୁ ଭିନ୍ନ ଅଟେ ଏପରି ବୁଦ୍ଧି ରଖି ନ ଥାଏ, ସେହିପରି ମୋର ଭକ୍ତମାନେ ପ୍ରାଣୀମାତ୍ରକୁ ମୋଠାରୁ ଭିନ୍ନ ଭାବରେ ଦେଖନ୍ତି ନାହିଁ |

ତ୍ରୟାଣାମେକଭାବାନାଂ ଯୋ ନ ପଶ୍ୟତି ବୈ ଭିଦାମ୍ ।

ସର୍ୱଭୂତାତ୍ମନାଂ ବ୍ରହ୍ମନ୍ ସ ଶାନ୍ତିମଧିଗଚ୍ଛତି ॥ ୫୪॥

ବ୍ରହ୍ମନ୍ ! ଆମେ – ବ୍ରହ୍ମା, ବିଷ୍ଣୁ, ମହେଶ୍ବର – ତିନିହେଁ ସ୍ବରୂପତଃ ଏକ ହିଁ ଅଟୁ ଏବଂ ଆମେ ହିଁ ସମ୍ପୂର୍ଣ୍ଣ ଜୀବରୂପ ଅଟୁ; ତେଣୁ ଯିଏ ଆମ୍ଭମାନଙ୍କ ମଧ୍ୟରେ କିଞ୍ଚିତ୍ ବି ଭେଦ ଦର୍ଶନ କରି ନ ଥା’ନ୍ତି, ସେ ହିଁ ଶାନ୍ତି ପ୍ରାପ୍ତ କରନ୍ତି |

ମୈତ୍ରେୟ ଉବାଚ

ଏବଂ ଭଗବତାଽଽଦିଷ୍ଟଃ ପ୍ରଜାପତିପତିର୍ହରିମ୍ ।

ଅର୍ଚିତ୍ୱା କ୍ରତୁନା ସ୍ୱେନ ଦେବାନୁଭୟତୋଽୟଜତ୍ ॥ ୫୫॥

ମୈତ୍ରେୟ କହୁଛନ୍ତି – ଭଗବାନଙ୍କର ଏପରି ଆଜ୍ଞା ପ୍ରାପ୍ତ କରି ପ୍ରଜାପତିମାନଙ୍କର ନାୟକ ଦକ୍ଷ ତ୍ରିକପାଳ ଯଜ୍ଞ ଦ୍ବାରା ତାଙ୍କର ପୂଜନ କଲେ ଏବଂ ଅଙ୍ଗପାଳ ଓ ପ୍ରଧାନ ଏହି ଦୁଇ ପ୍ରକାରର ଯଜ୍ଞ ଦ୍ବାରା ଅନ୍ୟ ସବୁ ଦେବତାଙ୍କର ଅର୍ଚ୍ଚନ କଲେ |

ରୁଦ୍ରଂ ଚ ସ୍ୱେନ ଭାଗେନ ହ୍ୟୁପାଧାବତ୍ସମାହିତଃ ।

କର୍ମଣୋଦବସାନେନ ସୋମପାନିତରାନପି ।

ଉଦବସ୍ୟ ସହର୍ତ୍ୱିଗ୍ଭିଃ ସସ୍ନାବବଭୃଥଂ ତତଃ ॥ ୫୬॥

ତାପରେ ଏକାଗ୍ରଚିତ୍ତ ହୋଇ ଯଜ୍ଞଶେଷରୂପ ଭାଗ ଦ୍ବାରା ସେ ଭଗବାନ ଶଂକରଙ୍କର ଯଜନ କଲେ ତଥା ସମାପ୍ତିରେ କରାଯାଉ ଥିବା ଉଦବସାନ ନାମକ କର୍ମ ଦ୍ବାରା ସୋମପାୟୀ ଏବଂ ଅନ୍ୟ ଦେବତାଙ୍କର ଯଜନ କରି ଯଜ୍ଞର ଉପସଂହାର କଲେ ଏବଂ ଶେଷରେ ଋତ୍ବିଜଙ୍କ ସହିତ ଅବଭୃଥ-ସ୍ନାନ କଲେ |

ତସ୍ମା ଅପ୍ୟନୁଭାବେନ ସ୍ୱେନୈବାବାପ୍ତରାଧସେ ।

ଧର୍ମ ଏବ ମତିଂ ଦତ୍ତ୍ୱା ତ୍ରିଦଶାସ୍ତେ ଦିବଂ ଯୟୁଃ ॥ ୫୭॥

ତଦନନ୍ତର ଯାହାକୁ ନିଜ ପୁରୁଷାର୍ଥ ବଳରେ ହିଁ ସବୁ ପ୍ରକାରର ସିଦ୍ଧି ପ୍ରାପ୍ତ ଥିଲା, ସେହି ଦକ୍ଷପ୍ରଜାପତିଙ୍କୁ ‘ତୁମର ବୁଦ୍ଧି ସର୍ବଦା ଧର୍ମରେ ରହୁ ଏପରି ଆଶୀର୍ବାଦ ଦେଇ ସବୁ ଦେବତା ସ୍ବର୍ଗଲୋକକୁ ଚାଲିଗଲେ |

ଏବଂ ଦାକ୍ଷାୟଣୀ ହିତ୍ୱା ସତୀ ପୂର୍ୱକଲେବରମ୍ ।

ଜଜ୍ଞେ ହିମବତଃ କ୍ଷେତ୍ରେ ମେନାୟାମିତି ଶୁଶ୍ରୁମ ॥ ୫୮॥

ହେ ବିଦୁର ! ମୁଁ ଶୁଣିବାକୁ ପାଇଥିଲି ଦକ୍ଷସୁତା ସତୀ ଏହିପରି ଭାବରେ ନିଜର ପୂର୍ବ ଶରୀର ତ୍ୟାଗ କରି ହିମାଳୟଙ୍କର ପତ୍ନୀ ମେନାଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ |

ତମେବ ଦୟିତଂ ଭୂୟ ଆବୃଙ୍କ୍ତେ ପତିମମ୍ବିକା ।

ଅନନ୍ୟଭାବୈକଗତିଂ ଶକ୍ତିଃ ସୁପ୍ତେବ ପୂରୁଷମ୍ ॥ ୫୯॥

ପ୍ରଳୟକାଳରେ ଲୀନ ହୋଇଥିବା ଶକ୍ତି ଯେପରି ସୃଷ୍ଟିର ଆରମ୍ଭରେ ପୁନର୍ବାର ଈଶ୍ବରଙ୍କର ହିଁ ଆଶ୍ରୟ ଗ୍ରହଣ କରିଥାଏ, ସେହିପରି ଅନନ୍ୟପରାୟଣା ଶ୍ରୀଅମ୍ବିକା ପରବର୍ତ୍ତୀ ଜନ୍ମରେ ମଧ୍ୟ ନିଜର ଏକମାତ୍ର ଆଶ୍ରୟ ପ୍ରିୟତମ ପ୍ରଭୁ ଭଗବାନ ଶଂକରଙ୍କୁ ହିଁ ପତିରୂପରେ ବରଣ କରିଥିଲେ |

ଏତଦ୍ଭଗବତଃ ଶମ୍ଭୋଃ କର୍ମ ଦକ୍ଷାଧ୍ୱରଦ୍ରୁହଃ ।

ଶ୍ରୁତଂ ଭାଗବତାଚ୍ଛିଷ୍ୟାଦୁଦ୍ଧବାନ୍ମେ ବୃହସ୍ପତେଃ ॥ ୬୦॥

ହେ ବିଦୁର ! ଦକ୍ଷ-ଯଜ୍ଞର ବିଧ୍ବଂସକାରୀ ଭଗବାନ ଶିବଙ୍କର ଏହି ଚରିତ୍ର ମୁଁ ବୃହଷ୍ପତିଙ୍କର ଶିଷ୍ୟ ପରମ ଭାଗବତ ଉଦ୍ଧବଙ୍କ ମୁଖରୁ ଶୁଣିଥିଲି |

ଇଦଂ ପବିତ୍ରଂ ପରମୀଶଚେଷ୍ଟିତଂ

ଯଶସ୍ୟମାୟୁଷ୍ୟମଘୌଘମର୍ଷଣମ୍ ।

ଯୋ ନିତ୍ୟଦାଽଽକର୍ଣ୍ୟ ନରୋଽନୁକୀର୍ତୟେ-

ଦ୍ଧୁନୋତ୍ୟଘଂ କୌରବ ଭକ୍ତିଭାବତଃ ॥ ୬୧॥

ହେ କୁରୁନନ୍ଦନ ! ଶ୍ରୀମହାଦେବଙ୍କର ଏହି ପାବନ ଚରିତ ଯଶ ଏବଂ ଆୟୁ ବୃଦ୍ଧିକାରୀ ଅଟେ ଏବଂ ଏହା ପାପପୁଞ୍ଜକୁ ମଧ୍ୟ ନଷ୍ଟ କରିଦେଇ ଥାଏ | ଯେଉଁ ପୁରୁଷ ଭକ୍ତିଭାବରେ ନିତ୍ୟପ୍ରତି ଏହାର ଶ୍ରବଣ-କୀର୍ତ୍ତନ କରିଥାଆନ୍ତି, ତାଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ଦକ୍ଷୟଜ୍ଞସନ୍ଧାନଂ ନାମ ସପ୍ତମୋଽଧ୍ୟାୟଃ ॥ ୭॥

Comments

Popular posts from this blog