ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ନବମ ଅଧ୍ୟାୟ
ଧ୍ରୁବ ବର ପ୍ରାପ୍ତ କରି ଘରକୁ ଫେରିଲେ
ମୈତ୍ରେୟ ଉବାଚ
ତ ଏବମୁତ୍ସନ୍ନଭୟା ଉରୁକ୍ରମେ
କୃତାବନାମାଃ ପ୍ରୟଯୁସ୍ତ୍ରିବିଷ୍ଟପମ୍ ।
ସହସ୍ରଶୀର୍ଷାପି ତତୋ ଗରୁତ୍ମତା
ମଧୋର୍ୱନଂ ଭୃତ୍ୟଦିଦୃକ୍ଷୟା ଗତଃ ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଭଗବାନଙ୍କଠାରୁ ଏପରି ଆଶ୍ବାସନା
ପାଇ ଦେବତାମାନଙ୍କର ଭୟ ଦୂର ହୋଇଗଲା ଏବଂ ସେମାନେ ତାଙ୍କୁ ପ୍ରଣାମ କରି ସ୍ବର୍ଗଲୋକକୁ ଚାଲିଗଲେ
| ତଦନନ୍ତର ବିରାଟସ୍ବରୂପ ଭଗବାନ ଗରୁଡ଼ପୃଷ୍ଠରେ ବିରାଜମାନ କରି ନିଜ ଭକ୍ତକୁ ଦେଖିବା ପାଇଁ
ମଧୁବନକୁ ଆସିଲେ |
ସ ବୈ ଧିୟା ଯୋଗବିପାକତୀବ୍ରୟା
ହୃତ୍ପଦ୍ମକୋଶେ ସ୍ଫୁରିତଂ ତଡିତ୍ପ୍ରଭମ୍ ।
ତିରୋହିତଂ ସହସୈବୋପଲକ୍ଷ୍ୟ
ବହିଃସ୍ଥିତଂ ତଦବସ୍ଥଂ ଦଦର୍ଶ ॥ ୨॥
ସେହି ସମୟରେ ଧ୍ରୁବ ତୀବ୍ର ଯୋଗାଭ୍ୟାସ ଦ୍ବାରା ଏକାଗ୍ର ହୋଇଥିବା
ନିଜ ବୁଦ୍ଧିରେ ଭଗବାନଙ୍କର ବିଜୁଳି ସଦୃଶ ଦେଦୀପ୍ୟମାନ ଯେଉଁ ମୂର୍ତ୍ତିର ଧ୍ୟାନ ନିଜ
ହୃଦୟକମଳରେ କରୁଥିଲେ, ତାହା ହଠାତ୍
ବିଲୁପ୍ତ ହୋଇଗଲା | ସେଥିରେ ବିଚଳିତ ହୋଇ ଆଖି ଖୋଲିବା ମାତ୍ରେ ଧ୍ରୁବ ବାହାରେ ନିଜ ସମ୍ମୁଖରେ ଭଗବାନଙ୍କୁ
ସେହି ରୂପରେ ଠିଆ ହୋଇଥିବା ଦେଖିବାକୁ ପାଇଲେ |
ତଦ୍ଦର୍ଶନେନାଗତସାଧ୍ୱସଃ କ୍ଷିତା-
ବବନ୍ଦତାଙ୍ଗଂ ବିନମୟ୍ୟ ଦଣ୍ଡବତ୍ ।
ଦୃଗ୍ଭ୍ୟାଂ ପ୍ରପଶ୍ୟନ୍ ପ୍ରପିବନ୍ନିବାର୍ଭକଃ
ଚୁମ୍ବନ୍ନିବାସ୍ୟେନ ଭୁଜୈରିବାଶ୍ଲିଷନ୍ ॥ ୩॥
ପ୍ରଭୁଙ୍କର ଦର୍ଶନ ଲାଭ କରି ବାଳକ ଧ୍ରୁବ ଅତ୍ୟନ୍ତ କୌତୁହଳୀ ହୋଇ
ଉଠିଲେ, ସେ ଅତିଶୟ ପ୍ରେମରେ ଅଧୀର ହୋଇଗଲେ | ଭୂଇଁରେ ଦଣ୍ଡବତ୍ ହୋଇ ସେ ତାଙ୍କୁ ପ୍ରଣାମ କଲେ |
ତାପରେ ସେ ତାଙ୍କୁ ପ୍ରେମଭରା ଦୃଷ୍ଟିରେ ଏପରି ଦେଖିବାରେ ଲାଗିଲେ ସତେ ଯେପରି ନେତ୍ରରେ ସେ
ତାଙ୍କୁ ପିଇଯିବେ, ତାଙ୍କର ମୁଖ ଚୁମ୍ବନ କରିବେ, ତାଙ୍କୁ
ବାହୁରେ ଭରିନେବେ |
ସ ତଂ ବିବକ୍ଷନ୍ତମତଦ୍ୱିଦଂ ହରିଃ
ଜ୍ଞାତ୍ୱାସ୍ୟ ସର୍ୱସ୍ୟ ଚ ହୃଦ୍ୟବସ୍ଥିତଃ ।
କୃତାଞ୍ଜଲିଂ ବ୍ରହ୍ମମୟେନ କମ୍ବୁନା
ପସ୍ପର୍ଶ ବାଲଂ କୃପୟା କପୋଲେ ॥ ୪॥
ହାତଯୋଡି ସେ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇଥିଲେ ଏବଂ ତାଙ୍କର
ସ୍ତୁତି କରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କିପରି
କରିବେ ତାହା ତାଙ୍କୁ ଜଣା ନ ଥିଲା | ସର୍ବାନ୍ତର୍ଯ୍ୟାମୀ ହରି ତାଙ୍କର ମନ କଥା ଜାଣି
କୃପାପୂର୍ବକ ନିଜର ବେଦମୟ ଶଂଖ ଦ୍ବାରା ତାଙ୍କର କପୋଳକୁ ସ୍ପର୍ଶ କଲେ |
ସ ବୈ ତଦୈବ ପ୍ରତିପାଦିତାଂ ଗିରଂ
ଦୈବୀଂ ପରିଜ୍ଞାତପରାତ୍ମନିର୍ଣୟଃ ।
ତଂ ଭକ୍ତିଭାବୋଽଭ୍ୟଗୃଣାଦସତ୍ୱରଂ
ପରିଶ୍ରୁତୋରୁଶ୍ରବସଂ ଧ୍ରୁବକ୍ଷିତିଃ ॥ ୫॥
ଭବିଷ୍ୟତରେ ଧ୍ରୁବଙ୍କର ଅବିଚଳ ପଦ ପ୍ରାପ୍ତ କରିବାକୁ ଥିଲା | ଏବେ
ଭଗବାନଙ୍କର ବେଦମୟ ଶଂଖର ସ୍ପର୍ଶ ଲାଭ କରି ତାଙ୍କୁ ବେଦମୟୀ ଦିବ୍ୟବାଣୀ ପ୍ରାପ୍ତ ହେଲା ଏବଂ
ତାଙ୍କ ବୁଦ୍ଧିରେ ଜୀବ ତଥା ବ୍ରହ୍ମଙ୍କ ସ୍ବରୂପର ନିଶ୍ଚୟ ହୋଇଗଲା | ଅତ୍ୟଧିକ ଭକ୍ତିଭାବରେ
ଧୈର୍ଯ୍ୟପୂର୍ବକ ସେ ବିଶ୍ବବିଖ୍ୟାତ କୀର୍ତ୍ତିମାନ ଶ୍ରୀହରିଙ୍କର ସ୍ତୁତି କରିବାରେ ଲାଗିଲେ |
ଧ୍ରୁବ ଉବାଚ
ଯୋଽନ୍ତଃପ୍ରବିଶ୍ୟ ମମ ବାଚମିମାଂ ପ୍ରସୁପ୍ତାଂ
ସଞ୍ଜୀବୟତ୍ୟଖିଲଶକ୍ତିଧରଃ ସ୍ୱଧାମ୍ନା ।
ଅନ୍ୟାଂଶ୍ଚ ହସ୍ତଚରଣଶ୍ରବଣତ୍ୱଗାଦୀନ୍
ପ୍ରାଣାନ୍ ନମୋ ଭଗବତେ ପୁରୁଷାୟ ତୁଭ୍ୟମ୍ ॥ ୬॥
ଧ୍ରୁବ କହିଲେ – ପ୍ରଭୁ ! ଆପଣ ସର୍ବଶକ୍ତିସମ୍ପନ୍ନ ଅଟନ୍ତି; ଆପଣ ହିଁ ମୋର ଅନ୍ତଃକରଣରେ ପ୍ରବେଶ କରି ମୋର ସୁପ୍ତ ରହିଥିବା
ବାଣୀକୁ ସଜୀବ କରିଛନ୍ତି ତଥା ମୋର ହାତ, ପାଦ, ତ୍ବଚା ଏବଂ ଅନ୍ୟାନ୍ୟ ଇନ୍ଦ୍ରିୟ ସହିତ ପ୍ରାଣକୁ ଚେତନା ପ୍ରଦାନ କରିଛନ୍ତି
| ଅନ୍ତର୍ଯ୍ୟାମୀ ଭଗବାନ ଆପଣଙ୍କୁ ମୁଁ ପ୍ରଣାମ କରୁଛି |
ଏକସ୍ତ୍ୱମେବ ଭଗବନ୍ନିଦମାତ୍ମଶକ୍ତ୍ୟା
ମାୟାଖ୍ୟଯୋରୁଗୁଣୟା ମହଦାଦ୍ୟଶେଷମ୍ ।
ସୃଷ୍ଟ୍ୱାନୁବିଶ୍ୟ ପୁରୁଷସ୍ତଦସଦ୍ଗୁଣେଷୁ
ନାନେବ ଦାରୁଷୁ ବିଭାବସୁବଦ୍ୱିଭାସି ॥ ୭॥
ଭଗବନ୍ ! ଆପଣ ଏକ ହିଁ ଅଟନ୍ତି, କିନ୍ତୁ ନିଜ ଅନନ୍ତ ଗୁଣମୟୀ
ମାୟାଶକ୍ତି ବଳରେ ଏହି ମହଦାଦି ସମ୍ପୂର୍ଣ୍ଣ ପ୍ରପଞ୍ଚ ରଚନା କରି ଆପଣ ଅନ୍ତର୍ଯ୍ୟାମୀ ରୂପରେ
ତହିଁରେ ପ୍ରବେଶ କରିଥାଆନ୍ତି ଏବଂ ଇନ୍ଦ୍ରିୟାଦି ଅସତ୍ ଗୁଣରେ ସେମାନଙ୍କ ଅଧିଷ୍ଠାତୃ-ଦେବତାଙ୍କ
ରୂପରେ ସ୍ଥିତ ହୋଇ ଅନେକ ପ୍ରତୀତ ହୋଇଥାଆନ୍ତି,
ଠିକ୍ ସେହିପରି ଯେପରି କି ଭିନ୍ନ-ଭିନ୍ନ କାଷ୍ଠରେ ପ୍ରକଟ ହୋଇ ଅଗ୍ନି ଭିନ୍ନ ରୂପ ଧାରଣ କରିଥାଏ
|
ତ୍ୱଦ୍ଦତ୍ତୟା ବୟୁନୟେଦମଚଷ୍ଟ ବିଶ୍ୱଂ
ସୁପ୍ତପ୍ରବୁଦ୍ଧ ଇବ ନାଥ ଭବତ୍ପ୍ରପନ୍ନଃ ।
ତସ୍ୟାପବର୍ଗ୍ୟଶରଣଂ ତବ ପାଦମୂଲଂ
ବିସ୍ମର୍ୟତେ କୃତବିଦା କଥମାର୍ତବନ୍ଧୋ ॥ ୮॥
ହେ ନାଥ ! ସୃଷ୍ଟିର ଆରମ୍ଭରେ ବ୍ରହ୍ମାଜୀ ମଧ୍ୟ ଆପଣଙ୍କର ଶରଣ ଗ୍ରହଣ
କରି ଆପଣଙ୍କ ଦ୍ବାରା ପ୍ରଦତ୍ତ ଜ୍ଞାନର ପ୍ରଭାବରେ ଏହି ଜଗତକୁ ଶୋଇକରି ଉଠିଥିବା ପୁରୁଷ ପରି
ଦେଖିଥିଲେ | ହେ ଦୀନବନ୍ଧୁ ! ମୁକ୍ତ ପୁରୁଷ ମଧ୍ୟ ଆପଣଙ୍କର ସେହି ଚରଣତଳର ଆଶ୍ରୟ ଗ୍ରହଣ
କରିଥାଆନ୍ତି, କେଉଁ କୃତଜ୍ଞ ପୁରୁଷ
ଅବା ସେହି ଚରଣକୁ ଭୂଲିପାରିବ ?
ନୂନଂ ବିମୁଷ୍ଟମତୟସ୍ତବ ମାୟଯା ତେ
ଯେ ତ୍ୱାଂ ଭବାପ୍ୟଯବିମୋକ୍ଷଣମନ୍ୟହେତୋଃ ।
ଅର୍ଚନ୍ତି କଲ୍ପକତରୁଂ କୁଣପୋପଭୋଗ୍ୟ-
ମିଚ୍ଛନ୍ତି ଯତ୍ସ୍ପର୍ଶଜଂ ନିରୟେଽପି ନୄଣାମ୍ ॥ ୯॥
ହେ ପ୍ରଭୁ ! ଏହି ଶବତୁଲ୍ୟ ଶରୀର ଦ୍ବାରା ଭୋଗ କରାଯାଉଥିବା, ଇନ୍ଦ୍ରିୟ ଏବଂ ବିଷୟ ସଂସର୍ଗରେ ଉତ୍ପନ୍ନ ସୁଖ ତ ମନୁଷ୍ୟକୁ ନର୍କରେ
ମଧ୍ୟ ମିଳିପାରେ | ଯେଉଁମାନେ ଏହି ବିଷୟସୁଖ ନିମନ୍ତେ ଲାଳାୟିତ ରହନ୍ତି ଏବଂ ଯେଉଁମାନେ
ଜନ୍ମ-ମରଣର ବନ୍ଧନରୁ ମୁକ୍ତ କରୁଥିବା କଳ୍ପତରୁସ୍ବରୂପ ଆପଣଙ୍କର ଉପାସନା ଭଗବତ୍-ପ୍ରାପ୍ତି
ଉଦ୍ଦେଶ୍ୟରେ ନ କରି ଅନ୍ୟ ଉଦ୍ଦେଶ୍ୟରେ କରିଥାଆନ୍ତି,
ଜାଣିବାକୁ ହେବ ଯେ ସେମାନଙ୍କର ବୁଦ୍ଧି ଆପଣଙ୍କ ମାୟା ଦ୍ବାରା ପ୍ରତାରିତ ହୋଇଛି |
ଯା ନିର୍ୱୃତିସ୍ତନୁଭୃତାଂ ତବ ପାଦପଦ୍ମ-
ଧ୍ୟାନାଦ୍ଭବଜ୍ଜନକଥାଶ୍ରବଣେନ ବା ସ୍ୟାତ୍ ।
ସା ବ୍ରହ୍ମଣି ସ୍ୱମହିମନ୍ୟପି ନାଥ ମା ଭୂତ୍
କିଂ ତ୍ୱନ୍ତକାସିଲୁଲିତାତ୍ପତତାଂ ବିମାନାତ୍ ॥ ୧୦॥
ହେ ନାଥ ! ଆପଣଙ୍କ ଚରଣକମଳର ଧ୍ୟାନ ଏବଂ ଆପଣଙ୍କ ଭକ୍ତମାନଙ୍କର
ପବିତ୍ର ଚରିତ୍ର ଶ୍ରବଣ କରିବା ଦ୍ବାରା ପ୍ରାଣୀକୁ ଯେଉଁ ଆନନ୍ଦ ପ୍ରାପ୍ତ ହୋଇଥାଏ, ତାହା ନିଜାନନ୍ଦସ୍ବରୂପ ବ୍ରହ୍ମଙ୍କଠାରୁ ମଧ୍ୟ ମିଳି ନ ଥାଏ | ତେଣୁ
କାଳ-ତରବାରୀରେ କ୍ଷୟକୁ ପ୍ରାପ୍ତ ହୋଇ ସ୍ବର୍ଗୀୟ ବିମାନରୁ ଖସି ପଡୁଥିବା ପୁରୁଷକୁ ସେହି ସୁଖ
ପ୍ରାପ୍ତ ହେବ କିପରି ?
ଭକ୍ତିଂ ମୁହୁଃ ପ୍ରବହତାଂ ତ୍ୱୟି ମେ ପ୍ରସଙ୍ଗୋ
ଭୂୟାଦନନ୍ତ ମହତାମମଲାଶୟାନାମ୍ ।
ଯେନାଞ୍ଜସୋଲ୍ବଣମୁରୁବ୍ୟସନଂ ଭବାବ୍ଧିଂ
ନେଷ୍ୟେ ଭବଦ୍ଗୁଣକଥାମୃତପାନମତ୍ତଃ ॥ ୧୧॥
ହେ ଅନନ୍ତ ପରମାତ୍ମନ୍ ! ମୋତେ ଆପଣ ସେହି ବିଶୁଦ୍ଧହୃଦୟ ମହାତ୍ମା
ଭକ୍ତମାନଙ୍କର ସଙ୍ଗ ପ୍ରଦାନ କରନ୍ତୁ, ଯେଉଁମାନଙ୍କର
ଆପଣଙ୍କ ପ୍ରତି ଅବିଚ୍ଛିନ୍ନ ଭକ୍ତିଭାବ ରହିଛି;
ସେମାନଙ୍କ ସଙ୍ଗେ ଆପଣଙ୍କ ଗୁଣ ଏବଂ ଲୀଳାର କଥା-ସୁଧା ପାନ କରି ମୁଁ ତନ୍ମୟ ରହିବି ଏବଂ ସହଜରେ
ଏହି ଅନେକ ପ୍ରକାରର ଦୁଃଖରେ ପରିପୂର୍ଣ୍ଣ ଭୟଙ୍କର ସଂସାରସାଗରକୁ ଅତିକ୍ରମ କରିଯିବି |
ତେ ନ ସ୍ମରନ୍ତ୍ୟତିତରାଂ ପ୍ରିୟମୀଶ ମର୍ତ୍ୟଂ
ଯେ ଚାନ୍ୱଦଃ ସୁତସୁହୃଦ୍ଗୃହବିତ୍ତଦାରାଃ ।
ଯେ ତ୍ୱବ୍ଜନାଭ ଭବଦୀୟପଦାରବିନ୍ଦ-
ସୌଗନ୍ଧ୍ୟଲୁବ୍ଧହୃଦୟେଷୁ କୃତପ୍ରସଙ୍ଗାଃ ॥ ୧୨॥
ହେ କମଳନାଭ ! ଯେଉଁମାନଙ୍କର ଚିତ୍ତ ଆପଣଙ୍କ ଚରଣକମଳର ସୁଗନ୍ଧରେ
ପ୍ରଲୋଭିତ ରହିଥାଏ, ସେହି
ମହାନୁଭବମାନଙ୍କର ଯେଉଁମାନେ ସଙ୍ଗ କରନ୍ତି, ସେମାନେ ନିଜର ଅତି
ପ୍ରିୟ ଶରୀର ଏବଂ ସେହି ଶରୀର-ସମ୍ବନ୍ଧୀ ପୁତ୍ର,
ମିତ୍ର, ଗୃହ, ସ୍ତ୍ରୀ ଆଦିଙ୍କର ସ୍ମରଣ ମଧ୍ୟ କରନ୍ତି ନାହିଁ |
ତିର୍ୟଙ୍ନଗଦ୍ୱିଜସରୀସୃପଦେବଦୈତ୍ୟ-
ମର୍ତ୍ୟାଦିଭିଃ ପରିଚିତଂ ସଦସଦ୍ୱିଶେଷମ୍ ।
ରୂପଂ ସ୍ଥବିଷ୍ଠମଜ ତେ ମହଦାଦ୍ୟନେକଂ
ନାତଃ ପରଂ ପରମ ବେଦ୍ମି ନ ଯତ୍ର ବାଦଃ ॥ ୧୩॥
ଅଜନ୍ମା ପରମେଶ୍ବର ! ମୁଁ ତ ପଶୁ,
ବୃକ୍ଷ, ପର୍ବତ, ପକ୍ଷୀ, ସରୀସୃପ, ଦେବତା, ଦୈତ୍ୟ ଏବଂ ମନୁଷ୍ୟ
ଆଦିଙ୍କ ଦ୍ବାରା ପରିପୂର୍ଣ୍ଣ ତଥା ମହଦାଦି ଅନେକ କାରଣ ଦ୍ବାରା ସମ୍ପାଦିତ ଆପଣଙ୍କର ଏହି
ସଦସଦାତ୍ମକ ସ୍ଥୂଳ ବିଶ୍ବରୂପକୁ ହିଁ ଜାଣିଛି;
ତାହାର ଉର୍ଦ୍ଧ୍ବରେ ଆପଣଙ୍କର ଯେଉଁ ପରମ ସ୍ବରୂପ,
ଯେଉଁଠିକୁ ବାଣୀର ଗତି ମଧ୍ୟ ନାହିଁ, ତାହା ବିଷୟରେ ମୋତେ
କିଛି ଜଣାନାହିଁ |
କଲ୍ପାନ୍ତ ଏତଦଖିଲଂ ଜଠରେଣ ଗୃହ୍ଣନ୍
ଶେତେ ପୁମାନ୍ ସ୍ୱଦୃଗନନ୍ତସଖସ୍ତଦଙ୍କେ ।
ଯନ୍ନାଭିସିନ୍ଧୁରୁହକାଞ୍ଚନଲୋକପଦ୍ମ-
ଗର୍ଭେ ଦ୍ୟୁମାନ୍ ଭଗବତେ ପ୍ରଣତୋଽସ୍ମି ତସ୍ମୈ ॥ ୧୪॥
ହେ ଭଗବନ୍ ! କଳ୍ପାନ୍ତରେ ଯୋଗନିଦ୍ରାରେ ସ୍ଥିତ ଯେଉଁ ପରମପୁରୁଷ ଏହି
ସମ୍ପୂର୍ଣ୍ଣ ବିଶ୍ବକୁ ନିଜ ଉଦରରେ ଲୀନ କରି ଶେଷଦେବଙ୍କ ସହିତ ତାଙ୍କ କୋଳରେ ଶୟନ କରନ୍ତି ତଥା
ଯାହାର ନାଭି-ସମୁଦ୍ରରୁ ପ୍ରକଟିତ ସର୍ବଲୋକମୟ ସୁବର୍ଣ୍ଣବର୍ଣ୍ଣର କମଳରୁ ପରମ ତେଜୋମୟ
ବ୍ରହ୍ମାଜୀ ଉତ୍ପନ୍ନ ହୁଅନ୍ତି, ସେହି ଭଗବାନ ଆପଣ
ହିଁ ଅଟନ୍ତି; ମୁଁ ଆପଣଙ୍କୁ
ପ୍ରଣାମ କରୁଛି |
ତ୍ୱଂ ନିତ୍ୟମୁକ୍ତପରିଶୁଦ୍ଧବିବୁଦ୍ଧ ଆତ୍ମା
କୂଟସ୍ଥ ଆଦିପୁରୁଷୋ ଭଗବାଂସ୍ତ୍ର୍ୟଧୀଶଃ ।
ଯଦ୍ବୁଦ୍ଧ୍ୟବସ୍ଥିତିମଖଣ୍ଡିତୟା ସ୍ୱଦୃଷ୍ଟ୍ୟା
ଦ୍ରଷ୍ଟା ସ୍ଥିତାବଧିମଖୋ ବ୍ୟତିରିକ୍ତ ଆସ୍ସେ ॥ ୧୫॥
ପ୍ରଭୁ ! ଆପଣ ନିଜର ଅଖଣ୍ଡ ଚିନ୍ମୟ ଦୃଷ୍ଟିରେ ସବୁ ଅବସ୍ଥାରେ
ବୁଦ୍ଧିର ସାକ୍ଷୀ ଅଟନ୍ତି ତଥା ନିତ୍ୟମୁକ୍ତ ଶୁଦ୍ଧସତ୍ତ୍ବମୟ, ସର୍ବଜ୍ଞ, ପରମାତ୍ମସ୍ବରୂପ, ନିର୍ବିକାର, ଆଦିପୁରୁଷ, ଷଡୈଶ୍ବର୍ଯ୍ୟ-ସମ୍ପନ୍ନ ଏବଂ ତିନି ଗୁଣର ଅଧୀଶ୍ବର ଅଟନ୍ତି | ଆପଣ
ଜୀବଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି ତଥା ସଂସାରର ସ୍ଥିତି ନିମନ୍ତେ ଯଜ୍ଞାଧିଷ୍ଠାତା
ବିଷ୍ଣୁରୂପରେ ବିରାଜମାନ କରିଥାଆନ୍ତି |
ଯସ୍ମିନ୍ ବିରୁଦ୍ଧଗତୟୋ ହ୍ୟନିଶଂ ପତନ୍ତି
ବିଦ୍ୟାଦୟୋ ବିବିଧଶକ୍ତୟ ଆନୁପୂର୍ୱ୍ୟାତ୍ ।
ତଦ୍ବ୍ରହ୍ମବିଶ୍ୱଭବମେକମନନ୍ତମାଦ୍ୟ-
ମାନନ୍ଦମାତ୍ରମବିକାରମହଂ ପ୍ରପଦ୍ୟେ ॥ ୧୬॥
ଆପଣଙ୍କଠାରୁ ହିଁ ବିଦ୍ୟା-ଅବିଦ୍ୟା ଆଦି ବିରୁଦ୍ଧ ଗତିଯୁକ୍ତ ଅନେକ
ଶକ୍ତି ଧାରାବାହିକ ରୂପେ ନିରନ୍ତର ପ୍ରକଟ ହେଉଥାଆନ୍ତି | ଆପଣ ଜଗତର କାରଣ, ଅଖଣ୍ଡ, ଅନାଦି, ଅନନ୍ତ, ଆନନ୍ଦମୟ ନିର୍ବିକାର
ବ୍ରହ୍ମସ୍ବରୂପ ଅଟନ୍ତି | ମୁଁ ଆପଣଙ୍କର ଶରଣାଗତ ଅଟେ |
ସତ୍ୟାଶିଷୋ ହି ଭଗବଂସ୍ତବ ପାଦପଦ୍ମ-
ମାଶୀସ୍ତଥାନୁଭଜତଃ ପୁରୁଷାର୍ଥମୂର୍ତେଃ ।
ଅପ୍ୟେବମାର୍ୟ ଭଗବାନ୍ ପରିପାତି ଦୀନାନ୍
ବାଶ୍ରେବ ବତ୍ସକମନୁଗ୍ରହକାତରୋଽସ୍ମାନ୍ ॥ ୧୭॥
ଭଗବନ୍ ! ଆପଣ ପରମାନନ୍ଦ ମୂର୍ତ୍ତି ଅଟନ୍ତି – ଏପରି ମନେକରି
ଯେଉଁମାନେ ନିଷ୍କାମଭାବରେ ନିରନ୍ତର ଆପଣଙ୍କର ଭଜନ କରନ୍ତି,
ସେମାନଙ୍କ ପାଇଁ ରାଜ୍ୟାଦି ଭୋଗ ଅପେକ୍ଷା ଆପଣଙ୍କ ଚରଣକମଳର ପ୍ରାପ୍ତି ହିଁ ଭଜନର ସଚ୍ଚା ଫଳ
ଅଟେ | ସ୍ବାମିନ୍ ! ଯଦିଓ ଏହା ସତ୍ୟ ଅଟେ, ତଥାପି ଗାଈ ଯେପରି
ନିଜର ସଦ୍ୟଜାତ ବାଛୁରୀକୁ ଦୁଗ୍ଧ ପାନ କରାଇ ତାକୁ ବ୍ୟାଘ୍ରାଦିଙ୍କ ଭୟରୁ ରକ୍ଷା କରିଥାଏ, ସେହିପରି ଆପଣ ମଧ୍ୟ ଭକ୍ତମାନଙ୍କ ପ୍ରତି କୃପା କରିବାକୁ ବ୍ୟାକୁଳ
ରହିଥିବା କାରଣରୁ ଆମ୍ଭମାନଙ୍କ ପରି ସକାମ ଭକ୍ତମାନଙ୍କର କାମନା ପୂର୍ତ୍ତି କରି ସେମାନଙ୍କୁ
ସଂସାର ଭୟରୁ ରକ୍ଷା କରିଥାଆନ୍ତି |
ମୈତ୍ରେୟ ଉବାଚ
ଅଥାଭିଷ୍ଟୁତ ଏବଂ ବୈ ସତ୍ସଙ୍କଲ୍ପେନ ଧୀମତା ।
ଭୃତ୍ୟାନୁରକ୍ତୋ ଭଗବାନ୍ ପ୍ରତିନନ୍ଦ୍ୟେଦମବ୍ରବୀତ୍ ॥ ୧୮॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଶୁଭ ସଂକଳ୍ପଯୁକ୍ତ ମତିମାନ
ଧ୍ରୁବ ଯେତେବେଳେ ଏହିପରି ଭାବରେ ସ୍ତୁତି କଲେ,
ସେତେବେଳେ ଭକ୍ତବତ୍ସଳ ଭଗବାନ ତାଙ୍କର ପ୍ରଶଂସା କରି ଏପରି କହିଲେ -
ଶ୍ରୀଭଗବାନୁବାଚ
ବେଦାହଂ ତେ ବ୍ୟବସିତଂ ହୃଦି ରାଜନ୍ୟବାଲକ ।
ତତ୍ପ୍ରୟଚ୍ଛାମି ଭଦ୍ରଂ ତେ ଦୁରାପମପି ସୁବ୍ରତ ॥ ୧୯॥
ଶ୍ରୀଭଗବାନ କହିଲେ – ହେ ଉତ୍ତମ ବ୍ରତଧାରୀ ରାଜକୁମାର ! ମୁଁ ତୁମ
ହୃଦୟର ସଂକଳ୍ପକୁ ଜାଣେ | ଯଦିଓ ଏହି ପଦ ପ୍ରାପ୍ତ କରିବା ଅତ୍ୟନ୍ତ କଠିନ ଅଟେ, ତଥାପି ମୁଁ ତୁମକୁ ତାହା ଦେଉଛି | ତୁମର କଲ୍ୟାଣ ହେଉ |
ନାନ୍ୟୈରଧିଷ୍ଠିତଂ ଭଦ୍ର ଯଦ୍ଭ୍ରାଜିଷ୍ଣୁ ଧ୍ରୁବକ୍ଷିତି ।
ଯତ୍ର ଗ୍ରହର୍କ୍ଷତାରାଣାଂ ଜ୍ୟୋତିଷାଂ ଚକ୍ରମାହିତମ୍ ॥ ୨୦॥
ମେଢ୍ୟାଂ ଗୋଚକ୍ରବତ୍ସ୍ଥାସ୍ନୁ ପରସ୍ତାତ୍କଲ୍ପବାସିନାମ୍ ।
ଧର୍ମୋଽଗ୍ନିଃ କଶ୍ୟପଃ ଶୁକ୍ରୋ ମୁନୟୋ ଯେ ବନୌକସଃ ।
ଚରନ୍ତି ଦକ୍ଷିଣୀକୃତ୍ୟ ଭ୍ରମନ୍ତୋ ଯତ୍ସତାରକାଃ ॥ ୨୧॥
ହେ ଭଦ୍ର ! ଯେଉଁ ତେଜୋମୟ ଅବିନାଶୀ ଲୋକକୁ ଆଜିଯାଏଁ କେହି ପ୍ରାପ୍ତ
କରିନାହାଁନ୍ତି, ଯାହାର ଚତୁର୍ଦିଗରେ
ଗ୍ରହ, ନକ୍ଷତ୍ର ଏବଂ
ତାରାଗଣରୂପ ଜ୍ୟୋତିଶ୍ଚକ୍ର ଏପରି ଘୂରିବାରେ ଲାଗିଥାଆନ୍ତି,
ଯେପରି ତେଲିର ବଳଦ ଘଣା ଚାରିପାଖେ ଘୂରି ବୁଲୁଥାଏ; ଅବାନ୍ତର
କଳ୍ପ ପର୍ଯ୍ୟନ୍ତ ତିଷ୍ଠି ରହୁଥିବା ଅନ୍ୟ ଲୋକ ନାଶ ହୋଇଗଲେ ବି ଯିଏ ସ୍ଥିର ରହିଥାଏ ତଥା
ତାରାଗଣଙ୍କ ସହିତ ଧର୍ମ, ଅଗ୍ନି, କଶ୍ୟପ ଏବଂ ଶୁକ୍ର ଆଦି ନକ୍ଷତ୍ର ଏବଂ ସପ୍ତର୍ଷିଗଣ ଯାହାର
ପ୍ରଦକ୍ଷିଣା କରୁଥାଆନ୍ତି, ସେହି ଧ୍ରୁବଲୋକ ମୁଁ
ତୁମକୁ ଦେଉଛି |
ପ୍ରସ୍ଥିତେ ତୁ ବନଂ ପିତ୍ରା ଦତ୍ତ୍ୱା ଗାଂ ଧର୍ମସଂଶ୍ରୟଃ ।
ଷଟ୍ତ୍ରିଂଶଦ୍ୱର୍ଷସାହସ୍ରଂ ରକ୍ଷିତାବ୍ୟାହତେନ୍ଦ୍ରିୟଃ ॥ ୨୨॥
ଏଠାରେ ମଧ୍ୟ ତୁମର ପିତା ଯେତେବେଳେ ତୁମକୁ ରାଜସିଂହାସନ ପ୍ରଦାନ କରି
ବନକୁ ଚାଲିଯିବେ, ସେତେବେଳେ ତୁମେ
ଛତିଶ ହଜାର ବର୍ଷ ଧର୍ମପୂର୍ବକ ପୃଥିବୀକୁ ପାଳନ କରିବ | ତୁମର ଇନ୍ଦ୍ରିୟମାନଙ୍କର ଶକ୍ତି
ଯଥାବତ୍ ରହିବ |
ତ୍ୱଦ୍ଭ୍ରାତର୍ୟୁତ୍ତମେ ନଷ୍ଟେ ମୃଗୟାୟାଂ ତୁ ତନ୍ମନାଃ ।
ଅନ୍ୱେଷନ୍ତୀ ବନଂ ମାତା ଦାବାଗ୍ନିଂ ସା ପ୍ରବେକ୍ଷ୍ୟତି ॥ ୨୩॥
ଆଗକୁ ଏକ ସମୟରେ ତୁମର ଭାଇ ଉତ୍ତମ ଶୀକାର କରିବାକୁ ଯାଇ ମରିଯିବ,
ସେତେବେଳେ ତାଙ୍କର ମାତା ସୁରୁଚି ପୁତ୍ର-ପ୍ରେମରେ ପାଗଳ ପ୍ରାୟ ତାଙ୍କୁ ଖୋଜି ଖୋଜି ବନ ମଧ୍ୟରେ
ଦାବାନଳରେ ପ୍ରବେଶ କରିବେ |
ଇଷ୍ଟ୍ୱା ମାଂ ଯଜ୍ଞହୃଦୟଂ ଯଜ୍ଞୈଃ ପୁଷ୍କଲଦକ୍ଷିଣୈଃ ।
ଭୁକ୍ତ୍ୱା ଚେହାଶିଷଃ ସତ୍ୟା ଅନ୍ତେ ମାଂ ସଂସ୍ମରିଷ୍ୟସି ॥ ୨୪॥
ଯଜ୍ଞ ମୋର ପ୍ରିୟ ମୂର୍ତ୍ତି ଅଟେ,
ତୁମେ ପ୍ରଚୁର ଦକ୍ଷିଣାଯୁକ୍ତ ଅନେକ ବଡ ବଡ ଯଜ୍ଞ ଦ୍ବାରା ମୋର ଯଜନ କରିବ ତଥା ପୃଥିବୀରେ ଉତ୍ତମ
ଭୋଗ ଭୋଗକରି ଶେଷରେ ମୋର ସ୍ମରଣ କରିବ |
ତତୋ ଗନ୍ତାସି ମତ୍ସ୍ଥାନଂ ସର୍ୱଲୋକନମସ୍କୃତମ୍ ।
ଉପରିଷ୍ଟାଦୃଷିଭ୍ୟସ୍ତ୍ୱଂ ଯତୋ ନାବର୍ତତେ ଗତଃ ॥ ୨୫॥
ତଦ୍ବାରା ତୁମେ ଶେଷରେ ସମ୍ପୂର୍ଣ୍ଣ ଲୋକରେ ବନ୍ଦନୀୟ ଏବଂ
ସପ୍ତର୍ଷିମାନଙ୍କଠାରୁ ମଧ୍ୟ ଉର୍ଦ୍ଧ୍ବରେ ସ୍ଥିତ ମୋର ନିଜ ଧାମକୁ ଯିବ, ଯେଉଁଠାରେ ପହଞ୍ଚିବା
ପରେ ପୁନର୍ବାର ସଂସାରକୁ ଫେରିବାକୁ ପଡି ନ ଥାଏ |
ମୈତ୍ରେୟ ଉବାଚ
ଇତ୍ୟର୍ଚିତଃ ସ ଭଗବାନତିଦିଶ୍ୟାତ୍ମନଃ ପଦମ୍ ।
ବାଲସ୍ୟ ପଶ୍ୟତୋ ଧାମ ସ୍ୱମଗାଦ୍ଗରୁଡଧ୍ୱଜଃ ॥ ୨୬॥
ମୈତ୍ରେୟ କହୁଛନ୍ତି – ବାଳକ ଧ୍ରୁବଙ୍କ ଦ୍ବାରା ଏହିପରି ଭାବରେ
ପୂଜିତ ହୋଇ ଏବଂ ତାଙ୍କୁ ନିଜର ପଦ ପ୍ରଦାନ କରି ଭଗବାନ ଗରୁଡ଼ଧ୍ବଜ ଚାହୁଁ ଚାହୁଁ ନିଜ ଲୋକକୁ
ଚାଲିଗଲେ |
ସୋଽପି ସଙ୍କଲ୍ପଜଂ ବିଷ୍ଣୋଃ ପାଦସେବୋପସାଦିତମ୍ ।
ପ୍ରାପ୍ୟ ସଙ୍କଲ୍ପନିର୍ୱାଣଂ ନାତିପ୍ରୀତୋଭ୍ୟଗାତ୍ପୁରମ୍ ॥ ୨୭॥
ପ୍ରଭୁଙ୍କ ଚରଣସେବାରୁ ସଂକଳ୍ପିତ ବସ୍ତୁ ପ୍ରାପ୍ତ କରି ଧ୍ରୁବଙ୍କର
ସଂକଳ୍ପ ତ ନିବୃତ୍ତ ହୋଇଗଲା, କିନ୍ତୁ ତାଙ୍କର
ଚିତ୍ତ ବିଶେଷ ପ୍ରସନ୍ନ ହେଲାନାହିଁ | ତାପରେ ସେ
ନିଜ ନଗରକୁ ଫେରି ଆସିଲେ |
ବିଦୁର ଉବାଚ
ସୁଦୁର୍ଲଭଂ ଯତ୍ପରମଂ ପଦଂ ହରେ-
ର୍ମାୟାବିନସ୍ତଚ୍ଚରଣାର୍ଚନାର୍ଜିତମ୍ ।
ଲବ୍ଧ୍ୱାପ୍ୟସିଦ୍ଧାର୍ଥମିବୈକଜନ୍ମନା
କଥଂ ସ୍ୱମାତ୍ମାନମମନ୍ୟତାର୍ଥବିତ୍ ॥ ୨୮॥
ବିଦୁର ପଚାରିଲେ – ବ୍ରହ୍ମନ୍ ! ମାୟାପତି ଶ୍ରୀହରିଙ୍କ ପରମପଦ ତ
ଅତ୍ୟନ୍ତ ଦୁର୍ଲଭ ଅଟେ ଏବଂ ତାହା ପୁଣି ତାଙ୍କ ଚରଣକମଳର ଉପାସନା ଦ୍ବାରା ହିଁ ପ୍ରାପ୍ତ ହୋଇଥାଏ
| ତାଛଡା ଧ୍ରୁବଙ୍କର ସାର-ଅସାରର ପୂର୍ଣ୍ଣ ବିବେକ ଥିଲା,
ତେଣୁ ଗୋଟିଏ ହିଁ ଜନ୍ମରେ ସେହି ପରମପଦକୁ ପ୍ରାପ୍ତ କରି ମଧ୍ୟ ସେ ନିଜକୁ ଅକୃତାର୍ଥ ମନେ କଲେ
କାହିଁକି ?
ମୈତ୍ରେୟ ଉବାଚ
ମାତୁଃ ସପତ୍ନ୍ୟା ବାଗ୍ବାଣୈର୍ହୃଦି ବିଦ୍ଧସ୍ତୁ ତାନ୍ ସ୍ମରନ୍ ।
ନୈଚ୍ଛନ୍ମୁକ୍ତିପତେର୍ମୁକ୍ତିଂ ତସ୍ମାତ୍ତାପମୁପେୟିବାନ୍ ॥ ୨୯॥
ମୈତ୍ରେୟ କହୁଛନ୍ତି – ଧ୍ରୁବଙ୍କର ହୃଦୟ ନିଜ ସାବତ ମା’ଙ୍କର ବାକ୍ ବାଣରେ ଅତିଶୟ ଆହତ ହୋଇଥିଲା ତଥା ବର ମାଗୁଥିଵା ସମୟରେ
ମଧ୍ୟ ତାଙ୍କର ସେହି ସ୍ମୃତି ଅତୁଟ ରହିଥିଲା; ସେଥିପାଇଁ ସେ ମୁକ୍ତିଦାତା ଶ୍ରୀହରିଙ୍କଠାରୁ
ମୁକ୍ତି ଭିକ୍ଷା କରିପାରିଲେ ନାହିଁ | ଏବେ ଭଗବଦ୍-ଦର୍ଶନ ଯୋଗୁଁ ସମସ୍ତ ମନୋମାଳିନ୍ୟ ଦୂର
ହୋଇଯିବା ଫଳରେ ସେ ନିଜର ଭୁଲ୍ ବୁଝିପାରି ପଶ୍ଚାତାପ କଲେ |
ଧ୍ରୁବ ଉବାଚ
ସମାଧିନା ନୈକଭବେନ ଯତ୍ପଦଂ
ବିଦୁଃ ସନନ୍ଦାଦୟ ଊର୍ଧ୍ୱରେତସଃ ।
ମାସୈରହଂ ଷଡ୍ଭିରମୁଷ୍ୟପାଦୟୋଃ
ଛାୟାମୁପେତ୍ୟାପଗତଃ ପୃଥଙ୍ମତିଃ ॥ ୩୦॥
ଧ୍ରୁବ ମନେ-ମନେ କହିବାରେ ଲାଗିଲେ – ହାୟ ! ସନକାଦି ଉର୍ଦ୍ଧ୍ବରେତା
(ନୈଷ୍ଠିକ ବ୍ରହ୍ମଚାରୀ) ସିଦ୍ଧମାନେ ମଧ୍ୟ ଯାହାକୁ ସମାଧି ଦ୍ବାରା ଅନେକ ଜନ୍ମରେ ପ୍ରାପ୍ତ
କରିଥାଆନ୍ତି, ସେହି ଭଗବତ୍-ଚରଣର
ଛାୟାକୁ ମୁଁ ଛଅ ମାସରେ ହିଁ ପ୍ରାପ୍ତ କରିନେଲି | କିନ୍ତୁ ହୃଦୟରେ ଅନ୍ୟ ବାସନା ରହିଥିବା
କାରଣରୁ ମୁଁ ପୁନର୍ବାର ତା’ଠାରୁ ଦୂରେଇ ଗଲି |
ଅହୋ ବତ ମମାନାତ୍ମ୍ୟଂ ମନ୍ଦଭାଗ୍ୟସ୍ୟ ପଶ୍ୟତ ।
ଭବଚ୍ଛିଦଃ ପାଦମୂଲଂ ଗତ୍ୱା ଯାଚେ ଯଦନ୍ତବତ୍ ॥ ୩୧॥
ହାୟ ! ମୋ ପରି ଅଭାଗାର ମୂର୍ଖତାକୁ ତ ଦେଖ, ମୁଁ ସଂସାର-ପାଶରୁ ମୁକ୍ତ
କରୁଥିବା ପ୍ରଭୁଙ୍କର ପାଦପଦ୍ମରେ ପହଞ୍ଚି ମଧ୍ୟ ତାଙ୍କଠାରୁ ନାଶବାନ୍ ବସ୍ତୁର ହିଁ ଯାଚନା କଲି
|
ମତିର୍ୱିଦୂଷିତା ଦେବୈଃ ପତଦ୍ଭିରସହିଷ୍ଣୁଭିଃ ।
ଯୋ ନାରଦବଚସ୍ତଥ୍ୟଂ ନାଗ୍ରାହିଷମସତ୍ତମଃ ॥ ୩୨॥
ସ୍ବର୍ଗଭୋଗ କରି ଦେବତାମାନଙ୍କର ପୁନଃ ନିମ୍ନ ଗତି ହୋଇଥାଏ, ସେଥିପାଇଁ ସେମାନେ ବୋଧହୁଏ ମୋର ଭଗବତ୍-ପ୍ରାପ୍ତିରୂପ ଏହି ଉଚ୍ଚ
ସ୍ଥିତିକୁ ସହ୍ୟ କରିପାରିଲେ ନାହିଁ ଏବଂ ମୋର ବୁଦ୍ଧିକୁ ନଷ୍ଟ କରିଦେଲେ | ସେଥିପାଇଁ ତ ମୋ ପରି
ଦୁଷ୍ଟ ଦେବର୍ଷି ନାରଦଙ୍କର ଯଥାର୍ଥ ଉପଦେଶକୁ ସ୍ବୀକାର କଲାନାହିଁ |
ଦୈବୀଂ ମାୟାମୁପାଶ୍ରିତ୍ୟ ପ୍ରସୁପ୍ତ ଇବ ଭିନ୍ନଦୃକ୍ ।
ତପ୍ୟେ ଦ୍ୱିତୀୟେଽପ୍ୟସତି ଭ୍ରାତୃଭ୍ରାତୃବ୍ୟହୃଦ୍ରୁଜା ॥ ୩୩॥
ଯଦିଓ ସଂସାରରେ ଆତ୍ମା ବ୍ୟତିତ ଅନ୍ୟ କାହାର ସ୍ଥିତି ନାହିଁ, ତଥାପି ସୁପ୍ତ ଅବସ୍ଥାରେ ମନୁଷ୍ୟ ସ୍ବପ୍ନରେ ଯେପରି ନିଜ କଳ୍ପିତ
ବ୍ୟାଘ୍ରାଦିଙ୍କୁ ଦେଖି ଡରିଥାଏ, ସେହିପରି ମୁଁ ମଧ୍ୟ
ଭଗବାନଙ୍କ ମାୟାରେ ମୋହିତ ହୋଇ ଭାଈକୁ ନିଜର ଶତ୍ରୁ ମନେକଲି ଏବଂ ବୃଥାରେ ଦ୍ବେଷରୂପ ହାର୍ଦିକ
ରୋଗରେ ଜଳିବାରେ ଲାଗିଲି |
ମୟୈତତ୍ପ୍ରାର୍ଥିତଂ ବ୍ୟର୍ଥଂ ଚିକିତ୍ସେବ ଗତାୟୁଷି ।
ପ୍ରସାଦ୍ୟ ଜଗଦାତ୍ମାନଂ ତପସା ଦୁଷ୍ପ୍ରସାଦନମ୍ ।
ଭବଚ୍ଛିଦମୟାଚେଽହଂ ଭବଂ ଭାଗ୍ୟବିବର୍ଜିତଃ ॥ ୩୪॥
ଯାହାଙ୍କୁ ପ୍ରସନ୍ନ କରିବା ଅତି କଠିନ, ତପସ୍ୟା ଦ୍ବାରା ସେହି ବିଶ୍ବାତ୍ମା ଶ୍ରୀହରିଙ୍କୁ ପ୍ରସନ୍ନ କରି
ମୁଁ ଯାହା ମାଗିଲି, ସେସବୁ ବ୍ୟର୍ଥ ଅଟେ; ଠିକ୍ ସେହିପରି, ଯେପରି ଗତାୟୁ ପୁରୁଷ ପାଇଁ ଚିକିତ୍ସା ବ୍ୟର୍ଥ
ହୋଇଥାଏ | ହାୟ ! ମୁଁ କିପରି ଭାଗ୍ୟହୀନ ଅଟେ,
ସଂସାର ବନ୍ଧନକୁ ନାଶ କରୁଥିବା ପ୍ରଭୁଙ୍କଠାରୁ ମୁଁ ସଂସାର ହିଁ ମାଗିଲି |
ସ୍ୱାରାଜ୍ୟଂ ଯଚ୍ଛତୋ ମୌଢ୍ୟାନ୍ମାନୋ ମେ ଭିକ୍ଷିତୋ ବତ ।
ଈଶ୍ୱରାତ୍କ୍ଷୀଣପୁଣ୍ୟେନ ଫଲୀକାରାନିବାଧନଃ ॥ ୩୫॥
ମୁଁ ଅତ୍ୟନ୍ତ ପୁଣ୍ୟହୀନ ଅଟେ | ଜଣେ କାଙ୍ଗାଳ ଚକ୍ରବର୍ତ୍ତୀ
ସମ୍ରାଟଙ୍କୁ ପ୍ରସନ୍ନ କରାଇ ତାଙ୍କଠାରୁ କୁଣ୍ଡାମିଶ୍ରିତ ଖୁଦକଣ ମାଗିବା ପରି ମୁଁ ଆତ୍ମାନନ୍ଦ
ପ୍ରଦାୟକ ଶ୍ରୀହରିଙ୍କଠାରୁ ମୂର୍ଖତାବଶତଃ ଅଭିମାନ ବୃଦ୍ଧିକାରୀ ଉଚ୍ଚପଦାଦି ମାଗିଲି |
ମୈତ୍ରେୟ ଉବାଚ
ନ ବୈ ମୁକୁନ୍ଦସ୍ୟ ପଦାରବିନ୍ଦୟୋଃ
ରଜୋଜୁଷସ୍ତାତ ଭବାଦୃଶା ଜନାଃ ।
ବାଞ୍ଛନ୍ତି ତଦ୍ଦାସ୍ୟମୃତେଽର୍ଥମାତ୍ମନୋ
ଯଦୃଚ୍ଛୟା ଲବ୍ଧମନଃ ସମୃଦ୍ଧୟଃ ॥ ୩୬॥
ମୈତ୍ରେୟ କହୁଛନ୍ତି – ହେ ନମସ୍ୟ ! ଆପଣଙ୍କ ପରି ଯେଉଁମାନେ
ଶ୍ରୀମୁକୁନ୍ଦପାଦାରବିନ୍ଦ-ମକରନ୍ଦର ମଧୁକର ଅଟନ୍ତି – ଯେଉଁମାନେ ନିରନ୍ତର ପ୍ରଭୁଙ୍କ ଚରଣ-ରଜର
ହିଁ ସେବନ କରନ୍ତି ଏବଂ ଯାହାର ମନ ଆପେ ଆପେ ଆସୁଥିବା ସବୁ ପରିସ୍ଥିତିରେ ସନ୍ତୁଷ୍ଟ ରହେ, ସେମାନେ ଭଗବାନଙ୍କଠାରୁ ତାଙ୍କର ସେବା ବ୍ୟତିତ ନିଜ ପାଇଁ ଅନ୍ୟ
କୌଣସି ପଦାର୍ଥ ମାଗନ୍ତି ନାହିଁ |
ଆକର୍ଣ୍ୟାତ୍ମଜମାୟାନ୍ତଂ ସମ୍ପରେତ୍ୟ ଯଥାଗତମ୍ ।
ରାଜା ନ ଶ୍ରଦ୍ଦଧେ ଭଦ୍ରମଭଦ୍ରସ୍ୟ କୁତୋ ମମ ॥ ୩୭॥
ଏଣେ ରାଜା ଉତ୍ତାନପାଦ ଯେତେବେଳେ ଶୁଣିବାକୁ ପାଇଲେ ଯେ ତାଙ୍କର
ପୁତ୍ର ଧ୍ରୁବ ଘରକୁ ଫେରୁଛନ୍ତି, ପ୍ରଥମେ ତ ସେ ତାହା
ବିଶ୍ବାସ କରିପାରିଲେ ନାହିଁ; ଠିକ୍ ସେହିପରି, ଯେପରି
କାହାର ଯମଲୋକରୁ ଫେରିବା କଥାକୁ କେହି ବିଶ୍ବାସ କରନ୍ତି ନାହି | ସେ ଭାବିଲେ, ‘ମୋ ପରି ଅଭାଗାର ଏତେ ବଡ ଭାଗ୍ୟ କିପରି ହେବ ?’
ଶ୍ରଦ୍ଧାୟ ବାକ୍ୟଂ ଦେବର୍ଷେର୍ହର୍ଷବେଗେନ ଧର୍ଷିତଃ ।
ବାର୍ତାହର୍ତୁରତିପ୍ରୀତୋ ହାରଂ ପ୍ରାଦାନ୍ମହାଧନମ୍ ॥ ୩୮॥
କିନ୍ତୁ ପରେ ତାଙ୍କର ଦେବର୍ଷି ନାରଦଙ୍କର ବଚନ ସ୍ମରଣ ହେଲା |
ସେଥିପାଇଁ ଧ୍ରୁବଙ୍କର ଫେରି ଆସୁଥିବା କଥାରେ ବିଶ୍ବାସ କରି ସେ ଆନନ୍ଦରେ ଅଧୀର ହୋଇ ଉଠିଲେ |
ଅତ୍ୟନ୍ତ ପ୍ରସନ୍ନ ହୋଇ ସେ ସମାଚାର ଦେଇଥିବା ବ୍ୟକ୍ତିଙ୍କୁ ଏକ ବହୁମୂଲ୍ୟ ହାର ପ୍ରଦାନ କଲେ |
ସଦଶ୍ୱଂ ରଥମାରୁହ୍ୟ କାର୍ତସ୍ୱରପରିଷ୍କୃତମ୍ ।
ବ୍ରାହ୍ମଣୈଃ କୁଲବୃଦ୍ଧୈଶ୍ଚ ପର୍ୟସ୍ତୋଽମାତ୍ୟବନ୍ଧୁଭିଃ ॥ ୩୯॥
ଶଙ୍ଖଦୁନ୍ଦୁଭିନାଦେନ ବ୍ରହ୍ମଘୋଷେଣ ବେଣୁଭିଃ ।
ନିଶ୍ଚକ୍ରାମ ପୁରାତ୍ତୂର୍ଣମାତ୍ମଜାଭୀକ୍ଷଣୋତ୍ସୁକଃ ॥ ୪୦॥
ପୁତ୍ରର ମୁଖଦର୍ଶନ ନିମନ୍ତେ ଉତ୍ସୁକ ରାଜା ଉତ୍ତାନପାଦ ଅନେକ
ବ୍ରାହ୍ମଣ, କୁଳର ବୟୋବୃଦ୍ଧ, ମନ୍ତ୍ରୀ ଏବଂ ବନ୍ଧୁଜନଙ୍କୁ ସଙ୍ଗରେ ନେଇ ଏକ ବେଗବାନ୍ ଅଶ୍ବଯୁକ୍ତ
ସୁବର୍ଣ୍ଣଜଟିତ ରଥରେ ବିରାଜମାନ କରି ଅତିଶୀଘ୍ର ନଗର ବାହାରକୁ ଚାଲି ଆସିଲେ | ତାଙ୍କ ଆଗେ-ଆଗେ
ବେଦଧ୍ବନି ହେବାରେ ଲାଗିଥାଏ ତଥା ଶଂଖ, ଦୁନ୍ଦୁଭି ଓ ବଂଶୀ
ଆଦି ଅନେକ ମାଙ୍ଗଳିକ ବାଦ୍ୟ ବାଜୁଥାଏ |
ସୁନୀତିଃ ସୁରୁଚିଶ୍ଚାସ୍ୟ ମହିଷ୍ୟୌ ରୁକ୍ମଭୂଷିତେ ।
ଆରୁହ୍ୟ ଶିବିକାଂ ସାର୍ଧମୁତ୍ତମେନାଭିଜଗ୍ମତୁଃ ॥ ୪୧॥
ତାଙ୍କର ଦୁଇ ରାଣୀ ସୁନୀତି ଏବଂ ସୁରୁଚି ମଧ୍ୟ ସୁବର୍ଣ୍ଣମୟ ଆଭୂଷଣରେ
ବିଭୂଷିତ ହୋଇ ରାଜକୁମାର ଉତ୍ତମଙ୍କ ସହିତ ପାଲିଙ୍କି ଚଢି ଚାଲିଥାଆନ୍ତି |
ତଂ ଦୃଷ୍ଟ୍ୱୋପବନାଭ୍ୟାଶ ଆୟାନ୍ତଂ ତରସା ରଥାତ୍ ।
ଅବରୁହ୍ୟ ନୃପସ୍ତୂର୍ଣମାସାଦ୍ୟ ପ୍ରେମବିହ୍ୱଲଃ ॥ ୪୨॥
ପରିରେଭେଽଙ୍ଗଜଂ ଦୋର୍ଭ୍ୟାଂ ଦୀର୍ଘୋତ୍କଣ୍ଠମନାଃ ଶ୍ୱସନ୍ ।
ବିଷ୍ୱକ୍ସେନାଙ୍ଘ୍ରିସଂସ୍ପର୍ଶହତାଶେଷାଘବନ୍ଧନମ୍ ॥ ୪୩॥
ଧ୍ରୁବ ଆସି ଉପବନ ପାଖରେ ପହଞ୍ଚିଲେ, ତାଙ୍କୁ ଦେଖିବା ମାତ୍ରେ ମହାରାଜ ଉତ୍ତାନପାଦ ରଥରୁ ତଳକୁ ଓହ୍ଲାଇ
ପଡିଲେ | ପୁତ୍ରକୁ ଦେଖିବା ନିମନ୍ତେ ସେ ବହୁ ଦିନ ଧରି ଉତ୍କଣ୍ଠିତ ଥିଲେ | ସେ ଅତିଶୀଘ୍ର ଆଗକୁ
ଯାଇ ପ୍ରେମାତୁର ହୋଇ ଦୀର୍ଘ ଦୀର୍ଘ ଶ୍ବାସ ନେଲେ ଏବଂ ଧ୍ରୁବଙ୍କୁ ନିଜ ବାହୁରେ ଭରିନେଲେ | ଏବେ
ସେ ପୂର୍ବର ସେହି ଧ୍ରୁବ ନ ଥିଲେ; ପ୍ରଭୁଙ୍କର
ପରମପୁନୀତ ପାଦପଦ୍ମର ସ୍ପର୍ଶ ଲାଭ କରି ତାଙ୍କର ସମସ୍ତ ପାପ-ବନ୍ଧନ କଟି ଯାଇଥିଲା |
ଅଥାଜିଘ୍ରନ୍ମୁହୁର୍ମୂର୍ଧ୍ନି ଶୀତୈର୍ନୟନବାରିଭିଃ ।
ସ୍ନାପୟାମାସ ତନୟଂ ଜାତୋଦ୍ଦାମମନୋରଥଃ ॥ ୪୪॥
ରାଜା ଉତ୍ତାନପାଦଙ୍କର ଏକ ବହୁତ ବଡ କାମନା ପୂର୍ଣ୍ଣ ହୋଇଗଲା | ସେ
ବାରମ୍ବାର ପୁତ୍ରର ମସ୍ତକକୁ ଚୁମ୍ବନ କଲେ ଏବଂ ଆନନ୍ଦ ତଥା ପ୍ରେମବଶତଃ ତାଙ୍କ ନେତ୍ରରୁ ସ୍ରବିତ
ହେଉଥିବା ଶୀତଳ ଅଶ୍ରୁରେ ସେ ସ୍ନାନ କରିବାରେ ଲାଗିଲେ |
ଅଭିବନ୍ଦ୍ୟ ପିତୁଃ ପାଦାବାଶୀର୍ଭିଶ୍ଚାଭିମନ୍ତ୍ରିତଃ ।
ନନାମ ମାତରୌ ଶୀର୍ଷ୍ଣା ସତ୍କୃତଃ ସଜ୍ଜନାଗ୍ରଣୀଃ ॥ ୪୫॥
ତଦନନ୍ତର ସଜ୍ଜନମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଧ୍ରୁବ ନିଜ ପିତାଙ୍କ
ଚରଣରେ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିବା ପରେ କୁଶଳ-ପ୍ରଶ୍ନାଦିରେ ସମ୍ମାନିତ ହୋଇ ନିଜ ଦୁଇ
ମାତାଙ୍କୁ ପ୍ରଣାମ କଲେ |
ସୁରୁଚିସ୍ତଂ ସମୁତ୍ଥାପ୍ୟ ପାଦାବନତମର୍ଭକମ୍ ।
ପରିଷ୍ୱଜ୍ୟାହ ଜୀବେତି ବାଷ୍ପଗଦ୍ଗଦୟା ଗିରା ॥ ୪୬॥
କନିଷ୍ଠା ମାତା ସୁରୁଚି ନିଜ ଚରଣରେ ଅବନତ ହୋଇଥିବା ଧ୍ରୁବଙ୍କୁ ଉଠାଇ
ହୃଦୟଲଗ୍ନ କଲେ ଏବଂ ଅଶ୍ରୁ-ଗଦଗଦ ବାଣୀରେ ‘ଚିରଞ୍ଜୀବି ହୁଅ’
ଏପରି ଆଶୀର୍ବାଦ କଲେ |
ଯସ୍ୟ ପ୍ରସନ୍ନୋ ଭଗବାନ୍ ଗୁଣୈର୍ମୈତ୍ର୍ୟାଦିଭିର୍ହରିଃ ।
ତସ୍ମୈ ନମନ୍ତି ଭୂତାନି ନିମ୍ନମାପ ଇବ ସ୍ୱୟମ୍ ॥ ୪୭॥
ଜଳ ସ୍ବତଃ ନିମ୍ନାଭିମୁଖୀ ହୋଇ ପ୍ରବାହିତ ହେବା ପରି ମୈତ୍ରୀ ଆଦି
ଗୁଣ ଥିବା ଯୋଗୁଁ ସ୍ବୟଂ ଭଗବାନ ଯାହା ପ୍ରତି ପ୍ରସନ୍ନ ଅଟନ୍ତି, ତାଙ୍କ ସମ୍ମୁଖରେ ସମସ୍ତ ଜୀବ ନତମସ୍ତକ ହୋଇଯାଆନ୍ତି |
ଉତ୍ତମଶ୍ଚ ଧ୍ରୁବଶ୍ଚୋଭାବନ୍ୟୋନ୍ୟଂ ପ୍ରେମବିହ୍ୱଲୌ ।
ଅଙ୍ଗସଙ୍ଗାଦୁତ୍ପୁଲକାବସ୍ରୌଘଂ ମୁହୁରୂହତୁଃ ॥ ୪୮॥
ଉଭୟ ଉତ୍ତମ ଏବଂ ଧ୍ରୁବ ପ୍ରେମବିହ୍ବଳ ହୋଇ ପରସ୍ପର ମିଳିତ ହେଲେ |
ପରସ୍ପରଙ୍କର ଅଙ୍ଗସ୍ପର୍ଶ ଲାଭ କରି ସେମାନଙ୍କର ଶରୀର ପୁଲକିତ ହୋଇ ଉଠିଲା ଏବଂ ରହି ରହି
ସେମାନଙ୍କର ନେତ୍ରରୁ ଅଶ୍ରୁଧାରା ପ୍ରବାହିତ ହେବାରେ ଲାଗିଲା |
ସୁନୀତିରସ୍ୟ ଜନନୀ ପ୍ରାଣେଭ୍ୟୋଽପି ପ୍ରିୟଂ ସୁତମ୍ ।
ଉପଗୁହ୍ୟ ଜହାବାଧିଂ ତଦଙ୍ଗସ୍ପର୍ଶନିର୍ୱୃତା ॥ ୪୯॥
ଧ୍ରୁବଙ୍କର ମା଼ତା ସୁନୀତି ନିଜର ପ୍ରାଣପ୍ରିୟ ପୁତ୍ରକୁ ଆଲିଙ୍ଗନ
କରି ସାରା ସନ୍ତାପ ଭୁଲିଗଲେ | ପୁତ୍ରର ସୁକୁମାର ଅଙ୍ଗ ସ୍ପର୍ଶ କରି ତାଙ୍କୁ ଅତିଶୟ ଆନନ୍ଦ
ପ୍ରାପ୍ତ ହେଲା |
ପୟଃ ସ୍ତନାଭ୍ୟାଂ ସୁସ୍ରାବ ନେତ୍ରଜୈଃ ସଲିଲୈଃ ଶିବୈଃ ।
ତଦାଭିଷିଚ୍ୟମାନାଭ୍ୟାଂ ବୀର ବୀରସୁବୋ ମୁହୁଃ ॥ ୫୦॥
ହେ ବିଦୁର ! ବୀରମାତା ସୁନୀତିଙ୍କ ନେତ୍ରରୁ ପ୍ରବାହିତ ହେଉଥିବା
ମଙ୍ଗଳମୟ ଆନନ୍ଦାଶ୍ରୁ ତାଙ୍କର ସ୍ତନକୁ ସିକ୍ତ କରୁଥିଲା ଏବଂ ସେଥିରୁ ରହି ରହି ଦୁଗ୍ଧସ୍ରାବ
ହେବାରେ ଲାଗିଥିଲା |
ତାଂ ଶଶଂସୁର୍ଜନା ରାଜ୍ଞୀଂ ଦିଷ୍ଟ୍ୟା ତେ ପୁତ୍ର ଆର୍ତିହା ।
ପ୍ରତିଲବ୍ଧଶ୍ଚିରଂ ନଷ୍ଟୋ ରକ୍ଷିତା ମଣ୍ଡଲଂ ଭୁବଃ ॥ ୫୧॥
ସେହି ସମୟରେ ପୁରବାସୀଜନ ତାଙ୍କର ପ୍ରଶଂସା କରି କହିବାରେ ଲାଗିଲେ, ‘ହେ ମହାରାଣୀ ! ସୌଭାଗ୍ୟବଶତଃ ବହୁତ ଦିନରୁ ହଜି ଯାଇଥିବା ଆପଣଙ୍କର
ପୁତ୍ର ଏବେ ଫେରି ଆସିଛନ୍ତି | ସେ ଆମ ସମସ୍ତଙ୍କର ଦୁଃଖ ଦୂର କରିବେ ଏବଂ ବହୁତ ଦିନ ଯାଏଁ
ଭୂମଣ୍ଡଳକୁ ରକ୍ଷା କରିବେ |
ଅଭ୍ୟର୍ଚିତସ୍ତ୍ୱୟା ନୂନଂ ଭଗବାନ୍ ପ୍ରଣତାର୍ତିହା ।
ଯଦନୁଧ୍ୟାୟିନୋ ଧୀରା ମୃତ୍ୟୁଂ ଜିଗ୍ୟୁଃ ସୁଦୁର୍ଜୟମ୍ ॥ ୫୨॥
ଆପଣ ନିଶ୍ଚିତ ଭାବରେ ଶରଣାଗତ-ଭୟଭଞ୍ଜନ ଶ୍ରୀହରିଙ୍କର ଉପାସନା
କରିଛନ୍ତି | ନିରନ୍ତର ତାଙ୍କର ଧ୍ୟାନ କରୁଥିବା ଧୀର ପୁରୁଷ ପରମ ଦୁର୍ଜୟ ମୃତ୍ୟୁକୁ ମଧ୍ୟ
ସହଜରେ ଜୟ କରିପାରନ୍ତି |
ଲାଲ୍ୟମାନଂ ଜନୈରେବଂ ଧ୍ରୁବଂ ସଭ୍ରାତରଂ ନୃପଃ ।
ଆରୋପ୍ୟ କରିଣୀଂ ହୃଷ୍ଟଃ ସ୍ତୂୟମାନୋଽବିଶତ୍ପୁରମ୍ ॥ ୫୩॥
ହେ ବିଦୁର ! ଏହିପରି ଭାବରେ ସମସ୍ତେ ଧ୍ରୁବଙ୍କ ପ୍ରତି ନିଜ ନିଜ
ସ୍ନେହ-ଆଦର ପ୍ରକଟ କରୁଥିବା ବେଳେ, ଉତ୍ତମଙ୍କ ସହିତ
ଧ୍ରୁବଙ୍କୁ ହସ୍ତିନୀ ପୃଷ୍ଠରେ ବସାଇ ରାଜା ଉତ୍ତାନପାଦ ଅତ୍ୟନ୍ତ ହର୍ଷପୂର୍ବକ ରାଜଧାନୀରେ
ପ୍ରବେଶ କଲେ | ରାସ୍ତାରେ ସବୁ ଲୋକ ତାଙ୍କ ଭାଗ୍ୟର ପ୍ରଶଂସା କରୁଥାଆନ୍ତି |
ତତ୍ର ତତ୍ରୋପସଙ୍କୢପ୍ତୈର୍ଲସନ୍ମକରତୋରଣୈଃ ।
ସବୃନ୍ଦୈଃ କଦଲୀସ୍ତମ୍ଭୈଃ ପୂଗପୋତୈଶ୍ଚ ତଦ୍ୱିଧୈଃ ॥ ୫୪॥
ନଗରରେ ସ୍ଥାନେ ସ୍ଥାନେ ମକରାକୃତି ତୋରଣ ଗଢା ହୋଇଥିଲା ଏବଂ ତାହାକୁ
ଫଳ-ପୁଷ୍ପର ଗୁଚ୍ଛ ତଥା କଦଳୀ ଏବଂ ଗୁଆ ଗଛର ସ୍ତମ୍ଭରେ ସଜ୍ଜିତ କରାଯାଇ ଥିଲା |
ଚୂତପଲ୍ଲବବାସଃସ୍ରଙ୍ ମୁକ୍ତାଦାମବିଲମ୍ବିଭିଃ ।
ଉପସ୍କୃତଂ ପ୍ରତିଦ୍ୱାରମପାଂ କୁମ୍ଭୈଃ ସଦୀପକୈଃ ॥ ୫୫॥
ସମସ୍ତଙ୍କ ଦ୍ବାରଦେଶରେ ଦୀପ ସହିତ ଜଳଭରା କଳସ ରହିଥିଲା, ଯାହାକୁ ଆମ୍ବଡାଳ, ବସ୍ତ୍ର,
ଫୁଲମାଳ ଏବଂ ମୋତିଝରା ଆଦିରେ ସୁସଜ୍ଜିତ କରାଯାଇ ଥିଲା |
ପ୍ରାକାରୈର୍ଗୋପୁରାଗାରୈଃ ଶାତକୁମ୍ଭପରିଚ୍ଛଦୈଃ ।
ସର୍ୱତୋଽଲଙ୍କୃତଂ ଶ୍ରୀମଦ୍ୱିମାନଶିଖରଦ୍ୟୁଭିଃ ॥ ୫୬॥
ଯେଉଁ ଚଉତରା, ଫାଟକ ଏବଂ ମହଲ ଆଦିରେ ନଗରୀ ସୁଶୋଭିତ ଥିଲା, ତାହାକୁ ସୁବର୍ଣ୍ଣ ସାମଗ୍ରୀରେ ସଜ୍ଜିତ କରାଯାଇ ଥିଲା ତଥା
ସେମାନଙ୍କର ଶୀର୍ଷ ବିମାନର ଶିଖର ସଦୃଶ ଚମକିବାରେ ଲାଗିଥିଲା |
ମୃଷ୍ଟଚତ୍ୱରରଥ୍ୟାଟ୍ଟମାର୍ଗଂ ଚନ୍ଦନଚର୍ଚିତମ୍ ।
ଲାଜାକ୍ଷତୈଃ ପୁଷ୍ପଫଲୈସ୍ତଣ୍ଡୁଲୈର୍ବଲିଭିର୍ୟୁତମ୍ ॥ ୫୭॥
ନଗରର ଛକ, ଗଳି, ଅଟାରୀ ଏବଂ
ସଡକକୁ ଝଡା-ପୋଛା କରି ତହିଁରେ ଚନ୍ଦନ ମିଶ୍ରିତ ଜଳ ସିଞ୍ଚନ କରାଯାଇ ଥିଲା ଏବଂ ସ୍ଥାନେ ସ୍ଥାନେ
ଧାନ, ପୁଷ୍ପ, ଫଳ, ଯଅ ଆଦି ମାଙ୍ଗଳିକ
ଉପହାର ସବୁ ସଜାଇ ରଖାଯାଇ ଥିଲା |
ଧ୍ରୁବାୟ ପଥି ଦୃଷ୍ଟାୟ ତତ୍ର ତତ୍ର ପୁରସ୍ତ୍ରିୟଃ
ସିଦ୍ଧାର୍ଥାକ୍ଷତଦଧ୍ୟମ୍ବୁଦୂର୍ୱାପୁଷ୍ପଫଲାନି ଚ ॥ ୫୮॥
ଉପଜହ୍ରୁଃ ପ୍ରୟୁଞ୍ଜାନା ବାତ୍ସଲ୍ୟାଦାଶିଷଃ ସତୀଃ ।
ଶୃଣ୍ୱଂସ୍ତଦ୍ୱଲ୍ଗୁଗୀତାନି ପ୍ରାବିଶଦ୍ଭବନଂ ପିତୁଃ ॥ ୫୯॥
ଧ୍ରୁବ ରାଜମାର୍ଗରେ ଯାଉଥିଲେ | ତାଙ୍କୁ ଦେଖିବା ପାଇଁ ନଗରର ସ୍ଥାନେ
ସ୍ଥାନେ ଶୀଳବତୀ ସୁନ୍ଦରୀ ରମଣୀମାନେ ଏକତ୍ରିତ ହୋଇଥିଲେ | ବାତ୍ସଲ୍ୟଭାବରେ ସେମାନେ ଅନେକ
ଶୁଭାଶୀଷ ଦେଇ ତାଙ୍କ ଉପରେ ଧଳା ସୋରିଷ, ଅକ୍ଷତ,
ଦହୀ, ଜଳ, ଦୁବ, ପୁଷ୍ପ, ଫଳ ଆଦି ବର୍ଷା କରୁଥିଲେ | ଏହିପରି ଭାବରେ ସେମାନଙ୍କର ମନୋହର
ସଂଗୀତ ଶୁଣି ଶୁଣି ଧ୍ରୁବ ନିଜ ପିତାଙ୍କ ମହଲରେ ପ୍ରବେଶ କଲେ |
ମହାମଣିବ୍ରାତମୟେ ସ ତସ୍ମିନ୍ ଭବନୋତ୍ତମେ ।
ଲାଲିତୋ ନିତରାଂ ପିତ୍ରା ନ୍ୟବସଦ୍ଦିବି ଦେବବତ୍ ॥ ୬୦॥
ସେହି ଶ୍ରେଷ୍ଠ ଭବନ ମହାମୂଲ୍ୟ ମଣିମାନଙ୍କର ଝରାରେ ସୁସଜ୍ଜିତ ଥିଲା
| ସେଠାରେ ନିଜ ପିତାଙ୍କର ସ୍ନେହ-ଆଦରର ସୁଖ ଭୋଗ କରି ଧ୍ରୁବ ସ୍ବର୍ଗଲୋକର ଦେବତାମାନଙ୍କ ପରି
ରହିବାରେ ଲାଗିଲେ |
ପୟଃଫେନନିଭାଃ ଶୟ୍ୟା ଦାନ୍ତା ରୁକ୍ମପରିଚ୍ଛଦାଃ ।
ଆସନାନି ମହାର୍ହାଣି ଯତ୍ର ରୌକ୍ମା ଉପସ୍କରାଃ ॥ ୬୧॥
ସେଠାରେ ଦୁଗ୍ଧଫେଣ ସଦୃଶ ଶୁଭ୍ର-କୋମଳ ଶଯ୍ୟା, ହାତୀ ଦାନ୍ତର ପଲଙ୍କ, ସୁନେଲି ଜରିଯୁକ୍ତ ପରଦା, ବହୁମୂଲ୍ୟ ଆସନ ଏବଂ ଅନେକ ସୁବର୍ଣ୍ଣ ସାମଗ୍ରୀ ଥିଲା |
ଯତ୍ର ସ୍ଫଟିକକୁଡ୍ୟେଷୁ ମହାମାରକତେଷୁ ଚ ।
ମଣିପ୍ରଦୀପା ଆଭାନ୍ତି ଲଲନାରତ୍ନସଂୟୁତାଃ ॥ ୬୨॥
ତାହାର ସ୍ପଟିକ ଏବଂ ମର୍କତମଣି ନିର୍ମିତ କାନ୍ଥରେ ରତ୍ନ-ନିର୍ମିତ
ସ୍ତ୍ରୀମୂର୍ତ୍ତି ଉପରେ ମଣିମୟ ଦୀପାଳି ଜଗମଗ ହେଉଥିଲା |
ଉଦ୍ୟାନାନି ଚ ରମ୍ୟାଣି ବିଚିତ୍ରୈରମରଦ୍ରୁମୈଃ ।
କୂଜଦ୍ୱିହଙ୍ଗମିଥୁନୈର୍ଗାୟନ୍ ମତ୍ତମଧୁବ୍ରତୈଃ ॥ ୬୩॥
ମହଲର ଚତୁର୍ପାର୍ଶ୍ବରେ ଅନେକ ଜାତିର ଦିବ୍ୟ ବୃକ୍ଷମାନଙ୍କରେ ଶୋଭିତ
ଉଦ୍ୟାନ ଥିଲା, ଯେଉଁଠାରେ
ପକ୍ଷୀମାନଙ୍କର କଳରବ ସହିତ ମତୁଆଲା ଭ୍ରମରମାନଙ୍କର ଗୁଞ୍ଜରଣ ପ୍ରତିଧ୍ବନିତ ହେଉଥିଲା |
ବାପ୍ୟୋ ବୈଦୂର୍ୟସୋପାନାଃ ପଦ୍ମୋତ୍ପଲକୁମୁଦ୍ୱତୀଃ ।
ହଂସକାରଣ୍ଡବକୁଲୈର୍ଜୁଷ୍ଟାଶ୍ଚକ୍ରାହ୍ୱସାରସୈଃ ॥ ୬୪॥
ସେହି ବଗିଚାରେ ବୈଦୁର୍ଯ୍ୟମଣିର ସୋପାନରେ ଶୋଭିତ ଅନେକ ପୁଷ୍କରିଣୀ
ଥିଲା – ଯହିଁରେ ନୀଳ, ଲାଲ ଏବଂ ଧଳା ରଙ୍ଗର
କମଳ ପ୍ରସ୍ଫୁଟିତ ହୋଇଥିଲା ତଥା ହଂସ, ବତକ, ଚକୁଆ, ସାରସ ଆଦି ପକ୍ଷୀ
କ୍ରୀଡା କରୁଥିଲେ |
ଉତ୍ତାନପାଦୋ ରାଜର୍ଷିଃ ପ୍ରଭାବଂ ତନୟସ୍ୟ ତମ୍ ।
ଶ୍ରୁତ୍ୱା ଦୃଷ୍ଟ୍ୱାଦ୍ଭୁତତମଂ ପ୍ରପେଦେ ବିସ୍ମୟଂ ପରମ୍ ॥ ୬୫॥
ରାଜର୍ଷି ଉତ୍ତାନପାଦ ଦେବର୍ଷି ନାରଦଙ୍କଠାରୁ ନିଜ ପୁତ୍ରର ଅତି
ଅଦ୍ଭୁତ ପ୍ରଭାବ ବିଷୟରେ ପୂର୍ବରୁ ଶୁଣିଥିଲେ | ଏବେ ପ୍ରତ୍ୟକ୍ଷରେ ତାଙ୍କୁ ସେହିପରି ଦେଖି ସେ
ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ |
ବୀକ୍ଷ୍ୟୋଢବୟସଂ ତଂ ଚ ପ୍ରକୃତୀନାଂ ଚ ସମ୍ମତମ୍ ।
ଅନୁରକ୍ତପ୍ରଜଂ ରାଜା ଧ୍ରୁବଂ ଚକ୍ରେ ଭୁବଃ ପତିମ୍ ॥ ୬୬॥
ତାପରେ ସେ ଯେତେବେଳେ ଦେଖିଲେ ଯେ ଧ୍ରୁବ ଏବେ ତରୁଣ ଅବସ୍ଥାରେ
ପଦାର୍ପଣ କରିଛନ୍ତି, ଅମାତ୍ୟବର୍ଗ ତାଙ୍କୁ
ଆଦର ଦୃଷ୍ଟିରେ ଦେଖୁଛନ୍ତି ତଥା ପ୍ରଜାମାନଙ୍କର ମଧ୍ୟ ତାଙ୍କ ପ୍ରତି ବିଶେଷ ଅନୁରାଗ ରହିଛି, ସେ ତାଙ୍କୁ ନିଖିଳ ଭୂମଣ୍ଡଳର ରାଜସିଂହାସନରେ ଅଭିଷିକ୍ତ କଲେ |
ଆତ୍ମାନଂ ଚ ପ୍ରବୟସମାକଲୟ୍ୟ ବିଶାମ୍ପତିଃ ।
ବନଂ ବିରକ୍ତଃ ପ୍ରାତିଷ୍ଠଦ୍ୱିମୃଶନ୍ନାତ୍ମନୋ ଗତିମ୍ ॥ ୬୭॥
ବୃଦ୍ଧାବସ୍ଥା ଆଗତ ଜାଣି ସେ ନିଜେ ଆତ୍ମସ୍ବରୂପର ଚିନ୍ତନ କରି
ସଂସାରରୁ ବିରକ୍ତ ହୋଇ ବନକୁ ଚାଲିଗଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ଧ୍ରୁବରାଜ୍ୟାଭିଷେକବର୍ଣନଂ ନାମ ନବମୋଽଧ୍ୟାୟଃ ॥ ୯॥

Comments
Post a Comment