ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ॥

ତ୍ରୟୋଦଶ ଅଧ୍ୟାୟ

ଧ୍ରୁବବଂଶର ବର୍ଣ୍ଣନ, ରାଜା ଅଙ୍ଗଙ୍କ ଚରିତ୍ର

 

ସୂତ ଉବାଚ

ନିଶମ୍ୟ କୌଷାରବିଣୋପବର୍ଣିତଂ

ଧ୍ରୁବସ୍ୟ ବୈକୁଣ୍ଠପଦାଧିରୋହଣମ୍ ।

ପ୍ରରୂଢଭାବୋ ଭଗବତ୍ୟଧୋକ୍ଷଜେ

ପ୍ରଷ୍ଟୁଂ ପୁନସ୍ତଂ ବିଦୁରଃ ପ୍ରଚକ୍ରମେ ॥ ୧॥

ସୂତ କହୁଛନ୍ତି – ହେ ଶୌନକ ! ଶ୍ରୀମୈତ୍ରେୟ ମୁନିଙ୍କ ମୁଖରୁ ଧ୍ରୁବଙ୍କର ବିଷ୍ଣୁପଦରେ ଆରୂଢ ହେବା ବୃତ୍ତାନ୍ତ ଶ୍ରବଣ କରି ବିଦୁରଙ୍କ ହୃଦୟରେ ଭଗବାନ ବିଷ୍ଣୁଙ୍କ ପ୍ରତି ଭକ୍ତିଭାବ ବୃଦ୍ଧି ଲାଭ କଲା ଏବଂ ସେ ପୁନର୍ବାର ମୈତ୍ରେୟଙ୍କୁ ପ୍ରଶ୍ନ କରିବାରେ ଲାଗିଲେ |

ବିଦୁର ଉବାଚ

କେ ତେ ପ୍ରଚେତସୋ ନାମ କସ୍ୟାପତ୍ୟାନି ସୁବ୍ରତ ।

କସ୍ୟାନ୍ୱବାୟେ ପ୍ରଖ୍ୟାତାଃ କୁତ୍ର ବା ସତ୍ରମାସତ ॥ ୨॥

ବିଦୁର ପଚାରିଲେ – ଭଗବତ୍-ପରାୟଣ ମୁନିବର ! ପ୍ରଚେତାମାନେ କିଏ ଥିଲେ ? କାହାର ପୁତ୍ର ଥିଲେ ? କାହାର ବଂଶରେ ପ୍ରସିଦ୍ଧ ଥିଲେ ଏବଂ ସେମାନେ କେଉଁଠି ଯଜ୍ଞ କରିଥିଲେ ?

ମନ୍ୟେ ମହାଭାଗବତଂ ନାରଦଂ ଦେବଦର୍ଶନମ୍ ।

ଯେନ ପ୍ରୋକ୍ତଃ କ୍ରିୟାୟୋଗଃ ପରିଚର୍ୟାବିଧିର୍ହରେଃ ॥ ୩॥

ମୁଁ ମାନୁଛି ଯେ ଭଗବାନଙ୍କ ଦର୍ଶନରେ କୃତାର୍ଥ ନାରଦ ପରମ ଭାଗବତ ଅଟନ୍ତି | ସେ ପାଞ୍ଚରାତ୍ରର ନିର୍ମାଣ କରି ଶ୍ରୀହରିଙ୍କ ପୂଜାପଦ୍ଧତିରୂପ କ୍ରିୟାଯୋଗର ଉପଦେଶ ଦେଇଛନ୍ତି |

ସ୍ୱଧର୍ମଶୀଲୈଃ ପୁରୁଷୈର୍ଭଗବାନ୍ ଯଜ୍ଞପୂରୁଷଃ ।

ଇଜ୍ୟମାନୋ ଭକ୍ତିମତା ନାରଦେନେରିତଃ କିଲ ॥ ୪॥

ଯେତେବେଳେ ପ୍ରଚେତାଗଣ ସ୍ବଧର୍ମ ପାଳନ କରି ଭଗବାନ ଯଜ୍ଞେଶ୍ବରଙ୍କର ଆରାଧନା କରୁଥିଲେ, ସେତେବେଳେ ଭକ୍ତପ୍ରବର ନାରଦ ସେମାନଙ୍କ ସମ୍ମୁଖରେ ଧ୍ରୁବଙ୍କର ଗୁଣଗାନ କରିଥିଲେ |

ଯାସ୍ତା ଦେବର୍ଷିଣା ତତ୍ର ବର୍ଣିତା ଭଗବତ୍କଥାଃ ।

ମହ୍ୟଂ ଶୁଶ୍ରୂଷବେ ବ୍ରହ୍ମନ୍ କାର୍ତ୍ସ୍ନ୍ୟେନାଚଷ୍ଟୁମର୍ହସି ॥ ୫॥

ବ୍ରହ୍ମନ୍ ! ସେଠାରେ ସେ ଭଗବାନଙ୍କର ଯେଉଁ ସବୁ ଲୀଳା-କଥାର ବର୍ଣ୍ଣନ କରିଥିଲେ, ଆପଣ ପୂର୍ଣ୍ଣରୂପରେ ମୋତେ ତାହା ସବୁ ଶୁଣାନ୍ତୁ; ମୋର ତାହା ଶୁଣିବାକୁ ପ୍ରବଳ ଇଚ୍ଛା ଜାତ ହୋଇଛି |

ମୈତ୍ରେୟ ଉବାଚ

ଧ୍ରୁବସ୍ୟ ଚୋତ୍କଲଃ ପୁତ୍ରଃ ପିତରି ପ୍ରସ୍ଥିତେ ବନମ୍ ।

ସାର୍ୱଭୌମଶ୍ରିୟଂ ନୈଚ୍ଛଦଧିରାଜାସନଂ ପିତୁଃ ॥ ୬॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ମହାରାଜ ଧ୍ରୁବ ବନକୁ ଚାଲିଯିବା ପରେ ତାଙ୍କର ପୁତ୍ର ଉତ୍କଳ ନିଜ ପିତାଙ୍କର ସାର୍ବଭୌମ ବୈଭବ ଏବଂ ରାଜସିଂହାସନକୁ ଅସ୍ବୀକାର କରିଦେଲେ |

ସ ଜନ୍ମନୋପଶାନ୍ତାତ୍ମା ନିଃସଙ୍ଗଃ ସମଦର୍ଶନଃ ।

ଦଦର୍ଶ ଲୋକେ ବିତତମାତ୍ମାନଂ ଲୋକମାତ୍ମନି ॥ ୭॥

ସେ ଜନ୍ମରୁ ହିଁ ଶାନ୍ତଚିତ୍ତ, ଆସକ୍ତିଶୂନ୍ୟ ଏବଂ ସମଦର୍ଶୀ ଥିଲେ ତଥା ସମ୍ପୂର୍ଣ୍ଣ ଲୋକରେ ନିଜ ଆତ୍ମାକୁ ଏବଂ ନିଜ ଆତ୍ମାରେ ସମ୍ପୂର୍ଣ୍ଣ ଲୋକକୁ ସ୍ଥିତ ଦେଖୁଥିଲେ |

ଆତ୍ମାନଂ ବ୍ରହ୍ମନିର୍ୱାଣଂ ପ୍ରତ୍ୟସ୍ତମିତବିଗ୍ରହମ୍ ।

ଅବବୋଧରସୈକାତ୍ମ୍ୟମାନନ୍ଦମନୁସନ୍ତତମ୍ ॥ ୮॥

ଅବ୍ୟବଚ୍ଛିନ୍ନୟୋଗାଗ୍ନିଦଗ୍ଧକର୍ମମଲାଶୟଃ ।

ସ୍ୱରୂପମବରୁନ୍ଧାନୋ ନାତ୍ମନୋଽନ୍ୟଂ ତଦୈକ୍ଷତ ॥ ୯॥

ତାଙ୍କ ଅନ୍ତଃକରଣର ବାସନାରୂପ ମଳ ଅଖଣ୍ଡ ଯୋଗାଗ୍ନିରେ ଭସ୍ମ ହୋଇ ଯାଇଥିଲା | ସେଥିପାଇଁ ସେ ନିଜ ଆତ୍ମାକୁ ବିଶୁଦ୍ଧ ବୋଧରସ ସହିତ ଅଭିନ୍ନ, ଆନନ୍ଦମୟ ଏବଂ ସର୍ବତ୍ର ବ୍ୟାପ୍ତ ଦେଖୁଥିଲେ | ସମସ୍ତ ଭେଦ-ରହିତ ପ୍ରଶାନ୍ତ ବ୍ରହ୍ମଙ୍କୁ ହିଁ ସେ ନିଜର ସ୍ବରୂପ ମନେ କରୁଥିଲେ ତଥା ନିଜ ଆତ୍ମାଠାରୁ ଭିନ୍ନ ଅନ୍ୟ କିଛି ନାହିଁ – ଏହିପରି ମନେ କରୁଥିଲେ |

ଜଡାନ୍ଧବଧିରୋନ୍ମତ୍ତମୂକାକୃତିରତନ୍ମତିଃ ।

ଲକ୍ଷିତଃ ପଥି ବାଲାନାଂ ପ୍ରଶାନ୍ତାର୍ଚିରିବାନଲଃ ॥ ୧୦॥

ରାସ୍ତାରେ ଏବଂ ଅନ୍ୟ ସ୍ଥାନମାନଙ୍କରେ ଅଜ୍ଞାନୀମାନଙ୍କୁ ସେ ଶିଖାହୀନ ଅଗ୍ନି ସଦୃଶ ମୂର୍ଖ, ଅନ୍ଧ, ବଧିର, ପାଗଳ ଅଥବା ମୁକ ପ୍ରତୀତ ହେଉଥିଲେ – ଯଦିଓ ବାସ୍ତବରେ ସେ ସେପରି ନ ଥିଲେ |

ମତ୍ୱା ତଂ ଜଡମୁନ୍ମତ୍ତଂ କୁଲବୃଦ୍ଧାଃ ସମନ୍ତ୍ରିଣଃ ।

ବତ୍ସରଂ ଭୂପତିଂ ଚକ୍ରୁର୍ୟବୀୟାଂସଂ ଭ୍ରମେଃ ସୁତମ୍ ॥ ୧୧॥

ସେଥିପାଇଁ କୁଳର ବୟୋବୃଦ୍ଧ ତଥା ମନ୍ତ୍ରୀମାନେ ତାଙ୍କୁ ମୂର୍ଖ ଏବଂ ପାଗଳ ମନେକରି ତାଙ୍କର ସାନ ଭାଈ ଭ୍ରମିପୁତ୍ର ବତ୍ସରଙ୍କୁ ରାଜ୍ୟର ରାଜା କରିଦେଲେ |

ସ୍ୱର୍ୱୀଥିର୍ୱତ୍ସରସ୍ୟେଷ୍ଟା ଭାର୍ୟାସୂତ ଷଡାତ୍ମଜାନ୍ ।

ପୁଷ୍ପାର୍ଣଂ ତିଗ୍ମକେତୁଂ ଚ ଇଷମୂର୍ଜଂ ବସୁଂ ଜୟମ୍ ॥ ୧୨॥

ବତ୍ସରଙ୍କ ପ୍ରେୟସୀ ଭାର୍ଯ୍ୟା ସ୍ବର୍ବୀଥିଙ୍କ ଗର୍ଭରୁ ପୁଷ୍ପାର୍ଣ, ତିମ୍ମକେତୁ, ଇଷ, ଊର୍ଜ, ବସୁ ଏବଂ ଜୟ ନାମରେ ଛଅଟି ପୁତ୍ର ଉତ୍ପନ୍ନ ହେଲେ |

ପୁଷ୍ପାର୍ଣସ୍ୟ ପ୍ରଭା ଭାର୍ୟା ଦୋଷା ଚ ଦ୍ୱେ ବଭୂବତୁଃ ।

ପ୍ରାତର୍ମଧ୍ୟନ୍ଦିନଂ ସାୟମିତି ହ୍ୟାସନ୍ ପ୍ରଭାସୁତାଃ ॥ ୧୩॥

ପୁଷ୍ପାର୍ଣଙ୍କର ପ୍ରଭା ଏବଂ ଦୋଷା ନାମରେ ଦୁଇ ପତ୍ନୀ ଥିଲେ; ସେମାନଙ୍କ ମଧ୍ୟରୁ ପ୍ରଭାଙ୍କଠାରୁ ପ୍ରାତଃ, ମଧ୍ୟନ୍ଦିନ ଏବଂ ସାୟଂ ନାମରେ ତିନି ପୁତ୍ର ହେଲେ |

ପ୍ରଦୋଷୋ ନିଶିଥୋ ବ୍ୟୁଷ୍ଟ ଇତି ଦୋଷା ସୁତାସ୍ତ୍ରୟଃ ।

ବ୍ୟୁଷ୍ଟଃ ସୁତଂ ପୁଷ୍କରିଣ୍ୟାଂ ସର୍ୱତେଜସମାଦଧେ ॥ ୧୪॥

ଦୋଷାଙ୍କର ପ୍ରଦୋଷ, ନିଶୀଥ ଏବଂ ବ୍ୟୁଷ୍ଟ – ଏହି ତିନି ପୁତ୍ର ହେଲେ | ବ୍ୟୁଷ୍ଟ ନିଜ ପତ୍ନୀ ପୁଷ୍କରିଣୀଙ୍କଠାରୁ ସର୍ବତେଜା ନାମକ ପୁତ୍ର ଉତ୍ପନ୍ନ କଲେ |

ସ ଚକ୍ଷୁଃ ସୁତମାକୂତ୍ୟାଂ ପତ୍ନ୍ୟାଂ ମନୁମବାପ ହ ।

ମନୋରସୂତ ମହିଷୀ ବିରଜାନ୍ ନଡ୍ୱଲା ସୁତାନ୍ ॥ ୧୫॥

ପୁରୁଂ କୁତ୍ସଂ ତ୍ରିତଂ ଦ୍ୟୁମ୍ନଂ ସତ୍ୟବନ୍ତମୃତଂ ବ୍ରତମ୍ ।

ଅଗ୍ନିଷ୍ଟୋମମତୀରାତ୍ରଂ ପ୍ରଦ୍ୟୁମ୍ନଂ ଶିବିମୁଲ୍ମୁକମ୍ ॥ ୧୬॥

ତାଙ୍କ ପତ୍ନୀ ଆକୂତିଙ୍କଠାରୁ ଚକ୍ଷୁଃ ନାମକ ପୁତ୍ର ଜାତ ହେଲା | ଚାକ୍ଷୁଷ ମନ୍ବନ୍ତରରେ ସେ ମନୁ ହେଲେ | ଚକ୍ଷୁ ମନୁଙ୍କ ସ୍ତ୍ରୀ ନଙ୍ବଳାଙ୍କଠାରୁ ପୁରୁ, କୁତ୍ସ, ତ୍ରିତ, ଦ୍ୟୁମ୍ନ, ସତ୍ୟବାନ୍, ଋତ, ବ୍ରତ, ଅଗ୍ନିଷ୍ଟୋମ, ଅତିରାତ୍ର, ପ୍ରଦ୍ୟୁମ୍ନ, ଶିବି ଏବଂ ଉଲ୍ମୁକ – ଏହି ବାରଜଣ ସତ୍ତ୍ବଗୁଣୀ ବାଳକ ଉତ୍ପନ୍ନ ହେଲେ |

ଉଲ୍ମୁକୋଽଜନୟତ୍ପୁତ୍ରାନ୍ ପୁଷ୍କରିଣ୍ୟାଂ ଷଡୁତ୍ତମାନ୍ ।

ଅଙ୍ଗଂ ସୁମନସଂ ଖ୍ୟାତିଂ କ୍ରତୁମଙ୍ଗିରସଂ ଗୟମ୍ ॥ ୧୭॥

ଏମାନଙ୍କ ମଧ୍ୟରୁ ଉଲ୍ମୁକ ନିଜ ପତ୍ନୀ ପୁଷ୍କରିଣୀଙ୍କଠାରୁ ଅଙ୍ଗ, ସୁମନା, ଖ୍ୟାତି, କ୍ରତୁ, ଅଙ୍ଗିରା ଏବଂ ଗୟ – ଏହି ଛଅ ଉତ୍ତମ ପୁତ୍ର ଉତ୍ପନ୍ନ କଲେ |

ସୁନୀଥାଙ୍ଗସ୍ୟ ଯା ପତ୍ନୀ ସୁଷୁବେ ବେନମୁଲ୍ବଣମ୍ ।

ଯଦ୍ଦୌଃଶୀଲ୍ୟାତ୍ସ ରାଜର୍ଷିର୍ନିର୍ୱିଣ୍ଣୋ ନିରଗାତ୍ପୁରାତ୍ ॥ ୧୮॥

ଅଙ୍ଗଙ୍କର ପତ୍ନୀ ସୁନୀଥା କ୍ରୂରକର୍ମା ବେନଙ୍କୁ ଜନ୍ମ ଦେଲେ, ଯାହାର ଦୁଷ୍ଟତାରେ ଉଦବିଗ୍ନ ହୋଇ ରାଜର୍ଷି ଅଙ୍ଗ ନଗର ତ୍ୟାଗ କରି ଚାଲି ଯାଇଥିଲେ |

ଯମଙ୍ଗ ଶେପୁଃ କୁପିତା ବାଗ୍ୱଜ୍ରା ମୁନୟଃ କିଲ ।

ଗତାସୋସ୍ତସ୍ୟ ଭୂୟସ୍ତେ ମମନ୍ଥୁର୍ଦକ୍ଷିଣଂ କରମ୍ ॥ ୧୯॥

ଅରାଜକେ ତଦା ଲୋକେ ଦସ୍ୟୁଭିଃ ପୀଡିତାଃ ପ୍ରଜାଃ ।

ଜାତୋ ନାରାୟଣାଂଶେନ ପୃଥୁରାଦ୍ୟଃ କ୍ଷିତୀଶ୍ୱରଃ ॥ ୨୦॥

ପ୍ରିୟ ବିଦୁର ! ମୁନିମାନଙ୍କର ବାକ୍ୟ ବଜ୍ର ତୁଲ୍ୟ ଅମୋଘ ହୋଇଥାଏ; ସେମାନେ କୁପିତ ହୋଇ ବେନଙ୍କୁ ଶାପ ଦେଇଥିଲେ | କିନ୍ତୁ ସେ ମରିଯିବା ପରେ ରାଜା ନ ଥିବା କାରଣରେ ରାଜ୍ୟରେ ଡକାୟତମାନଙ୍କ ଦ୍ବାରା ପ୍ରଜାବର୍ଗଙ୍କୁ ଅଶେଷ କଷ୍ଟ ଭୋଗ କରିବାକୁ ପଡିଲା | ଏହା ଦେଖି ସେହି ମୁନିମାନେ ବେନର ଦକ୍ଷିଣ ଭୁଜ ମନ୍ଥନ କଲେ, ଯାହାର ଫଳସ୍ବରୂପ ଭଗବାନ ବିଷ୍ଣୁଙ୍କର ଅଂଶାବତାର ଆଦିସମ୍ରାଟ୍ ମହାରାଜ ପୃଥୁ ପ୍ରକଟ ହେଲେ |

ବିଦୁର ଉବାଚ

ତସ୍ୟ ଶୀଲନିଧେଃ ସାଧୋର୍ବ୍ରହ୍ମଣ୍ୟସ୍ୟ ମହାତ୍ମନଃ ।

ରାଜ୍ଞଃ କଥମଭୂଦ୍ଦୁଷ୍ଟା ପ୍ରଜା ଯଦ୍ୱିମନା ଯୟୌ ॥ ୨୧॥

ବିଦୁର ପଚାରିଲେ – ବ୍ରହ୍ମନ୍ ! ମହାରାଜ ଅଙ୍ଗ ତ ଅତ୍ୟନ୍ତ ଶୀଳସମ୍ପନ୍ନ, ସାଧୁସ୍ବଭାବ, ବ୍ରାହ୍ମଣ-ଭକ୍ତ ମହାତ୍ମା ଥିଲେ | ତାଙ୍କଠାରୁ ବେନ ପରି ଦୁଷ୍ଟ ପୁତ୍ର କିପରି ଉତ୍ପନ୍ନ ହେଲା, ଯାହା ଯୋଗୁଁ ଦୁଃଖୀ ହୋଇ ତାଙ୍କୁ ନଗର ତ୍ୟାଗ କରିବାକୁ ପଡିଲା ?

କିଂ ବାଂହୋ ବେନ ଉଦ୍ଦିଶ୍ୟ ବ୍ରହ୍ମଦଣ୍ଡମୟୂୟୁଜନ୍ ।

ଦଣ୍ଡବ୍ରତଧରେ ରାଜ୍ଞି ମୁନୟୋ ଧର୍ମକୋବିଦାଃ ॥ ୨୨॥

ରାଜଦଣ୍ଡଧାରୀ ବେନ ମଧ୍ୟ ଏପରି କେଉଁ ଅପରାଧ କରିଥିଲା ଯେ ଧର୍ମଜ୍ଞ ମୁନୀଶ୍ବରମାନେ ତା ପ୍ରତି ଶାପରୂପ ବ୍ରହ୍ମଦଣ୍ଡ ପ୍ରୟୋଗ କଲେ ?

ନାବଧ୍ୟେୟଃ ପ୍ରଜାପାଲଃ ପ୍ରଜାଭିରଘବାନପି ।

ଯଦସୌ ଲୋକପାଲାନାଂ ବିଭର୍ତ୍ୟୋଜଃ ସ୍ୱତେଜସା ॥ ୨୩॥

ଏହା ପ୍ରଜାମାନଙ୍କର କର୍ତ୍ତବ୍ୟ ଅଟେ ଯେ ପ୍ରଜାପାଳକ ରାଜାଙ୍କ ଦ୍ବାରା କୌଣସି ପାପକର୍ମ ହୋଇଗଲେ ବି ସେମାନେ ତାଙ୍କର ତିରସ୍କାର କରିବେ ନାହିଁ; କାରଣ ରାଜା ନିଜ ପ୍ରଭାବରେ ଅଷ୍ଟ ଲୋକପାଳଙ୍କର ତେଜ ଧାରଣ କରିଥାଆନ୍ତି |

ଏତଦାଖ୍ୟାହି ମେ ବ୍ରହ୍ମନ୍ ସୁନୀଥାତ୍ମଜଚେଷ୍ଟିତମ୍ ।

ଶ୍ରଦ୍ଦଧାନାୟ ଭକ୍ତାୟ ତ୍ୱଂ ପରାବରବିତ୍ତମଃ ॥ ୨୪॥

ବ୍ରହ୍ମନ୍ ! ଆପଣ ଭୂତ-ଭବିଷ୍ୟକୁ ଜାଣୁଥିଵା ମହାତ୍ମାମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଅଟନ୍ତି | ମୁଁ ଆପଣଙ୍କର ଶ୍ରଦ୍ଧାଳୁ ଭକ୍ତ ଅଟେ; ସେଥିପାଇଁ ଆପଣ ମୋତେ ସୁନୀଥାଙ୍କ ପୁତ୍ର ବେନର କାରନାମା ବିଷୟରେ ସବୁକଥା ଶୁଣାନ୍ତୁ |

ମୈତ୍ରେୟ ଉବାଚ

ଅଙ୍ଗୋଽଶ୍ୱମେଧଂ ରାଜର୍ଷିରାଜହାର ମହାକ୍ରତୁମ୍ ।

ନାଜଗ୍ମୁର୍ଦେବତାସ୍ତସ୍ମିନ୍ନାହୂତା ବ୍ରହ୍ମବାଦିଭିଃ ॥ ୨୫॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଥରେ ରାଜର୍ଷି ଅଙ୍ଗ ଅଶ୍ବମେଧ ମହାଯଜ୍ଞର ଅନୁଷ୍ଠାନ କଲେ | ସେଥିରେ ବେଦବାଦୀ ବ୍ରାହ୍ମଣମାନଙ୍କର ଆବାହନ ସତ୍ତ୍ବେ ଦେବତାମାନେ ସେମାନଙ୍କର ଭାଗ ଗ୍ରହଣ କରିବା ପାଇଁ ଉପସ୍ଥିତ ହେଲେ ନାହିଁ |

ତମୂଚୁର୍ୱିସ୍ମିତାସ୍ତତ୍ର ଯଜମାନମଥର୍ତ୍ୱିଜଃ ।

ହବୀଂଷି ହୂୟମାନାନି ନ ତେ ଗୃହ୍ଣନ୍ତି ଦେବତାଃ ॥ ୨୬॥

ସେତେବେଳେ ଋତ୍ବିଜମାନେ ବିସ୍ମିତ ହୋଇ ଯଜମାନ ଅଙ୍ଗଙ୍କୁ କହିଲେ, ‘ରାଜନ୍ ! ଆମ୍ଭେମାନେ ଆହୂତି ରୂପରେ ଆପଣଙ୍କର ଘୃତ ଆଦି ଯେଉଁ ପଦାର୍ଥରେ ହୋମ କରୁଛୁ, ତାହାକୁ ଦେବତାମାନେ ସ୍ବୀକାର କରୁନାହାଁନ୍ତି |

ରାଜନ୍ ହବୀଂଷ୍ୟଦୁଷ୍ଟାନି ଶ୍ରଦ୍ଧୟାସାଦିତାନି ତେ ।

ଛନ୍ଦାଂସ୍ୟଯାତୟାମାନି ଯୋଜିତାନି ଧୃତବ୍ରତୈଃ ॥ ୨୭॥

ଆମେ ଜାଣିଛୁ, ଆପଣଙ୍କ ଦ୍ବାରା ଯୋଗାଇ ଦିଆ ଯାଇଥିବା ହୋମ-ସାମଗ୍ରୀ ଦୂଷିତ ନୁହେଁ; ତାହାକୁ ଆପଣ ପୂର୍ଣ୍ଣ ଶ୍ରଦ୍ଧାରେ ଏକତ୍ରିତ କରିଛନ୍ତି ତଥା ବେଦମନ୍ତ୍ର ମଧ୍ୟ କୌଣସି ପ୍ରକାରେ ବଳହୀନ ନୁହେଁ, କାରଣ ତାହା ପ୍ରୟୋଗ କରୁଥିବା ଋତ୍ବିଜଗଣ ଯାଜକୋଚିତ ସବୁ ନିୟମ ପୂର୍ଣ୍ଣତଃ ପାଳନ କରନ୍ତି |

ନ ବିଦାମେହ ଦେବାନାଂ ହେଲନଂ ବୟମଣ୍ୱପି ।

ଯନ୍ନ ଗୃହ୍ଣନ୍ତି ଭାଗାନ୍ ସ୍ୱାନ୍ ଯେ ଦେବାଃ କର୍ମସାକ୍ଷିଣଃ ॥ ୨୮॥

ଏଠାରେ ଏପରି କୌଣସି ତ୍ରୁଟି ଆମ ନଜରକୁ ଆସୁନାହିଁ ଯହିଁରୁ ଅନୁମାନ କରି ହେବ ଏହି ଯଜ୍ଞରେ ଦେବତାମାନଙ୍କର କିଂଚିତ୍ ବି ତିରସ୍କାର ହୋଇଛି; ତଥାପି କର୍ମାଧ୍ୟକ୍ଷ ଦେବତାମାନେ କାହିଁକି ନିଜ ନିଜର ଭାଗ ଗ୍ରହଣ କରୁନାହାଁନ୍ତି ?’

ମୈତ୍ରେୟ ଉବାଚ

ଅଙ୍ଗୋ ଦ୍ୱିଜବଚଃ ଶ୍ରୁତ୍ୱା ଯଜମାନଃ ସୁଦୁର୍ମନାଃ ।

ତତ୍ପ୍ରଷ୍ଟୁଂ ବ୍ୟସୃଜଦ୍ୱାଚଂ ସଦସ୍ୟାଂସ୍ତଦନୁଜ୍ଞୟା ॥ ୨୯॥

ମୈତ୍ରେୟ କହୁଛନ୍ତି – ଋତ୍ବିଜମାନଙ୍କର କଥା ଶୁଣି ଯଜମାନ ଅଙ୍ଗ ବହୁତ ଉଦାସ ହେଲେ | ତାପରେ ସେ ଯାଜକମାନଙ୍କଠାରୁ ଅନୁମତି ନେଇ ମୌନ ଭଙ୍ଗ କଲେ ଏବଂ ସଦସ୍ୟମାନଙ୍କୁ ପଚାରିଲେ -

ନାଗଚ୍ଛନ୍ତ୍ୟାହୁତା ଦେବା ନ ଗୃହ୍ଣନ୍ତି ଗ୍ରହାନିହ ।

ସଦସସ୍ପତୟୋ ବ୍ରୂତ କିମବଦ୍ୟଂ ମୟା କୃତମ୍ ॥ ୩୦॥

‘ହେ ସଦସ୍ୟଗଣ ! ଆବାହନ କଲେ ମଧ୍ୟ ଦେବତାମାନେ ଯଜ୍ଞରେ ଉପସ୍ଥିତ ହୋଇ ସୋମପାତ୍ର ଗ୍ରହଣ କରୁନାହାଁନ୍ତି; ଆପଣମାନେ ମୋତେ କୁହନ୍ତୁ, ମୋ ଦ୍ବାରା ଏପରି କେଉଁ ଅପରାଧ ହୋଇଛି ?’

ସଦସସ୍ପତୟ ଊଚୁଃ

ନରଦେବେହ ଭବତୋ ନାଘଂ ତାବନ୍ମନାକ୍ସ୍ଥିତମ୍ ।

ଅସ୍ତ୍ୟେକଂ ପ୍ରାକ୍ତନମଘଂ ଯଦିହେଦୃକ୍ତ୍ୱମପ୍ରଜଃ ॥ ୩୧॥

ସଦସ୍ୟମାନେ କହିଲେ – ରାଜନ୍ ! ଏହି ଜନ୍ମରେ ତ ଆପଣଙ୍କ ଦ୍ବାରା କିଂଚିତ୍ ବି ଅପରାଧ ହୋଇନାହିଁ; ହଁ, ପୂର୍ବଜନ୍ମର ଏକ ଅପରାଧ ଅବଶ୍ୟ ରହିଛି, ଯେଉଁ କାରଣରୁ ଆପଣ ସର୍ବଗୁଣ-ସମ୍ପନ୍ନ ହୋଇ ମଧ୍ୟ ପୁତ୍ରହୀନ ଅଟନ୍ତି |

ତଥା ସାଧୟ ଭଦ୍ରଂ ତେ ଆତ୍ମାନଂ ସୁପ୍ରଜଂ ନୃପ ।

ଇଷ୍ଟସ୍ତେ ପୁତ୍ରକାମସ୍ୟ ପୁତ୍ରଂ ଦାସ୍ୟତି ଯଜ୍ଞଭୁକ୍ ॥ ୩୨॥

ଆପଣଙ୍କର କଲ୍ୟାଣ ହେବ | ସେଥିପାଇଁ ଆପଣ ପ୍ରଥମେ ସୁପୁତ୍ର ପ୍ରାପ୍ତି ନିମନ୍ତେ ଚେଷ୍ଟା କରନ୍ତୁ | ପୁତ୍ର କାମନାରେ ଆପଣ ଯଦି ଯଜ୍ଞ କରିବେ, ତେବେ ଯଜ୍ଞେଶ୍ବର ଭଗବାନ ନିଶ୍ଚୟ ଆପଣଙ୍କୁ ପୁତ୍ର ପ୍ରଦାନ କରିବେ |

ତଥା ସ୍ୱଭାଗଧେୟାନି ଗ୍ରହୀଷ୍ୟନ୍ତି ଦିବୌକସଃ ।

ଯଦ୍ୟଜ୍ଞପୁରୁଷଃ ସାକ୍ଷାଦପତ୍ୟାୟ ହରିର୍ୱୃତଃ ॥ ୩୩॥

ସନ୍ତାନ-ପ୍ରାପ୍ତି ନିମନ୍ତେ ଯେତେବେଳେ ସାକ୍ଷାତ୍ ଯଜ୍ଞପୁରୁଷ ଶ୍ରୀହରିଙ୍କର ଆବାହନ କରାଯିବ, ସେତେବେଳେ ଦେବତାମାନେ ସ୍ବତଃ ନିଜ ନିଜର ଭାଗ ଗ୍ରହଣ କରିବେ |

ତାଂସ୍ତାନ୍ କାମାନ୍ ହରିର୍ଦଦ୍ୟାଦ୍ୟାନ୍ ଯାନ୍ କାମୟତେ ଜନଃ ।

ଆରାଧିତୋ ଯଥୈବୈଷ ତଥା ପୁଂସାଂ ଫଲୋଦୟଃ ॥ ୩୪॥

ଭକ୍ତ ଯେଉଁ-ଯେଉଁ ବସ୍ତୁ ଇଚ୍ଛା କରିଥାଏ, ଶ୍ରୀହରି ତାକୁ ସେହି-ସେହି ପଦାର୍ଥ ପ୍ରଦାନ କରନ୍ତି | ତାଙ୍କର ଯେପରି ଭାବରେ ଆରାଧନା କରାଯାଇ ଥାଏ, ଉପାସକକୁ ଠିକ୍ ସେହିପରି ଫଳ ମିଳିଥାଏ |

ଇତି ବ୍ୟବସିତା ବିପ୍ରାସ୍ତସ୍ୟ ରାଜ୍ଞଃ ପ୍ରଜାତୟେ ।

ପୁରୋଡାଶଂ ନିରବପନ୍ ଶିପିବିଷ୍ଟାୟ ବିଷ୍ଣବେ ॥ ୩୫॥

ଏହିପରି ଭାବରେ ଅଙ୍ଗଙ୍କୁ ପୁତ୍ରପ୍ରାପ୍ତି କରାଇବାର ନିଶ୍ଚୟ କରି ଋତ୍ବିଜମାନେ ପଶୁଠାରେ ଯଜ୍ଞରୂପରେ ରହିଥିବା ଶ୍ରୀବିଷ୍ଣୁଭଗବାନଙ୍କର ପୂଜନ ନିମନ୍ତେ ପୁରୋଡାଶ ନାମକ ଚରୁ ସମର୍ପଣ କଲେ |

ତସ୍ମାତ୍ପୁରୁଷ ଉତ୍ତସ୍ଥୌ ହେମମାଲ୍ୟମଲାମ୍ବରଃ ।

ହିରଣ୍ମୟେନ ପାତ୍ରେଣ ସିଦ୍ଧମାଦାୟ ପାୟସମ୍ ॥ ୩୬॥

ଅଗ୍ନିରେ ଆହୂତି ଦେବା ମାତ୍ରେ ଅଗ୍ନିକୁଣ୍ଡରୁ ସୁବର୍ଣ୍ଣ ହାର ଏବଂ ଶୁଭ୍ର ବସ୍ତ୍ରରେ ବିଭୂଷିତ ଜଣେ ପୁରୁଷ ପ୍ରକଟ ହେଲେ; ହାତରେ ସ୍ବର୍ଣ୍ଣପାତ୍ରରେ ସେ ସିଦ୍ଧ ଖୀର ଧାରଣ କରିଥିଲେ |

ସ ବିପ୍ରାନୁମତୋ ରାଜା ଗୃହୀତ୍ୱାଞ୍ଜଲିନୌଦନମ୍ ।

ଅବଘ୍ରାୟ ମୁଦା ଯୁକ୍ତଃ ପ୍ରାଦାତ୍ପତ୍ନ୍ୟା ଉଦାରଧୀଃ ॥ ୩୭॥

ଉଦାରବୁଦ୍ଧି ରାଜା ଅଙ୍ଗ ଯାଜକମାନଙ୍କର ଅନୁମତିରେ ସେହି ଖୀରକୁ ନିଜ ଅଞ୍ଜଳିରେ ଗ୍ରହଣ କଲେ ଏବଂ ତାହାକୁ ସ୍ବୟଂ ଆଘ୍ରାଣ କରି ପ୍ରସନ୍ନତାପୂର୍ବକ ନିଜ ପତ୍ନୀଙ୍କୁ ପ୍ରଦାନ କଲେ |

ସା ତତ୍ପୁଂସବନଂ ରାଜ୍ଞୀ ପ୍ରାଶ୍ୟ ବୈ ପତ୍ୟୁରାଦଧେ ।

ଗର୍ଭଂ କାଲ ଉପାବୃତ୍ତେ କୁମାରଂ ସୁଷୁବେଽପ୍ରଜା ॥ ୩୮॥

ପୁତ୍ରହୀନା ରାଣୀ ସେହି ପୁତ୍ର ପ୍ରଦାୟିନୀ ଖୀର ପାନ କରି ନିଜ ପତିଙ୍କ ସହବାସରେ ଗର୍ଭ ଧାରଣ କଲେ | ତଦ୍ବାରା ଯଥାସମୟରେ ତାଙ୍କର ଏକ ପୁତ୍ର ଜାତ ହେଲା |

ସ ବାଲ ଏବ ପୁରୁଷୋ ମାତାମହମନୁବ୍ରତଃ ।

ଅଧର୍ମାଂଶୋଦ୍ଭବଂ ମୃତ୍ୟୁଂ ତେନାଭବଦଧାର୍ମିକଃ ॥ ୩୯॥

ସୁନୀଥା ମୃତ୍ୟୁଙ୍କର ପୁତ୍ରୀ ଥିଲେ | ବାଲ୍ୟାବସ୍ଥାରୁ ହିଁ ସେହି ବାଳକ ଅଧର୍ମ ବଂଶରେ ଜାତ ହୋଇଥିବା କାରଣରୁ ନିଜ ଅଜା ମୃତ୍ୟୁଙ୍କର ଅନୁଗାମୀ ଥିଲା; ସେଥିପାଇଁ ସେ ଅଧାର୍ମିକ ହେଲା |

ସ ଶରାସନମୁଦ୍ୟମ୍ୟ ମୃଗୟୁର୍ୱନଗୋଚରଃ ।

ହନ୍ତ୍ୟସାଧୁର୍ମୃଗାନ୍ ଦୀନାନ୍ ବେନୋଽସାବିତ୍ୟରୌଜ୍ଜନଃ ॥ ୪୦॥

ସେହି ଦୁଷ୍ଟ ବାଳକ ଧନୁ-ଶର ଧରି ବଣକୁ ଯାଉଥିଲା ଏବଂ ସେଠାରେ ବ୍ୟାଧ ପରି ନିରୀହା ହରିଣୀମାନଙ୍କର ହତ୍ୟା କରୁଥିଲା | ତାକୁ ଦେଖିବା ମାତ୍ରେ ପୁରବାସୀମାନେ ‘ବେନ ଆସିଲା, ବେନ ଆସିଲା କହି ଚିତ୍କାର କରୁଥିଲେ |

ଆକ୍ରୀଡେ କ୍ରୀଡତୋ ବାଲାନ୍ ବୟସ୍ୟାନତିଦାରୁଣଃ ।

ପ୍ରସହ୍ୟ ନିରନୁକ୍ରୋଶଃ ପଶୁମାରମମାରୟତ୍ ॥ ୪୧॥

ସେ ଏପରି କ୍ରୂର ଏବଂ ନିର୍ଦୟୀ ଥିଲା ଯେ ପଡିଆରେ ଖେଳୁଥିବା ନିଜ ସମବୟସ୍କ ବାଳକମାନଙ୍କୁ ଜବରଦସ୍ତ ଧରି ମାରି ଦେଉଥିଲା |

ତଂ ବିଚକ୍ଷ୍ୟ ଖଲଂ ପୁତ୍ରଂ ଶାସନୈର୍ୱିବିଧୈର୍ନୃପଃ ।

ଯଦା ନ ଶାସିତୁଂ କଲ୍ପୋ ଭୃଶମାସୀତ୍ସୁଦୁର୍ମନାଃ ॥ ୪୨॥

ବେନର ଏପରି ଦୁଷ୍ଟ ପ୍ରକୃତିକୁ ଦେଖି ତାକୁ ଭଲ ବାଟକୁ ଆଣିବା ପାଇଁ ମହାରାଜ ଅଙ୍ଗ ଅନେକ ଚେଷ୍ଟା କଲେ, କିନ୍ତୁ ତାକୁ ସୁମାର୍ଗରେ ଆଣିବା ପାଇଁ ସମର୍ଥ ହେଲେ ନାହିଁ | ସେଥିପାଇଁ ସେ ବହୁତ ଦୁଃଖିତ ଥିଲେ |

ପ୍ରାୟେଣାଭ୍ୟର୍ଚିତୋ ଦେବୋ ଯେଽପ୍ରଜା ଗୃହମେଧିନଃ ।

କଦପତ୍ୟଭୃତଂ ଦୁଃଖଂ ଯେ ନ ବିନ୍ଦନ୍ତି ଦୁର୍ଭରମ୍ ॥ ୪୩॥

(ସେ ମନେ ମନେ କହିବାରେ ଲାଗିଲେ) ‘ଯେଉଁ ଗୃହସ୍ଥ ପୁତ୍ରହୀନ ଅଟନ୍ତି, ସେମାନେ ପୂର୍ବଜନ୍ମରେ ଅବଶ୍ୟ ଶ୍ରୀହରିଙ୍କର ଆରାଧନା କରିଥିବେ; ସେଥିପାଇଁ ସେମାନଙ୍କୁ କୁପୂତର କାରନାମା-ଜନିତ କ୍ଲେଶ ସହ୍ୟ କରିବାକୁ ପଡି ନ ଥାଏ |

ଯତଃ ପାପୀୟସୀ କୀର୍ତିରଧର୍ମଶ୍ଚ ମହାନ୍ ନୃଣାମ୍ ।

ଯତୋ ବିରୋଧଃ ସର୍ୱେଷାଂ ଯତ ଆଧିରନନ୍ତକଃ ॥ ୪୪॥

କସ୍ତଂ ପ୍ରଜାପଦେଶଂ ବୈ ମୋହବନ୍ଧନମାତ୍ମନଃ ।

ପଣ୍ଡିତୋ ବହୁ ମନ୍ୟେତ ଯଦର୍ଥାଃ କ୍ଲେଶଦା ଗୃହାଃ ॥ ୪୫॥

ଯାହାର କୁକର୍ମ ଯୋଗୁଁ ମାତା-ପିତାଙ୍କର ସମସ୍ତ ସୁଯଶ ମାଟିରେ ମିଶିଯାଏ, ସେମାନଙ୍କୁ ଅଧର୍ମରେ ଭାଗୀଦାର ହେବାକୁ ପଡିଥାଏ, ସମସ୍ତଙ୍କର ବିରୋଧି ହେବାକୁ ପଡିଥାଏ, ଦୁଶ୍ଚିନ୍ତାରୁ କେବେ ବି ମୁକ୍ତି ମିଳେନାହିଁ, ଘରର ବାତାବରଣ ମଧ୍ୟ ଦୁଃଖଦାୟୀ ହୋଇଯାଏ -  ଏପରି ନାମମାତ୍ର ସନ୍ତାନ ପାଇଁ କେଉଁ ବୁଦ୍ଧିମାନ ପୁରୁଷ ଅବା ଲାଳାୟିତ ହେବ ? ଆତ୍ମା ପାଇଁ ତ ତାହା ଏକ ପ୍ରକାରର ମୋହମୟ ବନ୍ଧନ ହିଁ ଅଟେ |

କଦପତ୍ୟଂ ବରଂ ମନ୍ୟେ ସଦପତ୍ୟାଚ୍ଛୁଚାଂ ପଦାତ୍ ।

ନିର୍ୱିଦ୍ୟେତ ଗୃହାନ୍ମର୍ତ୍ୟୋ ଯତ୍କ୍ଲେଶନିବହା ଗୃହାଃ ॥ ୪୬॥

ମୁଁ ତ ସୁପୁତ୍ର ଅପେକ୍ଷା କୁପୁତ୍ରକୁ ହିଁ ଉତ୍ତମ ମନେକରେ; କାରଣ ସୁପୁତ୍ରକୁ ତ୍ୟାଗ କରିବା ଅତ୍ୟନ୍ତ କ୍ଲେଶଦାୟକ ହୋଇଥାଏ | କୁପୁତ୍ର ଘରକୁ ନର୍କରେ ପରିଣତ କରିଦେଇ ଥାଏ, ତେଣୁ ତାହାକୁ ସହଜରେ ତ୍ୟାଗ କରାଯାଇ ପାରେ |’

ଏବଂ ସ ନିର୍ୱିଣ୍ଣମନା ନୃପୋ ଗୃହାନ୍

ନିଶୀଥ ଉତ୍ଥାୟ ମହୋଦୟୋଦୟାତ୍ ।

ଅଲବ୍ଧନିଦ୍ରୋଽନୁପଲକ୍ଷିତୋ ନୃଭି-

ର୍ହିତ୍ୱା ଗତୋ ବେନସୁବଂ ପ୍ରସୁପ୍ତାମ୍ ॥ ୪୭॥

ଏହିପରି ଭାବି-ଭାବି ମହାରାଜ ଅଙ୍ଗଙ୍କୁ ରାତିରେ ନିଦ ହେଲାନାହିଁ | ତାଙ୍କର ଚିତ୍ତ ଗୃହସ୍ଥରୁ ବିରକ୍ତ ହୋଇଗଲା | ଅର୍ଦ୍ଧରାତ୍ରୀରେ ସେ ବିଛଣାରୁ ଉଠି ବସିଲେ | ବେନର ମା ଗାଢ଼ ନିଦ୍ରାରେ ବେସୁଧ ଅବସ୍ଥାରେ ଶୋଇ ଥାଆନ୍ତି | ରାଜା ସମସ୍ତଙ୍କର ମୋହ ତ୍ୟାଗ କଲେ ଏବଂ କେହି ଯେପରି ଜାଣିପାରିବେ ନାହିଁ, ସେହିପରି ଚୁପଚାପ୍ ସେହି ମହାନ୍ ଐଶ୍ବର୍ଯ୍ୟରେ ପରିପୂର୍ଣ୍ଣ ମହଲକୁ ଛାଡି ବଣକୁ ଚାଲିଗଲେ |

ବିଜ୍ଞାୟ ନିର୍ୱିଦ୍ୟ ଗତଂ ପତିଂ ପ୍ରଜାଃ

ପୁରୋହିତାମାତ୍ୟସୁହୃଦ୍ଗଣାଦୟଃ ।

ବିଚିକ୍ୟୁରୁର୍ୱ୍ୟାମତିଶୋକକାତରା

ଯଥା ନିଗୂଢଂ ପୁରୁଷଂ କୁୟୋଗିନଃ ॥ ୪୮॥

ମହାରାଜ ବିରକ୍ତ ହୋଇ ଘର ଛାଡି ଚାଲି ଯାଇଛନ୍ତି, ଏହା ଜାଣି ସବୁ ପ୍ରଜାବର୍ଗ, ପୁରୋହିତ, ମନ୍ତ୍ରୀ ଏବଂ ସୁହୃଦଗଣ ଅତ୍ୟନ୍ତ ଶୋକାକୁଳ ହୋଇ ସାରା ପୃଥିବୀରେ ତାଙ୍କର ଅନ୍ବେଷଣ କରିବାରେ ଲାଗିଲେ | ଠିକ୍ ସେହିପରି, ଯେପରି ଯୋଗର ଯଥାର୍ଥ ରହସ୍ୟ ଜାଣି ନ ଥିବା ପୁରୁଷ ନିଜ ହୃଦୟରେ ସ୍ଥିତ ଭଗବାନଙ୍କୁ ବାହାରେ ଖୋଜୁଥାଏ |

ଅଲକ୍ଷୟନ୍ତଃ ପଦବୀଂ ପ୍ରଜାପତେଃ

ହତୋଦ୍ୟମାଃ ପ୍ରତ୍ୟୁପସୃତ୍ୟ ତେ ପୁରୀମ୍ ।

ଋଷୀନ୍ ସମେତାନଭିବନ୍ଦ୍ୟ ସାଶ୍ରବୋ

ନ୍ୟବେଦୟନ୍ ପୌରବ ଭର୍ତୃବିପ୍ଲବମ୍ ॥ ୪୯॥

ଶେଷରେ ସେମାନେ ଯେତେବେଳେ ନିଜ ସ୍ବାମୀଙ୍କୁ ଖୋଜି ପାଇଲେ ନାହିଁ, ନିରାଶ ହୋଇ ସେମାନେ ନଗରକୁ ଫେରି ଆସିଲେ ଏବଂ ସେଠାରେ ଏକତ୍ରିତ ହୋଇଥିବା ମୁନିଜନଙ୍କୁ ପ୍ରଣାମ କରି ଅଶ୍ରୁପୂର୍ଣ୍ଣ ନେତ୍ରରେ ସେମାନଙ୍କୁ ମହାରାଜ ନିଖୋଜ ହୋଇଯିବାର ସମସ୍ତ ବୃତ୍ତାନ୍ତ ଶୁଣାଇଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଚତୁର୍ଥସ୍କନ୍ଧେ ତ୍ରୟୋଦଶୋଽଧ୍ୟାୟଃ ॥ ୧୩॥

Comments

Popular posts from this blog