ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ଚତୁର୍ଦ୍ଦଶ ଅଧ୍ୟାୟ
ରାଜା ବେନଙ୍କ କଥା
ମୈତ୍ରେୟ ଉବାଚ
ଭୃଗ୍ୱାଦୟସ୍ତେ ମୁନୟୋ ଲୋକାନାଂ କ୍ଷେମଦର୍ଶିନଃ ।
ଗୋପ୍ତର୍ୟସତି ବୈ ନୄଣାଂ ପଶ୍ୟନ୍ତଃ ପଶୁସାମ୍ୟତାମ୍ ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବୀରବର ବିଦୁର ! ସମସ୍ତ ଲୋକର କୁଶଳ କାମନା
କରୁଥିବା ଭୃଗୁ ଆଦି ମୁନିଗଣ ଦେଖିଲେ, ରାଜା ଅଙ୍ଗ ରାଜ୍ୟ
ଛାଡି ଚାଲିଯିବା ପରେ ପୃଥିବୀର ରକ୍ଷା କରିବାକୁ ଆଉ କେହି ନାହାଁନ୍ତି, ସବୁ ଲୋକ ପଶୁବତ୍ ଉଚ୍ଛ୍ରୁଂଖଳ ହୋଇ ଯାଇଛନ୍ତି |
ବୀରମାତରମାହୂୟ ସୁନୀଥାଂ ବ୍ରହ୍ମବାଦିନଃ ।
ପ୍ରକୃତ୍ୟସମ୍ମତଂ ବେନମଭ୍ୟଷିଞ୍ଚନ୍ ପତିଂ ଭୁବଃ ॥ ୨॥
ସେମାନେ ମାତା ସୁନୀଥାଙ୍କର ସମ୍ମତି କ୍ରମେ, ଯଦିଓ ମନ୍ତ୍ରୀମାନେ ସେଥିରେ ସହମତ ନ ଥିଲେ, ବେନଙ୍କୁ ଭୂମଣ୍ଡଳର ରାଜପଦରେ ଅଭିଷିକ୍ତ କରିଦେଲେ |
ଶ୍ରୁତ୍ୱା ନୃପାସନଗତଂ ବେନମତ୍ୟୁଗ୍ରଶାସନମ୍ ।
ନିଲିଲ୍ୟୁର୍ଦସ୍ୟବଃ ସଦ୍ୟଃ ସର୍ପତ୍ରସ୍ତା ଇବାଖବଃ ॥ ୩॥
ବେନ ଅତ୍ୟନ୍ତ କଠୋର ଶାସକ ଥିଲା | ଚୋର-ଡାକୁମାନେ ଯେତେବେଳେ
ଶୁଣିବାକୁ ପାଇଲେ ଯେ ସେ ରାଜସିଂହାସନରେ ବସିଲା,
ସେତେବେଳେ ସର୍ପ ଭୟରେ ଭୟଭୀତ ମୂଷା ପରି ସେମାନେ ସମସ୍ତେ ଅତି ଶୀଘ୍ର ଏଣେତେଣେ ଲୁଚିଗଲେ |
ସ ଆରୂଢନୃପସ୍ଥାନ ଉନ୍ନଦ୍ଧୋଽଷ୍ଟବିଭୂତିଭିଃ ।
ଅବମେନେ ମହାଭାଗାନ୍ ସ୍ତବ୍ଧଃ ସମ୍ଭାବିତଃ ସ୍ୱତଃ ॥ ୪॥
ସିଂହାସନ ପ୍ରାପ୍ତ କରି ବେନ ଅଷ୍ଟ ଲୋକପାଳଙ୍କର ଐଶ୍ବର୍ଯ୍ୟକଳାରେ
ବିଭୂଷିତ ହୋଇ ଅତ୍ୟନ୍ତ ଉନ୍ମତ୍ତ ହୋଇ ଉଠିଲା ଏବଂ ଅଭିମାନବଶତଃ ନିଜକୁ ସର୍ବଶ୍ରେଷ୍ଠ ମନେକରି
ମହାପୁରୁଷମାନଙ୍କର ଅପମାନ କରିବାରେ ଲାଗିଲା |
ଏବଂ ମଦାନ୍ଧ ଉତ୍ସିକ୍ତୋ ନିରଙ୍କୁଶ ଇବ ଦ୍ୱିପଃ ।
ପର୍ୟଟନ୍ ରଥମାସ୍ଥାୟ କମ୍ପୟନ୍ନିବ ରୋଦସୀ ॥ ୫॥
ଐଶ୍ବର୍ଯ୍ୟମଦରେ ଅନ୍ଧ ହୋଇ ସେ ରଥରେ ଚଢି ନିରଙ୍କୁଷ ଗଜରାଜ ପରି ପୃଥିବୀ
ଏବଂ ଆକାଶକୁ ଥରହର କରି ସର୍ବତ୍ର ବିଚରଣ କରିବାରେ ଲାଗିଲା |
ନ ଯଷ୍ଟବ୍ୟଂ ନ ଦାତବ୍ୟଂ ନ ହୋତବ୍ୟଂ ଦ୍ୱିଜାଃ କ୍ୱଚିତ୍ ।
ଇତି ନ୍ୟବାରୟଦ୍ଧର୍ମଂ ଭେରୀଘୋଷେଣ ସର୍ୱଶଃ ॥ ୬॥
‘କୌଣସି ଦ୍ବିଜାତୀୟ ପୁରୁଷ କେବେ କୌଣସି ପ୍ରକାରର ଯଜ୍ଞ, ଦାନ ଏବଂ ହୋମ କରିବେ ନାହିଁ’ –
ନିଜ ରାଜ୍ୟରେ ଏପରି ଘୋଷଣା କରି ସେ ସବୁ ଧର୍ମ-କର୍ମ ବନ୍ଦ କରିଦେଲା |
ବେନସ୍ୟାବେକ୍ଷ୍ୟ ମୁନୟୋ ଦୁର୍ୱୃତ୍ତସ୍ୟ ବିଚେଷ୍ଟିତମ୍ ।
ବିମୃଶ୍ୟ ଲୋକବ୍ୟସନଂ କୃପୟୋଚୁଃ ସ୍ମ ସତ୍ରିଣଃ ॥ ୭॥
ଦୁଷ୍ଟ ବେନର ଏପରି ଅତ୍ୟାଚାର ଦେଖି ଋଷି-ମୁନିମାନେ ଏକତ୍ରିତ ହୋଇ
ସଂସାର ପ୍ରତି ଘୋର ସଂକଟ ଆସିଛି ଏହିପରି ମନେକରି କରୁଣାବଶ ପରସ୍ପର ମଧ୍ୟରେ ଆଲୋଚନା କରିବାରେ
ଲାଗିଲେ |
ଅହୋ ଉଭୟତଃ ପ୍ରାପ୍ତଂ ଲୋକସ୍ୟ ବ୍ୟସନଂ ମହତ୍ ।
ଦାରୁଣ୍ୟୁଭୟତୋ ଦୀପ୍ତେ ଇବ ତସ୍କରପାଲୟୋଃ ॥ ୮॥
‘ହାୟ ! ଦୁଇଟି ଜଳନ୍ତା କାଠ ମଝିରେ ରହି ପିମ୍ପୂଡି ଆଦି ଛୋଟ ଛୋଟ
ଜୀବ ହନ୍ତସନ୍ତ ହେବା ପରି, ଏହି ସମୟରେ ସମଗ୍ର ପ୍ରଜା ଏକ ପକ୍ଷରେ ରାଜା ଏବଂ ଅନ୍ୟ ପକ୍ଷରେ
ଚୋର-ଡାକୁମାନଙ୍କର ଅତ୍ୟାଚାରରେ ମହାନ୍ ସଂକଟରେ ପଡିଛନ୍ତି |
ଅରାଜକଭୟାଦେଷ କୃତୋ ରାଜାତଦର୍ହଣଃ ।
ତତୋଽପ୍ୟାସୀଦ୍ଭୟଂ ତ୍ୱଦ୍ୟ କଥଂ ସ୍ୟାତ୍ସ୍ୱସ୍ତି ଦେହିନାମ୍ ॥ ୯॥
ଅରାଜକତା ଭୟରେ, ଅଯୋଗ୍ୟ ହୋଇଥିଲେ ବି, ବେନକୁ ଆମେ ରାଜା କଲେ; କିନ୍ତୁ ଏବେ ପ୍ରଜାମାନେ ତା’ ଯୋଗୁଁ ଭୟଭୀତ ରହୁଛନ୍ତି | ଏପରି ଅବସ୍ଥାରେ ପ୍ରଜାଙ୍କୁ
ସୁଖ-ଶାନ୍ତି ମିଳିବ କିପରି ?
ଅହେରିବ ପୟଃ ପୋଷଃ ପୋଷକସ୍ୟାପ୍ୟନର୍ଥଭୃତ୍ ।
ବେନଃ ପ୍ରକୃତ୍ୟୈବ ଖଲଃ ସୁନୀଥାଗର୍ଭସମ୍ଭବଃ ॥ ୧୦॥
ସୁନୀଥାଙ୍କ ଗର୍ଭରୁ ଜାତ ଏହି ବେନ ସ୍ବଭାବତଃ ଦୁଷ୍ଟ ଅଟେ | କିନ୍ତୁ
ସାପକୁ ଦୁଗ୍ଧ ପାନ କରାଇବା ପରି ଏହାର ପାଳନ କରିବା,
ପାଳନକାରୀଙ୍କ ପାଇଁ ଅନର୍ଥର କାରଣ ହୋଇଗଲା |
ନିରୂପିତଃ ପ୍ରଜାପାଲଃ ସ ଜିଘାଂସତି ବୈ ପ୍ରଜାଃ ।
ତଥାପି ସାନ୍ତ୍ୱୟେମାମୁଂ ନାସ୍ମାଂସ୍ତତ୍ପାତକଂ ସ୍ପୃଶେତ୍ ॥ ୧୧॥
ଆମେ ଏହାକୁ ପ୍ରଜାର ରକ୍ଷା ନିମନ୍ତେ ନିଯୁକ୍ତ କରିଥିଲେ, କିନ୍ତୁ ଇଏ ଆଜି ସେମାନଙ୍କୁ ନଷ୍ଟ କରିବା ପାଇଁ ଚେଷ୍ଟିତ | ଏହି
ପରିସ୍ଥିତିରେ ଆମେ ସମସ୍ତେ ତାକୁ ବୁଝାଇବା ପାଇଁ ଚେଷ୍ଟା କରିବା ଆବଶ୍ୟକ; ଯଦ୍ବାରା ତା’ ଦ୍ବାରା କରାଯାଉଥିବା
ପାପ ଆମକୁ ସ୍ପର୍ଶ କରିବ ନାହିଁ |
ତଦ୍ୱିଦ୍ୱଦ୍ଭିରସଦ୍ୱୃତ୍ତୋ ବେନୋଽସ୍ମାଭିଃ କୃତୋ ନୃପଃ ।
ସାନ୍ତ୍ୱିତୋ ଯଦି ନୋ ବାଚଂ ନ ଗ୍ରହୀଷ୍ୟତ୍ୟଧର୍ମକୃତ୍ ॥ ୧୨॥
ଲୋକଧିକ୍କାରସନ୍ଦଗ୍ଧଂ ଦହିଷ୍ୟାମଃ ସ୍ୱତେଜସା ।
ଏବମଧ୍ୟବସାୟୈନଂ ମୁନୟୋ ଗୂଢମନ୍ୟବଃ ।
ଉପବ୍ରଜ୍ୟାବ୍ରୁବନ୍ ବେନଂ ସାନ୍ତ୍ୱୟିତ୍ୱା ଚ ସାମଭିଃ ॥ ୧୩॥
ଆମ୍ଭେମାନେ ଜାଣି-ଶୁଣି ଦୁରାଚାରୀ ବେନକୁ ରାଜା କରିଥିଲେ | ଏବେ
ବୁଝାଇବା ପରେ ଯଦି ସେ ଆମ କଥା ନ ମାନିବ, ତେବେ ଲୋକଙ୍କ ଧିକ୍କାରରେ ଦଗ୍ଧ ହୋଇଥିବା ଏହି
ଦୁଷ୍ଟକୁ ଆମେ ନିଜ ତେଜରେ ଭସ୍ମ କରିଦେବା |’ ଏପରି ବିଚାର କରି ମୁନିମାନେ ବେନ ପାଖକୁ ଗଲେ ଏବଂ
ନିଜର କ୍ରୋଧ ପ୍ରକଟ ନ କରି ପ୍ରିୟ ବଚନରେ ତାକୁ ବୁଝାଇବା ଉଦ୍ଦେଶ୍ୟରେ ଏହିପରି କହିବାରେ
ଲାଗିଲେ -
ମୁନୟ ଊଚୁଃ
ନୃପବର୍ୟ ନିବୋଧୈତଦ୍ୟତ୍ତେ ବିଜ୍ଞାପୟାମ ଭୋଃ ।
ଆୟୁଃଶ୍ରୀବଲକୀର୍ତୀନାଂ ତବ ତାତ ବିବର୍ଧନମ୍ ॥ ୧୪॥
ମୁନିମାନେ କହିଲେ – ରାଜନ୍ ! ଆମେ ଆପଣଙ୍କୁ ଯେଉଁ କଥା କହୁଛୁ, ତାହା ପ୍ରତି ଟିକିଏ ଧ୍ୟାନ ଦିଅନ୍ତୁ | ଏହା ଦ୍ବାରା ଆପଣଙ୍କର ଆୟୁ, ଶ୍ରୀ, ବଳ ଏବଂ କୀର୍ତ୍ତି
ବୃଦ୍ଧି ହେବ |
ଧର୍ମ ଆଚରିତଃ ପୁଂସାଂ ବାଙ୍ମନଃକାୟବୁଦ୍ଧିଭିଃ ।
ଲୋକାନ୍ ବିଶୋକାନ୍ ବିତରତ୍ୟଥାନନ୍ତ୍ୟମସଙ୍ଗିନାମ୍ ॥ ୧୫॥
ହେ ନରେଶ ! ମନୁଷ୍ୟ ଯଦି ମନ,
ବାଣୀ, ଶରୀର ଏବଂ ବୁଦ୍ଧିରେ
ଧର୍ମର ଆଚରଣ କରେ, ତେବେ ତାକୁ
ସ୍ବର୍ଗାଦି ଶୋକରହିତ ଲୋକର ପ୍ରାପ୍ତି ହୋଇଥାଏ | ଯଦି ତାହାର ଭାବ ନିଷ୍କାମ ହୋଇଥିବ, ତେବେ ତ ସେହି ଧର୍ମ ତାକୁ ଅନନ୍ତ ମୋକ୍ଷପଦରେ ଅଧିଷ୍ଠିତ କରିବ |
ସ ତେ ମା ବିନଶେଦ୍ୱୀର ପ୍ରଜାନାଂ କ୍ଷେମଲକ୍ଷଣଃ ।
ଯସ୍ମିନ୍ ବିନଷ୍ଟେ ନୃପତିରୈଶ୍ୱର୍ୟାଦବରୋହତି ॥ ୧୬॥
ସେଥିପାଇଁ ହେ ବୀରବର ! ଆପଣଙ୍କ ଯୋଗୁଁ ପ୍ରଜାମାନଙ୍କର କଲ୍ୟାଣରୂପ
ଏହି ଧର୍ମ ନଷ୍ଟ ହେବା ଉଚିତ୍ ନୁହେଁ | ଧର୍ମ ନଷ୍ଟ ହେଲେ ରାଜା ମଧ୍ୟ ଐଶ୍ବର୍ଯ୍ୟରୁ ଚ୍ୟୁତ
ହୋଇଯାଆନ୍ତି |
ରାଜନ୍ନସାଧ୍ୱମାତ୍ୟେଭ୍ୟଶ୍ଚୋରାଦିଭ୍ୟଃ ପ୍ରଜା ନୃପଃ ।
ରକ୍ଷନ୍ ଯଥା ବଲିଂ ଗୃହ୍ଣନ୍ନିହ ପ୍ରେତ୍ୟ ଚ ମୋଦତେ ॥ ୧୭॥
ଯେଉଁ ରାଜା ଦୁଷ୍ଟ ମନ୍ତ୍ରୀ ଏବଂ ଚୋର ଆଦିଙ୍କ କବଳରୁ ନିଜ
ପ୍ରଜାଙ୍କୁ ରକ୍ଷା କରି ସେମାନଙ୍କୁ ନ୍ୟାୟାନୁକୂଳିତ କରିଥାଆନ୍ତି, ସେ ଇହଲୋକ ଏବଂ ପରଲୋକ ଉଭୟ ସ୍ଥାନରେ ସୁଖ ପ୍ରାପ୍ତ କରନ୍ତି |
ଯସ୍ୟ ରାଷ୍ଟ୍ରେ ପୁରେ ଚୈବ ଭଗବାନ୍ ଯଜ୍ଞପୂରୁଷଃ ।
ଇଜ୍ୟତେ ସ୍ୱେନ ଧର୍ମେଣ ଜନୈର୍ୱର୍ଣାଶ୍ରମାନ୍ୱିତୈଃ ॥ ୧୮॥
ତସ୍ୟ ରାଜ୍ଞୋ ମହାଭାଗ ଭଗବାନ୍ ଭୂତଭାବନଃ ।
ପରିତୁଷ୍ୟତି ବିଶ୍ୱାତ୍ମା ତିଷ୍ଠତୋ ନିଜଶାସନେ ॥ ୧୯॥
ଯାହାର ରାଜ୍ୟ ଅଥବା ନଗରରେ ବର୍ଣ୍ଣାଶ୍ରମ-ଧର୍ମ ପାଳନ କରୁଥିବା
ପୁରୁଷ ସ୍ବଧର୍ମ ପାଳନ ଦ୍ବାରା ଭଗବାନ ଯଜ୍ଞପୁରୁଷଙ୍କର ଆରାଧନା କରନ୍ତି, ହେ ମହାଭାଗ ! ନିଜ ଆଜ୍ଞା ପାଳନ କରୁଥିବା ସେହି ରାଜାଙ୍କ ପ୍ରତି
ଭଗବାନ ପ୍ରସନ୍ନ ରହନ୍ତି; କାରଣ ସେ ହିଁ ସମ୍ପୂର୍ଣ୍ଣ ବିଶ୍ବର ଆତ୍ମା ଏବଂ ସମସ୍ତ ଭୂତଙ୍କର
ରକ୍ଷକ ଅଟନ୍ତି |
ତସ୍ମିଂସ୍ତୁଷ୍ଟେ କିମପ୍ରାପ୍ୟଂ ଜଗତାମୀଶ୍ୱରେଶ୍ୱରେ ।
ଲୋକାଃ ସପାଲା ହ୍ୟେତସ୍ମୈ ହରନ୍ତି ବଲିମାଦୃତାଃ ॥ ୨୦॥
ସେହି ଭଗବାନ ବ୍ରହ୍ମାଦି ଜଗଦୀଶ୍ବରମାନଙ୍କର ମଧ୍ୟ ଈଶ୍ବର ଅଟନ୍ତି, ତେଣୁ ସେ ପ୍ରସନ୍ନ ହେଲେ କୌଣସି ବସ୍ତୁ ଅପ୍ରାପ୍ୟ ହୋଇ ରହେନାହିଁ |
ସେଥିପାଇଁ ତ ଇନ୍ଦ୍ରାଦି ଲୋକପାଳଙ୍କ ସମେତ ସମସ୍ତ ଲୋକ ଅତି ଆଦରରେ ତାଙ୍କୁ ପୂଜା-ଉପହାର
ସମର୍ପଣ କରନ୍ତି |
ତଂ ସର୍ୱଲୋକାମରୟଜ୍ଞସଙ୍ଗ୍ରହଂ
ତ୍ରୟୀମୟଂ ଦ୍ରବ୍ୟମୟଂ ତପୋମୟମ୍ ।
ଯଜ୍ଞୈର୍ୱିଚିତ୍ରୈର୍ୟଜତୋ ଭବାୟ ତେ
ରାଜନ୍ ସ୍ୱଦେଶାନନୁରୋଦ୍ଧୁମର୍ହସି ॥ ୨୧॥
ହେ ରାଜନ୍ ! ଭଗବାନ ଶ୍ରୀହରି ସମସ୍ତ ଲୋକ, ଲୋକପାଳ ଏବଂ ଯଜ୍ଞର ନିୟନ୍ତା ଅଟନ୍ତି; ସେ ବେଦତ୍ରୟୀରୂପ, ଦ୍ରବ୍ୟରୂପ ଏବ ତପଃସ୍ବରୂପ ଅଟନ୍ତି | ସେଥିପାଇଁ ଆପଣଙ୍କର ଯେଉଁ
ଦେଶବାସୀ ଆପଣଙ୍କ ଉନ୍ନତି ନିମନ୍ତେ ଅନେକ ପ୍ରକାରର ଯଜ୍ଞ ଦ୍ବାରା ଭଗବାନଙ୍କର ଯଜନ କରୁଛନ୍ତି, ସେମାନଙ୍କ ପ୍ରତି ଆପଣ ଅନୁକୂଳ ରହିବା ଉଚିତ୍ |
ଯଜ୍ଞେନ ଯୁଷ୍ମଦ୍ୱିଷୟେ ଦ୍ୱିଜାତିଭି-
ର୍ୱିତାୟମାନେନ ସୁରାଃ କଲା ହରେଃ ।
ସ୍ୱିଷ୍ଟାଃ ସୁତୁଷ୍ଟାଃ ପ୍ରଦିଶନ୍ତି ବାଞ୍ଛିତଂ
ତଦ୍ଧେଲନଂ ନାର୍ହସି ବୀର ଚେଷ୍ଟିତୁମ୍ ॥ ୨୨॥
ଆପଣଙ୍କ ରାଜ୍ୟରେ ବ୍ରାହ୍ମଣମାନେ ଯେତେବେଳେ ଯଜ୍ଞ ଅନୁଷ୍ଠାନ କରିବେ, ସେତେବେଳେ ସେମାନଙ୍କ ପୂଜାରେ ପ୍ରସନ୍ନ ହୋଇ ଭଗବାନଙ୍କର ଅଂଶସ୍ବରୂପ
ଦେବତାମାନେ ଆପଣଙ୍କୁ ଇପ୍ସିତ ଫଳ ଦେବେ | ତେଣୁ ହେ ବୀରବର ! ଯଜ୍ଞାଦି ଧର୍ମାନୁଷ୍ଠାନ ବନ୍ଦ
କରି ଆପଣ ଦେବତାମାନଙ୍କର ତିରସ୍କାର କରିବା ଉଚିତ୍ ନୁହେଁ |
ବେନ ଉବାଚ
ବାଲିଶା ବତ ଯୂୟଂ ବା ଅଧର୍ମେ ଧର୍ମମାନିନଃ ।
ଯେ ବୃତ୍ତିଦଂ ପତିଂ ହିତ୍ୱା ଜାରଂ ପତିମୁପାସତେ ॥ ୨୩॥
ବେନ କହିଲା – ତୁମ୍ଭେମାନେ ବହୁତ ବଡ ମୂର୍ଖ ଅଟ | ଦୁଃଖର କଥା, ତୁମ୍ଭେମାନେ ଅଧର୍ମରେ ହିଁ ଧର୍ମବୁଦ୍ଧି କରିନେଇଛ | ସେଥିପାଇଁ ତ
ତୁମେ ଜୀବିକା ଦେଉଥିବା ମୋ ପରି ସାକ୍ଷାତ୍ ପତିଙ୍କୁ ଛାଡି ଅନ୍ୟ ଜାରପତିର ଉପାସନା କରୁଛ |
ଅବଜାନନ୍ତ୍ୟମୀ ମୂଢା ନୃପରୂପିଣମୀଶ୍ୱରମ୍ ।
ନାନୁବିନ୍ଦନ୍ତି ତେ ଭଦ୍ରମିହ ଲୋକେ ପରତ୍ର ଚ ॥ ୨୪॥
ମୂର୍ଖତାବଶ ଯେଉଁମାନେ ରାଜାରୂପ ପରମେଶ୍ବରଙ୍କର ଅନାଦର କରନ୍ତି, ସେମାନଙ୍କୁ ଇହଲୋକରେ ନୁହେଁ କି ପରଲୋକରେ ନୁହେଁ, କେଉଁଠାରେ ବି ସୁଖ ମିଳି ନ ଥାଏ |
କୋ ଯଜ୍ଞପୁରୁଷୋ ନାମ ଯତ୍ର ବୋ ଭକ୍ତିରୀଦୃଶୀ ।
ଭର୍ତୃସ୍ନେହବିଦୂରାଣାଂ ଯଥା ଜାରେ କୁୟୋଷିତାମ୍ ॥ ୨୫॥
ଆରେ ! ଯାହାର ତୁମ୍ଭେମାନେ ଏତେ ଭକ୍ତି କରୁଛ, ସେହି ଯଜ୍ଞପୁରୁଷ କିଏ
? ଏହା ତ ଏପରି କଥା ଅଟେ, ଯେପରି କି କୁଳଟା
ସ୍ତ୍ରୀମାନେ ନିଜ ବିବାହିତ ପତିକୁ ପ୍ରେମ ନ କରି କୌଣସି ପରପୁରୁଷଠାରେ ଆସକ୍ତ ହୋଇଥାଆନ୍ତି |
ବିଷ୍ଣୁର୍ୱିରିଞ୍ଚୋ ଗିରିଶ ଇନ୍ଦ୍ରୋ ବାୟୁର୍ୟମୋ ରବିଃ ।
ପର୍ଜନ୍ୟୋ ଧନଦଃ ସୋମଃ କ୍ଷିତିରଗ୍ନିରପାମ୍ପତିଃ ॥ ୨୬॥
ଏତେ ଚାନ୍ୟେ ଚ ବିବୁଧାଃ ପ୍ରଭବୋ ବରଶାପୟୋଃ ।
ଦେହେ ଭବନ୍ତି ନୃପତେଃ ସର୍ୱଦେବମୟୋ ନୃପଃ ॥ ୨୭॥
ବିଷ୍ଣୁ, ବ୍ରହ୍ମା, ମହାଦେବ, ଇନ୍ଦ୍ର, ବାୟୁ, ଯମ, ସୂର୍ଯ୍ୟ, ମେଘ, କୁବେର, ଚନ୍ଦ୍ରମା, ପୃଥିବୀ, ଅଗ୍ନି ଏବଂ ବରୁଣ ତଥା ଏମାନଙ୍କ ବ୍ୟତିତ ଅନ୍ୟ ଯେଉଁ ଦେବତା ବର ଏବଂ
ଶାପ ଦେବାକୁ ସମର୍ଥ, ସେମାନେ ସମସ୍ତେ
ରାଜାଙ୍କ ଶରୀରରେ ନିବାସ କରନ୍ତି; ସେଥିପାଇଁ ରାଜା
ସର୍ବଦେବମୟ ଅଟନ୍ତି ଏବଂ ଦେବତାମାନେ ତାଙ୍କର ଅଂଶମାତ୍ର ଅଟନ୍ତି |
ତସ୍ମାନ୍ମାଂ କର୍ମଭିର୍ୱିପ୍ରା ଯଜଧ୍ୱଂ ଗତମତ୍ସରାଃ ।
ବଲିଂ ଚ ମହ୍ୟଂ ହରତ ମତ୍ତୋଽନ୍ୟଃ କୋଽଗ୍ରଭୁକ୍ ପୁମାନ୍ ॥ ୨୮॥
ସେଥିପାଇଁ ହେ ବ୍ରାହ୍ମଣ ! ତୁମ୍ଭେମାନେ ମାତ୍ସର୍ଯ୍ୟ ତ୍ୟାଗ କରି
ନିଜର ସମସ୍ତ କର୍ମ ଦ୍ବାରା ଏକମାତ୍ର ମୋର ହିଁ ପୂଜନ କର ଏବଂ ମୋତେ ବଳି ସମର୍ପଣ କର | ଭଲା ମୋ
ବ୍ୟତିତ ଆଉ କିଏ ଅବା ଅଗ୍ରପୂଜାର ଅଧିକାରୀ ହୋଇପାରିବ ?
ମୈତ୍ରେୟ ଉବାଚ
ଇତ୍ଥଂ ବିପର୍ୟଯମତିଃ ପାପୀୟାନୁତ୍ପଥଂ ଗତଃ ।
ଅନୁନୀୟମାନସ୍ତଦ୍ୟାଚ୍ଞାଂ ନ ଚକ୍ରେ ଭ୍ରଷ୍ଟମଙ୍ଗଲଃ ॥ ୨୯॥
ମୈତ୍ରେୟ କହୁଛନ୍ତି – ଏହିପରି ବିପରୀତ ବୁଦ୍ଧି ହୋଇ ଯାଇଥିବା
କାରଣରୁ ସେ ଅତିମାତ୍ରାରେ ପାପୀ ଏବଂ କୁମାର୍ଗଗାମୀ ହୋଇ ଯାଇଥିଲା | ତାହାର ପୁଣ୍ୟ କ୍ଷୀଣ ହୋଇ
ଯାଇଥିଲା, ସେଥିପାଇଁ ମୁନିମାନେ
ଅତ୍ୟନ୍ତ ବିନୟପୂର୍ବକ ପ୍ରାର୍ଥନା କଲେ ବି ସେ ସେଥିପ୍ରତି ଧ୍ୟାନ ଦେଲା ନାହିଁ |
ଇତି ତେଽସତ୍କୃତାସ୍ତେନ ଦ୍ୱିଜାଃ ପଣ୍ଡିତମାନିନା ।
ଭଗ୍ନାୟାଂ ଭବ୍ୟଯାଚ୍ଞାୟାଂ ତସ୍ମୈ ବିଦୁର ଚୁକ୍ରୁଧୁଃ ॥ ୩୦॥
ହେ କଲ୍ୟାଣରୂପ ବିଦୁର ! ନିଜକୁ ଅତ୍ୟନ୍ତ ବୁଦ୍ଧିମାନ ମନେ କରୁଥିବା
ବେନ ଯେତେବେଳେ ଏହିପରି ଭାବରେ ମୁନିମାନଙ୍କର ଅପମାନ କଲା,
ସେତେବେଳେ ସେମାନଙ୍କର ଉପଦେଶ ବ୍ୟର୍ଥ ହୋଇଥିବା ଦେଖି ମୁନିମାନେ ଅତ୍ୟନ୍ତ କୁପିତ ହୋଇ ଉଠିଲେ |
ହନ୍ୟତାଂ ହନ୍ୟତାମେଷ ପାପଃ ପ୍ରକୃତିଦାରୁଣଃ ।
ଜୀବନ୍ ଜଗଦସାବାଶୁ କୁରୁତେ ଭସ୍ମସାଦ୍ଧ୍ରୁବମ୍ ॥ ୩୧॥
‘ମାର | ଏହି ଦୁଷ୍ଟ ସ୍ବଭାବର ପାପୀକୁ ମାରି ଦିଅ | ଇଏ ଯଦି ଜୀବିତ
ରହିବ ତେବେ ଅଳ୍ପ କିଛି ଦିନରେ ନିଶ୍ଚିତ ଭାବରେ ସଂସାରକୁ ଭସ୍ମ କରିଦେବ |
ନାୟମର୍ହତ୍ୟସଦ୍ୱୃତ୍ତୋ ନରଦେବବରାସନମ୍ ।
ଯୋଽଧିୟଜ୍ଞପତିଂ ବିଷ୍ଣୁଂ ବିନିନ୍ଦତ୍ୟନପତ୍ରପଃ ॥ ୩୨॥
ଏହି ଦୁରାଚାରୀ କୌଣସି ପ୍ରକାରେ ରାଜସିଂହାସନର ଯୋଗ୍ୟ ନୁହେଁ, କାରଣ ଏହି ନିର୍ଲଜ୍ଜ ସାକ୍ଷାତ୍ ଯଜ୍ଞପତି ବିଷ୍ଣୁଭଗବାନଙ୍କର
ନିନ୍ଦକ ଅଟେ |
କୋ ବୈନଂ ପରିଚକ୍ଷୀତ ବେନମେକମୃତେଽଶୁଭମ୍ ।
ପ୍ରାପ୍ତ ଈଦୃଶମୈଶ୍ୱର୍ୟଂ ଯଦନୁଗ୍ରହଭାଜନଃ ॥ ୩୩॥
ହାୟ ! ଯାହାର କୃପାରୁ ଏହାକୁ ଏପରି ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇଛି, ସେହି ଶ୍ରୀହରିଙ୍କର ନିନ୍ଦା ବେନ ପରି ଅଧମ ଛଡା ଆଉ କିଏ କରିପାରିବ
?’
ଇତ୍ଥଂ ବ୍ୟବସିତା ହନ୍ତୁଂ ଋଷୟୋ ରୂଢମନ୍ୟବଃ ।
ନିଜଘ୍ନୁର୍ହୁଙ୍କୃତୈର୍ୱେନଂ ହତମଚ୍ୟୁତନିନ୍ଦୟା ॥ ୩୪॥
ଏହିରୂପେ ନିଜର ଅପ୍ରକଟ କ୍ରୋଧକୁ ପ୍ରକଟ କରି ସେମାନେ ତାକୁ
ମାରିବାକୁ ନିଶ୍ଚୟ କଲେ | ଭଗବାନଙ୍କର ନିନ୍ଦା କରି ସେ ତ ଆଗରୁ ହିଁ ମରି ଯାଇଥିଲା, ତେଣୁ କେବଳ ହୁଙ୍କାର ଦ୍ବାରା ହିଁ ସେମାନେ ତାକୁ ସମାପ୍ତ କରିଦେଲେ
|
ଋଷିଭିଃ ସ୍ୱାଶ୍ରମପଦଂ ଗତେ ପୁତ୍ରକଲେବରମ୍ ।
ସୁନୀଥା ପାଲୟାମାସ ବିଦ୍ୟାୟୋଗେନ ଶୋଚତୀ ॥ ୩୫॥
ମୁନିଗଣ ନିଜ-ନିଜ ଆଶ୍ରମକୁ ଚାଲିଗଲେ | ଏଣେ ବେନର ଶୋକାକୁଳା ମାତା
ସୁନୀଥା ମନ୍ତ୍ରାଦି ବଳରେ ତଥା ଅନ୍ୟ ଯୁକ୍ତି ଦ୍ବାରା ନିଜ ପୁତ୍ରର ଶବକୁ ରକ୍ଷା କରିବାରେ
ଲାଗିଲା |
ଏକଦା ମୁନୟସ୍ତେ ତୁ ସରସ୍ୱତ୍ସଲିଲାପ୍ଲୁତାଃ ।
ହୁତ୍ୱାଗ୍ନୀନ୍ ସତ୍କଥାଶ୍ଚକ୍ରୁରୁପବିଷ୍ଟାଃ ସରିତ୍ତଟେ ॥ ୩୬॥
ଦିନେ ସେହିସବୁ ମୁନିଗଣ ସରସ୍ବତୀର ପବିତ୍ର ଜଳରେ ସ୍ନାନ କରି
ଅଗ୍ନିହୋତ୍ରରୁ ନିବୃତ୍ତ ହୋଇ ନଦୀ-ତଟରେ ବସି ହରିଚର୍ଚ୍ଚା କରୁଥିଲେ |
ବୀକ୍ଷ୍ୟୋତ୍ଥିତାନ୍ମହୋତ୍ପାତାନାହୁର୍ଲୋକଭୟଙ୍କରାନ୍ ।
ଅପ୍ୟଭଦ୍ରମନାଥାୟା ଦସ୍ୟୁଭ୍ୟୋ ନ ଭବେଦ୍ଭୁବଃ ॥ ୩୭॥
ସେତେବେଳେ ସଂସାରରେ ଆତଙ୍କ ସୃଷ୍ଟିକାରୀ ଅନେକ ଉପଦ୍ରବ ହେଉଥିବା
ଲକ୍ଷ୍ୟ କରି ସେମାନେ ପରସ୍ପର ମଧ୍ୟରେ ଆଲୋଚନା କଲେ,
‘ଅଧୁନା ପୃଥିବୀରେ କେହି ରକ୍ଷକ ନାହାଁନ୍ତି; ସେଥିପାଇଁ
ଚୋର-ଡାକୁଙ୍କର ଦୌରାତ୍ମ୍ୟରେ ଏହାର କିଛି ଅମଙ୍ଗଳ ହେବ ନାହିଁ ତ ?
ଏବଂ ମୃଶନ୍ତ ଋଷୟୋ ଧାବତାଂ ସର୍ୱତୋଦିଶମ୍ ।
ପାଂସୁଃ ସମୁତ୍ଥିତୋ ଭୂରିଶ୍ଚୋରାଣାମଭିଲୁମ୍ପତାମ୍ ॥ ୩୮॥
ଋଷିଗଣ ଏହିପରି ବିଚାର କରୁଥିବା ବେଳେ ସେମାନେ ଚୋର-ଡାକୁମାନେ
ଆକ୍ରମଣ କରିବାକୁ ଆସିବାର ସଂକେତ ସ୍ବରୂପ ସବୁ ଦିଗରୁ ପ୍ରବଳ ମାତ୍ରାରେ ଧୂଳି ଉଡୁଥିବା
ଦେଖିବାକୁ ପାଇଲେ |
ତଦୁପଦ୍ରବମାଜ୍ଞାୟ ଲୋକସ୍ୟ ବସୁ ଲୁମ୍ପତାମ୍ ।
ଭର୍ତର୍ୟୁପରତେ ତସ୍ମିନ୍ନନ୍ୟୋନ୍ୟଂ ଚ ଜିଘାଂସତାମ୍ ॥ ୩୯॥
ଚୋରପ୍ରାୟଂ ଜନପଦଂ ହୀନସତ୍ତ୍ୱମରାଜକମ୍ ।
ଲୋକାନ୍ ନାବାରୟଞ୍ଛକ୍ତା ଅପି ତଦ୍ଦୋଷଦର୍ଶିନଃ ॥ ୪୦॥
ତାହା ଦେଖି ସେମାନେ ବୁଝିପାରିଲେ ଯେ ରାଜା ବେନର ମୃତ୍ୟୁରେ ଦେଶରେ
ଅରାଜକତା ବ୍ୟାପି ଯାଇଛି, ରାଜ୍ୟ ଶକ୍ତିହୀନ ହୋଇଯାଇଛି ଏବଂ ଚୋର-ଡାକୁଙ୍କର ଉତ୍ପାତ ବୃଦ୍ଧି
ପାଇଛି; ଏହି ସବୁ ଉପଦ୍ରବ
ସେହି ଧନ ଲୁଣ୍ଠନକାରୀ ଏବଂ ପରସ୍ପରର ରକ୍ତଲୋଲୁପ ଡକାୟତମାନଙ୍କର ହିଁ ଅଟେ | ନିଜ ତେଜରେ ଅଥବା
ତପୋବଳରେ ଲୋକମାନଙ୍କର ଏହି କୁପ୍ରବୃତ୍ତିର ଦମନ କରିବାକୁ ସମର୍ଥ ହୋଇ ମଧ୍ୟ ସେପରି କରିବାରେ
ହିଂସାଦି ଦୋଷ ଦେଖି ଋଷିମାନେ ତାହାର କୌଣସି ନିବାରଣ କଲେ ନାହିଁ |
ବ୍ରାହ୍ମଣଃ ସମଦୃକ୍ ଶାନ୍ତୋ ଦୀନାନାଂ ସମୁପେକ୍ଷକଃ ।
ସ୍ରବତେ ବ୍ରହ୍ମ ତସ୍ୟାପି ଭିନ୍ନଭାଣ୍ଡାତ୍ପୟୋ ଯଥା ॥ ୪୧॥
ତାପରେ ସେମାନେ ବିଚାର କଲେ,
‘ବ୍ରାହ୍ମଣ ସମଦର୍ଶୀ ଏବଂ ଶାନ୍ତସ୍ବଭାବ ହୋଇଥିଲେ ବି ଯଦି ସେ ଦୀନମାନଙ୍କର ଉପେକ୍ଷା କରିଥାଏ, ତେବେ ଫଟା କଳସରୁ ଜଳ ବହିଯିବା ପରି ତା’ର ସମସ୍ତ ତପ ନଷ୍ଟ ହୋଇଯାଏ |
ନାଙ୍ଗସ୍ୟ ବଂଶୋ ରାଜର୍ଷେରେଷ ସଂସ୍ଥାତୁମର୍ହତି ।
ଅମୋଘବୀର୍ୟା ହି ନୃପା ବଂଶେଽସ୍ମିନ୍ କେଶବାଶ୍ରୟାଃ ॥ ୪୨॥
ତାଛଡା ରାଜର୍ଷି ଅଙ୍ଗଙ୍କର ବଂଶ ମଧ୍ୟ ନିପାତ ହେବା ଉଚିତ୍ ନୁହେଁ,
କାରଣ ସେହି ବଂଶରେ ଅନେକ ଅମୋଘ-ଶକ୍ତିଯୁକ୍ତ ଭଗବତ୍-ପରାୟଣ ରାଜା ଥିଲେ |
ବିନିଶ୍ଚିତ୍ୟୈବମୃଷୟୋ ବିପନ୍ନସ୍ୟ ମହୀପତେଃ ।
ମମନ୍ଥୁରୂରୁଂ ତରସା ତତ୍ରାସୀଦ୍ବାହୁକୋ ନରଃ ॥ ୪୩॥
ଏପରି ନିଶ୍ଚୟ କରି ସେମାନେ ମୃତ ରାଜା ବେନର ଜଂଘକୁ ଏତେ ଜୋରରେ
ମନ୍ଥନ କଲେ ଯେ ସେଥିରୁ ଏକ ବାମନ ପୁରୁଷ ଉତ୍ପନ୍ନ ହେଲା |
କାକକୃଷ୍ଣୋଽତିହ୍ରସ୍ୱାଙ୍ଗୋ ହ୍ରସ୍ୱବାହୁର୍ମହାହନୁଃ ।
ହ୍ରସ୍ୱପାନ୍ନିମ୍ନନାସାଗ୍ରୋ ରକ୍ତାକ୍ଷସ୍ତାମ୍ରମୂର୍ଧଜଃ ॥ ୪୪॥
ସେ କୁଆ ପରି କଳା ଥିଲା;
ତାହାର ସମସ୍ତ ଅଙ୍ଗ ବିଶେଷତଃ ଭୁଜ ଦୁଇଟି ବହୁତ ଛୋଟ ଥିଲା, ପାଟି ବଡ, ଗୋଡ ଛୋଟ, ନାକ ଚେପଟା, ଆଖି
ଲାଲ ଏବଂ କେଶ ତମ୍ବା ରଙ୍ଗର ଥିଲା |
ତଂ ତୁ ତେଽବନତଂ ଦୀନଂ କିଂ କରୋମୀତି ବାଦିନମ୍ ।
ନିଷୀଦେତ୍ୟବ୍ରୁବଂସ୍ତାତ ସ ନିଷାଦସ୍ତତୋଽଭବତ୍ ॥ ୪୫॥
ଅତ୍ୟନ୍ତ ଦୀନ ଏବଂ ନମ୍ର ଭାବରେ ସେ ଯେତେବେଳେ ପଚାରିଲା, ‘ମୁଁ କ’ଣ କରିବି ?’,
ସେତେବେଳେ ଋଷିମାନେ କହିଲେ, ‘ନିଷୀଦ’ (ବସି ରୁହ)
| ସେଥିରୁ ତା’ର ନାମ ‘ନିଷାଦ’ ହୋଇଗଲା |
ତସ୍ୟ ବଂଶ୍ୟାସ୍ତୁ ନୈଷାଦା ଗିରିକାନନଗୋଚରାଃ ।
ଯେନାହରଜ୍ଜାୟମାନୋ ବେନକଲ୍ମଷମୁଲ୍ବଣମ୍ ॥ ୪୬॥
ଜନ୍ମ ହେଉ ହେଉ ସେ ରାଜା ବେନର ଭୟଙ୍କର ପାପ ସମୁଦାୟକୁ ନିଜର
କରିନେଲା, ସେଥିପାଇଁ ତା’ର ବଂଶଧର ନୈଷାଦମାନେ
ହିଂସା, ଲୁଣ୍ଠନ ଆଦି
ପାପକର୍ମରେ ରତ ରହନ୍ତି; ତେଣୁ ଗ୍ରାମ ଏବଂ
ନଗରରେ ରହି ନ ପାରି ସେମାନେ ବଣ-ପର୍ବତରେ ନିବାସ କରନ୍ତି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୃଥୁଚରିତେ ନିଷାଦୋତ୍ପତ୍ତିର୍ନାମ ଚତୁର୍ଦଶୋଽଧ୍ୟାୟଃ ॥ ୧୪॥

Comments
Post a Comment