ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

 ଚତୁର୍ଥ ସ୍କନ୍ଧ ॥

ଷୋଡଶ ଅଧ୍ୟାୟ

ବନ୍ଦୀଜନଙ୍କ ଦ୍ବାରା ମହାରାଜ ପୃଥୁଙ୍କର ସ୍ତୁତି

 

ମୈତ୍ରେୟ ଉବାଚ

ଇତି ବ୍ରୁବାଣଂ ନୃପତିଂ ଗାୟକା ମୁନିଚୋଦିତାଃ ।

ତୁଷ୍ଟୁବୁସ୍ତୁଷ୍ଟମନସସ୍ତଦ୍ୱାଗମୃତସେବୟା ॥ ୧॥

ମୈତ୍ରେୟ କହୁଛନ୍ତି – ମହାରାଜ ପୃଥୁ ଯେତେବେଳେ ଏପରି କହିଲେ, ସେତବେଳେ ତାଙ୍କର ବଚନାମୃତ ଆସ୍ବାଦନ କରି ସୂତ ଆଦି ଗାୟକମାନେ ଅତ୍ୟନ୍ତ ପ୍ରସନ୍ନ ହେଲେ | ତାପରେ ମୁନିମାନଙ୍କର ପ୍ରେରଣାରେ ସେମାନେ ଏହିପରି ସ୍ତୁତି କରିବାରେ ଲାଗିଲେ |

ନାଲଂ ବୟଂ ତେ ମହିମାନୁବର୍ଣନେ

ଯୋ ଦେବବର୍ୟୋଽବତତାର ମାୟଯା ।

ବେନାଙ୍ଗଜାତସ୍ୟ ଚ ପୌରୁଷାଣି ତେ

ସୂରଜା ବାଚସ୍ପତୀନାମପି ବଭ୍ରମୁର୍ଧିୟଃ ॥ ୨॥

ଆପଣ ସାକ୍ଷାତ୍ ଦେବପ୍ରବର ଶ୍ରୀନାରାୟଣ ହିଁ ଅଟନ୍ତି, ଯିଏ ନିଜ ମାୟାରେ ଅବତୀର୍ଣ୍ଣ ହୋଇଛନ୍ତି; ଆପଣଙ୍କର ମହିମା ଗାନ କରିବାକୁ ଆମ୍ଭେମାନେ ସମର୍ଥ ନୋହୁଁ | ରାଜା ବେନଙ୍କ ମୃତକ ଶରୀରରୁ ଆପଣ ଜନ୍ମ ହୋଇଛନ୍ତି, କିନ୍ତୁ ଆପଣଙ୍କ ପୌରୁଷର ବର୍ଣ୍ଣନା କରିବାକୁ ଯାଇ ସାକ୍ଷାତ୍ ବ୍ରହ୍ମାଙ୍କର ବୁଦ୍ଧି ମଧ୍ୟ ଭ୍ରମିତ ହୋଇଯାଏ |

ଅଥାପ୍ୟୁଦାରଶ୍ରବସଃ ପୃଥୋର୍ହରେଃ

କଲାବତାରସ୍ୟ କଥାମୃତାଦୃତାଃ ।

ଯଥୋପଦେଶଂ ମୁନିଭିଃ ପ୍ରଚୋଦିତାଃ

ଶ୍ଲାଘ୍ୟାନି କର୍ମାଣି ବୟଂ ବିତନ୍ମହି ॥ ୩॥

ତଥାପି ଆପଣଙ୍କ କଥାମୃତ ଆସ୍ବାଦନରେ ଆଦର-ବୁଦ୍ଧି ରଖି ମୁନିମାନଙ୍କର ଉପଦେଶ ଅନୁସାରେ ତାଙ୍କର ହିଁ ପ୍ରେରଣାରେ ଆମେ ଆପଣଙ୍କ ପରମ ପ୍ରଶଂସନୀୟ କର୍ମର କିଂଚିତ ବିସ୍ତାର କରିବାକୁ ଇଚ୍ଛା କରୁଛୁ; ଆପଣ ସାକ୍ଷାତ୍ ଶ୍ରୀହରିଙ୍କର କଳାବତାର ଅଟନ୍ତି ଏବଂ ଆପଣଙ୍କର କୀର୍ତ୍ତି ଅତ୍ୟନ୍ତ ଉଦାର ଅଟେ |

ଏଷ ଧର୍ମଭୃତାଂ ଶ୍ରେଷ୍ଠୋ ଲୋକଂ ଧର୍ମେଽନୁବର୍ତୟନ୍ ।

ଗୋପ୍ତା ଚ ଧର୍ମସେତୂନାଂ ଶାସ୍ତା ତତ୍ପରିପନ୍ଥିନାମ୍ ॥ ୪॥

ଧର୍ମଧାରୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଏହି ପୃଥୁ ମହାରାଜ ସଂସାରକୁ ଧର୍ମରେ ପ୍ରବୃତ୍ତ କରାଇ ଧର୍ମମର୍ଯ୍ୟାଦା ରକ୍ଷା କରିବେ ତଥା ତାହାର ବିରୋଧିମାନଙ୍କୁ ଦଣ୍ଡ ଦେବେ |

ଏଷ ବୈ ଲୋକପାଲାନାଂ ବିଭର୍ତ୍ୟେକସ୍ତନୌ ତନୂଃ ।

କାଲେ କାଲେ ଯଥା ଭାଗଂ ଲୋକୟୋରୁଭୟୋର୍ହିତମ୍ ॥ ୫॥

ସେ ଏକାକୀ ସମୟ-ସମୟରେ ପ୍ରଜାମାନଙ୍କର ପାଳନ, ପୋଷଣ ଏବଂ ଅନୁରଞ୍ଜନ ଆଦି କାର୍ଯ୍ୟ ଅନୁସାରେ ନିଜ ଶରୀରରେ ଭିନ୍ନ ଭିନ୍ନ ଲୋକପାଳଙ୍କର ମୂର୍ତ୍ତି ଧାରଣ କରିବେ ତଥା ଯଜ୍ଞ ଆଦିର ପ୍ରଚାର ଦ୍ବାରା ସ୍ବର୍ଗଲୋକ ଏବଂ ବ୍ୟଷ୍ଟି ବ୍ୟବସ୍ଥା ଦ୍ବାରା ଭୂଲୋକ – ଉଭୟର ହିତ ସାଧନ କରିବେ |

ବସୁ କାଲ ଉପାଦତ୍ତେ କାଲେ ଚାୟଂ ବିମୁଞ୍ଚତି ।

ସମଃ ସର୍ୱେଷୁ ଭୂତେଷୁ ପ୍ରତପନ୍ ସୂର୍ୟବଦ୍ୱିଭୁଃ ॥ ୬॥

ସୂର୍ଯ୍ୟଙ୍କ ପରି ସେ ଅଲୌକିକ ମହିମାନ୍ବିତ ପ୍ରତାପବାନ ଏବଂ ସମଦର୍ଶୀ ହେବେ | ସୂର୍ଯ୍ୟଦେବ ଯେପରି ଆଠ ମାସ ଉତ୍ତପ୍ତ ରହି ପୃଥିବୀରୁ ଜଳକୁ ଟାଣିନିଅନ୍ତି ଏବଂ ବର୍ଷା ଋତୁରେ ତାହାକୁ ପୃଥିବୀପୃଷ୍ଠରେ ଢାଳିଦିଅନ୍ତି, ସେହିପରି ସେ ପ୍ରଜାଙ୍କଠାରୁ କର ଆଦି ରୂପରେ ଧନ ସଞ୍ଚୟ କରି ତାହାକୁ ପ୍ରଜାମାନଙ୍କର ହିତ ଉଦ୍ଦେଶ୍ୟରେ ବ୍ୟୟ କରିବେ |

ତିତିକ୍ଷତ୍ୟକ୍ରମଂ ବୈନ୍ୟ ଉପର୍ୟାକ୍ରମତାମପି ।

ଭୂତାନାଂ କରୁଣଃ ଶଶ୍ୱଦାର୍ତାନାଂ କ୍ଷିତିବୃତ୍ତିମାନ୍ ॥ ୭॥

ସେ ଅତ୍ୟନ୍ତ ଦୟାଳୁ ହେବେ | କେବେ କେହି ଦୀନ ପୁରୁଷ ଯଦି ଭୁଲବଶତଃ ତାଙ୍କ ମସ୍ତକରେ ପାଦ ରଖିଦିଅନ୍ତି, ତେବେ ସେ ପୃଥିବୀ ସଦୃଶ ତାଙ୍କର ସେହି ଅନୁଚିତ ବ୍ୟବହାରକୁ ମଧ୍ୟ ସହ୍ୟ କରିନେବେ |

ଦେବେଽବର୍ଷତ୍ୟସୌ ଦେବୋ ନରଦେବବପୁର୍ହରିଃ ।

କୃଚ୍ଛ୍ରପ୍ରାଣାଃ ପ୍ରଜା ହ୍ୟେଷ ରକ୍ଷିଷ୍ୟତ୍ୟଞ୍ଜସେନ୍ଦ୍ରବତ୍ ॥ ୮॥

କେତେବେଳେ ଯଦି ବର୍ଷା ବିନା ପ୍ରଜାମାନଙ୍କର ପ୍ରାଣ ସଂକଟାପନ୍ନ ହୋଇଯାଏ, ତେବେ ଏହି ରାଜବେଷଧାରୀ ଶ୍ରୀହରି ଇନ୍ଦ୍ରଙ୍କ ପରି ଜଳ ବର୍ଷଣ କରି ସେମାନଙ୍କର ପ୍ରାଣରକ୍ଷା କରିବେ |

ଆପ୍ୟାୟଯତ୍ୟସୌ ଲୋକଂ ବଦନାମୃତମୂର୍ତିନା ।

ସାନୁରାଗାବଲୋକେନ ବିଶଦସ୍ମିତଚାରୁଣା ॥ ୯॥

ସେ ନିଜର ଅମୃତମୟ ମୁଖଚନ୍ଦ୍ରର ମନୋହର ସ୍ମିତହାସ୍ୟ ଏବଂ ପ୍ରେମଭରା ଚାହାଣୀରେ ସମ୍ପୂର୍ଣ୍ଣ ଲୋକକୁ ଆନନ୍ଦମଗ୍ନ କରି ରଖିବେ |

ଅବ୍ୟକ୍ତବର୍ତ୍ମୈଷ ନିଗୂଢକାର୍ୟୋ

ଗମ୍ଭୀରବେଧା ଉପଗୁପ୍ତବିତ୍ତଃ ।

ଅନନ୍ତମାହାତ୍ମ୍ୟଗୁଣୈକଧାମା

ପୃଥୁଃ ପ୍ରଚେତା ଇବ ସମ୍ବୃତାତ୍ମା ॥ ୧୦॥

ତାଙ୍କର ଗତିକୁ କେହି ବୁଝିପାରିବେ ନାହିଁ, ତାଙ୍କର କାର୍ଯ୍ୟ ମଧ୍ୟ ଗୋପନୀୟ ହେବ ତଥା ତାହା ସମ୍ପନ୍ନ କରିବାର ପଦ୍ଧତି ମଧ୍ୟ ବହୁତ ଗମ୍ଭୀର ହେବ | ତାଙ୍କର ଧନ ସର୍ବଦା ସୁରକ୍ଷିତ ରହିବ | ଅନନ୍ତ ମାହାତ୍ମ୍ୟ ଏବଂ ଗୁଣର ସେ ଏକମାତ୍ର ଆଶ୍ରୟ ହେବେ | ଏହିପ୍ରକାରେ ସେହି ମନସ୍ବୀ ପୃଥୁ ସାକ୍ଷାତ୍ ବରୁଣଦେବଙ୍କ ସଦୃଶ ହେବେ |

ଦୁରାସଦୋ ଦୁର୍ୱିଷହ ଆସନ୍ନୋଽପି ବିଦୂରବତ୍ ।

ନୈବାଭିଭବିତୁଂ ଶକ୍ୟୋ ବେନାରଣ୍ୟୁତ୍ଥିତୋଽନଲଃ ॥ ୧୧॥

ମହାରାଜ ପୃଥୁ ବେନରୂପ ଅରଣିର ମନ୍ଥନରୁ ପ୍ରକଟ ହୋଇଥିବା ଅଗ୍ନି ସଦୃଶ ଅଟନ୍ତି | ଶତ୍ରୁମାନଙ୍କ ପାଇଁ ସେ ଅତ୍ୟନ୍ତ ଦୁର୍ଧର୍ଷ ଏବଂ ଦୁଃସହ ହେବେ | ସେ ସେମାନଙ୍କ ସମୀପରେ ରହିଥିଲେ ବି ସେନାମାନଙ୍କ ଦ୍ବାରା ସୁରକ୍ଷିତ ରହିଥିବା କାରଣରୁ, ସେମାନଙ୍କଠାରୁ ବହୁ ଦୂରରେ ଥିବା ପରି ପ୍ରତୀତ ହେବେ | ଶତ୍ରୁମାନେ ତାଙ୍କୁ କେବେ ହରାଇ ପାରିବେ ନାହିଁ |

ଅନ୍ତର୍ବହିଶ୍ଚ ଭୂତାନାଂ ପଶ୍ୟନ୍ କର୍ମାଣି ଚାରଣୈଃ ।

ଉଦାସୀନ ଇବାଧ୍ୟକ୍ଷୋ ବାୟୁରାତ୍ମେବ ଦେହିନାମ୍ ॥ ୧୨॥

ପ୍ରାଣୀମାନଙ୍କ ଭିତରେ ରହିଥିବା ପ୍ରାଣରୂପ ସୂତ୍ରାତ୍ମା ଯେପରି ଶରୀର ଭିତର-ବାହାର ସମସ୍ତ କାରବାରକୁ ଦେଖି ମଧ୍ୟ ଉଦାସୀନ ରହିଥାଏ, ସେହିପରି ଗୁପ୍ତଚରମାନଙ୍କ ଦ୍ବାରା ପ୍ରଜାମାନଙ୍କର ଗୁପ୍ତ ଏବଂ ପ୍ରକଟ ସବୁ କାରବାର ଜାଣି ମଧ୍ୟ ନିଜର ନିନ୍ଦା ଏବଂ ସ୍ତୁତି ଆଦି ପ୍ରତି ଉଦାସୀନବତ୍ ରହିବେ |

ନାଦଣ୍ଡ୍ୟଂ ଦଣ୍ଡୟତ୍ୟେଷ ସୁତମାତ୍ମଦ୍ୱିଷାମପି ।

ଦଣ୍ଡୟତ୍ୟାତ୍ମଜମପି ଦଣ୍ଡ୍ୟଂ ଧର୍ମପଥେ ସ୍ଥିତଃ ॥ ୧୩॥

ସେ ଧର୍ମମାର୍ଗରେ ସ୍ଥିତ ରହି ନିଜ ଶତ୍ରୁର ପୁତ୍ରକୁ ମଧ୍ୟ, ଯଦି ସେ ଦଣ୍ଡନୀୟ ହୋଇ ନ ଥିବ, ଦଣ୍ଡ ଦେବେ ନାହିଁ ଏବଂ ନିଜ ପୁତ୍ର ହୋଇଥିଲେ ବି, ଯଦି ସେ ଅପରାଧୀ ହୋଇଥିବ, ତାକୁ ଦଣ୍ଡ ଦେବେ |

ଅସ୍ୟାପ୍ରତିହତଂ ଚକ୍ରଂ ପୃଥୋରାମାନସାଚଲାତ୍ ।

ବର୍ତତେ ଭଗବାନର୍କୋ ଯାବତ୍ତପତି ଗୋଗଣୈଃ ॥ ୧୪॥

ଭଗବାନ ସୂର୍ଯ୍ୟ ମାନସୋତ୍ତର ପର୍ବତ ଯାଏଁ ଯେତେ ସବୁ ପ୍ରଦେଶକୁ ନିଜ କିରଣରେ ପ୍ରକାଶିତ କରିଥାଆନ୍ତି, ସେହି ସମ୍ପୂର୍ଣ୍ଣ କ୍ଷେତ୍ର ତାଙ୍କର ନିଷ୍କଣ୍ଟକ ରାଜ୍ୟ ହେବ |

ରଞ୍ଜୟିଷ୍ୟତି ଯଲ୍ଲୋକମୟମାତ୍ମବିଚେଷ୍ଟିତୈଃ ।

ଅଥାମୁମାହୂ ରାଜାନଂ ମନୋରଞ୍ଜନକୈଃ ପ୍ରଜାଃ ॥ ୧୫॥

ସେ ନିଜ କାର୍ଯ୍ୟ ଦ୍ବାରା ସମସ୍ତଙ୍କୁ ସୁଖ ଦେବେ – ସେମାନଙ୍କୁ ଆମୋଦିତ କରିବେ; ତାଙ୍କର ସେହି ମନୋରଞ୍ଜନାତ୍ମକ ବ୍ୟବହାର ଯୋଗୁଁ ପ୍ରଜାମାନେ ତାଙ୍କୁ ‘ରାଜା କହିବେ |

ଦୃଢବ୍ରତଃ ସତ୍ୟସନ୍ଧୋ ବ୍ରହ୍ମଣ୍ୟୋ ବୃଦ୍ଧସେବକଃ ।

ଶରଣ୍ୟଃ ସର୍ୱଭୂତାନାଂ ମାନଦୋ ଦୀନବତ୍ସଲଃ ॥ ୧୬॥

ସେ ବହୁତ ଅଧିକ ଦୃଢ଼ସଂକଳ୍ପ, ସତ୍ୟପ୍ରତିଜ୍ଞ, ବ୍ରାହ୍ମଣଭକ୍ତ, ବୃଦ୍ଧମାନଙ୍କର ସେବାକାରୀ, ଶରଣାଗତବତ୍ସଳ, ସମସ୍ତଙ୍କର ସମ୍ମାନକାରୀ ଏବଂ ଦୀନଜନଙ୍କ ପ୍ରତି ଦୟାଳୁ ହେବେ |

ମାତୃଭକ୍ତିଃ ପରସ୍ତ୍ରୀଷୁ ପତ୍ନ୍ୟାମର୍ଧ ଇବାତ୍ମନଃ ।

ପ୍ରଜାସୁ ପିତୃବତ୍ସ୍ନିଗ୍ଧଃ କିଙ୍କରୋ ବ୍ରହ୍ମବାଦିନାମ୍ ॥ ୧୭॥

ସେ ପରସ୍ତ୍ରୀଙ୍କୁ ମାତୃବତ୍ ଭକ୍ତି କରିବେ, ନିଜ ପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀ ମନେ କରିବେ, ପ୍ରଜାମାନଙ୍କ ପ୍ରତି ପିତାତୁଲ୍ୟ ସ୍ନେହ ରଖିବେ ଏବଂ ବ୍ରହ୍ମବାଦୀମାନଙ୍କର ସେବକ ହେବେ |

ଦେହିନାମାତ୍ମବତ୍ପ୍ରେଷ୍ଠଃ ସୁହୃଦାଂ ନନ୍ଦିବର୍ଧନଃ ।

ମୁକ୍ତସଙ୍ଗପ୍ରସଙ୍ଗୋଽୟଂ ଦଣ୍ଡପାଣିରସାଧୁଷୁ ॥ ୧୮॥

ଅନ୍ୟ ପ୍ରାଣୀ ତାଙ୍କୁ ନିଜ ଶରୀର ପରି ଭଲପାଇବେ | ସେ ସୁହୃଦମାନଙ୍କର ଆନନ୍ଦ ବୃଦ୍ଧି କରିବେ | ବୈରାଗ୍ୟବାନ ପୁରୁଷଙ୍କୁ ସେ ସର୍ବଦା ବିଶେଷ ପ୍ରେମ କରିବେ ଏବଂ ଦୁଷ୍ଟମାନଙ୍କୁ ଦଣ୍ଡପାଣି ଯମରାଜଙ୍କ ପରି ସର୍ବଦା ଦଣ୍ଡ ଦେବା ନିମନ୍ତେ ଉଦ୍ୟତ ରହିବେ |

ଅୟଂ ତୁ ସାକ୍ଷାଦ୍ଭଗବାଂସ୍ତ୍ର୍ୟଧୀଶଃ

କୂଟସ୍ଥ ଆତ୍ମା କଲୟାବତୀର୍ଣଃ ।

ଯସ୍ମିନ୍ନବିଦ୍ୟାରଚିତଂ ନିରର୍ଥକଂ

ପଶ୍ୟନ୍ତି ନାନାତ୍ୱମପି ପ୍ରତୀତମ୍ ॥ ୧୯॥

ତ୍ରିଗୁଣର ଅଧିଷ୍ଠାତା ଏବଂ ନିର୍ବିକାର ସାକ୍ଷାତ୍ ଶ୍ରୀନାରାୟଣ ହିଁ ଏହାଙ୍କ ରୂପରେ ନିଜ ଅଂଶରେ ଅବତାର ଗ୍ରହଣ କରିଛନ୍ତି; ତେଣୁ ତାଙ୍କଠାରେ ଅବିଦ୍ୟାବଶ ପ୍ରତୀତ ହେଉଥିବା ନାନାତ୍ବକୁ ପଣ୍ଡିତମାନେ ମିଥ୍ୟା ମନେକରନ୍ତି |

ଅୟଂ ଭୁବୋ ମଣ୍ଡଲମୋଦୟାଦ୍ରେ-

ର୍ଗୋପ୍ତୈକବୀରୋ ନରଦେବନାଥଃ ।

ଆସ୍ଥାୟ ଜୈତ୍ରଂ ରଥମାତ୍ତଚାପଃ

ପର୍ୟସ୍ୟତେ ଦକ୍ଷିଣତୋ ଯଥାର୍କଃ ॥ ୨୦॥

ଅଦ୍ବିତୀୟ ବୀର ଏବଂ ଏକଛତ୍ର ସମ୍ରାଟ ଭାବରେ ସେ ଏକାକୀ ହିଁ ଉଦୟାଚଳପର୍ଯ୍ୟନ୍ତ ସମଗ୍ର ଭୂମଣ୍ଡଳର ରକ୍ଷା କରିବେ ତଥା ନିଜ ଜୟଶୀଳ ରଥ ଆରୋହଣ କରି ଧନୁର୍ବାଣ ହାତରେ ଧରି ସୂର୍ଯ୍ୟଙ୍କ ସଦୃଶ ସର୍ବତ୍ର ପ୍ରଦକ୍ଷିଣା କରିବେ |

ଅସ୍ମୈ ନୃପାଲାଃ କିଲ ତତ୍ର ତତ୍ର

ବଲିଂ ହରିଷ୍ୟନ୍ତି ସଲୋକପାଲାଃ ।

ମଂସ୍ୟନ୍ତ ଏଷାଂ ସ୍ତ୍ରିୟ ଆଦିରାଜଂ

ଚକ୍ରାୟୁଧଂ ତଦ୍ୟଶ ଉଦ୍ଧରନ୍ତ୍ୟଃ ॥ ୨୧॥

ସେହି ସମୟରେ ସ୍ଥାନେ ସ୍ଥାନେ ସବୁ ଲୋକପାଳ ଏବଂ ପୃଥିବୀପାଳ ତାଙ୍କୁ ଉପହାର ଅର୍ପଣ କରିବେ, ସେମାନଙ୍କର ସ୍ତ୍ରୀମାନେ ତାଙ୍କର ଗୁଣଗାନ କରିବେ ଏବଂ  ଆଦିରାଜ ରୂପେ ତାଙ୍କୁ ସାକ୍ଷାତ୍ ଶ୍ରୀହରି ମନେକରିବେ |

ଅୟଂ ମହୀଂ ଗାଂ ଦୁଦୁହେଽଧିରାଜଃ

ପ୍ରଜାପତିର୍ୱୃତ୍ତିକରଃ ପ୍ରଜାନାମ୍ ।

ଯୋ ଲୀଲୟାଦ୍ରୀନ୍ ସ୍ୱଶରାସକୋଟ୍ୟା

ଭିନ୍ଦନ୍ ସମାଂ ଗାମକରୋଦ୍ୟଥେନ୍ଦ୍ରଃ ॥ ୨୨॥

ପ୍ରଜାପାଳକ ରାଜାଧିରାଜ ଭାବରେ ସେ ପ୍ରଜାଙ୍କର ଜୀବନନିର୍ବାହ ନିମନ୍ତେ ଗୋରୂପିଣୀ ପୃଥିବୀର ଦୋହନ କରିବେ ଏବଂ ଇନ୍ଦ୍ରଙ୍କ ପରି ଚାହୁଁ ଚାହୁଁ ନିଜ ଧନୁର କୋଣରେ ପର୍ବତମାନଙ୍କୁ ଭାଙ୍ଗି ଚୂରମାର କରି ପୃଥିବୀକୁ ସମତଳ କରିଦେବେ |

ବିସ୍ଫୂର୍ଜୟନ୍ନାଜଗବଂ ଧନୁଃ ସ୍ୱୟଂ

ଯଦାଚରତ୍କ୍ଷ୍ମାମବିଷହ୍ୟମାଜୌ ।

ତଦା ନିଲିଲ୍ୟୁର୍ଦିଶି ଦିଶ୍ୟସନ୍ତୋ

ଲାଙ୍ଗୂଲମୁଦ୍ୟମ୍ୟ ଯଥା ମୃଗେନ୍ଦ୍ରଃ ॥ ୨୩॥

ରଣଭୂମିରେ କେହି ମଧ୍ୟ ତାଙ୍କର ବେଗକୁ ସହ୍ୟ କରିପାରିବେ ନାହିଁ | ସେ ଯେତେବେଳେ ଲାଞ୍ଜ ଉଠାଇ ଜଙ୍ଗଲରେ ବିଚରଣ କରୁଥିବା ସିଂହ ପରି ନିଜ ‘ଆଜଗବ’ ଧନୁର ଟଙ୍କାର କରି ଭୂମଣ୍ଡଳରେ ବିଚରଣ କରୁଥିବେ, ସେତେବେଳେ ସବୁ ଦୁଷ୍ଟଜନ ତାଙ୍କ ଭୟରେ ଏଣେତେଣେ ଲୁଚିଯିବେ |

ଏଷୋଽଶ୍ୱମେଧାଞ୍ଶତମାଜହାର

ସରସ୍ୱତୀ ପ୍ରାଦୁରଭାବି ଯତ୍ର ।

ଅହାର୍ଷୀଦ୍ୟସ୍ୟ ହୟଂ ପୁରନ୍ଦରଃ

ଶତକ୍ରତୁଶ୍ଚରମେ ବର୍ତମାନେ ॥ ୨୪॥

ସରସ୍ବତୀ ନଦୀର ଉଦଗମସ୍ଥଳୀରେ ସେ ଏକଶତ ଅଶ୍ବମେଧ ଯଜ୍ଞ କରିବେ | ଅନ୍ତିମ ଯଜ୍ଞାନୁଷ୍ଠାନ କାଳରେ ଇନ୍ଦ୍ର ତାଙ୍କର ଅଶ୍ବକୁ ଅପହରଣ କରିନେବେ |

ଏଷ ସ୍ୱସଦ୍ମୋପବନେ ସମେତ୍ୟ

ସନତ୍କୁମାରଂ ଭଗବନ୍ତମେକମ୍ ।

ଆରାଧ୍ୟ ଭକ୍ତ୍ୟାଲଭତାମଲଂ ତତ୍

ଜ୍ଞାନଂ ଯତୋ ବ୍ରହ୍ମ ପରଂ ବିଦନ୍ତି ॥ ୨୫॥

ନିଜ ମହଲର ବଗିଚାରେ ଏକଦା ତାଙ୍କର ଭଗବାନ ସନତ୍ କୁମାରଙ୍କ ସହିତ ସାକ୍ଷାତକାର ହେବ | ଏକାନ୍ତରେ ଭକ୍ତିପୂର୍ବକ ତାଙ୍କର ସେବା କରି ପୃଥୁ ସେହି ନିର୍ମଳ ଜ୍ଞାନ ପ୍ରାପ୍ତ କରିବେ, ଯଦ୍ବାରା ପରବ୍ରହ୍ମଙ୍କର ପ୍ରାପ୍ତି ହୋଇଥାଏ |

ତତ୍ର ତତ୍ର ଗିରସ୍ତାସ୍ତା ଇତି ବିଶ୍ରୁତବିକ୍ରମଃ ।

ଶ୍ରୋଷ୍ୟତ୍ୟାତ୍ମାଶ୍ରିତା ଗାଥାଃ ପୃଥୁଃ ପୃଥୁପରାକ୍ରମଃ ॥ ୨୬॥

ଏହିପରି ଭାବରେ ଯେତେବେଳେ ଏହାଙ୍କର ପରାକ୍ରମ ଜନତାଙ୍କ ସମ୍ମୁଖରେ ସ୍ପଷ୍ଟ ହୋଇଯିବ, ସେତେବେଳେ ଏହି ପରମପରାକ୍ରମୀ ମହାରାଜ ସର୍ବତ୍ର ନିଜ ଚରିତ୍ରର ଚର୍ଚ୍ଚା ଶୁଣିବାକୁ ପାଇବେ |

ଦିଶୋ ବିଜିତ୍ୟାପ୍ରତିରୁଦ୍ଧଚକ୍ରଃ

ସ୍ୱତେଜସୋତ୍ପାଟିତଲୋକଶଲ୍ୟଃ ।

ସୁରାସୁରେନ୍ଦ୍ରୈରୁପଗୀୟମାନ-

ମହାନୁଭାବୋ ଭବିତା ପତିର୍ଭୁବଃ ॥ ୨୭॥

ତାଙ୍କ ଆଜ୍ଞାର ବିରୋଧ କେହି ମଧ୍ୟ କରିପାରିବେ ନାହିଁ | ଦଶ ଦିଶାକୁ ଜିତି ଏବଂ ନିଜ ତେଜରେ ପ୍ରଜାଙ୍କର କ୍ଲେଶରୂପ କଣ୍ଟକ ଉତ୍ପାଟନ କରି, ସେ ସମ୍ପୂର୍ଣ୍ଣ ଭୂମଣ୍ଡଳର ଶାସକ ହେବେ | ସେହି ସମୟରେ ଦେବତାଙ୍କ ସହିତ ଅସୁରମାନେ ମଧ୍ୟ ତାଙ୍କ ବିପୁଳ ପ୍ରଭାବର ବର୍ଣ୍ଣନ କରିବେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଚତୁର୍ଥସ୍କନ୍ଧେ ଷୋଡଶୋଽଧ୍ୟାୟଃ ॥ ୧୬॥

Comments

Popular posts from this blog