ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ସପ୍ତଦଶ ଅଧ୍ୟାୟ
ମହାରାଜ ପୃଥୁଙ୍କର ପୃଥିବୀ ଉପରେ କୋପ ଏବଂ ପୃଥିବୀ ଦ୍ବାରା ତାଙ୍କର ସ୍ତୁତି
ମୈତ୍ରେୟ ଉବାଚ
ଏବଂ ସ ଭଗବାନ୍ ବୈନ୍ୟଃ ଖ୍ୟାପିତୋ ଗୁଣକର୍ମଭିଃ ।
ଛନ୍ଦୟାମାସ ତାନ୍ କାମୈଃ ପ୍ରତିପୂଜ୍ୟାଭିନନ୍ଦ୍ୟ ଚ ॥ ୧॥
ମୈତ୍ରେୟ କହୁଛନ୍ତି – ଏହିପରି ଭାବରେ ବନ୍ଦୀଜନମାନେ ଯେତେବେଳେ
ମହାରାଜ ପୃଥୁଙ୍କର ଗୁଣ ଓ କର୍ମର ବର୍ଣ୍ଣନ କରି ତାଙ୍କର ପ୍ରଶଂସା କଲେ, ସେତେବେଳେ ସେ ମଧ୍ୟ ସେମାନଙ୍କର ପ୍ରଶଂସା କରିବା ସହିତ ସେମାନଙ୍କୁ
ମନପସନ୍ଦ ବସ୍ତୁ ପ୍ରଦାନ କରି ସନ୍ତୁଷ୍ଟ କଲେ |
ବ୍ରାହ୍ମଣପ୍ରମୁଖାନ୍ ବର୍ଣାନ୍ ଭୃତ୍ୟାମାତ୍ୟପୁରୋଧସଃ ।
ପୌରାନ୍ ଜାନପଦାନ୍ ଶ୍ରେଣୀଃ ପ୍ରକୃତୀଃ ସମପୂଜୟତ୍ ॥ ୨॥
ଏତଦ୍ ବ୍ୟତିତ, ସେ ବ୍ରାହ୍ମଣାଦି
ଚତୁର୍ବର୍ଣ୍ଣ, ସେବକ, ମନ୍ତ୍ରୀ, ପୁରୋହିତ, ପୁରବାସୀ, ଦେଶବାସୀ,
ଭିନ୍ନ ଭିନ୍ନ ବ୍ୟବସାୟୀ ତଥା ଅନ୍ୟାନ୍ୟ ଆଜ୍ଞାନୁବର୍ତ୍ତୀମାନଙ୍କର ମଧ୍ୟ ସତ୍କାର କଲେ |
ବିଦୁର ଉବାଚ
କସ୍ମାଦ୍ଦଧାର ଗୋରୂପଂ ଧରିତ୍ରୀ ବହୁରୂପିଣୀ ।
ଯାଂ ଦୁଦୋହ ପୃଥୁସ୍ତତ୍ର କୋ ବତ୍ସୋ ଦୋହନଂ ଚ କିମ୍ ॥ ୩॥
ବିଦୁର ପଚାରିଲେ – ବ୍ରହ୍ମନ୍ ! ପୃଥିବୀ ତ ଆହୁରି ଅନେକ ରୂପ ଧାରଣ
କରିପାରନ୍ତା, ସେ ଗୌରୂପ ହିଁ କାହିଁକି ଧାରଣ କଲା ? ତାଛଡା ମହାରାଜ ପୃଥୁ ଯେତେବେଳେ ତାହାର
ଦୋହନ କଲେ, ସେତେବେଳେ ବାଛୁରୀ
କିଏ ଥିଲା ଏବଂ ଦୋହନ-ପାତ୍ର କିଏ ହୋଇଥିଲା ?
ପ୍ରକୃତ୍ୟା ବିଷମା ଦେବୀ କୃତା ତେନ ସମା କଥମ୍ ।
ତସ୍ୟ ମେଧ୍ୟଂ ହୟଂ ଦେବଃ କସ୍ୟ ହେତୋରପାହରତ୍ ॥ ୪॥
ପୃଥିବୀ ଦେବୀ ତ ସ୍ବଭାବତଃ ଉଚ୍ଚ-ନୀଚ ଥିଲା | ତାହାକୁ ସେ ସମତଳ
କିପରି କଲେ ଏବଂ ଇନ୍ଦ୍ର ତାଙ୍କର ଯଜ୍ଞ-ଅଶ୍ବକୁ କାହିଁକି ହରଣ କରିନେଲେ ?
ସନତ୍କୁମାରାଦ୍ଭଗବତୋ ବ୍ରହ୍ମନ୍ ବ୍ରହ୍ମବିଦୁତ୍ତମାତ୍ ।
ଲବ୍ଧ୍ୱା ଜ୍ଞାନଂ ସବିଜ୍ଞାନଂ ରାଜର୍ଷିଃ କାଂ ଗତିଂ ଗତଃ ॥ ୫॥
ବ୍ରହ୍ମଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭଗବାନ ସନତ୍ କୁମାରଙ୍କଠାରୁ
ଜ୍ଞାନ-ବିଜ୍ଞାନ ପ୍ରାପ୍ତ କରି ସେହି ରାଜର୍ଷି କେଉଁ ଗତିକୁ ପ୍ରାପ୍ତ ହେଲେ ?
ଯଚ୍ଚାନ୍ୟଦପି କୃଷ୍ଣସ୍ୟ ଭବାନ୍ ଭଗବତଃ ପ୍ରଭୋଃ ।
ଶ୍ରବଃ ସୁଶ୍ରବସଃ ପୁଣ୍ୟଂ ପୂର୍ୱଦେହକଥାଶ୍ରୟମ୍ ॥ ୬॥
ଭକ୍ତାୟ ମେଽନୁରକ୍ତାୟ ତବ ଚାଧୋକ୍ଷଜସ୍ୟ ଚ ।
ବକ୍ତୁମର୍ହସି ଯୋଽଦୁହ୍ୟଦ୍ୱୈନ୍ୟରୂପେଣ ଗାମିମାମ୍ ॥ ୭॥
ପୃଥୁ ରୂପରେ ସର୍ବେଶ୍ବର ଭଗବାନ ଶ୍ରୀକୃଷ୍ଣ ହିଁ ଅବତାର ଗ୍ରହଣ
କରିଥିଲେ; ତେଣୁ ପୁଣ୍ୟକୀର୍ତ୍ତି ଶ୍ରୀହରିଙ୍କର ସେହି ପୃଥୁ-ଅବତାର ସମ୍ବନ୍ଧୀ ଅନ୍ୟ ଯେତେସବୁ
ପବିତ୍ର ଚରିତ ରହିଛି, ତାହା ଆପଣ ମୋତେ
କହନ୍ତୁ | ମୁଁ ଆପଣଙ୍କର ଏବଂ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ଅତ୍ୟନ୍ତ ଅନୁରକ୍ତ ଭକ୍ତ ଅଟେ |
ସୂତ ଉବାଚ
ଚୋଦିତୋ ବିଦୁରେଣୈବଂ ବାସୁଦେବକଥାଂ ପ୍ରତି ।
ପ୍ରଶସ୍ୟ ତଂ ପ୍ରୀତମନା ମୈତ୍ରେୟଃ ପ୍ରତ୍ୟଭାଷତ ॥ ୮॥
ସୂତ କହୁଛନ୍ତି – ବିଦୁରଙ୍କ ଦ୍ବାରା ଭଗବାନ ବାସୁଦେବଙ୍କର କଥା
ବର୍ଣ୍ଣନ କରିବାକୁ ପ୍ରେରିତ ହୋଇ ମୈତ୍ରେୟ ମୁନି ପ୍ରସନ୍ନଚିତ୍ତରେ ତାଙ୍କର ପ୍ରଶଂସା କରି
କହିବାକୁ ଆରମ୍ଭ କଲେ |
ମୈତ୍ରେୟ ଉବାଚ
ଯଦାଭିଷିକ୍ତଃ ପୃଥୁରଙ୍ଗ ବିପ୍ରୈ-
ରାମନ୍ତ୍ରିତୋ ଜନତାୟାଶ୍ଚ ପାଲଃ ।
ପ୍ରଜା ନିରନ୍ନେ କ୍ଷିତିପୃଷ୍ଠ ଏତ୍ୟ
କ୍ଷୁତ୍କ୍ଷାମଦେହାଃ ପତିମଭ୍ୟବୋଚନ୍ ॥ ୯॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ବ୍ରାହ୍ମଣମାନେ ମହାରାଜ
ପୃଥୁଙ୍କର ରାଜ୍ୟାଭିଷେକ କରାଇ ତାଙ୍କୁ ପ୍ରଜାଙ୍କର ରକ୍ଷକ ଉଦଘୋଷିତ କଲେ | ସେହି ଦିନମାନଙ୍କରେ
ପୃଥିବୀ ଅନ୍ନହୀନ ଥିଲା, ସେଥିପାଇଁ ଭୋକରେ
ଆତୁର ହୋଇ ପ୍ରଜାଜନଙ୍କର ଶରୀର ସୁଖି କଣ୍ଟା ହୋଇ ଯାଇଥିଲା |
ସେମାନେ ନିଜ ସ୍ବାମୀ ପୃଥୁଙ୍କ ପାଖକୁ ଆସି କହିଲେ -
ବୟଂ ରାଜଞ୍ଜାଠରେଣାଭିତପ୍ତା
ଯଥାଗ୍ନିନା କୋଟରସ୍ଥେନ ବୃକ୍ଷାଃ ।
ତ୍ୱାମଦ୍ୟ ଯାତାଃ ଶରଣଂ ଶରଣ୍ୟଂ
ଯଃ ସାଧିତୋ ବୃତ୍ତିକରଃ ପତିର୍ନଃ ॥ ୧୦॥
ହେ ରାଜନ୍ ! ବୃକ୍ଷ କୋରଡରେ ଜଳୁଥିବା ଅଗ୍ନି ଦ୍ବାରା ଯେପରି
ସମ୍ପୂର୍ଣ୍ଣ ବୃକ୍ଷ ଜଳି ପାଉଁଶ ହୋଇଯାଏ, ସେହିପରି
ଆମ୍ଭମାନଙ୍କର ଉଦରର ଜ୍ବାଳାରେ ଆମ୍ଭେମାନେ ଦଗ୍ଧ ହେଉଛୁ | ଆପଣ ଶରଣାଗତ-ରକ୍ଷକ ଏବଂ ଆମର
ଅନ୍ନଦାତା ପ୍ରଭୁ ଅଟନ୍ତି, ସେଥିପାଇଁ ଆମେ ଆପଣଙ୍କ ଶରଣରେ ଆସିଛୁ |
ତନ୍ନୋ ଭବାନୀହତୁ ରାତବେଽନ୍ନଂ
କ୍ଷୁଧାର୍ଦିତାନାଂ ନରଦେବଦେବ ।
ଯାବନ୍ନ ନଙ୍କ୍ଷ୍ୟାମହ ଉଜ୍ଝିତୋର୍ଜା
ବାର୍ତାପତିସ୍ତ୍ୱଂ କିଲ ଲୋକପାଲଃ ॥ ୧୧॥
ଆପଣ ସମସ୍ତ ଲୋକର ରକ୍ଷକ ଅଟନ୍ତି,
ଆପଣ ଆମ ଜୀବିକାର ମଧ୍ୟ ସ୍ବାମୀ ଅଟନ୍ତି | ତେଣୁ ହେ ରାଜରାଜେଶ୍ବର ! ଆମ୍ଭମାନଙ୍କ ପରି
କ୍ଷୁଧାପୀଡିତଙ୍କ ପାଇଁ ଆପଣ ଅତିଶୀଘ୍ର ଅନ୍ନର ବ୍ୟବସ୍ଥା କରନ୍ତୁ; ଏପରି ନ ହେଉ ଯେ ଅନ୍ନ ଅଭାବରେ ଆମର ଅନ୍ତ ହୋଇଯିବ |
ମୈତ୍ରେୟ ଉବାଚ
ପୃଥୁଃ ପ୍ରଜାନାଂ କରୁଣଂ ନିଶମ୍ୟ ପରିଦେବିତମ୍ ।
ଦୀର୍ଘଂ ଦଧ୍ୟୌ କୁରୁଶ୍ରେଷ୍ଠ ନିମିତ୍ତଂ ସୋଽନ୍ୱପଦ୍ୟତ ॥ ୧୨॥
ମୈତ୍ରେୟ କହୁଛନ୍ତି – ହେ କୁରୁଶ୍ରେଷ୍ଠ ! ପ୍ରଜାମାନଙ୍କର କରୁଣ
କ୍ରନ୍ଦନ ଶୁଣି ମହାରାଜ ପୃଥୁ ବହୁତ ସମୟ ଯାଏଁ ବିଚାର କଲେ | ଶେଷରେ, ଅନ୍ନାଭାବର ବାସ୍ତବ
କାରଣକୁ ସେ ଠାବ କରିନେଲେ |
ଇତି ବ୍ୟବସିତୋ ବୁଦ୍ଧ୍ୟା ପ୍ରଗୃହୀତଶରାସନଃ ।
ସନ୍ଦଧେ ବିଶିଖଂ ଭୂମେଃ କ୍ରୁଦ୍ଧସ୍ତ୍ରିପୁରହା ଯଥା ॥ ୧୩॥
‘ସ୍ବୟଂ ପୃଥିବୀ ଅନ୍ନ ଏବଂ ଶସ୍ୟ ଜାତୀୟ ବୃକ୍ଷକୁ ନିଜ ଭିତରେ ଲୁଚାଇ
ରଖିଛି’ – ନିଜ ବୁଦ୍ଧିରେ
ଏହା ନିଶ୍ଚୟ କରି ସେ ଧନୁ ଉତ୍ତୋଳନ କଲେ ଏବଂ ତ୍ରିପୁରବିନାଶକ ଭଗବାନ ଶଂକରଙ୍କ ପରି ଅତ୍ୟନ୍ତ
କ୍ରୋଧିତ ହୋଇ ପୃଥିବୀକୁ ଲକ୍ଷ୍ୟ କରି ଧନୁରେ ବାଣ ଚଢାଇଲେ |
ପ୍ରବେପମାନା ଧରଣୀ ନିଶାମ୍ୟୋଦାୟୁଧଂ ଚ ତମ୍ ।
ଗୌଃ ସତ୍ୟପାଦ୍ରବଦ୍ଭୀତା ମୃଗୀବ ମୃଗୟୁଦ୍ରୁତା ॥ ୧୪॥
ସେ ଶସ୍ତ୍ର ଉତ୍ତୋଳନ କରିବା ଦେଖି ଭୟରେ
ପୃଥିବୀ ଥରି ଉଠିଲା ଏବଂ ବ୍ୟାଧ ପଶ୍ଚାତଧାବନ କରୁଥିବା ଦେଖି ହରିଣୀ ଧାଇଁ ପଳାଇବା ପରି, ସେ
ଗୋ-ରୂପ ଧାରଣ କରି ଧାଇଁବାରେ ଲାଗିଲା |
ତାମନ୍ୱଧାବତ୍ତଦ୍ୱୈନ୍ୟଃ କୁପିତୋଽତ୍ୟରୁଣେକ୍ଷଣଃ ।
ଶରଂ ଧନୁଷି ସନ୍ଧାୟ ଯତ୍ର ଯତ୍ର ପଲାୟତେ ॥ ୧୫॥
ଏହା ଦେଖି କ୍ରୋଧରେ ପୃଥୁଙ୍କର ଆଖି ଲାଲ ହୋଇଗଲା ଏବଂ ସେ ସେହିପରି
ଧନୁରେ ବାଣ ଚଢ଼ାଇ ଯେଉଁଠିକୁ ପୃଥିବୀ ଗଲା, ତାହାର ପଶ୍ଚାତଧାବନ କରିବାରେ ଲାଗିଲେ |
ସା ଦିଶୋ ବିଦିଶୋ ଦେବୀ ରୋଦସୀ ଚାନ୍ତରଂ ତୟୋଃ ।
ଧାବନ୍ତୀ ତତ୍ର ତତ୍ରୈନଂ ଦଦର୍ଶାନୂଦ୍ୟତାୟୁଧମ୍ ॥ ୧୬॥
ଦିଶା, ବିଦିଶା, ସ୍ବର୍ଗ, ପୃଥିବୀ ଏବଂ
ଅନ୍ତରୀକ୍ଷ ଯେଉଁଠି-ଯେଉଁଠିକୁ ସେ ଧାଇଁ ପଳାଇଲା, ସେଠାରେ ସେ ମହାରାଜ ପୃଥୁଙ୍କୁ ଧନୁର୍ବାଣ
ଉଠାଇ ନିଜ ପଛରେ ଦେଖିବାକୁ ପାଇଲା |
ଲୋକେ ନାବିନ୍ଦତ ତ୍ରାଣଂ ବୈନ୍ୟାନ୍ମୃତ୍ୟୋରିବ ପ୍ରଜାଃ ।
ତ୍ରସ୍ତା ତଦା ନିବବୃତେ ହୃଦୟେନ ବିଦୂୟତା ॥ ୧୭॥
ମୃତ୍ୟୁ କବଳରୁ ମନୁଷ୍ୟକୁ ଯେପରି କେହି ରକ୍ଷା କରିପାରନ୍ତି ନାହିଁ, ସେହିପରି ବେନପୁତ୍ର ପୃଥୁଙ୍କ କବଳରୁ ରକ୍ଷା କରିବାକୁ ତ୍ରିଲୋକୀରେ
ତାକୁ କେହି ଜଣେ ମଧ୍ୟ ମିଳିଲେ ନାହିଁ | ସେଥିପାଇଁ ସେ ଅତ୍ୟନ୍ତ ଭୟଭୀତ ହୋଇ ଦୁଃଖିତ ଚିତ୍ତରେ
ପଛକୁ ଫେରିଲା |
ଉବାଚ ଚ ମହାଭାଗଂ ଧର୍ମଜ୍ଞାଽଽପନ୍ନବତ୍ସଲ ।
ତ୍ରାହି ମାମପି ଭୂତାନାଂ ପାଲନେଽବସ୍ଥିତୋ ଭବାନ୍ ॥ ୧୮॥
ସେ ମହାରାଜ ପୃଥୁଙ୍କ ଉଦ୍ଦେଶ୍ୟରେ କହିଲା – ହେ ଧର୍ମର ତତ୍ତ୍ବଜ୍ଞ
ଶରଣାଗତବତ୍ସଳ ରାଜନ୍ ! ଆପଣ ତ ସବୁ ପ୍ରାଣୀଙ୍କୁ ରକ୍ଷା କରିବାକୁ ତତ୍ପର ରହିଥାଆନ୍ତି, ଆପଣ
ମୋତେ ମଧ୍ୟ ରକ୍ଷା କରନ୍ତୁ |
ସ ତ୍ୱଂ ଜିଘାଂସସେ କସ୍ମାଦ୍ଦୀନାମକୃତକିଲ୍ବିଷାମ୍ ।
ଅହନିଷ୍ୟତ୍କଥଂ ଯୋଷାଂ ଧର୍ମଜ୍ଞ ଇତି ଯୋ ମତଃ ॥ ୧୯॥
ମୁଁ ଅତ୍ୟନ୍ତ ଦୀନ ଏବଂ ନିରପରାଧ ଅଟେ, ଆପଣ ମୋତେ କାହିଁକି
ମାରିବାକୁ ଇଚ୍ଛା କରୁଛନ୍ତି ? ତାଛଡା ଆପଣ ତ ଧର୍ମଜ୍ଞ ଅଟନ୍ତି, ମୋ ପରି ଏକ ସ୍ତ୍ରୀକୁ ଆପଣ ବଧ କରିବେ କିପରି ?
ପ୍ରହରନ୍ତି ନ ବୈ ସ୍ତ୍ରୀଷୁ କୃତାଗଃସ୍ୱପି ଜନ୍ତବଃ ।
କିମୁତ ତ୍ୱଦ୍ୱିଧା ରାଜନ୍ କରୁଣା ଦୀନବତ୍ସଲାଃ ॥ ୨୦॥
ସ୍ତ୍ରୀ କୌଣସି ଅପରାଧ କଲେ ବି ସାଧାରଣ ଜୀବ ତା’ ଉପରକୁ ହାତ ଉଠାନ୍ତି ନାହିଁ;
ତେଣୁ ଆପଣଙ୍କ ପରି କରୁଣାମୟ ଏବଂ ଦୀନବତ୍ସଳ ସ୍ବାମୀ ତାହା କିପରି କରିବେ ?
ମାଂ ବିପାଟ୍ୟାଜରାଂ ନାବଂ ଯତ୍ର ବିଶ୍ୱଂ ପ୍ରତିଷ୍ଠିତମ୍ ।
ଆତ୍ମାନଂ ଚ ପ୍ରଜାଶ୍ଚେମାଃ କଥମମ୍ଭସି ଧାସ୍ୟସି ॥ ୨୧॥
ମୁଁ ତ ଏକ ସୁଦୃଢ ନୌକା ସଦୃଶ ଅଟେ, ସାରା ଜଗତ ମୋତେ ଆଧାର କରି ସ୍ଥିତ ଅଟେ | ମୋତେ ନଷ୍ଟ କରି ଆପଣ
ନିଜକୁ ତଥା ନିଜର ପ୍ରଜାମାନଙ୍କୁ ଜଳ ଉପରେ କିପରି ରଖିବେ ?
ପୃଥୁରୁବାଚ
ବସୁଧେ ତ୍ୱାଂ ବଧିଷ୍ୟାମି ମଚ୍ଛାସନପରାଙ୍ମୁଖୀମ୍ ।
ଭାଗଂ ବର୍ହିଷି ଯା ବୃଙ୍କ୍ତେ ନ ତନୋତି ଚ ନୋ ବସୁ ॥ ୨୨॥
ମହାରାଜ ପୃଥୁ କହିଲେ – ହେ ପୃଥିବୀ ! ତୁ ମୋ ଆଜ୍ଞା ଉଲ୍ଲଂଘନ
କରିବାକୁ ଯାଉଛୁ | ଯଜ୍ଞରେ ତୁ ଦେବତାରୂପରେ ନିଜର ଭାଗ ତ ଗ୍ରହଣ କରିନେଉଛୁ, କିନ୍ତୁ ପ୍ରତିଦାନରେ ତୁ ଆମକୁ ଅନ୍ନ ଦେଉନାହୁଁ; ସେଥିପାଇଁ ଆଜି
ମୁଁ ତୋତେ ବଧ କରିବି |
ଯବସଂ ଜଗ୍ଧ୍ୟନୁଦିନଂ ନୈବ ଦୋଗ୍ଧ୍ୟୌଧସଂ ପୟଃ ।
ତସ୍ୟାମେବଂ ହି ଦୁଷ୍ଟାୟାଂ ଦଣ୍ଡୋ ନାତ୍ର ନ ଶସ୍ୟତେ ॥ ୨୩॥
ତୁ ପ୍ରତିଦିନ ସବୁଜ ଘାସ ଚରିଯାଉଛୁ, ଅଥଚ ନିଜ ସ୍ତନର କ୍ଷୀର
ଦେଉନାହୁଁ – ଏପରି ଦୁଷ୍ଟତା ପାଇଁ ତୋ ପ୍ରତି ଦଣ୍ଡବିଧାନ କରିବାକୁ ଅନୁଚିତ୍ କୁହାଯିବ ନାହିଁ |
ତ୍ୱଂ ଖଲ୍ୱୋଷଧିବୀଜାନି ପ୍ରାକ୍ସୃଷ୍ଟାନି ସ୍ୱୟମ୍ଭୁବା ।
ନ ମୁଞ୍ଚସ୍ୟାତ୍ମରୁଦ୍ଧାନି ମାମବଜ୍ଞାୟ ମନ୍ଦଧୀଃ ॥ ୨୪॥
ତୁ ଅଜ୍ଞାନୀ ଅଟୁ, ପୂର୍ବକାଳରେ
ବ୍ରହ୍ମାଜୀଙ୍କ ଦ୍ବାରା ଉତ୍ପନ୍ନ କରାଯାଇଥିବା ଅନ୍ନାଦି ବୀଜକୁ ତୁ ନିଜ ମଧ୍ୟରେ ଲୀନ
କରିଦେଇଥିଲୁ ଏବଂ ଏବେ ମଧ୍ୟ ମୋର ଖାତିର କରି ତୁ ସେହି ଅନ୍ନକୁ ନିଜ ଗର୍ଭରୁ ବାହାରକୁ
କାଢୁନାହୁଁ |
ଅମୂଷାଂ କ୍ଷୁତ୍ପରୀତାନାମାର୍ତାନାଂ ପରିଦେବିତମ୍ ।
ଶମୟିଷ୍ୟାମି ମଦ୍ବାଣୈର୍ଭିନ୍ନାୟାସ୍ତବ ମେଦସା ॥ ୨୫॥
ଏବେ ମୁଁ ନିଜ ବାଣରେ ତୋତେ ଛିନ୍ନ-ଭିନ୍ନ କରି ତୋର ମେଦ ଦ୍ବାରା ଏହି
କ୍ଷୁଧାତୁର ଏବଂ ଦୀନ ପ୍ରଜାଜନଙ୍କର କରୁଣ କ୍ରନ୍ଦନକୁ ଶାନ୍ତ କରିବି |
ପୁମାନ୍ ଯୋଷିଦୁତ କ୍ଲୀବ ଆତ୍ମସମ୍ଭାବନୋଽଧମଃ ।
ଭୂତେଷୁ ନିରନୁକ୍ରୋଶୋ ନୃପାଣାଂ ତଦ୍ୱଧୋଽବଧଃ ॥ ୨୬॥
ଯେଉଁ ଦୁଷ୍ଟ ନିଜର ପୋଷଣକାରୀ ତଥା ଅନ୍ୟ ପ୍ରାଣୀଙ୍କ ପ୍ରତି ନିର୍ଦୟୀ
ଅଟେ, ସେ ପୁରୁଷ, ସ୍ତ୍ରୀ
ଅଥବା ନପୁଂଶକ ହୋଇଥାଆନ୍ତୁ, ତାକୁ ମାରିବା
ରାଜାମାନଙ୍କ ପାଇଁ ନ ମାରିବା ପରି ଅଟେ |
ତ୍ୱାଂ ସ୍ତବ୍ଧାଂ ଦୁର୍ମଦାଂ ନୀତ୍ୱା ମାୟାଗାଂ ତିଲଶଃ ଶରୈଃ ।
ଆତ୍ମୟୋଗବଲେନେମା ଧାରୟିଷ୍ୟାମ୍ୟହଂ ପ୍ରଜାଃ ॥ ୨୭॥
ତୁ ଅତ୍ୟନ୍ତ ଅହଂକାରୀ ଏବଂ ମଦୋନ୍ମତ୍ତା ଅଟେ; ଏହି ସମୟରେ ମାୟାରେ ତୁ ଗୋ-ରୂପ ଧାରଣ କରିଛୁ | ମୁଁ ତୋତେ ବାଣରେ
ଖଣ୍ଡ-ଖଣ୍ଡ କରି ନିଜ ଯୋଗ ବଳରେ ପ୍ରଜାମାନଙ୍କୁ ଧାରଣ କରିବି |
ଏବଂ ମନ୍ୟୁମୟୀଂ ମୂର୍ତିଂ କୃତାନ୍ତମିବ ବିଭ୍ରତମ୍ ।
ପ୍ରଣତା ପ୍ରାଞ୍ଜଲିଃ ପ୍ରାହ ମହୀ ସଞ୍ଜାତବେପଥୁଃ ॥ ୨୮॥
ସେହି ସମୟରେ ମହାରାଜ ପୃଥୁ କାଳ ସଦୃଶ କ୍ରୋଧମୟୀ ମୂର୍ତ୍ତି ଧାରଣ
କରିଥିଲେ | ତାଙ୍କର ଗମ୍ଭୀର ବାଣୀ ଶୁଣି ଧରଣୀ କମ୍ପି ଉଠିଲା ଏବଂ ସେ ଅତ୍ୟନ୍ତ ବିନୀତ ଭାବରେ
ହାତ ଯୋଡି କହିଲା -
ଧରୋବାଚ
ନମଃ ପରସ୍ମୈ ପୁରୁଷାୟ ମାୟଯା
ବିନ୍ୟସ୍ତନାନାତନବେ ଗୁଣାତ୍ମନେ ।
ନମଃ ସ୍ୱରୂପାନୁଭବେନ ନିର୍ଧୁତ-
ଦ୍ରବ୍ୟକ୍ରିୟାକାରକବିଭ୍ରମୋର୍ମୟେ ॥ ୨୯॥
ପୃଥିବୀ କହିଲା – ଆପଣ ସାକ୍ଷାତ୍ ପରମପୁରୁଷ ଅଟନ୍ତି ତଥା ନିଜ
ମାୟାରେ ଅନେକ ପ୍ରକାରର ଶରୀର ଧାରଣ କରି ଗୁଣମୟ ପ୍ରତୀତ ହୁଅନ୍ତି; ବାସ୍ତବରେ ଆତ୍ମାନୁଭବ ଦ୍ବାରା ଆପଣ ଅଧିଭୂତ, ଅଧ୍ୟାତ୍ମ ଏବଂ ଅଧିଦୈବସମ୍ବନ୍ଧୀ ଅଭିମାନ ଏବଂ ସେଥିରୁ ଉତ୍ପନ୍ନ
ହେଉଥିବା ରାଗ-ଦ୍ବେଷାଦିରୁ ସମ୍ପୂର୍ଣ୍ଣ ରହିତ ଅଟନ୍ତି | ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର
କରୁଛି |
ଯେନାହମାତ୍ମାଽଽୟତନଂ ବିନିର୍ମିତା
ଧାତ୍ରା ଯତୋଽୟଂ ଗୁଣସର୍ଗସଙ୍ଗ୍ରହଃ ।
ସ ଏବ ମାଂ ହନ୍ତୁମୁଦାୟୁଧଃ ସ୍ୱରା-
ଡୁପସ୍ଥିତୋଽନ୍ୟଂ ଶରଣଂ କମାଶ୍ରୟେ ॥ ୩୦॥
ଆପଣ ସମ୍ପୂର୍ଣ୍ଣ ଜଗତର ବିଧାତା ଅଟନ୍ତି; ଆପଣ ହିଁ ଏହି ତ୍ରିଗୁଣାତ୍ମକ ସୃଷ୍ଟି ରଚନା କରିଛନ୍ତି ଏବଂ ମୋତେ
ସମସ୍ତ ଜୀବଙ୍କର ଆଶ୍ରୟ-ରୂପ କରିଛନ୍ତି | ଆପଣ ପୂର୍ଣ୍ଣ ସ୍ବତନ୍ତ୍ର ଅଟନ୍ତି | ପ୍ରଭୁ ! ଆପଣ
ହିଁ ଯେତେବେଳେ ଅସ୍ତ୍ର-ଶସ୍ତ୍ର ଧାରଣ କରି ମୋତେ ମାରିବାକୁ ଉଦ୍ୟତ, ମୁଁ ଆଉ କାହାର ଶରଣରେ ଯିବି ?
ଯ ଏତଦାଦାବସୃଜଚ୍ଚରାଚରଂ
ସ୍ୱମାୟଯାଽଽତ୍ମାଶ୍ରୟଯାବିତର୍କ୍ୟଯା ।
ତୟୈବ ସୋଽୟଂ କିଲ ଗୋପ୍ତୁମୁଦ୍ୟତଃ
କଥଂ ନୁ ମାଂ ଧର୍ମପରୋ ଜିଘାଂସତି ॥ ୩୧॥
କଳ୍ପର ପ୍ରାରମ୍ଭରେ ଆପଣ ନିଜ ଆଶ୍ରୟରେ ରହିଥିବା ଅନିର୍ବଚନୀୟ ମାୟା
ଦ୍ବାରା ହିଁ ଏହି ଚରାଚର ଜଗତର ରଚନା କରିଥିଲେ ଏବଂ ସେହି ମାୟା ଦ୍ବାରା ହିଁ ଏହାର ପାଳନ
କରିବାର ଦାୟିତ୍ବ ବହନ କରିଥିଲେ | ଆପଣ ଧର୍ମପରାୟଣ ଅଟନ୍ତି;
ତଥାପି ଆପଣ ମୋ ପରି ଗୋରୂପିଣୀକୁ ମାରିବାକୁ କିପରି ଇଚ୍ଛା କରୁଛନ୍ତି ?
ନୂନଂ ବତେଶସ୍ୟ ସମୀହିତଂ ଜନୈ-
ସ୍ତନ୍ମାୟଯା ଦୁର୍ଜୟଯାକୃତାତ୍ମଭିଃ ।
ନ ଲକ୍ଷ୍ୟତେ ଯସ୍ତ୍ୱକରୋଦକାରୟ-
ଦ୍ୟୋଽନେକ ଏକଃ ପରତଶ୍ଚ ଈଶ୍ୱରଃ ॥ ୩୨॥
ଆପଣ ଏକ ହୋଇ ମଧ୍ୟ ମାୟାବଶ ଅନେକ ରୂପରେ ପ୍ରତିଭାତ ହୋଇଥାଆନ୍ତି ତଥା
ଆପଣ ସ୍ବୟଂ ହିଁ ବ୍ରହ୍ମାଙ୍କୁ ସୃଷ୍ଟି କରି ତାଙ୍କଦ୍ବାରା ବିଶ୍ବର ରଚନା କରିଛନ୍ତି | ଆପଣ
ସାକ୍ଷାତ୍ ସର୍ବେଶ୍ବର ଅଟନ୍ତି, ଅଜିତେନ୍ଦ୍ରିୟ ଲୋକେ
ଭଲା ଆପଣଙ୍କର ଲୀଳାକୁ କିପରି ବୁଝିବେ ? ସେମାନଙ୍କର ବୁଦ୍ଧି ତ ଆପଣଙ୍କ ଦୁର୍ଜୟ ମାୟାରେ
ବିକ୍ଷିପ୍ତ ହୋଇଯାଇ ଥାଏ |
ସର୍ଗାଦି ଯୋଽସ୍ୟାନୁରୁଣଦ୍ଧି ଶକ୍ତିଭି-
ର୍ଦ୍ରବ୍ୟକ୍ରିୟାକାରକଚେତନାତ୍ମଭିଃ ।
ତସ୍ମୈ ସମୁନ୍ନଦ୍ଧନିରୁଦ୍ଧଶକ୍ତୟେ
ନମଃ ପରସ୍ମୈ ପୁରୁଷାୟ ବେଧସେ ॥ ୩୩॥
ଆପଣ ହିଁ ପଞ୍ଚଭୂତ,
ଇନ୍ଦ୍ରିୟ, ସେମାନଙ୍କର
ଅଧିଷ୍ଠାତୃ ଦେବତା, ବୁଦ୍ଧି ଏବଂ
ଅହଂକାରରୂପ ନିଜ ଶକ୍ତିମାନଙ୍କ ଦ୍ବାରା କ୍ରମଶଃ ଜଗତର ଉତ୍ପତ୍ତି, ସ୍ଥିତି ଏବଂ ସଂହାର କରନ୍ତି | ଭିନ୍ନ-ଭିନ୍ନ କାର୍ଯ୍ୟ ନିମନ୍ତେ
ସମୟ-ସମୟରେ ଆପଣଙ୍କ ଶକ୍ତିମାନଙ୍କର ଆବିର୍ଭାବ-ତିରୋଭାବ ହୋଇଥାଏ | ଆପଣ ସାକ୍ଷାତ୍ ପରମପୁରୁଷ
ଏବଂ ଜଗତବିଧାତା ଅଟନ୍ତି; ମୋର ଆପଣଙ୍କୁ
ନମସ୍କାର |
ସ ବୈ ଭବାନାତ୍ମବିନିର୍ମିତଂ ଜଗ-
ଦ୍ଭୂତେନ୍ଦ୍ରିୟାନ୍ତଃକରଣାତ୍ମକଂ ବିଭୋ ।
ସଂସ୍ଥାପୟିଷ୍ୟନ୍ନଜ ମାଂ ରସାତଲା-
ଦଭ୍ୟୁଜ୍ଜହାରାମ୍ଭସ ଆଦିସୂକରଃ ॥ ୩୪॥
ଅଜନ୍ମା ପ୍ରଭୁ ! ଆପଣ ହିଁ ନିଜ ଦ୍ବାରା ରଚିତ ଭୂତ, ଇନ୍ଦ୍ରିୟ ଏବଂ ଅନ୍ତଃକରଣରୂପ ଏହି ଜଗତର ସ୍ଥିତି ନିମନ୍ତେ
ଆଦିବରାହରୂପ ଧାରଣ କରି ମୋତେ ରସାତଳରୁ ଜଳ ବାହାରକୁ ଆଣିଥିଲେ |
ଅପାମୁପସ୍ଥେ ମୟି ନାବ୍ୟବସ୍ଥିତାଃ
ପ୍ରଜା ଭବାନଦ୍ୟ ରିରକ୍ଷିଷୁଃ କିଲ ।
ସ ବୀରମୂର୍ତିଃ ସମଭୂଦ୍ଧରାଧରୋ
ଯୋ ମାଂ ପୟସ୍ୟୁଗ୍ରଶରୋ ଜିଘାଂସସି ॥ ୩୫॥
ଏହିପରି ଭାବରେ ମୋତେ ଉଦ୍ଧାର କରି ଆପଣ ଧରଣୀଧର ନାମ ପାଇଥିଲେ; ଆଜି
ସେହି ଆପଣ ଏପରି ବୀରମୂର୍ତ୍ତି ଧାରଣ କରି ଜଳ ଉପରେ ନୌକା ପରି ସ୍ଥିତ ମୋର ହିଁ ଆଶ୍ରୟରେ
ରହିଥିବା ପ୍ରଜାବର୍ଗଙ୍କୁ ରକ୍ଷା କରିବା ଅଭିପ୍ରାୟରେ ତୀକ୍ଷ୍ଣ ବାଣ ପ୍ରୟୋଗ କରି କେବଳ କ୍ଷୀର
ନ ଦେବା ଅପରାଧରେ ମୋତେ ମାରିବାକୁ ଇଚ୍ଛା କରୁଛନ୍ତି |
ନୂନଂ ଜନୈରୀହିତମୀଶ୍ୱରାଣା-
ମସ୍ମଦ୍ୱିଧୈସ୍ତଦ୍ଗୁଣସର୍ଗମାୟଯା ।
ନ ଜ୍ଞାୟତେ ମୋହିତଚିତ୍ତବର୍ତ୍ମଭି-
ସ୍ତେଭ୍ୟୋ ନମୋ ବୀରୟଶସ୍କରେଭ୍ୟଃ ॥ ୩୬॥
ଏହି ତ୍ରିଗୁଣାତ୍ମକ ସୃଷ୍ଟିର ରଚୟିତା ଆପଣଙ୍କ ମାୟାରେ ମୋ ପରି
ସାଧାରଣ ଜୀବର ଚିତ୍ତ ମୋହଗ୍ରସ୍ତ ହୋଇଯାଇଛି | ମୋ ପରି ସାଧାରଣ ଲୋକ ତ ଆପଣଙ୍କ ଭକ୍ତମାନଙ୍କର
ଲୀଳାକୁ ମଧ୍ୟ ବୁଝିପାରନ୍ତି ନାହିଁ; ତେଣୁ ଆପଣଙ୍କର
କୌଣସି କ୍ରିୟାର ଉଦ୍ଦେଶ୍ୟକୁ ଯଦି ସେମାନେ ବୁଝି ନ ପାରନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାରେ କ’ଣ
ଅଛି ? ତେଣୁ ଇନ୍ଦ୍ରିୟ-ସଂଯମାଦି ଦ୍ବାରା ଯେଉଁମାନେ ବୀରୋଚିତ ଯଜ୍ଞର ବିସ୍ତାର କରନ୍ତି, ଆପଣଙ୍କର ସେହି ଭକ୍ତମାନଙ୍କୁ ମୋର ନମସ୍କାର |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ଧରିତ୍ରୀନିଗ୍ରହୋ ନାମ ସପ୍ତଦଶୋଽଧ୍ୟାୟଃ ॥ ୧୭॥

Comments
Post a Comment