ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

 ଚତୁର୍ଥ ସ୍କନ୍ଧ ॥

ଅଷ୍ଟାଦଶ ଅଧ୍ୟାୟ

ପୃଥିବୀ-ଦୋହନ

 

ମୈତ୍ରେୟ ଉବାଚ

ଇତ୍ଥଂ ପୃଥୁମଭିଷ୍ଟୂୟ ରୁଷା ପ୍ରସ୍ଫୁରିତାଧରମ୍ ।

ପୁନରାହାବନିର୍ଭୀତା ସଂସ୍ତଭ୍ୟାତ୍ମାନମାତ୍ମନା ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ସେହି ସମୟରେ ମହାରାଜ ପୃଥୁଙ୍କର ଓଷ୍ଠ ଅତିଶୟ କ୍ରୋଧରେ ଥରିବାରେ ଲାଗିଥିଲା | ତାଙ୍କର ସ୍ତୁତି କରି ପୃଥିବୀ ନିଜ ହୃଦୟକୁ ବିଚାରପୂର୍ବକ ସମାହିତ କଲା ଏବଂ ଡରି ଡରି ତାଙ୍କୁ କହିଲା -

ସନ୍ନିୟଚ୍ଛାଭିଭୋ ମନ୍ୟୁଂ ନିବୋଧ ଶ୍ରାବିତଂ ଚ ମେ ।

ସର୍ୱତଃ ସାରମାଦତ୍ତେ ଯଥା ମଧୁକରୋ ବୁଧଃ ॥ ୨॥

ପ୍ରଭୁ ! ଆପଣ ନିଜର କ୍ରୋଧ ସମ୍ବରଣ କରି ଦୟାକରି ମୋର ପ୍ରାର୍ଥନାକୁ ଟିକିଏ ଧ୍ୟାନ ଦେଇ ଶୁଣନ୍ତୁ | ବୁଦ୍ଧିମାନ ପୁରୁଷ ଭ୍ରମର ପରି ସବୁ ଜାଗାରୁ ସାର ଗ୍ରହଣ କରିଥାଆନ୍ତି |

ଅସ୍ମିନ୍ ଲୋକେଽଥବାମୁଷ୍ମିନ୍ ମୁନିଭିସ୍ତତ୍ତ୍ୱଦର୍ଶିଭିଃ ।

ଦୃଷ୍ଟା ଯୋଗାଃ ପ୍ରୟୁକ୍ତାଶ୍ଚ ପୁଂସାଂ ଶ୍ରେୟଃପ୍ରସିଦ୍ଧୟେ ॥ ୩॥

ତତ୍ତ୍ବଦର୍ଶୀ ମୁନିଜନ ଇହଲୋକ ଏବଂ ପରଲୋକରେ ମନୁଷ୍ୟର କଲ୍ୟାଣ ନିମନ୍ତେ କୃଷି, ଅଗ୍ନିହୋତ୍ର ଆଦି ଅନେକ ଉପାୟ ନିର୍ଦ୍ଦେଶ କରିଛନ୍ତି ଏବଂ କାର୍ଯ୍ୟତଃ ତାହାର ଉପଯୋଗ ମଧ୍ୟ କରିଛନ୍ତି |

ତାନାତିଷ୍ଠତି ଯଃ ସମ୍ୟଗୁପାୟାନ୍ ପୂର୍ୱଦର୍ଶିତାନ୍ ।

ଅବରଃ ଶ୍ରଦ୍ଧୟୋପେତ ଉପେୟାନ୍ ବିନ୍ଦତେଽଞ୍ଜସା ॥ ୪॥

ସେହି ପ୍ରାଚୀନ ଋଷି-ମୁନିମାନଙ୍କ ଦ୍ବାରା ନିର୍ଦ୍ଦେଶିତ ଉପାୟର ଯେଉଁ ପୁରୁଷ ଶ୍ରଦ୍ଧାପୂର୍ବକ ଆଚରଣ କରନ୍ତି, ସେମାନେ ନିଜ ନିଜର ଅଭୀଷ୍ଟ ଫଳ ସୁଗମତାରେ ପ୍ରାପ୍ତ କରିନିଅନ୍ତି |

ତାନନାଦୃତ୍ୟ ଯୋଽବିଦ୍ୱାନର୍ଥାନାରଭତେ ସ୍ୱୟମ୍ ।

ତସ୍ୟ ବ୍ୟଭିଚରନ୍ତ୍ୟର୍ଥା ଆରବ୍ଧାଶ୍ଚ ପୁନଃ ପୁନଃ ॥ ୫॥

କିନ୍ତୁ ଯେଉଁ ଅଜ୍ଞାନୀ ପୁରୁଷ ତାହାର ଅନାଦର କରି ନିଜ ମନଃକଳ୍ପିତ ଉପାୟର ଆଶ୍ରୟ ଗ୍ରହଣ କରନ୍ତି, ସେମାନଙ୍କର ସବୁ ଉପାୟ ଏବଂ ପ୍ରଯତ୍ନ ବାରମ୍ବାର ନିଷ୍ଫଳ ହୋଇଥାଏ |

ପୁରା ସୃଷ୍ଟା ହ୍ୟୋଷଧୟୋ ବ୍ରହ୍ମଣା ଯା ବିଶାମ୍ପତେ ।

ଭୁଜ୍ୟମାନା ମୟା ଦୃଷ୍ଟା ଅସଦ୍ଭିରଧୃତବ୍ରତୈଃ ॥ ୬॥

ହେ ରାଜନ୍ ! ପୂର୍ବକାଳରେ ବ୍ରହ୍ମାଜୀ ଯେଉଁ ଧାନ୍ୟ ଆଦି ଉତ୍ପନ୍ନ କରିଥିଲେ, ମୁଁ ଲକ୍ଷ୍ୟ କଲି ଯମ-ନିୟମାଦି ବ୍ରତ ପାଳନ କରୁ ନ ଥିବା ଦୁରାଚାରୀ ଲୋକ ତାହାକୁ ଭକ୍ଷଣ କରି ଚାଲିଛନ୍ତି |

ଅପାଲିତାନାଦୃତା ଚ ଭବଦ୍ଭିର୍ଲୋକପାଲକୈଃ ।

ଚୋରୀଭୂତେଽଥ ଲୋକେଽହଂ ଯଜ୍ଞାର୍ଥେଽଗ୍ରସମୋଷଧୀଃ ॥ ୭॥

ହେ ଲୋକରକ୍ଷକ ! ଆପଣଙ୍କ ପରି ରାଜାମାନେ ମୋର ପାଳନ ଏବଂ ଆଦର କରିବା ଛାଡିଦେଲେ; ସେଥିପାଇଁ ଲୋକମାନେ ଚୋର ହୋଇଗଲେ | ସେହି କାରଣରୁ ମୁଁ ଯଜ୍ଞ ନିମନ୍ତେ ଆବଶ୍ୟକୀୟ ଶସ୍ୟକୁ ନିଜ ଭିତରେ ଲୁଚାଇ ରଖିଲି |

ନୂନଂ ତା ବୀରୁଧଃ କ୍ଷୀଣା ମୟି କାଲେନ ଭୂୟସା ।

ତତ୍ର ଯୋଗେନ ଦୃଷ୍ଟେନ ଭବାନାଦାତୁମର୍ହତି ॥ ୮॥

ଏବେ ଅଧିକ ସମୟ ଅତିବାହିତ ହୋଇଯାଇ ଥିବାରୁ ଅବଶ୍ୟ ସେହି ସବୁ ଧାନ୍ୟ ମୋ ଉଦରରେ ଜୀର୍ଣ୍ଣ ହୋଇଯାଇଛି; ଆପଣ ତାହାକୁ ପୂର୍ବାଚାର୍ଯ୍ୟମାନଙ୍କ ଦ୍ବାରା ନିର୍ଦ୍ଦେଶିତ ଉପାୟରେ କାଢି ନିଅନ୍ତୁ |

ବତ୍ସଂ କଲ୍ପୟ ମେ ବୀର ଯେନାହଂ ବତ୍ସଲା ତବ ।

ଧୋକ୍ଷ୍ୟେ କ୍ଷୀରମୟାନ୍ କାମାନନୁରୂପଂ ଚ ଦୋହନମ୍ ॥ ୯॥

ଦୋଗ୍ଧାରଂ ଚ ମହାବାହୋ ଭୂତାନାଂ ଭୂତଭାବନ ।

ଅନ୍ନମୀପ୍ସିତମୂର୍ଜସ୍ୱଦ୍ଭଗବାନ୍ ବାଞ୍ଛତେ ଯଦି ॥ ୧୦॥

ହେ ଲୋକପାଳକ ବୀର ! ଆପଣ ଯଦି ସମସ୍ତ ପ୍ରାଣୀଙ୍କର ଅଭୀଷ୍ଟ ଏବଂ ବଳ ବୃଦ୍ଧିକାରୀ ଅନ୍ନ ଆବଶ୍ୟକ କରୁଛନ୍ତି, ତେବେ ଆପଣ ମୋ ପାଇଁ ଯୋଗ୍ୟ ବାଛୁରୀ, ଦୋହନ ପାତ୍ର ଏବଂ ଦୋହନକାରୀର ବ୍ୟବସ୍ଥା କରିଦିଅନ୍ତୁ; ମୁଁ ସେହି ବାଛୁରୀକୁ ସ୍ନେହରେ ସ୍ତନ୍ୟପାନ କରାଇ ଦୁଗ୍ଧ ରୂପରେ ଆପଣଙ୍କୁ ସମସ୍ତ ଅଭୀଷ୍ଟ ବସ୍ତୁ ପ୍ରଦାନ କରିବି |

ସମାଂ ଚ କୁରୁ ମାଂ ରାଜନ୍ ଦେବବୃଷ୍ଟଂ ଯଥା ପୟଃ ।

ଅପର୍ତାବପି ଭଦ୍ରଂ ତେ ଉପାବର୍ତେତ ମେ ବିଭୋ ॥ ୧୧॥

ରାଜନ୍ ! ଆଉ ଗୋଟିଏ କଥା ଅଛି | ଆପଣଙ୍କୁ ମୋତେ ସମତଳ କରିବାକୁ ପଡିବ, ଯାହା ଫଳରେ ବର୍ଷାଋତୁ ଅତିବାହିତ ହୋଇଯିବା ପରେ ମୋ ଉପରେ ଇନ୍ଦ୍ରଙ୍କ ଦ୍ବାରା ବର୍ଷଣ କରାଯାଇ ଥିବା ଜଳ ସର୍ବତ୍ର ରହିବ – ମୋ ଭିତରର ଆର୍ଦ୍ରତା ଶୁଷ୍କ ହେବନାହିଁ | ଏହା ଆପଣଙ୍କ ପାଇଁ ବହୁତ ମଙ୍ଗଳକାରକ ହେବ |

ଇତି ପ୍ରିୟଂ ହିତଂ ବାକ୍ୟଂ ଭୁବ ଆଦାୟ ଭୂପତିଃ ।

ବତ୍ସଂ କୃତ୍ୱା ମନୁଂ ପାଣାବଦୁହତ୍ସକଲୌଷଧୀଃ ॥ ୧୨॥

ପୃଥିବୀ କହିଥିବା ପ୍ରିୟ ଏବଂ ହିତକାରୀ ବଚନ ସ୍ବୀକାର କରି, ମହାରାଜ ପୃଥୁ ସ୍ବାୟମ୍ଭୂବ ମନୁଙ୍କୁ ବାଛୁରୀ କରି ନିଜ ହାତରେ ହିଁ ସମସ୍ତ ଧାନ୍ୟ ଦୋହନ କରିନେଲେ |

ତଥାପରେ ଚ ସର୍ୱତ୍ର ସାରମାଦଦତେ ବୁଧାଃ ।

ତତୋଽନ୍ୟେ ଚ ଯଥାକାମଂ ଦୁଦୁହୁଃ ପୃଥୁଭାବିତାମ୍ ॥ ୧୩॥

ପୃଥୁଙ୍କ ପରି ଅନ୍ୟ ବିଜ୍ଞଜନ ମଧ୍ୟ ସବୁ ଜାଗାରୁ ସାର ଗ୍ରହଣ କରିନିଅନ୍ତି, ଅତଏବ ସେମାନେ ମଧ୍ୟ ପୃଥୁଙ୍କ ଦ୍ବାରା ବଶୀଭୂତ ହୋଇଥିବା ବସୁନ୍ଧରାଠାରୁ ନିଜ ନିଜର ଅଭୀଷ୍ଟ ବସ୍ତୁ ଦୋହନ କରିନେଲେ |

ଋଷୟୋ ଦୁଦୁହୁର୍ଦେବୀମିନ୍ଦ୍ରିୟେଷ୍ୱଥ ସତ୍ତମ ।

ବତ୍ସଂ ବୃହସ୍ପତିଂ କୃତ୍ୱା ପୟଶ୍ଛନ୍ଦୋମୟଂ ଶୁଚି ॥ ୧୪॥

ଋଷିମାନେ ବୃହଷ୍ପତିଙ୍କୁ ବାଛୁରୀ କରି ଇନ୍ଦ୍ରିୟ (ବାଣୀ, ମନ ଏବଂ ଶ୍ରୋତ୍ର) ରୂପ ପାତ୍ରରେ ପୃଥିବୀ ଦେବୀଠାରୁ ବେଦରୂପ ପବିତ୍ର ଦୁଗ୍ଧ ଦୋହନ କଲେ |

କୃତ୍ୱା ବତ୍ସଂ ସୁରଗଣା ଇନ୍ଦ୍ରଂ ସୋମମଦୂଦୁହନ୍ ।

ହିରଣ୍ମୟେନ ପାତ୍ରେଣ ବୀର୍ୟମୋଜୋ ବଲଂ ପୟଃ ॥ ୧୫॥

ଦେବତାମାନେ ଇନ୍ଦ୍ରଙ୍କୁ ବାଛୁରୀ ରୂପରେ କଳ୍ପନା କରି ସୁବର୍ଣ୍ଣମୟ ପାତ୍ରରେ ଅମୃତ, ବୀର୍ଯ୍ୟ (ମନୋବଳ), ଓଜ (ଇନ୍ଦ୍ରିୟବଳ) ଏବଂ ଶାରୀରିକ ବଳ ରୂପ ଦୁଗ୍ଧ ଦୋହନ କଲେ |

ଦୈତେୟା ଦାନବା ବତ୍ସଂ ପ୍ରହ୍ଲାଦମସୁରର୍ଷଭମ୍ ।

ବିଧାୟାଦୂଦୁହନ୍ କ୍ଷୀରମୟଃପାତ୍ରେ ସୁରାସବମ୍ ॥ ୧୬॥

ଦୈତ୍ୟ ଏବଂ ଦାନବମାନେ ଅସୁରଶ୍ରେଷ୍ଠ ପ୍ରହ୍ଲାଦଙ୍କୁ ବତ୍ସ କରି ଲୌହପାତ୍ରରେ ମଦିରା ଏବଂ ଆସବ (ତାଡି ଆଦି) ରୂପ ଦୁଗ୍ଧ ଦୋହନ କଲେ |

ଗନ୍ଧର୍ୱାପ୍ସରସୋଽଧୁକ୍ଷନ୍ ପାତ୍ରେ ପଦ୍ମମୟେ ପୟଃ ।

ବତ୍ସଂ ବିଶ୍ୱାବସୁଂ କୃତ୍ୱା ଗାନ୍ଧର୍ୱଂ ମଧୁ ସୌଭଗମ୍ ॥ ୧୭॥

ଗନ୍ଧର୍ବ ଏବଂ ଅପସରାମାନେ ବିଶ୍ବାବସୁଙ୍କୁ ବାଛୁରୀ କରି କମଳରୂପ ପାତ୍ରରେ ସଂଗୀତମାଧୁର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ ରୂପ ଦୁଗ୍ଧ ଦୋହନ କଲେ |

ବତ୍ସେନ ପିତରୋଽର୍ୟମ୍ଣା କବ୍ୟଂ କ୍ଷୀରମଧୁକ୍ଷତ ।

ଆମପାତ୍ରେ ମହାଭାଗାଃ ଶ୍ରଦ୍ଧୟା ଶ୍ରାଦ୍ଧଦେବତାଃ ॥ ୧୮॥

ଶ୍ରାଦ୍ଧର ଅଧିଷ୍ଠାତା ମହାଭାଗ ପିତୃଗଣ ଅର୍ଯମା ନାମକ ପିତୃଶ୍ବରଙ୍କୁ ବତ୍ସ କରି କଞ୍ଚା ମାଟିପାତ୍ରରେ ଶ୍ରଦ୍ଧାପୂର୍ବକ କବ୍ୟ (ପିଣ୍ଡ ଅନ୍ନ) ରୂପ ଦୁଗ୍ଧ ଦୋହନ କଲେ |

ପ୍ରକଲ୍ପ୍ୟ ବତ୍ସଂ କପିଲଂ ସିଦ୍ଧାଃ ସଙ୍କଲ୍ପନାମୟୀମ୍ ।

ସିଦ୍ଧିଂ ନଭସି ବିଦ୍ୟାଂ ଚ ଯେ ଚ ବିଦ୍ୟାଧରାଦୟଃ ॥ ୧୯॥

କପିଳଦେବଙ୍କୁ ବାଛୁରୀ କରି ଆକାଶରୂପ ପାତ୍ରରେ ସିଦ୍ଧମାନେ ଅଣିମାଦି ଅଷ୍ଟସିଦ୍ଧି ତଥା ବିଦ୍ୟାଧରମାନେ ଆକାଶଗମନ ଆଦି ବିଦ୍ୟା ଦୋହନ କଲେ |

ଅନ୍ୟେ ଚ ମାୟିନୋ ମାୟାମନ୍ତର୍ଧାନାଦ୍ଭୁତାତ୍ମନାମ୍ ।

ମୟଂ ପ୍ରକଲ୍ପ୍ୟ ବତ୍ସଂ ତେ ଦୁଦୁହୁର୍ଧାରଣାମୟୀମ୍ ॥ ୨୦॥

କିମ୍ପୁରୁଷ ଆଦି ଅନ୍ୟ ମାୟାବୀମାନେ ମୟଦାନବକୁ ବାଛୁରୀ କଲେ ତଥା ଅନ୍ତର୍ଧାନ ହୋଇଯିବା, ବିଚିତ୍ର ରୂପ ଧାରଣ କରିବା ଆଦି ସଂକଳ୍ପମୟୀ ମାୟାକୁ ଦୁଗ୍ଧ ରୂପରେ ଦୋହନ କଲେ |

ଯକ୍ଷରକ୍ଷାଂସି ଭୂତାନି ପିଶାଚାଃ ପିଶିତାଶନାଃ ।

ଭୂତେଶବତ୍ସା ଦୁଦୁହୁଃ କପାଲେ କ୍ଷତଜାସବମ୍ ॥ ୨୧॥

ସେହିପରି ଯକ୍ଷ-ରାକ୍ଷସ ଏବଂ ଭୂତ-ପ୍ରେତାଦି ମାଂସାହାରୀମାନେ ଭୂତନାଥ ରୁଦ୍ରଙ୍କୁ ବାଛୁରୀ କରି କପାଳରୂପ ପାତ୍ରରେ ରୁଧିରାସବରୂପ ଦୁଗ୍ଧ ଦୋହନ କଲେ |

ତଥାହୟୋ ଦନ୍ଦଶୂକାଃ ସର୍ପା ନାଗାଶ୍ଚ ତକ୍ଷକମ୍ ।

ବିଧାୟ ବତ୍ସଂ ଦୁଦୁହୁର୍ବିଲପାତ୍ରେ ବିଷଂ ପୟଃ ॥ ୨୨॥

ଫଣାହୀନ ସର୍ପ, ଫଣାଧାରୀ ସର୍ପ, ନାଗ ଏବଂ ବିଛା ଆଦି ବିଷାକ୍ତ ଜନ୍ତୁ ତକ୍ଷକଙ୍କୁ ବାଛୁରୀ କରି ମୁଖରୂପ ପାତ୍ରରେ ବିଷରୂପ ଦୁଗ୍ଧ ଦୋହନ କଲେ |

ପଶବୋ ଯବସଂ କ୍ଷୀରଂ ବତ୍ସଂ କୃତ୍ୱା ଚ ଗୋବୃଷମ୍ ।

ଅରଣ୍ୟପାତ୍ରେ ଚାଧୁକ୍ଷନ୍ ମୃଗେନ୍ଦ୍ରେଣ ଚ ଦଂଷ୍ଟ୍ରିଣଃ ॥ ୨୩॥

କ୍ରବ୍ୟାଦାଃ ପ୍ରାଣିନଃ କ୍ରବ୍ୟଂ ଦୁଦୁହୁଃ ସ୍ୱେ କଲେବରେ ।

ସୁପର୍ଣବତ୍ସା ବିହଗାଶ୍ଚରଂ ଚାଚରମେବ ଚ ॥ ୨୪॥

ପଶୁମାନେ ଭଗବାନ ରୁଦ୍ରଙ୍କର ବାହନ ବୃଷଭକୁ ବତ୍ସ କରି ବନରୂପ ପାତ୍ରରେ ତୃଣରୂପ ଦୁଗ୍ଧ ଦୋହନ କଲେ | ବଡ ବଡ ଦନ୍ତଯୁକ୍ତ ମାଂସଭକ୍ଷୀ ଜୀବ ସିଂହରୂପୀ ବାଛୁରୀ ଦ୍ବାରା ନିଜ ଶରୀରରୂପ ପାତ୍ରରେ କଞ୍ଚା ମାଂସରୂପ ଦୁଗ୍ଧ ଦୋହନ କଲେ ତଥା ଗରୁଡ଼ଙ୍କୁ ବାଛୁରୀ କରି ପକ୍ଷୀମାନେ କୀଟପତଙ୍ଗ ଆଦି ଚର ଏବଂ ଫଳ ଆଦି ଅଚର ପଦାର୍ଥକୁ ଦୁଗ୍ଧରୂପରେ ଦୋହନ କଲେ |

ବଟବତ୍ସା ବନସ୍ପତୟଃ ପୃଥଗ୍ରସମୟଂ ପୟଃ ।

ଗିରୟୋ ହିମବଦ୍ୱତ୍ସା ନାନାଧାତୂନ୍ ସ୍ୱସାନୁଷୁ ॥ ୨୫॥

ବୃକ୍ଷମାନେ ବଟବୃକ୍ଷକୁ ବତ୍ସ କରି ଅନେକ ପ୍ରକାରର ରସରୂପ ଦୁଗ୍ଧ ଦୋହନ କଲେ ଏବଂ ପର୍ବତମାନେ ହିମାଳୟରୂପ ବାଛୁରୀ ଦ୍ବାରା ନିଜ ଶିଖରରୂପ ପାତ୍ରରେ ଅନେକ ପ୍ରକାର ଧାତୁ ଦୋହନ କଲେ |

ସର୍ୱେ ସ୍ୱମୁଖ୍ୟବତ୍ସେନ ସ୍ୱେ ସ୍ୱେ ପାତ୍ରେ ପୃଥକ୍ପୟଃ ।

ସର୍ୱକାମଦୁଘାଂ ପୃଥ୍ୱୀଂ ଦୁଦୁହୁଃ ପୃଥୁଭାବିତାମ୍ ॥ ୨୬॥

ପୃଥିବୀ ତ ସବୁ ଅଭୀଷ୍ଟ ପଦାର୍ଥ ପ୍ରଦାନ କରିବାକୁ ସମର୍ଥ ଏବଂ ବର୍ତ୍ତମାନ ସେ ପୃଥୁଙ୍କର ଅଧୀନସ୍ତ ଅଟେ | ସେଥିପାଇଁ ସମସ୍ତେ ନିଜ ନିଜ ଜାତିର ମୁଖ୍ୟଙ୍କୁ ବାଛୁରୀ କରି ଭିନ୍ନ ଭିନ୍ନ ପାତ୍ରରେ ତାଠାରୁ ଭିନ୍ନ ଭିନ୍ନ ପ୍ରକାରର ବସ୍ତୁ ଦୁଗ୍ଧରୂପରେ ଦୋହନ କରିନେଲେ |

ଏବଂ ପୃଥ୍ୱାଦୟଃ ପୃଥ୍ୱୀମନ୍ନାଦାଃ ସ୍ୱନ୍ନମାତ୍ମନଃ ।

ଦୋହବତ୍ସାଦି ଭେଦେନ କ୍ଷୀରଭେଦଂ କୁରୂଦ୍ୱହ ॥ ୨୭॥

ହେ କୁରୁଶ୍ରେଷ୍ଠ ବିଦୁର ! ଏହିରୂପେ ପୃଥୁ ଆଦି ସବୁ ଅନ୍ନ-ଭୋଜୀ ଭିନ୍ନ ଭିନ୍ନ ଦୋହନ-ପାତ୍ର ଏବଂ ବାଛୁରୀଙ୍କ ଦ୍ବାରା ନିଜ ପାଇଁ ବିଭିନ୍ନ ଅନ୍ନ-ରୂପ ଦୁଗ୍ଧ ପୃଥିବୀରୁ ଦୋହନ କଲେ |

ତତୋ ମହୀପତିଃ ପ୍ରୀତଃ ସର୍ୱକାମଦୁଘାଂ ପୃଥୁଃ ।

ଦୁହିତୃତ୍ୱେ ଚକାରେମାଂ ପ୍ରେମ୍ଣା ଦୁହିତୃବତ୍ସଲଃ ॥ ୨୮॥

ଏହା ଦ୍ବାରା ମହାରାଜ ପୃଥୁ ଏତେ ପ୍ରସନ୍ନ ହେଲେ ଯେ ସର୍ବକାମପୂର୍ଣ୍ଣକାରୀ ପୃଥିବୀ ପ୍ରତି ତାଙ୍କ ମନରେ ବାତ୍ସଲ୍ୟ ସ୍ନେହ ଜାତ ହେଲା ଏବଂ ପୃଥିବୀକୁ ସେ ନିଜ କନ୍ୟା ରୂପେ ସ୍ବୀକାର କଲେ |

ଚୂର୍ଣୟନ୍ ସ୍ୱଧନୁଷ୍କୋଟ୍ୟା ଗିରିକୂଟାନି ରାଜରାଟ୍ ।

ଭୂମଣ୍ଡଲମିଦଂ ବୈନ୍ୟଃ ପ୍ରାୟଶ୍ଚକ୍ରେ ସମଂ ବିଭୁଃ ॥ ୨୯॥

ତତପଶ୍ଚାତ୍ ରାଜାଧିରାଜ ପୃଥୁ ନିଜ ଧନୁର କୋଣରେ ସବୁ ପର୍ବତକୁ ଭାଙ୍ଗି ସମଗ୍ର ଭୂମଣ୍ଡଳକୁ ପ୍ରାୟତଃ ସମତଳ କରିଦେଲେ |

ଅଥାସ୍ମିନ୍ ଭଗବାନ୍ ବୈନ୍ୟଃ ପ୍ରଜାନାଂ ବୃତ୍ତିଦଃ ପିତା ।

ନିବାସାନ୍ କଲ୍ପୟାଞ୍ଚକ୍ରେ ତତ୍ର ତତ୍ର ଯଥାର୍ହତଃ ॥ ୩୦॥

ପିତୃତୁଲ୍ୟ ସେ ନିଜ ପ୍ରଜାବର୍ଗର ପାଳନ-ପୋଷଣର ବ୍ୟବସ୍ଥା କରିବାକୁ ଯାଇ ସେହି ସମତଳ ଭୂମିରେ ସେମାନଙ୍କ ପାଇଁ ଯଥାଯୋଗ୍ୟ ନିବାସସ୍ଥାନର ବିଭାଜନ କରିଦେଲେ |

ଗ୍ରାମାନ୍ ପୁରଃ ପତ୍ତନାନି ଦୁର୍ଗାଣି ବିବିଧାନି ଚ ।

ଘୋଷାନ୍ ବ୍ରଜାନ୍ ସଶିବିରାନାକରାନ୍ ଖେଟଖର୍ୱଟାନ୍ ॥ ୩୧॥

ସେହି ଉଦ୍ଦେଶ୍ୟରେ ସେ ଅନେକ ଗ୍ରାମ, ବସ୍ତି, ନଗର, ଦୁର୍ଗ, ଅହୀର ବସ୍ତି, ପଶୁମାନଙ୍କର ନିବାସ ସ୍ଥାନ, ଛାଉଣୀ, କୃଷକମାନଙ୍କର ଗ୍ରାମ, ପାହାଡ ତଳଦେଶରେ ଗ୍ରାମ ବସାଇଲେ |

ପ୍ରାକ୍ପୃଥୋରିହ ନୈବୈଷା ପୁରଗ୍ରାମାଦି କଲ୍ପନା ।

ଯଥାସୁଖଂ ବସନ୍ତି ସ୍ମ ତତ୍ର ତତ୍ରାକୁତୋଭୟାଃ ॥ ୩୨॥

ମହାରାଜ ପୃଥୁଙ୍କ ପୂର୍ବରୁ ଏହି ଧରାଧାମରେ ପୁର-ଗ୍ରାମ ଆଦି ବିଭାଗ ନ ଥିଲା; ସବୁ ଲୋକ ନିଜ ନିଜ ସୁବିଧା ଅନୁସାରେ ଯେଉଁଠି-ସେଇଠି ବାସ କରୁଥିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୃଥୁବିଜୟେ ଅଷ୍ଟାଦଶୋଽଧ୍ୟାୟଃ ॥ ୧୮॥

Comments

Popular posts from this blog