ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

 ଚତୁର୍ଥ ସ୍କନ୍ଧ ॥

ଉନବିଂଶ ଅଧ୍ୟାୟ

ମହାରାଜ ପୃଥୁଙ୍କ ଦ୍ବାରା ଏକଶତ ଅଶ୍ବମେଧ ଯଜ୍ଞ

 

ମୈତ୍ରେୟ ଉବାଚ

ଅଥାଦୀକ୍ଷତ ରାଜା ତୁ ହୟମେଧଶତେନ ସଃ ।

ବ୍ରହ୍ମାବର୍ତେ ମନୋଃ କ୍ଷେତ୍ରେ ଯତ୍ର ପ୍ରାଚୀ ସରସ୍ୱତୀ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ମହାରାଜ ମନୁଙ୍କର ବ୍ରହ୍ମାବର୍ତ କ୍ଷେତ୍ରରେ, ଯେଉଁଠାରେ ସରସ୍ବତୀ ନଦୀ ପୂର୍ବାଭିମୁଖୀ ହୋଇ ପ୍ରବାହିତ ହେଉଥାଏ, ରାଜା ପୃଥୁ ଏକ ଶତ ଅଶ୍ବମେଧ-ଯଜ୍ଞର ଦୀକ୍ଷା ଗ୍ରହଣ କଲେ |

ତଦଭିପ୍ରେତ୍ୟ ଭଗବାନ୍ କର୍ମାତିଶୟମାତ୍ମନଃ ।

ଶତକ୍ରତୁର୍ନ ମମୃଷେ ପୃଥୋର୍ୟଜ୍ଞମହୋତ୍ସବମ୍ ॥ ୨॥

ଏହା ଦେଖି ଇନ୍ଦ୍ର ବିଚାର କଲେ ଏବେ ତ ପୃଥୁଙ୍କର ପୁଣ୍ୟକର୍ମ ମୋ ପୁଣ୍ୟ ଅପେକ୍ଷା ଅଧିକ ହୋଇଯିବ | ସେ ତାଙ୍କର ଯଜ୍ଞମହୋତ୍ସବକୁ ସହନ କରିପାରିଲେ ନାହିଁ |

ଯତ୍ର ଯଜ୍ଞପତିଃ ସାକ୍ଷାଦ୍ଭଗବାନ୍ ହରିରୀଶ୍ୱରଃ ।

ଅନ୍ୱଭୂୟତ ସର୍ୱାତ୍ମା ସର୍ୱଲୋକଗୁରୁଃ ପ୍ରଭୁଃ ॥ ୩॥

ମହାରାଜ ପୃଥୁଙ୍କ ଯଜ୍ଞରେ ସମସ୍ତଙ୍କ ଅନ୍ତରାତ୍ମା ସର୍ବଲୋକପୂଜ୍ୟ ଜଗଦୀଶ୍ବର ଭଗବାନ ହରି ଯଜ୍ଞେଶ୍ବର ରୂପରେ ସାକ୍ଷାତ୍ ଦର୍ଶନ ଦେଇଥିଲେ |

ଅନ୍ୱିତୋ ବ୍ରହ୍ମଶର୍ୱାଭ୍ୟାଂ ଲୋକପାଲୈଃ ସହାନୁଗୈଃ ।

ଉପଗୀୟମାନୋ ଗନ୍ଧର୍ୱୈର୍ମୁନିଭିଶ୍ଚାପ୍ସରୋଗଣୈଃ ॥ ୪॥

ତାଙ୍କ ସହିତ ବ୍ରହ୍ମା, ରୁଦ୍ର ତଥା ନିଜ-ନିଜ ଅନୁଚରମାନଙ୍କ ସହ ଲୋକପାଳଗଣ ମଧ୍ୟ ଆଗମନ କରିଥିଲେ | ସେହି ସମୟରେ ଗନ୍ଧର୍ବ, ମୁନି ଏବଂ ଅପସରାମାନେ ପ୍ରଭୁଙ୍କର କୀର୍ତ୍ତି ଗାନ କରୁଥିଲେ |

ସିଦ୍ଧା ବିଦ୍ୟାଧରା ଦୈତ୍ୟା ଦାନବା ଗୁହ୍ୟକାଦୟଃ ।

ସୁନନ୍ଦନନ୍ଦପ୍ରମୁଖାଃ ପାର୍ଷଦପ୍ରବରା ହରେଃ ॥ ୫॥

କପିଲୋ ନାରଦୋ ଦତ୍ତୋ ଯୋଗେଶାଃ ସନକାଦୟଃ ।

ତମନ୍ୱୀୟୁର୍ଭାଗବତା ଯେ ଚ ତତ୍ସେବନୋତ୍ସୁକାଃ ॥ ୬॥

ସିଦ୍ଧ, ବିଦ୍ୟାଧର, ଦୈତ୍ୟ, ଦାନବ, ଯକ୍ଷ, ସୁନନ୍ଦ-ନନ୍ଦ ଆଦି ଭଗବାନଙ୍କର ପ୍ରମୁଖ ପାର୍ଷଦ ଏବଂ ଯେଉଁମାନେ ସର୍ବଦା ଭଗବାନଙ୍କ ସେବା ନିମିତ୍ତ ଉତ୍ସୁକ ରହିଥାଆନ୍ତି, ସେହି କପିଳ, ନାରଦ, ଦତ୍ତାତ୍ରେୟ ଏବଂ ସନକାଦି ଯୋଗେଶ୍ବର ମଧ୍ୟ ତାଙ୍କ ସହିତ ଆସିଥିଲେ |

ଯତ୍ର ଧର୍ମଦୁଘା ଭୂମିଃ ସର୍ୱକାମଦୁଘା ସତୀ ।

ଦୋଗ୍ଧି ସ୍ମାଭୀପ୍ସିତାନର୍ଥାନ୍ ଯଜମାନସ୍ୟ ଭାରତ ॥ ୭॥

ସେହି ଯଜ୍ଞରେ ଯଜ୍ଞସାମଗ୍ରୀ ଯୋଗାଉଥିବା ଭୂମି, କାମଧେନୁ ରୂପ ଧାରଣ କରି, ଯଜମାନଙ୍କର ସମସ୍ତ କାମନା ପୂର୍ଣ୍ଣ କରିଥିଲା |

ଊହୁଃ ସର୍ୱରସାନ୍ ନଦ୍ୟଃ କ୍ଷୀରଦଧ୍ୟନ୍ନଗୋରସାନ୍ ।

ତରବୋ ଭୂରି ବର୍ଷ୍ମାଣଃ ପ୍ରାସୂୟନ୍ତ ମଧୁଚ୍ୟୁତଃ ॥ ୮॥

ନଦୀମାନେ ଦ୍ରାକ୍ଷା ଏବଂ ଈକ୍ଷୁ ଆଦି ରସାଳ ପଦାର୍ଥ ପ୍ରବାହିତ କରି ଆଣୁଥିଲେ ତଥା ଯେଉଁଥିରେ ମଧୁ ଭରି ରହିଥିଲା, ସେହି ସବୁ ବଡ ବଡ ବୃକ୍ଷ, ଦୁଧ, ଦହି, ଅନ୍ନ, ଘୃତ ଆଦି ଅନେକ ପ୍ରକାରର ସାମଗ୍ରୀ ସମର୍ପଣ କରୁଥିଲେ |

ସିନ୍ଧବୋ ରତ୍ନନିକରାନ୍ ଗିରୟୋଽନ୍ନଂ ଚତୁର୍ୱିଧମ୍ ।

ଉପାୟନମୁପାଜହ୍ରୁଃ ସର୍ୱେ ଲୋକାଃ ସପାଲକାଃ ॥ ୯॥

ସମୁଦ୍ର ବହୁ ରତ୍ନରାଶି, ପର୍ବତମାନେ ଭକ୍ଷ୍ୟ, ଭୋଜ୍ୟ, ଚୋଷ୍ୟ ଏବଂ ଲେହ୍ୟ - ଏହି ଚାରି ପ୍ରକାରର ଅନ୍ନ ତଥା ଲୋକପାଳଙ୍କ ସହିତ ସମସ୍ତ ଲୋକ ତାଙ୍କୁ ଅନେକ ପ୍ରକାରର ଉପହାର ଅର୍ପଣ କରିଥିଲେ |

ଇତି ଚାଧୋକ୍ଷଜେଶସ୍ୟ ପୃଥୋସ୍ତୁ ପରମୋଦୟମ୍ ।

ଅସୂୟନ୍ ଭଗବାନିନ୍ଦ୍ରଃ ପ୍ରତିଘାତମଚୀକରତ୍ ॥ ୧୦॥

ମହାରାଜ ପୃଥୁ ତ ଏକମାତ୍ର ଶ୍ରୀହରିଙ୍କୁ ନିଜର ପ୍ରଭୁ ମାନୁଥିଲେ | ତାଙ୍କ କୃପାରୁ ସେହି ଯଜ୍ଞାନୁଷ୍ଠାନ ଉତ୍କର୍ଷତାକୁ ପ୍ରାପ୍ତ ହୋଇଥିଲା | କିନ୍ତୁ ଦେବରାଜ ଇନ୍ଦ୍ର ତାହା ସହ୍ୟ କରିପାରିଲେ ନାହିଁ ଏବଂ ସେ ସେଥିରେ ବିଘ୍ନ ଉତ୍ପନ୍ନ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ |

ଚରମେଣାଶ୍ୱମେଧେନ ଯଜମାନେ ଯଜୁଷ୍ପତିମ୍ ।

ବୈନ୍ୟେ ଯଜ୍ଞପଶୁଂ ସ୍ପର୍ଧନ୍ନପୋବାହ ତିରୋହିତଃ ॥ ୧୧॥

ଯେତେବେଳେ ମହାରାଜ ପୃଥୁ ଅନ୍ତିମ ଯଜ୍ଞ ଦ୍ବାରା ଭଗବାନ ଯଜ୍ଞପତିଙ୍କର ଆରାଧନା କରୁଥିଲେ, ଇନ୍ଦ୍ର ଈର୍ଷ୍ୟାବଶତଃ ତାଙ୍କର ଯଜ୍ଞ-ଅଶ୍ବକୁ ଗୁପ୍ତରେ ହରଣ କରିନେଲେ |

ତମତ୍ରିର୍ଭଗବାନୈକ୍ଷତ୍ତ୍ୱରମାଣଂ ବିହାୟସା ।

ଆମୁକ୍ତମିବ ପାଖଣ୍ଡଂ ଯୋଽଧର୍ମେ ଧର୍ମବିଭ୍ରମଃ ॥ ୧୨॥

ଅତ୍ରିଣା ଚୋଦିତୋ ହନ୍ତୁଂ ପୃଥୁପୁତ୍ରୋ ମହାରଥଃ ।

ଅନ୍ୱଧାବତ ସଙ୍କ୍ରୁଦ୍ଧସ୍ତିଷ୍ଠ ତିଷ୍ଠେତି ଚାବ୍ରବୀତ୍ ॥ ୧୩॥

ନିଜ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ଇନ୍ଦ୍ର କବଚରୂପରେ ପାଖଣ୍ଡଭେଷ ଧାରଣ କରିଥିଲେ, ଯାହା ଅଧର୍ମରେ ଧର୍ମର ଭ୍ରମ ଉତ୍ପନ୍ନ କରିଥାଏ – ଯାହାର ଆଶ୍ରୟ ନେଇ ପାପୀ ପୁରୁଷ ଧର୍ମାତ୍ମା ପରି ମନେ ହୋଇଥାଆନ୍ତି | ସେହି ବେଶରେ ସେ ଘୋଡାକୁ ନେଇ ଅତିଶୀଘ୍ର ଆକାଶମାର୍ଗରେ ପଳାୟନ କରୁଥିବା ବେଳେ ଅତ୍ରିମୁନିଙ୍କର ଦୃଷ୍ଟି ତାଙ୍କ ଉପରେ ପଡିଗଲା | ତାଙ୍କଠାରୁ ଶୁଣି ମହାରାଜ ପୃଥୁଙ୍କର ମହାରଥୀ ପୁତ୍ର ତାଙ୍କୁ ମାରିବା ଉଦ୍ଦେଶ୍ୟରେ କ୍ରୋଧରେ ‘ରହି ଯାଅ, ରହି ଯାଅ’ କହି ତାଙ୍କର ଅନୁଗମନ କଲେ |

ତଂ ତାଦୃଶାକୃତିଂ ବୀକ୍ଷ୍ୟ ମେନେ ଧର୍ମଂ ଶରୀରିଣମ୍ ।

ଜଟିଲଂ ଭସ୍ମନାଽଽଚ୍ଛନ୍ନଂ ତସ୍ମୈ ବାଣଂ ନ ମୁଞ୍ଚତି ॥ ୧୪॥

ଇନ୍ଦ୍ର ନିଜ ମସ୍ତକରେ ଜଟାଜୂଟ ଏବଂ ଶରୀରରେ ଭସ୍ମ ଧାରଣ କରିଥିଲେ | ପୃଥୁକୁମାର ତାଙ୍କୁ ଏପରି ବେଶରେ ଦେଖି ମୂର୍ତ୍ତିମାନ ଧର୍ମ ମନେକଲେ ଏବଂ ତାଙ୍କ ଉପରକୁ ବାଣ ପ୍ରୟୋଗ କଲେନାହିଁ |

ବଧାନ୍ନିବୃତ୍ତଂ ତଂ ଭୂୟୋ ହନ୍ତବେଽତ୍ରିରଚୋଦୟତ୍ ।

ଜହି ଯଜ୍ଞହନଂ ତାତ ମହେନ୍ଦ୍ରଂ ବିବୁଧାଧମମ୍ ॥ ୧୫॥

ଇନ୍ଦ୍ରଙ୍କୁ ଆଘାତ ନ କରି ସେ ଯେତେବେଳେ ଫେରି ଆସିଲେ, ସେତେବେଳେ ଅତ୍ରିମୁନି ତାଙ୍କୁ ପୁନର୍ବାର ଆଜ୍ଞା ଦେଲେ – ବତ୍ସ ! ଏହି ଦେବତାଧମ ଇନ୍ଦ୍ର ତୁମ ଯଜ୍ଞରେ ବିଘ୍ନ ଉତ୍ପନ୍ନ କରିଛି, ତୁମେ ଏହାକୁ ବଧ କର |

ଏବଂ ବୈନ୍ୟସୁତଃ ପ୍ରୋକ୍ତସ୍ତ୍ୱରମାଣଂ ବିହାୟସା ।

ଅନ୍ୱଦ୍ରବଦଭିକ୍ରୁଦ୍ଧୋ ରାବଣଂ ଗୃଧ୍ରରାଡିବ ॥ ୧୬॥

ଅତ୍ରିମୁନି ଏହିପରି ଉତ୍ସାହିତ କରିବା ଦ୍ବାରା ପୃଥୁକୁମାର ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ | ଇନ୍ଦ୍ର ପ୍ରବଳ ବେଗରେ ଆକାଶମାର୍ଗରେ ପଳାୟନ କରୁଥିଲା | ଜଟାୟୁ ରାବଣ ପଛରେ ଧାଇଁଵା ପରି, ସେ ତାର ପଶ୍ଚାତଧାବନ କଲେ |

ସୋଽଶ୍ୱଂ ରୂପଂ ଚ ତଦ୍ଧିତ୍ୱା ତସ୍ମା ଅନ୍ତର୍ହିତଃ ସ୍ୱରାଟ୍ ।

ବୀରଃ ସ୍ୱପଶୁମାଦାୟ ପିତୁର୍ୟଜ୍ଞମୁପେୟିବାନ୍ ॥ ୧୭॥

ତାଙ୍କୁ ପଛରେ ଆସୁଥିବା ଦେଖି, ସ୍ବର୍ଗପତି ଇନ୍ଦ୍ର ଘୋଡା ସହିତ ନିଜର ବେଶ ତ୍ୟାଗ କରି ଅନ୍ତର୍ଧାନ ହୋଇଗଲେ ଏବଂ ପୃଥୁଙ୍କର ସେହି ବୀର ପୁତ୍ର ଯଜ୍ଞପଶୁକୁ ନେଇ ପିତାଙ୍କର ଯଜ୍ଞଶାଳାକୁ ଫେରି ଆସିଲେ |

ତତ୍ତସ୍ୟ ଚାଦ୍ଭୁତଂ କର୍ମ ବିଚକ୍ଷ୍ୟ ପରମର୍ଷୟଃ ।

ନାମଧେୟଂ ଦଦୁସ୍ତସ୍ମୈ ବିଜିତାଶ୍ୱ ଇତି ପ୍ରଭୋ ॥ ୧୮॥

ହେ ବିଦୁର ! ତାଙ୍କର ସେହି ଅଦ୍ଭୁତ ପରାକ୍ରମକୁ ଦେଖି ମହର୍ଷିମାନେ ତାଙ୍କର ନାମ ବିଜିତାଶ୍ବ ରଖିଲେ |

ଉପସୃଜ୍ୟ ତମସ୍ତୀବ୍ରଂ ଜହାରାଶ୍ୱଂ ପୁନର୍ହରିଃ ।

ଚଷାଲ ଯୂପତଶ୍ଛନ୍ନୋ ହିରଣ୍ୟରଶନଂ ବିଭୁଃ ॥ ୧୯॥

ଯଜ୍ଞପଶୁକୁ ଯଜ୍ଞମଣ୍ଡପର ଖମ୍ବରେ ବାନ୍ଧି ଦିଆଗଲା | ସେହି ସମୟରେ ହଠାତ୍ ଇନ୍ଦ୍ର ଯଜ୍ଞମଣ୍ଡପକୁ ଘୋର ଅନ୍ଧକାରରେ ଆଚ୍ଛନ୍ନ କରିଦେଲେ ଏବଂ ଲୁଚିଛପି ପୁନର୍ବାର ସେହି ଘୋଡାକୁ ତାହାର ସୁବର୍ଣ୍ଣ ଶୃଂଖଳ ସମେତ ନେଇ ଚାଲିଗଲେ |

ଅତ୍ରିଃ ସନ୍ଦର୍ଶୟାମାସ ତ୍ୱରମାଣଂ ବିହାୟସା ।

କପାଲଖଟ୍ୱାଙ୍ଗଧରଂ ବୀରୋ ନୈନମବାଧତ ॥ ୨୦॥

ଏଥର ମଧ୍ୟ ଆକାଶମାର୍ଗରେ ଯାଉଥିବା ବେଳେ ଅତ୍ରିମୁନି ତାଙ୍କୁ ଦେଖିନେଲେ, କିନ୍ତୁ ତାଙ୍କ ପାଖରେ କପାଳ ଏବଂ ଖଟ୍ଵାଙ୍ଗ ଦେଖି ପୃଥୁପୁତ୍ର ତାଙ୍କ ମାର୍ଗରେ କୌଣସି ପ୍ରକାରର ବାଧା ଉତ୍ପନ୍ନ କଲେନାହିଁ |

ଅତ୍ରିଣା ଚୋଦିତସ୍ତସ୍ମୈ ସନ୍ଦଧେ ବିଶିଖଂ ରୁଷା ।

ସୋଽଶ୍ୱଂ ରୂପଂ ଚ ତଦ୍ଧିତ୍ୱା ତସ୍ଥାବନ୍ତର୍ହିତଃ ସ୍ୱରାଟ୍ ॥ ୨୧॥

ଅତ୍ରିମୁନି ରାଜକୁମାରଙ୍କୁ ପୁନର୍ବାର ଉକସାଇଲେ ଏବଂ କ୍ରୋଧାବେଶରେ ସେ ଇନ୍ଦ୍ରଙ୍କୁ ଲକ୍ଷ୍ୟ କରି ଧନୁରେ ବାଣ ଚଢ଼ାଇଲେ | ଏଥର ମଧ୍ୟ ତାଙ୍କୁ ଦେଖି ଦେବରାଜ ଇନ୍ଦ୍ର ଘୋଡାକୁ ଛାଡି ସେଠାରୁ ଅନ୍ତର୍ଧାନ ହୋଇଗଲେ |

ବୀରଶ୍ଚାଶ୍ୱମୁପାଦାୟ ପିତୃୟଜ୍ଞମଥାବ୍ରଜତ୍ ।

ତଦବଦ୍ୟଂ ହରେ ରୂପଂ ଜଗୃହୁର୍ଜ୍ଞାନଦୁର୍ବଲାଃ ॥ ୨୨॥

ବୀର ବିଜିତାଶ୍ବ ଘୋଡାକୁ ଧରି ପିତାଙ୍କ ଯଜ୍ଞଶାଳକୁ ଫେରି ଆସିଲେ | ଇନ୍ଦ୍ରଙ୍କର ସେହି ନିନ୍ଦିତ ବେଶକୁ ସେହି ଦିନଠାରୁ ମନ୍ଦବୁଦ୍ଧି ପୁରୁଷମାନେ ଗ୍ରହଣ କରିନେଲେ |  

ଯାନି ରୂପାଣି ଜଗୃହେ ଇନ୍ଦ୍ରୋ ହୟଜିହୀର୍ଷୟା ।

ତାନି ପାପସ୍ୟ ଖଣ୍ଡାନି ଲିଙ୍ଗଂ ଖଣ୍ଡମିହୋଚ୍ୟତେ ॥ ୨୩॥

ଅଶ୍ବହରଣ ଇଚ୍ଛାରେ ଇନ୍ଦ୍ର ଯେଉଁ ଯେଉଁ ବେଶ ଧାରଣ କରିଥିଲେ, ତାହା ପାପର ଚିହ୍ନ ହୋଇଥିବା କାରଣରୁ ତାହାକୁ ପାଖଣ୍ଡ କୁହାଯାଏ |

ଏବମିନ୍ଦ୍ରେ ହରତ୍ୟଶ୍ୱଂ ବୈନ୍ୟଯଜ୍ଞଜିଘାଂସୟା ।

ତଦ୍ଗୃହୀତବିସୃଷ୍ଟେଷୁ ପାଖଣ୍ଡେଷୁ ମତିର୍ନୃଣାମ୍ ॥ ୨୪॥

ଧର୍ମ ଇତ୍ୟୁପଧର୍ମେଷୁ ନଗ୍ନରକ୍ତପଟାଦିଷୁ ।

ପ୍ରାୟେଣ ସଜ୍ଜତେ ଭ୍ରାନ୍ତ୍ୟା ପେଶଲେଷୁ ଚ ବାଗ୍ମିଷୁ ॥ ୨୫॥

ପୃଥୁଙ୍କର ଯଜ୍ଞ ନଷ୍ଟ କରିବା ଉଦ୍ଦେଶ୍ୟରେ ଯଜ୍ଞପଶୁକୁ ଅପହରଣ କରିବା ସମୟରେ ଇନ୍ଦ୍ର ଯେଉଁ ବେଶକୁ କେତେ ଥର ଧାରଣ କରି ତ୍ୟାଗ କରିଥିଲେ, ସେହି ନଗ୍ନ, ରକ୍ତାମ୍ବର ତଥା କାପାଳିକ ଆଦି ପାଖଣ୍ଡପୂର୍ଣ୍ଣ ବେଶଭୂଷା ଦ୍ବାରା ମନୁଷ୍ୟର ବୁଦ୍ଧି ପ୍ରାୟତଃ ମୋହିତ ହୋଇଯାଏ; କାରଣ ଏହିସବୁ ନାସ୍ତିକମତ ଦେଖିବାକୁ ଅତି ସୁନ୍ଦର ଅଟେ ଏବଂ ବଡ ବଡ ଯୁକ୍ତି ଦ୍ବାରା ଏହା ନିଜ ପକ୍ଷର ସମର୍ଥନ କରିଥାଏ | ବାସ୍ତବରେ ଏହା ଉପଧର୍ମମାତ୍ର ଅଟେ; ଲୋକେ ଭ୍ରମବଶତଃ ଏହାକୁ ଧର୍ମ ମନେକରି ଏଥିରେ ଆସକ୍ତ ହୋଇଯାଆନ୍ତି |

ତଦଭିଜ୍ଞାୟ ଭଗବାନ୍ ପୃଥୁଃ ପୃଥୁପରାକ୍ରମଃ ।

ଇନ୍ଦ୍ରାୟ କୁପିତୋ ବାଣମାଦତ୍ତୋଦ୍ୟତକାର୍ମୁକଃ ॥ ୨୬॥

ଇନ୍ଦ୍ରଙ୍କର ସେହି କୁଚାଳ ବିଷୟରେ ଜାଣି ପରମ ପରାକ୍ରମୀ ମହାରାଜ ପୃଥୁ ଅତ୍ୟନ୍ତ କ୍ରୋଧିତ ହେଲେ | ସେ ନିଜର ଧନୁ ଉଠାଇ ସେଥିରେ ବାଣ ସଂଯୋଗ କଲେ |

ତମୃତ୍ୱିଜଃ ଶକ୍ରବଧାଭିସନ୍ଧିତଂ

ବିଚକ୍ଷ୍ୟ ଦୁଷ୍ପ୍ରେକ୍ଷ୍ୟମସହ୍ୟରଂହସମ୍ ।

ନିବାରୟାମାସୁରହୋ ମହାମତେ

ନ ଯୁଜ୍ୟତେଽତ୍ରାନ୍ୟବଧଃ ପ୍ରଚୋଦିତାତ୍ ॥ ୨୭॥

ସେହି ସମୟରେ ତାଙ୍କର ସେହି କ୍ରୋଧଜର୍ଜରିତ ଉଗ୍ର ରୂପ ଦେଖିବାକୁ ଅସହ୍ୟ ମନେ ହେଉଥିଲା | ପ୍ରବଳ ପରାକ୍ରମୀ ପୃଥୁ ମହାରାଜ ଇନ୍ଦ୍ରଙ୍କୁ ବଧ କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ଦେଖି, ତାଙ୍କୁ ବାଧା ଦେବାକୁ ଯାଇ ଋତ୍ବିଜମାନେ କହିଲେ, ‘ରାଜନ୍ ! ଆପଣ ତ ଅତ୍ୟନ୍ତ ବୁଦ୍ଧିମାନ ଅଟନ୍ତି, ଯଜ୍ଞଦୀକ୍ଷା ଗ୍ରହଣ କରିବା ପରେ କେବଳ ଶାସ୍ତ୍ରବିହିତ ଯଜ୍ଞପଶୁ ଅତିରିକ୍ତ ଅନ୍ୟ କାହାକୁ ବଧ କରିବା ଉଚିତ୍ ନୁହେଁ |

ବୟଂ ମରୁତ୍ୱନ୍ତମିହାର୍ଥନାଶନଂ

ହ୍ୱୟାମହେ ତ୍ୱଚ୍ଛ୍ରବସା ହତତ୍ୱିଷମ୍ ।

ଅୟାତୟାମୋପହବୈରନନ୍ତରଂ

ପ୍ରସହ୍ୟ ରାଜନ୍ ଜୁହବାମ ତେଽହିତମ୍ ॥ ୨୮॥

ଯଜ୍ଞକାର୍ଯ୍ୟରେ ବିଘ୍ନ ଉତ୍ପନ୍ନ କରିଥିବା ଆପଣଙ୍କର ଏହି ଶତ୍ରୁ ଇନ୍ଦ୍ର ତ ଆପଣଙ୍କ ସୁଯଶକୁ ଦେଖି ଈର୍ଷ୍ୟାବଶତଃ ନିସ୍ତେଜ ହୋଇଯାଇଛି | ଅମୋଘ ଆବାହନ ମନ୍ତ୍ର ଦ୍ବାରା ଆମେ ତାହାକୁ ଏଠାକୁ ଡକାଇ ଆଣି ଜବରଦସ୍ତୀ ଅଗ୍ନିରେ ତାହାର ହୋମ କରିଦେଉଛୁ |

ଇତ୍ୟାମନ୍ତ୍ର୍ୟ କ୍ରତୁପତିଂ ବିଦୁରାସ୍ୟର୍ତ୍ୱିଜୋ ରୁଷା ।

ସ୍ରୁଗ୍ଘସ୍ତାନ୍ ଜୁହ୍ୱତୋଽଭ୍ୟେତ୍ୟ ସ୍ୱୟମ୍ଭୂଃ ପ୍ରତ୍ୟଷେଧତ ॥ ୨୯॥

ହେ ବିଦୁର ! ଯଜମାନଙ୍କ ସହିତ ଏହିପରି ପରାମର୍ଶ କରି ଯାଜ୍ଞିକମାନେ କ୍ରୋଧପୂର୍ବକ ଇନ୍ଦ୍ରଙ୍କର ଆବାହନ କଲେ | ସେମାନେ ସ୍ରୁବଦ୍ବାରା ଆହୁତି ଦେବାକୁ ଯାଉଛନ୍ତି, ଏହି ସମୟରେ ବ୍ରହ୍ମାଜୀ ସେଠାକୁ ଆସି ସେମାନଙ୍କୁ ବାଧା ଦେଲେ |

ନ ବଧ୍ୟୋ ଭବତାମିନ୍ଦ୍ରୋ ଯଦ୍ୟଜ୍ଞୋ ଭଗବତ୍ତନୁଃ ।

ଯଂ ଜିଘାଂସଥ ଯଜ୍ଞେନ ଯସ୍ୟେଷ୍ଟାସ୍ତନବଃ ସୁରାଃ ॥ ୩୦॥

ସେ କହିଲେ, ହେ ଯାଜକଗଣ ! ତୁମ୍ଭେମାନେ ଇନ୍ଦ୍ରଙ୍କର ବଧ କରିବା ଅନୁଚିତ୍, ଏହି ଯଜ୍ଞସଜ୍ଞକ ଇନ୍ଦ୍ର ତ ଭଗବାନଙ୍କର ହିଁ ମୂର୍ତ୍ତି ଅଟନ୍ତି | ଯଜ୍ଞ ଦ୍ବାରା ତୁମେ ଯେଉଁ ଦେବତାମାନଙ୍କର ଆରାଧନା କରୁଛ, ସେମାନେ ଇନ୍ଦ୍ରଙ୍କର ହିଁ ତ ଅଙ୍ଗ ଅଟନ୍ତି; ଯଜ୍ଞ ଦ୍ବାରା ତୁମେ ତାଙ୍କୁ ହିଁ ମାରିବାକୁ ଇଚ୍ଛା କରୁଛ !

ତଦିଦଂ ପଶ୍ୟତ ମହଦ୍ଧର୍ମବ୍ୟତିକରଂ ଦ୍ୱିଜାଃ ।

ଇନ୍ଦ୍ରେଣାନୁଷ୍ଠିତଂ ରାଜ୍ଞଃ କର୍ମୈତଦ୍ୱିଜିଘାଂସତା ॥ ୩୧॥

ପୃଥୁଙ୍କର ଯଜ୍ଞାନୁଷ୍ଠାନରେ ବିଘ୍ନ ଉତ୍ପନ୍ନ କରି ଇନ୍ଦ୍ର ଯେଉଁ ପାଖଣ୍ଡ ବିସ୍ତାର କରିଛନ୍ତି, ତାହା ଧର୍ମର ଉଚ୍ଛେଦକାରୀ ଅଟେ | ବାସ୍, ଧ୍ୟାନ ଦେବାର ବିଷୟ କେବଳ ଏତିକି ଅଟେ, ଏହାର ଅଧିକ ବିରୋଧ କରନାହିଁ; ନଚେତ୍ ତାହା ଅଧିକ ପାଖଣ୍ଡ ମାର୍ଗର ପ୍ରଚାର କରିବ |

ପୃଥୁକୀର୍ତେଃ ପୃଥୋର୍ଭୂୟାତ୍ତର୍ହ୍ୟେକୋନଶତକ୍ରତୁଃ ।

ଅଲଂ ତେ କ୍ରତୁଭିଃ ସ୍ୱିଷ୍ଟୈର୍ୟଦ୍ଭବାନ୍ ମୋକ୍ଷଧର୍ମବିତ୍ ॥ ୩୨॥

ପରମ ଯଶସ୍ବୀ ମହାରାଜ ପୃଥୁଙ୍କର ଯଜ୍ଞାନୁଷ୍ଠାନ ଅନେଶ୍ବତରେ ହିଁ ରହିବାକୁ ଦିଅ |’ ତାପରେ ମହାରାଜ ପୃଥୁଙ୍କ ଉଦ୍ଦେଶ୍ୟରେ ସେ କହିଲେ, ‘ରାଜନ୍ ! ଆପଣ ତ ମୋକ୍ଷଧର୍ମର ଜ୍ଞାତା ଅଟନ୍ତି; ଅତଏବ ଆପଣଙ୍କ ପାଇଁ ଏହିସବୁ ଯଜ୍ଞାନୁଷ୍ଠାନର ଆବଶ୍ୟକତା ନାହିଁ |

ନୈବାତ୍ମନେ ମହେନ୍ଦ୍ରାୟ ରୋଷମାହର୍ତୁମର୍ହସି ।

ଉଭାବପି ହି ଭଦ୍ରଂ ତେ ଉତ୍ତମଶ୍ଲୋକବିଗ୍ରହୌ ॥ ୩୩॥

ଆପଣଙ୍କର ମଙ୍ଗଳ ହେଉ | ଆପଣ ଏବଂ ଇନ୍ଦ୍ର – ଦୁହେଁ ପବିତ୍ରକୀର୍ତ୍ତି ଭଗବାନ ଶ୍ରୀହରିଙ୍କର ଶରୀର ଅଟନ୍ତି; ସେଥିପାଇଁ ନିଜର ହିଁ ସ୍ବରୂପଭୂତ ଇନ୍ଦ୍ରଙ୍କ ପ୍ରତି ଆପଣଙ୍କର କ୍ରୋଧ ଅନୁଚିତ୍ ଅଟେ |

ମାସ୍ମିନ୍ ମହାରାଜ କୃଥାଃ ସ୍ମ ଚିନ୍ତାଂ

ନିଶାମୟାସ୍ମଦ୍ୱଚ ଆଦୃତାତ୍ମା ।

ଯଦ୍ଧ୍ୟାୟତୋ ଦୈବହତଂ ନୁ କର୍ତୁଂ

ମନୋଽତିରୁଷ୍ଟଂ ବିଶତେ ତମୋଽନ୍ଧମ୍ ॥ ୩୪॥

ଆପଣଙ୍କର ଏହି ଯଜ୍ଞ ନିର୍ବିଘ୍ନରେ ସମାପ୍ତ ହେଲା ନାହିଁ – ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ | ଆପଣ ଆଦରପୂର୍ବକ ମୋ କଥା ସ୍ବୀକାର କରନ୍ତୁ | ଦେଖନ୍ତୁ, ବିଧାତାଙ୍କ ଦ୍ବାରା ବିଗାଡି ଦିଆ ଯାଇଥିବା କାମକୁ ଯେଉଁ ମନୁଷ୍ୟ ସଜାଡିବାକୁ ଚେଷ୍ଟା କରନ୍ତି, ତାଙ୍କର ମନ ଅତ୍ୟଧିକ କ୍ରୋଧଯୁକ୍ତ ହୋଇ ଭୟଙ୍କର ମୋହରେ ଆଚ୍ଛନ୍ନ ହୋଇଯାଏ |

କ୍ରତୁର୍ୱିରମତାମେଷ ଦେବେଷୁ ଦୁରବଗ୍ରହଃ ।

ଧର୍ମବ୍ୟତିକରୋ ଯତ୍ର ପାଖଣ୍ଡୈରିନ୍ଦ୍ରନିର୍ମିତୈଃ ॥ ୩୫॥

ବାସ୍, ଏହି ଯଜ୍ଞକୁ ଏହିଠାରେ ବନ୍ଦ କରିଦିଅନ୍ତୁ | ଏହା ଯୋଗୁଁ ଇନ୍ଦ୍ର ଯେଉଁ ପାଖଣ୍ଡର ବିସ୍ତାର କରିଛନ୍ତି, ତଦ୍ବାରା ଧର୍ମ ନଷ୍ଟ ହେଉଛି, କାରଣ ଦେବତାମାନଙ୍କଠାରେ ଖୁବ୍ ବେଶୀ ଦୁରାଗ୍ରହ ଦେଖାଦେଇଛି |

ଏଭିରିନ୍ଦ୍ରୋପସଂସୃଷ୍ଟୈଃ ପାଖଣ୍ଡୈର୍ହାରିଭିର୍ଜନମ୍ ।

ହ୍ରିୟମାଣଂ ବିଚକ୍ଷ୍ୱୈନଂ ଯସ୍ତେ ଯଜ୍ଞଧ୍ରୁଗଶ୍ୱମୁଟ୍ ॥ ୩୬॥

ଟିକିଏ ଲକ୍ଷ୍ୟ କରନ୍ତୁ, ଯିଏ ଯଜ୍ଞ-ଅଶ୍ବ ଅପହରଣ କରି ଆପଣଙ୍କ ଯଜ୍ଞରେ ବିଘ୍ନ ଉତ୍ପନ୍ନ କଲେ, ସେହି ଇନ୍ଦ୍ରଙ୍କ ଦ୍ବାରା ପ୍ରସାରିତ ପାଖଣ୍ଡ ପ୍ରତି ସମଗ୍ର ଜନତା ଆକର୍ଷିତ ହେଉଛନ୍ତି |

ଭବାନ୍ ପରିତ୍ରାତୁମିହାବତୀର୍ଣୋ

ଧର୍ମଂ ଜନାନାଂ ସମୟାନୁରୂପମ୍ ।

ବେନାପଚାରାଦବଲୁପ୍ତମଦ୍ୟ

ତଦ୍ଦେହତୋ ବିଷ୍ଣୁକଲାସି ବୈନ୍ୟ ॥ ୩୭॥

ଆପଣ ସାକ୍ଷାତ୍ ବିଷ୍ଣୁଙ୍କର ଅଂଶ ଅଟନ୍ତି | ବେନଙ୍କ ଦୁରାଚାର ଯୋଗୁଁ ଧର୍ମ ଲୁପ୍ତ ହେବାକୁ ବସିଥିଲା, ସେହି ସମୟୋଚିତ ଧର୍ମର ରକ୍ଷା ନିମନ୍ତେ ହିଁ ଆପଣ ତାହାର ଶରୀରରୁ ଅବତାର ଗ୍ରହଣ କଲେ |

ସ ତ୍ୱଂ ବିମୃଶ୍ୟାସ୍ୟ ଭବଂ ପ୍ରଜାପତେ

ସଙ୍କଲ୍ପନଂ ବିଶ୍ୱସୃଜାଂ ପିପୀପୃହି ।

ଐନ୍ଦ୍ରୀଂ ଚ ମାୟାମୁପଧର୍ମମାତରଂ

ପ୍ରଚଣ୍ଡପାଖଣ୍ଡପଥଂ ପ୍ରଭୋ ଜହି ॥ ୩୮॥

ତେଣୁ ହେ ପ୍ରଜାପାଳକ ରାଜନ୍ ! ନିଜ ଅବତାରର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଆପଣ ଭୃଗୁ ଆଦି ବିଶ୍ବରଚୟିତା ମୁନୀଶ୍ବରମାନଙ୍କର ସଂକଳ୍ପ ପୂର୍ଣ୍ଣ କରନ୍ତୁ | ଏହି ପ୍ରଚଣ୍ଡ ପାଖଣ୍ଡ-ରୂପ ଇନ୍ଦ୍ରଙ୍କର ମାୟା ଅଧର୍ମର ଜନନୀ ଅଟେ | ଆପଣ ଏହାକୁ ନଷ୍ଟ କରିଦିଅନ୍ତୁ |’

ମୈତ୍ରେୟ ଉବାଚ

ଇତ୍ଥଂ ସ ଲୋକଗୁରୁଣା ସମାଦିଷ୍ଟୋ ବିଶାମ୍ପତିଃ ।

ତଥା ଚ କୃତ୍ୱା ବାତ୍ସଲ୍ୟଂ ମଘୋନାପି ଚ ସନ୍ଦଧେ ॥ ୩୯॥

ମୈତ୍ରେୟ କହୁଛନ୍ତି – ଲୋକଗୁରୁ ଭଗବାନ ବ୍ରହ୍ମାଜୀଙ୍କର ଉପଦେଶ କ୍ରମେ ପ୍ରବଳ ପରାକ୍ରମୀ ମହାରାଜ ପୃଥୁ ଯଜ୍ଞ କରିବାର ଆଗ୍ରହ ତ୍ୟାଗ କଲେ ଏବଂ ଇନ୍ଦ୍ରଙ୍କ ସହିତ ପ୍ରୀତିପୂର୍ବକ ସନ୍ଧି ମଧ୍ୟ କରିନେଲେ |

କୃତାବଭୃଥସ୍ନାନାୟ ପୃଥବେ ଭୂରିକର୍ମଣେ ।

ବରାନ୍ ଦଦୁସ୍ତେ ବରଦା ଯେ ତଦ୍ବର୍ହିଷି ତର୍ପିତାଃ ॥ ୪୦॥

ତତପଶ୍ଚାତ୍ ଯେତେବେଳେ ସେ ଯଜ୍ଞାନ୍ତ ସ୍ନାନ ସମାପନ କଲେ, ତାଙ୍କ ଯଜ୍ଞାନୁଷ୍ଠାନ ଦ୍ବାରା ତୃପ୍ତ ହୋଇଥିବା ଦେବତାମାନେ ତାଙ୍କୁ ଅଭୀଷ୍ଟ ବର ପ୍ରଦାନ କଲେ |

ବିପ୍ରାଃ ସତ୍ୟାଶିଷସ୍ତୁଷ୍ଟାଃ ଶ୍ରଦ୍ଧୟା ଲବ୍ଧଦକ୍ଷିଣାଃ ।

ଆଶିଷୋ ଯୁୟୁଜୁଃ କ୍ଷତ୍ତରାଦିରାଜାୟ ସତ୍କୃତାଃ ॥ ୪୧॥

ଆଦିରାଜ ପୃଥୁ ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ ବ୍ରାହ୍ମଣମାନଙ୍କୁ ଦକ୍ଷିଣା ଦେଲେ ତଥା ବ୍ରାହ୍ମଣମାନେ ମଧ୍ୟ ତାଙ୍କର ସତ୍କାରରେ ସନ୍ତୁଷ୍ଟ ହୋଇ ତାଙ୍କୁ ଅମୋଘ ଆଶୀର୍ବାଦ ପ୍ରଦାନ କଲେ |

ତ୍ୱୟାଽଽହୂତା ମହାବାହୋ ସର୍ୱ ଏବ ସମାଗତାଃ ।

ପୂଜିତା ଦାନମାନାଭ୍ୟାଂ ପିତୃଦେବର୍ଷିମାନବାଃ ॥ ୪୨॥

ସେମାନେ କହିବାରେ ଲାଗିଲେ, ‘ହେ ମହାବାହୁ ! ଆପଣଙ୍କର ନିମନ୍ତ୍ରଣ କ୍ରମେ ଯେଉଁ ପିତୃପୁରୁଷ, ଦେବତା, ଋଷି ଏବଂ ମନୁଷ୍ୟ ଆଦି ଏଠାକୁ ଆସିଥିଲେ, ସେମାନଙ୍କର ଆପଣ ଦାନ-ମାନ ଦ୍ବାରା ଖୁବ୍ ବେଶୀ ସତ୍କାର କରିଛନ୍ତି |’

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୃଥୁବିଜୟେ ଏକୋନବିଂଶୋଽଧ୍ୟାୟଃ ॥ ୧୯॥

Comments

Popular posts from this blog