ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ ॥

ଏକାଦଶ ଅଧ୍ୟାୟ

ଯୁଦ୍ଧ ବନ୍ଦ କରିବା ନିମନ୍ତେ ଧ୍ରୁବଙ୍କୁ ସ୍ବାୟମ୍ଭୂବ ମନୁଙ୍କର ଉପଦେଶ

 

ମୈତ୍ରେୟ ଉବାଚ

ନିଶମ୍ୟ ଗଦତାମେବଂ ଋଷୀଣାଂ ଧନୁଷି ଧ୍ରୁବଃ ।

ସନ୍ଦଧେଽସ୍ତ୍ରମୁପସ୍ପୃଶ୍ୟ ଯନ୍ନାରାୟଣନିର୍ମିତମ୍ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଋଷିମାନଙ୍କର ଏପରି କଥନ ଶୁଣି ଧ୍ରୁବ ଆଚମନ କରି ଶ୍ରୀନାରାୟଣଙ୍କ ଦ୍ବାରା ନିର୍ମିତ ନାରାୟଣାସ୍ତ୍ରକୁ ନିଜ ଧନୁଷରେ ଚଢାଇଲେ |

ସନ୍ଧୀୟମାନ ଏତସ୍ମିନ୍ ମାୟା ଗୁହ୍ୟକନିର୍ମିତାଃ ।

କ୍ଷିପ୍ରଂ ବିନେଶୁର୍ୱିଦୁର କ୍ଲେଶା ଜ୍ଞାନୋଦୟେ ଯଥା ॥ ୨॥

ସେହି ବାଣ ଚଢାଇଵା ମାତ୍ରେ ଯକ୍ଷମାନଙ୍କ ଦ୍ବାରା ରଚିତ ନାନା ପ୍ରକାର ମାୟା ତତ୍-କ୍ଷଣାତ୍ ନଷ୍ଟ ହୋଇଗଲା, ଠିକ୍ ଯେପରି ଜ୍ଞାନର ଉଦୟ ହେବା କ୍ଷଣି ଅବିଦ୍ୟାଦି କ୍ଲେଶ ନଷ୍ଟ ହୋଇଯାଏ |

ତସ୍ୟାର୍ଷାସ୍ତ୍ରଂ ଧନୁଷି ପ୍ରୟୁଞ୍ଜତଃ

ସୁବର୍ଣପୁଙ୍ଖାଃ କଲହଂସବାସସଃ ।

ବିନିଃସୃତା ଆବିବିଶୁର୍ଦ୍ୱିଷଦ୍ବଲଂ

ଯଥା ବନଂ ଭୀମରବାଃ ଶିଖଣ୍ଡିନଃ ॥ ୩॥

ଋଷିବର ନାରାୟଣଙ୍କ ଦ୍ବାରା ଆବିଷ୍କୃତ ସେହି ଅସ୍ତ୍ରକୁ ଧନୁରେ ଚଢାଇବା ମାତ୍ରେ ସେଥିରୁ ରାଜହଂସର ପକ୍ଷ ଏବଂ ସୁବର୍ଣ୍ଣ ଫଳ ସଦୃଶ ତୀକ୍ଷ୍ଣ ବାଣ ନିର୍ଗତ ହେବାରେ ଲାଗିଲା ଏବଂ ମୟୂରମାନେ କେକାରବ କରି ବନ ମଧ୍ୟରେ ପ୍ରବେଶ କରିବା ପରି ସେହି ବାଣ ସାଏଁ-ସାଏଁ ଶବ୍ଦ କରି ଶତ୍ରୁ ସେନାଙ୍କ ମଧ୍ୟରେ ପ୍ରବେଶ କଲା |

ତୈସ୍ତିଗ୍ମଧାରୈଃ ପ୍ରଧନେ ଶିଲୀମୁଖୈ-

ରିତସ୍ତତଃ ପୁଣ୍ୟଜନା ଉପଦ୍ରୁତାଃ ।

ତମଭ୍ୟଧାବନ୍ କୁପିତା ଉଦାୟୁଧାଃ

ସୁପର୍ଣମୁନ୍ନଦ୍ଧଫଣା ଇବାହୟଃ ॥ ୪॥

ସେହି ତୀକ୍ଷ୍ଣ ଧାରଯୁକ୍ତ ବାଣ ଶତ୍ରୁମାନଙ୍କୁ ଆତଙ୍କିତ କରିଦେଲା | ସେତେବେଳେ ସେହି ରଣକ୍ଷେତ୍ରରେ ଅନେକ ଯକ୍ଷ ଅତ୍ୟନ୍ତ କୁପିତ ହୋଇ ନିଜ-ନିଜର ଅସ୍ତ୍ର-ଶସ୍ତ୍ର ଧରି, ଗରୁଡ଼ର ତାଡନାରେ ବଡ ବଡ ସର୍ପମାନେ ଫଣା ଉତ୍ତୋଳନ କରି ତା ଆଡକୁ ଧାଇଁ ଆସିବା ପରି, ସବୁ ଦିଗରୁ ଧ୍ରୁବଙ୍କ ଉପରେ ଚଢାଉ କରିବାରେ ଲାଗିଲେ |

ସ ତାନ୍ ପୃଷତ୍କୈରଭିଧାବତୋ ମୃଧେ

ନିକୃତ୍ତବାହୂରୁଶିରୋଧରୋଦରାନ୍ ।

ନିନାୟ ଲୋକଂ ପରମର୍କମଣ୍ଡଲଂ

ବ୍ରଜନ୍ତି ନିର୍ଭିଦ୍ୟ ଯମୂର୍ଧ୍ୱରେତସଃ ॥ ୫॥

ସେମାନଙ୍କୁ ସମ୍ମୁଖରେ ଦେଖି ଧ୍ରୁବ ନିଜ ବାଣଦ୍ବାରା ସେମାନଙ୍କର ଭୁଜ, ଜଂଘ, କନ୍ଧ ଏବଂ ଉଦର ଆଦି ଅଙ୍ଗ-ପ୍ରତ୍ୟଙ୍ଗକୁ ଛିନ୍ନ-ଭିନ୍ନ କରି ସେମାନଙ୍କୁ ସେହି ସର୍ବଶ୍ରେଷ୍ଠ ଲୋକ (ସତ୍ୟଲୋକ) କୁ ପଠାଇ ଦେଲେ, ଯେଉଁଠିକୁ ଉର୍ଦ୍ଧ୍ବରେତା ମୁନିଗଣ ସୂର୍ଯ୍ୟମଣ୍ଡଳକୁ ଭେଦ କରି ଯାଇଥାଆନ୍ତି |

ତାନ୍ ହନ୍ୟମାନାନଭିବୀକ୍ଷ୍ୟ ଗୁହ୍ୟକା-

ନନାଗସଶ୍ଚିତ୍ରରଥେନ ଭୂରିଶଃ ।

ଔତ୍ତାନପାଦିଂ କୃପୟା ପିତାମହୋ

ମନୁର୍ଜଗାଦୋପଗତଃ ସହର୍ଷିଭିଃ ॥ ୬॥

ତାଙ୍କର ପିତାମହ ସ୍ବାୟମ୍ଭୂବ ମନୁ ଯେତେବେଳେ ଦେଖିବାକୁ ପାଇଲେ ଯେ ବିଚିତ୍ର ରଥରେ ଚଢି ଧ୍ରୁବ ଅନେକ ନିରପରାଧ ଯକ୍ଷଙ୍କୁ ମାରି ଚାଲିଛନ୍ତି, ସେତେବେଳେ ତାଙ୍କ ମନରେ ଦୟା ଜାତ ହେଲା | ସେ ଅନେକ ଋଷିଙ୍କୁ ସଙ୍ଗରେ ଧରି ସେଠାକୁ ଆସିଲେ ଏବଂ ନିଜ ପୌତ୍ର ଧ୍ରୁବଙ୍କୁ ବୁଝାଇବାରେ ଲାଗିଲେ |

ମନୁରୁବାଚ

ଅଲଂ ବତ୍ସାତିରୋଷେଣ ତମୋଦ୍ୱାରେଣ ପାପ୍ମନା ।

ଯେନ ପୁଣ୍ୟଜନାନେତାନବଧୀସ୍ତ୍ୱମନାଗସଃ ॥ ୭॥

ମନୁ ମହାରାଜ କହିଲେ – ପୁତ୍ର ! କ୍ଷାନ୍ତ ହୁଅ | ଅଧିକ କ୍ରୋଧ କରିବା ଉଚିତ୍ ନୁହେଁ | ଏହି ପାପୀ ନର୍କର ଦ୍ବାର ଅଟେ | ଏହାର ବଶୀଭୂତ ହୋଇ ତୁମେ ଏହି ନିରପରାଧ ଯକ୍ଷମାନଙ୍କୁ ବଧ କରିଛ |

ନାସ୍ମତ୍କୁଲୋଚିତଂ ତାତ କର୍ମୈତତ୍ସଦ୍ୱିଗର୍ହିତମ୍ ।

ବଧୋ ଯଦୁପଦେବାନାମାରବ୍ଧସ୍ତେଽକୃତୈନସାମ୍ ॥ ୮॥

ତୁମେ ଯେପରି ଏହି ନିର୍ଦ୍ଦୋଶ ଯକ୍ଷମାନଙ୍କର ସଂହାର କରିବାକୁ ପ୍ରତିବଦ୍ଧ ହୋଇଛ, ତାହା ଆମ କୁଳ-ଯୋଗ୍ୟ କର୍ମ ନୁହେଁ; ସାଧୁପୁରୁଷ ଏହାର ବହୁତ ନିନ୍ଦା କରିଥାଆନ୍ତି |

ନନ୍ୱେକସ୍ୟାପରାଧେନ ପ୍ରସଙ୍ଗାଦ୍ବହବୋ ହତାଃ ।

ଭ୍ରାତୁର୍ୱଧାଭିତପ୍ତେନ ତ୍ୱୟାଙ୍ଗ ଭ୍ରାତୃବତ୍ସଲ ॥ ୯॥

ପୁତ୍ର ! ତୁମର ନିଜ ଭାଈ ପ୍ରତି ତୀବ୍ର ଅନୁରାଗ ଥିଲା, ତାହା ତ ଠିକ୍ ଅଛି; କିନ୍ତୁ ଦେଖ, ତାର ବଧରେ ସଂତପ୍ତ ହୋଇ ତୁମେ ଜଣେ ଅପରାଧୀ ଯକ୍ଷକୁ ମାରିବାକୁ ଯାଇ କେତେ ଜଣ ନିରପରାଧଙ୍କର ହତ୍ୟା କଲ !!

ନାୟଂ ମାର୍ଗୋ ହି ସାଧୂନାଂ ହୃଷୀକେଶାନୁବର୍ତିନାମ୍ ।

ଯଦାତ୍ମାନଂ ପରାଗ୍ଗୃହ୍ୟ ପଶୁବଦ୍ଭୂତବୈଶସମ୍ ॥ ୧୦॥

ଏହି ଜଡ ଶରୀରକୁ ଆତ୍ମା ମନେକରି ଏହା ପାଇଁ ପଶୁମାନଙ୍କ ପରି ପ୍ରାଣୀ ପ୍ରତି ହିଂସା କରିବା ଭଗବତ୍-ସେବୀ ସାଧୁଜନଙ୍କର ମାର୍ଗ ନୁହେଁ |

ସର୍ୱଭୂତାତ୍ମଭାବେନ ଭୂତାବାସଂ ହରିଂ ଭବାନ୍ ।

ଆରାଧ୍ୟାପ ଦୁରାରାଧ୍ୟଂ ବିଷ୍ଣୋସ୍ତତ୍ପରମଂ ପଦମ୍ ॥ ୧୧॥

ପ୍ରଭୁଙ୍କର ଆରାଧନା କରିବା ଅତ୍ୟନ୍ତ କଠିନ ଅଟେ | କିନ୍ତୁ ତୁମେ ତ ବାଲ୍ୟାବସ୍ଥାରେ ହିଁ ସମ୍ପୂର୍ଣ୍ଣ ଭୂତର ଆଶ୍ରୟସ୍ଥାନ ଶ୍ରୀହରିଙ୍କର ଆରାଧନା ସର୍ବଭୂତାତ୍ମଭାବରେ କରି ତାଙ୍କର ପରମପଦ ପ୍ରାପ୍ତ କରିନେଇଛ |

ସ ତ୍ୱଂ ହରେରନୁଧ୍ୟାତସ୍ତତ୍ପୁଂସାମପି ସମ୍ମତଃ ।

କଥଂ ତ୍ୱବଦ୍ୟଂ କୃତବାନନୁଶିକ୍ଷନ୍ ସତାଂ ବ୍ରତମ୍ ॥ ୧୨॥

ତୁମକୁ ତ ସ୍ବୟଂ ପ୍ରଭୁ ନିଜର ପ୍ରିୟ ଭକ୍ତ ମାନନ୍ତି ତଥା ଭକ୍ତଜନ ମଧ୍ୟ ତୁମର ଆଦର କରନ୍ତି | ତୁମେ ସାଧୁଜନଙ୍କର ପଥପ୍ରଦର୍ଶକ ଅଟ, ତଥାପି ତୁମେ ଏପରି ନିନ୍ଦନୀୟ କର୍ମ କିପରି କଲ ?

ତିତିକ୍ଷୟା କରୁଣୟା ମୈତ୍ର୍ୟା ଚାଖିଲଜନ୍ତୁଷୁ ।

ସମତ୍ୱେନ ଚ ସର୍ୱାତ୍ମା ଭଗବାନ୍ ସମ୍ପ୍ରସୀଦତି ॥ ୧୩॥

ସର୍ବାତ୍ମା ଶ୍ରୀହରି ତ ନିଜଠାରୁ ବଡମାନଙ୍କ ପ୍ରତି ସହନଶୀଳତା, ଛୋଟମାନଙ୍କ ପ୍ରତି ଦୟା, ସମବୟସ୍କଙ୍କ ସହିତ ମିତ୍ରତା ଏବଂ ସମସ୍ତ ଜୀବଙ୍କ ପ୍ରତି ସମତା ପ୍ରଦର୍ଶନ କରିବାରେ ହିଁ ପ୍ରସନ୍ନ ହୁଅନ୍ତି |

ସମ୍ପ୍ରସନ୍ନେ ଭଗବତି ପୁରୁଷଃ ପ୍ରାକୃତୈର୍ଗୁଣୈଃ ।

ବିମୁକ୍ତୋ ଜୀବନିର୍ମୁକ୍ତୋ ବ୍ରହ୍ମନିର୍ୱାଣମୃଚ୍ଛତି ॥ ୧୪॥

ପ୍ରଭୁ ପ୍ରସନ୍ନ ହୋଇଗଲେ ପୁରୁଷ ପ୍ରାକୃତ ଗୁଣ ଏବଂ ତାହାର କାର୍ଯ୍ୟରୂପ ଲିଙ୍ଗଶରୀରରୁ ମୁକ୍ତ ହୋଇ ପରମାନନ୍ଦସ୍ବରୂପ ବ୍ରହ୍ମପଦ ପ୍ରାପ୍ତ କରିନିଏ |

ଭୂତୈଃ ପଞ୍ଚଭିରାରବ୍ଧୈର୍ୟୋଷିତ୍ପୁରୁଷ ଏବ ହି ।

ତୟୋର୍ୱ୍ୟବାୟାତ୍ସମ୍ଭୂତିର୍ୟୋଷିତ୍ପୁରୁଷୟୋରିହ ॥ ୧୫॥

ପୁତ୍ର ଧ୍ରୁବ ! ଦେହାଦି ରୂପରେ ପରିଣତ ହୋଇଥିବା ପଞ୍ଚଭୂତରୁ ସ୍ତ୍ରୀ-ପୁରୁଷଙ୍କର ଆବିର୍ଭାବ ହୋଇଥାଏ ଏବଂ ପୁଣି ସେମାନଙ୍କର ପାରସ୍ପରିକ ସମାଗମରୁ ଅନ୍ୟ ସ୍ତ୍ରୀ-ପୁରୁଷ ଉତ୍ପନ୍ନ ହୁଅନ୍ତି |

ଏବଂ ପ୍ରବର୍ତତେ ସର୍ଗଃ ସ୍ଥିତିଃ ସଂୟମ ଏବ ଚ ।

ଗୁଣବ୍ୟତିକରାଦ୍ରାଜନ୍ ମାୟଯା ପରମାତ୍ମନଃ ॥ ୧୬॥

ହେ ଧ୍ରୁବ ! ଭଗବାନଙ୍କ ମାୟାରେ ସତ୍ତ୍ଵାଦି ଗୁଣରେ ନ୍ୟୁନାଧିକଭାବ ହୋଇ ଯେପରି ଭୂତମାନଙ୍କ ଦ୍ବାରା ଶରୀରର ରଚନା ହୋଇଥାଏ, ସେହିପରି ତାହାର ସ୍ଥିତି ଏବଂ ପ୍ରଳୟ ମଧ୍ୟ ହୋଇଥାଏ |

ନିମିତ୍ତମାତ୍ରଂ ତତ୍ରାସୀନ୍ନିର୍ଗୁଣଃ ପୁରୁଷର୍ଷଭଃ ।

ବ୍ୟକ୍ତାବ୍ୟକ୍ତମିଦଂ ବିଶ୍ୱଂ ଯତ୍ର ଭ୍ରମତି ଲୋହବତ୍ ॥ ୧୭॥

ହେ ପୁରୁଷଶ୍ରେଷ୍ଠ ! ଏଥିରେ ନିର୍ଗୁଣ ପରମାତ୍ମା ତ କେବଳ ନିମିତ୍ତମାତ୍ର ଅଟନ୍ତି; ଚୁମ୍ବକର ଆଶ୍ରୟରେ ଥିବା ଲୁହା ପରି, ତାଙ୍କ ଆଶ୍ରୟରେ ଏହି କାର୍ଯ୍ୟ-କାରଣାତ୍ମକ ଜଗତ ଭ୍ରମିତ ହେଉଥାଏ |

ସ ଖଲ୍ୱିଦଂ ଭଗବାନ୍ କାଲଶକ୍ତ୍ୟା

ଗୁଣପ୍ରବାହେଣ ବିଭକ୍ତବୀର୍ୟଃ ।

କରୋତ୍ୟକର୍ତୈବ ନିହନ୍ତ୍ୟହନ୍ତା

ଚେଷ୍ଟା ବିଭୂମ୍ନଃ ଖଲୁ ଦୁର୍ୱିଭାବ୍ୟା ॥ ୧୮॥

କାଳ-ଶକ୍ତି ଦ୍ବାରା କ୍ରମଶଃ ସତ୍ତ୍ବାଦି ଗୁଣରେ କ୍ଷୋଭ ଉତ୍ପନ୍ନ ହୋଇ ଲୀଳାମୟ ଭଗବାନଙ୍କର ଶକ୍ତି ମଧ୍ୟ ସୃଷ୍ଟି ଆଦି ରୂପରେ ବିଭକ୍ତ ହୋଇଥାଏ; ଅତଏବ ଭଗବାନ ଅକର୍ତ୍ତା ହୋଇ ମଧ୍ୟ ଜଗତର ରଚନା କରନ୍ତି ଏବଂ ସଂହାରକ ନ ହୋଇ ମଧ୍ୟ ତାହାର ସଂହାର କରନ୍ତି | ବାସ୍ତବରେ ସେହି ଅନନ୍ତ ପ୍ରଭୁଙ୍କର ଲୀଳା ସର୍ବତୋ ଭାବରେ ଅନିର୍ବଚନୀୟ ଅଟେ |

ସୋଽନନ୍ତୋଽନ୍ତକରଃ କାଲୋଽନାଦିରାଦିକୃଦବ୍ୟଯଃ ।

ଜନଂ ଜନେନ ଜନୟନ୍ ମାରୟନ୍ ମୃତ୍ୟୁନାନ୍ତକମ୍ ॥ ୧୯॥

ହେ ଧ୍ରୁବ ! ସେହି କାଳସ୍ବରୂପ ଅବ୍ୟୟ ପରମାତ୍ମା ସ୍ବୟଂ ଅନ୍ତରହିତ ହୋଇ ମଧ୍ୟ ଜଗତର ଅନ୍ତ କରିଥାଆନ୍ତି ତଥା ଅନାଦି ହୋଇ ମଧ୍ୟ ସମସ୍ତଙ୍କର ଆଦିକର୍ତ୍ତା ଅଟନ୍ତି | ସେ ହିଁ ଗୋଟିଏ ଜୀବରୁ ଅନ୍ୟ ଜୀବ ଉତ୍ପନ୍ନ କରି ସଂସାର ସୃଷ୍ଟି କରନ୍ତି ତଥା ମୃତ୍ୟୁ ଦ୍ବାରା ମାରୁଥିବା ଲୋକକୁ ମାରି ତାହାର ସଂହାର କରନ୍ତି |

ନ ବୈ ସ୍ୱପକ୍ଷୋଽସ୍ୟ ବିପକ୍ଷ ଏବ ବା

ପରସ୍ୟ ମୃତ୍ୟୋର୍ୱିଶତଃ ସମଂ ପ୍ରଜାଃ ।

ତଂ ଧାବମାନମନୁଧାବନ୍ତ୍ୟନୀଶା

ଯଥା ରଜାଂସ୍ୟନିଲଂ ଭୂତସଙ୍ଘାଃ ॥ ୨୦॥

ସମ୍ପୂର୍ଣ୍ଣ ସୃଷ୍ଟିରେ ସେହି କାଳଭଗବାନ ସମାନ ରୂପରେ ଅନୁପ୍ରବିଷ୍ଟ | ତାଙ୍କର କେହି ମିତ୍ରପକ୍ଷ ନୁହଁନ୍ତି କି କେହି ଶତ୍ରୁପକ୍ଷ ନୁହଁନ୍ତି | ବାୟୁପ୍ରବାହ ସହିତ ଧୂଳି ଉଡିଵା ପରି ସମସ୍ତ ଜୀବ ନିଜ-ନିଜ କର୍ମର ଅଧୀନସ୍ତ ହୋଇ କାଳର ଗତି ଅନୁସରଣ କରନ୍ତି – ନିଜ-ନିଜ କର୍ମ ଅନୁସାରେ ସୁଖ-ଦୁଃଖ ଫଳ ଭୋଗ କରନ୍ତି |

ଆୟୁଷୋଽପଚୟଂ ଜନ୍ତୋସ୍ତଥୈବୋପଚୟଂ ବିଭୁଃ ।

ଉଭାଭ୍ୟାଂ ରହିତଃ ସ୍ୱସ୍ଥୋ ଦୁଃସ୍ଥସ୍ୟ ବିଦଧାତ୍ୟସୌ ॥ ୨୧॥

ସର୍ବସମର୍ଥ ଶ୍ରୀହରି କର୍ମବନ୍ଧନରେ ବାନ୍ଧି ହୋଇଥିବା ଜୀବର ଆୟୁ-ବୃଦ୍ଧି ଏବଂ କ୍ଷୟର ବିଧାନ କରନ୍ତି, କିନ୍ତୁ ସେ ସ୍ବୟଂ ଜନ୍ମ-ମୃତ୍ୟୁ-ରହିତ ଏବଂ ନିଜ ସ୍ବରୂପରେ ସ୍ଥିତ ଅଟନ୍ତି |

କେଚିତ୍କର୍ମ ବଦନ୍ତ୍ୟେନଂ ସ୍ୱଭାବମପରେ ନୃପ ।

ଏକେ କାଲଂ ପରେ ଦୈବଂ ପୁଂସଃ କାମମୁତାପରେ ॥ ୨୨॥

ହେ ରାଜନ୍ ! ଏହି ପରମାତ୍ମାଙ୍କୁ ହିଁ ମୀମାଂସକମାନେ କର୍ମ, ଚାର୍ବାକ୍ ସ୍ବଭାବ, ବୈଶେଷିକମତାବଲମ୍ବୀ କାଳ, ଜ୍ୟୋତିଷୀମାନେ ଦୈବ ଏବଂ କାମଶାସ୍ତ୍ରୀମାନେ କାମ କହନ୍ତି |

ଅବ୍ୟକ୍ତସ୍ୟାପ୍ରମେୟସ୍ୟ ନାନାଶକ୍ତ୍ୟୁଦୟସ୍ୟ ଚ ।

ନ ବୈ ଚିକୀର୍ଷିତଂ ତାତ କୋ ବେଦାଥ ସ୍ୱସମ୍ଭବମ୍ ॥ ୨୩॥

ସେ କୌଣସି ଇନ୍ଦ୍ରିୟ ବା ପ୍ରମାଣର ବିଷୟ ନୁହଁନ୍ତି | ମହଦାଦି ଅନେକ ଶକ୍ତି ତାଙ୍କଠାରୁ ପ୍ରକଟ ହୋଇଛନ୍ତି | ସେ କଣ କରିବାକୁ ଚାହାଁନ୍ତି, ତାହା ସଂସାରର କେହି ମଧ୍ୟ ଜାଣନ୍ତି ନାହିଁ, ତେଣୁ ନିଜର ହିଁ ମୂଳ କାରଣ ସେହି ପ୍ରଭୁଙ୍କୁ କିଏ ଅବା ଜାଣିପାରିବ ?

ନ ଚୈତେ ପୁତ୍ରକ ଭ୍ରାତୁର୍ହନ୍ତାରୋ ଧନଦାନୁଗାଃ ।

ବିସର୍ଗାଦାନୟୋସ୍ତାତ ପୁଂସୋ ଦୈବଂ ହି କାରଣମ୍ ॥ ୨୪॥

ପୁତ୍ର ! କୁବେରଙ୍କର ଏହି ଅନୁଚର ତୁମ ଭାଈର ହନ୍ତା ନୁହଁନ୍ତି, କାରଣ ମନୁଷ୍ୟର ଜନ୍ମ-ମରଣର ବାସ୍ତବିକ କାରଣ ତ ଈଶ୍ବର ଅଟନ୍ତି |

ସ ଏବ ବିଶ୍ୱଂ ସୃଜତି ସ ଏବାବତି ହନ୍ତି ଚ ।

ଅଥାପି ହ୍ୟନହଙ୍କାରାନ୍ନାଜ୍ୟତେ ଗୁଣକର୍ମଭିଃ ॥ ୨୫॥

ଏକମାତ୍ର ସେ ହିଁ ସଂସାରର ରଚନା, ପାଳନ ଏବଂ ବିନାଶ କରନ୍ତି, କିନ୍ତୁ ଅହଂକାରଶୂନ୍ୟ ହୋଇଥିବା କାରଣରୁ ସେ ତାହାର ଗୁଣ ଏବଂ କର୍ମରୁ ସଦା ନିର୍ଲେପ ରହନ୍ତି |

ଏଷ ଭୂତାନି ଭୂତାତ୍ମା ଭୂତେଶୋ ଭୂତଭାବନଃ ।

ସ୍ୱଶକ୍ତ୍ୟା ମାୟଯା ଯୁକ୍ତଃ ସୃଜତ୍ୟତ୍ତି ଚ ପାତି ଚ ॥ ୨୬॥

ସେହି ସମ୍ପୂର୍ଣ୍ଣ ପ୍ରାଣୀଙ୍କର ଅନ୍ତରାତ୍ମା, ନିୟନ୍ତା ଏବଂ ରକ୍ଷକ ପ୍ରଭୁ ହିଁ ନିଜ ମାୟାଶକ୍ତିରେ ଯୁକ୍ତ ହୋଇ ସମସ୍ତ ଜୀବଙ୍କର ସୃଜନ, ପାଳନ ଏବଂ ସଂହାର କରନ୍ତି |

ତମେବ ମୃତ୍ୟୁମମୃତଂ ତାତ ଦୈବଂ

ସର୍ୱାତ୍ମନୋପେହି ଜଗତ୍ପରାୟଣମ୍ ।

ଯସ୍ମୈ ବଲିଂ ବିଶ୍ୱସୃଜୋ ହରନ୍ତି

ଗାବୋ ଯଥା ବୈ ନସି ଦାମୟନ୍ତ୍ରିତାଃ ॥ ୨୭॥

ନାକରେ ଦଉଡି ବନ୍ଧା ହୋଇଥିବା ବଳଦ ନିଜ ମାଲିକର ବୋଝ ବହନ କରିବା ପରି, ଜଗତର ରଚୟିତା ବ୍ରହ୍ମାଦି ମଧ୍ୟ ନାମରୂପ ଡୋରୀରେ ବାନ୍ଧି ହୋଇ ସେହି ପ୍ରଭୁଙ୍କର ଆଜ୍ଞା ପାଳନ କରୁଥାଆନ୍ତି | ଅଭକ୍ତମାନଙ୍କ ପାଇଁ ସେ ମୃତ୍ୟୁରୂପ ହୋଇଥିବା ବେଳେ ଭକ୍ତମାନଙ୍କ ପାଇଁ ସେ ଅମୃତରୂପ ଅଟନ୍ତି ତଥା ସଂସାରର ଏକମାତ୍ର ଆଶ୍ରୟ ଅଟନ୍ତି | ପୁତ୍ର ! ତୁମେ ସର୍ବତୋ ଭାବରେ ସେହି ପରମାତ୍ମାଙ୍କର ଶରଣ ଗ୍ରହଣ କର |

ଯଃ ପଞ୍ଚବର୍ଷୋ ଜନନୀଂ ତ୍ୱଂ ବିହାୟ

ମାତୁଃ ସପତ୍ନ୍ୟା ବଚସା ଭିନ୍ନମର୍ମା ।

ବନଂ ଗତସ୍ତପସା ପ୍ରତ୍ୟଗକ୍ଷ-

ମାରାଧ୍ୟ ଲେଭେ ମୂର୍ଧ୍ନି ପଦଂ ତ୍ରିଲୋକ୍ୟାଃ ॥ ୨୮॥

ତମେନମଙ୍ଗାତ୍ମନି ମୁକ୍ତବିଗ୍ରହେ

ବ୍ୟପାଶ୍ରିତଂ ନିର୍ଗୁଣମେକମକ୍ଷରମ୍ ।

ଆତ୍ମାନମନ୍ୱିଚ୍ଛ ବିମୁକ୍ତମାତ୍ମଦୃ-

ଗ୍ୟସ୍ମିନ୍ନିଦଂ ଭେଦମସତ୍ପ୍ରତୀୟତେ ॥ ୨୯॥

ମାତ୍ର ପାଞ୍ଚବର୍ଷ ବୟସରେ ତୁମେ ନିଜ ସାବତ ମାଙ୍କର ବାକ୍ୟବାଣରେ ମର୍ମାହତ ହୋଇ ମା-କୋଳ ତ୍ୟାଗ କରି ବନକୁ ଚାଲିଗଲ | ସେଠାରେ ତପସ୍ୟା ଦ୍ବାରା ଯେଉଁ ହୃଷୀକେଶ ଭଗବାନଙ୍କର ଆରାଧନା କରି ତୁମେ ତ୍ରିଲୋକୀ ଉର୍ଦ୍ଧ୍ବରେ ଧ୍ରୁବପଦ ପ୍ରାପ୍ତ କରିଛ ଏବଂ ଯିଏ ତୁମର ବୈରଭାବରହିତ ସରଳ ହୃଦୟରେ ବାତ୍ସଲ୍ୟବଶ ବିଶେଷରୂପେ ବିରାଜମାନ କରିଥିଲେ, ସେହି ନିର୍ଗୁଣ ଅଦ୍ବିତୀୟ ଅବିନାଶୀ ଏବଂ ନିତ୍ୟମୁକ୍ତ ପରମାତ୍ମାଙ୍କୁ ଅଧ୍ୟାତ୍ମଦୃଷ୍ଟିରେ ନିଜ ଅନ୍ତଃକରଣରେ ଖୋଜ |

ତ୍ୱଂ ପ୍ରତ୍ୟଗାତ୍ମନି ତଦା ଭଗବତ୍ୟନନ୍ତ

ଆନନ୍ଦମାତ୍ର ଉପପନ୍ନସମସ୍ତଶକ୍ତୌ ।

ଭକ୍ତିଂ ବିଧାୟ ପରମାଂ ଶନକୈରବିଦ୍ୟା-

ଗ୍ରନ୍ଥିଂ ବିଭେତ୍ସ୍ୟସି ମମାହମିତି ପ୍ରରୂଢମ୍ ॥ ୩୦॥

ଏପରି କରିବା ଦ୍ବାରା ସେହି ସର୍ବଶକ୍ତିମାନ ପରମାନନ୍ଦସ୍ବରୂପ ସର୍ବାନ୍ତର୍ଯ୍ୟାମୀ ଭଗବାନ ଅନନ୍ତଙ୍କ ପ୍ରତି ତୁମର ଭକ୍ତି ସୁଦୃଢ ହେବ ଏବଂ ତାର ପ୍ରଭାବରେ ତୁମେ ମୁଁ-ମୋପଣ ରୂପେ ଦୃଢ ହୋଇଥିବା ଅବିଦ୍ୟା ଗ୍ରନ୍ଥିକୁ କାଟି ଦେଇପାରିବ |

ସଂୟଚ୍ଛ ରୋଷଂ ଭଦ୍ରଂ ତେ ପ୍ରତୀପଂ ଶ୍ରେୟସାଂ ପରମ୍ ।

ଶ୍ରୁତେନ ଭୂୟସା ରାଜନ୍ନଗଦେନ ଯଥାଽଽମୟମ୍ ॥ ୩୧॥

ହେ ରାଜନ୍ ! ଔଷଧ ଦ୍ବାରା ଯେପରି ରୋଗର ଉପଶମ ହୋଇଥାଏ, ସେହିପରି ମୁଁ ତୁମକୁ ଯେଉଁ ଉପଦେଶ ଦେଲି, ତାହା ଉପରେ ବିଚାର କରି ନିଜର କ୍ରୋଧ ଶାନ୍ତ କର | କ୍ରୋଧ କଲ୍ୟାଣ-ମାର୍ଗର ବହୁତ ବଡ ବିରୋଧି ଅଟେ | ଭଗବାନ ତୁମର ମଙ୍ଗଳ କରନ୍ତୁ |

ଯେନୋପସୃଷ୍ଟାତ୍ପୁରୁଷାଲ୍ଲୋକ ଉଦ୍ୱିଜତେ ଭୃଶମ୍ ।

ନ ବୁଧସ୍ତଦ୍ୱଶଂ ଗଚ୍ଛେଦିଚ୍ଛନ୍ନଭୟମାତ୍ମନଃ ॥ ୩୨॥

କ୍ରୋଧ-ବଶୀଭୂତ ପୁରୁଷକୁ ସମସ୍ତେ ବହୁତ ବେଶୀ ଭୟ କରନ୍ତି; ତେଣୁ ଯେଉଁ ବୁଦ୍ଧିମାନ ବ୍ୟକ୍ତି ଏପରି ଇଚ୍ଛା କରନ୍ତି ଯେ କୌଣସି ପ୍ରାଣୀ ମୋତେ ଭୟ ନ କରନ୍ତୁ ଏବଂ ମୁଁ ମଧ୍ୟ କାହାକୁ ଭୟ ନ କରେ, ସେ କ୍ରୋଧ ଦ୍ବାରା କେବେ ବି ବଶୀଭୂତ ହେବା ଉଚିତ୍ ନୁହେଁ |

ହେଲନଂ ଗିରିଶଭ୍ରାତୁର୍ଧନଦସ୍ୟ ତ୍ୱୟା କୃତମ୍ ।

ଯଜ୍ଜଘ୍ନିବାନ୍ ପୁଣ୍ୟଜନାନ୍ ଭ୍ରାତୃଘ୍ନାନିତ୍ୟମର୍ଷିତଃ ॥ ୩୩॥

ଏହି ଯକ୍ଷମାନେ ମୋ ଭାଈକୁ ମାରିଛନ୍ତି – ଏପରି ମନେକରି ତୁମେ ଏତେ ମାତ୍ରାରେ ଯେଉଁ ଯକ୍ଷମାନଙ୍କର ସଂହାର କଲ, ତଦ୍ବାରା ତୁମେ ଶଂକର ଭଗବାନଙ୍କର ସଖା କୁବେରଙ୍କ ପ୍ରତି ବହୁତ ବଡ ଅପରାଧ କରିଛ |

ତଂ ପ୍ରସାଦୟ ବତ୍ସାଶୁ ସନ୍ନତ୍ୟା ପ୍ରଶ୍ରୟୋକ୍ତିଭିଃ ।

ନ ଯାବନ୍ମହତାଂ ତେଜଃ କୁଲଂ ନୋଽଭିଭବିଷ୍ୟତି ॥ ୩୪॥

ସେଥିପାଇଁ ହେ ପୁତ୍ର ! ମହାପୁରୁଷମାନଙ୍କର ତେଜ ଆମର କୁଳକୁ ଆକ୍ରାନ୍ତ କରିବା ପୂର୍ବରୁ ତୁମେ ବିନୟ ଭାଷଣ ଏବଂ ବିନମ୍ର ବ୍ୟବହାର ଦ୍ବାରା ତାଙ୍କୁ ପ୍ରସନ୍ନ କର |

ଏବଂ ସ୍ୱାୟମ୍ଭୁବଃ ପୌତ୍ରମନୁଶାସ୍ୟ ମନୁର୍ଧ୍ରୁବମ୍ ।

ତେନାଭିବନ୍ଦିତଃ ସାକମୃଷିଭିଃ ସ୍ୱପୁରଂ ଯୟୌ ॥ ୩୫॥

ସ୍ବାୟମ୍ଭୂବ ମନୁ ନିଜ ପୌତ୍ର ଧ୍ରୁବଙ୍କୁ ଏହିପରି ଶିକ୍ଷା ଦେଲେ | ଧ୍ରୁବ ତାଙ୍କୁ ପ୍ରଣାମ କଲେ ଏବଂ ତାପରେ ସେ ମହର୍ଷିମାନଙ୍କ ସହିତ ନିଜ ଲୋକକୁ ଫେରିଗଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଚତୁର୍ଥସ୍କନ୍ଧେ ଏକାଦଶୋଽଧ୍ୟାୟଃ ॥ ୧୧॥

Comments

Popular posts from this blog