ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ॥
ଦ୍ବାବିଂଶ ଅଧ୍ୟାୟ
ମହାରାଜ ପୃଥୁଙ୍କୁ ସନକାଦିଙ୍କର ଉପଦେଶ
ମୈତ୍ରେୟ ଉବାଚ
ଜନେଷୁ ପ୍ରଗୃଣତ୍ସ୍ୱେବଂ ପୃଥୁଂ ପୃଥୁଲବିକ୍ରମମ୍ ।
ତତ୍ରୋପଜଗ୍ମୁର୍ମୁନୟଶ୍ଚତ୍ୱାରଃ ସୂର୍ୟବର୍ଚସଃ ॥ ୧॥
ଯେଉଁ ସମୟରେ ପ୍ରଜାଜନ ପରମପରାକ୍ରମୀ ପୃଥ୍ବୀପାଳ ପୃଥୁଙ୍କୁ ଏପରି
ପ୍ରାର୍ଥନା କରୁଥିଲେ, ଠିକ୍ ସେହି ସମୟରେ
ସୂର୍ଯ୍ୟଙ୍କ ସଦୃଶ ତେଜସ୍ବୀ ଚାରିଜଣ ମୁନୀଶ୍ବର ସେଠାରେ ଆସି ପହଞ୍ଚିଲେ |
ତାଂସ୍ତୁ ସିଦ୍ଧେଶ୍ୱରାନ୍ ରାଜା ବ୍ୟୋମ୍ନୋଽବତରତୋଽର୍ଚିଷା ।
ଲୋକାନପାପାନ୍ କୁର୍ୱତ୍ୟା ସାନୁଗୋଽଚଷ୍ଟ ଲକ୍ଷିତାନ୍ ॥ ୨॥
ରାଜା ଏବଂ ତାଙ୍କର ଅନୁଚରମାନେ ସେମାନଙ୍କୁ ଦେଖି ଜାଣିଗଲେ ଯେ ସେହି
ସିଦ୍ଧେଶ୍ବରମାନେ ନିଜ ଦିବ୍ୟ କାନ୍ତିରେ ସମ୍ପୂର୍ଣ୍ଣ ଲୋକକୁ ପାପବିନିର୍ମୁକ୍ତ କରି ଆକାଶରୁ
ଅବତରଣ କରିଛନ୍ତି |
ତଦ୍ଦର୍ଶନୋଦ୍ଗତାନ୍ ପ୍ରାଣାନ୍ ପ୍ରତ୍ୟାଦିତ୍ସୁରିବୋତ୍ଥିତଃ ।
ସସଦସ୍ୟାନୁଗୋ ବୈନ୍ୟ ଇନ୍ଦ୍ରିୟେଶୋ ଗୁଣାନିବ ॥ ୩॥
ସନକାଦିଙ୍କର ଦର୍ଶନ ମାତ୍ରେ,
ବିଷୟୀ ଜୀବ ବିଷୟ ଅଭିମୁଖରେ ଧାଇଁବା ପରି, ରାଜାଙ୍କର ପ୍ରାଣ
ସେମାନଙ୍କ ଅଭିମୁଖରେ ଧାଇଁଗଲା – ସେମାନଙ୍କର ସ୍ବାଗତ କରିବା ଉଦ୍ଦେଶ୍ୟରେ ସେ ନିଜ ସଦସ୍ୟ ଏବଂ
ଅନୁଚରମାନଙ୍କ ସହିତ ଉଠି ଠିଆ ହୋଇଗଲେ |
ଗୌରବାଦ୍ୟନ୍ତ୍ରିତଃ ସଭ୍ୟଃ ପ୍ରଶ୍ରୟାନତକନ୍ଧରଃ ।
ବିଧିବତ୍ପୂଜୟାଞ୍ଚକ୍ରେ ଗୃହୀତାଧ୍ୟର୍ହଣାସନାନ୍ ॥ ୪॥
ଅର୍ଘ୍ୟ ସ୍ବୀକାର କରି ସେହି ମୁନିଗଣ ଆସନରେ ବିରାଜମାନ କରିବା ପରେ ଶିଷ୍ଟାଗ୍ରଗଣ୍ୟ
ପୃଥୁ ସେମାନଙ୍କ ଗୌରବରେ ପ୍ରଭାବିତ ହୋଇ ବିନୟବଶ ଗ୍ରୀବା ଅବନତ କରି ସେମାନଙ୍କର ବିଧିବତ୍ ପୂଜା
କଲେ |
ତତ୍ପାଦଶୌଚସଲିଲୈର୍ମାର୍ଜିତାଲକବନ୍ଧନଃ ।
ତତ୍ର ଶୀଲବତାଂ ବୃତ୍ତମାଚରନ୍ ମାନୟନ୍ନିବ ॥ ୫॥
ତାପରେ ସେମାନଙ୍କର ଚରଣୋଦକକୁ ନିଜ ମସ୍ତକରେ ସିଞ୍ଚନ କଲେ | ଏହିପରି
ଶିଷ୍ଟଜନୋଚିତ ଆଚାର ପାଳନ କରି ସେ ଏହା ଦର୍ଶାଇ ଥିଲେ ଯେ ସତ୍-ପୁରୁଷମାନଙ୍କ ସହିତ ଏପରି
ବ୍ୟବହାର କରାଯିବା ଉଚିତ୍ |
ହାଟକାସନ ଆସୀନାନ୍ ସ୍ୱଧିଷ୍ଣ୍ୟେଷ୍ୱିବ ପାବକାନ୍ ।
ଶ୍ରଦ୍ଧାସଂୟମସଂୟୁକ୍ତଃ ପ୍ରୀତଃ ପ୍ରାହ ଭବାଗ୍ରଜାନ୍ ॥ ୬॥
ସନକାଦି ମୁନୀଶ୍ବର ଭଗବାନ ଶଂକରଙ୍କର ମଧ୍ୟ ଅଗ୍ରଜ ଅଟନ୍ତି |
ସୁବର୍ଣ୍ଣ ସିଂହାସନରେ ସେମାନେ ଏପରି ସୁଶୋଭିତ ହେଉଥିଲେ, ଯେପରି ଅଗ୍ନିଦେବ ନିଜ ନିଜ ସ୍ଥାନରେ
ସୁଶୋଭିତ ହେଉଥାଆନ୍ତି | ଅତ୍ୟନ୍ତ ଶ୍ରଦ୍ଧା ଏବଂ ସଂଯମ ସହିତ ମହାରାଜ ପୃଥୁ ପ୍ରେମପୂର୍ବକ
ସେମାନଙ୍କୁ କହିଲେ -
ପୃଥୁରୁବାଚ
ଅହୋ ଆଚରିତଂ କିଂ ମେ ମଙ୍ଗଲଂ ମଙ୍ଗଲାୟନାଃ ।
ଯସ୍ୟ ବୋ ଦର୍ଶନଂ ହ୍ୟାସୀଦ୍ଦୁର୍ଦର୍ଶାନାଂ ଚ ଯୋଗିଭିଃ ॥ ୭॥
ପୃଥୁ କହିଲେ – ହେ ମଙ୍ଗଳମୂର୍ତ୍ତି ମୁନୀଶ୍ବର ! ଆପଣଙ୍କର ଦର୍ଶନ ତ
ଯୋଗୀମାନଙ୍କୁ ମଧ୍ୟ ଦୁର୍ଲଭ ଅଟେ; ମୁଁ ଜାଣିପାରୁ
ନାହିଁ ମୋର କେଉଁ ପୁଣ୍ୟର ଫଳ ସ୍ବରୂପ ମୋତେ ସ୍ବତଃ ଆପଣମାନଙ୍କର ଦର୍ଶନ ପ୍ରାପ୍ତ ହୋଇଛି |
କିଂ ତସ୍ୟ ଦୁର୍ଲଭତରମିହ ଲୋକେ ପରତ୍ର ଚ ।
ଯସ୍ୟ ବିପ୍ରାଃ ପ୍ରସୀଦନ୍ତି ଶିବୋ ବିଷ୍ଣୁଶ୍ଚ ସାନୁଗଃ ॥ ୮॥
ଯାହା ଉପରେ ବ୍ରାହ୍ମଣ,
ଅନୁଚରମାନଙ୍କ ସହିତ ଶ୍ରୀଶଂକର ଭଗବାନ ଅଥବା ବିଷ୍ଣୁଭଗବାନ ପ୍ରସନ୍ନ ଅଟନ୍ତି, ଇହଲୋକ ବା ପରଲୋକର କେଉଁ ବସ୍ତୁ ଅବା ତାଙ୍କ ପାଇଁ ଦୁର୍ଲଭ ହେବ ?
ନୈବ ଲକ୍ଷୟତେ ଲୋକୋ ଲୋକାନ୍ ପର୍ୟଟତୋଽପି ଯାନ୍ ।
ଯଥା ସର୍ୱଦୃଶଂ ସର୍ୱ ଆତ୍ମାନଂ ଯେଽସ୍ୟ ହେତବଃ ॥ ୯॥
ଏହି ଦୃଶ୍ୟ-ପ୍ରପଞ୍ଚ ଯୋଗୁଁ ଯଦିଓ ମହତ୍ତତ୍ଵାଦି ସର୍ବଗତ ଅଟନ୍ତି, ତଥାପି ସେମାନେ ସର୍ବସାକ୍ଷୀ ଆତ୍ମାକୁ ଦେଖିପାରନ୍ତି ନାହିଁ |
ସେହିପରି ଆପଣମାନେ ସମସ୍ତ ଲୋକରେ ବିଚରଣ କରୁଥିଲେ ମଧ୍ୟ ଅନଧିକାରୀମାନେ ଆପଣଙ୍କୁ ଦେଖିପାରନ୍ତି
ନାହିଁ |
ଅଧନା ଅପି ତେ ଧନ୍ୟାଃ ସାଧବୋ ଗୃହମେଧିନଃ ।
ଯଦ୍ଗୃହା ହ୍ୟର୍ହବର୍ୟାମ୍ବୁତୃଣଭୂମୀଶ୍ୱରାବରାଃ ॥ ୧୦॥
ଯାହାର ଗୃହରେ ଆପଣମାନଙ୍କ ପରି ପୂଜ୍ୟ ପୁରୁଷ ଜଳ, ତୃଣ, ପୃଥ୍ବୀ, ଗୃହସ୍ବାମୀ ଅଥବା ସେବକ ଆଦି ଅନ୍ୟ କୌଣସି ପଦାର୍ଥକୁ ସ୍ବୀକାର
କରିଥାଆନ୍ତି, ସେହି ଗୃହସ୍ଥ ଧନହୀନ
ହୋଇଥିଲେ ବି ଧନ୍ୟ ଅଟନ୍ତି |
ବ୍ୟାଲାଲୟଦ୍ରୁମା ବୈ ତେଽପ୍ୟରିକ୍ତାଖିଲସମ୍ପଦଃ ।
ଯଦ୍ଗୃହାସ୍ତୀର୍ଥପାଦୀୟପାଦତୀର୍ଥବିବର୍ଜିତାଃ ॥ ୧୧॥
ଯେଉଁ ଗୃହ କେବେ ଭଗବଦ୍-ଭକ୍ତମାନଙ୍କର ପରମପବିତ୍ର ଚରଣୋଦକରେ
ସିଞ୍ଚିତ ହୋଇ ନ ଥାଏ, ତାହା ସବୁ ପ୍ରକାରର
ଋଦ୍ଧି-ସିଦ୍ଧିରେ ପୂର୍ଣ୍ଣ ହୋଇ ମଧ୍ୟ ସେହି ବୃକ୍ଷ ସଦୃଶ ଅଟେ, ଯହିଁରେ ସର୍ପ ନିବାସ କରନ୍ତି |
ସ୍ୱାଗତଂ ବୋ ଦ୍ୱିଜଶ୍ରେଷ୍ଠା ଯଦ୍ୱ୍ରତାନି ମୁମୁକ୍ଷବଃ ।
ଚରନ୍ତି ଶ୍ରଦ୍ଧୟା ଧୀରା ବାଲା ଏବ ବୃହନ୍ତି ଚ ॥ ୧୨॥
ହେ ମୁନୀଶ୍ବର ! ଆପଣମାନଙ୍କୁ ଆମେ ସ୍ବାଗତ କରୁଛୁ | ଆପଣମାନେ ତ
ବାଲ୍ୟାବସ୍ଥାରୁ ହିଁ ମୁମୁକ୍ଷୁମାନଙ୍କର ମାର୍ଗ ଅନୁସରଣ କରି ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ
ଏକାଗ୍ରଚିତ୍ତରେ ବ୍ରହ୍ମଚର୍ଯ୍ୟ ଆଦି ମହାନ୍ ବ୍ରତ ଆଚରଣ କରୁଛନ୍ତି |
କଚ୍ଚିନ୍ନଃ କୁଶଲଂ ନାଥା ଇନ୍ଦ୍ରିୟାର୍ଥାର୍ଥବେଦିନାମ୍ ।
ବ୍ୟସନାବାପ ଏତସ୍ମିନ୍ ପତିତାନାଂ ସ୍ୱକର୍ମଭିଃ ॥ ୧୩॥
ଆମ୍ଭେମାନେ ନିଜ କର୍ମରେ ବଶୀଭୂତ ହୋଇ ବିପତ୍ତିମାନଙ୍କର କ୍ଷେତ୍ରରୂପ
ଏହି ସଂସାରରେ ପଡି କେବଳ ଇନ୍ଦ୍ରିୟସମ୍ବନ୍ଧୀ ଭୋଗକୁ ହିଁ ପରମ ପୁରୁଷାର୍ଥ ମନେ କରିଥାଉ; ତାହାହେଲେ ଆମ୍ଭମାନଙ୍କ ନିସ୍ତାରର କ’ଣ କିଛି ଉପାୟ ଅଛି ?
ଭବତ୍ସୁ କୁଶଲପ୍ରଶ୍ନ ଆତ୍ମାରାମେଷୁ ନେଷ୍ୟତେ ।
କୁଶଲାକୁଶଲା ଯତ୍ର ନ ସନ୍ତି ମତିବୃତ୍ତୟଃ ॥ ୧୪॥
ଆପଣମାନଙ୍କୁ ଏପରି କୁଶଳ ପ୍ରଶ୍ନ କରିବା ଉଚିତ୍ ନୁହେଁ, କାରଣ ଆପଣମାନେ ତ ନିରନ୍ତର ଆତ୍ମାରେ ରମଣ କରୁଥାଆନ୍ତି | ଏହା କୁଶଳ
ଅଟେ, ଏହା ଅକୁଶଳ ଅଟେ –
ଏପରି ଦ୍ବୈତ ବୃତ୍ତି ଆପଣମାନଙ୍କଠାରେ କେବେ ଆସି ନ ଥାଏ |
ତଦହଂ କୃତବିଶ୍ରମ୍ଭଃ ସୁହୃଦୋ ବସ୍ତପସ୍ୱିନାମ୍ ।
ସମ୍ପୃଚ୍ଛେ ଭବ ଏତସ୍ମିନ୍ କ୍ଷେମଃ କେନାଞ୍ଜସା ଭବେତ୍ ॥ ୧୫॥
କିନ୍ତୁ ସଂସାରାନଳରେ ସଂତପ୍ତ ଜୀବର ଆପଣମାନେ ପରମ ସୁହୃଦ୍ ଅଟନ୍ତି; ଏହି ବିଶ୍ବାସରେ ମୁଁ ଆପଣମାନଙ୍କୁ ଏହା ପଚାରିବାକୁ ଇଚ୍ଛା କରୁଛି
ଯେ ଏହି ସଂସାରରେ ସୁଗମତାପୂର୍ବକ ମନୁଷ୍ୟର କଲ୍ୟାଣ କିପରି ହେବ |
ବ୍ୟକ୍ତମାତ୍ମବତାମାତ୍ମା ଭଗବାନାତ୍ମଭାବନଃ ।
ସ୍ୱାନାମନୁଗ୍ରହାୟେମାଂ ସିଦ୍ଧରୂପୀ ଚରତ୍ୟଜଃ ॥ ୧୬॥
ଏହା ସତ୍ୟ ଯେ ଆତ୍ମବାନ (ଧୀର) ପୁରୁଷଙ୍କଠାରେ ଯିଏ ‘ଆତ୍ମା’ ରୂପରେ ପ୍ରକାଶିତ ଏବଂ ଉପାସକମାନଙ୍କ ହୃଦୟରେ ଯିଏ ନିଜ ସ୍ବରୂପରେ
ପ୍ରକଟିତ ହୋଇଥାଆନ୍ତି, ସେହି ଅଜନ୍ମା ଭଗବାନ
ନାରାୟଣ ହିଁ ନିଜ ଭକ୍ତମାନଙ୍କ ପ୍ରତି କୃପା କରିବାକୁ ଯାଇ ଆପଣମାନଙ୍କ ପରି ସିଦ୍ଧ ପୁରୁଷଙ୍କ
ରୂପରେ ଏହି ପୃଥିବୀପୃଷ୍ଠରେ ବିଚରଣ କରୁଥାଆନ୍ତି |
ମୈତ୍ରେୟ ଉବାଚ
ପୃଥୋସ୍ତତ୍ସୂକ୍ତମାକର୍ଣ୍ୟ ସାରଂ ସୁଷ୍ଠୁ ମିତଂ ମଧୁ ।
ସ୍ମୟମାନ ଇବ ପ୍ରୀତ୍ୟା କୁମାରଃ ପ୍ରତ୍ୟୁବାଚ ହ ॥ ୧୭॥
ମୈତ୍ରେୟ କହୁଛନ୍ତି – ରାଜା ପୃଥୁଙ୍କର ଏହି ଯୁକ୍ତିଯୁକ୍ତ, ଗମ୍ଭୀର, ପରିମିତ ଏବଂ ମଧୁର
ବଚନ ଶୁଣି ଶ୍ରୀସନତ୍ କୁମାର ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ସହାସ୍ୟ ବଦନରେ ସେ କହିଲେ -
ସନତ୍କୁମାର ଉବାଚ
ସାଧୁ ପୃଷ୍ଟଂ ମହାରାଜ ସର୍ୱଭୂତହିତାତ୍ମନା ।
ଭବତା ବିଦୁଷା ଚାପି ସାଧୂନାଂ ମତିରୀଦୃଶୀ ॥ ୧୮॥
ଶ୍ରୀ ସନତକୁମାର କହିଲେ – ମହାରାଜ ! ଆପଣ ସବୁକିଛି ଜାଣିଥିଲେ ବି
ପ୍ରାଣୀସମୁଦାୟର ହିତ ଦୃଷ୍ଟିରୁ ଅତି ସୁନ୍ଦର ପ୍ରଶ୍ନ ପଚାରିଛନ୍ତି | ସାଧୁପୁରୁଷମାନଙ୍କର
ବୁଦ୍ଧି ଏହିପରି ହିଁ ଅଟେ |
ସଙ୍ଗମଃ ଖଲୁ ସାଧୂନାମୁଭୟେଷାଂ ଚ ସମ୍ମତଃ ।
ଯତ୍ସମ୍ଭାଷଣସମ୍ପ୍ରଶ୍ନଃ ସର୍ୱେଷାଂ ବିତନୋତି ଶମ୍ ॥ ୧୯॥
ସତ୍-ପୁରୁଷମାନଙ୍କର ସମାଗମ ଉଭୟ ଶ୍ରୋତା ଏବଂ ବକ୍ତାଙ୍କର ଅଭିମତ
ହୋଇଥାଏ; କାରଣ ସେମାନଙ୍କର
ପ୍ରଶ୍ନୋତ୍ତର ସମସ୍ତଙ୍କ ପାଇଁ କଲ୍ୟାଣକାରୀ ଅଟେ |
ଅସ୍ତ୍ୟେବ ରାଜନ୍ ଭବତୋ ମଧୁଦ୍ୱିଷଃ
ପାଦାରବିନ୍ଦସ୍ୟ ଗୁଣାନୁବାଦନେ ।
ରତିର୍ଦୁରାପା ବିଧୁନୋତି ନୈଷ୍ଠିକୀ
କାମଂ କଷାୟଂ ମଲମନ୍ତରାତ୍ମନଃ ॥ ୨୦॥
ରାଜନ୍ ! ଶ୍ରୀମଧୁସୂଦନ ଭଗବାନଙ୍କ ଚରଣକମଳର ଗୁଣାନୁବାଦରେ ଆପଣଙ୍କର
ଅବିଚଳ ପ୍ରୀତି ରହିଛି | ଏହା ସମସ୍ତଙ୍କୁ ପ୍ରାପ୍ତ ହୋଇ ନ ଥାଏ ଏବଂ ବହୁ କଷ୍ଟରେ ଯଦି ଏହା
କାହାକୁ ପ୍ରାପ୍ତ ହୋଇଯାଏ, ତେବେ ତାହା ହୃଦୟ
ଭିତରେ ଥିବା ବାସନାରୂପ ସମସ୍ତ ମଳକୁ ନଷ୍ଟ କରିଦିଏ, ଯାହା ଅନ୍ୟ କୌଣସି ଉପାୟରେ ଶୀଘ୍ର ଦୂର
ହୋଇ ନ ଥାଏ |
ଶାସ୍ତ୍ରେଷ୍ୱିୟାନେବ ସୁନିଶ୍ଚିତୋ ନୃଣାଂ
କ୍ଷେମସ୍ୟ ସଧ୍ର୍ୟଗ୍ ବିମୃଶେଷୁ ହେତୁଃ ।
ଅସଙ୍ଗ ଆତ୍ମବ୍ୟତିରିକ୍ତ ଆତ୍ମନି
ଦୃଢା ରତିର୍ବ୍ରହ୍ମଣି ନିର୍ଗୁଣେ ଚ ଯା ॥ ୨୧॥
ଶାସ୍ତ୍ରମାନେ ଜୀବର କଲ୍ୟାଣ ନିମନ୍ତେ ଭଲଭାବରେ ବିଚାର କରିଛନ୍ତି |
ସେହି ବିଚାର ଅନୁଯାୟୀ, ଆତ୍ମାଠାରୁ ଭିନ୍ନ
ଦେହାଦିରେ ବୈରାଗ୍ୟ ତଥା ନିଜ ଆତ୍ମସ୍ବରୂପ ନିର୍ଗୁଣ ବ୍ରହ୍ମଙ୍କଠାରେ ସୁଦୃଢ ଅନୁରାଗ ଜାତ ହେବା
– ଏହା ହିଁ କଲ୍ୟାଣର ସାଧନ ଅଟେ |
ସା ଶ୍ରଦ୍ଧୟା ଭଗବଦ୍ଧର୍ମଚର୍ୟଯା
ଜିଜ୍ଞାସୟାଽଽଧ୍ୟାତ୍ମିକୟୋଗନିଷ୍ଠୟା ।
ଯୋଗେଶ୍ୱରୋପାସନୟା ଚ ନିତ୍ୟଂ
ପୁଣ୍ୟଶ୍ରବଃ କଥୟା ପୁଣ୍ୟଯା ଚ ॥ ୨୨॥
ଅର୍ଥେନ୍ଦ୍ରିୟାରାମସଗୋଷ୍ଠ୍ୟତୃଷ୍ଣୟା
ତତ୍ସମ୍ମତାନାମପରିଗ୍ରହେଣ ଚ ।
ବିବିକ୍ତରୁଚ୍ୟା ପରିତୋଷ ଆତ୍ମନ୍
ବିନା ହରେର୍ଗୁଣପୀୟୂଷପାନାତ୍ ॥ ୨୩॥
ଅହିଂସୟା ପାରମହଂସ୍ୟଚର୍ୟଯା
ସ୍ମୃତ୍ୟା ମୁକୁନ୍ଦାଚରିତାଗ୍ର୍ୟସୀଧୁନା ।
ଯମୈରକାମୈର୍ନିୟମୈଶ୍ଚାପ୍ୟନିନ୍ଦୟା
ନିରୀହୟା ଦ୍ୱନ୍ଦ୍ୱତିତିକ୍ଷୟା ଚ ॥ ୨୪॥
ହରେର୍ମୁହୁସ୍ତତ୍ପରକର୍ଣପୂର-
ଗୁଣାଭିଧାନେନ ବିଜୃମ୍ଭମାଣୟା ।
ଭକ୍ତ୍ୟା ହ୍ୟସଙ୍ଗଃ ସଦସତ୍ୟନାତ୍ମନି
ସ୍ୟାନ୍ନିର୍ଗୁଣେ ବ୍ରହ୍ମଣି ଚାଞ୍ଜସା ରତିଃ ॥ ୨୫॥
ଶାସ୍ତ୍ରମାନେ ଏହା ମଧ୍ୟ କହନ୍ତି ଯେ ଗୁରୁ ଏବଂ ଶାସ୍ତ୍ର ବଚନରେ
ବିଶ୍ବାସ, ଭାଗବତଧର୍ମର ଆଚରଣ, ତତ୍ତ୍ବଜିଜ୍ଞାସା, ଜ୍ଞାନଯୋଗରେ ନିଷ୍ଠା, ଯୋଗେଶ୍ବର ଶ୍ରୀହରିଙ୍କର ଉପାସନା, ନିତ୍ୟପ୍ରତି ପୁଣ୍ୟକୀର୍ତ୍ତି ଶ୍ରୀଭଗବାନଙ୍କର ପାବନ କଥା ଶ୍ରବଣ, ଯେଉଁମାନେ ଧନ ଏବଂ ଇନ୍ଦ୍ରିୟଭୋଗରେ ରତ ସେମାନଙ୍କ ଗୋଷ୍ଠୀ ପ୍ରତି
ବୀତରାଗ, ସେମାନଙ୍କୁ ପ୍ରିୟ
ମନେ ହେଉଥିବା ପଦାର୍ଥ ଆସକ୍ତିପୂର୍ବକ ସଂଗ୍ରହ ନ କରିବା,
ଭଗବଦ୍-ଗୁଣାମୃତ ଆସ୍ବାଦନ କରିବା ବ୍ୟତିତ ଅନ୍ୟ ସମୟ ଆତ୍ମାରେ ସନ୍ତୁଷ୍ଟ ରହି ଏକାନ୍ତସେବନରେ
ଅନୁରାଗ ରଖିବା, କୌଣସି ଜୀବକୁ କଷ୍ଟ
ନ ଦେବା, ନିବୃତ୍ତିନିଷ୍ଠାରେ
ଆତ୍ମହିତର ଅନୁସନ୍ଧାନ କରିବା, ଶ୍ରୀହରିଙ୍କ ପବିତ୍ର
ଚରିତରୂପ ଶ୍ରେଷ୍ଠ ଅମୃତର ଆସ୍ବାଦନ କରିବା, ନିଷ୍କାମଭାବରେ
ଯମ-ନିୟମର ପାଳନ କରିବା, କେବେ କାହାର ନିନ୍ଦା
ନ କରିବା, ଯୋଗକ୍ଷେମ ନିମନ୍ତେ
ପ୍ରଯତ୍ନ ନ କରିବା, ଶୀତ-ଉଷ୍ମ ଆଦି
ଦ୍ବନ୍ଦ୍ବ ସହନ କରିବା, ଭକ୍ତଜନଙ୍କର
ଶ୍ରୁତିପ୍ରିୟ ଶ୍ରୀହରିଙ୍କ ଗୁଣର ବାରମ୍ବାର ବର୍ଣ୍ଣନା କରିବା ଏବଂ ନିଜର ଭକ୍ତିଭାବ ବୃଦ୍ଧି
କରିବା – ଏସବୁ ଦ୍ବାରା ମନୁଷ୍ୟର କାର୍ଯ୍ୟ-କାରଣରୂପ ସମ୍ପୂର୍ଣ୍ଣ ଜଡ ପ୍ରପଞ୍ଚ ପ୍ରତି ବୈରାଗ୍ୟ
ଉତ୍ପନ୍ନ ହୋଇ ଆତ୍ମସ୍ବରୂପ ନିର୍ଗୁଣ ପରବ୍ରହ୍ମଙ୍କଠାରେ ଅନାୟାସ ପ୍ରୀତି ଉତ୍ପନ୍ନ ହୋଇଥାଏ |
ଯଦା ରତିର୍ବ୍ରହ୍ମଣି ନୈଷ୍ଠିକୀ ପୁମା-
ନାଚାର୍ୟବାନ୍ ଜ୍ଞାନବିରାଗରଂହସା ।
ଦହତ୍ୟବୀର୍ୟଂ ହୃଦୟଂ ଜୀବକୋଶଂ
ପଞ୍ଚାତ୍ମକଂ ଯୋନିମିବୋତ୍ଥିତୋଽଗ୍ନିଃ ॥ ୨୬॥
ପରବ୍ରହ୍ମଙ୍କଠାରେ ସୁଦୃଢ ପ୍ରୀତି ହୋଇଯିବା ପରେ ପୁରୁଷ ସଦଗୁରୁଙ୍କର
ଶରଣ ଗ୍ରହଣ କରିଥାଏ; ତାପରେ ଜ୍ଞାନ ଏବଂ
ବୈରାଗ୍ୟର ପ୍ରବଳ ବେଗରେ ବାସନାଶୂନ୍ୟ ହୋଇ ନିଜ ଅବିଦ୍ୟାଦି ପଞ୍ଚକ୍ଲେଶଯୁକ୍ତ ଅହଂକାରାତ୍ମକ
ଲିଙ୍ଗଶରୀରକୁ ସେ ଏହିପରି ଭସ୍ମ କରିଦିଏ, ଯେପରି ଅଗ୍ନି
କାଷ୍ଠରୁ ଉତ୍ପନ୍ନ ହୋଇ ସେହି କାଷ୍ଠକୁ ଦଗ୍ଧ କରିଦେଇ ଥାଏ |
ଦଗ୍ଧାଶୟୋ ମୁକ୍ତସମସ୍ତତଦ୍ଗୁଣୋ
ନୈବାତ୍ମନୋ ବହିରନ୍ତର୍ୱିଚଷ୍ଟେ ।
ପରାତ୍ମନୋର୍ୟଦ୍ୱ୍ୟବଧାନଂ ପୁରସ୍ତାତ୍
ସ୍ୱପ୍ନେ ଯଥା ପୁରୁଷସ୍ତଦ୍ୱିନାଶେ ॥ ୨୭॥
ଲିଙ୍ଗଦେହ ନାଶ ହୋଇଯିବା ପରେ ସେ କର୍ତ୍ତୃତ୍ବାଦି ସବୁ ଅଭିମାନରୁ
ମୁକ୍ତ ହୋଇଯାଏ | ତାପରେ ସ୍ବପ୍ନାବସ୍ଥାରେ ଦେଖା ଯାଉଥିବା ଭିନ୍ନ ଭିନ୍ନ ପଦାର୍ଥ ଯେପରି
ଜାଗ୍ରତ ହେବା ପରେ ଦୃଶ୍ୟ ହୋଇ ନ ଥାଏ, ସେହିପରି ସେହି
ପୁରୁଷ ଶରୀର ବାହାରେ ଘଟ-ପଟାଦି କୌଣସି ବିଷୟ ଦେଖି ନ ଥାଏ କି ଭିତରେ ସୁଖ-ଦୁଃଖାଦି କିଛି
ଅନୁଭବ କରି ନ ଥାଏ | ଏହି ସ୍ଥିତି ପ୍ରାପ୍ତ ହେବା ପୂର୍ବରୁ ଏହି ସବୁ ପଦାର୍ଥ ହିଁ ଜୀବାତ୍ମା ଓ
ପରମାତ୍ମାଙ୍କ ମଧ୍ୟରେ ରହି ଭେଦ ସୃଷ୍ଟି କରୁଥାଆନ୍ତି |
ଆତ୍ମାନମିନ୍ଦ୍ରିୟାର୍ଥଂ ଚ ପରଂ ଯଦୁଭୟୋରପି ।
ସତ୍ୟାଶୟ ଉପାଧୌ ବୈ ପୁମାନ୍ ପଶ୍ୟତି ନାନ୍ୟଦା ॥ ୨୮॥
ଅନ୍ତଃକରଣରୂପ ଉପାଧି ରହିଥିବା ଯାଏଁ ପୁରୁଷର ଜୀବାତ୍ମା, ଇନ୍ଦ୍ରିୟ-ବିଷୟ ଏବଂ ସେହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ କରାଉଥିବା ଅହଂକାରର ଅନୁଭବ ହୋଇଥାଏ | ତାପରେ ନୁହେଁ |
ନିମିତ୍ତେ ସତି ସର୍ୱତ୍ର ଜଲାଦାବପି ପୂରୁଷଃ ।
ଆତ୍ମନଶ୍ଚ ପରସ୍ୟାପି ଭିଦାଂ ପଶ୍ୟତି ନାନ୍ୟଦା ॥ ୨୯॥
ବାହ୍ୟ ଜଗତରେ ମଧ୍ୟ ଦେଖିବାକୁ ମିଳିଥାଏ ଯେ ଜଳ, ଦର୍ପଣ ଆଦି
ନିମିତ୍ତମାନଙ୍କର ଉପସ୍ଥିତି ଯୋଗୁଁ ହିଁ ନିଜ ବମ୍ବ ଏବଂ ପ୍ରତିବିମ୍ବ ମଧ୍ୟରେ ପ୍ରଭେଦ ଦେଖା
ଯାଇଥାଏ, ସେମାନଙ୍କ
ଅନୁପସ୍ଥିତିରେ ନୁହେଁ |
ଇନ୍ଦ୍ରିୟୈର୍ୱିଷୟାକୃଷ୍ଟୈରାକ୍ଷିପ୍ତଂ ଧ୍ୟାୟତାଂ ମନଃ ।
ଚେତନାଂ ହରତେ ବୁଦ୍ଧେଃ ସ୍ତମ୍ବସ୍ତୋୟମିବ ହ୍ରଦାତ୍ ॥ ୩୦॥
ଯେଉଁମାନେ ବିଷୟଚିନ୍ତନ କରିବାରେ ଲାଗିଥାଆନ୍ତି, ସେମାନଙ୍କର ଇନ୍ଦ୍ରିୟ ବିଷୟରେ ଆସକ୍ତ ହୋଇଯାଏ ତଥା ମନକୁ ମଧ୍ୟ
ସେମାନେ ସେହି ଆଡକୁ ଟାଣି ନିଅନ୍ତି | ବାସ୍, ତାପରେ ତ ଜଳାଶୟର
ତଟଦେଶରେ ଉଠିଥିବା କୁଶ ଆଦି ତୃଣ ନିଜ ମୂଳରେ ଜଳକୁ ଶୋଷିଵା ପରି ଇନ୍ଦ୍ରିୟାସକ୍ତ ମନ କ୍ରମଶଃ
ବୁଦ୍ଧିର ବିଚାରଶକ୍ତିକୁ ହରଣ କରିନିଏ |
ଭ୍ରଶ୍ୟତ୍ୟନୁସ୍ମୃତିଶ୍ଚିତ୍ତଂ ଜ୍ଞାନଭ୍ରଂଶଃ ସ୍ମୃତିକ୍ଷୟେ ।
ତଦ୍ରୋଧଂ କବୟଃ ପ୍ରାହୁରାତ୍ମାପହ୍ନବମାତ୍ମନଃ ॥ ୩୧॥
ବିଚାରଶକ୍ତି ନଷ୍ଟ ହୋଇଯିବା ଫଳରେ ବ୍ୟକ୍ତିର ପୂର୍ବାପର ସ୍ମୃତି
ରହେନାହିଁ | ସ୍ମୃତି ନାଶର ପରିଣାମ ସ୍ବରୂପ ଜ୍ଞାନ ଲୋପ ପାଇଯାଏ | ଏହି ଜ୍ଞାନ ନାଶକୁ ହିଁ
ପଣ୍ଡିତମାନେ ‘ନିଜ ହାତରେ ନିଜର ସର୍ବନାଶ କରିବା’
କହିଥାଆନ୍ତି |
ନାତଃ ପରତରୋ ଲୋକେ ପୁଂସଃ ସ୍ୱାର୍ଥବ୍ୟତିକ୍ରମଃ ।
ଯଦଧ୍ୟନ୍ୟସ୍ୟ ପ୍ରେୟସ୍ତ୍ୱମାତ୍ମନଃ ସ୍ୱବ୍ୟତିକ୍ରମାତ୍ ॥ ୩୨॥
ଯାହା ସହିତ ସମ୍ବନ୍ଧିତ ହୋଇ ଅନ୍ୟ ସମସ୍ତ ପଦାର୍ଥରେ ପ୍ରିୟତା ବୋଧ
ହୋଇଥାଏ – ନିଜ ଦ୍ବାରା ସେହି ଆତ୍ମାର ନାଶ ହେବା ଯୋଗୁଁ ଯେଉଁ ସ୍ବାର୍ଥହାନି ହୋଇଥାଏ, ତା’ଠାରୁ ବଳି ଜୀବ ପାଇଁ
ସଂସାରରେ ଅନ୍ୟ କୌଣସି ହାନି ନାହିଁ |
ଅର୍ଥେନ୍ଦ୍ରିୟାର୍ଥାଭିଧ୍ୟାନଂ ସର୍ୱାର୍ଥାପହ୍ନବୋ ନୃଣାମ୍ ।
ଭ୍ରଂଶିତୋ ଜ୍ଞାନବିଜ୍ଞାନାଦ୍ୟେନାବିଶତି ମୁଖ୍ୟତାମ୍ ॥ ୩୩॥
ଧନ ଏବଂ ଇନ୍ଦ୍ରିୟ-ବିଷୟର ଚିନ୍ତନ ମନୁଷ୍ୟର ସବୁ ପୁରୁଷାର୍ଥ ନଷ୍ଟ
କରିଦିଏ; କାରଣ ସେମାନଙ୍କର
ଚିନ୍ତାରେ ଜ୍ଞାନ-ବିଜ୍ଞାନ ଭ୍ରଷ୍ଟ ହୋଇ ତାକୁ ବୃକ୍ଷ ଆଦି ସ୍ଥାବର ଯୋନିରେ ଜନ୍ମ ଗ୍ରହଣ
କରିବାକୁ ପଡିଥାଏ |
ନ କୁର୍ୟାତ୍କର୍ହିଚିତ୍ସଙ୍ଗଂ ତମସ୍ତୀବ୍ରଂ ତିତୀରିଷୁଃ ।
ଧର୍ମାର୍ଥକାମମୋକ୍ଷାଣାଂ ଯଦତ୍ୟନ୍ତବିଘାତକମ୍ ॥ ୩୪॥
ସେଥିପାଇଁ ଯେଉଁମାନେ ଅଜ୍ଞାନଅନ୍ଧକାରରୁ ନିସ୍ତାର ପାଇବାକୁ ଇଚ୍ଛା
କରନ୍ତି, ସେମାନେ ବିଷୟରେ
ଆସକ୍ତି କରିବା ଅନୁଚିତ୍; କାରଣ ତାହା
ଧର୍ମ-ଅର୍ଥ-କାମ-ମୋକ୍ଷ ପ୍ରାପ୍ତିରେ ସବୁଠାରୁ ବଡ ବାଧକ ଅଟେ |
ତତ୍ରାପି ମୋକ୍ଷ ଏବାର୍ଥ ଆତ୍ୟନ୍ତିକତୟେଷ୍ୟତେ ।
ତ୍ରୈବର୍ଗ୍ୟୋଽର୍ଥୋ ଯତୋ ନିତ୍ୟଂ କୃତାନ୍ତଭୟସଂୟୁତଃ ॥ ୩୫॥
ଏହି ଚାରି ପୁରୁଷାର୍ଥ ମଧ୍ୟରୁ ମୋକ୍ଷକୁ ସର୍ବଶ୍ରେଷ୍ଠ ମନେ କରାଯାଏ; କାରଣ ଅନ୍ୟ ତିନି ପୁରୁଷାର୍ଥଙ୍କ ପାଇଁ କାଳର ଭୟ ସର୍ବଦା ରହିଥାଏ |
ପରେଽବରେ ଚ ଯେ ଭାବା ଗୁଣବ୍ୟତିକରାଦନୁ ।
ନ ତେଷାଂ ବିଦ୍ୟତେ କ୍ଷେମମୀଶ ବିଧ୍ୱଂସିତାଶିଷାମ୍ ॥ ୩୬॥
ପ୍ରକୃତିରେ ଗୁଣକ୍ଷୋଭ ହୋଇ ଯେତେ ସବୁ ଉତ୍ତମ ଏବଂ ଅଧମ ଭାବ ଏବଂ
ପଦାର୍ଥ ପ୍ରକଟ ହୋଇଥାଆନ୍ତି, ସେମାନେ ସମସ୍ତେ
କୁଶଳରେ ରହିବେ, ତାହା ନୁହେଁ |
ସେମାନଙ୍କର କୁଶଳକୁ କାଳଭଗବାନ ନାଶ କରିବାରେ ଲାଗିଥାଆନ୍ତି |
ତତ୍ତ୍ୱଂ ନରେନ୍ଦ୍ର ଜଗତାମଥ ତସ୍ଥୁଷାଂ ଚ
ଦେହେନ୍ଦ୍ରିୟାସୁଧିଷଣାତ୍ମଭିରାବୃତାନାମ୍ ।
ଯଃ କ୍ଷେତ୍ରବିତ୍ତପତୟା ହୃଦି ବିଶ୍ୱଗାବିଃ
ପ୍ରତ୍ୟକ୍ ଚକାସ୍ତି ଭଗବାଂସ୍ତମବେହି ସୋଽସ୍ମି ॥ ୩୭॥
ତେଣୁ ହେ ରାଜନ୍ ! ଯେଉଁ ଭଗବାନ ଦେହ, ଇନ୍ଦ୍ରିୟ, ପ୍ରାଣ, ବୁଦ୍ଧି ଏବଂ ଅହଂକାରରେ ଆବୃତ ସମସ୍ତ ସ୍ଥାବର-ଜଙ୍ଗମ ପ୍ରାଣୀଙ୍କ
ହୃଦୟରେ ଜୀବର ନିୟାମକ ଅନ୍ତର୍ଯ୍ୟାମୀ ଆତ୍ମାରୂପରେ ସର୍ବତ୍ର ସାକ୍ଷାତ୍ ପ୍ରକାଶିତ ଅଟନ୍ତି, ତାଙ୍କୁ ତୁମେ ‘ସେ ହିଁ ମୁଁ ଅଟେ’ ଏହିପରି ଜାଣ |
ଯସ୍ମିନ୍ନିଦଂ ସଦସଦାତ୍ମତୟା ବିଭାତି
ମାୟାବିବେକବିଧୁତି ସ୍ରଜି ବାହିବୁଦ୍ଧିଃ ।
ତଂ ନିତ୍ୟମୁକ୍ତପରିଶୁଦ୍ଧବିଶୁଦ୍ଧତତ୍ତ୍ୱଂ
ପ୍ରତ୍ୟୂଢକର୍ମକଲିଲପ୍ରକୃତିଂ ପ୍ରପଦ୍ୟେ ॥ ୩୮॥
ମାଳାର ଜ୍ଞାନ ହୋଇଯିବା ପରେ ସେଥିରେ ଯେପରି ସର୍ପବୁଦ୍ଧି ରହେ ନାହିଁ, ସେହିପରି ବିବେକ ଉଦୟ ହେବା ପରେ ଯିଏ କେଉଁଠାରେ ଦେଖାଯାଆନ୍ତି
ନାହିଁ, ଅଥଚ ଏହି ମାୟାମୟ
ପ୍ରପଞ୍ଚ ଯାହାଠାରେ କାର୍ଯ୍ୟ-କାରଣ ରୂପରେ ପ୍ରତୀତ ହୋଇଥାଏ ଏବଂ ଯିଏ ସ୍ବୟଂ କର୍ମଫଳ-କଳୁଷିତ
ପ୍ରକୃତିର ଉର୍ଦ୍ଧ୍ବସ୍ଥ ଅଟନ୍ତି, ସେହି ନିତ୍ୟମୁକ୍ତ, ନିର୍ମଳ ଏବଂ ଜ୍ଞାନସ୍ବରୂପ ପରମାତ୍ମାଙ୍କୁ ‘ମୁଁ’ ପ୍ରାପ୍ତ ହୋଇଥାଏ
|
ଯତ୍ପାଦପଙ୍କଜପଲାଶବିଲାସଭକ୍ତ୍ୟା
କର୍ମାଶୟଂ ଗ୍ରଥିତମୁଦ୍ଗ୍ରଥୟନ୍ତି ସନ୍ତଃ ।
ତଦ୍ୱନ୍ନ ରିକ୍ତମତୟୋ ଯତୟୋଽପି ରୁଦ୍ଧ-
ସ୍ରୋତୋଗଣାସ୍ତମରଣଂ ଭଜ ବାସୁଦେବମ୍ ॥ ୩୯॥
ସନ୍ଥ-ମହାତ୍ମା ଯାହାର ଚରଣକମଳର ଅଙ୍ଗୁଳିଦଳରୁ ବିଚ୍ଛୁରିତ ଆଭାକୁ
ସ୍ମରଣ କରି ଅହଂକାର-ରୂପ ହୃଦୟଗ୍ରନ୍ଥିକୁ କାଟି ସମାପ୍ତ କରି ଦେଇଥାଆନ୍ତି, ତାହା ସମସ୍ତ ଇନ୍ଦ୍ରିୟର ପ୍ରତ୍ୟାହାର କରି ନିଜ ଅନ୍ତଃକରଣକୁ
ନିର୍ବିଶେଷ କରି ଦେଇଥିବା ସନ୍ୟାସୀମାନେ ମଧ୍ୟ କରିପାରନ୍ତି ନାହିଁ | ଅତଏବ ତୁମେ ସେହି
ସର୍ବାଶ୍ରୟ ଭଗବାନ ବାସୁଦେବଙ୍କର ଭଜନ କର |
କୃଚ୍ଛ୍ରୋ ମହାନିହ ଭବାର୍ଣବମପ୍ଲବେଶାଂ
ଷଡ୍ୱର୍ଗନକ୍ରମସୁଖେନ ତିତୀର୍ଷନ୍ତି ।
ତତ୍ତ୍ୱଂ ହରେର୍ଭଗବତୋ ଭଜନୀୟମଙ୍ଘ୍ରିଂ
କୃତ୍ୱୋଡୁପଂ ବ୍ୟସନମୁତ୍ତର ଦୁସ୍ତରାର୍ଣମ୍ ॥ ୪୦॥
ଯେଉଁମାନେ ମନ ଏବଂ ଇନ୍ଦ୍ରିୟରୂପୀ କୁମ୍ଭୀରମାନଙ୍କରେ ଭରା ଏହି
ସଂସାରସାଗରକୁ ଯୋଗ ଆଦି ଦୁଷ୍କର ସାଧନ ଦ୍ବାରା ଅତିକ୍ରମ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କୁ ଭୀଷଣ କଠିନତାର ସମ୍ମୁଖୀନ ହେବାକୁ ପଡିଥାଏ; କାରଣ ସେମାନଙ୍କୁ
କର୍ଣ୍ଣଧାର ରୂପେ ଶ୍ରୀହରିଙ୍କର ଆଶ୍ରୟ ପ୍ରାପ୍ତ ହୋଇ ନ ଥାଏ | ତେଣୁ ତୁମେ ଭଗବାନଙ୍କର
ଆରାଧନୀୟ ଚରଣକମଳକୁ ନୌକା କରି ଅନାୟାସ ହିଁ ଏହି ଦୁସ୍ତର ସମୁଦ୍ରକୁ ପାର କରିନିଅ |
ମୈତ୍ରେୟ ଉବାଚ
ସ ଏବଂ ବ୍ରହ୍ମପୁତ୍ରେଣ କୁମାରେଣାତ୍ମମେଧସା ।
ଦର୍ଶିତାତ୍ମଗତିଃ ସମ୍ୟକ୍ ପ୍ରଶସ୍ୟୋବାଚ ତଂ ନୃପଃ ॥ ୪୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ବ୍ରହ୍ମାଜୀଙ୍କର ପୁତ୍ର
ଆତ୍ମଜ୍ଞାନୀ ସନତ୍-କୁମାରଙ୍କଠାରୁ ଏହିପରି ଆତ୍ମତତ୍ତ୍ବର ଉପଦେଶ ପ୍ରାପ୍ତ କରି ମହାରାଜ ପୃଥୁ
ତାଙ୍କର ବହୁତ ପ୍ରଶଂସା କରି କହିଲେ -
ରାଜୋବାଚ
କୃତୋ ମେଽନୁଗ୍ରହଃ ପୂର୍ୱଂ ହରିଣାଽଽର୍ତାନୁକମ୍ପିନା ।
ତମାପାଦୟିତୁଂ ବ୍ରହ୍ମନ୍ ଭଗବନ୍ ଯୂୟମାଗତାଃ ॥ ୪୨॥
ରାଜା ପୃଥୁ କହିଲେ – ଭଗବନ୍ ! ଦୀନଦୟାଳ ଶ୍ରୀହରି ଆଗରୁ ମୋ ଉପରେ
ଯେଉଁ କୃପା କରିଥିଲେ, ତାହାକୁ ପରିପୂର୍ଣ୍ଣ କରିବା ପାଇଁ ଆପଣମାନେ ଏଠାକୁ ଆଗମନ କରିଛନ୍ତି |
ନିଷ୍ପାଦିତଶ୍ଚ କାର୍ତ୍ସ୍ନ୍ୟେନ ଭଗବଦ୍ଭିର୍ଘୃଣାଲୁଭିଃ ।
ସାଧୂଚ୍ଛିଷ୍ଟଂ ହି ମେ ସର୍ୱମାତ୍ମନା ସହ କିଂ ଦଦେ ॥ ୪୩॥
ଆପଣମାନେ ଅତ୍ୟନ୍ତ ଦୟାଳୁ ଅଟନ୍ତି ! ଯେଉଁ ଉଦ୍ଦେଶ୍ୟରେ ଆପଣମାନେ
ଆଗମନ କରିଥିଲେ, ତାହା ଆପଣ ସମ୍ପନ୍ନ
କରିଛନ୍ତି | ପ୍ରତିଦାନରେ ମୁଁ ଆପଣଙ୍କୁ କ’ଣ ଦେବି ? ମୋ ପାଖରେ
ତ ଶରୀର ଏବଂ ତା’ ସମ୍ବନ୍ଧିତ ଅନ୍ୟ
ଯାହାକିଛି ଅଛି, ସେସବୁ
ମହାପୁରୁଷମାନଙ୍କର ହିଁ ପ୍ରସାଦ ଅଟେ |
ପ୍ରାଣା ଦାରାଃ ସୁତା ବ୍ରହ୍ମନ୍ ଗୃହାଶ୍ଚ ସପରିଚ୍ଛଦାଃ ।
ରାଜ୍ୟଂ ବଲଂ ମହୀ କୋଶ ଇତି ସର୍ୱଂ ନିବେଦିତମ୍ ॥ ୪୪॥
ବ୍ରହ୍ମନ୍ ! ପ୍ରାଣ,
ସ୍ତ୍ରୀ, ପୁତ୍ର, ସବୁ ପ୍ରକାରର ସାମଗ୍ରୀରେ ପରିପୂର୍ଣ୍ଣ ଭବନ, ରାଜ୍ୟ, ସେନା, ପୃଥ୍ବୀ ଏବଂ କୋଶ – ଏହି ସବୁକିଛି ଆପଣମାନଙ୍କର ହିଁ ଅଟେ; ତେଣୁ ଆପଣଙ୍କ ଶ୍ରୀଚରଣରେ ହିଁ ଅର୍ପିତ ଅଟେ |
ସୈନାପତ୍ୟଂ ଚ ରାଜ୍ୟଂ ଚ ଦଣ୍ଡନେତୃତ୍ୱମେବ ଚ ।
ସର୍ୱଲୋକାଧିପତ୍ୟଂ ଚ ବେଦଶାସ୍ତ୍ରବିଦର୍ହତି ॥ ୪୫॥
ବାସ୍ତବରେ ତ ସେନାପତିତ୍ବ,
ରାଜ୍ୟ, ଦଣ୍ଡବିଧାନ ଏବଂ
ସମ୍ପୂର୍ଣ୍ଣ ଲୋକର ଶାସନ-ଅଧିକାର ବେଦ-ଶାସ୍ତ୍ରର ଜ୍ଞାତା ବ୍ରାହ୍ମଣମାନଙ୍କର ହିଁ ଅଟେ |
ସ୍ୱମେବ ବ୍ରାହ୍ମଣୋ ଭୁଙ୍କ୍ତେ ସ୍ୱଂ ବସ୍ତେ ସ୍ୱଂ ଦଦାତି ଚ ।
ତସ୍ୟୈବାନୁଗ୍ରହେଣାନ୍ନଂ ଭୁଞ୍ଜତେ କ୍ଷତ୍ରିୟାଦୟଃ ॥ ୪୬॥
ବ୍ରାହ୍ମଣ ନିଜର ହିଁ ଖାଆନ୍ତି,
ନିଜର ହିଁ ପିନ୍ଧନ୍ତି ଏବଂ ନିଜର ବସ୍ତୁ ହିଁ ଦାନ କରନ୍ତି | କ୍ଷତ୍ରିୟ ଆଦି ଅନ୍ୟମାନଙ୍କୁ ତ
ତାଙ୍କ କୃପାରୁ ହିଁ ଅନ୍ନ ଆଦି ଭୋଜନ ମିଳିଥାଏ |
ଯୈରୀଦୃଶୀ ଭଗବତୋ ଗତିରାତ୍ମବାଦ
ଏକାନ୍ତତୋ ନିଗମିଭିଃ ପ୍ରତିପାଦିତା ନଃ ।
ତୁଷ୍ୟନ୍ତ୍ୱଦଭ୍ରକରୁଣାଃ ସ୍ୱକୃତେନ ନିତ୍ୟଂ
କୋ ନାମ ତତ୍ପ୍ରତିକରୋତି ବିନୋଦପାତ୍ରମ୍ ॥ ୪୭॥
ଆପଣମାନେ ବେଦରେ ପାରଦର୍ଶୀ ଅଟନ୍ତି, ଅଧ୍ୟାତ୍ମତତ୍ତ୍ବର ବିଚାରଣ ଦ୍ବାରା ଆପଣ ଆମକୁ ବୁଝାଇ ଦେଲେ ଯେ
ଭଗବାନଙ୍କ ପ୍ରତି ଏହି ଅଭେଦ-ଭକ୍ତି ହିଁ ତାଙ୍କ ଉପଲବଧିର ପ୍ରଧାନ ସାଧନ ଅଟେ | ଆପଣମାନେ ପରମ
କୃପାଳୁ ଅଟନ୍ତି; ସେଥିପାଇଁ ଆପଣମାନେ
ଏହି ଦୀନଉଦ୍ଧାରରୂପୀ କର୍ମରେ ହିଁ ସର୍ବଦା ସନ୍ତୁଷ୍ଟ ରହନ୍ତି | ଆପଣଙ୍କର ଏହି ଉପକାରର
ପ୍ରତିଦାନ କିଏ ଅବା କିପରି ଦେଇପାରିବେ ? ତଦର୍ଥେ ପ୍ରଯତ୍ନ କରିବା ମଧ୍ୟ ନିଜକୁ ଉପହସିତ କରିବା
ଅଟେ |
ମୈତ୍ରେୟ ଉବାଚ
ତ ଆତ୍ମୟୋଗପତୟ ଆଦିରାଜେନ ପୂଜିତାଃ ।
ଶୀଲଂ ତଦୀୟଂ ଶଂସନ୍ତଃ ଖେଽଭୂବନ୍ ମିଷତାଂ ନୃଣାମ୍ ॥ ୪୮॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ତାପରେ ମହାରାଜ ପୃଥୁ
ଆତ୍ମଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ସନକାଦିଙ୍କର ପୂଜା କଲେ ଏବଂ ସେମାନେ ତାଙ୍କ ଶୀଳର
ପ୍ରଶଂସା କରି ସର୍ବ ସମକ୍ଷରେ ଆକାଶମାର୍ଗରେ ପ୍ରସ୍ଥାନ କଲେ |
ବୈନ୍ୟସ୍ତୁ ଧୁର୍ୟୋ ମହତାଂ ସଂସ୍ଥିତ୍ୟାଧ୍ୟାତ୍ମଶିକ୍ଷୟା ।
ଆପ୍ତକାମମିବାତ୍ମାନଂ ମେନ ଆତ୍ମନ୍ୟବସ୍ଥିତଃ ॥ ୪୯॥
ମହାତ୍ମାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ମହାରାଜ ପୃଥୁ ସେମାନଙ୍କଠାରୁ
ଆତ୍ମୋପଦେଶ ପ୍ରାପ୍ତ କରି ଏକାଗ୍ର ଚିତ୍ତରେ ଆତ୍ମାରେ ସ୍ଥିତ ରହିଥିବା କାରଣରୁ ନିଜକୁ
କୃତକୃତ୍ୟ ଅନୁଭବ କରିବାରେ ଲାଗିଲେ |
କର୍ମାଣି ଚ ଯଥାକାଲଂ ଯଥାଦେଶଂ ଯଥାବଲମ୍ ।
ଯଥୋଚିତଂ ଯଥାବିତ୍ତମକରୋଦ୍ବ୍ରହ୍ମସାତ୍କୃତମ୍ ॥ ୫୦॥
ବ୍ରହ୍ମାର୍ପଣ-ବୁଦ୍ଧିରେ ସେ ସମୟ,
ସ୍ଥାନ, ଶକ୍ତି, ନ୍ୟାୟ ଏବଂ ଧନ ଅନୁସାରେ ସବୁ କର୍ମ କରୁଥିଲେ |
ଫଲଂ ବ୍ରହ୍ମଣି ବିନ୍ନ୍ୟସ୍ୟ ନିର୍ୱିଷଙ୍ଗଃ ସମାହିତଃ ।
କର୍ମାଧ୍ୟକ୍ଷଂ ଚ ମନ୍ୱାନ ଆତ୍ମାନଂ ପ୍ରକୃତେଃ ପରମ୍ ॥ ୫୧॥
ଏହିପରି ଭାବରେ ଏକାଗ୍ର ଚିତ୍ତରେ ସମସ୍ତ କର୍ମର ଫଳ ପରମାତ୍ମାଙ୍କୁ
ଅର୍ପଣ କରି, ଆତ୍ମାକୁ କର୍ମର ସାକ୍ଷୀ ଏବଂ ପ୍ରକୃତିର ଉର୍ଦ୍ଧ୍ବସ୍ଥ ଅନୁଭବ କରୁଥିବା କାରଣରୁ
ସେ ସମ୍ପୂର୍ଣ୍ଣ ନିର୍ଲିପ୍ତ ରହୁଥିଲେ |
ଗୃହେଷୁ ବର୍ତମାନୋଽପି ସ ସାମ୍ରାଜ୍ୟଶ୍ରିୟାନ୍ୱିତଃ ।
ନାସଜ୍ଜତେନ୍ଦ୍ରିୟାର୍ଥେଷୁ ନିରହମ୍ମତିରର୍କବତ୍ ॥ ୫୨॥
ସୂର୍ଯ୍ୟ ଯେପରି ସର୍ବତ୍ର ନିଜର ପ୍ରକାଶ ବିସ୍ତାର କରୁଥିଲେ ମଧ୍ୟ
ପଦାର୍ଥର ଗୁଣ-ଦୋଷରୁ ନିର୍ଲିପ୍ତ ରହନ୍ତି, ସେହିପରି ସାର୍ବଭୌମ
ସାମ୍ରାଜ୍ୟଲକ୍ଷ୍ମୀରେ ସମ୍ପନ୍ନ ଏବଂ ଗୃହସ୍ଥାଶ୍ରମରେ ରହି ମଧ୍ୟ ଅହଂକାରଶୂନ୍ୟ ହୋଇଥିବା
କାରଣରୁ ସେ ଇନ୍ଦ୍ରିୟ-ବିଷୟରେ ଆସକ୍ତ ନ ଥିଲେ |
ଏବମଧ୍ୟାତ୍ମୟୋଗେନ କର୍ମାଣ୍ୟନୁସମାଚରନ୍ ।
ପୁତ୍ରାନୁତ୍ପାଦୟାମାସ ପଞ୍ଚାର୍ଚିଷ୍ୟାଽଽତ୍ମସମ୍ମତାନ୍ ॥ ୫୩॥
ଏହିପରି ଆତ୍ମନିଷ୍ଠାରେ ସ୍ଥିତ ରହି, ସମସ୍ତ କର୍ତ୍ତବ୍ୟକର୍ମର
ଯଥୋଚିତ ରୀତିରେ ଅନୁଷ୍ଠାନ କରି, ସେ ନିଜ ପତ୍ନୀ
ଅର୍ଚିଙ୍କ ଗର୍ଭରୁ ନିଜ ଅନୁରୂପ ପଞ୍ଚପୁତ୍ର ଉତ୍ପନ୍ନ କରିଥିଲେ |
ବିଜିତାଶ୍ୱଂ ଧୂମ୍ରକେଶଂ ହର୍ୟକ୍ଷଂ ଦ୍ରବିଣଂ ବୃକମ୍ ।
ସର୍ୱେଷାଂ ଲୋକପାଲାନାଂ ଦଧାରୈକଃ ପୃଥୁର୍ଗୁଣାନ୍ ॥ ୫୪॥
ଗୋପୀଥାୟ ଜଗତ୍ସୃଷ୍ଟେଃ କାଲେ ସ୍ୱେ ସ୍ୱେଽଚ୍ୟୁତାତ୍ମକଃ ।
ମନୋବାଗ୍ୱୃତ୍ତିଭିଃ ସୌମ୍ୟୈର୍ଗୁଣୈଃ ସଂରଞ୍ଜୟନ୍ ପ୍ରଜାଃ ॥ ୫୫॥
ରାଜେତ୍ୟଧାନ୍ନାମଧେୟଂ ସୋମରାଜ ଇବାପରଃ ।
ସୂର୍ୟବଦ୍ୱିସୃଜନ୍ ଗୃହ୍ଣନ୍ ପ୍ରତପଂଶ୍ଚ ଭୁବୋ ବସୁ ॥ ୫୬॥
ସେମାନଙ୍କର ନାମ ବିଜିତାଶ୍ବ, ଧୂମ୍ରକେଶ, ହର୍ୟକ୍ଷ, ଦ୍ରବିଣ ଏବଂ ବୃକ
ଥିଲା | ମହାରାଜ ପୃଥୁ ଭଗବାନଙ୍କର ଅଂଶ ଥିଲେ | ସେ ସମୟ-ସମୟରେ, ଆବଶ୍ୟକତା ଅନୁସାରେ,
ସଂସାରର ପ୍ରାଣୀସମୁଦାୟର ରକ୍ଷା ନିମନ୍ତେ ଏକାକୀ ସମସ୍ତ ଲୋକପାଳଙ୍କର ଗୁଣ ଧାରଣ କରି ନେଉଥିଲେ
| ନିଜର ଉଦାର ମନ, ପ୍ରିୟ ଏବଂ ହିତକର
ବଚନ, ମନୋହର ମୂର୍ତ୍ତି, ସୌମ୍ୟ ଗୁଣ ଦ୍ବାରା ପ୍ରଜାବର୍ଗଙ୍କର ରଞ୍ଜନ କରୁଥିବା ଯୋଗୁଁ ଦ୍ବିତୀୟ
ଚନ୍ଦ୍ରମାଙ୍କ ପରି ତାଙ୍କର ‘ରାଜା’ ନାମ ସାର୍ଥକ
ହେଉଥିଲା | ସୂର୍ଯ୍ୟ ଯେପରି ନିଜ ତାପରେ ପୃଥିବୀରୁ ଜଳ ଶୋଷଣ କରି ବର୍ଷାକାଳରେ ପୁନର୍ବାର ସେହି
ଜଳକୁ ପୃଥିବୀରେ ବର୍ଷଣ କରି ଦେଇଥାଆନ୍ତି ତଥା ନିଜ କିରଣରେ ସମସ୍ତଙ୍କୁ ଉତ୍ତାପ ପ୍ରଦାନ କରିଥାଆନ୍ତି, ସେହିପରି ସେ କର ରୂପରେ ପ୍ରଜାମାନଙ୍କଠାରୁ ଧନ ନେଇ ଅଭାବ କାଳରେ
ତାହାକୁ ମୁକ୍ତହସ୍ତରେ ପ୍ରଜା ହିତରେ ବିନିଯୋଗ କରୁଥିଲେ ତଥା ସମସ୍ତଙ୍କ ଉପରେ ନିଜର ପ୍ରଭାବ
ବିସ୍ତାର କରି ରଖୁଥିଲେ |
ଦୁର୍ଧର୍ଷସ୍ତେଜସେବାଗ୍ନିର୍ମହେନ୍ଦ୍ର ଇବ ଦୁର୍ଜୟଃ ।
ତିତିକ୍ଷୟା ଧରିତ୍ରୀବ ଦ୍ୟୌରିବାଭୀଷ୍ଟଦୋ ନୃଣାମ୍ ॥ ୫୭॥
ସେ ତେଜରେ ଅଗ୍ନିଙ୍କ ସଦୃଶ ଦୁର୍ଧର୍ଷ, ଇନ୍ଦ୍ରଙ୍କ ପରି ଅଜେୟ,
ପୃଥିବୀ ପରି କ୍ଷମାଶୀଳ ଏବଂ ସ୍ବର୍ଗ ପରି ମନୁଷ୍ୟର ସମସ୍ତ କାମନାର ପୂର୍ତ୍ତିକାରୀ ଥିଲେ |
ବର୍ଷତି ସ୍ମ ଯଥାକାମଂ ପର୍ଜନ୍ୟ ଇବ ତର୍ପୟନ୍ ।
ସମୁଦ୍ର ଇବ ଦୁର୍ବୋଧଃ ସତ୍ତ୍ୱେନାଚଲରାଡିବ ॥ ୫୮॥
ସମୟ-ସମୟରେ ସେ ପ୍ରଜାମାନଙ୍କୁ ତୃପ୍ତ କରିବା ଉଦ୍ଦେଶ୍ୟରେ ମେଘ ପରି
ସେମାନଙ୍କର ଅଭୀଷ୍ଟ ଅର୍ଥକୁ ମୁକ୍ତ ହସ୍ତରେ ବିତରଣ କରୁଥିଲେ | ସେ ସମୁଦ୍ର ପରି ଗମ୍ଭୀର ଏବଂ
ପର୍ବତରାଜ ସୁମେରୁ ସଦୃଶ ଧୈର୍ଯ୍ୟବାନ ମଧ୍ୟ ଥିଲେ |
ଧର୍ମରାଡିବ ଶିକ୍ଷାୟାମାଶ୍ଚର୍ୟେ ହିମବାନିବ ।
କୁବେର ଇବ କୋଶାଢ୍ୟୋ ଗୁପ୍ତାର୍ଥୋ ବରୁଣୋ ଯଥା ॥ ୫୯॥
ମହାରାଜ ପୃଥୁ ଦୁଷ୍ଟ ଦମନ କରିବାରେ ଯମଙ୍କ ପରି, ଅଦ୍ଭୁତ ବସ୍ତୁ ସଂଗ୍ରହରେ ହିମାଳୟ ପରି, କୋଶର ସମୃଦ୍ଧି କରିବାରେ କୁବେରଙ୍କ ପରି ଏବଂ ଧନକୁ ଲୁଚାଇ ରଖିବାରେ
ବରୁଣଙ୍କ ପରି ଥିଲେ |
ମାତରିଶ୍ୱେବ ସର୍ୱାତ୍ମା ବଲେନ ମହସୌଜସା ।
ଅବିଷହ୍ୟତୟା ଦେବୋ ଭଗବାନ୍ ଭୂତରାଡିବ ॥ ୬୦॥
ଶାରୀରିକ ବଳ, ଇନ୍ଦ୍ରିୟମାନଙ୍କର ପଟୁତା ତଥା ପରାକ୍ରମରେ ସେ
ସର୍ବତ୍ର ଗତିଶୀଳ ବାୟୁ ସଦୃଶ ଏବଂ ତେଜର ଅସହ୍ୟତାରେ ଭଗବାନ ଶଂକରଙ୍କ ସଦୃଶ ଥିଲେ |
କନ୍ଦର୍ପ ଇବ ସୌନ୍ଦର୍ୟେ ମନସ୍ୱୀ ମୃଗରାଡିବ ।
ବାତ୍ସଲ୍ୟେ ମନୁବନ୍ନୄଣାଂ ପ୍ରଭୁତ୍ୱେ ଭଗବାନଜଃ ॥ ୬୧॥
ସେ ସୌନ୍ଦର୍ଯ୍ୟରେ କାମଦେବ,
ଉତ୍ସାହରେ ସିଂହ, ବାତ୍ସଲ୍ୟରେ ମନୁ
ମହାରାଜ ଏବଂ ମନୁଷ୍ୟମାନଙ୍କ ଉପରେ ଆଧିପତ୍ୟରେ ସର୍ବସମର୍ଥ ବ୍ରହ୍ମାଜୀଙ୍କ ସଦୃଶ ଥିଲେ |
ବୃହସ୍ପତିର୍ବ୍ରହ୍ମବାଦେ ଆତ୍ମବତ୍ତ୍ୱେ ସ୍ୱୟଂ ହରିଃ ।
ଭକ୍ତ୍ୟା ଗୋଗୁରୁବିପ୍ରେଷୁ ବିଷ୍ୱକ୍ସେନାନୁବର୍ତିଷୁ ।
ହ୍ରିୟା ପ୍ରଶ୍ରୟଶୀଲାଭ୍ୟାମାତ୍ମତୁଲ୍ୟଃ ପରୋଦ୍ୟମେ ॥ ୬୨॥
ବ୍ରହ୍ମବିଚାରରେ ସେ ବୃହଷ୍ପତି,
ଇନ୍ଦ୍ରିୟଜୟରେ ସାକ୍ଷାତ୍ ଶ୍ରୀହରି ତଥା ଗୌ, ବ୍ରାହ୍ମଣ, ଏବଂ ଗୁରୁଜନମାନଙ୍କର ରକ୍ଷା ତଥା ଭଗବଦ୍-ଭକ୍ତମାନଙ୍କର ଭକ୍ତି, ଲଜ୍ଜା, ବିନୟ, ଶୀଳ ଏବଂ ପରୋପକାର ଆଦି ଗୁଣରେ ନିଜ ପରି ହିଁ ଅନୁପମ ଥିଲେ |
କୀର୍ତ୍ୟୋର୍ଧ୍ୱଗୀତୟା ପୁମ୍ଭିସ୍ତ୍ରୈଲୋକ୍ୟେ ତତ୍ର ତତ୍ର ହ ।
ପ୍ରବିଷ୍ଟଃ କର୍ଣରନ୍ଧ୍ରେଷୁ ସ୍ତ୍ରୀଣାଂ ରାମଃ ସତାମିବ ॥ ୬୩॥
ତ୍ରିଲୋକୀରେ ସର୍ବତ୍ର ସମସ୍ତେ ଉଚ୍ଚ ସ୍ବରରେ ତାଙ୍କ କୀର୍ତ୍ତିର ଗାନ
କରୁଥିଲେ, ଯଦ୍ବାରା ସେ ସ୍ତ୍ରୀମାନଙ୍କର କାନରେ ମଧ୍ୟ ସେହିପରି ପ୍ରବେଶ ପ୍ରାପ୍ତ କରିଥିଲେ
ଯେପରି ସତ୍-ପୁରୁଷଙ୍କ ହୃଦୟରେ ପ୍ରଭୁ ଶ୍ରୀରାମ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ ॥ ୨୨॥

Comments
Post a Comment