ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ॥

ପଞ୍ଚବିଂଶ ଅଧ୍ୟାୟ

ପୁରଞ୍ଜନ ଉପାଖ୍ୟାନର ପ୍ରାରମ୍ଭ

 

ମୈତ୍ରେୟ ଉବାଚ

ଇତି ସନ୍ଦିଶ୍ୟ ଭଗବାନ୍ ବାର୍ହିଷଦୈରଭିପୂଜିତଃ ।

ପଶ୍ୟତାଂ ରାଜପୁତ୍ରାଣାଂ ତତ୍ରୈବାନ୍ତର୍ଦଧେ ହରଃ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ପ୍ରଚେତାମାନଙ୍କୁ ଭଗବାନ ଶଂକର ଏହିପରି ଉପଦେଶ ଦେଇଥିଲେ | ପ୍ରଚେତାମାନେ ମଧ୍ୟ ଅତ୍ୟନ୍ତ ଭକ୍ତିଭାବରେ ଭଗବାନ ଶଂକରଙ୍କର ପୂଜା କଲେ ଏବଂ ତାପରେ ସେ ସେମାନଙ୍କ ସମ୍ମୁଖରେ ହିଁ ସେଠାରୁ ଅନ୍ତର୍ଧାନ ହୋଇଗଲେ |

ରୁଦ୍ରଗୀତଂ ଭଗବତଃ ସ୍ତୋତ୍ରଂ ସର୍ୱେ ପ୍ରଚେତସଃ ।

ଜପନ୍ତସ୍ତେ ତପସ୍ତେପୁର୍ୱର୍ଷାଣାମୟୁତଂ ଜଲେ ॥ ୨॥

ସବୁ ପ୍ରଚେତା ଜଳ ମଧ୍ୟରେ ଠିଆ ହୋଇ ଭଗବାନ ରୁଦ୍ରଙ୍କ ଦ୍ବାରା ଉପଦେଶିତ ସ୍ତୋତ୍ର ଜପ କରି ଦଶ ହଜାର ବର୍ଷ ତପସ୍ୟା କଲେ |

ପ୍ରାଚୀନବର୍ହିଷଂ କ୍ଷତ୍ତଃ କର୍ମସ୍ୱାସକ୍ତମାନସମ୍ ।

ନାରଦୋଽଧ୍ୟାତ୍ମତତ୍ତ୍ୱଜ୍ଞଃ କୃପାଲୁଃ ପ୍ରତ୍ୟବୋଧୟତ୍ ॥ ୩॥

ସେହି ଦିନମାନଙ୍କରେ ରାଜା ପ୍ରାଚୀନବର୍ହିଙ୍କର ଚିତ୍ତ କର୍ମକାଣ୍ଡରେ ବହୁତ ଆସକ୍ତ ହୋଇ ଯାଇଥିଲା | ତାଙ୍କୁ ଅଧ୍ୟାତ୍ମବିଦ୍ୟା-ବିଶାରଦ ପରମ କୃପାଳୁ ଦେବର୍ଷି ନାରଦ ଉପଦେଶ ଦେଲେ |

ଶ୍ରେୟସ୍ତ୍ୱଂ କତମଦ୍ରାଜନ୍ କର୍ମଣାଽଽତ୍ମନ ଈହସେ ।

ଦୁଃଖହାନିଃ ସୁଖାବାପ୍ତିଃ ଶ୍ରେୟସ୍ତନ୍ନେହ ଚେଷ୍ୟତେ ॥ ୪॥

ସେ କହିଲେ, ‘ରାଜନ୍ ! ଏହି ସବୁ କର୍ମ ଦ୍ବାରା ତୁମେ କେଉଁ କଲ୍ୟାଣ ଇଚ୍ଛା କରୁଛ ? ଦୁଃଖର ଆତ୍ୟନ୍ତିକ ନାଶ ଏବଂ ପରମାନନ୍ଦ-ପ୍ରାପ୍ତିର ନାମ ହିଁ କଲ୍ୟାଣ ଅଟେ; ତାହା ତ କର୍ମ ଦ୍ବାରା ମିଳି ନ ଥାଏ |’

ରାଜୋବାଚ

ନ ଜାନାମି ମହାଭାଗ ପରଂ କର୍ମାପବିଦ୍ଧଧୀଃ ।

ବ୍ରୂହି ମେ ବିମଲଂ ଜ୍ଞାନଂ ଯେନ ମୁଚ୍ୟେୟ କର୍ମଭିଃ ॥ ୫॥

ରାଜା କହିଲେ – ମହାଭାଗ ଦେବର୍ଷି ! ମୋର ବୁଦ୍ଧି କର୍ମରେ ଜଡିତ ହୋଇଯାଇଛି; ସେଥିପାଇଁ ପରମ କଲ୍ୟାଣ ବିଷୟରେ ମୁଁ କିଛି ଜାଣେନାହିଁ | ଆପଣ କୃପା କରି ମୋତେ ବିଶୁଦ୍ଧ ଜ୍ଞାନର ଉପଦେଶ ପ୍ରଦାନ କରନ୍ତୁ, ଯଦ୍ବାରା ମୁଁ ଏହି କର୍ମବନ୍ଧନରୁ ମୁକ୍ତ ହୋଇଯିବି |

ଗୃହେଷୁ କୂଟଧର୍ମେଷୁ ପୁତ୍ରଦାରଧନାର୍ଥଧୀଃ ।

ନ ପରଂ ବିନ୍ଦତେ ମୂଢୋ ଭ୍ରାମ୍ୟନ୍ ସଂସାରବର୍ତ୍ମସୁ ॥ ୬॥

ଯେଉଁ ପୁରୁଷ କପଟଧର୍ମମୟ ଗୃହସ୍ଥାଶ୍ରମରେ ରହି ପୁତ୍ର, ସ୍ତ୍ରୀ ଏବଂ ଧନକୁ ହିଁ ପରମ ପୁରୁଷାର୍ଥ ମନେକରନ୍ତି, ସେ ଅଜ୍ଞାନବଶ ସଂସାରାରଣ୍ୟରେ ଭ୍ରମିତ ହେଉଥିବା କାରଣରୁ ସେହି ପରମ କଲ୍ୟାଣକୁ ପ୍ରାପ୍ତ କରିପାରନ୍ତି ନାହିଁ |

ନାରଦ ଉବାଚ

ଭୋ ଭୋଃ ପ୍ରଜାପତେ ରାଜନ୍ ପଶୂନ୍ ପଶ୍ୟ ତ୍ୱୟାଧ୍ୱରେ ।

ସଞ୍ଜ୍ଞାପିତାଞ୍ଜୀବସଙ୍ଘାନ୍ ନିର୍ଘୃଣେନ ସହସ୍ରଶଃ ॥ ୭॥

ଦେବର୍ଷି ନାରଦ କହିଲେ – ଦେଖ ରାଜନ୍ ! ହଜାର ହଜାର ସଂଖ୍ୟାରେ ଯେଉଁ ପଶୁମାନଙ୍କୁ ତୁମେ ଯଜ୍ଞରେ ନିର୍ଦ୍ଦୟତାପୂର୍ବକ ବଳି ଦେଇଛ, ସେମାନଙ୍କୁ ଆକାଶରେ ଦେଖ |

ଏତେ ତ୍ୱାଂ ସମ୍ପ୍ରତୀକ୍ଷନ୍ତେ ସ୍ମରନ୍ତୋ ବୈଶସଂ ତବ ।

ସମ୍ପରେତମୟଃକୂଟୈଶ୍ଛିନ୍ଦନ୍ତ୍ୟୁତ୍ଥିତମନ୍ୟବଃ ॥ ୮॥

ଏମାନେ ସମସ୍ତେ ତୁମ ଦ୍ବାରା ପ୍ରାପ୍ତ ପୀଡାର ସ୍ମରଣ କରି ପ୍ରତିଶୋଧ ନେବା ପାଇଁ ତୁମର ଅପେକ୍ଷା କରିଛନ୍ତି | ମୃତ୍ୟୁ ପରେ ତୁମେ ଯେତେବେଳେ ପରଲୋକକୁ ଯିବ, ଏମାନେ ଅତ୍ୟନ୍ତ କ୍ରୋଧରେ ନିଜର ଲୁହା ପରି ଶିଂଘରେ ତୁମ ଶରୀରକୁ ଛେଦନ କରିବେ |

ଅତ୍ର ତେ କଥୟିଷ୍ୟେଽମୁମିତିହାସଂ ପୁରାତନମ୍ ।

ପୁରଞ୍ଜନସ୍ୟ ଚରିତଂ ନିବୋଧ ଗଦତୋ ମମ ॥ ୯॥

ଏହି ବିଷୟରେ ମୁଁ ତୁମକୁ ଏକ ପ୍ରାଚୀନ ଆଖ୍ୟାନ ଶୁଣାଉଛି | ଏହା ରାଜା ପୁରଞ୍ଜନଙ୍କର ଚରିତ୍ର ଅଟେ; ଏହାକୁ ତୁମେ ସାବଧାନ ହୋଇ ଶୁଣ |

ଆସୀତ୍ପୁରଞ୍ଜନୋ ନାମ ରାଜା ରାଜନ୍ ବୃହଚ୍ଛ୍ରବାଃ ।

ତସ୍ୟାବିଜ୍ଞାତନାମାଽଽସୀତ୍ସଖାବିଜ୍ଞାତଚେଷ୍ଟିତଃ ॥ ୧୦॥

ରାଜନ୍ ! ପୂର୍ବକାଳରେ ପୁରଞ୍ଜନ ନାମରେ ଜଣେ ଅତିଶୟ ଯଶସ୍ବୀ ରାଜା ଥିଲେ | ତାଙ୍କର ଅବିଜ୍ଞାତ ନାମକ ଜଣେ ମିତ୍ର ଥିଲେ | କେହି ମଧ୍ୟ ତାଙ୍କର କାର୍ଯ୍ୟ-କଳାପକୁ ବୁଝିପାରୁ ନ ଥିଲେ |

ସୋଽନ୍ୱେଷମାଣଃ ଶରଣଂ ବଭ୍ରାମ ପୃଥିବୀଂ ପ୍ରଭୁଃ ।

ନାନୁରୂପଂ ଯଦାବିନ୍ଦଦଭୂତ୍ସ ବିମନା ଇବ ॥ ୧୧॥

ରାଜା ପୁରଞ୍ଜନ ନିଜ ପାଇଁ ରହିବା ଯୋଗ୍ୟ ଏକ ସ୍ଥାନର ଅନ୍ବେଷଣରେ ସାରା ପୃଥିବୀ ଭ୍ରମଣ କଲେ, ତଥାପି ତାଙ୍କୁ ନିଜ ଇଚ୍ଛା ମୁତାବକ କୌଣସି ସ୍ଥାନ ମିଳିଲା ନାହିଁ; ସେ ଉଦାସ ରହିଲେ |

ନ ସାଧୁ ମେନେ ତାଃ ସର୍ୱା ଭୂତଲେ ଯାବତୀଃ ପୁରଃ ।

କାମାନ୍ କାମୟମାନୋଽସୌ ତସ୍ୟ ତସ୍ୟୋପପତ୍ତୟେ ॥ ୧୨॥

ତାଙ୍କର ଅନେକ ପ୍ରକାରର ଭୋଗ-ଲାଳସା ରହିଥିଲା; ସେହି ଭୋଗ କରିବା ପାଇଁ ସେ ସଂସାରରେ ଯେତେ ନଗର ଦେଖିଲେ, କୌଣସି ଗୋଟିଏ ବି ତାଙ୍କର ପସନ୍ଦ ହେଲା ନାହିଁ |

ସ ଏକଦା ହିମବତୋ ଦକ୍ଷିଣେଷ୍ୱଥ ସାନୁଷୁ ।

ଦଦର୍ଶ ନବଭିର୍ଦ୍ୱାର୍ଭିଃ ପୁରଂ ଲକ୍ଷିତଲକ୍ଷଣାମ୍ ॥ ୧୩॥

ଦିନେ ସେ ହିମାଳୟର ଦକ୍ଷିଣ ତଟବର୍ତ୍ତୀ ଶିଖରରେ କର୍ମଭୂମି ଭାରତବର୍ଷରେ ଏକ ନବଦ୍ବାରବିଶିଷ୍ଟ ନଗର ଦେଖିଲେ | ତାହା ସବୁ ପ୍ରକାରର ସୁଲକ୍ଷଣ-ସମ୍ପନ୍ନ ଥିଲା |

ପ୍ରାକାରୋପବନାଟ୍ଟାଲପରିଖୈରକ୍ଷତୋରଣୈଃ ।

ସ୍ୱର୍ଣରୌପ୍ୟାୟସୈଃ ଶୃଙ୍ଗୈଃ ସଙ୍କୁଲାଂ ସର୍ୱତୋ ଗୃହୈଃ ॥ ୧୪॥

ତାହାର ଚତୁର୍ଦ୍ଦିଗ ବଡ ବଡ ପ୍ରାଚୀର, ବଗିଚା, ଅଟ୍ଟାଳିକା, ଖାଈ ଏବଂ ରାଜଦ୍ବାର ଆଦିରେ ସୁଶୋଭିତ ଥିଲା ଏବଂ ତାହା ସୁନା, ରୂପା, ଲୌହ ଶିଖରଯୁକ୍ତ ବିଶାଳ ଭବନରେ ଭରା ହୋଇଥିଲା |

ନୀଲସ୍ଫଟିକବୈଦୂର୍ୟମୁକ୍ତାମରକତାରୁଣୈଃ ।

କୢପ୍ତହର୍ମ୍ୟସ୍ଥଲୀଂ ଦୀପ୍ତାଂ ଶ୍ରିୟା ଭୋଗବତୀମିବ ॥ ୧୫॥

ସେଥିରେ ଥିବା ମହଲର ଚଟାଣ ନୀଳମଣି, ସ୍ଫଟିକ, ବୈଦୁର୍ଯ୍ୟ, ମୋତି, ପନ୍ନା ଆଦି ବହୁମୂଲ୍ୟ ରତ୍ନ-ନିର୍ମିତ ଥିଲା | ନିଜ କାନ୍ତିରେ ତାହା ନାଗମାନଙ୍କର ରାଜଧାନୀ ଭୋଗବତୀପୁରୀ ସଦୃଶ ମନେ ହେଉଥିଲା |

ସଭାଚତ୍ୱରରଥ୍ୟାଭିରାକ୍ରୀଡାୟତନାପଣୈଃ ।

ଚୈତ୍ୟଧ୍ୱଜପତାକାଭିର୍ୟୁକ୍ତାଂ ବିଦ୍ରୁମବେଦିଭିଃ ॥ ୧୬॥

ସେଥିରେ ଯେଉଁଠି-ସେଇଠି ଅନେକ ସଭା-ଭବନ, ଚାରିଛକ, ସଡକ, କ୍ରୀଡାଭବନ, ବଜାର, ବିଶ୍ରାମଗୃହ, ଧ୍ବଜା-ପତାକାରେ ଶୋଭିତ ଚୌତରା ଆଦି ରହିଥିଲା |

ପୁର୍ୟାସ୍ତୁ ବାହ୍ୟୋପବନେ ଦିବ୍ୟଦ୍ରୁମଲତାକୁଲେ ।

ନଦଦ୍ୱିହଙ୍ଗାଲିକୁଲକୋଲାହଲଜଲାଶୟେ ॥ ୧୭॥

ସେହି ନଗର ବାହାରେ ଦିବ୍ୟ ବୃକ୍ଷ-ଲତାରେ ପରିପୂର୍ଣ୍ଣ ଏକ ସୁନ୍ଦର ବଗିଚା ଥିଲା, ଯାହାର ମଧ୍ୟଭାଗ ଏକ ସରୋବରରେ ସୁଶୋଭିତ ଥିଲା | ଅନେକ ପ୍ରକାରର ପକ୍ଷୀମାନଙ୍କର କଳରବ ଏବଂ ଭ୍ରମର ଗୁଞ୍ଜରଣରେ ତାହା ମୁଖରିତ ଥିଲା |  

ହିମନିର୍ଝରବିପ୍ରୁଷ୍ମତ୍କୁସୁମାକରବାୟୁନା ।

ଚଲତ୍ପ୍ରବାଲବିଟପନଲିନୀତଟସମ୍ପଦି ॥ ୧୮॥

ସରୋବର ତଟଦେଶରେ ଥିବା ବୃକ୍ଷମାନଙ୍କର ଡାଳ-ପତ୍ର ଝରଣାର ଶୀତଳ ଜଳକଣକୁ ନେଇ ପ୍ରବାହିତ ବାସନ୍ତୀ ବାୟୁରେ ଦୋଳାୟମାନ ହୋଇ ତଟବର୍ତ୍ତୀ ଭୂମିର ଶୋଭା ବୃଦ୍ଧି କରୁଥିଲେ |

ନାନାରଣ୍ୟମୃଗବ୍ରାତୈରନାବାଧେ ମୁନିବ୍ରତୈଃ ।

ଆହୂତଂ ମନ୍ୟତେ ପାନ୍ଥୋ ଯତ୍ର କୋକିଲକୂଜିତୈଃ ॥ ୧୯॥

ସେଠାରେ ବାସ କରୁଥିବା ବଣ୍ୟପଶୁମାନେ ମଧ୍ୟ ମୁନିଜନୋଚିତ ଅହିଂସାଦି ବ୍ରତ ପାଳନ କରୁଥିଲେ; ସେଥିପାଇଁ ସେମାନଙ୍କ ଦ୍ବାରା କାହାକୁ କଷ୍ଟ ମିଳୁ ନ ଥିଲା | କୋକିଳର ଧ୍ବନି ବାଟୋଇମାନଙ୍କ ମନରେ ଏହି ଭ୍ରମ ଉତ୍ପନ୍ନ କରୁଥିଲା ସତେ ଯେମିତି ସେହି ବଗିଚା ସେମାନଙ୍କୁ ବିଶ୍ରାମ ଗ୍ରହଣ କରିବାକୁ ଆମନ୍ତ୍ରିତ କରୁଛି |

ଯଦୃଚ୍ଛୟାଽଽଗତାଂ ତତ୍ର ଦଦର୍ଶ ପ୍ରମଦୋତ୍ତମାମ୍ ।

ଭୃତ୍ୟୈର୍ଦଶଭିରାୟାନ୍ତୀମେକୈକଶତନାୟକୈଃ ॥ ୨୦॥

ସେହି ଅଦ୍ଭୁତ ବଣରେ ଘୂରି ବୁଲୁଥିବା ସମୟରେ ରାଜା ପୁରଞ୍ଜନ ଏକ ସୁନ୍ଦରୀକୁ ଦେଖିବାକୁ ପାଇଥିଲେ | ତା ସହିତ ଦଶଜଣ ସେବକ ଥିଲେ; ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଶହ-ଶହ ନାୟିକାଙ୍କର ପତି ଥିଲେ |

ପଞ୍ଚଶୀର୍ଷାହିନା ଗୁପ୍ତାଂ ପ୍ରତୀହାରେଣ ସର୍ୱତଃ ।

ଅନ୍ୱେଷମାଣାମୃଷଭମପ୍ରୌଢାଂ କାମରୂପିଣୀମ୍ ॥ ୨୧॥

ପଞ୍ଚଫଣବିଶିଷ୍ଟ ଗୋଟିଏ ସର୍ପ ତାହାର ଦ୍ବାରପାଳ ଥିଲା, ଯିଏ ତାକୁ ସବୁ ଦିଗରୁ ରକ୍ଷା କରୁଥିଲା | ସେହି ସୁନ୍ଦରୀ ସରଳା-ନିରୀହା କିଶୋରୀ ଥିଲା ଏବଂ ବିବାହ କରିବା ପାଇଁ ଶ୍ରେଷ୍ଠ ପୁରୁଷର ଅନ୍ବେଷଣ କରୁଥିଲା |

ସୁନାସାଂ ସୁଦତୀଂ ବାଲାଂ ସୁକପୋଲାଂ ବରାନନାମ୍ ।

ସମବିନ୍ୟସ୍ତକର୍ଣାଭ୍ୟାଂ ବିଭ୍ରତୀଂ କୁଣ୍ଡଲଶ୍ରିୟମ୍ ॥ ୨୨॥

ତାର ନାସିକା, ଦନ୍ତପଂକ୍ତି, କପୋଳ ଏବଂ ମୁଖ ବହୁତ ସୁନ୍ଦର ଥିଲା | କାନରେ କୁଣ୍ଡଳ ଝଲମଲ ହେଉଥିଲା |

ପିଶଙ୍ଗନୀବୀଂ ସୁଶ୍ରୋଣୀଂ ଶ୍ୟାମାଂ କନକମେଖଲାମ୍ ।

ପଦ୍ଭ୍ୟାଂ କ୍ୱଣଦ୍ଭ୍ୟାଂ ଚଲତୀଂ ନୂପୁରୈର୍ଦେବତାମିବ ॥ ୨୩॥

ତାର ରଙ୍ଗ ଶ୍ୟାମଳ ଥିଲା, କଟିଦେଶ ଅତି ସୁନ୍ଦର ଥିଲା | ସେ ପୀତ ବର୍ଣ୍ଣର ଶାଢୀ ଏବଂ ସୁବର୍ଣ୍ଣ କମରବନ୍ଦ ପରିଧାନ କରିଥିଲା | ଚାଲୁଥିବା ସମୟରେ ତାର ଚରଣର ନୂପୁର ଝଙ୍କାର ସୃଷ୍ଟି କରୁଥିଲା | ଅଧିକ କଣ କହିବା, ଦେଖିବାକୁ ସେ ସାକ୍ଷାତ ଜଣେ ଦେବୀ ପ୍ରତୀତ ହେଉଥିଲା |

ସ୍ତନୌ ବ୍ୟଞ୍ଜିତକୈଶୋରୌ ସମବୃତ୍ତୌ ନିରନ୍ତରୌ ।

ବସ୍ତ୍ରାନ୍ତେନ ନିଗୂହନ୍ତୀଂ ବ୍ରୀଡୟା ଗଜଗାମିନୀମ୍ ॥ ୨୪॥

ସେହି ଗଜଗାମିନୀ କନ୍ୟା କିଶୋରାବସ୍ଥାର ସୂଚକ ତାର ଉନ୍ନତ ସୁଗୋଲ ସ୍ତନଯୁଗଳକୁ ଲଜ୍ଜାବଶତଃ ବାରମ୍ବାର ନିଜ ଅଞ୍ଚଳରେ ଆବୃତ କରିବାରେ ଲାଗିଥିଲା |

ତାମାହ ଲଲିତଂ ବୀରଃ ସବ୍ରୀଡସ୍ମିତଶୋଭନାମ୍ ।

ସ୍ନିଗ୍ଧେନାପାଙ୍ଗପୁଙ୍ଖେନ ସ୍ପୃଷ୍ଟଃ ପ୍ରେମୋଦ୍ଭ୍ରମଦ୍ଭ୍ରୁବା ॥ ୨୫॥

ତାର ପ୍ରେମଭରା ଭ୍ରୁକୁଟିର ଘୂର୍ଣ୍ଣନ ଏବଂ ବାଙ୍କ ଚାହାଣୀର ବାଣରେ ଆହତ ହୋଇ ବୀର ପୁରଞ୍ଜନ ସେହି ଲଜ୍ଜାଯୁକ୍ତ ସ୍ମିତହାସ୍ୟରେ ଆହୁରି ସୁନ୍ଦର ଦେଖା ଯାଉଥିବା ଦେବୀଙ୍କୁ ମଧୁରବାଣୀରେ କହିଲେ -

କା ତ୍ୱଂ କଞ୍ଜପଲାଶାକ୍ଷି କସ୍ୟାସୀହ କୁତଃ ସତି ।

ଇମାମୁପ ପୁରୀଂ ଭୀରୁ କିଂ ଚିକୀର୍ଷସି ଶଂସ ମେ ॥ ୨୬॥

ହେ କମଳଦଳଲୋଚନା ! ମୋତେ କୁହ ତୁମେ କିଏ, କାହାର କନ୍ୟା ଅଟ ? ହେ ସାଧ୍ବୀ ! ତୁମେ କେଉଁଠାରୁ ଆସିଲ ଏବଂ ଏହି ପୁରୀ ସମୀପରେ ତୁମେ କଣ କରିବାକୁ ଇଚ୍ଛା କରୁଅଛ ?

କ ଏତେଽନୁପଥା ଯେ ତ ଏକାଦଶ ମହାଭଟାଃ ।

ଏତା ବା ଲଲନାଃ ସୁଭ୍ରୁ କୋଽୟଂ ତେଽହିଃ ପୁରଃସରଃ ॥ ୨୭॥

ତୁମ ସହିତ ଏହି ଏକାଦଶତମ ମହାନ୍ ଶୂରବୀରଙ୍କ ଦ୍ବାରା ସଞ୍ଚାଳିତ ଏହି ଦଶଜଣ ସେବକ କିଏ ଏବଂ ଏହି ସବୁ ସହଚରୀ ତଥା ତୁମ ଆଗେ ଆଗେ ଚାଲୁଥିବା ଏହି ସର୍ପ କିଏ ?

ତ୍ୱଂ ହ୍ରୀର୍ଭବାନ୍ୟସ୍ୟଥବାଗ୍ରମା ପତିଂ

ବିଚିନ୍ୱତୀ କିଂ ମୁନିବଦ୍ରହୋ ବନେ ।

ତ୍ୱଦଙ୍ଘ୍ରିକାମାପ୍ତସମସ୍ତକାମଂ

କ୍ୱ ପଦ୍ମକୋଶଃ ପତିତଃ କରାଗ୍ରାତ୍ ॥ ୨୮॥

ସୁନ୍ଦରୀ ! ତୁମେ ସାକ୍ଷାତ ଲଜ୍ଜାଦେବୀ ଅଟ ଅଥବା ଉମା, ରମା ଏବଂ ବ୍ରହ୍ମାଣୀଙ୍କ ମଧ୍ୟରୁ କିଏ ଅଟ ? ଏହି ବଣରେ ମୁନିମାନଙ୍କ ପରି ଏକାନ୍ତବାସ କରି ତୁମେ ନିଜ ପତିଦେବଙ୍କର ଅନ୍ବେଷଣ କରୁଛ କି ? ତୁମର ପ୍ରାଣନାଥ ତ ‘ତୁମେ ତାଙ୍କ ଚରଣର କାମନା କରୁଛ’, ଏତିକି ଜାଣି ପୂର୍ଣ୍ଣକାମ ହୋଇଯିବେ | ଆଚ୍ଛା, ଯଦି ତୁମେ ସାକ୍ଷାତ କମଳାଦେବୀ ଅଟ, ତେବେ ତୁମ ହାତର କ୍ରୀଡାକମଳ କେଉଁଠି ଖସି ପଡିଲା ?

ନାସାଂ ବରୋର୍ୱନ୍ୟତମା ଭୁବିସ୍ପୃକ୍

ପୁରୀମିମାଂ ବୀରବରେଣ ସାକମ୍ ।

ଅର୍ହସ୍ୟଲଙ୍କର୍ତୁମଦଭ୍ରକର୍ମଣା

ଲୋକଂ ପରଂ ଶ୍ରୀରିବ ଯଜ୍ଞପୁଂସା ॥ ୨୯॥

କିନ୍ତୁ ତୁମେ ଏମାନଙ୍କ ମଧ୍ୟରୁ ନିଶ୍ଚିତଭାବରେ କେହି ନୁହେଁ, କାରଣ ତୁମର ଚରଣ ଭୂମିକୁ ସ୍ପର୍ଶ କରୁଛି | ତୁମେ ଯଦି କେହି ମାନବୀ ଅଟ, ତେବେ ଲକ୍ଷ୍ମୀଦେବୀ ଯେପରି ଭାବରେ ଭଗବାନ ବିଷ୍ଣୁଙ୍କ ସହ ବୈକୁଣ୍ଠର ଶୋଭା ବୃଦ୍ଧି କରୁଥାଆନ୍ତି, ତୁମେ ସେହିପରି ମୋ ସହିତ ଏହି ଶ୍ରେଷ୍ଠ ପୁରୀକୁ ଅଳଙ୍କୃତ କର | ଦେଖ ! ମୁଁ ବହୁତ ବଡ ବୀର ଏବଂ ଅତ୍ୟନ୍ତ ପରାକ୍ରମୀ ଅଟେ |

ଯଦେଷ ମାପାଙ୍ଗବିଖଣ୍ଡିତେନ୍ଦ୍ରିୟଂ

ସବ୍ରୀଡଭାବସ୍ମିତବିଭ୍ରମଦ୍ଭ୍ରୁବା ।

ତ୍ୱୟୋପସୃଷ୍ଟୋ ଭଗବାନ୍ ମନୋଭବଃ

ପ୍ରବାଧତେଽଥାନୁଗୃହାଣ ଶୋଭନେ ॥ ୩୦॥

କିନ୍ତୁ ଆଜି ତୁମର କଟାକ୍ଷ ମୋର ମନକୁ ଆୟତ୍ତହୀନ କରିଦେଇଛି | ତୁମର ଲଜ୍ଜାଶୀଳ ଏବଂ ରତିଭାବଯୁକ୍ତ ସ୍ମିତହାସ୍ୟ ସହିତ ଭ୍ରୁକୁଟିର ସଂକେତକୁ ଦେଖି ପରମ ଶକ୍ତିଶାଳୀ କାମଦେବ ମୋତେ ପୀଡିତ କରିବାରେ ଲାଗିଛନ୍ତି | ତେଣୁ ହେ ସୁନ୍ଦରୀ ! ଏବେ ତୁମେ ମୋ ପ୍ରତି କୃପା କରିବା ଆବଶ୍ୟକ |

ତ୍ୱଦାନନଂ ସୁଭ୍ରୁ ସୁତାରଲୋଚନଂ

ବ୍ୟାଲମ୍ବି ନୀଲାଲକବୃନ୍ଦସମ୍ବୃତମ୍ ।

ଉନ୍ନୀୟ ମେ ଦର୍ଶୟ ବଲ୍ଗୁ ବାଚକଂ

ଯଦ୍ୱ୍ରୀଡୟା ନାଭିମୁଖଂ ଶୁଚିସ୍ମିତେ ॥ ୩୧॥

ହେ ଶୁଚିସ୍ମିତା ! ସୁନ୍ଦର ଭ୍ରୁଲତା ଏବଂ ଲମ୍ବା-ଲମ୍ବା ନେତ୍ରରେ ସୁଶୋଭିତ ତୁମର ମୁଖାରବିନ୍ଦ କୃଷ୍ଣ ଦୀର୍ଘ ଅଳକାବଳୀରେ ଆବୃତ ରହିଛି; ତୁମ ମୁଖରୁ ନିଃସୃତ ହେଉଥିବା ବାକ୍ୟ ଅତ୍ୟନ୍ତ ମଧୁର ଏବଂ ମନମୋହକ ଅଟେ | କିନ୍ତୁ ଲଜ୍ଜାବଶତଃ ତୁମର ମୁଖ ଅବନତ ରହିଛି | ଟିକିଏ ମୁହଁ ଉପରକୁ କରି ମୋତେ ସେହି ସୁନ୍ଦର ମୁଖର ଦର୍ଶନ କରାଅ |

ନାରଦ ଉବାଚ

ଇତ୍ଥଂ ପୁରଞ୍ଜନଂ ନାରୀ ଯାଚମାନମଧୀରବତ୍ ।

ଅଭ୍ୟନନ୍ଦତ ତଂ ବୀରଂ ହସନ୍ତୀ ବୀରମୋହିତା ॥ ୩୨॥

ଦେବର୍ଷି ନାରଦ କହିଲେ – ହେ ବୀରବର ! ରାଜା ପୁରଞ୍ଜନ ଯେତେବେଳେ ଅଧୀର ହୋଇ ଏପରି ଯାଚନା କଲେ, ସେତେବେଳେ ସେହି କନ୍ୟା ହସି ହସି ତାହାର ଅନୁମୋଦନ କଲା | ସେ ମଧ୍ୟ ରାଜାଙ୍କୁ ଦେଖି ମୋହିତ ହୋଇ ଯାଇଥିଲା |

ନ ବିଦାମ ବୟଂ ସମ୍ୟକ୍କର୍ତାରଂ ପୁରୁଷର୍ଷଭ ।

ଆତ୍ମନଶ୍ଚ ପରସ୍ୟାପି ଗୋତ୍ରଂ ନାମ ଚ ଯତ୍କୃତମ୍ ॥ ୩୩॥

ସେ କହିଲା – ହେ ନରଶ୍ରେଷ୍ଠ ! ମୋ ଜନ୍ମଦାତାଙ୍କ ବିଷୟରେ ମୋର ସଠିକ୍ ଜ୍ଞାନ ନାହିଁ କି ମୁଁ ନିଜର ଅଥବା ଅନ୍ୟମାନଙ୍କର ନାମ-ଗୋତ୍ର ବିଷୟରେ କିଛି ଜାଣେ ନାହିଁ |

ଇହାଦ୍ୟ ସନ୍ତମାତ୍ମାନଂ ବିଦାମ ନ ତତଃ ପରମ୍ ।

ଯେନେୟଂ ନିର୍ମିତା ବୀର ପୁରୀ ଶରଣମାତ୍ମନଃ ॥ ୩୪॥

ବୀରବର ! ଆଜି ଆମେସବୁ ଏହି ପୁରୀରେ ଅଛୁ – ଏହା ବ୍ୟତିତ ମୁଁ ଆଉ କିଛି ଜାଣି ନାହିଁ; ଆମ୍ଭମାନଙ୍କର ରହିବା ପାଇଁ ଏହି ପୁରୀର ନିର୍ମାଣ କିଏ କରିଛି, ତାହା ମଧ୍ୟ ମୋତେ ଜଣାନାହିଁ |

ଏତେ ସଖାୟଃ ସଖ୍ୟୋ ମେ ନରା ନାର୍ୟଶ୍ଚ ମାନଦ ।

ସୁପ୍ତାୟାଂ ମୟି ଜାଗର୍ତି ନାଗୋଽୟଂ ପାଲୟନ୍ ପୁରୀମ୍ ॥ ୩୫॥

ପ୍ରିୟବର ! ଏହି ପୁରୁଷ ମୋର ସଖା ଏବଂ ଏହି ସ୍ତ୍ରୀମାନେ ମୋର ସହଚରୀ ଅଟନ୍ତି ତଥା ଯେତେବେଳେ ମୁଁ ଶୋଇଯାଏ, ଏହି ସର୍ପ ଜାଗ୍ରତ ରହି ପୁରୀର ରକ୍ଷା କରିଥାଏ |

ଦିଷ୍ଟ୍ୟାଽଽଗତୋଽସି ଭଦ୍ରଂ ତେ ଗ୍ରାମ୍ୟାନ୍ କାମାନଭୀପ୍ସସେ ।

ଉଦ୍ୱହିଷ୍ୟାମି ତାଂସ୍ତେଽହଂ ସ୍ୱବନ୍ଧୁଭିରରିନ୍ଦମ ॥ ୩୬॥

ହେ ଶତ୍ରୁଦମନ ! ଆପଣ ଏଠାକୁ ଆସିଛନ୍ତି, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଅଟେ | ଆପଣଙ୍କର ମଙ୍ଗଳ ହେଉ | ଆପଣଙ୍କର ବିଷୟ-ଭୋଗର ଇଚ୍ଛା ରହିଛି; ତାହାର ପୂର୍ତ୍ତି ନିମନ୍ତେ ମୁଁ ନିଜ ସହଚରୀମାନଙ୍କ ସହିତ ସବୁ ପ୍ରକାରର ଭୋଗ ପ୍ରସ୍ତୁତ କରିବି |

ଇମାଂ ତ୍ୱମଧିତିଷ୍ଠସ୍ୱ ପୁରୀଂ ନବମୁଖୀଂ ବିଭୋ ।

ମୟୋପନୀତାନ୍ ଗୃହ୍ଣାନଃ କାମଭୋଗାନ୍ ଶତଂ ସମାଃ ॥ ୩୭॥

ପ୍ରଭୁ ! ନବଦ୍ବାରଯୁକ୍ତ ଏହି ପୁରୀରେ ମୋ ଦ୍ବାରା ପ୍ରସ୍ତୁତ ଇପ୍ସିତ ଭୋଗଦ୍ରବ୍ୟ ସେବନ କରି ଆପଣ ଶହ-ଶହ ବର୍ଷ ଏଠାରେ ନିବାସ କରନ୍ତୁ |

କଂ ନୁ ତ୍ୱଦନ୍ୟଂ ରମୟେ ହ୍ୟରତିଜ୍ଞମକୋବିଦମ୍ ।

ଅସମ୍ପରାୟାଭିମୁଖମଶ୍ୱସ୍ତନବିଦଂ ପଶୁମ୍ ॥ ୩୮॥

ଆପଣଙ୍କ ବ୍ୟତିତ ମୁଁ ଭଲା ଆଉ କାହା ସହିତ ରମଣ କରିବି ? ଅନ୍ୟମାନେ ତ ରତି ସୁଖକୁ ଜାଣନ୍ତି ନାହିଁ କି ବିହିତ ଭୋଗକୁ ମଧ୍ୟ ଭୋଗ କରନ୍ତି ନାହିଁ; ସେମାନେ ପରଲୋକର ବିଚାର କରନ୍ତି ନାହିଁ କି କାଲି କଣ ହେବ ତାହା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ; ଅତଏବ ପଶୁତୁଲ୍ୟ ଅଟନ୍ତି |

ଧର୍ମୋ ହ୍ୟତ୍ରାର୍ଥକାମୌ ଚ ପ୍ରଜାନନ୍ଦୋଽମୃତଂ ଯଶଃ ।

ଲୋକା ବିଶୋକା ବିରଜା ଯାନ୍ନ କେବଲିନୋ ବିଦୁଃ ॥ ୩୯॥

ଆହା ! ଏହି ଲୋକରେ ଗୃହସ୍ଥାଶ୍ରମରେ ହିଁ ଧର୍ମ, ଅର୍ଥ, କାମ, ସନ୍ତାନ-ସୁଖ, ମୋକ୍ଷ, ସୁଯଶ ଏବଂ ସ୍ବର୍ଗାଦି ଦିବ୍ୟ ଲୋକର ପ୍ରାପ୍ତି ହୋଇପାରେ | ସଂସାରତ୍ୟାଗୀ ଯତିମାନେ ତ ସେହି ସବୁର କଳ୍ପନା ସୁଦ୍ଧା କରିପାରନ୍ତି ନାହିଁ |

ପିତୃଦେବର୍ଷିମର୍ତ୍ୟାନାଂ ଭୂତାନାମାତ୍ମନଶ୍ଚ ହ ।

କ୍ଷେମ୍ୟଂ ବଦନ୍ତି ଶରଣଂ ଭବେଽସ୍ମିନ୍ ଯଦ୍ଗୃହାଶ୍ରମଃ ॥ ୪୦॥

ମହାପୁରୁଷମାନଙ୍କର କଥନାନୁସାରେ ଏହି ଲୋକରେ ପିତର, ଦେବତା, ଋଷି, ମନୁଷ୍ୟ ତଥା ସମ୍ପୂର୍ଣ୍ଣ ପ୍ରାଣୀସମୁଦାୟ ଏବଂ ନିଜର ମଧ୍ୟ କଲ୍ୟାଣର ଆଶ୍ରୟ ଏକମାତ୍ର ଗୃହସ୍ଥାଶ୍ରମ ହିଁ ଅଟେ |

କା ନାମ ବୀର ବିଖ୍ୟାତଂ ବଦାନ୍ୟଂ ପ୍ରିୟଦର୍ଶନମ୍ ।

ନ ବୃଣୀତ ପ୍ରିୟଂ ପ୍ରାପ୍ତଂ ମାଦୃଶୀ ତ୍ୱାଦୃଶଂ ପତିମ୍ ॥ ୪୧॥

ହେ ବୀରଶିରୋମଣି ! ସଂସାରରେ ଏପରି କେଉଁ ସ୍ତ୍ରୀ ଥିବ ଯିଏ ସ୍ବତଃ ପ୍ରାପ୍ତ ଆପଣଙ୍କ ପରି ସୁପ୍ରସିଦ୍ଧ, ଉଦାରଚିତ୍ତ ଏବଂ ସୁନ୍ଦର ପତିଙ୍କୁ ବରଣ ନ କରିବ |

କସ୍ୟା ମନସ୍ତେ ଭୁବି ଭୋଗିଭୋଗୟୋଃ

ସ୍ତ୍ରିୟା ନ ସଜ୍ଜେଦ୍ଭୁଜୟୋର୍ମହାଭୁଜ ।

ଯୋଽନାଥବର୍ଗାଧିମଲଂ ଘୃଣୋଦ୍ଧତ-

ସ୍ମିତାବଲୋକେନ ଚରତ୍ୟପୋହିତୁମ୍ ॥ ୪୨॥

ହେ ମହାବାହୁ ! ଏହି ପୃଥିବୀରେ ଆପଣଙ୍କର ସର୍ପ-ସଦୃଶ ଗୋଲାକାର ସୁକୋମଳ ଭୁଜରେ ସ୍ଥାନ ପାଇବାକୁ କେଉଁ କାମିନୀର ଚିତ୍ତ ଲାଳାୟିତ ନ ହେବ ? ଆପଣ ତ ମଧୁର ସ୍ମିତହାସ୍ୟଯୁକ୍ତ କରୁଣାପୂର୍ଣ୍ଣ ଦୃଷ୍ଟିରେ ଆମ୍ଭମାନଙ୍କ ପରି ଅନାଥମାନଙ୍କର ମାନସିକ ସନ୍ତାପକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ହିଁ ପୃଥିବୀରେ ବିଚରଣ କରୁଛନ୍ତି |’

ନାରଦ ଉବାଚ

ଇତି ତୌ ଦମ୍ପତୀ ତତ୍ର ସମୁଦ୍ୟ ସମୟଂ ମିଥଃ ।

ତାଂ ପ୍ରବିଶ୍ୟ ପୁରୀଂ ରାଜନ୍ ମୁମୁଦାତେ ଶତଂ ସମାଃ ॥ ୪୩॥

ଦେବର୍ଷି ନାରଦ ପୁନର୍ବାର କହିଲେ - ହେ ରାଜନ୍ ! ଏହି ସ୍ତ୍ରୀ-ପୁରୁଷ ଦୁହେଁ ଏହିପରି ଭାବରେ ପରସ୍ପରର କଥାକୁ ସମର୍ଥନ କରି ଶହେ ବର୍ଷଯାଏଁ ସେହି ପୁରୀରେ ରହି ଆନନ୍ଦ ଭୋଗ କଲେ |

ଉପଗୀୟମାନୋ ଲଲିତଂ ତତ୍ର ତତ୍ର ଚ ଗାୟକୈଃ ।

କ୍ରୀଡନ୍ ପରିବୃତଃ ସ୍ତ୍ରୀଭିର୍ହ୍ରଦିନୀମାବିଶଚ୍ଛୁଚୌ ॥ ୪୪॥

ଗାୟକମାନେ ସୁମଧୁର ସ୍ବରରେ ଯେଉଁଠି-ସେଇଠି ରାଜା ପୁରଞ୍ଜନଙ୍କର କୀର୍ତ୍ତି ଗାନ କରୁଥିଲେ | ଗ୍ରୀଷ୍ମଋତୁର ଆଗମନ ହେଲେ, ସେ ଅନେକାନେକ ସ୍ତ୍ରୀମାନଙ୍କ ସହିତ ସରୋବରରେ ପ୍ରବେଶ କରି ଜଳକ୍ରୀଡା କରୁଥିଲେ |

ସପ୍ତୋପରି କୃତା ଦ୍ୱାରଃ ପୁରସ୍ତସ୍ୟାସ୍ତୁ ଦ୍ୱେ ଅଧଃ ।

ପୃଥଗ୍ୱିଷୟଗତ୍ୟର୍ଥଂ ତସ୍ୟାଂ ଯଃ କଶ୍ଚନେଶ୍ୱରଃ ॥ ୪୫॥

ସେହି ନଗରରେ ଯେଉଁ ନବ ଦ୍ବାର ଥିଲା, ତନ୍ମଧ୍ୟରୁ ସାତଟି ଦ୍ବାର ନଗରୀର ଉପର ଭାଗରେ ଏବଂ ଦୁଇଟି ଦ୍ବାର ନିମ୍ନ ଭାଗରେ ଥିଲା | ସେହି ନଗରର ଯିଏ ବି ରାଜା ହେଉଥିଲା, ସେ ପୃଥକ୍ ପୃଥକ୍ ଦିଶାରେ ଯାତ୍ରା କରିବା ପାଇଁ ଏହି ସବୁ ଦ୍ବାର ନିର୍ମାଣ କରାଯାଇ ଥିଲା |

ପଞ୍ଚଦ୍ୱାରସ୍ତୁ ପୌରସ୍ତ୍ୟା ଦକ୍ଷିଣୈକା ତଥୋତ୍ତରା ।

ପଶ୍ଚିମେ ଦ୍ୱେ ଅମୂଷାଂ ତେ ନାମାନି ନୃପ ବର୍ଣୟେ ॥ ୪୬॥

ରାଜନ୍ ! ତନ୍ମଧ୍ୟରୁ ପାଞ୍ଚଟି ପୂର୍ବ, ଗୋଟିଏ ଦକ୍ଷିଣ, ଗୋଟିଏ ଉତ୍ତର ଏବଂ ଦୁଇଟି ପଶ୍ଚିମ ଦିଗ ଅଭିମୁଖୀ ଥିଲା | ସେମାନଙ୍କର ନାମ ବର୍ଣ୍ଣନା କରୁଛି, ଶୁଣ |

ଖଦ୍ୟୋତାବିର୍ମୁଖୀ ଚ ପ୍ରାଗ୍ଦ୍ୱାରାବେକତ୍ର ନିର୍ମିତେ ।

ବିଭ୍ରାଜିତଂ ଜନପଦଂ ଯାତି ତାଭ୍ୟାଂ ଦ୍ୟୁମତ୍ସଖଃ ॥ ୪୭॥

ପୂର୍ବ ଦିଗକୁ ଖଦ୍ୟୋତା ଏବଂ ଆବିର୍ମୁଖୀ ନାମରେ ଦୁଇଟି ଦ୍ବାର ଗୋଟିଏ ସ୍ଥାନରେ ଥିଲା | ସେହି ଦ୍ବାର ମଧ୍ୟ ଦେଇ ରାଜା ପୁରଞ୍ଜନ ନିଜ ମିତ୍ର ଦ୍ୟୁମାନଙ୍କ ସହ ବିଭ୍ରାଜିତ ନାମକ ଦେଶକୁ ଯାତ୍ରା କରୁଥିଲେ |

ନଲିନୀ ନାଲିନୀ ଚ ପ୍ରାଗ୍ଦ୍ୱାରାବେକତ୍ର ନିର୍ମିତେ ।

ଅବଧୂତସଖସ୍ତାଭ୍ୟାଂ ବିଷୟଂ ଯାତି ସୌରଭମ୍ ॥ ୪୮॥

ସେହି ଦିଗରେ ନଳିନୀ ଏବଂ ନାଳିନୀ ନାମରେ ଅନ୍ୟ ଦୁଇଟି ଦ୍ବାର ମଧ୍ୟ ଏକ ସ୍ଥାନରେ ରହିଥିଲେ, ଯାହା ମଧ୍ୟ ଦେଇ ସେ ଅବଧୂତଙ୍କ ସହିତ ସୌରଭ ନାମକ ଦେଶକୁ ଯାତ୍ରା କରୁଥିଲେ |

ମୁଖ୍ୟା ନାମ ପୁରସ୍ତାଦ୍ଦ୍ୱାସ୍ତୟାପଣବହୂଦନୌ ।

ବିଷୟୌ ଯାତି ପୁରରାଡ୍ରସଜ୍ଞବିପଣାନ୍ୱିତଃ ॥ ୪୯॥

ପୂର୍ବ ଦିଗରେ ମୁଖ୍ୟ ନାମକ ଯେଉଁ ପଞ୍ଚମ ଦ୍ବାର ଥିଲା, ତାହା ମଧ୍ୟ ଦେଇ ସେ ରସଜ୍ଞ ଏବଂ ବିପଣଙ୍କ ସହିତ କ୍ରମଶଃ ବହୂଦନ ଏବଂ ଆପଣ ନାମକ ଦେଶକୁ ଯାଉଥିଲେ |

ପିତୃହୂର୍ନୃପ ପୁର୍ୟା ଦ୍ୱାର୍ଦକ୍ଷିଣେନ ପୁରଞ୍ଜନଃ ।

ରାଷ୍ଟ୍ରଂ ଦକ୍ଷିଣପଞ୍ଚାଲଂ ଯାତି ଶ୍ରୁତଧରାନ୍ୱିତଃ ॥ ୫୦॥

ନଗରୀର ଦକ୍ଷିଣ ଦିଶାରେ ପିତୃହୂ ନାମକ ଯେଉଁ ଦ୍ବାର ଥିଲା, ତାହା ମଧ୍ୟ ଦେଇ ରାଜା ପୁରଞ୍ଜନ ଶ୍ରୁତଧରଙ୍କ ସହିତ ଦକ୍ଷିଣପାଞ୍ଚାଳ ଦେଶକୁ ଯାତ୍ରା କରୁଥିଲେ |

ଦେବହୂର୍ନାମ ପୁର୍ୟା ଦ୍ୱା ଉତ୍ତରେଣ ପୁରଞ୍ଜନଃ ।

ରାଷ୍ଟ୍ରମୁତ୍ତରପଞ୍ଚାଲଂ ଯାତି ଶ୍ରୁତଧରାନ୍ୱିତଃ ॥ ୫୧॥

ଉତ୍ତର ଦିଶା ଅଭିମୁଖରେ ଯେଉଁ ଦେବହୂ ନାମକ ଦ୍ବାର ଥିଲା, ତନ୍ମଧ୍ୟ ଦେଇ ସେ ଶ୍ରୁତଧରଙ୍କ ସହିତ ହିଁ ଉତ୍ତରପାଞ୍ଚାଳ ଦେଶକୁ ଯାଉଥିଲେ |

ଆସୁରୀ ନାମ ପଶ୍ଚାଦ୍ଦ୍ୱାସ୍ତୟା ଯାତି ପୁରଞ୍ଜନଃ ।

ଗ୍ରାମକଂ ନାମ ବିଷୟଂ ଦୁର୍ମଦେନ ସମନ୍ୱିତଃ ॥ ୫୨॥

ପଶ୍ଚିମ ଦିଗରେ ଆସୁରୀ ନାମକ ଦ୍ବାର ଦେଇ ସେ ଦୁର୍ମଦଙ୍କ ସହିତ ଗ୍ରାମକ ଦେଶକୁ ଯାଉଥିଲେ |

ନିରୃତିର୍ନାମ ପଶ୍ଚାଦ୍ଦ୍ୱାସ୍ତୟା ଯାତି ପୁରଞ୍ଜନଃ ।

ବୈଶସଂ ନାମ ବିଷୟଂ ଲୁବ୍ଧକେନ ସମନ୍ୱିତଃ ॥ ୫୩॥

ତଥା ନିଋତି ନାମକ ପଶ୍ଚିମ ଦିଗର ଅନ୍ୟ ଦ୍ବାର ଦେଇ ସେ ଲୁବ୍ଧକଙ୍କ ସହିତ ବୈଶସ ନାମକ ଦେଶକୁ ଯାତ୍ରା କରୁଥିଲେ |

ଅନ୍ଧାବମୀଷାଂ ପୌରାଣାଂ ନିର୍ୱାକ୍ପେଶସ୍କୃତାବୁଭୌ ।

ଅକ୍ଷଣ୍ୱତାମଧିପତିସ୍ତାଭ୍ୟାଂ ଯାତି କରୋତି ଚ ॥ ୫୪॥

ସେହି ନଗରର ନିବାସୀମାନଙ୍କ ମଧ୍ୟରେ ନିର୍ବାକ୍ ଏବଂ ପେଶସ୍କୃତ୍ – ଏହି ଦୁଇ ନାଗରିକ ଅନ୍ଧ ଥିଲେ | ରାଜା ପୁରଞ୍ଜନ ଚକ୍ଷୁଷ୍ମାନ୍ ନାଗରିକମାନଙ୍କର ଅଧିପତି ହୋଇଥିଲେ ବି ସେହି ଦୁହିଁଙ୍କ ସହାୟତାରେ ଏଣେତେଣେ ଯାଉଥିଲେ ଏବଂ ସବୁ ପ୍ରକାରର କାର୍ଯ୍ୟ କରୁଥିଲେ |

ସ ଯର୍ହ୍ୟନ୍ତଃପୁରଗତୋ ବିଷୂଚୀନସମନ୍ୱିତଃ ।

ମୋହଂ ପ୍ରସାଦଂ ହର୍ଷଂ ବା ଯାତି ଜାୟାଽଽତ୍ମଜୋଦ୍ଭବମ୍ ॥ ୫୫॥

ନିଜର ପ୍ରଧାନ ସେବକ ବିଷୁଚୀନଙ୍କ ସହିତ ସେ ଯେତେବେଳେ ଅନ୍ତଃପୁରକୁ ଯାଉଥିଲେ, ସେତେବେଳେ ସ୍ତ୍ରୀ-ପୁତ୍ର ମୋହରେ ସେ ପ୍ରସନ୍ନତା ଏବଂ ହର୍ଷ ଆଦି ବିକାର ଅନୁଭବ କରୁଥିଲେ |

ଏବଂ କର୍ମସୁ ସଂସକ୍ତଃ କାମାତ୍ମା ବଞ୍ଚିତୋଽବୁଧଃ ।

ମହିଷୀ ଯଦ୍ୟଦୀହେତ ତତ୍ତଦେବାନ୍ୱବର୍ତତ ॥ ୫୬॥

ତା’ର ଚିତ୍ତ ଅନେକ ପ୍ରକାରର କର୍ମରେ ଛନ୍ଦି ହୋଇ ଯାଇଥିଲା ଏବଂ କାମ-ପରବଶ ହୋଇଥିବା କାରଣରୁ ସେହି ମୂଢ଼ ରମଣୀମାନଙ୍କ ଦ୍ବାରା ଠକି ଯାଉଥିଲା | ରାଣୀ ଯାହା କରୁଥିଲା, ସେ ମଧ୍ୟ ତାହା କରିବାରେ ଲାଗୁଥିଲା |

କ୍ୱଚିତ୍ପିବନ୍ତ୍ୟାଂ ପିବତି ମଦିରାଂ ମଦବିହ୍ୱଲଃ ।

ଅଶ୍ନନ୍ତ୍ୟାଂ କ୍ୱଚିଦଶ୍ନାତି ଜକ୍ଷତ୍ୟାଂ ସହ ଜକ୍ଷିତି ॥ ୫୭॥

ଯେତେବେଳେ ସ୍ତ୍ରୀ ମଦ୍ୟପାନ କରେ, ସେତେବେଳେ ସେ ମଦ୍ୟପାନ କରି ଉନ୍ମତ୍ତ ହୋଇଯାଏ; ଯେତେବେଳେ ସ୍ତ୍ରୀ ଭୋଜନ କରେ, ସେ ମଧ୍ୟ ଭୋଜନ କରିବାରେ ଲାଗିଯାଏ ଏବଂ ଯେତେବେଳେ ସେହି ସ୍ତ୍ରୀ କିଛି ଚର୍ବଣ କରୁଥିଲା, ସେ ବି ସେହି ବସ୍ତୁ ଚର୍ବଣ କରୁଥିଲା |

କ୍ୱଚିଦ୍ଗାୟତି ଗାୟନ୍ତ୍ୟାଂ ରୁଦତ୍ୟାଂ ରୁଦତି କ୍ୱଚିତ୍ ।

କ୍ୱଚିଦ୍ଧସନ୍ତ୍ୟାଂ ହସତି ଜଲ୍ପନ୍ତ୍ୟାମନୁ ଜଲ୍ପତି ॥ ୫୮॥

ଏହିପରି ଭାବରେ କେତେବେଳେ ସେ ଗାଇଲେ ଇଏ ଗାଇବାରେ ଲାଗୁଥିଲା ତ ସେ କାନ୍ଦିଲେ ଇଏ କାନ୍ଦିଵାରେ ଲାଗୁଥିଲା; ସେ ହସିଲେ ଇଏ ହସିବାରେ ଲାଗୁଥିଲା ତ ସେ କହିଲେ ଇଏ ମଧ୍ୟ କହିବାରେ ଲାଗୁଥିଲା |

କ୍ୱଚିଦ୍ଧାବତି ଧାବନ୍ତ୍ୟାଂ ତିଷ୍ଠନ୍ତ୍ୟାମନୁ ତିଷ୍ଠତି ।

ଅନୁ ଶେତେ ଶୟାନାୟାମନ୍ୱାସ୍ତେ କ୍ୱଚିଦାସତୀମ୍ ॥ ୫୯॥

ସେ ଧାଇଁଲେ ଇଏ ବି ଧାଉଁଥିଲା, ସେ ଠିଆ ହେଲେ ଇଏ ଠିଆ ହେଉଥିଲା, ସେ ଶୋଇଲେ ଇଏ ବି ତା ସହିତ ଶୋଇ ଯାଉଥିଲା ଏବଂ ସେ ବସିଲେ ଇଏ ବସି ଯାଉଥିଲା |

କ୍ୱଚିଚ୍ଛୃଣୋତି ଶୃଣ୍ୱନ୍ତ୍ୟାଂ ପଶ୍ୟନ୍ତ୍ୟାମନୁ ପଶ୍ୟତି ।

କ୍ୱଚିଜ୍ଜିଘ୍ରତି ଜିଘ୍ରନ୍ତ୍ୟାଂ ସ୍ପୃଶନ୍ତ୍ୟାଂ ସ୍ପୃଶତି କ୍ୱଚିତ୍ ॥ ୬୦॥

ସେ ଶୁଣିଲେ ଇଏ ଶୁଣୁଥିଲା, ସେ ଦେଖିଲେ ଇଏ ଦେଖୁଥିଲା, ସେ ଶୁଂଘିଲେ ଇଏ ଶୁଂଘୁଥିଲା ଏବଂ ସେ କୌଣସି ବସ୍ତୁକୁ ସ୍ପର୍ଶ କଲେ ଇଏ ମଧ୍ୟ ତାହାକୁ ସ୍ପର୍ଶ କରୁଥିଲା |

କ୍ୱଚିଚ୍ଚ ଶୋଚତୀଂ ଜାୟାମନୁ ଶୋଚତି ଦୀନବତ୍ ।

ଅନୁ ହୃଷ୍ୟତି ହୃଷ୍ୟନ୍ତ୍ୟାଂ ମୁଦିତାମନୁ ମୋଦତେ ॥ ୬୧॥

କେତେବେଳେ ପ୍ରିୟା ଶୋକାକୁଳ ହେଲେ ଇଏ ମଧ୍ୟ ଅତ୍ୟନ୍ତ ଦୀନ ଭାବରେ ବ୍ୟାକୁଳ ହୋଇ ଉଠୁଥିଲା, ସେ ପ୍ରସନ୍ନ ହେଲେ ଇଏ ପ୍ରସନ୍ନ ହୋଇ ଯାଉଥିଲା ଏବଂ ସେ ଆନନ୍ଦିତ ହେଲେ ଇଏ ମଧ୍ୟ ଆନନ୍ଦିତ ହେଉଥିଲା |

ବିପ୍ରଲବ୍ଧୋ ମହିଷ୍ୟୈବଂ ସର୍ୱପ୍ରକୃତିବଞ୍ଚିତଃ ।

ନେଚ୍ଛନ୍ନନୁକରୋତ୍ୟଜ୍ଞଃ କ୍ଲୈବ୍ୟାତ୍କ୍ରୀଡାମୃଗୋ ଯଥା ॥ ୬୨॥

ଏହିପରି ଭାବରେ ରାଜା ପୁରଞ୍ଜନ ନିଜ ସୁନ୍ଦରୀ ରାଣୀର ବଶୀଭୂତ ରହିଥିଲା | ସାରା ପ୍ରକୃତିବର୍ଗ – ପରିକର ହିଁ ତାକୁ ଧୋଖା ଦେବାରେ ଲାଗିଥିଲେ ଏବଂ ସେହି ମୂର୍ଖ ଇଚ୍ଛା ନ ଥିଲେ ବି ବିବଶ ହୋଇ ଗୃହପାଳିତ ବାନର ପରି ତାର ଅନୁକରଣ କରିବାରେ ଲାଗିଥିଲା |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ପଞ୍ଚବିଂଶୋଽଧ୍ୟାୟଃ ॥ ୨୫॥

Comments

Popular posts from this blog