ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ॥

ଷଡବିଂଶ ଅଧ୍ୟାୟ

ରାଜା ପୁରଞ୍ଜନ ଶିକାର କରିବାକୁ ବଣକୁ ଯିବା ଏବଂ ରାଣୀ କୁପିତ ହେବା

 

ନାରଦ ଉବାଚ

ସ ଏକଦା ମହେଷ୍ୱାସୋ ରଥଂ ପଞ୍ଚାଶ୍ୱମାଶୁଗମ୍ ।

ଦ୍ୱୀଷଂ ଦ୍ୱିଚକ୍ରମେକାକ୍ଷଂ ତ୍ରିବେଣୁଂ ପଞ୍ଚବନ୍ଧୁରମ୍ ॥ ୧॥

ଏକରଶ୍ମ୍ୟେକଦମନମେକନୀଡଂ ଦ୍ୱିକୂବରମ୍ ।

ପଞ୍ଚପ୍ରହରଣଂ ସପ୍ତବରୂଥଂ ପଞ୍ଚବିକ୍ରମମ୍ ॥ ୨॥

ହୈମୋପସ୍କରମାରୁହ୍ୟ ସ୍ୱର୍ଣବର୍ମାକ୍ଷୟେଷୁଧିଃ ।

ଏକାଦଶଚମୂନାଥଃ ପଞ୍ଚପ୍ରସ୍ଥମଗାଦ୍ୱନମ୍ ॥ ୩॥

ଦେବର୍ଷି ନାରଦ କହୁଛନ୍ତି – ରାଜନ୍ ! ଦିନେ ରାଜା ପୁରଞ୍ଜନ ନିଜର ବିଶାଳ ଧନୁଷ, ସୁବର୍ଣ୍ଣ କବଚ ଏବଂ ଅକ୍ଷୟ ତୁଣୀର ଧାରଣ କରି ନିଜ ଏକାଦଶତମ ସେନାପତିଙ୍କ ସହିତ ପଞ୍ଚଅଶ୍ବଯୁକ୍ତ ଦ୍ରୁତଗାମୀ ରଥରେ ବସି ପଞ୍ଚପ୍ରସ୍ଥ ନାମକ ବଣକୁ ଗଲେ | ସେହି ରଥରେ ଦୁଇଟି ଈଷାଦଣ୍ଡ, ଦୁଇଟି ଚକ, ଗୋଟିଏ ଧୁରୀ, ତିନୋଟି ଧ୍ବଜଦଣ୍ଡ, ପାଞ୍ଚଟି ଡୋରି, ଗୋଟିଏ ଲଗାମ, ଜଣେ ସାରଥୀ, ଗୋଟିଏ ବସିବା ସ୍ଥାନ, ଦୁଇଟି ଜୁଆଳି, ପାଞ୍ଚଟି ଆୟୁଧ ଏବଂ ସାତ ଆବରଣ ଥିଲା | ତାହା ପାଞ୍ଚ ପ୍ରକାରର ଗତିରେ ଚାଲୁଥିଲା ଏବଂ ତାହାର ସମସ୍ତ ସାଜ-ବାଜ ସୁନେଲୀ ଥିଲା |

ଚଚାର ମୃଗୟାଂ ତତ୍ର ଦୃପ୍ତ ଆତ୍ତେଷୁକାର୍ମୁକଃ ।

ବିହାୟ ଜାୟାମତଦର୍ହାଂ ମୃଗବ୍ୟସନଲାଲସଃ ॥ ୪॥

ରାଜାଙ୍କ ପାଇଁ ଯଦିଓ କ୍ଷଣକାଳ ନିଜ ପ୍ରିୟାଠାରୁ ଦୂରରେ ରହିବା କଠିନ ଥିଲା, ତଥାପି ସେଦିନ ତାଙ୍କୁ ଶିକାରର ଏପରି ସଉକ ହୋଇଥିଲା ଯେ କାହାର ପରବାହ ନ କରି ଗର୍ବର ସହିତ ଧନୁ-ଶର ଉଠାଇ ବଣକୁ ଚାଲିଗଲେ |

ଆସୁରୀଂ ବୃତ୍ତିମାଶ୍ରିତ୍ୟ ଘୋରାତ୍ମା ନିରନୁଗ୍ରହଃ ।

ନ୍ୟହନନ୍ନିଶିତୈର୍ବାଣୈର୍ୱନେଷୁ ବନଗୋଚରାନ୍ ॥ ୫॥

ସେହି ସମୟରେ ଆସୁରୀବୃତ୍ତି ବୃଦ୍ଧି ଲାଭ କରିଥିବା କାରଣରୁ ତାଙ୍କର ଚିତ୍ତ ଅତ୍ୟନ୍ତ କଠୋର ଏବଂ ଦୟାଶୂନ୍ୟ ହୋଇ ଯାଇଥିଲା | ସେଥିପାଇଁ ସେ ନିଜ ତୀକ୍ଷ୍ଣ ବାଣରେ ବହୁ ନିର୍ଦ୍ଦୋଷ ଜଙ୍ଗଲୀ ପଶୁଙ୍କୁ ବଧ କଲେ |

ତୀର୍ଥେଷୁ ପ୍ରତିଦୃଷ୍ଟେଷୁ ରାଜା ମେଧ୍ୟାନ୍ ପଶୂନ୍ ବନେ ।

ଯାବଦର୍ଥମଲଂ ଲୁବ୍ଧୋ ହନ୍ୟାଦିତି ନିୟମ୍ୟତେ ॥ ୬॥

ଯାହାର ମାଂସରେ ବହୁତ ଆସକ୍ତି ଥାଏ, ସେହି ରାଜା କେବଳ ଶାସ୍ତ୍ରନିର୍ଦ୍ଦେଶିତ କର୍ମ ନିମନ୍ତେ ବଣକୁ ଯାଇ ଆବଶ୍ୟକତା ଅନୁସାରେ ଅନିଷିଦ୍ଧ ପଶୁମାନଙ୍କୁ ବଧ କରିବ; ବୃଥା ପଶୁ-ହିଂସା କରିବ ନାହିଁ | ଶାସ୍ତ୍ର ଏହିପରି ଭାବରେ ଏହି ଉଚ୍ଛ୍ରୁଂଖଳ ପ୍ରବୃତ୍ତିକୁ ନିୟନ୍ତ୍ରିତ କରିଥାଏ |

ଯ ଏବଂ କର୍ମ ନିୟତଂ ବିଦ୍ୱାନ୍ କୁର୍ୱୀତ ମାନବଃ ।

କର୍ମଣା ତେନ ରାଜେନ୍ଦ୍ର ଜ୍ଞାନେନ ନ ସ ଲିପ୍ୟତେ ॥ ୭॥

ରାଜନ୍ ! ଯେଉଁ ବିଦ୍ବାନ ଏହିରୂପେ ଶାସ୍ତ୍ରନିୟତ କର୍ମର ଆଚରଣ କରନ୍ତି, ସେ ସେହି କର୍ମାନୁଷ୍ଠାନରୁ ପ୍ରାପ୍ତ ଜ୍ଞାନର କାରଣଭୂତ କର୍ମରେ ଲିପ୍ତ ହୁଅନ୍ତି ନାହିଁ |

ଅନ୍ୟଥା କର୍ମ କୁର୍ୱାଣୋ ମାନାରୂଢୋ ନିବଧ୍ୟତେ ।

ଗୁଣପ୍ରବାହପତିତୋ ନଷ୍ଟପ୍ରଜ୍ଞୋ ବ୍ରଜତ୍ୟଧଃ ॥ ୮॥

ନଚେତ୍, ମନଇଚ୍ଛା କର୍ମ କରିବା ଦ୍ବାରା ମନୁଷ୍ୟ ଅଭିମାନରେ ବଶୀଭୂତ ହୋଇ କର୍ମରେ ବାନ୍ଧି ହୋଇଯାଏ ତଥା ଗୁଣପ୍ରବାହରୂପ ସଂସାରଚକ୍ରରେ ପଡି ବିବେକ-ବୁଦ୍ଧି ନଷ୍ଟ ହୋଇଯିବା କାରଣରୁ ଅଧମ ଯୋନିରେ ଜନ୍ମ ଗ୍ରହଣ କରେ |

ତତ୍ର ନିର୍ଭିନ୍ନଗାତ୍ରାଣାଂ ଚିତ୍ରବାଜୈଃ ଶିଲୀମୁଖୈଃ ।

ବିପ୍ଲବୋଽଭୂଦ୍ଦୁଃଖିତାନାଂ ଦୁଃସହଃ କରୁଣାତ୍ମନାମ୍ ॥ ୯॥

ପୁରଞ୍ଜନର ଭିନ୍ନ ଭିନ୍ନ ପକ୍ଷଯୁକ୍ତ ବାଣରେ କ୍ଷତ-ବିକ୍ଷତ ହୋଇ ଅନେକ ଜୀବ ବହୁ କଷ୍ଟରେ ପ୍ରାଣତ୍ୟାଗ କଲେ | ତାର ସେହି ନିର୍ଦୟତାପୂର୍ଣ୍ଣ ଜୀବ-ସଂହାର ଦେଖି ସବୁ ଦୟାଳୁ ପୁରୁଷ ବହୁତ ଦୁଃଖିତ ହେଲେ | ସେମାନେ ତାହା ସହ୍ୟ କରିପାରିଲେ ନାହିଁ |

ଶଶାନ୍ ବରାହାନ୍ ମହିଷାନ୍ ଗବୟାନ୍ ରୁରୁଶଲ୍ୟକାନ୍ ।

ମେଧ୍ୟାନନ୍ୟାଂଶ୍ଚ ବିବିଧାନ୍ ବିନିଘ୍ନନ୍ ଶ୍ରମମଧ୍ୟଗାତ୍ ॥ ୧୦॥

ଏହିପରି ଭାବରେ ସେଠାରେ ଠେକୁଆ, ଶୂକର, ମଇଁଷି, ନୀଳଗାଈ, କୃଷ୍ଣମୃଗ, ହରିଣ ତଥା ଆହୁରି ଅନେକ ମେଧ୍ୟ ପଶୁମାନଙ୍କର ବଧ କରି ରାଜା ପୁରଞ୍ଜନ ବହୁତ ଥକିଗଲା |

ତତଃ କ୍ଷୁତ୍ତୃଟ୍ପରିଶ୍ରାନ୍ତୋ ନିବୃତ୍ତୋ ଗୃହମେୟିବାନ୍ ।

କୃତସ୍ନାନୋଚିତାହାରଃ ସମ୍ବିବେଶ ଗତକ୍ଲମଃ ॥ ୧୧॥

ଭୋକ-ଶୋଷରେ ଅତ୍ୟନ୍ତ ଶିଥିଳ ହୋଇ ସେ ବଣରୁ ରାଜମହଲକୁ ଫେରି ଆସିଲା | ସେଠାରେ ସେ ଯଥାଯୋଗ୍ୟ ରୀତିରେ ସ୍ନାନ-ଭୋଜନ ଆଦି ସମାପନ କରିବା ପରେ କିଛି ସମୟ ବିଶ୍ରାମ ଗ୍ରହଣ କରି ନିଜର କ୍ଲାନ୍ତି ଦୂର କଲା |

ଆତ୍ମାନମର୍ହୟାଞ୍ଚକ୍ରେ ଧୂପାଲେପସ୍ରଗାଦିଭିଃ ।

ସାଧ୍ୱଲଙ୍କୃତସର୍ୱାଙ୍ଗୋ ମହିଷ୍ୟାମାଦଧେ ମନଃ ॥ ୧୨॥

ତାପରେ ଗନ୍ଧ, ଚନ୍ଦନ ଏବଂ ମାଳା ଆଦିରେ ସୁସଜ୍ଜିତ ହୋଇ ସେ ସବୁ ଅଙ୍ଗରେ ସୁନ୍ଦର-ସୁନ୍ଦର ଆଭୂଷଣ ଧାରଣ କଲା | ସେତେବେଳେ ହିଁ ତାକୁ ନିଜ ପ୍ରିୟାର ସ୍ମରଣ ହେଲା |

ତୃପ୍ତୋ ହୃଷ୍ଟଃ ସୁଦୃପ୍ତଶ୍ଚ କନ୍ଦର୍ପାକୃଷ୍ଟମାନସଃ ।

ନ ବ୍ୟଚଷ୍ଟ ବରାରୋହାଂ ଗୃହିଣୀଂ ଗୃହମେଧିନୀମ୍ ॥ ୧୩॥

ସେ ଭୋଜନାଦିରେ ତୃପ୍ତ, ହୃଦୟରେ ଆନନ୍ଦିତ, ମଦରେ ଉନ୍ମତ୍ତ ଏବଂ କାମରେ ବ୍ୟଥିତ ହୋଇ ନିଜର ସୁନ୍ଦରୀ ପତ୍ନୀକୁ ଖୋଜିଲା; କିନ୍ତୁ ସେ ତାକୁ କେଉଁଠାରେ ବି ଦୃଶ୍ୟ ହେଲାନାହିଁ |

ଅନ୍ତଃପୁରସ୍ତ୍ରିୟୋଽପୃଚ୍ଛଦ୍ୱିମନା ଇବ ବେଦିଷତ୍ ।

ଅପି ବଃ କୁଶଲଂ ରାମାଃ ସେଶ୍ୱରୀଣାଂ ଯଥା ପୁରା ॥ ୧୪॥

ହେ ପ୍ରାଚୀନବର୍ହି ! ସେତେବେଳେ ସେ ଉଦାସ ଚିତ୍ତରେ ଅନ୍ତଃପୁରର ସ୍ତ୍ରୀମାନଙ୍କୁ ପଚାରିଲା, ହେ ସୁନ୍ଦରୀଗଣ ! ନିଜ ସ୍ବାମିନୀଙ୍କ ସହିତ ତୁମେ ସମସ୍ତେ ପୂର୍ବବତ୍ କୁଶଳରେ ଅଛ ତ ?

ନ ତଥୈତର୍ହି ରୋଚନ୍ତେ ଗୃହେଷୁ ଗୃହସମ୍ପଦଃ ।

ଯଦି ନ ସ୍ୟାଦ୍ଗୃହେ ମାତା ପତ୍ନୀ ବା ପତିଦେବତା ।

ବ୍ୟଙ୍ଗେ ରଥ ଇବ ପ୍ରାଜ୍ଞଃ କୋ ନାମାସୀତ ଦୀନବତ୍ ॥ ୧୫॥

କେଉଁ କାରଣରୁ ଆଜି ଗୃହର ସବୁ ସମ୍ପତ୍ତି ପୂର୍ବ ପରି ରୋଚକ ମନେ ହେଉନାହିଁ ? ଯେଉଁ ଗୃହରେ ମାତା ଅଥବା ପତିପରାୟଣା ପତ୍ନୀ ନ ଥାନ୍ତି, ସେହି ଘର ଚକବିହୀନ ରଥ ପରି ଅଟେ | କେଉଁ ବୁଦ୍ଧିମାନ ବ୍ୟକ୍ତି ଭଲା ସେପରି ଗୃହରେ ଦୀନ ପୁରୁଷ ପରି ରହିବାକୁ ଇଚ୍ଛା କରିବ ?

କ୍ୱ ବର୍ତତେ ସା ଲଲନା ମଜ୍ଜନ୍ତଂ ବ୍ୟସନାର୍ଣବେ ।

ଯା ମାମୁଦ୍ଧରତେ ପ୍ରଜ୍ଞାଂ ଦୀପୟନ୍ତୀ ପଦେ ପଦେ ॥ ୧୬॥

ତେଣୁ କୁହ, ସେହି ସୁନ୍ଦରୀ କେଉଁଠି ଅଛି, ଯିଏ ଦୁଃଖ-ସମୁଦ୍ରରେ ବୁଡି ଯାଉଥିବା ମୋର ବିବେକ-ବୁଦ୍ଧିକୁ କ୍ଷଣ-କ୍ଷଣ ଜାଗ୍ରତ କରି ମୋତେ ସେହି ସଂକଟରୁ ଉଦ୍ଧାର କରିଥାଏ ?

ରାମା ଊଚୁଃ

ନରନାଥ ନ ଜାନୀମସ୍ତ୍ୱତ୍ପ୍ରିୟା ଯଦ୍ୱ୍ୟବସ୍ୟତି ।

ଭୂତଲେ ନିରବସ୍ତାରେ ଶୟାନାଂ ପଶ୍ୟ ଶତ୍ରୁହନ୍ ॥ ୧୭॥

ସ୍ତ୍ରୀମାନେ କହିଲେ – ନରନାଥ ! କେଜାଣି ଆଜି ଆପଣଙ୍କର ପ୍ରିୟା ମନରେ କଣ ସ୍ଥିର କରିଛନ୍ତି ? ହେ ଶତ୍ରୁଦମନ ! ଦେଖନ୍ତୁ, ସେ କିପରି ବିନା ବିଛଣାରେ ଭୂମିରେ ପଡି ରହିଛନ୍ତି |

ନାରଦ ଉବାଚ

ପୁରଞ୍ଜନଃ ସ୍ୱମହିଷୀଂ ନିରୀକ୍ଷ୍ୟାବଧୁତାଂ ଭୁବି ।

ତତ୍ସଙ୍ଗୋନ୍ମଥିତଜ୍ଞାନୋ ବୈକ୍ଲବ୍ୟଂ ପରମଂ ଯୟୌ ॥ ୧୮॥

ନାରଦ କହୁଛନ୍ତି – ରାଜନ୍ ! ସେହି ସ୍ତ୍ରୀର ସଙ୍ଗ ଲାଭ କରି ରାଜା ପୁରଞ୍ଜନର ବିବେକ ନଷ୍ଟ ହୋଇ ଯାଇଥିଲା; ସେଥିପାଇଁ ନିଜ ରାଣୀକୁ ଅସ୍ତ-ବ୍ୟସ୍ତ ଅବସ୍ଥାରେ ଏପରି ଭୂମିରେ ପଡି ରହିଥିବା ଦେଖି ସେ ଅତ୍ୟନ୍ତ ବ୍ୟାକୁଳ ହୋଇ ଉଠିଲା |

ସାନ୍ତ୍ୱୟନ୍ ଶ୍ଲକ୍ଷ୍ଣୟା ବାଚା ହୃଦୟେନ ବିଦୂୟତା ।

ପ୍ରେୟସ୍ୟାଃ ସ୍ନେହସଂରମ୍ଭଲିଙ୍ଗମାତ୍ମନି ନାଭ୍ୟଗାତ୍ ॥ ୧୯॥

ଦୁଃଖିତ ହୃଦୟରେ ସେ ତାକୁ ମଧୁର ବଚନରେ ବୁଝାଇବାକୁ ବହୁତ ଚେଷ୍ଟା କଲା; କିନ୍ତୁ ନିଜ ପ୍ରେୟସୀଠାରେ ସେ ତା ପ୍ରତି ପ୍ରଣୟ-କୋପର କୌଣସି ଚିହ୍ନ ଦେଖିବାକୁ ପାଇଲା ନାହିଁ |

ଅନୁନିନ୍ୟେଽଥ ଶନକୈର୍ୱୀରୋଽନୁନୟକୋବିଦଃ ।

ପସ୍ପର୍ଶ ପାଦୟୁଗଲମାହ ଚୋତ୍ସଙ୍ଗଲାଲିତାମ୍ ॥ ୨୦॥

କାହାକୁ ମନାଇବାରେ ସେ ବହୁତ କୁଶଳ ଥିଲା, ସେଥିପାଇଁ ପୁରଞ୍ଜନ ଧୀରେ ଧୀରେ ନିଜ ସ୍ତ୍ରୀକୁ ମନାଇବାର ପ୍ରୟାସ ଆରମ୍ଭ କଲା | ସେ ପ୍ରଥମେ ତାର ଚରଣ ସ୍ପର୍ଶ କଲା ଏବଂ ତାପରେ ତାକୁ କୋଳକୁ ଉଠାଇ ବହୁତ ସ୍ନେହରେ କହିବାରେ ଲାଗିଲା |

ପୁରଞ୍ଜନ ଉବାଚ

ନୂନଂ ତ୍ୱକୃତପୁଣ୍ୟାସ୍ତେ ଭୃତ୍ୟା ଯେଷ୍ୱୀଶ୍ୱରାଃ ଶୁଭେ ।

କୃତାଗଃସ୍ୱାତ୍ମସାତ୍କୃତ୍ୱା ଶିକ୍ଷା ଦଣ୍ଡଂ ନ ଯୁଞ୍ଜତେ ॥ ୨୧॥

ପୁରଞ୍ଜନ କହିଲା – ହେ ସୁନ୍ଦରୀ ! ସେହି ସେବକ ନିଶ୍ଚିତଭାବରେ ଅତ୍ୟନ୍ତ ଅଭାଗା ଅଟେ, ଯାହାକୁ ଅପରାଧ କରିଥିବା କାରଣରୁ ନିଜର ମନେକରି ଶିକ୍ଷା ଦେବା ପାଇଁ ସ୍ବାମୀ କୌଣସି ଦଣ୍ଡ ଦିଅନ୍ତି ନାହିଁ |

ପରମୋଽନୁଗ୍ରହୋ ଦଣ୍ଡୋ ଭୃତ୍ୟେଷୁ ପ୍ରଭୁଣାର୍ପିତଃ ।

ବାଲୋ ନ ବେଦ ତତ୍ତନ୍ୱି ବନ୍ଧୁକୃତ୍ୟମମର୍ଷଣଃ ॥ ୨୨॥

ସେବକ ପାଇଁ ବିଧାନ କରାଯାଉ ଥିବା ସ୍ବାମୀଙ୍କର ଦଣ୍ଡ ବାସ୍ତବରେ ତାହା ପ୍ରତି ଅନୁଗ୍ରହ ହିଁ ଅଟେ | ମୂର୍ଖ ବ୍ୟକ୍ତି କ୍ରୋଧରେ ଅଭିଭୂତ ହୋଇ ନିଜ ହିତକାରୀ ସ୍ବାମୀଙ୍କର ଉପକାରକୁ ବୁଝିପାରନ୍ତି ନାହିଁ |

ସା ତ୍ୱଂ ମୁଖଂ ସୁଦତି ସୁଭ୍ର୍ୱନୁରାଗଭାର-

ବ୍ରୀଡାବିଲମ୍ବବିଲସଦ୍ଧସିତାବଲୋକମ୍ ।

ନୀଲାଲକାଲିଭିରୁପସ୍କୃତମୁନ୍ନସଂ ନଃ

ସ୍ୱାନାଂ ପ୍ରଦର୍ଶୟ ମନସ୍ୱିନି ବଲ୍ଗୁ ବାକ୍ୟମ୍ ॥ ୨୩॥

ହେ ସୁନ୍ଦର ଦନ୍ତପଂକ୍ତି ଏବଂ ମନୋହର ଭ୍ରୁକୁଟିରେ ଶୋଭାଯୁକ୍ତ ମନସ୍ବିନି ! ଏବେ କ୍ରୋଧ ଦୂର କର ଏବଂ ଥରକ ପାଇଁ ମୋତେ ନିଜର ମନେକରି ପ୍ରଣୟ-ଭାର ତଥା ଲଜ୍ଜାରେ ଅବନତ ଏବଂ ମଧୁର ସ୍ମିତହାସ୍ୟଯୁକ୍ତ ଚାହାଣୀରେ ସୁଶୋଭିତ ନିଜ ମନୋହର ମୁଖର ଦର୍ଶନ କରାଅ | ଆହା ! ଭ୍ରମରପଂକ୍ତି ସଦୃଶ ନୀଳ ଅଳକାବଳୀ, ଉନ୍ନତ ନାସିକା ଏବଂ ସୁମଧୁର ବାଣୀରେ ଶୋଭିତ ତୁମର ସେହି ମୁଖାରବିନ୍ଦ ସତରେ କେତେ ମନମୋହକ ଅଟେ !

ତସ୍ମିନ୍ ଦଧେ ଦମମହଂ ତବ ବୀରପତ୍ନି

ଯୋଽନ୍ୟତ୍ର ଭୂସୁରକୁଲାତ୍କୃତକିଲ୍ବିଷସ୍ତମ୍ ।

ପଶ୍ୟେ ନ ବୀତଭୟମୁନ୍ମୁଦିତଂ ତ୍ରିଲୋକ୍ୟା-

ମନ୍ୟତ୍ର ବୈ ମୁରରିପୋରିତରତ୍ର ଦାସାତ୍ ॥ ୨୪॥

ହେ ବୀରପତ୍ନୀ ! ଯଦି ଅନ୍ୟ କେହି ତୁମ ପ୍ରତି କିଛି ଅପରାଧ କରିଥାଏ, ତେବେ ମୋତେ କୁହ, ଯଦି ସେହି ଅପରାଧୀ ବ୍ରାହ୍ମଣକୁଳର ହୋଇ ନ ଥିବେ, ତେବେ ମୁଁ ତାକୁ ବର୍ତ୍ତମାନ ଦଣ୍ଡ ଦେବି | ମୋତେ ତ ଭଗବାନଙ୍କର ଭକ୍ତମାନଙ୍କ ବ୍ୟତିତ ତ୍ରିଲୋକୀରେ ଏପରି କେହି ନଜରକୁ ଆସୁନାହାଁନ୍ତି, ଯିଏ କି ତୁମ ପ୍ରତି ଅପରାଧ କରି ନିର୍ଭୟରେ ଆନନ୍ଦପୂର୍ବକ ରହିପାରିବ |

ବକ୍ତ୍ରଂ ନ ତେ ବିତିଲକଂ ମଲିନଂ ବିହର୍ଷଂ

ସଂରମ୍ଭଭୀମମବିମୃଷ୍ଟମପେତରାଗମ୍ ।

ପଶ୍ୟେ ସ୍ତନାବପି ଶୁଚୋପହତୌ ସୁଜାତୌ

ବିମ୍ବାଧରଂ ବିଗତକୁଙ୍କୁମପଙ୍କରାଗମ୍ ॥ ୨୫॥

ପ୍ରିୟେ ! ମୁଁ ଆଜିଯାଏଁ କେବେ ବି ତୁମର ମୁଖ ତିଳକହୀନ, ଉଦାସ, ମଳୀନ, କ୍ରୋଧାବେଶରେ ଗମ୍ଭୀର, କାନ୍ତିହୀନ ଏବଂ ସ୍ନେହଶୂନ୍ୟ ଦେଖିନାହିଁ; କେବେ ତୁମର ସ୍ତନକୁ ଶୋକାଶ୍ରୁରେ ସିକ୍ତ ତଥା ତୁମର ବିମ୍ବଫଳ ସଦୃଶ ଅଧରକୁ ସ୍ନିଗ୍ଧ କେସରର ଲାଲିମାରୁ ରହିତ ହୋଇଥିବା ଦେଖିନାହିଁ |

ତନ୍ମେ ପ୍ରସୀଦ ସୁହୃଦଃ କୃତକିଲ୍ବିଷସ୍ୟ

ସ୍ୱୈରଂ ଗତସ୍ୟ ମୃଗୟାଂ ବ୍ୟସନାତୁରସ୍ୟ ।

କା ଦେବରଂ ବଶଗତଂ କୁସୁମାସ୍ତ୍ରବେଗ-

ବିସ୍ରସ୍ତପୌଂସ୍ନମୁଶତୀ ନ ଭଜେତ କୃତ୍ୟେ ॥ ୨୬॥

ମୁଁ ବ୍ୟସନବଶ ତୁମକୁ ନ ପଚାରି ଶୀକାର କରିବାକୁ ଚାଲିଗଲି, ସେଥିପାଇଁ ମୁଁ ନିଶ୍ଚିତଭାବରେ ଅପରାଧୀ ଅଟେ | ତେଣୁ ନିଜର ମନେକରି ତୁମେ ମୋ ଉପରେ ପ୍ରସନ୍ନ ହୋଇଯାଅ | କାମଦେବଙ୍କର ବିଷମ ବାଣରେ ଅଧୀର ହୋଇ ଯିଏ ସର୍ବଦା ପ୍ରିୟାର ଅଧୀନସ୍ତ ରହିଥାଏ, କେଉଁ କାମିନୀ ଭଲା ଉଚିତ୍ କାର୍ଯ୍ୟ ନିମନ୍ତେ ସେପରି ପତିକୁ ସ୍ବୀକାର ନ କରିବ ?

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ଷଡ୍ୱିଂଶୋଽଧ୍ୟାୟଃ ॥ ୨୬॥

Comments

Popular posts from this blog