ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ॥

ସପ୍ତବିଂଶ ଅଧ୍ୟାୟ

ପୁରଞ୍ଜନପୁରୀ ଉପରେ ଚଣ୍ଡବେଗର ଆକ୍ରମଣ ତଥା କାଳକନ୍ୟାର ଚରିତ୍ର

 

ନାରଦ ଉବାଚ

ଇତ୍ଥଂ ପୁରଞ୍ଜନଂ ସଧ୍ର୍ୟଗ୍ ବଶମାନୀୟ ବିଭ୍ରମୈଃ ।

ପୁରଞ୍ଜନୀ ମହାରାଜ ରେମେ ରମୟତୀ ପତିମ୍ ॥ ୧॥

ଦେବର୍ଷି ନାରଦ କହୁଛନ୍ତି – ମହାରାଜ ! ଏହାପରେ ସେହି ସୁନ୍ଦରୀ ଅନେକ ଚାତୁରୀରେ ପୁରଞ୍ଜନକୁ ପୂର୍ଣ୍ଣତଃ ନିଜ ବଶରେ କରି ତାକୁ ଆନନ୍ଦିତ କରି ବିହାର କରିବାରେ ଲାଗିଲା |

ସ ରାଜା ମହିଷୀଂ ରାଜନ୍ ସୁସ୍ନାତାଂ ରୁଚିରାନନାମ୍ ।

କୃତସ୍ୱସ୍ତ୍ୟଯନାଂ ତୃପ୍ତାମଭ୍ୟନନ୍ଦଦୁପାଗତାମ୍ ॥ ୨॥

ସେ ଭଲ ଭାବରେ ସ୍ନାନ କରି, ଅନେକ ପ୍ରକାରର ମାଙ୍ଗଳିକ ଶୃଂଗାର କରି, ଭୋଜନାଦିରେ ତୃପ୍ତ ହୋଇ ରାଜାଙ୍କ ପାଖକୁ ଆସିଲା | ରାଜା ସେହି ମନୋହର ମୁଖଧାରୀ ରାଜମହିଷୀଙ୍କର ସାଦର ଅଭିନନ୍ଦନ କଲେ |

ତୟୋପଗୂଢଃ ପରିରବ୍ଧକନ୍ଧରୋ

ରହୋଽନୁମନ୍ତ୍ରୈରପକୃଷ୍ଟଚେତନଃ ।

ନ କାଲରଂହୋ ବୁବୁଧେ ଦୁରତ୍ୟଯଂ

ଦିବାନିଶେତି ପ୍ରମଦାପରିଗ୍ରହଃ ॥ ୩॥

ପୁରଞ୍ଜନୀ ରାଜାଙ୍କର ଆଲିଙ୍ଗନ କଲା ଏବଂ ରାଜା ତାକୁ କଣ୍ଠଲଗ୍ନ କଲେ | ତାପରେ ଏକାନ୍ତରେ ସେ ନିଜ ମନ- ଅନୁକୂଳ ରହସ୍ୟ ବିଷୟରେ ବାର୍ତ୍ତାଳାପ କରି ଏପରି ମୋହିତ ହୋଇଗଲା ଯେ ତାର ଚିତ୍ତ ସେହି କାମିନୀଠାରେ ଅନୁରକ୍ତ ରହିଥିବା କାରଣରୁ ସେ ଦିନ-ରାତି ଭେଦରେ ନିରନ୍ତର ଅତିବାହିତ ହେଉଥିବା କାଳର ଦୁସ୍ତର ଗତିକୁ ମଧ୍ୟ ଜାଣି ପାରିଲା ନାହିଁ |

ଶୟାନ ଉନ୍ନଦ୍ଧମଦୋ ମହାମନା

ମହାର୍ହତଲ୍ପେ ମହିଷୀଭୁଜୋପଧିଃ ।

ତାମେବ ବୀରୋ ମନୁତେ ପରଂ ଯତ-

ସ୍ତମୋଽଭିଭୂତୋ ନ ନିଜଂ ପରଂ ଚ ଯତ୍ ॥ ୪॥

ମଦରେ ବେହୋଶ-ପ୍ରାୟ ହୋଇ ପୁରଞ୍ଜନ ନିଜ ପ୍ରିୟାର ଭୁଜ ଉପରେ ମସ୍ତକ ରଖି ମହାମୂଲ୍ୟ ଶଯ୍ୟାରେ ଶୟନ କରିଥାଏ | ତା ପାଇଁ ସେହି ରମଣୀ ହିଁ ଜୀବନର ପରମ ଫଳ ଥିଲା | ଅଜ୍ଞାନରେ ଆବୃତ ରହିଥିବା କାରଣରୁ ଆତ୍ମା ଅଥବା ପରମାତ୍ମାର କୌଣସି ଜ୍ଞାନ ତାର ନ ଥିଲା |

ତୟୈବଂ ରମମାଣସ୍ୟ କାମକଶ୍ମଲଚେତସଃ ।

କ୍ଷଣାର୍ଧମିବ ରାଜେନ୍ଦ୍ର ବ୍ୟତିକ୍ରାନ୍ତଂ ନବଂ ବୟଃ ॥ ୫॥

ରାଜନ୍ ! କାମାତୁର ଚିତ୍ତରେ ନିଜ ପ୍ରିୟା ସହିତ ଏହିପରି ବିହାର କରି କରି ରାଜା ପୁରଞ୍ଜନର ଯୌବନ କାଳ ଅର୍ଦ୍ଧକ୍ଷଣ ପରି ବ୍ୟତୀତ ହୋଇଗଲା |

ତସ୍ୟାମଜନୟତ୍ପୁତ୍ରାନ୍ ପୁରଞ୍ଜନ୍ୟାଂ ପୁରଞ୍ଜନଃ ।

ଶତାନ୍ୟେକାଦଶ ବିରାଡାୟୁଷୋଽର୍ଧମଥାତ୍ୟଗାତ୍ ॥ ୬॥

ଦୁହିତୄର୍ଦଶୋତ୍ତରଶତଂ ପିତୃମାତୃୟଶସ୍କରୀଃ ।

ଶୀଲୌଦାର୍ୟଗୁଣୋପେତାଃ ପୌରଞ୍ଜନ୍ୟଃ ପ୍ରଜାପତେ ॥ ୭॥

ହେ ପ୍ରଜାପତି ! ସେହି ପୁରଞ୍ଜନୀ ଠାରୁ ରାଜା ପୁରଞ୍ଜନଙ୍କର ଏଗାର ଶହ ପୁତ୍ର ଏବଂ ଶହେ ଦଶ କନ୍ୟା ଜାତ ହେଲେ, ଯେଉଁମାନେ ସବୁ ଦୃଷ୍ଟିରୁ ମାତା-ପିତାଙ୍କର ଯଶ ବୃଦ୍ଧିକାରୀ ଥିଲେ ଏବଂ ସୁଶୀଳତା, ଉଦାରତା ଆଦି ଗୁଣରେ ସମ୍ପନ୍ନ ଥିଲେ | ଏମାନେ ପୌରଞ୍ଜନୀ ନାମରେ ବିଖ୍ୟାତ ହେଲେ | ଏଥିରେ ହିଁ ସେହି ସମ୍ରାଟଙ୍କର ଦୀର୍ଘ ଆୟୁର ଅର୍ଦ୍ଧେକ ଅଂଶ ବ୍ୟତୀତ ହୋଇଗଲା |

ସ ପଞ୍ଚାଲପତିଃ ପୁତ୍ରାନ୍ ପିତୃବଂଶବିବର୍ଧନାନ୍ ।

ଦାରୈଃ ସଂୟୋଜୟାମାସ ଦୁହିତୄଃ ସଦୃଶୈର୍ୱରୈଃ ॥ ୮॥

ତାପରେ ପାଞ୍ଚାଳରାଜ ପୁରଞ୍ଜନ ପିତୃବଂଶ ବୃଦ୍ଧିକାରୀ ପୁତ୍ରମାନଙ୍କର ଯୋଗ୍ୟ ବଧୂମାନଙ୍କ ସହିତ ଏବଂ  କନ୍ୟାମାନଙ୍କର ସେମାନଙ୍କର ଯୋଗ୍ୟ ବର ସହିତ ବିବାହ କରିଦେଲେ |

ପୁତ୍ରାଣାଂ ଚାଭବନ୍ ପୁତ୍ରା ଏକୈକସ୍ୟ ଶତଂ ଶତମ୍ ।

ଯୈର୍ୱୈ ପୌରଞ୍ଜନୋ ବଂଶଃ ପଞ୍ଚାଲେଷୁ ସମେଧିତଃ ॥ ୯॥

ପ୍ରତ୍ୟେକ ପୁତ୍ରଙ୍କଠାରୁ ଶହ-ଶହ ପୁତ୍ର ଉତ୍ପନ୍ନ ହେଲେ ଏବଂ ସେମାନଙ୍କ ଦ୍ବାରା ବୃଦ୍ଧି ପ୍ରାପ୍ତ ହୋଇ ପୁରଞ୍ଜନଙ୍କର ବଂଶ ସମ୍ପୂର୍ଣ୍ଣ ପାଞ୍ଚାଳଦେଶରେ ବ୍ୟାପି ଗଲା |

ତେଷୁ ତଦ୍ରିକ୍ଥହାରେଷୁ ଗୃହକୋଶାନୁଜୀବିଷୁ ।

ନିରୂଢେନ ମମତ୍ୱେନ ବିଷୟେଷ୍ୱନ୍ୱବଧ୍ୟତ ॥ ୧୦॥

ଏହି ପୁତ୍ର, ପୌତ୍ର, ଗୃହ, କୋଶ, ସେବକ ଏବଂ ମନ୍ତ୍ରୀ ଆଦିଙ୍କ ଠାରେ ଦୃଢ଼ ମମତା ହୋଇଯିବାରୁ ସେ ସେହି ବିଷୟମାନଙ୍କରେ ଅନୁରକ୍ତ ରହିଲେ |

ଈଜେ ଚ କ୍ରତୁଭିର୍ଘୋରୈର୍ଦୀକ୍ଷିତଃ ପଶୁମାରକୈଃ ।

ଦେବାନ୍ ପିତୄନ୍ ଭୂତପତୀନ୍ ନାନାକାମୋ ଯଥା ଭବାନ୍ ॥ ୧୧॥

ତାପରେ ସେ ମଧ୍ୟ ତୁମ ପରି ଅନେକ ପ୍ରକାରର ଭୋଗ କାମନାରେ ଯଜ୍ଞରେ ଦୀକ୍ଷିତ ହୋଇ ଭିନ୍ନ-ଭିନ୍ନ ପଶୁହିଂସାମୟ ଘୋର ଯଜ୍ଞ ଦ୍ବାରା ଦେବତା, ପିତୃପୁରୁଷ ଏବଂ ଭୂତପତିମାନଙ୍କର ଆରାଧନା କଲେ |

ଯୁକ୍ତେଷ୍ୱେବଂ ପ୍ରମତ୍ତସ୍ୟ କୁଟୁମ୍ବାସକ୍ତଚେତସଃ ।

ଆସସାଦ ସ ବୈ କାଲୋ ଯୋଽପ୍ରିୟଃ ପ୍ରିୟଯୋଷିତାମ୍ ॥ ୧୨॥

ଏହିପରି ଭାବରେ ସେ ସାରା ଜୀବନ ଆତ୍ମାର କଲ୍ୟାଣକାରୀ କର୍ମ ପ୍ରତି ଅସାବଧାନ ରହି କୁଟୁମ୍ବପାଳନରେ ବ୍ୟସ୍ତ ରହିଲେ | ଶେଷରେ ବୃଦ୍ଧାବସ୍ଥାର ସେହି ସମୟ ଉପସ୍ଥିତ ହେଲା, ଯାହା ସ୍ତ୍ରୀ-ଲମ୍ପଟ ପୁରୁଷମାନଙ୍କୁ ଅତ୍ୟନ୍ତ ଅପ୍ରିୟ ଅଟେ |

ଚଣ୍ଡବେଗ ଇତି ଖ୍ୟାତୋ ଗନ୍ଧର୍ୱାଧିପତିର୍ନୃପ ।

ଗନ୍ଧର୍ୱାସ୍ତସ୍ୟ ବଲିନଃ ଷଷ୍ଟ୍ୟୁତ୍ତରଶତତ୍ରୟମ୍ ॥ ୧୩॥

ରାଜନ୍ ! ଚଣ୍ଡବେଗ ନାମରେ ଜଣେ ଗନ୍ଧର୍ବରାଜ ଥିଲା | ତା ଅଧୀନରେ ତିନି ଶହ ଷାଠିଏ ମହାବଳବାନ୍ ଗନ୍ଧର୍ବ ଥିଲେ |

ଗନ୍ଧର୍ୱ୍ୟସ୍ତାଦୃଶୀରସ୍ୟ ମୈଥୁନ୍ୟଶ୍ଚ ସିତାସିତାଃ ।

ପରିବୃତ୍ତ୍ୟା ବିଲୁମ୍ପନ୍ତି ସର୍ୱକାମବିନିର୍ମିତାମ୍ ॥ ୧୪॥

ସେମାନଙ୍କ ସହିତ ମିଥୁନଭାବରେ ସ୍ଥିତ କୃଷ୍ଣ ଏବଂ ଶୁକ୍ଲ ବର୍ଣ୍ଣର ସେତିକି ଗନ୍ଧର୍ବୀ ଥିଲେ | ସେମାନେ ଥରକୁ ଥର ଘୂରି-ବୁଲି ଭୋଗ-ବିଳାସରେ ପରିପୂର୍ଣ୍ଣ ସେହି ନଗରୀକୁ ଲୁଣ୍ଠନ କରିବାରେ ଲାଗିଥିଲେ |

ତେ ଚଣ୍ଡବେଗାନୁଚରାଃ ପୁରଞ୍ଜନପୁରଂ ଯଦା ।

ହର୍ତୁମାରେଭିରେ ତତ୍ର ପ୍ରତ୍ୟଷେଧତ୍ପ୍ରଜାଗରଃ ॥ ୧୫॥

ଗନ୍ଧର୍ବରାଜ ଚଣ୍ଡବେଗର ଅନୁଚରମାନେ ଯେତେବେଳେ ରାଜା ପୁରଞ୍ଜନଙ୍କର ନଗର ଲୁଣ୍ଠନ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସେମାନଙ୍କୁ ପଞ୍ଚଫଣବିଶିଷ୍ଟ ସର୍ପ ପ୍ରଜାଗର ବାଧା ଦେଲା |

ସ ସପ୍ତଭିଃ ଶତୈରେକୋ ବିଂଶତ୍ୟା ଚ ଶତଂ ସମାଃ ।

ପୁରଞ୍ଜନପୁରାଧ୍ୟକ୍ଷୋ ଗନ୍ଧର୍ୱୈର୍ୟୁୟୁଧେ ବଲୀ ॥ ୧୬॥

ପୁରଞ୍ଜନପୁରୀର ଦ୍ବାରପାଳ ସେହି ମହାବଳବାନ୍ ସର୍ପ ଶହେ ବର୍ଷଯାଏଁ ଏକାକୀ ହିଁ ସେହି ସାତ ଶହ କୋଡିଏ ଗନ୍ଧର୍ବ-ଗନ୍ଧର୍ବୀଙ୍କ ସହ ଯୁଦ୍ଧ କରିଥିଲା |

କ୍ଷୀୟମାଣେ ସ୍ୱସମ୍ବନ୍ଧେ ଏକସ୍ମିନ୍ ବହୁଭିର୍ୟୁଧା ।

ଚିନ୍ତାଂ ପରାଂ ଜଗାମାର୍ତଃ ସ ରାଷ୍ଟ୍ରପୁରବାନ୍ଧବଃ ॥ ୧୭॥

ବହୁତ ଗୁଡିଏ ବୀରଙ୍କ ସହିତ ଏକାକୀ ଯୁଦ୍ଧ କରୁଥିବା କାରଣରୁ ନିଜର ଏକମାତ୍ର ସମ୍ବନ୍ଧୀ ପ୍ରଜାଗରକୁ କ୍ରମଶଃ ବଳହୀନ ହୋଇ ଯାଉଥିବା ଦେଖି ରାଜା ପୁରଞ୍ଜନ ନିଜର ରାଷ୍ଟ୍ର ତଥା ନଗରରେ ରହୁଥିବା ଅନ୍ୟ ବାନ୍ଧବମାନଙ୍କ ପାଇଁ ଅତିଶୟ ଚିନ୍ତିତ ହୋଇ ଉଠିଲେ |

ସ ଏବ ପୁର୍ୟାଂ ମଧୁଭୁକ୍ ପଞ୍ଚାଲେଷୁ ସ୍ୱପାର୍ଷଦୈଃ ।

ଉପନୀତଂ ବଲିଂ ଗୃହ୍ଣନ୍ ସ୍ତ୍ରୀଜିତୋ ନାବିଦଦ୍ଭୟମ୍ ॥ ୧୮॥

ଏତେ ଦିନ ଧରି ପାଞ୍ଚାଳ ଦେଶର ସେହି ନଗରରେ ଦୂତମାନଙ୍କ ଦ୍ବାରା ସଂଗ୍ରହ କରାଯାଉ ଥିବା କର ଉପଯୋଗ କରି ସେ ବିଷୟଭୋଗରେ ମସ୍ତ ରହୁଥିଲେ | ସ୍ତ୍ରୀର ବଶୀଭୂତ ହୋଇ ରହିଥିବା କାରଣରୁ ଏହି ଅବଶ୍ୟମ୍ଭାବୀ ଭୟର ସେ ଆଶଙ୍କା କରି ପାରି ନ ଥିଲେ |

କାଲସ୍ୟ ଦୁହିତା କାଚିତ୍ତ୍ରିଲୋକୀଂ ବରମିଚ୍ଛତୀ ।

ପର୍ୟଟନ୍ତୀ ନ ବର୍ହିଷ୍ମନ୍ ପ୍ରତ୍ୟନନ୍ଦତ କଶ୍ଚନ ॥ ୧୯॥

ବର୍ହିଷ୍ମନ୍ ! ସେହି ଦିନମାନଙ୍କରେ କାଳର ଗୋଟିଏ କନ୍ୟା ବର ଅନ୍ବେଷଣରେ ତ୍ରିଲୋକୀରେ ଘୂରି ବୁଲୁଥିଲା | କେହି ତାକୁ ସ୍ବୀକାର କରୁ ନ ଥିଲେ |

ଦୌର୍ଭାଗ୍ୟେନାତ୍ମନୋ ଲୋକେ ବିଶ୍ରୁତା ଦୁର୍ଭଗେତି ସା ।

ଯା ତୁଷ୍ଟା ରାଜର୍ଷୟେ ତୁ ବୃତାଦାତ୍ପୂରବେ ବରମ୍ ॥ ୨୦॥

ସେହି କାଳକନ୍ୟା (ଜରା) ବହୁତ ବେଶୀ ଭାଗ୍ୟହୀନା ଥିଲା, ସେଥିପାଇଁ ଲୋକେ ତାକୁ ‘ଦୁର୍ଭଗା କହୁଥିଲେ | ଏକଦା ରାଜର୍ଷି ପୁରୁ ପିତାଙ୍କୁ ନିଜର ଯୌବନ ଦାନ କରିବାକୁ ଯାଇ ସ୍ବେଚ୍ଛାରେ ତାକୁ ବରଣ କରିଥିଲେ, ସେଥିରେ ପ୍ରସନ୍ନ ହୋଇ ସେ ତାଙ୍କୁ ରାଜ୍ୟପ୍ରାପ୍ତିର ବର ପ୍ରଦାନ କରିଥିଲା |

କଦାଚିଦଟମାନା ସା ବ୍ରହ୍ମଲୋକାନ୍ମହୀଂ ଗତମ୍ ।

ବବ୍ରେ ବୃହଦ୍ୱ୍ରତଂ ମାଂ ତୁ ଜାନତୀ କାମମୋହିତା ॥ ୨୧॥

ଦିନେ ବ୍ରହ୍ମଲୋକରୁ ମୁଁ ପୃଥିବୀକୁ ଆସିଥିବା ବେଳେ, ବୁଲି-ବୁଲି ସେ ମୋତେ ମିଳିଗଲା | ମୁଁ ଜଣେ ନୈଷ୍ଠିକ ବ୍ରହ୍ମଚାରୀ ଅଟେ ଏହା ଜାଣି ମଧ୍ୟ ସେ କାମାତୁରା ହୋଇ ମୋତେ ବରଣ କରିବାକୁ ଇଚ୍ଛା କରିଥିଲା |

ମୟି ସଂରଭ୍ୟ ବିପୁଲମଦାଚ୍ଛାପଂ ସୁଦୁଃସହମ୍ ।

ସ୍ଥାତୁମର୍ହସି ନୈକତ୍ର ମଦ୍ୟାଚ୍ଞାବିମୁଖୋ ମୁନେ ॥ ୨୨॥

ମୁଁ ତାହାର ପ୍ରାର୍ଥନା ସ୍ବୀକାର କଲିନାହିଁ, ସେଥିରେ ସେ ଅତ୍ୟନ୍ତ କୁପିତ ହୋଇ ମୋତେ ଏହି ଦୁଃସହ ଶାପ ଦେଇଥିଲା ଯେ ‘ତୁମେ ମୋର ପ୍ରାର୍ଥନା ସ୍ବୀକାର କଲନାହିଁ, ସେଥିପାଇଁ ତୁମେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବ ନାହିଁ |’

ତତୋ ବିହତସଙ୍କଲ୍ପା କନ୍ୟକା ଯବନେଶ୍ୱରମ୍ ।

ମୟୋପଦିଷ୍ଟମାସାଦ୍ୟ ବବ୍ରେ ନାମ୍ନା ଭୟଂ ପତିମ୍ ॥ ୨୩॥

ମୋ ଠାରୁ ନିରାଶ ହୋଇ ସେହି କନ୍ୟା ମୋ ସମ୍ମତିରେ ହିଁ ଯବନରାଜ ଭୟ ପାଖକୁ ଯାଇ ତାହାକୁ ପତି ରୂପରେ ବରଣ କରିଥିଲା |

ଋଷଭଂ ଯବନାନାଂ ତ୍ୱାଂ ବୃଣେ ବୀରେପ୍ସିତଂ ପତିମ୍ ।

ସଙ୍କଲ୍ପସ୍ତ୍ୱୟି ଭୂତାନାଂ କୃତଃ କିଲ ନ ରିଷ୍ୟତି ॥ ୨୪॥

ସେ ଭୟକୁ କହିଲା, ‘ବୀରବର ! ଆପଣ ଯବନମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି, ମୁଁ ଆପଣଙ୍କୁ ପ୍ରେମ କରୁଛି ଏବଂ ପତି ରୂପରେ ବରଣ କରିବାକୁ ଇଚ୍ଛା କରୁଛି | ଆପଣଙ୍କ ଉଦ୍ଦେଶ୍ୟରେ କରାଯାଉ ଥିବା ଜୀବର ସଂକଳ୍ପ କେବେ ବ୍ୟର୍ଥ ହୋଇ ନ ଥାଏ |

ଦ୍ୱାବିମାବନୁଶୋଚନ୍ତି ବାଲାବସଦବଗ୍ରହୌ ।

ଯଲ୍ଲୋକଶାସ୍ତ୍ରୋପନତଂ ନ ରାତି ନ ତଦିଚ୍ଛତି ॥ ୨୫॥

ଯେଉଁ ମନୁଷ୍ୟ ଲୌକିକ ଅଥବା ଶାସ୍ତ୍ର ଦୃଷ୍ଟିରୁ ଦାନଯୋଗ୍ୟ ବସ୍ତୁର ଦାନ କରନ୍ତି ନାହିଁ ଏବଂ ଶାସ୍ତ୍ରଦୃଷ୍ଟିରେ ଅଧିକାରୀ ହୋଇ ମଧ୍ୟ ଯିଏ ସେହି ଦାନ ଗ୍ରହଣ କରନ୍ତି ନାହିଁ, ସେ ଦୁହେଁ ଦୁରାଗ୍ରହୀ ଏବଂ ମୂଢ଼ ଅଟନ୍ତି; ଅତଏବ ଶୋଚନୀୟ ଅଟନ୍ତି |

ଅଥୋ ଭଜସ୍ୱ ମାଂ ଭଦ୍ର ଭଜନ୍ତୀଂ ମେ ଦୟାଂ କୁରୁ ।

ଏତାବାନ୍ ପୌରୁଷୋ ଧର୍ମୋ ଯଦାର୍ତାନନୁକମ୍ପତେ ॥ ୨୬॥

ହେ ଭଦ୍ର ! ଏହି ସମୟରେ ମୁଁ ଆପଣଙ୍କ ସେବାରେ ଉପସ୍ଥିତ ରହିଛି, ଆପଣ ମୋତେ ସ୍ବୀକାର କରି ଅନୁଗୃହୀତ କରନ୍ତୁ | ପୁରୁଷର ସବୁଠାରୁ ବଡ ଧର୍ମ ଦୀନ ପ୍ରତି ଦୟା କରିବା ଅଟେ |’

କାଲକନ୍ୟୋଦିତବଚୋ ନିଶମ୍ୟ ଯବନେଶ୍ୱରଃ ।

ଚିକୀର୍ଷୁର୍ଦେବଗୁହ୍ୟଂ ସ ସସ୍ମିତଂ ତାମଭାଷତ ॥ ୨୭॥

କାଳକନ୍ୟାର କଥା ଶୁଣି ତାହାକୁ ବିଧାତାଙ୍କର କୌଣସି ଗୁପ୍ତ କାର୍ଯ୍ୟ କରାଇବା ଇଚ୍ଛା ଜାଣି ଯବନରାଜ ହସି ହସି ତାକୁ କହିଲେ |

ମୟା ନିରୂପିତସ୍ତୁଭ୍ୟଂ ପତିରାତ୍ମସମାଧିନା ।

ନାଭିନନ୍ଦତି ଲୋକୋଽୟଂ ତ୍ୱାମଭଦ୍ରାମସମ୍ମତାମ୍ ॥ ୨୮॥

ତ୍ୱମବ୍ୟକ୍ତଗତିର୍ଭୁଙ୍କ୍ଷ୍ୱ ଲୋକଂ କର୍ମବିନିର୍ମିତମ୍ ।

ଯା ହି ମେ ପୃତନା ଯୁକ୍ତା ପ୍ରଜାନାଶଂ ପ୍ରଣେଷ୍ୟସି ॥ ୨୯॥

‘ମୁଁ ଯୋଗଦୃଷ୍ଟିରେ ଦେଖି ତୋ ପାଇଁ ଏକ ପତି ନିଶ୍ଚିତ କରିଛି | ତୁ ସମସ୍ତଙ୍କର ଅନିଷ୍ଟକାରୀ ଅଟୁ, ସେଥିପାଇଁ କେହି ମଧ୍ୟ ତୋତେ ଭଲପାଆନ୍ତି ନାହିଁ ଏବଂ ସ୍ବୀକାର କରନ୍ତି ନାହିଁ | ତେଣୁ ଏହି କର୍ମମୟ ସଂସାରକୁ ତୁ ଅଲକ୍ଷିତ ରହି ଜବରଦସ୍ତ ଭୋଗ କର | ତୁ ମୋର ସେନାମାନଙ୍କୁ ସାଙ୍ଗରେ ନେଇକରି ଯା’, ସେମାନଙ୍କ ସହାୟତାରେ ତୁ ସମସ୍ତ ପ୍ରଜାଙ୍କୁ ନାଶ କରିବାରେ ସମର୍ଥ ହେବୁ, କେହି ମଧ୍ୟ ତୋର ସାମନା କରି ପାରିବେ ନାହିଁ |

ପ୍ରଜ୍ୱାରୋଽୟଂ ମମ ଭ୍ରାତା ତ୍ୱଂ ଚ ମେ ଭଗିନୀ ଭବ ।

ଚରାମ୍ୟୁଭାଭ୍ୟାଂ ଲୋକେଽସ୍ମିନ୍ନବ୍ୟକ୍ତୋ ଭୀମସୈନିକଃ ॥ ୩୦॥

ଇଏ ପ୍ରଜବାର ନାମକ ମୋର ଭାଈ ଅଟେ ଏବଂ ତୁ ମୋର ଭଉଣୀ ହୋଇ ଯା | ତୁମ ଦୁହିଁଙ୍କ ସହିତ ମୁଁ ଅବ୍ୟକ୍ତ ଗତିରେ ଭୟଙ୍କର ସେନା ସହିତ ସାରା ସଂସାରରେ ବିଚରଣ କରିବି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ସପ୍ତବିଂଶୋଽଧ୍ୟାୟଃ ॥ ୨୭॥

 

Comments

Popular posts from this blog