ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ଅଷ୍ଟବିଂଶ ଅଧ୍ୟାୟ
ପୁରଞ୍ଜନର ସ୍ତ୍ରୀଯୋନି ପ୍ରାପ୍ତି ଏବଂ ଅବିଜ୍ଞାତର ଉପଦେଶରେ ତାହାର ମୁକ୍ତି
ନାରଦ ଉବାଚ
ସୈନିକା ଭୟନାମ୍ନୋ ଯେ ବର୍ହିଷ୍ମନ୍ ଦିଷ୍ଟକାରିଣଃ ।
ପ୍ରଜ୍ୱାରକାଲକନ୍ୟାଭ୍ୟାଂ ବିଚେରୁରବନୀମିମାମ୍ ॥ ୧॥
ରାଜନ୍ ! ଏହାପରେ ଯବନରାଜ ଭୟର ଆଜ୍ଞାକାରୀ ସୈନିକମାନେ ପ୍ରଜ୍ବାର
ଏବଂ କାଳକନ୍ୟା ସହିତ ମିଶି ପୃଥିବୀତଳରେ ସର୍ବତ୍ର ବିଚରଣ କରିବାରେ ଲାଗିଲେ |
ତ ଏକଦା ତୁ ରଭସା ପୁରଞ୍ଜନପୁରୀଂ ନୃପ ।
ରୁରୁଧୁର୍ଭୌମଭୋଗାଢ୍ୟାଂ ଜରତ୍ପନ୍ନଗପାଲିତାମ୍ ॥ ୨॥
ଥରେ ସେମାନେ ପ୍ରବଳ ବେଗରେ ବୃଦ୍ଧ ସର୍ପ ଦ୍ବାରା ସୁରକ୍ଷିତ ଏବଂ
ସଂସାରର ସବୁ ପ୍ରକାରର ସୁଖ-ସାମଗ୍ରୀରେ ସମ୍ପନ୍ନ ପୁରଞ୍ଜନପୁରୀକୁ ଘେରି ଗଲେ |
କାଲକନ୍ୟାପି ବୁଭୁଜେ ପୁରଞ୍ଜନପୁରଂ ବଲାତ୍ ।
ଯୟାଭିଭୂତଃ ପୁରୁଷଃ ସଦ୍ୟୋ ନିଃସାରତାମିୟାତ୍ ॥ ୩॥
ସେତେବେଳେ ଯାହାର ଫାଶରେ ପଡି ପୁରୁଷ ଅତି ଶୀଘ୍ର ନିଃସାର ହୋଇଯାଏ, ସେହି କାଳକନ୍ୟା ଜବରଦସ୍ତ ସେହି ପୁରୀର ପ୍ରଜାମାନଙ୍କୁ ଭୋଗ
କରିବାରେ ଲାଗିଲା |
ତୟୋପଭୁଜ୍ୟମାନାଂ ବୈ ଯବନାଃ ସର୍ୱତୋଦିଶମ୍ ।
ଦ୍ୱାର୍ଭିଃ ପ୍ରବିଶ୍ୟ ସୁଭୃଶଂ ପ୍ରାର୍ଦୟନ୍ ସକଲାଂ ପୁରୀମ୍ ॥ ୪॥
ସେହି ସମୟରେ ଯବନମାନେ କାଳକନ୍ୟା ଦ୍ବାରା ଭୋଗ କରାଯାଉ ଥିବା ସେହି
ପୁରୀରେ ଚତୁର୍ଦ୍ଦିଗରୁ ଭିନ୍ନ-ଭିନ୍ନ ଦ୍ବାରରେ ପ୍ରବେଶ କରି ତାହାକୁ ଧ୍ବଂସ-ବିଧ୍ବଂସ କରିବାରେ
ଲାଗିଲେ |
ତସ୍ୟାଂ ପ୍ରପୀଡ୍ୟମାନାୟାମଭିମାନୀ ପୁରଞ୍ଜନଃ ।
ଅବାପୋରୁବିଧାଂସ୍ତାପାନ୍ କୁଟୁମ୍ବୀ ମମତାଽଽକୁଲଃ ॥ ୫॥
ସମଗ୍ର ପୁରୀକୁ ଏହିପରି ଭାବରେ ପୀଡିତ ହେଉଥିବା ଦେଖି ତା’ର ସ୍ବାମିତ୍ବର ଅଭିମାନ ରଖିଥିବା ମମତାଗ୍ରସ୍ତ, ବହୁକୁଟୁମ୍ବୀ ରାଜା ପୁରଞ୍ଜନକୁ ବହୁତ ବେଶୀ କଷ୍ଟ ହେଲା |
କନ୍ୟୋପଗୂଢୋ ନଷ୍ଟଶ୍ରୀଃ କୃପଣୋ ବିଷୟାତ୍ମକଃ ।
ନଷ୍ଟପ୍ରଜ୍ଞୋ ହୃତୈଶ୍ୱର୍ୟୋ ଗନ୍ଧର୍ୱୟବନୈର୍ବଲାତ୍ ॥ ୬॥
କାଳକନ୍ୟାର ଆଲିଙ୍ଗନରେ ତା’ର
ସମସ୍ତ ଶ୍ରୀ ନଷ୍ଟ ହୋଇ ଯାଇଥିଲା ତଥା ଅତ୍ୟନ୍ତ ବିଷୟାସକ୍ତ ହୋଇଥିବା କାରଣରୁ ସେ ଅତିଶୟ ଦୀନ ମଧ୍ୟ
ହୋଇ ଯାଇଥିଲା, ତା’ର ବିବେକଶକ୍ତି ନଷ୍ଟ ହୋଇ ଯାଇଥିଲା | ଗନ୍ଧର୍ବ ଏବଂ ଯବନମାନେ
ଜୋର-ଜବରଦସ୍ତି ତା’ର ସବୁ ଐଶ୍ବର୍ଯ୍ୟ
ଲୁଟି ନେଲେ |
ବିଶୀର୍ଣାଂ ସ୍ୱପୁରୀଂ ବୀକ୍ଷ୍ୟ ପ୍ରତିକୂଲାନନାଦୃତାନ୍ ।
ପୁତ୍ରାନ୍ ପୌତ୍ରାନୁଗାମାତ୍ୟାନ୍ ଜାୟାଂ ଚ ଗତସୌହୃଦାମ୍ ॥ ୭॥
ଆତ୍ମାନଂ କନ୍ୟଯା ଗ୍ରସ୍ତଂ ପଞ୍ଚାଲାନରିଦୂଷିତାନ୍ ।
ଦୁରନ୍ତଚିନ୍ତାମାପନ୍ନୋ ନ ଲେଭେ ତତ୍ପ୍ରତିକ୍ରିୟାମ୍ ॥ ୮॥
ସେ ଦେଖିଲା, ସାରା ନଗର
ନଷ୍ଟ-ଭ୍ରଷ୍ଟ ହୋଇଯାଇଛି; ପୁତ୍ର, ପୌତ୍ର, ଭୃତ୍ୟ ଏବଂ
ଅମାତ୍ୟବର୍ଗ ପ୍ରତିକୂଳ ହୋଇ ଅନାଦର କରିବାରେ ଲାଗିଛନ୍ତି;
ସ୍ତ୍ରୀ ସ୍ନେହଶୂନ୍ୟ ହୋଇଯାଇଛି, ତା’ର ଦେହକୁ କାଳକନ୍ୟା ନିଜର ବଶୀଭୂତ କରିନେଇଛି ଏବଂ ପାଞ୍ଚାଳଦେଶ
ଶତ୍ରୁମାନଙ୍କର କବଳିତ ହୋଇ ଭ୍ରଷ୍ଟ ହୋଇଯାଇଛି | ଏସବୁ ଦେଖି ରାଜା ପୁରଞ୍ଜନ ଅପାର ଚିନ୍ତାରେ
ଡୁବିଗଲା; ବିପତ୍ତିରୁ ଉଦ୍ଧାର
ପାଇବାର କୌଣସି ଉପାୟ ତାକୁ ଦେଖାଗଲା ନାହିଁ |
କାମାନଭିଲଷନ୍ ଦୀନୋ ଯାତୟାମାଂଶ୍ଚ କନ୍ୟଯା ।
ବିଗତାତ୍ମଗତିସ୍ନେହଃ ପୁତ୍ରଦାରାଂଶ୍ଚ ଲାଲୟନ୍ ॥ ୯॥
କାଳକନ୍ୟା ଯେଉଁମାନଙ୍କୁ ନିଃସାର
କରିଦେଇଥିଲା, ସେମାନଙ୍କ ଭୋଗ-ଲାଳସାରେ ସେ ଦୀନ ହୋଇ ଯାଇଥିଲା | ନିଜର ପାରଲୌକିକୀ
ଗତି ଏବଂ ବନ୍ଧୁଜନମାନଙ୍କର ସ୍ନେହରୁ ବଞ୍ଚିତ ହୋଇ ତା’ର ଚିତ୍ତ କେବଳ ସ୍ତ୍ରୀ-ପୁତ୍ରଙ୍କର ଲାଳନ-ପାଳନରେ ଲାଗି ରହିଥିଲା |
ଗନ୍ଧର୍ୱୟବନାକ୍ରାନ୍ତାଂ କାଲକନ୍ୟୋପମର୍ଦିତାମ୍ ।
ହାତୁଂ ପ୍ରଚକ୍ରମେ ରାଜା ତାଂ ପୁରୀମନିକାମତଃ ॥ ୧୦॥
ଏପରି ଅବସ୍ଥାରେ ସେମାନଙ୍କଠାରୁ ବିଚ୍ଛିନ୍ନ ହେବାକୁ ଇଚ୍ଛା କରୁ ନ
ଥିଲେ ବି ବାଧ୍ୟ ହୋଇ ତାକୁ ସେହି ପୁରୀକୁ ଛାଡିବାକୁ ପଡିଲା; କାରଣ ତାକୁ ଗନ୍ଧର୍ବ ଏବଂ
ଯବନମାନେ ଘେରି ରହିଥିଲେ ତଥା କାଳକନ୍ୟା ଦ୍ବାରା ସେ ନିଷ୍ପେଷିତ ହୋଇ ଯାଇଥିଲା |
ଭୟନାମ୍ନୋଽଗ୍ରଜୋ ଭ୍ରାତା ପ୍ରଜ୍ୱାରଃ ପ୍ରତ୍ୟୁପସ୍ଥିତଃ ।
ଦଦାହ ତାଂ ପୁରୀଂ କୃତ୍ସ୍ନାଂ ଭ୍ରାତୁଃ ପ୍ରିୟଚିକୀର୍ଷୟା ॥ ୧୧॥
ଏହି ସମୟରେ ଯବନରାଜ ଭୟର ବଡ ଭାଈ ପ୍ରଜ୍ବାର ନିଜ ଭାଈକୁ ସୁଖୀ କରିବା
ପାଇଁ ସମଗ୍ର ପୁରୀରେ ନିଆଁ ଲଗାଇ ଦେଲା |
ତସ୍ୟାଂ ସନ୍ଦହ୍ୟମାନାୟାଂ ସପୌରଃ ସପରିଚ୍ଛଦଃ ।
କୌଟୁମ୍ବିକଃ କୁଟୁମ୍ବିନ୍ୟା ଉପାତପ୍ୟତ ସାନ୍ୱୟଃ ॥ ୧୨॥
ସମ୍ପୂର୍ଣ୍ଣ ନଗରୀ ଜଳୁଥିବା ଦେଖି ସମସ୍ତ ପୁରବାସୀ, ସେବକବୃନ୍ଦ, ସନ୍ତାନବର୍ଗ ଏବଂ କୁଟୁମ୍ବର ସ୍ବାମିନିଙ୍କ ସହିତ
କୁଟୁମ୍ବବତ୍ସଳ ପୁରଞ୍ଜନକୁ ବହୁତ ଦୁଃଖ ଲାଗିଲା |
ଯବନୋପରୁଦ୍ଧାୟତନୋ ଗ୍ରସ୍ତାୟାଂ କାଲକନ୍ୟଯା ।
ପୁର୍ୟାଂ ପ୍ରଜ୍ୱାରସଂସୃଷ୍ଟଃ ପୁରପାଲୋଽନ୍ୱତପ୍ୟତ ॥ ୧୩॥
ନଗର କାଳକନ୍ୟା ହାତରେ ପଡି ଯାଇଥିବା ଦେଖି ନଗର-ରକ୍ଷକ ସର୍ପକୁ ମଧ୍ୟ
ବହୁତ ପୀଡା ହେଲା, କାରଣ ଯବନମାନେ
ତାହାର ନିବାସସ୍ଥାନକୁ ଅଧିକାର କରି ନେଇଥିଲେ ଏବଂ ପ୍ରଜ୍ବାର ବାରମ୍ବାର ତା’ ଉପରେ ଆକ୍ରମଣ କରୁଥିଲା |
ନ ଶେକେ ସୋଽବିତୁଂ ତତ୍ର ପୁରୁକୃଚ୍ଛ୍ରୋରୁବେପଥୁଃ ।
ଗନ୍ତୁମୈଚ୍ଛତ୍ତତୋ ବୃକ୍ଷକୋଟରାଦିବ ସାନଲାତ୍ ॥ ୧୪॥
ଯେତେବେଳେ ନଗର ରକ୍ଷା ନିମନ୍ତେ ସେ ପୂରାପୂରି ଅସମର୍ଥ ହୋଇଗଲା, ସେତେବେଳେ ଜଳି ଯାଉଥିବା ବୃକ୍ଷର କୋଟରରୁ ସର୍ପ ଯେପରି ବାହାରି
ଯିବାକୁ ଚେଷ୍ଟା କରୁଥାଏ, ସେହିପରି ସେ ମଧ୍ୟ
ମହାନ୍ କଷ୍ଟରେ ନଗରରୁ ବାହାରି ଚାଲିଯିବାକୁ ଇଚ୍ଛା କଲା |
ଶିଥିଲାବୟବୋ ଯର୍ହି ଗନ୍ଧର୍ୱୈର୍ହୃତପୌରୁଷଃ ।
ଯବନୈରରିଭୀ ରାଜନ୍ନୁପରୁଦ୍ଧୋ ରୁରୋଦ ହ ॥ ୧୫॥
ତାହାର ଅଙ୍ଗ-ପ୍ରତ୍ୟଙ୍ଗ ଶିଥିଳ ହୋଇ ଯାଇଥିଲା ତଥା ଗନ୍ଧର୍ବମାନେ ତା’ର ସବୁ ଶକ୍ତି ନଷ୍ଟ କରି ଦେଇଥିଲେ; ସେଥିପାଇଁ ଯବନମାନେ ଯେତେବେଳେ
ସେ ଚାଲି ଯାଉଥିବା ଦେଖି ତା’ର ପଥ ଅବରୋଧ କରିଥିଲେ, ସେ ଦୁଃଖିତ ହୋଇ କାନ୍ଦିବାରେ ଲାଗିଲା |
ଦୁହିତୄଃ ପୁତ୍ରପୌତ୍ରାଂଶ୍ଚ ଜାମିଜାମାତୃପାର୍ଷଦାନ୍ ।
ସ୍ୱତ୍ୱାବଶିଷ୍ଟଂ ଯତ୍କିଞ୍ଚିଦ୍ଗୃହକୋଶପରିଚ୍ଛଦମ୍ ॥ ୧୬॥
ଅହଂ ମମେତି ସ୍ୱୀକୃତ୍ୟ ଗୃହେଷୁ କୁମତିର୍ଗୃହୀ ।
ଦଧ୍ୟୌ ପ୍ରମଦୟା ଦୀନୋ ବିପ୍ରୟୋଗ ଉପସ୍ଥିତେ ॥ ୧୭॥
ଦେହ-ଗେହରେ ମୁଁ-ମୋପଣର ଭାବ ରଖି ଗୃହାସକ୍ତ ପୁରଞ୍ଜନ ଅତ୍ୟନ୍ତ
ବୁଦ୍ଧିହୀନ ହୋଇ ଯାଇଥିଲା | ସ୍ତ୍ରୀର ପ୍ରେମପାଶରେ ଛନ୍ଦି ହୋଇ ସେ ବହୁତ ଦୀନ ହୋଇ ଯାଇଥିଲା |
ଏବେ ଯେତେବେଳେ ସେମାନଙ୍କଠାରୁ ବିଚ୍ଛିନ୍ନ ହେବାର ସମୟ ଉପସ୍ଥିତ ହେଲା, ସେ ନିଜ ପୁତ୍ରୀ, ପୁତ୍ର, ପୌତ୍ର, ପୁତ୍ରବଧୂ, ଜ୍ବାଇଁ, ନୌକର, ଘର, ଧନ-ସମ୍ପତ୍ତି ତଥା ଅନ୍ୟ ଯେଉଁ ସବୁ ପଦାର୍ଥରେ ତା’ର ମମତା ରହିଥିଲା, ସେମାନଙ୍କ ନିମିତ୍ତ
ଏହିପରି ଚିନ୍ତା କରିବାରେ ଲାଗିଲା |
ଲୋକାନ୍ତରଂ ଗତବତି ମୟ୍ୟନାଥା କୁଟୁମ୍ବିନୀ ।
ବର୍ତିଷ୍ୟତେ କଥଂ ତ୍ୱେଷା ବାଲକାନନୁଶୋଚତୀ ॥ ୧୮॥
ହାୟ ! ମୋ ସ୍ତ୍ରୀ ତ ସମ୍ପୂର୍ଣ୍ଣ ଭାବରେ ଜଣେ ଗୃହିଣୀ ଅଟେ; ମୁଁ
ପରଲୋକକୁ ଚାଲିଯିବା ପରେ ସେ ଅସହାୟ ହୋଇ କିପରି ନିଜର ନିର୍ବାହ କରିବ ? ସନ୍ତାନ-ସନ୍ତତିଙ୍କର
ଚିନ୍ତା ହିଁ ତାକୁ ଖାଇଯିବ |
ନ ମୟ୍ୟନାଶିତେ ଭୁଙ୍କ୍ତେ ନାସ୍ନାତେ ସ୍ନାତି ମତ୍ପରା ।
ମୟି ରୁଷ୍ଟେ ସୁସନ୍ତ୍ରସ୍ତା ଭର୍ତ୍ସିତେ ଯତବାଗ୍ଭୟାତ୍ ॥ ୧୯॥
ମୁଁ ଭୋଜନ ନ କଲେ ସେ ଭୋଜନ କରେ ନାହିଁ, ସ୍ନାନ ନ କଲେ ସ୍ନାନ କରେ ନାହିଁ; ସଦା ସର୍ବଦା ସେ ମୋ ସେବାରେ ତତ୍ପର ରହିଥାଏ | ମୁଁ ମାନ କଲେ, ସେ ଅତିଶୟ ଭୟଭୀତ ହୋଇଯାଏ ଏବଂ କ୍ରୋଧରେ ଗର୍ଜନ କଲେ, ସେ ଭୟରେ ଚୁପ୍ ହୋଇଯାଏ |
ପ୍ରବୋଧୟତି ମାବିଜ୍ଞଂ ବ୍ୟୁଷିତେ ଶୋକକର୍ଶିତା ।
ବର୍ତ୍ମୈତଦ୍ଗୃହମେଧୀୟଂ ବୀରସୂରପି ନେଷ୍ୟତି ॥ ୨୦॥
ମୋ ଦ୍ବାରା କିଛି ଭୂଲ୍ ହୋଇଗଲେ,
ସେ ମୋତେ ସଚେତ କରିଦିଏ | ମୋ ପ୍ରତି ତା’ର ଏତେ ଅଧିକ ସ୍ନେହ
ଥାଏ ଯେ କେବେ ଯଦି ମୋତେ ପରଦେଶ ଯିବାକୁ ପଡେ,
ସେ ବିରହ ବ୍ୟଥାରେ ଶୁଖି କଣ୍ଟା ହୋଇଯାଏ | ଏମିତି ତ ସେ ବୀରମା଼ତା ଅଟେ, ତଥାପି ମୋ ପରେ କ’ଣ
ସେ ଗୃହସ୍ଥାଶ୍ରମରେ ନିର୍ବାହ କରି ପାରିବ ?
କଥଂ ନୁ ଦାରକା ଦୀନା ଦାରକୀର୍ୱାପରାୟଣାଃ ।
ବର୍ତିଷ୍ୟନ୍ତେ ମୟି ଗତେ ଭିନ୍ନନାବ ଇବୋଦଧୌ ॥ ୨୧॥
ମୁଁ ଚାଲିଯିବା ପରେ ଏକମାତ୍ର ମୋର ହିଁ ସାହାରାରେ ରହିଥିବା ଏହି
ପୁତ୍ର-ପୁତ୍ରୀ କିପରି ଜୀବନ ଧାରଣ କରିବେ ? ଏମାନେ ତ ମଝି ସମୁଦ୍ରରେ ନୌକାର ଆଶ୍ରୟ ହରାଇ ଥିବା
ଯାତ୍ରୀଙ୍କ ପରେ ବ୍ୟାକୁଳ ହୋଇ ଚିତ୍କାର କରିବାରେ ଲାଗିବେ |
ଏବଂ କୃପଣୟା ବୁଦ୍ଧ୍ୟା ଶୋଚନ୍ତମତଦର୍ହଣମ୍ ।
ଗ୍ରହୀତୁଂ କୃତଧୀରେନଂ ଭୟନାମାଭ୍ୟପଦ୍ୟତ ॥ ୨୨॥
ଜ୍ଞାନଦୃଷ୍ଟିରେ ଦେଖିବାକୁ ଗଲେ ଯଦିଓ ତା’ ପକ୍ଷରେ ଶୋକ କରିବା ଉଚିତ୍ ନ ଥିଲା, ତଥାପି ଅଜ୍ଞାନବଶ ରାଜା ପୁରଞ୍ଜନ ଏହିପରି ଦୀନଭାବଯୁକ୍ତ ହୋଇ
ସ୍ତ୍ରୀ-ପୁତ୍ରଙ୍କ ନିମନ୍ତେ ଶୋକାକୁଳ ହେବାରେ ଲାଗିଥିଲା | ଏହି ସମୟରେ ତାକୁ ଧରିବା ପାଇଁ
ଯବନରାଜ ଭୟ ସେଠାରେ ଆସି ପହଞ୍ଚିଲା |
ପଶୁବଦ୍ୟବନୈରେଷ ନୀୟମାନଃ ସ୍ୱକଂ କ୍ଷୟମ୍ ।
ଅନ୍ୱଦ୍ରବନ୍ନନୁପଥାଃ ଶୋଚନ୍ତୋ ଭୃଶମାତୁରାଃ ॥ ୨୩॥
ଯବନମାନେ ତାକୁ ପଶୁ ପରି ବାନ୍ଧି ନିଜ ସ୍ଥାନକୁ ନେଇଯାଉଥିବା ବେଳେ, ତା’ର ଅନୁଚରଗଣ ମଧ୍ୟ
ଅତ୍ୟନ୍ତ ଆତୁର ଏବଂ ଶୋକାକୁଳ ହୋଇ ତା’ ସହିତ ଚାଲିଥିଲେ |
ପୁରୀଂ ବିହାୟୋପଗତ ଉପରୁଦ୍ଧୋ ଭୁଜଙ୍ଗମଃ ।
ଯଦା ତମେବାନୁ ପୁରୀ ବିଶୀର୍ଣା ପ୍ରକୃତିଂ ଗତା ॥ ୨୪॥
ଯବନମାନେ ଯାହାର ପଥରୋଧ କରିଥିଲେ,
ସେହି ସର୍ପ ମଧ୍ୟ ନଗର ଛାଡି ସେମାନଙ୍କ ସହିତ ଚାଲିଲା | ସେମାନେ ଚାଲିଯିବା ମାତ୍ରେ ସାରା ନଗର ଛିନ୍ନ-ଭିନ୍ନ
ହୋଇ ନିଜ କାରଣରେ ଲୀନ ହୋଇଗଲା |
ବିକୃଷ୍ୟମାଣଃ ପ୍ରସଭଂ ଯବନେନ ବଲୀୟସା ।
ନାବିନ୍ଦତ୍ତମସାଽଽବିଷ୍ଟଃ ସଖାୟଂ ସୁହୃଦଂ ପୁରଃ ॥ ୨୫॥
ମହାବଳୀ ଯବନରାଜ ତାହାକୁ ବଳପୂର୍ବକ ଟାଣି ନେଉଥିବା ସମୟରେ ମଧ୍ୟ
ରାଜା ପୁରଞ୍ଜନ ନିଜର ହିତୈଷୀ ଏବଂ ପୁରାତନ ମିତ୍ର ଅବିଜ୍ଞାତର ସ୍ମରଣ କରି ନ ଥିଲା |
ତଂ ଯଜ୍ଞପଶବୋଽନେନ ସଞ୍ଜ୍ଞପ୍ତା ଯେଽଦୟାଲୁନା ।
କୁଠାରୈଶ୍ଚିଚ୍ଛିଦୁଃ କ୍ରୁଦ୍ଧାଃ ସ୍ମରନ୍ତୋଽମୀବମସ୍ୟ ତତ୍ ॥ ୨୬॥
ସେହି ନିର୍ଦୟ ରାଜା ଯେଉଁ ଯଜ୍ଞପଶୁମାନଙ୍କର ବଳି ଚଢାଇ ଥିଲା, ସେମାନେ ତାହା ଦ୍ବାରା ଦିଆ ଯାଇଥିବା ପୀଡାର ସ୍ମରଣ କରି କ୍ରୋଧପୂର୍ବକ
ତାକୁ କୁଠାରରେ କାଟିବାରେ ଲାଗିଲେ |
ଅନନ୍ତପାରେ ତମସି ମଗ୍ନୋ ନଷ୍ଟସ୍ମୃତିଃ ସମାଃ ।
ଶାଶ୍ୱତୀରନୁଭୂୟାର୍ତିଂ ପ୍ରମଦାସଙ୍ଗଦୂଷିତଃ ॥ ୨୭॥
ବର୍ଷ-ବର୍ଷ ଧରି ସେ ବିବେକହୀନ ଅବସ୍ଥାରେ ଅପାର ଅନ୍ଧକାରରେ ପଡି
ନିରନ୍ତର କଷ୍ଟ ଭୋଗ କରିବାରେ ଲାଗିଲା | ସ୍ତ୍ରୀ-ଆସକ୍ତି କାରଣରୁ ତାହାର ଏହିପରି ଦୁର୍ଗତି
ହୋଇଥିଲା |
ତାମେବ ମନସା ଗୃହ୍ଣନ୍ ବଭୂବ ପ୍ରମଦୋତ୍ତମା ।
ଅନନ୍ତରଂ ବିଦର୍ଭସ୍ୟ ରାଜସିଂହସ୍ୟ ବେଶ୍ମନି ॥ ୨୮॥
ଅନ୍ତସମୟରେ ମଧ୍ୟ ପୁରଞ୍ଜନ ତାହାର ହିଁ ଚିନ୍ତନ କରୁଥିଲା |
ସେଥିପାଇଁ ପରବର୍ତ୍ତୀ ଜନ୍ମରେ ସେ ନୃପଶ୍ରେଷ୍ଠ ବିଦର୍ଭରାଜଙ୍କ ଘରେ ଗୋଟିଏ ସୁନ୍ଦରୀ କନ୍ୟା
ଭାବରେ ଜନ୍ମ ଗ୍ରହଣ କଲା |
ଉପୟେମେ ବୀର୍ୟପଣାଂ ବୈଦର୍ଭୀଂ ମଲୟଧ୍ୱଜଃ ।
ଯୁଧି ନିର୍ଜିତ୍ୟ ରାଜନ୍ୟାନ୍ ପାଣ୍ଡ୍ୟଃ ପରପୁରଞ୍ଜୟଃ ॥ ୨୯॥
ସେହି ବିଦର୍ଭନନ୍ଦିନୀ ଯେତେବେଳେ ବିବାହଯୋଗ୍ୟ ହେଲା, ସେତେବେଳେ ବିଦର୍ଭରାଜ ଏହା ଘୋଷଣା କଲେ ଯେ ସର୍ବଶ୍ରେଷ୍ଠ ପରାକ୍ରମୀ
ବୀର ସହିତ ଏହାର ବିବାହ ହେବ | ସେତେବେଳେ ଶତ୍ରୁନଗରକୁ ଜୟ କରୁଥିବା ପାଣ୍ଡ୍ୟନରେଶ ମହାରାଜ
ମଳୟଧ୍ବଜ ସମରଭୂମିରେ ସମସ୍ତ ରାଜାଙ୍କୁ ହରାଇ ତାଙ୍କୁ ବିବାହ କଲେ |
ତସ୍ୟାଂ ସ ଜନୟାଞ୍ଚକ୍ର ଆତ୍ମଜାମସିତେକ୍ଷଣାମ୍ ।
ଯବୀୟସଃ ସପ୍ତ ସୁତାନ୍ ସପ୍ତ ଦ୍ରବିଡଭୂଭୃତଃ ॥ ୩୦॥
ତା’ଠାରୁ ମହାରାଜ
ମଳୟଧ୍ବଜ ଏକ ଶ୍ୟାମଲୋଚନା କନ୍ୟା ଏବଂ ସାତ ପୁତ୍ର ଉତ୍ପନ୍ନ କଲେ, ଯେଉଁମାନେ ଆଗକୁ ଦ୍ରବିଡଦେଶର ସାତଜଣ ରାଜା ହେଲେ |
ଏକୈକସ୍ୟାଭବତ୍ତେଷାଂ ରାଜନ୍ନର୍ବୁଦମର୍ବୁଦମ୍ ।
ଭୋକ୍ଷ୍ୟତେ ଯଦ୍ୱଂଶଧରୈର୍ମହୀ ମନ୍ୱନ୍ତରଂ ପରମ୍ ॥ ୩୧॥
ରାଜନ୍ ! ତାପରେ ସେମାନଙ୍କଠାରୁ ବହୁତ ବହୁତ ପୁତ୍ର ଉତ୍ପନ୍ନ ହେଲେ, ଯେଉଁମାନଙ୍କର ବଂଶଧର ଏହି ପୃଥିବୀକୁ ମନ୍ବନ୍ତରର ଅନ୍ତଯାଏଁ ତଥା
ତାପରେ ମଧ୍ୟ ଭୋଗ କରିବେ |
ଅଗସ୍ତ୍ୟଃ ପ୍ରାଗ୍ଦୁହିତରମୁପୟେମେ ଧୃତବ୍ରତାମ୍ ।
ଯସ୍ୟାଂ ଦୃଢଚ୍ୟୁତୋ ଜାତ ଇଧ୍ମବାହାତ୍ମଜୋ ମୁନିଃ ॥ ୩୨॥
ରାଜା ମଳୟଧ୍ବଜଙ୍କର ପ୍ରଥମ ପୁତ୍ରୀ ବହୁତ ବ୍ରତଶୀଳା ଥିଲେ | ତାଙ୍କ
ସହିତ ଅଗସ୍ତ୍ୟ ଋଷିଙ୍କର ବିବାହ ହୋଇଥିଲା | ତାଙ୍କଠାରୁ ଦୃଢଚ୍ୟୁତ ନାମକ ପୁତ୍ର ଉତ୍ପନ୍ନ ହେଲା
ଏବଂ ଦୃଢ଼ଚ୍ୟୁତଙ୍କଠାରୁ ଇଧ୍ମବାହ ହେଲେ |
ବିଭଜ୍ୟ ତନୟେଭ୍ୟଃ କ୍ଷ୍ମାଂ ରାଜର୍ଷିର୍ମଲୟଧ୍ୱଜଃ ।
ଆରିରାଧୟିଷୁଃ କୃଷ୍ଣଂ ସ ଜଗାମ କୁଲାଚଲମ୍ ॥ ୩୩॥
ଅନ୍ତତଃ ରାଜର୍ଷି ମଳୟଧ୍ବଜ ପୃଥିବୀକୁ ପୁତ୍ରମାନଙ୍କ ମଧ୍ୟରେ ବଣ୍ଟନ
କରି ଭଗବାନ ଶ୍ରୀକୃଷ୍ଣଙ୍କର ଆରାଧନା କରିବା ଇଚ୍ଛାରେ ମଳୟ ପର୍ବତକୁ ଚାଲିଗଲେ |
ହିତ୍ୱା ଗୃହାନ୍ ସୁତାନ୍ ଭୋଗାନ୍ ବୈଦର୍ଭୀ ମଦିରେକ୍ଷଣା ।
ଅନ୍ୱଧାବତ ପାଣ୍ଡ୍ୟେଶଂ ଜ୍ୟୋତ୍ସ୍ନେବ ରଜନୀକରମ୍ ॥ ୩୪॥
ସେହି ସମୟରେ ଚନ୍ଦ୍ରିକା ଚନ୍ଦ୍ରମାର ଅନୁସରଣ କରିବା ପରି ମତ୍ତଲୋଚନା
ବୈଦର୍ଭୀ ମଧ୍ୟ ଘର, ପୁତ୍ର ଏବଂ ସମସ୍ତ
ଭୋଗକୁ ତିଳାଞ୍ଜଳି ଦେଇ ପାଣ୍ଡ୍ୟନରେଶଙ୍କର ଅନୁଗମନ କଲେ |
ତତ୍ର ଚନ୍ଦ୍ରବସା ନାମ ତାମ୍ରପର୍ଣୀ ବଟୋଦକା ।
ତତ୍ପୁଣ୍ୟସଲିଲୈର୍ନିତ୍ୟମୁଭୟତ୍ରାତ୍ମନୋ ମୃଜନ୍ ॥ ୩୫॥
ସେଠାରେ ଚନ୍ଦ୍ରବସା,
ତାମ୍ରପର୍ଣ୍ଣୀ ଏବଂ ବଟୋଦକା ନାମରେ ତିନୋଟି ନଦୀ ଥିଲେ | ପ୍ରତିଦିନ ସେହି ନଦୀର ପବିତ୍ର ଜଳରେ
ସ୍ନାନ କରି ସେମାନେ ନିଜର ଶରୀର ଏବଂ ଅନ୍ତଃକରଣକୁ ନିର୍ମଳ କରୁଥିଲେ |
କନ୍ଦାଷ୍ଟିଭିର୍ମୂଲଫଲୈଃ ପୁଷ୍ପପର୍ଣୈସ୍ତୃଣୋଦକୈଃ ।
ବର୍ତମାନଃ ଶନୈର୍ଗାତ୍ରକର୍ଶନଂ ତପ ଆସ୍ଥିତଃ ॥ ୩୬॥
ସେଠାରେ ରହି ସେମାନେ କନ୍ଦ,
ବୀଜ, ମୂଳ, ଫଳ, ପୁଷ୍ପ, ପତ୍ର, ତୃଣ ଏବଂ ଜଳରେ ହିଁ
ନିର୍ବାହ କରି କଠୋର ତପସ୍ୟା କଲେ | ତଦ୍ବାରା ଧୀରେ ଧୀରେ ସେମାନଙ୍କର ଶରୀର କ୍ଷୀଣ ହେବାରେ
ଲାଗିଲା |
ଶୀତୋଷ୍ଣବାତବର୍ଷାଣି କ୍ଷୁତ୍ପିପାସେ ପ୍ରିୟାପ୍ରିୟେ ।
ସୁଖଦୁଃଖେ ଇତି ଦ୍ୱନ୍ଦ୍ୱାନ୍ୟଜୟତ୍ସମଦର୍ଶନଃ ॥ ୩୭॥
ମହାରାଜ ମଳୟଧ୍ବଜ ସର୍ବତ୍ର ସମଦୃଷ୍ଟି ରଖି ଶୀତ-ଉଷ୍ମ, ବର୍ଷା-ବାୟୁ, ଭୋକ-ଶୋଷ, ପ୍ରିୟ-ଅପ୍ରିୟ ଏବଂ ସୁଖ-ଦୁଃଖ ଆଦି ସମସ୍ତ ଦ୍ବନ୍ଦ୍ବକୁ ଜୟ
କରିନେଲେ |
ତପସା ବିଦ୍ୟଯା ପକ୍ୱକଷାୟୋ ନିୟମୈର୍ୟମୈଃ ।
ଯୁୟୁଜେ ବ୍ରହ୍ମଣ୍ୟାତ୍ମାନଂ ବିଜିତାକ୍ଷାନିଲାଶୟଃ ॥ ୩୮॥
ତପ ଏବଂ ଉପାସନା ଦ୍ବାରା ବାସନାକୁ ନିର୍ମୂଳ କରି ତଥା ଯମ-ନିୟମାଦି
ଦ୍ବାରା ଇନ୍ଦ୍ରିୟ, ପ୍ରାଣ ଓ ମନକୁ
ବଶୀଭୂତ କରି ସେ ଆତ୍ମାରେ ବ୍ରହ୍ମଭାବନା କରିବାରେ ଲାଗିଲେ |
ଆସ୍ତେ ସ୍ଥାଣୁରିବୈକତ୍ର ଦିବ୍ୟଂ ବର୍ଷଶତଂ ସ୍ଥିରଃ ।
ବାସୁଦେବେ ଭଗବତି ନାନ୍ୟଦ୍ୱେଦୋଦ୍ୱହନ୍ ରତିମ୍ ॥ ୩୯॥
ଏହିପରି ଭାବରେ ଶହେ ବର୍ଷକାଳ ସେ ସ୍ଥାଣୁବତ୍ ନିଶ୍ଚଳ ଭାବରେ ଗୋଟିଏ
ସ୍ଥାନରେ ବସି ରହିଲେ | ଭଗବାନ ବାସୁଦେବଙ୍କଠାରେ ସୁଦୃଢ଼ ପ୍ରେମ ହୋଇ ଯାଇଥିବା କାରଣରୁ ତାଙ୍କର
ଶରୀରାଦିର ଚେତନା ମଧ୍ୟ ନ ଥିଲା |
ସ ବ୍ୟାପକତୟାଽଽତ୍ମାନଂ ବ୍ୟତିରିକ୍ତତୟାଽଽତ୍ମନି ।
ବିଦ୍ୱାନ୍ ସ୍ୱପ୍ନ ଇବାମର୍ଶସାକ୍ଷିଣଂ ବିରରାମ ହ ॥ ୪୦॥
ସାକ୍ଷାଦ୍ଭଗବତୋକ୍ତେନ ଗୁରୁଣା ହରିଣା ନୃପ ।
ବିଶୁଦ୍ଧଜ୍ଞାନଦୀପେନ ସ୍ଫୁରତା ବିଶ୍ୱତୋମୁଖମ୍ ॥ ୪୧॥
ରାଜନ୍ ! ଗୁରୁସ୍ବରୂପ ସାକ୍ଷାତ୍ ଶ୍ରୀହରିଙ୍କର ଉପଦେଶ ତଥା ନିଜ
ଅନ୍ତଃକରଣରେ ସ୍ଫୁରିତ ବିଶୁଦ୍ଧ ବିଜ୍ଞାନଦୀପକ ଦ୍ବାରା ସେ ଦେଖିଲେ ଯେ ଅନ୍ତଃକରଣ
ବୃତ୍ତିମାନଙ୍କର ପ୍ରକାଶକ ଆତ୍ମା ସ୍ବପ୍ନାବସ୍ଥା ସଦୃଶ ଦେହାଦି ସମସ୍ତ ଉପାଧିରେ ବ୍ୟାପ୍ତ ହୋଇ
ମଧ୍ୟ ସେମାନଙ୍କଠାରୁ ପୃଥକ୍ ଅଟେ | ଏପରି ଅନୁଭବ କରି ସେ ସର୍ବତୋ ଭାବରେ ଉଦାସୀନ ହୋଇଗଲେ |
ପରେ ବ୍ରହ୍ମଣି ଚାତ୍ମାନଂ ପରଂ ବ୍ରହ୍ମ ତଥାଽଽତ୍ମନି ।
ବୀକ୍ଷମାଣୋ ବିହାୟେକ୍ଷାମସ୍ମାଦୁପରରାମ ହ ॥ ୪୨॥
ତାପରେ ସେ ନିଜ ଆତ୍ମାକୁ ପରବ୍ରହ୍ମଙ୍କଠାରେ ଏବଂ ପରବ୍ରହ୍ମଙ୍କୁ
ଆତ୍ମାରେ ଅଭିନ୍ନ ରୂପରେ ଦେଖିଲେ ଏବଂ ଶେଷରେ ଏହି ଅଭେଦ ଚିନ୍ତନକୁ ତ୍ୟାଗ କରି ସର୍ବଥା ଶାନ୍ତ
ହୋଇଗଲେ |
ପତିଂ ପରମଧର୍ମଜ୍ଞଂ ବୈଦର୍ଭୀ ମଲୟଧ୍ୱଜମ୍ ।
ପ୍ରେମ୍ଣା ପର୍ୟଚରଦ୍ଧିତ୍ୱା ଭୋଗାନ୍ ସା ପତିଦେବତା ॥ ୪୩॥
ପତିପରାୟଣା ବୈଦର୍ଭୀ ସବୁ ପ୍ରକାରର ଭୋଗ ତ୍ୟାଗ କରି ଅତିଶୟ ପ୍ରେମରେ
ନିଜ ପରମଧର୍ମଜ୍ଞ ପତି ମଳୟଧ୍ବଜଙ୍କର ସେବା କରୁଥିଲେ |
ଚୀରବାସା ବ୍ରତକ୍ଷାମା ବେଣୀଭୂତଶିରୋରୁହା ।
ବଭାବୁପ ପତିଂ ଶାନ୍ତା ଶିଖା ଶାନ୍ତମିବାନଲମ୍ ॥ ୪୪॥
ସେ ଚୀର-ବସ୍ତ୍ର ଧାରଣ କରୁଥିଲେ,
ବ୍ରତ-ଉପବାସାଦି କାରଣରୁ ତାଙ୍କର ଶରୀର ଅତ୍ୟନ୍ତ କୃଶ ହୋଇ ଯାଇଥିଲା ଏବଂ ମସ୍ତକର କେଶ ପରସ୍ପର
ଛନ୍ଦି ହୋଇ ଜଟ ରୂପ ଧାରଣ କରିଥିଲା | ସେହି ସମୟରେ ସେ ନିଜ ପତିଦେବଙ୍କ ପାର୍ଶ୍ବଦେଶରେ
ଅଙ୍ଗାରଭାବକୁ ପ୍ରାପ୍ତ ଧୂମରହିତ ଅଗ୍ନି ସମୀପରେ ଅଗ୍ନିର ଶାନ୍ତ ଶିଖା ପରି ସୁଶୋଭିତ ହେଉଥିଲେ
|
ଅଜାନତୀ ପ୍ରିୟତମଂ ଯଦୋପରତମଙ୍ଗନା ।
ସୁସ୍ଥିରାସନମାସାଦ୍ୟ ଯଥାପୂର୍ୱମୁପାଚରତ୍ ॥ ୪୫॥
ତାଙ୍କର ପତି ପରଲୋକବାସୀ ହୋଇ ସାରିଥିଲେ, କିନ୍ତୁ ପୂର୍ବବତ୍ ସ୍ଥିର ଆସନରେ ବିରାଜମାନ ଥିଲେ | ଏହି ରହସ୍ୟକୁ
ଜାଣି ନ ଥିବା କାରଣରୁ ସେ ତାଙ୍କ ପାଖକୁ ଯାଇ ପୂର୍ବବତ୍ ତାଙ୍କର ସେବା କରୁଥିଲେ |
ଯଦା ନୋପଲଭେତାଙ୍ଘ୍ରାବୂଷ୍ମାଣଂ ପତ୍ୟୁରର୍ଚତୀ ।
ଆସୀତ୍ସମ୍ବିଗ୍ନହୃଦୟା ଯୂଥଭ୍ରଷ୍ଟା ମୃଗୀ ଯଥା ॥ ୪୬॥
ଚରଣସେବା କରୁଥିବା ସମୟରେ ଯେତେବେଳେ ସେ ନିଜ ପତିଙ୍କ ଚରଣରେ ଉଷ୍ମତା
ଆଦୌ ଅନୁଭବ କରିପାରିଲେ ନାହିଁ, ସେତେବେଳେ ଦଳରୁ
ବିଚ୍ଛିନ୍ନ ହୋଇ ଯାଇଥିବା ହରିଣୀ ପରି ତାଙ୍କର ଚିତ୍ତ ଅତ୍ୟନ୍ତ ବ୍ୟାକୁଳ ହୋଇ ଉଠିଲା |
ଆତ୍ମାନଂ ଶୋଚତୀ ଦୀନମବନ୍ଧୁଂ ବିକ୍ଲବାଶ୍ରୁଭିଃ ।
ସ୍ତନାବାସିଚ୍ୟ ବିପିନେ ସୁସ୍ୱରଂ ପ୍ରରୁରୋଦ ସା ॥ ୪୭॥
ସେହି ନିର୍ଜନ ବଣରେ ନିଜକୁ ଏକାକୀ ଏବଂ ଦୀନ ଅନୁଭବ କରି ସେ ଅତ୍ୟନ୍ତ
ଶୋକାକୁଳ ହୋଇ ଅଶ୍ରୁଧାରାରେ ସ୍ତନକୁ ସିକ୍ତ କରି ଉଚ୍ଚ ସ୍ବରରେ କ୍ରନ୍ଦନ କରିବାରେ ଲାଗିଲେ |
ଉତ୍ତିଷ୍ଠୋତ୍ତିଷ୍ଠ ରାଜର୍ଷେ ଇମାମୁଦଧିମେଖଲାମ୍ ।
ଦସ୍ୟୁଭ୍ୟଃ କ୍ଷତ୍ରବନ୍ଧୁଭ୍ୟୋ ବିଭ୍ୟତୀଂ ପାତୁମର୍ହସି ॥ ୪୮॥
ଆତୁର ହୋଇ ସେ କହିବାରେ ଲାଗିଲେ,
‘ହେ ରାଜର୍ଷି ! ଉଠନ୍ତୁ, ଉଠନ୍ତୁ | ସମୁଦ୍ର
ପରିବେଷ୍ଟିତ ଏହି ବସୁନ୍ଧରା ଲୁଣ୍ଠନକାରୀ ଏବଂ ଅଧର୍ମୀ ରାଜାମାନଙ୍କ ଦ୍ବାରା ଭୟଭୀତ ହେଉଛି,
ଆପଣ ତାହାର ରକ୍ଷା କରନ୍ତୁ |
ଏବଂ ବିଲପତୀ ବାଲା ବିପିନେଽନୁଗତା ପତିମ୍ ।
ପତିତା ପାଦୟୋର୍ଭର୍ତୂ ରୁଦତ୍ୟଶ୍ରୂଣ୍ୟବର୍ତୟତ୍ ॥ ୪୯॥
ପତିଙ୍କ ସହିତ ବନକୁ ଗମନ କରିଥିବା ସେହି ଅବଳା ଏହିପରି ବିଳାପ କରି
ପତିଙ୍କ ଚରଣ ତଳେ ପଡିଗଲା ଏବଂ ରୋଦନ କରି ଅଶ୍ରୁ ବିସର୍ଜନ କରିବାରେ ଲାଗିଲା |
ଚିତିଂ ଦାରୁମୟୀଂ ଚିତ୍ୱା ତସ୍ୟାଂ ପତ୍ୟୁଃ କଲେବରମ୍ ।
ଆଦୀପ୍ୟ ଚାନୁମରଣେ ବିଲପନ୍ତୀ ମନୋ ଦଧେ ॥ ୫୦॥
କାଷ୍ଠରେ ଚିତା ପ୍ରସ୍ତୁତ କରି ସେ ତା’ ଉପରେ ନିଜ ପତିଙ୍କର ଶବକୁ ରଖିଲା ଏବଂ ସେଥିରେ ଅଗ୍ନି ସଂଯୋଗ କରି
ବିଳାପ କରିବା ସହିତ ସ୍ବୟଂ ସତୀ ହେବାକୁ ନିଶ୍ଚୟ କଲା |
ତତ୍ର ପୂର୍ୱତରଃ କଶ୍ଚିତ୍ସଖା ବ୍ରାହ୍ମଣ ଆତ୍ମବାନ୍ ।
ସାନ୍ତ୍ୱୟନ୍ ବଲ୍ଗୁନା ସାମ୍ନା ତାମାହ ରୁଦତୀଂ ପ୍ରଭୋ ॥ ୫୧॥
ରାଜନ୍ ! ସେହି ସମୟରେ ତାଙ୍କର କେହି ଜଣେ ପୁରୁଣା ମିତ୍ର ଜଣେ
ଆତ୍ମଜ୍ଞାନୀ ବ୍ରାହ୍ମଣ ସେଠାରେ ଆସି ପହଞ୍ଚିଲେ | ସେହି କ୍ରନ୍ଦନରତା ଅବଳାକୁ ସେ ଅତି ମଧୁର
ବାଣୀରେ ବୁଝାଇ କହିଲେ |
ବ୍ରାହ୍ମଣ ଉବାଚ
କା ତ୍ୱଂ କସ୍ୟାସି କୋ ବାୟଂ ଶୟାନୋ ଯସ୍ୟ ଶୋଚସି ।
ଜାନାସି କିଂ ସଖାୟଂ ମାଂ ଯେନାଗ୍ରେ ବିଚଚର୍ଥ ହ ॥ ୫୨॥
ବ୍ରାହ୍ମଣ କହିଲେ – ତୁ କିଏ ? କାହାର ପୁତ୍ରୀ ? ତୁ କାହା ପାଇଁ ଶୋକ
କରୁଛୁ ? ଏଠାରେ ଶୋଇ ରହିଥିବା ଏହି ପୁରୁଷ କିଏ ? ତୁ କ’ଣ
ମୋତେ ଚିହ୍ନି ପାରୁନାହୁଁ ? ମୁଁ ତୋର ସେହି ମିତ୍ର ଅଟେ,
ଯାହା ସହିତ ପୂର୍ବେ ତୁ ବିଚରଣ କରୁଥିଲୁ |
ଅପି ସ୍ମରସି ଚାତ୍ମାନମବିଜ୍ଞାତସଖଂ ସଖେ ।
ହିତ୍ୱା ମାଂ ପଦମନ୍ୱିଚ୍ଛନ୍ ଭୌମଭୋଗରତୋ ଗତଃ ॥ ୫୩॥
ସଖେ ! ତୁମର କ’ଣ ମନେ ପଡୁନାହିଁ, ଏକ ସମୟରେ ମୁଁ ତୁମର ଅବିଜ୍ଞାତ ନାମକ ସଖା ଥିଲି ? ପୃଥିବୀର ସମ୍ପଦ
ଭୋଗକରିବା ପାଇଁ ନିବାସସ୍ଥାନର ଅନ୍ବେଷଣରେ ତୁମେ ମୋତେ ଛାଡି ଚାଲି ଯାଇଥିଲ |
ହଂସାବହଂ ଚ ତ୍ୱଂ ଚାର୍ୟ ସଖାୟୌ ମାନସାୟନୌ ।
ଅଭୂତାମନ୍ତରା ବୌକଃ ସହସ୍ରପରିବତ୍ସରାନ୍ ॥ ୫୪॥
ପୂର୍ବେ ମୁଁ ଏବଂ ତୁମେ ପରସ୍ପରର ମିତ୍ର ଏବଂ ମାନସନିବାସୀ ହଂସ ଥିଲେ
| ଆମେ ଦୁହେଁ ସହସ୍ର-ସହସ୍ର ବର୍ଷ କୌଣସି ନିବାସସ୍ଥାନ ବିନା ରହିଥିଲେ |
ସ ତ୍ୱଂ ବିହାୟ ମାଂ ବନ୍ଧୋ ଗତୋ ଗ୍ରାମ୍ୟମତିର୍ମହୀମ୍ ।
ବିଚରନ୍ ପଦମଦ୍ରାକ୍ଷୀଃ କୟାଚିନ୍ନିର୍ମିତଂ ସ୍ତ୍ରିୟା ॥ ୫୫॥
କିନ୍ତୁ ତୁମେ ବିଷୟଭୋଗର ଇଚ୍ଛାରେ ମୋତେ ଛାଡି ଏହି ପୃଥିବୀକୁ ଚାଲି
ଆସିଲ | ଏଠାରେ ଘୂରି-ବୁଲି ତୁମେ ସ୍ତ୍ରୀ ଦ୍ବାରା ରଚିତ ଏକ ସ୍ଥାନ ଦେଖିଲ |
ପଞ୍ଚାରାମଂ ନବଦ୍ୱାରମେକପାଲଂ ତ୍ରିକୋଷ୍ଠକମ୍ ।
ଷଟ୍କୁଲଂ ପଞ୍ଚବିପଣଂ ପଞ୍ଚପ୍ରକୃତି ସ୍ତ୍ରୀଧବମ୍ ॥ ୫୬॥
ସେଥିରେ ପାଞ୍ଚଟି ବଗିଚା,
ନଅଟି ଦ୍ବାର, ଜଣେ ଦ୍ବାରପାଳ, ତିନୋଟି ପ୍ରାଚୀର, ଛଅଟି ବୈଶ୍ୟକୁଳ ଏବଂ ପାଞ୍ଚଟି ବଜାର ଥିଲା | ତାହା ପଞ୍ଚ ଉପାଦାନ
କାରଣରେ ନିର୍ମିତ ହୋଇଥିଲା ଏବଂ ତା’ର ସ୍ବାମିନି ଜଣେ
ସ୍ତ୍ରୀ ଥିଲା |
ପଞ୍ଚେନ୍ଦ୍ରିୟାର୍ଥା ଆରାମା ଦ୍ୱାରଃ ପ୍ରାଣା ନବ ପ୍ରଭୋ ।
ତେଜୋଽବନ୍ନାନି କୋଷ୍ଠାନି କୁଲମିନ୍ଦ୍ରିୟସଙ୍ଗ୍ରହଃ ॥ ୫୭॥
ବିପଣସ୍ତୁ କ୍ରିୟା ଶକ୍ତିର୍ଭୂତପ୍ରକୃତିରବ୍ୟଯା ।
ଶକ୍ତ୍ୟଧୀଶଃ ପୁମାଂସ୍ତ୍ୱତ୍ର ପ୍ରବିଷ୍ଟୋ ନାବବୁଧ୍ୟତେ ॥ ୫୮॥
ମହାରାଜ ! ପାଞ୍ଚ ପ୍ରକାରର ଇନ୍ଦ୍ରିୟ-ବିଷୟ ପାଞ୍ଚଟି ବଗିଚା ଥିଲେ; ନଅଟି
ଇନ୍ଦ୍ରିୟ-ଛିଦ୍ର ନବ ଦ୍ବାର ଥିଲେ; ତେଜ, ଜଳ ଏବଂ ଅନ୍ନ
ତିନୋଟି ପ୍ରାଚୀର ଥିଲେ; ମନ ଏବଂ ପଞ୍ଚ
ଜ୍ଞାନେନ୍ଦ୍ରିୟ ଛଅ ବୈଶ୍ୟକୁଳ ଥିଲେ; କ୍ରିୟାଶକ୍ତିରୂପ
କର୍ମେନ୍ଦ୍ରିୟ ହିଁ ବଜାର ଥିଲେ; ପଞ୍ଚଭୂତ ଏହାର କେବେ
କ୍ଷୀଣ ହେଉ ନ ଥିବା ଉପାଦାନ କାରଣ ଥିଲେ ଏବଂ ବୁଦ୍ଧିଶକ୍ତି ହିଁ ତା’ର ସ୍ବାମିନୀ ଥିଲା | ଏହା ଏପରି ନଗର ଥିଲା, ଯହିଁରେ ପ୍ରବେଶ କରି ପୁରୁଷ ଜ୍ଞାନଶୂନ୍ୟ ହୋଇଯାଏ – ନିଜ ସ୍ଵରୂପକୁ
ଭୂଲିଯାଏ |
ତସ୍ମିଂସ୍ତ୍ୱଂ ରାମୟା ସ୍ପୃଷ୍ଟୋ ରମମାଣୋଽଶ୍ରୁତସ୍ମୃତିଃ ।
ତତ୍ସଙ୍ଗାଦୀଦୃଶୀଂ ପ୍ରାପ୍ତୋ ଦଶାଂ ପାପୀୟସୀଂ ପ୍ରଭୋ ॥ ୫୯॥
ଭାଈ ! ସେହି ନଗରରେ ତା’ର
ସ୍ବାମିନୀଙ୍କ ଫାନ୍ଦରେ ପଡି ତା’ ସହିତ ବିହାର କରି
କରି ତୁମେ ମଧ୍ୟ ନିଜ ସ୍ଵରୂପକୁ ଭୂଲିଗଲ ଏବଂ ତା’ର
ସଙ୍ଗତିରୁ ତୁମର ଏପରି ଦୁର୍ଦ୍ଦଶା ହେଲା |
ନ ତ୍ୱଂ ବିଦର୍ଭଦୁହିତା ନାୟଂ ବୀରଃ ସୁହୃତ୍ତବ ।
ନ ପତିସ୍ତ୍ୱଂ ପୁରଞ୍ଜନ୍ୟା ରୁଦ୍ଧୋ ନବମୁଖେ ଯୟା ॥ ୬୦॥
ଦେଖ, ତୁମେ
ବିଦର୍ଭରାଜଙ୍କର ପୁତ୍ରୀ ନୁହଁ କି ଏହି ବୀର ମଳୟଧ୍ବଜ ତୁମର ପତି ନୁହଁନ୍ତି | ଯିଏ ତୁମକୁ
ନବଦ୍ବାରବିଶିଷ୍ଟ ନଗରରେ ବନ୍ଦୀ କରି ରଖିଥିଲା,
ତୁମେ ସେହି ପୁରଞ୍ଜନୀର ପତି ମଧ୍ୟ ନୁହଁ |
ମାୟା ହ୍ୟେଷା ମୟା ସୃଷ୍ଟା ଯତ୍ପୁମାଂସଂ ସ୍ତ୍ରିୟଂ ସତୀମ୍ ।
ମନ୍ୟସେ ନୋଭୟଂ ଯଦ୍ୱୈ ହଂସୌ ପଶ୍ୟାବୟୋର୍ଗତିମ୍ ॥ ୬୧॥
ପୂର୍ବ ଜନ୍ମରେ ତୁମେ ନିଜକୁ ପୁରୁଷ ମନେ କରୁଥିଲ ଏବଂ ଏବେ ନିଜକୁ
ସତୀ ସ୍ତ୍ରୀ ମନେକରୁଛ – ଏସବୁ ମୋ ଦ୍ବାରା ବିସ୍ତାରିତ ମାୟା ଅଟେ | ବାସ୍ତବରେ ତୁମେ ପୁରୁଷ
ନୁହେଁ କି ସ୍ତ୍ରୀ ନୁହେଁ | ଆମେ ଦୁହେଁ ତ ହଂସ ଅଟେ;
ଆମର ଯାହା ବାସ୍ତବିକ ସ୍ବରୂପ, ତୁମେ ତାହା ଅନୁଭବ
କର |
ଅହଂ ଭବାନ୍ ନ ଚାନ୍ୟସ୍ତ୍ୱଂ ତ୍ୱମେବାହଂ ବିଚକ୍ଷ୍ୱ ଭୋଃ ।
ନ ନୌ ପଶ୍ୟନ୍ତି କବୟଶ୍ଛିଦ୍ରଂ ଜାତୁ ମନାଗପି ॥ ୬୨॥
ମିତ୍ର ! ଯିଏ ମୁଁ (ଈଶ୍ବର) ଅଟେ,
ସେ ତୁମେ (ଜୀବ) ଅଟ | ତୁମେ ମୋଠାରୁ ଭିନ୍ନ ନୁହେଁ ଏବଂ ବିଚାରପୂର୍ବକ ଦେଖିଲେ ତୁମେ
ଜାଣିପାରିବ, ତୁମେ ଯାହା ଅଟ, ମୁଁ ମଧ୍ୟ ତାହା ହିଁ ଅଟେ | ଜ୍ଞାନୀ ପୁରୁଷ ଆମ ଦୁହିଁଙ୍କ ମଧ୍ୟରେ
କିଂଚିତ୍ ବି ଅନ୍ତର ଦେଖନ୍ତି ନାହିଁ |
ଯଥା ପୁରୁଷ ଆତ୍ମାନମେକମାଦର୍ଶଚକ୍ଷୁଷୋଃ ।
ଦ୍ୱିଧାଭୂତମବେକ୍ଷେତ ତଥୈବାନ୍ତରମାବୟୋଃ ॥ ୬୩॥
ଜଣେ ପୁରୁଷ ଯେପରି ନିଜ ପ୍ରତିଛବିକୁ ଦର୍ପଣରେ ଏବଂ ଅନ୍ୟ
ବ୍ୟକ୍ତିଙ୍କ ନେତ୍ରରେ ଭିନ୍ନ ଭିନ୍ନ ଦେଖିଥାଆନ୍ତି,
ଠିକ୍ ସେହିପରି ଗୋଟିଏ ହିଁ ଆତ୍ମା ବିଦ୍ୟା ଏବଂ ଅବିଦ୍ୟା ଉପାଧି ଭେଦରେ ନିଜକୁ ଈଶ୍ବର ଏବଂ ଜୀବ
ରୂପରେ ଦୁଇ ପ୍ରକାରରେ ଦେଖିଥାଏ |
ଏବଂ ସ ମାନସୋ ହଂସୋ ହଂସେନ ପ୍ରତିବୋଧିତଃ ।
ସ୍ୱସ୍ଥସ୍ତଦ୍ୱ୍ୟଭିଚାରେଣ ନଷ୍ଟାମାପ ପୁନଃ ସ୍ମୃତିମ୍ ॥ ୬୪॥
ଏହିପରି ଭାବରେ ହଂସ (ଈଶ୍ବର) ଯେତେବେଳେ ତାକୁ ସାବଧାନ କଲେ, ସେତେବେଳେ ମାନସରୋବରର ସେହି ହଂସ (ଜୀବ) ନିଜ ସ୍ବରୂପରେ ସ୍ଥିତ
ହୋଇଗଲା ଏବଂ ସେ ନିଜ ମିତ୍ରଙ୍କଠାରୁ ବିଚ୍ଛିନ୍ନ ହୋଇଯିବା ଦ୍ବାରା ବିସ୍ମୃତ ହୋଇଥିବା
ଆତ୍ମଜ୍ଞାନ ପୁନଃ ପ୍ରାପ୍ତ କରିନେଲା |
ବର୍ହିଷ୍ମନ୍ନେତଦଧ୍ୟାତ୍ମଂ ପାରୋକ୍ଷ୍ୟେଣ ପ୍ରଦର୍ଶିତମ୍ ।
ଯତ୍ପରୋକ୍ଷପ୍ରିୟୋ ଦେବୋ ଭଗବାନ୍ ବିଶ୍ୱଭାବନଃ ॥ ୬୫॥
ହେ ପ୍ରାଚୀନବର୍ହି ! ମୁଁ ତୁମକୁ ପରୋକ୍ଷରୂପରେ ଆତ୍ମଜ୍ଞାନର ଏହି
ଦିଗଦର୍ଶନ କରାଇଲି; କାରଣ ଜଗତ୍-କର୍ତ୍ତା
ଜଗଦୀଶ୍ବରଙ୍କୁ ପରୋକ୍ଷ ବର୍ଣ୍ଣନ ହିଁ ଅଧିକ ପ୍ରିୟ ଅଟେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ଅଷ୍ଟାବିଂଶୋଽଧ୍ୟାୟଃ ॥ ୨୮॥
Comments
Post a Comment