ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ॥
ଉନତ୍ରିଂଶ ଅଧ୍ୟାୟ
ପୁରଞ୍ଜନ ଉପାଖ୍ୟାନର ତାତ୍ପର୍ଯ୍ୟ
ପ୍ରାଚୀନବର୍ହିରୁବାଚ
ଭଗବଂସ୍ତେ ବଚୋଽସ୍ମାଭିର୍ନ ସମ୍ୟଗବଗମ୍ୟତେ ।
କବୟସ୍ତଦ୍ୱିଜାନନ୍ତି ନ ବୟଂ କର୍ମମୋହିତାଃ ॥ ୧॥
ରାଜା ପ୍ରାଚୀନବର୍ହି କହିଲେ – ଭଗବନ୍ !
ଆପଣଙ୍କ ବଚନର ଅଭିପ୍ରାୟ ମୁଁ ପୂରାପୂରି ବୁଝିପାରିଲି ନାହିଁ | ବିବେକୀ ପୁରୁଷ ହିଁ ଏହାର
ତାତ୍ପର୍ଯ୍ୟ ବୁଝିପାରିବେ, ଆମ୍ଭମାନଙ୍କ ପରି କର୍ମମୋହିତ ଜୀବ
ନୁହେଁ |
ନାରଦ ଉବାଚ
ପୁରୁଷଂ ପୁରଞ୍ଜନଂ ବିଦ୍ୟାଦ୍ୟଦ୍ୱ୍ୟନକ୍ତ୍ୟାତ୍ମନଃ ପୁରମ୍ ।
ଏକଦ୍ୱିତ୍ରିଚତୁଷ୍ପାଦଂ ବହୁ ପାଦମପାଦକମ୍ ॥ ୨॥
ଦେବର୍ଷି ନାରଦ କହିଲେ – ରାଜନ୍ ! ପୁରଞ୍ଜନ (ନଗରର ନିର୍ମାତା) ଜୀବ ଅଟେ – ଯିଏ ନିଜ ପାଇଁ ଏକ, ଦୁଇ, ତିନ, ଚାରି ଅଥବା ବହୁ ପଦଧାରୀ ବା ବିନା
ପଦଧାରୀ ଶରୀରରୂପ ପୁର ନିର୍ମାଣ କରିଥାଏ |
ଯୋଽବିଜ୍ଞାତାହୃତସ୍ତସ୍ୟ ପୁରୁଷସ୍ୟ ସଖେଶ୍ୱରଃ ।
ଯନ୍ନ ବିଜ୍ଞାୟତେ ପୁମ୍ଭିର୍ନାମଭିର୍ୱା କ୍ରିୟାଗୁଣୈଃ ॥ ୩॥
ଅବିଜ୍ଞାତ ନାମକ ଜୀବର ସଖା ଈଶ୍ବର ଅଟନ୍ତି; କାରଣ କୌଣସି ପ୍ରକାର ନାମ,
ଗୁଣ ଏବଂ କର୍ମ ଦ୍ବାରା ଜୀବକୁ ତାଙ୍କର ଜ୍ଞାନ ହୋଇ ନ ଥାଏ |
ଯଦା ଜିଘୃକ୍ଷନ୍ ପୁରୁଷଃ କାର୍ତ୍ସ୍ନ୍ୟେନ ପ୍ରକୃତେର୍ଗୁଣାନ୍ ।
ନବଦ୍ୱାରଂ ଦ୍ୱିହସ୍ତାଙ୍ଘ୍ରି ତତ୍ରାମନୁତ ସାଧ୍ୱିତି ॥ ୪॥
ଜୀବ ଯେତେବେଳେ ସୁଖ-ଦୁଃଖରୂପ ପ୍ରାକୃତ ବିଷୟ ଭୋଗ କରିବାକୁ ଇଚ୍ଛା
କଲା, ସେତେବେଳେ ସେ ଅନ୍ୟ
ଶରୀର ଅପେକ୍ଷା ନବ ଦ୍ବାର, ଦୁଇ ହାତ ଏବଂ ଦୁଇ ପାଦ ବିଶିଷ୍ଟ ମାନବ-ଦେହକୁ ହିଁ ପସନ୍ଦ କଲା |
ବୁଦ୍ଧିଂ ତୁ ପ୍ରମଦାଂ ବିଦ୍ୟାନ୍ମମାହମିତି ଯତ୍କୃତମ୍ ।
ଯାମଧିଷ୍ଠାୟ ଦେହେଽସ୍ମିନ୍ ପୁମାନ୍ ଭୁଙ୍କ୍ତେଽକ୍ଷଭିର୍ଗୁଣାନ୍ ॥ ୫॥
ବୁଦ୍ଧି ଅଥବା ଅବିଦ୍ୟାକୁ ହିଁ ତୁମେ ପୁରଞ୍ଜନୀ ନାମ୍ନୀ ସ୍ତ୍ରୀ
ଭାବରେ ଜାଣ; ଏହା ଯୋଗୁଁ ଦେହ ଏବଂ ଇନ୍ଦ୍ରିୟ ଆଦିରେ ମୁଁ-ମୋପଣର ଭାବ ଉତ୍ପନ୍ନ ହୋଇଥାଏ ଏବଂ
ପୁରୁଷ ଏହାର ଆଶ୍ରୟ ଗ୍ରହଣ କରି ଶରୀରରେ ଇନ୍ଦ୍ରିୟମାନଙ୍କ ଦ୍ବାରା ବିଷୟ ଭୋଗ କରିଥାଏ |
ସଖାୟ ଇନ୍ଦ୍ରିୟଗଣା ଜ୍ଞାନଂ କର୍ମ ଚ ଯତ୍କୃତମ୍ ।
ସଖ୍ୟସ୍ତଦ୍ୱୃତ୍ତୟଃ ପ୍ରାଣଃ ପଞ୍ଚବୃତ୍ତିର୍ୟଥୋରଗଃ ॥ ୬॥
ଦଶ ଇନ୍ଦ୍ରିୟ ହିଁ ଏହାର ମିତ୍ର ଅଟନ୍ତି, ଯେଉଁମାନଙ୍କ ସାହାଯ୍ୟରେ ତାହାର ସବୁ ପ୍ରକାରର ଜ୍ଞାନ ଏବଂ କର୍ମ
ହୋଇଥାଏ | ଇନ୍ଦ୍ରିୟମାନଙ୍କର ବୃତ୍ତି ତାହାର ସଖୀ ଅଟନ୍ତି ଏବଂ
ପ୍ରାଣ-ଅପାନ-ବ୍ୟାନ-ଉଦାନ-ସମାନରୂପ ପଞ୍ଚ ପ୍ରାଣବାୟୁ ହିଁ ନଗରର ରକ୍ଷକ ପଞ୍ଚ ଫଣବିଶିଷ୍ଟ ସର୍ପ
ଅଟେ |
ବୃହଦ୍ବଲଂ ମନୋ ବିଦ୍ୟାଦୁଭୟେନ୍ଦ୍ରିୟନାୟକମ୍ ।
ପଞ୍ଚାଲାଃ ପଞ୍ଚବିଷୟା ଯନ୍ମଧ୍ୟେ ନବ ଖଂ ପୁରମ୍ ॥ ୭॥
ଉଭୟ ପ୍ରକାରର ଇନ୍ଦ୍ରିୟମାନଙ୍କର ନାୟକ ମନ ହିଁ ସେହି ଏକାଦଶତମ
ମହାବଳୀ ଯୋଦ୍ଧା ଅଟେ | ଶବ୍ଦାଦି ପଞ୍ଚ ବିଷୟ ପାଞ୍ଚାଳଦେଶ ଅଟେ, ଯାହାର କେନ୍ଦ୍ରରେ ସେହି ନବଦ୍ବାରଯୁକ୍ତ ନଗର ରହିଛି |
ଅକ୍ଷିଣୀ ନାସିକେ କର୍ଣୌ ମୁଖଂ ଶିଶ୍ନଗୁଦାବିତି ।
ଦ୍ୱେ ଦ୍ୱେ ଦ୍ୱାରୌ ବହିର୍ୟାତି ଯସ୍ତଦିନ୍ଦ୍ରିୟସଂୟୁତଃ ॥ ୮॥
ସେହି ନଗରରେ ଗୋଟିଏ ସ୍ଥାନରେ ଯେଉଁ ଦୁଇଟି ଦ୍ବାର ରହିଛି, ତାହା ଦୁଇ ନେତ୍ରଗୋଲକ,
ଦୁଇ ନାସାଛିଦ୍ର ଏବଂ ଦୁଇ କର୍ଣ୍ଣରନ୍ଧ୍ର ଅଟେ | ତା’
ସହିତ ମୁଖ, ଲିଙ୍ଗ ଏବଂ
ମଳଦ୍ବାରକୁ ମିଶାଇ ସମୁଦାୟ ନଅଟି ଦ୍ବାର ରହିଛି;
ଏହିସବୁ ଦ୍ବାର ମଧ୍ୟ ଦେଇ ଜୀବ ଇନ୍ଦ୍ରିୟମାନଙ୍କ ସହିତ ବାହ୍ୟ ବିଷୟ ପାଖକୁ ଯାଇଥାଏ |
ଅକ୍ଷିଣୀ ନାସିକେ ଆସ୍ୟମିତି ପଞ୍ଚ ପୁରଃ କୃତାଃ ।
ଦକ୍ଷିଣା ଦକ୍ଷିଣଃ କର୍ଣ ଉତ୍ତରା ଚୋତ୍ତରଃ ସ୍ମୃତଃ ॥ ୯॥
ଏମାନଙ୍କ ମଧ୍ୟରୁ ଦୁଇ ନେତ୍ରଗୋଲକ, ଦୁଇ ନାସାଛିଦ୍ର ଏବଂ ଏକ ମୁଖ – ଏହି ପାଞ୍ଚଟି ପୂର୍ବ ଦ୍ବାର
ଅଟନ୍ତି | ଡାହାଣ କାନ ଦକ୍ଷିଣ ଦ୍ବାର ଏବଂ ବାମ କାନ ଉତ୍ତର ଦ୍ବାର ଅଟନ୍ତି |
ପଶ୍ଚିମେ ଇତ୍ୟଧୋ ଦ୍ୱାରୌ ଗୁଦଂ ଶିଶ୍ନମିହୋଚ୍ୟତେ ।
ଖଦ୍ୟୋତାବିର୍ମୁଖୀ ଚାତ୍ର ନେତ୍ରେ ଏକତ୍ର ନିର୍ମିତେ ।
ରୂପଂ ବିଭ୍ରାଜିତଂ ତାଭ୍ୟାଂ ବିଚଷ୍ଟେ ଚକ୍ଷୁଷେଶ୍ୱରଃ ॥ ୧୦॥
ମଳଦ୍ବାର ଏବଂ ଲିଙ୍ଗ – ନିମ୍ନଭାଗରେ ଥିବା ଏହି ଦୁଇଟି ଛିଦ୍ର
ପଶ୍ଚିମ ଦ୍ବାର ଅଟନ୍ତି | ପୂର୍ବ ଦିଗରେ ଖଦ୍ୟୋତା ଏବଂ ଆବିର୍ମୁଖୀ ନାମକ ଯେଉଁ ଦୁଇଟି ଦ୍ବାର
ଅଛି, ତାହା ଦୁଇ
ନେତ୍ରଗୋଲକ ଅଟେ ଯାହା ମଧ୍ୟ ଦେଇ ଜୀବ ଚକ୍ଷୁ-ଇନ୍ଦ୍ରିୟ ସାହାଯ୍ୟରେ ରୂପ ବିଭ୍ରାଜିତ ନାମକ
ଦେଶକୁ ଦେଖିଥାଏ |
ନଲିନୀ ନାଲିନୀ ନାସେ ଗନ୍ଧଃ ସୌରଭ ଉଚ୍ୟତେ ।
ଘ୍ରାଣୋଽବଧୂତୋ ମୁଖ୍ୟାସ୍ୟଂ ବିପଣୋ ବାଗ୍ରସବିଦ୍ରସଃ ॥ ୧୧॥
ଦୁଇ ନାସାଛିଦ୍ର ନଳିନୀ ଏବଂ ନାଳିନୀ ନାମକ ଦ୍ବାର ଅଟେ, ନାସିକାର
ବିଷୟ ଗନ୍ଧ ସୌରଭ ନାମକ ଦେଶ ଅଟେ ଏବଂ ଘ୍ରାଣେନ୍ଦ୍ରିୟ ଅବଧୂତ ନାମକ ମିତ୍ର ଅଟେ | ମୁଖ ମୁଖ୍ୟ
ନାମକ ଦ୍ବାର ଅଟେ ଏବଂ ସେଥିରେ ରହିଥିବା ବାଗେନ୍ଦ୍ରିୟ ବିପଣ ତଥା ରସନେନ୍ଦ୍ରିୟ ରସବିଦ୍
(ରସଜ୍ଞ) ନାମକ ମିତ୍ର ଅଟନ୍ତି |
ଆପଣୋ ବ୍ୟବହାରୋଽତ୍ର ଚିତ୍ରମନ୍ଧୋ ବହୂଦନମ୍ ।
ପିତୃହୂର୍ଦକ୍ଷିଣଃ କର୍ଣ ଉତ୍ତରୋ ଦେବହୂଃ ସ୍ମୃତଃ ॥ ୧୨॥
ବାଣୀର ବ୍ୟାପାର ଆପଣ ଅଟେ ଏବଂ ନାନା ପ୍ରକାରର ଅନ୍ନ ବହୂଦନ ଅଟେ |
ଦକ୍ଷିଣ କାନକୁ ପିତୃହୂ ଏବଂ ବାମ କାନକୁ ଦେବହୂ କୁହାଯାଏ |
ପ୍ରବୃତ୍ତଂ ଚ ନିବୃତ୍ତଂ ଚ ଶାସ୍ତ୍ରଂ ପଞ୍ଚାଲସଞ୍ଜ୍ଞିତମ୍ ।
ତୃୟାନଂ ଦେବୟାନଂ ଶ୍ରୋତ୍ରାଚ୍ଛ୍ରୁତଧରାଦ୍ୱ୍ରଜେତ୍ ॥ ୧୩॥
କର୍ମକାଣ୍ଡରୂପ ପ୍ରବୃତ୍ତିମାର୍ଗର ଶାସ୍ତ୍ର ଏବଂ ଉପାସନାକାଣ୍ଡରୂପ
ନିବୃତ୍ତିମାର୍ଗର ଶାସ୍ତ୍ର ଯଥାକ୍ରମେ ଦକ୍ଷିଣ ଏବଂ ଉତ୍ତର ପାଞ୍ଚାଳଦେଶ ଅଟେ |
ଶ୍ରବଣେନ୍ଦ୍ରିୟରୂପ ଶ୍ରୁତଧର ସହାୟତାରେ ଜୀବ ଯଥାକ୍ରମେ ପିତୃଯାନ ଏବଂ ଦେବଯାନ ମାର୍ଗରେ
ଯାଇଥାଏ |
ଆସୁରୀ ମେଢ୍ରମର୍ୱାଗ୍ଦ୍ୱାର୍ୱ୍ୟବାୟୋ ଗ୍ରାମିଣାଂ ରତିଃ ।
ଉପସ୍ଥୋ ଦୁର୍ମଦଃ ପ୍ରୋକ୍ତୋ ନିରୃତିର୍ଗୁଦ ଉଚ୍ୟତେ ॥ ୧୪॥
ଲିଙ୍ଗ ହିଁ ଆସୁରୀ ନାମକ ପଶ୍ଚିମ ଦ୍ବାର ଅଟେ, ସ୍ତ୍ରୀପ୍ରସଙ୍ଗ
ଗ୍ରାମକ ନାମକ ଦେଶ ଅଟେ ଏବଂ ଲିଙ୍ଗରେ ଥିବା ଉପସ୍ଥେନ୍ଦ୍ରିୟ ଦୁର୍ମଦ ନାମକ ମିତ୍ର ଅଟେ |
ମଳଦ୍ବାର ନିଋତି ନାମକ ପଶ୍ଚିମ ଦ୍ବାର ଅଟେ |
ବୈଶସଂ ନରକଂ ପାୟୁର୍ଲୁବ୍ଧକୋଽନ୍ଧୌ ତୁ ମେ ଶୃଣୁ ।
ହସ୍ତପାଦୌ ପୁମାଂସ୍ତାଭ୍ୟାଂ ଯୁକ୍ତୋ ଯାତି କରୋତି ଚ ॥ ୧୫॥
ନରକ ବୈଶସ ନାମକ ଦେଶ ଅଟେ ଏବଂ ମଳଦ୍ବାରରେ ସ୍ଥିତ ପାୟୁ-ଇନ୍ଦ୍ରିୟ
ଲୁବ୍ଧକ ନାମକ ମିତ୍ର ଅଟେ | ଏତଦ୍ ବ୍ୟତିତ ଯେଉଁ ଦୁଇଟି ଅନ୍ଧ ପୁରୁଷଙ୍କ ବିଷୟରେ କୁହାଯାଇଛି, ତାହାର ରହସ୍ୟ ଶୁଣ | ସେମାନେ ହାତ ଏବଂ ପାଦ ଅଟନ୍ତି; ଏମାନଙ୍କ ସହାୟତାରେ ଜୀବ ସବୁ କାମ କରିଥାଏ ଏବଂ ଏଣେତେଣେ ଯାଇଥାଏ |
ଅନ୍ତଃପୁରଂ ଚ ହୃଦୟଂ ବିଷୂଚିର୍ମନ ଉଚ୍ୟତେ ।
ତତ୍ର ମୋହଂ ପ୍ରସାଦଂ ବା ହର୍ଷଂ ପ୍ରାପ୍ନୋତି ତଦ୍ଗୁଣୈଃ ॥ ୧୬॥
ହୃଦୟ ଅନ୍ତଃପୁର ଅଟେ,
ଏଥିରେ ରହିଥିବା ମନ ବିଷୂଚୀନ ନାମକ ପ୍ରଧାନ ସେବକ ଅଟେ | ଏହି ମନର ସତ୍ତ୍ଵାଦି ଗୁଣ କାରଣରୁ
ଜୀବକୁ ପ୍ରସନ୍ନତା, ହର୍ଷ ଆଦି ବିକାର ଅଥବା ମୋହ ପ୍ରାପ୍ତ ହୋଇଥାଏ |
ଯଥା ଯଥା ବିକ୍ରିୟତେ ଗୁଣାକ୍ତୋ ବିକରୋତି ବା ।
ତଥା ତଥୋପଦ୍ରଷ୍ଟାଽଽତ୍ମା ତଦ୍ୱୃତ୍ତୀରନୁକାର୍ୟତେ ॥ ୧୭॥
ବୁଦ୍ଧି (ରାଜମହିଷୀ ପୁରଞ୍ଜନୀ) ସ୍ବପ୍ନାବସ୍ଥାରେ ଯେଉଁ ଯେଉଁ
ବିକାରକୁ ପ୍ରାପ୍ତ ହୋଇଥାଏ, ଜାଗ୍ରତ ଅବସ୍ଥାରେ
ତଦନୁଯାୟୀ ସେ ଇନ୍ଦ୍ରିୟମାନଙ୍କୁ ବିକୃତ କରିଥାଏ ଏବଂ ତା’ର
ଗୁଣରେ ଲିପ୍ତ ହୋଇ ଆତ୍ମା ମଧ୍ୟ ସେହି ସେହି ରୂପରେ ତାହାର ବୃତ୍ତିମାନଙ୍କର ଅନୁକରଣ କରିବାକୁ ବାଧ୍ୟ
ହୋଇଥାଏ, ଯଦିଓ ବାସ୍ତବରେ ସେ
ତାହାର ନିର୍ବିକାର ସାକ୍ଷୀମାତ୍ର ଅଟେ |
ଦେହୋ ରଥସ୍ତ୍ୱିନ୍ଦ୍ରିୟାଶ୍ୱଃ ସମ୍ବତ୍ସରରୟୋଽଗତିଃ ।
ଦ୍ୱିକର୍ମଚକ୍ରସ୍ତ୍ରିଗୁଣଧ୍ୱଜଃ ପଞ୍ଚାସୁବନ୍ଧୁରଃ ॥ ୧୮॥
ଶରୀର ରଥ ଅଟେ | ତହିଁରେ ଜ୍ଞାନେନ୍ଦ୍ରିୟ ରୂପେ ପାଞ୍ଚଟି ଘୋଡା ଯୋଚା
ହୋଇଛି | ଦେଖିବାକୁ ସମ୍ବତ୍ସରରୂପ କାଳ ପରି ତାହାର ବେଗ ଅପ୍ରତିହତ ଅଟେ, କିନ୍ତୁ ବାସ୍ତବରେ ତାହା ଗତିହୀନ ଅଟେ | ପାପ ଓ ପୁଣ୍ୟ ଦୁଇ
ପ୍ରକାରର କର୍ମ ତା’ର ଦୁଇ ଚକ ଅଟେ, ତିନି ଗୁଣ ଧ୍ବଜା ଏବଂ ପଞ୍ଚପ୍ରାଣ ଡୋରି ଅଟେ |
ମନୋରଶ୍ମିର୍ବୁଦ୍ଧିସୂତୋ ହୃନ୍ନୀଡୋ ଦ୍ୱନ୍ଦ୍ୱକୂବରଃ ।
ପଞ୍ଚେନ୍ଦ୍ରିୟାର୍ଥପ୍ରକ୍ଷେପଃ ସପ୍ତଧାତୁବରୂଥକଃ ॥ ୧୯॥
ମନ ଲଗାମ ଅଟେ, ବୁଦ୍ଧି ସାରଥୀ ଅଟେ,
ହୃଦୟ ବସିବା ସ୍ଥାନ ଅଟେ, ସୁଖ-ଦୁଃଖାଦି
ଦ୍ବନ୍ଦ୍ବ ଜୁଆଳି ଅଟେ, ପାଞ୍ଚ ପ୍ରକାରର
ଇନ୍ଦ୍ରିୟ-ବିଷୟ ସେଥିରେ ରଖା ଯାଇଥିବା ଆୟୁଧ ଅଟେ ଏବଂ ତ୍ବଚା ଆଦି ସାତ ଧାତୁ ତାହାର ଆବରଣ ଅଟେ
|
ଆକୂତିର୍ୱିକ୍ରମୋ ବାହ୍ୟୋ ମୃଗତୃଷ୍ଣାଂ ପ୍ରଧାବତି ।
ଏକାଦଶେନ୍ଦ୍ରିୟଚମୂଃ ପଞ୍ଚସୂନା ବିନୋଦକୃତ୍ ॥ ୨୦॥
ପଞ୍ଚ କର୍ମେନ୍ଦ୍ରିୟ ତାହାର ପାଞ୍ଚ ପ୍ରକାରର ଗତି ଅଟନ୍ତି | ଏହି
ରଥରେ ଚଢି ରଥୀରୂପ ଜୀବ ମୃଗତୃଷ୍ଣା ସଦୃଶ ମିଥ୍ୟା ବିଷୟ ଅଭିମୁଖରେ ଧାଉଁଥାଏ | ଏଗାର ଇନ୍ଦ୍ରିୟ
ତା’ର ସେନା ଅଟନ୍ତି ତଥା
ପଞ୍ଚ ଜ୍ଞାନେନ୍ଦ୍ରିୟ ଦ୍ବାରା ସେହି
ଇନ୍ଦ୍ରିୟ-ବିଷୟକୁ ଅନ୍ୟାୟପୂର୍ବକ ଗ୍ରହଣ କରିବା ହିଁ ତା’ର
ଶିକାର କରିବା ଅଟେ |
ସମ୍ବତ୍ସରଶ୍ଚଣ୍ଡବେଗଃ କାଲୋ ଯେନୋପଲକ୍ଷିତଃ ।
ତସ୍ୟାହାନୀହ ଗନ୍ଧର୍ୱା ଗନ୍ଧର୍ୱ୍ୟୋ ରାତ୍ରୟଃ ସ୍ମୃତାଃ ।
ହରନ୍ତ୍ୟାୟୁଃ ପରିକ୍ରାନ୍ତ୍ୟା ଷଷ୍ଟ୍ୟୁତ୍ତରଶତତ୍ରୟମ୍ ॥ ୨୧॥
ଯାହା ଦ୍ବାରା କାଳର ଜ୍ଞାନ ହୋଇଥାଏ, ସେହି ସମ୍ବତ୍ସର ହିଁ ଚଣ୍ଡବେଗ ନାମକ ଗନ୍ଧର୍ବରାଜ ଅଟେ | ତା’ର ଅଧୀନସ୍ତ ଯେଉଁ ତିନିଶହ ଷାଠିଏ ଗନ୍ଧର୍ବଙ୍କ ବିଷୟରେ କୁହାଗଲା, ସେମାନେ ଦିନ ଅଟନ୍ତି ଏବଂ ତିନିଶହ ଷାଠିଏ ଗନ୍ଧର୍ବୀ ରାତ୍ରୀ
ଅଟନ୍ତି | ସେମାନେ ଜଣଙ୍କ ପରେ ଜଣେ ଆସି ମନୁଷ୍ୟର ଆୟୁ ହରଣ କରିବାରେ ଲାଗିଥାଆନ୍ତି |
କାଲକନ୍ୟା ଜରା ସାକ୍ଷାଲ୍ଲୋକସ୍ତାଂ ନାଭିନନ୍ଦତି ।
ସ୍ୱସାରଂ ଜଗୃହେ ମୃତ୍ୟୁଃ କ୍ଷୟାୟ ଯବନେଶ୍ୱରଃ ॥ ୨୨॥
ବୃଦ୍ଧାବସ୍ଥା ସାକ୍ଷାତ କାଳକନ୍ୟା ଅଟେ, ତାକୁ କୌଣସି ପୁରୁଷ ପସନ୍ଦ କରନ୍ତି ନାହିଁ | ମୃତ୍ୟୁରୂପ ଯବନରାଜ
ସଂସାରର ସଂହାର କରିବା ପାଇଁ ତାକୁ ଭଗିନୀ ରୂପେ ସ୍ବୀକାର କରିନେଲା |
ଆଧୟୋ ବ୍ୟାଧୟସ୍ତସ୍ୟ ସୈନିକା ଯବନାଶ୍ଚରାଃ ।
ଭୂତୋପସର୍ଗାଶୁରୟଃ ପ୍ରଜ୍ୱାରୋ ଦ୍ୱିବିଧୋ ଜ୍ୱରଃ ॥ ୨୩॥
ଆଧି (ମାନସିକ କ୍ଲେଶ) ଓ ବ୍ୟାଧି (ରୋଗାଦି ଶାରୀରିକ କଷ୍ଟ) ହିଁ
ସେହି ଯବନରାଜର ପଦାତିକ ସେନା ଅଟନ୍ତି ତଥା ପ୍ରାଣୀକୁ ପୀଡା ଦେଇ ଅତି ଶୀଘ୍ର ତାକୁ ମୃତ୍ୟୁ
ମୁଖକୁ ନେଇ ଯାଉଥିବା ଶୀତ ଏବଂ ଉଷ୍ମ ଦୁଇ ପ୍ରକାରର ଜ୍ବର ହିଁ ପ୍ରଜ୍ବାର ନାମକ ତା’ର ଭାଈ ଅଟେ |
ଏବଂ ବହୁବିଧୈର୍ଦୁଃଖୈର୍ଦୈବଭୂତାତ୍ମସମ୍ଭବୈଃ ।
କ୍ଲିଶ୍ୟମାନଃ ଶତଂ ବର୍ଷଂ ଦେହେ ଦେହୀ ତମୋବୃତଃ ॥ ୨୪॥
ଏହିପରି ଭାବରେ ଦେହାଭିମାନୀ ଜୀବ ଅଜ୍ଞାନରେ ଆଚ୍ଛାଦିତ ହୋଇ, ଅନେକ
ପ୍ରକାରର ଆଧିଭୌତିକ, ଆଧ୍ୟାତ୍ମିକ ଏବଂ
ଆଧିଦୈବିକ କଷ୍ଟ ଭୋଗ କରି ଶହେ ବର୍ଷଯାଏଁ ମନୁଷ୍ୟ ଶରୀରରେ ପଡି ରହିଥାଏ |
ପ୍ରାଣେନ୍ଦ୍ରିୟମନୋଧର୍ମାନାତ୍ମନ୍ୟଧ୍ୟସ୍ୟ ନିର୍ଗୁଣଃ ।
ଶେତେ କାମଲବାନ୍ ଧ୍ୟାୟନ୍ ମମାହମିତି କର୍ମକୃତ୍ ॥ ୨୫॥
ବସ୍ତୁତଃ ତ ସେ ନିର୍ଗୁଣ ଅଟେ,
କିନ୍ତୁ ପ୍ରାଣ, ଇନ୍ଦ୍ରିୟ ଏବଂ ମନର
ଧର୍ମକୁ ନିଜଠାରେ ଆରୋପିତ କରି ମୁଁ-ମୋପଣର ଅଭିମାନରେ ବାନ୍ଧି ହୋଇ କ୍ଷୁଦ୍ର ବିଷୟର ଚିନ୍ତନ
କରି ସେ ନାନାପ୍ରକାର କର୍ମ କରିଥାଏ |
ଯଦାଽଽତ୍ମାନମବିଜ୍ଞାୟ ଭଗବନ୍ତଂ ପରଂ ଗୁରୁମ୍ ।
ପୁରୁଷସ୍ତୁ ବିଷଜ୍ଜେତ ଗୁଣେଷୁ ପ୍ରକୃତେଃ ସ୍ୱଦୃକ୍ ॥ ୨୬॥
ସେ ଯଦିଓ ସ୍ବୟଂପ୍ରକାଶ ଅଟେ,
ତଥାପି ଯେତେଦିନ ଯାଏଁ ସେ ସମସ୍ତଙ୍କର ପରମଗୁରୁ ଆତ୍ମସ୍ବରୂପ ଶ୍ରୀଭଗବାନଙ୍କର ସ୍ଵରୂପକୁ ଜାଣି
ନ ଥାଏ, ସେତେଦିନ ଯାଏଁ ସେ
ପ୍ରକୃତିର ଗୁଣରେ ବନ୍ଧା ହୋଇ ରହିଥାଏ |
ଗୁଣାଭିମାନୀ ସ ତଦା କର୍ମାଣି କୁରୁତେଽବଶଃ ।
ଶୁକ୍ଲଂ କୃଷ୍ଣଂ ଲୋହିତଂ ବା ଯଥା କର୍ମାଭିଜାୟତେ ॥ ୨୭॥
ସେହି ଗୁଣମାନଙ୍କର ଅଭିମାନୀ ହୋଇଥିବାରୁ ବିବଶ ହୋଇ ସେ ସାତ୍ତ୍ବିକ, ରାଜସିକ ଏବଂ ତାମସିକ କର୍ମ କରିଥାଏ ତଥା କର୍ମ ଅନୁସାରେ ଭିନ୍ନ
ଭିନ୍ନ ଯୋନିରେ ଜନ୍ମ ଗ୍ରହଣ କରିଥାଏ |
ଶୁକ୍ଲାତ୍ପ୍ରକାଶଭୂୟିଷ୍ଠାନ୍ ଲୋକାନାପ୍ନୋତି କର୍ହିଚିତ୍ ।
ଦୁଃଖୋଦର୍କାନ୍ କ୍ରିୟାୟାସାଂସ୍ତମଃ ଶୋକୋତ୍କଟାନ୍ କ୍ୱଚିତ୍ ॥ ୨୮॥
ସେ କେବେ ସାତ୍ତ୍ବିକ କର୍ମ ଦ୍ବାରା ପ୍ରକାଶବହୁଳ ସ୍ବର୍ଗାଦି ଲୋକ
ପ୍ରାପ୍ତ କରିଥାଏ ତ କେବେ ରାଜସିକ କର୍ମ ଦ୍ବାରା ଦୁଃଖମୟ ରଜୋଗୁଣୀ ଲୋକକୁ ଯାଇଥାଏ, ଯେଉଁଠାରେ ତାକୁ ଭିନ୍ନ ଭିନ୍ନ କର୍ମର କ୍ଲେଶ ଭୋଗ କରିବାକୁ ପଡିଥାଏ
ଏବଂ ପୁଣି କେବେ ତମୋଗୁଣୀ କର୍ମ ଦ୍ବାରା ଶୋକବହୁଳ ତମୋମୟୀ ଯୋନିରେ ଜନ୍ମ ଗ୍ରହଣ କରିଥାଏ |
କ୍ୱଚିତ୍ପୁମାନ୍ କ୍ୱଚିଚ୍ଚ ସ୍ତ୍ରୀ କ୍ୱଚିନ୍ନୋଭୟମନ୍ଧଧୀଃ ।
ଦେବୋ ମନୁଷ୍ୟସ୍ତିର୍ୟଗ୍ୱା ଯଥା କର୍ମଗୁଣଂ ଭବଃ ॥ ୨୯॥
ଏହିପରି ଭାବରେ ନିଜ କର୍ମ ଏବଂ ଗୁଣ ଅନୁସାରେ ଦେବଯୋନି, ମନୁଷ୍ୟଯୋନି
ଅଥବା ପଶୁ-ପକ୍ଷୀ ଯୋନିରେ ଜନ୍ମ ଗ୍ରହଣ କରି ସେହି ଅଜ୍ଞାନ-ଅନ୍ଧ ଜୀବ କେବେ ପୁରୁଷ, କେବେ ସ୍ତ୍ରୀ ଏବଂ କେବେ ନପୁଂସକ ହୋଇଥାଏ |
କ୍ଷୁତ୍ପରୀତୋ ଯଥା ଦୀନଃ ସାରମେୟୋ ଗୃହଂ ଗୃହମ୍ ।
ଚରନ୍ ବିନ୍ଦତି ଯଦ୍ଦିଷ୍ଟଂ ଦଣ୍ଡମୋଦନମେବ ବା ॥ ୩୦॥
ତଥା କାମାଶୟୋ ଜୀବ ଉଚ୍ଚାବଚପଥା ଭ୍ରମନ୍ ।
ଉପର୍ୟଧୋ ବା ମଧ୍ୟେ ବା ଯାତି ଦିଷ୍ଟଂ ପ୍ରିୟାପ୍ରିୟମ୍ ॥ ୩୧॥
ଭୋକରେ ବ୍ୟାକୁଳ ହୋଇ ବିଚରା କୁକୁରଟିଏ ଯେପରି ଦ୍ବାର-ଦ୍ବାର ବୁଲି
ନିଜ ପ୍ରାରବ୍ଧ ଅନୁସାରେ କେଉଁଠି ଠେଙ୍ଗାମାଡ ଖାଇଥାଏ ତ କେଉଁଠି ଭାତ ଖାଇଥାଏ, ସେହିପରି ଏହି ଜୀବ ଚିତ୍ତରେ ନାନା ପ୍ରକାରର ବାସନା ନେଇ ଉଚ୍ଚ-ନୀଚ
ମାର୍ଗରେ ଉର୍ଦ୍ଧ୍ବ, ଅଧ ଅଥବା ମଧ୍ୟ
ଲୋକରେ ଘୂରି-ବୁଲି ନିଜ କର୍ମ ଅନୁସାରେ ସୁଖ-ଦୁଃଖ ଭୋଗ କରୁଥାଏ |
ଦୁଃଖେଷ୍ୱେକତରେଣାପି ଦୈବଭୂତାତ୍ମହେତୁଷୁ ।
ଜୀବସ୍ୟ ନ ବ୍ୟବଚ୍ଛେଦଃ ସ୍ୟାଚ୍ଚେତ୍ତତ୍ତତ୍ପ୍ରତିକ୍ରିୟା ॥ ୩୨॥
ଆଧିଦୈବିକ, ଆଧିଭୌତିକ ଏବଂ
ଆଧ୍ୟାତ୍ମିକ – ଏହି ତିନି ପ୍ରକାରର ଦୁଃଖ ମଧ୍ୟରୁ କୌଣସି-ନା-କୌଣସି ପ୍ରକାରର ଦୁଃଖ ଜୀବ
ସର୍ବଦା ଭୋଗ କରୁଥାଏ | କେବେ ଯଦି କୌଣସି ଦୁଃଖ ନ ଥିବା ପରି ମନେହୁଏ, ତେବେ ତାହା କେବଳ କ୍ଷଣିକ ନିବୃତ୍ତି ହିଁ ଅଟେ |
ଯଥା ହି ପୁରୁଷୋ ଭାରଂ ଶିରସା ଗୁରୁମୁଦ୍ୱହନ୍ ।
ତଂ ସ୍କନ୍ଧେନ ସ ଆଧତ୍ତେ ତଥା ସର୍ୱାଃ ପ୍ରତିକ୍ରିୟାଃ ॥ ୩୩॥
ଏହା ଏପରି କଥା ଅଟେ ଯେପରି କି ମସ୍ତକରେ ଭାରି ବୋଝ ବୋହୁଥିବା ପୁରୁଷ
ସେହି ବୋଝକୁ ମସ୍ତକରୁ ଉତାରି କାନ୍ଧ ଉପରେ ଧରିନିଅନ୍ତି | ଦୁଃଖ-ନିବୃତ୍ତି ଏହିପରି ଅଟେ |
କୌଣସି ଉପାୟରେ ମନୁଷ୍ୟ ଯଦି ଗୋଟିଏ ପ୍ରକାରର ଦୁଃଖରୁ ମୁକ୍ତି ପାଇଯାଏ, ତେବେ ଅନ୍ୟ ଏକ ଦୁଃଖ ତା’
ଉପରକୁ ମାଡିଆସେ |
ନୈକାନ୍ତତଃ ପ୍ରତୀକାରଃ କର୍ମଣାଂ କର୍ମ କେବଲମ୍ ।
ଦ୍ୱୟଂ ହ୍ୟବିଦ୍ୟୋପସୃତଂ ସ୍ୱପ୍ନେ ସ୍ୱପ୍ନ ଇବାନଘ ॥ ୩୪॥
ହେ ଶୁଦ୍ଧହୃଦୟ ନରେନ୍ଦ୍ର ! ସ୍ବପ୍ନରେ ହେଉଥିବା ସ୍ବପ୍ନାନ୍ତର ସେହି
ସ୍ବପ୍ନରୁ ନିସ୍କୃତି ପାଇବାର ଉପାୟ ନୁହେଁ | ସେହିପରି କର୍ମଫଳଭୋଗରୁ ମୁକ୍ତ ହେବାର ଉପାୟ କେବଳ
କର୍ମ ହୋଇ ନ ପାରେ; କାରଣ ଉଭୟ କର୍ମ ଏବଂ
କର୍ମଫଳଭୋଗ ଅବିଦ୍ୟାଯୁକ୍ତ ଅଟେ |
ଅର୍ଥେ ହ୍ୟବିଦ୍ୟମାନେଽପି ସଂସୃତିର୍ନ ନିବର୍ତତେ ।
ମନସା ଲିଙ୍ଗରୂପେଣ ସ୍ୱପ୍ନେ ବିଚରତୋ ଯଥା ॥ ୩୫॥
ସ୍ବପ୍ନାବସ୍ଥାରେ ନିଜ ମନୋମୟ ଲିଙ୍ଗଶରୀରରେ ବିଚରଣ କରୁଥିବା
ପ୍ରାଣୀକୁ ଯେପରି ସ୍ବପ୍ନରେ ଦେଖୁଥିବା ପଦାର୍ଥ ସତ୍ୟବତ୍ ପ୍ରତୀତ ହୋଇଥାଏ, ସେହିପରି ଅଜ୍ଞାନ-ନିଦ୍ରାରେ ଶୋଇ ରହିଥିବା ଯାଏଁ ସମସ୍ତ ଜାଗତିକ
ଦୃଶ୍ୟପଦାର୍ଥ ବାସ୍ତବରେ ନ ଥାଇ ମଧ୍ୟ ରହିଥାଆନ୍ତି ଏବଂ ଜୀବକୁ ଜନ୍ମ-ମରଣରୂପ ସଂସାରରୁ ମୁକ୍ତି
ମିଳେନାହିଁ |
ଅଥାତ୍ମନୋଽର୍ଥଭୂତସ୍ୟ ଯତୋଽନର୍ଥପରମ୍ପରା ।
ସଂସୃତିସ୍ତଦ୍ୱ୍ୟବଚ୍ଛେଦୋ ଭକ୍ତ୍ୟା ପରମୟା ଗୁରୌ ॥ ୩୬॥
ରାଜନ୍ ! ଯେଉଁ ଅବିଦ୍ୟା କାରଣରୁ ପରମାର୍ଥସ୍ବରୂପ ଆତ୍ମାକୁ ଏହି
ଜନ୍ମ-ମରଣରୂପ ଅନର୍ଥପରମ୍ପରା ପ୍ରାପ୍ତ ହୋଇଛି, ତାହାର
ନିବୃତ୍ତି ଗୁରୁସ୍ବରୂପ ଶ୍ରୀହରିଙ୍କଠାରେ ସୁଦୃଢ଼ ଭକ୍ତି ହେବା ଦ୍ବାରା ହୋଇପାରେ |
ବାସୁଦେବେ ଭଗବତି ଭକ୍ତିୟୋଗଃ ସମାହିତଃ ।
ସଧ୍ରୀଚୀନେନ ବୈରାଗ୍ୟଂ ଜ୍ଞାନଂ ଚ ଜନୟିଷ୍ୟତି ॥ ୩୭॥
ଭଗବାନ ବାସୁଦେବଙ୍କ ପ୍ରତି ଏକାଗ୍ରତାପୂର୍ବକ ସମ୍ୟକ ଭାବରେ କରାଯାଉ
ଥିବା ଭକ୍ତିଭାବ ଜ୍ଞାନ ଏବଂ ବୈରାଗ୍ୟର ଆବିର୍ଭାବ କରାଇ ଥାଏ |
ସୋଽଚିରାଦେବ ରାଜର୍ଷେ ସ୍ୟାଦଚ୍ୟୁତକଥାଶ୍ରୟଃ ।
ଶୃଣ୍ୱତଃ ଶ୍ରଦ୍ଦଧାନସ୍ୟ ନିତ୍ୟଦା ସ୍ୟାଦଧୀୟତଃ ॥ ୩୮॥
ହେ ରାଜର୍ଷି ! ଏହି ଭକ୍ତିଭାବ ଭଗବାନଙ୍କ କଥାର ଆଶ୍ରିତ ରହିଥାଏ |
ସେଥିପାଇଁ ଯେଉଁମାନେ ଶ୍ରଦ୍ଧାପୂର୍ବକ ପ୍ରତିଦିନ ଏହାକୁ ଶୁଣନ୍ତି ବା ପଢ଼ନ୍ତି, ସେମାନଙ୍କୁ
ବହୁତ ଶୀଘ୍ର ଏହାର ପ୍ରାପ୍ତି ହୋଇଯାଏ |
ଯତ୍ର ଭାଗବତା ରାଜନ୍ ସାଧବୋ ବିଶଦାଶୟାଃ ।
ଭଗବଦ୍ଗୁଣାନୁକଥନଶ୍ରବଣବ୍ୟଗ୍ରଚେତସଃ ॥ ୩୯॥
ତସ୍ମିନ୍ ମହନ୍ମୁଖରିତା ମଧୁଭିଚ୍ଚରିତ୍ର-
ପୀୟୂଷଶେଷସରିତଃ ପରିତଃ ସ୍ରବନ୍ତି ।
ତା ଯେ ପିବନ୍ତ୍ୟବିତୃଷୋ ନୃପ ଗାଢକର୍ଣୈ-
ସ୍ତାନ୍ ନ ସ୍ପୃଶନ୍ତ୍ୟଶନତୃଡ୍ଭୟଶୋକମୋହାଃ ॥ ୪୦॥
ହେ ରାଜନ୍ ! ଭଗବତ୍-ଗୁଣର ବ୍ୟାଖ୍ୟାନ ଏବଂ ଶ୍ରବଣ କରିବାରେ ତତ୍ପର
ବିଶୁଦ୍ଧଚିତ୍ତ ଭକ୍ତଜନ ଯେଉଁଠାରେ ରହନ୍ତି, ସେହି ସାଧୁ-ସମାଜରେ
ମହାପୁରୁଷଙ୍କ ମୁଖନିଃସୃତ ଶ୍ରୀମଧୁସୂଦନଭଗବାନଙ୍କର ଚରିତ୍ରରୂପ ଶୁଦ୍ଧ ଅମୃତର ଅନେକ ନଦୀ
ପ୍ରବାହିତ ହେବାରେ ଲାଗିଥାଆନ୍ତି | ଯେଉଁମାନେ କେବେ ବି ତୃପ୍ତ ନ ହୋଇ ଶ୍ରବଣ-ତତ୍ପର ନିଜ କର୍ଣରନ୍ଧ୍ର
ଦ୍ବାରା ସେହି ଅମୃତକୁ ଭରପୂର ପାନ କରନ୍ତି, ସେମାନେ ଭୋକ-ଶୋଷ, ଭୟ, ଶୋକ ଏବଂ ମୋହରେ
କେବେ ବି ଅଭିଭୂତ ହୁଅନ୍ତି ନାହିଁ |
ଏତୈରୁପଦ୍ରୁତୋ ନିତ୍ୟଂ ଜୀବଲୋକଃ ସ୍ୱଭାବଜୈଃ ।
ନ କରୋତି ହରେର୍ନୂନଂ କଥାମୃତନିଧୌ ରତିମ୍ ॥ ୪୧॥
ଦୁର୍ଭାଗ୍ୟବଶତଃ, ସ୍ବଭାବତଃ ପ୍ରାପ୍ତ ହେଉଥିବା ଏହି
କ୍ଷୁଧା-ପିପାସାଦି ବିଘ୍ନରେ ସର୍ବଦା ଅତିଷ୍ଠ ଜୀବସମୁଦାୟ ଶ୍ରୀହରିଙ୍କର କଥାମୃତ-ସିନ୍ଧୁରେ
ଅନୁରକ୍ତି କରି ନ ଥାନ୍ତି |
ପ୍ରଜାପତିପତିଃ ସାକ୍ଷାଦ୍ଭଗବାନ୍ ଗିରିଶୋ ମନୁଃ ।
ଦକ୍ଷାଦୟଃ ପ୍ରଜାଧ୍ୟକ୍ଷା ନୈଷ୍ଠିକାଃ ସନକାଦୟଃ ॥ ୪୨॥
ମରୀଚିରତ୍ର୍ୟଙ୍ଗିରସୌ ପୁଲସ୍ତ୍ୟଃ ପୁଲହଃ କ୍ରତୁଃ ।
ଭୃଗୁର୍ୱସିଷ୍ଠ ଇତ୍ୟେତେ ମଦନ୍ତା ବ୍ରହ୍ମବାଦିନଃ ॥ ୪୩॥
ଅଦ୍ୟାପି ବାଚସ୍ପତୟସ୍ତପୋବିଦ୍ୟାସମାଧିଭିଃ ।
ପଶ୍ୟନ୍ତୋଽପି ନ ପଶ୍ୟନ୍ତି ପଶ୍ୟନ୍ତଂ ପରମେଶ୍ୱରମ୍ ॥ ୪୪॥
ସାକ୍ଷାତ ପ୍ରଜାପତିମାନଙ୍କର ପତି ବ୍ରହ୍ମାଜୀ, ଭଗବାନ ଶଂକର, ସ୍ବାୟମ୍ଭୂବ ମନୁ, ଦକ୍ଷ ଆଦି ପ୍ରଜାପତିଗଣ,
ସନକାଦି ନୈଷ୍ଠିକ ବ୍ରହ୍ମଚାରୀ, ମରୀଚି, ଅତ୍ରି,
ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ ଏବଂ ମୁଁ –
ଏସବୁ ଯେତେ ବ୍ରହ୍ମବାଦୀ ମୁନିଗଣ ଅଛନ୍ତି, ସମସ୍ତ ବାଙ୍ମୟର
ଅଧିପତି ହୋଇ ମଧ୍ୟ ତପ, ଉପାସନା ଏବଂ ସମାଧି
ଦ୍ବାରା ଖୋଜି ଖୋଜି ହାରି ଗଲେ, ତଥାପି ସେହି
ସର୍ବସାକ୍ଷୀ ପରମେଶ୍ବରଙ୍କୁ ଆଜିଯାଏଁ ଦେଖିପାରିଲେ ନାହିଁ |
ଶବ୍ଦବ୍ରହ୍ମଣି ଦୁଷ୍ପାରେ ଚରନ୍ତ ଉରୁ ବିସ୍ତରେ ।
ମନ୍ତ୍ରଲିଙ୍ଗୈର୍ୱ୍ୟବଚ୍ଛିନ୍ନଂ ଭଜନ୍ତୋ ନ ବିଦୁଃ ପରମ୍ ॥ ୪୫॥
ବେଦ ମଧ୍ୟ ଅତ୍ୟନ୍ତ ବିସ୍ତୃତ ଅଟେ, ଏହାକୁ ବୁଝିବା ହସ-ଖେଳ ନୁହେଁ | ଅନେକ ମହାନୁଭବ ତାହାର ଆଲୋଚନା
କରି ମନ୍ତ୍ରରେ କୁହାଯାଇ ଥିବା ବଜ୍ରହସ୍ତତ୍ବାଦି ଗୁଣରେ ଯୁକ୍ତ ଇନ୍ଦ୍ରାଦି ଦେବତାଙ୍କ ରୂପରେ,
ଭିନ୍ନ ଭିନ୍ନ କର୍ମ ଦ୍ବାରା ଯଦିଓ ସେହି ପରମାତ୍ମାଙ୍କର ହିଁ ଯଜନ କରନ୍ତି, ତଥାପି ତାଙ୍କର ସ୍ଵରୂପକୁ ସେମାନେ ମଧ୍ୟ ଜାଣନ୍ତି ନାହିଁ |
(ସର୍ୱେଷାମେବ ଜନ୍ତୂନାଂ ସତତଂ ଦେହପୋଷଣେ ।
ଅସ୍ତି ପ୍ରଜ୍ଞା ସମାୟତ୍ତା କୋ ବିଶେଷସ୍ତଦା ନୃଣାମ୍ ॥
ଲବ୍ଧ୍ୱେହାନ୍ତେ ମନୁଷ୍ୟତ୍ୱଂ ହିତ୍ୱା ଦେହାଦ୍ୟସଦ୍ଗ୍ରହମ୍ ।
ଆତ୍ମସୃତ୍ୟା ବିହାୟେଦଂ ଜୀବାତ୍ମା ସ ବିଶିଷ୍ୟତେ ॥)
ଯଦା ଯମନୁଗୃହ୍ଣାତି ଭଗବାନାତ୍ମଭାବିତଃ ।
ସ ଜହାତି ମତିଂ ଲୋକେ ବେଦେ ଚ ପରିନିଷ୍ଠିତାମ୍ ॥ ୪୬॥
ହୃଦୟରେ ବାରମ୍ବାର ଚିନ୍ତନ କରିବା ଦ୍ବାରା ଭଗବାନ ଯେଉଁ ସମୟରେ ଯେଉଁ
ଜୀବ ଉପରେ କୃପା କରନ୍ତି, ସେହି ସମୟରେ ସେ
ଲୌକିକ ବ୍ୟବହାର ଏବଂ ବୈଦିକ କର୍ମ-ମାର୍ଗର ବଦ୍ଧମୂଳ ଆସ୍ଥାରୁ ମୁକ୍ତି ପାଇଯାଏ |
ତସ୍ମାତ୍କର୍ମସୁ ବର୍ହିଷ୍ମନ୍ନଜ୍ଞାନାଦର୍ଥକାଶିଷୁ ।
ମାର୍ଥଦୃଷ୍ଟିଂ କୃଥାଃ ଶ୍ରୋତ୍ରସ୍ପର୍ଶିଷ୍ୱସ୍ପୃଷ୍ଟବସ୍ତୁଷୁ ॥ ୪୭॥
ବର୍ହିଷ୍ମନ୍ ! ତୁମେ ଏହିସବୁ କର୍ମରେ ପରମାର୍ଥବୁଦ୍ଧି କର ନାହିଁ |
ଏହା ଶୁଣିବାକୁ ପ୍ରିୟ ମନେ ହୋଇଥାଏ, କିନ୍ତୁ ଏଥିରେ
ପରମାର୍ଥର ସ୍ପର୍ଶ ସୁଦ୍ଧା ନାହିଁ | ଏହା ପରମାର୍ଥବତ୍ ପ୍ରତୀତ ହୋଇଥାଏ, ଯାହାର କାରଣ ଅଜ୍ଞାନ ହିଁ ଅଟେ |
ସ୍ୱଂ ଲୋକଂ ନ ବିଦୁସ୍ତେ ବୈ ଯତ୍ର ଦେବୋ ଜନାର୍ଦନଃ ।
ଆହୁର୍ଧୂମ୍ରଧିୟୋ ବେଦଂ ସକର୍ମକମତଦ୍ୱିଦଃ ॥ ୪୮॥
ଯେଉଁ ମଳୀନମତି କର୍ମବାଦୀ ମନୁଷ୍ୟ ବେଦକୁ କର୍ମପରକ କହନ୍ତି, ସେମାନେ ବାସ୍ତବରେ ତାହାର ମର୍ମକୁ ଜାଣନ୍ତି ନାହିଁ | କାରଣ ଏହା ଯେ
ସେମାନେ ନିଜର ସ୍ବରୂପଭୂତ ଆତ୍ମତତ୍ତ୍ବକୁ ଜାଣନ୍ତି ନାହିଁ,
ଯେଉଁଠାରେ ସାକ୍ଷାତ ଶ୍ରୀଜନାର୍ଦନ ଭଗବାନ ବିରାଜମାନ କରିଥାଆନ୍ତି |
ଆସ୍ତୀର୍ୟ ଦର୍ଭୈଃ ପ୍ରାଗଗ୍ରୈଃ କାର୍ତ୍ସ୍ନ୍ୟେନ କ୍ଷିତିମଣ୍ଡଲମ୍ ।
ସ୍ତବ୍ଧୋ ବୃହଦ୍ୱଧାନ୍ମାନୀ କର୍ମ ନାବୈଷି ଯତ୍ପରମ୍ ।
ତତ୍କର୍ମ ହରିତୋଷଂ ଯତ୍ସା ବିଦ୍ୟା ତନ୍ମତିର୍ୟଯା ॥ ୪୯॥
ପୂର୍ବଦିଗକୁ ଅଗ୍ରଭାଗ କରିଥିବା କୁଶ ଦ୍ବାରା ସମ୍ପୂର୍ଣ୍ଣ
ଭୂମଣ୍ଡଳକୁ ଆଚ୍ଛାଦିତ କରି ଅନେକ ପଶୁ ବଧ କରି ତୁମେ ଅତିଶୟ କର୍ମାଭିମାନୀ ଏବଂ ଉଦ୍ଧତ
ହୋଇଯାଇଛ; କିନ୍ତୁ ବାସ୍ତବରେ ତୁମେ କର୍ମ ବା ଉପାସନା କାହାର ରହସ୍ୟକୁ ମଧ୍ୟ ଜାଣନାହିଁ | କର୍ମ
ତ ତାହା ହିଁ ଅଟେ ଯାହା ଦ୍ବାରା ଶ୍ରୀହରିଙ୍କୁ ପ୍ରସନ୍ନ କରାଯାଇ ପାରେ ଏବଂ ବିଦ୍ୟା ମଧ୍ୟ ତାହା
ହିଁ ଅଟେ, ଯଦ୍ବାରା
ଭଗବାନଙ୍କଠାରେ ଚିତ୍ତ ଅନୁରକ୍ତ ହୋଇଥାଏ |
ହରିର୍ଦେହଭୃତାମାତ୍ମା ସ୍ୱୟଂ ପ୍ରକୃତିରୀଶ୍ୱରଃ ।
ତତ୍ପାଦମୂଲଂ ଶରଣଂ ଯତଃ କ୍ଷେମୋ ନୃଣାମିହ ॥ ୫୦॥
ଶ୍ରୀହରି ସମସ୍ତ ଦେହଧାରୀଙ୍କର ଆତ୍ମା, ନିୟାମକ ଏବଂ ସ୍ବତନ୍ତ୍ର କାରଣ ଅଟନ୍ତି; ତେଣୁ ତାଙ୍କର ଚରଣତଳ ହିଁ
ମନୁଷ୍ୟର ଏକମାତ୍ର ଆଶ୍ରୟ ଅଟେ ଏବଂ ତାଙ୍କ ଦ୍ବାରା ସଂସାରରେ ସମସ୍ତଙ୍କର କଲ୍ୟାଣ ସମ୍ଭବ |
ସ ବୈ ପ୍ରିୟତମଶ୍ଚାତ୍ମା ଯତୋ ନ ଭୟମଣ୍ୱପି ।
ଇତି ବେଦ ସ ବୈ ବିଦ୍ୱାନ୍ ଯୋ ବିଦ୍ୱାନ୍ ସ ଗୁରୁର୍ହରିଃ ॥ ୫୧॥
‘ଯାହା ପ୍ରତି କାହାର ଅଣୁମାତ୍ର ମଧ୍ୟ ଭୟ ହୋଇ ନ ଥାଏ, ସେ ହିଁ ତାହାର ପ୍ରିୟତମ ଆତ୍ମା ଅଟେ’ – ଯେଉଁ ପୁରୁଷ ଏହା ଜାଣନ୍ତି,
ସେ ହିଁ ଜ୍ଞାନୀ ଅଟନ୍ତି ଏବଂ ସେହି ଜ୍ଞାନୀ ହିଁ ଗୁରୁ ଏବଂ ସାକ୍ଷାତ୍ ଶ୍ରୀହରି ଅଟନ୍ତି |
ନାରଦ ଉବାଚ
ପ୍ରଶ୍ନ ଏବଂ ହି ସଞ୍ଛିନ୍ନୋ ଭବତଃ ପୁରୁଷର୍ଷଭ ।
ଅତ୍ର ମେ ବଦତୋ ଗୁହ୍ୟଂ ନିଶାମୟ ସୁନିଶ୍ଚିତମ୍ ॥ ୫୨॥
ନାରଦ ପୁଣି କହୁଛନ୍ତି – ପୁରୁଷଶ୍ରେଷ୍ଠ ! ଏପର୍ଯ୍ୟନ୍ତ ଯାହା କିଛି
କୁହାଗଲା, ତଦ୍ବାରା ତୁମ
ପ୍ରଶ୍ନର ଉତ୍ତର ମିଳି ଯାଇଥିବ | ଏବେ ମୁଁ ଉତ୍ତମ ରୂପେ ନିଶ୍ଚତ କରାଯାଇ ଥିବା ଏକ ଗୁପ୍ତ ସାଧନ
ବିଷୟରେ କହୁଛି, ଧ୍ୟାନ ଦେଇ ଶୁଣ |
କ୍ଷୁଦ୍ରଂ ଚରଂ ସୁମନସାଂ ଶରଣେ ମିଥିତ୍ୱା
ରକ୍ତଂ ଷଡଙ୍ଘ୍ରିଗଣସାମସୁ ଲୁବ୍ଧକର୍ଣମ୍ ।
ଅଗ୍ରେ ବୃକାନସୁତୃପୋଽବିଗଣୟ୍ୟ ଯାନ୍ତଂ
ପୃଷ୍ଠେ ମୃଗଂ ମୃଗୟଲୁବ୍ଧକବାଣଭିନ୍ନମ୍ ॥ ୫୩॥
ପୁଷ୍ପବାଟିକାରେ ନିଜ ହରିଣୀ ସହିତ ବିହାର କରି ଗୋଟିଏ ହରିଣ ଉନ୍ମତ୍ତ
ଭାବରେ ଘୂରି ବୁଲୁଥିଲା | ସେ ଦୂବ ଆଦି ଛୋଟ ଛୋଟ ତୃଣ ଚରୁଥିଲା ଏବଂ ତା’ର କାନରେ ଭ୍ରମରମାନଙ୍କର ମଧୁର ଗୁଞ୍ଜରଣ ପ୍ରତିଧ୍ବନିତ ହେଉଥିଲା |
ତା’ ସମ୍ମୁଖରେ ଅନ୍ୟ
ଜୀବଙ୍କୁ ମାରି ପେଟ ପୋଷୁଥିବା ଗଧିଆ ଠିଆ ହୋଇଥିଲା ଏବଂ ପଛରୁ ଶିକାରୀ ବ୍ୟାଧ ତାକୁ ଲକ୍ଷ୍ୟ
କରି ବାଣ ନିକ୍ଷେପ କରିଥିଲା | କିନ୍ତୁ ହରିଣଟି ଏତେ ବେସୁଧ ଥିଲା ଯେ ସେ କିଛି ଜାଣିପାରୁ ନ
ଥିଲା | ଥରେ ସେହି ହରିଣର ଦଶା ଉପରେ ବିଚାର କର |
ଅସ୍ୟାର୍ଥଃ - ସୁମନଃ ସମଧର୍ମଣାଂ ସ୍ତ୍ରୀଣାଂ ଶରଣ
ଆଶ୍ରମେ ପୁଷ୍ପମଧୁଗନ୍ଧବତ୍କ୍ଷୁଦ୍ରତମଂ କାମ୍ୟକର୍ମ-
ବିପାକଜଂ କାମସୁଖଲବଂ ଜୈହ୍ୱ୍ୟୌପସ୍ଥ୍ୟାଦି
ବିଚିନ୍ୱନ୍ତଂ ମିଥୁନୀଭୂୟ ତଦଭିନିବେଶିତମନସଂ
ଷଡଙ୍ଘ୍ରିଗଣସାମଗୀତବଦତିମନୋହରବନିତାଦି
ଜନାଲାପେଷ୍ୱତିତରାମତିପ୍ରଲୋଭିତକର୍ଣମଗ୍ରେ
ବୃକୟୂଥବଦାତ୍ମନ ଆୟୁର୍ହରତୋଽହୋରାତ୍ରାନ୍ ତାନ୍
କାଲଲବବିଶେଷାନବିଗଣୟ୍ୟ ଗୃହେଷୁ ବିହରନ୍ତଂ
ପୃଷ୍ଠତ ଏବ ପରୋକ୍ଷମନୁପ୍ରବୃତ୍ତୋ ଲୁବ୍ଧକଃ କୃତାନ୍ତୋଽନ୍ତଃ
ଶରେଣ ଯମିହ ପରାବିଧ୍ୟତି ତମିମମାତ୍ମାନମହୋ
ରାଜନ୍ ଭିନ୍ନହୃଦୟଂ ଦ୍ରଷ୍ଟୁମର୍ହସୀତି ॥ ୫୪॥
ରାଜନ୍ ! ଏହି ରୂପକର ଅଭିପ୍ରାୟ ଶୁଣ | ଏହି ମୃତପ୍ରାୟ ହରିଣ ତୁମେ
ଅଟ, ତୁମେ ନିଜର ଦଶା ଉପରେ
ବିଚାର କର | ପୁଷ୍ପ ପରି ଏହି ସ୍ତ୍ରୀମାନେ କେବଳ ଦେଖିବାକୁ ସୁନ୍ଦର ଅଟନ୍ତି, ସେମାନେ ରହୁଥିବା ଘର ହିଁ ପୁଷ୍ପବାଟିକା ଅଟେ | ସେଠାରେ ରହି ତୁମେ
ପୁଷ୍ପର ମଧୁ ଏବଂ ଗନ୍ଧ ସଦୃଶ କ୍ଷୁଦ୍ର ସକାମ କର୍ମର ଫଳରୂପ, ଜିହ୍ବା ଏବଂ ଜନନେନ୍ଦ୍ରିୟକୁ
ପ୍ରିୟ ମନେ ହେଉଥିବା ଭୋଜନ ତଥା ସ୍ତ୍ରୀସଙ୍ଗ ଆଦି ତୁଚ୍ଛ ଭୋଗର ଅନ୍ବେଷଣ କରୁଛ |
ସ୍ତ୍ରୀମାନଙ୍କ ଦ୍ବାରା ପରିବେଷ୍ଟିତ ରହି ନିଜର ମନକୁ ତୁମେ ସେମାନଙ୍କଠାରେ ବାନ୍ଧି ରଖିଛ |
ସ୍ତ୍ରୀ-ପୁତ୍ରଙ୍କର ମଧୁର ସମ୍ଭାଷଣ ହିଁ ସେହି ଭ୍ରମର ଗୁଞ୍ଜରଣ ଅଟେ, ଯାହା ପ୍ରତି ତୁମର କାନ ଅତ୍ୟନ୍ତ ଆସକ୍ତ ହୋଇଯାଇଛି | ସମ୍ମୁଖରେ
ଗଧିଆ ଦଳ ପରି କାଳର ଅଂଶ ଦିନ ଏବଂ ରାତି ତୁମର ଆୟୁକୁ ହରଣ କରିବାରେ ଲାଗିଛନ୍ତି, କିନ୍ତୁ ତୁମେ
ବେପରବାହ ହୋଇ ଗୃହସ୍ଥୀର ସୁଖରେ ମସ୍ତ ରହିଛ | ତୁମ ପଛରେ ଚୁପଚାପ୍ ଠିଆ ହୋଇ ଶିକାରୀ କାଳ ନିଜ
ଗୁପ୍ତ ବାଣରେ ଦୂରରୁ ହିଁ ତୁମ ହୃଦୟକୁ ବିଦ୍ଧ କରିବା ଅପେକ୍ଷାରେ ରହିଛି |
ସ ତ୍ୱଂ ବିଚକ୍ଷ୍ୟ ମୃଗଚେଷ୍ଟିତମାତ୍ମନୋଽନ୍ତ-
ଶ୍ଚିତ୍ତଂ ନିୟଚ୍ଛ ହୃଦି କର୍ଣଧୁନୀଂ ଚ ଚିତ୍ତେ ।
ଜହ୍ୟଙ୍ଗନାଶ୍ରମମସତ୍ତମୟୂଥଗାଥଂ
ପ୍ରୀଣୀହି ହଂସଶରଣଂ ବିରମ କ୍ରମେଣ ॥ ୫୫॥
ଅତଏବ ନିଜକୁ ମୃଗର ସ୍ଥିତିରେ ଦେଖି ତୁମେ ନିଜର ଚିତ୍ତକୁ ହୃଦୟ
ମଧ୍ୟରେ ନିରୁଦ୍ଧ କର ଏବଂ ନଦୀତୁଲ୍ୟ ପ୍ରବାହିତ ଶ୍ରବଣେନ୍ଦ୍ରିୟର ବାହ୍ୟ ବୃତ୍ତିକୁ ଚିତ୍ତରେ
ସ୍ଥାପିତ କରି ଅନ୍ତର୍ମୁଖୀ କର | ଯେଉଁଠାରେ କାମୀ ପୁରୁଷଙ୍କର ଚର୍ଚ୍ଚା ହେଉଥାଏ, ସେହି ଗୃହସ୍ଥାଶ୍ରମକୁ ତ୍ୟାଗ କରି ପରମହଂସମାନଙ୍କର ଆଶ୍ରୟ
ଶ୍ରୀହରିଙ୍କୁ ପ୍ରସନ୍ନ କର ଏବଂ କ୍ରମଶଃ ସମସ୍ତ ବିଷୟରୁ ବିରତ ହୋଇଯାଅ |
ରାଜୋବାଚ
ଶ୍ରୁତମନ୍ୱୀକ୍ଷିତଂ ବ୍ରହ୍ମନ୍ ଭଗବାନ୍ ଯଦଭାଷତ ।
ନୈତଜ୍ଜାନନ୍ତ୍ୟୁପାଧ୍ୟାୟାଃ କିଂ ନ ବ୍ରୂୟୁର୍ୱିଦୁର୍ୟଦି ॥ ୫୬॥
ରାଜା ପ୍ରାଚୀନବର୍ହି କହିଲେ – ଭଗବନ୍ ! ଆପଣ କୃପା କରି ମୋତେ ଯେଉଁ
ଉପଦେଶ ଦେଲେ, ମୁଁ ତାହା ଶୁଣି
ତାହା ଉପରେ ବିଶେଷରୂପରେ ବିଚାର ମଧ୍ୟ କଲି | ମୋତେ କର୍ମର ଉପଦେଶ ପ୍ରଦାନ କରିଥିବା
ଆଚାର୍ଯ୍ୟମାନଙ୍କର ନିଶ୍ଚିତଭାବରେ ଏହା ସମ୍ବନ୍ଧରେ କୌଣସି ଜ୍ଞାନ ନାହିଁ | ଯଦି ସେମାନେ ଏହା
ବିଷୟରେ ଜାଣିଥାଆନ୍ତେ, ତେବେ ମୋତେ ତାହାର
ଉପଦେଶ କାହିଁକି ଦେଇ ନ ଥାଆନ୍ତେ ?
ସଂଶୟୋଽତ୍ର ତୁ ମେ ବିପ୍ର ସଞ୍ଛିନ୍ନସ୍ତତ୍କୃତୋ ମହାନ୍ ।
ଋଷୟୋଽପି ହି ମୁହ୍ୟନ୍ତି ଯତ୍ର ନେନ୍ଦ୍ରିୟବୃତ୍ତୟଃ ॥ ୫୭॥
ବିପ୍ରବର ! ମୋର ଉପାଧ୍ୟାୟ ଆତ୍ମତତ୍ତ୍ବ ବିଷୟରେ ମୋ ହୃଦୟରେ ଯେଉଁ
ମହାନ୍ ସଂଶୟ ଉତ୍ପନ୍ନ କରିଦେଇ ଥିଲେ, ଆପଣ ତାହା
ପୂର୍ଣ୍ଣତଃ ନିର୍ମୂଳ କରିଦେଲେ | ଏହି ବିଷୟରେ ଇନ୍ଦ୍ରିୟମାନଙ୍କର ଗତି ନ ଥିବା କାରଣରୁ
ମନ୍ତ୍ରଦ୍ରଷ୍ଟା ଋଷିମାନେ ମଧ୍ୟ ମୋହଗ୍ରସ୍ତ ହୋଇଯାଆନ୍ତି |
କର୍ମାଣ୍ୟାରଭତେ ଯେନ ପୁମାନିହ ବିହାୟ ତମ୍ ।
ଅମୁତ୍ରାନ୍ୟେନ ଦେହେନ ଜୁଷ୍ଟାନି ସ ଯଦଶ୍ନୁତେ ॥ ୫୮॥
ଇତି ବେଦବିଦାଂ ବାଦଃ ଶ୍ରୂୟତେ ତତ୍ର ତତ୍ର ହ ।
କର୍ମ ଯତ୍କ୍ରିୟତେ ପ୍ରୋକ୍ତଂ ପରୋକ୍ଷଂ ନ ପ୍ରକାଶତେ ॥ ୫୯॥
ବେଦବାଦୀମାନଙ୍କର ଏହି କଥନ ସ୍ଥାନେ-ସ୍ଥାନେ ଶୁଣିବାକୁ ମିଳିଥାଏ ଯେ
‘ପୁରୁଷ ଇହଲୋକରେ ଯାହା ଦ୍ବାରା କର୍ମ କରିଥାଏ,
ସେହି ସ୍ଥୂଳଶରୀରକୁ ଏହିଠାରେ ତ୍ୟାଗ କରି ପରଲୋକରେ କର୍ମନିର୍ମିତ ଅନ୍ୟ ଶରୀରରେ ତାହାର ଫଳ ଭୋଗ
କରିଥାଏ |’ କିନ୍ତୁ ଏହା କିପରି ସମ୍ଭବ ? (କାରଣ ସେହି ସବୁ କର୍ମର କର୍ତ୍ତା ସ୍ଥୂଳଶରୀର ତ
ଏହିଠାରେ ହିଁ ନଷ୍ଟ ହୋଇ ଯାଇଥାଏ |) ଏତଦ୍ ବ୍ୟତିତ,
ଯେଉଁ ଯେଉଁ କର୍ମ ଏଠାରେ କରାଯାଇ ଥାଏ, ତାହା ତ ପରବର୍ତ୍ତୀ
କ୍ଷଣରେ ଅଦୃଶ୍ୟ ହୋଇଯାଏ; ପରଲୋକରେ ଫଳ ଦେବା
ପାଇଁ ସେମାନେ ପୁନଃ ପ୍ରକଟ ହେବେ କିପରି ?
ନାରଦ ଉବାଚ
ଯେନୈବାରଭତେ କର୍ମ ତେନୈବାମୁତ୍ର ତତ୍ପୁମାନ୍ ।
ଭୁଙ୍କ୍ତେ ହ୍ୟବ୍ୟବଧାନେନ ଲିଙ୍ଗେନ ମନସା ସ୍ୱୟମ୍ ॥ ୬୦॥
ନାରଦ କହିଲେ – ହେ ରାଜନ୍ ! ସ୍ଥୂଳଶରୀର ଲିଙ୍ଗଶରୀରର ଅଧୀନସ୍ତ ଅଟେ
| ଯେଉଁ ମନ-ପ୍ରଧାନ ଲିଙ୍ଗଶରୀର ସହାୟତାରେ ମନୁଷ୍ୟ କର୍ମ କରିଥାଏ, ସେ ତ ମୃତ୍ୟୁ ପରେ ବି ତା’
ସହିତ ରହିଥାଏ; ତେଣୁ ପରଲୋକରେ ଅପରୋକ୍ଷ ରୂପରେ ସେ ନିଜେ ସେହି ଶରୀର ଦ୍ବାରା କର୍ମର ଫଳ ଭୋଗ
କରେ |
ଶୟାନମିମମୁତ୍ସୃଜ୍ୟ ଶ୍ୱସନ୍ତଂ ପୁରୁଷୋ ଯଥା ।
କର୍ମାତ୍ମନ୍ୟାହିତଂ ଭୁଙ୍କ୍ତେ ତାଦୃଶେନେତରେଣ ବା ॥ ୬୧॥
ସ୍ବପ୍ନାବସ୍ଥାରେ ମନୁଷ୍ୟ ଏହି ଜୀବିତ ଶରୀରର ଅଭିମାନ ତ ଛାଡି
ଦେଇଥାଏ, କିନ୍ତୁ ଏହା ପରି ଅଥବା ଏହାଠାରୁ ଭିନ୍ନ ପଶୁ-ପକ୍ଷୀ ଆଦି ଶରୀରରେ ସେ ମନରେ
ସଂସ୍କାରରୂପରେ ସ୍ଥିତ କର୍ମର ଫଳ ଭୋଗ କରୁଥାଏ |
ମମୈତେ ମନସା ଯଦ୍ୟଦସାବହମିତି ବ୍ରୁବନ୍ ।
ଗୃହ୍ଣୀୟାତ୍ତତ୍ପୁମାନ୍ ରାଦ୍ଧଂ କର୍ମ ଯେନ ପୁନର୍ଭବଃ ॥ ୬୨॥
ଏହି ମନ ଦ୍ବାରା ଜୀବ ଯେଉଁ ସ୍ତ୍ରୀ-ପୁତ୍ରାଦିଙ୍କୁ ‘ଇଏ ମୋର ଅଟନ୍ତି’ ଏବଂ ଦେହାଦିକୁ ‘ଏହା ମୁଁ ଅଟେ’
ମନେ କରିଥାଏ, ସେମାନଙ୍କ ଦ୍ବାରା
କରାଯାଉ ଥିବା ପାପ-ପୁଣ୍ୟାଦିରୂପ କର୍ମକୁ ମଧ୍ୟ ସେ ନିଜ ଉପରକୁ ନେଇ ଯାଇଥାଏ ଏବଂ ସେମାନଙ୍କ
ଯୋଗୁଁ ବୃଥାରେ ହିଁ ତାକୁ ପୁନର୍ବାର ଜନ୍ମ ଗ୍ରହଣ କରିବାକୁ ପଡିଥାଏ |
ଯଥାନୁମୀୟତେ ଚିତ୍ତମୁଭୟୈରିନ୍ଦ୍ରିୟେହିତୈଃ ।
ଏବଂ ପ୍ରାଗ୍ଦେହଜଂ କର୍ମ ଲକ୍ଷ୍ୟତେ ଚିତ୍ତବୃତ୍ତିଭିଃ ॥ ୬୩॥
ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଉଭୟର କ୍ରିୟାରୁ ଯେପରି ଚିତ୍ତର
ଅବସ୍ଥା ସମ୍ପର୍କରେ ଅନୁମାନ କରାଯାଇ ଥାଏ, ସେହିପରି ଚିତ୍ତର
ଭିନ୍ନ ଭିନ୍ନ ବୃତ୍ତିରୁ ମଧ୍ୟ ପୂର୍ବଜନ୍ମର କର୍ମର ଅନୁମାନ କରାଯାଇ ପାରେ | (ଅତଏବ, ଅଦୃଷ୍ଟରୂପରେ ଫଳ ଦେବା ପାଇଁ କର୍ମ କାଳାନ୍ତରରେ ମଧ୍ୟ ତିଷ୍ଠି
ରହିଥାଏ |)
ନାନୁଭୂତଂ କ୍ୱ ଚାନେନ ଦେହେନାଦୃଷ୍ଟମଶ୍ରୁତମ୍ ।
କଦାଚିଦୁପଲଭ୍ୟେତ ଯଦ୍ରୂପଂ ଯାଦୃଗାତ୍ମନି ॥ ୬୪॥
ବେଳେ ବେଳେ ଏପରି ଦେଖାଯାଏ ଯେ ଏହି ଶରୀରରେ ଆମେ ଯେଉଁ ବସ୍ତୁକୁ
କେବେ ଅନୁଭବ କରି ନ ଥାଏ – କେବେ ଦେଖି ନ ଥାଏ କି ଶୁଣି ନ ଥାଏ – ସ୍ବପ୍ନରେ ଆମେ ତାହାକୁ ତା’ର ବାସ୍ତବ ରୂପରେ ଅନୁଭବ କରିଥାଏ |
ତେନାସ୍ୟ ତାଦୃଶଂ ରାଜନ୍ ଲିଙ୍ଗିନୋ ଦେହସମ୍ଭବମ୍ ।
ଶ୍ରଦ୍ଧତ୍ସ୍ୱାନନୁଭୂତୋଽର୍ଥୋ ନ ମନଃ ସ୍ପ୍ରଷ୍ଟୁମର୍ହତି ॥ ୬୫॥
ରାଜନ୍ ! ତୁମେ ଏହା ନିଶ୍ଚୟ ସ୍ବୀକାର କରିବ ଯେ ଲିଙ୍ଗଦେହର ଅଭିମାନୀ
ଜୀବକୁ ପୂର୍ବଜନ୍ମରେ ତାହାର ଅନୁଭବ ହୋଇଥାଏ; କାରଣ ପୂର୍ବରୁ ଯେଉଁ
ବସ୍ତୁର ଅନୁଭବ ହୋଇ ନ ଥାଏ, ତାହାର ବାସନା ମନରେ
କେବେ ବି ଉଦ୍ରେକ ହେବ ନାହିଁ |
ମନ ଏବ ମନୁଷ୍ୟସ୍ୟ ପୂର୍ୱରୂପାଣି ଶଂସତି ।
ଭବିଷ୍ୟତଶ୍ଚ ଭଦ୍ରଂ ତେ ତଥୈବ ନ ଭବିଷ୍ୟତଃ ॥ ୬୬॥
ରାଜନ୍ ! ତୁମର କଲ୍ୟାଣ ହେଉ | ମନ ହିଁ ମନୁଷ୍ୟର ପୂର୍ବରୂପ ତଥା
ଭାବୀ ଶରୀରାଦି ବିଷୟରେ କହିଦେଇ ଥାଏ ଏବଂ ଯେଉଁମାନଙ୍କର ଭାବୀ ଜନ୍ମ ହେବାର ନ ଥାଏ, ସେହି ତତ୍ତ୍ବବେତ୍ତାମାନଙ୍କୁ ବିଦେହମୁକ୍ତିର ଅନୁମାନ ମଧ୍ୟ
ସେମାନଙ୍କର ମନରେ ହିଁ ହୋଇଯାଏ |
ଅଦୃଷ୍ଟମଶ୍ରୁତଂ ଚାତ୍ର କ୍ୱଚିନ୍ମନସି ଦୃଶ୍ୟତେ ।
ଯଥା ତଥାନୁମନ୍ତବ୍ୟଂ ଦେଶକାଲକ୍ରିୟାଶ୍ରୟମ୍ ॥ ୬୭॥
ବେଳେ ବେଳେ ସ୍ବପ୍ନରେ ଦେଶ,
କାଳ ଅଥବା କ୍ରିୟାସମ୍ବନ୍ଧୀ ଏପରି ସବୁ ବିଷୟ ଦେଖିବାକୁ ମିଳିଥାଏ, ଯାହା ପୂର୍ବରୁ କେବେ ଦେଖିବାକୁ ବା ଶୁଣିବାକୁ ମିଳି ନ ଥାଏ (ଯେପରି
କି ପର୍ବତ ଶିଖରରେ ସମୁଦ୍ର, ଦିନରେ ତାରା ଅଥବା
ନିଜର ଛିନ୍ନ ମସ୍ତକ ଇତ୍ୟାଦି) | ଏସବୁର କାରଣ ନିଦ୍ରାଦୋଷ ଅଟେ |
ସର୍ୱେ କ୍ରମାନୁରୋଧେନ ମନସୀନ୍ଦ୍ରିୟଗୋଚରାଃ ।
ଆୟାନ୍ତି ବର୍ଗଶୋ ଯାନ୍ତି ସର୍ୱେ ସମନସୋ ଜନାଃ ॥ ୬୮॥
ମନ ସମ୍ମୁଖରେ ଇନ୍ଦ୍ରିୟମାନଙ୍କ ଦ୍ବାରା ଅନୁଭବ-ଯୋଗ୍ୟ ପଦାର୍ଥ ହିଁ
ଭୋଗ-ରୂପରେ ବାରମ୍ବାର ଆସିଥାଆନ୍ତି ଏବଂ ଭୋଗ ସମାପ୍ତ ହୋଇଯିବା ପରେ ସେମାନେ ଚାଲିଯାଆନ୍ତି; ଏପରି କୌଣସି ପଦାର୍ଥ ଆସି ନ ଥାଏ, ଯାହାର ଅନୁଭବ ଇନ୍ଦ୍ରିୟମାନଙ୍କ ଦ୍ବାରା ହୋଇପାରେ ନାହିଁ | ଏହାର
କାରଣ ସବୁ ଜୀବ ମନସହିତ ଅଟନ୍ତି |
ସତ୍ତ୍ୱୈକନିଷ୍ଠେ ମନସି ଭଗବତ୍ପାର୍ଶ୍ୱବର୍ତିନି ।
ତମଶ୍ଚନ୍ଦ୍ରମସୀବେଦମୁପରଜ୍ୟାବଭାସତେ ॥ ୬୯॥
ସାଧାରଣତଃ ସବୁ ପଦାର୍ଥର ଜ୍ଞାନ କ୍ରମଶଃ ହୋଇଥାଏ; କିନ୍ତୁ ଭଗବତ୍-ଚିନ୍ତନରେ ରତ ରହିଥିବା ମନ ଯଦି ବିଶୁଦ୍ଧ ସତ୍ତ୍ବରେ
ସ୍ଥିତ ରହିଥାଏ, ତେବେ ଭଗବାନଙ୍କର
ସଂସର୍ଗ ଲାଭ କରି ତାହାକୁ ଏକସଙ୍ଗେ ସମସ୍ତ ବିଶ୍ବର ଜ୍ଞାନ ମଧ୍ୟ ହୋଇଯାଇ ପାରେ – ଯେପରି ରାହୁ
ଦୃଷ୍ଟିର ବିଷୟ ହୋଇ ନ ଥିଲେ ବି ପ୍ରକାଶାତ୍ମକ ଚନ୍ଦ୍ରମାର ସଂସର୍ଗରେ ଦେଖିବାକୁ ମିଳିଥାଏ |
ନାହଂ ମମେତି ଭାବୋଽୟଂ ପୁରୁଷେ ବ୍ୟବଧୀୟତେ ।
ଯାବଦ୍ବୁଦ୍ଧିମନୋଽକ୍ଷାର୍ଥଗୁଣବ୍ୟୂହୋ ହ୍ୟନାଦିମାନ୍ ॥ ୭୦॥
ରାଜନ୍ ! ଗୁଣର ପରିଣାମ ଏବଂ ବୁଦ୍ଧି, ମନ, ଇନ୍ଦ୍ରିୟ ତଥା
ଶବ୍ଦାଦି ବିଷୟର ସଂଘାତ ଏହି ଅନାଦି ଲିଙ୍ଗଦେହ ରହିଥିବା ଯାଏଁ ଜୀବ ଭିତରେ ସ୍ଥୂଳଶରୀର ପ୍ରତି
ରହିଥିବା ମୁଁ-ମୋର ଭାବର ଅଭାବ ହେବ ନାହିଁ |
ସୁପ୍ତିମୂର୍ଚ୍ଛୋପତାପେଷୁ ପ୍ରାଣାୟନବିଘାତତଃ ।
ନେହତେଽହମିତି ଜ୍ଞାନଂ ମୃତ୍ୟୁପ୍ରଜ୍ୱାରୟୋରପି ॥ ୭୧॥
ସୁଷୁପ୍ତି, ମୂର୍ଚ୍ଛା,
ଅତ୍ୟନ୍ତ ଦୁଃଖ ତଥା ମୃତ୍ୟୁ ଏବଂ ତୀବ୍ର ଜ୍ବରାଦି ସମୟରେ ଇନ୍ଦ୍ରିୟ ବ୍ୟାକୁଳତା କାରଣରୁ ‘ମୁଁ’ ଏବଂ ‘ମୋର’ ର ସ୍ପଷ୍ଟ ପ୍ରତୀତି
ହୋଇ ନ ଥାଏ; କିନ୍ତୁ ସେହି ସମୟରେ ମଧ୍ୟ ତାହାର ଅଭିମାନ ରହିଥାଏ |
ଗର୍ଭେ ବାଲ୍ୟେଽପ୍ୟପୌଷ୍କଲ୍ୟାଦେକାଦଶବିଧଂ ତଦା ।
ଲିଙ୍ଗଂ ନ ଦୃଶ୍ୟତେ ଯୂନଃ କୁହ୍ୱାଂ ଚନ୍ଦ୍ରମସୋ ଯଥା ॥ ୭୨॥
ଅମାବାସ୍ୟା ରାତ୍ରୀରେ ଯେପରି ଚନ୍ଦ୍ରମା ରହି ମଧ୍ୟ ଦେଖାଯାଆନ୍ତି
ନାହିଁ, ସେହିପରି
ଯୁବାବସ୍ଥାରେ ସ୍ପଷ୍ଟ ପ୍ରତୀତ ହେଉଥିବା ଏହି ଏକାଦଶ ଇନ୍ଦ୍ରିୟବିଶିଷ୍ଟ ଲିଙ୍ଗଶରୀର
ଗର୍ଭାବସ୍ଥାରେ ଏବଂ ବାଲ୍ୟକାଳରେ ଥାଇ ମଧ୍ୟ ଇନ୍ଦ୍ରିୟମାନେ ପୂର୍ଣ୍ଣ ବିକଶିତ ହୋଇ ନ ଥିବା
କାରଣରୁ ପ୍ରତୀତ ହୋଇ ନ ଥାଏ |
ଅର୍ଥେ ହ୍ୟବିଦ୍ୟମାନେଽପି ସଂସୃତିର୍ନ ନିବର୍ତତେ ।
ଧ୍ୟାୟତୋ ବିଷୟାନସ୍ୟ ସ୍ୱପ୍ନେଽନର୍ଥାଗମୋ ଯଥା ॥ ୭୩॥
ସ୍ବପ୍ନରେ ଯେପରି ଦେଖୁଥିବା ବସ୍ତୁର ଅସ୍ତିତ୍ବ ନ ଥିଲେ ବି ଜାଗ୍ରତ
ନ ହେବାଯାଏଁ ସ୍ବପ୍ନଜନିତ ଅନର୍ଥର ନିବୃତ୍ତି ହୋଇ ନ ଥାଏ,
ସେହିପରି ସାଂସାରିକ ବସ୍ତୁ ଅସତ୍ ହୋଇଥିଲେ ବି ଅବିଦ୍ୟାବଶ ଜୀବ ସେମାନଙ୍କର ଚିନ୍ତନ କରିବାରେ
ଲାଗିଥାଏ ଏବଂ ସେହି କାରଣରୁ ଜନ୍ମ-ମରଣରୂପ ସଂସାରରୁ ତାକୁ ମୁକ୍ତି ମିଳି ନ ଥାଏ |
ଏବଂ ପଞ୍ଚବିଧଂ ଲିଙ୍ଗଂ ତ୍ରିବୃତ୍ଷୋଡଶବିସ୍ତୃତମ୍ ।
ଏଷ ଚେତନୟା ଯୁକ୍ତୋ ଜୀବ ଇତ୍ୟଭିଧୀୟତେ ॥ ୭୪॥
ପଞ୍ଚତନ୍ମାତ୍ରାରେ ଗଢା ତଥା ଷୋଳ-ତତ୍ତ୍ବ ରୂପରେ ବିକଶିତ ଏହି
ତ୍ରିଗୁଣମୟ ସଂଘାତ ହିଁ ଲିଙ୍ଗଶରୀର ଅଟେ | ଚେତନାଶକ୍ତି ଯୁକ୍ତ ହୋଇ ଏହା ହିଁ ଜୀବ ନାମରେ
ଅଭିହିତ ହୋଇଥାଏ |
ଅନେନ ପୁରୁଷୋ ଦେହାନୁପାଦତ୍ତେ ବିମୁଞ୍ଚତି ।
ହର୍ଷଂ ଶୋକଂ ଭୟଂ ଦୁଃଖଂ ସୁଖଂ ଚାନେନ ବିନ୍ଦତି ॥ ୭୫॥
ଏହା ଦ୍ବାରା ଜୀବ ଭିନ୍ନ ଭିନ୍ନ ଶରୀର ଗ୍ରହଣ କରିଥାଏ ଏବଂ ତ୍ୟାଗ
କରିଥାଏ ତଥା ଏହା ଦ୍ବାରା ହିଁ ତାହାକୁ ହର୍ଷ,
ଶୋକ, ଭୟ, ଦୁଃଖ ଏବଂ ସୁଖ ଆଦିର ଅନୁଭବ ହୋଇଥାଏ |
(ଭକ୍ତିଃ କୃଷ୍ଣେ ଦୟା ଜୀବେଷ୍ୱକୁଣ୍ଠଜ୍ଞାନମାତ୍ମନି ।
ଯଦି ସ୍ୟାଦାତ୍ମନୋ ଭୂୟାଦପବର୍ଗସ୍ତୁ ସଂସୃତେଃ ॥)
ଯଥା ତୃଣଜଲୂକେୟଂ ନାପୟାତ୍ୟପୟାତି ଚ ।
ନ ତ୍ୟଜେନ୍ମ୍ରିୟମାଣୋଽପି ପ୍ରାଗ୍ଦେହାଭିମତିଂ ଜନଃ ॥ ୭୬॥
ଯାବଦନ୍ୟଂ ନ ବିନ୍ଦେତ ବ୍ୟବଧାନେନ କର୍ମଣାମ୍ ।
ମନ ଏବ ମନୁଷ୍ୟେନ୍ଦ୍ର ଭୂତାନାଂ ଭବଭାବନମ୍ ॥ ୭୭॥
ଜୋକ ଯେପରି ଅନ୍ୟ ତୃଣକୁ ନ ଧରିବା ଯାଏଁ ପ୍ରଥମ ତୃଣକୁ ଛାଡି ନ ଥାଏ, ସେହିପରି ମରଣକାଳ ଉପସ୍ଥିତ ହେଲେ ବି ଦେହାରମ୍ଭକ କର୍ମ ସମାପ୍ତ ହୋଇ
ଅନ୍ୟ ଶରୀର ଗ୍ରହଣ ନ କରିବାଯାଏଁ ଜୀବ ପୂର୍ବ ଶରୀରର ଅଭିମାନକୁ ତ୍ୟାଗ କରେନାହିଁ | ରାଜନ୍ !
ଏହି ମନଃପ୍ରଧାନ ଲିଙ୍ଗଶରୀର ହିଁ ଜୀବର ଜନ୍ମାଦିର କାରଣ ଅଟେ |
ଯଦାକ୍ଷୈଶ୍ଚରିତାନ୍ ଧ୍ୟାୟନ୍ କର୍ମାଣ୍ୟାଚିନୁତେଽସକୃତ୍ ।
ସତି କର୍ମଣ୍ୟବିଦ୍ୟାୟାଂ ବନ୍ଧଃ କର୍ମଣ୍ୟନାତ୍ମନଃ ॥ ୭୮॥
ଜୀବ ଯେତେବେଳେ ଇନ୍ଦ୍ରିୟଜନିତ ଭୋଗର ଚିନ୍ତନ କରି ବାରମ୍ବାର ସେହି
ଉଦ୍ଦେଶ୍ୟରେ କର୍ମ କରିଥାଏ, ସେତେବେଳେ
ଅବିଦ୍ୟାବଶ ସେ ଦେହାଦିର ସେହି ସବୁ କର୍ମରେ ବାନ୍ଧି ହୋଇଯାଏ |
ଅତସ୍ତଦପବାଦାର୍ଥଂ ଭଜ ସର୍ୱାତ୍ମନା ହରିମ୍ ।
ପଶ୍ୟଂସ୍ତଦାତ୍ମକଂ ବିଶ୍ୱଂ ସ୍ଥିତ୍ୟୁତ୍ପତ୍ତ୍ୟପ୍ୟଯା ଯତଃ ॥ ୭୯॥
ଅତଏବ, ସେହି କର୍ମବନ୍ଧନରୁ
ମୁକ୍ତ ହେବା ନିମନ୍ତେ ସମ୍ପୂର୍ଣ୍ଣ ବିଶ୍ବକୁ ଭଗବଦ୍-ରୂପ ଦର୍ଶନ କରି ସର୍ବତୋ ଭାବରେ
ଶ୍ରୀହରିଙ୍କର ଭଜନ କର | ତାଙ୍କଠାରେ ଏହି ବିଶ୍ବର ଉତ୍ପତ୍ତି ଏବଂ ସ୍ଥିତି ନିହିତ ଏବଂ
ପରିଶେଷରେ ତାଙ୍କଠାରେ ହିଁ ତା’ର ଲୟ ଘଟିଥାଏ |
ମୈତ୍ରେୟ ଉବାଚ
ଭାଗବତମୁଖ୍ୟୋ ଭଗବାନ୍ ନାରଦୋ ହଂସୟୋର୍ଗତିମ୍ ।
ପ୍ରଦର୍ଶ୍ୟ ହ୍ୟମୁମାମନ୍ତ୍ର୍ୟ ସିଦ୍ଧଲୋକଂ ତତୋଽଗମତ୍ ॥ ୮୦॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଭକ୍ତଶ୍ରେଷ୍ଠ ନାରଦ ମୁନି ରାଜା
ପ୍ରାଚୀନବର୍ହିଙ୍କୁ ଏହିପରି ଭାବରେ ଜୀବ ଏବଂ ଈଶ୍ବରଙ୍କ ସ୍ବରୂପର ଦିଗଦର୍ଶନ କରିଲେ | ତାପରେ
ରାଜାଙ୍କଠାରୁ ବିଦାୟ ଗ୍ରହଣ କରି ସେ ନିଜ ସିଦ୍ଧଲୋକକୁ ଚାଲିଗଲେ |
ପ୍ରାଚୀନବର୍ହୀ ରାଜର୍ଷିଃ ପ୍ରଜାସର୍ଗାଭିରକ୍ଷଣେ ।
ଆଦିଶ୍ୟ ପୁତ୍ରାନଗମତ୍ତପସେ କପିଲାଶ୍ରମମ୍ ॥ ୮୧॥
ରାଜା ପ୍ରାଚୀନବର୍ହି ମଧ୍ୟ ପ୍ରଜାପାଳନର ଭାର ନିଜ ପୁତ୍ରଙ୍କୁ ଅର୍ପଣ
କରି ତପସ୍ୟା କରିବା ନିମନ୍ତେ କପିଳାଶ୍ରମକୁ ଚାଲିଗଲେ |
ତତ୍ରୈକାଗ୍ରମନା ବୀରୋ ଗୋବିନ୍ଦଚରଣାମ୍ବୁଜମ୍ ।
ବିମୁକ୍ତସଙ୍ଗୋଽନୁଭଜନ୍ ଭକ୍ତ୍ୟା ତତ୍ସାମ୍ୟତାମଗାତ୍ ॥ ୮୨॥
ସେଠାରେ ସେହି ବୀରବର ସମସ୍ତ ବିଷୟ-ଆସକ୍ତି ତ୍ୟାଗ କରି ଏକାଗ୍ର ମନରେ
ଭକ୍ତିପୂର୍ବକ ଶ୍ରୀହରିଙ୍କ ଚରଣକମଳର ଚିନ୍ତନ କରି ସାରୂପ୍ୟପଦ ପ୍ରାପ୍ତ କଲେ |
ଏତଦଧ୍ୟାତ୍ମପାରୋକ୍ଷ୍ୟଂ ଗୀତଂ ଦେବର୍ଷିଣାନଘ ।
ଯଃ ଶ୍ରାବୟେଦ୍ୟଃ ଶୃଣୁୟାତ୍ସ ଲିଙ୍ଗେନ ବିମୁଚ୍ୟତେ ॥ ୮୩॥
ନିଷ୍ପାପ ବିଦୁର ! ଦେବର୍ଷି ନାରଦଙ୍କ ଦ୍ବାରା ପରୋକ୍ଷରୂପରେ କଥିତ
ଏହି ଆତ୍ମଜ୍ଞାନକୁ ଯେଉଁ ପୁରୁଷ ଶୁଣନ୍ତି ବା ଶୁଣାନ୍ତି,
ସେ ଅତି ଶୀଘ୍ର ହିଁ ଲିଙ୍ଗଦେହର ବନ୍ଧନରୁ ମୁକ୍ତ ହୋଇଯାଆନ୍ତି |
ଏତନ୍ମୁକୁନ୍ଦୟଶସା ଭୁବନଂ ପୁନାନଂ
ଦେବର୍ଷିବର୍ୟମୁଖନିଃସୃତମାତ୍ମଶୌଚମ୍ ।
ଯଃ କୀର୍ତ୍ୟମାନମଧିଗଚ୍ଛତି ପାରମେଷ୍ଠ୍ୟଂ
ନାସ୍ମିନ୍ ଭବେ ଭ୍ରମତି ମୁକ୍ତସମସ୍ତବନ୍ଧଃ ॥ ୮୪॥
ଦେବର୍ଷି ନାରଦଙ୍କ ମୁଖନିଃସୃତ ଏହି ଆତ୍ମଜ୍ଞାନ ଭଗବାନ ମୁକୁନ୍ଦଙ୍କ
ଯଶ ସହିତ ସମ୍ବନ୍ଧିତ ହୋଇଥିବା କାରଣରୁ ତ୍ରିଲୋକୀକୁ ପବିତ୍ର, ଅନ୍ତଃକରଣକୁ ଶୁଦ୍ଧ ଏବଂ ପରମାତ୍ମପଦକୁ ପ୍ରକାଶିତ କରିଥାଏ | ଯେଉଁ
ପୁରୁଷ ଏହି କଥା ଶ୍ରବଣ କରିବେ, ସେ ସମସ୍ତ ବନ୍ଧନରୁ
ମୁକ୍ତ ହୋଇଯିବେ ଏବଂ ତାଙ୍କୁ ପୁନର୍ବାର ସଂସାର-ଚକ୍ରରେ ଭ୍ରମିତ ହେବାକୁ ପଡିବ ନାହିଁ |
ଅଧ୍ୟାତ୍ମପାରୋକ୍ଷ୍ୟମିଦଂ ମୟାଧିଗତମଦ୍ଭୁତମ୍ ।
ଏବଂ ସ୍ତ୍ରିୟାଶ୍ରମଃ ପୁଂସଶ୍ଛିନ୍ନୋଽମୁତ୍ର ଚ ସଂଶୟଃ ॥ ୮୫॥
ହେ ବିଦୁର ! ଗୃହସ୍ଥାଶ୍ରମୀ ପୁରଞ୍ଜନର ଏହି ରୂପକ ମାଧ୍ୟମରେ
ପରୋକ୍ଷରୂପରେ କଥିତ ଏହି ଅଦ୍ଭୁତ ଆତ୍ମଜ୍ଞାନ ମୁଁ ଗୁରୁଜୀଙ୍କ କୃପାରୁ ପ୍ରାପ୍ତ କରିଥିଲି |
ଏହାର ତାତ୍ପର୍ଯ୍ୟ ବୁଝି ନେବା ପରେ ବୁଦ୍ଧିଯୁକ୍ତ ଜୀବର ଦେହାଭିମାନ ନିବୃତ୍ତ ହୋଇଯାଏ ତଥା
‘ପରଲୋକରେ ଜୀବ କିପରି କର୍ମଫଳ ଭୋଗ କରିଥାଏ’ – ତା ମନର ଏହି ସଂଶୟ
ଦୂର ହୋଇଯାଏ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପ୍ରାଚୀନବର୍ହିର୍ନାରଦସମ୍ବାଦୋ ନାମୈକୋନତ୍ରିଂଶୋଽଧ୍ୟାୟଃ ॥ ୨୯॥

Comments
Post a Comment