ଶ୍ରୀମଦ୍ ଭାଗବତ ମହାପୁରାଣ
॥ ଓଁ ନମୋ ଭଗବତେ ବାସୁଦେବାୟ ॥
॥ ଚତୁର୍ଥ ସ୍କନ୍ଧ ॥
ତ୍ରିଂଶ ଅଧ୍ୟାୟ
ପ୍ରଚେତାଙ୍କୁ ଶ୍ରୀବିଷ୍ଣୁଭଗବାନଙ୍କର ବରଦାନ
ବିଦୁର ଉବାଚ
ଯେ ତ୍ୱୟାଭିହିତା ବ୍ରହ୍ମନ୍ ସୁତାଃ ପ୍ରାଚୀନବର୍ହିଷଃ ।
ତେ ରୁଦ୍ରଗୀତେନ ହରିଂ ସିଦ୍ଧିମାପୁଃ ପ୍ରତୋଷ୍ୟ କାମ୍ ॥ ୧॥
ବିଦୁର ପଚାରିଲେ – ବ୍ରହ୍ମନ୍ ! ଆପଣ ରାଜା ପ୍ରାଚୀନବର୍ହିଙ୍କର ଯେଉଁ
ପୁତ୍ରମାନଙ୍କ ବିଷୟରେ କହିଥିଲେ ସେମାନେ ରୁଦ୍ରଗୀତ ଦ୍ବାରା ଶ୍ରୀହରିଙ୍କର ସ୍ତୁତି କରି କେଉଁ
ସିଦ୍ଧି ପ୍ରାପ୍ତ କଲେ ?
କିଂ ବାର୍ହସ୍ପତ୍ୟେହ ପରତ୍ର ବାଥ
କୈବଲ୍ୟନାଥପ୍ରିୟପାର୍ଶ୍ୱବର୍ତିନଃ ।
ଆସାଦ୍ୟ ଦେବଂ ଗିରିଶଂ ଯଦୃଚ୍ଛୟା
ପ୍ରାପୁଃ ପରଂ ନୂନମଥ ପ୍ରଚେତସଃ ॥ ୨॥
ମୋକ୍ଷାଧିପତି ଶ୍ରୀନାରାୟଣଙ୍କର ଅତ୍ୟନ୍ତ ପ୍ରିୟ ଭଗବାନ ଶଂକରଙ୍କର
ଅକସ୍ମାତ ସାନ୍ନିଧ୍ୟ ଲାଭ କରି ପ୍ରଚେତାମାନେ ମୁକ୍ତି ତ ପ୍ରାପ୍ତ କରିଥିବେ, ତା’ ପୂର୍ବରୁ ଇହଲୋକରେ
ଅଥବା ପରଲୋକରେ ସେମାନେ ଆଉ କ’ଣ କ’ଣ ପ୍ରାପ୍ତ କରିଥିଲେ,
ତାହା ବର୍ଣ୍ଣନା କରିବାର କୃପା କରନ୍ତୁ |
ମୈତ୍ରେୟ ଉବାଚ
ପ୍ରଚେତସୋଽନ୍ତରୁଦଧୌ ପିତୁରାଦେଶକାରିଣଃ ।
ଜପୟଜ୍ଞେନ ତପସା ପୁରଞ୍ଜନମତୋଷୟନ୍ ॥ ୩॥
ହେ ବିଦୁର ! ରାଜାଙ୍କର ଆଜ୍ଞାକାରୀ ପୁତ୍ର ପ୍ରଚେତାମାନେ ସମୁଦ୍ର
ଭିତରେ ଠିଆ ହୋଇ ରୁଦ୍ରଗୀତ ଜପରୂପୀ ଯଜ୍ଞ ଏବଂ ତପସ୍ୟା ଦ୍ବାରା ସମସ୍ତ ଶରୀରର ଉତ୍ପାଦକ ଭଗବାନ
ଶ୍ରୀହରିଙ୍କୁ ପ୍ରସନ୍ନ କରିନେଲେ |
ଦଶବର୍ଷସହସ୍ରାନ୍ତେ ପୁରୁଷସ୍ତୁ ସନାତନଃ ।
ତେଷାମାବିରଭୂତ୍କୃଚ୍ଛ୍ରଂ ଶାନ୍ତେନ ଶମୟନ୍ ରୁଚା ॥ ୪॥
ତପସ୍ୟା କରି କରି ଦଶ ହଜାର ବର୍ଷ ବିତିଯିବା ପରେ ପୁରାଣପୁରୁଷ
ଶ୍ରୀନାରାୟଣ ନିଜର ମନୋହର କାନ୍ତି ଦ୍ବାରା ସେମାନଙ୍କର ତପସ୍ୟାଜନିତ କ୍ଲେଶ ଶାନ୍ତ କରି ସୌମ୍ୟ
ବିଗ୍ରହରେ ସେମାନଙ୍କ ସମ୍ମୁଖରେ ପ୍ରକଟ ହୋଇଗଲେ |
ସୁପର୍ଣସ୍କନ୍ଧମାରୂଢୋ ମେରୁଶୃଙ୍ଗମିବାମ୍ବୁଦଃ ।
ପୀତବାସା ମଣିଗ୍ରୀବଃ କୁର୍ୱନ୍ ବିତିମିରା ଦିଶଃ ॥ ୫॥
ଗରୁଡ଼ ପୃଷ୍ଠରେ ଆରୋହଣ କରି ଶ୍ରୀଭଗବାନ ସୁମେରୁ ଶିଖରରେ ଶ୍ୟାମଘନ
ପରି ଶୋଭା ପାଉଥିଲେ | ତାଙ୍କର ଶ୍ରୀଅଙ୍ଗ ମନୋହର ପୀତାମ୍ବର ଏବଂ କଣ୍ଠ କୌସ୍ତୁଭରେ ସୁଶୋଭିତ
ଥିଲା | ନିଜ ଦିବ୍ୟ ପ୍ରଭାରେ ସେ ଦିଗ-ବିଦିଗର ଅନ୍ଧକାରକୁ ଦୂର କରୁଥିଲେ |
କାଶିଷ୍ଣୁନା କନକବର୍ଣବିଭୂଷଣେନ
ଭ୍ରାଜତ୍କପୋଲବଦନୋ ବିଲସତ୍କିରୀଟଃ ।
ଅଷ୍ଟାୟୁଧୈରନୁଚରୈର୍ମୁନିଭିଃ ସୁରେନ୍ଦ୍ରୈ-
ରାସେବିତୋ ଗରୁଡକିନ୍ନରଗୀତକୀର୍ତିଃ ॥ ୬॥
ସୁବର୍ଣ୍ଣମୟ ଆଭୂଷଣରେ ଝଲସି ଉଠୁଥିବା ତାଙ୍କର କମନୀୟ କପୋଳ ଏବଂ
ତାଙ୍କ ମନୋହର ମୁଖମଣ୍ଡଳ ଅପୂର୍ବ ଭାବରେ ଶୋଭା ପାଉଥିଲା | ମସ୍ତକରେ ମୁକୁଟ ଝଲମଲ ହୋଇ
ଶୋଭାୟମାନ ଥିଲା | ପ୍ରଭୁଙ୍କର ଅଷ୍ଟଭୁଜରେ ଅଷ୍ଟ ଆୟୁଧ ଥିଲା; ଦେବତା, ମୁନି ଏବଂ ପାର୍ଷଦଗଣ
ତାଙ୍କ ସେବାରେ ଉପସ୍ଥିତ ଥିଲେ ତଥା କିନ୍ନରମାନଙ୍କ ପରି ଗରୁଡ଼ ନିଜର ସାମମୟ ପକ୍ଷଧ୍ବନିରେ
ତାଙ୍କର କୀର୍ତ୍ତିଗାନ କରୁଥିଲେ |
ପୀନାୟତାଷ୍ଟଭୁଜମଣ୍ଡଲମଧ୍ୟଲକ୍ଷ୍ମ୍ୟା
ସ୍ପର୍ଧଚ୍ଛ୍ରିୟା ପରିବୃତୋ ବନମାଲୟାଽଽଦ୍ୟଃ ।
ବର୍ହିଷ୍ମତଃ ପୁରୁଷ ଆହ ସୁତାନ୍ ପ୍ରପନ୍ନାନ୍
ପର୍ଜନ୍ୟନାଦରୁତୟା ସଘୃଣାବଲୋକଃ ॥ ୭॥
ତାଙ୍କର ଅଷ୍ଟ ବିଶାଳ ଏବଂ ସ୍ଥୂଳ ଭୁଜ ମଝିରେ ଲକ୍ଷ୍ମୀଙ୍କ ସହିତ
ପ୍ରତିସ୍ପର୍ଦ୍ଧା କରୁଥିବା ବନମାଳା ବିରାଜମାନ ଥିଲା ଏହିପରି ଭାବରେ ଆଦିପୁରୁଷ ଶ୍ରୀନାରାୟଣ
ସେଠାରେ ଉପସ୍ଥିତ ହୋଇ ନିଜ ଶରଣାଗତ ପ୍ରଚେତାଙ୍କ ପ୍ରତି ଦୟାଦୃଷ୍ଟିରେ ଚାହିଁ ମେଘ ସଦୃଶ
ଗମ୍ଭୀର ବାଣୀରେ କହିବାକୁ ଆରମ୍ଭ କଲେ |
ଶ୍ରୀଭଗବାନୁବାଚ
ବରଂ ବୃଣୀଧ୍ୱଂ ଭଦ୍ରଂ ବୋ ଯୂୟଂ ମେ ନୃପନନ୍ଦନାଃ ।
ସୌହାର୍ଦେନାପୃଥଗ୍ଧର୍ମାସ୍ତୁଷ୍ଟୋଽହଂ ସୌହୃଦେନ ବଃ ॥ ୮॥
ଶ୍ରୀଭଗବାନ କହିଲେ – ହେ ରାଜପୁତ୍ର ! ତୁମ୍ଭମାନଙ୍କର କଲ୍ୟାଣ ହେଉ |
ତୁମ ସମସ୍ତଙ୍କର ପରସ୍ପର ପ୍ରତି ଅତ୍ୟନ୍ତ ପ୍ରେମ ଭାବ ରହିଛି ଏବଂ ସେଥିପାଇଁ ତୁମେ ସମସ୍ତେ
ଗୋଟିଏ ଧର୍ମ ପାଳନ କରୁଛ | ତୁମର ଏହି ଆଦର୍ଶ ସୌହାର୍ଦ୍ୟରେ ମୁଁ ଅତ୍ୟନ୍ତ ପ୍ରସନ୍ନ ହୋଇଛି |
ବର ମାଗ |
ଯୋଽନୁସ୍ମରତି ସନ୍ଧ୍ୟାୟାଂ ଯୁଷ୍ମାନନୁଦିନଂ ନରଃ ।
ତସ୍ୟ ଭ୍ରାତୃଷ୍ୱାତ୍ମସାମ୍ୟଂ ତଥା ଭୂତେଷୁ ସୌହୃଦମ୍ ॥ ୯॥
ଯେଉଁ ପୁରୁଷ ପ୍ରତିଦିନ ସାୟଂକାଳରେ ତୁମର ସ୍ମରଣ କରିବେ, ସେ ନିଜ ଭାଈମାନଙ୍କୁ ନିଜ ପରି ପ୍ରେମ କରିବେ ତଥା ସମସ୍ତ ଜୀବ
ପ୍ରତି ମଧ୍ୟ ତାଙ୍କର ମିତ୍ରତା ଭାବ ବୃଦ୍ଧି ଲାଭ କରିବ |
ଯେ ତୁ ମାଂ ରୁଦ୍ରଗୀତେନ ସାୟଂ ପ୍ରାତଃ ସମାହିତାଃ ।
ସ୍ତୁବନ୍ତ୍ୟହଂ କାମବରାନ୍ ଦାସ୍ୟେ ପ୍ରଜ୍ଞାଂ ଚ ଶୋଭନାମ୍ ॥ ୧୦॥
ଯେଉଁମାନେ ସାୟଂ ଏବଂ ପ୍ରାତଃ ଉଭୟ କାଳରେ ରୁଦ୍ରଗୀତ ଦ୍ବାରା ମୋର
ସ୍ତୁତି କରିବେ, ସେମାନଙ୍କୁ ମୁଁ
ଅଭୀଷ୍ଟ ବର ଏବଂ ଶୁଦ୍ଧ ବୁଦ୍ଧି ପ୍ରଦାନ କରିବି |
ଯଦ୍ୟୂୟଂ ପିତୁରାଦେଶମଗ୍ରହୀଷ୍ଟ ମୁଦାନ୍ୱିତାଃ ।
ଅଥୋ ବ ଉଶତୀ କୀର୍ତିର୍ଲୋକାନନୁ ଭବିଷ୍ୟତି ॥ ୧୧॥
ତୁମ୍ଭେମାନେ ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ନିଜ ପିତାଙ୍କ ଆଜ୍ଞା
ଶିରୋଧାର୍ଯ୍ୟ କରିଛ, ଏତଦ୍ବାରା ତୁମର କମନୀୟ କୀର୍ତ୍ତି ସମସ୍ତ ଲୋକରେ ପରିବ୍ୟାପ୍ତ ହେବ |
ଭବିତା ବିଶ୍ରୁତଃ ପୁତ୍ରୋଽନବମୋ ବ୍ରହ୍ମଣୋ ଗୁଣୈଃ ।
ଯ ଏତାମାତ୍ମବୀର୍ୟେଣ ତ୍ରିଲୋକୀଂ ପୂରୟିଷ୍ୟତି ॥ ୧୨॥
ତୁମ୍ଭମାନଙ୍କର ଏକ ବହୁତ ବଡ ବିଖ୍ୟାତ ପୁତ୍ର ହେବ, ଯିଏ ନିଜ ଗୁଣରେ କୌଣସି ଦୃଷ୍ଟିରୁ ବ୍ରହ୍ମାଜୀଙ୍କଠାରୁ କମ୍ ହେବ
ନାହିଁ ତଥା ନିଜ ସନ୍ତାନମାନଙ୍କ ଦ୍ବାରା ସେ ସମ୍ପୂର୍ଣ୍ଣ ବିଶ୍ବକୁ ପୂର୍ଣ୍ଣ କରିବ |
କଣ୍ଡୋଃ ପ୍ରମ୍ଲୋଚୟା ଲବ୍ଧା କନ୍ୟା କମଲଲୋଚନା ।
ତାଂ ଚାପବିଦ୍ଧାଂ ଜଗୃହୁର୍ଭୂରୁହା ନୃପନନ୍ଦନାଃ ॥ ୧୩॥
ହେ ରାଜକୁମାର ! କଣ୍ଡୁ ଋଷିଙ୍କର ତପୋନାଶ ନିମନ୍ତେ ଇନ୍ଦ୍ରଙ୍କ
ଦ୍ବାରା ପ୍ରେରଣ କରାଯାଇ ଥିବା ପ୍ରମ୍ଲୋଚା ନାମ୍ନୀ ଅପସରା ଠାରୁ ଏକ କମଳନୟନୀ କନ୍ୟା ଉତ୍ପନ୍ନ
ହୋଇଥିଲା | ସେ ତାହାକୁ ଛାଡି ଯେତେବେଳେ ସ୍ବର୍ଗଲୋକକୁ ଚାଲିଗଲା, ସେତେବେଳେ ବୃକ୍ଷମାନେ ସେହି କନ୍ୟାର ପାଳନ-ପୋଷଣ କରିଥିଲେ |
କ୍ଷୁତ୍କ୍ଷାମାୟା ମୁଖେ ରାଜା ସୋମଃ ପୀୟୂଷବର୍ଷିଣୀମ୍ ।
ଦେଶିନୀଂ ରୋଦମାନାୟା ନିଦଧେ ସ ଦୟାନ୍ୱିତଃ ॥ ୧୪॥
ଭୋକରେ ବ୍ୟାକୁଳ ହୋଇ ସେ ଯେତେବେଳେ କାନ୍ଦିବାରେ ଲାଗିଲା, ସେତେବେଳେ
ଶସ୍ୟଜାତୀୟ ବୃକ୍ଷମାନଙ୍କର ରାଜା ଚନ୍ଦ୍ରମା ଦୟାପରବଶ ହୋଇ ନିଜ ଅମୃତବର୍ଷିଣୀ ତର୍ଜନୀ
ଅଙ୍ଗୁଳିକୁ ତାହାର ମୁଖରେ ଦେଇଥିଲେ |
ପ୍ରଜାବିସର୍ଗ ଆଦିଷ୍ଟାଃ ପିତ୍ରା ମାମନୁବର୍ତତା ।
ତତ୍ର କନ୍ୟାଂ ବରାରୋହାଂ ତାମୁଦ୍ୱହତ ମା ଚିରମ୍ ॥ ୧୫॥
ତୁମ୍ଭମାନଙ୍କର ପିତା ଆଜିକାଲି ମୋର ସେବା (ଭକ୍ତି) ରେ ରତ
ରହିଛନ୍ତି; ସେ ତୁମ୍ଭମାନଙ୍କୁ ସନ୍ତାନ ଉତ୍ପନ୍ନ କରିବାର ଯେଉଁ ଆଜ୍ଞା ପ୍ରଦାନ କରିଥିଲେ, ତାହା ପାଳନ କରିବାକୁ ଯାଇ ତୁମେ ଅତିଶୀଘ୍ର ସେହି ଦେବୋପମ ସୁନ୍ଦରୀ
କନ୍ୟକୁ ବିବାହ କର |
ଅପୃଥଗ୍ଧର୍ମଶୀଲାନାଂ ସର୍ୱେଷାଂ ବଃ ସୁମଧ୍ୟମା ।
ଅପୃଥଗ୍ଧର୍ମଶୀଲେୟଂ ଭୂୟାତ୍ପତ୍ନ୍ୟର୍ପିତାଶୟା ॥ ୧୬॥
ତୁମେ ସମସ୍ତେ ଏକ ହିଁ ଧର୍ମରେ ତତ୍ପର ଏବଂ ତୁମର ସ୍ବଭାବ ମଧ୍ୟ
ଏକାପରି ଅଟେ; ସେଥିପାଇଁ
ତୁମ୍ଭମାନଙ୍କ ସଦୃଶ ଧର୍ମ ଏବଂ ସ୍ବଭାବଧାରୀ ସେହି ସୁନ୍ଦରୀ କନ୍ୟା ତୁମ ସମସ୍ତଙ୍କର ପତ୍ନୀ ହେବ
ତଥା ତୁମ ସମସ୍ତଙ୍କର ତା’ ପ୍ରତି ସମାନ ଅନୁରାଗ
ରହିବ |
ଦିବ୍ୟବର୍ଷସହସ୍ରାଣାଂ ସହସ୍ରମହତୌଜସଃ ।
ଭୌମାନ୍ ଭୋକ୍ଷ୍ୟଥ ଭୋଗାନ୍ ବୈ ଦିବ୍ୟାଂଶ୍ଚାନୁଗ୍ରହାନ୍ମମ ॥ ୧୭॥
ମୋ କୃପାରୁ ତୁମ୍ଭେମାନେ ଦଶ ଲକ୍ଷ ଦିବ୍ୟ ବର୍ଷଯାଏଁ ପୂର୍ଣ୍ଣ ବଳବାନ
ରହି ଅନେକ ପ୍ରକାରର ପାର୍ଥିବ ଏବଂ ଦିବ୍ୟ ଫଳ ଭୋଗ କରିବ |
ଅଥ ମୟ୍ୟନପାୟିନ୍ୟା ଭକ୍ତ୍ୟା ପକ୍ୱଗୁଣାଶୟାଃ ।
ଉପୟାସ୍ୟଥ ମଦ୍ଧାମ ନିର୍ୱିଦ୍ୟ ନିରୟାଦତଃ ॥ ୧୮॥
ଅନ୍ତତଃ, ମୋର ଅବିଚଳ ଭକ୍ତି ଦ୍ବାରା ହୃଦୟର ବାସନାରୂପ ସମସ୍ତ ମଳ
ଦଗ୍ଧ ହୋଇଯାଆନ୍ତେ ତୁମେ ଇହଲୋକ ତଥା ପରଲୋକର ନରକତୁଲ୍ୟ ଭୋଗରୁ ଉପରତ ହୋଇ ମୋର ପରମଧାମକୁ
ପ୍ରାପ୍ତ କରିବ |
ଗୃହେଷ୍ୱାବିଶତାଂ ଚାପି ପୁଂସାଂ କୁଶଲକର୍ମଣାମ୍ ।
ମଦ୍ୱାର୍ତା ଯାତୟାମାନାଂ ନ ବନ୍ଧାୟ ଗୃହା ମତାଃ ॥ ୧୯॥
ଯେଉଁମାନଙ୍କର କର୍ମ ଭଗବଦର୍ପଣବୁଦ୍ଧିରେ ହୋଇଥାଏ ଏବଂ ଯେଉଁମାନଙ୍କର
ସମ୍ପୂର୍ଣ୍ଣ ସମୟ ମୋ କଥାରେ ହିଁ ବ୍ୟତୀତ ହୋଇଥାଏ,
ସେମାନେ ଗୃହସ୍ଥାଶ୍ରମରେ ରହିଥିଲେ ବି ଘର ସେମାନଙ୍କ ବନ୍ଧନର କାରଣ ହୋଇ ନ ଥାଏ |
ନ ବ୍ୟବଦ୍ଧୃଦୟେ ଯଜ୍ଜ୍ଞୋ ବ୍ରହ୍ମୈତଦ୍ବ୍ରହ୍ମବାଦିଭିଃ ।
ନ ମୁହ୍ୟନ୍ତି ନ ଶୋଚନ୍ତି ନ ହୃଷ୍ୟନ୍ତି ଯତୋ ଗତାଃ ॥ ୨୦॥
ସେମାନେ ନିତ୍ୟପ୍ରତି ମୋର ଲୀଳା ଶ୍ରବଣ କରୁଥାଆନ୍ତି; ସେଥିପାଇଁ ବ୍ରହ୍ମବାଦୀ ବକ୍ତାମାନଙ୍କର କଥନ ଅନୁଯାୟୀ ସେମାନଙ୍କ
ହୃଦୟରେ ମୁଁ ଜ୍ଞାନ-ସ୍ବରୂପ ପରବ୍ରହ୍ମ ନିତ୍ୟ-ନବୀନ ରୂପରେ ପ୍ରକଟିତ ହୋଇଥାଏ ଏବଂ ମୋତେ
ପ୍ରାପ୍ତ କରିନେବା ପରେ ଜୀବର ମୋହ ରହେନାହିଁ କି ହର୍ଷ-ଶୋକ ମଧ୍ୟ ରହେନାହିଁ |
ମୈତ୍ରେୟ ଉବାଚ
ଏବଂ ବ୍ରୁବାଣଂ ପୁରୁଷାର୍ଥଭାଜନଂ
ଜନାର୍ଦନଂ ପ୍ରାଞ୍ଜଲୟଃ ପ୍ରଚେତସଃ ।
ତଦ୍ଦର୍ଶନଧ୍ୱସ୍ତତମୋରଜୋମଲା
ଗିରାଗୃଣନ୍ ଗଦ୍ଗଦୟା ସୁହୃତ୍ତମମ୍ ॥ ୨୧॥
ମୈତ୍ରେୟ କହୁଛନ୍ତି – ଭଗବାନଙ୍କର ଦର୍ଶନ ଲାଭ କରି ପ୍ରଚେତାମାନଙ୍କର
ରଜୋଗୁଣ-ତମୋଗୁଣ ମଳ ନଷ୍ଟ ହୋଇ ଯାଇଥିଲା | ସକଳ ପୁରୁଷାର୍ଥର ଆଶ୍ରୟ ଏବଂ ସମସ୍ତଙ୍କର ପରମ
ସୁହୃଦ୍ ଶ୍ରୀହରିଙ୍କର ବଚନ ଶୁଣି ସେମାନେ ଯୋଡହସ୍ତପୂର୍ବକ ଗଦଗଦ ବାଣୀରେ କହିବାରେ ଲାଗିଲେ |
ପ୍ରଚେତସ ଊଚୁଃ
ନମୋ ନମଃ କ୍ଲେଶବିନାଶନାୟ
ନିରୂପିତୋଦାରଗୁଣାହ୍ୱୟାୟ ।
ମନୋବଚୋବେଗପୁରୋଜବାୟ
ସର୍ୱାକ୍ଷମାର୍ଗୈରଗତାଧ୍ୱନେ ନମଃ ॥ ୨୨॥
ପ୍ରଚେତାମାନେ କହିଲେ – ପ୍ରଭୁ ! ଆପଣ ଭକ୍ତମାନଙ୍କର କ୍ଲେଶ ଦୂର
କରିଥାଆନ୍ତି, ଆମେ ଆପଣଙ୍କୁ
ନମସ୍କାର କରୁଛୁ | ବେଦ ଆପଣଙ୍କ ଉଦାର ଗୁଣ ଏବଂ ନାମର ନିରୂପଣ କରିଥାଏ | ଆପଣଙ୍କର ବେଗ ମନ ଏବଂ
ବାଣୀର ବେଗଠାରୁ ମଧ୍ୟ ଅଧିକ ତଥା ଆପଣଙ୍କର ସ୍ବରୂପ ସମସ୍ତ ଇନ୍ଦ୍ରିୟମାନଙ୍କର ଗତିର ଅତୀତ ଅଟେ
| ଆମେ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛୁ |
ଶୁଦ୍ଧାୟ ଶାନ୍ତାୟ ନମଃ ସ୍ୱନିଷ୍ଠୟା
ମନସ୍ୟପାର୍ଥଂ ବିଲସଦ୍ଦ୍ୱୟାୟ ।
ନମୋ ଜଗତ୍ସ୍ଥାନଲୟୋଦୟେଷୁ
ଗୃହୀତମାୟାଗୁଣବିଗ୍ରହାୟ ॥ ୨୩॥
ଆପଣ ନିଜ ସ୍ବରୂପରେ ସ୍ଥିତ ରହିଥିବା କାରଣରୁ ନିତ୍ୟ ଶୁଦ୍ଧ ଏବଂ
ଶାନ୍ତ ଅଟନ୍ତି; ମନରୂପ ନିମିତ୍ତ କାରଣରୁ ଆମ୍ଭମାନଙ୍କୁ ଆପଣଙ୍କଠାରେ ମିଥ୍ୟା ଦ୍ବୈତର ପ୍ରତୀତି
ହୋଇଥାଏ | ବାସ୍ତବରେ ଜଗତର ଉତ୍ପତ୍ତି, ସ୍ଥିତି ଏବଂ ଲୟ
ହେତୁ ଆପଣ ମାୟା ଗୁଣ ସ୍ବୀକାର କରି ବ୍ରହ୍ମା,
ବିଷ୍ଣୁ ଏବଂ ମହାଦେବରୂପ ଧାରଣ କରନ୍ତି | ଆମେ ଆପଣଙ୍କୁ ନମସ୍କାର କରୁଛୁ |
ନମୋ ବିଶୁଦ୍ଧସତ୍ତ୍ୱାୟ ହରୟେ ହରିମେଧସେ ।
ବାସୁଦେବାୟ କୃଷ୍ଣାୟ ପ୍ରଭବେ ସର୍ୱସାତ୍ୱତାମ୍ ॥ ୨୪॥
ଆପଣ ବିଶୁଦ୍ଧ ସତ୍ତ୍ବସ୍ବରୂପ ଅଟନ୍ତି; ଆପଣଙ୍କର ଜ୍ଞାନ ସଂସାରବନ୍ଧନକୁ ଦୂର କରିଦିଏ | ଆପଣ ହିଁ ସମସ୍ତ
ଭାଗବତଙ୍କର ପ୍ରଭୁ ବସୁଦେବନନ୍ଦନ ଭଗବାନ ଶ୍ରୀକୃଷ୍ଣ ଅଟନ୍ତି | ଆପଣଙ୍କୁ ନମସ୍କାର |
ନମଃ କମଲନାଭାୟ ନମଃ କମଲମାଲିନେ ।
ନମଃ କମଲପାଦାୟ ନମସ୍ତେ କମଲେକ୍ଷଣ ॥ ୨୫॥
ଆପଣଙ୍କ ନାଭିରୁ ହିଁ ବ୍ରହ୍ମାଣ୍ଡରୂପ କମଳ ପ୍ରକଟ ହୋଇଥିଲା |
ଆପଣଙ୍କର କଣ୍ଠ କମଳକୁସୁମର ମାଳାରେ ସୁଶୋଭିତ ତଥା ଆପଣଙ୍କର ଚରଣ କମଳ ସଦୃଶ କୋମଳ ଅଟେ | ହେ
କମଳନୟନ ! ଆପଣଙ୍କୁ ନମସ୍କାର |
ନମଃ କମଲକିଞ୍ଜଲ୍କପିଶଙ୍ଗାମଲବାସସେ ।
ସର୍ୱଭୂତନିବାସାୟ ନମୋଽୟୁଙ୍କ୍ଷ୍ମହି ସାକ୍ଷିଣେ ॥ ୨୬॥
ଆପଣ କମଳକୁସୁମର କେସର ପରି ସ୍ବଚ୍ଛ ପୀତାମ୍ବର ଧାରଣ କରିଛନ୍ତି; ଆପଣ
ସମସ୍ତ ଭୂତର ଆଶ୍ରୟସ୍ଥାନ ତଥା ସମସ୍ତଙ୍କର ସାକ୍ଷୀ ଅଟନ୍ତି;
ଆମେ ଆପଣଙ୍କୁ ନମସ୍କାର କରୁଛୁ |
ରୂପଂ ଭଗବତା ତ୍ୱେତଦଶେଷକ୍ଲେଶସଙ୍କ୍ଷୟମ୍ ।
ଆବିଷ୍କୃତଂ ନଃ କ୍ଲିଷ୍ଟାନାଂ କିମନ୍ୟଦନୁକମ୍ପିତମ୍ ॥ ୨୭॥
ଭଗବନ୍ ! ଆପଣଙ୍କର ଏହି ସ୍ବରୂପ ସମସ୍ତ କ୍ଲେଶର ନିବୃତ୍ତି କରାଇ ଥାଏ
| ଆମ୍ଭମାନଙ୍କ ପରି ଅବିଦ୍ୟା, ଅସ୍ମିତା, ରାଗ-ଦ୍ବେଷାଦି କ୍ଲେଶ-ପୀଡିତମାନଙ୍କ ସମ୍ମୁଖରେ ଆପଣ ନିଜର ସେହି
ସ୍ଵରୂପକୁ ପ୍ରକଟ କରିଛନ୍ତି | ଏହାଠାରୁ ବଳି ଆମ ଉପରେ ଆଉ ଅଧିକ କୃପା କ’ଣ ଅବା ହୋଇପାରେ ?
ଏତାବତ୍ତ୍ୱଂ ହି ବିଭୁଭିର୍ଭାବ୍ୟଂ ଦୀନେଷୁ ବତ୍ସଲୈଃ ।
ଯଦନୁସ୍ମର୍ୟତେ କାଲେ ସ୍ୱବୁଦ୍ଧ୍ୟାଭଦ୍ରରନ୍ଧନ ॥ ୨୮॥
ଅମଙ୍ଗଳହାରୀ ପ୍ରଭୁ ! ଦୀନଜନଙ୍କ ପ୍ରତି ଦୟା କରୁଥିବା ସମର୍ଥ ପୁରୁଷ
ସେମାନଙ୍କ ପ୍ରତି ଏତିକି ହିଁ କୃପା କରିବା ଆବଶ୍ୟକ ଯେ ସମୟ-ସମୟରେ ସେମାନେ ‘ଇଏ ଆମର ଅଟନ୍ତି’ ଏହାର ସ୍ମରଣ କରିବେ |
ଯେନୋପଶାନ୍ତିର୍ଭୂତାନାଂ କ୍ଷୁଲ୍ଲକାନାମପୀହ ତାମ୍ ।
ଅନ୍ତର୍ହିତୋଽନ୍ତର୍ହୃଦୟେ କସ୍ମାନ୍ନୋ ବେଦ ନାଶିଷଃ ॥ ୨୯॥
ଏହାଦ୍ବାରା ଅନେକ ଆଶ୍ରିତଙ୍କର ଚିତ୍ତ ଶାନ୍ତ ହୋଇଯାଏ | ଆପଣ ତ
କ୍ଷୁଦ୍ରଠାରୁ କ୍ଷୁଦ୍ର ପ୍ରାଣୀଙ୍କର ଅନ୍ତଃକରଣରେ ମଧ୍ୟ ଅନ୍ତର୍ଯ୍ୟାମୀ ରୂପରେ ବିରାଜମାନ
କରିଥାଆନ୍ତି | ତେଣୁ ଆପଣଙ୍କର ଉପାସକ ଆମ୍ଭମାନଙ୍କର କାମନାକୁ ଆପଣ ଜାଣି ନ ପାରିବେ କିପରି |
ଅସାବେବ ବରୋଽସ୍ମାକମୀପ୍ସିତୋ ଜଗତଃ ପତେ ।
ପ୍ରସନ୍ନୋ ଭଗବାନ୍ ଯେଷାମପବର୍ଗଗୁରୁର୍ଗତିଃ ॥ ୩୦॥
ଜଗଦୀଶ୍ବର ! ଆପଣ ମୋକ୍ଷର ମାର୍ଗଦର୍ଶକ ଏବଂ ସ୍ବୟଂ
ପୁରୁଷାର୍ଥସ୍ବରୂପ ଅଟନ୍ତି | ଆପଣ ଆମ୍ଭମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି, ଏହାଠାରୁ ଅଧିକ ଆମର ଆଉ କ’ଣ
ଲୋଡା ! ବାସ୍, ଆମର ଅଭୀଷ୍ଟ ବର ତ
ଆପଣଙ୍କର ପ୍ରସନ୍ନତା ହିଁ ଅଟେ |
ବରଂ ବୃଣୀମହେଽଥାପି ନାଥ ତ୍ୱତ୍ପରତଃ ପରାତ୍ ।
ନ ହ୍ୟନ୍ତସ୍ତ୍ୱଦ୍ୱିଭୂତୀନାଂ ସୋଽନନ୍ତ ଇତି ଗୀୟସେ ॥ ୩୧॥
ତଥାପି ନାଥ ! ଆମେ ଗୋଟିଏ ବର ଆପଣଙ୍କଠାରୁ ମାଗିବା ପାଇଁ ନିଶ୍ଚୟ
କରିଛୁ | ପ୍ରଭୁ ! ଆପଣ ପ୍ରକୃତି ଆଦିର ଅତୀତ ଅଟନ୍ତି ଏବଂ ଆପଣଙ୍କର ବିଭୂତିମାନଙ୍କର ମଧ୍ୟ
କୌଣସି ଅନ୍ତ ନାହିଁ; ସେଥିପାଇଁ ଆପଣଙ୍କୁ
‘ଅନନ୍ତ’ କୁହାଯାଏ |
ପାରିଜାତେଽଞ୍ଜସା ଲବ୍ଧେ ସାରଙ୍ଗୋଽନ୍ୟନ୍ନ ସେବତେ ।
ତ୍ୱଦଙ୍ଘ୍ରିମୂଲମାସାଦ୍ୟ ସାକ୍ଷାତ୍କିଂ କିଂ ବୃଣୀମହି ॥ ୩୨॥
ଭ୍ରମରକୁ ଅନାୟାସରେ ଯଦି କଳ୍ପବୃକ୍ଷ ମିଳିଯିବ, ତେବେ ସେ ଅନ୍ୟ କୌଣସି ବୃକ୍ଷର ସେବନ କରିବ କାହିଁକି ? ସେହିପରି
ଆପଣଙ୍କ ଚରଣର ଶରଣ ପ୍ରାପ୍ତ ହୋଇଯିବା ପରେ, ଆମେ ଆଉ କ’ଣ ମାଗିବୁ ?
ଯାବତ୍ତେ ମାୟଯା ସ୍ପୃଷ୍ଟା ଭ୍ରମାମ ଇହ କର୍ମଭିଃ ।
ତାବଦ୍ଭବତ୍ପ୍ରସଙ୍ଗାନାଂ ସଙ୍ଗଃ ସ୍ୟାନ୍ନୋ ଭବେ ଭବେ ॥ ୩୩॥
ଆମେ ଆପଣଙ୍କଠାରୁ କେବଳ ଏତିକି ମାଗୁଛୁ ଯେ ଆପଣଙ୍କ ମାୟାରେ ମୋହିତ
ହୋଇ ଯେତେଦିନ ନିଜ କର୍ମାନୁସାରେ ଆମେ ସଂସାରରେ ଭ୍ରମଣ କରୁଥିବୁ, ଜନ୍ମ-ଜନ୍ମରେ ଆମକୁ ଆପଣଙ୍କ ପ୍ରେମୀ-ଭକ୍ତମାନଙ୍କର ସଙ୍ଗତି
ପ୍ରାପ୍ତ ହେଉ ଥାଉ |
ତୁଲୟାମ ଲବେନାପି ନ ସ୍ୱର୍ଗଂ ନାପୁନର୍ଭବମ୍ ।
ଭଗବତ୍ସଙ୍ଗିସଙ୍ଗସ୍ୟ ମର୍ତ୍ୟାନାଂ କିମୁତାଶିଷଃ ॥ ୩୪॥
ଭଗବଦ୍-ଭକ୍ତଙ୍କର କ୍ଷଣମାତ୍ର ସଙ୍ଗ ତୁଳନାରେ ଆମେ ସ୍ବର୍ଗ ଏବଂ
ମୋକ୍ଷକୁ ମଧ୍ୟ ତୁଚ୍ଛ ମନେ କରିଥାଉ; ସେପରି କ୍ଷେତ୍ରରେ
ମାନବୀୟ ଭୋଗକୁ ଅବା କିଏ ପଚାରେ ?
ଯତ୍ରେଡ୍ୟନ୍ତେ କଥା ମୃଷ୍ଟାସ୍ତୃଷ୍ଣାୟାଃ ପ୍ରଶମୋ ଯତଃ ।
ନିର୍ୱୈରଂ ଯତ୍ର ଭୂତେଷୁ ନୋଦ୍ୱେଗୋ ଯତ୍ର କଶ୍ଚନ ॥ ୩୫॥
ଭଗବଦ୍-ଭକ୍ତଙ୍କ ସମାଜରେ ସଦା-ସର୍ବଦା ଭଗବାନଙ୍କର ମଧୁର-ମଧୁର କଥା
ଶୁଣିବାକୁ ମିଳିଥାଏ, ଯାହାର ଶ୍ରବଣମାତ୍ରେ ଭୋଗତୃଷ୍ଣା ଶାନ୍ତ ହୋଇଯାଏ | ସେଠାରେ
ପ୍ରାଣୀମାନଙ୍କ ମଧ୍ୟରେ କୌଣସି ପ୍ରକାରର ବୈର-ବିରୋଧ ବା ଉଦବେଗ ନ ଥାଏ |
ଯତ୍ର ନାରାୟଣଃ ସାକ୍ଷାଦ୍ଭଗବାନ୍ ନ୍ୟାସିନାଂ ଗତିଃ ।
ସଂସ୍ତୂୟତେ ସତ୍କଥାସୁ ମୁକ୍ତସଙ୍ଗୈଃ ପୁନଃ ପୁନଃ ॥ ୩୬॥
ଅତି ଉତ୍ତମ କଥା-ପ୍ରସଙ୍ଗ ଦ୍ବାରା ନିଷ୍କାମଭାବରେ ସନ୍ୟାସୀମାନଙ୍କର
ଏକମାତ୍ର ଆଶ୍ରୟ ସାକ୍ଷାତ୍ ଶ୍ରୀନାରାୟଣଦେବଙ୍କର ବାରମ୍ବାର ଗୁଣଗାନ ହେବାରେ ଲାଗିଥାଏ |
ତେଷାଂ ବିଚରତାଂ ପଦ୍ଭ୍ୟାଂ ତୀର୍ଥାନାଂ ପାବନେଚ୍ଛୟା ।
ଭୀତସ୍ୟ କିଂ ନ ରୋଚେତ ତାବକାନାଂ ସମାଗମଃ ॥ ୩୭॥
ଆପଣଙ୍କର ସେହି ଭକ୍ତମାନେ ତୀର୍ଥକୁ ପବିତ୍ର କରିବା ଉଦ୍ଦେଶ୍ୟରେ
ପାଦରେ ହିଁ ପୃଥିବୀରେ ବିଚରଣ କରୁଥାଆନ୍ତି | ସେମାନଙ୍କର ସମାଗମ ଭଲା ସଂସାର ଭୟରେ ତ୍ରସ୍ତ
ପୁରୁଷ ପାଇଁ ରୁଚିକର କିପରି ନ ହେବ ?
ବୟଂ ତୁ ସାକ୍ଷାଦ୍ଭଗବନ୍ ଭବସ୍ୟ
ପ୍ରିୟସ୍ୟ ସଖ୍ୟୁଃ କ୍ଷଣସଙ୍ଗମେନ ।
ସୁଦୁଶ୍ଚିକିତ୍ସ୍ୟସ୍ୟ ଭବସ୍ୟ ମୃତ୍ୟୋ-
ର୍ଭିଷକ୍ତମଂ ତ୍ୱାଦ୍ୟ ଗତିଂ ଗତାଃ ସ୍ମ ॥ ୩୮॥
ଭଗବନ୍ ! ଆପଣଙ୍କର ପ୍ରିୟ ସଖା ଭଗବାନ ଶଂକରଙ୍କର କ୍ଷଣମାତ୍ର ସମାଗମର
ପରିଣାମ ସ୍ବରୂପ ହିଁ ଆଜି ଆମ୍ଭମାନଙ୍କୁ ଆପଣଙ୍କର ସାକ୍ଷାତ୍ ଦର୍ଶନ ପ୍ରାପ୍ତ ହୋଇଛି | ଆପଣ
ଜନ୍ମ-ମରଣରୂପ ଦୁସାଧ୍ୟ ରୋଗର ଶ୍ରେଷ୍ଠ ବୈଦ୍ୟ ଅଟନ୍ତି, ତେଣୁ ଆମେ ଆପଣଙ୍କର ହିଁ ଆଶ୍ରୟ ଗ୍ରହଣ
କରିଛୁ |
ଯନ୍ନଃ ସ୍ୱଧୀତଂ ଗୁରବଃ ପ୍ରସାଦିତା
ବିପ୍ରାଶ୍ଚ ବୃଦ୍ଧାଶ୍ଚ ସଦାନୁବୃତ୍ତ୍ୟା ।
ଆର୍ୟା ନତାଃ ସୁହୃଦୋ ଭ୍ରାତରଶ୍ଚ
ସର୍ୱାଣି ଭୂତାନ୍ୟନସୂୟଯୈବ ॥ ୩୯॥
ଯନ୍ନଃ ସୁତପ୍ତଂ ତପ ଏତଦୀଶ
ନିରନ୍ଧସାଂ କାଲମଦଭ୍ରମପ୍ସୁ ।
ସର୍ୱଂ ତଦେତତ୍ପୁରୁଷସ୍ୟ ଭୂମ୍ନୋ
ବୃଣୀମହେ ତେ ପରିତୋଷଣାୟ ॥ ୪୦॥
ପ୍ରଭୁ ! ଆମ୍ଭେମାନେ ସମାହିତ ଚିତ୍ତରେ ଯାହାକିଛି ଅଧ୍ୟୟନ କରିଛୁ, ନିରନ୍ତର ସେବା-ଶୁଶ୍ରୂଷା ଦ୍ବାରା ଗୁରୁ, ବ୍ରାହ୍ମଣ ଏବଂ ବୃଦ୍ଧଜନଙ୍କୁ ପ୍ରସନ୍ନ କରିଛୁ ତଥା ଦୋଷବୁଦ୍ଧି
ତ୍ୟାଗ କରି ଶ୍ରେଷ୍ଠ ପୁରୁଷ, ସୁହୃଦଗଣ, ବନ୍ଧୁବର୍ଗ ଏବଂ ସମସ୍ତ ପ୍ରାଣୀଙ୍କର ବନ୍ଦନା କରିଛୁ ଏବଂ ଅନ୍ନାଦି
ତ୍ୟାଗ କରି ଦୀର୍ଘକାଳ ଜଳ ମଧ୍ୟରେ ଦଣ୍ଡାୟମାନ ରହି ଆମେ ତପସ୍ୟା କରିଛୁ, ତାହା ସବୁ ସର୍ବବ୍ୟାପକ ପୁରୁଷୋତ୍ତମ ଭଗବାନ ଆପଣଙ୍କର ସନ୍ତୋଷ ହେତୁ
ହେଉ – ଆମେ ଏହି ବର ମାଗୁଛୁ |
ମନୁଃ ସ୍ୱୟମ୍ଭୂର୍ଭଗବାନ୍ ଭବଶ୍ଚ
ଯେଽନ୍ୟେ ତପୋଜ୍ଞାନବିଶୁଦ୍ଧସତ୍ତ୍ୱାଃ ।
ଅଦୃଷ୍ଟପାରା ଅପି ଯନ୍ମହିମ୍ନଃ
ସ୍ତୁବନ୍ତ୍ୟଥୋ ତ୍ୱାତ୍ମସମଂ ଗୃଣୀମଃ ॥ ୪୧॥
ସ୍ବାମିନ୍ ! ଆପଣଙ୍କ ମହିମାର ଅନ୍ତ ପାଉ ନ ଥିଲେ ମଧ୍ୟ ସ୍ବାୟମ୍ଭୂବ
ମନୁ, ସ୍ବୟଂ ବ୍ରହ୍ମାଜୀ, ଭଗବାନ ଶଂକର ତଥା ତପ ଏବଂ ଜ୍ଞାନ ଦ୍ବାରା ଶୁଦ୍ଧଚିତ୍ତ ଅନ୍ୟ ପୁରୁଷ
ନିରନ୍ତର ଆପଣଙ୍କର ସ୍ତୁତି କରୁଥାଆନ୍ତି | ତେଣୁ ଆମ୍ଭେମାନେ ମଧ୍ୟ ନିଜ ବୁଦ୍ଧି ଅନୁସାରେ
ଆପଣଙ୍କର ଯଶୋଗାନ କରୁଛୁ |
ନମଃ ସମାୟ ଶୁଦ୍ଧାୟ ପୁରୁଷାୟ ପରାୟ ଚ ।
ବାସୁଦେବାୟ ସତ୍ତ୍ୱାୟ ତୁଭ୍ୟଂ ଭଗବତେ ନମଃ ॥ ୪୨॥
ଆପଣ ସର୍ବତ୍ର ସମାନ ଶୁଦ୍ଧ ସ୍ବରୂପ ଏବଂ ପରମ ପୁରୁଷ ଅଟନ୍ତି |
ସତ୍ତ୍ବମୂର୍ତ୍ତି ଭଗବାନ ବାସୁଦେବ ଆପଣଙ୍କୁ ଆମେ ନମସ୍କାର କରୁଛୁ |
ମୈତ୍ରେୟ ଉବାଚ
ଇତି ପ୍ରଚେତୋଭିରଭିଷ୍ଟୁତୋ ହରିଃ
ପ୍ରୀତସ୍ତଥେତ୍ୟାହ ଶରଣ୍ୟବତ୍ସଲଃ ।
ଅନିଚ୍ଛତାଂ ଯାନମତୃପ୍ତଚକ୍ଷୁଷାଂ
ଯୟୌ ସ୍ୱଧାମାନପବର୍ଗବୀର୍ୟଃ ॥ ୪୩॥
ହେ ବିଦୁର ! ପ୍ରଚେତାମାନେ ଏହିପରି ସ୍ତୁତି କରିବାରୁ ଶରଣାଗତବତ୍ସଳ
ଶ୍ରୀଭଗବାନ ପ୍ରସନ୍ନ ହୋଇ କହିଲେ – ‘ତଥାସ୍ତୁ’
| ଅପ୍ରତିହତପ୍ରଭାବ ଶ୍ରୀହରିଙ୍କର ମଧୁର ମୂର୍ତ୍ତି ଦର୍ଶନ କରି ଏବେ ପ୍ରଚେତାମାନଙ୍କର ନେତ୍ର
ତୃପ୍ତ ହୋଇ ନ ଥିଲା, ସେଥିପାଇଁ ସେମାନେ
ତାଙ୍କୁ ଯିବାକୁ ଦେବାକୁ ଇଚ୍ଛା କରୁ ନ ଥିଲେ;
ତଥାପି ସେ ନିଜ ପରମଧାମକୁ ଚାଲିଗଲେ |
ଅଥ ନିର୍ୟାୟ ସଲିଲାତ୍ପ୍ରଚେତସ ଉଦନ୍ୱତଃ ।
ବୀକ୍ଷ୍ୟାକୁପ୍ୟନ୍ ଦ୍ରୁମୈଶ୍ଛନ୍ନାଂ ଗାଂ ଗାଂ
ରୋଦ୍ଧୁମିବୋଚ୍ଛ୍ରିତୈଃ ॥ ୪୪॥
ଏହା ପରେ ସମୁଦ୍ରଜଳରୁ ବାହାରକୁ ଆସି ପ୍ରଚେତାମାନେ ଦେଖିଲେ ଯେ
ସମ୍ପୂର୍ଣ୍ଣ ପୃଥିବୀ ଉଚ୍ଚ-ଉଚ୍ଚ ବୃକ୍ଷରେ ଆବୃତ ହୋଇଯାଇଛି,
ସତେ ଯେପରି ସ୍ବର୍ଗର ମାର୍ଗ ଅବରୁଦ୍ଧ କରିବା ଉଦ୍ଦେଶ୍ୟରେ ସେମାନେ ଏତେ ବଢି ଯାଇଛନ୍ତି | ଏହା
ଦେଖି ସେମାନେ ବୃକ୍ଷମାନଙ୍କ ଉପରେ ଅତ୍ୟନ୍ତ କୁପିତ ହେଲେ |
ତତୋଽଗ୍ନିମାରୁତୌ ରାଜନ୍ନମୁଞ୍ଚନ୍ ମୁଖତୋ ରୁଷା ।
ମହୀଂ ନିର୍ୱୀରୁଧଂ କର୍ତୁଂ ସମ୍ବର୍ତକ ଇବାତ୍ୟଯେ ॥ ୪୫॥
ପୃଥିବୀକୁ ବୃକ୍ଷ-ଲତା ଆଦିରୁ ରହିତ କରିବା ନିମନ୍ତେ ସେମାନେ
ପ୍ରଳୟକାଳରେ କାଳାଗ୍ନିରୁଦ୍ର ପରି ନିଜ ମୁଖରୁ ପ୍ରଚଣ୍ଡ ବାୟୁ ଏବଂ ଅଗ୍ନି ନିର୍ଗତ କଲେ |
ଭସ୍ମସାତ୍କ୍ରିୟମାଣାଂସ୍ତାନ୍ ଦ୍ରୁମାନ୍ ବୀକ୍ଷ୍ୟ ପିତାମହଃ ।
ଆଗତଃ ଶମୟାମାସ ପୁତ୍ରାନ୍ ବର୍ହିଷ୍ମତୋ ନୟୈଃ ॥ ୪୬॥
ସେମାନେ ସମସ୍ତ ବୃକ୍ଷରାଜି ଭସ୍ମ କରିବାକୁ ଚେଷ୍ଟା କରୁଥିବା ଦେଖି
ବ୍ରହ୍ମାଜୀ ସେଠାକୁ ଆସିଲେ ଏବଂ
ପ୍ରାଚୀନବର୍ହିଙ୍କର ସେହି ପୁତ୍ରମାନଙ୍କୁ ଯୁକ୍ତିପୂର୍ବକ ବୁଝାଇ ଶାନ୍ତ କଲେ |
ତତ୍ରାବଶିଷ୍ଟା ଯେ ବୃକ୍ଷା ଭୀତା ଦୁହିତରଂ ତଦା ।
ଉଜ୍ଜହ୍ରୁସ୍ତେ ପ୍ରଚେତୋଭ୍ୟ ଉପଦିଷ୍ଟାଃ ସ୍ୱୟମ୍ଭୁବା ॥ ୪୭॥
ତାପରେ ଯେତିକି ବୃକ୍ଷ ପ୍ରଚେତାମାନଙ୍କ କୋପରୁ ରକ୍ଷା ପାଇ ଯାଇଥିଲେ, ବ୍ରହ୍ମାଜୀଙ୍କର ଆଦେଶ ଅନୁଯାୟୀ ସେମାନେ ଭୟରେ ତାଙ୍କର ପାଳିତା
କନ୍ୟାକୁ ପ୍ରଚେତାମାନଙ୍କୁ ଅର୍ପଣ କଲେ |
ତେ ଚ ବ୍ରହ୍ମଣ ଆଦେଶାନ୍ମାରିଷାମୁପୟେମିରେ ।
ଯସ୍ୟାଂ ମହଦବଜ୍ଞାନାଦଜନ୍ୟଜନୟୋନିଜଃ ॥ ୪୮॥
ବ୍ରହ୍ମାଜୀଙ୍କ ଆଦେଶରେ ପ୍ରଚେତାମାନେ ମାରିଷା ନାମ୍ନୀ ସେହି କନ୍ୟା
ସହିତ ବିବାହ କଲେ | ତାଙ୍କ ଗର୍ଭରୁ ମହାଦେବଙ୍କ ପ୍ରତି ଅବଜ୍ଞା କରିଥିବାରୁ ବ୍ରହ୍ମାଙ୍କର
ପୁତ୍ର ଦକ୍ଷ ନିଜ ପୂର୍ବ ଶରୀର ତ୍ୟାଗ କରି ଜନ୍ମ ଗ୍ରହଣ କରିଥିଲେ |
ଚାକ୍ଷୁଷେ ତ୍ୱନ୍ତରେ ପ୍ରାପ୍ତେ ପ୍ରାକ୍ସର୍ଗେ କାଲବିଦ୍ରୁତେ ।
ଯଃ ସସର୍ଜ ପ୍ରଜା ଇଷ୍ଟାଃ ସ ଦକ୍ଷୋ ଦୈବଚୋଦିତଃ ॥ ୪୯॥
ଚାକ୍ଷୁଷ ମନ୍ବନ୍ତର ଆଗତ ହୁଅନ୍ତେ କାଳାନ୍ତରରେ ଯେତେବେଳେ
ପୂର୍ବସର୍ଗ ନଷ୍ଟ ହୋଇଗଲା, ସେତେବେଳେ ଭଗବାନଙ୍କ
ପ୍ରେରଣାରେ ସେହି ଦକ୍ଷ ନବୀନ ପ୍ରଜା ଉତ୍ପନ୍ନ କଲେ |
ଯୋ ଜାୟମାନଃ ସର୍ୱେଷାଂ ତେଜସ୍ତେଜସ୍ୱିନାଂ ରୁଚା ।
ସ୍ୱୟୋପାଦତ୍ତ ଦାକ୍ଷ୍ୟାଚ୍ଚ କର୍ମଣାଂ ଦକ୍ଷମବ୍ରୁବନ୍ ॥ ୫୦॥
ଜନ୍ମ ଗ୍ରହଣ କରିବା ମାତ୍ରେ ସେ ନିଜ କାନ୍ତିରେ ସମସ୍ତ ତେଜସ୍ବୀଙ୍କର
ତେଜ ହରଣ କରିନେଲେ | କର୍ମ କରିବାରେ ସେ ଅତ୍ୟନ୍ତ କୁଶଳ (ଦକ୍ଷ) ଥିଲେ; ସେଥିପାଇଁ ତାଙ୍କର ନାମ ‘ଦକ୍ଷ’
ରହିଲା |
ତଂ ପ୍ରଜାସର୍ଗରକ୍ଷାୟାମନାଦିରଭିଷିଚ୍ୟ ଚ ।
ଯୁୟୋଜ ଯୁୟୁଜେଽନ୍ୟାଂଶ୍ଚ ସ ବୈ ସର୍ୱପ୍ରଜାପତୀନ୍ ॥ ୫୧॥
ବ୍ରହ୍ମାଜୀ ତାଙ୍କୁ ପ୍ରଜାପତିମାନଙ୍କର ନାୟକ ପଦରେ ଅଭିଷିକ୍ତ କରି
ସୃଷ୍ଟି ରକ୍ଷା କାର୍ଯ୍ୟରେ ନିଯୁକ୍ତ କଲେ ଏବଂ ସେ ମରୀଚି ଆଦି ଅନ୍ୟ ପ୍ରଜାପତିଙ୍କୁ ନିଜ-ନିଜ
କାର୍ଯ୍ୟରେ ନିଯୁକ୍ତ କଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ତ୍ରିଂଶୋଽଧ୍ୟାୟଃ ॥ ୩୦॥

Comments
Post a Comment