ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ ॥

ଏକତ୍ରିଂଶ ଅଧ୍ୟାୟ

ପ୍ରଚେତାଙ୍କୁ ନାରଦ ମୁନିଙ୍କର ଉପଦେଶ ଏବଂ ସେମାନଙ୍କର ପରମପଦ ଲାଭ

 

ମୈତ୍ରେୟ ଉବାଚ

ତତ ଉତ୍ପନ୍ନବିଜ୍ଞାନା ଆଶ୍ୱଧୋକ୍ଷଜଭାଷିତମ୍ ।

ସ୍ମରନ୍ତ ଆତ୍ମଜେ ଭାର୍ୟାଂ ବିସୃଜ୍ୟ ପ୍ରାବ୍ରଜନ୍ ଗୃହାତ୍ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଦଶ ଲକ୍ଷ ବର୍ଷ ବିତିଯିବା ପରେ ଯେତେବେଳେ ପ୍ରଚେତାମାନଙ୍କର ବିବେକ ଜାଗ୍ରତ ହେଲା, ସେତେବେଳେ ସେମାନେ ଭଗବାନଙ୍କର ବାକ୍ୟ ସ୍ମରଣ କରି ନିଜ ପତ୍ନୀ ମାରିଷାଙ୍କୁ ପୁତ୍ର ପାଖରେ ଛାଡି ଅତିଶୀଘ୍ର ଗୃହ ତ୍ୟାଗ କରି ଚାଲିଗଲେ |

ଦୀକ୍ଷିତା ବ୍ରହ୍ମସତ୍ରେଣ ସର୍ୱଭୂତାତ୍ମମେଧସା ।

ପ୍ରତୀଚ୍ୟାଂ ଦିଶି ବେଲାୟାଂ ସିଦ୍ଧୋଽଭୂଦ୍ୟତ୍ର ଜାଜଲିଃ ॥ ୨॥

ସେମାନେ ପଶ୍ଚିମ ଦିଶା ସମୁଦ୍ରତଟରେ, ଯେଉଁଠାରେ ଜାଜଳି ମୁନି ସିଦ୍ଧି ପ୍ରାପ୍ତ କରିଥିଲେ, ସେଠାରେ ପହଞ୍ଚି ଯାହା ଦ୍ବାରା ‘ସମସ୍ତ ଭୂତରେ ଏକ ହିଁ ଆତ୍ମତତ୍ତ୍ବ ବିରାଜମାନ ଏହି ଜ୍ଞାନ ହୋଇଥାଏ, ସେହି ଆତ୍ମବିଚାରରୂପ ବ୍ରହ୍ମସତ୍ରର ସଂକଳ୍ପ କରି ବସିଗଲେ |

ତାନ୍ନିର୍ଜିତପ୍ରାଣମନୋବଚୋଦୃଶୋ

ଜିତାସନାନ୍ ଶାନ୍ତସମାନବିଗ୍ରହାନ୍ ।

ପରେଽମଲେ ବ୍ରହ୍ମଣି ଯୋଜିତାତ୍ମନଃ

ସୁରାସୁରେଡ୍ୟୋ ଦଦୃଶେ ସ୍ମ ନାରଦଃ ॥ ୩॥

ସେମାନେ ପ୍ରାଣ, ମନ, ବାଣୀ ଏବଂ ଦୃଷ୍ଟିକୁ ବଶୀଭୂତ କଲେ ତଥା ଶରୀରକୁ ନିଶ୍ଚେଷ୍ଟ, ସ୍ଥିର ଏବଂ ସିଧା ରଖି ଆସନକୁ ଜିତି ଚିତ୍ତକୁ ବିଶୁଦ୍ଧ ପରବ୍ରହ୍ମଙ୍କଠାରେ ଲୀନ କରିଦେଲେ | ଏପରି ସ୍ଥିତିରେ ସେମାନଙ୍କୁ ଉଭୟ ଦେବତା ଏବଂ ଅସୁରମାନଙ୍କର ବନ୍ଦନୀୟ ଦେବର୍ଷି ନାରଦ ଦେଖିଲେ |

ତମାଗତଂ ତ ଉତ୍ଥାୟ ପ୍ରଣିପତ୍ୟାଭିନନ୍ଦ୍ୟ ଚ ।

ପୂଜୟିତ୍ୱା ଯଥାଦେଶଂ ସୁଖାସୀନମଥାବ୍ରୁବନ୍ ॥ ୪॥

ନାରଦ ମୁନି ଆସୁଥିବା ଦେଖି ପ୍ରଚେତାଗଣ ଉଠି ଠିଆ ହୋଇଗଲେ ଏବଂ ପ୍ରଣାମ କରି ଆଦର-ସତ୍କାରପୂର୍ବକ ଦେଶ-କାଳ ଅନୁସାରେ ତାଙ୍କର ବିଧିବତ୍ ପୂଜା କଲେ | ଦେବର୍ଷି ନାରଦ ସୁଖପୂର୍ବକ ଉପବେଶନ କରିବା ପରେ ସେମାନେ କହିବାରେ ଲାଗିଲେ |

ପ୍ରଚେତସ ଊଚୁଃ

ସ୍ୱାଗତଂ ତେ ସୁରର୍ଷେଽଦ୍ୟ ଦିଷ୍ଟ୍ୟା ନୋ ଦର୍ଶନଂ ଗତଃ ।

ତବ ଚଙ୍କ୍ରମଣଂ ବ୍ରହ୍ମନ୍ନଭୟାୟ ଯଥା ରବେଃ ॥ ୫॥

ପ୍ରଚେତାମାନେ କହିଲେ – ହେ ଦେବର୍ଷି ! ଆପଣଙ୍କୁ ଆମେ ସ୍ବାଗତ କରୁଛୁ | ଆଜି ବହୁତ ବଡ ଭାଗ୍ୟରୁ ଆମ୍ଭମାନଙ୍କୁ ଆପଣଙ୍କର ଦର୍ଶନ ପ୍ରାପ୍ତ ହେଲା | ବ୍ରହ୍ମନ୍ ! ସୂର୍ଯ୍ୟଙ୍କ ପରି ଆପଣଙ୍କର ଭ୍ରମଣ ମଧ୍ୟ ଜ୍ଞାନାଲୋକରେ ସମସ୍ତ ଜୀବଙ୍କୁ ଅଭୟ ଦାନ କରିବା ଉଦ୍ଦେଶ୍ୟରେ ହିଁ ହୋଇଥାଏ |

ଯଦାଦିଷ୍ଟଂ ଭଗବତା ଶିବେନାଧୋକ୍ଷଜେନ ଚ ।

ତଦ୍ଗୃହେଷୁ ପ୍ରସକ୍ତାନାଂ ପ୍ରାୟଶଃ କ୍ଷପିତଂ ପ୍ରଭୋ ॥ ୬॥

ପ୍ରଭୁ ! ଭଗବାନ ଶଂକର ଏବଂ ଶ୍ରୀବିଷ୍ଣୁଭଗବାନ ଆମ୍ଭମାନଙ୍କୁ ଯେଉଁ ଉପଦେଶ ପ୍ରଦାନ କରିଥିଲେ, ଗୃହସ୍ଥରେ ଆସକ୍ତ ରହି ଆମେ ତାହା ପ୍ରାୟ ଭୁଲିଯାଇଛୁ |

ତନ୍ନଃ ପ୍ରଦ୍ୟୋତୟାଧ୍ୟାତ୍ମଜ୍ଞାନଂ ତତ୍ତ୍ୱାର୍ଥଦର୍ଶନମ୍ ।

ଯେନାଞ୍ଜସା ତରିଷ୍ୟାମୋ ଦୁସ୍ତରଂ ଭବସାଗରମ୍ ॥ ୭॥

ତେଣୁ ଆପଣ ଆମ୍ଭମାନଙ୍କର ହୃଦୟରେ ପରମାର୍ଥତତ୍ତ୍ବର ସାକ୍ଷାତକାର କରାଉଥିବା ସେହି ଅଧ୍ୟାତ୍ମଜ୍ଞାନକୁ ପୁନଃ ପ୍ରକାଶିତ କରିଦିଅନ୍ତୁ, ଯଦ୍ବାରା ଆମେ ସୁଗମତାରେ ଏହି ସଂସାର-ସାଗରକୁ ପାର କରିଯିବୁ |

ମୈତ୍ରେୟ ଉବାଚ

ଇତି ପ୍ରଚେତସାଂ ପୃଷ୍ଟୋ ଭଗବାନ୍ ନାରଦୋ ମୁନିଃ ।

ଭଗବତ୍ୟୁତ୍ତମଶ୍ଲୋକ ଆବିଷ୍ଟାତ୍ମାବ୍ରବୀନ୍ନୃପାନ୍ ॥ ୮॥

ମୈତ୍ରେୟ କହୁଛନ୍ତି – ଭଗବନ୍ମୟ ନାରଦ ମୁନିଙ୍କର ଚିତ୍ତ ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କଠାରେ ହିଁ ଲାଗି ରହିଥାଏ | ପ୍ରଚେତାମାନଙ୍କର ଆଗ୍ରହ ଦେଖି ସେ ସେମାନଙ୍କୁ କହିଲେ |

ନାରଦ ଉବାଚ

ତଜ୍ଜନ୍ମ ତାନି କର୍ମାଣି ତଦାୟୁସ୍ତନ୍ମନୋ ବଚଃ ।

ନୃଣାଂ ଯେନେହ ବିଶ୍ୱାତ୍ମା ସେବ୍ୟତେ ହରିରୀଶ୍ୱରଃ ॥ ୯॥

ଦେବର୍ଷି ନାରଦ କହିଲେ – ହେ ରାଜାଗଣ ! ଏହି ଲୋକରେ ମନୁଷ୍ୟର ସେହି ଜନ୍ମ, ସେହି କର୍ମ, ସେହି ଆୟୁ, ସେହି ମନ ଏବଂ ସେହି ବାଣୀ ସଫଳ ଅଟେ, ଯାହା ଦ୍ବାରା ସର୍ବାତ୍ମା ସର୍ବେଶ୍ବର ଶ୍ରୀହରିଙ୍କର ସେବନ କରାଯାଇ ଥାଏ |

କିଂ ଜନ୍ମଭିସ୍ତ୍ରିଭିର୍ୱେହ ଶୌକ୍ଲସାବିତ୍ରୟାଜ୍ଞିକୈଃ ।

କର୍ମଭିର୍ୱା ତ୍ରୟୀପ୍ରୋକ୍ତୈଃ ପୁଂସୋଽପି ବିବୁଧାୟୁଷା ॥ ୧୦॥

ଶ୍ରୁତେନ ତପସା ବା କିଂ ବଚୋଭିଶ୍ଚିତ୍ତବୃତ୍ତିଭିଃ ।

ବୁଦ୍ଧ୍ୟା ବା କିଂ ନିପୁଣୟା ବଲେନେନ୍ଦ୍ରିୟରାଧସା ॥ ୧୧॥

କିଂ ବା ଯୋଗେନ ସାଙ୍ଖ୍ୟେନ ନ୍ୟାସସ୍ୱାଧ୍ୟାୟଯୋରପି ।

କିଂ ବା ଶ୍ରେୟୋଭିରନ୍ୟୈଶ୍ଚ ନ ଯତ୍ରାତ୍ମପ୍ରଦୋ ହରିଃ ॥ ୧୨॥

ଯାହା ଦ୍ବାରା ନିଜ ସ୍ବରୂପର ସାକ୍ଷାତକାର କରାଉଥିବା ଶ୍ରୀହରିଙ୍କୁ ପ୍ରାପ୍ତ କରାଯାଇ ନ ଥାଏ, ମାତା-ପିତାଙ୍କର ପବିତ୍ରତା, ଯଜ୍ଞୋପବୀତ-ସଂସ୍କାର ଏବଂ ଯଜ୍ଞଦୀକ୍ଷା ଦ୍ବାରା ପ୍ରାପ୍ତ ହେଉଥିବା ସେହି ତିନି ପ୍ରକାରର ଶ୍ରେଷ୍ଠ ଜନ୍ମ, ବେଦୋକ୍ତ କର୍ମ, ଦେବତାମାନଙ୍କ ସହିତ ସମାନ ଦୀର୍ଘ ଆୟୁ, ଶାସ୍ତ୍ରଜ୍ଞାନ, ତପ, ବାକଚାତୁରୀ, ଅତ୍ୟଧିକ ସ୍ମରଣ ଶକ୍ତି, ତୀକ୍ଷ୍ଣ ବୁଦ୍ଧି, ବଳ, ଇନ୍ଦ୍ରିୟ-ପଟୁତା, ଯୋଗ, ସାଂଖ୍ୟ (ଆତ୍ମ-ଅନାତ୍ମ-ବିବେକ), ସନ୍ୟାସ ଏବଂ ବେଦାଧ୍ୟୟନ ତଥା ବ୍ରତ-ବୈରାଗ୍ୟ ଆଦି ଅନ୍ୟ କଲ୍ୟାଣ ସାଧନ ଦ୍ବାରା ପୁରୁଷର କି ଲାଭ ହୋଇଥାଏ ?

ଶ୍ରେୟସାମପି ସର୍ୱେଷାମାତ୍ମା ହ୍ୟବଧିରର୍ଥତଃ ।

ସର୍ୱେଷାମପି ଭୂତାନାଂ ହରିରାତ୍ମାଽଽତ୍ମଦଃ ପ୍ରିୟଃ ॥ ୧୩॥

ବାସ୍ତବରେ ସମସ୍ତ କଲ୍ୟାଣ ଆତ୍ମା ନିମନ୍ତେ ହିଁ ଉଦ୍ଦିଷ୍ଟ ଏବଂ ଆତ୍ମଜ୍ଞାନ ପ୍ରଦାୟକ ଶ୍ରୀହରି ହିଁ ସମ୍ପୂର୍ଣ୍ଣ ପ୍ରାଣୀ ସମୁଦାୟର ପ୍ରିୟ ଆତ୍ମା ଅଟନ୍ତି |

ଯଥା ତରୋର୍ମୂଲନିଷେଚନେନ

ତୃପ୍ୟନ୍ତି ତତ୍ସ୍କନ୍ଧଭୁଜୋପଶାଖାଃ ।

ପ୍ରାଣୋପହାରାଚ୍ଚ ଯଥେନ୍ଦ୍ରିୟାଣାଂ

ତଥୈବ ସର୍ୱାର୍ହଣମଚ୍ୟୁତେଜ୍ୟା ॥ ୧୪॥

ବୃକ୍ଷର ମୂଳରେ ଜଳ ସିଂଚନ କଲେ ବୃକ୍ଷର ଗଣ୍ଡି, ଶାଖା, ଉପଶାଖା ଆଦି ସମସ୍ତଙ୍କର ପୋଷଣ ଯେପରି ସ୍ବତଃ ହୋଇଯାଏ ଏବଂ ଭୋଜନ ଦ୍ବାରା ପ୍ରାଣକୁ ତୃପ୍ତ କଲେ ଇନ୍ଦ୍ରିୟମାନେ ଯେପରି ଆପେ ଆପେ ପୁଷ୍ଟ ହୋଇଯାଆନ୍ତି, ସେହିପରି ଶ୍ରୀଭଗବାନଙ୍କର ପୂଜା ହିଁ ସମସ୍ତଙ୍କର ପୂଜା ଅଟେ |

ଯଥୈବ ସୂର୍ୟାତ୍ପ୍ରଭବନ୍ତି ବାରଃ

ପୁନଶ୍ଚ ତସ୍ମିନ୍ ପ୍ରବିଶନ୍ତି କାଲେ ।

ଭୂତାନି ଭୂମୌ ସ୍ଥିରଜଙ୍ଗମାନି

ତଥା ହରାବେବ ଗୁଣପ୍ରବାହଃ ॥ ୧୫॥

ବର୍ଷାକାଳରେ ଜଳ ଯେପରି ସୂର୍ଯ୍ୟତାପରୁ ଉତ୍ପନ୍ନ ହୋଇଥାଏ ଏବଂ ଗ୍ରୀଷ୍ମଋତୁରେ ତାହା ପୁନର୍ବାର ସୂର୍ଯ୍ୟକିରଣରେ ପ୍ରବେଶ କରିଯାଏ ତଥା ସମସ୍ତ ଚରାଚର ଭୂତ ଯେପରି ପୃଥିବୀରୁ ଉତ୍ପନ୍ନ ହୋଇ ପୁଣି ସେହି ପୃଥିବୀରେ ମିଶିଯାଆନ୍ତି, ସେହିପରି ଏହି ଚେତନାଚେତନାତ୍ମକ ସମସ୍ତ ପ୍ରପଞ୍ଚ ଶ୍ରୀହରିଙ୍କଠାରୁ ଉତ୍ପନ୍ନ ହୋଇ ତାଙ୍କଠାରେ ହିଁ ଲୀନ ହୋଇଯାଆନ୍ତି |

ଏତତ୍ପଦଂ ତଜ୍ଜଗଦାତ୍ମନଃ ପରଂ

ସକୃଦ୍ୱିଭାତଂ ସବିତୁର୍ୟଥା ପ୍ରଭା ।

ଯଥାସବୋ ଜାଗ୍ରତି ସୁପ୍ତଶକ୍ତୟୋ

ଦ୍ରବ୍ୟକ୍ରିୟାଜ୍ଞାନଭିଦା ଭ୍ରମାତ୍ୟଯଃ ॥ ୧୬॥

ବସ୍ତୁତଃ ଏହା ବିଶ୍ବାତ୍ମା ଭଗବାନଙ୍କର ସେହି ଶାସ୍ତ୍ରପ୍ରସିଦ୍ଧ ସର୍ବୋପାଧିରହିତ ସ୍ବରୂପ ହିଁ ଅଟେ | ସୂର୍ଯ୍ୟଙ୍କର ପ୍ରଭା ଯେପରି ସୂର୍ଯ୍ୟଙ୍କଠାରୁ ଭିନ୍ନ ନୁହେଁ, ସେହିପରି କେବେ କେବେ ଗନ୍ଧର୍ବ-ନଗର ପରି ସ୍ଫୁରିତ ହେଉଥିବା ଏହି ଜଗତ ଭଗବାନଙ୍କଠାରୁ ଭିନ୍ନ ନୁହେଁ; ତଥା ଜାଗ୍ରତ ଅବସ୍ଥାରେ ଇନ୍ଦ୍ରିୟମାନେ କ୍ରିୟାଶୀଳ ରହୁଥିଲେ ମଧ୍ୟ ସୁଷୁପ୍ତିରେ ସେମାନେ ଯେପରି ନିଷ୍କ୍ରିୟ ହୋଇଯାଆନ୍ତି, ସେହିପରି ଏହି ଜଗତ ସର୍ଗକାଳରେ ଭଗବାନଙ୍କଠାରୁ ପ୍ରକଟ ହୋଇଯାଏ ଏବଂ କଳ୍ପାନ୍ତରରେ ତାଙ୍କ ମଧ୍ୟରେ ଲୀନ ହୋଇଯାଏ | ସ୍ବରୂପତଃ, ଭଗବାନଙ୍କଠାରେ ଦ୍ରବ୍ୟ, କ୍ରିୟା ଏବଂ ଜ୍ଞାନରୂପୀ ତ୍ରିବିଧ ଅହଂକାରର କାର୍ଯ୍ୟ ତଥା ସେମାନଙ୍କ ନିମିତ୍ତରୁ ହେଉଥିବା ଭେଦଭ୍ରମର ସତ୍ତା ହିଁ ନ ଥାଏ |

ଯଥା ନଭସ୍ୟଭ୍ରତମଃ ପ୍ରକାଶା

ଭବନ୍ତି ଭୂପା ନ ଭବନ୍ତ୍ୟନୁକ୍ରମାତ୍ ।

ଏବଂ ପରେ ବ୍ରହ୍ମଣି ଶକ୍ତୟସ୍ତ୍ୱମୂ

ରଜସ୍ତମଃସତ୍ତ୍ୱମିତି ପ୍ରବାହଃ ॥ ୧୭॥

ହେ ନୃପତିଗଣ ! ଆକାଶରେ ବାଦଲ, ଅନ୍ଧକାର ଏବଂ ପ୍ରକାଶ ଯେପରି କ୍ରମଶଃ ପ୍ରକଟ ହୋଇ ଲୀନ ହୋଇଯାଆନ୍ତି, କିନ୍ତୁ ଆକାଶ ତହିଁରେ ଲିପ୍ତ ହୁଏନାହିଁ, ସେହିପରି ଏହି ସତ୍ତ୍ବ, ରଜ ଏବଂ ତମୋମୟୀ ଶକ୍ତିମାନେ କେତେବେଳେ ପରବ୍ରହ୍ମଙ୍କଠାରୁ ଉତ୍ପନ୍ନ ହୋଇଥାଆନ୍ତି ତ କେତେବେଳେ ତାଙ୍କ ମଧ୍ୟରେ ଲୀନ ହୋଇଯାଆନ୍ତି | ସେମାନଙ୍କର ଏହି ପ୍ରବାହ ନିରନ୍ତର ଚାଲିଥାଏ, କିନ୍ତୁ ତଦ୍ବାରା ଆକାଶ ପରି ପରମାତ୍ମାଙ୍କଠାରେ କୌଣସି ବିକାର ପରିଲକ୍ଷିତ ହୋଇ ନ ଥାଏ |

ତେନୈକମାତ୍ମାନମଶେଷଦେହିନାଂ

କାଲଂ ପ୍ରଧାନଂ ପୁରୁଷଂ ପରେଶମ୍ ।

ସ୍ୱତେଜସା ଧ୍ୱସ୍ତଗୁଣପ୍ରବାହ-

ମାତ୍ମୈକଭାବେନ ଭଜଧ୍ୱମଦ୍ଧା ॥ ୧୮॥

ତେଣୁ ତୁମ୍ଭେମାନେ ବ୍ରହ୍ମାଦି ସମସ୍ତ ଲୋକପାଳଙ୍କର ମଧ୍ୟ ଅଧୀଶ୍ବର ଶ୍ରୀହରିଙ୍କୁ ନିଜଠାରୁ ଅଭିନ୍ନ ମନେକରି ତାଙ୍କର ଭଜନ କର; କାରଣ ସେ ହିଁ ସମସ୍ତ ଦେହଧାରୀଙ୍କର ଏକମାତ୍ର ଆତ୍ମା ଅଟନ୍ତି | ସେ ହିଁ ଜଗତର ନିମିତ୍ତକାରଣ କାଳ, ଉପାଦାନକାରଣ ପ୍ରଧାନ ଏବଂ ନିୟନ୍ତା ପୁରୁଷୋତ୍ତମ ଅଟନ୍ତି ତଥା ନିଜ କାଳଶକ୍ତିରେ ସେ ହିଁ ଏହି ଗୁଣପ୍ରବାହରୂପ ଜଗତ ପ୍ରପଞ୍ଚର ସଂହାର କରନ୍ତି |

ଦୟଯା ସର୍ୱଭୂତେଷୁ ସନ୍ତୁଷ୍ଟ୍ୟା ଯେନ କେନ ବା ।

ସର୍ୱେନ୍ଦ୍ରିୟୋପଶାନ୍ତ୍ୟା ଚ ତୁଷ୍ୟତ୍ୟାଶୁ ଜନାର୍ଦନଃ ॥ ୧୯॥

ସେହି ଭକ୍ତବତ୍ସଳ ଭଗବାନ, ତାଙ୍କ ଦୟାରୁ ଯାହାକିଛି ମିଳିଥାଏ ସେଥିରେ ସନ୍ତୁଷ୍ଟ ରହି ଇନ୍ଦ୍ରିୟମାନଙ୍କୁ ବିଷୟରୁ ନିବୃତ୍ତ କରି ଶାନ୍ତ ରଖିବା ଦ୍ବାରା, ଅତିଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି |

ଅପହତସକଲୈଷଣାମଲାତ୍ମ-

ନ୍ୟବିରତମେଧିତଭାବନୋପହୂତଃ ।

ନିଜଜନବଶଗତ୍ୱମାତ୍ମନୋ ଯ-

ନ୍ନ ସରତି ଛିଦ୍ରବଦକ୍ଷରଃ ସତାଂ ହି ॥ ୨୦॥

ପୁତ୍ରୈଷଣା ଆଦି ସମସ୍ତ ପ୍ରକାରର ବାସନା ଦୂର ହୋଇଯାଇ ଥିବାରୁ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ହୋଇଯାଇଛି, ସେହି ସନ୍ଥମାନଙ୍କର ହୃଦୟରେ, ସେମାନଙ୍କର ନିରନ୍ତର ବୃଦ୍ଧି ଲାଭ କରୁଥିବା ଚିନ୍ତନରେ ଆକର୍ଷିତ ହୋଇ ଅବିନାଶୀ ଶ୍ରୀହରି ପ୍ରକାଶିତ ହୋଇଯାଆନ୍ତି ଏବଂ ନିଜର ଭକ୍ତପରାଧୀନତାକୁ ଚରିତାର୍ଥ କରିବାକୁ ଯାଇ ହୃଦୟାକାଶ ପରି ସେଠାରୁ କେବେ ବି ବାହାରି ଯାଆନ୍ତି ନାହିଁ |

ନ ଭଜତି କୁମନୀଷିଣାଂ ସ ଇଜ୍ୟାଂ

ହରିରଧନାତ୍ମଧନପ୍ରିୟୋ ରସଜ୍ଞଃ ।

ଶ୍ରୁତଧନକୁଲକର୍ମଣାଂ ମଦୈର୍ୟେ

ବିଦଧତି ପାପମକିଞ୍ଚନେଷୁ ସତ୍ସୁ ॥ ୨୧॥

ଭଗବାନ ତ ତାଙ୍କୁ ହିଁ ନିଜର ସର୍ବସ୍ବ ମନେ କରୁଥିବା ନିର୍ଧନ ପୁରୁଷଙ୍କୁ ହିଁ ପ୍ରେମ କରନ୍ତି; କାରଣ ସେ ପରମ ରସଜ୍ଞ ଅଟନ୍ତି – ସେହି ଅକିଞ୍ଚନମାନଙ୍କର ଅନନ୍ୟାଶ୍ରୟା ଅହୈତୁକୀ ଭକ୍ତିରେ କେତେ ମାଧୁର୍ଯ୍ୟ ରହିଥାଏ – ତାହା ସେହି ପ୍ରଭୁ ହିଁ ଭଲ ଭାବରେ ଜାଣନ୍ତି | ଶାସ୍ତ୍ରଜ୍ଞାନ, ଧନ, କୁଳ ଏବଂ କର୍ମର ମଦରେ ଉନ୍ମତ୍ତ ହୋଇ ଯେଉଁମାନେ ସେହି ନିଷ୍କିଞ୍ଚନ ସାଧୁଜନଙ୍କର ତିରସ୍କାର କରନ୍ତି, ସେହି ଦୁର୍ବୁଦ୍ଧିମାନଙ୍କର ପୂଜା ତ ପ୍ରଭୁ ସ୍ବୀକାର ହିଁ କରନ୍ତି ନାହିଁ |

ଶ୍ରିୟମନୁଚରତୀଂ ତଦର୍ଥିନଶ୍ଚ

ଦ୍ୱିପଦପତୀନ୍ ବିବୁଧାଂଶ୍ଚ ଯତ୍ସ୍ୱପୂର୍ଣଃ ।

ନ ଭଜତି ନିଜଭୃତ୍ୟବର୍ଗତନ୍ତ୍ରଃ

କଥମମୁମୁଦ୍ୱିସୃଜେତ୍ପୁମାନ୍ କୃତଜ୍ଞଃ ॥ ୨୨॥

ଭଗବାନ ସ୍ବରୂପାନନ୍ଦରେ ପରିପୂର୍ଣ୍ଣ ଅଟନ୍ତି | ସେ ନିରନ୍ତର ତାଙ୍କ ସେବାରେ ରତ ଲକ୍ଷ୍ମୀଦେବୀ ତଥା ତାଙ୍କର କାମନା କରୁଥିବା ନରପତି ଏବଂ ଦେବତାମାନଙ୍କ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ | ଅଥଚ ସେ ନିଜ ଭକ୍ତମାନଙ୍କର ଅଧୀନସ୍ତ ରହିଥାଆନ୍ତି | ଏପରି କରୁଣା-ସାଗର ଶ୍ରୀହରିଙ୍କୁ କୌଣସି କୃତଜ୍ଞ ପୁରୁଷ କିଞ୍ଚିତ୍ କାଳ ପାଇଁ ମଧ୍ୟ କିପରି ତ୍ୟାଗ କରିପାରିବ ?

ମୈତ୍ରେୟ ଉବାଚ

ଇତି ପ୍ରଚେତସୋ ରାଜନ୍ନନ୍ୟାଶ୍ଚ ଭଗବତ୍କଥାଃ ।

ଶ୍ରାବୟିତ୍ୱା ବ୍ରହ୍ମଲୋକଂ ଯୟୌ ସ୍ୱାୟମ୍ଭୁବୋ ମୁନିଃ ॥ ୨୩॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଦେବର୍ଷି ନାରଦ ପ୍ରଚେତାମାନଙ୍କୁ ଏହିପରି ଉପଦେଶ ଦେବା ସହିତ ଆହୁରି ମଧ୍ୟ ଅନେକ ଭଗବତ୍ ବିଷୟ ଶୁଣାଇଲେ | ତାପରେ ସେ ବ୍ରହ୍ମଲୋକକୁ ଚାଲିଗଲେ |

ତେଽପି ତନ୍ମୁଖନିର୍ୟାତଂ ଯଶୋ ଲୋକମଲାପହମ୍ ।

ହରେର୍ନିଶମ୍ୟ ତତ୍ପାଦଂ ଧ୍ୟାୟନ୍ତସ୍ତଦ୍ଗତିଂ ଯୟୁଃ ॥ ୨୪॥

ପ୍ରଚେତାଗଣ ମଧ୍ୟ ତାଙ୍କ ମୁଖରୁ ସମ୍ପୂର୍ଣ୍ଣ ଜଗତର ପାପରୂପୀ ମଳକୁ ଦୂର କରୁଥିବା ଭଗବତ୍-ଚରିତ୍ର ଶ୍ରବଣ କରି ଭଗବାନଙ୍କ ଚରଣକମଳର ହିଁ ଚିନ୍ତନ କରିବାରେ ଲାଗିଲେ ଏବଂ ଅନ୍ତତଃ ଭଗବଦ୍-ଧାମ ପ୍ରାପ୍ତ କଲେ |

ଏତତ୍ତେଽଭିହିତଂ କ୍ଷତ୍ତର୍ୟନ୍ମାଂ ତ୍ୱଂ ପରିପୃଷ୍ଟବାନ୍ ।

ପ୍ରଚେତସାଂ ନାରଦସ୍ୟ ସମ୍ବାଦଂ ହରିକୀର୍ତନମ୍ ॥ ୨୫॥

ଏହିପରି ଭାବରେ ଆପଣ ମୋଠାରୁ ନାରଦ ମୁନି ଏବଂ ପ୍ରଚେତାମାନଙ୍କ ମଧ୍ୟରେ ହୋଇଥିବା ଭଗବତ୍-କଥା ସମ୍ବନ୍ଧୀ ଯେଉଁ ସମ୍ବାଦ ଶୁଣିବାକୁ ଇଚ୍ଛା କରିଥିଲେ, ତାହା ମୁଁ ଆପଣଙ୍କୁ ଶୁଣାଇଲି |

ଶ୍ରୀଶୁକ ଉବାଚ

ଯ ଏଷ ଉତ୍ତାନପଦୋ ମାନବସ୍ୟାନୁବର୍ଣିତଃ ।

ବଂଶଃ ପ୍ରିୟବ୍ରତସ୍ୟାପି ନିବୋଧ ନୃପସତ୍ତମ ॥ ୨୬॥

ଶ୍ରୀଶୁକଦେବ ରାଜା ପରୀକ୍ଷିତଙ୍କୁ କହୁଛନ୍ତି – ରାଜନ୍ ! ଏପର୍ଯ୍ୟନ୍ତ ସ୍ବାୟମ୍ଭୂବ ମନୁଙ୍କର ପୁତ୍ର ଉତ୍ତାନପାଦଙ୍କ ବଂଶର ବର୍ଣ୍ଣନା କରାଗଲା | ଏବେ ପ୍ରିୟବ୍ରତଙ୍କ ବଂଶର ବର୍ଣ୍ଣନା ମଧ୍ୟ ଶୁଣ |

ଯୋ ନାରଦାଦାତ୍ମବିଦ୍ୟାମଧିଗମ୍ୟ ପୁନର୍ମହୀମ୍ ।

ଭୁକ୍ତ୍ୱା ବିଭଜ୍ୟ ପୁତ୍ରେଭ୍ୟ ଐଶ୍ୱରଂ ସମଗାତ୍ପଦମ୍ ॥ ୨୭॥

ରାଜା ପ୍ରିୟବ୍ରତ ନାରଦ ମୁନିଙ୍କଠାରୁ ଆତ୍ମଜ୍ଞାନ ସମ୍ବନ୍ଧୀୟ ଉପଦେଶ ପ୍ରାପ୍ତ କରିବା ପରେ ମଧ୍ୟ ରାଜ୍ୟଭୋଗ କରିଥିଲେ ଏବଂ ଶେଷରେ ସମ୍ପୂର୍ଣ୍ଣ ପୃଥିବୀକୁ ନିଜ ପୁତ୍ରମାନଙ୍କ ମଧ୍ୟରେ ବଣ୍ଟନ କରି ସେ ଭଗବାନଙ୍କର ପରମଧାମ ପ୍ରାପ୍ତ କରିଥିଲେ |

ଇମାଂ ତୁ କୌଷାରବିଣୋପବର୍ଣିତାଂ

କ୍ଷତ୍ତା ନିଶମ୍ୟାଜିତବାଦସତ୍କଥାମ୍ ।

ପ୍ରବୃଦ୍ଧଭାବୋଽଶ୍ରୁକଲାକୁଲୋ ମୁନେ-

ର୍ଦଧାର ମୂର୍ଧ୍ନା ଚରଣଂ ହୃଦା ହରେଃ ॥ ୨୮॥

ରାଜନ୍ ! ଏଣେ ମୈତ୍ରେୟ ମୁନିଙ୍କ ମୁଖରୁ ଭଗବଦ୍-ଗୁଣାନୁବାଦଯୁକ୍ତ ପବିତ୍ର କଥା ଶୁଣି ବିଦୁର ପ୍ରେମମଗ୍ନ ହୋଇଗଲେ, ଭକ୍ତିଭାବର ଉଦ୍ରେକ ହେବାରୁ ତାଙ୍କ ନେତ୍ରରୁ ଅଶ୍ରୁଧାରା ପ୍ରବାହିତ ହେବାରେ ଲାଗିଲା | ହୃଦୟରେ ଭଗବତ୍-ଚରଣର ସ୍ମରଣ କରି ସେ ନିଜ ମସ୍ତକକୁ ମୁନିବର ମୈତ୍ରେୟଙ୍କ ଚରଣରେ ରଖିଦେଲେ |

ବିଦୁର ଉବାଚ

ସୋଽୟମଦ୍ୟ ମହାୟୋଗିନ୍ ଭବତା କରୁଣାତ୍ମନା ।

ଦର୍ଶିତସ୍ତମସଃ ପାରୋ ଯତ୍ରାକିଞ୍ଚନଗୋ ହରିଃ ॥ ୨୯॥

ବିଦୁର କହିବାରେ ଲାଗିଲେ – ହେ ମହାଯୋଗୀ ! ଆପଣ ଅତ୍ୟନ୍ତ କରୁଣାମୟ ଅଟନ୍ତି | ଆଜି ଆପଣ ମୋତେ ଅଜ୍ଞାନଅନ୍ଧକାରର ସେପାରିରେ ପହଞ୍ଚାଇ ଦେଲେ, ଯେଉଁଠାରେ ଅକିଞ୍ଚନମାନଙ୍କର ସର୍ବସ୍ବ ଶ୍ରୀହରି ବିରାଜିତ |

ଶ୍ରୀଶୁକ ଉବାଚ

ଇତ୍ୟାନମ୍ୟ ତମାମନ୍ତ୍ର୍ୟ ବିଦୁରୋ ଗଜସାହ୍ୱୟମ୍ ।

ସ୍ୱାନାଂ ଦିଦୃକ୍ଷୁଃ ପ୍ରୟଯୌ ଜ୍ଞାତୀନାଂ ନିର୍ୱୃତାଶୟଃ ॥ ୩୦॥

ଶ୍ରୀଶୁକଦେବ କହୁଛନ୍ତି – ମୈତ୍ରେୟଙ୍କ ପ୍ରତି ଏହିପରି ଭାବରେ କୃତଜ୍ଞତା ବ୍ୟକ୍ତ କରି, ତାଙ୍କୁ ପ୍ରଣାମ କରି ଏବଂ ତାଙ୍କଠାରୁ ଆଜ୍ଞା ନେଇ ବିଦୁର ନିଜ ବନ୍ଧୁଜନଙ୍କ ସହିତ ମିଳିତ ହେବା ପାଇଁ ହସ୍ତୀନାପୁରକୁ ଚାଲିଗଲେ |

ଏତଦ୍ୟଃ ଶୃଣୁୟାଦ୍ରାଜନ୍ ରାଜ୍ଞାଂ ହର୍ୟର୍ପିତାତ୍ମନାମ୍ ।

ଆୟୁର୍ଧନଂ ଯଶଃ ସ୍ୱସ୍ତି ଗତିମୈଶ୍ୱର୍ୟମାପ୍ନୁୟାତ୍ ॥ ୩୧॥

ରାଜନ୍ ! ଯେଉଁ ପୁରୁଷ ଭଗବାନଙ୍କର ଶରଣାଗତ ପରମଭାଗବତ ରାଜାମାନଙ୍କର ଏହି ପବିତ୍ର ଚରିତ୍ର ଶ୍ରବଣ କରିବେ, ତାଙ୍କୁ ଦୀର୍ଘ ଆୟୁ, ଧନ, ଯଶ, କ୍ଷେମ, ସଦଗତି ଏବଂ ଐଶ୍ବର୍ଯ୍ୟ ପ୍ରାପ୍ତ ହେବ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସକ୍ୟାମଷ୍ଟାଦଶସାହସ୍ର୍ୟାଂ

ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥସ୍କନ୍ଧେ ପ୍ରଚେତ ଉପାଖ୍ୟାନଂ

ନାମୈକତ୍ରିଂଶୋଽଧ୍ୟାୟଃ ॥ ୩୧॥

 

ଇତି ଚତୁର୍ଥସ୍କନ୍ଧଃ ସମାପ୍ତଃ ॥

ହରିଃ ଓଁ ତତ୍ସତ୍ ॥

 

Comments

Popular posts from this blog