ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ଚତୁର୍ଥ ସ୍କନ୍ଧ ॥

ଚତୁର୍ବିଂଶ ଅଧ୍ୟାୟ

ପୃଥୁଙ୍କର ବଂଶପରମ୍ପରା ଏବଂ ପ୍ରଚେତାଙ୍କୁ ଭଗବାନ ରୁଦ୍ରଙ୍କର ଉପଦେଶ

 

ମୈତ୍ରେୟ ଉବାଚ

ବିଜିତାଶ୍ୱୋଽଧିରାଜାଽଽସୀତ୍ପୃଥୁପୁତ୍ରଃ ପୃଥୁଶ୍ରବାଃ ।

ଯବୀୟୋଭ୍ୟୋଽଦଦାତ୍କାଷ୍ଠା ଭ୍ରାତୃଭ୍ୟୋ ଭ୍ରାତୃବତ୍ସଲଃ ॥ ୧॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ମହାରାଜ ପୃଥୁଙ୍କ ପରେ ତାଙ୍କର ପୁତ୍ର ପରମ ଯଶସ୍ବୀ ବିଜିତାଶ୍ବ ରାଜା ହେଲେ | ନିଜ କନିଷ୍ଠ ଭ୍ରାତାମାନଙ୍କୁ ସେ ଅତ୍ୟଧିକ ସ୍ନେହ କରୁଥିଲେ, ସେଥିପାଇଁ ସେ ଚାରିଭାଈଙ୍କୁ ରାଜ୍ୟର ଗୋଟିଏ-ଗୋଟିଏ ଦିଗର ଅଧିକାର ପ୍ରଦାନ କଲେ |

ହର୍ୟକ୍ଷାୟାଦିଶତ୍ପ୍ରାଚୀଂ ଧୂମ୍ରକେଶାୟ ଦକ୍ଷିଣାମ୍ ।

ପ୍ରତୀଚୀଂ ବୃକସଞ୍ଜ୍ଞାୟ ତୁର୍ୟାଂ ଦ୍ରବିଣସେ ବିଭୁଃ ॥ ୨॥

ହର୍ଯକ୍ଷଙ୍କୁ ପୂର୍ବ, ଧୂମ୍ରକେଶଙ୍କୁ ଦକ୍ଷିଣ, ବୃକଙ୍କୁ ପଶ୍ଚିମ ଏବଂ ଦ୍ରବିଣଙ୍କୁ ଉତ୍ତର ଦିଶାର ରାଜ୍ୟଭାର ଅର୍ପଣ କଲେ |

ଅନ୍ତର୍ଧାନଗତିଂ ଶକ୍ରାଲ୍ଲବ୍ଧ୍ୱାନ୍ତର୍ଧାନସଞ୍ଜ୍ଞିତଃ ।

ଅପତ୍ୟତ୍ରୟମାଧତ୍ତ ଶିଖଣ୍ଡିନ୍ୟାଂ ସୁସମ୍ମତମ୍ ॥ ୩॥

ବିଜିତାଶ୍ବ ଇନ୍ଦ୍ରଙ୍କଠାରୁ ଅନ୍ତର୍ଧାନ ହେବାର ଶକ୍ତି ପ୍ରାପ୍ତ କରିଥିଲେ, ସେଥିପାଇଁ ତାଙ୍କୁ ‘ଅନ୍ତର୍ଧାନ ମଧ୍ୟ କୁହାଯାଉ ଥିଲା | ତାଙ୍କ ପତ୍ନୀଙ୍କର ନାମ ଶିଖଣ୍ଡିନୀ ଥିଲା | ତାଙ୍କଠାରୁ ସେ ତିନିଜଣ ସୁପୁତ୍ର ପ୍ରାପ୍ତ କରିଥିଲେ |

ପାବକଃ ପବମାନଶ୍ଚ ଶୁଚିରିତ୍ୟଗ୍ନୟଃ ପୁରା ।

ବସିଷ୍ଠଶାପାଦୁତ୍ପନ୍ନାଃ ପୁନର୍ୟୋଗଗତିଂ ଗତାଃ ॥ ୪॥

ସେମାନଙ୍କର ନାମ ପାବକ, ପବମାନ ଓ ଶୁଚି ଥିଲା | ପୂର୍ବକାଳରେ ମହର୍ଷି ବଶିଷ୍ଠଙ୍କ ଦ୍ବାରା ଶାପଗ୍ରସ୍ତ ହୋଇ ଉପରୋକ୍ତ ନାମଧାରୀ ଅଗ୍ନିମାନେ ହିଁ ତାଙ୍କର ପୁତ୍ର ରୂପରେ ଜନ୍ମ ଗ୍ରହଣ କରିଥିଲେ | ପରେ ସେମାନେ ଯୋଗମାର୍ଗରେ ଯାଇ ପୁନର୍ବାର ଅଗ୍ନିରୂପ ହୋଇଯାଇ ଥିଲେ |

ଅନ୍ତର୍ଧାନୋ ନଭସ୍ୱତ୍ୟାଂ ହବିର୍ଧାନମବିନ୍ଦତ ।

ଯ ଇନ୍ଦ୍ରମଶ୍ୱହର୍ତାରଂ ବିଦ୍ୱାନପି ନ ଜଘ୍ନିବାନ୍ ॥ ୫॥

ଅନ୍ତର୍ଧାନଙ୍କର ନଭସ୍ବତୀ ନାମ୍ନୀ ପତ୍ନୀଙ୍କଠାରୁ ଅନ୍ୟ ଏକ ପୁତ୍ର-ରତ୍ନ ହବିର୍ଧାନ ପ୍ରାପ୍ତ ହୋଇଥିଲେ | ମହାରାଜ ଅନ୍ତର୍ଧାନ ଜଣେ ଅତ୍ୟନ୍ତ ଉଦାର ପୁରୁଷ ଥିଲେ | ଇନ୍ଦ୍ର ତାଙ୍କ ପିତାଙ୍କର ଅଶ୍ବମେଧ-ଯଜ୍ଞର ଘୋଡାକୁ ହରଣ କରି ନେଇଥିବା ଜାଣି ମଧ୍ୟ ସେ ତାଙ୍କର ବଧ କରି ନ ଥିଲେ |

ରାଜ୍ଞାଂ ବୃତ୍ତିଂ କରାଦାନଦଣ୍ଡଶୁଲ୍କାଦିଦାରୁଣାମ୍ ।

ମନ୍ୟମାନୋ ଦୀର୍ଘସତ୍ତ୍ରବ୍ୟାଜେନ ବିସସର୍ଜ ହ ॥ ୬॥

ରାଜା ଅନ୍ତର୍ଧାନ, କର ଆଦାୟ କରିବା, ଦଣ୍ଡ ବିଧାନ କରିବା, ଜୋରିମାନା ଅସୁଲ କରିବା ଆଦି କର୍ତ୍ତବ୍ୟକୁ ଅତି କଠୋର ଏବଂ ଅନ୍ୟମାନଙ୍କ ପାଇଁ କଷ୍ଟଦାୟକ ମନେକରି ଏକ ଦୀର୍ଘକାଳୀନ ଯଜ୍ଞରେ ଦୀକ୍ଷିତ ହେବା ବାହାନାରେ ରାଜ-କାର୍ଯ୍ୟ ତ୍ୟାଗ କରି ଦେଇଥିଲେ |

ତତ୍ରାପି ହଂସଂ ପୁରୁଷଂ ପରମାତ୍ମାନମାତ୍ମଦୃକ୍ ।

ଯଜଂସ୍ତଲ୍ଲୋକତାମାପ କୁଶଲେନ ସମାଧିନା ॥ ୭॥

ଯଜ୍ଞକାର୍ଯ୍ୟରେ ଲାଗି ରହିଥିଲେ ବି ସେହି ଆତ୍ମଜ୍ଞାନୀ ରାଜା ଭକ୍ତଭୟଭଞ୍ଜନ ପୂର୍ଣ୍ଣତମ ପରମାତ୍ମାଙ୍କର ଆରାଧନା କରି ସୁଦୃଢ଼ ସମାଧି ଦ୍ବାରା ଭଗବାନଙ୍କର ଦିବ୍ୟ ଲୋକକୁ ପ୍ରାପ୍ତ କଲେ |

ହବିର୍ଧାନାଦ୍ଧବିର୍ଧାନୀ ବିଦୁରାସୂତ ଷଟ୍ ସୁତାନ୍ ।

ବର୍ହିଷଦଂ ଗୟଂ ଶୁକ୍ଲଂ କୃଷ୍ଣଂ ସତ୍ୟଂ ଜିତବ୍ରତମ୍ ॥ ୮॥

ହେ ବିଦୁର ! ହବିର୍ଧାନଙ୍କର ପତ୍ନୀ ହବିର୍ଧାନୀ ବର୍ହିଷଦ୍, ଗୟ, ଶୁକ୍ଲ, କୃଷ୍ଣ, ସତ୍ୟ ଏବଂ ଜିତବ୍ରତ ନାମରେ ଛଅ ପୁତ୍ରଙ୍କୁ ଜନ୍ମ ଦେଇଥିଲେ |

ବର୍ହିଷତ୍ସୁମହାଭାଗୋ ହାବିର୍ଧାନିଃ ପ୍ରଜାପତିଃ ।

କ୍ରିୟାକାଣ୍ଡେଷୁ ନିଷ୍ଣାତୋ ଯୋଗେଷୁ ଚ କୁରୂଦ୍ୱହ ॥ ୯॥

ହେ କୁରୁଶ୍ରେଷ୍ଠ ବିଦୁର ! ଏମାନଙ୍କ ମଧ୍ୟରୁ ହବିର୍ଧାନଙ୍କ ପୁତ୍ର ମହାଭାଗ ବର୍ହିଷଦ୍ ଯଜ୍ଞାଦି କର୍ମକାଣ୍ଡ ଏବଂ ଯୋଗାଭ୍ୟାସରେ କୁଶଳ ଥିଲେ | ସେ ପ୍ରଜାପତିଙ୍କର ପଦ ପ୍ରାପ୍ତ କଲେ |

ଯସ୍ୟେଦଂ ଦେବୟଜନମନୁୟଜ୍ଞଂ ବିତନ୍ୱତଃ ।

ପ୍ରାଚୀନାଗ୍ରୈଃ କୁଶୈରାସୀଦାସ୍ତୃତଂ ବସୁଧାତଲମ୍ ॥ ୧୦॥

ସେ ଗୋଟିଏ ସ୍ଥାନ ପରେ ଅନ୍ୟ ଏକ ସ୍ଥାନ ଲଗାତାର ଏତେ ଯଜ୍ଞ କଲେ ଯେ ସମଗ୍ର ଭୂମି ଅଗ୍ରଭାଗ ପୂର୍ବ ଅଭିମୁଖୀ ହୋଇ କୁଶମାନଙ୍କରେ ଆଚ୍ଛାଦିତ ହୋଇଗଲା | (ସେଥିପାଇଁ ଆଗକୁ ସେ ‘ପ୍ରାଚୀନବର୍ହି’ ନାମରେ ବିଖ୍ୟାତ ହେଲେ |)

ସାମୁଦ୍ରୀଂ ଦେବଦେବୋକ୍ତାମୁପୟେମେ ଶତଦ୍ରୁତିମ୍ ।

ଯାଂ ବୀକ୍ଷ୍ୟ ଚାରୁସର୍ୱାଙ୍ଗୀଂ କିଶୋରୀଂ ସୁଷ୍ଠ୍ୱଲଙ୍କୃତାମ୍ ।

ପରିକ୍ରମନ୍ତୀମୁଦ୍ୱାହେ ଚକମେଽଗ୍ନିଃ ଶୁକୀମିବ ॥ ୧୧॥

ବ୍ରହ୍ମାଙ୍କ ଆଦେଶରେ ପ୍ରାଚୀନବର୍ହି ସମୁଦ୍ରକନ୍ୟା ଶତଦ୍ରୁତିଙ୍କୁ ବିବାହ କରିଥିଲେ | ସର୍ବାଙ୍ଗସୁନ୍ଦରୀ କିଶୋରୀ ଶତଦ୍ରୁତି ଯେତେବେଳେ ବସ୍ତ୍ରାଭୂଷଣରେ ସଜ୍ଜିତ ହୋଇ ବିବାହ-ମଣ୍ଡପରେ ଅଗ୍ନି-ପ୍ରଦକ୍ଷିଣା କରୁଥିଲେ, ତାଙ୍କୁ ଦେଖି ସ୍ବୟଂ ଅଗ୍ନିଦେବ ମଧ୍ୟ ମୋହିତ ହୋଇ ଯାଇଥିଲେ |

ବିବୁଧାସୁରଗନ୍ଧର୍ୱମୁନିସିଦ୍ଧନରୋରଗାଃ ।

ବିଜିତାଃ ସୂର୍ୟଯା ଦିକ୍ଷୁ କ୍ୱଣୟନ୍ତ୍ୟୈବ ନୂପୁରୈଃ ॥ ୧୨॥

ନବବିବାହିତା ଶତଦ୍ରୁତି ନିଜ ନୂପୁର ଝଙ୍କାରରେ ଦିଶା-ବିଦିଶାର ଦେବତା, ଅସୁର, ଗନ୍ଧର୍ବ, ମୁନି, ସିଦ୍ଧ, ମନୁଷ୍ୟ ଏବଂ ନାଗ ଆଦି ସମସ୍ତଙ୍କୁ ନିଜ ବଶରେ କରି ନେଇଥିଲେ |

ପ୍ରାଚୀନବର୍ହିଷଃ ପୁତ୍ରାଃ ଶତଦ୍ରୁତ୍ୟାଂ ଦଶାଭବନ୍ ।

ତୁଲ୍ୟନାମବ୍ରତାଃ ସର୍ୱେ ଧର୍ମସ୍ନାତାଃ ପ୍ରଚେତସଃ ॥ ୧୩॥

ଶତଦ୍ରୁତିଙ୍କ ଗର୍ଭରୁ ପ୍ରାଚୀନବର୍ହିଙ୍କର ପ୍ରଚେତା ନାମରେ ଦଶ ପୁତ୍ର ଉତ୍ପନ୍ନ ହେଲେ | ସେମାନେ ସମସ୍ତେ ଧର୍ମଜ୍ଞ ତଥା ଏକ ନାମ ଏବଂ ଆଚରଣଧାରୀ ଥିଲେ |

ପିତ୍ରାଽଽଦିଷ୍ଟାଃ ପ୍ରଜାସର୍ଗେ ତପସେଽର୍ଣବମାବିଶନ୍ ।

ଦଶବର୍ଷସହସ୍ରାଣି ତପସାର୍ଚଂସ୍ତପସ୍ପତିମ୍ ॥ ୧୪॥

ପିତାଙ୍କଠାରୁ ସନ୍ତାନ ଉତ୍ପନ୍ନ କରିବାର ଆଦେଶ ପାଇ ସେମାନେ ସମସ୍ତେ ତପସ୍ୟା କରିବା ନିମନ୍ତେ ସମୁଦ୍ରରେ ପ୍ରବେଶ କଲେ | ସେଠାରେ ସେମାନେ ଦଶ ହଜାର ବର୍ଷ କାଳ ତପସ୍ୟା କରି ତପ-ଫଳ ପ୍ରଦାନକାରୀ ଶ୍ରୀହରିଙ୍କର ଆରାଧନା କଲେ |

ଯଦୁକ୍ତଂ ପଥି ଦୃଷ୍ଟେନ ଗିରିଶେନ ପ୍ରସୀଦତା ।

ତଦ୍ଧ୍ୟାୟନ୍ତୋ ଜପନ୍ତଶ୍ଚ ପୂଜୟନ୍ତଶ୍ଚ ସଂୟତାଃ ॥ ୧୫॥

ଘରୁ ତପସ୍ୟା କରିବା ନିମନ୍ତେ ବାହାରି ଯାଉଥିବା ସମୟରେ ମାର୍ଗରେ ଶ୍ରୀମହାଦେବ କୃପାପୂର୍ବକ ସେମାନଙ୍କୁ ଦର୍ଶନ ଦେଇ ଯେଉଁ ତତ୍ତ୍ବର ଉପଦେଶ ଦେଇଥିଲେ, ତପସ୍ୟାରେ ସେମାନେ ଏକାଗ୍ରତାପୂର୍ବକ ତାହାର ଧ୍ୟାନ, ଜପ ଏବଂ ପୂଜନ କରିବାରେ ଲାଗିଲେ |

ବିଦୁର ଉବାଚ

ପ୍ରଚେତସାଂ ଗିରିତ୍ରେଣ ଯଥାଽଽସୀତ୍ପଥି ସଙ୍ଗମଃ ।

ଯଦୁତାହ ହରଃ ପ୍ରୀତସ୍ତନ୍ନୋ ବ୍ରହ୍ମନ୍ ବଦାର୍ଥବତ୍ ॥ ୧୬॥

ବିଦୁର ପଚାରୁଛନ୍ତି – ବ୍ରହ୍ମନ୍ ! ମାର୍ଗରେ ପ୍ରଚେତାମାନଙ୍କର ଶ୍ରୀମହାଦେବଙ୍କ ସହିତ କିପରି ସାକ୍ଷାତକାର ହେଲା ଏବଂ ସେମାନଙ୍କ ପ୍ରତି ପ୍ରସନ୍ନ ହୋଇ ଭଗବାନ ଶଂକର ତାଙ୍କୁ କଣ ଉପଦେଶ ଦେଇଥିଲେ, ସେହି ସାରଯୁକ୍ତ ବିଷୟ ଆପଣ କୃପା କରି ମୋତେ କୁହନ୍ତୁ |

ସଙ୍ଗମଃ ଖଲୁ ବିପ୍ରର୍ଷେ ଶିବେନେହ ଶରୀରିଣାମ୍ ।

ଦୁର୍ଲଭୋ ମୁନୟୋ ଦଧ୍ୟୁରସଙ୍ଗାଦ୍ୟମଭୀପ୍ସିତମ୍ ॥ ୧୭॥

ହେ ବ୍ରହ୍ମର୍ଷି ! ଶିବଙ୍କ ସହିତ ସାକ୍ଷାତକାର ତ ଦେହଧାରୀଙ୍କ ପାଇଁ ଅତ୍ୟନ୍ତ କଠିନ ଅଟେ | ଅନ୍ୟମାନଙ୍କ କଥା କଣ କହିବା, ବଡ ବଡ ମୁନିମାନେ ସବୁ ପ୍ରକାରର ଆସକ୍ତି ତ୍ୟାଗ କରି ନିରନ୍ତର ତାଙ୍କର ଧ୍ୟାନ କରୁଥିଲେ ମଧ୍ୟ ସହଜରେ ତାଙ୍କର ଦର୍ଶନ ପ୍ରାପ୍ତ କରିପାରନ୍ତି ନାହିଁ |

ଆତ୍ମାରାମୋଽପି ଯସ୍ତ୍ୱସ୍ୟ ଲୋକକଲ୍ପସ୍ୟ ରାଧସେ ।

ଶକ୍ତ୍ୟା ଯୁକ୍ତୋ ବିଚରତି ଘୋରୟା ଭଗବାନ୍ ଭବଃ ॥ ୧୮॥

ଭଗବାନ ଶଂକର ଯଦିଓ ଆତ୍ମାରାମ ଅଟନ୍ତି – ନିଜ ପାଇଁ ତାଙ୍କର କିଛି କରିବା ବା ପାଇବାର ଆବଶ୍ୟକତା ନ ଥାଏ, ତଥାପି ଲୋକସୃଷ୍ଟିର ରକ୍ଷା ନିମନ୍ତେ ସେ ନିଜର ଘୋରରୂପା ଶକ୍ତି ଶିବାଙ୍କ ସହିତ ସର୍ବତ୍ର ବିଚରଣ କରୁଥାଆନ୍ତି |

ମୈତ୍ରେୟ ଉବାଚ

ପ୍ରଚେତସଃ ପିତୁର୍ୱାକ୍ୟଂ ଶିରସାଽଽଦାୟ ସାଧବଃ ।

ଦିଶଂ ପ୍ରତୀଚୀଂ ପ୍ରୟଯୁସ୍ତପସ୍ୟାଦୃତଚେତସଃ ॥ ୧୯॥

ମୈତ୍ରେୟ କହୁଛନ୍ତି – ହେ ବିଦୁର ! ସାଧୁସ୍ବଭାବ ପ୍ରଚେତାଗଣ ପିତାଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରି ତପସ୍ୟାରେ ଚିତ୍ତନିବେଶ କରି ପଶ୍ଚିମ ଦିଗରେ ଚାଲିଲେ |

ସମୁଦ୍ରମୁପ ବିସ୍ତୀର୍ଣମପଶ୍ୟନ୍ ସୁମହତ୍ସରଃ ।

ମହନ୍ମନ ଇବ ସ୍ୱଚ୍ଛଂ ପ୍ରସନ୍ନସଲିଲାଶୟମ୍ ॥ ୨୦॥

ଚାଲି-ଚାଲି ସେମାନେ ସମୁଦ୍ର ପରି ଏକ ବିଶାଳ ସରୋବର ନିକଟରେ ପହଞ୍ଚିଲେ | ସେହି ସରୋବରର ଜଳ ମହାପୁରୁଷମାନଙ୍କର ଚିତ୍ତ ସଦୃଶ ଅତ୍ୟନ୍ତ ସ୍ବଚ୍ଛ ଥିଲା ତଥା ସେଥିରେ ବାସ କରୁଥିବା ମତ୍ସ୍ୟାଦି ଜଳଜୀବ ମଧ୍ୟ ପ୍ରସନ୍ନ ଦେଖା ଯାଉଥିଲେ |

ନୀଲରକ୍ତୋତ୍ପଲାମ୍ଭୋଜକହ୍ଲାରେନ୍ଦୀବରାକରମ୍ ।

ହଂସସାରସଚକ୍ରାହ୍ୱକାରଣ୍ଡବନିକୂଜିତମ୍ ॥ ୨୧॥

ତାହା ନୀଳକମଳ, ଲାଲକମଳ, ଦିନ-ରାତି-ସାୟଂକାଳରେ ଫୁଟୁଥିବା କମଳ ତଥା ଇନ୍ଦୀବର ଆଦି ଅନ୍ୟ କେତେ ପ୍ରକାରର କମଳରେ ସୁଶୋଭିତ ଥିଲା | ତାହାର ତଟଦେଶରେ ହଂସ, ରାଜହଂସ, ଚକୁଆ, କାରଣ୍ଡବ ଆଦି ଜଳପକ୍ଷୀମାନେ ଚହକିବାରେ ଲାଗିଥିଲେ |

ମତ୍ତଭ୍ରମରସୌସ୍ୱର୍ୟହୃଷ୍ଟରୋମଲତାଙ୍ଘ୍ରିପମ୍ ।

ପଦ୍ମକୋଶରଜୋ ଦିକ୍ଷୁ ବିକ୍ଷିପତ୍ପବନୋତ୍ସବମ୍ ॥ ୨୨॥

ତାହାର ଚତୁର୍ପାର୍ଶ୍ବରେ ଅନେକ ବୃକ୍ଷ-ଲତା ଥିଲା, ଯାହା ଉପରେ ଉନ୍ମତ୍ତ ଭ୍ରମରମାନେ ଗୁଞ୍ଜରଣ କରୁଥିଲେ | ସେମାନଙ୍କର ମଧୁର ଧ୍ବନିରେ ହର୍ଷିତ ହୋଇ ପ୍ରଚେତାମାନଙ୍କର ଶରୀର ପୁଲକିତ ହୋଇ ଉଠୁଥିଲା | ବାୟୁପ୍ରବାହରେ କମଳକୋଶର ପରାଗପୁଞ୍ଜ ଏଣେତେଣେ ଉଡି ବୁଲୁଥିଲା, ଦେଖିଲେ ମନେ ହେଉଥିଲା ସତେ ଯେପରି କୌଣସି ଉତ୍ସବ ପାଳନ କରାଯାଉଛି |

ତତ୍ର ଗାନ୍ଧର୍ୱମାକର୍ଣ୍ୟ ଦିବ୍ୟମାର୍ଗମନୋହରମ୍ ।

ବିସିସ୍ମ୍ୟୂ ରାଜପୁତ୍ରାସ୍ତେ ମୃଦଙ୍ଗପଣବାଦ୍ୟନୁ ॥ ୨୩॥

ସେଠାରେ ମୃଦଙ୍ଗ, ପଣବ ଆଦି ବାଦ୍ୟ ସହିତ ଅନେକ ଦିବ୍ୟ ରାଗ-ରାଗିଣୀରେ ଗାୟନର ମଧୁର ଧ୍ବନି ଶୁଣି ରାଜକୁମାରମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ |

ତର୍ହ୍ୟେବ ସରସସ୍ତସ୍ମାନ୍ନିଷ୍କ୍ରାମନ୍ତଂ ସହାନୁଗମ୍ ।

ଉପଗୀୟମାନମମରପ୍ରବରଂ ବିବୁଧାନୁଗୈଃ ॥ ୨୪॥

ତପ୍ତହେମନିକାୟାଭଂ ଶିତିକଣ୍ଠଂ ତ୍ରିଲୋଚନମ୍ ।

ପ୍ରସାଦସୁମୁଖଂ ବୀକ୍ଷ୍ୟ ପ୍ରଣେମୁର୍ଜାତକୌତୁକାଃ ॥ ୨୫॥

ସେତିକିବେଳେ ସେମାନେ ଦେଖିବାକୁ ପାଇଲେ ଯେ ଦେବାଧିଦେବ ଭଗବାନ ଶଂକର ନିଜ ଅନୁଚରମାନଙ୍କ ସହିତ ସେହି ସରୋବରରୁ ଉଠି ଆସୁଛନ୍ତି | ତାଙ୍କର ବପୁ ତପ୍ତ କାଞ୍ଚନ ସଦୃଶ କାନ୍ତିମାନ୍ ଥିଲା, କଣ୍ଠ ନୀଳବର୍ଣ୍ଣ ଥିଲା ତଥା ତାଙ୍କର ତିନୋଟି ବିଶାଳ ନେତ୍ର ଥିଲା | ସେ ନିଜ ଭକ୍ତଜନଙ୍କ ପ୍ରତି ଅନୁଗ୍ରହ କରିବାକୁ ଉଦ୍ୟତ ଥିଲେ | ଗନ୍ଧର୍ବମାନେ ତାଙ୍କର ସୁଯଶ ଗାନ କରୁଥିଲେ | ସହସା ତାଙ୍କୁ ସେଠାରେ ଦେଖି ପ୍ରଚେତାମାନଙ୍କ ମନରେ କୌତୁହଳ ଜାତ ହେଲା ଏବଂ ସେମାନେ ଭଗବାନ ଶଂକରଙ୍କୁ ପ୍ରଣାମ କଲେ |

ସ ତାନ୍ ପ୍ରପନ୍ନାର୍ତିହରୋ ଭଗବାନ୍ ଧର୍ମବତ୍ସଲଃ ।

ଧର୍ମଜ୍ଞାନ୍ ଶୀଲସମ୍ପନ୍ନାନ୍ ପ୍ରୀତଃ ପ୍ରୀତାନୁବାଚ ହ ॥ ୨୬॥

ସେତେବେଳେ ଶରଣାଗତ-ଭୟହାରୀ ଧର୍ମବତ୍ସକ ଭଗବାନ ଶଂକର ତାଙ୍କର ଦର୍ଶନ ପ୍ରାପ୍ତ କରି ପ୍ରସନ୍ନ ହୋଇଥିବା ସେହି ଧର୍ମଜ୍ଞ ଏବଂ ଶୀଳସମ୍ପନ୍ନ ରାଜକୁମାରମାନଙ୍କୁ ଏହିପରି କହିଥିଲେ -

ରୁଦ୍ର ଉବାଚ

ଯୂୟଂ ବେଦିଷଦଃ ପୁତ୍ରା ବିଦିତଂ ବଶ୍ଚିକୀର୍ଷିତମ୍ ।

ଅନୁଗ୍ରହାୟ ଭଦ୍ରଂ ବ ଏବଂ ମେ ଦର୍ଶନଂ କୃତମ୍ ॥ ୨୭॥

ଶ୍ରୀମହାଦେବ କହିଲେ – ତୁମ୍ଭେମାନେ ରାଜା ପ୍ରାଚୀନବର୍ହିଙ୍କର ପୁତ୍ର ଅଟ, ତୁମର କଲ୍ୟାଣ ହେଉ | ତୁମ୍ଭେମାନେ ଯାହାକିଛି କରିବାକୁ ଇଚ୍ଛା କରୁଛ, ତାହା ମୁଁ ଜାଣେ | ତୁମ୍ଭମାନଙ୍କ ପ୍ରତି କୃପା କରିବା ନିମନ୍ତେ ହିଁ ମୁଁ ଏହି ସମୟରେ ତୁମ୍ଭମାନଙ୍କୁ ଦର୍ଶନ ଦେଇଛି |

ଯଃ ପରଂ ରଂହସଃ ସାକ୍ଷାତ୍ତ୍ରିଗୁଣାଜ୍ଜୀବସଞ୍ଜ୍ଞିତାତ୍ ।

ଭଗବନ୍ତଂ ବାସୁଦେବଂ ପ୍ରପନ୍ନଃ ସ ପ୍ରିୟୋ ହି ମେ ॥ ୨୮॥

ଯେଉଁ ବ୍ୟକ୍ତି ଅବ୍ୟକ୍ତ ପ୍ରକୃତି ତଥା ଜୀବସଂଜ୍ଞକ ପୁରୁଷ – ଏହି ଦୁହିଁଙ୍କର ନିୟମକ ଭଗବାନ ବାସୁଦେବଙ୍କର ସାକ୍ଷାତ୍ ଶରଣ ଗ୍ରହଣ କରିଥାଆନ୍ତି, ସେମାନେ ମୋର ପରମ ପ୍ରିୟ ଅଟନ୍ତି |

ସ୍ୱଧର୍ମନିଷ୍ଠଃ ଶତଜନ୍ମଭିଃ ପୁମାନ୍

ବିରିଞ୍ଚତାମେତି ତତଃ ପରଂ ହି ମାମ୍ ।

ଅବ୍ୟାକୃତଂ ଭାଗବତୋଽଥ ବୈଷ୍ଣବଂ

ପଦଂ ଯଥାହଂ ବିବୁଧାଃ କଲାତ୍ୟଯେ ॥ ୨୯॥

ନିଜ ବର୍ଣ୍ଣାଶ୍ରମଧର୍ମ ଉତ୍ତମ ରୂପେ ପାଳନ କରୁଥିବା ପୁରୁଷ ଶହେ ଜନ୍ମ ପରେ ବ୍ରହ୍ମାଙ୍କର ପଦ ପ୍ରାପ୍ତ କରିଥାଆନ୍ତି ଏବଂ ତାଠାରୁ ମଧ୍ୟ ଅଧିକ ପୁଣ୍ୟ କଲେ, ସେ ମୋତେ ପ୍ରାପ୍ତ କରନ୍ତି | କିନ୍ତୁ ଯିଏ ଭଗବାନଙ୍କର ଅନନ୍ୟ ଭକ୍ତ ଅଟନ୍ତି, ସେ ତ ମୃତ୍ୟୁ ପରେ ସିଧା ଭଗବାନ ବିଷ୍ଣୁଙ୍କର ସେହି ସର୍ବପ୍ରପଞ୍ଚାତୀତ ପରମପଦକୁ ପ୍ରାପ୍ତ କରିନିଅନ୍ତି, ଯାହା ରୁଦ୍ରରୂପରେ ସ୍ଥିତ ମୁଁ ତଥା ଅନ୍ୟ ଅଧିକାରୀ ଦେବତାମାନେ ନିଜ-ନିଜ ଅଧିକାର ସମାପ୍ତ ହେବା ପରେ ହିଁ ପ୍ରାପ୍ତ କରିବୁ |

ଅଥ ଭାଗବତା ଯୂୟଂ ପ୍ରିୟାଃ ସ୍ଥ ଭଗବାନ୍ ଯଥା ।

ନ ମଦ୍ଭାଗବତାନାଂ ଚ ପ୍ରେୟାନନ୍ୟୋଽସ୍ତି କର୍ହିଚିତ୍ ॥ ୩୦॥

ତୁମ୍ଭେମାନେ ଭାଗବଡ଼-ଭକ୍ତ ହୋଇଥିବା ଯୋଗୁଁ ମୋତେ ଭଗବାନଙ୍କ ପରି ପ୍ରିୟ ଅଟ | ସେହିପରି ଭଗବାନଙ୍କର ଭକ୍ତମାନଙ୍କ ପାଇଁ ମଧ୍ୟ ମୋଠାରୁ ବଳି ଅନ୍ୟ କେହି ପ୍ରିୟ ନୁହଁନ୍ତି |

ଇଦଂ ବିବିକ୍ତଂ ଜପ୍ତବ୍ୟଂ ପବିତ୍ରଂ ମଙ୍ଗଲଂ ପରମ୍ ।

ନିଃଶ୍ରେୟସକରଂ ଚାପି ଶ୍ରୂୟତାଂ ତଦ୍ୱଦାମି ବଃ ॥ ୩୧॥

ଏବେ ମୁଁ ତୁମକୁ ଏକ ଅତ୍ୟନ୍ତ ପବିତ୍ର, ମଙ୍ଗଳକର ଏବଂ କଲ୍ୟାଣକାରୀ ସ୍ତୋତ୍ର ଶୁଣାଉଛି | ତୁମ୍ଭେମାନେ ଶୁଦ୍ଧଭାବରେ ଏହାର ଜପ କରିବ |

ମୈତ୍ରେୟ ଉବାଚ

ଇତ୍ୟନୁକ୍ରୋଶହୃଦୟୋ ଭଗବାନାହ ତାଞ୍ଛିବଃ ।

ବଦ୍ଧାଞ୍ଜଲୀନ୍ ରାଜପୁତ୍ରାନ୍ ନାରାୟଣପରୋ ବଚଃ ॥ ୩୨॥

ମୈତ୍ରେୟ କହୁଛନ୍ତି – ସେତେବେଳେ ନାରାୟଣପରାୟଣ କରୁଣାର୍ଦ୍ରହୃଦୟ ଭଗବାନ ଶିବ ତାଙ୍କ ସମ୍ମୁଖରେ ଯୋଡହସ୍ତରେ ଦଣ୍ଡାୟମାନ ରାଜପୁତ୍ରମାନଙ୍କୁ ଏହି ସ୍ତୋତ୍ର ଶୁଣାଇଲେ |

ରୁଦ୍ର ଉବାଚ

ଜିତଂ ତ ଆତ୍ମବିଦ୍ଧୁର୍ୟସ୍ୱସ୍ତୟେ ସ୍ୱସ୍ତିରସ୍ତୁ ମେ ।

ଭବତା ରାଧସା ରାଦ୍ଧଂ ସର୍ୱସ୍ମା ଆତ୍ମନେ ନମଃ ॥ ୩୩॥

ଭଗବାନ ରୁଦ୍ର ସ୍ତୁତି କରିବାରେ ଲାଗିଲେ – ଭଗବନ୍ ! ଆପଣଙ୍କର ଉତ୍କର୍ଷ ଉଚ୍ଚକୋଟିର ଆତ୍ମଜ୍ଞାନୀମାନଙ୍କର କଲ୍ୟାଣ ନିମନ୍ତେ – ନିଜାନନ୍ଦ ଲାଭ ନିମନ୍ତେ ଅଟେ, ତହିଁରେ ମୋର ମଧ୍ୟ କଲ୍ୟାଣ ନିହିତ | ଆପଣ ସର୍ବଦା ନିଜ ନିରତିଶୟ ପରମାନନ୍ଦ-ସ୍ବରୂପରେ ସ୍ଥିତ ଅଟନ୍ତି, ଏପରି ସର୍ବାତ୍ମକ ଆତ୍ମସ୍ବରୂପ ଆପଣଙ୍କୁ ମୁଁ ନମସ୍କାର କରୁଛି |

ନମଃ ପଙ୍କଜନାଭାୟ ଭୂତସୂକ୍ଷ୍ମେନ୍ଦ୍ରିୟାତ୍ମନେ ।

ବାସୁଦେବାୟ ଶାନ୍ତାୟ କୂଟସ୍ଥାୟ ସ୍ୱରୋଚିଷେ ॥ ୩୪॥

ଆପଣ ପଦ୍ମନାଭ (ସମସ୍ତ ଲୋକର ଆଦିକାରଣ) ଅଟନ୍ତି; ଭୂତସୂକ୍ଷ୍ମ (ତନ୍ମାତ୍ର) ଏବଂ ଇନ୍ଦ୍ରିୟମାନଙ୍କର ନିୟନ୍ତା, ଶାନ୍ତ, ଏକରସ ଏବଂ ସ୍ବୟଂପ୍ରକାଶ ବାସୁଦେବ (ଚିତ୍ତର ଅଧିଷ୍ଠାତା) ମଧ୍ୟ ଆପଣ ହିଁ ଅଟନ୍ତି; ଆପଣଙ୍କୁ ମୋର ନମସ୍କାର |

ସଙ୍କର୍ଷଣାୟ ସୂକ୍ଷ୍ମାୟ ଦୁରନ୍ତାୟାନ୍ତକାୟ ଚ ।

ନମୋ ବିଶ୍ୱପ୍ରବୋଧାୟ ପ୍ରଦ୍ୟୁମ୍ନାୟାନ୍ତରାତ୍ମନେ ॥ ୩୫॥

ଆପଣ ହିଁ ସୂକ୍ଷ୍ମ (ଅବ୍ୟକ୍ତ), ଅନନ୍ତ ଏବଂ ମୁଖାଗ୍ନି ଦ୍ବାରା ସମ୍ପୂର୍ଣ୍ଣ ଲୋକକୁ ସଂହାର କରୁଥିବା ଅହଂକାରର ଅଧିଷ୍ଠାତା ସଂକର୍ଷଣ ତଥା ଜଗତର ପ୍ରକୃଷ୍ଟ ଜ୍ଞାନର ଉଦଗମସ୍ଥାନ ବୁଦ୍ଧିର ଅଧିଷ୍ଠାତା ପ୍ରଦ୍ୟୁମ୍ନ ଅଟନ୍ତି; ଆପଣଙ୍କୁ ନମସ୍କାର |

ନମୋ ନମୋଽନିରୁଦ୍ଧାୟ ହୃଷୀକେଶେନ୍ଦ୍ରିୟାତ୍ମନେ ।

ନମଃ ପରମହଂସାୟ ପୂର୍ଣାୟ ନିଭୃତାତ୍ମନେ ॥ ୩୬॥

ଆପଣ ହିଁ ଇନ୍ଦ୍ରିୟମାନଙ୍କର ସ୍ବାମୀ, ମନସ୍ତତ୍ତ୍ବର ଅଧିଷ୍ଠାତା ଅନିରୁଦ୍ଧ ଅଟନ୍ତି; ଆପଣଙ୍କୁ ବାରମ୍ବାର ନମସ୍କାର | ନିଜ ତେଜରେ ଜଗତରେ ବ୍ୟାପ୍ତ ସୂର୍ଯ୍ୟଦେବ ଆପଣ ଅଟନ୍ତି, ପୂର୍ଣ୍ଣ ହୋଇଥିବା କାରଣରୁ ଆପଣଙ୍କର ବୃଦ୍ଧି ଏବଂ କ୍ଷୟ ହୁଏନାହିଁ; ଆପଣଙ୍କୁ ନମସ୍କାର |

ସ୍ୱର୍ଗାପବର୍ଗଦ୍ୱାରାୟ ନିତ୍ୟଂ ଶୁଚିଷଦେ ନମଃ ।

ନମୋ ହିରଣ୍ୟବୀର୍ୟାୟ ଚାତୁର୍ହୋତ୍ରାୟ ତନ୍ତବେ ॥ ୩୭॥

ଆପଣ ସ୍ବର୍ଗ ଏବଂ ମୋକ୍ଷର ଦ୍ବାର ଅଟନ୍ତି ତଥା ପବିତ୍ର ହୃଦୟରେ ନିରନ୍ତର ବାସ କରିଥାଆନ୍ତି; ଆପଣଙ୍କୁ ନମସ୍କାର | ଆପଣ ହିଁ ସୁବର୍ଣ୍ଣରୂପ ବୀର୍ଯ୍ୟରେ ଯୁକ୍ତ ଏବଂ ଚାତୁର୍ହୋତ୍ର କର୍ମର ସାଧନ ତଥା ବିସ୍ତାରକ ଅଗ୍ନିଦେବ ଅଟନ୍ତି; ଆପଣଙ୍କୁ ମୋର ନମସ୍କାର |

ନମ ଊର୍ଜ ଇଷେ ତ୍ରୟ୍ୟାଃ ପତୟେ ଯଜ୍ଞରେତସେ ।

ତୃପ୍ତିଦାୟ ଚ ଜୀବାନାଂ ନମଃ ସର୍ୱରସାତ୍ମନେ ॥ ୩୮॥

ଆପଣ ପିତୃପୁରୁଷ ଏବଂ ଦେବତାମାନଙ୍କର ପୋଷକ ସୋମ ଅଟନ୍ତି ତଥା ବେଦତ୍ରୟୀର ଅଧିଷ୍ଠାତା ଅଟନ୍ତି; ମୁଁ ଆପଣଙ୍କୁ ନମସ୍କାର କରୁଛି | ଆପଣ ହିଁ ସମସ୍ତ ପ୍ରାଣୀଙ୍କୁ ତୃପ୍ତ କରୁଥିବା ସର୍ବରସ (ଜଳ) ରୂପ ଅଟନ୍ତି; ଆପଣଙ୍କୁ ନମସ୍କାର |

ସର୍ୱସତ୍ତ୍ୱାତ୍ମଦେହାୟ ବିଶେଷାୟ ସ୍ଥବୀୟସେ ।

ନମସ୍ତ୍ରୈଲୋକ୍ୟପାଲାୟ ସହ ଓଜୋ ବଲାୟ ଚ ॥ ୩୯॥

ଆପଣ ସମସ୍ତ ପ୍ରାଣୀଙ୍କର ଦେହ, ପୃଥିବୀ ଏବଂ ବିରାଟସ୍ବରୂପ ଅଟନ୍ତି ତଥା ତ୍ରିଲୋକୀର ରକ୍ଷାକାରୀ ମାନସିକ, ଐନ୍ଦ୍ରିୟିକ ଏବଂ ଶାରୀରିକ ଶକ୍ତିସ୍ଵରୂପ ବାୟୁ (ପ୍ରାଣ) ଅଟନ୍ତି; ଆପଣଙ୍କୁ ନମସ୍କାର |

ଅର୍ଥଲିଙ୍ଗାୟ ନଭସେ ନମୋଽନ୍ତର୍ବହିରାତ୍ମନେ ।

ନମଃ ପୁଣ୍ୟାୟ ଲୋକାୟ ଅମୁଷ୍ମୈ ଭୂରିବର୍ଚସେ ॥ ୪୦॥

ଆପଣ ହିଁ ନିଜ ଗୁଣ ଶବ୍ଦ ଦ୍ବାରା ସମସ୍ତ ପଦାର୍ଥର ଜ୍ଞାନ କରାଉଥିବା ଏବଂ ବାହାର-ଭିତର ମଧ୍ୟରେ ଭେଦ ସୃଷ୍ଟି କରାଉଥିବା ଆକାଶ ଅଟନ୍ତି ତଥା ଆପଣ ହିଁ ମହାନ୍ ପୁଣ୍ୟ ବଳରେ ପ୍ରାପ୍ତ ହେଉଥିବା ପରମ ତେଜୋମୟ ସ୍ବର୍ଗ-ବୈକୁଣ୍ଠାଦି ଅଟନ୍ତି; ଆପଣଙ୍କୁ ପୁନଃ ପୁନଃ ନମସ୍କାର |

ପ୍ରବୃତ୍ତାୟ ନିବୃତ୍ତାୟ ପିତୃଦେବାୟ କର୍ମଣେ ।

ନମୋଽଧର୍ମବିପାକାୟ ମୃତ୍ୟବେ ଦୁଃଖଦାୟ ଚ ॥ ୪୧॥

ଆପଣ ପିତୃଲୋକ ପ୍ରାପ୍ତ କରାଉଥିବା ପ୍ରବୃତ୍ତି-କର୍ମରୂପ ଏବଂ ଦେବଲୋକ ପ୍ରାପ୍ତିର ସାଧନ ନିବୃତ୍ତି-କର୍ମରୂପ ଅଟନ୍ତି ତଥା ଆପଣ ହିଁ ଅଧର୍ମର ଫଳସ୍ବରୂପ ଦୁଃଖଦାୟକ ମୃତ୍ୟୁ ଅଟନ୍ତି; ଆପଣଙ୍କୁ ନମସ୍କାର |

ନମସ୍ତ ଆଶିଷାମୀଶ ମନବେ କାରଣାତ୍ମନେ ।

ନମୋ ଧର୍ମାୟ ବୃହତେ କୃଷ୍ଣାୟାକୁଣ୍ଠମେଧସେ ।

ପୁରୁଷାୟ ପୁରାଣାୟ ସାଙ୍ଖ୍ୟଯୋଗେଶ୍ୱରାୟ ଚ ॥ ୪୨॥

ହେ ନାଥ ! ଆପଣ ହିଁ ପୁରାଣପୁରୁଷ ତଥା ସାଂଖ୍ୟ ଏବଂ ଯୋଗର ଅଧୀଶ୍ବର ଭଗବାନ ଶ୍ରୀକୃଷ୍ଣ ଅଟନ୍ତି; ଆପଣ ସବୁ ପ୍ରକାର କାମନାର ପୂର୍ତ୍ତିର କାରଣ, ସାକ୍ଷାତ ମନ୍ତ୍ରମୂର୍ତ୍ତି ଏବଂ ମହାନ୍ ଧର୍ମସ୍ବରୂପ ଅଟନ୍ତି; ଆପଣଙ୍କର ଜ୍ଞାନଶକ୍ତି କୌଣସି ପ୍ରକାରେ କୁଣ୍ଟିତ ହୋଇ ନ ଥାଏ; ଆପଣଙ୍କୁ ବାରମ୍ବାର ନମସ୍କାର |

ଶକ୍ତିତ୍ରୟସମେତାୟ ମୀଢୁଷେଽହଙ୍କୃତାତ୍ମନେ ।

ଚେତ ଆକୂତିରୂପାୟ ନମୋ ବାଚୋ ବିଭୂତୟେ ॥ ୪୩॥

ଆପଣ ହିଁ କର୍ତ୍ତା, କରଣ ଏବଂ କର୍ମ – ତିନୋଟିଯାକ ଶକ୍ତିର ଏକମାତ୍ର ଆଶ୍ରୟ ଅଟନ୍ତି; ଆପଣ ହିଁ ଅହଂକାରର ଅଧିଷ୍ଠାତା ରୁଦ୍ର ଅଟନ୍ତି; ଆପଣ ହିଁ ଜ୍ଞାନ ଏବଂ କ୍ରିୟାସ୍ବରୂପ ଅଟନ୍ତି ତଥା ଆପଣଙ୍କଠାରେ ହିଁ ପରା, ପଶ୍ୟନ୍ତୀ, ମଧ୍ୟମା ଏବଂ ବୈଖରୀ – ଚାରି ପ୍ରକାର ବାଣୀର ଅଭିବ୍ୟକ୍ତି ହୋଇଥାଏ; ଆପଣଙ୍କୁ ନମସ୍କାର |

ଦର୍ଶନଂ ନୋ ଦିଦୃକ୍ଷୂଣାଂ ଦେହି ଭାଗବତାର୍ଚିତମ୍ ।

ରୂପଂ ପ୍ରିୟତମଂ ସ୍ୱାନାଂ ସର୍ୱେନ୍ଦ୍ରିୟଗୁଣାଞ୍ଜନମ୍ ॥ ୪୪॥

ହେ ପ୍ରଭୁ ! ଆମ୍ଭେମାନେ ଆପଣଙ୍କ ଦର୍ଶନର ଅଭିଳାଷୀ ଅଟୁ; ତେଣୁ ଆପଣଙ୍କର ଭକ୍ତଜନ ଯେଉଁ ସ୍ବରୂପର ପୂଜନ କରନ୍ତି ଏବଂ ଯାହା ଆପଣଙ୍କ ନିଜଜନଙ୍କୁ ଅତ୍ୟନ୍ତ ପ୍ରୟ ଅଟେ, ଆପଣ ଆମ୍ଭମାନଙ୍କୁ ନିଜର ସେହି ଅନୂପ ରୂପର ଦର୍ଶନ କରାନ୍ତୁ | ଆପଣଙ୍କର ସେହି ରୂପ ନିଜ ଗୁଣରେ ସମସ୍ତ ଇନ୍ଦ୍ରିୟଙ୍କୁ ତୃପ୍ତ କରିଥାଏ |

ସ୍ନିଗ୍ଧପ୍ରାବୃଟ୍ ଘନଶ୍ୟାମଂ ସର୍ୱସୌନ୍ଦର୍ୟସଙ୍ଗ୍ରହମ୍ ।

ଚାର୍ୱାୟତଚତୁର୍ବାହୁଂ ସୁଜାତରୁଚିରାନନମ୍ ॥ ୪୫॥

ପଦ୍ମକୋଶପଲାଶାକ୍ଷଂ ସୁନ୍ଦରଭ୍ରୂ ସୁନାସିକମ୍ ।

ସୁଦ୍ୱିଜଂ ସୁକପୋଲାସ୍ୟଂ ସମକର୍ଣବିଭୂଷଣମ୍ ॥ ୪୬॥

ତାହା ବର୍ଷାକାଳୀନ ମେଘ ସଦୃଶ ସ୍ନିଗ୍ଧ ଶ୍ୟାମ ଏବଂ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟର ସାର-ସର୍ବସ୍ବ ଅଟେ | ତାହା ସୁନ୍ଦର ବିଶାଳ ଚାରୋଟି ଭୁଜ, ମନୋହର ମୁଖାରବିନ୍ଦ, କମଳଦଳ ପରି ନେତ୍ର, ସୁନ୍ଦର ଭ୍ରୁକୁଟୀ, ଉନ୍ନତ ନାସିକା, ମନମୋହିନୀ ଦନ୍ତପଂକ୍ତି, ସୁଗୋଲ-କପୋଳଯୁକ୍ତ ମନୋହର ମୁଖମଣ୍ଡଳ ଏବଂ ଶୋଭାଶାଳୀ କର୍ଣ୍ଣ-ଯୁଗଳରେ ଶୋଭିତ ରହିଛି |

ପ୍ରୀତିପ୍ରହସିତାପାଙ୍ଗମଲକୈରୁପଶୋଭିତମ୍ ।

ଲସତ୍ପଙ୍କଜକିଞ୍ଜଲ୍କଦୁକୂଲଂ ମୃଷ୍ଟକୁଣ୍ଡଲମ୍ ॥ ୪୭॥

ସ୍ଫୁରତ୍କିରୀଟବଲୟହାରନୂପୁରମେଖଲମ୍ ।

ଶଙ୍ଖଚକ୍ରଗଦାପଦ୍ମମାଲାମଣ୍ୟୁତ୍ତମର୍ଦ୍ଧିମତ୍ ॥ ୪୮॥

ପ୍ରୀତିପୂର୍ଣ୍ଣ ଉନ୍ମୁକ୍ତ ହାସ୍ୟ, ତୀକ୍ଷ୍ଣ କଟାକ୍ଷ, କୃଷ୍ଣ କୁଞ୍ଚିତ ଅଳକାବଳୀ, କମଳକୁସୁମର କେସର ରଙ୍ଗର ଫରଫର ଉଡୁଥିବା ପୀତାମ୍ବର, ଝଲମଲ ହେଉଥିବା କୁଣ୍ଡଳ, ଚକମକ କରୁଥିବା ମୁକୁଟ, କଙ୍କଣ, ହାର, ନୂପୁର ଏବଂ ମେଖଳା ଆଦି ବିଚିତ୍ର ଆଭୂଷଣ ତଥା ଶଂଖ, ଚକ୍ର, ଗଦା, ପଦ୍ମ, ବନମାଳା ଏବଂ କୌସ୍ତୁଭମଣି ଯୁକ୍ତ ହୋଇ ଆପଣ ଅପୂର୍ବ ଭାବରେ ଶୋଭା ପାଉଛନ୍ତି |

ସିଂହସ୍କନ୍ଧତ୍ୱିଷୋ ବିଭ୍ରତ୍ସୌଭଗଗ୍ରୀବକୌସ୍ତୁଭମ୍ ।

ଶ୍ରିୟାନପାୟିନ୍ୟା କ୍ଷିପ୍ତନିକଷାଶ୍ମୋରସୋଲ୍ଲସତ୍ ॥ ୪୯॥

ଆପଣଙ୍କର ସିଂହ ସଦୃଶ ସ୍ଥୂଳ ସ୍କନ୍ଧରେ ହାର, କେୟୂର ଏବଂ କୁଣ୍ଡଳାଦିର କାନ୍ତି ଝଲମଲ ହେଉଛି | କୌସ୍ତୁଭମଣିର କାନ୍ତିରେ ସୁଶୋଭିତ ମନୋହର ଗ୍ରୀବା | ଆପଣଙ୍କର ଶ୍ୟାମଳ ବକ୍ଷ-ସ୍ଥଳ ଶ୍ରୀବତ୍ସଚିହ୍ନ ରୂପରେ ଲକ୍ଷ୍ମୀଦେବୀଙ୍କର ନିତ୍ୟ ନିବାସ ହୋଇଥିବା କାରଣରୁ କସୌଟୀର ଶୋଭାକୁ ମଧ୍ୟ ପରାସ୍ତ କରୁଛି |

ପୂରରେଚକସମ୍ବିଗ୍ନବଲିବଲ୍ଗୁଦଲୋଦରମ୍ ।

ପ୍ରତିସଙ୍କ୍ରାମୟଦ୍ୱିଶ୍ୱଂ ନାଭ୍ୟାଽଽବର୍ତଗଭୀରୟା ॥ ୫୦॥

ଆପଣଙ୍କର ତ୍ରିବଳୀ ଶୋଭିତ ଅଶ୍ବତ୍ଥ ପତ୍ର ସଦୃଶ ସୁଢ଼ଳ ଉଦର ନିଃଶ୍ବାସ-ପ୍ରଶ୍ବାସ କ୍ରମରେ ଦୋଳାୟିତ ହୋଇ ଅତ୍ୟନ୍ତ ମନୋହର ପ୍ରତୀତ ହେଉଛି | ତହିଁରେ ଭଅଁର ପରି ଯେଉଁ ଚକ୍ରାକାର ନାଭି ରହିଛି, ତାହା ଏତେ ଗଭୀର ଯେ ମନେହେଉଛି ସେଥିରୁ ଉତ୍ପନ୍ନ ହୋଇଥିବା ବିଶ୍ବ ପୁନର୍ବାର ସେଥିରେ ଲୀନ ହୋଇଯିବାକୁ ଇଚ୍ଛା କରୁଛି |

ଶ୍ୟାମଶ୍ରୋଣ୍ୟଧିରୋଚିଷ୍ଣୁ ଦୁକୂଲସ୍ୱର୍ଣମେଖଲମ୍ ।

ସମଚାର୍ୱଙ୍ଘ୍ରିଜଙ୍ଘୋରୁନିମ୍ନଜାନୁସୁଦର୍ଶନମ୍ ॥ ୫୧॥

ଶ୍ୟାମବର୍ଣ୍ଣ, କଟିଭାଗରେ ପୀତାମ୍ବର ଏବଂ ସୁବର୍ଣ୍ଣ ମେଖଳା ଶୋଭାୟମାନ | ସମାନାକାର ଏବଂ ସୁନ୍ଦର ଚରଣ, ପିଣ୍ଡଳି, ଜଂଘ ଏବଂ ଆଣ୍ଠୁ ଯୋଗୁଁ ଆପଣଙ୍କର ଦିବ୍ୟ ବିଗ୍ରହ ଅତୀବ ମନୋହର ପ୍ରତୀତ ହେଉଛି |

ପଦା ଶରତ୍ପଦ୍ମପଲାଶରୋଚିଷା

ନଖଦ୍ୟୁଭିର୍ନୋଽନ୍ତରଘଂ ବିଧୁନ୍ୱତା ।

ପ୍ରଦର୍ଶୟ ସ୍ୱୀୟମପାସ୍ତସାଧ୍ୱସଂ

ପଦଂ ଗୁରୋ ମାର୍ଗଗୁରୁସ୍ତମୋଜୁଷାମ୍ ॥ ୫୨॥

ଆପଣଙ୍କ ଚରଣକମଳର ଶୋଭା ଶରତ ଋତୁର କମଳ-ଦଳର କାନ୍ତିକୁ ମଧ୍ୟ ତିରସ୍କାର କରୁଛି | ନଖରୁ ବିଚ୍ଛୁରିତ ପ୍ରକାଶ ଜୀବର ହୃଦୟାନ୍ଧକାରକୁ ତତ୍କାଳ ନଷ୍ଟ କରିଦେଉଛି | ଆପଣ କୃପା କରି ଆମ୍ଭମାନଙ୍କୁ ନିଜର ସେହି ଭକ୍ତମାନଙ୍କର ଭୟହାରୀ ଏବଂ ଆଶ୍ରୟସ୍ବରୂପ ରୂପର ଦର୍ଶନ କରାନ୍ତୁ | ହେ ଜଗଦ୍ଗୁରୁ ! ଏହି ଅଜ୍ଞାନାବୃତ ପ୍ରାଣୀ ସମୁଦାୟକୁ ନିଜ ପ୍ରାପ୍ତିର ମାର୍ଗ ନିର୍ଦ୍ଦେଶ କରୁଥିବା ଆପଣ ହିଁ ଆମର ଗୁରୁ ଅଟନ୍ତି |

ଏତଦ୍ରୂପମନୁଧ୍ୟେୟମାତ୍ମଶୁଦ୍ଧିମଭୀପ୍ସତାମ୍ ।

ଯଦ୍ଭକ୍ତିୟୋଗୋଭୟଦଃ ସ୍ୱଧର୍ମମନୁତିଷ୍ଠତାମ୍ ॥ ୫୩॥

ପ୍ରଭୁ ! ଚିତ୍ତଶୁଦ୍ଧିର ଅଭିଳାଷ ରଖିଥିବା ପୁରୁଷ ନିରନ୍ତର ଆପଣଙ୍କର ଏହି ରୂପର ଧ୍ୟାନ କରିବା ଉଚିତ୍ | ଏହାର ଭକ୍ତି ସ୍ବଧର୍ମ ପାଳନ କରୁଥିବା ପୁରୁଷକୁ ଅଭୟ ପ୍ରଦାନ କରିଥାଏ |

ଭବାନ୍ ଭକ୍ତିମତା ଲଭ୍ୟୋ ଦୁର୍ଲଭଃ ସର୍ୱଦେହିନାମ୍ ।

ସ୍ୱାରାଜ୍ୟସ୍ୟାପ୍ୟଭିମତ ଏକାନ୍ତେନାତ୍ମବିଦ୍ଗତିଃ ॥ ୫୪॥

ସ୍ବର୍ଗର ଅଧିପତି ଇନ୍ଦ୍ର ମଧ୍ୟ ଆପଣଙ୍କୁ ପ୍ରାପ୍ତ କରିବାକୁ ଇଛା କରନ୍ତି ତଥା ବିଶୁଦ୍ଧ ଆତ୍ମଜ୍ଞାନୀମାନଙ୍କର ଗତି ମଧ୍ୟ ଆପଣ ହିଁ ଅଟନ୍ତି | ଏହିପରି ଭାବରେ ଆପଣ ସମସ୍ତ ଦେହଧାରୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଲଭ ଅଟନ୍ତି; କେବଳ ଭକ୍ତିମାନ୍ ପୁରୁଷ ହିଁ ଆପଣଙ୍କୁ ପ୍ରାପ୍ତ କରିପାରନ୍ତି |

ତଂ ଦୁରାରାଧ୍ୟମାରାଧ୍ୟ ସତାମପି ଦୁରାପୟା ।

ଏକାନ୍ତଭକ୍ତ୍ୟା କୋ ବାଞ୍ଛେତ୍ପାଦମୂଲଂ ବିନା ବହିଃ ॥ ୫୫॥

ସତ୍-ପୁରୁଷଙ୍କ ପାଇଁ ମଧ୍ୟ ଦୁର୍ଲଭ ଅନନ୍ୟ ଭକ୍ତି ଦ୍ବାରା ଭଗବାନଙ୍କୁ ପ୍ରସନ୍ନ କରି, ଯାହାର ପ୍ରସନ୍ନତା ଅନ୍ୟ କୌଣସି ସାଧନ ଦ୍ବାରା ଦୁଃସାଧ୍ୟ ଅଟେ, ଏପରି କେଉଁ ପୁରୁଷ ଅବା ଆପଣଙ୍କର ଚରଣତଳ ଅତିରିକ୍ତ ଅନ୍ୟ କିଛି ଇଚ୍ଛା କରିବ ?

ଯତ୍ର ନିର୍ୱିଷ୍ଟମରଣଂ କୃତାନ୍ତୋ ନାଭିମନ୍ୟତେ ।

ବିଶ୍ୱଂ ବିଧ୍ୱଂସୟନ୍ ବୀର୍ୟଶୌର୍ୟବିସ୍ଫୂର୍ଜିତଭ୍ରୁବା ॥ ୫୬॥

ଯେଉଁ କାଳ ନିଜର ଅଦମ୍ୟ ଉତ୍ସାହ ଏବଂ ପରାକ୍ରମରେ ଭ୍ରୁକୁଟୀକୁ ସାମାନ୍ୟ ବକ୍ର କରି ସମଗ୍ର ସଂସାରର ସଂହାର କରିଦିଏ, ସେ ମଧ୍ୟ ଆପଣଙ୍କ ଚରଣର ଶରଣ ଗ୍ରହଣ କରିଥିବା ପ୍ରାଣୀ ଉପରେ ନିଜର ଅଧିକାର ସ୍ବୀକାର କରି ନ ଥାଏ |

କ୍ଷଣାର୍ଧେନାପି ତୁଲୟେ ନ ସ୍ୱର୍ଗଂ ନାପୁନର୍ଭବମ୍ ।

ଭଗବତ୍ସଙ୍ଗିସଙ୍ଗସ୍ୟ ମର୍ତ୍ୟାନାଂ କିମୁତାଶିଷଃ ॥ ୫୭॥

ଏପରି ଭଗବାନଙ୍କର ପ୍ରେମୀ ଭକ୍ତମାନଙ୍କର ଯଦି ଅର୍ଦ୍ଧେକ କ୍ଷଣ ପାଇଁ ମଧ୍ୟ ସମାଗମ ମିଳିଯାଏ, ତା ସମ୍ମୁଖରେ ମୁଁ ସ୍ବର୍ଗ ଏବଂ ମୋକ୍ଷକୁ ମଧ୍ୟ ତୁଚ୍ଛ ମନେ କରିଥାଏ | ସେ କ୍ଷେତ୍ରରେ ମର୍ତ୍ତ୍ୟଲୋକର ତୁଚ୍ଛ ଭୋଗ କିଏ ଇଚ୍ଛା କରିବ?

ଅଥାନଘାଙ୍ଘ୍ରେସ୍ତବ କୀର୍ତିତୀର୍ଥୟୋ-

ରନ୍ତର୍ବହିଃ ସ୍ନାନବିଧୂତପାପ୍ମନାମ୍ ।

ଭୂତେଷ୍ୱନୁକ୍ରୋଶସୁସତ୍ତ୍ୱଶୀଲିନାଂ

ସ୍ୟାତ୍ସଙ୍ଗମୋଽନୁଗ୍ରହ ଏଷ ନସ୍ତବ ॥ ୫୮॥

ହେ ପ୍ରଭୁ ! ଆପଣଙ୍କର ଚରଣ ସମ୍ପୂର୍ଣ୍ଣ ପାପରାଶିକୁ ହରଣ କରିଥାଏ | ଆମେ ତ କେବଳ ଏତିକି ଇଚ୍ଛା କରୁଛୁ ଯେଉଁ ବ୍ୟକ୍ତି ଆପଣଙ୍କର କୀର୍ତ୍ତି ଏବଂ ତୀର୍ଥ (ଗଙ୍ଗା) ରେ ଆନ୍ତରିକ ଏବଂ ବାହ୍ୟ ସ୍ନାନ କରି ମାନସିକ ଏବଂ ଶାରୀରିକ ଉଭୟ ପ୍ରକାରର ପାପକୁ ଧୌତ କରିଦେଇ ଥାଆନ୍ତି ତଥା ଯିଏ ଜୀବ ପ୍ରତି ଦୟା, ରାଗ-ଦ୍ବେଷରହିତ ଚିତ୍ତ ତଥା ସରଳତା ଆଦି ଗୁଣରେ ଯୁକ୍ତ ଅଟନ୍ତି, ଆପଣଙ୍କର ସେହିପରି ଭକ୍ତଜନଙ୍କର ସଙ୍ଗ ଆମ୍ଭମାନଙ୍କୁ ସର୍ବଦା ପ୍ରାପ୍ତ ହେଉ | ଏହା ହିଁ ଆମ୍ଭମାନଙ୍କ ଉପରେ ସବୁଠାରୁ ବଡ କୃପା ହେବ |

ନ ଯସ୍ୟ ଚିତ୍ତଂ ବହିରର୍ଥବିଭ୍ରମଂ

ତମୋଗୁହାୟାଂ ଚ ବିଶୁଦ୍ଧମାବିଶତ୍ ।

ଯଦ୍ଭକ୍ତିୟୋଗାନୁଗୃହୀତମଞ୍ଜସା

ମୁନିର୍ୱିଚଷ୍ଟେ ନନୁ ତତ୍ର ତେ ଗତିମ୍ ॥ ୫୯॥

ଯେଉଁ ସାଧକର ଚିତ୍ତ ଭକ୍ତିଯୋଗରେ ଅନୁଗୃହୀତ ଏବଂ ବିଶୁଦ୍ଧ ହୋଇ ବାହ୍ୟ ବିଷୟ ପ୍ରତି ଉନ୍ମୁଖ ହୋଇ ନ ଥାଏ କି ଅଜ୍ଞାନ-ଗୁହାରୂପ ପ୍ରକୃତିରେ ହିଁ ଲୀନ ହୋଇଥାଏ, ସେ ଅନାୟାସ ହିଁ ଆପଣଙ୍କ ସ୍ବରୂପର ଦର୍ଶନ ପ୍ରାପ୍ତ କରିନିଅନ୍ତି |

ଯତ୍ରେଦଂ ବ୍ୟଜ୍ୟତେ ବିଶ୍ୱଂ ବିଶ୍ୱସ୍ମିନ୍ନବଭାତି ଯତ୍ ।

ତତ୍ତ୍ୱଂ ବ୍ରହ୍ମ ପରଞ୍ଜ୍ୟୋତିରାକାଶମିବ ବିସ୍ତୃତମ୍ ॥ ୬୦॥

ଯାହାଠାରେ ଏହି ସମଗ୍ର ଜଗତ ଦୃଶ୍ୟମାନ ଏବଂ ଯିଏ ସ୍ବୟଂ ସମ୍ପୂର୍ଣ୍ଣ ଜଗତ ରୂପରେ ଦୃଷ୍ଟ ଅଟନ୍ତି, ଆକାଶ ସଦୃଶ ସେହି ବିସ୍ତୃତ ଏବଂ ପରମ ପ୍ରକାଶମୟ ବ୍ରହ୍ମତତ୍ତ୍ବ ଆପଣ ହିଁ ଅଟନ୍ତି |

ଯୋ ମାୟଯେଦଂ ପୁରୁରୂପୟାସୃଜ-

ଦ୍ବିଭର୍ତି ଭୂୟଃ କ୍ଷପୟତ୍ୟବିକ୍ରିୟଃ ।

ଯଦ୍ଭେଦବୁଦ୍ଧିଃ ସଦିବାତ୍ମଦୁଃସ୍ଥୟା

ତମାତ୍ମତନ୍ତ୍ରଂ ଭଗବନ୍ ପ୍ରତୀମହି ॥ ୬୧॥

ଭଗବନ୍ ! ଆପଣଙ୍କର ମାୟା ଅନେକ ପ୍ରକାରର ରୂପ ଧାରଣ କରିଥାଏ | ତଦ୍ବାରା ଆପଣ ଏପରି ଭାବରେ ଜଗତର ରଚନା, ପାଳନ ଏବଂ ସଂହାର କରିଥାଆନ୍ତି ଯେପରି କି ତାହା କୌଣସି ସଦ୍-ବସ୍ତୁ ଅଟେ | କିନ୍ତୁ ତାହା ଦ୍ବାରା ଆପଣଙ୍କଠାରେ କୌଣସି ପ୍ରକାରର ବିକାର ଉତ୍ପନ୍ନ ହୋଇ ନ ଥାଏ | ମାୟା ଯୋଗୁଁ ଅନ୍ୟମାନଙ୍କଠାରେ ଭେଦବୁଦ୍ଧି ଉତ୍ପନ୍ନ ହୋଇଥାଏ, କିନ୍ତୁ ଆପଣଙ୍କ ପରି ପରମାତ୍ମାଙ୍କୁ ପ୍ରଭାବିତ କରିବା ପାଇଁ ସେ ଅସମର୍ଥ ଅଟେ | ଆପଣ ତ ପରମ ସ୍ବତନ୍ତ୍ର ଅଟନ୍ତି |

କ୍ରିୟାକଲାପୈରିଦମେବ ଯୋଗିନଃ

ଶ୍ରଦ୍ଧାନ୍ୱିତାଃ ସାଧୁ ଯଜନ୍ତି ସିଦ୍ଧୟେ ।

ଭୂତେନ୍ଦ୍ରିୟାନ୍ତଃକରଣୋପଲକ୍ଷିତଂ

ବେଦେ ଚ ତନ୍ତ୍ରେ ଚ ତ ଏବ କୋବିଦାଃ ॥ ୬୨॥

ଆପଣଙ୍କର ସ୍ବରୂପ ପଞ୍ଚଭୂତ, ଇନ୍ଦ୍ରିୟ ଏବଂ ଅନ୍ତଃକରଣର ପ୍ରେରକ ରୂପରେ ଉପଲକ୍ଷିତ ହୋଇଥାଏ | ଯେଉଁ କର୍ମଯୋଗୀ ସିଦ୍ଧି ପ୍ରାପ୍ତ କରିବା ନିମନ୍ତେ ଭିନ୍ନ ଭିନ୍ନ କର୍ମ ଦ୍ବାରା ଆପଣଙ୍କର ଏହି ସଗୁଣ-ସାକାର ସ୍ବରୂପର ଶ୍ରଦ୍ଧାପୂର୍ବକ ପୂଜନ କରନ୍ତି, ସେମାନେ ହିଁ ବେଦ ଏବଂ ଶାସ୍ତ୍ରର ବାସ୍ତବିକ ମର୍ମଜ୍ଞ ଅଟନ୍ତି |

ତ୍ୱମେକ ଆଦ୍ୟଃ ପୁରୁଷଃ ସୁପ୍ତଶକ୍ତି-

ସ୍ତୟା ରଜଃସତ୍ତ୍ୱତମୋ ବିଭିଦ୍ୟତେ ।

ମହାନହଂ ଖଂ ମରୁଦଗ୍ନିବାର୍ଧରାଃ

ସୁରର୍ଷୟୋ ଭୂତଗଣା ଇଦଂ ଯତଃ ॥ ୬୩॥

ପ୍ରଭୁ ! ଆପଣ ହିଁ ଅଦ୍ବିତୀୟ ଆଦିପୁରୁଷ ଅଟନ୍ତି | ସୃଷ୍ଟି ପୂର୍ବରୁ ଆପଣଙ୍କର ମାୟଶକ୍ତି ସୁପ୍ତ ରହିଥାଏ | ତାପରେ ସେଥିରେ ସତ୍ତ୍ବ, ରଜ ଏବଂ ତମରୂପ ଗୁଣର ଭେଦ ସୃଷ୍ଟି ହୋଇଥାଏ ଏବଂ ତତ୍ପଶ୍ଚାତ୍ ସେହିସବୁ ଗୁଣରୁ ମହତ୍ତତ୍ତ୍ବ, ଅହଂକାର, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ, ଦେବତା, ଋଷି ଏବଂ ସମସ୍ତ ପ୍ରାଣୀମାନଙ୍କରେ ଯୁକ୍ତ ଏହି ଜଗତର ଉତ୍ପତ୍ତି ହୋଇଥାଏ |

ସୃଷ୍ଟଂ ସ୍ୱଶକ୍ତ୍ୟେଦମନୁପ୍ରବିଷ୍ଟ-

ଶ୍ଚତୁର୍ୱିଧଂ ପୁରମାତ୍ମାଂଶକେନ ।

ଅଥୋ ବିଦୁସ୍ତଂ ପୁରୁଷଂ ସନ୍ତମନ୍ତ-

ର୍ଭୁଙ୍କ୍ତେ ହୃଷୀକୈର୍ମଧୁ ସାରଘଂ ଯଃ ॥ ୬୪॥

ଏହା ପରେ ଆପଣ ନିଜର ହିଁ ମାୟଶକ୍ତିରେ ରଚିତ ଏହି ଜରାୟୁଜ, ଅଣ୍ଡଜ, ସ୍ବେଦଜ ଏବଂ ଉଦ୍ଭିଦଜ୍ଜ ଭେଦରେ ଚାରି ପ୍ରକାରର ଶରୀରରେ ଅଂଶରୂପରେ ପ୍ରବେଶ କରନ୍ତି ଏବଂ ମଧୁମକ୍ଷୀମାନେ ଯେପରି ନିଜ ଦ୍ବାରା ଉତ୍ପନ୍ନ ମଧୁର ଆସ୍ବାଦନ କରିଥାଆନ୍ତି ସେହିପରି ଆପଣଙ୍କର ସେହି ଅଂଶ ଶରୀର ମଧ୍ୟରେ ରହି ଇନ୍ଦ୍ରିୟମାନଙ୍କ ଦ୍ବାରା ତୁଚ୍ଛ ବିଷୟକୁ ଭୋଗ କରିଥାଏ | ଆପଣଙ୍କର ସେହି ଅଂଶକୁ ହିଁ ପୁରୁଷ ବା ଜୀବ କହନ୍ତି |

ସ ଏଷ ଲୋକାନତିଚଣ୍ଡବେଗୋ

ବିକର୍ଷସି ତ୍ୱଂ ଖଲୁ କାଲୟାନଃ ।

ଭୂତାନି ଭୂତୈରନୁମେୟତତ୍ତ୍ୱୋ

ଘନାବଲୀର୍ୱାୟୁରିବାବିଷହ୍ୟଃ ॥ ୬୫॥

ହେ ପ୍ରଭୁ ! ଆପଣଙ୍କର ତତ୍ତ୍ବଜ୍ଞାନ ପ୍ରତ୍ୟକ୍ଷରେ ନୁହେଁ ଅନୁମାନ ଦ୍ବାରା ହୋଇଥାଏ | ପ୍ରଳୟକାଳ ଉପସ୍ଥିତ ହେଲେ କାଳସ୍ବରୂପ ଆପଣ ହିଁ ନିଜର ପ୍ରଚଣ୍ଡ ଏବଂ ଅସହ୍ୟ ବେଗରେ ପୃଥ୍ବୀ ଆଦି ଭୂତଙ୍କୁ ଅନ୍ୟ ଭୂତମାନଙ୍କ ଦ୍ବାରା ବିଚଳିତ କରାଇ ସମସ୍ତ ଲୋକର ସଂହାର କରିଥାଆନ୍ତି – ଠିକ୍ ଯେପରି ବାୟୁ ନିଜର ଅସହନୀୟ ପ୍ରଚଣ୍ଡ ପ୍ରବାହରେ ମେଘ ଦ୍ବାରା ହିଁ ମେଘକୁ ଖିନ୍ନ-ଭିନ୍ନ କରି ନଷ୍ଟ କରି ଦେଇଥାଏ |

ପ୍ରମତ୍ତମୁଚ୍ଚୈରିତିକୃତ୍ୟଚିନ୍ତୟା

ପ୍ରବୃଦ୍ଧଲୋଭଂ ବିଷୟେଷୁ ଲାଲସମ୍ ।

ତ୍ୱମପ୍ରମତ୍ତଃ ସହସାଭିପଦ୍ୟସେ

କ୍ଷୁଲ୍ଲେଲିହାନୋଽହିରିବାଖୁମନ୍ତକଃ ॥ ୬୬॥

ଭଗବନ୍ ! ଏହି ମୋହଗ୍ରସ୍ତ ଜୀବ ପ୍ରମାଦବଶ ସବୁ ସମୟରେ ଏହି ଚିନ୍ତାରେ ରହିଥାଏ ଯେ ‘ଅମୁକ କାର୍ଯ୍ୟ କରିବି | ଏହାର ଲୋଭ ବୃଦ୍ଧି ଲାଭ କରିଛି ଏବଂ ଏହାଠାରେ ବିଷୟର ଲାଳସା ହିଁ ସର୍ବଦା ରହିଛି | କିନ୍ତୁ ଆପଣ ସଦା ସଜାଗ ରହିଥାଆନ୍ତି; ଭୋକରେ ଜିଭ ଲହଲହ କରି ସର୍ପ ମୂଷିକକୁ ଗିଳିଦେବା ପରି ଆପଣ ନିଜ କାଳସ୍ବରୂପରେ ତାହାକୁ ସହସା ଉଦରସ୍ଥ କରିନିଅନ୍ତି |

କସ୍ତ୍ୱତ୍ପଦାବ୍ଜଂ ବିଜହାତି ପଣ୍ଡିତୋ

ଯସ୍ତେଽବମାନବ୍ୟଯମାନକେତନଃ ।

ବିଶଙ୍କୟାସ୍ମଦ୍ଗୁରୁରର୍ଚତି ସ୍ମ ଯଦ୍-

ବିନୋପପତ୍ତିଂ ମନବଶ୍ଚତୁର୍ଦଶ ॥ ୬୭॥

ଆପଣଙ୍କର ଅବହେଳନା କରିବା କାରଣରୁ ନିଜର ଆୟୁକୁ ବ୍ୟର୍ଥ ମନେ କରୁଥିବା ଏପରି କେଉଁ ବିଦ୍ବାନ ଥିବେ ଯିଏ କି ଆପଣଙ୍କର ଚରଣକମଳକୁ ଭୁଲିଯିବେ ? ତାହାର ପୂଜନ ତ କାଳର ଆଶଙ୍କାରେ ହିଁ ଆମ୍ଭମାନଙ୍କର ପିତା ବ୍ରହ୍ମାଜୀ ଏବଂ ସ୍ବାୟମ୍ଭୂବ ଆଦି ଚଉଦ ମନୁ ମଧ୍ୟ କୌଣସି ବିଚାର ନ କରି କେବଳ ଶ୍ରଦ୍ଧାପୂର୍ବକ ହିଁ କରୁଥିଲେ |

ଅଥ ତ୍ୱମସି ନୋ ବ୍ରହ୍ମନ୍ ପରମାତ୍ମନ୍ ବିପଶ୍ଚିତାମ୍ ।

ବିଶ୍ୱଂ ରୁଦ୍ରଭୟଧ୍ୱସ୍ତମକୁତଶ୍ଚିଦ୍ଭୟା ଗତିଃ ॥ ୬୮॥

ବ୍ରହ୍ମନ୍ ! ଏହିରୂପେ ସାରା ଜଗତ ରୁଦ୍ରରୂପ କାଳର ଭୟରେ ବ୍ୟାକୁଳ ରହିଥାଆନ୍ତି | ତେଣୁ ହେ ପରମାତ୍ମନ୍ ! ଏହି ତତ୍ତ୍ବକୁ ଜାଣିଥିବା ଆମ୍ଭମାନଙ୍କ ପାଇଁ ଆପଣ ହିଁ ସର୍ବତୋ ଭାବରେ ଭୟଶୂନ୍ୟ ଆଶ୍ରୟ ଅଟନ୍ତି |

ଇଦଂ ଜପତ ଭଦ୍ରଂ ବୋ ବିଶୁଦ୍ଧା ନୃପନନ୍ଦନାଃ ।

ସ୍ୱଧର୍ମମନୁତିଷ୍ଠନ୍ତୋ ଭଗବତ୍ୟର୍ପିତାଶୟାଃ ॥ ୬୯॥

ଅତଏବ ହେ ରାଜକୁମାରଗଣ ! ତୁମ୍ଭେମାନେ ବିଶୁଦ୍ଧଭାବରେ ସ୍ବଧର୍ମର ଆଚରଣ କରି ଭଗବାନଙ୍କଠାରେ ଚିତ୍ତନିବେଶ କରି ମୋ ଦ୍ବାରା କୁହାଯାଇ ଥିବା ଏହି ସ୍ତୋତ୍ରର ଜପ କର; ଭଗବାନ ତୁମର ମଙ୍ଗଳ କରିବେ |

ତମେବାତ୍ମାନମାତ୍ମସ୍ଥଂ ସର୍ୱଭୂତେଷ୍ୱବସ୍ଥିତମ୍ ।

ପୂଜୟଧ୍ୱଂ ଗୃଣନ୍ତଶ୍ଚ ଧ୍ୟାୟନ୍ତଶ୍ଚାସକୃଦ୍ଧରିମ୍ ॥ ୭୦॥

ତୁମ୍ଭେମାନେ ନିଜ ଅନ୍ତଃକରଣରେ ସ୍ଥିତ ସେହି ସର୍ବଭୂତାନ୍ତର୍ଯ୍ୟାମୀ ପରମାତ୍ମା ଶ୍ରୀହରିଙ୍କର ହିଁ ବାରମ୍ବାର ସ୍ତବନ ଏବଂ ଚିନ୍ତନ କରି ପୂଜନ କର |

ଯୋଗାଦେଶମୁପାସାଦ୍ୟ ଧାରୟନ୍ତୋ ମୁନିବ୍ରତାଃ ।

ସମାହିତଧିୟଃ ସର୍ୱ ଏତଦଭ୍ୟସତାଦୃତାଃ ॥ ୭୧॥

ମୁଁ ତୁମ୍ଭମାନଙ୍କୁ ଯୋଗାଦେଶ ନାମକ ଏହି ସ୍ତୋତ୍ର ଶୁଣାଇଲି | ତୁମ୍ଭେମାନେ ଏହାକୁ ମନରେ ଧାରଣ କରି ମୁନିବ୍ରତ ଆଚରଣ କରି ଏକାଗ୍ର ଭାବରେ ଆଦରପୂର୍ବକ ଏହାର ଅଭ୍ୟାସ କର |

ଇଦମାହ ପୁରାସ୍ମାକଂ ଭଗବାନ୍ ବିଶ୍ୱସୃକ୍ପତିଃ ।

ଭୃଗ୍ୱାଦୀନାମାତ୍ମଜାନାଂ ସିସୃକ୍ଷୁଃ ସଂସିସୃକ୍ଷତାମ୍ ॥ ୭୨॥

ଜଗତବିସ୍ତାର ଉଦ୍ଦେଶ୍ୟରେ ଏହି ସ୍ତୋତ୍ର ପୂର୍ବକାଳରେ ପ୍ରଜାପତିମାନଙ୍କର ପତି ଭଗବାନ ବ୍ରହ୍ମାଜୀ ଆମ୍ଭମାନଙ୍କ ପରି ପ୍ରଜା ଉତ୍ପନ୍ନ କରିବାକୁ ଇଚ୍ଛୁକ ଭୃଗୁ ଆଦି ନିଜ ପୁତ୍ରମାନଙ୍କୁ ଶୁଣାଇ ଥିଲେ |

ତେ ବୟଂ ନୋଦିତାଃ ସର୍ୱେ ପ୍ରଜାସର୍ଗେ ପ୍ରଜେଶ୍ୱରାଃ ।

ଅନେନ ଧ୍ୱସ୍ତତମସଃ ସିସୃକ୍ଷ୍ମୋ ବିବିଧାଃ ପ୍ରଜାଃ ॥ ୭୩॥

ଆମ୍ଭମାନଙ୍କ ପରି ପ୍ରଜାପତିମାନଙ୍କୁ ଯେତେବେଳେ ପ୍ରଜା ବିସ୍ତାର କରିବାକୁ ଆଜ୍ଞା ମିଳିଲା, ସେତେବେଳେ ଏହା ଦ୍ବାରା ଆମେ ନିଜ ଅଜ୍ଞାନ ନିବୃତ୍ତ କରି ଅନେକ ପ୍ରକାରର ପ୍ରଜା ଉତ୍ପନ୍ନ କରିଥିଲୁ |

ଅଥେଦଂ ନିତ୍ୟଦା ଯୁକ୍ତୋ ଜପନ୍ନବହିତଃ ପୁମାନ୍ ।

ଅଚିରାଚ୍ଛ୍ରେୟ ଆପ୍ନୋତି ବାସୁଦେବପରାୟଣଃ ॥ ୭୪॥

ଏବେ ମଧ୍ୟ ଯେଉଁ ଭଗବତ୍-ପରାୟଣ ପୁରୁଷ ଏକାଗ୍ର ଚିତ୍ତରେ ନିତ୍ୟପ୍ରତି ଏହାର ଜପ କରିବେ, ତାଙ୍କର ଅତି ଶୀଘ୍ର କଲ୍ୟାଣ ହୋଇଯିବ |

ଶ୍ରେୟସାମିହ ସର୍ୱେଷାଂ ଜ୍ଞାନଂ ନିଃଶ୍ରେୟସଂ ପରମ୍ ।

ସୁଖଂ ତରତି ଦୁଷ୍ପାରଂ ଜ୍ଞାନନୌର୍ୱ୍ୟସନାର୍ଣବମ୍ ॥ ୭୫॥

ଏହି ସଂସାରରେ ସମସ୍ତ ପ୍ରକାରର କଲ୍ୟାଣସାଧନ ମଧ୍ୟରେ ମୋକ୍ଷଦାୟକ ଜ୍ଞାନ ହିଁ ସର୍ବଶ୍ରେଷ୍ଠ ଅଟେ | ଜ୍ଞାନ-ନୌକାରେ ଆରୂଢ ହୋଇ ପୁରୁଷ ଅନାୟାସରେ ଏହି ଦୁସ୍ତର ସଂସାରସାଗରକୁ ପାର କରିଯାଏ |

ଯ ଇମଂ ଶ୍ରଦ୍ଧୟା ଯୁକ୍ତୋ ମଦ୍ଗୀତଂ ଭଗବତ୍ସ୍ତବମ୍ ।

ଅଧୀୟାନୋ ଦୁରାରାଧ୍ୟଂ ହରିମାରାଧୟତ୍ୟସୌ ॥ ୭୬॥

ଯଦିଓ ଭଗବାନଙ୍କର ଆରାଧନା ବହୁତ କଠିନ ଅଟେ, କିନ୍ତୁ ମୋ ଦ୍ବାରା କଥିତ ଏହି ସ୍ତୋତ୍ରକୁ ଯିଏ ଶ୍ରଦ୍ଧାପୂର୍ବକ ପାଠ କରିବେ, ସେ ସୁଗମତାରେ ତାଙ୍କର ପ୍ରସନ୍ନତା ପ୍ରାପ୍ତ କରିନେବେ |

ବିନ୍ଦତେ ପୁରୁଷୋଽମୁଷ୍ମାଦ୍ୟଦ୍ୟଦିଚ୍ଛତ୍ୟସତ୍ୱରମ୍ ।

ମଦ୍ଗୀତଗୀତାତ୍ସୁପ୍ରୀତାଚ୍ଛ୍ରେୟସାମେକବଲ୍ଲଭାତ୍ ॥ ୭୭॥

ଭଗବାନ ହିଁ ସମ୍ପୂର୍ଣ୍ଣ କଲ୍ୟାଣସାଧନର ଏକମାତ୍ର ପ୍ରିୟ-ପ୍ରାପ୍ତବ୍ୟ ଅଟନ୍ତି | ତେଣୁ ମୁଁ ଗାନ କରିଥିବା ଏହି ସ୍ତୋତ୍ରର ଗାୟନ କରି ତାଙ୍କୁ ପ୍ରସନ୍ନ କରିପାରିଲେ, ସ୍ଥିର ଚିତ୍ତରେ ବ୍ୟକ୍ତି ତାଙ୍କଠାରୁ ଯାହା ମାଗିବ, ତାହା ତାକୁ ମିଳିଯିବ |

ଇଦଂ ଯଃ କଲ୍ୟ ଉତ୍ଥାୟ ପ୍ରାଞ୍ଜଲିଃ ଶ୍ରଦ୍ଧୟାନ୍ୱିତଃ ।

ଶୃଣୁୟାଚ୍ଛ୍ରାବୟେନ୍ମର୍ତ୍ୟୋ ମୁଚ୍ୟତେ କର୍ମବନ୍ଧନୈଃ ॥ ୭୮॥

ଯେଉଁ ପୁରୁଷ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଶ୍ରଦ୍ଧାପୂର୍ବକ ହାତ ଯୋଡି ଏହାକୁ ଶୁଣନ୍ତି ବା ଶୁଣାନ୍ତି, ସେ ସବୁ ପ୍ରକାରର କର୍ମବନ୍ଧନରୁ ମୁକ୍ତ ହୋଇଯାଆନ୍ତି |

ଗୀତଂ ମୟେଦଂ ନରଦେବନନ୍ଦନାଃ

ପରସ୍ୟ ପୁଂସଃ ପରମାତ୍ମନଃ ସ୍ତବମ୍ ।

ଜପନ୍ତ ଏକାଗ୍ରଧିୟସ୍ତପୋ ମହ-

ଚ୍ଚରଧ୍ୱମନ୍ତେ ତତ ଆପ୍ସ୍ୟଥେପ୍ସିତମ୍ ॥ ୭୯॥

ହେ ରାଜକୁମାରଗଣ ! ମୁଁ ତୁମ୍ଭମାନଙ୍କୁ ପରମପୁରୁଷ ପରମାତ୍ମାଙ୍କର ଏହି ଯେଉଁ ସ୍ତୋତ୍ର ଶୁଣାଇଲି, ତୁମ୍ଭେମାନେ ଏକାଗ୍ର ଚିତ୍ତରେ ଏହାର ଜପ କରି ମହାନ୍ ତପସ୍ୟା କର | ତପସ୍ୟା ପୂର୍ଣ୍ଣ ହେବା ପରେ ଏହାଦ୍ବାରା ତୁମେ ଅଭୀଷ୍ଟ ଫଳ ପ୍ରାପ୍ତ କରିବ |

 ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ରୁଦ୍ରଗୀତଂ ନାମ ଚତୁର୍ୱିଂଶୋଽଧ୍ୟାୟଃ ॥ ୨୪॥ 

Comments

Popular posts from this blog