ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମ ସ୍କନ୍ଧ ॥
ତୃତୀୟ ଅଧ୍ୟାୟ
ରାଜା ନାଭିଙ୍କ ଚରିତ୍ର
ଶ୍ରୀଶୁକ ଉବାଚ
ନାଭିରପତ୍ୟକାମୋଽପ୍ରଜୟା ମେରୁଦେବ୍ୟା ଭଗବନ୍ତଂ
ଯଜ୍ଞପୁରୁଷମବହିତାତ୍ମାୟଜତ ॥ ୧॥
ରାଜନ୍ ! ଆଗ୍ନୀଧ୍ନ-ପୁତ୍ର ନାଭିଙ୍କର କୌଣସି ସନ୍ତାନ ନ ଥିଲେ;
ସେଥିପାଇଁ ସେ ନିଜ ପତ୍ନୀ ମେରୁଦେବୀଙ୍କ ସହିତ ପୁତ୍ର-କାମନାରେ ଏକାଗ୍ରତାପୂର୍ବକ ଭଗବାନ
ଯଜ୍ଞପୁରୁଷଙ୍କର ଯଜନ କଲେ |
ତସ୍ୟ ହ ବାବ ଶ୍ରଦ୍ଧୟା ବିଶୁଦ୍ଧଭାବେନ ଯଜତଃ ପ୍ରବର୍ଗ୍ୟେଷୁ
ପ୍ରଚରତ୍ସୁ ଦ୍ରବ୍ୟଦେଶକାଲମନ୍ତ୍ରର୍ତ୍ୱିଗ୍ଦକ୍ଷିଣାବିଧାନୟୋଗୋ-
ପପତ୍ତ୍ୟା ଦୁରଧିଗମୋଽପି ଭଗବାନ୍ ଭାଗବତବାତ୍ସଲ୍ୟତୟା
ସୁପ୍ରତୀକ ଆତ୍ମାନମପରାଜିତଂ ନିଜଜନାଭିପ୍ରେତାର୍ଥ-
ବିଧିତ୍ସୟା ଗୃହୀତହୃଦୟୋ ହୃଦୟଙ୍ଗମଂ ମନୋନୟନାନନ୍ଦନା-
ବୟବାଭିରାମମାବିଶ୍ଚକାର ॥ ୨॥
ସର୍ବାଙ୍ଗସୁନ୍ଦର ଶ୍ରୀଭଗବାନ ଯଦିଓ ଦ୍ରବ୍ୟ, ଦେଶ, କାଳ, ମନ୍ତ୍ର, ଋତ୍ବିଜ୍,
ଦକ୍ଷିଣା ଏବଂ ବିଧି – ଏହିସବୁ ଯଜ୍ଞ ସାଧନ ଦ୍ବାରା ପ୍ରାପ୍ତ ହୁଅନ୍ତି ନାହିଁ, ତଥାପି ଭକ୍ତମାନଙ୍କ ପ୍ରତି ସେ ତ କୃପା ହିଁ କରନ୍ତି | ସେଥିପାଇଁ
ମହାରାଜ ନାଭି ଯେତେବେଳେ ଶ୍ରଦ୍ଧାପୂର୍ବକ ବିଶୁଦ୍ଧଭାବରେ ତାଙ୍କର ଆରାଧନା କଲେ, ତାଙ୍କର ଚିତ୍ତ ଭକ୍ତର ଅଭୀଷ୍ଟ କାର୍ଯ୍ୟ କରିବା ନିମନ୍ତେ ଉତ୍ସୁକ
ହୋଇ ଉଠିଲା | ଯଦିଓ ତାଙ୍କର ସ୍ବରୂପ ପୂର୍ଣ୍ଣତଃ ସ୍ବତନ୍ତ୍ର ଅଟେ, ତଥାପି ପ୍ରବର୍ଗ୍ୟକର୍ମର ଅନୁଷ୍ଠାନ ହେଉଥିବା ସମୟରେ ସେ ତାହାକୁ ମନ
ଏବଂ ନେତ୍ରକୁ ଆନନ୍ଦ ଦେଉଥିବା ଅବୟବଯୁକ୍ତ ଅତି ସୁନ୍ଦର ହୃଦୟାକର୍ଷକ ମୂର୍ତ୍ତିରେ ପ୍ରକଟ କଲେ
|
ଅଥ ହ ତମାବିଷ୍କୃତଭୁଜୟୁଗଲଦ୍ୱୟଂ ହିରଣ୍ମୟଂ ପୁରୁଷବିଶେଷଂ
କପିଶକୌଶେୟାମ୍ବରଧରମୁରସି ବିଲସଚ୍ଛ୍ରୀବତ୍ସଲଲାମଂ
ଦରବରବନରୁହବନମାଲାଚ୍ଛୂର୍ୟମୃତମଣିଗଦାଦିଭିରୁପଲକ୍ଷିତଂ
ସ୍ଫୁଟକିରଣପ୍ରବରମୁକୁଟକୁଣ୍ଡଲକଟକକଟିସୂତ୍ରହାରକେୟୂର-
ନୂପୁରାଦ୍ୟଙ୍ଗଭୂଷଣବିଭୂଷିତମୃତ୍ୱିକ୍ସଦସ୍ୟଗୃହପତୟୋଽଧନା
ଇବୋତ୍ତମଧନମୁପଲଭ୍ୟ ସବହୁମାନମର୍ହଣେନାବନତଶୀର୍ଷାଣ
ଉପତସ୍ଥୁଃ ॥ ୩॥
ତାଙ୍କର ଶ୍ରୀଅଙ୍ଗରେ ରେଶମୀ ପୀତାମ୍ବର ଥିଲା, ବକ୍ଷ-ସ୍ଥଳରେ ସୁମନୋହର ଶ୍ରୀବତ୍ସଚିହ୍ନ ସୁଶୋଭିତ ଥିଲା, ଭୁଜମାନଙ୍କରେ ଶଂଖ, ଚକ୍ର, ଗଦା, ପଦ୍ମ ତଥା ଗଳାରେ
ବନମାଳା ଏବଂ କୌସ୍ତୁଭମଣି ଶୋଭା ପାଉଥିଲା | ସମ୍ପୂର୍ଣ୍ଣ ଶରୀର ଅଙ୍ଗ-ପ୍ରତ୍ୟଙ୍ଗର କାନ୍ତିକୁ
ବୃଦ୍ଧି କରୁଥିବା କିରଣଜାଲମଣ୍ଡିତ ମଣିମୟ ମୁକୁଟ, କୁଣ୍ଡଳ, କଙ୍କଣ,
କିଙ୍କିଣୀ, ହାର, ବାଜୁବନ୍ଧ ଏବଂ ନୂପୁର ଆଦି ଆଭୂଷଣରେ ବିଭୂଷିତ ଥିଲା
| ଏପରି ପରମ ତେଜସ୍ବୀ ଚତୁର୍ଭୁଜମୂର୍ତ୍ତି ପୁରୁଷବିଶେଷ ପ୍ରକଟ ହେବା ଦେଖି ଋତ୍ବିଜ୍, ସଦସ୍ୟ ଏବଂ ଯଜମାନ ଆଦି ସମସ୍ତେ ଏପରି ଆହ୍ଲାଦିତ ହୋଇ ଉଠିଲେ ଯେପରି
ନିର୍ଧନ ପୁରୁଷ ଅପାର ଧନରାଶି ପ୍ରାପ୍ତ କରି କିଂକର୍ତ୍ତବ୍ୟବିମୂଢ଼ ହୋଇଯାଏ | ତାପରେ ସେମାନେ
ସମସ୍ତେ ମସ୍ତକ ଅବନତ କରି ଅତ୍ୟନ୍ତ ଆଦରପୂର୍ବକ ଅର୍ଘ୍ୟ ଦ୍ବାରା ପ୍ରଭୁଙ୍କର ପୂଜା କଲେ ଏବଂ
ଋତ୍ବିଜମାନେ ତାଙ୍କର ସ୍ତୁତି କଲେ |
ଋତ୍ୱିଜ ଊଚୁଃ
ଅର୍ହସି ମୁହୁରର୍ହତ୍ତମାର୍ହଣମସ୍ମାକମନୁପଥାନାଂ ନମୋ ନମ
ଇତ୍ୟେତାବତ୍ସଦୁପଶିକ୍ଷିତଂ କୋଽର୍ହତି ପୁମାନ୍ ପ୍ରକୃତିଗୁଣ-
ବ୍ୟତିକରମତିରନୀଶ ଈଶ୍ୱରସ୍ୟ ପରସ୍ୟ ପ୍ରକୃତିପୁରୁଷୟୋ-
ରର୍ୱାକ୍ତନାଭିର୍ନାମରୂପାକୃତିଭୀ ରୂପନିରୂପଣମ୍ ॥ ୪॥
ଋତ୍ବିଜମାନେ କହିଲେ – ହେ ପୂଜ୍ୟତମ ! ଆମ୍ଭେମାନେ ଆପଣଙ୍କର ଅନୁଗତ
ଭକ୍ତ ଅଟୁ; ଆପଣ ଆମ୍ଭମାନଙ୍କର ପରମ ପୂଜନୀୟ ଅଟନ୍ତି | କିନ୍ତୁ
ଆମେ ଆପଣଙ୍କର ପୂଜା କରିବୁ କ’ଣ, ଆମେ ତ ଆପଣଙ୍କୁ ବାରମ୍ବାର ନମସ୍କାର ହିଁ କରିଥାଉ – ମହାପୁରୁଷମାନେ
ଆମକୁ ଏତିକି ହିଁ ଶିଖାଇଛନ୍ତି | ପ୍ରକୃତି ଏବଂ ପୁରୁଷ ଉର୍ଦ୍ଧ୍ବରେ ଆପଣଙ୍କର ସ୍ଥିତି | ତେଣୁ
ପ୍ରାକୃତ ଗୁଣର କାର୍ଯ୍ୟଭୂତ ଏହି ପ୍ରପଞ୍ଚରେ ବୁଦ୍ଧି ଜଡିତ ହୋଇ ଯାଇଥିବାରୁ ଆପଣଙ୍କ ଗୁଣଗାନରେ
ପୂର୍ଣ୍ଣ ଅସମର୍ଥ କେଉଁ ପୁରୁଷ ଭଲା ପ୍ରାକୃତ ନାମ, ରୂପ, ଆକୃତି ଦ୍ବାରା ଆପଣଙ୍କ ସ୍ବରୂପର ନିରୂପଣ କରିପାରିବ ?
ସକଲଜନନିକାୟବୃଜିନନିରସନଶିବତମପ୍ରବର-
ଗୁଣଗଣୈକଦେଶକଥନାଦୃତେ ॥ ୫॥
ଆପଣଙ୍କର ପରମ ମଙ୍ଗଳମୟ ଗୁଣ ସମ୍ପୂର୍ଣ୍ଣ ଜନତାର ଦୁଃଖ ଦଳନ କରିଥାଏ
| କେହି ଯଦି ତାହାର ବର୍ଣ୍ଣନ କରିବାକୁ ସାହସ ବି କରନ୍ତି, ତେବେ କେବଳ ଗୋଟିଏ
ଅଂଶର ହିଁ ବର୍ଣ୍ଣନା କରିପାରିବେ |
ପରିଜନାନୁରାଗବିରଚିତଶବଲସଂଶବ୍ଦସଲିଲସିତ-
କିସଲୟତୁଲସିକାଦୂର୍ୱାଙ୍କୁରୈରପି ସମ୍ଭୃତୟା ସପର୍ୟଯା
କିଲ ପରମ ପରିତୁଷ୍ୟସି ॥ ୬॥
କିନ୍ତୁ ପ୍ରଭୁ ! ଆପଣଙ୍କର କେହି ଭକ୍ତ ଯଦି ପ୍ରେମ ଗଦଗଦ ବାଣୀରେ
ସ୍ତୁତି କରି ସାମାନ୍ୟ ଜଳ, ବିଶୁଦ୍ଧ ପଲ୍ଲବ, ତୁଲସୀ ଏବଂ ଦୂବପତ୍ର ଆଦି ସାମଗ୍ରୀ ଦ୍ବାରା ଆପଣଙ୍କର ପୂଜା କରନ୍ତି, ତେବେ ଆପଣ ସବୁ ପ୍ରକାରରେ ସନ୍ତୁଷ୍ଟ ହୋଇଯାଆନ୍ତି |
ଅଥାନୟାପି ନ ଭବତ ଇଜ୍ୟଯୋରୁଭାରଭରୟା ସମୁଚିତ-
ମର୍ଥମିହୋପଲଭାମହେ ॥ ୭॥
ଆମର ତ ମନେ ହେଉଛି କେବଳ ଅନୁରାଗ ବ୍ୟତିତ ଏହି ଦ୍ରବ୍ୟ, କାଳ ଆଦି ଅନେକ ଅଙ୍ଗଯୁକ୍ତ ଯଜ୍ଞରେ ଆପଣଙ୍କର କୌଣସି ପ୍ରୟୋଜନ
ନାହିଁ |
ଆତ୍ମନ ଏବାନୁସବନମଞ୍ଜସାବ୍ୟତିରେକେଣ ବୋଭୂୟମା-
ନାଶେଷପୁରୁଷାର୍ଥସ୍ୱରୂପସ୍ୟ କିନ୍ତୁ ନାଥାଶିଷ
ଆଶାସାନାନାମେତଦଭିସଂରାଧନମାତ୍ରଂ ଭବିତୁମର୍ହତି ॥ ୮॥
କାରଣ ଆପଣଙ୍କଠାରେ ସ୍ବତଃ ହିଁ ସମ୍ପୂର୍ଣ୍ଣ ପୁରୁଷାର୍ଥର ଫଳସ୍ବରୂପ
ଯେଉଁ ପରମାନନ୍ଦର ପ୍ରାଦୁର୍ଭାବ ନିରନ୍ତର ହେବାରେ ଲାଗିଥାଏ, ଆପଣ ତାହାର
ସାକ୍ଷାତ୍ ସ୍ବରୂପ ହିଁ ଅଟନ୍ତି | କିନ୍ତୁ ଯଦିଓ ଏହି ସବୁ ଯଜ୍ଞାଦି ଅନୁଷ୍ଠାନରେ ଆପଣଙ୍କର
କୌଣସି ପ୍ରୟୋଜନ ନାହିଁ, ତଥାପି ଅନେକ
ପ୍ରକାର କାମନାର ସିଦ୍ଧି ଇଚ୍ଛା କରୁଥିବା ଆମ୍ଭମାନଙ୍କ ପାଇଁ ତ ମନୋରଥସିଦ୍ଧିର ପର୍ଯ୍ୟାପ୍ତ
ସାଧନ ଏହା ହେବା ଉଚିତ୍ |
ତଦ୍ୟଥା ବାଲିଶାନାଂ ସ୍ୱୟମାତ୍ମନଃ ଶ୍ରେୟଃ ପର-ମବିଦୁଷାଂ
ପରମ ପରମପୁରୁଷ ପ୍ରକର୍ଷକରୁଣୟା ସ୍ୱମହିମାନଂ
ଚାପବର୍ଗାଖ୍ୟମୁପକଲ୍ପୟିଷ୍ୟନ୍ ସ୍ୱୟଂ ନାପଚିତ
ଏବେତରବଦିହୋପଲକ୍ଷିତଃ ॥ ୯॥
ଆପଣ ବ୍ରହ୍ମାଦି ପରମ ପୁରୁଷମାନଙ୍କ ଅପେକ୍ଷ ମଧ୍ୟ ପରମ ଶ୍ରେଷ୍ଠ
ଅଟନ୍ତି | କେଉଁ କାର୍ଯ୍ୟରେ ଆମର କଲ୍ୟାଣ ନିହିତ ଆମେ ତାହା ଜାଣିନାହୁଁ, ଆମେ ତ ଆପଣଙ୍କର ଯଥୋଚିତ ପୂଜା ମଧ୍ୟ କରିପାରି ନାହୁଁ; ତଥାପି
ତତ୍ତ୍ବଜ୍ଞ ପୁରୁଷ ଅଡାକରାରେ କେବଳ କରୁଣାବଶତଃ ଅଜ୍ଞାନୀ ପୁରୁଷମାନଙ୍କ ପାଖକୁ ଆସିବା ପରି, ଆପଣ ଆମ୍ଭମାନଙ୍କୁ ମୋକ୍ଷସଂଜ୍ଞକ ନିଜର ପରମପଦ ତଥା ଆମ୍ଭମାନଙ୍କର
ଅଭୀଷ୍ଟ ବସ୍ତୁ ପ୍ରଦାନ କରିବା ନିମନ୍ତେ ସାଧାରଣ ଯଜ୍ଞଦର୍ଶକଙ୍କ ପରି ଏଠାରେ ପ୍ରକଟ ହୋଇଛନ୍ତି
|
ଅଥାୟମେବ ବରୋ ହ୍ୟର୍ହତ୍ତମ ଯର୍ହି ବର୍ହିଷି ରାଜର୍ଷେର୍ୱରଦର୍ଷଭୋ
ଭବାନ୍ ନିଜପୁରୁଷେକ୍ଷଣବିଷୟ ଆସୀତ୍ ॥ ୧୦॥
ପୂଜ୍ୟତମ ! ଆମ ପାଇଁ ସବୁଠାରୁ ବଡ ବର ତ ଏହା ହିଁ ଅଟେ ଯେ
ବ୍ରହ୍ମାଦି ସମସ୍ତ ବରଦାୟକଙ୍କଠାରୁ ଶ୍ରେଷ୍ଠ ହୋଇ ମଧ୍ୟ ଆପଣ ରାଜର୍ଷି ନାଭିଙ୍କର ଏହି
ଯଜ୍ଞଶାଳାରେ ସାକ୍ଷାତ୍ ଆମ୍ଭମାନଙ୍କ ନେତ୍ର ସମ୍ମୁଖରେ ପ୍ରକଟ ହୋଇଛନ୍ତି | ଏବେ ଆମେ ଆଉ କି ବର
ମାଗିବୁ ?
ଅସଙ୍ଗନିଶିତଜ୍ଞାନାନଲବିଧୂତାଶେଷମଲାନାଂ
ଭବତ୍ସ୍ୱଭାବାନାମାତ୍ମାରାମାଣାଂ ମୁନୀନାମନବରତ-
ପରିଗୁଣିତଗୁଣଗଣପରମମଙ୍ଗଲାୟନଗୁଣଗଣ
କଥନୋଽସି ॥ ୧୧॥
ପ୍ରଭୁ ! ଆପଣଙ୍କ ଗୁଣଗଣ ଗାନ ପରମ
ମଙ୍ଗଳମୟ ଅଟେ | ଯେଉଁମାନେ ବୈରାଗ୍ୟରେ ପ୍ରଜ୍ବଳିତ ଜ୍ଞାନାଗ୍ନି ଦ୍ବାରା ନିଜ ଅନ୍ତଃକରଣର
ରାଗ-ଦ୍ବେଷ ଆଦି ସମସ୍ତ ମଳକୁ ଭସ୍ମୀଭୂତ କରି ଦେଇଥାଆନ୍ତି, ଅତଏବ ଯେଉଁମାନଙ୍କର ସ୍ବଭାବ ଆପଣଙ୍କ ପରି ଶାନ୍ତ ଅଟେ, ସେହି ଆତ୍ମାରାମ ମୁନିଗଣ ମଧ୍ୟ ନିରନ୍ତର ଆପଣଙ୍କର ଗୁଣଗାନ କରୁଥାଆନ୍ତି |
ଅଥ କଥଞ୍ଚିତ୍ସ୍ଖଲନକ୍ଷୁତ୍ପତନଜୃମ୍ଭଣଦୁରବସ୍ଥାନାଦିଷୁ
ବିବଶାନାଂ ନଃ ସ୍ମରଣାୟ ଜ୍ୱରମରଣଦଶାୟାମପି ସକଲ-
କଶ୍ମଲନିରସନାନି ତବ ଗୁଣକୃତନାମଧେୟାନି
ବଚନଗୋଚରାଣି ଭବନ୍ତୁ ॥ ୧୨॥
ତେଣୁ ଆମେ ଆପଣଙ୍କଠାରୁ ଏହି ବର ମାଗୁଛୁ ଯେ ପଡିବା, ଝୁଣ୍ଟିବା, ଛିଙ୍କିବା ଅଥବା ହାଇ
ମାରିବା ଏବଂ ସଂକଟ ସମୟରେ ତଥା ଜ୍ବର-ମରଣାଦି ଅବସ୍ଥାରେ ଆପଣଙ୍କର ସ୍ମରଣ ହୋଇ ନ ପାରିଲେ ମଧ୍ୟ
କୌଣସି ପ୍ରକାରେ ଆପଣଙ୍କର ସକଳକଳିମଳବିନାଶକ ‘ଭକ୍ତବତ୍ସଳ’, ‘ଦୀନବନ୍ଧୁ’ ଆଦି ଗୁଣଦ୍ୟୋତକ ନାମର ଉଚ୍ଚାରଣ ଆମେ କରିପାରିବୁ |
କିଞ୍ଚାୟଂ ରାଜର୍ଷିରପତ୍ୟକାମଃ ପ୍ରଜାଂ ଭବାଦୃଶୀମାଶାସାନ
ଈଶ୍ୱରମାଶିଷାଂ ସ୍ୱର୍ଗାପବର୍ଗୟୋରପି ଭବନ୍ତମୁପଧାବତି
ପ୍ରଜାୟାମର୍ଥପ୍ରତ୍ୟଯୋ ଧନଦମିବାଧନଃ ଫଲୀକରଣମ୍ ॥ ୧୩॥
ଏତଦ୍ ବ୍ୟତିତ, କହିବା ଯୋଗ୍ୟ ହୋଇ
ନ ଥିଲେ ବି ଆମର ଅନ୍ୟ ଏକ ପ୍ରାର୍ଥନା ଅଛି | ଆପଣ ସାକ୍ଷାତ୍ ପରମେଶ୍ବର ଅଟନ୍ତି; ସ୍ବର୍ଗ-ଅପବର୍ଗ ଆଦି ଏପରି କୌଣସି ବସ୍ତୁ ନାହିଁ, ଯାହା ଆପଣ ଦେଇ ନ ପାରିବେ | ତଥାପି କୌଣସି କାଙ୍ଗାଳ ଯେପରି ମୁକ୍ତ
ହସ୍ତରେ ଧନ ଦାନ କରୁଥିବା ପରମ ଉଦାର ପୁରୁଷଙ୍କ ପାଖକୁ ଯାଇ ତାଙ୍କଠାରୁ ଭୂଷି ହିଁ ମାଗିଥାଏ, ସେହିପରି ଆମ୍ଭମାନଙ୍କର ଯଜମାନ ଏହି ରାଜର୍ଷି ନାଭି ସନ୍ତାନକୁ ହିଁ
ପରମ ପୁରୁଷାର୍ଥ ମନେକରି ଆପଣଙ୍କ ସମାନ ପୁତ୍ର ପ୍ରାପ୍ତି ନିମନ୍ତେ ଆପଣଙ୍କର ଆରାଧନା କରୁଛନ୍ତି
|
କୋ ବା ଇହ ତେଽପରାଜିତୋଽପରାଜିତୟା ମାୟଯା-
ନବସିତପଦବ୍ୟାନାବୃତମତିର୍ୱିଷୟବିଷରୟାନାବୃତ-
ପ୍ରକୃତିରନୁପାସିତମହଚ୍ଚରଣଃ ॥ ୧୪॥
ଏହା କିଛି ଆଶ୍ଚର୍ଯ୍ୟର କଥା ନୁହେଁ | କେହି ମଧ୍ୟ ଆପଣଙ୍କର ମାୟାକୁ
ଅତିକ୍ରମ କରିପାରନ୍ତି ନାହିଁ କି ଜୟ କରିପାରନ୍ତି ନାହିଁ | ଯେଉଁମାନେ ମହାପୁରୁଷଙ୍କ ଚରଣର
ଆଶ୍ରୟ ଗ୍ରହଣ କରି ନ ଥା’ନ୍ତି, ସେମାନଙ୍କ ମଧ୍ୟରୁ ଏପରି କିଏ ଅଛି ଯିଏ ମାୟାର କବଳିତ ହୋଇ ନ ଥାଏ, ଯାହାର ବୁଦ୍ଧି ଉପରେ ମାୟାର ପରଦା ପଡି ନ ଥାଏ ଏବଂ ବିଷୟରୂପ ବିଷ
ଯାହାର ସ୍ବଭାବକୁ ଦୂଷିତ କରି ନ ଥାଏ ?
ଯଦୁ ହ ବାବ ତବ ପୁନରଦଭ୍ରକର୍ତରିହ ସମାହୂତ-
ସ୍ତତ୍ରାର୍ଥଧିୟାଂ ମନ୍ଦାନାଂ ନସ୍ତଦ୍ୟଦ୍ଦେବହେଲନଂ ଦେବଦେବାର୍ହସି
ସାମ୍ୟେନ ସର୍ୱାନ୍ ପ୍ରତିବୋଢୁମବିଦୁଷାମ୍ ॥ ୧୫॥
ଦେବଦେବ ! ଆପଣ ଭକ୍ତମାନଙ୍କର ବଡ ବଡ କାମ କରିଦିଅନ୍ତି | ଆମେ ସବୁ
ମନ୍ଦମତି କାମନାବଶତଃ ଏହି ତୁଚ୍ଛ କାର୍ଯ୍ୟ ପାଇଁ ଆପଣଙ୍କର ଆବାହନ କରିଛୁ, ଏହା ଆପଣଙ୍କର ଅନାଦର ହିଁ ଅଟେ | କିନ୍ତୁ ଆପଣ ସମଦର୍ଶୀ ଅଟନ୍ତି, ତେଣୁ ଆମ୍ଭମାନଙ୍କ ପରି ଅଜ୍ଞାନୀମାନଙ୍କୁ ଆମର ଧୃଷ୍ଟତା ପାଇଁ ଆପଣ
କ୍ଷମା କରନ୍ତୁ |
ଶ୍ରୀଶୁକ ଉବାଚ
ଇତି ନିଗଦେନାଭିଷ୍ଟୂୟମାନୋ ଭଗବାନନିମିଷର୍ଷଭୋ
ବର୍ଷଧରାଭିବାଦିତାଭିବନ୍ଦିତଚରଣଃ ସଦୟମିଦମାହ ॥ ୧୬॥
ଶ୍ରୀଶୁକଦେବ କହୁଛନ୍ତି – ରାଜନ୍ ! ଜମ୍ବୂଦ୍ବିପାଧିପତି ନାଭିଙ୍କର
ପୂଜ୍ୟ ଋତ୍ବିଜମାନେ ପ୍ରଭୁଙ୍କର ଚରଣ ବନ୍ଦନା କରି ସ୍ତୋତ୍ର ଦ୍ବାରା ଯେତେବେଳେ ଏହିପରି ଭାବରେ
ତାଙ୍କର ସ୍ତୁତି କଲେ, ସେତେବେଳେ
ଦେବଶ୍ରେଷ୍ଠ ଶ୍ରୀହରି କରୁଣାବଶ ଏହିପରି କହିଲେ |
ଶ୍ରୀଭଗବାନୁବାଚ
ଅହୋ ବତାହମୃଷୟୋ ଭବଦ୍ଭିରବିତଥଗୀର୍ଭିର୍ୱରମସୁଲଭ-
ମଭିୟାଚିତୋ ଯଦମୁଷ୍ୟାତ୍ମଜୋ ମୟା ସଦୃଶୋ ଭୂୟାଦିତି
ମମାହମେବାଭିରୂପଃ କୈବଲ୍ୟାଦଥାପି ବ୍ରହ୍ମବାଦୋ ନ ମୃଷା
ଭବିତୁମର୍ହତି ମମୈବ ହି ମୁଖଂ ଯଦ୍ଦ୍ୱିଜଦେବକୁଲମ୍ ॥ ୧୭॥
ଶ୍ରୀଭଗବାନ କହିଲେ – ହେ ଋଷିଗଣ ! ଏହା ବଡ ଅସମଂଜସର କଥା ଅଟେ |
ଆପଣମାନେ ସମସ୍ତେ ସତ୍ୟବାଦୀ ମହାତ୍ମା ଅଟନ୍ତି, ଆପଣମାନେ ମୋଠାରୁ
ଏହି ଅତ୍ୟନ୍ତ ଦୁର୍ଲଭ ବର ମାଗିଛନ୍ତି ଯେ ରାଜର୍ଷି ନାଭି ମୋ ପରି ପୁତ୍ର ଲାଭ କରନ୍ତୁ | ହେ
ମୁନିଗଣ ! ମୋ ପରି ତ କେବଳ ମୁଁ ହିଁ ଅଟେ, କାରଣ ମୁଁ
ଅଦ୍ବିତୀୟ ଅଟେ | ତଥାପି ବ୍ରାହ୍ମଣମାନଙ୍କର ବଚନ ମିଥ୍ୟା ହେବା ଉଚିତ୍ ନୁହେଁ, କାରଣ ଦ୍ବିଜକୁଳ ମୋର ହିଁ ମୁଖ ଅଟନ୍ତି |
ତତ ଆଗ୍ନୀଧ୍ରୀୟେଂଽଶକଲୟାବତରିଷ୍ୟାମ୍ୟାତ୍ମତୁଲ୍ୟ-
ମନୁପଲଭମାନଃ ॥ ୧୮॥
ତେଣୁ ମୁଁ ସ୍ବୟଂ ହିଁ ନିଜ ଅଂଶକଳାରେ ଆଗ୍ନୀଧ୍ନନନ୍ଦନ ନାଭିଙ୍କ
ଗୃହରେ ଅବତାର ଗ୍ରହଣ କରିବି, କାରଣ ନିଜ ପରି
ମୋତେ ଆଉ କେହି ଦେଖା ଯାଉ ନାହାଁନ୍ତି |
ଶ୍ରୀଶୁକ ଉବାଚ
ଇତି ନିଶାମୟନ୍ତ୍ୟା ମେରୁଦେବ୍ୟାଃ ପତିମଭିଧାୟା-
ନ୍ତର୍ଦଧେ ଭଗବାନ୍ ॥ ୧୯॥
ଶ୍ରୀଶୁକଦେବ କହୁଛନ୍ତି – ମହାରାଣୀ ମେରୁଦେବୀ ଶୁଣିବା ପରି ତାଙ୍କ
ପତିଙ୍କୁ ଏହିପରି କହି ଭଗବାନ ଅନ୍ତର୍ଧ୍ୟାନ ହୋଇଗଲେ |
ବର୍ହିଷି ତସ୍ମିନ୍ନେବ ବିଷ୍ଣୁଦତ୍ତ ଭଗବାନ୍ ପରମର୍ଷିଭିଃ
ପ୍ରସାଦିତୋ ନାଭେଃ ପ୍ରିୟଚିକୀର୍ଷୟା ତଦବରୋଧାୟନେ
ମେରୁଦେବ୍ୟାଂ ଧର୍ମାନ୍ ଦର୍ଶୟିତୁକାମୋ ବାତରଶନାନାଂ
ଶ୍ରମଣାନାମୃଷୀଣାମୂର୍ଧ୍ୱମନ୍ଥିନାଂ ଶୁକ୍ଲୟା
ତନୁବାବତତାର ॥॥ ୨୦॥
ବିଷ୍ଣୁଦତ୍ତ ପରୀକ୍ଷିତ ! ସେହି ଯଜ୍ଞରେ ମହର୍ଷିମାନଙ୍କ ଦ୍ବାରା
ପ୍ରସନ୍ନ ହୋଇ ଶ୍ରୀଭଗବାନ ମହାରାଜ ନାଭିଙ୍କ ପ୍ରତି କୃପା କରି ତାଙ୍କ ନିବାସରେ ମହାରାଣୀ
ମେରୁଦେବୀଙ୍କ ଗର୍ଭରୁ ଦିଗମ୍ବର ସନ୍ୟାସୀ ଏବଂ ଉର୍ଦ୍ଧ୍ବରେତା ମୁନିମାନଙ୍କର ଧର୍ମ ପ୍ରକଟ
କରିବା ନିମନ୍ତେ ଶୁଦ୍ଧସତ୍ତ୍ବମୟ ବିଗ୍ରହରେ ପ୍ରକଟ ହେଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ନାଭିଚରିତେ ଋଷଭାବତାରୋ ନାମ ତୃତୀୟୋଽଧ୍ୟାୟଃ ॥ ୩॥

Comments
Post a Comment