ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ପଞ୍ଚମ ସ୍କନ୍ଧ ॥

ଅଷ୍ଟମ ଅଧ୍ୟାୟ

ଭରତଙ୍କର ମୃଗ-ଯୋନିରେ ଜନ୍ମ

 

ଶ୍ରୀଶୁକ ଉବାଚ

ଏକଦା ତୁ ମହାନଦ୍ୟାଂ କୃତାଭିଷେକନୈୟମିକାବଶ୍ୟକୋ

ବ୍ରହ୍ମାକ୍ଷରମଭିଗୃଣାନୋ ମୁହୂର୍ତତ୍ରୟମୁଦକାନ୍ତ ଉପବିବେଶ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ଏକଦା ଭରତ ଗଣ୍ଡକୀରେ ସ୍ନାନ କରି ନିଜର ନିତ୍ୟ-ନୈମିତ୍ତିକ ତଥା ଶୌଚାଦି ଅନ୍ୟ ଆବଶ୍ୟକ କୃତ୍ୟରୁ ନିବୃତ୍ତ ହୋଇ ପ୍ରଣବ ଜପ କରି ତିନି ମୁହୂର୍ତ୍ତ ଯାଏଁ ନଦୀତୀରରେ ଉପବେଶନ କରିଥିଲେ |

ତତ୍ର ତଦା ରାଜନ୍ ହରିଣୀ ପିପାସୟା

ଜଲାଶୟାଭ୍ୟାଶମେକୈବୋପଜଗାମ ॥ ୨॥

ଏହି ସମୟରେ ଏକ ହରିଣୀ ତୃଷାରେ ବ୍ୟାକୁଳ ହୋଇ ଜଳ ପାନ କରିବା ନିମନ୍ତେ ଏକାକୀ ସେହି ନଦୀତୀରକୁ ଆସିଲା |

ତୟା ପେପୀୟମାନ ଉଦକେ ତାବଦେବାବିଦୂରେଣ ନଦତୋ

ମୃଗପତେରୁନ୍ନାଦୋ ଲୋକଭୟଙ୍କର ଉଦପତତ୍ ॥ ୩॥

ସେ ଜଳ ପାନ କରିଛି କି ନାହିଁ, ନିକଟରୁ ସିଂହର ଲୋକ-ଭୟଙ୍କର ଭୀଷଣ ଗର୍ଜନ ଶୁଣାଗଲା |

ତମୁପଶ୍ରୁତ୍ୟ ସା ମୃଗବଧୂଃ ପ୍ରକୃତିବିକ୍ଲବା ଚକିତ-

ନିରୀକ୍ଷଣା ସୁତରାମପି ହରିଭୟାଭିନିବେଶବ୍ୟଗ୍ରହୃଦୟା

ପାରିପ୍ଲବଦୃଷ୍ଟିରଗତତୃଷା ଭୟାତ୍ସହସୈବୋଚ୍ଚକ୍ରାମ ॥ ୪॥

ହରିଣଜାତି ତ ସ୍ବଭାବତଃ କାତର ଅଟନ୍ତି, ପୂର୍ବରୁ ହିଁ ସେ ଚମକି ଏଣେତେଣେ ଦେଖିବାରେ ଲାଗିଥିଲା | ଏବେ ତା କାନରେ ସିଂହର ଗର୍ଜନ ପଡିବାମାତ୍ରେ ତାର ହୃତ୍-ସ୍ପନ୍ଦନ ବୃଦ୍ଧି ଲାଭ କଲା ଏବଂ ନେତ୍ର କାତର ହୋଇ ଉଠିଲା | ତୃଷା ମେଣ୍ଟିବା ପୂର୍ବରୁ ତାର ପ୍ରାଣ ଉପରକୁ ସଂକଟ ମାଡି ଆସିଲା | ସେଥିପାଇଁ ଭୟରେ ସେ ଏକାକୀ ନଦୀ ପାର କରିବା ପାଇଁ ନଦୀ ଉପରକୁ ଲମ୍ପ ଦେଲା |

ତସ୍ୟା ଉତ୍ପତନ୍ତ୍ୟା ଅନ୍ତର୍ୱତ୍ନ୍ୟା ଉରୁଭୟାବଗଲିତୋ

ଯୋନିନିର୍ଗତୋ ଗର୍ଭଃ ସ୍ରୋତସି ନିପପାତ ॥ ୫॥

ସେ ଗର୍ଭବତୀ ଥିଲା, ସେଥିପାଇଁ ଲମ୍ପ ଲଗାଇବା ପ୍ରକ୍ରିୟାରେ ଭୟରେ ତାର ଗର୍ଭସ୍ଥ ଶିଶୁ ସ୍ଥାନଚ୍ୟୁତ ହୋଇ ଯୋନିଦ୍ବାର ଦେଇ ବାହାରି ଆସିଲା ଏବଂ ନଦୀର ପ୍ରବାହରେ ଖସିପଡିଲା |

ତତ୍ପ୍ରସବୋତ୍ସର୍ପଣଭୟଖେଦାତୁରା ସ୍ୱଗଣେନ

ବିୟୁଜ୍ୟମାନା କସ୍ୟାଞ୍ଚିଦ୍ଦର୍ୟାଂ କୃଷ୍ଣସାରସତୀ

ନିପପାତାଥ ଚ ମମାର ॥ ୬॥

ସିଂହର ଭୟରେ ଦୀର୍ଘ ଲମ୍ପ ପ୍ରଦାନ କରି ଅକସ୍ମାତ ଗର୍ଭପାତ ହୋଇଯିବା କାରଣରୁ ସେହି କୃଷ୍ଣମୃଗପତ୍ନୀ ଅତ୍ୟନ୍ତ ପୀଡିତ ଥିଲା | ଦଳରୁ ବିଚ୍ୟୁତ ହୋଇ ସେ କୌଣସି ଏକ ଗୁମ୍ଫାରେ ପଡି ରହିଲା ଏବଂ ସେଠାରେ ମୃତ୍ୟୁବରଣ କଲା |

ତଂ ତ୍ୱେଣକୁଣକଂ କୃପଣଂ ସ୍ରୋତସାନୂହ୍ୟମାନମଭି-

ବୀକ୍ଷ୍ୟାପବିଦ୍ଧଂ ବନ୍ଧୁରିବାନୁକମ୍ପୟା ରାଜର୍ଷି-

ର୍ଭରତ ଆଦାୟ ମୃତମାତରମିତ୍ୟାଶ୍ରମପଦମନୟତ୍ ॥ ୭॥

ରାଜର୍ଷି ଭରତ ଦେଖିଲେ ବିଚରା ମୃଗଶାବକଟି ନିଜ ସାଥୀମାନଙ୍କଠାରୁ ଅଲଗା ହୋଇ ନଦୀପ୍ରବାହରେ ପଡି ଭାସିବାରେ ଲାଗିଛି | ତାଙ୍କ ମନରେ ଦୟା ଜାତ ହେଲା ଏବଂ ସେ ଆତ୍ମୀୟଙ୍କ ପରି ସେହି ମାତୃହୀନ ଶାବକଟିକୁ ନିଜ ଆଶ୍ରମକୁ ନେଇ ଆସିଲେ |

ତସ୍ୟ ହ ବା ଏଣକୁଣକ ଉଚ୍ଚୈରେତସ୍ମିନ୍ କୃତନିଜାଭି-

ମାନସ୍ୟାହରହସ୍ତତ୍ପୋଷଣପାଲନଲାଲନପ୍ରୀଣନା-

ନୁଧ୍ୟାନେନାତ୍ମନିୟମାଃ ସହ ଯମାଃ ପୁରୁଷପରିଚର୍ୟାଦୟ

ଏକୈକଶଃ କତିପୟେନାହର୍ଗଣେନ ବିୟୁଜ୍ୟମାନାଃ କିଲ

ସର୍ୱ ଏବୋଦବସନ୍ ॥ ୮॥

ସେହି ମୃଗଶିଶୁଟି ପ୍ରତି ଭରତଙ୍କର ମମତା ଉତ୍ତରୋତ୍ତର ବୃଦ୍ଧି ଲାଭ କରିବାରେ ଲାଗିଲା | ତାର ଖାଦ୍ୟ-ପେୟର ବନ୍ଦୋବସ୍ତ, ବ୍ୟାଘ୍ର ଆଦିଙ୍କ କବଳରୁ ତା’ର ସୁରକ୍ଷା କରିବା, ତାକୁ ସ୍ନେହ-ଆଦର କରିବା ଇତ୍ୟାଦି ଚିନ୍ତାରେ ସେ ଏତେ ମଗ୍ନ ରହିଲେ ଯେ ଦିନକୁ ଦିନ ତାଙ୍କର ଯମ-ନିୟମ, ପୂଜା-ପାଠ ଆଦି ଆବଶ୍ୟକୀୟ କୃତ୍ୟ ଅବହେଳିତ ହେବାରେ ଲାଗିଲା ଏବଂ ଶେଷରେ ସେ ସେଥିରୁ ପୂର୍ଣ୍ଣ ନିବୃତ୍ତ ହୋଇଗଲେ |

ଅହୋ ବତାୟଂ ହରିଣକୁଣକଃ କୃପଣ ଈଶ୍ୱରରଥଚରଣ-

ପରିଭ୍ରମଣରୟେଣ ସ୍ୱଗଣସୁହୃଦ୍ବନ୍ଧୁଭ୍ୟଃ ପରିବର୍ଜିତଃ

ଶରଣଂ ଚ ମୋପସାଦିତୋ ମାମେବ ମାତାପିତରୌ

ଭ୍ରାତୃଜ୍ଞାତୀନ୍ ଯୌଥିକାଂଶ୍ଚୈବୋପେୟାୟ ନାନ୍ୟଂ କଞ୍ଚନ ବେଦ

ମୟ୍ୟତିବିସ୍ରବ୍ଧଶ୍ଚାତ ଏବ ମୟା ମତ୍ପରାୟଣସ୍ୟ

ପୋଷଣପାଲନପ୍ରୀଣନଲାଲନମନସୂୟୁନାନୁଷ୍ଠେୟଂ

ଶରଣ୍ୟୋପେକ୍ଷା ଦୋଷବିଦୁଷା ॥ ୯॥

ସେ ଏହିପରି ବିଚାର କରିବାରେ ଲାଗିଲେ – ଆହା ! ଏହା କିପରି ଦୁଃଖର ବିଷୟ ଅଟେ ! କାଳଚକ୍ରର ବେଗ ଏହି ବିଚରା ଦୀନ ମୃଗଶାବକଟିକୁ ନିଜ ଦଳ, ସୁହୃଦ୍ ଏବଂ ବନ୍ଧୁମାନଙ୍କଠାରୁ ପୃଥକ୍ କରି ମୋ ଶରଣରେ ପହଞ୍ଚାଇ ଦେଲା | ସେ ମୋତେ ହିଁ ନିଜର ମାତା-ପିତା, ଭାଇ-ବନ୍ଧୁ ଏବଂ ଦଳର ସାଥୀ-ସଙ୍ଗୀ ମନେକରୁଛି | ମୋ ବ୍ୟତିତ ସେ ଆଉ କାହାକୁ ଜାଣେନାହିଁ ଏବଂ ମୋଠାରେ ତାହାର ଅତୁଟ ବିଶ୍ବାସ ରହିଛି | ଶରଣାଗତର ଉପେକ୍ଷା କରିବା ଦୋଷାବହ ଅଟେ, ଏହା ମୁଁ ଜାଣେ | ତେଣୁ ମୁଁ ସବୁ ପ୍ରକାରର ଦୋଷବୁଦ୍ଧି ତ୍ୟାଗ କରି ଉତ୍ତମ ରୂପେ ନିଜର ଏହି ଆଶ୍ରିତଟିର ପାଳନ-ପୋଷଣ ଏବଂ ସ୍ନେହ-ଆଦର  କରିବା ଉଚିତ୍ |

ନୂନଂ ହ୍ୟାର୍ୟାଃ ସାଧବ ଉପଶମଶୀଲାଃ କୃପଣସୁହୃଦ

ଏବମ୍ବିଧାର୍ଥେ ସ୍ୱାର୍ଥାନପି ଗୁରୁତରାନୁପେକ୍ଷନ୍ତେ ॥ ୧୦॥

ଶାନ୍ତ-ସ୍ବଭାବ, ଦୀନର ରକ୍ଷକ ଏବଂ ପରୋପକାରୀ ସଜ୍ଜନ ଏହିପରି ଭାବରେ ଶରଣାଗତର ରକ୍ଷା ନିମନ୍ତେ ନିଜର ବଡ଼-ବଡ଼ ସ୍ବାର୍ଥକୁ ମଧ୍ୟ ଉପେକ୍ଷା କରିଦେଇ ଥାଆନ୍ତି |

ଇତି କୃତାନୁଷଙ୍ଗ ଆସନଶୟନାଟନସ୍ନାନାଶନାଦିଷୁ

ସହ ମୃଗଜହୁନା ସ୍ନେହାନୁବଦ୍ଧହୃଦୟ ଆସୀତ୍ ॥ ୧୧॥

ଏହିରୂପେ ସେହି ହରିଣ-ଶିଶୁଟି ପ୍ରତି ଆସକ୍ତି ବଢି ଯାଇଥିବା କାରଣରୁ ବସିବା-ଉଠିବା, ଶୋଇବା, ଚାଲିବା-ବୁଲିବା, ଭୋଜନ କରିବା ଆଦି ସବୁ ସମୟରେ ଭରତଙ୍କର ଚିତ୍ତ ତାର ସ୍ନେହପାଶରେ ବନ୍ଧା ରହୁଥିଲା |

କୁଶକୁସୁମସମିତ୍ପଲାଶଫଲମୂଲୋଦକାନ୍ୟାହରିଷ୍ୟମାଣୋ

ବୃକସାଲାବୃକାଦିଭ୍ୟୋ ଭୟମାଶଂସମାନୋ ଯଦା ସହ

ହରିଣକୁଣକେନ ବନଂ ସମାବିଶତି ॥ ୧୨॥

କୁଶ, ପୁଷ୍ପ, ସମିଧା ଏବଂ ଫଳ-ମୂଳ ସଂଗ୍ରହ କରିବାକୁ ଯିବା ସମୟରେ ସେ ଗଧିଆ ଏବଂ କୁକୁରର ଆକ୍ରମଣରୁ ରକ୍ଷା କରିବା ପାଇଁ ତାକୁ ମଧ୍ୟ ସାଙ୍ଗରେ ନେଇ ବଣକୁ ଯାଉଥିଲେ |

ପଥିଷୁ ଚ ମୁଗ୍ଧଭାବେନ ତତ୍ର ତତ୍ର ବିଷକ୍ତମତିପ୍ରଣୟଭର-

ହୃଦୟଃ କାର୍ପଣ୍ୟାତ୍ସ୍କନ୍ଧେନୋଦ୍ୱହତି ଏବମୁତ୍ସଙ୍ଗ ଉରସି

ଚାଧାୟୋପଲାଲୟନ୍ ମୁଦଂ ପରମାମବାପ ॥ ୧୩॥

ମାର୍ଗରେ କେଉଁଠି କୋମଳ ଘାସ ଦେଖି ମୁଗ୍ଧଭାବରେ ସେ ଯଦି ଅଟକି ଯାଉଥିଲା, ଭରତ ମହାରାଜ ତାକୁ କାନ୍ଧରେ ଚଢାଇ ନେଉଥିଲେ କିମ୍ବା କୋଳକୁ ଉଠାଇ ନେଉଥିଲେ | ଏହିପରି ଭାବରେ ତାକୁ କୋଳରେ ଧରି, ଛାତିରେ ଜାକି ସ୍ନେହ-ଆଦର କରିବାରେ ତାଙ୍କୁ ବହୁତ ସୁଖ ମିଳୁଥିଲା |

କ୍ରିୟାୟାଂ ନିର୍ୱର୍ତ୍ୟମାନାୟାମନ୍ତରାଲେଽପ୍ୟୁତ୍ଥାୟୋତ୍ଥାୟ

ଯଦୈନମଭିଚକ୍ଷୀତ ତର୍ହି ବାବ ସ ବର୍ଷପତିଃ ପ୍ରକୃତିସ୍ଥେନ

ମନସା ତସ୍ମା ଆଶିଷ ଆଶାସ୍ତେ ସ୍ୱସ୍ତି ସ୍ତାଦ୍ୱତ୍ସ

ତେ ସର୍ୱତ ଇତି ॥ ୧୪॥

ନିଜର ନିତ୍ୟ-ନୈମିତ୍ତିକ କର୍ମ କରୁଥିବା ସମୟରେ ମଧ୍ୟ ରାଜ-ରାଜେଶ୍ବର ଭରତ ମଝି-ମଝିରେ ଉଠି ତାକୁ ଦେଖି ଆସୁଥିଲେ; ତାକୁ ଦେଖିବା ଦ୍ବାରା ହିଁ ତାଙ୍କୁ ଶାନ୍ତି ମିଳୁଥିଲା | ସେହି ସମୟରେ ତାର ମଙ୍ଗଳକାମନା କରି ସେ କହୁଥିଲେ – ବତ୍ସ ! ତୁମର ସର୍ବତ୍ର କଲ୍ୟାଣ ହେଉ |

ଅନ୍ୟଦା ଭୃଶମୁଦ୍ୱିଗ୍ନମନା ନଷ୍ଟଦ୍ରବିଣ ଇବ କୃପଣଃ

ସକରୁଣମତିତର୍ଷେଣ ହରିଣକୁଣକବିରହବିହ୍ୱଲହୃଦୟ-

ସନ୍ତାପସ୍ତମେବାନୁଶୋଚନ୍ କିଲ କଶ୍ମଲଂ ମହଦଭି-

ରମ୍ଭିତ ଇତି ହୋବାଚ ॥ ୧୫॥

କେବେ ଯଦି ସେ କେଉଁଠି ଦେଖିବାକୁ ମିଳୁ ନ ଥିଲା, ତେବେ ଧନ ଲୁଣ୍ଥିତ ହୋଇ ଯାଇଥିବା ଦୀନ ମନୁଷ୍ୟ ପରି ତାଙ୍କର ଚିତ୍ତ ଅତ୍ୟନ୍ତ ଉଦବିଗ୍ନ ହୋଇ ଉଠୁଥିଲା ଏବଂ ସେ ସେହି ହରିଣଶାବକର ବିରହରେ ବ୍ୟାକୁଳ ଓ ସଂତପ୍ତ ହୋଇ କରୁଣାବଶତଃ ଅତ୍ୟନ୍ତ ଉତ୍କଣ୍ଠିତ ଏବଂ ମୋହାବିଷ୍ଟ ହୋଇ ଯାଉଥିଲେ ତଥା ଶୋକମଗ୍ନ ହୋଇ ଏହିପରି କହିବାରେ ଲାଗୁଥିଲେ |

ଅପି ବତ ସ ବୈ କୃପଣ ଏଣବାଲକୋ ମୃତହରିଣୀସୁତୋ-

ଽହୋ ମମାନାର୍ୟସ୍ୟ ଶଠକିରାତମତେରକୃତସୁକୃତସ୍ୟ

କୃତବିସ୍ରମ୍ଭ ଆତ୍ମପ୍ରତ୍ୟଯେନ ତଦବିଗଣୟନ୍ ସୁଜନ

ଇବାଗମିଷ୍ୟତି ॥ ୧୬॥

ହାୟ ! ମୁଁ କଣ କରିବି ? ସେହି ମାତୃହୀନ ଦୀନ ମୃଗଶାବକଟି କଣ ମୋ ପରି ଦୁଷ୍ଟ ଶିକାରୀ-ବୁଦ୍ଧିଯୁକ୍ତ ପୁଣ୍ୟହୀନ ଅନାର୍ଯ୍ୟ ଉପରେ ବିଶ୍ବାସ କରି ଏବଂ ମୋତେ ନିଜର ମନେକରି ସତ୍-ପୁରୁଷଙ୍କ ପରି ମୋର ସବୁ ଅପରାଧକୁ କ୍ଷମା କରି ମୋ ପାଖକୁ ପୁଣି ଫେରିଆସିବ ?

ଅପି କ୍ଷେମେଣାସ୍ମିନ୍ନାଶ୍ରମୋପବନେ ଶଷ୍ପାଣି ଚରନ୍ତଂ

ଦେବଗୁପ୍ତଂ ଦ୍ରକ୍ଷ୍ୟାମି ॥ ୧୭॥

ଏହି ଆଶ୍ରମ ଉପବନରେ ଭଗବାନଙ୍କ କୃପାରୁ ସୁରକ୍ଷିତ ରହି ସେ ନିର୍ଭୟରେ ସବୁଜ ଦୁବ-ଘାସ ଚରୁଥିବା ଦୃଶ୍ୟ ମୁଁ କଣ ଆଉ ଦେଖିପାରିବି ?

ଅପି ଚ ନ ବୃକଃ ସାଲାବୃକୋଽନ୍ୟତମୋ ବା ନୈକଚର

ଏକଚରୋ ବା ଭକ୍ଷୟତି ॥ ୧୮॥

ଏପରି ନ ହେଉ ଯେ କୌଣସି ଗଧିଆ, କୁକୁର, ଚକ୍ରାକାରରେ ଘୂରି ବୁଲୁଥିବା ସୂକରାଦି ଅଥବା ହିଂସ୍ର ବ୍ୟାଘ୍ର ଆଦି ପଶୁ ତାହାକୁ ଏକାକୀ ଭ୍ରମଣ କରୁଥିବା ଦେଖି ନିଜର ଆହାର କରି ନେଇଥିବେ |

ନିମ୍ଲୋଚତି ହ ଭଗବାନ୍ ସକଲଜଗତ୍କ୍ଷେମୋଦୟସ୍ତ୍ରୟ୍ୟା-

ତ୍ମାଦ୍ୟାପି ମମ ନ ମୃଗବଧୂନ୍ୟାସ ଆଗଚ୍ଛତି ॥ ୧୯॥

ଆହା ! ସମ୍ପୂର୍ଣ୍ଣ ଜଗତର କୁଶଳ ନିମନ୍ତେ ପ୍ରକଟ ହୋଇଥିବା ବେଦତ୍ରୟୀରୂପ ଭଗବାନ ସୂର୍ଯ୍ୟ ଅସ୍ତ ହେବାକୁ ବସିଲେଣି, ଅଥଚ ଏପର୍ଯ୍ୟନ୍ତ ସେହି ମୃଗଶାବକ ଫେରିଲା ନାହିଁ |

ଅପି ସ୍ୱିଦକୃତସୁକୃତମାଗତ୍ୟ ମାଂ ସୁଖୟିଷ୍ୟତି

ହରିଣରାଜକୁମାରୋ ବିବିଧରୁଚିରଦର୍ଶନୀୟନିଜମୃଗ-

ଦାରକବିନୋଦୈରସନ୍ତୋଷଂ ସ୍ୱାନାମପନୁଦନ୍ ॥ ୨୦॥

ସେହି ହରିଣରାଜକୁମାର କମୋ ପରି ପୁଣ୍ୟହୀନ ପାଖକୁ ଫେରି ଆସି ନିଜର ନାନାବିଧ ମୃଗଶାବକୋଚିତ କ୍ରୀଡା ଦ୍ବାରା ସ୍ବଜନମାନଙ୍କର ଶୋକ ଦୂର କରିବା ସହିତ ମୋତେ ଆନନ୍ଦିତ କରିବ ?

କ୍ଷ୍ୱେଲିକାୟାଂ ମାଂ ମୃଷା ସମାଧିନାଽଽମୀଲିତଦୃଶଂ

ପ୍ରେମସଂରମ୍ଭେଣ ଚକିତ ଚକିତ ଆଗତ୍ୟ ପୃଷଦପରୁଷ-

ବିଷାଣାଗ୍ରେଣ ଲୁଠତି ॥ ୨୧॥

କେବେ ଯଦି ମୁଁ ପ୍ରଣୟକୋପରୁ ଖେଳରେ ମିଛି-ମିଛିକା ସମାଧି ବାହାନାରେ ଆଖି ମୁଁଦି ବସି ରହେ, ସେ ଚକିତ ଚିତ୍ତରେ ମୋ ପାଖକୁ ଆସି ଜଳବିନ୍ଦୁ ସଦୃଶ ନିଜର କୋମଳ ଏବଂ ଛୋଟ-ଛୋଟ ଶିଂଘର ଅଗ୍ରଭାଗରେ ମୋର ଅଙ୍ଗକୁ ସ୍ପର୍ଶ କରିବାରେ ଲାଗେ |

ଆସାଦିତହବିଷି ବର୍ହିଷି ଦୂଷିତେ ମୟୋପାଲବ୍ଧୋ

ଭୀତଭୀତଃ ସପଦ୍ୟୁପରତରାସ ଋଷିକୁମାରବଦବହିତ-

କରଣକଲାପ ଆସ୍ତେ ॥ ୨୨॥

ମୁଁ କୁଶ ଉପରେ ରଖିଥିବା ହବନ ସାମଗ୍ରୀକୁ ବେଳେ ବେଳେ ସେ ଦାନ୍ତରେ ଟାଣି ଅପବିତ୍ର କରିଦିଏ | ସେତେବେଳେ ମୁଁ ଯଦି ବିରକ୍ତିରେ ତାକୁ ଗାଳି-ଗୁଲ୍ଲଜ କରେ, ସେ ଭୟଭୀତ ହୋଇ ଡ଼ିଆଁ-କୁଦ ଛାଡି ଋଷିକୁମାର ପରି ନିଜର ସବୁ ଇନ୍ଦ୍ରିୟକୁ ସଂଯତ କରି ଚୁପଚାପ୍ ବସିରହେ |

କିଂ ବା ଅରେ ଆଚରିତଂ ତପସ୍ତପସ୍ୱିନ୍ୟାନୟା

ଯଦିୟମବନିଃ ସବିନୟକୃଷ୍ଣସାରତନୟତନୁତର-

ସୁଭଗଶିବତମାଖରଖୁରପଦପଙ୍କ୍ତିଭିର୍ଦ୍ରବିଣ-

ବିଧୁରାତୁରସ୍ୟ କୃପଣସ୍ୟ ମମ ଦ୍ରବିଣପଦବୀଂ

ସୂଚୟନ୍ତ୍ୟାତ୍ମାନଂ ଚ ସର୍ୱତଃ କୃତକୌତୁକଂ

ଦ୍ୱିଜାନାଂ ସ୍ୱର୍ଗାପବର୍ଗକାମାନାଂ ଦେବୟଜନଂ କରୋତି ॥ ୨୩॥

(ପୁନଶ୍ଚ, ପୃଥିବୀପୃଷ୍ଠରେ ସେହି ମୃଗଶାବକର କ୍ଷୁର ଚିହ୍ନ ଦେଖି କହିବାରେ ଲାଗନ୍ତି) ଆହା ! ଏହି ତପସ୍ବିନୀ ଧରିତ୍ରୀ ଏପରି କି ତପ କରିଛି ଯେ ସେହି ଅତିବିନୀତ କୃଷ୍ଣସାର-କିଶୋରର ଛୋଟ-ଛୋଟ ସୁନ୍ଦର, ସୁଖକାରୀ ଏବଂ ସୁକୋମଳ କ୍ଷୁରଯୁକ୍ତ ଚରଣ-ଚିହ୍ନ ଦ୍ବାରା ମୋ ପରି ମୃଗଧନ ହରାଇ ଥିବା ଅତ୍ୟନ୍ତ ବ୍ୟାକୁଳ ଏବଂ ଦୀନ ମନୁଷ୍ୟକୁ ସେହି ଦ୍ରବ୍ୟ-ପ୍ରାପ୍ତିର ମାର୍ଗଦର୍ଶନ କରାଉଛି ଏବଂ ନିଜେ ମଧ୍ୟ ଶରୀରକୁ ସେହି ପଦଚିହ୍ନରେ ବିଭୂଷିତ କରି ସ୍ବର୍ଗ ଏବଂ ଅପବର୍ଗ ଇଚ୍ଛୁକ ଦ୍ବିଜମାନଙ୍କ ନିମନ୍ତେ ଯଜ୍ଞସ୍ଥଳ ପ୍ରସ୍ତୁତ କରୁଛି |

ଅପି ସ୍ୱିଦସୌ ଭଗବାନୁଡୁପତିରେନଂ ମୃଗପତିଭୟା-

ନ୍ମୃତମାତରଂ ମୃଗବାଲକଂ ସ୍ୱାଶ୍ରମପରିଭ୍ରଷ୍ଟମନୁକମ୍ପୟା

କୃପଣଜନବତ୍ସଲଃ ପରିପାତି ॥ ୨୪॥

(ଚନ୍ଦ୍ରମାରେ ମୃଗ ସଦୃଶ ଶ୍ୟାମ ଚିହ୍ନ ଦେଖି ତାହାକୁ ନିଜର ମୃଗ ମନେକରି କହିବାରେ ଲାଗନ୍ତି) ଆହା ! ଯାହାର ମାତା ସିଂହ ଭୟରେ ମୃତ୍ୟୁବରଣ କରିଥିଲା, ସେହି ମୃଗଶିଶୁ ଆଜି ଆଶ୍ରମରୁ ବିଚ୍ୟୁତ ହୋଇଯାଇଛି | ତାକୁ ଅନାଥ ମନେକରି ଏହି ଦୀନବତ୍ସଳ ନକ୍ଷତ୍ରନାଥ ଦୟାବଶ ତାହାର ରକ୍ଷା କରୁନାହାଁନ୍ତି ତ ?

କିଂ ବାଽଽତ୍ମଜବିଶ୍ଲେଷଜ୍ୱରଦବଦହନଶିଖାଭି-

ରୁପତପ୍ୟମାନହୃଦୟସ୍ଥଲନଲିନୀକଂ ମାମୁପସୃତ-

ମୃଗୀତନୟଂ ଶିଶିରଶାନ୍ତାନୁରାଗଗୁଣିତନିଜ-

ବଦନସଲିଲାମୃତମୟଗଭସ୍ତିଭିଃ ସ୍ୱଧୟତୀତି ଚ ॥ ୨୫॥

(ପୁନଶ୍ଚ ତାଙ୍କର ଶୀତଳ କିରଣରେ ଆହ୍ଲାଦିତ ହୋଇ କହିବାରେ ଲାଗନ୍ତି) ଅଥବା ପୁତ୍ର ବିୟୋଗରୂପ ଦାବାନଳର ବିଷମ ଜ୍ବାଳାରେ ମୋର ହୃଦୟକମଳ ଦଗ୍ଧ ହୋଇ ଯାଇଥିବା କାରଣରୁ ମୁଁ ଏକ ମୃଗବାଳକର ସାହାରା ଗ୍ରହଣ କରିଥିଲି | ଏବେ ସେ ଚାଲି ଯାଇଥିବା ଯୋଗୁଁ ମୋର ହୃଦୟ ପୁନର୍ବାର ଦଗ୍ଧ ହେବାରେ ଲାଗିଛି; ସେଥିପାଇଁ ସେ ନିଜର ଶୀତଳ, ଶାନ୍ତ, ସ୍ନେହପୂର୍ଣ୍ଣ ଏବଂ ବଦନ-ସଲିଳରୂପା ଅମୃତମୟୀ କିରଣରେ ମୋତେ ଶାନ୍ତ କରୁଛନ୍ତି |

ଏବମଘଟମାନମନୋରଥାକୁଲହୃଦୟୋ ମୃଗଦାରକାଭାସେନ

ସ୍ୱାରବ୍ଧକର୍ମଣା ଯୋଗାରମ୍ଭଣତୋ ବିଭ୍ରଂଶିତଃ ସ

ଯୋଗତାପସୋ ଭଗବଦାରାଧନଲକ୍ଷଣାଚ୍ଚ କଥମିତରଥା

ଜାତ୍ୟନ୍ତର ଏଣକୁଣକ ଆସଙ୍ଗଃ ସାକ୍ଷାନ୍ନିଃଶ୍ରେୟସ-

ପ୍ରତିପକ୍ଷତୟା ପ୍ରାକ୍ପରିତ୍ୟକ୍ତଦୁସ୍ତ୍ୟଜହୃଦୟାଭିଜାତସ୍ୟ

ତସ୍ୟୈବମନ୍ତରାୟବିହତୟୋଗାରମ୍ଭଣସ୍ୟ ରାଜର୍ଷେର୍ଭରତସ୍ୟ

ତାବନ୍ମୃଗାର୍ଭକପୋଷଣପାଲନପ୍ରୀଣନଲାଲନାନୁଷଙ୍ଗେଣା-

ବିଗଣୟତ ଆତ୍ମାନମହିରିବାଖୁବିଲଂ ଦୁରତିକ୍ରମଃ

କାଲଃ କରାଲରଭସ ଆପଦ୍ୟତ ॥ ୨୬॥

ରାଜନ୍ ! ଏହିପରି ଭାବରେ, ଯାହାର ପୂର୍ତ୍ତି ସର୍ବତୋ ଭାବରେ ଅସମ୍ଭବ ଥିଲା, ସେହିସବୁ ମନୋରଥରେ ଭରତଙ୍କର ଚିତ୍ତ ବ୍ୟାକୁଳ ରହିବାରେ ଲାଗିଲା | ମୃଗଶାବକ ରୂପରେ ପ୍ରତୀତ ହେଉଥିବା ନିଜ ପ୍ରାରବ୍ଧ କର୍ମବଶତଃ ଭରତ ମୁନି ଭଗବଦାରାଧନରୂପ କର୍ମ ଏବଂ ଯୋଗାନୁଷ୍ଠାନରୁ ଚ୍ୟୁତ ହୋଇଗଲେ | ଅନ୍ୟଥା, ଯିଏ ମୋକ୍ଷମାର୍ଗରେ ବିଘ୍ନରୂପ ମନେକରି ନିଜ ହୃଦୟରୁ ନିଜର ଦୁସ୍ତ୍ୟଜ ପୁତ୍ରାଦିଙ୍କୁ ମଧ୍ୟ ତ୍ୟାଗ କରି ଦେଇଥିଲେ, ତାଙ୍କର ଅନ୍ୟଜାତୀୟ ହରିଣଶିଶୁଠାରେ ଏପରି ଆସକ୍ତି କିପରି ଜାତ ହୁଅନ୍ତା ? ଏହିରୂପେ ରାଜର୍ଷି ଭରତ ବିଘ୍ନ ଦ୍ବାରା ବଶୀଭୂତ ହୋଇ ଯୋଗସାଧନାରୁ ଭ୍ରଷ୍ଟ ହୋଇଗଲେ ଏବଂ ସେହି ମୃଗଶାବକର ପାଳନ-ପୋଷଣ ତଥା ସ୍ନେହ-ଆଦରରେ ଲାଗି ରହି ନିଜ ଆତ୍ମସ୍ବରୂପକୁ ଭୁଲିଗଲେ | ଏହି ସମୟରେ, ମୂଷାଗାତରେ ସାପ ପ୍ରବେଶ କରିବା ପରି ଅତ୍ୟନ୍ତ ବେଗଶାଳୀ ଅଦମ୍ୟ କରାଳ କାଳ ତାଙ୍କ ମସ୍ତକ ଉପରେ ଚଢି ବସିଲା |

ତଦାନୀମପି ପାର୍ଶ୍ୱବର୍ତିନମାତ୍ମଜମିବାନୁଶୋଚନ୍ତ-

ମଭିବୀକ୍ଷମାଣୋ ମୃଗ ଏବାଭିନିବେଶିତମନା ବିସୃଜ୍ୟ

ଲୋକମିମଂ ସହ ମୃଗେଣ କଲେବରଂ ମୃତମନୁ ନ ମୃତଜନ୍ମା-

ନୁସ୍ମୃତିରିତରବନ୍ମୃଗଶରୀରମବାପ ॥ ୨୭॥

ସେତେବେଳେ ମଧ୍ୟ ସେହି ହରିଣଶାବକ ତାଙ୍କ ପାଖରେ ଶୋକାତୁର ପୁତ୍ର ପରି ବସି ରହିଥିଲା | ଭରତ ସେହି ଅନ୍ତିମ ସ୍ଥିତିରେ ମଧ୍ୟ ତାକୁ ହିଁ ଚାହିଁ ରହିଥିଲେ ଏବଂ ତାଙ୍କର ଚିତ୍ତ ତାଠାରେ ହିଁ ଲାଗି ରହିଥିଲା | ଏହିପରି ଭାବରେ ମୃଗଆସକ୍ତି ସହିତ ସେ ଶରୀର ତ୍ୟାଗ କଲେ | ତଦନନ୍ତର ଅନ୍ତକାଳର ଭାବନା ଅନୁସାରେ, ଅନ୍ୟ ସାଧାରଣ ପୁରୁଷଙ୍କ ପରି, ତାଙ୍କୁ ମୃଗଶରୀର ପ୍ରାପ୍ତ ହେଲା | କିନ୍ତୁ ତାଙ୍କର ସାଧନା ପୂର୍ଣ୍ଣ ହୋଇଥିବା ଯୋଗୁଁ ତାଙ୍କର ପୂର୍ବଜନ୍ମର ସ୍ମୃତି ନଷ୍ଟ ହେଲା ନାହିଁ |

ତତ୍ରାପି ହ ବା ଆତ୍ମନୋ ମୃଗତ୍ୱକାରଣଂ ଭଗବ-

ଦାରାଧନସମୀହାନୁଭାବେନାନୁସ୍ମୃତ୍ୟ ଭୃଶମନୁ-

ତପ୍ୟମାନ ଆହ ॥ ୨୮॥

ସେହି ଯୋନିରେ ମଧ୍ୟ ପୂର୍ବଜନ୍ମର ଭଗବଦାରାଧନା ପ୍ରଭାବରୁ ମୃଗଯୋନି ପ୍ରାପ୍ତ ହୋଇଥିବା ଜାଣି ସେ ପଶ୍ଚାତାପ କରି କହିବାରେ ଲାଗିଲେ |

ଅହୋ କଷ୍ଟଂ ଭ୍ରଷ୍ଟୋଽହମାତ୍ମବତାମନୁପଥାଦ୍ୟଦ୍ୱିମୁକ୍ତ-

ସମସ୍ତସଙ୍ଗସ୍ୟ ବିବିକ୍ତପୁଣ୍ୟାରଣ୍ୟଶରଣସ୍ୟାତ୍ମବତ

ଆତ୍ମନି ସର୍ୱେଷାମାତ୍ମନାଂ ଭଗବତି ବାସୁଦେବେ

ତଦନୁଶ୍ରବଣମନନସଙ୍କୀର୍ତନାରାଧନାନୁସ୍ମରଣା-

ଭିୟୋଗେନାଶୂନ୍ୟସକଲୟାମେନ କାଲେନ ସମାବେଶିତଂ

ସମାହିତଂ କାର୍ତ୍ସ୍ନ୍ୟେନ ମନସ୍ତତ୍ତୁ ପୁନର୍ମମାବୁଧସ୍ୟା-

ରାନ୍ମୃଗସୁତମନୁ ପରିସୁସ୍ରାବ ॥ ୨୯॥

ହାୟ ! ଏହା ଅତ୍ୟନ୍ତ ଦୁଃଖର କଥା ଯେ ସଂଯମଶୀଳ ମହାନୁଭବଙ୍କ ମାର୍ଗରୁ ମୋର ପତନ ହୋଇଗଲା | ମୁଁ ତ ଧୈର୍ଯ୍ୟପୂର୍ବକ ସବୁ ପ୍ରକାରର ଆସକ୍ତି ତ୍ୟାଗ କରି ଏକାନ୍ତ ଏବଂ ପବିତ୍ର ବନର ଆଶ୍ରୟ ନେଇଥିଲି | ସେଠାରେ ରହି ମୋର ଯେଉଁ ଚିତ୍ତକୁ ମୁଁ ସର୍ବଭୂତାତ୍ମା ଶ୍ରୀବାସୁଦେବଙ୍କଠାରେ, ନିରନ୍ତର ତାଙ୍କର ଗୁଣ ଶ୍ରବଣ, ମନନ ଏବଂ ସଂକୀର୍ତ୍ତନ କରି ତଥା ପ୍ରତ୍ୟେକ ମୁହୂର୍ତ୍ତକୁ ତାଙ୍କର ଆରାଧନା ଏବଂ ସ୍ମରଣାଦିରେ ସଫଳ କରି, ସ୍ଥିରଭାବରେ ପୂର୍ଣ୍ଣତୟା ଲଗାଇ ରଖିଥିଲି, ମୋ ପରି ଅଜ୍ଞାନୀର ସେହି ମନ ଅକସ୍ମାତ୍ ଏକ ଛୋଟ ହରିଣ-ଶିଶୁ ପଛରେ ପଡି ନିଜ ଲକ୍ଷ୍ୟରୁ ଚ୍ୟୁତ ହୋଇଗଲା |

ଇତ୍ୟେବଂ ନିଗୂଢନିର୍ୱେଦୋ ବିସୃଜ୍ୟ ମୃଗୀଂ ମାତରଂ

ପୁନର୍ଭଗବତ୍କ୍ଷେତ୍ରମୁପଶମଶୀଲମୁନିଗଣଦୟିତଂ

ଶାଲଗ୍ରାମଂ ପୁଲସ୍ତ୍ୟପୁଲହାଶ୍ରମଂ କାଲଞ୍ଜରା-

ତ୍ପ୍ରତ୍ୟାଜଗାମ ॥ ୩୦॥

ମୃଗଶରୀରରେ ମଧ୍ୟ ରାଜର୍ଷି ଭରତଙ୍କ ହୃଦୟରେ ଏହି ଯେଉଁ ବୈରାଗ୍ୟ ଭାବନା ଜାତ ହେଲା, ସେ ତାହାକୁ ଗୋପନ ରଖି ନିଜ ମାତା ମୃଗୀକୁ ତ୍ୟାଗ କରିଦେଲେ ଏବଂ ନିଜ ଜନ୍ମଭୂମି କାଳଞ୍ଜର ପର୍ବତରୁ ସେ ପୁନର୍ବାର ଶାନ୍ତସ୍ବଭାବ ମୁନିମାନଙ୍କର ପ୍ରିୟ ଭଗବାନଙ୍କର କ୍ଷେତ୍ର ସେହି ଶାଳଗ୍ରାମତୀର୍ଥର ପୁଲସ୍ତ୍ୟ ଏବଂ ପୁଲହ ଋଷିଙ୍କର ଆଶ୍ରମକୁ ଚାଲି ଆସିଲେ |

ତସ୍ମିନ୍ନପି କାଲଂ ପ୍ରତୀକ୍ଷମାଣଃ ସଙ୍ଗାଚ୍ଚ ଭୃଶମୁଦ୍ୱିଗ୍ନ

ଆତ୍ମସହଚରଃ ଶୁଷ୍କପର୍ଣତୃଣବୀରୁଧା ବର୍ତମାନୋ

ମୃଗତ୍ୱନିମିତ୍ତାବସାନମେବ ଗଣୟନ୍ ମୃଗଶରୀରଂ

ତୀର୍ଥୋଦକକ୍ଲିନ୍ନମୁତ୍ସସର୍ଜ ॥ ୩୧॥

ସେଠାରେ ରହି ସେ କାଳର ପ୍ରତୀକ୍ଷା କରିବାରେ ଲାଗିଲେ | ଆସକ୍ତି ପ୍ରତି ତାଙ୍କ ମନରେ ବହୁତ ଭୟ ଥିଲା | ସେଥିପାଇଁ ସେ ଏକାକୀ ରହି ଶୁଖିଲା ପତ୍ର, ଘାସ ଏବଂ ଝାଡରେ ନିର୍ବାହ କରି ମୃଗଯୋନି ପ୍ରାପ୍ତ କରାଇଥିବା ପ୍ରାରବ୍ଧର କ୍ଷୟ ଅପେକ୍ଷାରେ ରହିଥିଲେ | ଶେଷରେ ସେ ନିଜ ଶରୀରର ଅର୍ଦ୍ଧେକ ଭାଗ ଗଣ୍ଡକୀ ଜଳରେ ବୁଡାଇ ରଖି ସେହି ମୃଗଶରୀର ତ୍ୟାଗ କଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଭରତଚରିତେ ଅଷ୍ଟମୋଽଧ୍ୟାୟଃ ॥ ୮॥


Comments

Popular posts from this blog