ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ପଞ୍ଚମ ସ୍କନ୍ଧ ॥
ନବମ ଅଧ୍ୟାୟ
ଭରତଙ୍କର ବ୍ରାହ୍ମଣକୁଳରେ ଜନ୍ମ
ଶ୍ରୀଶୁକ ଉବାଚ
ଅଥ କସ୍ୟଚିଦ୍ଦ୍ୱିଜବରସ୍ୟାଙ୍ଗିରଃପ୍ରବରସ୍ୟ ଶମଦମତପଃ-
ସ୍ୱାଧ୍ୟାୟାଧ୍ୟଯନତ୍ୟାଗସନ୍ତୋଷତିତିକ୍ଷାପ୍ରଶ୍ରୟବିଦ୍ୟା-
ନସୂୟାତ୍ମଜ୍ଞାନାନନ୍ଦୟୁକ୍ତସ୍ୟାତ୍ମସଦୃଶଶ୍ରୁତଶୀଲାଚାର-
ରୂପୌଦାର୍ୟଗୁଣା ନବସୋଦର୍ୟା ଅଙ୍ଗଜା ବଭୂବୁର୍ମିଥୁନଂ ଚ
ଯବୀୟସ୍ୟାଂ ଭାର୍ୟାୟାମ୍ ॥ ୧॥
ରାଜନ୍ ! ଅଙ୍ଗିରସ ଗୋତ୍ରରେ ଶମ, ଦମ, ସ୍ବାଧ୍ୟାୟ, ବେଦାଧ୍ୟୟନ, ତ୍ୟାଗ (ଅତିଥିଙ୍କୁ ଅନ୍ନ ଦାନ), ସନ୍ତୋଷ, ତିତିକ୍ଷା, ବିନୟ, ବିଦ୍ୟା (କର୍ମବିଦ୍ୟା), ଅନସୂୟା (ଅନ୍ୟର ଗୁଣରେ
ଦୋଷ ଦର୍ଶନ ନ କରିବା), ଆତ୍ମଜ୍ଞାନ (ଆତ୍ମାର କର୍ତ୍ତୃତ୍ବ ଏବଂ ଭୋକ୍ତୃତ୍ବ ଜ୍ଞାନ), ଏବଂ
ଆନନ୍ଦ (ଧର୍ମପାଳନଜନିତ ସୁଖ) ଆଦି ସର୍ବଗୁଣ ସମ୍ପନ୍ନ ଏକ ଶ୍ରେଷ୍ଠ ବ୍ରାହ୍ମଣ ଥିଲେ | ତାଙ୍କର
ପ୍ରଥମ ସ୍ତ୍ରୀଙ୍କଠାରୁ ନିଜ ପରି ବିଦ୍ୟା, ଶୀଳ, ଆଚାର, ରୂପ ଏବଂ ଉଦାରତା ଆଦି ଗୁଣଯୁକ୍ତ ନଅ ପୁତ୍ର ଥିଲେ ତଥା ଦ୍ବିତୀୟ
ସ୍ତ୍ରୀଙ୍କଠାରୁ ଏକସଙ୍ଗେ ଏକ ପୁତ୍ର ଏବଂ ଏକ କନ୍ୟା ଜାତ ହୋଇଥିଲେ |
ଯସ୍ତୁ ତତ୍ର ପୁମାଂସ୍ତଂ ପରମଭାଗବତଂ ରାଜର୍ଷିପ୍ରବରଂ ଭରତ-
ମୁତ୍ସୃଷ୍ଟମୃଗଶରୀରଂ ଚରମଶରୀରେଣ ବିପ୍ରତ୍ୱଂ ଗତମାହୁଃ ॥ ୨॥
ସେହି ଦୁହିଁଙ୍କ ମଧ୍ୟରୁ ପୁରୁଷ ସନ୍ତାନଟି ପରମ ଭାଗବତ
ରାଜର୍ଷିଶିରୋମଣି ଭରତ ହିଁ ଥିଲେ | ସେ ମୃଗଶରୀର ପରିତ୍ୟାଗ କରି ଅନ୍ତିମ ଜନ୍ମରେ ବ୍ରାହ୍ମଣ
ହୋଇଥିଲେ – ଏହା ମହାପୁରୁଷମାନଙ୍କର କଥନ ଅଟେ |
ତତ୍ରାପି ସ୍ୱଜନସଙ୍ଗାଚ୍ଚ ଭୃଶମୁଦ୍ୱିଜମାନୋ ଭଗବତଃ
କର୍ମବନ୍ଧବିଧ୍ୱଂସନଶ୍ରବଣସ୍ମରଣଗୁଣବିବରଣ-
ଚରଣାରବିନ୍ଦୟୁଗଲଂ ମନସା ବିଦଧଦାତ୍ମନଃ
ପ୍ରତିଘାତମାଶଙ୍କମାନୋ ଭଗବଦନୁଗ୍ରହେଣାନୁସ୍ମୃତ-
ସ୍ୱପୂର୍ୱଜନ୍ମାବଲିରାତ୍ମାନମୁନ୍ମତ୍ତଜଡାନ୍ଧବଧିର-
ସ୍ୱରୂପେଣ ଦର୍ଶୟାମାସ ଲୋକସ୍ୟ ॥ ୩॥
ଏହି ଜନ୍ମରେ ମଧ୍ୟ ଭଗବାନଙ୍କ କୃପାରୁ ପୂର୍ବଜନ୍ମପରମ୍ପରା ସ୍ମରଣ ରହିଥିବା କାରଣରୁ, ସେ ପୁନର୍ବାର କୌଣସି ବିଘ୍ନ
ଉପସ୍ଥିତ ହୋଇପାରେ, ଏହି ଆଶଙ୍କାରେ ନିଜ ସ୍ବଜନମାନଙ୍କ ସହିତ ରହିବା ପାଇଁ ଭୟ
କରୁଥିଲେ | ଯାହାର ଶ୍ରବଣ, ସ୍ମରଣ ଏବଂ ଗୁଣକୀର୍ତ୍ତନ ସମସ୍ତ ପ୍ରକାରର କର୍ମ-ବନ୍ଧନକୁ ଛିନ୍ନ କରିଦେଇ ଥାଏ, ଭଗବାନଙ୍କର ସେହି ଯୁଗଳ ଚରଣକମଳକୁ ସେ ସର୍ବଦା ନିଜ ହୃଦୟରେ ଧାରଣ କରିଥିଲେ ତଥା
ଅନ୍ୟମାନଙ୍କ ଦୃଷ୍ଟିରେ ନିଜକୁ ପାଗଳ, ମୂର୍ଖ, ଅନ୍ଧ ଏବଂ ବଧିର ରୂପେ ପ୍ରଦର୍ଶିତ କରୁଥିଲେ |
ତସ୍ୟାପି ହ ବା ଆତ୍ମଜସ୍ୟ ବିପ୍ରଃ ପୁତ୍ରସ୍ନେହାନୁବଦ୍ଧମନା
ଆ ସମାବର୍ତନାତ୍ସଂସ୍କାରାନ୍ ଯଥୋପଦେଶଂ ବିଦଧାନ
ଉପନୀତସ୍ୟ ଚ ପୁନଃ ଶୌଚାଚମନାଦୀନ୍ କର୍ମନିୟମା-
ନନଭିପ୍ରେତାନପି ସମଶିକ୍ଷୟଦନୁଶିଷ୍ଟେନ ହି ଭାବ୍ୟଂ ପିତୁଃ
ପୁତ୍ରେଣେତି ॥ ୪॥
ପିତାଙ୍କର ତାଙ୍କ ପ୍ରତି ମଧ୍ୟ
ସମାନ ବାତ୍ସଲ୍ୟସ୍ନେହ ଥିଲା | ସେଥିପାଇଁ ସେହି ବ୍ରାହ୍ମଣଦେବତା ନିଜ ପାଗଳ ପୁତ୍ରର ମଧ୍ୟ
ଶାସ୍ତ୍ରାନୁସାରେ ସମାବର୍ତ୍ତନ ପର୍ଯ୍ୟନ୍ତ ବିବାହ ପୂର୍ବର ସମସ୍ତ ସଂସ୍କାର କରିବା ବିଚାରରେ
ତାଙ୍କର ଉପନୟନ ସଂସ୍କାର କଲେ | ଯଦିଓ ସେ ଇଚ୍ଛା କରୁ ନ ଥିଲେ, ତଥାପି ‘ପିତାର କର୍ତ୍ତବ୍ୟ ପୁତ୍ରକୁ ଶିକ୍ଷା ଦେବା’ – ଏହି ଶାସ୍ତ୍ରବିଚାର ଅନୁସାରେ ସେ ତାଙ୍କୁ ଶୌଚ-ଆଚମନ ଆଦି
ଆବଶ୍ୟକ କର୍ମର ଶିକ୍ଷା ପ୍ରଦାନ କରିଥିଲେ |
ସ ଚାପି ତଦୁ ହ ପିତୃସନ୍ନିଧାବେବାସଧ୍ରୀଚୀନମିବ
ସ୍ମ କରୋତି ଛନ୍ଦାଂସ୍ୟଧ୍ୟାପୟିଷ୍ୟନ୍ ସହ ବ୍ୟାହୃତିଭିଃ
ସପ୍ରଣବଶିରସ୍ତ୍ରିପଦୀଂ ସାବିତ୍ରୀଂ ଗ୍ରୈଷ୍ମବାସନ୍ତିକାନ୍
ମାସାନଧୀୟାନମପ୍ୟସମବେତରୂପଂ ଗ୍ରାହୟାମାସ ॥ ୫॥
କିନ୍ତୁ ଭରତ ପିତାଙ୍କ ସମ୍ମୁଖରେ ହିଁ ତାଙ୍କ ଉପଦେଶର ବିରୁଦ୍ଧାଚରଣ
କରିବାରେ ଲାଗୁଥିଲେ | ପିତା ଇଚ୍ଛା କରୁଥିଲେ ବର୍ଷାକାଳରେ ତାଙ୍କର ବେଦାଧ୍ୟୟନ ଆରମ୍ଭ କରିବେ |
କିନ୍ତୁ ବସନ୍ତ ଏବଂ ଗ୍ରୀଷ୍ମଋତୁର ଚୈତ୍ର, ବୈଶାଖ, ଜ୍ୟେଷ୍ଠ ଏବଂ
ଆଷାଢ଼ – ଚାରି ମାସ ଅଭ୍ୟାସ କରାଇ ମଧ୍ୟ ସେ ତାଙ୍କୁ ବ୍ୟାହୃତି ଏବଂ ଶିରୋମନ୍ତ୍ରପ୍ରଣବ ସହିତ
ତ୍ରିପଦା ଗାୟତ୍ରୀ ମଧ୍ୟ ଉତ୍ତମ ରୂପେ ସ୍ମରଣ କରାଇ ପାରିଲେ ନାହିଁ |
ଏବଂ ସ୍ୱତନୁଜ ଆତ୍ମନ୍ୟନୁରାଗାବେଶିତଚିତ୍ତଃ
ଶୌଚାଧ୍ୟଯନବ୍ରତନିୟମଗୁର୍ୱନଲଶୁଶ୍ରୂଷଣାଦ୍ୟୌପ-
କୁର୍ୱାଣକକର୍ମାଣ୍ୟନଭିୟୁକ୍ତାନ୍ୟପି ସମନୁଶିଷ୍ଟେନ
ଭାବ୍ୟମିତ୍ୟସଦାଗ୍ରହଃ ପୁତ୍ରମନୁଶାସ୍ୟ ସ୍ୱୟଂ
ତାବଦନଧିଗତମନୋରଥଃ କାଲେନାପ୍ରମତ୍ତେନ
ସ୍ୱୟଂ ଗୃହ ଏବ ପ୍ରମତ୍ତ ଉପସଂହୃତଃ ॥ ୬॥
ଏତେ ସବୁ ସତ୍ତ୍ବେ ବି ନିଜ ପୁତ୍ର ପ୍ରତି ତାଙ୍କର ଆତ୍ମାତୁଲ୍ୟ
ଅନୁରାଗ ଥିଲା | ସେଥିପାଇଁ ପୁତ୍ରର ସେହି ଦିଗରେ ପ୍ରବୃତ୍ତି ନ ଥିଲେ ବି ‘ପୁତ୍ରକୁ ଭଲ ଭାବରେ
ଶିକ୍ଷିତ କରିବା ଉଚିତ୍’ ଏହି ଆଗ୍ରହବଶତଃ
ସେ ତାଙ୍କୁ ଶୌଚ, ବେଦାଧ୍ୟୟନ, ବ୍ରତ, ନିୟମ ତଥା ଗୁରୁ ଏବଂ ଅଗ୍ନିଙ୍କର ସେବା ଆଦି ବ୍ରହ୍ମଚର୍ଯ୍ୟଆଶ୍ରମର ଆବଶ୍ୟକ
ନିୟମର ଶିକ୍ଷା ଦେବାରେ ଲାଗିଥିଲେ | କିନ୍ତୁ ଏବେ ପୁତ୍ରକୁ ସୁଶିକ୍ଷିତ ଦେଖିବାର ତାଙ୍କର
ମନୋରଥ ପୂର୍ଣ୍ଣ ହୋଇନାହିଁ ଏବଂ ସେ ନିଜେ ମଧ୍ୟ ଭଗବଦ୍-ଭଜନରୂପ ନିଜର ମୁଖ୍ୟ କର୍ତ୍ତବ୍ୟ ପ୍ରତି
ଅସାବଧାନ ରହି କେବଳ ଗୃହକାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି, ଯେତେବେଳେ ସଦା ସଜଗ କାଳଭଗବାନ ଆକ୍ରମଣ
କରି ତାଙ୍କ ଜୀବନର ଅନ୍ତ କରିଦେଲେ |
ଅଥ ଯବୀୟସୀ ଦ୍ୱିଜସତୀ ସ୍ୱଗର୍ଭଜାତଂ ମିଥୁନଂ
ସପତ୍ନ୍ୟା ଉପନ୍ୟସ୍ୟ ସ୍ୱୟମନୁସଂସ୍ଥୟାପତିଲୋକମଗାତ୍ ॥ ୭॥
ସେତେବେଳେ ତାଙ୍କର ଦ୍ବିତୀୟ ସ୍ତ୍ରୀ ନିଜ ଗର୍ଭରୁ ଉତ୍ପନ୍ନ ଦୁଇ
ସନ୍ତାନଙ୍କୁ ସପତ୍ନୀ ହସ୍ତରେ ଅର୍ପଣ କରି ସ୍ବୟଂ ସତୀ ହୋଇ ପରଲୋକ ଗମନ କଲେ |
ପିତର୍ୟୁପରତେ ଭ୍ରାତର ଏନମତତ୍ପ୍ରଭାବବିଦସ୍ତ୍ରୟ୍ୟାଂ ବିଦ୍ୟାୟାମେବ
ପର୍ୟବସିତମତୟୋ ନ ପରବିଦ୍ୟାୟାଂ ଜଡମତିରିତି ଭ୍ରାତୁ-
ରନୁଶାସନନିର୍ବନ୍ଧାନ୍ନ୍ୟବୃତ୍ସନ୍ତ ॥ ୮॥
ଭରତଙ୍କର ଭାଇ କର୍ମକାଣ୍ଡକୁ ସର୍ବଶ୍ରେଷ୍ଠ ମନେ କରୁଥିଲେ |
ବ୍ରହ୍ମଜ୍ଞାନରୂପ ପରାବିଦ୍ୟାରେ ସେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ | ସେଥିପାଇଁ ଭରତଙ୍କର ପ୍ରଭାବ
ତାଙ୍କୁ ଜ୍ଞାତ ନ ଥିଲା, ସେ ତାଙ୍କୁ ନିପଟ
ମୂର୍ଖ ମନେ କରୁଥିଲେ | ପିତାଙ୍କର ପରଲୋକ ଗମନ ପରେ ସେ ତାଙ୍କ ପଢା-ଲେଖା ପ୍ରତି ଧ୍ୟାନ ଦେଲେ
ନାହିଁ |
ସ ଚ ପ୍ରାକୃତୈର୍ଦ୍ୱିପଦପଶୁଭିରୁନ୍ମତ୍ତଜଡବଧିରମୂକେ-
ତ୍ୟଭିଭାଷ୍ୟମାଣୋ ଯଦା ତଦନୁରୂପାଣି ପ୍ରଭାଷତେ କର୍ମାଣି
ଚ ସ କାର୍ୟମାଣଃ ପରେଚ୍ଛୟା କରୋତି ବିଷ୍ଟିତୋ ବେତନତୋ
ବା ଯାଚ୍ଞୟା ଯଦୃଚ୍ଛୟା ବୋପସାଦିତମଲ୍ପଂ ବହୁ ମୃଷ୍ଟଂ
କଦନ୍ନଂ ବାଭ୍ୟବହରତି ପରଂ ନେନ୍ଦ୍ରିୟପ୍ରୀତିନିମିତ୍ତମ୍ ।
ନିତ୍ୟନିବୃତ୍ତନିମିତ୍ତସ୍ୱସିଦ୍ଧବିଶୁଦ୍ଧାନୁଭବାନନ୍ଦ-
ସ୍ୱାତ୍ମଲାଭାଧିଗମଃ ସୁଖଦୁଃଖୟୋର୍ଦ୍ୱନ୍ଦ୍ୱନିମିତ୍ତୟୋ-
ରସମ୍ଭାବିତଦେହାଭିମାନଃ ॥ ୯॥
ଭରତ ମାନ-ଅପମାନ ପ୍ରତି ନିସ୍ପୃହ ଥିଲେ | ସାଧାରଣ ନର-ପଶୁ ଯେତେବେଳେ
ତାଙ୍କୁ ପାଗଳ, ମୂର୍ଖ ଏବଂ ଜଡ କହି ସମ୍ବୋଧିତ କରୁଥିଲେ, ସେ ମଧ୍ୟ ତଦନୁରୂପ
ବ୍ୟବହାର କରୁଥିଲେ | ଯିଏ ଯାହା ତାଙ୍କୁ କରିବାକୁ କହୁଥିଲା, ତାଙ୍କର
ଇଚ୍ଛାନୁସାରେ ସେ ତାହା କରି ଦେଉଥିଲେ | ବୋଲକରା ଶ୍ରମିକ ରୂପରେ ମାଗିଲେ କିମ୍ବା ନ ମାଗିଲେ
ମଧ୍ୟ ଯେତେବେଳେ ଯାହା ଅନ୍ନ ତାଙ୍କୁ ମିଳିଯାଉ ଥିଲା, ସେ ତାହାକୁ ସ୍ବାଦ
ନ ବାରି ଭକ୍ଷଣ କରୁଥିଲେ | କାରଣାତୀତ, ସ୍ବତଃସିଦ୍ଧ କେବଳ ଜ୍ଞାନାନନ୍ଦସ୍ବରୂପ ଆତ୍ମଜ୍ଞାନ
ତାଙ୍କୁ ପ୍ରାପ୍ତ ହୋଇ ଯାଇଥିଲା; ସେଥିପାଇଁ ଶୀତୋଷ୍ଣ, ମାନାପମାନ ଆଦି ଦ୍ବନ୍ଦ୍ବରୁ ଉତ୍ପନ୍ନ
ହେଉଥିବା ସୁଖ-ଦୁଃଖାଦିରେ ତାଙ୍କୁ ଦେହାଭିମାନର ସ୍ଫୁର୍ତି ହେଉ ନ ଥିଲା |
ଶୀତୋଷ୍ଣବାତବର୍ଷେଷୁ ବୃଷ ଇବାନାବୃତାଙ୍ଗଃ ପୀନଃ
ସଂହନନାଙ୍ଗଃ ସ୍ଥଣ୍ଡିଲସମ୍ବେଶନାନୁନ୍ମର୍ଦନାମଜ୍ଜନ-
ରଜସା ମହାମଣିରିବାନଭିବ୍ୟକ୍ତବ୍ରହ୍ମବର୍ଚସଃ
କୁପଟାବୃତକଟିରୁପବୀତେନୋରୁମଷିଣା ଦ୍ୱିଜାତିରିତି
ବ୍ରହ୍ମବନ୍ଧୁରିତି ସଞ୍ଜ୍ଞୟାତଜ୍ଜ୍ଞଜନାବମତୋ ବିଚଚାର ॥ ୧୦॥
ସେ ଶୀତ, ଗ୍ରୀଷ୍ମ, ବର୍ଷା ଏବଂ ବାତ୍ୟା ଆଦି ସବୁ ସମୟରେ ଷଣ୍ଢ ପରି ଯେଉଁଠି-ସେଇଠି ପଡି
ରହୁଥିଲେ | ତାଙ୍କର ସବୁ ଅଙ୍ଗ ହୃଷ୍ଟ-ପୁଷ୍ଟ ଏବଂ ସୁଗଠିତ ଥିଲା | ସେ ଭୂମିରେ ହିଁ ପଡି
ରହୁଥିଲେ, କେବେ ତେଲ ଆଦି ଲେପ ଲଗାଉ ନ ଥିଲେ କି ସ୍ନାନ ମଧ୍ୟ
କରୁ ନଥିଲେ; ସେଥିପାଇଁ ତାଙ୍କ ଶରୀରରେ ମଇଳା ଜମି ରହିଥିଲା |
ଧୂଳିରେ ଆବୃତ ମୂଲ୍ୟବାନ ମଣି ପରି ତାଙ୍କର ବ୍ରହ୍ମତେଜ ଦୃଶ୍ୟ ହେଉ ନ ଥିଲା | କଟିଦେଶ ଗୋଟିଏ
ଛିଣ୍ଡା-ମଇଳା ବସ୍ତ୍ରରେ ଆବୃତ ରହିଥିଲା, ତାଙ୍କର
ଯଜ୍ଞୋପବୀତ ମଧ୍ୟ ବହୁତ ମଇଳା ହୋଇ ଯାଇଥିଲା; ସେଥିପାଇଁ
ଅଜ୍ଞାନୀ ଜନତା ତାଙ୍କୁ କେହି ଅଧମ ବ୍ରାହ୍ମଣ ମନେକରି ତାଙ୍କର ତିରସ୍କାର କରି ଦେଉଥିଲା |
କିନ୍ତୁ ସେ ତାହାର ବିଚାର ନ କରି ସ୍ବଚ୍ଛନ୍ଦ ବିଚରଣ କରୁଥିଲେ |
ଯଦା ତୁ ପରତ ଆହାରଂ କର୍ମବେତନତ ଈହମାନଃ
ସ୍ୱଭ୍ରାତୃଭିରପି କେଦାରକର୍ମଣି ନିରୂପିତସ୍ତଦପି
କରୋତି କିନ୍ତୁ ନ ସମଂ ବିଷମଂ ନ୍ୟୂନମଧିକମିତି
ବେଦ କଣପିଣ୍ୟାକଫଲୀକରଣକୁଲ୍ମାଷସ୍ଥାଲୀ-
ପୁରୀଷାଦୀନ୍ୟପ୍ୟମୃତବଦଭ୍ୟବହରତି ॥ ୧୧॥
ଅନ୍ୟମାନଙ୍କର ମଜୁରୀ କରି ପେଟ ପାଳୁଥିବା ଦେଖି ତାଙ୍କର ଭାଈମାନେ
ଯେତେବେଳେ ତାଙ୍କୁ ନିଜ କ୍ଷେତରେ କାମ କରିବାରେ ଲଗାଇ ଦେଲେ, ସେ ତାହା ମଧ୍ୟ କରିବାରେ ଲାଗିଲେ
| କିନ୍ତୁ କ୍ଷେତର ଭୂମି ସମତଳ ଅଛି କି ଖାଲ-ଢିପ ଅଛି, ସେଥିପ୍ରତି
ତାଙ୍କର ଧ୍ୟାନ ନ ଥିଲା | ଭାଈମାନେ ତାଙ୍କୁ ଖାଦ୍ୟ ଭାବରେ ସିଝା-ଦରସିଝା, ପୋଡା-ଜଳା ଯାହାକିଛି ଦେଉଥିଲେ, ତାହାକୁ ସେ ଅମୃତ
ପରି ଗ୍ରହଣ କରୁଥିଲେ |
ଅଥ କଦାଚିତ୍କଶ୍ଚିଦ୍ୱୃଷଲପତିର୍ଭଦ୍ରକାଲ୍ୟୈ ପୁରୁଷପଶୁ-
ମାଲଭତାପତ୍ୟକାମଃ ॥ ୧୨॥
ଥରେ ଡାକୁମାନଙ୍କର ସର୍ଦ୍ଦାର, ଯାହାର ସାମନ୍ତ
ଶୂଦ୍ର ଜାତିର ଥିଲା, ପୁତ୍ରକାମନାରେ
ଭଦ୍ରକାଳୀଙ୍କ ନିକଟରେ ନର-ବଳି ଦେବାର ସଂକଳ୍ପ କରିଥିଲା |
ତସ୍ୟ ହ ଦୈବମୁକ୍ତସ୍ୟ ପଶୋଃ ପଦବୀଂ ତଦନୁଚରାଃ
ପରିଧାବନ୍ତୋ ନିଶି ନିଶୀଥସମୟେ ତମସା-
ବୃତାୟାମନଧିଗତପଶବ ଆକସ୍ମିକେନ ବିଧିନା
କେଦାରାନ୍ ବୀରାସନେନ ମୃଗବରାହାଦିଭ୍ୟଃ
ସଂରକ୍ଷମାଣମଙ୍ଗିରଃପ୍ରବରସୁତମପଶ୍ୟନ୍ ॥ ୧୩॥
ଯେଉଁ ପୁରୁଷକୁ ସେମାନେ ବଳି ଦେବା ପାଇଁ ଧରି ଆଣିଥିଲେ, ଦୈବବଶ ସେ ସେମାନଙ୍କର ଫାଶରୁ ମୁକୁଳି ପଳାଇ ଗଲା | ତାକୁ ଖୋଜିବାକୁ
ସେବକମାନେ ଚତୁର୍ଦ୍ଦିଗରେ ଧାଇଁଲେ, କିନ୍ତୁ ଅର୍ଦ୍ଧରାତ୍ରୀର ଅନ୍ଧାରରେ ସେମାନେ ତାକୁ ଖୋଜି
ପାଇଲେ ନାହିଁ | ଏହି ସମୟରେ ଅକସ୍ମାତ୍ ସେମାନଙ୍କର ଦୃଷ୍ଟି ସେହି ଆଙ୍ଗିରସଗୋତ୍ରୀୟ
ବ୍ରାହ୍ମଣକୁମାରଙ୍କ ଉପରେ ପଡିଲା, ଯିଏ ବୀରାସନରେ
ବସି ମୃଗ-ବରାହ ଆଦି ଜୀବମାନଙ୍କ ଦାଉରୁ କ୍ଷେତକୁ ରକ୍ଷା କରୁଥିଲେ |
ଅଥ ତ ଏନମନବଦ୍ୟଲକ୍ଷଣମବମୃଶ୍ୟ ଭର୍ତୃକର୍ମ-
ନିଷ୍ପତ୍ତିଂ ମନ୍ୟମାନା ବଦ୍ଧ୍ୱା ରଶନୟା ଚଣ୍ଡିକା-
ଗୃହମୁପନିନ୍ୟୁର୍ମୁଦା ବିକସିତବଦନାଃ ॥ ୧୪॥
ସେମାନେ ଦେଖିଲେ, ଏହି ନର-ପଶୁ ତ
ଉତ୍ତମ ଲକ୍ଷଣଯୁକ୍ତ ଅଟେ, ଏହା ଦ୍ବାରା ଆମ
ସ୍ବାମୀଙ୍କର କାର୍ଯ୍ୟ ନିଶ୍ଚୟ ସିଦ୍ଧ ହୋଇପାରିବ | ଏହି ବିଚାରରେ ସେମାନଙ୍କର ମୁଖ ହର୍ଷିତ ହୋଇ
ଉଠିଲା ଏବଂ ସେମାନେ ତାଙ୍କୁ ରସିରେ ବାନ୍ଧି ଚଣ୍ଡିକାଙ୍କ ମନ୍ଦିରକୁ ନେଇ ଆସିଲେ |
ଅଥ ପଣୟସ୍ତଂ ସ୍ୱବିଧିନାଭିଷିଚ୍ୟାହତେନ
ବାସସାଽଽଚ୍ଛାଦ୍ୟ ଭୂଷଣାଲେପସ୍ରକ୍ତିଲକାଦିଭି-
ରୁପସ୍କୃତଂ ଭୁକ୍ତବନ୍ତଂ ଧୂପଦୀପମାଲ୍ୟଲାଜ-
କିସଲୟାଙ୍କୁରଫଲୋପହାରୋପେତୟା ବୈଶସ-
ସଂସ୍ଥୟା ମହତା ଗୀତସ୍ତୁତିମୃଦଙ୍ଗପଣବଘୋଷେଣ
ଚ ପୁରୁଷପଶୁଂ ଭଦ୍ରକାଲ୍ୟାଃ ପୁରତ ଉପବେଶୟାମାସୁଃ ॥ ୧୫॥
ତଦନନ୍ତର ସେହି ଚୋରମାନେ ନିଜ ପଦ୍ଧତି ଅନୁସାରେ ବିଧିପୂର୍ବକ ତାଙ୍କର
ସ୍ନାନ-ଅଭିଷେକ ଆଦି କରାଇ ତାଙ୍କୁ ଶୁଭ୍ର ବସ୍ତ୍ର ପରିଧାନ କରାଇଲେ ତଥା ନାନା ପ୍ରକାରର ଆଭୂଷଣ, ଚନ୍ଦନ, ମାଳା ଏବଂ ତିଳକ
ଆଦିରେ ବିଭୂଷିତ କରାଇ ତାଙ୍କୁ ଭୋଜନ ଦାନ କଲେ | ତତପଶ୍ଚାତ୍ ଧୂପ, ଦୀପ, ମାଳ, ପାନପତ୍ର, ଅଙ୍କୁର ଏବଂ ଫଳ ଆଦି ଉପହାର ସାମଗ୍ରୀ ସହିତ ବଳିଦାନ ବିଧିର ଗାନ, ସ୍ତୁତି ଏବଂ ମୃଦଙ୍ଗ-ଢୋଲ ଆଦି ଶବ୍ଦ କରି ସେହି ପୁରୁଷ-ପଶୁକୁ
ଭଦ୍ରକାଳୀଙ୍କ ସମ୍ମୁଖରେ ଅଧୋମୁଖ କରି ବସାଇ ଦେଲେ |
ଅଥ ବୃଷଲରାଜପଣିଃ ପୁରୁଷପଶୋରସୃଗାସବେନ
ଦେବୀଂ ଭଦ୍ରକାଲୀଂ ଯକ୍ଷ୍ୟମାଣସ୍ତଦଭିମନ୍ତ୍ରିତମସି-
ମତିକରାଲନିଶିତମୁପାଦଦେ ॥ ୧୬॥
ଏହା ପରେ ଦସ୍ୟୁରାଜର ପୁରୋହିତ ସାଜିଥିବା ଡାକୁ ସେହି ନର-ପଶୁର
ରୁଧିରରେ ଦେବୀଙ୍କୁ ତୃପ୍ତ କରିବା ଅଭିପ୍ରାୟରେ ଦେବୀମନ୍ତ୍ରରେ ଅଭିମନ୍ତ୍ରିତ ଏକ ତୀକ୍ଷ୍ଣ
ଖଡ୍ଗ ଉଠାଇଲା |
ଇତି ତେଷାଂ ବୃଷଲାନାଂ ରଜସ୍ତମଃପ୍ରକୃତୀନାଂ
ଧନମଦରଜ ଉତ୍ସିକ୍ତମନସାଂ ଭଗବତ୍କଲା-
ବୀରକୁଲଂ କଦର୍ଥୀକୃତ୍ୟୋତ୍ପଥେନ ସ୍ୱୈରଂ ବିହରତାଂ
ହିଂସାବିହାରାଣାଂ କର୍ମାତିଦାରୁଣଂ ଯଦ୍ବ୍ରହ୍ମଭୂତସ୍ୟ
ସାକ୍ଷାଦ୍ବ୍ରହ୍ମର୍ଷିସୁତସ୍ୟ ନିର୍ୱୈରସ୍ୟ ସର୍ୱଭୂତସୁହୃଦଃ
ସୂନାୟାମପ୍ୟନନୁମତମାଲମ୍ଭନଂ ତଦୁପଲଭ୍ୟ
ବ୍ରହ୍ମତେଜସାତିଦୁର୍ୱିଷହେଣ ଦନ୍ଦହ୍ୟମାନେନ ବପୁଷା
ସହସୋଚ୍ଚଚାଟ ସୈବ ଦେବୀ ଭଦ୍ରକାଲୀ ॥॥ ୧୭॥
ଚୋରମାନେ ତ ସ୍ବଭାବତଃ ରଜୋଗୁଣୀ-ତମୋଗୁଣୀ ଥିଲେ, ଧନର ମଦରେ ସେମାନଙ୍କର ଚିତ୍ତ ଆହୁରି ଉନ୍ମତ୍ତ ହୋଇ ଯାଇଥିଲା |
ହିଂସାରେ ସେମାନଙ୍କର ସ୍ବାଭାବିକ ରୁଚି ରହିଥିଲା | ଏହି ସମୟରେ ସେମାନେ ଭଗବାନଙ୍କର ଅଂଶସ୍ବରୂପ
ବ୍ରାହ୍ମଣକୁଳର ତିରସ୍କାର କରି ସ୍ବଚ୍ଛନ୍ଦ କୁମାର୍ଗରେ ଅଗ୍ରସର ହେଉଥିଲେ | ଆପତ୍ତିକାଳରେ
ହିଂସାର ଅନୁମୋଦନ କରାଯାଉ ଥିଲେ ମଧ୍ୟ ବ୍ରାହ୍ମଣ-ବଧର ପୂର୍ଣ୍ଣ ନିଷେଧ କରାଯାଇ ଥାଏ | ତଥାପି
ଏମାନେ ସାକ୍ଷାତ୍ ବ୍ରହ୍ମଭାବକୁ ପ୍ରାପ୍ତ ହୋଇଥିବା ବୈରହୀନ ତଥା ସମସ୍ତ ପ୍ରାଣୀମାନଙ୍କର
ସୁହୃଦ୍ ଜଣେ ବ୍ରହ୍ମର୍ଷିକୁମାରଙ୍କୁ ବଳି ଦେବାକୁ ଇଚ୍ଛା କରୁଛନ୍ତି | ଏହି ଭୟଙ୍କର କୁକର୍ମ
ଦେଖି ଦେବୀ ଭଦ୍ରକାଳୀଙ୍କ ଶରୀର ଦୁଃସହ ବ୍ରହ୍ମତେଜରେ ଦହନ ହେବାରେ ଲାଗିଲା ଏବଂ ମୂର୍ତ୍ତିକୁ
ଚିରି ସେ ସାକ୍ଷାତ୍ ସେଠାରେ ପ୍ରକଟ ହୋଇଗଲେ |
ଭୃଶମମର୍ଷରୋଷାବେଶରଭସବିଲସିତଭ୍ରୁକୁଟି-
ବିଟପକୁଟିଲଦଂଷ୍ଟ୍ରାରୁଣେକ୍ଷଣାଟୋପାତିଭୟାନକ-
ବଦନା ହନ୍ତୁକାମେବେଦଂ ମହାଟ୍ଟହାସମତିସଂରମ୍ଭେଣ
ବିମୁଞ୍ଚନ୍ତୀ ତତ ଉତ୍ପତ୍ୟ ପାପୀୟସାଂ ଦୁଷ୍ଟାନାଂ
ତେନୈବାସିନା ବିବୃକ୍ଣଶୀର୍ଷ୍ଣାଂ ଗଲାତ୍ସ୍ରବନ୍ତମସୃଗାସବ-
ମତ୍ୟୁଷ୍ଣଂ ସହ ଗଣେନ ନିପୀୟାତିପାନମଦବିହ୍ୱଲୋଚ୍ଚୈସ୍ତରାଂ
ସ୍ୱପାର୍ଷଦୈଃ ସହ ଜଗୌ ନନର୍ତ ଚ ବିଜହାର ଚ ଶିରଃ
କନ୍ଦୁକଲୀଲୟା ॥ ୧୮॥
ଅତ୍ୟନ୍ତ ଅସହିଷ୍ଣୁତା ଏବଂ କ୍ରୋଧାବେଶରେ ତାଙ୍କର ଭ୍ରୁକୁଟି
ଉତ୍ତୋଳିତ ରହିଥିଲା ତଥା କରାଳ ଦନ୍ତ ଏବଂ ରକ୍ତ ବର୍ଣ୍ଣ ଧାରଣ କରିଥିବା ତାଙ୍କର ନେତ୍ର ଯୋଗୁଁ
ତାଙ୍କର ରୂପ ଅତ୍ୟନ୍ତ ଭୟାନକ ପ୍ରତୀତ ହେଉଥିଲା | ତାଙ୍କର ସେହି ବିକରାଳ ରୂପକୁ ଦେଖି ମନେ
ହେଉଥିଲା ସତେ ଯେପରି ଏହି ମୁହୂର୍ତ୍ତରେ ସେ ସଂସାରର ସଂହାର କରିବେ | କ୍ରୋଧରେ ଅତିଷ୍ଠ ହୋଇ ସେ
ଭୀଷଣ ଅଟ୍ଟହାସ କଲେ ଏବଂ ଡ଼େଇଁକରି ସେହି ଅଭିମନ୍ତ୍ରିତ ଖଡ୍ଗରେ ହିଁ ସେଠାରେ ଉପସ୍ଥିତ ସମସ୍ତ
ପାପୀଙ୍କର ସିରଛେଦନ କଲେ ଏବଂ ନିଜ ଗଣମାନଙ୍କ ସହିତ ସେମାନଙ୍କ ଗଳାରୁ ବହୁଥିବା ରୁଧିରରୂପ ଆସବ
ପାନ କରି ଉନ୍ମତ୍ତ ଭାବରେ ଉଚ୍ଚ ସ୍ବରରେ ଗାଇ-ନାଚି ସେମାନଙ୍କର କଟାସିରକୁ ପେଣ୍ଡୁ କରି
ଖେଳିବାରେ ଲାଗିଲେ |
ଏବମେବ ଖଲୁ ମହଦଭିଚାରାତିକ୍ରମଃ
କାର୍ତ୍ସ୍ନ୍ୟେନାତ୍ମନେ ଫଲତି ॥ ୧୯॥
ଏହା ସତ୍ୟବଚନ ଯେ ମହାପୁରୁଷମାନଙ୍କ ପ୍ରତି କରାଯାଉ ଥିବା
ଅତ୍ୟାଚାରରୂପ ଅପରାଧ ଏହିପରି ଭାବରେ ଯଥାବତ୍ ନିଜ ଉପରକୁ ହିଁ ଆସିଥାଏ |
ନ ବା ଏତଦ୍ୱିଷ୍ଣୁଦତ୍ତ ମହଦଦ୍ଭୁତଂ ଯଦସମ୍ଭ୍ରମଃ
ସ୍ୱଶିରଶ୍ଚ୍ଛେଦନ ଆପତିତେଽପି ବିମୁକ୍ତଦେହାଦ୍ୟାତ୍ମଭାବ-
ସୁଦୃଢହୃଦୟଗ୍ରନ୍ଥୀନାଂ ସର୍ୱସତ୍ତ୍ୱସୁହୃଦାତ୍ମନାଂ ନିର୍ୱୈରାଣାଂ
ସାକ୍ଷାଦ୍ଭଗବତାନିମିଷାରିବରାୟୁଧେନାପ୍ରମତ୍ତେନ ତୈସ୍ତୈର୍ଭାବୈଃ
ପରିରକ୍ଷ୍ୟମାଣାନାଂ ତତ୍ପାଦମୂଲମକୁତଶ୍ଚିଦ୍ଭୟମୁପସୃତାନାଂ
ଭାଗବତପରମହଂସାନାମ୍ ॥ ୨୦॥
ହେ ପରୀକ୍ଷିତ ! ଯାହାର ଦେହାଭିମାନରୂପ ସୁଦୃଢ ହୃଦୟଗ୍ରନ୍ଥି ଛିନ୍ନ
ହୋଇଯାଇ ଥାଏ, ଯିଏ ସମସ୍ତ ପ୍ରାଣୀଙ୍କର ସୁହୃଦ୍ ଆତ୍ମା ତଥା ବୈରହୀନ
ଅଟନ୍ତି, ସାକ୍ଷାତ୍ ଭଗବାନ ହିଁ ଭଦ୍ରକାଳୀ ଆଦି ଭିନ୍ନ ଭିନ୍ନ
ରୂପ ଧାରଣ କରି ନିଜର ଅବ୍ୟର୍ଥ କାଳଚକ୍ରରୂପ ଶ୍ରେଷ୍ଠ ଶସ୍ତ୍ର ଦ୍ବାରା ଯାହାର ରକ୍ଷା କରନ୍ତି
ଏବଂ ଯିଏ ଭଗବାନଙ୍କର ନିର୍ଭୟ ଚରଣକମଳର ଆଶ୍ରୟରେ ରହିଥାଆନ୍ତି – ସେହି ଭଗବଦ୍-ଭକ୍ତ
ପରମହଂସମାନଙ୍କ ପକ୍ଷରେ ନିଜର ମସ୍ତକ ଛେଦନ ହେବାକୁ ଯାଉଥିବା ସମୟରେ ବ୍ୟାକୁଳ ନ ହେବା, କିଛି
ଆଶ୍ଚର୍ଯ୍ୟର କଥା ନୁହେଁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଜଡଭରତଚରିତେ ନବମୋଽଧ୍ୟାୟଃ ॥ ୯॥

Comments
Post a Comment